400 ବିଲିୟନ ଡଲାରର ସାମଗ୍ରୀ ରପ୍ତାନି ଭାରତର ସାମର୍ଥ୍ୟକୁ ଦର୍ଶାଏ: ପ୍ରଧାନମନ୍ତ୍ରୀ ମୋଦୀ
ଗତ ଏକ ବର୍ଷ ମଧ୍ୟରେ ଜିଇଏମ ପୋର୍ଟାଲ ମାଧ୍ୟମରେ ସରକାର ଏକ ଲକ୍ଷ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଜିନିଷ କିଣିଛନ୍ତି: ପ୍ରଧାନମନ୍ତ୍ରୀ
126 ବର୍ଷ ବୟସ୍କ ବାବା ଶିବାନନ୍ଦଙ୍କ ଫିଟନେସ୍ ସମସ୍ତଙ୍କ ପାଇଁ ପ୍ରେରଣା: ମନ୍ କୀ ବାତ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ
ସମଗ୍ର ବିଶ୍ୱରେ ଭାରତର ଯୋଗ ଏବଂ ଆୟୁର୍ବେଦ ଟ୍ରେଣ୍ଡିଂ ହେଉଛି : ପ୍ରଧାନମନ୍ତ୍ରୀ ମୋଦୀ
ଜଳ ସଞ୍ଚୟ ପାଇଁ ଆମକୁ ସମସ୍ତ ପ୍ରୟାସ କରିବାକୁ ପଡିବ: ମନ୍ କୀ ବାତ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ
ପିଲାମାନେ ସ୍ୱଚ୍ଛତାକୁ ଏକ ଆନ୍ଦୋଳନ ଭାବରେ ଗ୍ରହଣ କରିଥିଲେ, ସେମାନେ 'ୱାଟର ୱାରିୟର୍ସ' ହୋଇ ଜଳ ସଞ୍ଚୟ କରିବାରେ ସାହାଯ୍ୟ କରିପାରିବେ : ପ୍ରଧାନମନ୍ତ୍ରୀ
ମହାତ୍ମା ଫୁଲେ, ସାବିତ୍ରୀବାଇ ଫୁଲେ, ବାବାସାହେବ ଆମ୍ବେଦକରଙ୍କଠାରୁ ପ୍ରେରଣା ନେଇ ମୁଁ ସମସ୍ତ ପିତାମାତା ଏବଂ ଅଭିଭାବକଙ୍କୁ ସେମାନଙ୍କ ଝିଅମାନଙ୍କୁ ଶିକ୍ଷିତ କରିବାକୁ ଅନୁରୋଧ କରୁଛି: ପ୍ରଧାନମନ୍ତ୍ରୀ

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଗତ ସପ୍ତାହରେ ଆମେ ଏଭଳି ଗୋଟିଏ ଉପଲବ୍ଧି ହାସଲ କଲୁ, ଯାହା ଆମ ସମସ୍ତଙ୍କୁ ଗର୍ବରେ ପରିପୂର୍ଣ୍ଣ କରିଦେଲା । ଆପଣ ଶୁଣିଥିବେ ଯେ, ଭାରତ ଗତ ସପ୍ତାହରେ ୪୦୦ ବିଲିୟନ୍, ଅର୍ଥାତ, ୩୦ ଲକ୍ଷ କୋଟି ଟଙ୍କାର ରପ୍ତାନୀ ଲକ୍ଷ୍ୟ ହାସଲ କରିଛି । ପ୍ରଥମ ଦୃଷ୍ଟିରେ ଏହା ଅର୍ଥନୀତି ସହ ଜଡ଼ିତ ଖବର ପରି ମନେହୁଏ, କିନ୍ତୁ ଏହା ଅର୍ଥନୀତିଠାରୁ ବଳି ଭାରତର ସାମର୍ଥ୍ୟ, ଭାରତର ଦକ୍ଷତା ସହ ଜଡ଼ିତ । ଏକଦା ଭାରତରୁ ରପ୍ତାନୀ କାରବାର ୧୦୦ ବିଲିୟନ, ଦେଢ଼ ଶହ ବିଲିୟନ ଆଉ ବେଳେବେଳେ ୨୦୦ ବିଲିୟନ ପର୍ଯ୍ୟନ୍ତ ହେଉଥିଲା । ଆଜି ଭାରତ ୪୦୦ ବିଲିୟନ ଡଲାର ଯାଏଁ ପହଂଚିଯାଇଛି । ଏହାର ଗୋଟିଏ ଅର୍ଥ ହେଲା ଯେ, ସାରା ବିଶ୍ୱରେ ଭାରତରେ ନିର୍ମିତ ଦ୍ରବ୍ୟଗୁଡ଼ିକର ଚାହିଦା ବଢ଼ିଚାଲିଛି । ଅନ୍ୟ ଅର୍ଥଟି ହେଲା, ଭାରତର ସପ୍ଲାଏ ଚେନ୍ ଦିନକୁ ଦିନ ଆହୁରି ସୁଦୃଢ଼ ହୋଇଚାଲିଛି ଏବଂ ଏହାର ଆଉ ଗୋଟିଏ ବହୁତ ବଡ଼ ବାର୍ତ୍ତା ମଧ୍ୟ ରହିଛି । ଦେଶ ସେତିକିବେଳ ବିରାଟ ପଦକ୍ଷେପ ଗ୍ରହଣ କରେ, ଯେତେବେଳେ ସଂକଳ୍ପ ସ୍ୱପ୍ନଠାରୁ ବିଶାଳ ହୋଇଥାଏ । ସେହି ସଂକଳ୍ପକୁ ନେଇ ଯେତେବେଳେ ରାତିଦିନ ନିଷ୍ଠାର ସହିତ ଉଦ୍ୟମ କରାଯାଇଥାଏ, ସେତେବେଳେ ସେହି ସଂକଳ୍ପ ସାକାର ମଧ୍ୟ ହୋଇଥାଏ । ଆପଣ ଲକ୍ଷ୍ୟ କରିଥିବେ ଯେ ବ୍ୟକ୍ତିର ଜୀବନରେ ମଧ୍ୟ ଏହାହିଁ ଘଟିଥାଏ । ଯଦି ଜଣକର ସଂକଳ୍ପ, ତା’ର ପ୍ରଚେଷ୍ଟା, ତା’ର ସ୍ୱପ୍ନ ଠାରୁ ବି ବଡ଼ ହୋଇଯାଏ, ତାହେଲେ ସଫଳତା ସ୍ୱୟଂ ତା’ ପାଖକୁ ଚାଲିଆସେ ।

ବନ୍ଧୁଗଣ, ଦେଶର କୋଣ-ଅନୁକୋଣରୁ ନୂଆ ନୂଆ ଉତ୍ପାଦ ବିଦେଶକୁ ରପ୍ତାନୀ ହେଉଛି । ଆସାମର ହଇଲାକାଣ୍ଡିର ଚମଡ଼ା ନିର୍ମିତ ବସ୍ତୁଗୁଡ଼ିକ ହେଉ କି ଉସ୍ମାନାବାଦର ହସ୍ତତନ୍ତ ସାମଗ୍ରୀ, ବିଜାପୁରର ଫଳ ଓ ପନିପରିବା ହେଉ ବା ଚାନ୍ଦୋଲିର କଳା ଚାଉଳ – ଏସବୁର ରପ୍ତାନୀ ବୃଦ୍ଧି ପାଇଚାଲିଛି । ଏବେ ଆପଣଙ୍କୁ ଲଦ୍ଦାଖର ବିଶ୍ୱପ୍ରସିଦ୍ଧ ଆପ୍ରିକଟ୍ ଦୁବାଇରେ ବି ମିଳିବ, ଆଉ ସାଉଦି ଆରବରେ ତାମିଲନାଡ଼ୁରୁ ପଠାଯାଇଥିବା କଦଳୀ ମିଳିବ । ଏବେ ସବୁଠାରୁ ବଡ଼ କଥା ହେଲା ଯେ, ନୂଆ ନୂଆ ଦ୍ରବ୍ୟ ନୂଆ ନୂଆ ଦେଶମାନଙ୍କୁ ପଠାଯାଉଛି । ଯେମିତିକି ହିମାଚଳ, ଉତ୍ତରାଖଣ୍ଡରେ ମିଲେଟ୍ ପ୍ରଥମ ପର୍ଯ୍ୟାୟରେ ଡେନମାର୍କକୁ ରପ୍ତାନୀ କରାଯାଇଛି । ଆନ୍ଧ୍ରପ୍ରଦେଶର କୃଷ୍ଣା ଓ ଚିତୁର ଜିଲ୍ଲାର ବାଇଗଣପଲି ଓ ସୁବର୍ଣ୍ଣରେଖା ଆମ୍ବ ଦକ୍ଷିଣ କୋରିଆକୁ ରପ୍ତାନୀ କରାଯାଇଛି । ତ୍ରିପୁରାରୁ ତାଜା ପଣସ, ବାୟୁମାର୍ଗରେ ଲଣ୍ଡନ ରପ୍ତାନୀ କରାଯାଇଛି । ଏସବୁକୁ ଛାଡ଼ିଦେଲେ ନାଗାଲାଣ୍ଡର ରାଜାଲଙ୍କା ମଧ୍ୟ ଲଣ୍ଡନ ପଠାଯାଇଛି । ସେହିଭଳି ଭାଲିଆ ଗହମର ପ୍ରଥମ ଖେପ ଗୁଜରାଟରୁ କେନିଆ ଓ ଶ୍ରୀଲଙ୍କା ରପ୍ତାନୀ କରାଯାଇଛି । ମାନେ ଏବେ ଆପଣ ଅନ୍ୟ ଦେଶମାନଙ୍କୁ ଗଲେ, ଏବେ ସେଠାରେ ମେଡ୍ ଇନ୍ ଇଣ୍ଡିଆ ପ୍ରଡକ୍ଟ ପୂର୍ବାପେକ୍ଷା ବହୁଳ ମାତ୍ରାରେ ଦେଖାଯିବ । 

ବନ୍ଧୁଗଣ, ଏହି ସୂଚୀ ବହୁତ ଲମ୍ବା, ଆଉ ଏ ସୂଚୀ ଯେତେ ଲମ୍ବା, ସେତିକି ବଳଶାଳୀ ହେଉଛି ମେକ୍ ଇନ୍ ଇଣ୍ଡିଆର ଶକ୍ତି । ସେତିକି ବିଶାଳ ହେଉଛି ଭାରତର ସାମର୍ଥ୍ୟ, ଆଉ ସାମର୍ଥ୍ୟର ଆଧାର ହେଉଛନ୍ତି ଆମ ଚାଷୀ, ଆମ କାରିଗର, ଆମ ବୁଣାଳୀ, ଆମ ଇଞ୍ଜିନିୟର, ଆମ କ୍ଷୁଦ୍ରଶିଳ୍ପ ଉଦ୍ୟୋଗୀ, ଆମ ଏମ୍.ଏସ୍.ଏମ୍.ଇ ସେକ୍ଟର, ଭିନ୍ନ ଭିନ୍ନ ବୃତ୍ତିଧାରୀ ଅନେକ ଲୋକ, ଏମାନେ ହିଁ ହେଉଛନ୍ତି ଏହା ପଛରେ ରହିଥିବା ପ୍ରକୃତ ଶକ୍ତି । ଏମାନଙ୍କ ପରିଶ୍ରମ ଯୋଗୁଁ ହିଁ ୪୦୦ ବିଲିୟନ ଡଲାରର ରପ୍ତାନୀ ଲକ୍ଷ୍ୟ ହାସଲ ହୋଇପାରିଛି । ଭାରତର ଲୋକଙ୍କ ଏହି ସାମର୍ଥ୍ୟ, ବିଶ୍ୱର କୋଣ ଅନୁକୋଣର ନୂଆ ନୂଆ ବଜାରକୁ ଏହା ପହଂଚିପାରୁଥିବାରୁ ମୋତେ ଖୁସି ଲାଗୁଛି । ଯେତେବେଳେ ଜଣେ ଜଣେ ଭାରତବାସୀ ଲୋକାଲ୍ ପାଇଁ ଭୋକାଲ୍ ହୁଅନ୍ତି, ସେତେବେଳେ ଲୋକାଲକୁ ଗ୍ଲୋବାଲ୍ ହେବାରେ ସମୟ ଲାଗେନି । ଆସନ୍ତୁ, ଲୋକାଲକୁ ଗ୍ଲୋବାଲ କରିବା ଏବଂ ଆମ ଉତ୍ପାଦନର ଗରିମାକୁ ଆହୁରି ବୃଦ୍ଧି କରିବା ।

ବନ୍ଧୁଗଣ, ‘ମନ କି ବାତ୍’ର ଶ୍ରୋତାମାନେ ଏକଥା ଜାଣି ଖୁସି ହେବେ ଯେ, ଘରୋଇ ସ୍ତରରେ ମଧ୍ୟ ଆମର କ୍ଷୁଦ୍ର ଶିଳ୍ପ ଉଦ୍ୟୋଗୀମାନଙ୍କ ସଫଳତା ଆମକୁ ଗର୍ବରେ ଭରିଦେବ । ଆଜି ଆମ କ୍ଷୁଦ୍ର ଶିଳ୍ପ ଉଦ୍ୟୋଗୀମାନେ ସରକାରୀ କ୍ରୟରେ ଗଭର୍ମେଣ୍ଟ ଇ-ମାର୍କେଟ୍ ପ୍ଲେସ୍ ବା ଜିଇଏମ୍ ମାଧ୍ୟମରେ ଗୋଟିଏ ବଡ଼ ଭୂମିକା ନିର୍ବାହ କରୁଛନ୍ତି । ଟେକ୍ନୋଲୋଜି ଦ୍ୱାରା ଗୋଟିଏ ଖୁବ୍ ସ୍ୱଚ୍ଛ ପ୍ରଣାଳୀ ବିକଶିତ କରାଯାଇଛି । ଗତ ଏକବର୍ଷ ମଧ୍ୟରେ ଜିଇଏମ୍ ପୋର୍ଟାଲ ମାଧ୍ୟମରେ ସରକାର ଏକ ଲକ୍ଷ କୋଟି ଟଙ୍କାରୁ ଅଧିକର ଜିନିଷ କ୍ରୟ କରିଛନ୍ତି । ଦେଶର କୋଣ ଅନୁକୋଣରୁ ପ୍ରାୟଃ ଏକ ଲକ୍ଷ ପଚିଶ ହଜାର ଲଘୁ ଶିଳ୍ପ ଉଦ୍ୟୋଗୀ, ଛୋଟ ବ୍ୟବସାୟୀ ନିଜ ନିଜ ଦ୍ରବ୍ୟ ସିଧାସଳଖ ସରକାରଙ୍କୁ ବିକ୍ରି କରିଛନ୍ତି । ଦିନ ଥିଲା, ଯେତେବେଳେ କେବଳ ବଡ଼ କମ୍ପାନୀମାନେ ହିଁ ସରକାରଙ୍କୁ ଦ୍ରବ୍ୟ ବିକ୍ରି କରିପାରୁଥିଲେ । କିନ୍ତୁ ଏବେ ଦେଶ ବଦଳୁଛି, ପୁରୁଣା ପ୍ରଣାଳୀ ମଧ୍ୟ ଏବେ ବଦଳୁଛି । ଏବେ କ୍ଷୁଦ୍ରାତିକ୍ଷୁଦ୍ର ବ୍ୟବସାୟୀ ମଧ୍ୟ ଜିଇଏମ୍ ପୋର୍ଟାଲରେ ସରକାରଙ୍କୁ ନିଜ ଦ୍ରବ୍ୟ ବିକ୍ରି କରିପାରିବେ - ଏହାହିଁ ତ ନୂଆ ଭାରତ । ଏହା କେବଳ ଯେ ବଡ଼ ସ୍ୱପ୍ନ ଦେଖାଏ ତାହା ନୁହେଁ, ବରଂ ସେହି ଲକ୍ଷ୍ୟ ଯାଏ ପହଂଚିବାର ସାହସ ମଧ୍ୟ ଦେଖାଏ, ଯେଉଁଠି ଆଗରୁ କେହି ପହଂଚିନାହାନ୍ତି । ଏହି ସାହସକୁ ଭରସା କରି ଆମେ ସମସ୍ତେ ଭାରତୀୟ ମିଶି ଆତ୍ମନିର୍ଭର ଭାରତର ସ୍ୱପ୍ନ ମଧ୍ୟ ନିଶ୍ଚୟ ପୂରଣ କରିବା ।

