ଚଳିତ ବର୍ଷର କେନ୍ଦ୍ର ବଜେଟ୍ ପ୍ରଯୁକ୍ତିବିଦ୍ୟା, ସଂସ୍କାର ଏବଂ ଅର୍ଥ ଦ୍ୱାରା ପରିଚାଳିତ ବିକଶିତ ଭାରତ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଛି: ପ୍ରଧାନମନ୍ତ୍ରୀ
ଆମେ ପ୍ରକ୍ରିୟାଗୁଡ଼ିକୁ ସରଳ କରିଛୁ, ବ୍ୟବସାୟ କରିବାର ପ୍ରକ୍ରିୟାକୁ ଉନ୍ନତ କରିଛୁ, ପ୍ରଯୁକ୍ତିବିଦ୍ୟା ନେତୃତ୍ୱାଧୀନ ଶାସନକୁ ବିସ୍ତାର କରିବା ସହିତ ପ୍ରତିଷ୍ଠାନଗୁଡ଼ିକୁ ସୁଦୃଢ଼ କରିଛୁ; ଏବଂ ଆଜି ମଧ୍ୟ, ଦେଶ 'ସଂସ୍କାର ଏକ୍ସପ୍ରେସ'ରେ ଯାତ୍ରା କରୁଛି: ପ୍ରଧାନମନ୍ତ୍ରୀ
ଗତ ଦଶନ୍ଧିରେ, ଆମେ ଭିତ୍ତିଭୂମି ଉପରେ ବହୁତ ଧ୍ୟାନ ଦେଇଛୁ: ପ୍ରଧାନମନ୍ତ୍ରୀ
ଆମେ ଏକ ସଚେତନ ନିଷ୍ପତ୍ତି ନେଇଛୁ ଯେ ଭାରତର ବିକାଶ କେବଳ ରାଜପଥ, ରେଳପଥ, ବନ୍ଦର, ଡିଜିଟାଲ୍ ନେଟୱାର୍କ ଏବଂ ବିଦ୍ୟୁତ୍ ପ୍ରଣାଳୀ ଭଳି ଦୃଢ଼ ସମ୍ପତ୍ତି ସୃଷ୍ଟି କରି ହାସଲ କରାଯିବ: ପ୍ରଧାନମନ୍ତ୍ରୀ
ଏହି ସମ୍ପତ୍ତିଗୁଡ଼ିକ ଆଗାମୀ ଅନେକ ଦଶନ୍ଧି ପାଇଁ ଉତ୍ପାଦକତା ସୃଷ୍ଟି କରି ଚାଲିବ। ଏହି କାରଣରୁ, ସରକାରୀ ପୁଞ୍ଜି ବ୍ୟୟ ନିରନ୍ତର ବୃଦ୍ଧି ପାଉଛି: ପ୍ରଧାନମନ୍ତ୍ରୀ
ଯେତେବେଳେ ସରକାର, ଶିଳ୍ପ ଏବଂ ଜ୍ଞାନ ସହଭାଗୀମାନେ ଏକାଠି ଆଗକୁ ବଢ଼ନ୍ତି, ସେତେବେଳେ ସଂସ୍କାର ଫଳାଫଳରେ ପରିଣତ ହୁଏ : ପ୍ରଧାନମନ୍ତ୍ରୀ
"ଏହି ଦିଗଗୁଡ଼ିକ ସହିତ ଜଡିତ ବଜେଟ୍ ନିଷ୍ପତ୍ତି ଅର୍ଥନୀତିକୁ ସ୍ଥାୟୀ ଶକ୍ତି ପ୍ରଦାନ କରେ", ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ।

 

ନମସ୍କାର!
