ଟୟକୋନୋମି’ରେ ସ୍ଥିତି ସୁଦୃଢ଼ କରିବା ଲାଗି ଆହ୍ବାନ
ସବୁଠୁ ବଞ୍ଚିତ ବର୍ଗଙ୍କ ବିକାଶ ଓ ଅଭିବୃଦ୍ଧି ପାଇଁ ଖେଳନା କ୍ଷେତ୍ରର ଗୁରୁତ୍ବ ଉପରେ ଆଲୋକପାତ
ଆମେ ସ୍ଥାନୀୟ ଖେଳନାର ପ୍ରଚାର କରିବା ଉଚିତ୍ : ପ୍ରଧାନମନ୍ତ୍ରୀ
ବିଶ୍ବ ଭାରତର ସାମର୍ଥ୍ୟ, କଳା ଓ ସଂସ୍କୃତି ଏବଂ ସମାଜ ବିଷୟରେ ଜାଣିବାକୁ ଚାହୁଁଛି; ଖେଳନାଗୁଡ଼ିକ ଏ କ୍ଷେତ୍ରରେ ବଡ଼ ଭୂମିକା ଗ୍ରହଣ କରିପାରିବେ : ପ୍ରଧାନମନ୍ତ୍ରୀ
ଡିଜିଟାଲ ଗେମିଂ ପାଇଁ ଭାରତରେ ଯଥେଷ୍ଟ ବିଷୟବସ୍ତୁ ଏବଂ ଦକ୍ଷତା ରହିଛି : ପ୍ରଧାନମନ୍ତ୍ରୀ
ଦେଶ ସ୍ବାଧୀନତାର 75ତମ ଜନ୍ମବାର୍ଷିକୀ ଖେଳନା କ୍ଷେତ୍ରର ଉଦ୍ଭାବକ ଓ ନିର୍ମାତାମାନଙ୍କ ପାଇଁ ଏକ ବଡ଼ ସୁଯୋଗ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଟୟକ୍ୟାଥନ-2021ର ପ୍ରତିଯୋଗୀମାନଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ ଏବଂ ଶ୍ରୀ ସଞ୍ଜୟ ଧୋତ୍ରେ ଏହି ଅବସରରେ ଉପସ୍ଥିତ ଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଗତ 5-6 ବର୍ଷ ଧରି, ଦେଶର ଯୁବପିଢ଼ି ହ୍ୟାକାଥନ ଭଳି ପ୍ଲାଟଫର୍ମ ଜରିଆରେ ଦେଶର ପ୍ରମୁଖ ଆହ୍ବାନଗୁଡ଼ିକ ସହ ଯୋଡ଼ି ହୋଇଛନ୍ତି। ଏହା ପଛରେ ଥିବା ଚିନ୍ତାଧାରାଟି ହେଉଛି ଦେଶର ସାମର୍ଥ୍ୟକୁ ସଂଗଠିତ କରିବା ଏବଂ ସେମାନଙ୍କୁ ଏକ ମାଧ୍ୟମ ଯୋଗାଇଦେବା, ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଖେଳନା ପିଲାମାନଙ୍କର ପ୍ରଥମ ବନ୍ଧୁ, ତେବେ ଖେଳନା ଓ ଗେମିଂର ଆର୍ଥିକ ଦିଗ ଉପରେ ପ୍ରଧାନମନ୍ତ୍ରୀ ଜୋର ଦେବା ସହିତ ‘ଟୟକୋନୋମି’ ବା ଖେଳନା ଅର୍ଥବ୍ୟବସ୍ଥା ଦିଗରେ ଅଗ୍ରସର ହେବା ନିମନ୍ତେ ଆହ୍ବାନ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ବ ଖେଳନା ବଜାରର ଆକାର 