ଆମ ପାଇଁ ନଦୀ ଏକ ଭୌତିକ ବସ୍ତୁ ନୁହେଁ, ଆମ ପାଇଁ ନଦୀ ଏକ ଜୀବନ୍ତ ସତ୍ତା : ପ୍ରଧାନମନ୍ତ୍ରୀ ମୋଦୀ
ମୁଁ ପାଇଥିବା ଉପହାରର ଏକ ସ୍ୱତନ୍ତ୍ର ଇ-ନିଲାମ ଆଜିକାଲି ଚାଲିଛି । ସେଥିରୁ ହୋଇଥିବା ଆୟ 'ନମାମି ଗଙ୍ଗେ' ଅଭିଯାନ ପାଇଁ ଉତ୍ସର୍ଗୀକୃତ ହେବ: ପ୍ରଧାନମନ୍ତ୍ରୀ
ଛୋଟ ଛୋଟ ପ୍ରୟାସ ବଡ଼ ପରିବର୍ତ୍ତନ ଆଣିଥାଏ: ପ୍ରଧାନମନ୍ତ୍ରୀ ମୋଦୀ
ମହାତ୍ମା ଗାନ୍ଧୀ ସ୍ୱଚ୍ଛତା କୁ ଏକ ଜନ ଆନ୍ଦୋଳନ ରେ ପରିଣତ କରିଥିଲେ: ପ୍ରଧାନମନ୍ତ୍ରୀ ମୋଦୀ
ଶୌଚାଳୟ ନିର୍ମାଣ ଯେଉଁଭଳି ଭାବେ ଗରିବ ଲୋକଙ୍କ ମର୍ଯ୍ୟାଦା ବୃଦ୍ଧି କଲା, ଠିକ ସେହିଭଳି ଆର୍ଥିକ ସ୍ୱଚ୍ଛତା ଗରିବମାନଙ୍କ ଅଧିକାରକୁ ସୁନିଶ୍ଚିତ କରିଥାଏ, ସେମାନଙ୍କ ଜୀବନକୁ ସହଜ କରିଥାଏ :ପ୍ରଧାନମନ୍ତ୍ରୀ ମୋଦୀ
ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଅକ୍ଟୋବର 2 ରେ ବାପୁଙ୍କ ଜୟନ୍ତୀରେ ଖଦି ଉତ୍ପାଦ କିଣିବାକୁ ଅନୁରୋଧ କରିଛନ୍ତି
ମନ୍ କି ବାତ୍ : ପ୍ରଧାନମନ୍ତ୍ରୀ ମୋଦୀ ସିଆଚୀନ୍ ଗ୍ଲେସିୟରରେ ଦିବ୍ୟଙ୍ଗଜନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ବିଶ୍ୱ ରେକର୍ଡ ବିଷୟରେ ଉଲ୍ଲେଖ କରିଛନ୍ତି
ପ୍ରଧାନମନ୍ତ୍ରୀ ମୋଦୀ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ ସେ ଆଜି ମଧ୍ୟ ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିଛନ୍ତି

ଔଷଧୀୟ ଗଛ ଲଗାଇଥିବା ଓଡ଼ିଶା କଳାହାଣ୍ଡିର ପଟାୟତ ସାହୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

 

ପାର୍ବଣ ଋତୁରେ କୋଭିଡ ସଚେତନତା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆପଣମାନେ ଜାଣିଛନ୍ତି ଯେ, ଗୋଟିଏ ଜରୁରୀ କାର୍ଯ୍ୟକ୍ରମ ପାଇଁ ମୋତେ ଆମେରିକା ଯିବାକୁ ପଡ଼ୁଛି । ତେଣୁ, ମୁଁ ଭାବିଲି ଯେ ଆମେରିକା ଯିବା ପୂର୍ବରୁ ହିଁ ମୁଁ ‘ମନ୍ କି ବାତ୍’ ରେକର୍ଡ଼ କରିଦେଲେ ଭଲହେବ । ସେପ୍ଟେମ୍ବର ମାସରେ ଯେଉଁଦିନ ‘ମନ୍ କି ବାତ୍’ ରହିଛି, ସେହି ତାରିଖରେ ଗୋଟିଏ ବିଶେଷ ଦିବସ ପାଳନ କରାଯାଏ । ଅବଶ୍ୟ ଆମେ ଅନେକ ପ୍ରକାର ଦିବସକୁ ମନେ ରଖିଥାଉ, ଅନେକ ପ୍ରକାର ଦିବସ ପାଳନ ମଧ୍ୟ କରିଥାଉଁ । ଯଦି ନିଜ ଘରେ ଯୁବ ବୟସର ପୁଅ-ଝିଅ ଥାଆନ୍ତି, ସେମାନଙ୍କୁ ପଚାରିଲେ ସେମାନେ ବର୍ଷଯାକରେ କେଉଁ ତାରିଖରେ କେଉଁ ଦିନ ପଡ଼େ ତା’ର ପୁରା ତାଲିକା ଦେଇଦେବେ । କିନ୍ତୁ ଗୋଟିଏ ଦିନ ଏମିତି ରହିଛି, ଯାହା ଆମେ ସମସ୍ତେ ମନେ ରଖିବା ଉଚିତ । ଏହା ଏମିତି ଗୋଟିଏ ଦିନ, ଯାହା ଭାରତର ପରମ୍ପରା ସହ ଖୁବ୍ ଓତଃପ୍ରୋତ ଭାବେ ଜଡ଼ିତ । ଶହ ଶହ ବର୍ଷ ଧରି ଯେଉଁ ପରମ୍ପରା ସହ ଆମେ ଯୋଡ଼ି ହୋଇ ରହିଛୁ, ତା’ସହିତ ଆମକୁ ସଂଯୁକ୍ତ କରୁଛି । ତାହା ହେଉଛି ବିଶ୍ୱ ନଦୀ ଦିବସ । ଆମର ଶାସ୍ତ୍ରରେ କୁହାଯାଇଛି ଯେ,

ପିବନ୍ତି ନଦ୍ୟଃ, ସ୍ୱୟମେବ ନାମ୍ଭଃ

ଅର୍ଥାତ୍, ନଦୀ ନିଜ ଜଳ ନିଜେ ପାନ କରେ ନାହିଁ, ବରଂ ପରୋପକାର ପାଇଁ ପ୍ରଦାନ କରେ । ଆମ ପାଇଁ ନଦୀ ଏକ ଭୌତିକ ବସ୍ତୁ ନୁହେଁ, ଆମ ପାଇଁ ନଦୀ ଏକ ଜୀବନ୍ତ ସତ୍ତା । ସେଥିପାଇଁ ତ ଆମେ ନଦୀକୁ ମାତା ବୋଲି ସମ୍ବୋଧନ କରିଥାଉ । ଆମର ଅନେକ ପର୍ବପର୍ବାଣି, ଉତ୍ସବ, ଉଲ୍ଲାସ ଏସବୁ ଏହି ମାତାଙ୍କ କୋଳରେ ହିଁ ତ ସମାପିତ ହୋଇଥାଏ ।

ଆପଣମାନେ ଜାଣନ୍ତି ଯେ, ମାଘ ମାସ ଆସିଲେ ଆମ ଦେଶରେ ବହୁତ ଲୋକ ଗଙ୍ଗାମାତା କିମ୍ବା କୌଣସି ଅନ୍ୟ ନଦୀତଟରେ କଳ୍ପବାସ କରିଥାନ୍ତି । ଏବେ ତ ଆଉ ଏହି ପରମ୍ପରା ନାହିଁ, କିନ୍ତୁ ପୂର୍ବ ସମୟରେ ତ ଏଭଳି ପରମ୍ପରା ରହିଥିଲା ଯେ, ଘରେ ସ୍ନାନ କରିବା ସମୟରେ ମଧ୍ୟ ନଦୀମାନଙ୍କୁ ସ୍ମରଣ କରାଯାଉଥିଲା । ଆଜି ହୁଏତ ଏହା ବିଲୁପ୍ତ ହୋଇଯାଇଥାଇ ପାରେ କିମ୍ବା ନାମମାତ୍ର ଜୀବିତ ଥାଇପାରେ । କିନ୍ତୁ ଏହା ଏକ ବହୁତ ବଡ଼ ପରମ୍ପରା ଥିଲା ଯାହା ପ୍ରାତଃକାଳରେ ସ୍ନାନ ସମୟରେ ହିଁ ବିଶାଳ ଭାରତର ଯାତ୍ରା କରାଇ ଦେଉଥିଲା । ମାନସିକ ଯାତ୍ରା! ଦେଶର କୋଣ ଅନୁକୋଣରୁ ଯୋଡ଼ି ହେବାପାଇଁ ପ୍ରେରଣା ପ୍ରଦାନ କରୁଥିଲା । ଭାରତରେ ସ୍ନାନ କରିବା ସମୟରେ ଗୋଟିଏ ଶ୍ଳୋକ ଆବୃତ୍ତି କରିବାର ପରମ୍ପରା ରହିଆସିଛି ।

