ସେୟାର
 
Comments
#MannKiBaat: ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ପରିଦର୍ଶନ କରୁଥିବା ଲୋକଙ୍କ ଅନୁଭୂତି ବାଣ୍ଟିଛନ୍ତି, ନାଗରିକମାନଙ୍କୁ ନମୋ ଆପ୍ ରେ #MuseumQuiz ଅଂଶଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି
#MannKiBaat ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଯେକୌଣସି ସ୍ଥାନୀୟ ସଂଗ୍ରହାଳୟ ପରିଦର୍ଶନ କରନ୍ତୁ, #MuseumMemories ବ୍ୟବହାର କରି ଆପଣଙ୍କର ଅନୁଭୂତି ଅଂଶୀଦାର କରନ୍ତୁ
#MannKiBaat: ଛୋଟ ଅନଲାଇନ୍ ଦେୟ ବଡ ଡିଜିଟାଲ୍ ଅର୍ଥନୀତି ନିର୍ମାଣ କରୁଛି: ପ୍ରଧାନମନ୍ତ୍ରୀ ମୋଦୀ
#MannKiBaat: ଦୈନିକ ପ୍ରାୟ 20 ହଜାର କୋଟି ଟଙ୍କାର ଅନଲାଇନ୍ କାରବାର ହେଉଛି : ପ୍ରଧାନମନ୍ତ୍ରୀ ମୋଦୀ
କ୍ରୀଡା ପରି, ଦିବ୍ୟାଙ୍ଗଜନ କଳା, ଶିକ୍ଷାବିତ୍ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଚମତ୍କାର କରୁଛନ୍ତି ।ଟେକ୍ନୋଲୋଜିର ଶକ୍ତି ସହିତ ସେମାନେ ଅଧିକ ଉଚ୍ଚତା ହାସଲ କରୁଛନ୍ତି: ପ୍ରଧାନମନ୍ତ୍ରୀ #MannKiBaat
ଅମୃତ ମହୋତ୍ସବ ସମୟରେ ଦେଶର ପ୍ରତ୍ୟେକ ଜିଲ୍ଲାରେ 75ଟି ଅମୃତ ସରୋବର ନିର୍ମାଣ କରାଯିବ: ପ୍ରଧାନମନ୍ତ୍ରୀ ମୋଦୀ #MannKiBaat
#MannKiBaat: କାଲକୁଲସ୍ ଠାରୁ କମ୍ପ୍ୟୁଟର ପର୍ଯ୍ୟନ୍ତ - ଏହି ସମସ୍ତ ବୈଜ୍ଞାନିକ ଉଦ୍ଭାବନ ଶୂନ ଉପରେ ଆଧାରିତ
ଆମ ଭାରତୀୟମାନଙ୍କ ପାଇଁ ଗଣିତ କଦାପି କଷ୍ଟକର ବିଷୟ ହୋଇନାହିଁ । ଏହାର ଏକ ବଡ଼ କାରଣ ହେଉଛି ଆମର ବୈଦିକ ଗଣିତ: ପ୍ରଧାନମନ୍ତ୍ରୀ ମୋଦୀ #MannKiBaat

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର ।

ନୂଆ ବିଷୟ ସହ, ନୂଆ ପ୍ରେରଣାଦାୟକ ଉଦାହରଣ ସହ, ନୂଆ ନୂଆ ସନ୍ଦେଶକୁ ଏକାଠି କରି ପୁଣିଥରେ ମୁଁ ଆପଣଙ୍କ ସଂଗେ ‘ମନ୍ କୀ ବାତ୍’ କରିବାକୁ ଆସିଛି । ଜାଣିଛନ୍ତି, ଏଥର ମୋତେ ସବୁଠୁ ବେଶୀ ଚିଠି ଓ ବାର୍ତ୍ତା କେଉଁ ବିଷୟକୁ ନେଇ ମିଳିଛି ? ଏହି ବିଷୟ ଏପରି ଯେ ତାହା ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ତିନୋଟି ସହ ସଂପୃକ୍ତ । ମୁଁ କହୁଛି ଦେଶକୁ ମିଳିଥିବା ନୂଆ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ କଥା । ଏଇ ୧୪ ଏପ୍ରିଲରେ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ଲୋକାର୍ପଣ ହୋଇଛି । ଏହାକୁ ଦେଶର ନାଗରିକମାନଙ୍କ ପାଇଁ ଖୋଲି ଦିଆଯାଇଛି । ଜଣେ ଶ୍ରୋତା ଶ୍ରୀମାନ ସାର୍ଥକ । ସାର୍ଥକ ଗୁରୁଗ୍ରାମରେ ରହନ୍ତି ଓ ସୁଯୋଗ ମିଳୁମିଳୁ ପ୍ରଥମେ ସେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଦେଖିବାକୁ ଆସିଥିଲେ । ସାର୍ଥକ ନମୋ ଆପରେ ଯେଉଁ ବାର୍ତ୍ତା ମୋ ନିକଟକୁ ଲେଖିଛନ୍ତି, ତାହା ବହୁତ ମଜାଦାର । ସେ ଲେଖିଛନ୍ତି ଯେ ସେ ବର୍ଷ ବର୍ଷ ଧରି ନିଉଜ ଚ୍ୟାନେଲ୍ ଦେଖନ୍ତି, ଖବରକାଗଜ ପଢ଼ନ୍ତି, ସୋସିଆଲ୍ ମିଡିଆ ସହିତ ମଧ୍ୟ ଯୋଡ଼ି ହୋଇ ରହିଛନ୍ତି, ତେଣୁ ତାଙ୍କୁ ଲାଗୁଥିଲା ଯେ ତାଙ୍କର ସାଧାରଣ ଜ୍ଞାନ ବହୁତ ଭଲ ଥିବ, କିନ୍ତୁ ଯେତେବେଳେ ସେ ପି.ଏମ୍. ସଂଗ୍ରହାଳୟ ଗଲେ ସେ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ, ତାଙ୍କର ଅନୁଭବ ହେଲା ଯେ ସେ ନିଜର ଦେଶ ଓ ଦେଶର ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଅନେକ କିଛି ଜାଣନ୍ତି ନାହିଁ । ସେ ପି.ଏମ୍. ସଂଗ୍ରହାଳୟର ଏପରି କେତେକ ଜିନିଷ ବିଷୟରେ ଲେଖିଛନ୍ତି, ଯାହା ତାଙ୍କର ଜିଜ୍ଞାସାକୁ ଆହୁରି ବଢ଼ାଇବାକୁ ଥିଲା । ଯେପରିକି, ସେ ଲାଲ ବାହାଦୂର ଶାସ୍ତ୍ରୀଜୀଙ୍କ ସେହି ଚରଖା ଦେଖି ବହୁତ ଖୁସିହେଲେ, ଯାହା ତାଙ୍କୁ ଶ୍ୱଶୁର ଘରୁ ଉପହାର ଭାବେ ମିଳିଥିଲା । ସେ ଶାସ୍ତ୍ରୀଜୀଙ୍କ ପାସବୁକ୍ ମଧ୍ୟ ଦେଖିଲେ ଓ ଏକଥା ବି ଜାଣିଲେ ଯେ ତାଙ୍କ ପାଖରେ କେତେ କମ୍ ଟଙ୍କା ଜମା ରହିଥିଲା । ସାର୍ଥକ ଲେଖିଛନ୍ତି ଯେ ତାଙ୍କୁ ଏହା ମଧ୍ୟ ଜଣାନଥିଲା ଯେ ମୋରାରଜୀ ଦେଶାଇ ସ୍ୱାଧୀନତା ସଂଗ୍ରାମରେ ସାମିଲ ହେବା ପୂର୍ବରୁ ଗୁଜରାଟରେ ଡେପୁଟି କଲେକ୍ଟର ଥିଲେ । ପ୍ରଶାସନିକ ସେବାରେ ତାଙ୍କର ଏକ ଲମ୍ବା କ୍ୟାରିୟର୍ ରହିଥିଲା । ଶ୍ରୀମାନ ସାର୍ଥକ, ଚୌଧୁରୀ ଚରଣ ସିଂହଙ୍କ ବିଷୟରେ ଲେଖିଛନ୍ତି, ତାଙ୍କୁ ଜଣାନଥିଲା ଯେ ଜମିଦାରୀ ଉଚ୍ଛେଦ କ୍ଷେତ୍ରରେ ଚୌଧୁରୀ ଚରଣ ସିଂହଙ୍କର ବହୁତ ବଡ଼ ଯୋଗଦାନ ରହିଥିଲା । କେବଳ ଏତିକି ନୁହେଁ, ସେ ଆହୁରି ଲେଖିଛନ୍ତି ଭୂସଂସ୍କାର ବିଷୟରେ ମୁଁ ସେଇଠି ଦେଖିଲି ଯେ ଶ୍ରୀମାନ ପି.ଭି. ନରସିଂହରାଓ ଜୀ ଭୂସଂସ୍କାର କାର୍ଯ୍ୟରେ ଖୁବ୍ ରୁଚି ରଖୁଥିଲେ । ସାର୍ଥକ ଏହି ସଂଗ୍ରହାଳୟକୁ ଆସି ଆହୁରି ମଧ୍ୟ ଜାଣିଲେ ଯେ ଚନ୍ଦ୍ରଶେଖର ଜୀ ୪ ହଜାର କିଲୋମିଟରରୁ ଅଧିକ ରାସ୍ତା ପାଦରେ ଚାଲିଚାଲି ଐତିହାସିକ ଭାରତର ଭ୍ରମଣ କରିଥିଲେ । ସେ ଯେତେବେଳେ ସଂଗ୍ରହାଳୟରେ ଅଟଳ ଜୀ ବ୍ୟବହାର କରୁଥିବା ଜିନିଷକୁ ଦେଖିଲେ, ତାଙ୍କର ଭାଷଣକୁ ଶୁଣିଲେ, ସେତେବେଳେ ସେ ଗର୍ବରେ ଫୁଲିଉଠିଥିଲେ । ସାର୍ଥକ ଆହୁରି ମଧ୍ୟ ଜଣାଇଛନ୍ତି ଯେ ଏହି ସଂଗ୍ରହାଳୟରେ ମହାତ୍ମା ଗାନ୍ଧୀ, ସର୍ଦ୍ଦାର ପଟେଲ, ଡ. ଆମ୍ବେଦକର, ଜୟପ୍ରକାଶ ନାରାୟଣ ଓ ଆମର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ସମ୍ପର୍କରେ ବହୁତ ରୋଚକ ତଥ୍ୟ ସବୁ ରହିଛି । 

