ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ପ୍ରଧାନମନ୍ତ୍ରୀ ଓ ଭାରତ ସରକାରଙ୍କୁ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ନବୋନ୍ମେଷ ପାଇଁ କଲେ ପ୍ରଶଂସା
“ଆପଣଙ୍କ ଉଦ୍ୟମ ପାରମ୍ପରିକ ଔଷଧ ବ୍ୟବହାର କ୍ଷେତ୍ରରେ ଆଣିବ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ” ପ୍ରଧାନମନ୍ତ୍ରୀଙ୍କୁ କହିଲେ ମହାନିର୍ଦ୍ଦେଶକ
ପ୍ରଧାନମନ୍ତ୍ରୀ ଡକ୍ଟର ଟେଡ୍ରସ ଘେବ୍ରିୟେସସ୍‌ଙ୍କୁ ଦେଲେ ଗୁଜରାଟୀ ନାଁ “ତୁଳସୀ ଭାଇ”
“ଆୟୁଷ କ୍ଷେତ୍ରରେ ପୁଞ୍ଜିନିବେଶ ଓ ନବୋନ୍ମେଷ ର ଅସୀମ ସମ୍ଭାବନା ରହିଛି”
“୨୦୧୪ ମସିହାରେ ଆୟୁଷ କ୍ଷେତ୍ରର ଆକାର ତିନି ବିଲିୟନ ଡଲାରରୁ ମଧ୍ୟ କମ୍ ଥିବାବେଳେ ଏହା ୧୮ ବିଲିୟନ ଡଲାରକୁ ବୃଦ୍ଧି ପାଇଛି”
“ଭାରତ ଔଷଧିୟ ଗୁଳ୍ମର ଏକ ଗନ୍ତାଘର
“ଗତ କିଛି ବର୍ଷ ମଧ୍ୟରେ ୫୦ରୁ ଅଧିକ ବୁଝାମଣାପତ୍ର ବିଭିନ୍ନ ଦେଶ ସହ ସ୍ୱାକ୍ଷରିତ ହୋଇଛି । ଭାରତୀୟ ମାନକ ବ୍ୟୁରୋ ସହ ମିଶି ଆମର ଆୟୁଷ ବିଶେଷଜ୍ଞଗଣ
ଆଇଏସଓ ମାନ ବିକଶିତ କରିଛନ୍ତି । ୧୫୦ରୁ ଊର୍ଦ୍ଧ୍ୱ ଦେଶରେ ଆୟୁଷ କ୍ଷେତ୍ରରେ ବିଶାଳ ରପ୍ତାନୀ ବଜାର ସୃଷ୍ଟି କରିବ”
“ଏଫଏସ୍‌ଏସ୍‌ଏଆଇର ଆୟୁଷ ଆହାର ପ୍ରଯୋଜକମାନଙ୍କୁ ବିପୁଳଭାବେ ଔଷଧୀୟ ପୌଷ୍ଟିକ ତତ୍ୱ ସୁବିଧା ଦେବ”
“ସ୍ୱତନ୍ତ୍ର ଆୟୁଷ ଛାପ ସମଗ୍ର ବିଶ୍ୱରେ ଜନସାଧାରଣଙ୍କୁ ଆୟୁଷ ସାମଗ୍ରୀକୁ ବିଶ୍ୱାସଭାଜନ କରିବ”
“ ଭାରତ ସରକାର ଆୟୁଷ ଉଦ୍ୟାନ, ଆୟୁଷ ସାମଗ୍ରୀର ପ୍ରସ୍ତୁତି ଓ ଏହାର ଗବେଷଣା ନିମନ୍ତେ ଦେଶବ୍ୟାପୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୦.୦୪.୨୦୨୨) ଗୁଜରାଟର ଗାନ୍ଧୀନଗର ସ୍ଥିତ ମହାତ୍ମା ମନ୍ଦିରରେ ବୈଶ୍ୱିକ ଆୟୁଷ ପୁଞ୍ଜିବିନିଯୋଗ ଓ ନବୋନ୍ମେଷ ଶିଖର ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି ।
ମରିସସ୍ ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶର ଡକ୍ଟର ଟେଡ୍ରସ ଘାବ୍ରିୟେସସ୍ ଏହି ଅବସରରେ ଉପସ୍ଥିତ ଥିଲେ ।

ନମସ୍ତେ!

କେମ୍‌ ଛୋ! (ଆପଣମାନେ ସମସ୍ତେ କିପରି ଅଛନ୍ତି ? )

ମରିଶସର ପ୍ରଧାନମନ୍ତ୍ରୀ ଆଦରଣୀୟ ପ୍ରବିନ୍ଦ ଜଗନ୍ନାଥଜୀ,

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହା ନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍‌ ଆଧାନୋମ, ଗୁଜରାଟର ତେଜସ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ସର୍ବାନନ୍ଦ ସୋନୋୱାଲଜୀ, ମନସୁଖ ଭାଇ ମାଣ୍ଡଭୀୟଜୀ ପଟେଲ, ମହେନ୍ଦ୍ର ଭାଇ ମୁଂଜପରାଜୀ, ଦେଶ ବିଦେଶରୁ ଆସିଥିବା ସମସ୍ତ କୂଟନୀତିଜ୍ଞଗଣ, ବୈଜ୍ଞାନିକବୃନ୍ଦ, ଉଦ୍ୟୋଗପତିଗଣ ଏବଂ ବିଶେଷଜ୍ଞ, ଭଦ୍ରମହିଳା ଓ ଭଦ୍ରବ୍ୟକ୍ତିବୃନ୍ଦ!

ବୈଶ୍ୱିକ ଆୟୁଷ ନିବେଶ ଓ ନବସୃଜନ ସମ୍ମିଳନୀରେ, ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ କରୁଛି । ଆମେ ସଦାବେଳେ ଦେଖି ଆସିଛୁ ଯେ ଭିନ୍ନ ଭିନ୍ନ କ୍ଷେତ୍ରରେ ପୁଂଜି ଲଗାଣ ନିମନ୍ତେ ନିବେଶ ସମ୍ମିଳନୀମାନ ଆୟୋଜିତ ହୋଇଥାଏ ଏବଂ ଗୁଜରାଟରେ ତ ବିଶେଷ ଭାବେ ଏହା ଏକ ବହୁତ ବଡ଼ ପରମ୍ପରା ଭାବେ ଆଗକୁ ବଢ଼ି ଚାଲିଛି । କିନ୍ତୁ ଏହା ପ୍ରଥମ ଥର ପାଇଁ ହେଉଛି ଯେ ଯେତେବେଳେ ଆୟୁଷ କ୍ଷେତ୍ର ଲାଗି ଏଭଳି ଏକ ନିବେଶ ସମ୍ମିଳନୀର ଆୟୋଜନ କରାଯାଇଛି ।

 

