ଏହି ଅବସରରେ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର କଲେ ଶୁଭାରମ୍ଭ
ଜାତୀୟ ବିକାଶର ‘ମହାଯଜ୍ଞ’ରେ ଏନଇପିର ଭୂମିକା ଗୁରୁତ୍ୱପୂର୍ଣ୍ଣ : ପ୍ରଧାନମନ୍ତ୍ରୀ
ନୂତନ ଶିକ୍ଷା ନୀତି ଆମ ଯୁବପିଢ଼ିଙ୍କୁ ଏହି ଆଶ୍ୱାସନା ଦେଇଛି ଯେ ସେମାନଙ୍କ ଆକାଂକ୍ଷା ପୂରଣ କରିବା ଲାଗି ଦେଶ ସେମାନଙ୍କ ସହିତ ସବୁବେଳେ ରହିଛି : ପ୍ରଧାନମନ୍ତ୍ରୀ
ନୂଆ ଶିକ୍ଷା ନୀତିର ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ଏହା ବେଶ ଉନ୍ମୁକ୍ତ ଏବଂ ଚାପବିହୀନ : ପ୍ରଧାନମନ୍ତ୍ରୀ
ଆଠଟି ରାଜ୍ୟର 14ଟି ଇଞ୍ଜିନିୟରିଂ କଲେଜ ପାଞ୍ଚଟି ଭାରତୀୟ ଭାଷାରେ ଶିକ୍ଷାଦାନ ଆରମ୍ଭ କରୁଛନ୍ତି : ପ୍ରଧାନମନ୍ତ୍ରୀ
ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ ଗରିବ, ଗ୍ରାମୀଣ ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇବ : ପ୍ରଧାନମନ୍ତ୍ରୀ

ନମସ୍କାର!

କାର୍ଯ୍ୟକ୍ରମରେ ମୋ ସହ ସାମିଲ ହୋଇଥିବା କ୍ୟାବିନେଟର ମୋର ସମସ୍ତ ସହଯୋଗୀଗଣ, ରାଜ୍ୟଗୁଡିକର ମାନନୀୟ ରାଜ୍ୟପାଳବୃନ୍ଦ, ସମସ୍ତ ସମ୍ମାନିତ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ, ଉପସ୍ଥିତ ଶିକ୍ଷାବିତ୍‌, ଅଧ୍ୟାପକଗଣ, ସମସ୍ତ ଅଭିଭାବକ ଏବଂ ମୋର ପ୍ରିୟ ଯୁବ ସାଥୀଗଣ!

ନୂତନ ଜାତୀୟ ଶିକ୍ଷା ନୀତିର ଏକ ବର୍ଷ ପୂରଣ ହୋଇଥିବାରୁ ସମସ୍ତ ଦେଶବାସୀ ଏବଂ ବିଶେଷକରି ସମସ୍ତ ବିଦ୍ୟାର୍ଥୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା । ଗତ ଏକ ବର୍ଷ ମଧ୍ୟରେ ଆପଣମାନଙ୍କ ଭଳି ଦେଶର ସମସ୍ତ ମହାନୁଭବ, ଶିକ୍ଷକଗଣ, ପ୍ରଧାନ ଆଚାର୍ଯ୍ୟଗଣ, ନୀତି ନିର୍ଦ୍ଧାରକମାନେ ଜାତୀୟ ଶିକ୍ଷା ନୀତିକୁ ବାସ୍ତବ ରୂପ ଦେବାରେ ଅନେକ ପରିଶ୍ରମ କରିଛନ୍ତି । କରୋନାର ଏହି କାଳଖଣ୍ଡରେ ମଧ୍ୟ ଲକ୍ଷ ଲକ୍ଷ ନାଗରିକଙ୍କଠାରୁ ଆରମ୍ଭ କରି ଶିକ୍ଷକ, ରାଜ୍ୟ, ସ୍ୱୟଂଶାସିତ ସଂସ୍ଥାର ପରାମର୍ଶ ଗ୍ରହଣ କରି, ଟାସ୍କ ଫୋର୍ସ ଗଠନ କରି ନୂତନ ଶିକ୍ଷା ନୀତିକୁ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ କରାଯାଉଛି । ଗତ ଏକ ବର୍ଷ ମଧ୍ୟରେ ଜାତୀୟ ଶିକ୍ଷା ନୀତିକୁ ମୂଳଦୁଆ ଭାବେ ଗ୍ରହଣ କରି ଅନେକ ବଡ ବଡ ନିଷ୍ପତି ନିଆଯାଇଛି । ଆଜି, ଏହି ପର୍ଯ୍ୟାୟରେ ମତେ ଅନେକ ନୂତନ ଯୋଜନା, ନୂତନ ପଦକ୍ଷେପଗୁଡିକର ଶୁଭାରମ୍ଭ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି ।