100 ବିଲିୟନ ଡଲାର ହୋଇଥିବା ବେଳେ ଏଥିରେ ଭାରତର ଯୋଗଦାନ ମାତ୍ର 1.5 ପ୍ରତିଶତ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଏହାର 80 ପ୍ରତିଶତ ଖେଳନା ଆମଦାନୀ କରିଥାଏ। ଯାହାର ଅର୍ଥ ହେଉଛି ଏହା ମାଧ୍ୟମରେ କୋଟି କୋଟି ଟଙ୍କା ଦେଶରୁ ଚାଲି ଯାଇଥାଏ। ଏହାକୁ ବଦଳାଇବାର ଆବଶ୍ୟକତା ରହିଛି, ପ୍ରଧାନମନ୍ତ୍ରୀ କହିଥିଲେ।  ଶ୍ରୀ ମୋଦୀ ଆଲୋକପାତ କରି କହିଥିଲେ ଯେ, ସଂଖ୍ୟାଗୁଡ଼ିକ ବ୍ୟତୀତ, ଏହି କ୍ଷେତ୍ର ନିକଟରେ ସମାଜର ସବୁଠୁ ବଞ୍ଚିତବର୍ଗଙ୍କ  ବିକାଶ ଓ ଅଭିବୃଦ୍ଧି ଆଣିବା ପାଇଁ ସାମର୍ଥ୍ୟ ରହିଛି। ଖେଳନା ଉଦ୍ୟୋଗର ଏକ ନିଜସ୍ବ କ୍ଷୁଦ୍ର ଧରଣର ଉଦ୍ୟୋଗ ରହିଛି ଯେଉଁଥିରେ ଗ୍ରାମୀଣ ଜନସଂଖ୍ୟାର କାରିଗର, ଦଳିତ, ଗରିବ ଓ ଜନଜାତିର ଲୋକମାନେ ସାମିଲ ରହିଛନ୍ତି। ଏହି କ୍ଷେତ୍ରରେ ମହିଳାମାନଙ୍କର ପ୍ରମୁଖ ଯୋଗଦାନ ମଧ୍ୟ ରହିଥିବା ପ୍ରଧାନମନ୍ତ୍ରୀ କହିଥିଲେ। ଏହି ବର୍ଗର ଲୋକମାନଙ୍କୁ ଲାଭବାନ କରିବାକୁ ହେଲେ, ଆମକୁ ସ୍ଥାନୀୟ ଖେଳନାର ପ୍ରଚାର (ଭୋକାଲ ଫର୍ ଲୋକାଲ ଟୟଜ୍) କରିବାର ଆବଶ୍ୟକତା ରହିଛି। ବିଶ୍ବସ୍ତରରେ ଭାରତୀୟ ଖେଳନାଗୁଡ଼ିକୁ ପ୍ରତିଦ୍ବନ୍ଦ୍ବିତା ମୂଳକ କରିବାକୁ ହେଲେ ଉଦ୍ଭାବନ ଓ ନିବେଶର ନୂଆ ମଡେଲ ଆପଣାଇବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ କରିଥିଲେ। ନୂତନ ଉପାୟ ଅବଲମ୍ବନ କରିବା, ନୂଆ ଷ୍ଟାର୍ଟ-ଅପ୍‌ଗୁଡ଼ିକୁ ପ୍ରୋତ୍ସାହନ ଦେବା, ପାରମ୍ପରିକ ଖେଳନା ନିର୍ମାତାମାନଙ୍କୁ ନୂଆ ପ୍ରଯୁକ୍ତି ଦିଗରେ ନେବା ଏବଂ ନୂଆ ବଜାର ଚାହିଦା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଟୟକ୍ୟାଥନ ଭଳି କାର୍ଯ୍ୟକ୍ରମ ଆୟୋଜନ ପଛରେ ଏହି ପ୍ରେରଣା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