ବନ୍ଧୁଗଣ, ଦେଶର ପ୍ରଧାନମନ୍ତ୍ରୀମାନଙ୍କ ଯୋଗଦାନରୁ ସ୍ମରଣ ରଖିବା ପାଇଁ ସ୍ୱାଧୀନତାର ଅମୃତ ମହୋତ୍ସବଠୁ ଭଲ ସମୟ ଆଉ କ’ଣ ହୋଇପାରେ ? ଦେଶ ପାଇଁ ଏହା ଗୌରବର କଥା ଯେ ସ୍ୱାଧୀନତାର ଅମୃତ ମହୋତ୍ସବ ଏକ ଜନଆନ୍ଦୋଳନର ରୂପ ନେଉଛି । ଇତିହାସକୁ ନେଇ ଲୋକଙ୍କ ଆଗ୍ରହ ବହୁତ ବଢ଼ୁଛି ଏବଂ ଏପରିସ୍ଥଳେ ପିଏମ୍ ମ୍ୟୁଜିୟମ ଯୁବବର୍ଗଙ୍କ ପାଇଁ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟୁଛି, ଯାହା ଦେଶର ଅମୂଲ୍ୟ ଐତିହ୍ୟ ସହିତ ସେମାନଙ୍କୁ ଯୋଡ଼ୁଛି । 

ଏମିତିରେ ବନ୍ଧୁଗଣ, ଯେତେବେଳେ ମ୍ୟୁଜିୟମ୍ ସମ୍ପର୍କରେ ଆପଣଙ୍କୁ ଏତେ କଥା କହୁଛି ତ ମୋର ଇଚ୍ଛା ହେଉଛି ଯେ ଆପଣଙ୍କୁ ମୁଁ କିଛି ପ୍ରଶ୍ନ ପଚାରେ । ଦେଖିବା, ଆପଣଙ୍କ ସାଧାରଣ ଜ୍ଞାନ କ’ଣ କହୁଛି - ଆପଣ କେତେ ଜାଣିଛନ୍ତି ? ମୋର ଯୁବବନ୍ଧୁଗଣ, କାଗଜକଲମ ହାତରେ ଧରି ଆପଣମାନେ ପ୍ରସ୍ତୁତ ତ ? ଏବେ ମୁଁ ଆପଣମାନଙ୍କୁ ଯାହା ପଚାରିବାକୁ ଯାଉଛି, ଆପଣ ତା’ର ଉତ୍ତର ନମୋ ଆପ୍ ବା ସୋସିଆଲ୍ ମିଡିଆରେ #MuseumQuiz ସହିତ ଶେୟାର କରିପାରିବେ ଓ ନିଶ୍ଚିତ ଭାବେ କରନ୍ତୁ । ମୋର ଇଚ୍ଛା ଯେ ଆପଣମାନେ ଏସବୁ ପ୍ରଶ୍ନର ଉତ୍ତର ନିଶ୍ଚୟ ଦିଅନ୍ତୁ । ଏହାଦ୍ୱାରା ସାରାଦେଶର ଲୋକଙ୍କର ମ୍ୟୁଜିୟମକୁ ନେଇ ଆଗ୍ରହ ଆହୁରି ବଢ଼ିବ । କ’ଣ ଆପଣ ଜାଣନ୍ତି ଯେ ଦେଶର କେଉଁ ସହରରେ ଏକ ପ୍ରସିଦ୍ଧ ରେଳ ମ୍ୟୁଜିୟମ୍ ରହିଛି, ଯେଉଁଠି ଗତ ୪୫ ବର୍ଷ ଧରି ଲୋକଙ୍କୁ ଭାରତୀୟ ରେଳର ଐତିହ୍ୟ ଦେଖିବାକୁ ସୁଯୋଗ ମିଳୁଛି । ମୁଁ ଆପଣଙ୍କୁ ଏକ କ୍ଲୁ ଦେଉଛି । ଆପଣ ଏଠାରେ Fairy Queen, Saloon of Prince of Walesରୁ ନେଇ Fireless Steam Locomotive ପର୍ଯ୍ୟନ୍ତ ମଧ୍ୟ ଦେଖିପାରିବେ । କ’ଣ ଆପଣ ଜାଣନ୍ତି ଯେ ମୁମ୍ବାଇରେ କେଉଁ ମ୍ୟୁଜିୟମ୍ ରହିଛି, ଯେଉଁଠି ଆମକୁ ବହୁତ ମଜାଦାର ଭାବେ ମୁଦ୍ରାର ବିବର୍ତ୍ତନ ସମ୍ପର୍କରେ ଦେଖିବାକୁ ମିଳିଥାଏ ? ଏଠାରେ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀର ମୁଦ୍ରା ରହିଥିବାବେଳେ ଅନ୍ୟପଟେ ଇ-ମନି ମଧ୍ୟ ରହିଛି । ତୃତୀୟ ପ୍ରଶ୍ନ ‘ବିରାସତ୍-ଏ-ଖାଲ୍ସା’ ଏହି ମ୍ୟୁଜିୟମ୍ ସହିତ ସଂପୃକ୍ତ । କ’ଣ ଆପଣ ଜାଣିଛନ୍ତି ଯେ ଏହି ମ୍ୟୁଜିୟମ୍ ପଞ୍ଜାବର କେଉଁ ସହରରେ ଅବସ୍ଥିତ ? ଆପଣମାନଙ୍କୁ ସମସ୍ତଙ୍କୁ ଗୁଡ଼ି ଉଡ଼ାଇବା ପାଇଁ ତ ବହୁତ ଖୁସି ଲାଗୁଥିବ, ପରବର୍ତ୍ତୀ ପ୍ରଶ୍ନ ତା’ ସହ ସଂପୃକ୍ତ । ଦେଶର ଏକମାତ୍ର କାଇଟ୍ ମ୍ୟୁଜିୟମ୍ କେଉଁଠି ଅବସ୍ଥିତ ? ଆସନ୍ତୁ ମୁଁ ଆପଣଙ୍କୁ ଗୋଟିଏ କ୍ଲୁ ଦେଉଛି । ଏଠାରେ ସବୁଠୁ ବଡ଼ ଯେଉଁ ଗୁଡ଼ି ରଖାଯାଇଛି ତା’ର ଆକାର ୨୨ ଗୁଣା, ୧୬ ଫୁଟ । କିଛି ଜାଣିପାରିଲେ । ନାଇଁ ତ ଆଉ ଗୋଟିଏ କଥା କହୁଛି- ଏହା ଯେଉଁ ସହରରେ ଅଛି ତା’ସହିତ ବାପୁଙ୍କର ବିଶେଷ ସମ୍ପର୍କ ରହିଥିଲା । ଛୋଟବେଳେ ଡାକ ଟିକଟ ସଂଗ୍ରହ କରିବାର ସଉକ କାହାର ନ ଥାଏ ! କିନ୍ତୁ ଆପଣ କ’ଣ ଜାଣିଛନ୍ତି ଯେ ଭାରତରେ ଡାକଟିକଟ ସହିତ ସଂପୃକ୍ତ ଜାତୀୟ ସଂଗ୍ରହାଳୟ କେଉଁଠି ରହିଛି ? ମୁଁ ଆପଣଙ୍କୁ ଆଉ ଗୋଟିଏ ପ୍ରଶ୍ନ ପଚାରୁଛି । ଗୁଲଶନ ମହଲ ନାମକ ଏହି ପ୍ରାସାଦରେ କେଉଁ ମ୍ୟୁଜିୟମ୍ ଅବସ୍ଥିତ ? ଆପଣଙ୍କ ପାଇଁ କ୍ଲୁ ହେଲା ଏହି ମ୍ୟୁଜିୟମରେ ଆପଣ ଫିଲ୍ମର ନିର୍ଦେଶକ ବି ହୋଇପାରିବେ, କ୍ୟାମେରା, ଏଡିଟିଂର ସୂକ୍ଷ୍ମକଳା ମଧ୍ୟ ଦେଖିପାରିବେ । ଆଚ୍ଛା! ଆପଣ କ’ଣ ଏପରି କୌଣସି ମ୍ୟୁଜିୟମ୍ ସମ୍ପର୍କରେ ଜାଣନ୍ତି ଯାହା ଭାରତର ବସ୍ତ୍ର ସହିତ ସଂପୃକ୍ତ ଐତିହ୍ୟକୁ ଦେଖାଇଥାଏ । ଏହି ମ୍ୟୁଜିୟମରେ ମିନିଏଚର୍ ପେଂଟିଙ୍ଗସ, ଜୈନ ମାନୁସ୍କ୍ରିପ୍ଟସ, ସ୍କଲ୍ପଚର୍- ବହୁତ କିଛି ଅଛି । ଏହା ନିଜର ନିଆରା ପ୍ରଦର୍ଶନ ପାଇଁ ମଧ୍ୟ ବେଶ୍ ଜଣାଶୁଣା ।

ବନ୍ଧୁଗଣ, ଆଜିର ପ୍ରଯୁକ୍ତି ଯୁଗରେ ଆପଣଙ୍କ ପାଇଁ ଏସବୁର ଉତ୍ତର ଖୋଜିବା ବହୁତ ସହଜ । ଏହି ପ୍ରଶ୍ନ ମୁଁ ଏଇଥିପାଇଁ ପଚାରିଲି ଯେପରିକି ଆମର ନୂଆ ପିଢ଼ିର ଜିଜ୍ଞାସା ବଢ଼ୁ, ସେମାନେ ଏ ସମ୍ପର୍କରେ ଆହୁରି ପଢ଼ନ୍ତୁ, ସେଗୁଡ଼ିକୁ ଦେଖିବାକୁ ଯାଆନ୍ତୁ । ଏବେ ତ ମ୍ୟୁଜିୟମର ଗୁରୁତ୍ୱ କାରଣରୁ ଅନେକ ଲୋକ ନିଜେ ଆସି ମ୍ୟୁଜିୟମ୍ ପାଇଁ ବହୁତ ଦାନ ମଧ୍ୟ କରୁଛନ୍ତି । ବହୁତ ଲୋକ ନିଜର ପୁରୁଣା କଲେକ୍ସନକୁ, ଐତିହାସିକ ଜିନିଷପତ୍ରକୁ ମଧ୍ୟ ମ୍ୟୁଜିୟମକୁ ଦାନ କରୁଛନ୍ତି । ଆପଣ ଯେତେବେଳେ ଏପରି କରନ୍ତି ସେତେବେଳେ ଆପଣ ଏକ ସାଂସ୍କୃତିକ ପୁଞ୍ଜିକୁ ସମଗ୍ର ସମାଜ ସହିତ ବାଂଟନ୍ତି । ଭାରତରେ ମଧ୍ୟ ଲୋକେ ଏଥିପାଇଁ ଏବେ ଆଗକୁ ଆସୁଛନ୍ତି । ମୁଁ ଏପରି ସମସ୍ତ ବ୍ୟକ୍ତିଗତ ପ୍ରୟାସର ମଧ୍ୟ ପ୍ରଶଂସା କରୁଛି । ଆଜି, ପରିବର୍ତ୍ତିତ ସମୟରେ ଏବଂ କୋଭିଡ କଟକଣା କାରଣରୁ ସଂଗ୍ରହାଳୟରେ ନୂଆ ନିୟମକାନୁନ ଆପଣାଇବା ଉପରେ ଗୁରୁତ୍ୱ ଦିଆଯାଉଛି । ମ୍ୟୁଜିୟମର ଡିଜିଟାଇଜେସନ ଉପରେ ମଧ୍ୟ ଗୁରୁତ୍ୱ ବଢ଼ିଛି । ଆପଣ ସମସ୍ତେ ଜାଣନ୍ତି ଯେ ୧୮ ମେ’ରେ ସମଗ୍ର ପୃଥିବୀରେ ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ପାଳନ କରାଯିବ । ଏହି ପରିପ୍ରେକ୍ଷୀରେ ମୋର ଯୁବବନ୍ଧୁଙ୍କ ପାଇଁ ମୋ ପାଖରେ ଗୋଟିଏ ବିଚାର ଅଛି । ଆଗାମୀ ଛୁଟିରେ ଆପଣ ଆପଣଙ୍କ ବନ୍ଧୁମାନଙ୍କ ସହିତ କୌଣସି ସ୍ଥାନୀୟ ମ୍ୟୁଜିୟମକୁ ଦେଖିବାକୁ ଯାଉନାହାନ୍ତି । ଆପଣ ନିଜର ଅନୁଭୂତିକୁ #MuseumMe moriesରେ ନିଶ୍ଚିତ ଭାବେ ବାଂଟିବେ । ଆପଣ ଏପରି କରିବା ଦ୍ୱାରା ଅନ୍ୟମାନଙ୍କ ମନରେ ମଧ୍ୟ ସଂଗ୍ରହାଳୟକୁ ନେଇ ଜିଜ୍ଞାସା ଜାଗ୍ରତ ହେବ ।

