ବନ୍ଧୁଗଣ,

ଆପଣମାନଙ୍କୁ ଦିଆଯାଇଥିବା କେତେଗୁଡ଼ିଏ ଚାଲେଞ୍ଜିଂ ସମସ୍ୟାର ସମାଧାନ ସକାଶେ ଆପଣମାନେ ଗତ 36 ଘଣ୍ଟା ଧରି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଆସୁଛନ୍ତି ।

ସେଥିପାଇଁ ମୁଁ ଆପଣମାନଙ୍କ ଦୃଢ଼ ଇଚ୍ଛାଶକ୍ତିକୁ ନମନ କରୁଛି ।  ଆପଣମାନଙ୍କ ମୁହଁରେ ମୁଁ କ୍ଳାନ୍ତି ଦେଖୁନାହିଁ , ଦେଖୁଛି କେବଳ ଏବଂ କେବଳ ସତେଜତା ।

କୌଣସି କାର୍ଯ୍ୟ ସୁଚାରୁ ରୂପେ ସାକାର କରିବା ପରେ ଯେଉଁ ଆତ୍ମ ସନ୍ତୁଷ୍ଟି ମିଳିଥାଏ ତାହା ହିଁ ମୁଁ ଲକ୍ଷ୍ୟ କରିପାରୁଛି ।  ମୁଁ ଭାବୁଛି ଏଭଳି ସନ୍ତୁଷ୍ଟି କେବଳ ଚେନ୍ନାଇରେ ମିଳୁଥିବା ବିଶେଷ ସକାଳର ଜଳଖିଆ – ଇଟିଲି, ଦୋସା, ବରା – ସମ୍ବରରେ ହିଁ ମିଳିଥାଏ । ଚେନ୍ନାଇ ନଗରୀର ଆତିଥ୍ୟ ଏବଂ ଏହାର ଉଷ୍ମତା ସତରେ ପ୍ରଶଂସନୀୟ । ମୋର ଦୃଢ଼ ବିଶ୍ୱାସ ଯେ ଏଠାରେ ଉପସ୍ଥିତ ସମସ୍ତେ, ଏବଂ ବିଶେଷ କରି ସିଂଙ୍ଗାପୁରରୁ ଆସିଥିବା ଅତିଥିମାନେ, ଚେନ୍ନାଇ ସହରକୁ ମନଭରି ଉପଭୋଗ କରିଥିବେ ।

ବନ୍ଧୁଗଣ,

ଏହି ହାକାଥନରେ ବିଜୟୀ ହୋଇଥିବା ପ୍ରତିଯୋଗୀମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଏବଂ, ମୁଁ ଏଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ଯୁବ ବନ୍ଧୁଙ୍କୁ ମଧ୍ୟ ବଧେଇ ଜଣାଉଛି । ବିଶେଷ କରି ମୋର ଛାତ୍ର ବନ୍ଧୁମାନଙ୍କୁ ।  ଯେକୌଣସି ପ୍ରକାର ଚାଲେଞ୍ଜକୁ ସାମ୍ନା କରିବା ପାଇଁ ଆପଣମାନଙ୍କର ଇଚ୍ଛାଶକ୍ତି ଏବଂ ଏହାର ଏକ ସରଳ ଓ କାର୍ଯ୍ୟକ୍ଷମ ସମାଧାନ ସୂତ୍ର ବାହାର କରିବା ସକାଶେ ଆପଣମାନଙ୍କର ପ୍ରୟାସ, ଆଗ୍ରହ ଏହି ପ୍ରତିଯୋଗିତାରେ ବିଜୟୀ ହେବାଠାରୁ ଶତଗୁଣ ବଡ଼ ।