ଏହି ବର୍ଷର ପ୍ରଥମ ବଜେଟ୍ ୱେବିନାରରେ ଆପଣମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ଗତ କିଛି ବର୍ଷରେ ବଜେଟ୍ ୱେବିନାର ଏକ ସୁଦୃଢ ପରମ୍ପରାର ରୂପ ନେଇଛି। ସାଧାରଣତଃ ବଜେଟ୍‌ର ମୂଲ୍ୟାଙ୍କନ ବିଭିନ୍ନ ପାରାମିଟର୍‌ ଆଧାରରେ କରାଯାଏ, କେବେ ଶେୟାର ବଜାରର ଗତି ଉପରେ ଆଲୋଚନା ହୁଏ, କେବେ ଆୟକର ପ୍ରସ୍ତାବ ଉପରେ ଚର୍ଚ୍ଚା କେନ୍ଦ୍ରିତ ହୁଏ। କିନ୍ତୁ ସତକଥା ହେଉଛି ଯେ ଜାତୀୟ ବଜେଟ୍ କୌଣସି ସ୍ଵଳ୍ପମିଆଦୀ ବ୍ୟବସାୟିକ ଦଲିଲ୍ ନୁହେଁ; ଏହା ଏକ ନୀତିଆଧାରିତ ରୋଡମ୍ୟାପ୍। ତେଣୁ ବଜେଟ୍‌ର ପ୍ରଭାବଶୀଳତାକୁ ମଧ୍ୟ ଦୃଢ଼ ପାରାମିଟର୍‌ ଉପରେ ମୂଲ୍ୟାଙ୍କନ କରାଯିବା ଉଚିତ। ଏହା ହେଉଛି ଏମିତି ନୀତି, ଯାହା ଭିତ୍ତିଭୂମିର ବିସ୍ତାର କରେ, ଋଣ ପ୍ରବାହକୁ ସୁଗମ କରେ, ବ୍ୟବସାୟ କରିବାରେ ସହଜତାକୁ ବଢ଼ାଏ, ପ୍ରଶାସନରେ ପାରଦର୍ଶିତା ଆଣେ, ଏବଂ ଲୋକମାନଙ୍କ ଜୀବନକୁ ସହଜ କରି ନୂତନ ଅବସର ସୃଷ୍ଟି କରେ। ବଜେଟ୍ ରେ ଏହି ସବୁ ସମ୍ବନ୍ଧୀୟ ସିଦ୍ଧାନ୍ତ ଅର୍ଥନୀତିକୁ ଦୀର୍ଘସ୍ଥାୟୀ ଦୃଢତା ଦେଇଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କୌଣସି ବଜେଟ୍‌କୁ ଅଲଗା ଭାବେ ଦେଖାଯିବା ଉଚିତ୍ ନୁହେଁ। ରାଷ୍ଟ୍ର ନିର୍ମାଣ ଏକ ନିରନ୍ତର ପ୍ରକ୍ରିୟା। ପ୍ରତ୍ୟେକ ବଜେଟ୍ ଏକ ବଡ଼ ଲକ୍ଷ୍ୟ ଦିଗରେ ଆଗକୁ ବଢ଼ିବାର ଏକ ପଦକ୍ଷେପ ହୋଇଥାଏ। ଆମ ସାମ୍ନାରେ ରହିଥିବା ସେହି ବଡ଼ ଲକ୍ଷ୍ୟ ହେଉଛି, ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ। ପ୍ରତ୍ୟେକ ସଂସ୍କାର, ପ୍ରତ୍ୟେକ ଆବଣ୍ଟନ, ପ୍ରତ୍ୟେକ ପରିବର୍ତ୍ତନକୁ ଏହି ଦୀର୍ଘ ଯାତ୍ରାର ଅଂଶ ଭାବେ ଦେଖିବା ଦରକାର। ସେଥିପାଇଁ ପ୍ରତିବର୍ଷ ବଜେଟ୍ ପରେ ଆୟୋଜିତ ହେଉଥିବା ଏହି ୱେବିନାରଗୁଡିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୋର ଆଶା ଯେ, ଏହି ୱେବିନାରଗୁଡିକ କେବଳ ବିଚାରର ଆଦାନ ପ୍ରଦାନରେ ସୀମିତ ନରହି ଏକ ପ୍ରଭାବଶୀଳ ମନନ – ଚର୍ଚ୍ଚାରେ ପରିଣତ ହେଉ। ଆପଣମାନଙ୍କର ଅନୁଭବ ଏବଂ ବ୍ୟାବହାରିକ ଆହ୍ଵାନ ଉପରେ ଆଧାରିତ ପରାମର୍ଶ ଆର୍ଥିକ କୌଶଳକୁ ଅଧିକ ସୁଦୃଢ଼ କରିବାରେ ଓ ସମାଧାନ ଖୋଜିବାରେ ନିଶ୍ଚିତ ଭାବେ ସାହାଯ୍ୟ କରିବ। ଯେତେବେଳେ ଉଦ୍ୟୋଗ, ଶିକ୍ଷାକ୍ଷେତ୍ର, ବିଶ୍ଳେଷକ ଏବଂ ନୀତି ନିର୍ମାତାମାନେ ଏକାସାଥିରେ ଚିନ୍ତନ କରନ୍ତି, ଯୋଜନାଗୁଡିକର କାର୍ଯ୍ୟାନ୍ଵୟନ ଉତ୍ତମ ଭାବରେ ହୋଇଥାଏ ଏବଂ ସଠିକ୍ ଫଳାଫଳ ମିଳେ। ଏହି ୱେବିନାର ଶୃଙ୍ଖଳା ପଛରେ ଏହି ଭାବନା ରହିଛି।
ସାଥୀଗଣ,
୨୧ଶତାବ୍ଦୀର ଚତୁର୍ଥାଂଶ ସମୟ ସରିଯାଇଛି। ଯଦି ଆପଣ ନିଜ ବିଷୟରେ ଭାବନ୍ତି, ତେବେ ଜାଣିପାରିବେ ଆପଣଙ୍କ ଜୀବନର ଅନେକ ମହତ୍ୱପୂର୍ଣ୍ଣ ଏବଂ ଉତ୍କୃଷ୍ଟ ସମୟ ବିତି ଯାଇଛି। ଏବେ ଆମେ ଦେଶର ବିକାଶ ଯାତ୍ରାର ଏକ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ସମୟରେ ଅଛୁ। ଏହା ସେହି ସମୟ, ଯେତେବେଳେ ଆମର ଅର୍ଥନୀତି ତୀବ୍ର ଗତିରେ ଆଗକୁ ବଢ଼ୁଛି, ଏବଂ ଏହା ସହିତ ଗତ ଏକ ଦଶକ ଧରି ଭାରତ ଅସାଧାରଣ ସହନଶୀଳତା ପ୍ରଦର୍ଶନ କରିଛି। ଏହି ସହନଶୀଳତା ସଂଯୋଗକ୍ରମେ ଆସିନାହିଁ;  ଏହା ଦୃଢ଼ ବିଶ୍ୱାସ- ପ୍ରେରିତ ସଂସ୍କାରର ଫଳ। ଆମେ ପ୍ରକ୍ରିୟାଗୁଡ଼ିକୁ ସରଳ କରିଛୁ, ବ୍ୟବସାୟରେ ସହଜତାକୁ ଉନ୍ନତ କରିଛୁ, ପ୍ରଯୁକ୍ତି - ଆଧାରିତ ଶାସନର ବିସ୍ତାର କରିଛୁ, ସଂସ୍ଥାଗୁଡ଼ିକୁ ମଜବୁତ କରିଛୁ, ଏବଂ ଆଜି ମଧ୍ୟ ଦେଶ ସଂସ୍କାର ଏକ୍ସପ୍ରେସ୍ ଉପରେ ବସି ଆଗକୁ ବଢ଼ୁଛି। ଏହି ଗତିକୁ ଜାରି ରଖିବା ପାଇଁ ଆମକୁ କେବଳ ନୀତିର ଉଦ୍ଦେଶ୍ୟ ଉପରେ ନୁହେଁ, ବରଂ କାର୍ଯ୍ୟାନ୍ଵୟନର ଉତ୍କର୍ଷତା ଉପରେ ମଧ୍ୟ ସମାନ ଗୁରୁତ୍ୱ ଦେବାକୁ ପଡ଼ିବ। ସଂସ୍କାରଗୁଡିକର ମୂଲ୍ୟାଙ୍କନ ଘୋଷଣା ଆଧାରରେ ନୁହେଁ, ବରଂ ତୃଣମୂଳ ସ୍ତରରେ ସେମାନଙ୍କର ପ୍ରଭାବ ଆଧାରରେ ହେବା ଉଚିତ। ଆମକୁ ଏଆଇ, ବ୍ଲକଚେନ୍ ଏବଂ ଡାଟା ଆନାଲିଟିକ୍ସର ବ୍ୟାପକ ପ୍ରୟୋଗ କରି ସ୍ଵଚ୍ଛତା, ଗତି ଏବଂ ଦାୟିତ୍ୱବୋଧ ବଢ଼ାଇବାକୁ ହେବ। ଏହାସହିତ ଅଭିଯୋଗ ସମାଧାନ ବ୍ୟବସ୍ଥା ମାଧ୍ୟମରେ ପ୍ରଭାବର ନିରନ୍ତର ନିରୀକ୍ଷଣ ମଧ୍ୟ କରିବାକୁ ହେବ।
 