ବନ୍ଧୁଗଣ,

ଏହି ମହତ୍ୱପୂର୍ଣ୍ଣ ଅବସର ଏଭଳି ସମୟରେ ଆସିଛି ଯେତେବେଳେ କି ଦେଶ ସ୍ୱାଧୀନତାର ୭୫ ବର୍ଷର ଅମୃତ ମହୋତ୍ସବ ପାଳନ କରୁଛି । ଆଜିଠାରୁ ଅଳ୍ପ କିଛିଦିନ ପରେ ୧୫ ଅଗଷ୍ଟ ଦିନ ଆମେ ସ୍ୱାଧୀନତାର ୭୫ତମ ବର୍ଷରେ ମଧ୍ୟ ପଦାର୍ପଣ କରିବାକୁ ଯାଉଛୁ । ନୂତନ ଜାତୀୟ ଶିକ୍ଷାନୀତିର କାର୍ଯ୍ୟାନ୍ୱୟନ, ଆଜାଦୀ କେ ଅମୃତ ମହୋତ୍ସବର ଏକ ପ୍ରକାର ପ୍ରମୁଖ ଅଂଶ ପାଲଟି ଯାଇଛି । ଏତେ ବଡ ମହାପର୍ବ ମଧ୍ୟରେ ‘ଜାତୀୟ ଶିକ୍ଷା ନୀତି’ ଅଧିନରେ ଆଜି ଆରମ୍ଭ ହୋଇଥିବା ଯୋଜନାଗୁଡିକ ନବ ଭାରତର ନିର୍ମାଣରେ ଖୁବ ବଡ ଭୂମିକା ଗ୍ରହଣ କରିବ । ଭାରତର ଯେଉଁ ସ୍ୱର୍ଣ୍ଣିମ ଭବିଷ୍ୟତର ସଙ୍କଳ୍ପ ସହିତ ଆଜି ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛୁ, ସେହି ଭବିଷ୍ୟତ ଆଡକୁ ଆମକୁ ଆଜିର ନୂତନ ପିଢୀ ହିଁ ନେଇଯିବ । ଭବିଷ୍ୟତରେ ଆମେ କେତେ ଆଗକୁ ଯିବା, କେଉଁ ଶିଖରକୁ ଛୁଇଁବା, ତାହା ଏହି କଥା ଉପରେ ନିର୍ଭର କରିବ ଯେ ଆମେ ଆମର ଯୁବପିଢୀକୁ ବର୍ତମାନ, ଅର୍ଥାତ୍ ଆଜି କିଭଳି ଶିକ୍ଷା ଦେଉଛୁ, କିଭଳି ମାର୍ଗ ପ୍ରଦର୍ଶନ କରୁଛୁ । ଏଣୁ, ମୁଁ ବିଶ୍ୱାସ କରୁଛି, “ଭାରତର ନୂତନ ଜାତୀୟ ଶିକ୍ଷା ନୀତି” ରାଷ୍ଟ୍ର ନିର୍ମାଣର ମହାଯଜ୍ଞରେ ମହତ୍ୱପୂର୍ଣ୍ଣ ଉପାଦାନଗୁଡିକ ମଧ୍ୟରୁ ଅନ୍ୟତମ । ଏବଂ ଏଥିପାଇଁ, ଦେଶ ଏହି ଶିକ୍ଷା ନୀତିକୁ ଏତେ ଆଧୁନିକ କରିଛି, ଏତେ ଭବିଷ୍ୟୋପଯୋଗୀ କରି ରଖିଛି । ଆଜି ଏହି କାର୍ଯ୍ୟକ୍ରମରେ ଯୋଡି ହୋଇଥିବା ଅଧିକାଂଶ ମହାନୁଭବ ନୂତନ ଜାତୀୟ ଶିକ୍ଷାନୀତିର ସମସ୍ତ ସୂକ୍ଷ୍ମତା ବିଷୟରେ ଅବଗତ ଅଛନ୍ତି । କିନ୍ତୁ ଏହା ଯେ କେତେ ବିରାଟ ଅଭିଯାନ ଅଟେ, ଏହି ଅନୁଭବକୁ ଆମକୁ ବାରମ୍ବାର ମନେ ପକାଇବା ଉଚିତ୍ ।