ମୋର ଯୁବ ବନ୍ଧୁଗଣ, ଆଜି ଏଠାରେ ଆମେ ଅନେକ ସମସ୍ୟାର ସମାଧାନ କରିପାରିଛେ । ବିଶେଷ କରି ମୁଁ କ୍ୟାମେରା ସଂପର୍କିତ ସମାଧାନ ସୂତ୍ରକୁ ବିଶେଷ ପସନ୍ଦ କରୁଛି ଯାହା ଫଳରେ କିଏ ବିଶେଷ ଧ୍ୟାନ ଦେଉଛି ତାହା ଚିହ୍ନା ପଡ଼ିଯିବ । ଏବଂ ଏବେ କ’ଣ ହେବ ଆପଣମାନେ ଜାଣନ୍ତି ?  ମୁଁ ସଂସଦର ବାଚସ୍ପତିଙ୍କୁ ଅନୁରୋଧ କରିବି । ମୋର ଦୃଢ଼ ବିଶ୍ୱାସ ଯେ ଏହା ସାଂସଦମାନଙ୍କ ସକାଶେ ବେଶ୍‌ ଉପକାରସିଦ୍ଧ ହେବ ।

ମୋ ଦୃଷ୍ଟିରେ ଆପଣମାନେ ସମସ୍ତେ ଜଣେ ଜଣେ ବିଜୟୀ । ଆପଣମାନେ ବିଜୟୀ କାହିଁକି ନା ଆପଣମାନେ କେହି ଯେକୌଣସି ପ୍ରକାର ରିସ୍କ ନେବାକୁ କଦାପି ସଂକୋଚ କରିନାହାନ୍ତି । ଫଳାଫଳ ପାଇଁ ମନରେ ଆଶଙ୍କା ନରଖି ଆପଣମାନେ ଚାଲେଞ୍ଜକୁ ସମାଧାନ କରିବା ଲାଗି ଆଗଭର ହୋଇଛନ୍ତି ଏବଂ ସେଥିପାଇଁ ପ୍ରୟାସ କରିଛନ୍ତି ।

ଏହି ଅବସରରେ ମୁଁ ମଧ୍ୟ ବିଶେଷ ଭାବେ ସିଙ୍ଗାପୁର ସରକାରଙ୍କ ଶିକ୍ଷା ମନ୍ତ୍ରୀ ମିଷ୍ଟର ଓଙ୍ଗ ୟେ କୁଙ୍ଗ ଏବଂ ନାନ୍ୟାଙ୍ଗ୍‌ ଟେକ୍ନିକାଲ ୟୁନିଭର୍ସିଟି (ଏନଟିୟୁ)ଙ୍କୁ ଇଣ୍ଡିଆ – ସିଙ୍ଗାପୁର ହାକାଥନକୁ ସଫଳ କରିବା ସକାଶେ ସକଳ ପ୍ରକାର ସହଯୋଗ ଯୋଗାଇ ଦେଇଥିବାରୁ ଧନ୍ୟବାଦ ଜ୍ଞାପନ କରିବାକୁ ଚାହେଁ ।

ଭାରତ ପକ୍ଷରୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଇନୋଭେସନ୍‌ ସେଲ , ଆଇଆଇଟି ମାଡ଼୍ରାସ ଏବଂ ଅଖିଳ ଭାରତ ପ୍ରଯୁକ୍ତି ଶିକ୍ଷା ପରିଷଦ ଯେଉଁମାନେ କି ଦ୍ୱିତୀୟ ଭାରତ – ସିଙ୍ଗାପୁର ହାକାଥନକୁ ବିରାଟ ସଫଳତା ହାସଲ କରିବା ସକାଶେ ଚମତ୍କାର କାର୍ଯ୍ୟ କରିବା ସହ ଏଥିପାଇଁ ଆବଶ୍ୟକ କୌଣସି ସୁଯୋଗକୁ ହାତଛଡ଼ା ନକରି ଥିବାରୁ ମୁଁ ସେମାନଙ୍କୁ ମଧ୍ୟ ମୋର ଅନ୍ତରର ଧନ୍ୟବାଦ ଜ୍ଞାପନ କରୁଛି ।

ବନ୍ଧୁଗଣ,

ଏପରି କିଛି କାର୍ଯ୍ୟ ଥାଏ ଯାହା ଜଣେ ଲୋକ ନିଜର ପ୍ରୟାସ ବଳରେ ସାକାର କରିବା କାର୍ଯ୍ୟକୁ ପ୍ରଥମରୁ ଦେଖିବା ଏବଂ ତାହାର ସକ୍ରିୟତା ଓ ସଫଳତା ଦେଖିବା ଲୋକକୁ ଅତି ମାତ୍ରାରେ ସନ୍ତୁଷ୍ଟି ପ୍ରଦାନ କରିଥାଏ ।