ଗଙ୍ଗେ ଚ ଯମୁନେ ଚୈବ ଗୋଦାବରୀ ସରସ୍ୱତୀ

ନର୍ମଦେ ସିନ୍ଧୁ କାବେରୀ ଜଳେସ୍ମିନ୍ ସନ୍ନିଧିଂ କୁରୁ । ।

ଆଗ କାଳରେ ଘରେ ବୟସ୍କମାନେ ପିଲାମାନଙ୍କୁ ଏହି ଶ୍ଳୋକ କଣ୍ଠସ୍ଥ କରାଉଥିଲେ । ଏହାକୁ ନେଇ ଆମ ଦେଶରେ ନଦୀଗୁଡ଼ିକ ପାଇଁ ମନରେ ଆସ୍ଥା ସୃଷ୍ଟି ହେଉଥିଲା । ବିଶାଳ ଭାରତର ଗୋଟିଏ ମାନଚିତ୍ର ମନରେ ଅଙ୍କିତ ହୋଇଯାଉଥିଲା । ନଦୀ ସହ ସମ୍ପର୍କ ସୃଷ୍ଟି ହେଉଥିଲା । ଯେଉଁ ନଦୀକୁ ମାତା ରୂପେ ଆମେ ଜାଣୁ, ଦେଖୁ, ସେହି ନଦୀ ପ୍ରତି ଆସ୍ଥାଭାବ ସୃଷ୍ଟି ହେଉଥିଲା । ଏହା ଏକ ସଂସ୍କାର ପ୍ରକ୍ରିୟା ଥିଲା ।

ବନ୍ଧୁଗଣ, ଆମେ ଯେତେବେଳେ ଆମ ଦେଶରେ ନଦୀଗୁଡ଼ିକର ମହିମା ସମ୍ପର୍କରେ କଥା ହେଉଛୁ, ସେତେବେଳେ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ପ୍ରଶ୍ନ ଉଠାଇବା ସ୍ୱାଭାବିକ ଏବଂ ପ୍ରଶ୍ନ କରିବାର ସେମାନଙ୍କ ଅଧିକାର ମଧ୍ୟ ରହିଛି ଏବଂ ତା’ର ଉତ୍ତର ଦେବା ଆମର ଦାୟିତ୍ୱ । କେହି ବି ପ୍ରଶ୍ନ କରିପାରେ ଯେ, ଆପଣ ନଦୀକୁ ନେଇ ଏତେ କଥା କହୁଛନ୍ତି, ନଦୀକୁ ମାତା ବୋଲି ସମ୍ବୋଧିତ କରୁଛନ୍ତି, ତାହେଲେ ସେହି ନଦୀ ପ୍ରଦୂଷିତ କାହିଁକି ହୋଇଯାଉଛି ? ଆମ ଶାସ୍ତ୍ରରେ ତ ନଦୀକୁ ଟିକିଏ ମାତ୍ର ପ୍ରଦୂଷିତ କରିବାକୁ ବାରଣ କରାଯାଇଛି । ଆମ ପରମ୍ପରା ମଧ୍ୟ ଏହିଭଳି । ଆପଣମାନେ ତ ଜାଣନ୍ତି ଯେ, ଆମ ଭାରତର ପଶ୍ଚିମ ଅଂଚଳ ବିଶେଷ କରି ଗୁଜୁରାଟ ଓ ରାଜସ୍ଥାନରେ ପାଣିର ଘୋର ଅଭାବ ରହିଛି । ସେଠାରେ ଅନେକ ଥର ମରୁଡ଼ି ହୋଇଥାଏ । ତେଣୁ ଏବେ ସେଠାରେ ଗୋଟିଏ ନୂତନ ସାମାଜିକ ପରମ୍ପରା ସୃଷ୍ଟି ହୋଇଛି । ଯେମିତିକି ଗୁଜରାଟରେ ବର୍ଷାଋତୁ ଆରମ୍ଭରେ ଜଲ୍ ଜୀଲ୍ନି ଏକାଦଶୀ ପାଳନ କରାଯାଏ । ଅର୍ଥାତ୍ ଆଜି ଆମେ ଯାହାକୁ ଇଂରାଜୀରେ କ୍ୟାଚ୍ ଦି ରେନ୍ କହୁଛୁଁ, ତାହା ସେହି କଥା । ଜଳର ପ୍ରତ୍ୟେକଟି ବିନ୍ଦୁକୁ ସଂରକ୍ଷିତ କରିବା ତାହାହିଁ ଜଲ୍ ଜୀଲ୍ନି । ସେହିଭଳି ବର୍ଷାଋତୁ ପରେ ବିହାର ଓ ପୂର୍ବାଂଚଳରେ ଛଠ୍ ମହାପର୍ବ ପାଳନ କରାଯାଇଥାଏ । ଛଠ୍ ପୂଜାକୁ ଦୃଷ୍ଟିରେ ରଖି ନଦୀତଟରେ ଘାଟଗୁଡ଼ିକର ସଫେଇ ଓ ମରାମତି କାମ ଆରମ୍ଭ ହୋଇଯାଇଥିବ ବୋଲି ମୋର ଆଶା । ଆମେ ନଦୀକୁ ପରିଷ୍କାର କରିବା ଓ ତାହାକୁ ପ୍ରଦୂଷଣରୁ ମୁକ୍ତ ରଖିବା କାର୍ଯ୍ୟ ସମସ୍ତଙ୍କ ପ୍ରଚେଷ୍ଟା ଏବଂ ସମସ୍ତଙ୍କ ସହଯୋଗରେ ନିଶ୍ଚୟ କରିପାରିବା । ‘ନମାମୀ ଗଙ୍ଗେ ମିଶନ୍’ ମଧ୍ୟ ଏବେ ଆଗକୁ ବଢ଼ୁଛି ଯେଉଁଥିରେ ସମସ୍ତଙ୍କର ପ୍ରୟାସ, ଜନ-ଜାଗୃତି, ଜନ ଆନ୍ଦୋଳନ ଆଦିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ବନ୍ଧୁଗଣ, ଯେତେବେଳେ ନଦୀ କଥା ପଡ଼ିଛି, ମା’ ଗଙ୍ଗାଙ୍କ କଥା ପଡ଼ିଛି, ସେତେବେଳେ ଅନ୍ୟ ଗୋଟିଏ କଥା ପ୍ରତି ଆପଣମାନଙ୍କ ଦୃଷ୍ଟି ଆକର୍ଷିତ କରିବାକୁ ଇଚ୍ଛା ହେଉଛି । ନମାମୀ ଗଙ୍ଗେ କଥା କହିଲା ବେଳେ ଗୋଟିଏ ଦିଗକୁ ଆପଣଙ୍କ ଦୃଷ୍ଟି ନିଶ୍ଚୟ ଯାଇଥିବ । ବିଶେଷକରି ଆମ ଯୁବବର୍ଗଙ୍କ ଦୃଷ୍ଟି ନିଶ୍ଚୟ ପଡ଼ିଥିବ । ଆଜିକାଲି ଗୋଟିଏ ବିଶେଷ ଇ-ଅକ୍ସନ ବା ଇ-ନିଲାମ ପ୍ରକ୍ରିୟା ଚାଲିଛି । ଏହି ଇଲେକ୍ଟ୍ରନିକ୍ ନିଲାମ ପ୍ରକ୍ରିୟାରେ ସେହି ଦ୍ରବ୍ୟଗୁଡ଼ିକ ନିଲାମ କରାଯାଉଛି, ଯାହା ସମୟ ସମୟରେ ଲୋକେ ମୋତେ ଉପହାର ରୂପେ ଦେଇଛନ୍ତି । ଏହି ନିଲାମରୁ ଯେଉଁ ଅର୍ଥ ମିଳୁଛି, ତାହା ନମାମୀ ଗଙ୍ଗେ ଅଭିଯାନ ପାଇଁ ହିଁ ସମର୍ପିତ କରାଯାଉଛି । ଆପଣ ଯେଉଁ ଆତ୍ମୀୟ ଭାବନା ସହ ମୋତେ ଉପହାର ଦେଉଛନ୍ତି, ସେହି ଭାବନାକୁ ଏହି ଅଭିଯାନ ଆହୁରି ସୁଦୃଢ଼ କରୁଛି ।