ମୋର ପ୍ରିୟ ଦେଶବାସୀଗଣ, ଆପଣ ନିଜ ଜୀବନରେ ବହୁତ ସଂକଳ୍ପ ନେଇଥିବେ, ସେଗୁଡ଼ିକୁ ପୂରଣ କରିବା ପାଇଁ ପରିଶ୍ରମ ମଧ୍ୟ କରୁଥିବେ । ବନ୍ଧୁଗଣ, କିନ୍ତୁ ନିକଟରେ, ମୋତେ ଏପରି ସଂକଳ୍ପ ସମ୍ପର୍କରେ ଜଣାପଡ଼ିଲା, ଯାହା ସତକୁ ସତ ବହୁତ ଅଲଗା ଥିଲା, ବହୁତ ନିଆରା ଥିଲା । ସେଥିପାଇଁ ମୁଁ ଭାବିଲି ଯେ ଏହାକୁ ମୁଁ ‘ମନ୍ କୀ ବାତ୍’ର ଶ୍ରୋତାଙ୍କ ସହ ନିଶ୍ଚୟ ସେୟାର କରିବି ।

ବନ୍ଧୁଗଣ, ଆପଣ କ’ଣ ଭାବିପାରିବେ ଯେ ଜଣେ ନିଜ ଘରୁ ଏହି ସଂକଳ୍ପ ନେଇ ବାହାରିବ ଯେ ସେ ଆଜି ଦିନସାରା ପୁରା ସହର ବୁଲିବ କିନ୍ତୁ ଗୋଟିଏ ବି ଟଙ୍କା ନଗଦ ଦେଣନେଣ କରିବ ନାହିଁ- ଇଏ ଏକ ମଜାଦାର ସଂକଳ୍ପ ନୁହେଁ କି ? ଦିଲ୍ଲୀର ଦୁଇ ଝିଅ ସାଗରିକା ଓ ପ୍ରେକ୍ଷା ଏପରି ହିଁ କ୍ୟାସ୍ଲେସ୍ ଡେ ଆଉଟର ପରୀକ୍ଷା ନିରୀକ୍ଷା କଲେ । ସାଗରିକା ଓ ପ୍ରେକ୍ଷା ଦିଲ୍ଲୀର ଯେଉଁଠିକୁ ବି ଗଲେ, ସେମାନଙ୍କୁ ସେଠାରେ ଡିଜିଟାଲ୍ ପେମେଂଟର ସୁବିଧା ମିଳିଲା । ୟୁପିଆଇ କ୍ୟୁଆର୍ କୋଡ୍ କାରଣରୁ ସେମାନଙ୍କୁ ନଗଦ କାରବାର କରିବା ଦରକାର ପଡ଼ିଲା ନାହିଁ । ଏପରିକି ଷ୍ଟ୍ରିଟ୍ ଫୁଡ ଓ ରାସ୍ତାକଡ଼ ଦୋକାନରେ ମଧ୍ୟ ଅଧିକାଂଶ ସ୍ଥାନରେ ତାଙ୍କୁ ଅନଲାଇନ ଟ୍ରାନଜାକ୍ସନର ସୁବିଧା ମିଳିଲା । 

ବନ୍ଧୁଗଣ, କେହି କେହି ଭାବିପାରନ୍ତି ଯେ ଦିଲ୍ଲୀ ମେଟ୍ରୋ ସିଟି, ତେଣୁ ସେଠାରେ ଏହା କରିବା ସହଜ । କିନ୍ତୁ ଏବେ ଏପରି ନୁହେଁ ଯେ UPIର ପ୍ରସାର କେବଳ ଦିଲ୍ଲୀ ଭଳି ବଡ଼ ସହରରେ ହିଁ ସୀମିତ ରହିଛି । ମୋତେ ଗାଜିୟାବାଦର ଆନନ୍ଦିତା ତ୍ରିପାଠୀଙ୍କ ଗୋଟିଏ ବାର୍ତ୍ତା ମଧ୍ୟ ମିଳିଛି । ଆନନ୍ଦିତା ଗତ ସପ୍ତାହରେ ନିଜ ସ୍ୱାମୀଙ୍କ ସହିତ ଉତ୍ତର-ପୂର୍ବ ରାଜ୍ୟକୁ ବୁଲିବାକୁ ଯାଇଥିଲେ । ସେ ଆସାମରୁ ନେଇ ମେଘାଳୟ ଓ ଅରୁଣାଚଳ ପ୍ରଦେଶର ତୱାଙ୍ଗ୍ ପର୍ଯ୍ୟନ୍ତ ନିଜ ଯାତ୍ରାର ଅନୁଭୂତି ମୋତେ ଜଣାଇଛନ୍ତି । ଆପଣ ମଧ୍ୟ ଜାଣି ଖୁସିହେବା ସହ ଆଶ୍ଚର୍ଯ୍ୟ ହେବେ ଯେ ବହୁଦିନର ଏହି ଯାତ୍ରାରେ ଦୂରଦୂରାନ୍ତ ଅଂଚଳରେ ମଧ୍ୟ ସେମାନଙ୍କୁ ନଗଦ ଟଙ୍କା କାରବାର କରିବା ଦରକାର ପଡ଼ିଲା ନାହିଁ । ଯେଉଁ ସ୍ଥାନରେ କିଛିବର୍ଷ ପୂର୍ବରୁ ଇଂଟରନେଟର ଭଲ ସୁବିଧା ନ ଥିଲା, ସେଠାରେ ଏବେ ମଧ୍ୟ UPIରୁ ପେମେଂଟ ସୁବିଧା ରହିଛି । ସାଗରିକା, ପ୍ରେକ୍ଷା ଓ ଆନନ୍ଦିତାଙ୍କ ଅନୁଭୂତିକୁ ଦେଖି ମୁଁ ଆପଣଙ୍କୁ ମଧ୍ୟ କହିବାକୁ ଚାହୁଁଛି ଯେ କ୍ୟାସ୍ଲେସ୍ ଡେ ଆଉଟ୍ର ଅନୁଭୂତି ସାଉଁଟନ୍ତୁ । ପରୀକ୍ଷା ନିରୀକ୍ଷା, ନିଶ୍ଚିତ ଭାବେ କରନ୍ତୁ । 

ବନ୍ଧୁଗଣ, ଗତ କିଛିବର୍ଷ ଭିତରେ BHIM UPI ବହୁତ ଶୀଘ୍ର ଆମର ଅର୍ଥନୀତି ଓ ଅଭ୍ୟାସର ଅଙ୍ଗ ହୋଇସାରିଛି । ଏବେ ତ ଛୋଟ ଛୋଟ ସହରରେ ଏବଂ ଅଧିକାଂଶ ଗାଁରେ ମଧ୍ୟ ଲୋକେ ୟୁପିଆଇରେ ଦେଣନେଣ କରୁଛନ୍ତି । ଡିଜିଟାଲ୍ ଇକୋନୋମି ଦ୍ୱାରା ଦେଶରେ ଏକ ସଂସ୍କୃତି ମଧ୍ୟ ସୃଷ୍ଟି ହେଉଛି । ଗଳିକନ୍ଦିରେ ଥିବା ଛୋଟ ଦୋକାନରେ ଡିଜିଟାଲ ପେମେଂଟ ହେବାଦ୍ୱାରା ସେମାନଙ୍କୁ ଅଧିକରୁ ଅଧିକ ଗ୍ରାହକଙ୍କୁ ସେବା ଦେବା ସହଜ ହେଉଛି । ସେମାନଙ୍କୁ ଏବେ ଖୁଚୁରା ପଇସାର ମଧ୍ୟ ଅସୁବିଧା ନାହିଁ । ଆପଣ ମଧ୍ୟ UPIର ସୁବିଧାକୁ ଦୈନନ୍ଦିନ ଜୀବନରେ ଅନୁଭବ କରିପାରୁଥିବେ । ଯୁଆଡ଼େ ଗଲେ ନଗଦ ଟଙ୍କା ନେଇ ଯିବାର, ବ୍ୟାଙ୍କ ଯିବାର, ଏଟିଏମ୍ ଖୋଜିବାର ଜଞ୍ଜାଳ ନାହିଁ । ମୋବାଇଲରୁ ହିଁ ସବୁ ପେମେଂଟ ହୋଇଯାଏ; କିନ୍ତୁ ଆପଣ କେବେ ଭାବିଛନ୍ତି ଯେ ଆପଣଙ୍କର ଏହି ଛୋଟ ଛୋଟ ଅନଲାଇନ ପେମେଂଟ ଦ୍ୱାରା ଦେଶରେ କେତେ ବଡ ଡିଜିଟାଲ୍ ଇକୋନୋମି ଗଢ଼ିଉଠିଛି । ବର୍ତ୍ତମାନ ଆମ ଦେଶରେ ପ୍ରତିଦିନ ପ୍ରାୟ ୨୦ ହଜାର କୋଟି ଟଙ୍କାର ଟ୍ରାନଜାକ୍ସନ ହେଉଛି । ଗତ ମାର୍ଚ୍ଚ ମାସରେ ତ UPI ଟ୍ରାନଜାକ୍ସନ ତ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ପହଂଚିଯାଇଥିଲା । ଏହାଦ୍ୱାରା ଦେଶରେ ସୁବିଧା ମଧ୍ୟ ବଢ଼ୁଛି ଏବଂ ସାଧୁତାର ଏକ ପରିବେଶ ମଧ୍ୟ ସୃଷ୍ଟି ହେଉଛି । ଏବେ ତ ଦେଶରେ ଫିନ୍-ଟେକ୍ ସହିତ ସଂପୃକ୍ତ କେତେକ ନୂଆ ଷ୍ଟାର୍ଟ-ଅପ୍ ମଧ୍ୟ ଆଗକୁ ବଢ଼ୁଛି । ମୁଁ ଚାହିଁବି ଯେ ଯଦି ଆପଣଙ୍କ ପାଖରେ ମଧ୍ୟ ଡିଜିଟାଲ୍ ପେମେଂଟ ଓ ଷ୍ଟାର୍ଟ-ଅପ୍ ଇକୋସିଷ୍ଟମର ଏହି ଶକ୍ତି ସହିତ ସଂପୃକ୍ତ ଅନୁଭୂତି ରହିଛି, ତେବେ ତାକୁ ବାଂଟନ୍ତୁ । ଆପଣଙ୍କ ଅଭିଜ୍ଞତା ଦେଶର ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇପାରିବ ।