ମୁଁ ଗତଥର ସିଙ୍ଗାପୁର ଗସ୍ତରେ ଯାଇଥିବା ବେଳେ ଏହିଭଳି ଏକ ମିଳିତ ହାକାଥନ ପ୍ରତିଯୋଗିତାର ଆୟୋଜନ କରିବା ପ୍ରସ୍ତାବ ଦେଇଥିଲି । ଗତ ବର୍ଷ, ତାହା ନାନ୍ୟାଙ୍ଗ ଟେକ୍ନିକାଲ ୟୁନିଭର୍ସିଟି, ସିଙ୍ଗାପୁର ଠାରେ ଆୟୋଜିତ ହୋଇଥିଲା । ଚଳିତ ବର୍ଷ ଏହା ଐତିହାସିକ, ଅଥଚ ଅତ୍ୟାଧୁନିକ ଆଇଆଇଟି, ମାଡ଼୍ରାସ ପରିସରରେ ଆୟୋଜିତ ହୋଇଛି ।

ବନ୍ଧୁଗଣ,

ମୁଁ ଶୁଣିବାକୁ ପାଇଛି ଯେ ଗତ ବର୍ଷ, ହାକାଥନର ଫୋକସ୍‌ ଥିଲା ପ୍ରତିଯୋଗିତା ଉପରେ । ଚଳିତ ବର୍ଷ ଉଭୟ ଦେଶର ପ୍ରତ୍ୟେକ ଟିମ୍‌ର ଛାତ୍ରଛାତ୍ରୀମାନେ ମିଳିତ ଭାବେ ସମସ୍ୟାର ସମାଧାନ ସକାଶେ ପ୍ରୟାସ କରିଛନ୍ତି । ତେଣୁ ଏହାକୁ ଆମେ ପ୍ରତିଯୋଗିତାରୁ ସହଯୋଗୀତା ବୋଲି ନିରାପଦରେ ଆଖ୍ୟା ଦେଇପାରିବା ।

ଏହିଭଳି ଶକ୍ତି ହିଁ ଆମର ଆବଶ୍ୟକ, ମିଳିତ ଭାବେ ଯେକୌଣସି ପ୍ରକାର ଚାଲେଞ୍ଜକୁ ଉଭୟ ଦେଶର ଯୁବଶକ୍ତି ସଫଳତାର ସହ ସାମ୍ନା କରିପାରିବେ ।

ବନ୍ଧୁଗଣ,

ଏଭଳି ହାକାଥନ ଯୁବ ଛାତ୍ରଛାତ୍ରୀମାନଙ୍କ ସକାଶେ ଏକ ମହାନ ସୁଯୋଗ । ଏଥିରେ ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀମାନେ ଅତ୍ୟାଧୁନିକ ବୈଶ୍ୱିକ ସମସ୍ୟା ଏବଂ ଏହାର ଅତ୍ୟାଧୁନିକ ସମାଧାନର ସୂତ୍ର ବାହାର କରିବାର ସୁଯୋଗ ପାଇଥାନ୍ତି । ଏବଂ ତାହା ପୁଣି ସେମାନେ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କରିଥାନ୍ତି ।

ଏଥିରେ ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀମାନେ ସେମାନଙ୍କର ଭାବନା, ଅଭିନବ କଳାକୌଶଳକୁ ପରଖିଥାନ୍ତି । ଏବଂ ମୋର ଦୃଢ଼ ବିଶ୍ୱାସ ଯେ ଆଜିର ହାକାଥନରେ ଯେଉଁସବୁ ସମାଧାନ ପନ୍ଥା ନିର୍ଯ୍ୟାସ ଭାବେ ବାହାରିଛି ତାହା ଷ୍ଟାର୍ଟ ଅପ୍‌ ଭାବେ ଆସନ୍ତା କାଲି ଆରମ୍ଭ ହୋଇପାରେ ।