ମୋର ପ୍ରିୟ ଦେଶବାସୀଗଣ, ନିକଟ ଅତୀତରେ ଅନୁଷ୍ଠିତ ପଦ୍ମ ସମ୍ମାନ ପ୍ରଦାନ ଉତ୍ସବରେ ଆପଣମାନେ ବାବା ଶିବାନନ୍ଦଙ୍କୁ ନିଶ୍ଚୟ ଦେଖିଥିବେ । ୧୨୬ ବର୍ଷ ବୟସର ସେହି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ଶରୀରର ସ୍ଫୁର୍ତୀ ଦେଖିଲେ ମୋ ଭଳି ଯେ କେହି ବି ଆଶ୍ଚର୍ଯ୍ୟଚକିତ ହୋଇଥିବେ । ମୁଁ ଲକ୍ଷ୍ୟ କଲି ଯେ ଆଖି ପିଛୁଳାକେ ସେ ନନ୍ଦୀ ମୁଦ୍ରାରେ ପ୍ରଣାମ କଲେ । ମୁଁ ମଧ୍ୟ ବାବା ଶିବାନନ୍ଦଙ୍କୁ ନତମସ୍ତକ ହୋଇ ବାରମ୍ବାର ପ୍ରଣାମ କଲି । ୧୨୬ ବର୍ଷର ଆୟୁ ଏବଂ ତାଙ୍କର ଫିଟନେସ ଉଭୟ ଆଜି ସାରା ଦେଶରେ ଚର୍ଚ୍ଚାର ବିଷୟ । ସାମାଜିକ ଗଣମାଧ୍ୟମରେ ମୁଁ ଅନେକ ଲୋକଙ୍କ ମତାମତ ଦେଖିଲି ଯେ, ବାବା ଶିବାନନ୍ଦଙ୍କ ବୟସର ଚାରିଭାଗରୁ କମ୍ ବୟସ୍କଙ୍କ ଅପେକ୍ଷା ସେ ଅଧିକ ଫିଟ୍ । ପ୍ରକୃତରେ, ବାବା ଶିବାନନ୍ଦଙ୍କ ଜୀବନ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ । ମୁଁ ତାଙ୍କ ଦୀର୍ଘ ଜୀବନର କାମନା କରୁଛି । ତାଙ୍କଠାରେ ଯୋଗ ପ୍ରତି ଗୋଟିଏ ଅନୁରକ୍ତି ରହିଛି ଏବଂ ସେ ଖୁବ୍ ସ୍ୱାସ୍ଥ୍ୟପ୍ରଦ ଜୀବନଶୈଳୀ ଆପଣାଇଛନ୍ତି ।

ଜୀବେମ ଶରଦଃ ଶତମ୍ ।

ଆମ ସଂସ୍କୃତିରେ ସମସ୍ତଙ୍କୁ ଶହେ ବର୍ଷର ସୁସ୍ଥ ଜୀବନ ପାଇଁ ଶୁଭେଚ୍ଛା ଦିଆଯାଇଥାଏ । ଏପ୍ରିଲ ୭ ତାରିଖ ଦିନ ଆମେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରିବା । ଆଜି ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟକୁ ନେଇ ଭାରତୀୟ ଚିନ୍ତନ - ଯୋଗ ଏବଂ ଆୟୁର୍ବେଦ ପ୍ରତି ଆକର୍ଷଣ ବୃଦ୍ଧି ପାଇଚାଲିଛି । ଆପଣମାନେ ଲକ୍ଷ୍ୟ କରିଥିବେ ଯେ, ଗତ ସପ୍ତାହରେ ହିଁ, କାତାରଠାରେ ଗୋଟିଏ ଯୋଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସେଥିରେ ୧୧୪ଟି ଦେଶର ନାଗରିକମାନେ ଅଂଶଗ୍ରହଣ କରି ଗୋଟିଏ ନୂତନ ବିଶ୍ୱରେକର୍ଡ଼ ପ୍ରତିଷ୍ଠା କରିଦେଲେ । ସେହିଭଳି ଆୟୁଷ ଶିଳ୍ପର ବଜାର ମଧ୍ୟ କ୍ରମାଗତ ଭାବେ ବଢ଼ିଚାଲିଛି । ୬ ବର୍ଷ ପୂର୍ବେ ଆୟୁର୍ବେଦ ସହିତ ଜଡ଼ିତ ଔଷଧଗୁଡ଼ିକର ବଜାର ୨୨ ହଜାର କୋଟି ଟଙ୍କା ପାଖାପାଖି ଥିଲା । ଆଜି ଆୟୁଷ ନିର୍ମାଣ ଶିଳ୍ପ ପ୍ରାୟଃ ଏକ ଲକ୍ଷ ଚାଳିଶ ହଜାର କୋଟି ଟଙ୍କା ଯାଏ ବୃଦ୍ଧି ପାଇସାରିଲାଣି । ଅର୍ଥାତ୍ ଏହି କ୍ଷେତ୍ରରେ ସମ୍ଭାବନା କ୍ରମାଗତ ଭାବେ ବଢ଼ିଚାଲିଛି । ଷ୍ଟାର୍ଟ ଅପ୍ ଦୁନିଆରେ ମଧ୍ୟ ଆୟୁଷ ଆକର୍ଷଣର ବିଷୟ ପାଲଟିଗଲାଣି ।  

ବନ୍ଧୁଗଣ, ସ୍ୱାସ୍ଥ୍ୟକ୍ଷେତ୍ରର ଅନ୍ୟ ଷ୍ଟାର୍ଟ-ଅପଗୁଡ଼ିକ ବିଷୟରେ ତ ମୁଁ ଆଗରୁ ମଧ୍ୟ ଅନେକ ଥର କହିସାରିଛି, କିନ୍ତୁ ଏଥର ଆୟୁଷ ଷ୍ଟାର୍ଟ-ଅପ୍ ଉପରେ ଆପଣଙ୍କ ସହିତ ବିଶେଷ ଭାବେ କଥା ହେବି । ଗୋଟିଏ ଷ୍ଟାର୍ଟ-ଅପ୍ ଅଛି, ଯାହାର ନାଁ ହେଉଛି କପିୱା । ଏହାର ନାଁ ରେ ହିଁ ଲୁଚି ରହିଛି ଏହାର ଅର୍ଥ । ଏଥିରେ କ’ ର ଅର୍ଥ ହେଉଛି କଫ, ପି’ ର ଅର୍ଥ ପିତ ଓ ବା’ ହେଉଛି ବାତ । ଏହି ଷ୍ଟାର୍ଟ-ଅପ୍ ଆମ ପରମ୍ପରା ଅନୁସାରେ ସୁସ୍ଥ ଖାଦ୍ୟାଭ୍ୟାସ ଉପରେ ଆଧାରିତ । ଆଉ ଗୋଟିଏ ଷ୍ଟାର୍ଟ-ଅପ୍ ହେଉଛି ନିରୋଗ ଷ୍ଟି୍ରଟ୍ ଯାହା ଆୟୁର୍ବେଦୀୟ ହେଲଥକେୟାର ଇକୋସିଷ୍ଟମର ଗୋଟିଏ ଅନନ୍ୟ ଚିନ୍ତାଧାରା । ପ୍ରଯୁକ୍ତିବିଦ୍ୟା ଆଧାରିତ ଏହି ମଂଚ ସାରା ବିଶ୍ୱର ଆୟୁର୍ବେଦ ଚିକିତ୍ସକଙ୍କୁ ସିଧାସଳଖ ଭାବେ ଲୋକଙ୍କ ସହିତ ଯୋଡ଼ିପାରୁଛି । ୫୦ ହଜାରରୁ ଅଧିକ ଚିକିତ୍ସକ ଏହା ସହ ଜଡ଼ିତ । ଏହିପରି ଆତ୍ରେୟ ଇନ୍ନୋଭେସନ୍ସ ହେଉଛି ଗୋଟିଏ ହେଲଥକେୟାର ଟେକ୍ନୋଲଜି ଷ୍ଟାର୍ଟ-ଅପ୍ ଯାହା ସାମଗ୍ରିକ ଉତ୍ତମ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ । ଇକ୍ଜୋରିୟଲ କେବଳ ଯେ ଅଶ୍ୱଗନ୍ଧାର ବ୍ୟବହାର ସମ୍ପର୍କରେ ସଚେତନତାକୁ ବ୍ୟାପକ କରିଛି ତାହା ନୁହେଁ, ବରଂ ଉତ୍ତମ ଗୁଣର ଉତ୍ପାଦନ ପ୍ରକ୍ରିୟା ଉପରେ ମଧ୍ୟ ବହୁ ପରିମାଣରେ ବିନିଯୋଗ କରିଛି । କ୍ୟୋରବେଦ ଚେରମୂଳି ଉପରେ ଆଧୁନିକ ଗବେଷଣା ଓ ପାରମ୍ପରିକ ଜ୍ଞାନର ସଂଗମରୁ ହୋଲିଷ୍ଟିକ ଲାଇଫ୍ ପାଇଁ ଡାଏଟାରୀ ସପ୍ଲିମେଣ୍ଟ ତିଆରି କରିଛି ।

