କ୍ୱାଲାଲମ୍ପୁରରେ ଭାରତୀୟ ପ୍ରବାସୀମାନଙ୍କ ସ୍ନେହ ପାଇଁ କୃତଜ୍ଞ, ଆମର ପ୍ରବାସୀମାନେ ଭାରତ ଏବଂ ମାଲେସିଆ ମଧ୍ୟରେ ଏକ ଦୃଢ଼ ସେତୁ ଭାବରେ କାର୍ଯ୍ୟ କରିଆସୁଛନ୍ତି: ପ୍ରଧାନମନ୍ତ୍ରୀ
ମାଲେସିଆରେ ବିଶ୍ୱର ଦ୍ୱିତୀୟ ସର୍ବବୃହତ ଭାରତୀୟ ବଂଶୋଦ୍ଭବ ସମ୍ପ୍ରଦାୟ ଅଛି, ଭାରତ ଏବଂ ମାଲେସିଆର ହୃଦୟକୁ ସମ୍ପର୍କକୁ ଯୋଡ଼ୁଥିବା ଅନେକ କାରଣ ରହିଛି: ପ୍ରଧାନମନ୍ତ୍ରୀ
ଆପଣମାନେ ଶହ ଶହ ବର୍ଷ ଧରି ପରମ୍ପରାକୁ କିପରି ସଂରକ୍ଷଣ କରିଛନ୍ତି ତାହା ଉଲ୍ଲେଖନୀୟ, କିଛି ଦିନ ପୂର୍ବରୁ, ମୁଁ ମୋର ମାସିକ ରେଡିଓ ବାର୍ତ୍ତାଳାପ, ମନ କୀ ବାତରେ ଆପଣଙ୍କ ବିଷୟରେ କହିଥିଲି ଯେଉଁଥିରେ ମୁଁ ୧୪୦ କୋଟି ଭାରତୀୟଙ୍କୁ ସୂଚନା ଦେଇଥିଲି ଯେ କିପରି ମାଲେସିଆର ୫୦୦ ରୁ ଅଧିକ ସ୍କୁଲ ଭାରତୀୟ ଭାଷାରେ ପିଲାମାନଙ୍କୁ ଶିକ୍ଷା ଦିଅନ୍ତି: ପ୍ରଧାନମନ୍ତ୍ରୀ
ମାଲେସିଆର ତାମିଲ ପ୍ରବାସୀ ସଦସ୍ୟମାନେ ବିଭିନ୍ନ କ୍ଷେତ୍ରରେ ସମାଜ ସେବା କରୁଛନ୍ତି ଏବଂ ତାମିଲ ପ୍ରବାସୀ ବହୁ ଶତାବ୍ଦୀ ଧରି ଏଠାରେ ଅଛନ୍ତି; ଏହି ଇତିହାସ ଦ୍ୱାରା ଅନୁପ୍ରାଣିତ ହୋଇ, ଆମେ ମାଲାୟା ବିଶ୍ୱବିଦ୍ୟାଳୟରେ ତିରୁଭଲ୍ଲୁଭର ଚେୟାର ପ୍ରତିଷ୍ଠା କରି ଗର୍ବିତ, ଆମେ ଏବେ ଆମର ସହଭାଗୀ ଐତିହ୍ୟକୁ ଆହୁରି ମଜବୁତ କରିବା ପାଇଁ ଏକ ତିରୁଭଲ୍ଲୁଭର କେନ୍ଦ୍ର ସ୍ଥାପନ କରିବୁ: ପ୍ରଧାନମନ୍ତ୍ରୀ
ଭାରତର ସଫଳତା ମାଲେସିଆର ସଫଳତା, ଏହା ଏସିଆର ସଫଳତା, ତେଣୁ ମୁଁ ଆମ ସମ୍ପର୍କର ମାର୍ଗଦର୍ଶୀ ଶବ୍ଦ କହୁଛି। ଏହା ହେଉଛି ଇମ୍ପାକ୍ଟ - ଅର୍ଥାତ୍‌ ସାମୂହିକ ପରିବର୍ତ୍ତନ ଆଗକୁ ବଢ଼ାଇବା ପାଇଁ ଭାରତ-ମାଲେସିଆ ସହଭାଗୀତା: ପ୍ରଧାନମନ୍ତ୍ରୀ
ମୁଁ ଆପଣମାନଙ୍କ ମଧ୍ୟରୁ ଅଧିକ ଲୋକଙ୍କୁ ଭ୍ରମଣ କରିବାକୁ ଏବଂ ଅତୁଳନୀୟ ଭାରତ ଅନୁଭବ କରିବାକୁ ଉତ୍ସାହିତ କରୁଛି; ଆପଣମାନେ ଆପଣଙ୍କର ମାଲୟ ବନ୍ଧୁମାନଙ୍କୁ ମଧ୍ୟ ଆପଣଙ୍କ ସହିତ ଆଣିବା ଉଚିତ, କାରଣ ଲୋକ ସମ୍ପର୍କ ହେଉଛି ଆମ ବନ୍ଧୁତାର ମୂଳଦୁଆ: ପ୍ରଧାନମନ୍ତ୍ରୀ
ଭାରତ ଅଭିବୃଦ୍ଧି ପାଇଁ ଏକ ବିଶ୍ୱସ୍ତ ଅଂଶୀଦାର ଭାବରେ ପରିଗଣିତ ହେଉଛି, ବ୍ରିଟେନ, ୟୁଏଇ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଓମାନ, ୟୁରୋପୀୟ ସଂଘ କିମ୍ବା ଆମେରିକା ହେଉ, ଦେଶଗୁଡ଼ିକର ଭାରତ ସହ ବାଣିଜ୍ୟ ଚୁକ୍ତି ଅଛି, ବିଶ୍ୱାସ ଭାରତର ସବୁଠାରୁ ଶକ୍ତିଶାଳୀ ମୁଦ୍ରା ପାଲଟିଛି: ପ୍ରଧାନମନ୍ତ୍ରୀ
ମାଲେସିଆର କ୍ୱାଲାଲମ୍ପୁର ଠାରେ ଏକ ଜନସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ମହାମହିମ, ପ୍ରଧାନମନ୍ତ୍ରୀ ଅନଓ୍ୱର ଇବ୍ରାହିମ,

ମୋର ପ୍ରିୟର ବନ୍ଧୁଗଣ, ଭାଇ ଓ ଭଉଣୀମାନେ,



ସଲାମତ ପତାଙ୍ଗ !

ବଣକ୍କମ୍ !

ସୁଖମାଣୋ ?

ସତ୍ ଶ୍ରୀ ଅକାଲ୍‌ !

ବାଗୁନ୍ନାରା ?

କେମ୍ ଛୋ ?


ଆପଣମାନଙ୍କର ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଆମର ମିଳିତ ସଂସ୍କୃତିର ସୁନ୍ଦର ବିବିଧତାକୁ ପ୍ରତିଫଳିତ କରୁଛି।

 

ଏହି ସାମୁଦାୟିକ ସମାରୋହରେ ସାମିଲ ହୋଇଥିବାରୁ ସର୍ବପ୍ରଥମେ ମୁଁ ମୋର ପ୍ରିୟ ବନ୍ଧୁ ପ୍ରଧାନମନ୍ତ୍ରୀ ଅନଓ୍ୱର ଇବ୍ରାହିମଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି। ଏବେ ଏବେ ଭାରତ-ମାଲେସିଆର ବନ୍ଧୁତ୍ୱର ବ୍ୟାପକତା ଓ ଭବିଷ୍ୟତର ସମ୍ଭାବନା ନେଇ ସେ ଯେଉଁ ସୁନ୍ଦର ଅଭିଭାଷଣ ରଖିଲେ, ସେଥିପାଇଁ ମଧ୍ୟ ମୁଁ ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛି। 

 

କେବଳ ସେତିକି ନୁହେଁ, ମତେ ସ୍ୱାଗତ କରିବାକୁ ମଧ୍ୟ ସେ ନିଜେ ବିମାନ ବନ୍ଦରକୁ ଆସିଥିଲେ ଏବଂ ମତେ ତାଙ୍କର କାର୍‌ରେ ହିଁ ଏଠାକୁ ସେ ଆଣିଥିଲେ। କେବଳ ତାଙ୍କର କାର୍ ନୁହେଁ, ତାଙ୍କ ସିଟ୍‌ରେ ମଧ୍ୟ ମତେ ବସାଇଥିଲେ। ତାଙ୍କର ଏହି ବିଶେଷ ସ୍ୱାଗତ ସମ୍ୱର୍ଦ୍ଧନା ଭାରତ ପ୍ରତି ଓ ଆପଣ ସମସ୍ତଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ଓ ସମ୍ମାନକୁ ପ୍ରତିଫଳିତ କରୁଛି।

ଆପଣଙ୍କର ସସ୍ନେହ ଶବ୍ଦ, ଆଥିତେୟତା ଓ ବନ୍ଧୁତ୍ୱ ପାଇଁ ମୁଁ ଆପଣଙ୍କ ନିକଟରେ କୃତଜ୍ଞ ।   

ବନ୍ଧୁଗଣ,

ରେକର୍ଡ କରିବା ଭଳି ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆମେ ବର୍ତ୍ତମାନ ଦେଖିଲେ। ଅପୂର୍ବ ତାଳମେଳ ରଖି ୮୦୦ରୁ ଅଧିକ ନୃତ୍ୟଶିଳ୍ପୀ ନୃତ୍ୟ ପ୍ରଦର୍ଶନ କଲେ। ଆମର ଲୋକଙ୍କୁ ଆଗାମୀ କେତେ ବର୍ଷ ଧରି ଏହି ନୃତ୍ୟ ପ୍ରଦର୍ଶନ ମନେ ରହିବ। ମୁଁ ଆପଣମାନଙ୍କୁ ଅଭିନନ୍ଦନ ଜଣାଉଛି। ମୁଁ ସମସ୍ତ କଳାକାରଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି।

ବନ୍ଧୁଗଣ,

ଅନଓ୍ୱର ଇବ୍ରାହିମ୍ ପ୍ରଧାନମନ୍ତ୍ରୀ ହେବା ଆଗରୁ ଆମର ବନ୍ଧୁତା ଅଛି । ସଂସ୍କାର ଉପରେ ତାଙ୍କ ଗୁରୁତ୍ୱ, ତାଙ୍କର ମହାନ ବୁଦ୍ଧିମତା ଓ ୨୦୨୫ ଏସିଆନ୍‌ରେ ସକ୍ଷମ ଅଧ୍ୟକ୍ଷତାକୁ ମୁଁ ପ୍ରଶଂସା କରୁଛି।  
 

ଗତ ବର୍ଷ ହୋଇଥିବା ଏସିଆନ୍ ସମ୍ମିଳନୀରେ ଯୋଗ ଦେବାକୁ ମୁଁ ମାଲେସିଆ ଆସିପାରିନଥିଲି। କିନ୍ତୁ ମୁଁ ମୋର ବନ୍ଧୁଙ୍କୁ ପ୍ରତିଶ୍ରୁତି ଦେଇଥିଲି ମୁଁ ଖୁବ ଶୀଘ୍ର ମାଲେସିଆ ଆସିବି। ଏବଂ ମୁଁ ମୋର କଥା ରଖି ଆଜି ଏଠାକୁ ଆସିଛି।

୨୦୨୬ରେ ଏହା ହେଉଛି ମୋର ପ୍ରଥମ ବିଦେଶ ଗସ୍ତ। ଏହି ଉତ୍ସବର ସମୟରେ ଆପଣଙ୍କ ଗହଣରେ ଉପସ୍ଥିତ ରହିଥିବାରୁ ମୁଁ ବହୁତ ଖୁସି। ମୁଁ ଆଶା କରୁଛି ସମସ୍ତେ ଖୁବ ଆନନ୍ଦ ଉଲ୍ଲାସର ସହିତ ସଂକ୍ରାନ୍ତି, ପୋଙ୍ଗଲ ଓ ତଇ-ପୁସମ୍ ପାଳନ କରିଛନ୍ତି। ଆଗକୁ ଆସୁଛି ଶିବରାତ୍ରୀ। କିଛି ଦିନ ପରେ ପୁଣି ରମଜାନ ଆରମ୍ଭ ହୋଇଯିବ। ଏବଂ ତା ପରେ ଅତ୍ୟନ୍ତ ଭକ୍ତି ଓ ଶ୍ରଦ୍ଧାର ସହିତ ପାଳିତ ହେବ ହରି ରାୟା। ଏହି ଅବସରରେ ମୁଁ ଆପଣସମସ୍ତଙ୍କ ସୁଖ ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।

 

ବନ୍ଧୁଗଣ, 
ସାରା ବିଶ୍ୱକୁ ଦେଖିଲେ ମାଲେସିଆରେ ରହୁଛନ୍ତି ଦ୍ୱିତୀୟ ବୃହତ୍ତମ ଭାରତୀୟ ବଂଶୋଦ୍ଭବ ସମୁଦାୟ। ଭାରତୀୟ ଓ ମାଲେସୀୟଙ୍କ ହୃଦୟ ମଧ୍ୟରେ ସଂପର୍କ ସ୍ଥାପନରେ ବହୁତ କିଛି ଅଛି।  କିଛି ସମୟ ଆଗରୁ ପ୍ରଧାନମନ୍ତ୍ରୀ ଅନଓ୍ୱର ଇବ୍ରାହିମ୍ ଓ ମୁଁ ଦେଖିଥିବା ପ୍ରଦର୍ଶନୀରେ ଏହି ସଂପର୍କ ଅତ୍ୟନ୍ତ ସୁନ୍ଦର ଭାବେ ପ୍ରଦର୍ଶିତ ହୋଇଛି। ଆପଣମାନେ ହେଉଛନ୍ତି ଏକ ଜୀବନ୍ତ ସେତୁ ଯିଏ ଆମକୁ ଯୋଡ଼ିଛି।

ଆପଣ ରୋଟି ଚନାଇ ସହିତ ମଲାବାର ପରୋଟ୍ଟାକୁ ଯୋଡ଼ିଛନ୍ତି

ନଡ଼ିଆ, ମସଲା ଓ ତେହ ତାରିକ ମଧ୍ୟ  …


ସେ କ୍ୱାଲାଲାମ୍ପୁର ହେଉଛି କି କୋଚି, ସ୍ୱାଦ ସେମିତି ପ୍ରିୟ ପରିଚିତ। ଆମେ ପରସ୍ପରକୁ ଭଲ ଭାବେ ଜାଣୁ। ଆମର ଭାଷା ଓ ମଳୟ ମଧ୍ୟରେ ଅନେକ ସମାନ ପ୍ରକାରର ଶବ୍ଦ ଥିବାରୁ ଏହା ସମ୍ଭବ ହୋଇପାରିଛି।

 

ମୁଁ ଶୁଣିଛି, ମାଲେସିଆରେ ଭାରତୀୟ ଫିଲ୍ମ ଓ ସଂଗୀତ ବହୁତ ଲୋକପ୍ରିୟ। ଆପଣମାନେ ସମସ୍ତେ ଜାଣନ୍ତି, ପ୍ରଧାନମନ୍ତ୍ରୀ ଅନଓ୍ୱର ଇବ୍ରାହିମ ବହୁତ ଭଲ ଗୀତ ଗାଆନ୍ତି। କିନ୍ତୁ ଅନେକ ଭାରତୀୟ ଏହା ଜାଣିନଥିଲେ। ତାଙ୍କର ଗତ ଭାରତ ଗସ୍ତ ବେଳେ ସେମାନେ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ। ସେ ଗୋଟିଏ ପୁରୁଣା ହିନ୍ଦୀ ଗୀତ ଗାଇବାର ଭିଡିଓ ଭାଇରାଲ ହୋଇଗଲା। କିମ୍ୱଦନ୍ତୀ ଏମ୍‌ଜିଆର୍‌ଙ୍କ ତାମିଲ ଗୀତକୁ ବି ସେ ଭଲ ପାଆନ୍ତି, ଏହା ବି ବହୁତ ବଢ଼ିଆ କଥା।

 

ବନ୍ଧୁଗଣ,

ମୁଁ ଜାଣେ ଆପଣ ସମସ୍ତଙ୍କ ହୃଦୟରେ ଭାରତର ସ୍ଥାନ ସ୍ୱତନ୍ତ୍ର। ୨୦୦୧ର ଗୋଟିଏ ଘଟଣା ମୁଁ ବହୁତ ଭଲ ଭାବେ ମନେ ରଖିଛି। ଯେତେବେଳେ ମୋର ରାଜ୍ୟ ଗୁଜରାଟରେ ଭୟଙ୍କର ଭୂମିକମ୍ପ ହୋଇଥିଲା, ଆପଣମାନଙ୍କ ମଧ୍ୟରୁ ଅନେକ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ସେଥିପାଇଁ ମୁଁ ଆପଣ ସମସ୍ତଙ୍କୁ ଧନ୍ୟବାଦ ଦେଉଛି।     

ଏହାର ବହୁ ଆଗରୁ ମଧ୍ୟ ଭାରତକୁ ଏକ ସ୍ୱାଧୀନ ଦେଶ କରିବା ପାଇଁ ଆପଣଙ୍କ ହଜାର ହଜାର ପୂର୍ବପୁରୁଷ ବହୁତ ବଡ଼ ବଳିଦାନ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଅନେକ କେବେ ବି ଭାରତ ଦେଖିନଥିଲେ। କିନ୍ତୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ୍ ହିନ୍ଦ ଫୌଜରେ ଯୋଗ ଦେବାରେ ସେମାନେ ଆଗୁଆ ଥିଲେ।


ସେମାନଙ୍କୁ ସମ୍ମାନ ଦେବା ପାଇଁ ମାଲେସିଆରେ ଥିବା ଭାରତୀୟ ସାଂସ୍କୃତିକ କେନ୍ଦ୍ରକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାଁରେ ନାମିତ କରାଯାଇଛି। ଏହି ଅବସରରରେ ମାଲେସିଆରେ ଥିବା ନେତାଜୀ ସେବା କେନ୍ଦ୍ର ଓ ନେତାଜୀ କଲ୍ୟାଣ ଫାଉଣ୍ଡେସନକୁ ମୁଁ ସ୍ୟାଲୁଟ୍ କରୁଛି।


ବନ୍ଧୁଗଣ,
 

ଶହ ଶହ ବର୍ଷ ଧରି ଆପଣମାନେ ପରମ୍ପରାକୁ ଯେମିତି ଭାବେ ବଞ୍ଚାଇ ରଖିଛନ୍ତି, ତାହା ବହୁତ ପ୍ରଶଂସାଯୋଗ୍ୟ । କିଛି ଦିନ ତଳେ ମୋର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍‌ କି ବାତ୍ ରେ ମୁଁ ଆପଣମାନଙ୍କ ବିଷୟରେ ଉଲ୍ଲେଖ କରିଥିଲି। ମାଲେସିଆରେ ରହି କିପରି ଆପଣମାନେ ୫୦୦ରୁ ଅଧିକ ସ୍କୁଲରେ ଭାରତୀୟ ଭାଷାରେ ନିଜ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି ସେ ସଂପର୍କରେ ମୁଁ ୧୪୦ କୋଟି ଭାରତୀୟଙ୍କୁ ଅବଗତ କରାଇଥିଲି।  


ମହାନ ସନ୍ଥ ତିରୁବଛଚ୍ଛୁଓ୍ୱର ଓ ସ୍ୱାମୀ ବିବେକାନନ୍ଦଙ୍କ ପ୍ରଭାବ ମଧ୍ୟ ଏଠାରେ ଅନୁଭବ କରିହୁଏ। ବସୁ ଗୁମ୍ଫାରେ ଗତ ସପ୍ତାହରେ ହୋଇଥିବା ତଇ-ପୁସମ୍ ଏମିତି ଆଧ୍ୟାତ୍ମିକ ଥିଲା ଯେ ଏହା ପଚ୍ଛନି ଉତ୍ସବ ପରି ଲାଗିଲା। ସେହିପରି ବାଗାନ ଦାତୋହର ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରରେ ବିରାଟ ଓ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।  

 

ମୁଁ ଶୁଣିଲି ଏଠାରେ ଗର୍ବା ବହୁତ ଲୋକପ୍ରିୟ। ଏଠାରେ ରହୁଥିବା ଶିଖ୍ ଭାଇମାନଙ୍କ ସହିତ ଥିବା ସାଂସ୍କୃତିକ ସଂପର୍କ ମଧ୍ୟ ଆମକୁ ବହୁତ ଭଲ ଲାଗେ। ନାମ ଜପୋ, କିରତ କରୋ, ଓ୍ୱଣ୍ଡ ଛକୋର ପ୍ରସାର ପ୍ରଚାର କରି ଆପଣମାନେ ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ନୀତିବାଣୀକୁ ଆଗକୁ ନେଉଛନ୍ତି।

ବନ୍ଧୁଗଣ,

ଏଠାରେ ଭାରତର ସବୁ ଅଞ୍ଚଳର ଲୋକ ରହୁଛନ୍ତି। ସାଂସ୍କୃତିକ ଏକତାର ରଶି ଆମ ସମସ୍ତଙ୍କୁ ଦୃଢ଼ ଭାବେ ବାନ୍ଧି ରଖିଛି। ଆମେ ଜାଣୁ ଯେ, ବିବିଧତା ମଧ୍ୟରେ ଏକତା ହେଉଛି ଆମର ଶକ୍ତି।

 

ବନ୍ଧୁଗଣ,

ତାମିଲ ହେଉଛି ବିଶ୍ୱକୁ ଭାରତର ଏକ ଅନନ୍ୟ ଉପହାର। ତାମିଲ ସାହିତ୍ୟ ହେଉଛି ଶାଶ୍ୱତ ଓ ତାମିଲ ସଂସ୍କୃତି ହେଉଛି ବୈଶ୍ୱିକ। ସେହିପରି ନିଜ ଜ୍ଞାନ ଜରିଆରେ ତାମିଲମାନେ ମାନବତାର ସେବା କରିଥାନ୍ତି। ଏବଂ ଗର୍ବର ସହିତ ମୁଁ କହୁଛି ଯେ, ଭାରତ ଉପରାଷ୍ଟ୍ରପତି ଥିରୁ ସିପି ରାଧାକ୍ରିଷ୍ଣନ ଜୀ, ଆମର ବୈଦେଶିକ ବ୍ୟାପାର ମନ୍ତ୍ରୀ ଯିଏ କି ଏଠାରେ ଆମ ସହିତ ଅଛନ୍ତି, ଆମର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଜୀ ଯିଏ କି ୯ ଥର ଆମର ବଜେଟ ଉପସ୍ଥାପନ କରିଛନ୍ତି, ଆମର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ମୁରୁଗାନ, ଏମାନେ ସମସ୍ତେ ହେଉଛନ୍ତି ତାମିଲନାଡୁର।

 

ସେହିପରି ମାଲେସିଆରେ ରହୁଥିବା ତାମିଲମାନେ ବିଭିନ୍ନ କ୍ଷେତ୍ରରେ ସମାଜର ସେବା କରୁଛନ୍ତି। କହିବାକୁ ଗଲେ, ଶହ ଶହ ବର୍ଷ ହେଲାଣି ଏଠାରେ ରହୁଛନ୍ତି ତାମିଲମାନେ। ଇତିହାସରୁ ଅନୁପ୍ରାଣିତ ହୋଇ ଆମେ ଏଠାରେ ମଳୟ ବିଶ୍ୱବିଦ୍ୟାଳୟରେ ତିରୁବଛଚ୍ଛୁଓ୍ୱର ଚେୟାର ପ୍ରତିଷ୍ଠା କରିଛୁ। ଆମର ମିଳିତ ଐତିହ୍ୟକୁ ଆହୁରି ମଜଭୁତ କରିବା ପାଇଁ ଆମେ ପ୍ରତିଷ୍ଠା କରିବାକୁ ଯାଉଛି ତିରୁବଛଚ୍ଛୁଓ୍ୱର କେନ୍ଦ୍ର।   

ବନ୍ଧୁଗଣ,

ମାଲେସିଆ ସହିତ ଆମର ସଂପର୍କ ପ୍ରତି ବର୍ଷ ନୂଆ ନୂଆ ଶିଖର ସ୍ପର୍ଶ କରୁଛି। ୨୦୨୪ରେ ପ୍ରଧାନମନ୍ତ୍ରୀ ଅନଓ୍ୱର ଇବ୍ରାହିମଙ୍କ ନୂଆଦିଲ୍ଲୀ ଗସ୍ତ ସମୟରେ ଆମର ସଂପର୍କ ବ୍ୟାପକ ସାମରିକ ସହଯୋଗରେ ପରିଣତ ହୋଇଥିଲା। 

ଆଜି ଆମେ ପରସ୍ପରର ହାତ ଧରି ସହଯୋଗୀ ଭାବେ ପ୍ରଗତି ଓ ସମୃଦ୍ଧି ଦିଗରେ ଆଗେଇ ଚାଲିଛୁ। ଆମେ ପରସ୍ପରର ସଫଳତାକୁ ନିଜର ସଫଳତା ମନେ କରି ଖୁସି ହେଉ। ଐତିହାସିକ ଚନ୍ଦ୍ରଯାନ-୩ର ସଫଳତାରେ ପ୍ରଧାନମନ୍ତ୍ରୀ ଅନଓ୍ୱର ଇବ୍ରାହିମ୍ ଯେଉଁ ଶୁଭେଚ୍ଛା ଜଣାଇଥିଲେ, ତାହା ମୋର ହୃଦୟକୁ ସ୍ପର୍ଶ କରିଥିଲା। ମୋର ପ୍ରିୟର ବନ୍ଧୁ, ମୁଁ ଆପଣଙ୍କ ସହିତ ସହମତ। ଭାରତର ସଫଳତା ହେଉଛି ମାଲେସିଆର ସଫଳତା, ଏହା ହେଉଛି ଏସିଆର ସଫଳତା।

 
ସେଥିପାଇଁ ମୁଁ କହେ, ଆମ ସଂପର୍କର ମୂଳ ଆଧାର ହେଉଛି IMPACT (ଇମ୍ପାକ୍ଟ)। ଏହାର ଅର୍ଥ ହେଲା India Malaysia Partnership for Advancing Collective Transformation  (ଇଣ୍ଡିଆ ମାଲେସିଆ ପାର୍ଟନରସିପ୍ ଫର୍ ଆଡଭାନ୍‌ସିଂ କଲେକଟିଭ ଟ୍ରାନ୍ସଫରମେସନ)

 

ଆମ ସଂପର୍କର ଗତିରେ ଇମ୍ପାକ୍ଟ

ଆମର ଉଚ୍ଚଭିଳାଷରେ ଇମ୍ପାକ୍ଟ

ଆମର ଲୋକମାନଙ୍କ ହିତରେ ଇମ୍ପାକ୍ଟ

 

ମିଳିତ ଭାବେ ଆମେ ପୁରା ମାନବିକତାର ଉନ୍ନତି କରିପାରିବା !
 

ବନ୍ଧୁଗଣ,

ମାଲେସିଆ ସହିତ କାମ କରିବା ପାଇଁ ଭାରତୀୟ କମ୍ପାନୀଗୁଡ଼ିକ ସବୁବେଳେ ଇଚ୍ଛୁକ। ମାଲେସିଆର ପ୍ରଥମ ଓ ଏସିଆର ବୃହତ୍ତମ ଇନସୁଲିନ୍ ପ୍ରସ୍ତୁତକାରୀ କାରଖାନା ପ୍ରସ୍ତୁତ କରିବାରେ ଆମେ ସାହାଯ୍ୟ କରି ନିଜକୁ ଧନ୍ୟ ମନେ କରୁଛୁ।


୧୦୦ରୁ ଅଧିକ ଭାରତୀୟ ଆଇଟି କମ୍ପାନୀ ମାଲେସିଆରେ କାମ କରି ହଜାର ହଜାର ନିଯୁକ୍ତି ସୃଷ୍ଟି କରୁଛନ୍ତି। ଆମର ଡିଜିଟାଲ ସହଯୋଗରେ ନୂଆ ନୂଆ ସମ୍ଭାବନା ସୃଷ୍ଟି କରୁଛି ମାଲେସିଆ-ଭାରତ ଡିଜିଟାଲ କାଉନସିଲ। ମୁଁ ଏହା ଜଣାଇ ଖୁବ ଆନନ୍ଦିତ ଯେ, ଖୁବ ଶୀଘ୍ର ଭାରତର ୟୁପିଆଇ ମାଲେସିଆକୁ ଆସୁଛି।

ବନ୍ଧୁଗଣ,

ଭାରତ ମହାସାଗରର ନୀଳ ଜଳରାଶି ଉଭୟଙ୍କୁ ଛୁଇଁଛି। ଦରିଆ ସେପାରିରେ ଥାଇ ମଧ୍ୟ ଆମେ ପରସ୍ପରକୁ ବହୁତ ଶ୍ରଦ୍ଧା କରୁ। ଭାରତର ବିଭିନ୍ନ ଅଞ୍ଚଳ ଭ୍ରମଣ କରିବା ପାଇଁ ମୁଁ ଆପଣ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି। 

 

ଗତ କିଛି ବର୍ଷ ମଧ୍ୟରେ ଭାରତର ଭିତ୍ତିଭୂମି ଓ ଯୋଗାଯୋଗ କ୍ଷେତ୍ରରେ ଅଭୂତପୂର୍ବ ଅଭିବୃଦ୍ଧି ହୋଇଛି। ୧୦ ବର୍ଷ ମଧ୍ୟରେ ଏୟାରପୋର୍ଟ ସଂଖ୍ୟା ଦୁଇ ଗୁଣା ହୋଇଛି। ରେକର୍ଡ ଦ୍ରୁତ ଗତିରେ ନିର୍ମିତ ହେଉଛି ଜାତୀୟ ରାଜପଥ। ବନ୍ଦେ ଭାରତ ପରି ଅତ୍ୟାଧୁନିକ ଟ୍ରେନକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ମିଳୁଛି। ମୁଁ ଅନୁରୋଧ କରୁଛି ଆପଣମାନେ ଅଧିକରୁ ଅଧିକ ଭାରତ ଗସ୍ତରେ ଆସନ୍ତୁ ଓ ଅତୁଲ୍ୟ ଭାରତ ପରିଦର୍ଶନ କରନ୍ତୁ, ଅନୁଭବ କରନ୍ତୁ।  

ଆପଣାନେ ନିଜ ସାଙ୍ଗରେ ନିଶ୍ଚୟ ମଳୟ ବନ୍ଧୁମାନଙ୍କୁ ମଧ୍ୟ ଭାରତ ଆଣନ୍ତୁ। ଏକାକୀ ଆସନ୍ତୁ ନାହିଁ। କାରଣ ଆମ ବନ୍ଧୁତ୍ୱର ମୂଳ ଆଧାର ଶିଳା ହେଉଛି ପରସ୍ପର ମଧ୍ୟରେ ଘନିଷ୍ଠ ଜନ ସଂପର୍କ।

 

ବନ୍ଧୁଗଣ,

 

୨୦୧୫ରେ ଆମେ ଯେତେବେଳେ ପ୍ରଥମ ଥର ଭେଟ ହୋଇଥିଲେ, ସେତେବେଳେ ମୁଁ ଆପଣଙ୍କୁ ଭାରତର କ୍ଷମତା ବିଷୟରେ କହିଥିଲି। ବର୍ତ୍ତମାନ ମୁଁ ଆପଣଙ୍କୁ କହୁଛି ଏହି ୧୦ ବର୍ଷରେ କେମିତି ରହିଛି ଭାରତର ପ୍ରଦର୍ଶନ। ଏହି ୧୦ ବର୍ଷ ଭିତରେ ଭାରତରେ ବ୍ୟାପକ ପରିବର୍ତ୍ତନ ହୋଇଛି।

 
ସେତେବେଳେ ଆମେ ବିଶ୍ୱର ଏକାଦଶ ବୃହତ ଅର୍ଥନୀତି ଥିଲୁ। ଏବେ ଆମେ ଶୀର୍ଷ ୩ ଅର୍ଥନୀତି  ହେବାକୁ ଯାଉଛୁ। ଶୀର୍ଷ ୩ ଅର୍ଥନୀତିର କବାଟରେ ଠକ୍ ଠକ୍ କରୁଛୁ। ଆମେ ମଧ୍ୟ ହେଉଛୁ ବିଶ୍ୱର ପ୍ରମୁଖ ଅର୍ଥନୀତି ମଧ୍ୟରେ ସମସ୍ତଙ୍କଠୁ ଦ୍ରୁତତମ ଅଭିବୃଦ୍ଧି କରୁଥିବା ଦେଶ।   


ସେତେବେଳେ ମେକ୍ ଇନ୍ ଇଣ୍ଡିଆକୁ ଏକ ଚାରା ଭାବେ ରୋପଣ କରାଯାଇଥିଲା। ଏବେ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ ନିର୍ମାଣ କରୁଥିବା ଦେଶ। ୨୦୧୪ ଅପେକ୍ଷା ଭାରତର ପ୍ରତିରକ୍ଷା ରପ୍ତାନୀ ପ୍ରାୟ ୩୦ଗୁଣା ବୃଦ୍ଧି ହୋଇଛି। ଏହା ସହିତ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟ ଅଫ୍ ହବ୍ ରେ ପରିଣତ ହୋଇଛି।

 

ଆମେ ତିଆରି କରିଛୁ ବିଶ୍ୱର ବୃହତ୍ତମ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର୍ ଓ ବିଶ୍ୱର ସର୍ବବୃହତ ଫିନଟେକ୍ ଇକୋସିଷ୍ଟମ। ବିଶ୍ୱର ପ୍ରାୟ ଅଧା ରିୟଲ ଟାଇମ୍ ଡିଜିଟାଲ କାରବାର ଭାରତରେ ହୁଏ। ଆମର ୟୁପିଆଇ ପ୍ଲାଟଫର୍ମ ପାଇଁ ଏହା ସମ୍ଭାବ ହୋଇପାରିଛି।

 

ଦ୍ରୁତ ଗତିରେ ଅଭିବୃଦ୍ଧି ହେବା ସହିତ ଆମର ପ୍ରଗତି ଯେମିତି ସ୍ୱଚ୍ଛ ଓ ସବୁଜ ରହିବ, ତାହା ମଧ୍ୟ ଆମେ ନିଶ୍ଚିତ କରୁଛୁ। ଉଦାହରଣ ସ୍ୱରୂପ, ଗତ ଏକ ଦଶନ୍ଧିରେ ଆମର ସୌରଶକ୍ତି ଉତ୍ପାଦନ ୪୦ ଗୁଣା ବୃଦ୍ଧି ହୋଇଛି।

 

