ନମସ୍କାର

ଆପଣମାନଙ୍କ ସହିତ ଆଜି ଯୋଗ ଦେଇ ମୁଁ ବହୁତ ଖୁସି। ଆପଣମାନେ ସମସ୍ତେ ଜାପାନର ବିବିଧତା ଏବଂ ଶକ୍ତିର ଏକ ଜୀବନ୍ତ ଉଦାହରଣ।

ମୁଁ ଅନୁଭବ କରୁଛି ଯେ , ଏହି କୋଠରୀରେ ସାଇତାମାର ଗତି, ମିୟାଗିର ସ୍ଥିରତା, ଫୁକୁଓକାର ସ୍ପନ୍ଦନ ଏବଂ ନାରାର ଐତିହ୍ୟର ସୁଗନ୍ଧ ଅଛି। ଆପଣମାନଙ୍କ ସମସ୍ତଙ୍କ ପାଖରେ କୁମାମୋଟୋର ଉଷ୍ମତା, ନାଗାନୋର ସତେଜତା, ଶିଜୁଓକାର ସୌନ୍ଦର୍ଯ୍ୟ ଏବଂ ନାଗାସାକିର ସ୍ପନ୍ଦନ ରହିଛି। ଆପଣମାନେ ସମସ୍ତେ ମାଉଣ୍ଟ ଫୁଜିର ଶକ୍ତି, ସାକୁରାର ଆତ୍ମାକୁ ମୂର୍ତ୍ତିମନ୍ତ କରନ୍ତି।ଆପଣମାନେ ଏକାଠି ହୋଇ ଜାପାନକୁ କାଳଜୟୀ କରନ୍ତି।

ମହାମହିମ,

ଭାରତ ଏବଂ ଜାପାନର ଏକ ଗଭୀର ସମ୍ପର୍କ ରହିଛି ଯାହା ହଜାର ହଜାର ବର୍ଷ ପୁରୁଣା। ଆମେ ଭଗବାନ ବୁଦ୍ଧଙ୍କ କରୁଣା ଦ୍ୱାରା ଯୋଡ଼ି ହୋଇଛୁ। ବଙ୍ଗଳାର ରାଧାବିନୋଦ ପାଲ 'ଟୋକିଓ ଟ୍ରାୟଲ୍ସ'ରେ 'ନ୍ୟାୟ'କୁ 'ରଣନୀତି' ଉପରେ ସ୍ଥାନ ଦେଇଥିଲେ। ତାଙ୍କ ଅଦମ୍ୟ ସାହସ ଦ୍ୱାରା ଆମେ ଯୋଡି ହୋଇଛୁ।

ଗତ ଶତାବ୍ଦୀର ଆରମ୍ଭରେ ମୋ ଗୃହ ରାଜ୍ୟ ଗୁଜରାଟର ହୀରା ବ୍ୟବସାୟୀମାନେ କୋବେ ଆସିଥିଲେ। ହାମା -ମାତ୍ସୁଙ୍କ କମ୍ପାନୀ ଭାରତର ଅଟୋମୋବାଇଲ୍ କ୍ଷେତ୍ରରେ ଏକ ବିପ୍ଳବ ସୃଷ୍ଟି କରିଥିଲା। ଉଭୟ ଦେଶର ଏହି ଉଦ୍ୟୋଗୀ ମନୋଭାବ ଆମକୁ ସଂଯୋଗ କରେ।