ବିଗତ କିଛି ବର୍ଷ ଧରି ଆମେ ଭାରତରେ ସ୍ମାର୍ଟ ଇଣ୍ଡିଆ ହାକାଥନର ଆୟୋଜନ କରିଆସୁଛୁ ।

ଏହି ପ୍ରୟାସ ଦ୍ୱାରା ବିଭିନ୍ନ ସରକାରୀ ବିଭାଗ, ଶିଳ୍ପସଂସ୍ଥା ସହ ଜଡ଼ିତ ଥିବା ବ୍ୟକ୍ତିବିଶେଷ, ଏବଂ ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନମାନେ ଅଂଶ ଗ୍ରହଣ କରିଆସୁଛନ୍ତି ।

ଆମେ ଇନକୁବେଟ କରୁ, ପାଣ୍ଠି ଯୋଗାଇ ଦେଉ ଏବଂ ସ୍ମାର୍ଟ ଇଣ୍ଡିଆ ହାକାଥନରୁ ନିର୍ଯ୍ୟାସ ରୂପେ ବାହାରିଥିବା ସମାଧାନ ପନ୍ଥାକୁ ଆଗକୁ ଆଗେଇ ନେବା ଲାଗି ସେସବୁକୁ ଷ୍ଟାର୍ଟ ଅପ୍‌ରେ ପରିଣତ କରିବାକୁ ଚେଷ୍ଟା କରୁ ।

ସେହିଭଳି, ମୋର ବିଶ୍ୱାସ ଯେ ଏନଟିୟୁ, ଭାରତର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏବଂ ଏଆଇସିଟିଇ ଅନୁରୂପ ରୂପେ ମିଳିତ ଭାବେ ଏଭଳି ଚିନ୍ତାଧାରାକୁ ସମ୍ଭାବନାରେ ପରିଣତ କରିବା ସକାଶେ ମିଳିତ ହାକାଥନର ଆୟୋଜନ କରିଛନ୍ତି ।

ବନ୍ଧୁଗଣ,

ଆଜି ଭାରତ ପାଞ୍ଚ ଟ୍ରିଲିୟନ ଅର୍ଥନୀତି ଦିଗରେ ଆଗକୁ ଅଗ୍ରସର ହେଉଛି । ସେଥିପାଇଁ ଅଭିନବତ୍ୱ ଏବଂ ଷ୍ଟାର୍ଟ ଅପ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଅଛି ।

ଏପର୍ଯ୍ୟନ୍ତ ଭାରତ ବିଶ୍ୱର ତୃତୀୟ ଷ୍ଟାର୍ଟ ଅପ୍‌ ଅନୁକୂଳ ବାତାବରଣକ୍ଷମ ରାଷ୍ଟ୍ରରେ ପରିଣତ ହୋଇସାରିଛି । ବିଗତ ପାଞ୍ଚବର୍ଷ ଭିତରେ, ଆମେ ଅଭିନବତ୍ୱ ଏବଂ ଇନକୁବେସନକୁ ପ୍ରୋତ୍ସାହନ ପ୍ରଦାନ କରିବା ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରିଛୁ ।

ଏଥିପାଇଁ ଅଟଳ ଇନୋଭେସନ୍‌ ମିଶନ, ପ୍ରଧାନମନ୍ତ୍ରୀ ଗବେଷଣା ବୃତ୍ତି, ଷ୍ଟାର୍ଟ ଅପ୍‌ ଇଣ୍ଡିଆ ଅଭିଯାନ ହେଉଛି ଏକବିଂଶ ଶତାବ୍ଦୀ ଭାରତର ମୂଳ ଆଧାର । ତାହା ଏପରି ଏକ ଭାରତର ପରିକଳ୍ପନା କରିଛି ଯେଉଁଥିରେ ଅଭିନବତ୍ୱ ସଂସ୍କୃତିକୁ ଆଗକୁ ଆଗେଇ ନିଆଯାଇପାରିବ ।

ଏବେ ଆମେ ଆଧୁନିକ ପ୍ରଯୁକ୍ତ ଯଥା ମେସିନ ଶିକ୍ଷା, କୃତ୍ରିମ ପ୍ରଜ୍ଞା, ବ୍ଲକ୍‌ ଚେନ୍‌ ଭଳି ସୁଯୋଗ ଆମର ଛାତ୍ରଛାତ୍ରୀମାନଙ୍କୁ ଷଷ୍ଠ ଶ୍ରେଣୀଠାରୁ ପ୍ରଦାନ କରିବାର ବ୍ୟବସ୍ଥା କରିଛୁ ।