ସାଥୀଗଣ,
ଗତ ଏକ ଦଶକ ଧରି ଆବମ ଭିତ୍ତିଭୂମି ଉପରେ ବିଶେଷ ଗୁରୁତ୍ୱ ଦେଇଆସିଛୁ। ଆମେ ଭଲଭାବେ ଚିନ୍ତାକରି ଏହି ସିଦ୍ଧାନ୍ତ ଗ୍ରହଣ କରିଥିଲୁ ଯେ, ଭାରତର ବିକାଶ ହାଇୱେ, ରେଲୱେ, ବନ୍ଦର, ଡିଜିଟାଲ୍ ନେଟୱର୍କ, ବିଦ୍ୟୁତ୍ ବ୍ୟବସ୍ଥା ଭଳି ଅନେକ ଦୃଢ଼ ଏବଂ ଦୃଶ୍ୟମାନ ସମ୍ପତ୍ତି ନିର୍ମାଣ ମାଧ୍ୟମରେ କରାଯିବ। ଏହି ସମ୍ପତ୍ତି ଆଗାମୀ କିଛି ଦଶନ୍ଧି ପର୍ଯ୍ୟନ୍ତ ଉତ୍ପାଦକତା ସୃଷ୍ଟି କରିବା ଜାରି ରଖିବ। ଏହି କାରଣରୁ ସରକାରୀ ପୁଞ୍ଜି ଖର୍ଚ୍ଚ  ନିରନ୍ତର ବୃଦ୍ଧି କରାଯାଉଛି। ୧୧ ବର୍ଷ ପୂର୍ବେ ସାର୍ବଜନୀନ ପୁଞ୍ଜି ବ୍ୟୟ ପାଇଁ ବଜେଟ୍‌ରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା ଥିଲା। ବର୍ତ୍ତମାନ ବଜେଟ୍‌ରେ ଏହା ବୃଦ୍ଧି ପାଇ ପ୍ରାୟ ୧୨ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଯାଇଛି। ଏତେ ବଡ଼ ପରିମାଣରେ ସରକାରୀ ନିବେଶ ହେବା ଘରୋଇ କ୍ଷେତ୍ର ପାଇଁ ମଧ୍ୟ ଏକ ସ୍ପଷ୍ଟ ସନ୍ଦେଶ ଅଟେ। 
ସାଥୀଗଣ,
ଏବେ ସମୟ ଆସିଛି ଯେ ଉଦ୍ୟୋଗ ଏବଂ ଆର୍ଥିକ ଅନୁଷ୍ଠାନ ମଧ୍ୟ ନୂତନ ଶକ୍ତି ସହିତ ଆଗକୁ ଆସନ୍ତୁ। ଆମକୁ ଭିତ୍ତିଭୂମିରେ ଅଧିକ ଭାଗୀଦାରୀ ଆବଶ୍ୟକ, ଆର୍ଥିକ ମଡେଲ ଗୁଡିକରେ ଅଧିକ ନୂତନତ୍ଵ ଆବଶ୍ୟକ, ଏବଂ ଉଦୀୟମାନ କ୍ଷେତ୍ରଗୁଡିକରେ ଦୃଢ ସହଯୋଗ ଆବଶ୍ୟକ। ଏହି ଦିଗରେ ମୋର ଆଉ ଏକ ପ୍ରସ୍ତାବ ହେଉଛି, ଆମକୁ ପ୍ରକଳ୍ପ ମଞ୍ଜୁରୀ ପଦ୍ଧତି ଏବଂ ମୂଲ୍ୟାଙ୍କନ ଗୁଣବତ୍ତାକୁ ଆହୁରି ମଜବୁତ କରିବାକୁ ପଡ଼ିବ। ମୂଲ୍ୟ- ଲାଭ ବିଶ୍ଳେଷଣ ଏବଂ ଲାଇଫ୍ ସାଇକେଲ୍ କଷ୍ଟିଂକୁ ସର୍ବୋପରି ରଖି ଆମକୁ ଅପଚୟ ଏବଂ ବିଳମ୍ବକୁ ଅଟକାଇବାକୁ ହେବ।
ସାଥୀଗଣ,