ମୋର ପ୍ରିୟ ଦେଶବାସୀଗଣ, ପ୍ରଯୁକ୍ତିର ଶକ୍ତି କିପରି ସାଧାରଣ ଲୋକଙ୍କ ଜୀବନକୁ ବଦଳାଉଛି, ଏହା ଆମର ଆଖପାଖରେ କ୍ରମାଗତ ନଜର ଆସୁଛି । ପ୍ରଯୁକ୍ତି ଆଉ ଏକ ବଡ଼ କାମ କରିଛି । ଏହି କାମ ହେଲା ଦିବ୍ୟାଙ୍ଗ ବନ୍ଧୁମାନଙ୍କର ଅସାଧାରଣ କ୍ଷମତାର ଲାଭ ଦେଶ ଓ ଦୁନିଆକୁ ଦେବା । ଆମର ଦିବ୍ୟାଙ୍ଗ ଭାଇଭଉଣୀ କ’ଣ କରିପାରିବେ, ଏହା ଆମେ ଟୋକିଓ ପାରାଅଲିମ୍ପିକ୍ସରେ ଦେଖିଥିଲେ । କ୍ରୀଡ଼ା ଭଳି ଆର୍ଟସ, ଏକାଡେମିକ୍ସ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଦିବ୍ୟାଙ୍ଗ ବନ୍ଧୁମାନେ ଚମତ୍କାରିତା ଦେଖାଉଛନ୍ତି, କିନ୍ତୁ ଯେତେବେଳେ ଏହି ବନ୍ଧୁମାନଙ୍କୁ ପ୍ରଯୁକ୍ତିର ଶକ୍ତି ମିଳିଯାଉଛି, ତେବେ ସେମାନେ ଆହୁରି ମଧ୍ୟ ଶୀର୍ଷ ସ୍ଥାନ ହାସଲ କରିପାରୁଛନ୍ତି । ସେଥିପାଇଁ ବର୍ତ୍ତମାନ ଦିବ୍ୟାଙ୍ଗଙ୍କ ପାଇଁ ସମ୍ବଳ ଓ ଭିତିଭୂମି ସୁଦୃଢ଼ କରିବା ପାଇଁ ଦେଶ କ୍ରମାଗତ ପ୍ରୟାସ କରୁଛି । ଦେଶରେ ଏପରି ଅନେକ ଷ୍ଟାର୍ଟଅପ୍ ଓ ସଂଗଠନ ମଧ୍ୟ ଅଛନ୍ତି, ଯେଉଁମାନେ ଏ କ୍ଷେତ୍ରରେ ପ୍ରେରଣାଦାୟକ କାର୍ଯ୍ୟ କରୁଛନ୍ତି । ଏପରି ଏକ ସଂସ୍ଥା ହେଉଛି ଭଏସ୍ ଅଫ୍ ସ୍ପେଶାଲି-ଏବୁଲ ପିପୁଲ । ଏହି ସଂସ୍ଥା ଆସିସ୍ଟିଭ୍ ଟେକ୍ନୋଲୋଜି ବା ସହାୟତା ପ୍ରଯୁକ୍ତି କ୍ଷେତ୍ରରେ ନୂଆ ସୁଯୋଗକୁ ପ୍ରୋତ୍ସାହିତ କରୁଛି । ଯେଉଁ ଦିବ୍ୟାଙ୍ଗ ଶିଳ୍ପୀମାନେ ଅଛନ୍ତି, ସେମାନଙ୍କ କାର୍ଯ୍ୟକୁ ବିଶ୍ୱବାସୀଙ୍କ ପାଖରେ ପହଂଚାଇବା ପାଇଁ ମଧ୍ୟ ଏକ ସୃଜନଶୀଳ ଆରମ୍ଭ କରାଯାଇଛି । ଭଏସ୍ ଅଫ୍ ସ୍ପେଶାଲି-ଏବୁଲ୍ଡ ପିପୁଲର ଏହି ଶିଳ୍ପୀଙ୍କ ପେଂଟିଙ୍ଗଗୁଡ଼ିକୁ ଡିଜିଟାଲ୍ ଆର୍ଟ ଗ୍ୟାଲେରି ପ୍ରସ୍ତୁତ କରାଯାଇଛି । ଦିବ୍ୟାଙ୍ଗ ବନ୍ଧୁମାନେ କିପରି ଅସାଧାରଣ ପ୍ରତିଭାସଂପନ୍ନ ଏବଂ ସେମାନଙ୍କ ପାଖରେ କିପରି ଅସାଧାରଣ କ୍ଷମତା ରହିଥାଏ- ଏହି ଆର୍ଟ ଗ୍ୟାଲେରୀ ଏହାର ଏକ ଉଦାହରଣ । ଦିବ୍ୟାଙ୍ଗ ବନ୍ଧୁମାନଙ୍କ ଜୀବନରେ କିପରି ଆହ୍ବାନ ରହିଥାଏ, ସେଥିରୁ ସେମାନେ ବାହାରି କିପରି କେଉଁ ପର୍ଯ୍ୟନ୍ତ ପହଂଚିପାରନ୍ତି- ଏହିପରି ଅନେକ ବିଷୟ ଏହି ପେଂଟିଙ୍ଗସରେ ଆପଣ ଅନୁଭବ କରିପାରିବେ । ଆପଣ ମଧ୍ୟ ଯଦି କୌଣସି ଦିବ୍ୟାଙ୍ଗ ବନ୍ଧୁଙ୍କୁ ଜାଣିଥାନ୍ତି, ତାଙ୍କ ଜ୍ଞାନଗରିମାକୁ ଜାଣନ୍ତି, ତେବେ ଡିଜିଟାଲ୍ ଟେକ୍ନୋଲୋଜି ସାହାଯ୍ୟରେ ତାକୁ ବିଶ୍ୱ ସମ୍ମୁଖକୁ ଆଣିପାରିବେ । ଯେଉଁ ଦିବ୍ୟାଙ୍ଗ ବନ୍ଧୁ ଅଛନ୍ତି, ସେମାନେ ମଧ୍ୟ ଏପରି ପ୍ରୟାସ ସହିତ ନିଶ୍ଚିତ ଭାବେ ଯୋଡ଼ି ହୁଅନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ, ଦେଶର ଅଧିକାଂଶ ଭାଗରେ ଖୁବ୍ ଜୋରରେ ଗରମ ବଢ଼ୁଛି । ବଢ଼ୁଥିବା ଏହି ଗରମ, ପାଣି ସଂଚୟ କରିବା ପାଇଁ ଆମର ଦାୟିତ୍ୱକୁ ମଧ୍ୟ ସେତିକି ହିଁ ବଢ଼ାଇଦିଏ । ହୋଇପାରେ ଯେ ଆପଣ ଏବେ ଯେଉଁଠି ଅଛନ୍ତି ସେଠାରେ ପାଣି ଯଥେଷ୍ଟ ପରିମାଣରେ ମିଳୁଛି । କିନ୍ତୁ ଆପଣଙ୍କୁ ସେହି କୋଟି କୋଟି ଲୋକଙ୍କ କଥା ସବୁବେଳେ ମନେରଖିବାକୁ ହେବ, ଯେଉଁମାନେ ଜଳ ସଙ୍କଟ ରହିଥିବା ଅଂଚଳରେ ରହନ୍ତି, ଯେଉଁମାନଙ୍କ ପାଇଁ ପାଣିର ପ୍ରତ୍ୟେକ ବୁନ୍ଦା ଅମୃତ ଭଳି ହୋଇଥାଏ । 