ବନ୍ଧୁଗଣ, ସାରା ଦେଶରେ ନଦୀଗୁଡ଼ିକୁ ପୁନର୍ଜୀବିତ କରିବା ପାଇଁ, ଜଳର ସ୍ୱଚ୍ଛତା ପାଇଁ, ସରକାର ଏବଂ ସମାଜସେବୀ ସଂଗଠନ ନିରନ୍ତର କିଛି ନା କିଛି ପ୍ରୟାସ ଜାରି ରଖିଥାନ୍ତି । ଏହା ଆଜିଠୁ ନୁହେଁ ବରଂ ଦଶନ୍ଧି ଦଶନ୍ଧି ଧରି ଚାଲିଥାଏ । କିଛି ଲୋକ ତ ଏଭଳି କାମ ପାଇଁ ନିଜକୁ ହିଁ ସମର୍ପି ଦିଅନ୍ତି । ଏହି ପରମ୍ପରା, ଏହି ପ୍ରୟାସ, ଏହି ଆସ୍ଥା ହିଁ ଆମ ନଦୀଗୁଡ଼ିକୁ ଜୀବିତ କରି ରଖିଛି । ଭାରତର ଯେକୌଣସି ଅଂଚଳରୁ ଯେତେବେଳେ ଏହିଭଳି ଖବର ମୋ କାନକୁ ଆସେ, ସେତେବେଳେ ମୋ ମନରେ ଏଭଳି କାମ କରୁଥିବା ଲୋକଙ୍କ ପ୍ରତି ଗୋଟିଏ ଆଦର ଭାବ ସୃଷ୍ଟି ହୋଇଥାଏ । ସେ କଥା, ଆପଣଙ୍କୁ ଜଣାଇବା ପାଇଁ ମଧ୍ୟ ମୋର ଇଚ୍ଛା ହୁଏ । ମୁଁ ତାମିଲନାଡ଼ୁର ଭେଲ୍ଲୋର ଓ ତିରୁୱନ୍ନାମଲାଇ ଜିଲ୍ଲାର ଗୋଟିଏ ଉଦାହରଣ ଦେବାକୁ ଚାହୁଁଛି । ଏଠାରେ ନାଗାନଧି ନାମରେ ଗୋଟିଏ ନଦୀ ପ୍ରବାହିତ ହେଉଛି । ଏହି ନାଗାନଧି ଅନେକ ବର୍ଷ ଧରି ଶୁଖିଯାଇଥିଲା । ଏହି କାରଣରୁ ସେ ଅଂଚଳର ଜଳସ୍ତର ମଧ୍ୟ ଖୁବ ତଳକୁ ଖସିଯାଇଥିଲା । କିନ୍ତୁ ସେଠାକାର ମହିଳାମାନେ ନିଜର ଏହି ନଦୀକୁ ପୁନର୍ଜୀବିତ କରିବା ପାଇଁ ଅଣ୍ଟା ଭିଡ଼ିଲେ । ଫଳସ୍ୱରୂପ, ସେମାନେ ଲୋକମାନଙ୍କୁ ଏକତ୍ରିତ କଲେ । ଜନ-ସହଯୋଗରେ କେନାଲ ଖୋଳିଲେ । ଚେକ୍ ଡ୍ୟାମ୍ ତିଆରି କଲେ । ରିଚାର୍ଜ କୂଅ ଖୋଳିଲେ । ବନ୍ଧୁଗଣ, ଆପଣମାନେ ମଧ୍ୟ ଏକଥା ଜାଣି ଖୁସିହେବେ ଯେ, ଆଜି ସେହି ନଦୀ, ଜଳରେ ପରିପୂର୍ଣ୍ଣ ହୋଇଯାଇଛି । ଆଉ ଯେତେବେଳେ ନଦୀଟି ଜଳରେ ପରିପୂର୍ଣ୍ଣ ହୋଇଯାଏ ସେତେବେଳେ ମନ ଏତେ ପ୍ରସନ୍ନ ହୋଇଯାଏ, ଯାହାକୁ ମୁଁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିଛି ।

ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ ଜାଣିଥିବେ ଯେ, ଯେଉଁ ସାବରମତୀ କୂଳରେ ମହାତ୍ମାଗାନ୍ଧି ସାବରମତୀ ଆଶ୍ରମ ପ୍ରତିଷ୍ଠା କରିଥିଲେ, ବିଗତ କିଛି ଦଶନ୍ଧିରେ ସେହି ସାବରମତୀ ନଦୀ ଶୁଖିଯାଇଥିଲା । ବର୍ଷଯାକରେ ୬–୮ ମାସ ପାଣି ରହୁନଥିଲା । ନର୍ମଦା ନଦୀ ଓ ସାବରମତୀ ନଦୀକୁ ଯୋଡ଼ି ଦିଆଗଲା । ଏବେ ଅହମ୍ମଦାବାଦ ଗଲେ, ସାବରମତୀ ନଦୀରେ ପାଣି ଦେଖି ଆପଣଙ୍କ ମନ ପ୍ରଫୁଲ୍ଲିତ ହୋଇଯିବ । ଏହିଭଳି ବହୁତଗୁଡ଼ିଏ କାମ, ଯେମିତିକି, ତାମିଲନାଡ଼ୁରେ ଆମର ଏହି ଭଉଣୀମାନେ କରୁଛନ୍ତି, ଦେଶର ଅନେକ ଅଂଚଳରେ ଚାଲିଛି । ମୋ ଜାଣିବାରେ, ଧର୍ମୀୟ ପରମ୍ପରା ସହ ଜଡ଼ିତ ଆମର ଅନେକ ସାଧୁ-ସନ୍ଥ ରହିଛନ୍ତି, ଗୁରୁଜନ ରହିଛନ୍ତି, ସେମାନେ ମଧ୍ୟ ନିଜର ଆଧ୍ୟାତ୍ମିକ ଯାତ୍ରା ସହ ଜଳ ପାଇଁ, ନଦୀ ପାଇଁ ବହୁତ କିଛି କରୁଛନ୍ତି । କେଉଁଠି ନଦୀକୂଳରେ ବୃକ୍ଷରୋପଣର ଅଭିଯାନ ଚଳାଇଛନ୍ତି ତ କେଉଁଠି ଦୂଷିତ ଜଳକୁ ନଦୀରେ ମିଶିବାକୁ ରୋକାଯାଉଛି ।

ବନ୍ଧୁଗଣ, ଆଜି ବିଶ୍ୱ ନଦୀ ଦିବସ ଅବସରରେ ଏଭଳି କାର୍ଯ୍ୟ ପ୍ରତି ସମର୍ପିତ ସମସ୍ତଙ୍କୁ ମୁଁ ପ୍ରଶଂସା କରୁଛି, ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ହେଲେ ନଦୀ ନିକଟରେ ବସବାସ କରୁଥିବା ଲୋକଙ୍କୁ, ଦେଶବାସୀଙ୍କୁ ମୋର ଅନୁରୋଧ ଯେ ବର୍ଷକୁ ଥରେ ଦେଶର କୋଣ ଅନୁକୋଣରେ ନଦୀ ଉତ୍ସବ ପାଳନ କରାଯିବା ଉଚିତ ।

ମୋର ପ୍ରିୟ ଦେଶବାସୀଗଣ, କେବେହେଲେ କୌଣସି ଛୋଟ କଥାକୁ, ଛୋଟ ବସ୍ତୁକୁ ଛୋଟ ମନେକରିବା ଅନୁଚିତ । ଛୋଟ ଛୋଟ ପ୍ରଚେଷ୍ଟାଗୁଡ଼ିକ ବେଳେ ବେଳେ ବହୁତ ବଡ଼ ବଡ଼ ପରିବର୍ତ୍ତନ ଆଣିଥାନ୍ତି । ମହାତ୍ମା ଗାନ୍ଧିଙ୍କ ଜୀବନକୁ ଅନୁଧ୍ୟାନ କଲେ ଆମେ ପ୍ରତିମୁହୂର୍ତ୍ତରେ ଅନୁଭବ କରିବା ଯେ, ଛୋଟ ଛୋଟ କଥାଗୁଡ଼ିକ ତାଙ୍କ ଜୀବନରେ ବହୁତ ଗୁରୁତ୍ୱ ବହନ କରୁଥିଲା ଓ ଛୋଟ ଛୋଟ କଥାଗୁଡ଼ିକୁ ନେଇ ସେ କିଭଳି ବଡ଼ ବଡ଼ ସଂକଳ୍ପକୁ ସାକାର କରିଥିଲେ । ସ୍ୱଚ୍ଛତା ଅଭିଯାନ କିଭଳି ସ୍ୱାଧୀନତା ଆନ୍ଦୋଳନକୁ ନିରନ୍ତର ଶକ୍ତି ପ୍ରଦାନ କରିଥିଲା, ସେକଥା ଆଜିର ଯୁବବର୍ଗ ଜାଣିବା ଉଚିତ । ମହାତ୍ମା ଗାନ୍ଧି ହିଁ ତ ସ୍ୱଚ୍ଛତାକୁ ଏକ ଜନ-ଆନ୍ଦୋଳନର ରୂପ ଦେଇଥିଲେ । ମହାତ୍ମା ଗାନ୍ଧି ସ୍ୱଚ୍ଛତାକୁ ସ୍ୱାଧୀନତାର ସ୍ୱପ୍ନ ସହ ଯୋଡ଼ି ଦେଇଥିଲେ । ଆଜି ଏତେ ଦଶନ୍ଧି ପରେ ସ୍ୱଚ୍ଛତା ଆନ୍ଦୋଳନ ପୁଣିଥରେ ଦେଶକୁ ନୂତନ ଭାରତର ସ୍ୱପ୍ନ ସହ ଯୋଡ଼ିବାର କାମ କରିଛି । ଏହା ଆମ ଅଭ୍ୟାସକୁ ବଦଳାଇବାର ଅଭିଯାନ ବି ପାଲଟିସାରିଛି । ଆଉ ଆମେ ଏ କଥା ଯେମିତି ଭୁଲିନଯାଉ ଯେ, ଏହା କେବଳ ଏକ କାର୍ଯ୍ୟକ୍ରମ । ସ୍ୱଚ୍ଛତା ପିଢ଼ିରୁ ପିଢ଼ିକୁ ସଂସ୍କାର ପ୍ରଦାନର ଏକ ଦାୟିତ୍ୱ ଏବଂ ଯେତେବେଳେ ପିଢ଼ି ପିଢ଼ି ଧରି ସ୍ୱଚ୍ଛତା ଅଭିଯାନ ଚାଲୁରହିବ ସେତେବେଳେ ସମ୍ପୂର୍ଣ୍ଣ ସମାଜ ଜୀବନରେ ସ୍ୱଚ୍ଛତା ଏକ ସ୍ୱଭାବରେ ପରିଣତ ହେବ । ତେଣୁ ଏହା ବର୍ଷେ, ଦୁଇ ବର୍ଷ କିମ୍ବା ଗୋଟିଏ ସରକାର ପରେ ଅନ୍ୟ ସରକାର ଭଳି ବିଷୟ ନୁହେଁ, ସ୍ୱଚ୍ଛତା ପାଇଁ ଆମକୁ ପିଢ଼ି ପିଢ଼ି ଧରି, ସଚେତନ ହୋଇ ନିରନ୍ତର ଭାବେ, କ୍ଳାନ୍ତ ନ ହୋଇ, ଶ୍ରଦ୍ଧା ସହ ଯୋଡ଼ି ହୋଇ ରହିବାକୁ ହେବ ଏବଂ ସ୍ୱଚ୍ଛତାର ଅଭିଯାନକୁ ଚାଲୁ ରଖିବାକୁ ହେବ । ମୁଁ ତ ଆଗରୁ କହିଥିଲି ଯେ, ସ୍ୱଚ୍ଛତା ହେଉଛି ପୂଜ୍ୟ ବାପୁଙ୍କୁ ଏହି ଦେଶର ବହୁତ ବଡ଼ ଶ୍ରଦ୍ଧାଞ୍ଜଳି । ଏହି ଶ୍ରଦ୍ଧାଞ୍ଜଳି ଆମକୁ ଦେଇ ଚାଲିବାକୁ ହେବ, ନିରନ୍ତର ଦେବାକୁ ହେବ ।