ବନ୍ଧୁଗଣ,

ସମଗ୍ର ଦେଶରୁ ଆମର ଅନେକ ଯୁବ ଛାତ୍ରଛାତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଆମ ସହ ସାମିଲ ଅଛନ୍ତି । ଯଦି ଆମେ ଏହି ବନ୍ଧୁମାନଙ୍କୁ ସେମାନଙ୍କର ଆଂକାକ୍ଷା ବିଷୟରେ, ସ୍ୱପ୍ନ ବିଷୟରେ ପଚାରିବା, ତାହେଲେ ଆପଣମାନେ ଦେଖିବେ ଯେ ପ୍ରତ୍ୟେକ ଯୁବାର ମନରେ ଏକ ନୂତନତ୍ୱ ରହିଛି, ଏକ ନୂଆ ଶକ୍ତି ରହିଛି । ଆମର ଯୁବପିଢୀ ପରିବର୍ତନ ପାଇଁ ପୂର୍ଣ୍ଣ ରୂପରେ ପ୍ରସ୍ତୁତ ରହିଛି । ସେ ଅପେକ୍ଷା କରିବାକୁ ଚାହେଁ ନାହି । ଆମେ ସମସ୍ତେ ଦେଖିଛେ, କରୋନା କାଳରେ ଆମ ଶିକ୍ଷା ବ୍ୟବସ୍ଥା ସମ୍ମୁଖରେ କିପରି ଏତେ ବଡ ଆହ୍ୱାନ ଛିଡା ହୋଇଗଲା । ଛାତ୍ରଛାତ୍ରୀମାନଙ୍କ ପାଠପଢାର, ଜୀବନର ଶୈଳୀ ବଦଳିଗଲା । କିନ୍ତୁ ଦେଶର ବିଦ୍ୟାର୍ଥୀମାନେ ଖୁବ୍ ଶୀଘ୍ର ଏହି ପରିବର୍ତନ ସହ ନିଜକୁ ଢଳାଇ ନେଲେ । ଅନଲାଇନ୍ ଶିକ୍ଷା ଏବେ ଏକ ସହଜ ଧାରା ହେବାରେ ଲାଗିଛି । ଶିକ୍ଷା ମନ୍ତ୍ରଣାଳୟ ମଧ୍ୟ ଏଥିପାଇଁ ଅନେକ ପ୍ରୟାସ କରିଛି । ମନ୍ତ୍ରଣାଳୟ ଦୀକ୍ଷା ପ୍ଲାଟଫର୍ମ ଆରମ୍ଭ କରଛି, ସ୍ୱୟଂ ପୋର୍ଟାଲରେ ପାଠ୍ୟକ୍ରମର ଶୁଭାରମ୍ଭ କରିଛି, ଏବଂ ଆମ ଛାତ୍ରଛାତ୍ରୀମାନେ ସମ୍ପୁର୍ଣ୍ଣ ଉତ୍ସାହର ସହିତ ଏସବୁର ଅଂଶ ପାଲଟି ଯାଇଛନ୍ତି । ମତେ କୁହାଯାଇଛି ଯେ ଗତ ୧ବର୍ଷ ମଧ୍ୟରେ ଦୀକ୍ଷା ପୋର୍ଟାଲକୁ ୨୩ଶହ କୋଟିରୁ ଅଧିକ ଥର ହିଟ କରିବା ଦର୍ଶାଉଛି ଏହା କେତେ ଉପଯୋଗୀ ପ୍ରୟାସ ସାବ୍ୟସ୍ତ ହୋଇଛି । ଆଜି ମଧ୍ୟ ଏଥିରେ ପ୍ରତ୍ୟେକ ଦିନ ପ୍ରାୟ ୫ କୋଟି ହିଟ କରାଯାଉଛି । ବନ୍ଧୁଗଣ, ଏକବିଂଶ ଶତାଦ୍ଦୀର ଆଜିର ଯୁବପିଢୀ ନିଜ ବ୍ୟବସ୍ଥା, ନିଜ ଦୁନିଆକୁ ନିଜ ଇଚ୍ଛା ଅନୁସାରେ ପ୍ରସ୍ତୁତ କରିବାକୁ ଚାହିୁଁଛି । ଏଥିପାଇଁ, ତାକୁ ବାହାର ଦୁନିଆ ସହ ପରିଚିତ ହେବାକୁ ପଡିବ, ତାକୁ ପୁରୁଣା ଶିକୁଳି ଓ ପଞ୍ଜୁରୀରୁ ମୁକ୍ତ ହେବାକୁ ପଡିବ । ଆପଣମାନେ ଦେଖନ୍ତୁ, ଆଜି ଛୋଟ ଛୋଟ ଗାଁ ଓ ଛୋଟ ଛୋଟ ସହରରୁ ଆସୁଥିବା ଯୁବାବର୍ଗ କି କି ଚମତ୍କାର କରୁଛନ୍ତି । ଏହିସବୁ ଦୂରଦୁରରାନ୍ତ ଅଂଚଳରୁ ଏବଂ ସାଧାରଣ ପରିବାରରୁ ଆସୁଥିବା ଯୁବା ଆଜି ଟୋକିଓ ଅଲିମ୍ପିକ୍ସରେ ତ୍ରିରଙ୍ଗାର ଗୌରବ ବୃଦ୍ଧି କରୁଛନ୍ତି, ଭାରତକୁ ନୂତନ ପରିଚୟ ଦେଉଛନ୍ତି । ଏହିଭଳି କୋଟି କୋଟି ଯୁବକ ଆଜି ବିଭିନ୍ନ କ୍ଷେତ୍ରରେ ଅସାଧାରଣ କାର୍ଯ୍ୟ କରୁଛନ୍ତି, ଅସାଧାରଣ ଲକ୍ଷ୍ୟର ଆଧାରଶୀଳା ସ୍ଥାପନ କରୁଛନ୍ତି । କିଏ କଳା ଓ ସଂସ୍କୃତି କ୍ଷେତ୍ରରେ ପୁରାତନ ଓ ଆଧୁନିକର ସମ୍ମିଶ୍ରଣରେ ନୂତନ ସାଧନର ସୃଷ୍ଟି କରୁଛନ୍ତି ତ ଆଉ କିଏ ରୋବୋଟିକ୍ସ କ୍ଷେତ୍ରରେ ଏକଦା ମନଗଢା ବୈଜ୍ଞାନିକ କାହାଣୀ ଭାବେ ବିବେଚନା କରାଯାଉଥିବା ପରିକଳ୍ପନାକୁ ବାସ୍ତବ ରୂପ ଦେଉଛନ୍ତି । କିଏ ଆର୍ଟିଫିସିଆଲ ଇଂଟେଲିଜେନ୍ସ କ୍ଷେତ୍ରରେ ମାନବୀୟ କ୍ଷମତାକୁ ନୂତନ ଶିଖରରେ ପହଂଚାଉଛନ୍ତି ତ ପୁଣି କିଏ ଯାନ୍ତ୍ରିକ ଶିକ୍ଷା କ୍ଷେତ୍ରରେ ନୂତନ ମାଇଲ ସ୍ତମ୍ଭର ପ୍ରସ୍ତୁତିରେ ଲାଗିଛନ୍ତି । ଏହି ଯୁବପିଢୀ ଭାରତର ଷ୍ଟାଟ ଅପ୍ ବାତାବରଣର ବୈପ୍ଳବୀକରଣ କରୁଛନ୍ତି, ଉଦ୍ୟୋଗ ୪.୦ରେ ଭାରତର ନେତୃତ୍ୱକୁ ବିକଶିତ କରୁଛନ୍ତି, ଏବଂ ଡିଜିଟାଲ ଇଣ୍ଡିଆକୁ ନୂଆ ଗତି ପ୍ରଦାନ କରୁଛନ୍ତି । ଆପଣମାନେ କଳ୍ପନା କରନ୍ତୁ, ଏହି ଯୁବ ପିଢୀକୁ ଯେତେବେଳେ ସେମାନଙ୍କ ସ୍ୱପ୍ନର ଅନୁରୂପ ବାତାବରଣ ମିଳିଯିବ ତାହାହେଲେ ସେମାନଙ୍କ ଶକ୍ତି କେତେ ମାତ୍ରାରେ ବୃଦ୍ଧି ପାଇବ । ଏବଂ ଏଥିପାଇଁ ‘ନୂତନ ଜାତୀୟ ଶିକ୍ଷା ନୀତି’ ଯୁବପିଢୀକୁ ଏହି ଭରସା ଦେଉଛି ଯେ ଦେଶ ଏବେ ପୂର୍ଣ୍ଣ ଭାବରେ ସେମାନଙ୍କ ସହିତ ରହିଛି, ସେମାନଙ୍କ ମନୋବଳ ସହିତ ରହିଛି । ଏବେ ଯେଉଁ ଆର୍ଟିଫିସିଆଲ ଇଂଟେଲିଜେନସ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି, ତାହା ମଧ୍ୟ ଆମ ଯୁବପିଢୀକୁ ଭବିଷ୍ୟୋନ୍ମୁଖୀ କରାଇବ, ଆର୍ଟିଫିସିଆଲ ଇଂଟେଲିଜେନ୍ସ ପରିଚାଳିତ ଅର୍ଥନୀତିର ପଥ ଉନ୍ମୁକ୍ତ କରିବ । ଶିକ୍ଷା କ୍ଷେତ୍ରରେ ଏହି ଡିଜିଟାଲ ବିପ୍ଳବ ସମଗ୍ର ଦେଶରେ ଏକ ସଙ୍ଗରେ ଆସିଯାଉ, ଗାଁଠାରୁ ସହର ସମାନ ଭାବରେ ଡିଜିଟାଲ ଶିକ୍ଷା ସହ ସାମିଲ ହେଉ, ଏହାର ମଧ୍ୟ ବିଶେଷ ଧ୍ୟାନ ରଖାଯାଇଛି । ଜାତୀୟ ଡିଜିଟାଲ ଶିକ୍ଷା ସ୍ଥାପତ୍ୟ ଅର୍ଥାତ୍ ଏନଡିଇଏଆର ଏବଂ ଜାତୀୟ ଶିକ୍ଷା ପ୍ରଯୁକ୍ତି ଫୋରମ – ଏନ୍‌ଇଟିଏଫ ଏହି ଦିଗରେ ସମଗ୍ର ଦେଶରେ ଡିଜିଟାଲ ଏବଂ ବୈଷୟିକ ଢାଂଚା ଉପଲବ୍ଧ କରାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଯୁବା ମନ ଯେଉଁ ଦିଗରେ ଚିନ୍ତା କରିବାକୁ ଚାହେଁ, ଖୋଲା ଆକାଶରେ ଯେଭଳି ଉଡିବାକୁ ଚାହେଁ, ଦେଶର ନୂତନ ଶିକ୍ଷା ବ୍ୟବସ୍ଥା ଠିକ୍ ସେହିଭଳି ସୁଯୋଗ ଉପଲବ୍ଧ କରାଇବ ।