ବନ୍ଧୁଗଣ, ବର୍ତ୍ତମାନ ସ୍ୱାଧୀନତାର ୭୫ତମ ବର୍ଷରେ, ସ୍ୱାଧୀନତାର ଅମୃତ ମହୋତ୍ସବ ସମୟରେ, ଦେଶ ଯେଉଁ ସଂକଳ୍ପଗୁଡ଼ିକୁ ନେଇ ଆଗକୁ ବଢ଼ୁଛି, ସେଥିରେ ଜଳ ସଂରକ୍ଷଣ ମଧ୍ୟ ଅନ୍ୟତମ । ଅମୃତ ମହୋତ୍ସବ ସମୟରେ ଦେଶର ପ୍ରତ୍ୟେକ ଜିଲାରେ ୭୫ ଅମୃତ ସରୋବର ନିର୍ମାଣ କରାଯିବ । ଆପଣ କଳ୍ପନା କରିପାରନ୍ତି ଯେ ଏହା କେତେ ବଡ଼ ଅଭିଯାନ । ସେହି ଦିନ ଆଉ ବେଶୀ ଦୂର ନୁହେଁ, ଯେବେ ଆପଣଙ୍କ ନିଜ ସହରରେ ୭୫ଟି ଅମୃତ ସରୋବର ହେବ । ମୁଁ ଆପଣ ସମସ୍ତଙ୍କୁ, ବିଶେଷକରି ଯୁବକଯୁବତୀମାନଙ୍କଠାରୁ ଆଶା ରଖୁଛି ଯେ ଏହି ଅଭିଯାନ ସମ୍ପର୍କରେ ସେମାନେ ଜାଣନ୍ତୁ ଏବଂ ତା’ର ଦାୟିତ୍ୱ ନିଅନ୍ତୁ । ଯଦି ଆପଣଙ୍କ ଅଂଚଳରେ ସ୍ୱାଧୀନତା ସଂଗ୍ରାମ ସହିତ ସଂପୃକ୍ତ କୌଣସି ଇତିହାସ ରହିଛି, କୌଣସି ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ରହିଛି, ତାକୁ ମଧ୍ୟ ଅମୃତ ସରୋବର ସହିତ ଯୋଡ଼ିପାରିବେ । ଏହାଜାଣି ମୋତେ ବହୁତ ଭଲ ଲାଗିଲା ଯେ ଅମୃତ ସରୋବର ସଂକଳ୍ପ ନେବାପରେ ଅନେକ ସ୍ଥାନରେ ଏହା ଉପରେ ଦ୍ରୁତ ବେଗରେ କାମ ଆରମ୍ଭ ହୋଇସାରିଛି । ମୋତେ ୟୁପି ରାମପୁରର ପଟବାଇ ଗ୍ରାମପଂଚାୟତ ସମ୍ପର୍କରେ ଜାଣିବାକୁ ମିଳିଛି । ସେଠାରେ ଗ୍ରାମସଭାର ଭୂମିରେ ଏକ ପୋଖରୀ ଥିଲା, କିନ୍ତୁ ତାହା ଅଳିଆ ଆବର୍ଜନାରେ ଭରି ରହିଥିଲା । ଗତ କିଛି ସପ୍ତାହ ମଧ୍ୟରେ ବହୁତ କଷ୍ଟକରି ସ୍ଥାନୀୟ ଲୋକଙ୍କ ସହାୟତାରେ, ସ୍ଥାନୀୟ ସ୍କୁଲପିଲାଙ୍କ ସାହାଯ୍ୟରେ ସେହି ମଇଳା ପୋଖରୀର ପୁନରୁଦ୍ଧାର ହୋଇଯାଇଛି । ଏବେ ସେହି ସରୋବର କୂଳରେ ରିଟେନିଂ ୱାଲ୍, ଚାରିକାନ୍ଥ, ଫୁଡ କୋର୍ଟ, ଜଳଫୁଆରା ଓ ଆଲୋକସଜ୍ଜା ଆଦି କେତେ କେତେ ବ୍ୟବସ୍ଥା କରାଯାଇଛି । ମୁଁ ରାମପୁରର ପଟବାଇ ଗ୍ରାମପଂଚାୟତକୁ, ଗ୍ରାମବାସୀଙ୍କୁ, ସେଠାକାର ପିଲାଙ୍କୁ ଏହି ପ୍ରୟାସ ପାଇଁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ, ପାଣିର ଉପଲବ୍ଧତା ଓ ପାଣିର ଅଭାବ, ଏହା ଯେକୌଣସି ଦେଶର ପ୍ରଗତି ଓ ଗତିକୁ ନିର୍ଦ୍ଧାରିତ କରିଥାଏ । ଆପଣ ମଧ୍ୟ ଅନୁମାନ କରିଥିବେ ଯେ ‘ମନ କୀ ବାତ୍’ରେ ମୁଁ ସ୍ୱଚ୍ଛତା ଭଳି ବିଷୟ ସହିତ ବାରମ୍ବାର ଜଳ ସଂରକ୍ଷଣ କଥା ନିଶ୍ଚିତ ଭାବେ କହେ । ଆମର ତ ଗ୍ରନ୍ଥରେ ସ୍ପଷ୍ଟ ଭାବେ କୁହାଯାଇଛି-

ପାନିୟମ୍ ପରମମ୍ ଲୋକେ, ଜୀବାନାମ୍ ଜୀବନମ୍ ସମୃତମ୍ । ।

ଅର୍ଥାତ ସଂସାରରେ ଜଳ ହିଁ ପ୍ରତ୍ୟେକ ଜୀବ, ଜୀବନର ଆଧାର ଅଟେ ଏବଂ ଜଳ ହିଁ ସବୁଠୁ ବଡ଼ ସମ୍ବଳ ମଧ୍ୟ ଅଟେ; ସେଥିପାଇଁ ତ ଆମର ପୂର୍ବପୁରୁଷମାନେ ଜଳ ସଂରକ୍ଷଣ ଉପରେ ଏତେ ଗୁରୁତ୍ୱ ଦେଉଥିଲେ । ବେଦଠାରୁ ଆରମ୍ଭ କରି ପୁରାଣ ଯାଏଁ, ପ୍ରତ୍ୟେକ ସ୍ଥାନରେ ଜଳ ସଂଚୟ, ପୁଷ୍କରିଣୀ, ହ୍ରଦ ଆଦି ତିଆରି କରିବା, ମଣିଷର ସାମାଜିକ ଓ ଆଧ୍ୟାତ୍ମିକ କର୍ତ୍ତବ୍ୟ ବୋଲି ଉଲ୍ଲେଖ କରାଯାଇଛି । ବାଲ୍ମିକୀ ରାମାୟଣରେ ଜଳ ସ୍ରୋତଗୁଡ଼ିକର ସଂଯୋଗୀକରଣ, ଜଳ ସଂରକ୍ଷଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ସେହିଭଳି, ଇତିହାସର ବିଦ୍ୟାର୍ଥୀମାନେ ଜାଣିଥିବେ, ସିନ୍ଧୁ, ସରସ୍ୱତୀ ଓ ହରପ୍ପା ସଭ୍ୟତା କାଳରେ ମଧ୍ୟ ଭାରତରେ ଜଳକୁ ନେଇ କିଭଳି ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରାଯାଇଥିଲା । ପ୍ରାଚୀନ କାଳରେ ଅନେକ ସହରର ଜଳସ୍ରୋତଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ ହୋଇ ରହୁଥିଲା ଏବଂ ସେତେବେଳେ ଜନସଂଖ୍ୟା ମଧ୍ୟ ସେତେ ଅଧିକ ନ ଥିଲା, ପ୍ରାକୃତିକ ସମ୍ପଦର ମଧ୍ୟ ଅଭାବ ନ ଥିଲା । ଯଥେଷ୍ଟ ମାତ୍ରାରେ ଉପଲବ୍ଧ ଥିଲା । ତଥାପି ଜଳ ସଂରକ୍ଷଣକୁ ନେଇ ଏତେ ସଚେତନତା ରହିଥିଲା । କିନ୍ତୁ ଆଜି ପରିସ୍ଥିତି ଏହାର ବିପରୀତ । ମୋର ଆପଣ ସମସ୍ତଙ୍କୁ ଅନୁରୋଧ ଯେ, ଆପଣ ନିଜ ଅଂଚଳର ଏହିଭଳି ଜଳସ୍ରୋତଗୁଡ଼ିକ ସମ୍ପର୍କରେ ଜାଣନ୍ତୁ । ଅମୃତ ସରୋବର ଅଭିଯାନ ଯୋଗୁଁ ଜଳ ସଂରକ୍ଷଣ ହେବା ସଙ୍ଗେ ସଙ୍ଗେ ଆପଣଙ୍କ ଅଂଚଳ ଗୋଟିଏ ସ୍ୱତନ୍ତ୍ର ପରିଚୟ ଲାଭ କରିବ । ଏହାଦ୍ୱାରା ସହରରେ ସାହି ବସ୍ତିଗୁଡ଼ିକରେ ଆଂଚଳିକ ପର୍ଯ୍ୟଟନ କେନ୍ଦ୍ର ମଧ୍ୟ ଗଢ଼ିଉଠିବ, ଲୋକମାନଙ୍କ ବୁଲିବା ପାଇଁ ମଧ୍ୟ ଏକ ପର୍ଯ୍ୟଟନସ୍ଥଳ ସୃଷ୍ଟି ହେବ । 

ବନ୍ଧୁଗଣ, ଜଳ ସହ ଜଡ଼ିତ ଆମର ପ୍ରତ୍ୟେକ ପ୍ରଚେଷ୍ଟା ଆମର ଭବିଷ୍ୟତ ପାଇଁ ଉଦ୍ଦିଷ୍ଟ ହେବ । ଏହା ସମଗ୍ର ସମାଜର ଦାୟିତ୍ୱ । ଏଥିପାଇଁ ବିଭିନ୍ନ ସମାଜ ଶହ ଶହ ବର୍ଷ ଧରି ନିରନ୍ତର ପ୍ରଚେଷ୍ଟା କରିଆସିଛନ୍ତି । ଯେମିତିକି, କଚ୍ଛ ମରୁଭୂମିର ଗୋଟିଏ ଜନଜାତି, ଯିଏ ମାଲଧାରୀ ନାମରେ ପରିଚିତ, ସେମାନେ ଜଳ ସଂରକ୍ଷଣ ପାଇଁ ବୃଦାସ୍ ନାମକ ଗୋଟିଏ ଉପାୟ ଅବଲମ୍ବନ କରିଥାନ୍ତି । ଏହା ଅନ୍ତର୍ଗତ ଛୋଟ ଛୋଟ କୂପ ଖନନ କରାଯାଇଥାଏ ଏବଂ ଏହାର ସୁରକ୍ଷା ପାଇଁ ଏହାର ଚାରିପଟେ ଗଛ ଲଗାଯାଇଥାଏ । ସେହିଭଳି ମଧ୍ୟପ୍ରଦେଶର ଭିଲ୍ ଜନଜାତିର ଲୋକେ ନିଜର ଐତିହାସିକ ପରମ୍ପରା ହଲ୍ମାକୁ ଜଳ ସଂରକ୍ଷଣ ପାଇଁ ବ୍ୟବହାର କରୁଥିଲେ । ଏହି ପରମ୍ପରା ଅନୁଯାୟୀ ଏହି ଜନଜାତିର ଲୋକେ ପାଣି ସମସ୍ୟାର ସମାଧାନ ବାହାର କରିବା ପାଇଁ ଗୋଟିଏ ଜାଗାରେ ଏକତ୍ରିତ ହୁଅନ୍ତି । ହଲ୍ମା ପରମ୍ପରାରୁ ମିଳୁଥିବା ପରାମର୍ଶ ଅନୁସରଣ ଫଳରେ ଏହି ଅଂଚଳରେ ଜଳକଷ୍ଟ ଦୂର ହେଲା ଏବଂ ଭୂତଳ ଜଳସ୍ତର ମଧ୍ୟ ବୃଦ୍ଧି ପାଉଛି ।