ସାଥୀଗଣ,

ଏଭଳି ନିବେଶ ସମ୍ମିଳନୀର ଧାରଣା ମୋତେ ସେହି ସମୟରେ ଆସିଥିଲା, ଯେତେବେଳେ କି କରୋନା ମହାମାରୀ କାରଣରୁ ସମଗ୍ର ବିଶ୍ୱ ଭୟରେ ଥରୁଥିଲା । ଆମେ ସଭିଏଁ ଦେଖିଛେ ସେତେବେଳେ କିଭଳି ଭାବେ ଆୟୁର୍ବେଦିକ ଔଷଧ, ଆୟୁଷ କାଢ଼ା ଏବଂ ଏଭଳି ଆହୁରି ଅନେକ ପ୍ରକାର ଉତ୍ପାଦ, ଆମ ଶରୀରରେ ଇମ୍ୟୁନିଟି ବୃଦ୍ଧି ସକାଶେ କିଭଳି କାମରେ ଆସୁଥିଲା । ଏହାର ପରିଣାମ ଯେତେବେଳେ କରୋନା କାଳଖଣ୍ଡ ବେଳେ ଥିଲା ସେତେବେଳେ ଭାରତରୁ ବିଦେଶକୁ ହଳଦୀ ରପ୍ତାନୀ ବହୁ ଗୁଣରେ ବୃଦ୍ଧି ପାଇଥିଲା । ଅର୍ଥାତ୍‌ ଏହା ହେଉଛି ଏହାର ପ୍ରମାଣ, ଏହି କାର୍ଯ୍ୟରେ ଆମେ ଦେଖିଛୁ ଯେ ଯେଉଁସବୁ ଆଧୁନିକ ଫାର୍ମା କମ୍ପାନୀମାନ ଅଛନ୍ତି, ଟିକା ଉତ୍ପାଦନକାରୀ କମ୍ପାନୀମାନେ ଅଛନ୍ତି, ସେମାନେ ଠିକ୍‌ ସମୟରେ ନିବେଶ ମିଳିବା ଯୋଗୁ ସେମାନେ କେତେ ବଡ଼ ଆଶ୍ଚର୍ଯ୍ୟଜନକ କାମ କରି ଦେଖାଇଛନ୍ତି । କେହି କେବେ କଳ୍ପନା କରିଥିଲେ ଯେ ଏତେ କମ୍‌ ସମୟ ଭିତରେ ଆମେ କରୋନା ପ୍ରତିଷେଧକ ଟୀକା ବିକଶିତ କରିପାରିବା-

-ମେଡ୍‌ ଇନ୍‌ ଇଣ୍ଡିଆ । ନବସୃଜନ ଓ ନିବେଶ ଯେକୌଣସି କ୍ଷେତ୍ରରେ ହୋଇଥାଉନା କାହିଁକି ଏହାର କ୍ଷମତାକୁ ଅନେକ ଗୁଣ ବଢ଼ାଇ ଦେଇଥାଏ । ଏବେ ସମୟ ଆସିଯାଇଛି ଯେ ଆୟୁଷ କ୍ଷେତ୍ରରେ ମଧ୍ୟ ସେହିଭଳି ନିବେଶକୁ ଅଧିକରୁ ଅଧିକ ମାତ୍ରାରେ ବୃଦ୍ଧି କରାଯିବା ଆବଶ୍ୟକ । ଆଜିର ଏହି ଅବସର, ଏହି ସମ୍ମିଳନୀ, ଏହାର ଏକ ଉତ୍ତମ ଶୁଭାରମ୍ଭ ବୋଲି କୁହାଯାଇପାରିବ ।

ସାଥୀଗଣ,

ଆୟୁଷ କ୍ଷେତ୍ରରେ ନିବେଶ ଏବଂ ନବସୃଜନର ଅସୀମ ସମ୍ଭାବନା ମହଜୁଦ ରହିଛି । ଆୟୁଷ ଔଷଧ, ଏହାର ସପ୍ଲିମେଣ୍ଟ ଏବଂ କସ୍ମେଟିକ୍ସର ଉତ୍ପାଦନରେ ଆମେ ପୂର୍ବରୁ ଅଭୂତପୂର୍ବ ଗତିକୁ ଲକ୍ଷ୍ୟ କରିସାରିଛେ । ଆପଣମାନେ ଏକଥା ଜାଣି ଖୁସି ହେବେ, ୨୦୧୪ ମସିହା ପୂର୍ବରୁ, ଯେଉଁଠି ଆୟୁଷ କ୍ଷେତ୍ରରେ ମାତ୍ର ୩ ବିଲିୟନ ଡଲାରରୁ କମ୍‌ ମୂଲ୍ୟର କାରବାର ହେଉଥିଲା ଆଜି ତାହା ବୃଦ୍ଧି ପାଇ ୧୮ ବିଲିୟନକୁ ସୁଦ୍ଧା ଟପିସାରିଛି । ବିଶ୍ୱବ୍ୟାପୀ ଆୟୁଷ ଉତ୍ପାଦର ଚାହିଦା ଯେଉଁଭଳି ଭାବେ ବୃଦ୍ଧି ପାଇବାରେ ଲାଗିଛି, ଆଗାମୀ ବର୍ଷମାନଙ୍କରେ ତାହାର ଚାହିଦା ଆହୁରି ବୃଦ୍ଧି ପାଇବ । ପୌଷ୍ଟିକ ଅତିରିକ୍ତ ଆହାର ହୋଇଥାଉ, ଔଷଧର ଯୋଗାଣ ପରିଚାଳନା ହୋଇଥାଉ, ଆୟୁଷ ଆଧାରିତ ନିଦାନ ଉପକରଣ ହୋଇଥାଉ, କିମ୍ବା ଟେଲିମେଡ଼ିସିନ ହୋଇଥାଉ, ପ୍ରତ୍ୟେକ ଦିଗରେ ନିବେଶ ଓ ନବସୃଜନର ନୂତନ ସମ୍ଭାବନାମାନ ସୃଷ୍ଟି ହୋଇଚାଲିଛି ।

ସାଥୀଗଣ,

ଆୟୁଷ ମନ୍ତ୍ରଣାଳୟ ପାରମ୍ପରିକ ଔଷଧ କ୍ଷେତ୍ରରେ ଷ୍ଟାର୍ଟ ଅପ୍‌ ସଂସ୍କୃତିକୁ ପ୍ରୋତ୍ସାହନ ଯୋଗାଇ ଦେବା ନିମନ୍ତେ ଅନେକ ବଡ଼ ବଡ଼ ପଦକ୍ଷେପ ଗ୍ରହଣ କରିଛି । କିଛି ଦିନ ପୂର୍ବରୁ ଅଖିଳ ଭାରତ ଆୟୁର୍ବେଦ ପ୍ରତିଷ୍ଠାନ ( ଅଲ୍‌ ଇଣ୍ଡିଆ ଇନଷ୍ଟିଚୁଟ ଅଫ୍‌ ଆୟୁର୍ବେଦ) ର ଉଦ୍ଘାଟନ କରାଯାଇଛି । ଯେଉଁ ଷ୍ଟାର୍ଟ ଅପ୍‌ ଚାଲେଞ୍ଜ୍‌ର ଆୟୋଜନ କରାଯାଇଛି, ସେଥିରେ ଯେଉଁସବୁ ପ୍ରକାର ଉତ୍ସାହ ଯୁବଗୋଷ୍ଠୀଙ୍କୁ ଯୋଗାଇ ଦିଆଯାଇଛି ତାହା ବେଶ୍‌ ଉତ୍ସାହଜନକ ଏବଂ ଆପଣମାନେ ମୋର ଯୁବବନ୍ଧୁମାନଙ୍କୁ ତ ଏ ସଂପର୍କରେ ମୋ ଠାରୁ ଅଧିକ ଧାରଣା ରହିଛି ଯେ ଭାରତରେ ଏକ ପ୍ରକାର ଷ୍ଟାର୍ଟ ଅପ୍‌ର ସ୍ୱର୍ଣ୍ଣିମ ଯୁଗର ଅୟମାରମ୍ଭ ହୋଇସାରିଛି । ଏକ ପ୍ରକାର ଭାରତ ଆଜି ୟୁନିକର୍ଣ୍ଣର ପର୍ଯ୍ୟାୟରେ ଆଗକୁ ଅଗ୍ରସର ହେଉଛି । ୨୦୨୨ ବର୍ଷରେ ହିଁ ୨୦୨୨ ବର୍ଷର ଏପର୍ଯ୍ୟନ୍ତ ମାତ୍ର ଚାରି ମାସ ପୂରଣ ହୋଇନାହିଁ । ୨୦୨୨ ବର୍ଷରେ ଏପର୍ଯ୍ୟନ୍ତ ଭାରତର ୧୪ଟି ଷ୍ଟାର୍ଟ ଅପ୍‌ ୟୁନିକର୍ଣ୍ଣ କ୍ଲବରେ ସାମିଲ ହୋଇସାରିଛନ୍ତି । ମୋର ପୂର୍ଣ୍ଣ ବିଶ୍ୱାସ ଯେ ଖୁବ୍‌ ଶୀଘ୍ର ଆୟୁଷର ଆମର ଷ୍ଟାର୍ଟ ଅପ୍‌ ମାଧ୍ୟମରେ ୟୁନିକର୍ଣ୍ଣ ସଫଳତାର ସହିତ ଆମମାନଙ୍କ ସମ୍ମୁଖରେ ଉଭାହେବ ।

ସାଥୀଗଣ,

ଭାରତରେ ଔଷଧୀୟ ବୃକ୍ଷଲତାର ଅପୂର୍ବ ଭଣ୍ଡାର ଭରି ରହିଛି ଏବଂ ହିମାଳୟ ତ ଏଇଥିପାଇଁ ସର୍ବତ୍ର ସୁପରିଚିତ । ଏହା ଏକ ପ୍ରକାର ଆମର ‘ଗ୍ରୀନ୍‌ ଗୋଲ୍ଡ’ । ଆମର ଏଠାରେ କୁହା ଯାଇଥାଏ: ଅମନ୍ତ୍ରଂ ଅକ୍ଷରଂ ନାସ୍ତି, ନାସ୍ତି ମୂଳଂ ଅନୌଷଧି । ଅର୍ଥାତ୍‌, ଏଭଳି କୌଣସି ଅକ୍ଷର ନାହିଁ ଯାହାକୁ ନେଇ କୌଣସି ମନ୍ତ୍ର ରଚନା କରାଯାଇନାହିଁ, ସଂସାରରେ ଏପରି କୌଣସି ବୃକ୍ଷ ନାହିଁ, ଯାହାର ଚେରମୂଳର ଔଷଧୀୟ ଦ୍ରବ୍ୟଗୁଣ ନାହିଁ, ଯେଉଁଥିରୁ କୌଣସି ଔଷଧ ପ୍ରସ୍ତୁତ ହୁଏନାହିଁ । ଏହି ପ୍ରାକୃତିକ ସମ୍ପଦକୁ ମାନବ ସମାଜର ହିତ ସାଧନ ନିମନ୍ତେ ଉପଯୋଗ କରିବା ଲାଗି ଆମ ସରକାର ହର୍ବାଲ ଏବଂ ମେଡିସିନାଲ ପ୍ଲାଣ୍ଟସ୍‌ର ଉତ୍ପାଦନକୁ ସଦାସର୍ବଦା ପ୍ରୋତ୍ସାହନ ଯୋଗାଇ ଆସୁଛି ।

ସାଥୀଗଣ,

ଔଷଧୀୟ ଗୁଳ୍ମ ଏବଂ ଔଷଧୀୟ ବୃକ୍ଷର ଉତ୍ପାଦନ, କୃଷକମାନଙ୍କ ଆୟ ବୃଦ୍ଧି ଏବଂ ସେମାନଙ୍କର ଜୀବନଜୀବିକାକୁ ବୃଦ୍ଧି କରିବାର ଏକ ଉତ୍ତମ ସାଧନରେ ପରିଣତ କରାଯାଇପାରିବ । ଏଥିରୁ କର୍ମନିଯୁକ୍ତି କରାଯିବାର ମଧ୍ୟ ଏକ ପର୍ଯ୍ୟାପ୍ତ ସୁଯୋଗ ରହିଛି । କିନ୍ତୁ ଆମେ ଦେଖିଛୁ ଯେ ଏଭଳି ଔଷଧୀୟ ବୃକ୍ଷ ଏବଂ ଏହାର ଉତ୍ପାଦର ବଜାର ଖୁବ୍‌ ସୀମିତ ହୋଇଥାଏ, ସ୍ପେଶାଲାଇଜଡ୍‌ ହୋଇଥାଏ । ଏହା ଏକାନ୍ତ ଜରୁରି ଯେ ମେଡିସିନାଲ ପ୍ଲାଣ୍ଟସ୍‌ର ଉତ୍ପାଦନ ସହିତ ଜଡ଼ିତ କୃଷକମାନଙ୍କୁ ସହଜରେ କିଭଳି ବଜାର ସହିତ ଯୋଡ଼ାଯାଇ ପାରିବ ସେଭଳି ବ୍ୟବସ୍ଥା କରାଯିବା ବାଂଛନୀୟ । ଏଥିପାଇଁ ସରକାର ଆୟୁଷ ଇ-ମାର୍କେଟ ପ୍ଲେସର ଆଧୁନିକୀକରଣ ଏବଂ ଏହାର ବିସ୍ତାର ଉପରେ ବେଶ୍‌ ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି । ଏହି ପୋର୍ଟାଲ ମାଧ୍ୟମରେ ହର୍ବାଲ ଏବଂ ମେଡିସିନାଲ ପ୍ଲାଣ୍ଟସ୍‌ର ଉତ୍ପାଦନ ସହିତ ଜଡ଼ିତ କୃଷକମାନଙ୍କୁ, ସେହିସବୁ କମ୍ପାନୀମାନଙ୍କ ସହିତ ଯୋଡ଼ାଯିବ ଯେଉଁମାନେ ଆୟୁଷ ଉତ୍ପାଦମାନ ପ୍ରସ୍ତୁତ କରୁଛନ୍ତି ।