ଆମେ ବିଦେଶୀ ନିବେଶ ସଂରଚନାକୁ ଆହୁରି ସରଳ କରୁଛୁ। ବ୍ୟବସ୍ଥାକୁ ଅଧିକ ପୂର୍ବାନୁମାନଯୋଗ୍ୟ ଏବଂ ନିବେଶକ-ଅନୁକୂଳ କରିବା ପାର୍ଁ ଆମର ପ୍ରୟାସ ଜାରି ରହିଛି । ଦୀର୍ଘମିଆଦୀ ଆର୍ଥିକ ସହଯୋଗକୁ ଉନ୍ନତ କରିବା ପାଇଁ ଆମେ ବଣ୍ଡ ମାର୍କେଟକୁ ଅଧିକ ସକ୍ରିୟ କରିବା ଦିଗରେ ମଧ୍ୟ ପଦକ୍ଷେପ ନେଉଛୁ। ବଣ୍ଡ କ୍ରୟ - ବିକ୍ରୟ ପ୍ରକ୍ରିୟାକୁ ମଧ୍ୟ ସହଜ କରାଯାଉଛି।
ସାଥୀଗଣ,
ଆମକୁ ବଣ୍ଡ ମାର୍କେଟ୍ ସଂସ୍କାରକୁ ଦୀର୍ଘମିଆଦୀ ବିକାଶର ସହାୟକ ଭାବେ ଦେଖିବାକୁ ହେବ। ଆମକୁ ପୂର୍ବାନୁମାନଯୋଗ୍ୟତା ନିଶ୍ଚିତ କରିବାକୁ ହେବ, ତରଳତା (ଲିକୁଇଡିଟି)କୁ ଗଭୀର କରିବାକୁ ହେବ, ନୂତନ ଆର୍ଥିକ ଉପକରଣ ଆଣିବାକୁ ହେବ, ଏବଂ ବିପଦର ପ୍ରଭାବଶାଳୀ ପରିଚାଳନା କରିବାକୁ ହେବ। ତା’ ପରେ ହିଁ ଆମେ ଦୀର୍ଘସ୍ଥାୟୀ ବିଦେଶୀ ପୁଞ୍ଜି ଆକର୍ଷଣ କରିପାରିବୁ। ମୋର ଆଶା ଯେ, ଆପଣମାନେ ବିଶ୍ୱସ୍ତରୀୟ ଶ୍ରେଷ୍ଠ ଅଭ୍ୟାସରୁ ଶିଖି, ବିଦେଶୀ ନିବେଶ ସଂରଚନା ଏବଂ ବଣ୍ଡ ମାର୍କେଟ୍ କୁ ମଜବୁତ କରିବା ପାଇଁ ସ୍ପଷ୍ଟ ଓ ସଶକ୍ତ ପରାମର୍ଶ ଦେବେ।
 

ସାଥୀଗଣ,
କୌଣସି ନୀତି ସରଞ୍ଚନା ତିଆରି କରିବା ସହଜ, କିନ୍ତୁ ତାହାର ସଫଳତା ଆପଣମାନଙ୍କ ଉପରେ ନିର୍ଭର କରେ। ଉଦ୍ୟୋଗ ଜଗତକୁ ନୂତନ ନିବେଶ ଏବଂ ନୂତନତ୍ଵ ସହିତ ଆଗକୁ ଆସିବାକୁ ହେବ। ଆର୍ଥିକ ଅନୁଷ୍ଠାନ ଏବଂ ବିଶ୍ଳେଷକମାନଙ୍କୁ ପ୍ରାୟୋଗିକ ସମାଧାନ ତିଆରି କରିବାରେ ସହଯୋଗ କରିବାକୁ ପଡିବ, ଏବଂ ବଜାରର ଆତ୍ମବିଶ୍ୱାସକୁ ମଜବୁତ କରିବାକୁ ହେବ। ଯେତେବେଳେ ସରକାର, ଶିଳ୍ପ ଏବଂ ଜ୍ଞାନ ସହଭାଗୀ ଏକାସାଥିରେ ଆଗକୁ ବଢ଼ନ୍ତି, ସେତେବେଳେ ସଂସ୍କାର ପରିଣାମରେ ରୂପାନ୍ତରିତ ହୋଇଥାଏ । ସେତେବେଳେ ଘୋଷଣାଗୁଡିକ ତୃଣମୂଳ ସ୍ତରରେ ସଫଳତା ହୋଇ ଯାଇଥାଏ। ମୋର ପ୍ରସ୍ତାବ ଯେ, ଆମେ ଏକ ସ୍ପଷ୍ଟ ସଂସ୍କାର ଭାଗିଦାରୀ ଚାର୍ଟର ତିଆରି କରିବା ଉଚିତ। ଏହା ସରକାର, ଉଦ୍ୟୋଗ, ଆର୍ଥିକ ସଂସ୍ଥାସମୂହ ଏବଂ ଶିକ୍ଷାକ୍ଷେତ୍ରର ଏକ ସାଧାରଣ ସଂକଳ୍ପ ହେଉ। ଏହି ଚାର୍ଟର୍ ବିକଶିତ ଭାରତ ଯାତ୍ରାର ଏକ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଦଲିଲ୍ ହେବ।

ସାଥୀଗଣ,