 

ପ୍ରଧାନମନ୍ତ୍ରୀ ଶସ୍ତା ଡାଟା ଏବଂ ଇଣ୍ଟରନେଟ୍‌ ବାହିତ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାର ଅଭିବୃଦ୍ଧି ବିଷୟରେ ଉଲ୍ଲେଖ କରିବା ସହିତ ଭର୍ଚୁଆଲ୍‌, ଡିଜିଟାଲ୍‌ ଓ ଅନ୍‌ଲାଇନ୍‌ ଗେମିଂ ପାଇଁ ଭାରତରେ ରହିଥିବା ସମ୍ଭାବନାକୁ ଉଜାଗର କରିବା ନିମନ୍ତେ ଆହ୍ବାନ କରିଥିଲେ। ପ୍ରଧାନମନ୍ତ୍ରୀ ଏହି ବାସ୍ତବତା ପ୍ରତି ଧ୍ୟାନ ଆକର୍ଷଣ କରି କହିଥିଲେ ଯେ ବର୍ତ୍ତମାନ ବଜାରରେ ଉପଲବ୍ଧ ରହିଥିବା ଅଧିକାଂଶ ଅନ୍‌ଲାଇନ୍‌ ଓ ଡିଜିଟାଲ୍‌ ଗେମ୍‌ଗୁଡ଼ିକ ଭାରତୀୟ ବିଷୟବସ୍ତୁ ଉପରେ ଅଧାରିତ ନୁହନ୍ତି, ତେଣୁ ସେଗୁଡ଼ିକ ହିଂସାକୁ ପ୍ରୋତ୍ସାହନ ଦେଇଥାନ୍ତି ଏବଂ ମାନସିକ ଚାପ ସୃଷ୍ଟି କରିଥାନ୍ତି। ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ ବିଶ୍ବ ଭାରତର ସାମର୍ଥ୍ୟ, କଳା ଓ ସଂସ୍କୃତି ବିଷୟରେ ଜ୍ଞାନ ଆହରଣ କରିବା ଲାଗି ଚାହୁଁଛି। ଖେଳନାଗୁଡ଼ିକ ଏହି କ୍ଷେତ୍ରରେ ବଡ଼ ଭୂମିକା ନିର୍ବାହ କରିପାରିବେ। ଡିଜିଟାଲ ଗେମିଂ ପାଇଁ ଭାରତରେ ଯଥେଷ୍ଟ ବିଷୟବସ୍ତୁ ଏବଂ କ୍ଷମତା ରହିଛି। ଶ୍ରୀ ମୋଦୀ ଏହି ଅବସରରେ ଭାରତର ସାମର୍ଥ୍ୟ ଓ ବିଚାରର ବାସ୍ତବ ଚିତ୍ର ବିଶ୍ବ ସମ୍ମୁଖରେ ଉପସ୍ଥାପନ କରିବାର ଦାୟିତ୍ବ ନେବା ନିମନ୍ତେ ଯୁବ ଉଦ୍ଭାବକ ଓ ଷ୍ଟାର୍ଟ-ଅପ୍‌ଗୁଡ଼ିକୁ ଆହ୍ବାନ କରିଥିଲେ।

 

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସ୍ବାଧୀନତାର 75ତମ ବର୍ଷ ପୂର୍ତ୍ତି ଖେଳନା ଉଦ୍ଭାବକ ଓ ନିର୍ମାତାମାନଙ୍କ ପାଇଁ ଏକ ବୃହତ ସୁଯୋଗ ଆଣିଛି। ଆମ ସ୍ବାଧୀନତା ସଂଗ୍ରାମୀମାନଙ୍କ ଜୀବନର ବହୁ ଘଟଣା, କାହାଣୀ ଏବଂ ସେମାନଙ୍କ ସାହସ ଓ ନେତୃତ୍ବକୁ ଗେମିଂ ବିଷୟବସ୍ତୁରେ ପରିଣତ କରାଯାଇପାରିବ। ‘ଲୋକକଥାକୁ ଭବିଷ୍ୟତ’ ସହ ଯୋଡ଼ିବାରେ ଏହିସବୁ ଉଦ୍ଭାବକମାନେ ବଡ଼ ଭୂମିକା ନିର୍ବାହ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ, ଏପରି ରୋଚକ ଓ ଯୋଗାଯୋଗ ଆଧାରିତ ଗେମ୍ ବିକଶିତ କରିବାର ଆବଶ୍ୟକତା ରହିଛି ଯାହା ପିଲାମାନଙ୍କୁ ସମ୍ପୃକ୍ତ କରୁଥିବ, ସେମାନଙ୍କର ମନୋରଞ୍ଜନ କରିବା ସହିତ ଶିକ୍ଷା ପ୍ରଦାନ କରୁଥିବ।

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India records highest-ever startup surge with 55,200 recognised in FY26

Media Coverage

India records highest-ever startup surge with 55,200 recognised in FY26
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 18, 2026
April 18, 2026

From Tap Water to 40,000 Manuscripts: Modi’s Vision Delivers Jobs, Clean Energy & Civilisational Pride