ସାଥୀଗଣ,

ଆୟୁଷ ଉତ୍ପାଦନର ରପ୍ତାନିକୁ ପ୍ରୋତ୍ସାହିତ କରିବା ନିମନ୍ତେ ମଧ୍ୟ ବିଗତ ବର୍ଷରେ ଅଭୂତପୂର୍ବ ପ୍ରୟାସ କରାଯାଇଛି । ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କ ସହିତ ଆୟୁଷ ଔଷଧର ପାରସ୍ପରିକ ମାନ୍ୟତା ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ଏଥିନିମନ୍ତେ ଆମେ ବିଗତ ବର୍ଷମାନଙ୍କରେ ଭିନ୍ନ ଭିନ୍ନ ଦେଶମାନଙ୍କ ସହିତ ୫୦ରୁ ଅଧିକ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷର କରିଛୁ । ଆମର ଆୟୁଷ ରପ୍ତାନି ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡସ୍‌ ସହିତ ମିଶି ଆଇଏସଓ ଷ୍ଟାଣ୍ଡାର୍ଡସ୍‌ର ବିକାଶ ଘଟାଉଛନ୍ତି । ଏହା ଫଳରେ ଆୟୁଷ ନିନ୍ତେ ୧୫୦ରୁ ଅଧିକ ରାଷ୍ଟ୍ରଙ୍କ ସହିତ ଏକ ବିଶାଳ ରପ୍ତାନୀ ବଜାର ଖୋଲି ପାରିବ । ଏହିଭଳି ଭାବେ ଏଫଏସଏସଏଆଇ ମଧ୍ୟ ଗତ ସପ୍ତାହରେ ନିଜର ନିୟନ୍ତ୍ରଣରେ ‘ଆୟୁଷ ଆହାର’ ନାମକ ଏକ ନୂତନ ବର୍ଗର ଘୋଷଣା କରିଛି । ଏହାଦ୍ୱାରା ହର୍ବାଲ ପୌଷ୍ଟିକ ସପ୍ଲିମେଣ୍ଟସ୍‌ ଉତ୍ପାଦର ବହୁତ ସୁବିଧା ମିଳିପାରିବ । ମୁଁ ଆପଣମାନଙ୍କୁ ଆଉ ଗୋଟିଏ ସୂଚନା ଦେବାକୁ ଚାହୁଁଛି । ଭାରତ ଏକ ବିଶେଷ ଆୟୁଷ ମାର୍କ ମଧ୍ୟ ପ୍ରସ୍ତୁତ କରିବାକୁ ଯାଉଛି ଯାହାକି  ଭାରତକୁ ଏକ ବୈଶ୍ୱିକ ପରିଚୟ ପ୍ରଦାନ କରିବ । ଭାରତରେ ପ୍ରସ୍ତୁତ ଉଚ୍ଚତମ ଗୁଣବତ୍ତାଯୁକ୍ତ ଆୟୁଷ ଉତ୍ପାଦ ଉପରେ ଏହି ମାର୍କ ଲଗାଯିବ । ଏହି ଆୟୁଷ ମାର୍କରେ ଅତ୍ୟାଧୁନିକ ପ୍ରଯୁକ୍ତିର ପ୍ରାବଧାନ ରହିବ । ଏହା ଦ୍ୱାରା ବିଶ୍ୱବ୍ୟାପୀ ଲୋକମାନେ ଗୁଣାତ୍ମକ ଆୟୁଷ ଉତ୍ପାଦ ଉପରେ ଭରସା କରିପାରିବେ ଓ ତାହା ସେମାନଙ୍କୁ ପ୍ରାପ୍ତ ହେବ । ନିକଟରେ ଗଠିତ ଆୟୁଷ ରପ୍ତାନୀ ପ୍ରୋତ୍ସାହନ ପରିଷଦରେ ମଧ୍ୟ ରପ୍ତାନିକୁ ପ୍ରୋତ୍ସାହନ ମିଳିବ ଏବଂ ବିଦେଶୀ ବଜାର ଖୋଜିବାରେ ସହାୟକ ହେବ ।

ସାଥୀଗଣ,

ଆଜି ଆଉ ଗୋଟିଏ ଘୋଷଣା ମୁଁ ଆପଣମାନଙ୍କ ଭିତରେ କରିବାକୁ ଯାଉଛି । ସାରା ଦେଶରେ ଆୟୁଷ ଉତ୍ପାଦର ପ୍ରଚାର ପ୍ରସାର ନିମନ୍ତେ ଗବେଷଣା ଏବଂ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ନିମନ୍ତେ ଆମ ସରକାର ଆୟୁଷ ପାର୍କର ଏକ ନେଟୱାର୍କର ବିକାଶ ଘଟାଇବ । ଏହି ଆୟୁଷ ପାର୍କ, ଦେଶରେ ଆୟୁଷ ଉତ୍ପାଦନକୁ ନୂତନ ଦିଗ ଦର୍ଶାଇବ ।

ସାଥୀଗଣ,

ଆମେ ଦେଖିଆସୁଛୁ ଯେ ମେଡ଼ିକାଲ ଟୁରିଜିମ, ଆଜି ମେଡ଼ିକାଲ ଟୁରିଜିମ୍‌ ନିମନ୍ତେ ବିଶ୍ୱର ଅନେକ ଦେଶ ନିମନ୍ତେ ଏକ ବହୁତ ବଡ଼ ଆକର୍ଷକ ଲକ୍ଷ୍ୟସ୍ଥଳ ଭାବେ ଉଭା ହୋଇଛି । ଏହି କଥାକୁ ଦୃଷ୍ଟିରେ ରଖି ମେଡ଼ିକାଲ ଟୁରିଜିମ୍‌ର ଏହି କ୍ଷେତ୍ରରେ ଯେଉଁଠାରେ ପୁଂଜି ନିବେଶର ବିପୁଳ ସମ୍ଭାବନା ରହିଛି । ଆମେ ଦେଖୁଛୁ ଯେ କିପରି ଭାବେ କେରଳର ପର୍ଯ୍ୟଟନ ବୃଦ୍ଧିରେ ପାରମ୍ପରିକ ଔଷଧି ସହଯୋଗ କରିଆସୁଛି । ଏହି ସାମର୍ଥ୍ୟ ସମଗ୍ର ଦେଶରେ ରହିଛି, ଭାରତର ପ୍ରତି କୋଣ ଅନୁକୋଣରେ ଅଛି । ତେଣୁ ଏହି ଦଶକର ଆହ୍ୱାନ ହେଲା ‘ଭାରତରେ ସୁସ୍ଥ ହୁଅ’ (Heal in India) । ଏହାକୁ ଚଳିତ ଦଶକର ବହୁତ ବଡ଼ ବ୍ରାଣ୍ଡରେ ପରିଣତ କରାଯାଇପାରିବ । ଆୟୁର୍ବେଦ, ୟୁନାନୀ, ସିଦ୍ଧ ଆଦି ବିଦ୍ୟା ଉପରେ ଆଧାରିତ ନିରାମୟ କେନ୍ଦ୍ରଗୁଡ଼ିକ ବହୁଳ ଭାବେ ପ୍ରଚଳନ କରାଯାଇପାରିବ । ଦେଶରେ ଦ୍ରୁତ ଗତିରେ ବିକାଶ ଘଟୁଥିବା ଆଧୁନିକ ସଂଯୋଗୀକରଣ ସଂସାଧନ ଏହାକୁ ଅଧିକ ମାତ୍ରାରେ ସହାୟକ ହୋଇପାରିବ । ଯେଉଁ ବିଦେଶୀ ନାଗରିକ, ଯେଭଳି ମୁଁ କହିଲି ଆଜି ହେଲ୍‌ଥ ଟୁରିଜିମ୍‌ ନିମନ୍ତେ ଭାରତ ଏକ ଆକର୍ଷଣୀୟ ଲକ୍ଷ୍ୟସ୍ଥଳ ଭାବେ ମୁଣ୍ଡ ଟେକିଛି । ଯେତେବେଳେ ବିଦେଶୀ ନାଗରିକମାନେ ଭାରତ ଆସି ଆୟୁଷ ଚିକିତ୍ସାରୁ ସୁଫଳ ନେବାକୁ ଚାହୁଁଛନ୍ତି, ସେମାନଙ୍କ ନିମନ୍ତେ ସରକାର ଆଉ ଏକ ସୁଯୋଗ ସୃଷ୍ଟି କରିବାକୁ ଯାଉଛନ୍ତି । ଖୁବ୍‌ ଶୀଘ୍ର ଭାରତ ଏକ ବିଶେଷ ଆୟୁଷ ଭିସା ବର୍ଗ ଆରମ୍ଭ କରିବାକୁ ଯାଉଛି । ଏହା ଫଳରେ ଲୋକମାନଙ୍କୁ ଆୟୁଷ ଚିକିତ୍ସା ନିମନ୍ତେ ଭାରତ ଆସିବା ଓ ଯିବାରେ ବେଶ୍‌ ସହାୟତା ମିଳିପାରିବ ।

ସାଥୀଗଣ,

ଯେତେବେଳେ ଆମେ ଆୟୁର୍ବେଦର କଥା ଆଲୋଚନା କରୁଛେ, ସେତେବେଳେ ମୁଁ ଆଜି ଆପଣମାନଙ୍କୁ ଗୋଟିଏ ବଡ଼ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବାକୁ ଚାହିଁବି । ମୁଁ ନିଜର ମିତ୍ର ଏବଂ କେନିଆର ପୂର୍ବତନ ରାଷ୍ଟ୍ରପତି ରାଇଲା ଓଡିଙ୍ଗାଜୀ ଏବଂ ତାଙ୍କର କନ୍ୟା ରୋଜମେରୀଙ୍କ କଥା ଉଲ୍ଲେଖ କରିବାକୁ ଚାହିଁବି । ‘ରୋଜମେରୀ, ତୁମେ ଏଠାରେ ଅଛ ତ ? ହଁ, ସେ ଅଛନ୍ତି । ରୋଜମେରୀ, ଗୁଜରାଟକୁ ସ୍ୱାଗତ’ (Rosemary, are you here? Yes, she is there. Rosemary welcome to Gujarat.) । ରୋଜମୋରୀଙ୍କ ଘଟଣା ବେଶ୍‌ ରୋଚକ । ମୁଁ ତାଙ୍କ କଥା ଆପଣମାନଙ୍କୁ ନିଶ୍ଚୟ କହିବାକୁ ଚାହିଁବି । କିଛି ଦିନ ପୂର୍ବେ ତାଙ୍କର ପିତା ଯିଏ କି ମୋର ଜଣେ ଘନିଷ୍ଠ ବନ୍ଧୁ, ଓଡ଼ିଙ୍ଗାଜୀ ମୋତେ ଭେଟିବାକୁ ଦିଲ୍ଲୀ ଆସିଥିଲେ । ସେଦିନ ରବିବାର ଥିଲା ଏବଂ ଆମେ ବି ବେଶ୍‌ ସମୟ ପର୍ଯ୍ୟନ୍ତ ବସି ଗପସପ ହେବାକୁ ସ୍ଥିର କରିଥିଲୁ । ବେଶ୍‌ ଦୀର୍ଘ ସମୟ ପରେ ପରସ୍ପରଙ୍କୁ ଭେଟୁଥିଲୁ । ସେଦିନ କଥାବାର୍ତ୍ତା ବେଳେ ସେ ମୋତେ ରୋଜମୋରୀର ଜୀବନରେ ଯେଉଁ ବଡ଼ ସମସ୍ୟାଟି ଆସିଥିଲା, ଅର୍ଥାତ୍‌ ଏକ ପ୍ରକାର ସେ ବେଶ୍‌ ଭାବବିହ୍ୱଳ ହୋଇ ସେକଥା ମୋ ଆଗରେ ବଖାଣିଥିଲେ । ରୋଜମେରୀଙ୍କ ଜୀବନରେ ଗୋଟିଏ ବଡ଼ ସମସ୍ୟା କଥା ସେ କହିଥିଲେ । ସେ ମୋତେ କହିଲେ ଯେ ରୋଜମେରୀର ଆଖିରେ କିଛି ସମସ୍ୟା ହୋଇଥିଲା ଏବଂ ତା’ ଆଖିରେ ସର୍ଜରୀ କରାଯାଇଥିଲା । ସମ୍ଭବତଃ ତାଙ୍କ ମସ୍ତିଷ୍କରେ କିଛି ଟ୍ୟୁମର ପ୍ରବ୍ଲେମ୍‌ ଥିଲା ଏବଂ ସେହି କାରଣରୁ ତାଙ୍କର ସର୍ଜରୀ କରାଯାଇଥିଲା ଏବଂ ଏହି ସର୍ଜରୀରେ ରୋଜମେରୀ ତାଙ୍କର ଦୃଷ୍ଟିଶକ୍ତି ହରାଇ ବସିଥିଲେ । ସେ ଆଉ କିଛି ଦେଖିପାରିଲେ ନାହିଁ, ଆପଣମାନେ କଳ୍ପନା କରିପାରୁଥିବେ, ଜୀବନର ଏହି ପର୍ଯ୍ୟାୟରେ ଯଦି ଦୃଷ୍ଟିଶକ୍ତି ଚାଲିଯିବ, ମଣିଷ କେତେ ହତାଶ ହୋଇପଡ଼ିବ, ନିରାଶ ହୋଇଯିବ । ଏବଂ ଜଣେ ପିତା ହିସାବରେ ମୋର ବନ୍ଧୁ ଓଡ଼ିଙ୍ଗାଜୀ ସାରା ଦୁନିଆ ବୁଲିଥିଲେ ନିଜ କନ୍ୟାଙ୍କ ଚିକିତ୍ସା ଲାଗି । ସେ କେନିଆର ଜଣେ ବରିଷ୍ଠ ରାଜନେତା । ତେଣୁ ତାଙ୍କ ଲାଗି ବିଶ୍ୱର ଯେକୌଣସି ଦେଶରେ ପହଂଚିବା କଠିନ କାମ ନଥିଲା । ବିଶ୍ୱର ଏଭଳି କୌଣସି ବଡ଼ ବଡ଼ ଦେଶ ନାହିଁ ଯେଉଁଠାରେ ରୋଜମେରୀର ଆଖିର ଉପଚାର ହୋଇନାହିଁ । କିନ୍ତୁ ରୋଜମେରୀଙ୍କ ଦୃଷ୍ଟିଶକ୍ତି ଫେରିନଥିଲା । ପରିଶେଷରେ ଏହି ସଫଳତା ତାଙ୍କୁ ଭାରତରେ ହିଁ ମିଳିଥିଲା ଏବଂ ତାହା ପୁଣି ଆୟୁର୍ବେଦୀୟ ଉପଚାର କରିବା ପରେ । ଆୟୁର୍ବେଦର ଉପଚାର କରାଯାଇଥିଲା ଏବଂ ରୋଜମେରୀଙ୍କ ଦୃଷ୍ଟିଶକ୍ତି ପୁଣି ଫେରିଆସିଲା ଏବଂ ଆଜି ସେ ପୂର୍ବଭଳି ସବୁକିଛି ଦେଖିପାରୁଛନ୍ତି । ଯେତେବେଳେ ସେ ପ୍ରଥମେ ନିଜ ସନ୍ତାନମାନଙ୍କୁ ପୁଣି ଥରେ ଦେଖିଥିଲେ ତ ମୋତେ ଓଡ଼ିଙ୍ଗାଜୀ ଏକଥା ନିଜେ କହୁଥିଲେ, ସେହି ମୁହୂର୍ତ୍ତ ତାଙ୍କ ଜୀବନର ସର୍ବଶ୍ରେଷ୍ଠ ଓ ସ୍ୱର୍ଣ୍ଣିମ ମୁହୂର୍ତ୍ତ ବୋଲି ସେ କହନ୍ତି । ମୁଁ ଖୁସି ଯେ ରୋଜମେରୀ ମଧ୍ୟ ଆଜି ଆମମାନଙ୍କ ଗହଣରେ ଏହି ସମ୍ମିଳନୀରେ ସାମିଲ ହୋଇଛନ୍ତି ଏବଂ ତାଙ୍କ ଭଉଣୀ ବି ଏଠାକୁ ଆସିଛନ୍ତି । ତାଙ୍କ ଭଉଣୀ ତ ପାରମ୍ପରିକ ଔଷଧ ସମ୍ପର୍କରେ ଏବେ ଅଧ୍ୟାପନା କରୁଛନ୍ତି  । ସେ ତାଙ୍କର ନିଜର ଅଭିଜ୍ଞତା ଆପଣମାନଙ୍କ ସହିତ ବାଣ୍ଟିବେ ।

ସାଥୀଗଣ,

ଏକବିଂଶ ଶତାବ୍ଦୀର ଭାରତ, ବିଶ୍ୱକୁ ନିଜର ଅନୁଗବ, ନିଜର ଜ୍ଞାନ, ନିଜର ସୂଚନା ବାଣ୍ଟିବା ସହିତ ଆଗକୁ ବଢ଼ିବାକୁ ଚାହେଁ । ଆମର ଐତିହ୍ୟ, ସମଗ୍ର ମାନବ ସମାଜ ନିମନ୍ତେ ଏକ ଭଣ୍ଡାର ସଦୃଶ ଭରିରହିଛି । ଆମେ ବସୁଧୈବ କୁଟୁମ୍ବକମ୍‌ରେ ବିଶ୍ୱାସ କରୁଥିବା ଲୋକ । ଆମେ ବିଶ୍ୱର ସମସ୍ୟା କମ୍‌ କରିବା ନିମନ୍ତେ କୃତସଂକଳ୍ପ ହୋଇଥିବା ଲୋକ । ସର୍ବେ ସନ୍ତୁ ନିରାମୟାଃ... ଏହା ହିଁ ତ ଆମର ଜୀବନ ମନ୍ତ୍ର । ଆମର ଆୟୁର୍ବେଦ, ହଜାର ହଜାର ବର୍ଷର ପରମ୍ପରା, ହଜାର ହଜାର ବର୍ଷର ତପସ୍ୟାର ପ୍ରତୀକ ଏବଂ ଆମେ ତ ରାମାୟଣରୁ ଏକଥା ଏପର୍ଯ୍ୟନ୍ତ ଶୁଣି ଶୁଣି ଆସିଛୁ ଯେ ଲକ୍ଷ୍ମଣଜୀ ଯେତେବେଳେ ଯୁଦ୍ଧରେ ବେହୋସ ହୋଇପଡ଼ିଥିଲେ ସେତେବେଳେ ହନୁମାନଜୀ ହିମାଳୟ ଯାଇଥିଲେ ଏବଂ ସେଠାରୁ ଜଡ଼ିବୁଟି ଆଣି ଆସିଥିଲେ । ଆତ୍ମନିର୍ଭର ଭାରତ ସେତେବେଳେ ବି ଥିଲା । ଆୟୁର୍ବେଦର ସମୃଦ୍ଧି ପଛରେ, ଏକ ମୁଖ୍ୟ କାରଣ, ଏହାର ମୁକ୍ତ ଉତ୍ସ (Open Source) ମଡ଼େଲ ହୋଇ ରହିଆସିଛି । ଆଜି ଡିଜିଟାଲ ବିଶ୍ୱରେ ଓପନ ସୋର୍ସର ବହୁତ ଆଲୋଚନା କରାଯାଉଛି ଏବଂ କିଛି ଲୋକ ସ୍ୱୀକାର କରନ୍ତି ଯେ ଏହା ହେଉଛି ସେମାନଙ୍କ ଆବିଷ୍କାର । ସେମାନଙ୍କୁ ଏକଥା ମାଲୁମ ସୁଦ୍ଧା ନାହିଁ ଯେ ଏହି ମାଟିରେ ହଜାର ହଜାର ବର୍ଷରୁ ଏହି ମୁକ୍ତ ଉତ୍ସର ପରମ୍ପରା  ରହିଆସିଛି ଏବଂ ଆୟୁର୍ବେଦ ସଂପୂର୍ଣ୍ଣ ରୂପେ ଏହି ମୁକ୍ତ ଉତ୍ସ ପରମ୍ପରାରୁ ହିଁ ବିକାଶ ଲାଭ କରିଛି । ଯେଉଁ ଯୁଗରେ ଯାହାକୁ ଯାହା ଲାଗିଲା, ଯିଏ ଯାହା ପାଇଲା, ଏଥିରେ ଯୋଡ଼ି ଚାଲିଲା । ଅର୍ଥାତ୍‌, ଏହିଭଳି ଭାବେ ଆୟୁର୍ବେଦର ବିକାଶର ଆନ୍ଦୋଳନ ହଜାର ହଜାର ବର୍ଷରୁ ଚାଲିଆସିଛି । ନୂଆ ନୂଆ କଥାମାନ ଏଥିସହ ଯୋଡ଼ିହୋଇ ଚାଲିଛି, ଏଥିରେ କୌଣସି ପ୍ରକାର ବନ୍ଧନ ନାହିଁ । ନୂତନ ବିଚାରକୁ ଏହା ସଦାବେଳେ ସ୍ୱାଗତ କରିଆସିଛି । ସମୟ ସହତି ଭିନ୍ନ ଭିନ୍ନ ବିଦ୍ୱାନମାନଙ୍କ ଅନୁଭବ, ସେମାନଙ୍କର ଅଧ୍ୟୟନ ଦ୍ୱାରା ଆୟୁର୍ବେଦ ଆହୁରି ମଜଭୁତ ହୋଇଛି । ଆଜିର ଦିନରେ ସୁଦ୍ଧା ଆମେ ନିଜର ପୂର୍ବଜମାନଙ୍କ ଠାରୁ ଏହାକୁ ଶିଖି ବୌଦ୍ଧିକ ମୁକ୍ତ ମନୋଭାବର ଭାବନାରେ କାର୍ଯ୍ୟ କରିଚାଲିଛୁ ଏବଂ ଆଗକୁ କାର୍ଯ୍ୟ କରିବାକୁ ହେବ । ପାରମ୍ପରିକ ଔଷଧି ସହିତ ଜଡ଼ିତ ଜ୍ଞାନର ବିକାଶ ଏବଂ ବିସ୍ତାର ସେତେବେଳେ ସମ୍ଭବ ହେବ ଯେତେବେଳେ ଆମେ ଏହାକୁ ବୈଜ୍ଞାନିକ ମନୋଭାବର ସହିତ ଦେଖିବା, ଏହାକୁ ଦେଶ କାଳ ପରିସ୍ଥିତି ଅନୁସାରେ ପକାଇବା ।