ବିଦ୍ୟାଳୟ ସ୍ତରଠାରୁ ଆରମ୍ଭ କରି ଉଚ୍ଚତର ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ, ଏଭଳି ଏକ ବାତାବରଣ ସୃଷ୍ଟି କରାଯାଉଛି ଯେଉଁଥିରେ ଅଭିନବତ୍ୱର ଏକ ମାଧ୍ୟମ ସୃଷ୍ଟି ହୋଇପାରିବ ।

ବନ୍ଧୁଗଣ,

ଆମେ ଅଭିନବତ୍ୱ ଏବଂ ଇନକୁବେସନକୁ ପ୍ରୋତ୍ସାହନ ପ୍ରଦାନ କରୁଛୁ ଏବଂ ତାହାର ଦୁଇଟି ମୁଖ୍ୟ କାରଣ ରହିଛି । ପ୍ରଥମଟି ହେଲା – ଭାରତର ସମସ୍ୟାବଳୀଗୁଡ଼ିକ ସହଜ ସମାଧାନ ସୂତ୍ର ବାହାର କରିବା, ଏବଂ ଜନସାଧାରଣଙ୍କ ଜୀବନକୁ ସରଳ ଓ ସରସସୁନ୍ଦର କରିବା । ଏବଂ ଦ୍ୱିତୀୟ କାରଣଟି ହେଲା, ଆମେ ଭାରତରେ ସମଗ୍ର ବିଶ୍ୱ ପାଇଁ ସମାଧାନ ସୂତ୍ର ବାହାର କରିବା ।

ତଦ୍ୱାରା ଭାରତୀୟ ସମାଧାନ ପନ୍ଥାର ବୈଶ୍ୱିକ ପ୍ରୟୋଗ କରାଯାଇପାରିବ – ଏହା ହେଉଛି ଆମର ଲକ୍ଷ୍ୟ ଏବଂ ଆମର ପ୍ରତିବଦ୍ଧତା ।

ଆମେ ମଧ୍ୟ ଆମର ସମାଧାନ ସୂତ୍ରକୁ ସୁଲଭ କରିବାକୁ ଚାହୁଁ ଯଦ୍ୱାରା ସାହା ଦରିଦ୍ରତମ ରାଷ୍ଟ୍ରମାନଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଉପଲବ୍ଧ ହୋଇପାରିବ । ଯେଉଁମାନେ ଦରିଦ୍ର ଏବଂ ସବୁଠାରୁ ଅବହେଳିତ, ସେମାନେ ବିଶ୍ୱର ଯେଉଁଠାରେ ବସବାସ କରୁଥାନ୍ତୁ ନା କାହିଁକି, ସେମାନଙ୍କ ସକାଶେ ଭାରତୀୟ ସମାଧାନ ପନ୍ଥା ଉପଲବ୍ଧ ହେବ ।

ବନ୍ଧୁଗଣ, ମୋର ଦୃଢ଼ ବିଶ୍ୱାସ ଯେ ପ୍ରଯୁକ୍ତ ଲୋକମାନଙ୍କୁ ପରସ୍ପର ସହ ମିଳାଇଥାଏ, ଏପରିକି ଭିନ୍ନ ଭିନ୍ନ ରାଷ୍ଟ୍ରର ଲୋକଙ୍କ, ଭିନ୍ନ ଭିନ୍ନ ମହାଦେଶର ଲୋକଙ୍କୁ । ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଓଙ୍ଗଙ୍କ ପରାମର୍ଶକୁ ମୁଁ ସ୍ୱାଗତ କରୁଛି ।