ବନ୍ଧୁଗଣ, ଏଭଳି କର୍ତ୍ତବ୍ୟ ଭାବନା ଯଦି ସମସ୍ତଙ୍କ ମନରେ ଜାଗ୍ରତ ହୁଏ, ତାହେଲେ ଜଳ ସଂକଟ ସହ ଜଡ଼ିତ ଯେତେ ବଡ଼ ସମସ୍ୟା ହେଉନା କାହିଁକି, ଏହାର ସମାଧାନ ବାହାରିପାରିବ । ଆସନ୍ତୁ, ସ୍ୱାଧୀନତାର ଅମୃତ ମହୋତ୍ସବ ସମୟରେ ଆମେ ଜଳ ସଂରକ୍ଷଣ ଏବଂ ଜୀବନ ସଂରକ୍ଷଣ ନିମନ୍ତେ ସଂକଳ୍ପବଦ୍ଧ ହେବା । ଆମେ ଜଳର ପ୍ରତ୍ୟେକ ବିନ୍ଦୁ ସଂରକ୍ଷିତ କରିବା ଏବଂ ପ୍ରତ୍ୟେକ ଜୀବନ ବଂଚାଇବା ।

ମୋର ପ୍ରିୟ ଦେଶବାସୀଗଣ, ଆପଣମାନେ ଦେଖିଥିବେ ଯେ, କିଛିଦିନ ପୂର୍ବେ ମୁଁ ମୋର ଯୁବବନ୍ଧୁମାନଙ୍କ ସହିତ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଆଲୋଚନା କରିଥିଲି । ଏହି ଆଲୋଚନା ସମୟରେ କିଛି ଛାତ୍ର କହିଲେ ଯେ, ପରୀକ୍ଷାରେ ତାଙ୍କୁ ଗଣିତକୁ ଭୟ ଲାଗେ । ଏହିଭଳି କଥା ଆହୁରି ଅନେକ ଛାତ୍ରଛାତ୍ରୀ ମୋତେ ସେମାନଙ୍କ ବାର୍ତ୍ତାରେ ଲେଖି ପଠାଇଥିଲେ । ସେତିକିବେଳେ ମୁଁ ସ୍ଥିର କରିଥିଲି ଯେ, ଏଥର ଗଣିତ ଉପରେ ମୁଁ ‘ମନ୍ କି ବାତ୍’ରେ ଆଲୋଚନା କରିବି । ବନ୍ଧୁଗଣ, ଗଣିତ ତ ଏଭଳି ଗୋଟିଏ ବିଷୟ, ଯାହାକୁ ନେଇ ଆମେ ଭାରତବାସୀ ବିଶେଷ ଆଶ୍ୱସ୍ତ ହେବା ଉଚିତ । ଯେତେହେଲେ, ଗଣିତକୁ ନେଇ ସମଗ୍ର ବିଶ୍ୱରେ ସବୁଠାରୁ ଅଧିକ ଗବେଷଣା ଓ ଯୋଗଦାନ ଭାରତ ହିଁ ତ ଦେଇଛି । ଶୂନ ଅର୍ଥାତ ଜିରୋର ଆବିଷ୍କାର ଓ ଏହାର ଗୁରୁତ୍ୱ ବିଷୟରେ ଆପଣମାନେ ବହୁତ କିଛି ଶୁଣିଥିବେ । ଆପଣମାନେ ଏକଥା ମଧ୍ୟ ଶୁଣୁଥିବେ ଯେ, ଯଦି ଶୂନର ଆବିଷ୍କାର ନ ହୋଇଥାନ୍ତା ତାହେଲେ, ହୁଏତ ଆମେ ବିଶ୍ୱର ଏତେ ବୈଜ୍ଞାନିକ ଉନ୍ନତି ମଧ୍ୟ ଦେଖିପାରିନଥାନ୍ତୁ । କାଲକୁଲେଟରରୁ ଆରମ୍ଭ କରି କମ୍ପ୍ୟୁଟର ଯାଏଁ - ଏସବୁ ବୈଜ୍ଞାନିକ ଆବିଷ୍କାର ଶୂନ ଉପରେ ହିଁ ତ ଆଧାରିତ! ଭାରତର ଗଣିତଜ୍ଞ ଓ ବିଦ୍ୱାନମାନେ ଏ କଥା ମଧ୍ୟ ଲେଖିଛନ୍ତି ଯେ, 

ଯତ୍ କିଂଚିତ୍ ବସ୍ତୁ ତତ ସର୍ବ, ଗଣିତେନ ବିନା ନହିଁ । ଅର୍ଥାତ, ଏହି ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡରେ ଯାହା କିଛି ବି ରହିଛି, ତାହା ସବୁକିଛି ଗଣିତ ଉପରେ ହିଁ ପର୍ଯ୍ୟବେସିତ । ଆପଣ ବିଜ୍ଞାନ ପାଠ କଥା ମନେପକାନ୍ତୁ । ତେବେ ଏହାର ଅର୍ଥ ଆପଣ ବୁଝିପାରିବେ । ବିଜ୍ଞାନର ପ୍ରତ୍ୟେକ ସିଦ୍ଧାନ୍ତ ଗୋଟିଏ ଗାଣିତିକ ସୂତ୍ରରେ ହିଁ ପ୍ରକାଶ କରାଯାଇଥାଏ । ନ୍ୟୁଟନଙ୍କ ନିୟମ ହେଉ, କି ଆଇନଷ୍ଟାଇନଙ୍କ ପ୍ରସିଦ୍ଧ ସମୀକରଣ ହେଉ, ବ୍ରହ୍ମାଣ୍ଡ ସହ ଜଡ଼ିତ ସମସ୍ତ ବିଜ୍ଞାନ ଗଣିତ ନୁହେଁ ତ ଆଉ କ’ଣ ? ଏବେ ତ ବୈଜ୍ଞାନିକମାନେ ମଧ୍ୟ ଥିଓରି ଅଫ୍ ଏଭ୍ରିଥିଙ୍ଗ୍ କଥା ଆଲୋଚନା କରୁଛନ୍ତି । ମାନେ, ଏଭଳି ଗୋଟିଏ ମାତ୍ର ସୂତ୍ର ଯାହାଦ୍ୱାରା ବିଶ୍ୱର ପ୍ରତ୍ୟେକ ବସ୍ତୁକୁ ପ୍ରକାଶ କରାଯାଇପାରିବ । ଗଣିତ ସାହାଯ୍ୟରେ ବୈଜ୍ଞାନିକ ଚିନ୍ତାଧାରାର ଏତେ ବିସ୍ତାରର କଳ୍ପନା ଆମ ଋଷିମୁନିମାନେ ସର୍ବଦା କରିଆସିଛନ୍ତି । ଆମେ ଏକ ପକ୍ଷରେ ଶୂନର ଆବିଷ୍କାର କରିଛୁ, ତ ଅପରପକ୍ଷରେ ଇନଫିନିଟି ବା ଅନନ୍ତକୁ ମଧ୍ୟ ପ୍ରକାଶ କରିଛୁ । ସାଧାରଣ କଥାବାର୍ତ୍ତାରେ ଯେତେବେଳେ ଆମେ ସଂଖ୍ୟା ବିଷୟରେ କଥା ହେଉ, ସେତେବେଳେ ମିଲିୟନ୍, ବିଲିୟନ ବା ଟ୍ରିଲିୟନ୍ ଯାଏ କହୁ ଓ ଚିନ୍ତା କରିଥାଉ । କିନ୍ତୁ ବେଦରେ ଓ ଭାରତୀୟ ଗଣିତରେ ଏହି ଗଣନା ବହୁ ଦୂର ପର୍ଯ୍ୟନ୍ତ ଯାଇଥାଏ । ଆମର ଗୋଟିଏ ବହୁ ପୁରାତନ ଶ୍ଳୋକ ରହିଛି । 

ଏକଂ ଦଶଂ ଶତଂ ଚୈବ, ସହସ୍ରମ୍ ଅୟୂତଂ ତଥା ।

ଲକ୍ଷଂ ଚ ନିୟୂତଂ ଚୈବ, କୋଟିଃ ଅର୍ବୁଦଂ ଏବଂ ଚ । ।

ବୃନ୍ଦଂ ଖର୍ବୋ ନିଖର୍ବଃ ଚ, ଶଂଖଃ ପଦ୍ମଃ ଚ ସାଗରଃ ।

ଅନ୍ତ୍ୟଂ ମଧ୍ୟଂ ପରାର୍ଦ୍ଧଃ ଚ, ଦଶ ବୃଦ୍ଧ୍ୟା ଯଥାକ୍ରମମ୍ । ।

ଏହି ଶ୍ଳୋକରେ ସଂଖ୍ୟାର କ୍ରମ ଦର୍ଶାଯାଇଛି । ଯେମିତିକି, ଏକ, ଦଶ, ଶହ, ହଜାର, ଅୟୁତ, ଲକ୍ଷ, ନିୟୂତ, କୋଟି ... ଏହିଭଳି ଏହି ସଂଖ୍ୟା ଶଙ୍ଖ, ପଦ୍ମ, ସାଗର ଯାଏ ଲମ୍ବିଛି । ଏକ ସାଗରର ଅର୍ଥ ହେଲା ଟେନ୍ ଟୁ ଦି ପାୱାର୍ ୫୭ । ଏତିକିରେ ସରୁନି । ଏହି ସଂଖ୍ୟା ଆଗକୁ ଓଘ ଏବଂ ମହୋଘ ମଧ୍ୟ ରହିଛି । ଏକ ମହୋଘର ଅର୍ଥ ହେଲା ଟେନ୍ ଟୁ ଦି ପାୱାର୍ ୬୨, ଅର୍ଥାତ ୧ରେ ୬୨ଟି ଶୂନ । ଆମେ ଏତେ ବଡ଼ ସଂଖ୍ୟାର କଳ୍ପନା କରିବାରେ ବି କଷ୍ଟ ଅନୁଭବ କରୁ । କିନ୍ତୁ, ଭାରତୀୟ ଗଣିତରେ ଏହାର ପ୍ରୟୋଗ ହଜାର ହଜାର ବର୍ଷ ଧରି ହୋଇଆସିଛି । କିଛିଦିନ ପୂର୍ବେ ଇଂଟେଲ୍ କମ୍ପାନୀର ସିଇଓ ମୋ ସହିତ ସାକ୍ଷାତ କରିଥିଲେ । ସେ ମୋତେ ଗୋଟିଏ ଚିତ୍ର ଉପହାର ଦେଇଥିଲେ । ସେଥିରେ ମଧ୍ୟ ବାମନ ଅବତାର ମାଧ୍ୟମରେ ଗଣନା ଓ ମାପର ଏହିଭଳି ଗୋଟିଏ ଭାରତୀୟ ପଦ୍ଧତିକୁ ଚିତ୍ରିତ କରାଯାଇଥିଲା । ଇଂଟେଲ୍ ନାଁ ଶୁଣି କମ୍ପ୍ୟୁଟର କଥା ଆପଣଙ୍କ ମନେ ପଡ଼ିଯାଇଥିବ । କମ୍ପ୍ୟୁଟରର ଭାଷାରେ ଆପଣମାନେ ବାଇନାରୀ ପ୍ରଣାଳୀ ବିଷୟରେ ମଧ୍ୟ ଶୁଣିଥିବେ । କିନ୍ତୁ, ଆପଣ କ’ଣ ଜାଣନ୍ତି କି ? ଆମ ଦେଶରେ ଆଚାର୍ଯ୍ୟ ପିଙ୍ଗଳାଙ୍କ ଭଳି ଋଷି ଥିଲେ, ଯିଏ ବାଇନାରୀ ସଂଖ୍ୟାର କଳ୍ପନା କରିଥିଲେ । ସେହିପରି, ଆର୍ଯ୍ୟଭଟ୍ଟଙ୍କଠାରୁ ଆରମ୍ଭ କରି ରାମାନୁଜନଙ୍କ ଭଳି ଗଣିତଜ୍ଞଙ୍କ ଯାଏଁ ଗଣିତର କେତେ କେତେ ସିଦ୍ଧାନ୍ତକୁ ନେଇ ଆମ ଦେଶରେ ପ୍ରୟୋଗ କରାଯାଇଛି । 