 

ବନ୍ଧୁଗଣ,

ଗତ ଏକ ବର୍ଷ ମଧ୍ୟରେ ଆପଣ ନିଶ୍ଚିତ ଭାବରେ ଅନୁଭବ କରିଥିବେ ଯେ ଜାତୀୟ ଶିକ୍ଷା ନୀତିକୁ ସମସ୍ତ ପ୍ରକାରର ଚାପରୁ ମୁକ୍ତ ରଖାଯାଇଛି । ଯେଉଁ ଉନ୍ମୁକ୍ତତା ନୀତି ସ୍ତରରେ ରହିଛି, ସେହି ଉନ୍ମୁକ୍ତତା ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ବିକଳ୍ପରେ ମଧ୍ୟ ଉପଲବ୍ଧ କରାଯାଇଛି । ଏବେ ଛାତ୍ରଛାତ୍ରୀ କେତେ ପଢିବେ, କେତେ ସମୟ ପର୍ଯ୍ୟନ୍ତ ପଢିବେ, ଏହା କେବଳ ବୋର୍ଡ ଏବଂ ବିଶ୍ୱବିଦ୍ୟାଳୟଗୁଡିକ ନିର୍ଦ୍ଧାରଣ କରିବେ ନାହିଁ । ଏହି ନିଷ୍ପତିରେ ଛାତ୍ରଛାତ୍ରୀମାନଙ୍କର ମଧ୍ୟ ସହଭାଗିତା ରହିବ । ଏକାଧିକ ପ୍ରବେଶ ଓ ପ୍ରସ୍ଥାନର ଯେଉଁ ବ୍ୟବସ୍ଥା ଆଜି ଆରମ୍ଭ ହୋଇଛି, ତାହା ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ଶ୍ରେଣୀ ଏବଂ ଗୋଟିଏ ପାଠ୍ୟକ୍ରମ ସହ ବାଧ୍ୟତାମୂଳକ ଭାବେ ବାନ୍ଧି ହୋଇ ରହିବା ବିବଶତାରୁ ମୁକ୍ତ କରିଦେଇଛିି । ଆଧୁନିକ ପ୍ରଯୁକ୍ତିବିଦ୍ୟା ଆଧାରିତ ‘ଏକାଡେମିକ ଅଫ ବ୍ୟାଙ୍କ କ୍ରେଡିଟ’ ବ୍ୟବସ୍ଥା ଦ୍ୱାରା ଏ ଦିଗରେ ଛାତ୍ରଛାତ୍ରୀଙ୍କ ପାଇଁ ବୈପ୍ଳପବିକ ପରିବର୍ତନ ଆସିବାର ଅଛି । ଏବେ ପ୍ରତ୍ୟେକ ଯୁବା ନିଜ ରୁଚି ଅନୁସାରେ, ନିଜ ସୁବିଧା ଅନୁସାରେ ଯେ କୌଣସି ସମୟରେ ଗୋଟିଏ ଶାଖାକୁ ଚୟନ କରିପାରିବେ କିମ୍ବା ଛାଡି ପାରିବେ । ଏବେ କୌଣସି ପାଠ୍ୟକ୍ରମ ଚୟନ କରିବା ସମୟରେ ଏହି ଭୟ ମଧ୍ୟ ରହିବ ନାହିଁ ଯେ ଯଦି ଆମ ନିଷ୍ପତି ଭୁଲ ହୋଇଗଲା ତେବେ କ’ଣ ହେବ? ଏହିପରି, ‘ଅଧ୍ୟୟନ ସ୍ତରର ବିଶ୍ଳେଷଣ ପାଇଁ ସଂରଚନାତ୍ମକ ଆକଳନ ଅର୍ଥାତ ‘ସଫଳ’ ଜରିଆରେ ଛାତ୍ରଛାତ୍ରୀମାନଙ୍କ ଆକଳନର ମଧ୍ୟ ବୈଜ୍ଞାନିକ ବ୍ୟବସ୍ଥା ଆରମ୍ଭ ହୋଇ ସାରିଛି । ଏହି ବ୍ୟବସ୍ଥା ଭବିଷ୍ୟତରେ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷାର ଭୟରୁ ମଧ୍ୟ ମୁକ୍ତି ଦେବ । ଯେତେବେଳେ ଯୁବା ମାନସରୁ ଏହି ଭୟ ଦୂର ହୋଇଯିବ ସେତେବେଳେ ଯାଇ ନୂଆ ନୂଆ କୌଶଳ ଆପଣାଇବାର ସାହସ ଏବଂ ନୂଆ ନୂଆ ଅଭିନବତାର ଯୁଗ ଆରମ୍ଭ ହେବ, ସମ୍ଭାବନାର ଅସୀମ ବିସ୍ତାର ଘଟିବ । ଏଥିପାଇଁ ମୁଁ ପୁଣି ଥରେ କହିବି ଯେ ଆଜି ନୂତନ ଶିକ୍ଷା ନୀତି ମାଧ୍ୟମରେ ଯେଉଁ ନୂଆ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି, ସେଥିରେ ଭାରତର ଭାଗ୍ୟ ବଦଳାଇବାର ସାମର୍ଥ୍ୟ ରହିଛି ।

ବନ୍ଧୁଗଣ,

ମୁଁ-ଆପଣମାନେ ଦଶନ୍ଧି ଦଶନ୍ଧି ଧରି ଏହି ପରିବେଶ ଦେଖିଆସିଛୁ ଯେ ଯେତେବେଳେ ଭଲ ପାଠ ପଢିବା ପାଇଁ ବିଦେଶକୁ ହିଁ ଯିବାକୁ ପଡିବ ବୋଲି ବୁଝାଯାଉଥିଲା । କିନ୍ତୁ ଭଲ ପାଠପଢା ପାଇଁ ବିଦେଶରୁ ଛାତ୍ରଛାତ୍ରୀ ଭାରତ ଆସନ୍ତୁ , ଶ୍ରେଷ୍ଠ ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟ ଭାରତରେ ପହଂଚୁ, ଏସବୁ ଏବେ ଆମେ ଖୁବ ଶୀଘ୍ର ଦେଖିବାକୁ ଯାଉଛୁ । ଏହି ସୂଚନା ଅତ୍ୟନ୍ତ ଉତ୍ସାହଜନକ ଯେ ଦେଶର ଦେଢ ଶହରୁ ଅଧିକ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ବ୍ୟାପାର କାର୍ଯ୍ୟାଳୟ ସ୍ଥାପନ କରାଯାଇ ସାରିଛି । ଭାରତର ଉଚ୍ଚତର ଶିକ୍ଷା ପ୍ରତିଷ୍ଠାନଗୁଡିକ, ଅନ୍ତର୍ଜାତୀୟ ସ୍ତରରେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଆହୁରି ଆଗକୁ ବଢୁ, ଏଥିପାଇଁ ମଧ୍ୟ ଆଜି ନୂତନ ମାର୍ଗଦର୍ଶିକା ଜାରି କରାଯାଇଛି । 

ବନ୍ଧୁଗଣ,

ଆଜି ଆକାର ନେଉଥିବା ସମ୍ଭାବନାଗୁଡିକୁ ସାକାର କରିବା ପାଇଁ ଆମ ଯୁବପିଢୀକୁ ଦୁନିଆଠାରୁ ଗୋଟିଏ ପାଦ ଆଗରେ ରହିବାକୁ ପଡିବ, ଏକ ପାଦ ଆଗକୁ ଚିନ୍ତା କରିବାକୁ ହେବ । ସ୍ୱାସ୍ଥ୍ୟ ହେଉ, ପ୍ରତିରକ୍ଷା ହେଉ, ମୌଳିକ ଢାଂଚା ହେଉ, ପ୍ରଯୁକ୍ତି ହେଉ, ଦେଶକୁ ପ୍ରତ୍ୟେକ ଦିଗରେ ସକ୍ଷମ ଏବଂ ଆତ୍ମନିର୍ଭର ହେବାକୁ ପଡିବ । ‘ଆତ୍ମନିର୍ଭର ଭାରତ’ର ଏହି ପଥ କୌଶଳ ବିକାଶ ଏବଂ ପ୍ରଯୁକ୍ତି ବାଟ ଦେଇ ଅଗ୍ରସର ହେଉଛି । ଯାହା ଉପରେ ଏନଇପିରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ମୁଁ ଖୁସି ଯେ ଗତ ୧ ବର୍ଷ ମଧ୍ୟରେ ୧୨୦୦ରୁ ଅଧିକ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ କୌଶଳ ବିକାଶ ସହ ସଂଶ୍ଳିଷ୍ଟ ଶହ ଶହ ନୂଆ ପାଠ୍ୟକ୍ରମକୁ ମଞ୍ଜୁରି ପ୍ରଦାନ କରାଯାଇଛି ।