ବନ୍ଧୁଗଣ, ମୁଁ ମାତ୍ର ଅଳ୍ପ କିଛି ନାଁ ଧରିଛି । ଏହି ସୂଚୀ ବହୁତ ଲମ୍ବା । ଏହା ଭାରତର ଯୁବ ଉଦ୍ୟୋଗୀ ଏବଂ ଭାରତରେ ସୃଷ୍ଟି ହେଉଥିବା ନୂତନ ସମ୍ଭାବନାର ପ୍ରତୀକ । ସ୍ୱାସ୍ଥ୍ୟକ୍ଷେତ୍ରର ଷ୍ଟାର୍ଟ-ଅପ୍ ଏବଂ ବିଶେଷକରି ଆୟୁଷ ଷ୍ଟାର୍ଟ-ଅପମାନଙ୍କୁ ମୋର ବିଶେଷ ଅନୁରୋଧ ରହିଛି ଯେ, ଅନଲାଇନରେ ଆପଣ ଯେଉଁ ପୋର୍ଟାଲ ବିକଶିତ କରୁଛନ୍ତି, ଯାହା କିଛି କଂଟେଂଟ ପ୍ରସ୍ତୁତ କରୁଛନ୍ତି, ତାହାକୁ ମିଳିତ ଜାତିସଂଘ ଦ୍ୱାରା ମାନ୍ୟତା ଦିଆଯାଇଥିବା ସମସ୍ତ ଭାଷାରେ ତିଆରି କରିବାକୁ ଚେଷ୍ଟା କରନ୍ତୁ । ବିଶ୍ୱରେ ଏଭଳି ଅନେକ ଦେଶ ରହିଛି, ଯେଉଁଠି ଇଂରାଜୀକୁ ଲୋକ କମ୍ ବୁଝନ୍ତି ଓ କମ୍ ବ୍ୟବହାର କରନ୍ତି । ଏଭଳି ଦେଶଗୁଡ଼ିକୁ ମଧ୍ୟ ଆଖି ଆଗରେ ରଖି ନିଜ ସୂଚନାର ପ୍ରଚାର କରନ୍ତୁ । ଭାରତର ଆୟୁଷ ଷ୍ଟାର୍ଟ-ଅପ୍ ଉତ୍ତମ ଗୁଣମାନର ଉତ୍ପାଦନ ସହିତ ସାରା ବିଶ୍ୱ ଉପରେ ଖୁବ କମ୍ ସମୟରେ ଆଧିପତ୍ୟ ବିସ୍ତାର କରିନେବ ବୋଲି ମୋର ବିଶ୍ୱାସ ।

ବନ୍ଧୁଗଣ, ସ୍ୱାସ୍ଥ୍ୟର ସମ୍ପର୍କ ସିଧାସଳଖ ଭାବେ ସ୍ୱଚ୍ଛତା ସହିତ ମଧ୍ୟ ଜଡ଼ିତ । ‘ମନ୍ କି ବାତ୍’ରେ ମୁଁ ସବୁବେଳେ ସ୍ୱଚ୍ଛତା ପ୍ରତି ଆଗ୍ରହୀ ବ୍ୟକ୍ତିମାନଙ୍କର ପ୍ରଚେଷ୍ଟା କଥା ନିଶ୍ଚୟ କହିଥାଏ । ଏହିଭଳି ଜଣେ ସ୍ୱଚ୍ଛାଗ୍ରହୀ ହେଲେ ଚନ୍ଦ୍ରକିଶୋର ପାଟିଲ୍ । ସେ ମହାରାଷ୍ଟ୍ରର ନାସିକଠାରେ ରହନ୍ତି । ସ୍ୱଚ୍ଛତାକୁ ନେଇ ଚନ୍ଦ୍ରକିଶୋରଙ୍କ ସଂକଳ୍ପ ବହୁତ ବଡ଼ । ସେ ଗୋଦାବରୀ ନଦୀ ପାଖରେ ଠିଆ ହୁଅନ୍ତି ଏବଂ ଅନବରତ ଭାବେ ଲୋକମାନଙ୍କୁ ନଦୀରେ ଅଳିଆ ଆବର୍ଜନା ନ ପକାଇବା ପାଇଁ ପ୍ରେରିତ କରନ୍ତି । କେହି ତାଙ୍କୁ ସେଭଳି କାର୍ଯ୍ୟ କରୁଥିବା ଦୃଷ୍ଟିଗୋଚର ହେଲେ ସେ ତୁରନ୍ତ ତାକୁ ମନା କରନ୍ତି । ଏହି କାମରେ ଚନ୍ଦ୍ରକିଶୋର ନିଜର ବହୁତ ସମୟ ଖର୍ଚ୍ଚ କରନ୍ତି । ସନ୍ଧ୍ୟା ସୁଦ୍ଧା ତାଙ୍କ ପାଖରେ ଏଭଳି ପଦାର୍ଥଗୁଡ଼ିକ ଗଦା ହୋଇଯାଏ, ଯାହାସବୁ ଲୋକେ ନଦୀରେ ପକାଇବାକୁ ଆଣିଥାନ୍ତି । ଚନ୍ଦ୍ରକିଶୋରଙ୍କ ଏହି ପ୍ରଚେଷ୍ଟା ସଚେତନତା ସୃଷ୍ଟି କରିବା ସହ ପ୍ରେରଣା ମଧ୍ୟ ଯୋଗାଉଛି । ଏହିଭଳି ଆଉ ଜଣେ ସ୍ୱଚ୍ଛାଗ୍ରହୀ ହେଲେ ଓଡ଼ିଶାର ପୁରୀ ନିବାସୀ ରାହୁଲ ମହାରଣା । ରାହୁଲ ପ୍ରତି ରବିବାର ସକାଳୁ ସକାଳୁ ପୁରୀରେ ତୀର୍ଥ ସ୍ଥଳଗୁଡ଼ିକୁ ଯାଆନ୍ତି ଓ ସେଠାରେ ପଡ଼ିଥିବା ପ୍ଲାଷ୍ଟିକ ଆବର୍ଜନାଗୁଡ଼ିକୁ ସଫା କରିଥାନ୍ତି । ଏଯାବତ୍ ସେ ଶହ ଶହ କିଲୋ ପ୍ଲାଷ୍ଟିକ ଆବର୍ଜନା ସଫା କରିସାରିଲେଣି । ପୁରୀର ରାହୁଲ ହୁଅନ୍ତୁ ବା ନାସିକର ଚନ୍ଦ୍ରକିଶୋର, ଏମାନେ ଆମ ସମସ୍ତଙ୍କୁ ବହୁତ କିଛି ଶିଖାଉଛନ୍ତି । ନାଗରିକ ହିସାବରେ ଆମେ ଆମ କର୍ତ୍ତବ୍ୟ ପାଳନ କରିବା, ସ୍ୱଚ୍ଛତାକୁ ନେଇ ହେଉ, ପୋଷଣକୁ ନେଇ ହେଉ, ବା ଟିକାକରଣ ସମ୍ପର୍କରେ ହେଉ, ଏହି ସମସ୍ତ ପ୍ରଚେଷ୍ଟା ଦ୍ୱାରା ମଧ୍ୟ ସୁସ୍ଥ ରହିବାରେ ସହାୟତା ମିଳିଥାଏ ।