ବନ୍ଧୁଗଣ, ଲୋକେ ଜାଣିଛନ୍ତି ଯେ, ସ୍ୱଚ୍ଛତା ବିଷୟରେ କହିବାର ସୁଯୋଗ ମୁଁ କେବେ ହାତଛଡ଼ା କରେନି । ହୁଏତ ସେଇଥିପାଇଁ ଆମ ‘ମନ୍ କି ବାତ୍’ର ଜଣେ ଶ୍ରୋତା ଶ୍ରୀମାନ ରମେଶ ପଟେଲ ଲେଖିଛନ୍ତି ଯେ, ବାପୁଙ୍କଠାରୁ ଶିଖି ଆମେ ଏହି ସ୍ୱାଧୀନତାର ଅମୃତ ମହୋତ୍ସବ ସମୟରେ ଆର୍ଥିକ ସ୍ୱଚ୍ଛତା ପାଇଁ ମଧ୍ୟ ସଂକଳ୍ପ ଗ୍ରହଣ କରିବା ଉଚିତ । ଶୌଚାଳୟ ନିର୍ମାଣ ଯେଉଁଭଳି ଭାବେ ଗରିବ ଲୋକଙ୍କ ମର୍ଯ୍ୟାଦା ବୃଦ୍ଧି କଲା, ଠିକ ସେହିଭଳି ଆର୍ଥିକ ସ୍ୱଚ୍ଛତା ଗରିବମାନଙ୍କ ଅଧିକାରକୁ ସୁନିଶ୍ଚିତ କରିଥାଏ, ସେମାନଙ୍କ ଜୀବନକୁ ସହଜ କରିଥାଏ । ଆପଣମାନେ ଜାଣିଛନ୍ତି, ଜନଧନ ଖାତାକୁ ନେଇ ଦେଶ ଯେଉଁ ଅଭିଯାନ ଆରମ୍ଭ କରିଛି, ତାହାଦ୍ୱାରା ଆଜି ଗରିବମାନଙ୍କୁ ସେମାନଙ୍କ ଅଧିକାରର ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାରେ ମିଳିଯାଉଛି, ଯାହାଫଳରେ ଦୁର୍ନୀତି ଭଳି ପ୍ରତିବନ୍ଧକ ବହୁମାତ୍ରାରେ ହ୍ରାସ ପାଇଛି । ଏକଥା ସତ ଯେ, ଆର୍ଥିକ ସ୍ୱଚ୍ଛତା କ୍ଷେତ୍ରରେ ଟେକ୍ନୋଲୋଜି ବହୁତ ସାହାଯ୍ୟ କରିପାରେ । ଆଜି ଗ୍ରାମାଂଚଳରେ ମଧ୍ୟ ଫିନ୍-ଟେକ୍ ୟୁପିଆଇ ଦ୍ୱାରା ଡିଜିଟାଲ ନେଣଦେଣ କରିବା ଦିଗରେ ସାଧାରଣ ଲୋକ ଅଗ୍ରସର ହେଲେଣି, ଏହାର ପ୍ରଚଳନ ବୃଦ୍ଧି ପାଇବାରେ ଲାଗିଛି, ଏହା ଆମ ପାଇଁ ଖୁସିର କଥା । ମୁଁ ଆପଣଙ୍କୁ ଗୋଟିଏ ପରିସଂଖ୍ୟାନ କଥା କହୁଛି, ଯାହା ଶୁଣି ଆପଣ ଗର୍ବ ଅନୁଭବ କରିବେ । ଗତବର୍ଷ ଅଗଷ୍ଟ ମାସରେ ୟୁପିଆଇ ମାଧ୍ୟମରେ ୩୫୫ କୋଟି ଟଙ୍କାର ନେଣଦେଣ କାରବାର ହୋଇଥିଲା, କହିବାକୁ ଗଲେ ପ୍ରାୟଃ ୩୫୦ କୋଟିରୁ ଟଙ୍କାରୁ ଅଧିକ । ଏଥିରୁ ସ୍ପଷ୍ଟ ଯେ, କେବଳ ଅଗଷ୍ଟ ମାସରେ ହିଁ ୩୫୦ କୋଟିରୁ ଅଧିକ ଥର ଡିଜିଟାଲ ନେଣଦେଣ ପାଇଁ ୟୁପିଆଇର ବ୍ୟବହାର କରାଯାଇଛି । ଆଜି ହାରାହାରି ୬ ଲକ୍ଷ କୋଟି ଟଙ୍କାରୁ ଅଧିକର ଡିଜିଟାଲ ନେଣଦେଣ କାରବାର ୟୁପିଆଇ ଦ୍ୱାରା ହେଉଛି । ଏହାଦ୍ୱାରା ଦେଶର ଅର୍ଥବ୍ୟବସ୍ଥାରେ ସ୍ୱଚ୍ଛତା ବା ପାରଦର୍ଶିତା ଆସିଛି । ଆମେ ଜାଣିଛୁ ଯେ ଫିନ୍-ଟେକର ଗୁରୁତ୍ୱ ଏବେ ବଢ଼ି ଚାଲିଛି ।

ବନ୍ଧୁଗଣ, ଯେମିତି ବାପୁ ସ୍ୱଚ୍ଛତାକୁ, ସ୍ୱାଧୀନତା ସହିତ ଯୋଡ଼ିଥିଲେ, ସେହିପରି ଖଦିକୁ ମଧ୍ୟ ସ୍ୱାଧୀନତାର ପରିଚୟ କରିଦେଇଥିଲେ । ଆଜି ସ୍ୱାଧୀନତାର ୭୫ତମ ବର୍ଷରେ ଆମେ ଯେତେବେଳେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛୁ, ସେତେବେଳେ ଆମେ ସନ୍ତୁଷ୍ଟି ସହ କହିପାରିବା ଯେ, ସ୍ୱାଧୀନତା ଆନ୍ଦୋଳନ ସମୟରେ ଖଦିର ଯାହା ଗୌରବ ଥିଲା, ଆଜିର ଯୁବପିଢ଼ି ଖଦିକୁ ସେହି ଗୌରବ ପ୍ରଦାନ କରୁଛି । ଆଜି ଖଦି ଓ ହସ୍ତତନ୍ତର ଉତ୍ପାଦନ ଅନେକ ଗୁଣ ବଢ଼ିଛି, ଏବଂ ଏହାର ଚାହିଦା ମଧ୍ୟ ବୃଦ୍ଧି ପାଇଛି । ଆପଣମାନେ ମଧ୍ୟ ଜାଣିଛନ୍ତି ଯେ, ଏଭଳି ଅନେକ ଅବସର ଆସିଛି ଯେବେ ଦିଲ୍ଲୀର ଖଦି ଶୋ-ରୁମରେ ଗୋଟିଏ ଦିନରେ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଖଦି ସାମଗ୍ରୀ ବିକ୍ରି ହୋଇଛି । ମୁଁ ବି ପୁଣିଥରେ ଆପଣମାନଙ୍କୁ ସ୍ମରଣ କରାଇଦେବାକୁ ଚାହୁଁଛି ଯେ, ୨ ଅକ୍ଟୋବର, ପୂଜ୍ୟ ବାପୁଙ୍କ ଜୟନ୍ତୀ ଅବସରରେ ଆମେ ପୁଣିଥରେ ଗୋଟିଏ ନୂତନ ରେକର୍ଡ଼ ସୃଷ୍ଟି କରିବା । ଆପଣ ନିଜ ସହରରେ ଯେଉଁଠି ବି ଖଦି ବିକ୍ରି ହେଉଥିବ, ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ହେଉଥିବ ସେଠାକୁ ଯାଇ ଏହି ସାମଗ୍ରୀ କିଣିବାକୁ ମୋର ଅନୁରୋଧ । ଆଗକୁ ଦୀପାବଳୀ ଆସୁଛି । ପାର୍ବଣ ଋତୁ ପାଇଁ ଖଦି, ହସ୍ତତନ୍ତ ସାମଗ୍ରୀ, କୁଟୀର ଶିଳ୍ପ ସହ ଜଡ଼ିତ ଆପଣଙ୍କ କିଣାକିଣି ଭୋକାଲ୍ ଫର୍ ଲୋକାଲ୍ ଅଭିଯାନକୁ ସୁଦୃଢ଼ କରୁ, ସବୁ ପୁରୁଣା ରେକର୍ଡ଼କୁ ଭାଙ୍ଗିଦେଉ ।