ସାଥୀଗଣ,

ଗଲାକାଲି ହିଁ ଜାମନଗରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ - ବୈଶ୍ୱିକ ପାରମ୍ପରିକ ଔଷଧି କେନ୍ଦ୍ର ଉଦ୍‌ଘାଟିତ ହୋଇଛି, ଅର୍ଥାତ, ଗୁଜରାଟ ମାଟିରେ ଜାମନଗରରେ ବିଶ୍ୱର ପାରମ୍ପରିକ ଔଷଧିର କେନ୍ଦ୍ର ସ୍ଥାପିତ ହୋଇଛି । ଏହା ପ୍ରତ୍ୟେକ ଭାରତବାସୀଙ୍କ ଲାଗି, ଗୁଜରାଟବାସୀଙ୍କ ନିମନ୍ତେ ଗର୍ବର ବିଷୟ । ଆଜି ଆମେ ପ୍ରଥମ ଆୟୁଷ ନବସୃଜନ ଓ ନିବେଶ ସମ୍ମିଳନୀରେ ଅଂଶଗ୍ରହଣ କରୁଛେ । ଏହା ଏକ ଶୁଭ ଶୁଭାରମ୍ଭର ଅବସର । ଏହା ଏକ ଏଭଳି ସମୟ ଯେତେବେଳେ ଭାରତ ନିଜର ସ୍ୱାଧୀନତାର ୭୫ତମ ବର୍ଷର ପର୍ବ, ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆଗାମୀ ୨୫ ବର୍ଷ ଆମ ପାଇଁ ଅମୃତ କାଳ, ବିଶ୍ୱର କୋଣ ଅନୁକୋଣରୁ ପାରମ୍ପରିକ ଔଷଧ ପାଇଁ ସ୍ୱର୍ଣ୍ଣିମ କାଳ ହେବ । ଆଜି ଏକ ପ୍ରକାର ବିଶ୍ୱବ୍ୟାପୀ ପାରମ୍ପରିକ ଔଷଧର ଏକ ନୂତନ ଯୁଗର ଶୁଭାରମ୍ଭ ହୋଇଛି । ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆଜି ବୈଶ୍ୱିକ ଆୟୁଷ ନିବେଶ ଓ ନବସୃଜନ ସମ୍ମିଳନୀ ଆୟୁଷ କ୍ଷେତ୍ରରେ ନିବେଶ, ବ୍ୟାପାର ଏବଂ ନବସୃଜନର ନୂତନ ମାର୍ଗ ଉନ୍ମୋଚନ କରିବ । ଆଜି ଯେଉଁ ବିଦେଶର ମାନ୍ୟଗଣ୍ୟ ଅତିଥିମାନେ ଏଠାକୁ ଆସିଛନ୍ତି ଏବଂ ଯେଉଁମାନେ ପ୍ରଥମ ଥର ପାଇଁ  ଆସିଛନ୍ତି ଏବଂ ଭାରତର ଅନ୍ୟାନ୍ୟ ଭାଗରୁ ପ୍ରତିନିଧିମାନେ ଏଠାକୁ ଆସିଛନ୍ତି ମୁଁ ସେମାନଙ୍କୁ ଅବଶ୍ୟ ଅନୁରୋଧ କରିବି ଯେ ସେମାନେ ଏହି ମହାତ୍ମା ମନ୍ଦିରରେ ଏକ ଦାଣ୍ଡି କୁଟୀର ଅଛି । ମହାତ୍ମା ଗାନ୍ଧୀ ପାରମ୍ପରିକ ଚିକିତ୍ସାର ପ୍ରଣେତା ରହିଆସିଛନ୍ତି । ମୁଁ ଚାହିଁବି ଯେ ସେମାନେ ନିଜ କାର୍ଯ୍ୟବ୍ୟସ୍ତତା ଭିତରୁ ସମୟ କାଢ଼ି ଅବଶ୍ୟ ଦାଣ୍ଡି କୁଟୀର ପରିଦର୍ଶନ କରନ୍ତୁ । ସ୍ୱାଧୀନତାର ଏହି ଅମୃତ କାଳରେ ମହାତ୍ମା ଗାନ୍ଧୀଙ୍କୁ ନିକଟରୁ ଜାଣିବା ପାଇଁ ପ୍ରୟାସ କରନ୍ତୁ । ଏକ ଅବସର ଆୟୁର୍ବେଦ ସହିତ ଏହି ଅବସରକୁ କଦାପି ହାତଛଡ଼ା କରନ୍ତୁ ନାହିଁ । ଆଜି ମୁଁ ଆଉ ଗୋଟିଏ ଖୁସି ଖବର ଆପଣମାନଙ୍କ ସହ ବାଣ୍ଟିବାକୁ ଚାହିଁବି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଆମର ମହାନିର୍ଦ୍ଦେଶକ ଟେଡ୍ରୋସ୍‌ ଆଧାନୋମ୍‌ ମୋର ବହୁତ ବଡ଼ ବନ୍ଧୁ ଏବଂ ଯେତେବେଳେ ବି ଆମର ଭେଟ ସାକ୍ଷାତ ହୁଏ ସେ ମୋତେ ଗୋଟିଏ କଥା ଅବଶ୍ୟ କହନ୍ତୁ ଯେ ଦେଖନ୍ତୁ ମୋଦୀଜୀ, ମୁଁ ଆଜି ଯାହାକିଛି ବି ହୋଇଛି ତାହା ମୋ ପିଲାଦିନେ ଯେଉଁ ଭାରତୀୟ ଶିକ୍ଷକମାନେ ମୋତେ ଯାହାସବୁ ପଢ଼ାଇଥିଲେ ତାହାର ସୁଫଳ । ମୋତେ ପିଲାଦିନେ ଭାରତୀୟ ଶିକ୍ଷକମାନେ ହିଁ ପଢ଼ାଇଥିଲେ । ମୋ ଜୀବନର ମହତ୍ତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ସେହି ଭାରତୀୟ ଶିକ୍ଷକମାନଙ୍କର ବହୁତ ବଡ଼ ଭୂମିକା ରହିଛି ଏବଂ ମୁଁ ଗର୍ବର ସହିତ ଭାରତ ସହିତ ଯୋଡ଼ିହୋଇ ରହିଛି । ଆଜି ଯେତେବେଳେ ସକାଳେ ସେ ମୋତେ ଭେଟିଲେ ତ ସେ କହିଲେ ଯେ ଦେଖନ୍ତୁ, ମୁଁ ତ ପକ୍କା ଗୁଜରାଟୀ ହୋଇସାରିଛି । ସେତେବେଳେ ସେ ମୋତେ କହିଲେ, ‘ମୋର ଗୋଟିଏ ଗୁଜରାଟୀ ନାମ ରଖନ୍ତୁ ।’ ଏବେ ମଞ୍ଚରେ ବି ସେ ମୋତେ ପୁଣି ଥରେ ସ୍ମରଣ କରାଇଦେଇଥିଲେ – ଯେ ଭାଇ ମୋର କିଛି ନାମ ସ୍ଥିର କରିଛ ନା ନାହିଁ ? ମୁଁ ଆଜି ମହାତ୍ମା ଗାନ୍ଧୀଙ୍କ ଏହି ପବିତ୍ର ଭୂମିରେ ମୋର ଏହି ପରମ ମିତ୍ରଙ୍କୁ ଗୁଜରାଟୀ ହିସାବରେ ତୁଳସୀଭାଇ, ତୁଳସୀ ଏଭଳି ଏକ ବୃକ୍ଷ ଯାହା ବର୍ତ୍ତମାନ ପିଢ଼ି ତ ଭୁଲିଯାଉଛନ୍ତି, କିନ୍ତୁ ପିଢ଼ି ପିଢ଼ି ଧରି ଭାରତରେ ପ୍ରତି ଘର ସାମ୍ନାରେ ଏହି ବୃକ୍ଷ ଲଗାଯାଉଥିଲା, ଏହାର ପୂଜାର୍ଚ୍ଚନା କରାଯାଉଥିଲା, ଏହି ପରମ୍ପରା ରହିଆସିଥିଲା । ତୁଳସୀ ଏଭଳି ବୃକ୍ଷ ଯାହା ଭାରତର ଆଧ୍ୟାତ୍ମିକ ବୈଭବର ଏକ ଅବିଚ୍ଛେଦ୍ୟ ଅଙ୍ଗ । ସେଇଥିପାଇଁ ଯେତେବେଳେ ଆୟୁର୍ବେଦ ସମ୍ମିଳନୀ ହେଉଛି ଏବଂ ଆପଣମାନେ ଏକଥା ଜାଣି ଖୁସି ହେବେ ଯେ ଦୀପାବଳି ପରେ ଆମ ଦେଶରେ ଏହି ତୁଳସୀ ବିବାହ ବେଶ୍‌ ହର୍ଷୋଲ୍ଲାସର ସହିତ ପାଳନ କରାଯାଇଥାଏ । ଅର୍ଥାତ୍‌ ଆୟୁର୍ବେଦ ସହିତ ଜଡ଼ିତ ହୋଇଥିବାରୁ ଆମ ଦେଶରେ ଏହି ତୁଳସୀ ନାମର ଏକ ମହତ୍ତ୍ୱ ରହିଛି ଏବଂ ଗୁଜରାଟୀ ଭାବେ ଭାଇ ଶବ୍ଦ ବିନା ତ କାହାକୁ ସମ୍ବୋଧନ କରାଯାଇପାରିବ ନାହିଁ । ସେଥିପାଇଁ ଆପଣଙ୍କର ଗୁଜରାଟ ପ୍ରତି ଏଭଳି ଶ୍ରଦ୍ଧା ଓ ସଂପର୍କ ଜାରି ରହୁ ଏବଂ ପ୍ରତି ଥର କିଛି ନା କିଛି ଗୁଜରାଟୀ କଥା କହିବା ଲାଗି ଆପଣଙ୍କ ମନରେ ଏଭଳି ଆଗ୍ରହ ରହିଥାଉ । ଆପଣଙ୍କୁ ଯେଉଁ ଗୁରୁଜନମାନେ ଶିକ୍ଷା ଦେଇଛନ୍ତି, ସେମାନଙ୍କ ପ୍ରତି ଆପଣଙ୍କ ମନରେ ଲଗାତାର ଶ୍ରଦ୍ଧାଭାବ ବ୍ୟକ୍ତ କରିବାର ମାନସିକତା ଥାଉ । ଏହି ମହାତ୍ମା ମନ୍ଦିରର ପବିତ୍ର ଧରଣୀରେ ମୋତେ ଆପଣଙ୍କୁ ତୁଳସୀଭାଇ କହି ସମ୍ବୋଧିତ କରୁଥିବା ହେତୁ ବିଶେଷ ଆନନ୍ଦ ପ୍ରାପ୍ତ ହୋଇଛି । ମୁଁ ପୁଣି ଥରେ ଆପଣ ଦୁଇ ମହାନୁଭବଙ୍କୁ ଏହି ମହତ୍ତ୍ୱପୂର୍ଣ୍ଣ ସମାରୋହରେ ଆମମାନଙ୍କ ଗହଣରେ ଆସିଥିବାରୁ ବହୁତ ବହୁତ କୃତଜ୍ଞତା ବ୍ୟକ୍ତ କରୁଛି । ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's chip dreams get a Rs 1.25 lakh crore push with Semiconductor Mission 2.0

Media Coverage

India's chip dreams get a Rs 1.25 lakh crore push with Semiconductor Mission 2.0
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the President of Iran
June 30, 2026
President Pezeshkian briefs PM on the recent developments in West Asia.
PM welcomes the understanding reached and reiterates the need for continued efforts for lasting peace and stability.

Prime Minister Shri Narendra Modi had a telephone conversation today with the President of the Islamic Republic of Iran, H.E. Dr. Masoud Pezeshkian.

President Pezeshkian briefed the Prime Minister on the recent developments in West Asia and the way forward.

Prime Minister welcomed the understanding reached, and reiterated India’s consistent position that all issues must be resolved through dialogue and diplomacy.

Prime Minister reiterated the need for continued efforts to ensure lasting peace and stability in the region, and for safeguarding freedom of navigation and commerce.