ଏହା ବ୍ୟତୀତ, ଏପରି ଅନେକ କାହାଣୀ, ଅନେକ ସମ୍ପର୍କ ଅଛି, ଯାହା ଭାରତ ଏବଂ ଜାପାନକୁ ବହୁତ ଘନିଷ୍ଠ ଭାବରେ ଯୋଡେ। ଆଜି ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ପର୍ଯ୍ୟଟନ, ସୁରକ୍ଷା, ଦକ୍ଷତା ଏବଂ ସଂସ୍କୃତି କ୍ଷେତ୍ରରେ ଏହି ସମ୍ପର୍କରେ ନୂତନ ଅଧ୍ୟାୟ ଲେଖାଯାଉଛି। ଏହି ସମ୍ପର୍କ କେବଳ ଟୋକିଓ କିମ୍ବା ଦିଲ୍ଲୀର କରିଡର ପର୍ଯ୍ୟନ୍ତ ସୀମିତ ନୁହେଁ। ଏହି ସମ୍ପର୍କ ଭାରତର ରାଜ୍ୟ ଏବଂ ଜାପାନର ଲୋକଙ୍କ ଚିନ୍ତାଧାରାରେ ବାସ କରେ।

ମହାମହିମ,

ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ, ମୁଁ ପ୍ରାୟ ଦେଢ଼ ଦଶନ୍ଧି ଧରି ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲି। ଏବଂ ଏହି ସମୟ ମଧ୍ୟରେ ମୁଁ ଜାପାନ ଗସ୍ତ କରିବାର ସୌଭାଗ୍ୟ ମଧ୍ୟ ପାଇଲି। ମୁଁ ନିକଟରୁ ଦେଖିଛି ଯେ ରାଜ୍ୟ ଏବଂ ପ୍ରଦେଶଗୁଡ଼ିକରେ କେତେ କ୍ଷମତା ଏବଂ ସମ୍ଭାବନା ଅଛି।

ମୁଖ୍ୟମନ୍ତ୍ରୀ ଥିବା ସମୟରେ, ମୋର ନୀତି ଚାଳିତ ଶାସନ ଉପରେ ଧ୍ୟାନ କେନ୍ଦ୍ରିତ ଥିଲା, ଯଥା : ଶିଳ୍ପକୁ ପ୍ରୋତ୍ସାହନ ଦେବା, ଦୃଢ଼ ଭିତ୍ତିଭୂମି ନିର୍ମାଣ କରିବା ଏବଂ ନିବେଶ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା। ଆଜି ଲୋକମାନେ ଏହାକୁ "ଗୁଜରାଟ ମଡେଲ" ଭାବରେ ମଧ୍ୟ ଜାଣନ୍ତି।

୨୦୧୪ ମସିହାରେ, ପ୍ରଧାନମନ୍ତ୍ରୀ ହେବା ପରେ, ମୁଁ ଏହି ଚିନ୍ତାଧାରାକୁ ଜାତୀୟ ନୀତିର ଏକ ଅଂଶ କରିଥିଲି। ଆମେ ରାଜ୍ୟଗୁଡ଼ିକରେ ପ୍ରତିଯୋଗିତାମୂଳକ ମନୋଭାବ ଜାଗ୍ରତ କରିଥିଲୁ। ସେମାନଙ୍କୁ ଜାତୀୟ ଅଭିବୃଦ୍ଧି ପାଇଁ ଏକ ମଞ୍ଚ କରିଥିଲୁ। ଜାପାନର ପ୍ରତ୍ୟେକ ପ୍ରଦେଶ ପରି, ଭାରତର ପ୍ରତ୍ୟେକ ରାଜ୍ୟର ନିଜସ୍ୱ ପରିଚୟ, ନିଜର ବିଶେଷତ୍ୱ ​​ଅଛି। ସେମାନଙ୍କର କ୍ଷେତ୍ର ଭିନ୍ନ ଭିନ୍ନ। କିଛିର ସମୁଦ୍ର ଉପକୂଳ ଅଛି, ଯେତେବେଳେ କିଛି ପର୍ବତ କୋଳରେ ଅବସ୍ଥିତ।