ବନ୍ଧୁଗଣ, ଅମୃତ ମହୋତ୍ସବର ଏହି ସମୟରେ ଦେଶର ସ୍ୱାଧୀନତା ଇତିହାସର ଅଜଣା କଥାକୁ ଜନସାଧାରଣଙ୍କ ନିକଟକୁ ପହଂଚାଇବାର ଗୋଟିଏ ଅଭିଯାନ ମଧ୍ୟ ଚାଲିଛି । ଏଥିପାଇଁ ଉଦୀୟମାନ ଲେଖକମାନଙ୍କୁ, ଦେଶ ଓ ବିଶ୍ୱର ଯୁବବର୍ଗଙ୍କୁ ଆହ୍ୱାନ କରାଯାଇଥିଲା । ଏହି ଅଭିଯାନ ପାଇଁ ଏ ଯାଏ, ୧୩ ହଜାରରୁ ଅଧିକ ବ୍ୟକ୍ତି ନିଜର ପଞ୍ଜିକରଣ କରାଇଛନ୍ତି ଏବଂ ତାହା ପୁଣି ୧୪ଟି ଭିନ୍ନ ଭିନ୍ନ ଭାଷାରେ । ମୋ ପାଇଁ ଖୁସିର କଥା ୨୦ରୁ ଅଧିକ ଦେଶରୁ ଅନେକ ପ୍ରବାସୀ ଭାରତୀୟମାନେ ମଧ୍ୟ ଏହି ଅଭିଯାନ ସହ ଯୋଡ଼ି ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଆଉ ଏକ ବହୁତ ରୋଚକ ସୂଚନା ହେଉଛି ଯେ ପ୍ରାୟ ୫୦୦୦ରୁ ଅଧିକ ନବୋଦିତ ଲେଖକ ସ୍ୱାଧୀନତା ସଂଗ୍ରାମର କାହାଣୀଗୁଡ଼ିକୁ ଅନୁସନ୍ଧାନ କରୁଛନ୍ତି । ସ୍ୱାଧୀନତା ସଂଗ୍ରାମର ଯେଉଁ ଅଜଣା ନାୟକମାନେ ଅଛନ୍ତି, ଯେଉଁମାନେ ଅନାମୀ, ଇତିହାସ ପୃଷ୍ଠାରେ ଯାହାଙ୍କ ନାଁ ଦୃଷ୍ଟିଗୋଚର ହୁଏନାହିଁ, ସେମାନଙ୍କ ଜୀବନ ଉପରେ, ସେମାନଙ୍କ ସହ ଜଡ଼ିତ ଘଟଣାଗୁଡ଼ିକ ଉପରେ କିଛି ଲେଖିବାର କଷ୍ଟ ଉଠାଉଛନ୍ତି ଏହି ନବୋଦିତ ଲେଖକମାନେ । ଅର୍ଥାତ ଦେଶର ଯୁବକଯୁବତୀ ଦୃଢ଼ ନିଷ୍ପତି ନେଇଛନ୍ତି ଯେ ସେମାନେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଇତିହାସକୁ ମଧ୍ୟ ଦେଶ ସମ୍ମୁଖକୁ ଆଣିବେ, ଯେଉଁମାନଙ୍କର ଗତ ୭୫ ବର୍ଷ ମଧ୍ୟରେ କୌଣସି ଆଲୋଚନା ମଧ୍ୟ ହୋଇନାହିଁ । ସମସ୍ତ ଶ୍ରୋତା ତଥା ଶିକ୍ଷା ଜଗତ ସହ ସଂପୃକ୍ତ ସମସ୍ତଙ୍କୁ ମୁଁ କହିବାକୁ ଚାହୁଁଛି ଯେ ଆପଣ ମଧ୍ୟ ଯୁବବର୍ଗଙ୍କୁ ପ୍ରେରିତ କରନ୍ତୁ । ଆପଣ ମଧ୍ୟ ଆଗେଇ ଆସନ୍ତୁ ଏବଂ ମୋର ଦୃଢ଼ ବିଶ୍ୱାସ ଯେ ସ୍ୱାଧୀନତାର ଅମୃତ ମହୋତ୍ସବରେ ଇତିହାସ ଲେଖିବାର କାମ କରୁଥିବା ଲୋକେ ଇତିହାସ ମଧ୍ୟ ତିଆରି କରିବାକୁ ଯାଉଛନ୍ତି ।

ମୋର ପ୍ରିୟ ଦେଶବାସୀଗଣ, ସିୟାଚୀନ ଗ୍ଲେସିୟର୍ ସମ୍ପର୍କରେ ଆମେ ସମସ୍ତେ ଜାଣୁ । ସେଠାକାର ଥଣ୍ଡା ଏପରି ଭୟଙ୍କର ଯେ ସେଠାରେ ରହିବା ସାଧାରଣ ଲୋକଙ୍କ ପକ୍ଷରେ ସମ୍ଭବ ନୁହେଁ । ସୁଦୂର ଅଂଚଳ ପର୍ଯ୍ୟନ୍ତ କେବଳ ବରଫ ଆଉ ବରଫ ଏବଂ ଗଛଲତାର ତ ଚିହ୍ନବର୍ଣ୍ଣ ନ ଥାଏ । ଏଠାକାର ତାପମାତ୍ରା ବିଯୁକ୍ତ ୬୦ ଡିଗ୍ରୀ ପର୍ଯ୍ୟନ୍ତ ମଧ୍ୟ ଯାଇଥାଏ । କିଛିଦିନ ପୂର୍ବରୁ ସିୟାଚୀନର ଏହି ଦୁର୍ଗମ ଅଂଚଳରେ ଏକ ୮ ଜଣିଆ ଦିବ୍ୟାଙ୍ଗ ଦଳ ଯେଉଁ କୃତିତ୍ୱ ଦେଖାଇଛନ୍ତି ତାହା ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଗର୍ବର ବିଷୟ । ଏହି ଦଳ ସିଆଚୀନ ଗ୍ଲେସିୟର ୧୫ ହଜାର ଫୁଟରୁ ମଧ୍ୟ ଅଧିକ ଉଚ୍ଚତାରେ ଅବସ୍ଥିତ ‘କୁମାର ପୋଷ୍ଟ୍’ରେ ପତାକା ଉଡ଼ାଇ ବିଶ୍ୱ ରେକର୍ଡ କରିଛନ୍ତି । ଶାରୀରିକ ଆହ୍ୱାନ ସତ୍ୱେ ମଧ୍ୟ ଆମର ଏହି ଦିବ୍ୟାଙ୍ଗମାନେ ଯେଉଁ କୃତିତ୍ୱ ଅର୍ଜନ କରିଛନ୍ତି, ସେମାନେ ସମଗ୍ର ଦେଶ ପାଇଁ ପ୍ରେରଣା ଏବଂ ଯେତେବେଳେ ଏହି ଦଳର ସଦସ୍ୟଙ୍କ ସମ୍ପର୍କରେ ଜାଣିବେ ତ ଆପଣ ମଧ୍ୟ ମୋ ଭଳି ସାହସ ଆଉ ଉତ୍ସାହରେ ଭରିଯିବେ । ଏହି ସାହସୀ ଦିବ୍ୟାଙ୍ଗମାନଙ୍କ ନାମ ହେଉଛି- ମହେଶ ନେହେରା, ଉତ୍ତରାଖଣ୍ଡର ଅକ୍ଷତ ରାୱତ, ମହାରାଷ୍ଟ୍ରର ପୁଷ୍ପକ ଗୱାଁଡେ, ହରିୟାଣାର ଅଜୟ କୁମାର, ଲଦ୍ଦାଖର ଲୋବ୍ସାଙ୍ଗ୍ ଚୋସ୍ପେଲ୍, ତାମିଲନାଡୁର ମେଜର ଦ୍ୱାରକେଶ, ଜମ୍ମୁ କଶ୍ମୀରର ଇରଫାନ ଅହମଦ ମୀର ଏବଂ ହିମାଚଳ ପ୍ରଦେଶର ଚୋନ୍ଜିନ ଏଙ୍ଗମୋ । ସିଆଚୀନ ଗ୍ଲେସିୟର ବିଜୟର ଏହି ଅପରେସନ ଭାରତୀୟ ସେନାର କେତେକ ସ୍ୱତନ୍ତ୍ର ତାଲିମପ୍ରାପ୍ତ ଅଭିଜ୍ଞଙ୍କ ଯୋଗୁଁ ସଫଳ ହୋଇଛି । ମୁଁ ଏହି ଐତିହାସିକ ଏବଂ ଅଭୂତପୂର୍ବ ଉପଲବ୍ଧି ପାଇଁ ଏହି ଦଳର ପ୍ରଶଂସା କରୁଛି । ଏହା ଆମ ଦେଶବାସୀଙ୍କ ପାଇଁ “କ୍ୟାନ୍ ଡୁ କଲଚର୍” ବା ଆମେ ବି ପାରିବା ସଂସ୍କୃତି, “କ୍ୟାନ୍ ଡୁ ଡିଟରମିନେସନ” ବା କରିପାରିବାର ଦୃଢ଼ତା, “କ୍ୟାନ ଡୁ ଆଟିଚ୍ୟୁଡ” ବା କରି ଦେଖାଇବାର ମନୋବୃତ୍ତି ସହିତ ପ୍ରତ୍ୟେକ ଆହ୍ୱାନର ମୁକାବିଲା କରିବାର ଭାବନାକୁ ମଧ୍ୟ ପ୍ରକଟ କରିଥାଏ ।

ବନ୍ଧୁଗଣ, ଆଜି ଦେଶରେ ଦିବ୍ୟାଙ୍ଗ ଲୋକଙ୍କ କଲ୍ୟାଣ ପାଇଁ ଅନେକ ପ୍ରୟାସ କରାଯାଉଛି । ମୋତେ ଉତ୍ତରପ୍ରଦେଶରେ ହେଉଥିବା ଏପରି ଏକ ପ୍ରୟାସ ୱାନ୍ ଟିଚର୍ ୱାନ୍ କଲ ସମ୍ପର୍କରେ ଜାଣିବାର ସୁଯୋଗ ମିଳିଛି । ବରେଲିରେ ଏହି ନିଆରା ପ୍ରୟାସ ଦିବ୍ୟାଙ୍ଗ ପିଲାଙ୍କୁ ନୂଆ ବାଟ ଦେଖାଉଛି । ଏହି ଅଭିଯାନର ନେତୃତ୍ୱ ନେଉଛନ୍ତି ଡଭୌରା ଗଙ୍ଗାପୁରରେ ଅବସ୍ଥିତ ଏକ ସ୍କୁଲର ଅଧ୍ୟକ୍ଷା ଦୀପମାଲା ପାଣ୍ଡେୟ ଜୀ । କରୋନା କାଳରେ ଏହି ଅଭିଯାନ କାରଣରୁ କେବଳ ଅଧିକ ସଂଖ୍ୟାରେ ପିଲାଙ୍କ ନାମଲେଖା ସମ୍ଭବ ହୋଇପାରିନାହିଁ, ବରଂ ଏହାଦ୍ୱାରା ପ୍ରାୟ ୩୫୦ରୁ ଅଧିକ ଶିକ୍ଷକ ମଧ୍ୟ ସେବାଭାବ ସହ ଯୋଡ଼ି ହୋଇଛନ୍ତି । ଏହି ଶିକ୍ଷକମାନେ ଗାଁ ଗାଁ ଯାଇ ଦିବ୍ୟାଙ୍ଗ ପିଲାଙ୍କୁ ଡାକନ୍ତି, ଖୋଜନ୍ତି ଏବଂ ତା’ପରେ ସେମାନଙ୍କର କୌଣସି ନା କୌଣସି ସ୍କୁଲରେ ନାମଲେଖାକୁ ସୁନିଶ୍ଚିତ କରାନ୍ତି । ଦୀପମାଲା ଜୀ ଏବଂ ସାଥୀ ଶିକ୍ଷକମାନଙ୍କର ଏହି ମହତ୍ ପ୍ରୟାସକୁ ମୁଁ ଭୁରିଭୁରି ପ୍ରଶଂସା କରୁଛି । ଶିକ୍ଷା କ୍ଷେତ୍ରରେ ଏପରି ପ୍ରତ୍ୟେକ ପ୍ରୟାସ ଆମ ଦେଶର ଭବିଷ୍ୟତକୁ ଉଜ୍ଜ୍ୱଳ କରିବ ।

ମୋର ପ୍ରିୟ ଦେଶବାସୀଗଣ, ଆଜି ଆମମାନଙ୍କ ଜୀବନର ଅବସ୍ଥା ଏପରି ହୋଇଛି ଯେ ଗୋଟିଏ ଦିନ ଭିତରେ ଶହଶହ ଥର କରୋନା ଶବ୍ଦ ଆମ କାନରେ ଗୁଞ୍ଜରିତ ହେଉଛି, ଶହେ ବର୍ଷରେ ଆସିଥିବା ସବୁଠୁ ବଡ଼ ବୈଶ୍ୱିକ ମହାମାରୀ କୋଭିଡ-୧୯ ପ୍ରତ୍ୟେକ ଦେଶବାସୀଙ୍କୁ ଅନେକ କିଛି ଶିକ୍ଷା ଦେଇଛି । ସ୍ୱାସ୍ଥ୍ୟସେବା ଓ ସୁସ୍ଥତାକୁ ନେଇ ଆଜି ଜିଜ୍ଞାସା ଏବଂ ସଚେତନତା ମଧ୍ୟ ବଢ଼ିଛି । ଆମ ଦେଶରେ ପାରମ୍ପରିକ ରୂପେ ଏପରି ପ୍ରାକୃତିକ ଜିନିଷ ପ୍ରଚୁର ପରିମାଣରେ ଉପଲବ୍ଧ ଅଛି, ଯାହା ସୁସ୍ଥତା ଅର୍ଥାତ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଜନକ । ଓଡ଼ିଶାର କଳାହାଣ୍ଡିର ନାନ୍ଦୋଲରେ ରହୁଥିବା ପଟାୟତ ସାହୁ ଏ କ୍ଷେତ୍ରରେ ବହୁବର୍ଷ ଧରି ଏକ ଅସାଧାରଣ କାର୍ଯ୍ୟ କରୁଛନ୍ତି । ସେ ଦେଢ଼ ଏକର ଜମିରେ ଔଷଧୀୟ ଗଛ ଲଗାଇଛନ୍ତି । କେବଳ ସେତିକି ନୁହେଁ, ଶ୍ରୀ ସାହୁ ଏହି ଔଷଧୀୟ ଗଛଲତାର ଦସ୍ତାବିଜ ମଧ୍ୟ ପ୍ରସ୍ତୁତ କରିଛନ୍ତି । ମୋତେ ରାଂଚିର ଶ୍ରୀ ସତୀଶ ପତ୍ର ମାଧ୍ୟମରେ ଠିକ୍ ଏମିତି ଆଉ ଏକ ସୂଚନା ଦେଇଛନ୍ତି । ଶ୍ରୀ ସତୀଶ ଝାଡ଼ଖଣ୍ଡର ଏକ ଘିକୁଆଁରୀ ଗ୍ରାମ ପ୍ରତି ମୋର ଦୃଷ୍ଟି ଆକର୍ଷଣ କରାଇଛନ୍ତି । ରାଂଚି ନିକଟସ୍ଥ ଦେୱରୀ ଗାଁର ମହିଳାମାନେ ମଞ୍ଜୁ କଚ୍ଛପଙ୍କ ନେତୃତ୍ୱରେ ବିର୍ସା କୃଷି ବିଦ୍ୟାଳୟରୁ ଘିକୁଆଁରୀ ଚାଷର ତାଲିମ ନେଇଥିଲେ । ଏହାପରେ ସେମାନେ ଘିକୁଆଁରୀ ଚାଷ ଆରମ୍ଭ କଲେ । ଏହି ଚାଷକୁ କେବଳ ସ୍ୱାସ୍ଥ୍ୟକ୍ଷେତ୍ରରେ ଲାଭ ମିଳିଲାନି, ବରଂ ଏହି ମହିଳାମାନଙ୍କର ଆୟ ମଧ୍ୟ ବଢ଼ିଗଲା । କୋଭିଡ ମହାମାରୀ ସମୟରେ ମଧ୍ୟ ସେମାନଙ୍କର ଭଲ ଆୟ ହେଲା । ଏହାର ଏକ ବଡ଼ କାରଣ ଥିଲା ଯେ ସାନିଟାଇଜର୍ ତିଆରି କରୁଥିବା କମ୍ପାନୀମାନେ ସିଧାସଳଖ ଏମାନଙ୍କଠାରୁ ଘିକୁଆଁରୀ କିଣିନେଉଥିଲେ । ବର୍ତ୍ତମାନ ଏହି କାମରେ ପ୍ରାୟ ଚାଳିଶ ଜଣ ମହିଳାଙ୍କ ଦଳ ଲାଗିଛନ୍ତି ଏବଂ ବହୁ ଏକର ଜାଗାରେ ଘିକୁଆଁରୀ ଚାଷ ହେଉଛି । ଓଡ଼ିଶାର ପଟାୟତ ସାହୁ ହୁଅନ୍ତା ବା ଦେୱରିର ମହିଳାମାନଙ୍କ ଏହି ଦଳ, ଏମାନେ ଚାଷକୁ ଯେପରି ସ୍ୱାସ୍ଥ୍ୟକ୍ଷେତ୍ର ସହିତ ଯୋଡ଼ିଛନ୍ତି, ତାହା ସ୍ୱୟଂ ହିଁ ଏକ ଦୃଷ୍ଟାନ୍ତ ।