ବନ୍ଧୁଗଣ, ଆମ ଭାରତୀୟମାନଙ୍କ ପାଇଁ ଗଣିତ କେବେହେଲେ କଠିନ ନ ଥିଲା । ଏହାର ଗୋଟିଏ ବଡ଼ କାରଣ ହେଉଛି ଆମର ବୈଦିକ ଗଣିତ । ଆଧୁନିକ କାଳରେ ବୈଦିକ ଗଣିତର ଶ୍ରେୟ ଯାଉଛି ଶ୍ରୀ ଭାରତୀକୃଷ୍ଣ ତୀର୍ଥଜୀ ମହାରଜଙ୍କୁ । ସେ ଗଣନାର ପ୍ରାଚୀନ ପଦ୍ଧତିଗୁଡ଼ିକୁ ପୁନରୁଦ୍ଧାର କଲେ ଓ ଏହାକୁ ବୈଦିକ ଗଣିତ ନାମରେ ନାମିତ କଲେ । ବୈଦିକ ଗଣିତର ସବୁଠାରୁ ବଡ଼ ବିଶେଷତ୍ୱ ଥିଲା ଯେ, ଏହାଦ୍ୱାରା ଆପଣ କଠିନରୁ କଠିନତମ ଗଣନା ଆଖିପିଛୁଳାକେ ନିଜ ମନରେ ହିଁ କରିପାରିବେ । ଆଜିକାଲି ତ ସାମାଜିକ ଗଣମାଧ୍ୟମରେ ବୈଦିକ ଗଣିତ ଶିଖିବା ଓ ଶିଖାଉଥିବା ଅନେକ ଯୁବବନ୍ଧୁଙ୍କ ଭିଡିଓ ଆପଣମାନେ ଦେଖିଥିବେ । 

ବନ୍ଧୁଗଣ, ଆଜି ‘ମନ୍ କି ବାତ୍’ରେ ବୈଦିକ ଗଣିତ ଶିକ୍ଷାଦାନ କରୁଥିବା ଏଭଳି ଜଣେ ସାଥୀ ଆମ ସହିତ ଯୋଡ଼ିହେଉଛନ୍ତି । ସେ ହେଉଛନ୍ତି କୋଲକାତାର ଗୌରବ ଟେକରିୱାଲ୍ । ସେ ଗତ ଦୁଇ ଦଶନ୍ଧି ଧରି ବୈଦିକ ଗଣିତ ଆନ୍ଦୋଳନକୁ ଅତି ସମର୍ପଣ ଭାବ ସହ ଆଗେଇ ନେଇଚାଲିଛନ୍ତି । ଆସନ୍ତୁ, ତାଙ୍କରି ସହିତ କିଛି କଥା ହେବା । 

ମୋଦିଜୀ - ଗୌରବ ବାବୁ, ନମସ୍କାର ।

ଗୌରବ - ନମସ୍କାର ସାର୍ ।

ମୋଦିଜୀ- ମୁଁ ଶୁଣିଛି ଯେ ବୈଦିକ ଗଣିତରେ ଆପଣଙ୍କର ବହୁତ ରୁଚି ରହିଛି । ଏହି କ୍ଷେତ୍ରରେ ଆପଣ ବହୁତ କିଛି କରୁଛନ୍ତି । ପ୍ରଥମେ ମୁଁ ଆପଣଙ୍କ ବିଷୟରେ କିଛି ଜାଣିବାକୁ ଚାହୁଁଛି । ଆଉ ପରେ ଏହି ବିଷୟରେ କାହିଁକି ଆପଣଙ୍କ ରୁଚି ରହିଛି ସେ ସମ୍ପର୍କରେ କିଛି କହିବେ ?

ଗୌରବ - ସାର୍, ୨୦ ବର୍ଷ ପୂର୍ବେ ଯେତେବେଳେ ମୁଁ ବିଜନେସ୍ ସ୍କୁଲ୍ ପାଇଁ ଦରଖାସ୍ତ କରୁଥିଲି, ସେତେବେଳେ ଏହା ପାଇଁ ଯେଉଁ ପ୍ରତିଯୋଗିତାମୂଳକ ପରୀକ୍ଷା ହେଉଥିଲା, ତାହା ଥିଲା କ୍ୟାଟ୍ । ସେଥିରେ, ବହୁତ ଗଣିତ ପ୍ରଶ୍ନ ରହୁଥିଲା । ଯାହାକୁ ଖୁବ୍ କମ୍ ସମୟରେ କରିବାକୁ ପଡ଼ୁଥିଲା । ତେଣୁ, ମୋ ମାଆ ମୋତେ ଗୋଟିଏ ବହି ଆଣିଦେଲେ । ଯାହାର ନାମ ଥିଲା ବୈଦିକ ଗଣିତ । ସ୍ୱାମୀ ଶ୍ରୀ ଭାରତୀକୃଷ୍ଣ ତୀର୍ଥଜୀ ମହାରାଜ ଏହାକୁ ରଚନା କରିଥିଲେ । ସେଥିରେ ସେ ୧୬ଟି ସୂତ୍ର ଦେଇଥିଲେ । ଯାହାଦ୍ୱାରା ଗଣିତ ବହୁତ ଶୀଘ୍ର ଓ ସହଜରେ ହୋଇଯାଉଥିଲା । ମୁଁ ଯେତେବେଳେ ତାକୁ ପଢ଼ିଲି, ମୋତେ ବହୁତ ପ୍ରେରଣା ମିଳିଲା । ତା’ପରେ ଗଣିତରେ ମୋର ଆଗ୍ରହ ବୃଦ୍ଧି ପାଇଲା । ମୁଁ ବୁଝିପାରିଲି ଯେ, ଗଣିତ ଯାହା ଭାରତର ଅବଦାନ, ଯାହା ଆମ ସମ୍ପତି, ଏହାକୁ ବିଶ୍ୱର କୋଣ ଅନୁକୋଣରେ ପହଂଚାଯାଇପାରିବ । ସେହିଦିନଠାରୁ ଏହାକୁ ମୁଁ ଗୋଟିଏ ଅଭିଯାନ ରୂପେ ଗ୍ରହଣ କଲି ଯେ, ବୈଦିକ ଗଣିତକୁ ବିଶ୍ୱର କୋଣ ଅନୁକୋଣକୁ ପହଂଚାଯାଉ । କାରଣ, ଗଣିତ ସମସ୍ତଙ୍କୁ ଭୟଭୀତ କରିଥାଏ । ପୁଣି, ବୈଦିକ ଗଣିତଠାରୁ ସହଜ ଆଉ କ’ଣ ହୋଇପାରେ ? 

ମୋଦିଜୀ – ଗୌରବ ବାବୁ, ଆପଣ କେତେ ବର୍ଷ ହେଲା, ଏହି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ?

ଗୌରବ – ଏହି କାମରେ ମୋତେ ୨୦ ବର୍ଷ ହୋଇଗଲାଣି । ମୁଁ ଏଥିରେ ହିଁ ଲାଗିଛି । 

ମୋଦିଜୀ – ସଚେତନତା ପାଇଁ ଆଉ କ’ଣ ସବୁ କରୁଛନ୍ତି ? ଲୋକଙ୍କୁ କିଭଳି କହୁଛନ୍ତି ?

ଗୌରବ - ଆମେ ସ୍କୁଲଗୁଡ଼ିକୁ ଯାଉ । ଆମେ ଅନଲାଇନ୍ ମଧ୍ୟ ଶିକ୍ଷାଦାନ କରିଥାଉ । ଆମ ସଂସ୍ଥାର ନାମ ହେଉଛି ବୈଦିକ ମ୍ୟାଥ୍ ଫୋରମ୍ ଇଣ୍ଡିଆ । ସେହି ସଂସ୍ଥା ମାଧ୍ୟମରେ ଆମେ ଇଂଟରନେଟ୍ ଜରିଆରେ ଚବିଶ ଘଂଟା ବୈଦିକ ଗଣିତ ସମ୍ପର୍କରେ ଶିକ୍ଷାଦାନ କରିଥାଉ ।

ମୋଦିଜୀ - ଗୌରବ ବାବୁ, ଆପଣ ତ ଜାଣନ୍ତି, ମୁଁ ପିଲାମାନଙ୍କ ସାଙ୍ଗରେ ନିରନ୍ତର କଥା ହେବାକୁ ଭଲ ପାଏ । ମୁଁ ସବୁବେଳେ ଏଥିପାଇଁ ସୁଯୋଗ ଅପେକ୍ଷାରେ ଥାଏ । ଏକଜାମ ୱାରିୟରକୁ ତ ଏକ ରକମ ସଂସ୍ଥାଗତ କରିଦେଇଛି । ମୁଁ ମଧ୍ୟ ଅନୁଭବ କରିଛି ଯେ, ଅଧିକାଂଶ ପିଲା ଗଣିତର ନାଁ ଶୁଣି ଖସି ପଳାନ୍ତି । ବିନା କାରଣରେ ଏହି ଯେଉଁ ଭୟ ସୃଷ୍ଟି ହୋଇଛି ତାକୁ ଦୂର କରିବା ପାଇଁ ମୁଁ ସବୁବେଳେ ଚେଷ୍ଟା କରୁଛି । ଏହି ଭୟକୁ ଦୂର କରି ଛୋଟ ଛୋଟ ପରମ୍ପରାଗତ କୌଶଳ, ଯାହା ଭାରତ ପାଇଁ ନୂଆ ନୁହଁ, ହୁଏତ ବିଶ୍ୱର ପ୍ରାଚୀନ ପରମ୍ପରାରେ ଭାରତରେ ଗଣିତର ପରମ୍ପରା ରହିଆସିଛି । ତେଣୁ ଏକଜାମ ୱାରିୟରଙ୍କ ଭୟ ଦୂର କରିବା ପାଇଁ ଆପଣ ସେମାନଙ୍କୁ କି ପରାମର୍ଶ ଦେବେ ?