ଆମେ ଏହି ବିବିଧତାକୁ ଲାଭାଂଶରେ ପରିଣତ କରିବା ପାଇଁ କାର୍ଯ୍ୟ କରିଛୁ। ପ୍ରତ୍ୟେକ ଜିଲ୍ଲାର ଅର୍ଥନୀତି ଏବଂ ପରିଚୟକୁ ସୁଦୃଢ଼ ​​କରିବା ପାଇଁ, ଆମେ ଏକ ଜିଲ୍ଲା ଏକ ଉତ୍ପାଦ ଅଭିଯାନ ଆରମ୍ଭ କରିଛୁ। ଆମେ ସେହି ଜିଲ୍ଲା ଏବଂ ବ୍ଲକ, ଯାହା ଜାତୀୟ ବିକାଶରେ ପଛରେ ପଡ଼ିଥିଲା, ସେସବୁ ପାଇଁ ଆକାଂକ୍ଷୀ ଜିଲ୍ଲା ଏବଂ ବ୍ଲକ କାର୍ଯ୍ୟକ୍ରମ ଆରମ୍ଭ କରିଛୁ । ଆମେ ଦୂରବର୍ତ୍ତୀ ସୀମାନ୍ତ ଗ୍ରାମଗୁଡ଼ିକୁ ମୁଖ୍ୟଧାରାରେ ଆଣିବା ପାଇଁ ଜୀବନ୍ତ ଗ୍ରାମ କାର୍ଯ୍ୟକ୍ରମ ଆରମ୍ଭ କରିଛୁ। ଏବଂ ବର୍ତ୍ତମାନ ଏହି ଜିଲ୍ଲା ଏବଂ ଗ୍ରାମଗୁଡ଼ିକ ଜାତୀୟ ଅଭିବୃଦ୍ଧିର କେନ୍ଦ୍ର ହୋଇପାରୁଛନ୍ତି।

ମହାମହିମ,

ଆପଣଙ୍କ ପ୍ରାଦେଶିକ କ୍ଷେତ୍ରଗୁଡ଼ିକର ପ୍ରଯୁକ୍ତିବିଦ୍ୟା, ଉତ୍ପାଦନ ଏବଂ ନବସୃଜନର ପ୍ରକୃତ ଶକ୍ତି କେନ୍ଦ୍ର। କିଛି ପ୍ରଦେଶର ଅର୍ଥନୀତି ଅନେକ ଦେଶ ଅପେକ୍ଷା ବଡ଼। ତେଣୁ, ଆପଣ ସମସ୍ତଙ୍କର ଦାୟିତ୍ୱ ମଧ୍ୟ ଅଧିକ।

ଅନ୍ତର୍ଜାତୀୟ ସହଯୋଗର ଭବିଷ୍ୟତ ଆପଣଙ୍କ ହାତରେ ଲେଖାଯାଉଛି। ଭାରତର ଅନେକ ରାଜ୍ୟ ଏବଂ ପ୍ରଦେଶ ମଧ୍ୟରେ ପୂର୍ବରୁ ସହଭାଗୀତା ଅଛି। ଯେପରିକି –

ଗୁଜରାଟ ଏବଂ ଶିଜୁଓକା,

ଉତ୍ତର ପ୍ରଦେଶ ଏବଂ ୟାମାନାଶି,

ମହାରାଷ୍ଟ୍ର ଏବଂ ୱାକାୟାମା,

ଆନ୍ଧ୍ରପ୍ରଦେଶ ଏବଂ ତୋୟାମା।

 

କିନ୍ତୁ ମୁଁ ବିଶ୍ୱାସ କରେ ଯେ ଏହି ସହଭାଗୀତା କେବଳ କାଗଜରେ ରହିବା ଉଚିତ୍ ନୁହେଁ। ଏହା କାଗଜରୁ ଲୋକଙ୍କ ସମୃଦ୍ଧି ପର୍ଯ୍ୟନ୍ତ ହେବା ଉଚିତ।