ଏହି ଅବସରରେ ଏସୀୟ ରାଷ୍ଟ୍ରମାନଙ୍କୁ ସାମିଲ କରି ଏକ ଅନୁରୂପ ହାକାଥନର ଆୟୋଜନ କରି ଏବଂ ସେମାନଙ୍କ ପାଇଁ ଅନୁରୂପ ସୁଯୋଗ ସୃଷ୍ଟି କରିବା ନିମନ୍ତେ ମୁଁ ପ୍ରସ୍ତାବ ଦେଉଛି । ଯେଉଁ ରାଷ୍ଟ୍ରମାନେ ଏଥିରେ ଅଂଶଗ୍ରହଣ କରିବା ପାଇଁ ଆଗ୍ରହୀ ହେବେ, ସେମାନଙ୍କୁ ଏନଟିୟୁ, ସିଙ୍ଗାପୁର ସରକାର ଏବଂ ଭାରତ ସରକାର ସବୁପ୍ରକାର ସହଯୋଗ ଯୋଗାଇଦେବେ ।

ମୋ ମତରେ ‘ବିଶ୍ୱ ଉତ୍ତାପନ ଓ ଜଳବାୟୁ ପରିବର୍ତ୍ତନ’କୁ ହ୍ରାସ କରିବା ସକାଶେ ଏସୀୟ ରାଷ୍ଟ୍ରଙ୍କ ଶ୍ରେଷ୍ଠ ପ୍ରଜ୍ଞାଧାରୀମାନେ ଏକଜୁଟ ହୋଇ ପରସ୍ପର ସହ ପ୍ରତିଯୋଗିତା କରନ୍ତୁ ଏବଂ ଏହାର ଅଭିନବ ସମାଧାନ ସୂତ୍ର ବାହାର କରନ୍ତୁ ।

ମୋର ବକ୍ତବ୍ୟ ଶେଷ କରିବା ପୂର୍ବରୁ ମୁଁ ପୁଣି ଥରେ ସମସ୍ତ ଅଂଶଗ୍ରହଣକାରୀ ପ୍ରତିଯୋଗୀ ଏବଂ ଆୟୋଜନଙ୍କୁ ଅଭିନନ୍ଦନ ଜଣାଉଛି କାରଣ ସେମାନଙ୍କ ପ୍ରୟାସ ଦ୍ୱାରା ହିଁ ଏହା ଏକ ବିରାଟ ସଫଳତାରେ ପରିଣତ ହୋଇପାରିଛି ।

ଆପଣମାନେ ଚେନ୍ନାଇରେ ଅଛନ୍ତି ଯାହା ଆପଣଙ୍କୁ ଏକ ମହାନ ସଂସ୍କୃତି, ବିରାଟ ଐତିହ୍ୟ ଓ ଉପଭୋଗ୍ୟ ଖାଦ ସଂସ୍କୃତି ପ୍ରଦାନ କରେ । ମୁଁ ଅନୁରୋଧ କରୁଛି, ସବୁ ପ୍ରତିଯୋଗୀ, ବିଶେଷ କରି ସିଂଙ୍ଗାପୁରରୁ ଆସିଥିବା ଆମର ବନ୍ଧୁମାନେ, ଚେନ୍ନାଇ ସହର ରହଣିକୁ ମନଭରି ଉପଭୋଗ କରନ୍ତୁ । ଏହି ସୁଯୋଗରେ ସେମାନେ ମହାବଳିପୁରମ୍‌ ଭଳି ସ୍ଥାନ ବୁଲି ଦେଖନ୍ତୁ । ମହାବଳିପୁରମ୍‌ ତା’ର ପ୍ରସ୍ତର କାର୍ଯ୍ୟ ଏବଂ ପ୍ରସ୍ତର ଖୋଦିତ ମନ୍ଦିର ସକାଶେ ସୁପ୍ରସିଦ୍ଧ । ଏହାକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀର ମାନ୍ୟତା ପ୍ରଦାନ କରାଯାଇଛି ।

ଆପଣମାନଙ୍କୁ ଧନ୍ୟବାଦ! ଆପଣମାନଙ୍କୁ ଅଶେଷ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IndiaAI Mission-backed startup Avataar launches indigenous video AI model

Media Coverage

IndiaAI Mission-backed startup Avataar launches indigenous video AI model
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 13, 2026
June 13, 2026

Viksit Bharat Accelerating: Tech, Defense, Infra & Exports Power India's Global Leap Under the Leadership of PM Modi