ମୋର ପ୍ରିୟ ଦେଶବାସୀଗଣ, ଆସନ୍ତୁ କେରଳର ମୁପଟ୍ଟମ ଶ୍ରୀ ନାରାୟଣନଙ୍କ ସମ୍ପର୍କରେ କଥା ହେବା । ସେ ଏକ ପ୍ରକଳ୍ପ ଆରମ୍ଭ କରିଛନ୍ତି, ଯାହାର ନାମ ‘ପଟ୍ସ ଫର୍ ୱାଟର ଅଫ୍ ଲାଇଫ୍’ । ଆପଣ ଯେତେବେଳେ ଏହି ପ୍ରକଳ୍ପ ସମ୍ପର୍କରେ ଜାଣିବେ, ତେବେ ଭାବିବେ ଯେ କି ଚମତ୍କାର କାର୍ଯ୍ୟ ସେ କରିଛନ୍ତି ।

ବନ୍ଧୁଗଣ, ମୁପଟ୍ଟମ ଶ୍ରୀ ନାରାୟଣନ, ଖରାଦିନେ ପଶୁପକ୍ଷୀଙ୍କୁ ଯେପରି ପାଣିର ସମସ୍ୟା ନ ହୁଏ, ସେଥିପାଇଁ ମାଟିପାତ୍ର ବାଣ୍ଟିବାର ଅଭିଯାନ ଚଳାଇଛନ୍ତି । ଗରମରେ ସେ ପଶୁପକ୍ଷୀଙ୍କ ଏହି ସମସ୍ୟାକୁ ଦେଖି ନିଜେ ବି ବିବ୍ରତ ହୋଇଉଠୁଥିଲେ । ପୁଣି ସେ ଭାବିଲେ ଯେ ସେ ନିଜେ କାହିଁକି ମାଟିପାତ୍ର ନ ବାଣ୍ଟିବେ, ଯେପରିକି ଅନ୍ୟମାନଙ୍କ ପାଖରେ କେବଳ ସେହି ପାତ୍ରରେ ପାଣି ଭରିବାର କାମ ରହିବ । ଆପଣ ଆଶ୍ଚର୍ଯ୍ୟ ହେବେ ଯେ ନାରାୟଣନଙ୍କ ଦ୍ୱାରା ବଣ୍ଟାଯାଇଥିବା ପାତ୍ରର ସଂଖ୍ୟା ଏକ ଲକ୍ଷରୁ ଅଧିକ ହେବାକୁ ଯାଉଛି । ନିଜ ଅଭିଯାନରେ ସେ ଲକ୍ଷେତମ ପାତ୍ର ଗାନ୍ଧିଜୀଙ୍କ ଦ୍ୱାରା ସ୍ଥାପିତ ସାବରମତୀ ଆଶ୍ରମକୁ ଦାନ କରିବେ । ଆଜି ଯେତେବେଳେ ଗ୍ରୀଷ୍ମଋତୁ ଆରମ୍ଭ ହୋଇଯାଇଛି, ନାରାୟଣନଙ୍କ ଏହି କାମ ଆମ ସମସ୍ତଙ୍କୁ ନିଶ୍ଚୟ ପ୍ରେରଣା ଯୋଗାଇବ ଏବଂ ଆମେ ମଧ୍ୟ ଏହି ଖରାଦିନେ ଆମର ପଶୁପକ୍ଷୀ ବନ୍ଧୁଙ୍କ ପାଇଁ ପାଣିର ବ୍ୟବସ୍ଥା କରିବା ।

ବନ୍ଧୁଗଣ, ମୁଁ ‘ମନ୍ କୀ ବାତ୍’ର ଶ୍ରୋତାମାନଙ୍କୁ କହିବାକୁ ଚାହୁଁଛି ଯେ ଆମେ ନିଜର ସଙ୍କଳ୍ପକୁ ପୁଣିଥରେ ଦୋହରାଇବା । ପାଣିର ଗୋଟିଏ ଗୋଟିଏ ବୁନ୍ଦା ବଂଚାଇବା ପାଇଁ ଆମକୁ ଯାହା ବି କରିବାକୁ ପଡ଼ିବ, ତାହା ନିଶ୍ଚିତ ଭାବେ ଆମେ କରିବା ଉଚିତ । ଏହାଛଡ଼ା ପାଣିର ରିସାଇକ୍ଲିଂ ଉପରେ ମଧ୍ୟ ଆମେ ସେତିକି ହିଁ ଗୁରୁତ୍ୱ ଦେବା । ଘରେ ବ୍ୟବହାର କରାଯାଉଥିବା ପାଣି ଯାହାକି ମାଟିପାତ୍ରରେ କାମ ଆସିପାରେ, ବଗିଚା କାମରେ ବ୍ୟବହାର କରାଯାଇପାରେ, ତାକୁ ନିଶ୍ଚିତ ଭାବେ ପୁଣିଥରେ ବ୍ୟବହାର କରାଯିବା ଆବଶ୍ୟକ । ସାମାନ୍ୟ ପ୍ରୟାସ କଲେ ଆପଣ ନିଜ ଘରେ ଏପରି ବ୍ୟବସ୍ଥା ତିଆରି କରିପାରିବେ । କେଇ ଶତାବ୍ଦୀ ତଳେ ରହିମଦାସ କିଛି ଉଦ୍ଦେଶ୍ୟ ନେଇ କହିଯାଇଛନ୍ତି ଯେ ‘ରହିମନ ପାନି ରଖିଏ, ବିନ୍ ପାନି ସବ୍ ସୁନ୍’ ଏବଂ ପାଣି ବଂଚାଇବାର ଏହି କାମରେ ପିଲାମାନଙ୍କଠାରୁ ମୁଁ ବହୁତ ଆଶା ରଖିଛି । ସ୍ୱଚ୍ଛତାକୁ ଯେପରି ଆମର ପିଲାଏ ଆନ୍ଦୋଳନରେ ପରିଣତ କରିଛନ୍ତି, ସେହିପରି ସେମାନେ ‘ଜଳଯୋଦ୍ଧା’ ହୋଇ ପାଣି ବଂଚାଇବାରେ ସାହାଯ୍ୟ କରିପାରିବେ ।