ବନ୍ଧୁଗଣ, ଆସନ୍ତା ୨ ଅକ୍ଟୋବରରେ ଲାଲାବାହାଦୁର ଶାସ୍ତ୍ରୀଜୀଙ୍କ ଜୟନ୍ତୀ ମଧ୍ୟ ପଡ଼ିବ । ତାଙ୍କ ସ୍ମୃତିରେ ପାଳିତ ଏହି ଦିନ ଆମକୁ କୃଷିକ୍ଷେତ୍ରରେ ନୂଆ ନୂଆ ପ୍ରୟୋଗ କରୁଥିବା ଲୋକମାନଙ୍କ ସମ୍ପର୍କରେ ମଧ୍ୟ ଶିକ୍ଷା ଦେଇଥାଏ । ଔଷଧୀୟ ବୃକ୍ଷ ଚାଷ କ୍ଷେତ୍ରରେ ଷ୍ଟାର୍ଟଅପକୁ ଉତ୍ସାହିତ କରିବା ପାଇଁ ମେଡି-ହବ୍ ଟିବିଆଇ ନାମରେ ଏକ ଇନକ୍ୟୁବେଟର, ଗୁଜରାତର ଆନନ୍ଦରେ କାମ କରୁଛି । ଔଷଧୀୟ ଏବଂ ସୁଗନ୍ଧିତ ଗଛଲତା ସହିତ ସଂପୃକ୍ତ ଏହି ଇନକ୍ୟୁବେଟର ବହୁତ କମ୍ ସମୟରେ ହିଁ ୧୫ ଜଣ ଉଦ୍ୟୋଗୀଙ୍କ ବାଣିଜି୍ୟକ ବିଚାରକୁ ସହାୟତା କରିସାରିଛନ୍ତି । ଏହି ଇନକ୍ୟୁବେଟରର ସାହାଯ୍ୟ ପାଇ ସୁଧା ଚେବ୍ରୋଲୁ ନିଜର ଷ୍ଟାଟ୍ଅପ୍ ଆରମ୍ଭ କରିଛନ୍ତି । ତାଙ୍କ କମ୍ପାନୀରେ ମହିଳାମାନଙ୍କୁ ପ୍ରାଧାନ୍ୟ ଦିଆଯାଏ ଏବଂ ତାଙ୍କ ଉପରେ ଇନ୍ନୋଭେଟିଭ୍ ହର୍ବାଲ୍ ଫର୍ମୁଲେସନ୍ସର ମଧ୍ୟ ଦାୟିତ୍ୱ ଅଛି । ଆଉ ଜଣେ ଉଦ୍ୟୋଗୀ ସୁଭାଶ୍ରୀ, ଯାହାଙ୍କୁ ମଧ୍ୟ ଏହି ଔଷଧୀୟ ଓ ସୁଗନ୍ଧିତ ଗଛଲତାର ଇନକ୍ୟୁବେଟରରୁ ସାହାଯ୍ୟ ମିଳିଛି । ସୁଭାଶ୍ରୀଙ୍କ କମ୍ପାନୀ ହର୍ବାଲ୍ ରୁମ୍ ଏବଂ କାର୍ ଫ୍ରେସ୍ନର୍ କ୍ଷେତ୍ରରେ କାମ କରୁଛି । ସେ ଏକ ହର୍ବାଲ୍ ଟେରେସ୍ ଗାର୍ଡେନ୍ ମଧ୍ୟ ତିଆରି କରିଛନ୍ତି ଯେଉଁଥିରେ ୪୦୦ରୁ ଅଧିକ ଔଷଧୀୟ ଗଛଲତା ରହିଛି ।

ବନ୍ଧୁଗଣ, ପିଲାଙ୍କ ଭିତରେ ଔଷଧୀୟ ଏବଂ ଚେରମୂଳି ବୃକ୍ଷଲତା ପ୍ରତି ସଚେତନତା ବଢ଼ାଇବା ପାଇଁ ଆୟୁଷ ମନ୍ତ୍ରଣାଳୟ ଏକ ରୋଚକ ପ୍ରୟାସ କରିଛି ଏବଂ ଏହାର କଷ୍ଟ ଉଠାଇଛନ୍ତି ଆମର ପ୍ରଫେସର ଆୟୁଷ୍ମାନ । ଆପଣ ଏକଥା ଭାବିପାରନ୍ତି ଯେ ଏହି ପ୍ରଫେସର ଆୟୁଷ୍ମାନ ଜଣକ କିଏ? ପ୍ରକୃତରେ ପ୍ରଫେସର ଆୟୁଷ୍ମାନ ଏକ କୌତୁକ ପୁସ୍ତକର ନାମ । ଏଥିରେ ଭିନ୍ନ ଭିନ୍ନ କାର୍ଟୁନ ଚିତ୍ର ମାଧ୍ୟମରେ ଛୋଟ ଛୋଟ କାହାଣୀମାନ ପ୍ରସ୍ତୁତ କରାଯାଇଛି । ଏଥିସହ ଘିକୁଆଁରୀ, ତୁଳସୀ, ଅଁଳା, ଗୁଳୁଚି, ନିମ୍ବ, ଅଶ୍ୱଗନ୍ଧା ଓ ବ୍ରାହ୍ମୀ ଭଳି ସ୍ୱାସ୍ଥ୍ୟକର ଔଷଧୀୟ ଗଛର ଉପଯୋଗିତା ବିଷୟରେ କୁହାଯାଇଛି ।

ବନ୍ଧୁଗଣ, ବର୍ତ୍ତମାନ ସ୍ଥିତିରେ ଯେଉଁଭଳି ଭାବେ ଔଷଧୀୟ ବୃକ୍ଷ ଓ ଚେରମୂଳି ଉତ୍ପାଦକୁ ନେଇ ସାରା ପୃଥିବୀରେ ଲୋକଙ୍କ ଆଗ୍ରହ ବଢ଼ୁଛି, ସେଥିରେ ଭାରତ ପାଇଁ ଅପାର ସମ୍ଭାବନା ରହିଛି । ବିଗତ ସମୟରେ ଆୟୁର୍ବେଦିକ ଏବଂ ଚେରମୂଳି ଉତ୍ପାଦର ରପ୍ତାନୀରେ ମଧ୍ୟ ବହୁତ ବୃଦ୍ଧି ଦେଖିବାକୁ ମିଳିଛି ।

ମୁଁ ବୈଜ୍ଞାନିକ, ଗବେଷକ ଏବଂ ଷ୍ଟାଟ୍ଅପ୍ର ଦୁନିଆ ସହିତ ସମ୍ପୃକ୍ତ ଲୋକେ ଏପରି ଉତ୍ପାଦ ପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ଚାହୁଁଛି, ଯାହା ଲୋକଙ୍କର ସୁସ୍ଥତା ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ତ ବଢ଼ାଇବ; ଆମର ଚାଷୀ ଏବଂ ଯୁବପିଢ଼ିର ଆୟକୁ ମଧ୍ୟ ବଢ଼ାଇବାରେ ସହାୟତା କରିବ ।

ବନ୍ଧୁଗଣ, ପାରମ୍ପରିକ ଚାଷରୁ ଆଗକୁ ବଢ଼ି କୃଷିରେ ହେଉଥିବା ନୂଆ ପ୍ରୟୋଗ, ନୂଆ ବିକଳ୍ପ କ୍ରମାଗତ ସ୍ୱରୋଜଗାରର ନୂଆ ସାଧନ ତିଆରି କରୁଛି । ପୁଲୱାମାର ଦୁଇଭାଇଙ୍କ କାହାଣୀ ମଧ୍ୟ ଏହାର ଏକ ଉଦାହରଣ । ଜମ୍ମୁ କଶ୍ମୀରର ପୁଲୱାମାରେ ବିଲାଲ ଅହମଦ ଶେଖ ଓ ମୁନୀର ଅହମଦ ଶେଖ ଯେଉଁଭଳି ନିଜ ପାଇଁ ନୂଆ ରାସ୍ତା ଖୋଜିଛନ୍ତି, ତାହା ନିଉ ଇଣ୍ଡିଆର ଏକ ଅନନ୍ୟ ଦୃଷ୍ଟାନ୍ତ । ୩୯ ବର୍ଷୀୟ ବିଲାଲ ଅହମଦ ଉଚ୍ଚଶିକ୍ଷିତ ଏବଂ ସେ ଅନେକ ଡିଗ୍ରୀ ହାସଲ କରିଛନ୍ତି । ଏବେ ସେ କୃଷିର ଏକ ଷ୍ଟାର୍ଟ୍ଅପ୍ ତିଆରି କରି ନିଜର ଉଚ୍ଚଶିକ୍ଷା ସହିତ ସମ୍ପୃକ୍ତ ଅଭିଜ୍ଞତାର ବ୍ୟବହାର କରୁଛନ୍ତି । ବିଲାଲ ନିଜ ଘରେ ହିଁ ଜିଆଖତ ଉତ୍ପାଦନର ଏକ ୟୁନିଟ୍ କରିଛନ୍ତି । ଏହି ୟୁନିଟ୍ରୁ ପ୍ରସ୍ତୁତ ବାୟୋଫର୍ଟିଲାଇଜର୍ ଦ୍ୱାରା କେବଳ ଚାଷରେ ବହୁତ ଲାଭ ହୋଇନାହିଁ, ବରଂ ଏହା ଲୋକଙ୍କ ପାଇଁ ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି କରିଛି । ପ୍ରତ୍ୟେକ ବର୍ଷ ଏହି ଦୁଇଭାଇଙ୍କ ୟୁନିଟରୁ ଚାଷୀମାନଙ୍କୁ ପ୍ରାୟ ତିନି ହଜାର କୁଇଣ୍ଟାଲ୍ ଜିଆଖତ ମିଳିପାରୁଛି । ବର୍ତ୍ତମାନ ତାଙ୍କର ଏହି ଜିଆଖତ ୟୁନିଟରେ ୧୫ ଜଣ ଲୋକ କାମ କରୁଛନ୍ତି । ତାଙ୍କର ଏହି ୟୁନିଟକୁ ଦେଖିବା ପାଇଁ ବହୁ ଲୋକ ଆସୁଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏପରି ଯୁବକ ଯୁବତୀ ଥାଆନ୍ତି ଯେଉଁମାନେ କୃଷିକ୍ଷେତ୍ରରେ କିଛି କରିବାକୁ ଚାହାନ୍ତି । ପୁଲୱାମାର ଶେଖ ଭ୍ରାତାଦ୍ୱୟ ଜବ୍ ସିକର୍ ହେବା ପରିବର୍ତ୍ତେ ଜବ୍ କ୍ରିଏଟର୍ ହେବାର ସଂକଳ୍ପ ନେଲେ ଏବଂ ଆଜି ସେମାନେ କେବଳ ଜମ୍ମୁ କଶ୍ମୀର ନୁହେଁ, ବରଂ ସମଗ୍ର ଦେଶର ଲୋକଙ୍କୁ ନୂଆ ରାସ୍ତା ଦେଖାଉଛନ୍ତି ।

ମୋର ପ୍ରିୟ ଦେଶବାସୀଗଣ, ୨୫ ସେପ୍ଟେମ୍ବରରେ ଦେଶର ମହାନ ସନ୍ତାନ ପଣ୍ଡିତ ଦୀନଦୟାଲ୍ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ ହୋଇଥାଏ । ଦୀନଦୟାଲ୍ ଉପାଧ୍ୟାୟ, ବିଗତ ଶତାବ୍ଦୀର ଜଣେ ବଡ଼ ଚିନ୍ତାନାୟକ ଥିଲେ । ତାଙ୍କର ଅର୍ଥ-ଦର୍ଶନ, ସମାଜକୁ ସଶକ୍ତ କରିବା ପାଇଁ ତାଙ୍କର ନୀତି, ସେ ଦେଖାଇଥିବା ଅନ୍ତ୍ୟୋଦୟର ମାର୍ଗ ଆଜି ମଧ୍ୟ ଯେତିକି ପ୍ରାସଙ୍ଗିକ, ସେତିକି ପ୍ରେରଣାଦାୟକ । ତିନିବର୍ଷ ତଳେ ୨୫ ସେପ୍ଟେମ୍ବରରେ ତାଙ୍କର ଜୟନ୍ତୀରେ ହିଁ ପୃଥିବୀର ସବୁଠୁ ବଡ଼ ସ୍ୱାସ୍ଥ୍ୟବୀମା ଯୋଜନା ‘ଆୟୁଷ୍ମାନ ଭାରତ’ କାର୍ଯ୍ୟକାରୀ କରାଯାଇଥିଲା । ଆଜି ଦେଶର ଦୁଇ-ଅଢ଼େଇ କୋଟିରୁ ଅଧିକ ଗରିବଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ଡାକ୍ତରଖାନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳୁଛି । ଗରିବଙ୍କ ପାଇଁ ଏତେ ବଡ଼ ଯୋଜନା ପଣ୍ଡିତ ଦୀନଦୟାଲଙ୍କ ଅନ୍ତ୍ୟୋଦୟ ଦର୍ଶନ ପ୍ରତି ହିଁ ସମର୍ପିତ । ବର୍ତ୍ତମାନ ଯୁବପିଢ଼ି ଯଦି ତାଙ୍କର ମୂଲ୍ୟବୋଧ ଓ ଆଦର୍ଶକୁ ନିଜ ଜୀବନରେ ପ୍ରୟୋଗ କରିବେ ତେବେ ସେମାନଙ୍କର ବହୁତ କାମରେ ଆସିବ । ଥରେ ଲକ୍ଷ୍ନୌରେ ପଣ୍ଡିତ ଦୀନଦୟାଲ କହିଥିଲେ- “କେତେ ଭଲ ଭଲ କଥା, ଭଲ ଭଲ ଗୁଣ ଅଛି- ଏସବୁ ଆମକୁ ସମାଜରୁ ହିଁ ତ ପ୍ରାପ୍ତ ହୋଇଥାଏ । ଆମକୁ ସମାଜର ଋଣ ଶୁଝିବାର ଅଛି, ଏପରି ବିଚାର କରିବା ଆବଶ୍ୟକ ।” ଅର୍ଥାତ ପଣ୍ଡିତ ଦୀନଦୟାଲ ଶିକ୍ଷା ଦେଇଛନ୍ତି ଯେ ଆମେ ସମାଜରୁ, ଦେଶରୁ ଏତେ ଜିନିଷ ଗ୍ରହଣ କରନ୍ତି, ଯାହା କିଛି ବି ଅଛି ତାହା ଦେଶ ଯୋଗୁଁ ହିଁ ତ ଅଛି; ତେଣୁ ଦେଶର ଋଣ କିପରି ଶୁଝିବା, ଏ ସମ୍ପର୍କରେ ଭାବିବା ଉଚିତ । ଏହା ଆଜିର ଯୁବପିଢ଼ି ପାଇଁ ବହୁତ ବଡ଼ ସନ୍ଦେଶ ।

ବନ୍ଧୁଗଣ, ପଣ୍ଡିତ ଦୀନଦୟାଲଙ୍କ ଜୀବନରୁ କେବେ ପରାଜୟକୁ ସ୍ୱୀକାର ନ କରିବାର ଶିକ୍ଷା ମଧ୍ୟ ଆମକୁ ମିଳିଥାଏ । ବିପରୀତ ରାଜନୈତିକ ଏବଂ ବୈଚାରିକ ପରିସ୍ଥିତି ସତ୍ୱେ ଭାରତର ବିକାଶ ପାଇଁ ସ୍ୱଦେଶୀ ଢାଂଚାର ଦର୍ଶନରୁ ସେ କେବେ ଓହରି ଯାଇନଥିଲେ । ଆଜି ବହୁତ ଯୁବକ ଯୁବତୀ ଚିରାଚରିତ ରାସ୍ତାକୁ ନ ଆପଣାଇ ଆଗକୁ ବଢ଼ିବାକୁ ଚାହୁଁଛନ୍ତି । ସେମାନେ ନିଜ ଢଙ୍ଗରେ ସବୁ କଥାକୁ କରିବାକୁ ଚାହୁଁଛନ୍ତି । ପଣ୍ଡିତ ଦୀନଦୟାଲଙ୍କ ଜୀବନରୁ ସେମାନଙ୍କୁ ବହୁତ ସହାୟତା ମିଳିପାରିବ । ସେଥିପାଇଁ ସେମାନେ ତାଙ୍କ ସମ୍ପର୍କରେ ନିଶ୍ଚୟ ଜାଣନ୍ତୁ ବୋଲି ମୁଁ ଚାହେଁ ।

ମୋର ପ୍ରିୟ ଦେଶବାସୀଗଣ, ଆମେ ଆଜି ବହୁତ ବିଷୟରେ ଆଲୋଚନା କଲେ । ଯେପରିକି ଆମେ କଥା ମଧ୍ୟ ହେଉଥିଲେ ଯେ ଆଗାମୀ ସମୟ ହେଉଛି ପାର୍ବଣର । ସମଗ୍ର ଦେଶ ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟ ପର୍ବ ମଧ୍ୟ ପାଳନ କରିବାକୁ ଯାଉଛି । କିନ୍ତୁ ଏହି ଉତ୍ସବ ଭିତରେ ଆମକୁ ଆଉ ଏକ ଲଢ଼େଇ ବିଷୟରେ ମନେ ରଖିବାକୁ ପଡ଼ିବ- ତାହାହେଲା ଦେଶର କରୋନା ସହିତ ଲଢ଼େଇ । ଟିମ୍ଇଣ୍ଡିଆ ଏହି ଲଢ଼େଇରେ ପ୍ରତିଦିନ ନୂଆ ରେକର୍ଡ କରୁଛି । ଟିକାକରଣରେ ଦେଶ ଏମିତି କିଛି ରେକର୍ଡ କରିଛି, ଯାହା ସମ୍ପର୍କରେ ସମଗ୍ର ପୃଥିବୀରେ ଆଲୋଚନା ହେଉଛି । ଏହି ଲଢ଼େଇରେ ପ୍ରତ୍ୟେକ ଭାରତବାସୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ନିଜ ପାଳି ଆସିଲେ ଆମେ ସମସ୍ତେ ନିଶ୍ଚିତ ଭାବେ ଟିକା ତ ନେବା, ଏହି କଥା ଉପରେ ମଧ୍ୟ ଧ୍ୟାନ ଦେବା ଯେ ଅନ୍ୟ କେହି ଏହି ସୁରକ୍ଷାଚକ୍ର ଭିତରୁ ବାଦ୍ ନ ପଡ଼େ । ନିଜ ଆଖପାଖରେ ଥିବା କାହାକୁ ଯଦି ଟିକା ଦିଆଯାଇନାହିଁ ତାଙ୍କୁ ମଧ୍ୟ ଟିକାକରଣ କେନ୍ଦ୍ର ପର୍ଯ୍ୟନ୍ତ ନେବାର ଅଛି । ଟିକା ନେବାପରେ ମଧ୍ୟ ଜରୁରୀ ମାର୍ଗଦର୍ଶିକାର ପାଳନ କରିବାକୁ ହେବ । ମୋର ଆଶା ଯେ ଏହି ଲଢ଼େଇରେ ପୁଣିଥରେ ଟିମ୍ ଇଣ୍ଡିଆ ନିଜର ବିଜୟବାନା ଉଡ଼ାଇବ । ଆମେ ଆସନ୍ତା ଥର ଆଉ କିଛି ବିଷୟ ଉପରେ ‘ମନ୍ କୀ ବାତ୍’ କରିବା । ଆପଣ ସମସ୍ତଙ୍କୁ, ପ୍ରତ୍ୟେକ ଦେଶବାସୀଙ୍କୁ ପାର୍ବଣର ବହୁତ ବହୁତ ଶୁଭକାମନା ।

ଧନ୍ୟବାଦ ।

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year

Media Coverage

One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 17, 2026
July 17, 2026

Green Trains, Private Rockets & Global Partnerships — PM Modi’s New India is Playing to Win