ଗତ ଦଶନ୍ଧି ମଧ୍ୟରେ, ଭାରତର ବିମାନ ଚଳାଚଳ କ୍ଷେତ୍ର ଏକ ଐତିହାସିକ ପରିବର୍ତ୍ତନ ଦେଇ ଗତି କରିଛି, ଏକ ସ୍ୱତନ୍ତ୍ର କ୍ଲବରୁ ବିଶ୍ୱର ତୃତୀୟ ସର୍ବବୃହତ ଘରୋଇ ବିମାନ ପରିବହନ ବଜାରରେ ପରିଣତ ହୋଇଛି : ପ୍ରଧାନମନ୍ତ୍ରୀ
ଭାରତର ବିମାନ ଚଳାଚଳ କ୍ଷେତ୍ରର ଅଭିବୃଦ୍ଧି ସରକାରଙ୍କ ଦୀର୍ଘକାଳୀନ ଦୃଷ୍ଟିକୋଣର ଫଳାଫଳ, ଯାହା ପ୍ରତ୍ୟେକ ନାଗରିକଙ୍କୁ ସହଜରେ ବିମାନ ଯାତ୍ରା କରିବାକୁ ସକ୍ଷମ କରିବା ଲକ୍ଷ୍ୟ ସହିତ ବିମାନ ଯାତ୍ରାକୁ ସମାବେଶୀ କରିଛି : ପ୍ରଧାନମନ୍ତ୍ରୀ
ସରକାର ସାରା ଦେଶରେ ଆଞ୍ଚଳିକ ଏବଂ ସୁଲଭ ବିମାନ ସଂଯୋଗ ସହ ସମୁଦ୍ର-ବିମାନ ପରିଚାଳନାକୁ ବିସ୍ତାର କରିବା ପାଇଁ ଉଡାଣ ଯୋଜନାର ପରବର୍ତ୍ତୀ ପର୍ଯ୍ୟାୟ ଉପରେ କାର୍ଯ୍ୟ କରୁଛନ୍ତି : ପ୍ରଧାନମନ୍ତ୍ରୀ
ଭାରତ ଘରୋଇ ସ୍ତରରେ ସାମରିକ ଏବଂ ପରିବହନ ବିମାନ ଉତ୍ପାଦନ ଆରମ୍ଭ କରି ବେସାମରିକ ବିମାନ ନିର୍ମାଣରେ ମଧ୍ୟ ଆଗକୁ ବଢ଼ୁଛି : ପ୍ରଧାନମନ୍ତ୍ରୀ
ଭାରତ ଦକ୍ଷିଣ ବିଶ୍ୱ ଏବଂ ବିଶ୍ୱ ମଧ୍ୟରେ ଏକ ପ୍ରମୁଖ ବିମାନ ଚଳାଚଳ ପ୍ରବେଶ ପଥ ଭାବରେ ଉଭା ହେଉଛି : ପ୍ରଧାନମନ୍ତ୍ରୀ

ପ୍ରରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲଙ୍ଗାନାର ହାଇଦ୍ରାବାଦରେ ୱିଙ୍ଗସ୍ ଇଣ୍ଡିଆ ୨୦୨୬ କାର୍ଯ୍ୟକ୍ରମରେ ଏକ ସମାବେଶକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତୁ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉଦ୍ୟୋଗ କ୍ଷେତ୍ରର ଅଗ୍ରଣୀ ବିଶେଷଜ୍ଞ ଏବଂ ନିବେଶକମାନଙ୍କୁ ସ୍ୱାଗତ କରି କହିଥିଲେ ଯେ, ବିମାନ ଶିଳ୍ପର ପରବର୍ତ୍ତୀ ଯୁଗ ଆକାଂକ୍ଷାରେ ପରିପୂର୍ଣ୍ଣ ଏବଂ ଭାରତ ଏକ ପ୍ରମୁଖ ଖେଳାଳି ଭାବରେ ମୁଣ୍ଡ ଟେକିବାରେ ଲାଗିଛି। ସେ ବିମାନ ନିର୍ମାଣ, ପାଇଲଟ୍ ତାଲିମ, ଉନ୍ନତ ବିମାନ ଗତିଶୀଳତା ଏବଂ ବିମାନ ଲିଜ୍ କ୍ଷେତ୍ରରେ ଭାରତ ପ୍ରଦାନ କରୁଥିବା ବିପୁଳ ସୁଯୋଗ ଉପରେ ଆଲୋକପାତ କରିଥିଲେ। ସମସ୍ତ ଅଂଶୀଦାରଙ୍କ ପାଇଁ ୱିଙ୍ଗସ୍ ଇଣ୍ଡିଆ ସମ୍ମିଳନୀର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଗତ ଦଶନ୍ଧି ମଧ୍ୟରେ ଭାରତର ବିମାନ ଚଳାଚଳ କ୍ଷେତ୍ରରେ ଏକ ଐତିହାସିକ ପରିବର୍ତ୍ତନ ଆସିଛି ବୋଲି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ। ସେ ମନେପକାଇ ଥିଲେ ଯେ, ବିମାନ ଯାତ୍ରା କିପରି ପୂର୍ବରୁ ଏକ ସ୍ୱତନ୍ତ୍ର କ୍ଲବ ମଧ୍ୟରେ ସୀମିତ ଥିଲା , କିନ୍ତୁ ଆଜି ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଘରୋଇ ବିମାନ ଚଳାଚଳ ବଜାରରେ ପରିଣତ ହୋଇଛି। ଯାତ୍ରୀ ପରିବହନ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ଭାରତୀୟ ବିମାନ କମ୍ପାନୀଗୁଡ଼ିକ ସେମାନଙ୍କର ବିମାନ ଉଡାଣକୁ ବିସ୍ତାର କରୁଛନ୍ତି, ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ୧,୫୦୦ ରୁ ଅଧିକ ବିମାନ ଅର୍ଡର କରାଯାଇଛି।
ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ସରକାରଙ୍କ ଦୀର୍ଘକାଳୀନ ଦୃଷ୍ଟିକୋଣ ଯୋଗୁଁ ଏହି ଅଭିବୃଦ୍ଧି ସମ୍ଭବ ହୋଇପାରିଛି, ଯାହା ପ୍ରତ୍ୟେକ ନାଗରିକଙ୍କୁ ସହଜରେ ବିମାନରେ ଯାତ୍ରା କରିବାକୁ ସକ୍ଷମ କରିବା ଲକ୍ଷ୍ୟ ସହିତ ବିମାନ ଯାତ୍ରାକୁ ସ୍ୱତନ୍ତ୍ର ନକରି ସମାବେଶୀ କରିଥାଏ। ଟାୟର - ୨ ଏବଂ ଟାୟର - ୩ ସହରଗୁଡ଼ିକୁ ବିମାନବନ୍ଦର ସହିତ ସଂଯୋଗ କରାଯାଇଛି। ୨୦୧୪ ମସିହାରେ ଭାରତରେ ୭୦ ଟି ବିମାନବନ୍ଦର ଥିଲା, ଯେତେବେଳେ କି ଆଜି ଏହି ସଂଖ୍ୟା ୧୬୦ରୁ ଅଧିକ ହୋଇଛି। ଅର୍ଥାତ୍ ଦେଶ ମାତ୍ର ଏକ ଦଶନ୍ଧି ମଧ୍ୟରେ ଦୁଇଗୁଣ ଅଧିକ ବିମାନବନ୍ଦର ନିର୍ମାଣ କରିଛି ବୋଲି ସେ କହିଥିଲେ। ୧୦୦ ରୁ ଅଧିକ ବିମାନଘାଟିକୁ ସକ୍ରିୟ କରାଯାଇଛି ଏବଂ ଏହା ସହିତ, ସରକାର ସୁଲଭ ଭଡ଼ା ଉଦ୍ଦେଶ୍ୟରେ ଉଡାଣ ଯୋଜନା ଆରମ୍ଭ କରିଛନ୍ତି। ଉଡାଣ ଯୋଜନା ଫଳରେ, ୧.୫ କୋଟି ଯାତ୍ରୀ - ପ୍ରାୟ ଦେଢ଼ କୋଟି - ରୁଟରେ ଯାତ୍ରା କରିଛନ୍ତି , ଯାହା ମଧ୍ୟରୁ ଅନେକ ପୂର୍ବରୁ ନଥିଲା।
ଭାରତ ଏକ ବିକଶିତ ରାଷ୍ଟ୍ର ହେବା ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେବା ସହିତ, ଏହାର ବିମାନ ସଂଯୋଗର ବ୍ୟାପକତା ନିଶ୍ଚିତ ଭାବରେ ବହୁ ଗୁଣ ବୃଦ୍ଧି ପାଇବ। ୨୦୪୭ ସୁଦ୍ଧା ଭାରତରେ ୪୦୦ ରୁ ଅଧିକ ବିମାନବନ୍ଦର ରହିବ ଏବଂ ଏକ ବିଶାଳ ନେଟୱାର୍କ ସୃଷ୍ଟି ହେବ। ସରକାର ଉଡାଣ ଯୋଜନାର ପରବର୍ତ୍ତୀ ପର୍ଯ୍ୟାୟ ଉପରେ କାର୍ଯ୍ୟ କରୁଛନ୍ତି। ଏହା ଦେଶର ପ୍ରତ୍ୟେକ କୋଣରେ ସଂଯୋଗକୁ ଉନ୍ନତ କରିବା ଲକ୍ଷ୍ୟରେ ସମୁଦ୍ର-ବିମାନ ପରିଚାଳନାର ବ୍ୟାପକତା ସହିତ ଆଞ୍ଚଳିକ ଏବଂ ସୁଲଭ ବିମାନ ସଂଯୋଗକୁ ଆହୁରି ମଜବୁତ କରିବ।
ସରକାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ଉପରେ ମଧ୍ୟ ଦୃଢ଼ ଧ୍ୟାନ ଦେଉଛନ୍ତି ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଦେଶବ୍ୟାପୀ ପର୍ଯ୍ୟଟନ ସ୍ଥଳଗୁଡ଼ିକର ବିକାଶ କାର୍ଯ୍ୟ କରାଯାଉଛି। ଏବେ ବହୁ ସଂଖ୍ୟକ ଲୋକ ବିମାନରେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି। ଆଗାମୀ ବର୍ଷଗୁଡ଼ିକରେ ବିମାନ ଯାତ୍ରାର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଇବ, ଯାହା ନିବେଶ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବ।
ଭାରତ ଏକ ପ୍ରମୁଖ ବିଶ୍ୱ ବିମାନ ଚଳାଚଳ କେନ୍ଦ୍ର ଭାବରେ ମୁଣ୍ଡ ଟେକୁଥିବାରୁ, ବିମାନ ଚଳାଚଳ ଆବଶ୍ୟକତା ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ଆତ୍ମନିର୍ଭରଶୀଳତାର ପଥକୁ ସୁଦୃଢ଼ କରିବା ଅତ୍ୟନ୍ତ ଜରୁରୀ। ଏହା ଭାରତରେ ନିବେଶ କରୁଥିବା କମ୍ପାନୀଗୁଡ଼ିକୁ ମଧ୍ୟ ଲାଭବାନ କରିବ ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ। ଭାରତ ବିମାନ ଡିଜାଇନ୍, ନିର୍ମାଣ ଏବଂ ବିମାନ ଏମଆରଓ ଇକୋସିଷ୍ଟମ ଉପରେ ବହୁତ ଗୁରୁତ୍ୱ ଦେଉଛି। ଭାରତ ପୂର୍ବରୁ ବିମାନରେ ବ୍ୟବହୃତ ହେଉଥିବା  ଅଂଶବିଶେଷର ଏକ ପ୍ରମୁଖ ନିର୍ମାତା ଏବଂ ଯୋଗାଣକାରୀ ଭାବେ ଜଣାଶୁଣା। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଭାରତ ଘରୋଇ ସ୍ତରରେ ସାମରିକ ଏବଂ ପରିବହନ ବିମାନ ଉତ୍ପାଦନ ଆରମ୍ଭ କରିଛି ଏବଂ ବେସାମରିକ ବିମାନ ନିର୍ମାଣରେ ମଧ୍ୟ ଆଗକୁ ବଢ଼ୁଛି। ସେ ଭାରତର ସୁବିଧାଗୁଡ଼ିକ ସମ୍ପର୍କରେ ଉଲ୍ଲେଖ କରିଥିଲେ, ଯେଉଁଥିରେ ବିଶ୍ୱ ବିମାନ ଚଳାଚଳ କ୍ଷେତ୍ରରେ ଏହାର ଭୌଗୋଳିକ ସ୍ଥିତି, ଅତୁଳନୀୟ ଘରୋଇ ଫିଡର ନେଟୱାର୍କ ଏବଂ ଭବିଷ୍ୟତରେ ଲଙ୍ଗ – ହଲ ଫ୍ଲିଟର ପ୍ରସାର ଅନ୍ତର୍ଭୁକ୍ତ, ଯାହା ଏକ ମହାନ ଶକ୍ତି ସୃଷ୍ଟି କରେ।
ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ ସେହି ଦିନ ଦୂର ନାହିଁ ଯେତେବେଳେ ଭାରତରେ ଡିଜାଇନ୍ ଏବଂ ନିର୍ମିତ ହୋଇଥିବା ବୈଦ୍ୟୁତିକ ଭୂଲମ୍ବ ଉଡ଼ାଣ ଏବଂ ଅବତରଣ କରୁଥିବା ବିମାନ ଏହି କ୍ଷେତ୍ରକୁ ଏକ ନୂତନ ଦିଗଦର୍ଶନ ଦେବ। ଏହା ଯାତ୍ରା ସମୟକୁ ମଧ୍ୟ ଯଥେଷ୍ଟ ହ୍ରାସ କରିବ। ଭାରତ ସ୍ଥାୟୀ ବିମାନ ଇନ୍ଧନ ଉପରେ ବ୍ୟାପକ ଭାବରେ କାର୍ଯ୍ୟ କରୁଛି ଏବଂ ଆଗାମୀ ବର୍ଷଗୁଡ଼ିକରେ ସବୁଜ ବିମାନ ଇନ୍ଧନର ଏକ ପ୍ରମୁଖ ଉତ୍ପାଦକ ଏବଂ ରପ୍ତାନିକାରୀ ହେବାକୁ ପ୍ରସ୍ତୁତ ହେଉଛି।
ଭାରତ ବିମାନ ଚଳାଚଳ କ୍ଷେତ୍ରରେ ଅନେକ ସଂସ୍କାରମୂଳକ ପଦକ୍ଷେପ ନେଉଛି ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଥିଲେ ଯେ ଏହାର ଫଳସ୍ୱରୂପ, ଦେଶ ବିଶ୍ୱ ଦକ୍ଷିଣ ଏବଂ ବିଶ୍ୱ ମଧ୍ୟରେ ଏକ ପ୍ରମୁଖ ବିମାନ ଚଳାଚଳ ପ୍ରବେଶ ପଥ ଭାବରେ ମୁଣ୍ଡ ଟେକୁଛି। ଏହା ବିମାନ ଚଳାଚଳ ଶିଳ୍ପ ସହିତ ଜଡିତ ନିବେଶକ ଏବଂ ନିର୍ମାତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରେ।
ଭାରତ ବିଭିନ୍ନ ଅଞ୍ଚଳ ଏବଂ ବଜାରକୁ ସଂଯୋଗ କରୁଛି, ସହରଗୁଡ଼ିକୁ ପରିବହନର ବିଭିନ୍ନ ପଦ୍ଧତି ମାଧ୍ୟମରେ ବନ୍ଦର ସହିତ ଯୋଡାଯାଉଛି। ଭାରତର ବିମାନ ଚଳାଚଳ ଦୃଷ୍ଟିକୋଣ ସମାନ ଭାବରେ ଏୟାର କାର୍ଗୋ ଉପରେ କେନ୍ଦ୍ରିତ। ସରକାର କାର୍ଗୋ ପରିବହନକୁ ଦ୍ରୁତ ଏବଂ ଅଧିକ ଦକ୍ଷ କରିବା ପାଇଁ ସମସ୍ତ ଆବଶ୍ୟକୀୟ ନିୟାମକ ସଂସ୍କାର ଉପରେ କାର୍ଯ୍ୟ କରୁଛନ୍ତି। ଡିଜିଟାଲ୍ କାର୍ଗୋ ପ୍ଲାଟଫର୍ମଗୁଡ଼ିକ ସମଗ୍ର ପ୍ରକ୍ରିୟାକୁ ସରଳ ଏବଂ ସ୍ୱଚ୍ଛ କରୁଛି, ଏବଂ ବିମାନବନ୍ଦର ବାହାରେ ପ୍ରକ୍ରିୟାକରଣ ବ୍ୟବସ୍ଥା ବିମାନବନ୍ଦର ଉପରେ ଭାର ହ୍ରାସ କରୁଛି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, କାର୍ଗୋ ପରିଚାଳନାକୁ ଉନ୍ନତ ଏବଂ ତ୍ୱରାନ୍ୱିତ କରିବା ପାଇଁ ଆଧୁନିକ ଗୋଦାମ ନିର୍ମାଣ କରାଯାଉଛି, ଯାହା ଭବିଷ୍ୟତରେ ବିତରଣ ସମୟ ଏବଂ ଲଜିଷ୍ଟିକ୍ସ ଖର୍ଚ୍ଚ ଉଭୟକୁ ହ୍ରାସ କରିବ। ଭାରତ ଏକ ପ୍ରମୁଖ ଏବଂ ପ୍ରତିଯୋଗିତାମୂଳକ ଟ୍ରାନ୍ସ-ସିପମେଣ୍ଟ ହବ୍ ଭାବରେ ଉଭା ହେବାକୁ ଯାଉଛି । ନିବେଶକମାନଙ୍କୁ ଗୋଦାମ, ମାଲ ପରିବହନ, ଏକ୍ସପ୍ରେସ୍ ଲଜିଷ୍ଟିକ୍ସ ଏବଂ ଇ-କମର୍ସ କ୍ଷେତ୍ରରେ ସୁଯୋଗ ଅନୁସନ୍ଧାନ କରିବାକୁ ସେ ଅନୁରୋଧ କରିଥିଲେ।
ଆଜି ବିମାନ ଚଳାଚଳ ଶିଳ୍ପ ପାଇଁ ଏତେ ବ୍ୟାପକତା, ନୀତିଗତ ସ୍ଥିରତା ଏବଂ ପ୍ରଯୁକ୍ତିଭିତ୍ତିକ ମହତ୍ତ୍ୱାକାଂକ୍ଷା ଭାରତ ଭଳି ବିଶ୍ଵର ମାତ୍ର ଆଉ କିଛି ଦେଶ ପାଖରେ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ପ୍ରତ୍ୟେକ ଦେଶ, ପ୍ରତ୍ୟେକ ଶିଳ୍ପ ନେତୃତ୍ଵ ଏବଂ ପ୍ରତ୍ୟେକ ଉଦ୍ଭାବକଙ୍କୁ ଏହି ସୁବର୍ଣ୍ଣ ସୁଯୋଗର ପୂର୍ଣ୍ଣ ଲାଭ ଉଠାଇବାକୁ ଆହ୍ୱାନ କରିଥିଲେ। ଶ୍ରୀ ମୋଦୀ ସେମାନଙ୍କୁ ଭାରତର ବିକାଶ ଯାତ୍ରାରେ ଦୀର୍ଘକାଳୀନ ଅଂଶୀଦାର ହେବାକୁ ଏବଂ ବିଶ୍ୱ ବିମାନ ଚଳାଚଳ କ୍ଷେତ୍ରର ଅଭିବୃଦ୍ଧିରେ ଯୋଗଦାନ ଦେବାକୁ ଅନୁରୋଧ କରିଥିଲେ। ସେ ସାରା ବିଶ୍ୱରେ ନିବେଶକମାନଙ୍କୁ ଭାରତର ବିମାନ ଉଡ଼ାଣରେ ସହ-ପାଇଲଟ୍ ଭାବରେ ଯୋଗଦାନ ଦେବାକୁ ଆମନ୍ତ୍ରଣ କରି ଶେଷରେ ୱିଙ୍ଗସ୍ ଇଣ୍ଡିଆର ସଫଳ ସଂଗଠନ ପାଇଁ ଶୁଭକାମନା ଜଣାଇଥିଲେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Shortcuts will cut you short’: PM Modi’s message for youngsters at former President Kovind’s autobiography launch

Media Coverage

‘Shortcuts will cut you short’: PM Modi’s message for youngsters at former President Kovind’s autobiography launch
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 13, 2026
August 13, 2026

Aatmanirbhar in Motion: Solar Homes, Made-in-India Containers, Record Exports & a Rising Global Footprint Under the Leadership of PM Modi