ବନ୍ଧୁଗଣ,

ଶିକ୍ଷା ବିଷୟରେ ପୂଜ୍ୟ ବାପୁଜୀ ମହାତ୍ମାଗାନ୍ଧୀ କହୁଥିଲେ – “ରାଷ୍ଟ୍ରୀୟ ଶିକ୍ଷାକୁ ବାସ୍ତବ ଅର୍ଥରେ ରାଷ୍ଟ୍ରୀୟ ହେବା ପାଇଁ ରାଷ୍ଟ୍ରୀୟ ପରିସ୍ଥିତିକୁ ପ୍ରତିଫଳିତ କରିବାକୁ ପଡିବ ।’ ବାପୁଙ୍କ ଏହି ଦୂରଦର୍ଶୀ ଚିନ୍ତାଧାରାକୁ ସଫଳ କରିବା ପାଇଁ ସ୍ଥାନୀୟ ଭାଷାରେ, ମାତୃଭାଷାରେ ଶିକ୍ଷାର ବିଚାର ଏନଇପିରେ ରଖାଯାଇଛି । ଏବେ ଉଚ୍ଚତର ଶିକ୍ଷାରେ ‘ଅନୁଦେଶର ମାଧ୍ୟମ’ ନିମନ୍ତେ ସ୍ଥାନୀୟ ଭାଷା ମଧ୍ୟ ଏକ ବିକଳ୍ପ ହେବ । ମୁଁ ଆନନ୍ଦିତ ଯେ, ୮ଟି ରାଜ୍ୟର ୧୪ଟି ଇଞ୍ଜିନିୟରିଂ କଲେଜ, ୫ଟି ଭାରତୀୟ ଭାଷା – ହିନ୍ଦୀ, ତାମିଲ୍‌, ତେଲୁଗୁ, ମରାଠି ଏବଂ ବଙ୍ଗଳାରେ ଇଞ୍ଜିନିୟରିଂ ପାଠପଢା ଆରମ୍ଭ କରିବାକୁ ଯାଉଛନ୍ତି । ଇଞ୍ଜିନିୟରିଂ ପାଠ୍ୟକ୍ରମର ୧୧ଟି ଭାରତୀୟ ଭାଷାରେ ଅନୁବାଦ ନିମନ୍ତେ ଏକ ବ୍ୟବସ୍ଥା ମଧ୍ୟ ଉପଲବଧ କରାଯାଇ ସାରିଛି । ପ୍ରାନ୍ତୀୟ ଭାଷାରେ ନିଜର ପାଠପଢା ଆରମ୍ଭ କରିବାକୁ ଯାଉଥିବା ଛାତ୍ରଛାତ୍ରୀମାନଙ୍କୁ ମୁଁ ବିଶେଷଭାବେ ଅଭିନନ୍ଦନ ଜଣାଇବାକୁ ଚାହୁଁଛି । ଏହାର ସବୁଠାରୁ ବଡ ଲାଭ ଦେଶର ଗରିବ ବର୍ଗକୁ, ଗାଁ ଓ ଛୋଟ ଛୋଟ ସହରରେ ରହୁଥିବା ମଧ୍ୟମ ବର୍ଗର ଛାତ୍ରଛାତ୍ରୀଙ୍କୁ, ଦଳିତ-ପଛୁଆ ଏବଂ ଆଦିବାସୀ ଭାଇ ଭଉଣୀମାନଙ୍କୁ ମିଳିବ । ଏହିସବୁ ପରିବାରରୁ ଆସିଥିବା ପିଲାମାନଙ୍କୁ ସବୁଠାରୁ ଅଧିକ ଭାଷା ବିଭାଜନର ସମ୍ମୁଖୀନ ହେବାକୁ ପଡୁଥିଲା, ସବୁଠାରୁ ଅଧିକ କ୍ଷତି ଏହି ପରିବାରଗୁଡିକାର ପ୍ରତିଭାବାନ୍ ପିଲାମାନଙ୍କୁ ସହିବାକୁ ପଡୁଥିଲା । ମାତୃଭାଷାରେ ପାଠପଢିବା ଦ୍ୱାରା ଗରିବ ପିଲାମାନଙ୍କ ଆତ୍ମବିଶ୍ୱାସରେ ବୃଦ୍ଧି ଘଟିବ, ସେମାନଙ୍କ ସାମର୍ଥ୍ୟ ଓ ପ୍ରତିଭାକୁ ନ୍ୟାୟ ମିଳିପାରିବ ।

ବନ୍ଧୁଗଣ,

ପ୍ରାଥମିକ ଶିକ୍ଷାରେ ମଧ୍ୟ ମାତୃଭାଷାକୁ ପ୍ରୋତ୍ସାହିତ କରିବା କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଆଜି ଯେଉଁ ‘ବିଦ୍ୟା ପ୍ରବେଶ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି, ତାହାର ମଧ୍ୟ ଏଥିରେ ବହୁତ ବଡ ଭୂମିକା ରହିଛି । ପ୍ଲେ ସ୍କୁଲର ଯେଉଁ ପରିକଳ୍ପନା ଆଜି ଯାଏ ବଡ ସହର ପର୍ଯ୍ୟନ୍ତ ସିମୀତ ରହିଛି, ‘ବିଦ୍ୟା ପ୍ରବେଶ’ ମାଧ୍ୟମରେ ତାହା ଏବେ ଦୂରଦୂରାନ୍ତରେ ଥିବା ବିଦ୍ୟାଳୟଗୁଡିକ ପର୍ଯ୍ୟନ୍ତ ପହଂଚିବ । ଗାଁ-ଗାଁରେ ବି ପହଂଚିବ । ଏହି କାର୍ଯ୍ୟକ୍ରମ ଭବିଷ୍ୟତରେ ସାର୍ବଜନିନ କାର୍ଯ୍ୟକ୍ରମ ଭାବରେ କାର୍ଯ୍ୟକାରୀ ହେବ, ଏବଂ ରାଜ୍ୟଗୁଡିକ ମଧ୍ୟ ନିଜ ନିଜର ଆବଶ୍ୟକତା ଅନୁଯାୟୀ ଏହାକୁ କାର୍ଯ୍ୟକାରୀ କରିବେ । ଅର୍ଥାତ୍‌, ଦେଶର ଯେକୌଣସି ଭାଗରେ ପିଲା ଧନୀର ହେଉ ଅବା ଗରିବର, ହସି ଖେଳି ଯେପରି ସିଏ ପାଠ ପଢିବ ଏବଂ ଏହା ସହଜରେ ହେବ, ଏହି ଦିଗରେ ପ୍ରୟାସ କରାଯିବ । ଏବଂ ଯେତେବେଳେ ହାସ୍ୟ ସହ ଏହାର ପ୍ରାରମ୍ଭ ହେବ ତାହାହେଲେ ଆଗକୁ ସଫଳତାର ମାର୍ଗ ମଧ୍ୟ ସହଜରେ ଅତିକ୍ରମ କରାଯାଇ ପାରିବ । 

ବନ୍ଧୁଗଣ,

ଆଜି ଆଉ ଏକ କାର୍ଯ୍ୟ ହୋଇଛି, ଯାହା ମୋ ହୃଦୟର ଅତି ନିବିଡ, ଅତ୍ୟନ୍ତ ସମ୍ବେଦନଶୀଳ ମଧ୍ୟ । ଆଜି ଦେଶରେ ଏଭଳି ୩ ଲକ୍ଷରୁ ଅଧିକ ପିଲା ଅଛନ୍ତି, ଯେଉଁମାନଙ୍କୁ ଶିକ୍ଷା ପାଇଁ ସାଙ୍କେତିକ ଭାଷାର ଆବଶ୍ୟକ ପଡିଥାଏ । ଏହାକୁ ହୃଦୟଙ୍ଗମ କରି ଭାରତୀୟ ସାଙ୍କେତିକ ଭାଷାକୁ ପ୍ରଥମ ଥର ପାଇଁ ଏକ ଭାଷା ବିଷୟ ଅର୍ଥାତ୍ ଏକ ବିଷୟବସ୍ତୁର ମାନ୍ୟତା ପ୍ରଦାନ କରାଯାଇଛି । ଏବେ ଛାତ୍ରଛାତ୍ରୀମାନେ ଏହାକୁ ଏକ ଭାଷା ଭାବରେ ମଧ୍ୟ ପଢିପାରିବେ । ଏହାଦ୍ୱାରା ଭାରତୀୟ ସାଙ୍କେତିକ ଭାଷାକୁ ଅନେକ ପ୍ରୋତ୍ସାହନ ମିଳିବ, ଆମର ଦିବ୍ୟାଙ୍ଗ ବନ୍ଧୁମାନଙ୍କୁ ବହୁତ ସହାୟତା ମିଳିପାରିବ ।

ବନ୍ଧୁଗଣ,

ଆପଣମାନେ ମଧ୍ୟ ଜାଣିଛନ୍ତି ଯେ, କୌଣସି ଛାତ୍ରର ସମ୍ପୁର୍ଣ୍ଣ ଅଧ୍ୟୟନ କାଳରେ, ତାର ଜୀବନରେ ସବୁଠାରୁ ବଡ ପ୍ରେରଣା ହେଉଛନ୍ତି ତାର ଅଧ୍ୟାପକ । ଆମର ଏଠି କୁହାଯାଇଛି-