ମୁଁ ସମସ୍ତ ହିତାଧିକାରୀ, ଆର୍ଥିକ ପ୍ରତିଷ୍ଠାନ, ବଜାର, ଉଦ୍ୟୋଗ, ପେଶାଦାର ଏବଂ ଉଦ୍ଭାବକଙ୍କୁ କହିବି, ଏହି ବଜେଟ୍ ଯେଉଁ ନୂତନ ସୁଯୋଗ ଦେଇଛି, ତାହାର ସଦୁପଯୋଗ କରନ୍ତୁ। ବଜେଟ୍ ଖୋଲିଦେଇଥିବା ନୂତନ ଅବସର ସହିତ ଗଭୀର ଭାବେ ଯୋଡି ହୋଇଯାଆନ୍ତୁ। ଆପଣମାନଙ୍କର ସହଭାଗିତାରେ ଯୋଜନାଗୁଡିକର କାର୍ଯ୍ୟାନ୍ଵୟନ ଅଧିକ ଉତ୍ତମ ହେବ, ଆପଣମାନଙ୍କର ପ୍ରତିକ୍ରିୟା ଏବଂ ସହଯୋଗ ଦ୍ୱାରା ଉତ୍ତମ ଫଳାଫଳ ଆସିବ। ଆସନ୍ତୁ, ଆମେ ସମସ୍ତେ ମିଶି ସଂସ୍କାରକୁ ଆପଣେଇବା, ବିକାଶ କରିବା, ଏବଂ ଏମିତି ଏକ ଭବିଷ୍ୟତ୍ ଗଢ଼ିବା, ଯାହା ବିକଶିତ ଭାରତର ସ୍ୱପ୍ନକୁ ଯେତେ ଶୀଘ୍ର ସମ୍ଭବ ସାକାର କରିବ।
ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଯେ, ଆଜି ଆପଣମାନେ ଗଭୀର ବିଚାର ଆଲୋଚନା କରିବେ। ପ୍ରକ୍ରିୟାଗୁଡ଼ିକୁ ସରଳ କରିବା ଉପରେ ଆପଣମାନଙ୍କର ଧ୍ୟାନ କେନ୍ଦ୍ରିତ ହେବ। ବଜେଟ୍ ପୂର୍ବରୁ ମଧ୍ୟ ଆମେ ଆପଣମାନଙ୍କ ସହ ଯୋଗାଯୋଗ କରୁ, ତାହାର ଉଦ୍ଦେଶ୍ୟ ହେଉଛି ବଜେଟ୍‌କୁ ଆହୁରି ଭଲ କରିବା। କିନ୍ତୁ ଏବେ ବଜେଟ୍ ପ୍ରସ୍ତୁତ ହୋଇସାରିଛି। ଏବେ ଏହା କେବଳ ଚର୍ଚ୍ଚାର କାର୍ଯ୍ୟକ୍ରମ ନୁହେଁ। ବରଂ ବଜେଟ୍‌ରେ ଯାହା ରହିଛି, ତାହାକୁ ସବୁଠାରୁ ସରଳ ଉପାୟରେ ଓ ଶୀଘ୍ର ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବା, ଏବଂ ସମସ୍ତ ଅଂଶଗ୍ରହଣକାରୀଙ୍କ ଲାଭ ଓ ସହଭାଗିତା ନିଶ୍ଚିତ କରିବା, ଏହି ଭାବନା ସହିତ ଯଦି ଆପଣମାନେ ଆଲୋଚନା ଓ ମାନସ ମନ୍ଥନ କରିବେ, ତେବେ ଏହି ୱେବିନାର ନିଶ୍ଚୟ ଭାବେ ସ୍ପନ୍ଦନଶୀଳ ଅର୍ଥନୀତିର ଦ୍ୱାର ଖୋଲିଦେବ।

ଅନେକ ଧନ୍ୟବାଦ!
ନମସ୍କାର!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Khichdi To Moringa Paratha: 7 Traditional Foods PM Modi Loves

Media Coverage

Khichdi To Moringa Paratha: 7 Traditional Foods PM Modi Loves
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi