Women’s role in space science is rising, the sector is a favourite among youth: PM
Spend a day experiencing life as a scientist: PM Modi
India is rapidly making its mark is Artificial Intelligence: PM Modi
This Women’s Day, I am launching a unique initiative dedicated to our Nari Shakti: PM Modi
India is moving rapidly towards becoming a global sporting powerhouse: PM Modi
Cut down oil usage by 10%, this can have a big impact in fight against obesity: PM Modi
Gratitude to our tribal communities, who actively participate in wildlife conservation: PM Modi
Approach your exams with a positive spirit and without any stress: PM to students

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’କୁ ଆପଣ ସମସ୍ତଙ୍କୁ ସ୍ୱାଗତ । ଏବେ ଚମ୍ପିଆନ୍ସ ଟ୍ରଫି ଚାଲିଛି ଏବଂ ଚାରିଆଡ଼େ କ୍ରିକେଟ୍ ବିଷୟରେ ଆଲୋଚନା ହେଉଛି । କ୍ରିକେଟରେ ଶତକର ରୋମାଞ୍ଚ କ’ଣ, ତାହା ତ ଆମେ ସମସ୍ତେ ଭଲ ଭାବେ ଜାଣୁଁ, କିନ୍ତୁ ଆଜି ମୁଁ ଆପଣ ସମସ୍ତଙ୍କୁ କ୍ରିକେଟ୍ ନୁହେଁ, ବରଂ ଭାରତ ମହାକାଶରେ ଯେଉଁ ଶତକ ହାସଲ କରିଛି ସେ ବିଷୟରେ କହିବାକୁ ଯାଉଛି । ଗତ ମାସରେ ଦେଶ ଇସ୍ରୋର ୧୦୦ତମ ରକେଟ୍ ପ୍ରେରଣର ସାକ୍ଷୀ ହେଲା । ଏହା କେବଳ ଏକ ସଂଖ୍ୟା ନୁହେଁ, ବରଂ ଏଥିରୁ ମହାକାଶ ବିଜ୍ଞାନରେ ଆମର ନିତ୍ୟନୂତନ ଶିଖର ସ୍ପର୍ଶ କରିବାର ସଂକଳ୍ପ ବିଷୟରେ ମଧ୍ୟ ସୂଚନା ମିଳୁଛି । ଆମର ମହାକାଶ ଯାତ୍ରାର ଶୁଭାରମ୍ଭ ଅତି ସାଧାରଣ ଭାବେ ହୋଇଥିଲା । ଏଥିରେ ପ୍ରତି ପଦକ୍ଷେପରେ ଆହ୍ୱାନ ଥିଲା, କିନ୍ତୁ ଆମ ବୈଜ୍ଞାନିକମାନେ ବିଜୟ ଲାଭ କରି ଆଗକୁ ଆଗକୁ ବଢ଼ିଚାଲିଲେ । ସମୟ ସହିତ ମହାକାଶର ଏହି ଯାତ୍ରାରେ ଆମ ସଫଳତାର ତାଲିକା ଲମ୍ବା ହୋଇ ଚାଲିଲା । ଲଞ୍ଚ ଭେଇକିଲ୍ ନିର୍ମାଣ ହେଉ, ଚନ୍ଦ୍ରଯାନର ସଫଳତା ହେଉ, ମଙ୍ଗଳଯାନ ହେଉ, ଆଦିତ୍ୟ ଏଲ୍- ୱାନ୍ କିମ୍ବା ଗୋଟିଏ ରକେଟରେ ଏକାଥରରେ ୧୦୪ଟି ଉପଗ୍ରହ ପ୍ରେରଣର ଅଭୂତପୂର୍ବ ଅଭିଯାନ ହେଉ – ଇସ୍ରୋର ସଫଳତାର ପରିସର ବିଶାଳ ହୋଇଛି । ଗତ ୧୦ ବର୍ଷରେ ହିଁ ପ୍ରାୟଃ ୪୬୦ ଟି ଉପଗ୍ରହ ଲଞ୍ଚ୍ କରାଯାଇଛି ଏବଂ ଏଥିରେ ଅନ୍ୟ ଦେଶମାନଙ୍କର ମଧ୍ୟ ଅନେକ ଉପଗ୍ରହ ରହିଛି । ଗୋଟିଏ ବଡ଼ କଥା ହେଉଛି ଯେ, ଆମ ମହାକାଶ ବିଜ୍ଞାନୀମାନଙ୍କ ଦଳରେ ନାରୀଶକ୍ତିର ଅଂଶଗ୍ରହଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହାଦେଖି ମଧ୍ୟ ମୋତେ ବହୁତ ଖୁସି ଲାଗୁଛି ଯେ, ଆଜି ମହାକାଶ କ୍ଷେତ୍ର ଆମ ଯୁବବର୍ଗଙ୍କର ପ୍ରିୟ ହୋଇଯାଇଛି । କିଛି ବର୍ଷ ପୂର୍ବେ ଏ କଥା କିଏ ବା ଚିନ୍ତା କରିଥିବ ଯେ, ଏହି କ୍ଷେତ୍ରରେ ଷ୍ଟାର୍ଟ-ଅପ୍ ଏବଂ ଘରୋଇ କମ୍ପାନୀଗୁଡ଼ିକର ସଂଖ୍ୟା ଶହ ଶହ ହୋଇଯିବ । ଆମର ଯେଉଁ ଯୁବକ-ଯୁବତୀ ଜୀବନରେ କିଛି ରୋମାଂଚକର ଏବଂ ଉତ୍ସାହଜନକ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହି ମହାକାଶ କ୍ଷେତ୍ର ଗୋଟିଏ ସୁନ୍ଦର ବିକଳ୍ପ ହେବାକୁ ଯାଉଛି ।

ବନ୍ଧୁଗଣ, ଆଗାମୀ କିଛିଦିନ ମଧ୍ୟରେ ଆମେ ଜାତୀୟ ବିଜ୍ଞାନ ଦିବସ ପାଳନ କରିବାକୁ ଯାଉଛୁ । ଆମ ପିଲାମାନଙ୍କର, ଯୁବବର୍ଗଙ୍କ ବିଜ୍ଞାନରେ ଗଭୀର ରୁଚି ରହିଥିବା କଥା ବେଶ ଗୁରୁତ୍ୱପୂର୍ଣ୍ଣ । ଏହାକୁ ନେଇ ମୋ ପାଖରେ ଗୋଟିଏ ଆଇଡିଆ ରହିଛି, ଯାହାକୁ ଆପଣ “One Day as a Scientist” ବୋଲି କହିପାରନ୍ତି । ଅର୍ଥାତ୍, ଆପଣ ନିଜର ଗୋଟିଏ ଦିନ ବୈଜ୍ଞାନିକ ରୂପେ ଅତିବାହିତ କରି ଦେଖନ୍ତୁ । ଆପଣ ନିଜ ସୁବିଧା ଅନୁସାରେ, ନିଜ ଇଚ୍ଛା ଅନୁସାରେ ଯେ କୌଣସି ଦିନଟିକୁ ଚୟନ କରନ୍ତୁ । ସେ ଦିନ ଆପଣ କୌଣସି ଗବେଷଣାଗାର, ପ୍ଲାନେଟୋରିୟମ୍ କିମ୍ବା ମହାକାଶ କେନ୍ଦ୍ର ଭଳି ସ୍ଥାନକୁ ନିଶ୍ଚୟ ଯାଆନ୍ତୁ । ଏହାଦ୍ୱାରା ବିଜ୍ଞାନକୁ ନେଇ ଆପଣଙ୍କ ମନରେ ଜିଜ୍ଞାସା ଆହୁରି ବୃଦ୍ଧି ପାଇବ । ମହାକାଶ ଓ ବିଜ୍ଞାନ ଭଳି ଅନ୍ୟ ଏକ କ୍ଷେତ୍ର ରହିଛି, ଯେଉଁଠି ଭାରତ ଦୃତ ଗତିରେ ନିଜର ପରିଚୟ ସୃଷ୍ଟି କରିବାରେ ଲାଗିଛି । ଏହି କ୍ଷେତ୍ର ହେଉଛି ଏ.ଆଇ. - ଆର୍ଟିଫିଶିଆଲ୍ ଇଂଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା । ନିକଟରେ ଏ.ଆଇ. ସମ୍ପର୍କିତ ଗୋଟିଏ ବଡ଼ ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ମୁଁ ପ୍ୟାରିସ୍ ଯାଇଥିଲି । ସେଠାରେ ବିଶ୍ୱବାସୀ ଏହି କ୍ଷେତ୍ରରେ ଭାରତର ଅଗ୍ରଗତିକୁ ନେଇ ବହୁତ ପ୍ରଶଂସା କରୁଥିଲେ । ଆମ ଦେଶର ଲୋକେ ଆଜି ଏ.ଆଇ.ର ବ୍ୟବହାର କେଉଁ ପ୍ରକାର କରୁଛନ୍ତି, ଏହାର ଉଦାହରଣ ମଧ୍ୟ ଆମକୁ ଦେଖିବାକୁ ମିଳୁଛି । ଏଇ ଯେମିତି, ତେଲଙ୍ଗାନାର ଆଦିଲାବାଦରେ ସରକାରୀ ବିଦ୍ୟାଳୟର ଜଣେ ଶିକ୍ଷକ ହେଉଛନ୍ତି ଥୋଡ଼ାସମ୍ କୈଳାଶ ଜୀ । ଡିଜିଟାଲ୍ ଗୀତ-ସଙ୍ଗୀତରେ ତାଙ୍କର ଋଚି ଆମର ଅନେକ ଆଦିବାସୀ ଭାଷାକୁ ଜୀବିତ ରଖିବାରେ ବହୁତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛି । ସେ ଏ.ଆଇ. ଟୁଲ୍ସ ସାହାଯ୍ୟରେ କୋଲାମୀ ଭାଷାରେ ସ୍ୱର ସଂଯୋଜନା କରି ଚମତ୍କାର କାର୍ଯ୍ୟ କରିଦେଖାଇଛନ୍ତି । ସେ ଏ.ଆଇ.ର ବ୍ୟବହାର କୋଲାମୀ ବ୍ୟତୀତ ଅନ୍ୟ କେତେକ ଭାଷାରେ ଗୀତ ପ୍ରସ୍ତୁତ କରୁଛନ୍ତି । ସାମାଜିକ ଗଣମାଧ୍ୟମରେ ତାଙ୍କ ଟ୍ରାକଗୁଡ଼ିକ ଆମ ଆଦିବାସୀ ଭାଇଭଉଣୀମାନଙ୍କୁ ଖୁବ ଭଲ ଲାଗୁଛି । ମହାକାଶ କ୍ଷେତ୍ର ହେଉ କି ଏ.ଆଇ., ଆମ ଯୁବବର୍ଗର ଏଥିରେ କ୍ରମବର୍ଦ୍ଧିଷ୍ଣୁ ଅଂଶଗ୍ରହଣ ଗୋଟିଏ ନୂତନ ବିପ୍ଳବକୁ ଜନ୍ମ ଦେଉଛି । ନୂଆ ନୂଆ ଜ୍ଞାନକୌଶଳର ପ୍ରୟୋଗ ଓ ବ୍ୟବହାର କରିବାରେ ଭାରତର ଲୋକେ କାହାଠୁ କମ ନୁହନ୍ତି ।

ମୋର ପ୍ରିୟ ଦେଶବାସୀଗଣ, ଆସନ୍ତା ମାର୍ଚ୍ଚ ମାସ ୮ ତାରିଖ ହେଉଛି ଆନ୍ତର୍ଜାତିକ ମହିଳା ଦିବସ । ଏହା ଆମର ନାରୀଶକ୍ତିକୁ ସମ୍ମାନ ଜଣାଇବାର ଗୋଟିଏ ବିଶେଷ ଅବସର । ଦେବୀ ମହାତ୍ମ୍ୟରେ କୁହାଯାଇଛି –

ବିଦ୍ୟାଃ ସମସ୍ତାଃ ତବ ଦେବୀ ଭେଦାଃ

ସ୍ତ୍ରୀୟଃ ସମସ୍ତା ସକଲା ଜଗତ୍ସୁ ।

ଅର୍ଥାତ୍ ସମସ୍ତ ବିଦ୍ୟା, ଦେବୀଙ୍କର ହିଁ ଭିନ୍ନ ଭିନ୍ନ ସ୍ୱରୁପର ପରିପ୍ରକାଶ ଏବଂ ଜଗତର ସମସ୍ତ ନାରୀ-ଶକ୍ତିରେ ମଧ୍ୟ ତାଙ୍କରି ପ୍ରତିରୂପ ରହିଛି । ଆମ ସଂସ୍କୃତିରେ କନ୍ୟାମାନଙ୍କ ସମ୍ମାନ ସର୍ବୋପରି । ଦେଶର ମାତୃଶକ୍ତି ଆମର ସ୍ୱାଧୀନତା ସଂଗ୍ରାମରେ ଏବଂ ସମ୍ବିଧାନ ନିର୍ମାଣରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସମ୍ବିଧାନ ସଭାରେ ଆମର ଜାତୀୟ ପତାକା ଉପସ୍ଥାପନ କରି ହଂସା ମେହେତା ଜୀ ଯାହା କହିଥିଲେ, ମୁଁ ତାଙ୍କରି ସ୍ୱରରେ ଆପଣ ସମସ୍ତଙ୍କ ସହ ତାହା ଶେୟାର କରୁଛି ।

# AUDIO :

It is in the fitness of things that this first flag that will fly over this august house should be a gift from the women of India. We have dawn the saffron colour; we have fought, suffered and sacrificed in the cause of our country’s freedom. 4 We have today attained our goal. In presenting this symbol of our freedom, we once more offer our services to the nation. We pledge ourselves to work for a great India, for building up a nation that will be a nation among nations. We pledge ourselves for a working for a greater cause to maintain the freedom that we have achieved.

ବନ୍ଧୁଗଣ, ହଂସା ମେହେତା ଆମ ଜାତୀୟ ପତାକା ନିର୍ମାଣ ଠାରୁ ଆରମ୍ଭ କରି ଏହା ପାଇଁ ବଳିଦାନ ଦେଇଥିବା ଦେଶର ସମସ୍ତ ମହିଳାମାନଙ୍କ ଅବଦାନକୁ ଉପସ୍ଥାପିତ କରିଥିଲେ । ସେ କହିଥିଲେ ଯେ, ଆମ ତ୍ରିରଙ୍ଗାରେ ରହିଥିବା ଗେରୁଆ ରଙ୍ଗ ଯୋଗୁଁ ଏହି ଭାବନା ଜାଗ୍ରତ ହେଉଛି । ଆମ ନାରୀଶକ୍ତି ଭାରତକୁ ସଶକ୍ତ ଏବଂ ସମୃଦ୍ଧ କରିବାରେ ନିଜର ବହୁମୂଲ୍ୟ ଯୋଗଦାନ ଦେବ ବୋଲି ତାଙ୍କର ବିଶ୍ୱାସ ରହିଥିଲା । ଆଜି ତାଙ୍କ କଥା ସତ୍ୟ ପ୍ରମାଣିତ ହେଉଛି । ଯେକୌଣସି କ୍ଷେତ୍ରକୁ ଦେଖିଲେ ସେଥିରେ ମହିଳାମାନଙ୍କ ବ୍ୟାପକ ଅବଦାନ ଆପଣଙ୍କ ଦୃଷ୍ଟିଗୋଚର ହେବ । ବନ୍ଧୁଗଣ, ଏଥର ମହିଳା ଦିବସରେ ମୁଁ ଏଭଳି କିଛି ଆରମ୍ଭ କରିବାକୁ ଯାଉଛି, ଯାହା ଆମ ନାରୀଶକ୍ତି ପ୍ରତି ସମର୍ପିତ ହେବ । ଏହି ବିଶେଷ ଅବସରରେ ମୁଁ ମୋର Social Media Account, ଯେମିତିକି ଏକ୍ସ, ଇନଷ୍ଟାଗ୍ରାମକୁ ଦିନକ ପାଇଁ କିଛି ପ୍ରେରଣାଦାୟୀ ମହିଳାମାନଙ୍କୁ ସମର୍ପିତ କରିବାକୁ ଯାଉଛି । ଏଭଳି ମହିଳା, ଯେଉଁମାନେ ଭିନ୍ନ ଭିନ୍ନ କ୍ଷେତ୍ରରେ ଉପଲବ୍ଧି ହାସଲ କରିଛନ୍ତି, Innovation କରିଛନ୍ତି, ବିଭିନ୍ନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ମାର୍ଚ୍ଚ ୮ ତାରିଖ ଦିନ ସେମାନେ ନିଜ କାର୍ଯ୍ୟ ଏବଂ ଅନୁଭୂତିକୁ ଦେଶବାସୀଙ୍କ ସହ ବାଣ୍ଟିବେ । ଏହା ପଛେ ମୋ ପ୍ଲାଟଫର୍ମ ହୋଇଥାଉ, କିନ୍ତୁ ସେଠାରେ ତାଙ୍କ ଅଭିଜ୍ଞତା, ତାଙ୍କ ଆହ୍ୱାନ ଏବଂ ଉପଲବ୍ଧି ସମ୍ପର୍କରେ ଆଲୋଚନା ହେବ । ଯଦି ଆପଣ ଚାହୁଁଛନ୍ତି ଯେ, ଆପଣଙ୍କୁ ଏହି ସୁଯୋଗ ମିଳୁ, ତାହେଲେ ନମୋ ଆପରେ ସୃଷ୍ଟି କରାଯାଇଥିବା ବିଶେଷ ଫୋରମ୍ ମାଧ୍ୟମରେ ଏହି ପ୍ରୟୋଗର ଅଂଶୀଦାର ହୁଅନ୍ତୁ ଏବଂ ମୋ ଏକ୍ସ ଓ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ମାଧ୍ୟମରେ ନିଜ କଥା ସାରା ବିଶ୍ୱ ଆଗରେ ଉପସ୍ଥାପିତ କରନ୍ତୁ, ତେବେ ଆସନ୍ତୁ, ଏଥର ମହିଳା ଦିବସରେ ଆମେ ସମସ୍ତେ ମିଶି ଅଦମ୍ୟ ନାରୀଶକ୍ତିକୁ ସେଲିବ୍ରେଟ୍ କରିବା, ସମ୍ମାନ ଜଣାଇବା, ପ୍ରଣାମ କରିବା ।

ମୋର ପ୍ରିୟ ଦେଶବାସୀଗଣ, ଆପଣଙ୍କ ମଧ୍ୟରୁ ଅନେକେ ଏମିତି ଥିବେ, ଯିଏ ଉତ୍ତରାଖଣ୍ଡରେ ହୋଇଥିବା ଜାତୀୟ କ୍ରୀଡ଼ାର ରୋମାଞ୍ଚକାରୀ ମୁହୂର୍ତ୍ତର ମଜା ଉଠାଇଥିବେ । ସାରା ଦେଶର ୧୧,୦୦୦ରୁ ଅଧିକ କ୍ରୀଡ଼ାବିତ୍ ଏଥିରେ ଖୁବ ସୁନ୍ଦର ପ୍ରଦର୍ଶନ କରିଥିଲେ । ଏହି ଆୟୋଜନ ଦେବଭୂମୀର ଏକ ନୂତନ ସ୍ୱରୂପ ଉପସ୍ଥାପିତ କଲା । ଉତ୍ତରାଖଣ୍ଡ ଏବେ ଦେଶରେ କ୍ରୀଡ଼ା କ୍ଷେତ୍ରରେ ଏକ ଅନନ୍ୟ ଶକ୍ତି ଭାବେ ସମ୍ମୁଖକୁ ଆସୁଛି । ଉତ୍ତରାଖଣ୍ଡର ଖେଳାଳୀମାନେ ମଧ୍ୟ ଖୁବ ଭଲ ପ୍ରଦର୍ଶନ କରିଛନ୍ତି । ଉତ୍ତରାଖଣ୍ଡ ଏଥର ସପ୍ତମ ସ୍ଥାନରେ ରହିଲା । ଏହା ହିଁ ତ କ୍ରୀଡ଼ାର ଶକ୍ତି, ଯାହା ଲୋକମାନଙ୍କୁ ଏବଂ ସାମୂହିକ ଭାବେ ସାରା ରାଜ୍ୟର କାୟାକଳ୍ପ ପରିବର୍ତ୍ତନ କରିଥାଏ । ଏହାଦ୍ୱାରା ଭବିଷ୍ୟତ ପିଢ଼ି ପ୍ରେରିତ ହେବା ସଙ୍ଗେ ସଙ୍ଗେ culture of excellence ମଧ୍ୟ ବୃଦ୍ଧି ପାଇଥାଏ।

ବନ୍ଧୁଗଣ, ଆଜି ସମଗ୍ର ଦେଶରେ ଏସବୁ କ୍ରୀଡ଼ା ପ୍ରଦର୍ଶନ ସମ୍ପର୍କରେ ବହୁତ ଚର୍ଚ୍ଚା ଚାଲିଛି । ଏସବୁ କ୍ରୀଡ଼ା ମଧ୍ୟରେ ସବୁଠୁ ଅଧିକ ସ୍ୱର୍ଣ୍ଣପଦକ ଜିଣିଥିବା ସର୍ଭିସେସର ଦଳକୁ ମୋର ବହୁତ ବହୁତ ଅଭିନନ୍ଦନ । ରାଷ୍ଟ୍ରୀୟ କ୍ରୀଡ଼ାରେ ଭାଗ ନେଇଥିବା ପ୍ରତ୍ୟେକ ଖେଳାଳିଙ୍କୁ ମଧ୍ୟ ମୁଁ ପ୍ରଶଂସା କରୁଛି । ଆମର ବହୁତ ଖେଳାଳି ‘ଖେଲୋ ଇଣ୍ଡିଆ’ ଅଭିଯାନରୁ ବାହାରିଛନ୍ତି । ହିମାଚଳ ପ୍ରଦେଶର ସାୱନ ବରୱାଲ, ମହାରାଷ୍ଟ୍ରର କିରଣ ମାତ୍ରେ, ତେଜସ୍ ଶିର୍‌ସେ, ଆନ୍ଧ୍ରପ୍ରଦେଶର ଜ୍ୟୋତି ୟାରାଜୀ, ସମସ୍ତେ ଦେଶକୁ ନୂଆ ଆଶା ଦେଇଛନ୍ତି । ଉତ୍ତରପ୍ରଦେଶର ଜାଭଲିନ ଫିଙ୍ଗାଳି ସଚିନ୍ ଯାଦବ, ହରିୟାଣାର ହାଇଜମ୍ପର୍‌ ପୂଜା ଓ କର୍ଣ୍ଣାଟକର ସନ୍ତରଣକାରୀ ଧିନିଧି ଦେସିଂଘୁ ଦେଶବାସୀଙ୍କ ହୃଦୟ ଜିତିଛନ୍ତି । ଏମାନେ ତିନିଟି ନୂଆ ଜାତୀୟ ରେକର୍ଡ ପ୍ରତିଷ୍ଠା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଏଥରର ରାଷ୍ଟ୍ରୀୟ କ୍ରୀଡ଼ାରେ କିଶୋର ବୟସର ଚାମ୍ପିଅନଙ୍କ ସଂଖ୍ୟା ବିସ୍ମୟକର । ୧୫ ବର୍ଷର ସୁଟର ଗେଭିନ ଏଣ୍ଟନି, ୟୁପିର ହ୍ୟାମର୍‌ ଥ୍ରୋ ଖେଳାଳି ୧୬ ବର୍ଷର ଅନୁଷ୍କା ଯାଦବ, ମଧ୍ୟପ୍ରଦେଶର ୧୯ ବର୍ଷର ପୋଲ୍‌ଭଲ୍ଟର ଦେବ କୁମାର ମୀନା ପ୍ରମାଣିତ କରିଛନ୍ତି ଯେ ଭାରତର କ୍ରୀଡ଼ା ଭବିଷ୍ୟତ ବହୁତ ପ୍ରତିଭାବାନ ପିଢ଼ି ହାତରେ ରହିଛି । ଉତ୍ତରାଖଣ୍ଡରେ ଅନୁଷ୍ଠିତ ଜାତୀୟ କ୍ରୀଡ଼ା ଏହା ମଧ୍ୟ ଦେଖାଇ ଦେଲା ଯେ କେବେ ପରାଜୟକୁ ମାନୁନଥିବା ଲୋକେ ନିଶ୍ଚିତ ଭାବେ ବିଜୟୀ ହୁଅନ୍ତି । ସହଜରେ କିଏ ଚାମ୍ପିଅନ୍‌ ହୁଏନାହିଁ । ମୋତେ ଖୁସି ଲାଗୁଛି ଯେ ଆମର ଯୁବ ଆଥ୍‌ଲେଟ୍‌ମାନଙ୍କ ନିଷ୍ଠା ଓ ଶୃଙ୍ଖଳା ଯୋଗୁଁ ଭାରତ ଆଜି ଗ୍ଲୋବାଲ୍‌ ସ୍ପୋର୍ଟିଙ୍ଗ୍‌ ପାୱାର୍‌ହାଉସ୍‌ ହେବା ଦିଗରେ ଦ୍ରୁତ ଅଗ୍ରସର ହେଉଛି ।

ମୋର ପ୍ରିୟ ଦେଶବାସୀଗଣ, ଡେରାଡୁନରେ ରାଷ୍ଟ୍ରୀୟ କ୍ରୀଡ଼ାର ଉଦ୍‌ଘାଟନ ଅବସରରେ ମୁଁ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଉଠାଇଥିଲି, ଯାହା ଦେଶରେ ଏକ ନୂଆ ଚର୍ଚ୍ଚା ଆରମ୍ଭ କରିଛି । ଏହି ବିଷୟଟି ହେଉଛି ‘ଓବେସିଟି’ ବା ମେଦବହୁଳତା । ଏକ ଫିଟ୍‌ ଓ ସୁସ୍ଥ ଦେଶ ହେବାପାଇଁ ଆମକୁ ମେଦବହୁଳତା ସମସ୍ୟାକୁ ଦୂର କରିବାକୁ ହେବ । ଏକ ଅନୁଧ୍ୟାନ ଅନୁଯାୟୀ ଆଜି ପ୍ରତ୍ୟେକ ଆଠ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ମେଦବହୁଳତାର ସମସ୍ୟା ଭୋଗୁଛନ୍ତି । ବିଗତ ବର୍ଷଗୁଡ଼ିକରେ ମେଦବହୁଳତାର ମାମଲା ଦୁଇଗୁଣ ହୋଇଯାଇଛି, କିନ୍ତୁ ଏହାଠାରୁ ମଧ୍ୟ ଅଧିକ ଚିନ୍ତାର କଥା ହେଲା ପିଲାଙ୍କ ଭିତରେ ବି ମେଦବହୁଳତା ସମସ୍ୟା ଚାରିଗୁଣ ବଢ଼ିଯାଇଛି । ଡବ୍ଲୁ୍ୟଏଚ୍ଓର ତଥ୍ୟ କହୁଛି ଯେ ୨୦୨୨ରେ ସମଗ୍ର ପୃଥିବୀରେ ପ୍ରାୟ ଅଢ଼େଇ ଶହ କୋଟି ଲୋକ ଅଧିକ ଓଜନର ଥିଲେ, ଅର୍ଥାତ ସେମାନଙ୍କର ଆବଶ୍ୟକତାଠୁ ବହୁତ ଅଧିକ ଓଜନ ଥିଲା । ଏହି ପରିସଂଖ୍ୟାନ ଅତ୍ୟନ୍ତ ଚିନ୍ତାଜନକ ଓ ଆମ ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରୁଛି ଯେ ଅନ୍ତତଃ ଏପରି ହେଉଛି କାହିଁକି ? ଅଧିକ ଓଜନ ବା ମେଦ ବହୁଳତା ଅନେକ ପ୍ରକାରର ଅସୁବିଧାକୁ, ରୋଗକୁ ମଧ୍ୟ ଜନ୍ମ ଦେଇଥାଏ । ଆମେ ସମସ୍ତେ ମିଶି ଛୋଟ ଛୋଟ ପ୍ରୟାସ ଦ୍ୱାରା ଏହି ଆହ୍ୱାନର ମୁକାବିଲା କରିପାରିବା, ଯେଉଁଭଳି ମୁଁ ଗୋଟିଏ ଉପାୟ କହିଥିଲି “ଖାଦ୍ୟରେ ତେଲ ଦଶ ପ୍ରତିଶତ କମ୍‌ କରିବା’’ । ଆପଣ ସ୍ଥିର କରିନିଅନ୍ତୁ ଯେ ପ୍ରତ୍ୟେକ ମାସରେ ଦଶ ପ୍ରତିଶତ ତେଲ କମ୍‌ ବ୍ୟବହାର କରିବେ । ତେଲ କିଣିବା ସମୟରେ ଏବେ ଦଶ ପ୍ରତିଶତ କମ୍‌ ହିଁ କିଣିବେ । ଏହା ମେଦହୁଳତା କମ୍‌ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ । ମୁଁ ଆଜି ‘ମନ୍‌ କୀ ବାତ୍‌’ରେ ଏ ବିଷୟରେ କେତେକ ସ୍ୱତନ୍ତ୍ର ବାର୍ତ୍ତା ମଧ୍ୟ ଆପଣମାନଙ୍କ ସହ ବାଣ୍ଟିବାକୁ ଚାହୁଁଛି । ଅଲିମ୍ପିକ୍‌ ପଦକ ବିଜେତା ନୀରଜ ଚୋପ୍ରା ଜୀଙ୍କଠୁ ଆରମ୍ଭ କରିବା, ଯିଏ ନିଜେ ସଫଳତାର ସହ ମେଦବହୁଳତାକୁ ନିୟନ୍ତ୍ରଣ କରି ଦେଖାଇଛନ୍ତି ।

ନୀରଜ ଚୋପ୍ରାଙ୍କ ଅଡ଼ିଓ......

ସମସ୍ତଙ୍କୁ ନମସ୍କାର, ମୁଁ ନୀରଜ ଚୋପ୍ରା ଆଜି ଆପଣ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ଆମର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ‘ମନ୍‌ କୀ ବାତ୍‌’ରେ ଏଥର ଓବେସିଟି ସମ୍ପର୍କରେ ଆଲୋଚନା କରିଛନ୍ତି, ଯାହା ଆମ ଦେଶର ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ମୁଁ ଏକଥା ସହ ନିଜକୁ ମଧ୍ୟ ଯୋଡ଼ିପାରୁଛି, କାହିଁକିନା ଯେତେବେଳେ ମୁଁ ଗ୍ରାଉଣ୍ଡ୍‌କୁ ଯିବା ଆରମ୍ଭ କରିଥିଲି ତ ସେହି ସମୟରେ ମଧ୍ୟ ମୋର ବହୁତ ମେଦବହୁଳତା ରହିଥିଲା ଆଉ ଯେତେବେଳେ ମୁଁ ତାଲିମ ନେବା ଆରମ୍ଭ କଲି, ଭଲ ଖାଦ୍ୟ ଖାଇବା ଆରମ୍ଭ କଲି ତ ସ୍ୱାସ୍ଥ୍ୟରେ ବହୁତ ସୁଧାର ଆସିଲା । ଏହାପରେ ଯେତେବେଳେ ମୁଁ ଜଣେ ପ୍ରଫେସନାଲ୍‌ ଆଥଲେଟ୍‌ ହୋଇଗଲି ତ ସେଥିରେ ମଧ୍ୟ ତାହା ମୋତେ ବହୁତ ସାହାଯ୍ୟ କଲା । ଏଥିସହ ମୁଁ କହିବାକୁ ଚାହୁଁଛି ଯେ ଯେଉଁ ବାପାମାଆମାନେ ଅଛନ୍ତି ସେମାନେ ନିଜେ ମଧ୍ୟ କିଛି ନା କିଛି ଆଉଟ୍‌ଡୋର୍‌ ସ୍ପୋର୍ଟସ୍‌ ଖେଳନ୍ତୁ ଆଉ ନିଜ ପିଲାଙ୍କୁ ମଧ୍ୟ ନେଇଯାଆନ୍ତୁ ଆଉ ଏକ ଭଲ ସୁସ୍ଥ ଜୀବନଶୈଳୀ ତିଆରି କରନ୍ତୁ, ଭଲ ଖାଆନ୍ତୁ ଏବଂ ନିଜ ଶରୀରକୁ ଏକ ଘଣ୍ଟା ବା ଦିନକ ଭିତରେ ଆପଣ ଯେତେ ବି ସମୟ ଦେଇପାରିବେ ବ୍ୟାୟାମ ପାଇଁ ଦିଅନ୍ତୁ । ମୁଁ ଆଉ ଗୋଟିଏ କଥା କହିବାକୁ ଚାହିଁବି, ନିକଟରେ ଆମର ପ୍ରଧାନମନ୍ତ୍ରୀ ଜୀ କହିଥିଲେ ଯେ ଖାଦ୍ୟରେ ବ୍ୟବହାର ହେଉଥିବା ତେଲକୁ ଦଶ ପ୍ରତିଶତ ପର୍ଯ୍ୟନ୍ତ କମ୍‌ କରନ୍ତୁ, କାହିଁକିନା ଅନେକ ସମୟରେ ଆମେ ବହୁତ ତେଲିଆ ଜିନିଷ ଖାଇ ଦେଉ, ଯାହାଦ୍ୱାରା ମେଦବହୁଳତା ଉପରେ ବହୁତ ପ୍ରଭାବ ପଡ଼ିଥାଏ । ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ଏସବୁ ଜିନିଷରୁ ଦୂରରେ ରହନ୍ତୁ ଆଉ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ଏହା ଆପଣମାନଙ୍କୁ ଅନୁରୋଧ କରୁଛି ଏବଂ ଏକାଠି ମିଳିମିଶି ଆମେ ନିଜ ଦେଶକୁ ମଧ୍ୟ ଉପରକୁ ଉଠାଇବା, ଧନ୍ୟବାଦ ।

ନୀରଜ ଜୀ ବହୁତ ବହୁତ ଧନ୍ୟବାଦ । ଜଣାଶୁଣା ଆଥଲେଟ୍‌ ନିଖତ୍‌ ଜରିନ୍‌ ଜୀ ମଧ୍ୟ ଏ ବିଷୟରେ ନିଜ ମତ ରଖିଛନ୍ତି:

ଅଡିଓ....

ହାଏ...ମୋ ନାଁ ନିଖତ୍‌ ଜରିନ ଆଉ ମୁଁ ଦୁଇ ଥରର ୱାଲ୍‌ର୍ଡ ବକ୍ସିଙ୍ଗ୍‌ ଚାମ୍ପିଅନ୍‌ । ଯେପରିକି ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ‘ମନ୍‌ କୀ ବାତ୍‌’ରେ ଓବେସିଟିକୁ ନେଇ କହିଛନ୍ତି ଏବଂ ମୁଁ ଭାବୁଛି ଯେ ଏହା ଏକ ଜାତୀୟ ସମସ୍ୟା । ଆମକୁ ନିଜର ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବାର ଅଛି, କାରଣ ମେଦବହୁଳତା ଯେତେ ଶୀଘ୍ର ବ୍ୟାପିଚାଲିଛି ଆମର ଭାରତରେ, ତାକୁ ଆମେ ରୋକିବା ଦରକାର, ଆଉ ଚେଷ୍ଟା କରିବା ଦରକାର ଯେ ଆମଦ୍ୱାରା ଯେତିକି ହୋଇପାରିବ ସେତିକି ସୁସ୍ଥ ଜୀବନଶୈଳୀକୁ ଆପଣାଇବା । ମୁଁ ନିଜେ ଜଣେ ଆଥଲେଟ୍‌ ହୋଇ ଚେଷ୍ଟା କରେ ଯେ ମୁଁ ନିୟମିତ ସ୍ୱାସ୍ଥ୍ୟକର ଆହାର ଗ୍ରହଣ କରେ, କାରଣ ଯଦି ମୁଁ ଭୁଲ୍‌ରେ ବି ଅସ୍ୱାସ୍ଥ୍ୟକର ଭୋଜନ ଖାଇଦିଏ କିମ୍ବା ମୁଁ ତେଲିଆ ଜିନିଷ ଖାଇଦିଏ ତେବେ ସେଥିଯୋଗୁଁ ମୋର ପ୍ରଦର୍ଶନ ଉପରେ ପ୍ରଭାବ ପଡ଼ିଥାଏ ଆଉ ମୁଁ ରିଙ୍ଗ୍‌ରେ ଶୀଘ୍ର ଥକିଯାଏ । ତେଣୁ ମୁଁ ଚେଷ୍ଟା କରିଥାଏ ଯେ ମୁଁ ଯେତିକି ହୋଇପାରିବ ଖାଇବା ତେଲ ଭଳି ଜିନିଷକୁ କମ୍‌ ବ୍ୟବହାର କରିବି ଏବଂ ତା’ ପରିବର୍ତ୍ତେ ସ୍ୱାସ୍ଥ୍ୟକର ଆହାର ଉପରେ ଧ୍ୟାନ ଦେବି ଆଉ ଦୈନିକ ଶାରୀରିକ ବ୍ୟାୟାମ କରିବି । ଏହାଦ୍ୱାରା ମୁଁ ସବୁବେଳେ ଫିଟ୍‌ ରହିଥାଏ ଏବଂ ମୁଁ ଭାବୁଛି ଯେ ଆମ ଭଳି ସାଧାରଣ ଲୋକ, ଯେଉଁମାନେ ସବୁଦିନ କାମକୁ ଯାଆନ୍ତି ଏବଂ ମୁଁ ଭାବୁଛି ପ୍ରତ୍ୟେକ ଲୋକଙ୍କୁ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବା ଦରକାର ଆଉ କିଛି ନା କିଛି ଦୈନିକ ଶାରୀରିକ କାର୍ଯ୍ୟ କରିବା ଆବଶ୍ୟକ; ଯାହାଦ୍ୱାରା ଆମେ ହୃଦ୍‌ଘାତ ଓ କର୍କଟ ଭଳି ରୋଗଗୁଡ଼ିକରୁ ଦୂରରେ ରହିପାରିବା ଓ ନିଜକୁ ନିଜେ ସୁସ୍ଥ ରଖିବା, କାହିଁକିନା ଆମେ ସୁସ୍ଥ ତ ଭାରତ ସୁସ୍ଥ ।

ସତରେ ନିଖତ୍‌ ଜୀ କେତେକ ବହୁତ ଭଲ କଥା କହିଲେ । ଆସନ୍ତୁ ଏବେ ଶୁଣିବା ଡ. ଦେବୀ ଶେଟ୍ଟି ଜୀ କ’ଣ କହୁଛନ୍ତି । ଆପଣ ସମସ୍ତେ ଜାଣନ୍ତି, ସେ ଜଣେ ବହୁତ ପ୍ରତିଷ୍ଠିତ ଡାକ୍ତର । ସେ ଏ ବିଷୟକୁ ନେଇ ନିରନ୍ତର କାର୍ଯ୍ୟ କରୁଛନ୍ତି ।

ଅଡିଓ....

ମୁଁ ଆମ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ବହୁତ ଲୋକପ୍ରିୟ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ରେ ମେଦବହୁଳତା ନେଇ ସଚେତନତା ସୃଷ୍ଟି କରୁଥିବାରୁ ଧନ୍ୟବାଦ ଜଣାଉଛି । ଆଜି ମେଦବହୁଳତା କେବଳ ଛୋଟିଆ ସମସ୍ୟା ହୋଇ ରହିନାହିଁ; ଏହା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରେ ପରିଣତ ହୋଇସାରିଛି । ଆଜିର ଯୁବପିଢ଼ିଙ୍କ ମଧ୍ୟରୁ ଅଧିକାଂଶ ମୋଟା ହୋଇଯାଉଛନ୍ତି । ଆଜି ମେଦବହୁଳତାର ମୁଖ୍ୟ କାରଣ ହୋଇଛି ନିମ୍ନମାନର ଖାଦ୍ୟ ଖାଇବା, ବିଶେଷକରି ଭାତ, ରୁଟି ଓ ଚିନି ଭଳି କାର୍ବୋହାଇଡ୍ରେଟ୍‌ ଅଧିକ ଥିବା ଜିନିଷ ଖାଇବା ଏବଂ ଖାଦ୍ୟରେ ବହୁତ ପରିମାଣର ତେଲ ବ୍ୟବହାର କରିବା । ମେଦବହୁଳତା ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ, ଫ୍ୟାଟି ଲିଭର୍‌ ଓ ଅନ୍ୟାନ୍ୟ ବଡ଼ ବଡ଼ ସ୍ୱାସ୍ଥ୍ୟ ସମସ୍ୟାକୁ ଜନ୍ମ ଦେଇଥାଏ । ତେଣୁ ଯୁବପିଢ଼ିଙ୍କୁ ମୋର ଉପଦେଶ ହେଲା, ବ୍ୟାୟାମ ଆରମ୍ଭ କର, ଆହାର ଉପରେ ନିୟନ୍ତ୍ରଣ ରଖ ଓ ସର୍ବଦା ନିଜକୁ କର୍ମପ୍ରବଣ କର ଏବଂ ନିଜ ଓଜନ ଉପରେ ଦୃଷ୍ଟି ରଖ । ଆଉ ଥରେ ମୁଁ ଆପଣମାନଙ୍କର ସମସ୍ତଙ୍କର ସୁଖୀ ସୁସ୍ଥ ଭବିଷ୍ୟତ କାମନା କରି ରହୁଛି । ଈଶ୍ୱର ମଙ୍ଗଳ କରନ୍ତୁ ।

ବନ୍ଧୁଗଣ, ଖାଦ୍ୟରେ ତେଲର କମ୍ ବ୍ୟବହାର ଏବଂ ମେଦବହୁଳତା ଦୂର କରିବା ଖାଲି ବ୍ୟକ୍ତିଗତ ରୁଚି ନୁହେଁ ବରଂ ପରିବାର ପ୍ରତି ଆମର ଏକ ଦାୟିତ୍ୱ ମଧ୍ୟ । ଖାଦ୍ୟପେୟରେ ତେଲର ବହୁଳ ବ୍ୟବହାର ହୃଦରୋଗ, ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଭଳି ଅନେକ ରୋଗର କାରଣ ହୋଇପାରେ । ନିଜ ଖାଦ୍ୟପେୟରେ ଛୋଟ ଛୋଟ ପରିବର୍ତ୍ତନ କରି ଆମେମାନେ ଆମର ଭବିଷ୍ୟତକୁ ସୁଦୃଢ଼, ସୁସ୍ଥ ତଥା ରୋଗମୁକ୍ତ କରିପାରିବା । ସେଥିପାଇଁ ଆଉ ଡେରି ନ କରି ଏ ଦିଗରେ ଆମକୁ ପ୍ରୟାସ କରିବାକୁ ପଡ଼ିବ । ଏହାକୁ ଆମେ ଜୀବନରେ ପ୍ରତିଫଳିତ କରିବା ଉଚିତ । ଆମେ ସମସ୍ତେ ମିଶି ଖେଳ ଖେଳରେ ଏହାକୁ ବହୁତ ପ୍ରଭାବଶାଳୀ ଢଙ୍ଗରେ କରିପାରିବା । ଯେମିତିକି ମୁଁ ‘ମନ୍ କି ବାତ୍’ର ଆଜିର ଅଧ୍ୟାୟ ପରେ ୧୦ ଜଣ ଲୋକଙ୍କୁ ଅନୁରୋଧ କରିବି, ଆହ୍ୱାନ କରିବି କି ଆପଣମାନେ ନିଜ ଖାଦ୍ୟରେ ତେଲକୁ ୧୦ ପ୍ରତିଶତ କମ୍ କରିପାରିବେ କି ? ତା’ସଙ୍ଗେ ସଙ୍ଗେ ଏକଥା ମଧ୍ୟ ଅନୁରୋଧ କରିବି ଯେ ଆପଣ ମଧ୍ୟ ଆହୁରି ୧୦ ଜଣ ଲୋକଙ୍କୁ ଏହିଭଳି ଆହ୍ୱାନ ଦିଅନ୍ତୁ । ମୋର ବିଶ୍ୱାସ, ଏହାଦ୍ୱାରା ମେଦବହୁଳତା ସହିତ ଲଢ଼ିବା ବହୁତ ସହଜ ହେବ ।

ବନ୍ଧୁଗଣ, Asiatic Lion, Hangul, Pygmy Hogs ଏବଂ Lion tailed Macaque ଏହି ଚାରୋଟି ମଧ୍ୟରେ କ’ଣ ସମାନତା ଦେଖିବାକୁ ମିଳେ ଆପଣମାନେ ଜାଣନ୍ତି କି? ତା’ର ଉତ୍ତର ହେଲା ଏସବୁ ପୃଥିବୀର ଅନ୍ୟ କୌଣସିଠାରେ ଦେଖାଯାନ୍ତି ନାହିଁ । କେବଳ ଆମ ଦେଶରେ ହିଁ ଦେଖାଯାନ୍ତି । ବାସ୍ତବରେ ଆମ ଦେଶରେ ବନସ୍ପତି ଏବଂ ଜୀବଜନ୍ତୁମାନଙ୍କ ମଧ୍ୟରେ ଗୋଟିଏ Vibrant Eco-system ରହିଛି ଏବଂ ଏହି ବନ୍ୟଜୀବମାନେ ଆମର ଇତିହାସ ଏବଂ ସଂସ୍କୃତି ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଅନେକ ଜୀବଜନ୍ତୁ ଆମ ଦେବୀଦେବତାମାନଙ୍କର ବାହନ ଭାବରେ ଦେଖିବାକୁ ମିଳନ୍ତି । ମଧ୍ୟଭାରତରେ ଅନେକ ଜନଜାତି ବାଘେଶ୍ୱରଙ୍କ ପୂଜା କରନ୍ତି । ମହାରାଷ୍ଟ୍ରରେ ‘ବାଘୋବା’ ପୂଜନର ପରମ୍ପରା ରହିଆସିଛି । ଭଗବାନ ଆୟପ୍ପାଙ୍କର ମଧ୍ୟ ବାଘ ସହିତ ବହୁତ ଗଭୀର ସମ୍ପର୍କ ରହିଛି । ସୁନ୍ଦରବନରେ ବୋନବିବିଙ୍କ ପୂଜାଅର୍ଚ୍ଚନା ହୁଏ, ଯାହାଙ୍କର ବାହନ ହେଉଛି ବାଘ । କର୍ଣ୍ଣାଟକରେ ହୁଲି ୱେଶା, ତାମିଲନାଡୁର ପୁଲି ଏବଂ କେରଳର ପୁଲିକଲି ଭଳି ଅନେକ ସାଂସ୍କୃତିକ ନୃତ୍ୟ ଅଛି, ଯାହା ପ୍ରକୃତି ଏବଂ ବନ୍ୟଜୀବମାନଙ୍କ ସହିତ ଓତପ୍ରୋତ ଭାବେ ଜଡ଼ିତ । ମୁଁ ଆମର ଆଦିବାସୀ ଭାଇଭଉଣୀମାନଙ୍କ ପ୍ରତି ମଧ୍ୟ ଗଭୀର କୃତଜ୍ଞତା ଜ୍ଞାପନ କରିବି । କାରଣ ସେମାନେ ବନ୍ୟଜନ୍ତୁ ସୁରକ୍ଷା ସହ ଜଡ଼ିତ କାମରେ ଉତ୍ସାହର ସହିତ ଭାଗ ନେଉଛନ୍ତି । କର୍ଣ୍ଣାଟକର ବିଆର୍ଟି ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରରେ ବାଘଙ୍କ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି । ଏହାର ଶ୍ରେୟ ସୋଲିଗା ଜନଜାତିକୁ ଯାଉଛି, ଯେଉଁମାନେ ବାଘକୁ ପୂଜା କରନ୍ତି । ଏମାନଙ୍କ ଯୋଗୁଁ ଏହି ଅଞ୍ଚଳରେ ପଶୁ-ମଣିଷ ସଂଘର୍ଷ ନାହିଁ କହିଲେ ଚଳେ । ଗୁଜୁରାଟରେ ବି ଲୋକମାନଙ୍କର ଗିର୍ ଅଭୟାରଣ୍ୟରେ ଏସିଆଟିକ୍ ସିଂହର ସୁରକ୍ଷା ଏବଂ ସଂରକ୍ଷଣରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ପ୍ରକୃତି ସହିତ ସହାବସ୍ଥାନ କ’ଣ ସେମାନେ ଏହା ଦୁନିଆକୁ ଦେଖାଇଦେଇଛନ୍ତି । ବନ୍ଧୁଗଣ, ଏହିଭଳି ପ୍ରୟାସ ଯୋଗୁଁ ଗତ କେତେବର୍ଷ ମଧ୍ୟରେ ବାଘ, କଲରାପତରିଆ ବାଘ, Asiatic Lions, ଗଣ୍ଡା ଏବଂ ବାରାସିଂହାମାନଙ୍କର ସଂଖ୍ୟା ଦ୍ରୁତ ଗତିରେ ବଢ଼ିଛି ଏବଂ ଭାରତରେ ବନ୍ୟଜୀବମାନଙ୍କର ବିବିଧତା କେତେ ସୁନ୍ଦର ତାହା ମଧ୍ୟ ପ୍ରଣିଧାନଯୋଗ୍ୟ । Asiatic Lions ଦେଶର ପଶ୍ଚିମ ଭାଗରେ ଦେଖିବାକୁ ମିଳୁଥିବା ବେଳେ ପୂର୍ବ, ମଧ୍ୟ ଏବଂ ଦକ୍ଷିଣ ଭାଗରେ ବାଘ ଦେଖିବାକୁ ମିଳିଥାନ୍ତି । ସେହିଭଳି ଗଣ୍ଡା ଉତ୍ତର-ପୂର୍ବ ଭାଗରେ ଦେଖାଯାଆନ୍ତି । ଭାରତର ପ୍ରତ୍ୟେକ ଭାଗ କେବଳ ପ୍ରକୃତି ପାଇଁ ସମ୍ବେଦନଶୀଳ ସେକଥା ନୁହେଁ, ବରଂ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ମଧ୍ୟ ଅଙ୍ଗୀକାରବଦ୍ଧ । ମୁଁ ଅନୁରାଧା ରାଓ ଜୀଙ୍କ ବିଷୟରେ ଜାଣିବାକୁ ପାଇଛି, ଅନେକ ପୀଢ଼ି ଧରି ଆଣ୍ଡାମାନ ନିକୋବର ଦ୍ୱୀପ ସହିତ ତାଙ୍କର ସମ୍ପର୍କ ରହିଛି । ଅନୁରାଧା ଜୀ କମ୍ ବୟସରୁ ପଶୁ କଲ୍ୟାଣ ପାଇଁ ନିଜକୁ ସମର୍ପିତ କରିଦେଇଥିଲେ । ତିନି ଦଶନ୍ଧି ଧରି ସେ ହରିଣ ଏବଂ ମୟୂର ସୁରକ୍ଷାକୁ ଏକ ମିଶନ ଭାବେ ଗ୍ରହଣ କରିଛନ୍ତି । ଏଠାକାର ଲୋକମାନେ ତ ତାଙ୍କୁ ‘ଡିଅର ଓମ୍ୟାନ୍’ ଭାବରେ ଡାକନ୍ତି । ଆସନ୍ତା ମାସର ଆରମ୍ଭରେ ଆମ୍ଭେମାନେ ବନ୍ୟପ୍ରାଣୀ ଦିବସ ପାଳନ କରିବା । ମୋର ଅନୁରୋଧ ଆପଣ ନିଶ୍ଚିତ ବନ୍ୟଜୀବ ସଂରକ୍ଷଣ ସହିତ ଜଡ଼ିତ ଲୋକମାନଙ୍କର ଉତ୍ସାହବର୍ଦ୍ଧନ କରନ୍ତୁ । ମୋ ପାଇଁ ଏହା ଖୁସିର ବିଷୟ ଯେ ଏବେ ଏ କ୍ଷେତ୍ରରେ କେତେକ ଷ୍ଟାର୍ଟ-ଅପ୍ ମଧ୍ୟ ଆଗକୁ ଆସିଛନ୍ତି ।

ବନ୍ଧୁଗଣ, ବର୍ତ୍ତମାନ ବୋର୍ଡ ପରୀକ୍ଷାର ସମୟ । ମୁଁ ମୋର ଯୁବ ବନ୍ଧୁମାନଙ୍କୁ ଅର୍ଥାତ୍ Exam Warriors ମାନଙ୍କୁ ତାଙ୍କର ପରୀକ୍ଷା ପାଇଁ ବହୁତ ବହୁତ ଶୁଭକାମନା ଜଣାଉଛି । ଆପଣ କୌଣସି ଚାପ ନ ନେଇ ସକାରାତ୍ମକ ମନୋବୃତ୍ତି ସହିତ ପରୀକ୍ଷା ଦିଅନ୍ତୁ । ପ୍ରତିବର୍ଷ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ମୁଁ ଆମର Exam Warriors ମାନଙ୍କ ସହିତ ପରୀକ୍ଷା ସମ୍ବନ୍ଧିତ ଭିନ୍ନ ଭିନ୍ନ ବିଷୟରେ କଥା ହୁଏ । ମୁଁ ବହୁତ ଖୁସି ଯେ ଏବେ ଏହି କାର୍ଯ୍ୟକ୍ରମ ଏକ ସଂସ୍ଥାଗତ ରୂପ ନେବାକୁ ଯାଉଛି, Institutionalise ହେଉଛି । ଏହାସହିତ ନୂଆ ନୂଆ ବିଶେଷଜ୍ଞମାନେ ମଧ୍ୟ ଯୋଗଦେବାରେ ଲାଗିଛନ୍ତି । ଏହି ବର୍ଷ ଆମେ ଗୋଟିଏ ନୂଆ ଫର୍ମାଟରେ ‘ପରୀକ୍ଷା ପେ ଚର୍ଚ୍ଚା’ କରିବାର ପ୍ରୟାସ କଲୁ । ବିଶେଷଜ୍ଞମାନଙ୍କ ସହିତ ୮ଟି ଅଲଗା ଅଲଗା ଅଧ୍ୟାୟ ମଧ୍ୟ ସାମିଲ କରାଗଲା । ଆମେ ମୋଟାମୋଟି ପରୀକ୍ଷାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା ଏବଂ ମାନସିକ ସ୍ୱାସ୍ଥ୍ୟ ସହିତ ଖାଦ୍ୟପେୟ ଭଳି ବିଷୟରେ ମଧ୍ୟ ଚର୍ଚ୍ଚା କଲୁ । ଗତବର୍ଷ ଟପରମାନେ ମଧ୍ୟ ନିଜ ନିଜର ବିଚାର ଏବଂ ଅନୁଭୂତି ସମସ୍ତଙ୍କ ସହିତ ବାଣ୍ଟିଥିଲେ । ଅନେକ ଯୁବକ ତାଙ୍କର ବାପା-ମାଆ ଏବଂ ଶିକ୍ଷକମାନେ ମଧ୍ୟ ଏ ବିଷୟରେ ମୋତେ ପତ୍ର ଲେଖିଛନ୍ତି । ସେମାନେ କହିଛନ୍ତି ଯେ, ଏହି ଫର୍ମାଟ ସେମାନଙ୍କୁ ବହୁତ ଭଲ ଲାଗିଲା, କାରଣ ଏଥିରେ ସବୁ ବିଷୟରେ ବିସ୍ତୃତ ଭାବରେ ଚର୍ଚ୍ଚା କରାଗଲା । ଇନଷ୍ଟାଗ୍ରାମରେ ମଧ୍ୟ ଆମର ଯୁବବନ୍ଧୁମାନେ ଏହି ଅଧ୍ୟାୟଗୁଡ଼ିକୁ ବହୁସଂଖ୍ୟାରେ ଦେଖିଛନ୍ତି । ଏହି କାର୍ଯ୍ୟକ୍ରମ ନୂଆଦିଲ୍ଲୀର ସୁନ୍ଦର ନର୍ସରୀରେ ଆୟୋଜିତ ହେବା ଆପଣମାନଙ୍କ ମଧ୍ୟରୁ ଅନେକ ଲୋକଙ୍କୁ ବହୁତ ପସନ୍ଦ ହୋଇଛି । ମୋର ଯେଉଁ ଯୁବବନ୍ଧୁମାନେ ‘ପରୀକ୍ଷା ପେ ଚର୍ଚ୍ଚା’ର ଏହି ଅଧ୍ୟାୟଗୁଡ଼ିକୁ ଏଯାଏଁ ଦେଖିପାରିନାହାନ୍ତି ସେମାନେ ଏହାକୁ ନିଶ୍ଚିତ ଦେଖନ୍ତୁ । ଏହିସବୁ ଅଧ୍ୟାୟଗୁଡ଼ିକ NamoAppରେ ମଧ୍ୟ ଉପଲବ୍ଧ । ଆମ Exam Warriors ମାନଙ୍କୁ ପୁଣିଥରେ ମୋର ସନ୍ଦେଶ ହେଉଛି “Be happy and stress free”.

ମୋର ପ୍ରିୟ ସାଥୀଗଣ, ‘ମନ୍ କି ବାତ୍’ରେ ଏଥର ଏତିକି । ଆଗାମୀ ମାସରେ ପୁଣି ନୂଆ ନୂଆ ବିଷୟ ସହିତ ‘ମନ୍ କି ବାତ୍’ କରିବା । ଆପଣମାନେ ମୋତେ ନିଜର ପତ୍ର, ନିଜର ସନ୍ଦେଶ ପ୍ରେରଣ କରନ୍ତୁ । ସୁସ୍ଥ ରୁହନ୍ତୁ, ଆନନ୍ଦରେ ରୁହନ୍ତୁ । ବହୁତ ବହୁତ ଧନ୍ୟବାଦ । ନମସ୍କାର ।

 

 

 

 

 

 

 

 

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
'Operation Sindoor on, if they fire, we fire': India's big message to Pakistan

Media Coverage

'Operation Sindoor on, if they fire, we fire': India's big message to Pakistan
NM on the go

Nm on the go

Always be the first to hear from the PM. Get the App Now!
...
PM Modi's address to the nation
May 12, 2025
Today, every terrorist knows the consequences of wiping Sindoor from the foreheads of our sisters and daughters: PM
Operation Sindoor is an unwavering pledge for justice: PM
Terrorists dared to wipe the Sindoor from the foreheads of our sisters; that's why India destroyed the very headquarters of terror: PM
Pakistan had prepared to strike at our borders,but India hit them right at their core: PM
Operation Sindoor has redefined the fight against terror, setting a new benchmark, a new normal: PM
This is not an era of war, but it is not an era of terrorism either: PM
Zero tolerance against terrorism is the guarantee of a better world: PM
Any talks with Pakistan will focus on terrorism and PoK: PM

ପ୍ରିୟ ଦେଶବାସୀ,

ନମସ୍କାର

ଆମେ ସମସ୍ତେ ଗତ କିଛିଦିନ ହେବ ଦେଶର ଶକ୍ତି ଏବଂ ସଂଯମ ଉଭୟକୁ ଦେଖିଛୁ। ସର୍ବପ୍ରଥମେ, ମୁଁ ପ୍ରତ୍ୟେକ ଭାରତୀୟଙ୍କ ତରଫରୁ ଭାରତର ପରାକ୍ରମୀ ସେନାବାହିନୀ, ସଶସ୍ତ୍ର ବଳ, ଆମର ଗୁଇନ୍ଦା ସଂସ୍ଥା, ଆମର ବୈଜ୍ଞାନିକମାନଙ୍କୁ ପ୍ରଣାମ କରୁଛି। ‘ଅପରେସନ୍ ସିନ୍ଦୁର’ର ଲକ୍ଷ୍ୟ ହାସଲ କରିବା ପାଇଁ ଆମର ସାହସୀ ସୈନିକମାନେ ଅପାର ବୀରତ୍ୱ ପ୍ରଦର୍ଶନ କରିଥିଲେ। ମୁଁ ସେମାନଙ୍କର ବୀରତ୍ୱ, ସାହସ ଏବଂ ପରାକ୍ରମକୁ ଆଜି ଆମ ଦେଶର ପ୍ରତ୍ୟେକ ମା’, ଦେଶର ପ୍ରତ୍ୟେକ ଭଉଣୀ ଏବଂ ଦେଶର ପ୍ରତ୍ୟେକ ଝିଅଙ୍କୁ ସମର୍ପିତ କରୁଛି । ମୁଁ ଏହି ପରାକ୍ରମକୁ ସମର୍ପଣ କରୁଛି ।

ସାଥୀଗଣ,

ଏପ୍ରିଲ ୨୨ ତାରିଖରେ ପହଲଗାମରେ ଆତଙ୍କବାଦୀମାନେ ଯେଉଁ ବର୍ବରତା ପ୍ରଦର୍ଶନ କରିଥିଲେ, ତାହା ଦେଶ ତଥା ବିଶ୍ୱକୁ ବ୍ୟଥିତ କରିଦେଇଥିଲା। ଛୁଟି ପାଳନ କରୁଥିବା ନିର୍ଦ୍ଦୋଷ ନାଗରିକମାନଙ୍କୁ, ସେମାନଙ୍କ ପରିବାର ସମ୍ମୁଖରେ, ସେମାନଙ୍କ ପିଲାମାନଙ୍କ ସମ୍ମୁଖରେ, ସେମାନଙ୍କ ଧର୍ମ ପଚାରି ନିର୍ମମ ହତ୍ୟା, ଆତଙ୍କବାଦର ଏକ ଅତ୍ୟନ୍ତ ବିଭତ୍ସ ଚେହେରା ଥିଲା, କ୍ରୁରତା ଥଲା। ଏହା ମଧ୍ୟ ଦେଶର ସୌହାର୍ଦ୍ଦ୍ୟକୁ ଭାଙ୍ଗିବାର ଏକ ନିନ୍ଦନୀୟ ପ୍ରୟାସ ଥିଲା। ବ୍ୟକ୍ତିଗତ ଭାବେ ମୋ ପାଇଁ ଏହି ଯନ୍ତ୍ରଣା ଅତ୍ୟନ୍ତ ଅସହ୍ୟ ଥିଲା। ଏହି ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶ, ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ସମାଜ, ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ ରାଜନୈତିକ ଦଳ, ଏକ ସ୍ୱରରେ ଆତଙ୍କବାଦ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଛିଡ଼ା ହୋଇଥିଲେ। ଆତଙ୍କବାଦୀମାନଙ୍କୁ ଦମନ କରିବା ପାଇଁ ଆମେ ଭାରତୀୟ ସେନାକୁ ସ୍ୱାଧୀନତା ଦେଇଥିଲୁ। ଆଉ ଆଜି ପ୍ରତ୍ୟେକ ଆତଙ୍କବାଦୀ, ପ୍ରତ୍ୟେକ ଆତଙ୍କୀ ସଙ୍ଗଠନ ଭଲ ଭାବେ ଜାଣିପାରିଛନ୍ତି ଯେ ଆମ ଭଉଣୀ ଓ ଝିଅମାନଙ୍କ ମଥାରୁ ସିନ୍ଦୁର ପୋଛିବାର ପରିଣାମ କ’ଣ ହୋଇପାରେ।

ସାଥୀଗଣ,

‘ଅପରେସନ୍‌ ସିନ୍ଦୁର’ କେବଳ ଗୋଟିଏ ନାମ ନୁହେଁ, ଏହା ଦେଶର କୋଟି କୋଟି ଲୋକଙ୍କ ଭାବନାର ପ୍ରତିଫଳନ। ‘ଅପରେସନ୍‌ ସିନ୍ଦୁର’ ନ୍ୟାୟର ଅଖଣ୍ଡ ପ୍ରତିଜ୍ଞା ଅଟେ। ୬ ମଇ ବିଳମ୍ବିତ ରାତ୍ରୀରେ, ୭ ମଇ ସକାଳେ ସାରା ଦୁନିଆ ଏହି ପ୍ରତିଜ୍ଞାକୁ ପରିଣାମରେ ବଦଳୁଥିବା ଦେଖିଛି । ଭାରତର ସେନାବାହିନୀ ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଉପରେ, ସେମାନଙ୍କ ଟ୍ରେନିଂ ସେଣ୍ଟର୍‌ ଉପରେ ସଠିକ୍‌ ପ୍ରହାର କରିଥିଲା। ଆତଙ୍କବାଦୀମାନେ ସ୍ୱପ୍ନରେ ସୁଦ୍ଧା ଭାବିପାରିନଥିଲେ ଯେ ଭାରତ ଏତେ ବଡ଼ ନିଷ୍ପତ୍ତି ନେଇପାରିବ। କିନ୍ତୁ ଯେତେବେଳେ ଦେଶ ଏକଜୁଟ ହୋଇଥାଏ, ରାଷ୍ଟ୍ର ପ୍ରଥମ ଭାବନାରେ ପରିପୂର୍ଣ୍ଣ ହୋଇଥାଏ, ରାଷ୍ଟ୍ର ସର୍ବୋପରି ହୋଇଥାଏ, ସେତେବେଳେ ଦୁଃସାହିକ ନିଷ୍ପତ୍ତି ଗ୍ରହଣ କରାଯାଏ, ପରିଣାମ ସମସ୍ତଙ୍କୁ ପ୍ରଦର୍ଶିତ କରାଯାଏ।

ଯେତେବେଳେ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଭାରତ କ୍ଷେପଣାସ୍ତ୍ର ମାଡ଼ କଲା, ଭାରତର ଡ୍ରୋନ ମାଡ଼ ହେଲା, ସେତେବେଳେ କେବଳ ଆତଙ୍କବାଦୀ ସଙ୍ଗଠନଗୁଡ଼ିକର ଅଟ୍ଟାଳିକା ନୁହେଁ, ବରଂ ସେମାନଙ୍କର ମନୋବଳ ମଧ୍ୟ ଭାଙ୍ଗି ଚୁରମାର୍‌ ହୋଇଥିଲା। ବାହାବଲପୁର ଏବଂ ମୁରୀଦକେ ଭଳି ଆତଙ୍କବାଦୀ କେନ୍ଦ୍ରଗୁଡ଼ିକ ଏକ ପ୍ରକାରରେ ବିଶ୍ୱ ଆତଙ୍କବାଦର ବିଶ୍ୱବିଦ୍ୟାଳୟ ହୋଇ ରହିଆସିଥିଲା। ବିଶ୍ୱର ଯେକୌଣସି ସ୍ଥାନରେ ବଡ଼ ଆତଙ୍କବାଦୀ ଆକ୍ରମଣ ହେଉ, ତାହା ୯/୧୧ ହେଉ, ଲଣ୍ଡନ ଟ୍ୟୁବ୍ ବୋମା ବିସ୍ଫୋରଣ ହେଉ, କିମ୍ବା ଦଶନ୍ଧି ଦଶନ୍ଧି ଧରି ଭାରତରେ ହୋଇଥିବା ବଡ଼ ଆତଙ୍କବାଦୀ ଆକ୍ରମଣ ହେଉ, କେଉଁଠି ନା କେଉଁଠି ଏହି ଆତଙ୍କବାଦର ଆଡ୍ଡା ସହିତ ଜଡିତ ହୋଇଛି। ଆତଙ୍କବାଦୀମାନେ ଆମ ଭଉଣୀମାନଙ୍କ ସିନ୍ଦୁରକୁ ଉଜାଡ଼ି ଦେଇଥିଲେ, ତେଣୁ ଭାରତ ଆତଙ୍କବାଦର ଏହି ମୁଖ୍ୟାଳୟଗୁଡ଼ିକୁ ଧ୍ୱଂସ କରିଦେଇଥିଲା। ଭାରତ ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ୧୦୦ରୁ ଅଧିକ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛନ୍ତି। ଗତ ଅଢେଇରୁ ତିନି ଦଶନ୍ଧି ଧରି ପାକିସ୍ତାନରେ ଖୋଲାଖୋଲି ଭାବେ ବୁଲୁଥିବା, ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଥିବା, ଅନେକ ପ୍ରମୁଖ ଆତଙ୍କବାଦୀଙ୍କୁ ଭାରତ ଗୋଟିଏ ଆଘାତରେ ନିପାତ କରିଦେଇଛି ।

ବନ୍ଧୁଗଣ,

ଭାରତର ଏହି କାର୍ଯ୍ୟ ଦ୍ୱାରା ପାକିସ୍ତାନ ଗଭୀର ଭାବେ ନିରାଶ, ହତାଶ ଏବଂ କ୍ରୋଧିତ ହୋଇଥିଲା, ଏବଂ ଏହି ହତାଶାରେ ସେ ଆଉ ଏକ ଦୁଃସାହସ କରିଥିଲା। ଆତଙ୍କବାଦ ଉପରେ ଭାରତର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିବା ପରିବର୍ତ୍ତେ ପାକିସ୍ତାନ ଭାରତ ଉପରେ ହିଁ ଆକ୍ରମଣ କରିବା ଆରମ୍ଭ କରିଥିଲା। ପାକିସ୍ତାନ ଆମର ବିଦ୍ୟାଳୟ, କଲେଜ, ଗୁରୁଦ୍ୱାର, ମନ୍ଦିର, ସାଧାରଣ ନାଗରିକଙ୍କ ଘରକୁ ଟାର୍ଗେଟ କରିଛି, ପାକିସ୍ତାନ ଆମର ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିଛି, କିନ୍ତୁ ଏଥିରେ ମଧ୍ୟ ପାକିସ୍ତାନର ମୁଖା ଖୋଲି ଯାଇଛି।

ପାକିସ୍ତାନର ଡ୍ରୋନ୍ ଏବଂ ପାକିସ୍ତାନର କ୍ଷେପଣାସ୍ତ୍ର ଭାରତ ସାମ୍ନାରେ ଧୂଳିସାତ ହୋଇଥିଲା ତାହା ସାରା ଦୁନିଆ ଦେଖିଛି । ଭାରତର ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ସେଗୁଡ଼ିକୁ ଆକାଶରେ ଧ୍ୱଂସ କରିଦେଇଥିଲା। ପାକିସ୍ତାନର ପ୍ରସ୍ତୁତି ଥିଲା ସୀମାରେ ଆକ୍ରମଣ କରିବା, କିନ୍ତୁ ଭାରତ ପାକିସ୍ତାନକୁ ଛାତିରେ ଆଘାତ କରିଥିଲା। ଭାରତର ଡ୍ରୋନ୍, ଭାରତର କ୍ଷେପଣାସ୍ତ୍ରଗୁଡ଼ିକ ପୂର୍ଣ୍ଣ ସଠିକତାର ସହ ଆଘାତ କରିଥିଲା। ପାକିସ୍ତାନ ବାୟୁସେନାର ସେହି ବିମାନ ଘାଟି କ୍ଷତିଗ୍ରସ୍ତ ହୋଇଥିଲା, ଯାହାକୁ ନେଇ ପାକିସ୍ତାନ ଗର୍ବ କରୁଥିଲା। ଭାରତ ପ୍ରଥମ ତିନି ଦିନ ମଧ୍ୟରେ ପାକିସ୍ତାନରେ ଏପରି ଧ୍ୱଂସଲୀଳ କରିଥିଲା, ଯାହା ପାକିସ୍ତାନ କେବେ କଳ୍ପନା ମଧ୍ୟ କରିପାରିନଥିଲା।

ସେଥିପାଇଁ ଭାରତର ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ପରେ, ପାକିସ୍ତାନ ପଳାୟନ ମାର୍ଗ ଖୋଜିବା ଆରମ୍ଭ କରିଥିଲା। ପାକିସ୍ତାନ ସାରା ବିଶ୍ୱରେ ଉତ୍ତେଜନା ହ୍ରାସ ପାଇଁ ନିବେଦନ କରିଥିଲା। ଆଉ ଏତେ ମାତ୍ରାରେ ଆଘାତ ସହିବା ପରେ ପାକିସ୍ତାନ ସେନା ବାଧ୍ୟ ହୋଇ ମଇ ୧୦ ତାରିଖ ଅପରାହ୍ଣରେ, ଆମର ଡିଜିଏମଓଙ୍କୁ ଯୋଗାଯୋଗ କରିଥିଲା। ସେତେବେଳକୁ, ଆମେ ଆତଙ୍କବାଦର ଭିତ୍ତିଭୂମିକୁ ବ୍ୟାପକ ଭାବେ ଧ୍ୱଂସ କରିଦେଇଥିଲୁ, ଆତଙ୍କବାଦୀମାନଙ୍କୁ ନିପାତ କରାଯାଇଥିଲା, ପାକିସ୍ତାନର ଛାତିରେ ଥିବା ଆତଙ୍କବାଦୀ ଘାଟିଗୁଡ଼ିକ ଧ୍ୱଂସ ହୋଇଯାଇଥିଲା, ତେଣୁ ଯେତେବେଳେ ପାକିସ୍ତାନ ନିବେଦନ କଲା, ସେତେବେଳେ ପାକିସ୍ତାନ କହିଲା ଯେ ତା’ ତରଫରୁ ଆଉ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ସାମରିକ ଦୁଃସାହସ ହେବ ନାହିଁ। ତେଣୁ ଭାରତ ମଧ୍ୟ ଏହା ଉପରେ ବିଚାର କରିଥିଲା। ଆହୁରି, ମୁଁ ଦୋହରାଇବାକୁ ଚାହେଁ, ଆମେ ପାକିସ୍ତାନର ଆତଙ୍କବାଦୀ ଏବଂ ସାମରିକ ଘାଟିଗୁଡ଼ିକ ବିରୋଧରେ ଆମର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ ରଖିଛୁ। ଆଗାମୀ ଦିନରେ, ଆମେ ପାକିସ୍ତାନର ପ୍ରତ୍ୟେକ ପଦକ୍ଷେପକୁ ତା’ର ଆଭିମୁଖ୍ୟ ଦ୍ୱାରା ବିଚାର କରିବୁ।

ବନ୍ଧୁଗଣ,

ଭାରତର ତିନି ସେନା, ଆମର ବାୟୁସେନା, ଆମର ସେନା, ଆମର ନୌସେନା, ଆମର ସୀମା ସୁରକ୍ଷା ବଳ-ବିଏସଏଫ, ଭାରତର ଅର୍ଦ୍ଧସାମରିକ ବାହିନୀ, ସବୁବେଳେ ସତର୍କ ରହିଛନ୍ତି। ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ଏୟାର ଷ୍ଟ୍ରାଇକ୍ ପରେ ଏବେ ‘ଅପରେସନ ସିନ୍ଦୁର’ ହେଉଛି ଆତଙ୍କବାଦ ବିରୋଧରେ ଭାରତର ନୀତି। ଆତଙ୍କବାଦ ବିରୋଧରେ ଲଢ଼େଇରେ ଅପରେସନ୍ ସିନ୍ଦୁର ଏକ ନୂତନ ଲକ୍ଷ୍ମଣରେଖା ଟାଣିଛି, ଏକ ନୂତନ ମାନଦଣ୍ଡ, ଏକ ନୂତନ ବାସ୍ତବିକତା ପ୍ରତିଷ୍ଠା କରିଛି।

ପ୍ରଥମତଃ, ଯଦି ଭାରତ ଉପରେ କୌଣସି ଆତଙ୍କବାଦୀ ଆକ୍ରମଣ ହୁଏ, ତା’ହେଲେ ଉପଯୁକ୍ତ ଜବାବ ଦିଆଯିବ। ଆମେ ନିଜ ଶୈଳୀରେ, ନିଜ ସର୍ତ୍ତରେ ଜବାବ ଦେବା ଜାରି ରଖିବୁ। ଯେଉଁଠାରୁ ଆତଙ୍କବାଦର ଉତ୍ପତ୍ତି ହୋଇଛି, ସେହି ପ୍ରତ୍ୟେକ ସ୍ଥାନକୁ ଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦ୍ୱିତୀୟତଃ, ଭାରତ କୌଣସି ପରମାଣୁ ଯୁଦ୍ଧ ବ୍ଲାକମେଲକୁ ବରଦାସ୍ତ କରିବ ନାହିଁ। ପରମାଣୁ ବ୍ଲାକମେଲର ଛଦ୍ମବେଶରେ ବିକଶିତ ହେଉଥିବା ଆତଙ୍କବାଦୀ ଘାଟିଗୁଡ଼ିକ ଉପରେ ଭାରତ ସଠିକ୍ ଏବଂ ନିର୍ଣ୍ଣାୟକ ଭାବରେ ଆକ୍ରମଣ କରିବ।

ତୃତୀୟତଃ, ଆମେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ସରକାର ଏବଂ ଆତଙ୍କବାଦୀ ସଂଗଠନର ମୁଖିଆମାନଙ୍କୁ ଅଲଗା କରି ଦେଖିବୁ ନାହିଁ। ଅପରେସନ ସିନ୍ଦୁର ସମୟରେ, ବିଶ୍ୱ ପୁଣିଥରେ ପାକିସ୍ତାନର କୁତ୍ସିତ ବାସ୍ତବତା ଦେଖିଲା ଯେତେବେଳେ ପାକିସ୍ତାନ ସେନାର ବରିଷ୍ଠ ଅଧିକାରୀମାନେ ନିହତ ଆତଙ୍କବାଦୀମାନଙ୍କୁ ଅନ୍ତିମ ବିଦାୟ ଦେବାକୁ ବାହାରିଥିଲେ। ଏହା ରାଷ୍ଟ୍ର-ପ୍ରାୟୋଜିତ ଆତଙ୍କବାଦର ଏକ ବଡ଼ ପ୍ରମାଣ। ଭାରତ ଏବଂ ଆମର ନାଗରିକମାନଙ୍କୁ ଯେକୌଣସି ବିପଦରୁ ରକ୍ଷା କରିବା ପାଇଁ ଆମେ ନିର୍ଣ୍ଣାୟକ ପଦକ୍ଷେପ ନେବା ଜାରି ରଖିବୁ।

ବନ୍ଧୁଗଣ,

ଆମେ ପ୍ରତ୍ୟେକ ଥର ଯୁଦ୍ଧକ୍ଷେତ୍ରରେ ପାକିସ୍ତାନକୁ ଧୂଳି ଚଟେଇଛୁ। ଆଉ ଏଥର ଅପରେସନ୍ ସିନ୍ଦୁର ଏକ ନୂଆ ଦିଗ ଯୋଡ଼ିଛି। ଆମେ ମରୁଭୂମି ଏବଂ ପର୍ବତଗୁଡ଼ିକରେ ନିଜର ସାମର୍ଥ୍ୟର ଚମତ୍କାର ପ୍ରଦର୍ଶନ କରିଛୁ, ଏବଂ ଠିକ୍‌ ଏହି ସମୟରେ, ନୂତନ ଯୁଗର ଯୁଦ୍ଧରେ ନିଜର ଶ୍ରେଷ୍ଠତାକୁ ପ୍ରମାଣିତ କରିଛୁ। ଏହି ଅପରେସନ୍ ସମୟରେ, ଆମର ମେଡ ଇନ୍ ଇଣ୍ଡିଆ ଅସ୍ତ୍ରଶସ୍ତ୍ରର କ୍ଷମତା ପ୍ରମାଣିତ ହୋଇଥିଲା। ଆଜି ବିଶ୍ୱ ଦେଖୁଛି, ଏକବିଂଶ ଶତାବ୍ଦୀର ଯୁଦ୍ଧରେ ଭାରତରେ ନିର୍ମିତ ପ୍ରତିରକ୍ଷା ଉପକରଣର ସମୟ ଆସିଛି।

ବନ୍ଧୁଗଣ, ପ୍ରତ୍ୟେକ ପ୍ରକାରର ଆତଙ୍କବାଦ ବିରୋଧରେ ଏକଜୁଟ ରହିବା ହେଉଛି ଆମର ସବୁଠାରୁ ବଡ଼ ଶକ୍ତି। ନିଶ୍ଚିତ ଭାବେ ଏହା ଯୁଦ୍ଧର ଯୁଗ ନୁହେଁ, କିନ୍ତୁ ଏହା ମଧ୍ୟ ଆତଙ୍କବାଦର ଯୁଗ ନୁହେଁ। ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ହେଉଛି ଏକ ଉନ୍ନତ ବିଶ୍ୱର ଗ୍ୟାରେଣ୍ଟି।

ବନ୍ଧୁଗଣ,

ଯେଭଳି ଭାବେ ପାକିସ୍ତାନ ସେନା ଏବଂ ପାକିସ୍ତାନ ସରକାର ଆତଙ୍କବାଦକୁ ପୋଷଣ ଦେଉଛନ୍ତି, ଦିନେ ନା ଦିନେ ଏହା ପାକିସ୍ତାନକୁ ଶେଷ କରିଦେବ। ଯଦି ପାକିସ୍ତାନ ବଞ୍ଚିବାକୁ ଚାହେଁ, ତା’ହେଲେ ତାର ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ୱଂସ କରିବାକୁ ପଡ଼ିବ। ଶାନ୍ତି ପାଇଁ ଅନ୍ୟ କୌଣସି ରାସ୍ତା ନାହିଁ। ଭାରତର ସ୍ଥିତି ଅତ୍ୟନ୍ତ ସ୍ପଷ୍ଟ: ଆତଙ୍କବାଦ ଏବଂ ଆଲୋଚନା, ଏକାଠି କରାଯାଇପାରିବ ନାହିଁ, ଆତଙ୍କବାଦ ଏବଂ ବ୍ୟବସାୟ ଏକାଠି ଯାଇପାରିବ ନାହିଁ। ଏହା ବ୍ୟତୀତ, ପାଣି ଏବଂ ରକ୍ତ ଏକାଠି ପ୍ରବାହିତ ହୋଇପାରିବ ନାହିଁ। ମୁଁ ଆଜି ବିଶ୍ୱ ସମୁଦାୟକୁ ମଧ୍ୟ କହିବି, ଆମର ଘୋଷିତ ନୀତି ହେଉଛି, ଯଦି ପାକିସ୍ତାନ ସହିତ ଆଲୋଚନା ହୁଏ, ତେବେ ତାହା ଆତଙ୍କବାଦ ଉପରେ ହେବ, ଯଦି ପାକିସ୍ତାନ ସହିତ ଆଲୋଚନା ହୁଏ, ତେବେ ପାକିସ୍ତାନ ଅଧିକୃତ କାଶ୍ମୀର, ପିଓକେ ଉପରେ ଆଧାରିତ ହେବ।

ପ୍ରିୟ ଦେଶବାସୀ,

ଆଜି ବୁଦ୍ଦ ପୂର୍ଣ୍ଣିମା। ଭଗବାନ ବୁଦ୍ଧ ଆମକୁ ଶାନ୍ତିର ମାର୍ଗ ଦେଖାଇଛନ୍ତି। ଶାନ୍ତିର ମାର୍ଗ ମଧ୍ୟ ଶକ୍ତିର ମାର୍ଗ ହୋଇଯାଇଥାଏ। ମାନବତା, ଶାନ୍ତି ଏବଂ ସମୃଦ୍ଧି ଦିଗରେ ଆଗକୁ ବଢ଼ୁ, ପ୍ରତ୍ୟେକ ଭାରତୀୟ ଶାନ୍ତିରେ ରୁହନ୍ତୁ, ବିକଶିତ ଭାରତର ସ୍ୱପ୍ନକୁ ପୂରଣ କରନ୍ତୁ, ସେଥିପାଇଁ ଭାରତ ଶକ୍ତିଶାଳୀ ହେବ ଅତ୍ୟନ୍ତ ଜରୁରୀ। ଆବଶ୍ୟକତା ପଡ଼ିଲେ ଏହି ଶକ୍ତିର ଉପଯୋଗ କରିବା ମଧ୍ୟ ଜରୁରୀ। ଆଉ ବିଗତ କିଛି ଦିନ ମଧ୍ୟରେ ଭାରତ ଏହା କରି ଦେଖାଇଛି ।

ମୁଁ ପୁଣିଥରେ ଭାରତୀୟ ସେନା ଏବଂ ସଶସ୍ତ୍ର ବଳକୁ ଅଭିବାଦନ ଜଣାଉଛି। ଆମେ ଭାରତବାସୀଙ୍କ ସାହସକୁ ପ୍ରଣାମ କରୁଛି। ଭାରତବାସୀଙ୍କ ଏକତାର ଶପଥ, ସଂକଳ୍ପକୁ ମୁଁ ପ୍ରଣାମ କରୁଛି।

ବହୁତ - ବହୁତ ଧନ୍ୟବାଦ।

ଭାରତ ମାତା କୀ ଜୟ!!!

ଭାରତ ମାତା କୀ ଜୟ!!!

ଭାରତ ମାତା କୀ ଜୟ!!!