ବନ୍ଧୁଗଣ, ଆମ ଦେଶରେ ଜଳ ସଂରକ୍ଷଣ, ଜଳସ୍ରୋତର ସୁରକ୍ଷା କେଉଁ ଯୁଗରୁ ସମାଜ ସ୍ୱଭାବର ଅଂଗ ହୋଇ ରହିଛି । ମତେ ଖୁସି ଲାଗୁଛି ଯେ ଦେଶର ବହୁତ ଲୋକ ଜଳ ସଂରକ୍ଷଣକୁ ନିଜ ଜୀବନର ଏକ ମିଶନରେ ପରିଣତ କରିଦେଇଛନ୍ତି । ଏହିପରି ଜଣେ ବ୍ୟକ୍ତି ହେଉଛନ୍ତି ଚେନ୍ନାଇର ଅରୁଣ କୃଷ୍ଣମୂର୍ତ୍ତି । ଅରୁଣ ନିଜ ଅଂଚଳର ପୋଖରୀ ଓ ହ୍ରଦକୁ ସଫା କରିବା ଅଭିଯାନ ଚଳାଇଛନ୍ତି । ସେ ୧୫୦ରୁ ଅଧିକ ପୋଖରୀ-ହ୍ରଦକୁ ସଫାସୁତୁରା କରିବାର ଦାୟିତ୍ୱ ନେଇ ସଫଳତାର ସହ ତାକୁ ପୂର୍ଣ୍ଣ କରିଛନ୍ତି । ସେହିପରି ମହାରାଷ୍ଟ୍ରର ଜଣେ ସାଥୀ ହେଉଛନ୍ତି ରୋହନ କାଲେ । ରୋହନ ପେସାରେ ଜଣେ ଏଚ୍ଆର୍ ପ୍ରଫେସନାଲ୍ । ସେ ମହାରାଷ୍ଟ୍ରର ଶହ ଶହ ଷ୍ଟେପୱେଲ୍ ଅର୍ଥାତ ପାହାଚ ଥିବା ପୁରୁଣା କୂଅର ସଂରକ୍ଷଣ ପାଇଁ ଅଭିଯାନ ଚଳାଇଛନ୍ତି । ଏଥିମଧ୍ୟରୁ କେତେକ କୂଅ ତ ଶହ ଶହ ବର୍ଷ ପୁରୁଣା ଏବଂ ଆମ ଐତିହ୍ୟର ଅଂଗ । ସିକନ୍ଦରାବାଦର ‘ବଂଶୀଲାଲ-ପେଟ୍ କୂଅ’ ଏହିପରି ଏକ ପାହାଚ ଥିବା କୂଅ । ବର୍ଷବର୍ଷ ଧରି ଉପେକ୍ଷା କାରଣରୁ ଏହି ପାହାଚଥିବା କୂଅ ମାଟି ଓ ଆବର୍ଜନାରେ ପୋତି ହୋଇପଡ଼ିଥିଲା । କିନ୍ତୁ ଏବେ ସେଠାରେ ଏହି ପାହାଚଥିବା କୂଅକୁ ପୁନର୍ଜୀବିତ କରିବାର ଅଭିଯାନ ଜନଭାଗୀଦାରିତାରେ ଆରମ୍ଭ ହୋଇଛି । 

ବନ୍ଧୁଗଣ, ମୁଁ ତ ସେହି ରାଜ୍ୟରୁ ଆସିଛି ଯେଉଁଠି ପାଣିର ଅଭାବ ସବୁବେଳେ ରହିଥାଏ । ଗୁଜରାତରେ ଏହି ଷ୍ଟେପୱେଲସ୍ ବା ପାହାଚଥିବା କୂଅକୁ ୱାଓ କହନ୍ତି । ଗୁଜରାତ ଭଳି ରାଜ୍ୟରେ ୱାଓର ବଡ଼ ଭୂମିକା ରହିଆସିଛି । ଏହି କୂଅ ବା ୱାଓଗୁଡିକର ସଂରକ୍ଷଣ ପାଇଁ ‘ଜଳ ମନ୍ଦିର ଯୋଜନା’ ବହୁତ ବଡ଼ ଭୂମିକା ତୁଲାଇଛି । ସମଗ୍ର ଗୁଜରାତରେ ଅନେକ ୱାଓକୁ ପୁନର୍ଜୀବିତ କରାଯାଇଛି । ଏହାଦ୍ୱାରା ଏହି ଅଂଚଳରେ ଜଳସ୍ତରକୁ ବଢ଼ାଇବାରେ ମଧ୍ୟ ବହୁତ ସହାୟତା ମିଳିଛି । ଏପରି ଅଭିଯାନକୁ ଆପଣ ମଧ୍ୟ ସ୍ଥାନୀୟ ସ୍ତରରେ ଚଳାଇପାରିବେ । ଚେକ୍ଡ୍ୟାମ୍ ନିର୍ମାଣ ହେଉ, ରେନ୍ ୱାଟର ହାର୍ଭେଷ୍ଟିଂ ହେଉ, ଏସବୁଥିରେ ବ୍ୟକ୍ତିଗତ ପ୍ରୟାସ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଏବଂ ସାମୂହିକ ପ୍ରଚେଷ୍ଟା ମଧ୍ୟ ଜରୁରୀ । ଯେପରିକି ସ୍ୱାଧୀନତାର ଅମୃତ ମହୋତ୍ସବରେ ଆମ ଦେଶର ପ୍ରତି ଜିଲାରେ ଅନ୍ତତଃ ୭୫ଟି ସରୋବର ତିଆରି କରାଯାଇପାରିବ । କେତେକ ପୁରୁଣା ସରୋବରକୁ ପୁନର୍ଜୀବିତ କରାଯାଇପାରିବ, କେତେକ ନୂଆ ସରୋବର ତିଆରି କରାଯାଇପାରିବ । ମୋର ବିଶ୍ୱାସ ଯେ ଆପଣମାନେ ଏ ଦିଗରେ ନିଶ୍ଚୟ କିଛି ନା କିଛି ପ୍ରୟାସ କରିବେ । 

ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କୀ ବାତ୍’ର ଆଉ ଏକ ସୁନ୍ଦର କଥା ହେଉଛି ବହୁତ ଭାଷାରେ ଏବଂ ଉପଭାଷାରେ ମୋ ପାଖକୁ ବାର୍ତ୍ତାମାନ ଆସିଥାଏ । କେତେକ ଲୋକ ମାଇଁଗଭରେ ଅଡିଓ ମେସେଜ୍ ମଧ୍ୟ ପଠାନ୍ତି । ଭାରତର ସଂସ୍କୃତି, ଆମର ଭାଷା, ଆମର ଉପଭାଷା, ଆମର ଚାଲିଚଳଣ, ଖାଦ୍ୟପେୟର ବିସ୍ତାର, ଏସବୁ ବିବିଧତା ଆମର ବହୁତ ବଡ଼ ଶକ୍ତି । ପୂର୍ବରୁ ପଶ୍ଚିମ ଯାଏ, ଉତ୍ତରରୁ ଦକ୍ଷିଣ ଯାଏ ଏହି ବିବିଧତା ଭାରତକୁ ଏକାଠି କରି ରଖେ, ଏକ୍ ଭାରତ - ଶ୍ରେଷ୍ଠ ଭାରତରେ ପରିଣତ କରେ । ଏଥିରେ ମଧ୍ୟ ଆମର ଐତିହାସିକ ସ୍ଥଳ ଓ ପୌରାଣିକ କାହାଣୀ, ଉଭୟର ବହୁତ ଯୋଗଦାନ ରହିଛି । ଆପଣ ଭାବୁଥିବେ ଯେ ଏକଥା ମୁଁ ଆପଣଙ୍କୁ ଏବେ କାହିଁକି କହୁଛି । ଏହାର କାରଣ ହେଉଛି “ମାଧବପୁର ମେଳା” । ମାଧବପୁର ମେଳା କେଉଁଠି ହୁଏ, କାହିଁକି ହୁଏ, କିପରି ଏହା ଭାରତର ବିବିଧତା ସହିତ ସଂପୃକ୍ତ, ଏସବୁ ଜାଣିବା ‘ମନ୍ କୀ ବାତ୍’ର ଶ୍ରୋତାଙ୍କୁ ବେଶ୍ ମଜାଦାର ଲାଗିବ ।

ବନ୍ଧୁଗଣ, ଗୁଜରାତର ପୋରବନ୍ଦରରେ ସମୁଦ୍ର ନିକଟସ୍ଥ ମାଧବପୁର ଗାଁରେ ‘ମାଧବପୁର ମେଳା’ ଅନୁଷ୍ଠିତ ହୁଏ । କିନ୍ତୁ ଏଥିସହ ଭାରତର ପୂର୍ବଦିଗ ସହିତ ମଧ୍ୟ ସମ୍ପର୍କ ଯୋଡ଼ି ହୋଇଛି । ଆପଣ ଭାବୁଥିବେ ଯେ ଏହା କିପରି ସମ୍ଭବ? ଏହାର ଉତ୍ତର ଏକ ପୌରାଣିକ କାହାଣୀରେ ମିଳିଥାଏ । କୁହାଯାଏ ଯେ ହଜାର ହଜାର ବର୍ଷ ପୂର୍ବେ ଭଗବାନ ଶ୍ରୀକୃଷ୍ଣଙ୍କ ବିବାହ ଉତ୍ତର ପୂର୍ବର ରାଜକୁମାରୀ ରୁକ୍ମିଣୀଙ୍କ ସାଂଗେ ହୋଇଥିଲା । ଏହି ବିବାହ ପୋରବନ୍ଦରର ମାଧବପୁରରେ ସଂପନ୍ନ ହୋଇଥିଲା ଏବଂ ସେହି ବିବାହର ପ୍ରତୀକ ରୂପେ ଆଜି ମଧ୍ୟ ସେଠାରେ ମାଧବପୁର ମେଳା ହୁଏ । ପୂର୍ବ ଓ ପଶ୍ଚିମର ଏହି ଗଭୀର ସମ୍ପର୍କ ଆମର ଐତିହ୍ୟ । ସମୟର ପ୍ରବାହରେ ଏବେ ଲୋକଙ୍କ ପ୍ରୟାସରେ ମାଧବପୁର ମେଳାରେ ନୂଆ ନୂଆ କଥା ମଧ୍ୟ ଯୋଡ଼ି ହେଉଛି । ଆମର ଏଠି କନ୍ୟାପକ୍ଷଙ୍କୁ ଘରାତି କହନ୍ତି ଓ ଏହି ମେଳାରେ ଏବେ ଉତ୍ତର ପୂର୍ବରୁ ବହୁତ ଘରାତି ମଧ୍ୟ ଆସୁଛନ୍ତି । ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଚାଲୁଥିବା ମାଧବପୁର ମେଳାରେ ଉତ୍ତର ପୂର୍ବର ସବୁ ରାଜ୍ୟର କଳାକାର ଆସନ୍ତି, ହସ୍ତକଳା ସହିତ ସଂପୃକ୍ତ କଳାକାର ଆସନ୍ତି ଏବଂ ଏହି ମେଳାର ସୌନ୍ଦର୍ଯ୍ୟ ଆହୁରି ବଢ଼ିଯାଏ । ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଭାରତର ପୂର୍ବ ଓ ପଶ୍ଚିମ ସଂସ୍କୃତିର ଏହି ସଂଯୋଗ, ଏହି ମାଧବପୁର ମେଳା, ଏକ ଭାରତ-ଶ୍ରେଷ୍ଠ ଭାରତର ବହୁତ ସୁନ୍ଦର ଉଦାହରଣ ହୋଇପାରିଛି । ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି ଯେ ଆପଣ ମଧ୍ୟ ଏହି ମେଳା ବିଷୟରେ ପଢ଼ନ୍ତୁ ଏବଂ ଜାଣନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ, ଦେଶରେ ସ୍ୱାଧୀନତାର ଅମୃତ ମହୋତ୍ସବ ଏବେ ଜନସହଭାଗୀତାର ଏକ ନୂଆ ଦୃଷ୍ଟାନ୍ତ ପାଲଟିଛି । କିଛିଦିନ ତଳେ ୨୩ ମାର୍ଚ୍ଚରେ ସହିଦ ଦିବସ ଅବସରରେ ଦେଶର କୋଣ ଅନୁକୋଣରେ ଅନେକ ସମାରୋହ ଆୟୋଜିତ ହୋଇଥିଲା । ଦେଶ ନିଜର ସ୍ୱାଧୀନତାର ନାୟକ-ନାୟିକାଙ୍କୁ ସ୍ମରଣ କଲା, ଶ୍ରଦ୍ଧାର ସହ ମନେପକାଇଲା । ଏହି ଦିନ ମୋତେ କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ବିପ୍ଲବୀ ଭାରତ ଗ୍ୟାଲେରୀ ଲୋକାର୍ପିତ କରିବାକୁ ମଧ୍ୟ ସୁଯୋଗ ମିଳିଥିଲା । ଭାରତର ବୀର ବିପ୍ଳବୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ଏହା ସ୍ୱୟଂ ବହୁତ ବଡ଼ ଅନନ୍ୟ ଗ୍ୟାଲେରୀ । ଯଦି ସୁଯୋଗ ମିଳେ, ତେବେ ଆପଣ ଏହାକୁ ନିଶ୍ଚୟ ଦେଖିବାକୁ ଯାଆନ୍ତୁ । ବନ୍ଧୁଗଣ, ଏପ୍ରିଲ ମାସରେ ଆମେ ଦୁଇ ମହାପୁରୁଷଙ୍କ ଜୟନ୍ତୀ ମଧ୍ୟ ପାଳନ କରିବା । ଏହି ଦୁଇଜଣ ହିଁ ଭାରତୀୟ ସମାଜକୁ ଗଭୀର ଭାବେ ପ୍ରଭାବିତ କରିଛନ୍ତି । ଏହି ମହାପୁରୁଷ ହେଲେ ମହାତ୍ମା ଫୁଲେ ଏବଂ ବାବାସାହେବ ଆମ୍ବେଦକର । ମହାତ୍ମା ଫୁଲେଙ୍କ ଜୟନ୍ତୀ ୧୧ ଏପ୍ରିଲରେ ଏବଂ ବାବାସାହେବଙ୍କ ଜୟନ୍ତୀ ଆମେ ୧୪ ଏପ୍ରିଲରେ ପାଳନ କରିବା । ଏହି ମହାପୁରୁଷ ଦ୍ୱୟ ଭେଦଭାବ ଓ ଅସମାନତା ବିରୋଧରେ ବଡ଼ ଲଢ଼େଇ ଲଢ଼ିଥିଲେ । ମହାତ୍ମା ଫୁଲେ ସେହି ସମୟରେ ଝିଅମାନଙ୍କ ପାଇଁ ବିଦ୍ୟାଳୟ ଖୋଲିଥିଲେ, କନ୍ୟା ଶିଶୁ ହତ୍ୟା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ସେ ଜଳ-ସଙ୍କଟରୁ ମୁକ୍ତି ଦେବା ପାଇଁ ମଧ୍ୟ ବଡ଼ ଅଭିଯାନ ଚଳାଇଥିଲେ ।

ବନ୍ଧୁଗଣ, ମହାତ୍ମା ଫୁଲେଙ୍କ ଏହି ଆଲୋଚନାରେ ସାବିତ୍ରୀବାଇ ଫୁଲେଙ୍କ ଉଲ୍ଲେଖ କରିବା ମଧ୍ୟ ଖୁବ୍ ଜରୁରୀ । ସାବିତ୍ରୀବାଇ ଫୁଲେ ଅନେକ ସାମାଜିକ ସଂସ୍ଥା ପ୍ରତିଷ୍ଠା କରିବାରେ ମୁଖ୍ୟ ଭୂମିକା ତୁଲାଇଥିଲେ । ଜଣେ ଶିକ୍ଷୟିତ୍ରୀ ଏବଂ ସମାଜ ସଂସ୍କାରକ ଭାବେ ସେ ସମାଜକୁ ସଚେତନ ମଧ୍ୟ କରିଥିଲେ ଏବଂ ତା’ର ସାହସ ମଧ୍ୟ ବଢ଼ାଇଥିଲେ । ଉଭୟେ ମିଶି ସତ୍ୟଶୋଧକ ସମାଜ ପ୍ରତିଷ୍ଠା କରିଥିଲେ । ପ୍ରତ୍ୟେକ ବ୍ୟକ୍ତିଙ୍କ ସଶକ୍ତୀକରଣର ପ୍ରୟାସ କରିଥିଲେ । ବାବାସାହେବ ଆମ୍ବେଦକରଙ୍କ କାର୍ଯ୍ୟରେ ମଧ୍ୟ ଆମେ ମହାତ୍ମା ଫୁଲେଙ୍କ ପ୍ରଭାବ ସ୍ପଷ୍ଟ ଦେଖିପାରୁ । ସେ କହୁଥିଲେ ଯେକୌଣସି ସମାଜର ବିକାଶର ଆକଳନ ସେହି ସମାଜର ମହିଳାମାନଙ୍କ ସ୍ଥିତିକୁ ଦେଖି କରାଯାଇପାରିବ । ମହାତ୍ମା ଫୁଲେ, ସାବିତ୍ରୀବାଇ ଫୁଲେ, ବାବାସାହେବ ଆମ୍ବେଦକରଙ୍କ ଜୀବନରୁ ପ୍ରେରଣା ନେଇ ମୁଁ ସମସ୍ତ ପିତାମାତା ଓ ଅଭିଭାବକଙ୍କୁ ଅନୁରୋଧ କରୁଛି ଯେ ସେମାନେ ଝିଅମାନଙ୍କୁ ନିଶ୍ଚିତ ପଢ଼ାନ୍ତୁ । ବିଦ୍ୟାଳୟରେ ଝିଅମାନଙ୍କର ଅଧିକ ସଂଖ୍ୟାରେ ନାମ ଲେଖାଇବା ପାଇଁ କିଛିଦିନ ତଳେ କନ୍ୟା ଶିକ୍ଷା ପ୍ରବେଶ ଉତ୍ସବ ମଧ୍ୟ ଆରମ୍ଭ କରାଯାଇଛି । କୌଣସି କାରଣରୁ ଯେଉଁ ଝିଅମାନଙ୍କର ଅଧାରେ ପାଠପଢ଼ା ଅଟକିଯାଇଛି, ସେମାନଙ୍କୁ ପୁଣିଥରେ ବିଦ୍ୟାଳୟକୁ ଆଣିବା ଉପରେ ଗୁରୁତ୍ୱ ଦିଆଯାଉଛି ।

ବନ୍ଧୁଗଣ, ଆମ ସମସ୍ତଙ୍କ ପାଇଁ ସୌଭାଗ୍ୟର କଥା ଯେ ଆମକୁ ବାବାସାହେବଙ୍କ ସହ ସଂପୃକ୍ତ ପଂଚତୀର୍ଥ ପାଇଁ କାର୍ଯ୍ୟ କରିବାର ସୁଯୋଗ ମଧ୍ୟ ମିଳିଛି । ତାଙ୍କ ଜନ୍ମସ୍ଥାନ ମହୁ ହେଉ, ମୁମ୍ବାଇର ଚୈତ୍ୟଭୂମି ହେଉ, ଲଣ୍ଡନରେ ଥିବା ତାଙ୍କ ଘର ହେଉ, ନାଗପୁରର ଦୀକ୍ଷାଭୂମି ହେଉ ବା ଦିଲ୍ଲୀରେ ଅବସ୍ଥିତ ବାବାସାହେବଙ୍କ ମହା-ପରିନିର୍ବାଣ ସ୍ଥଳ, ମୋତେ ସବୁ ସ୍ଥାନରେ, ସବୁ ତୀର୍ଥସ୍ଥାନକୁ ଯିବାର ସୌଭାଗ୍ୟ ମିଳିଛି । ମୁଁ ‘ମନ୍ କୀ ବାତ୍’ର ଶ୍ରୋତାଙ୍କୁ କହିବାକୁ ଚାହୁଁଛି ଯେ ସେମାନେ ମହାତ୍ମା ଫୁଲେ, ସାବିତ୍ରୀବାଇ ଫୁଲେ ଏବଂ ବାବାସାହେବ ଆମ୍ବେଦକରଙ୍କ ସହ ସଂପୃକ୍ତ ସ୍ଥାନଗୁଡ଼ିକର ଦର୍ଶନ ପାଇଁ ନିଶ୍ଚୟ ଯାଆନ୍ତୁ । ଆପଣଙ୍କୁ ସେଠାରେ ବହୁତ କିଛି ଶିଖିବାକୁ ମିଳିବ ।

ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କୀ ବାତ୍’ରେ ଏଥର ମଧ୍ୟ ଆମେ ଅନେକ ବିଷୟରେ ଆଲୋଚନା କଲେ । ଆସନ୍ତା ମାସରେ ବହୁତ ପର୍ବପର୍ବାଣୀ ଆସୁଛି । କିଛିଦିନ ଭିତରେ ନବରାତ୍ର ମଧ୍ୟ ଆସିବ । ନବରାତ୍ରରେ ଆମେ ବ୍ରତ-ଉପବାସ, ଶକ୍ତି ସାଧନା କରୁ, ଶକ୍ତିଙ୍କର ପୂଜା କରୁ, ଅର୍ଥାତ ଆମ ପରମ୍ପରା ଆମକୁ ଉଲ୍ଲାସ ଶିଖାଏ ଏବଂ ସଂଯମ ମଧ୍ୟ ଶିଖାଏ । ସଂଯମ ଓ ତପ ମଧ୍ୟ ଆମ ପାଇଁ ଗୋଟିଏ ଗୋଟିଏ ପର୍ବ । ଏଥିପାଇଁ ନବରାତ୍ର ସର୍ବଦା ଆମ ସମସ୍ତଙ୍କ ପାଇଁ ବହୁତ ସ୍ୱତନ୍ତ୍ର ରହିଆସିଛି । ନବରାତ୍ରର ପ୍ରଥମ ଦିନରେ ହିଁ ଗୁଡ଼ି ପଡ଼ୱା ପର୍ବ ମଧ୍ୟ ଅଛି । ଏପ୍ରିଲରେ ଇଷ୍ଟର ମଧ୍ୟ ଆସେ ଏବଂ ରମଜାନର ପବିତ୍ର ଦିନ ମଧ୍ୟ ଆରମ୍ଭ ହେବ । ଆମେ ସମସ୍ତଙ୍କୁ ନେଇ ନିଜର ପର୍ବ ପାଳନ କରିବା, ଭାରତର ବିବିଧତାକୁ ସଶକ୍ତ କରିବା, ଏହା ସମସ୍ତଙ୍କର ଇଚ୍ଛା । ଏଥର ‘ମନ୍ କୀ ବାତ୍’ରେ କେବଳ ଏତିକି । ଆସନ୍ତା ମାସରେ ନୂଆ ବିଷୟ ସହ ଆପଣଙ୍କ ସହିତ ପୁଣି ଭେଟ ହେବ । ବହୁତ ବହୁତ ଧନ୍ୟବାଦ ।

 

 

 

 

 

 

 

 

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Vietnam BrahMos deal already signed, Indonesia pact in final stages: Defence Secretary RK Singh

Media Coverage

Vietnam BrahMos deal already signed, Indonesia pact in final stages: Defence Secretary RK Singh
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tribute to Lokmata Ahilyabai Holkar on her birth anniversary
May 31, 2026

The Prime Minister, Shri Narendra Modi has paid tributes to Lokmata Ahilyabai Holkar on her birth anniversary.

Shri Modi said that the entire nation remembers Lokmata Ahilyabai Holkar with deep respect and reverence for her wisdom, compassion and unwavering commitment to public welfare.

The Prime Minister noted that her life remains an exemplary model of good governance, patriotism and cultural pride. He said that she always led with courage and a strong sense of duty.

The Prime Minister highlighted her unparalleled contribution to ensuring justice and welfare for all, as well as her efforts towards the reconstruction of sacred temples and pilgrimage sites across the country. He remarked that her work further strengthened India’s cultural consciousness.

The Prime Minister stated that Lokmata Ahilyabai Holkar’s dedication to society, culture and nation-building will continue to inspire every generation of the country.

The Prime Minister wrote on X;

“लोकमाता अहिल्याबाई होल्कर जी को उनकी जयंती पर कोटि-कोटि नमन! बुद्धिमत्ता, करुणा और जनकल्याण के प्रति अटूट निष्ठा को लेकर पूरा देश उन्हें आदर और सम्मान के साथ स्मरण करता है। उनका जीवन सुशासन, राष्ट्रभक्ति और सांस्कृतिक गौरव का एक उत्कृष्ट उदाहरण है। उन्होंने सदैव साहस और कर्तव्यनिष्ठा के साथ नेतृत्व किया। देशभर में पावन मंदिरों और तीर्थस्थलों के पुनर्निर्माण से लेकर सभी के लिए न्याय और कल्याण सुनिश्चित करने में उन्होंने अतुलनीय योगदान दिया। उन्होंने भारत की सांस्कृतिक चेतना को और सशक्त बनाया। समाज, संस्कृति और राष्ट्र निर्माण के प्रति उनका समर्पण भाव देश की हर पीढ़ी को प्रेरित करता रहेगा।”