ଗୌରବ – ସାର୍, ପିଲାମାନଙ୍କ ପାଇଁ ତ ଏହା ବିଶେଷ ଭାବେ ଉପଯୋଗୀ । କାରଣ, ପରୀକ୍ଷାର ଭୟ, ମିଥ୍ୟା ଭୟ ଯାହା ଘରେ ଘରେ ସୃଷ୍ଟି ହୋଇଛି, ପରୀକ୍ଷା ପାଇଁ ପିଲା ଟ୍ୟୁସନ ପଢ଼ୁଛନ୍ତି, ଅଭିଭାବକମାନେ ଚିନ୍ତାରେ ଥାଆନ୍ତି, ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ମାନସିକ ଚାପରେ ଥାଆନ୍ତି, କିନ୍ତୁ ବୈଦିକ ଗଣିତରେ ଏସବୁ ସହଜରେ ଦୂର ହୋଇପାରିବ । ସାମାନ୍ୟ ଗଣିତ ଅପେକ୍ଷା ବୈଦିକ ଗଣିତ ୧୫୦୦ ପ୍ରତିଶତ କ୍ଷୀପ୍ର । ଏହାଦ୍ୱାରା ପିଲାଙ୍କ ମଧ୍ୟରେ ବହୁତ ଆତ୍ମବିଶ୍ୱାସ ସୃଷ୍ଟି ହୋଇଥାଏ । ମସ୍ତିଷ୍କ ମଧ୍ୟ ଶୀଘ୍ର କାମ କରିଥାଏ । ଆମେ ବୈଦିକ ଗଣିତ ସହ ଯୋଗକୁ ମଧ୍ୟ ଆରମ୍ଭ କରିଛୁ, ତେଣୁ ପିଲାମାନେ ଚାହିଁଲେ ବୈଦିକ ଗଣିତ ସାହାଯ୍ୟରେ ଆଖି ବୁଜି ମଧ୍ୟ ହିସାବ କରିପାରିବେ । 

ମୋଦିଜୀ- ଅବଶ୍ୟ ଧ୍ୟାନର ପରମ୍ପରାରେ ମଧ୍ୟ ଏହିପରି ଭାବେ ଗଣନା କରିବା, ଧ୍ୟାନର ଗୋଟିଏ ପ୍ରାରମ୍ଭିକ ପର୍ଯ୍ୟାୟ । 

ଗୌରବ – ଠିକ୍ କଥା ସାର୍ ।

ମୋଦିଜୀ – ହଉ ଗୌରବ ବାବୁ, ଆପଣ ମିଶନ୍ ରୂପେ ଏହାକୁ ଗ୍ରହଣ କରିଥିବାରୁ ମୋତେ ବହୁତ ଖୁସି ଲାଗିଲା । ବିଶେଷକରି ଆପଣଙ୍କ ମାଆ ଗୋଟିଏ ଉତ୍ତମ ଗୁରୁ ଭାବେ ଆପଣଙ୍କୁ ଏହି ମାର୍ଗକୁ ନେଇଗଲେ । ଆଜି ଆପଣ ଲକ୍ଷ ଲକ୍ଷ ପିଲାଙ୍କୁ ସେହି ମାର୍ଗକୁ ନେଇଚାଲିଛନ୍ତି । ମୋ ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା । 

ଗୌରବ - ଧନ୍ୟବାଦ ସାର୍ । ମୁଁ ଆପଣଙ୍କ ପ୍ରତି କୃତଜ୍ଞତା ଜଣାଉଛି ଯେ, ଆପଣ ବୈଦିକ ଗଣିତକୁ ଏତେ ଗୁରୁତ୍ୱ ଦେଲେ ଓ କଥା ହେବାପାଇଁ ମୋତେ ବାଛିଲେ । ତେଣୁ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ ।

ମୋଦିଜୀ – ବହୁତ ବହୁତ ଧନ୍ୟବାଦ, ନମସ୍କାର ।

ଗୌରବ - ନମସ୍କାର ସାର ।

ବନ୍ଧୁଗଣ, ଗୌରବ ବାବୁ ବହୁତ ଭଲଭାବେ ବୁଝାଇଲେ ଯେ, ବୈଦିକ ଗଣିତ କେମିତି କଷ୍ଟ ଗଣିତକୁ ରୁଚିକର କରିପାରେ । କେବଳ ସେତିକି ନୁହେଁ, ବୈଦିକ ଗଣିତ ସାହାଯ୍ୟରେ ଆପଣ ବଡ଼ ବଡ଼ ବୈଜ୍ଞାନିକ ପ୍ରଶ୍ନକୁ ମଧ୍ୟ ସମାଧାନ କରିପାରିବେ । ମୁଁ ଚାହୁଁଛି, ସମସ୍ତ ଅଭିଭାବକ ନିଜ ପିଲାଙ୍କୁ ବୈଦିକ ଗଣିତ ନିଶ୍ଚୟ ଶିଖାନ୍ତୁ । ଏହାଦ୍ୱାରା ସେମାନଙ୍କ ଆତ୍ମବିଶ୍ୱାସ ତ ବଢ଼ିବ, ତା’ ସଙ୍ଗେ ସଙ୍ଗେ ତାଙ୍କ ମସ୍ତିଷ୍କର ବିଶ୍ଳେଷଣାତ୍ମକ ଶକ୍ତି ମଧ୍ୟ ବୃଦ୍ଧି ପାଇବ । ଆଉ ହଁ, ଗଣିତ ପ୍ରତି କିଛି ପିଲାଙ୍କର ଯେଉଁ ଭୟ ରହିଛି, ତାହା ମଧ୍ୟ ସମ୍ପୂର୍ଣ୍ଣ ଭାବେ ଦୂରହେବ ।

ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଆଜି ମ୍ୟୁଜିୟମଠାରୁ ଆରମ୍ଭ କରି ମ୍ୟାଥ୍ ପର୍ଯ୍ୟନ୍ତ ଅନେକ ଜ୍ଞାନବର୍ଦ୍ଧକ ବିଷୟଗୁଡ଼ିକ ଉପରେ ଆଲୋଚନା ହେଲା । ଏହି ସମସ୍ତ ବିଷୟ ଆପଣମାନଙ୍କ ପରାମର୍ଶରୁ ହିଁ ‘ମନ୍ କି ବାତ୍’ର ଅଂଶ ପାଲଟିଯାଏ । ଆପଣ ମୋତେ ଏହିଭଳି ଭାବେ ଆଗକୁ ମଧ୍ୟ ନିଜ ପରାମର୍ଶ ନମୋ ଆପ୍ ଏବଂ ମାଇ ଗଭ୍ ଜରିଆରେ ପଠାଇଚାଲନ୍ତୁ । ଆଗାମୀ ଦିନରେ ଦେଶରେ ଇଦ ପର୍ବ ମଧ୍ୟ ପାଳିତ ହେବାକୁ ଯାଉଛି । ମଇ ୩ ତାରିଖ ଦିନ ଅକ୍ଷୟ ତୃତୀୟା ଓ ଭଗବାନ ପର୍ଶୁରାମଙ୍କ ଜୟନ୍ତୀ ମଧ୍ୟ ପାଳିତ ହେବ । କିଛିଦିନ ପରେ ହିଁ ବୈଶାଖ ବୁଦ୍ଧ ପୂର୍ଣ୍ଣିମା ପର୍ବ ମଧ୍ୟ ପାଳନ କରାଯିବ । ଏହି ସମସ୍ତ ପର୍ବ ସଂଯମ, ପବିତ୍ରତା, ଦାନ ଏବଂ ସୌହାର୍ଦ୍ଦର ପର୍ବ । ଆପଣ ସମସ୍ତଙ୍କୁ ଏହି ପର୍ବଗୁଡ଼ିକ ପାଇଁ ଆଗୁଆ ଶୁଭେଚ୍ଛା । ଏହି ପର୍ବଗୁଡ଼ିକୁ ଅତ୍ୟନ୍ତ ଆନନ୍ଦ ଓ ସୌହାର୍ଦ୍ଦର ସହ ପାଳନ କରନ୍ତୁ । ଏସବୁ ମଧ୍ୟରେ ଆପଣଙ୍କୁ କରୋନା ପ୍ରତି ମଧ୍ୟ ସତର୍କ ରହିବାକୁ ପଡ଼ିବ । ମାସ୍କ ପରିଧାନ, ନିୟମିତ ସମୟ ବ୍ୟବଧାନରେ ହାତକୁ ସଫା ରଖିବା, ରକ୍ଷା ପାଇଁ ଯାହାକିଛି ଉପାୟ ରହିଛି, ସେଗୁଡ଼ିକୁ ପାଳନ କରନ୍ତୁ । ଆସନ୍ତା ଥରେ ‘ମନ୍ କି ବାତ୍’ରେ ଆମେ ପୁଣିଥରେ ଏକାଠି ହେବା ଏବଂ ଆପଣମାନେ ପଠାଇଥିବା ଆଉ କିଛି ନୂଆ ବିଷୟଗୁଡ଼ିକ ଉପରେ ଆଲୋଚନା କରିବା । ସେତେବେଳ ପର୍ଯ୍ୟନ୍ତ ବିଦାୟ ନେଉଛି । ବହୁତ ବହୁତ ଧନ୍ୟବାଦ ।

 

 

 

 

 

 

 

 

 

 

 

ମୋଦୀ ମାଷ୍ଟରକ୍ଲାସ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ 'ପରୀକ୍ଷା ପେ ଚର୍ଚ୍ଚା'
Share your ideas and suggestions for 'Mann Ki Baat' now!
Explore More
ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ ପିଏମ୍ ମୋଦୀଙ୍କ ସହ

ଲୋକପ୍ରିୟ ଅଭିଭାଷଣ

ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ ପିଏମ୍ ମୋଦୀଙ୍କ ସହ
Nearly 62 Top Industry Captains confirm their arrival; PM Modi to perform Bhumi-pujan for 2k projects worth Rs 75 thousand crores

Media Coverage

Nearly 62 Top Industry Captains confirm their arrival; PM Modi to perform Bhumi-pujan for 2k projects worth Rs 75 thousand crores
...

Nm on the go

Always be the first to hear from the PM. Get the App Now!
...
PM expresses happiness on the entire team of ASHA workers getting WHO Director-General's Global Health Leaders' award
May 23, 2022
ସେୟାର
 
Comments

The Prime Minister, Shri Narendra Modi has expressed his happiness for the entire team of ASHA workers receiving WHO Director-General's Global Health Leaders' award. Shri Modi said that ASHA workers are at forefront of ensuring a healthy India and their dedication and determination is admirable.

In response of tweet by World Health Organisation, the Prime Minister tweeted;

"Delighted that the entire team of ASHA workers have been conferred the @WHO Director-General’s Global Health Leaders’ Award. Congratulations to all ASHA workers. They are at the forefront of ensuring a healthy India. Their dedication and determination is admirable."