ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ 12, 2019 ତାରିଖ ଦିନ ହରିୟାଣାର କୁରୁକ୍ଷେତ୍ର ଗସ୍ତରେ ଯିବେ । ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ସେଠାରେ ଆୟୋଜିତ ସ୍ୱଚ୍ଛ ଶକ୍ତି 2019 କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହା ଦେଶର ମହିଳା ସରପଞ୍ଚମାନଙ୍କ ଏକ ଜାତୀୟ ସମାବେଶ ଏବଂ ଏହି ଅବସରରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ସ୍ୱଚ୍ଛ ଶକ୍ତି 2019 ପୁରସ୍କାର ପ୍ରଦାନ କରିବେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ କୁରୁକ୍ଷେତ୍ରଠାରେ ଆୟୋଜିତ ଏକ ସ୍ୱଚ୍ଛ ସୌଚାଳୟ ପ୍ରଦର୍ଶନୀ ସ୍ଥଳ ପ୍ରଦର୍ଶନ କରିବ ଏବଂ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ହରିୟାଣା ଗସ୍ତ କାଳରେ ରାଜ୍ୟର କେତେକ ଉନ୍ନୟନମୂଳକ ଯୋଜନାର ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବା ସହ ଅନ୍ୟ କେତେକର ଶିଳାନ୍ୟାସ କରିବେ ।
ସ୍ୱଚ୍ଛ ଶକ୍ତି 2019 ଏକ ଜାତୀୟ କାର୍ଯ୍ୟକ୍ରମ ଯାହା ଗ୍ରାମାଞ୍ଚଳ ମହିଳାମାନଙ୍କ ସ୍ୱଚ୍ଛ ଭାରତ ଅଭିଯାନରେ ଗ୍ରହଣ କରାଯାଇଥିବା ପ୍ରମୁଖ ଭୂମିକାକୁ ପ୍ରତିପାଦିତ କରେ । ସାରା ଦେଶର ମହିଳା ସରପଞ୍ଚ ଏବଂ ପଞ୍ଚମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି । କୁରୁକ୍ଷେତ୍ର ସ୍ୱଚ୍ଛ ଶକ୍ତି କାର୍ଯ୍ୟକ୍ରମରେ ପ୍ରାୟ 15,000 ମହିଳା ଚଳିତ ବର୍ଷ ଯୋଗ ଦେଉଛନ୍ତି । ମହିଳା ସଶକ୍ତିକରଣ ଦିଗରେ ମଧ୍ୟ ଏହା ଏକ ବଳିଷ୍ଠ ପ୍ରୟାସ ।
କେନ୍ଦ୍ର ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ ହରିୟାଣା ସରକାରଙ୍କ ମିଳିତ ଆନୁକୂଲ୍ୟରେ ସ୍ୱଚ୍ଛ ଶକ୍ତି 2019 କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଗ୍ରାମାଞ୍ଚଳରେ ବସମାସ କରୁଥିବା ସମାଜର ତଳ ସ୍ତରର ମହିଳାମାନେ ଏହି ଅବସରରେ ସେମାନଙ୍କର ଅନୁଭୂତି ଓ ଅଭିଜ୍ଞତା ବଣ୍ଟନ କରିବାର ସୁଯୋଗ ପାଇବେ । ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମର ଏଭଳି ସଫଳତାକୁ ସମସ୍ତଙ୍କ ନିକଟରେ ପ୍ରଦର୍ଶନ କରାଯିବ । ନିକଟରେ ସ୍ୱଚ୍ଛ ସୁନ୍ଦର ଶୌଚାଳୟ ଅଭିଯାନକୁ ବିଶ୍ୱର ଅନ୍ୟତମ ଆଦର୍ଶ ଓ ଅଭିନବ ତଥା ଏକମାତ୍ର ସଫଳ ପ୍ରୟାସ ଭାବେ ମାନ୍ୟତା ମିଳିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଶକ୍ତି କାର୍ଯ୍ୟକ୍ରମକୁ 2017 ମସିହାରେ ପ୍ରଥମ ଥର ପାଇଁ ଗୁଜରାଟର ଗାନ୍ଧୀନଗର ଠାରେ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦେଶର 6000 ସରପଞ୍ଚ ସାମିଲ ହୋଇଥିଲେ ଏବଂ ଆର୍ନ୍ତଜାତିକ ମହିଳା ଦିବସ ଅବସରରେ ସେମାନେ ସ୍ୱଚ୍ଛ ଶକ୍ତି 2017 ବ୍ୟାନର ଧାରଣ କରିଥିଲେ । ପ୍ରଧାନମନ୍ତ୍ରୀ ସେହି ସମ୍ମିଳନୀକୁ ସମ୍ବୋଧିତ କରିବା ସହ ସେମାନଙ୍କୁ ସମ୍ମାନିତ କରିଥିଲେ । ଦ୍ୱିତୀୟ ସ୍ୱଚ୍ଛ ଶକ୍ତି 2018କାର୍ଯ୍ୟକ୍ରମ ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଆୟୋଜିତ ହୋଇଥିଲା ଯେଉଁଥିରେ ଦେଶର 8000 ପର୍ଯ୍ୟନ୍ତ ମହିଳା ସରପଞ୍ଚ ଯୋଗଦାନ କରିଥିଲେ । ସେମାନଙ୍କର ସ୍ୱଚ୍ଛ ଭାରତ ଅଭିଯାନକୁ ଅବଦାନକୁ ବିଚାରକୁ ନେଇ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ସମାଜର ତୃଣମୂଳ ସ୍ତରରେ , ଗ୍ରାମାଞ୍ଚଳ ମହିଳା ମାନେ ସ୍ୱଚ୍ଛତା ରକ୍ଷା କ୍ଷେତ୍ରରେ କିଭଳି ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛନ୍ତି ଏବଂ ଭବିଷ୍ୟତରେ ତାହାକୁ ଆହୁରି ଆଗକୁ ଆଗେଇ ନେଇ ପାରିବେ ତାହା ପ୍ରଦର୍ଶିତ କରିବା ଓ ସେମାନଙ୍କୁ ସମ୍ମାତିନ କରି ପ୍ରୋତ୍ସାହିତ କରିବା ହେଉଛି ସ୍ୱଚ୍ଛ ଶକ୍ତି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ । ସ୍ୱଚ୍ଛ ଭାରତ ଅଭିଯାନର ଏହା ଅଂଶବିଶେଷ । ସ୍ୱଚ୍ଛ ଭାରତ ଅଭିଯାନ 2014 ମସିହା ଅକ୍ଟୋବର 2 ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା । 2019 ଅକ୍ଟୋବର 2 ତାରିଖ ସୁଦ୍ଧା ଦେଶକୁ ଖୋଲା ଶୌଚମୁକ୍ତ କରିବା ଲାଗି ଏଥିରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।