ଆମେ ଚାହୁଁଛୁ ଯେ ଭାରତୀୟ ରାଜ୍ୟଗୁଡ଼ିକ ମଧ୍ୟ ଅନ୍ତର୍ଜାତୀୟ ସହଯୋଗର କେନ୍ଦ୍ର ହୁଅନ୍ତୁ। ଏହି ଚିନ୍ତାଧାରା ସହିତ, ଗତକାଲି, ପ୍ରଧାନମନ୍ତ୍ରୀ ଇଶିବା ଏବଂ ମୁଁ ରାଜ୍ୟ - ପ୍ରାଦେଶିକ ସହଭାଗୀତା ପ୍ରୟାସ ଆରମ୍ଭ କରିଥିଲୁ। ଆମର ଲକ୍ଷ୍ୟ ହେଉଛି ପ୍ରତି ବର୍ଷ ଅତି କମରେ ତିନୋଟି ଭାରତୀୟ ରାଜ୍ୟ ଏବଂ ତିନୋଟି ପ୍ରଦେଶର ପ୍ରତିନିଧିମଣ୍ଡଳ ପରସ୍ପର କ୍ଷେତ୍ରକୁ ଗସ୍ତ କରନ୍ତୁ। ମୁଁ ଆପଣମାନଙ୍କୁ ଏହି ପ୍ରୟାସରେ ଯୋଗଦେବାକୁ ନିମନ୍ତ୍ରଣ କରୁଛି। ମୁଁ ଆପଣଙ୍କୁ ଭାରତ ଗସ୍ତ କରିବାକୁ ନିମନ୍ତ୍ରଣ କରୁଛି।

 

ଭାରତର ରାଜ୍ୟ ଏବଂ ଜାପାନର ପ୍ରଦେଶଗୁଡ଼ିକୁ ଆମର ସହଭାଗୀ ପ୍ରଗତି ଏକା ସହିତ ହେବାକୁ ଦିଅନ୍ତୁ।

ଆପଣଙ୍କର ପ୍ରଦେଶଗୁଡ଼ିକ କେବଳ ବଡ଼ କମ୍ପାନୀ ପାଇଁ ନୁହେଁ, ବରଂ ଏସ୍ଏମ୍ଇ ଏବଂ ଷ୍ଟାର୍ଟ-ଅପ୍ ପାଇଁ ମଧ୍ୟ ଉର୍ବର ଭୂମି ଅଟେ। ଭାରତରେ ମଧ୍ୟ, ଛୋଟ ସହରରୁ ଷ୍ଟାର୍ଟ-ଅପ୍ ଏବଂ ଏମଏସଏମଇ ଦେଶର ଅଭିବୃଦ୍ଧି କାହାଣୀରେ ଯୋଗଦାନ ଦେଉଛନ୍ତି।

ଯଦି ଜାପାନ ଏବଂ ଭାରତର ଏହି ସ୍ପନ୍ଦନଶୀଳ ଇକୋସିଷ୍ଟମ ଏକାଠି ହୁଅନ୍ତି, ତେବେ-

ବିଚାର ପ୍ରବାହିତ ହେବ,

ନବସୃଜନ ବୃଦ୍ଧି ପାଇବ,

ଏବଂ ସୁଯୋଗ ସୃଷ୍ଟି ହେବ !

ମୁଁ ଖୁସି ଯେ ଏହି ଚିନ୍ତାଧାରାକୁ ମନରେ ରଖି, କାନସାଇରେ ଏକ ବ୍ୟବସାୟ ବିନିମୟ ମଞ୍ଚ ଆରମ୍ଭ ହେଉଛି। କମ୍ପାନୀଗୁଡ଼ିକ ମଧ୍ୟରେ ସିଧାସଳଖ ଯୋଗାଯୋଗ ସ୍ଥାପନ ହେବ, ନୂତନ ନିବେଶକୁ ପ୍ରୋତ୍ସାହିତ କରାଯିବ, ଷ୍ଟାର୍ଟଅପ୍ ମଧ୍ୟରେ ସହଭାଗୀତା ବୃଦ୍ଧି ପାଇବ, ଏବଂ ଦକ୍ଷ ପେଶାଦାରମାନଙ୍କ ପାଇଁ ନୂତନ ସୁଯୋଗ ଖୋଲିବ।