ଗୁରୁ ନ ପ୍ରାପ୍ୟତେ ୟତ୍ ତତ୍‌,

ନ ଅନ୍ୟ ଅତ୍ରାପି ଲଭ୍ୟତେ ।

ଅର୍ଥାତ୍‌, ଯାହା ଗୁରୁଙ୍କ ନିକଟରୁ ପ୍ରାପ୍ତ ହୋଇପାରିବ ନାହିଁ ତାହା ଅନ୍ୟ କେଉଁଠାରୁ ମଧ୍ୟ ହାସଲ ହୋଇପାରିବ ନାହିଁ । ଏହାର ଅର୍ଥ ହେଉଛି, ଏଭଳି କିଛି ମଧ୍ୟ ନାହିଁ ଯାହା ଜଣେ ଉତମ ଗୁରୁ, ଉତମ ଶିକ୍ଷକ ମିଳିଯିବା ପରେ ଦୁର୍ଲଭ ହୋଇ ରହେ । ଏଥିପାଇଁ ଜାତୀୟ ଶିକ୍ଷା ନୀତିର ଗଠନଠାରୁ ନେଇ କାର୍ଯ୍ୟକାରିତା ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଆମ ଶିକ୍ଷକମାନେ ସକ୍ରିୟ ଭାବେ ଏହି ଅଭିଯାନର ଅଂଶ ହୋଇ ରହିଛନ୍ତି । ଆଜି ନିଷ୍ଠା ୨.୦ର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ମଧ୍ୟ ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ଶିକ୍ଷକମାନଙ୍କୁ ଆଧୁନିକ ଆବଶ୍ୟକତା ମୁତାବକ ପ୍ରଶିକ୍ଷଣ ମଧ୍ୟ ମିଳିବ । ଏବଂ ସେମାନେ ନିଜର ମତାମତ ମଧ୍ୟ ବିଭାଗକୁ ଦେଇପାରିବେ । ମୋର ଆପଣ ସମସ୍ତ ଶିକ୍ଷକମାନଙ୍କୁ, ବିଦ୍ୱାନମାନଙ୍କୁ ଅନୁରୋଧ ଯେ ଏହିସବୁ ପ୍ରୟାସରେ ଆଗଭର ହୋଇ ଭାଗ ନିଅନ୍ତୁ, ଅଧିକରୁ ଅଧିକ ସଂଖ୍ୟାରେ ଅଂଶଗ୍ରହଣ କରନ୍ତୁ । ଆପଣ ସମସ୍ତେ ଶିକ୍ଷା କ୍ଷେତ୍ରରେ ଏତେ ଅନୁଭବ ରଖିଛନ୍ତି, ବ୍ୟାପକଭାବେ ଅନୁଭବସମ୍ପନ୍ନ ଅଟନ୍ତି । ଏଥିପାଇଁ ଯେତେବେଳେ ଆପଣମାନେ ପ୍ରୟାସ କରିବେ ସେତେବେଳେ ଆପଣମାନଙ୍କର ଏହି ପ୍ରୟାସ ରାଷ୍ଟ୍ରକୁ ବହୁତ ଆଗକୁ ନେଇଯିବ । ମୁଁ ବିଶ୍ୱାସ କରୁଛି ଯେ, ଏହି କାଳଖଣ୍ଡରେ ଆମେ ଯିଏ ଯେପରି ଭୂମିକାରେ ଅଛନ୍ତି, ଆମେ ସମସ୍ତେ ସୌଭାଗ୍ୟଶାଳୀ ଯେ ଏତେ ବଡ ପରିବର୍ତନର ଆମେ ସାକ୍ଷୀ ହେଉଛୁ, ଏହି ପରିବର୍ତନରେ ସକ୍ରିୟ ଭୂମିକା ନିର୍ବାହ କରୁଛୁ । ଆପଣମାନଙ୍କ ଜୀବନରେ ଏହି ସ୍ୱର୍ଣ୍ଣିମ ଅବସର ଉପନୀତ ହୋଇଛି ଯେ ଆପଣମାନେ ଦେଶର ଭବିଷ୍ୟତ ନିର୍ମାଣ କରିବେ, ଭବିଷ୍ୟତର ରୂପରେଖ ନିଜ ହାତରେ ଗଢିବେ । ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଯେ, ଆଗମୀ ଦିନରେ, ଯେଭଳି ଯେଭଳି ନୂତନ ‘ଜାତୀୟ ଶିକ୍ଷା ନୀତି’ର ଭିନ୍ନ ଭିନ୍ନ ବୈଶିଷ୍ଟ୍ୟ ବାସ୍ତବରେ ପରିଣତ ହେବ, ସେଭଳି ସେଭଳି ଆମ ଦେଶ ଏକ ନୂଆ ଯୁଗକୁ ଭେଟିବ । ଯେପରି ଯେପରି ଆମେ ନିଜର ଯୁବପିଢୀକୁ ଏକ ଆଧୁନିକ ଏବଂ ଜାତୀୟ ଶିକ୍ଷା ବ୍ୟବସ୍ଥା ସହ ଯୋଡି ଚାଲିବା, ଦେଶ ସ୍ୱାଧୀନତାର ଅମୃତ ସଙ୍କଳ୍ପଗୁଡିକୁ ହାସଲ କରିଚାଲିବ । ଏହି ଶୁଭକାମନା ସହିତ ମୁଁ ମୋର ଭାଷଣ ସମାପ୍ତ କରୁଛି । ଆପଣମାନେ ସମସ୍ତେ ସୁସ୍ଥ ରୁହନ୍ତୁ, ଏବଂ ନୂଆ ଶକ୍ତିର ସହ ଆଗକୁ ବଢନ୍ତୁ । ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Made in India’ phones go global: Smartphone exports jump 165 times to Rs 2.59 lakh crore

Media Coverage

‘Made in India’ phones go global: Smartphone exports jump 165 times to Rs 2.59 lakh crore
NM on the go

Nm on the go

Always be the first to hear from the PM. Get the App Now!
...
Prime Minister reviews flood situation in Arunachal Pradesh and Nagaland with MPs from the two states
July 30, 2026

The Prime Minister, Shri Narendra Modi, met Members of Parliament from Arunachal Pradesh and Nagaland and discussed the situation in the two states in the wake of the floods.

Shri Modi said that the Central Government will continue working with the respective state Governments to address the challenges arising from the floods.

The Prime Minister prayed for everyone’s well-being and safety.

In a post on X, Shri Modi said;

“Had a meeting with MPs from Arunachal Pradesh and Nagaland. We talked about the situation in these states in the wake of floods there. The Central Government will keep working with the respective state Governments to address the challenges. Praying for everyone’s wellbeing and safety.”