ମହାମହିମ,

ଯେତେବେଳେ ଯୁବ ମନ ସଂଯୋଗ ହୁଏ, ମହାନ ରାଷ୍ଟ୍ରଗୁଡ଼ିକ ଏକାଠି ଆଗକୁ ବଢିଥାନ୍ତି।

ଜାପାନର ବିଶ୍ୱବିଦ୍ୟାଳୟଗୁଡ଼ିକ ବିଶ୍ୱ ପ୍ରସିଦ୍ଧ। ଅଧିକରୁ ଅଧିକ ଭାରତୀୟ ଛାତ୍ର ଏଠାକୁ ଆସନ୍ତୁ, ଶିଖନ୍ତୁ ଏବଂ ଯୋଗଦାନ ଦିଅନ୍ତୁ। ଏହା ନିଶ୍ଚିତ କରିବା ଉଦ୍ଦେଶ୍ୟରେ, ଗତକାଲି, ପ୍ରଧାନମନ୍ତ୍ରୀ ଇଶିବାଙ୍କ ସହିତ, ଆମେ ଏକ କାର୍ଯ୍ୟ ଯୋଜନା ଆରମ୍ଭ କରିଥିଲୁ। ଏହା ଅଧୀନରେ, ଆଗାମୀ ୫ ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ୫ ଲକ୍ଷ ଲୋକଙ୍କ ବିନିମୟକୁ ପ୍ରୋତ୍ସାହିତ କରାଯିବ। ଏବଂ ଏହା ସହିତ, ୫୦,୦୦୦ ଭାରତୀୟ ଦକ୍ଷ ପେଶାଦାରଙ୍କୁ ଜାପାନ ପଠାଯିବ। ଏଥିରେ ପ୍ରଦେଶଗୁଡ଼ିକ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ମୁଁ ନିଶ୍ଚିତ ଯେ ଏଥିରେ ଆମେ ଆପଣଙ୍କ ସମର୍ଥନ ପାଇବୁ।

ମହାମହିମ,

ମୁଁ ଇଚ୍ଛା କରୁଛି ଯେ ଆମର ଦେଶଗୁଡ଼ିକ ଏକାଠି ଆଗକୁ ବଢ଼ିବା ସହିତ, ପ୍ରତ୍ୟେକ ପ୍ରଦେଶ ଏବଂ ପ୍ରତ୍ୟେକ ଭାରତୀୟ ରାଜ୍ୟ ନୂତନ ଶିଳ୍ପ ସୃଷ୍ଟି କରିବେ, ନୂତନ ଦକ୍ଷତା ବିକାଶ କରିବେ ଏବଂ ସେମାନଙ୍କ ଲୋକଙ୍କ ପାଇଁ ନୂତନ ସୁଯୋଗ ଖୋଲିବେ।

ଟୋକିଓ ଏବଂ ଦିଲ୍ଲୀ ନେତୃତ୍ୱ ନେଇପାରିବେ।

କିନ୍ତୁ,

କାନାଗାୱା ଏବଂ କର୍ଣ୍ଣାଟକକୁ ସ୍ୱର ଦେବାକୁ ଦିଅନ୍ତୁ।

ଆଇଚି ଏବଂ ଆସାମକୁ ଏକାଠି ସ୍ୱପ୍ନ ଦେଖିବାକୁ ଦିଅନ୍ତୁ।

ଓକାୟାମା ଏବଂ ଓଡ଼ିଶାକୁ ଭବିଷ୍ୟତ ନିର୍ମାଣ କରିବାକୁ ଦିଅନ୍ତୁ।

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

 

ଆରିଗାଟୋ ଗୋଜା-ଇମାସୁ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways takes up 764 km of new lines to boost connectivity in Bihar’s Seemanchal region

Media Coverage

Indian Railways takes up 764 km of new lines to boost connectivity in Bihar’s Seemanchal region
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 07, 2026
August 07, 2026

Viksit Bharat Accelerating: 4x Data Centres, Record EV Sales, Ethanol Validation & Northeast Connectivity Under PM Modi’s Watch