ବନ୍ଧୁଗଣ,

ଆଗରୁ ଭାରତକୁ କେବଳ ଏକ ବଡ଼ ବଜାର ଭାବେ ଦେଖା ଯାଉଥିଲା। ଏବେ ଆମେ ହେଉଛୁ ନିବେଶ ଓ ବାଣିଜ୍ୟ କାରବାରର ପ୍ରମୁଖ କେନ୍ଦ୍ର। ଅଭିବୃଦ୍ଧିର ଏକ ବିଶ୍ୱସନୀୟ ସହଯୋଗୀ ଭାବେ ପରିଗଣିତ ହେଉଛି ଭାରତ। ସେ ୟୁକେ, ୟୁଏଇ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଓମାନ, ଇୟୁ ହେଉ କି ଆମେରିକା, ଭାରତ ସହିତ ସମସ୍ତଙ୍କର ବାଣିଜ୍ୟ ଚୁକ୍ତି ହୋଇଛି। ଭରସା ପାଲଟିଛି ଭାରତର ସବୁଠୁ ମଜଭୁତ ମୁଦ୍ରା।

ବନ୍ଧୁଗଣ,

ଦୁଇ ହାତ ଖୋଲି ଭାରତ ସବୁବେଳେ ଆପଣଙ୍କୁ ସ୍ୱାଗତ କରିବ। ସେଥିପାଇଁ ଆମେ କିଛି ମାସ ତଳେ ଏକ ଐତିହାସିକ ନିଷ୍ପତ୍ତି ନେଇଛୁ। ଭାରତୀୟ ବଂଶୋଦ୍ଭବର ମାଲେସିଆ ନାଗରିକଙ୍କ ଷଷ୍ଠ ପିଢ଼ି ଯାଏ ସମସ୍ତଙ୍କୁ  ଆମେ ପ୍ରଦାନ କରିଛୁ ଓଆଇସି। 

ଆମେ ଭାରତୀୟ ସ୍କଲାରସିପ୍ ଟ୍ରଷ୍ଟ ଫଣ୍ଡକୁ ସହଯୋଗ କରି ଆସିଛୁ। ବର୍ତ୍ତମାନ ଭାରତରେ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କୁ ଆମେ ତିରୁଓ୍ୱଛଚ୍ଛୁଓ୍ୱର ବୃତ୍ତି ପ୍ରଦାନ କରିବାକୁ ଯାଉଛୁ। ଭାରତକୁ ଜାଣନ୍ତୁ କାର୍ଯ୍ୟକ୍ରମରେ ଆପଣମାନଙ୍କୁ ଦେଖିବାକୁ ଚାହୁଛୁ ଆମେ।

ଆପଣମାନେ ଜାଣି ଖୁସି ହେବେ ଯେ, ଆମେ ମାଲେସିଆରେ ଭାରତର ଆଉ ଏକ ବାଣିଜ୍ୟିକ ଦୂତାବାସ ଖୋଲିବାକୁ ଯାଉଛୁ। ଏହା ଦ୍ୱାରା ଆମର ସଂପର୍କ ଆହୁରି ଘନିଷ୍ଠ ହେବ।

ବନ୍ଧୁଗଣ,

୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ନିର୍ମାଣ କରିବାକୁ ଚାହୁଁଛନ୍ତି ୧୪୦ କୋଟି ଭାରତୀୟ।


ବିକଶିତ ଭାରତ ନିର୍ମାଣ କରିବା ତ ?

ବିକଶିତ ଭାରତ ନିର୍ମାଣ କରିବା କି ନାହିଁ ?

ଆମେ ନିଜର ସ୍ୱପ୍ନ ସାକାର କରିବା କି ନାହିଁ ?

ଆମେ ସ୍ୱପ୍ନକୁ ସଂକଳ୍ପରେ ପରିଣତ କରିବା କି ନାହିଁ ?

ଆମେ ସଂକଳ୍ପକୁ ସିଦ୍ଧିରେ ପରିଣତ କରିବା କି ନାହିଁ ?

 

ଭାରତକୁ ବିକଶିତ କରିବାର ଏହି ଯାତ୍ରାରେ ପ୍ରବାସୀ ଭାରତୀୟ, ବିଦେଶରେ ରହୁଥିବା ଭାରତୀୟ ବଂଶୋଦ୍ଭବ ହେଉଛନ୍ତି ମୂଲ୍ୟବାନ ସହଯୋଗୀ। ଆପଣ କ୍ୱାଲାଲାମ୍ପୁରରେ ଜନ୍ମ ହୋଇଥାନ୍ତୁ ବା କୋଲକାତାରେ, ଆପଣମାନଙ୍କ ହୃଦୟରେ ସବୁବେଳେ ଭାରତ ରହିଛି। ଆପଣମାନେ ହେଉଛନ୍ତି  ମାଲେସିଆର ଓ ଭାରତର ବିକାଶର ସକ୍ରିୟ ଅଂଶ। ସମୃଦ୍ଧଶାଳୀ ମାଲେସିଆ ଓ ବିକଶିତ ଭାରତର ସ୍ୱପ୍ନକୁ ପୂରଣ କରିବାରେ ଆପଣମାନେ ସହଯୋଗ କରନ୍ତୁ।   


ଜୟ ହିନ୍ଦ !
 

ଜୁମ୍ପା ଲାଗି  !

ମିକ୍କା ନଣ୍ଡ୍ରି !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
10 Years of UPI: From 18 mln to 219 bln transactions, volumes jump 12,000x

Media Coverage

10 Years of UPI: From 18 mln to 219 bln transactions, volumes jump 12,000x
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 10, 2026
April 10, 2026

Safe Anchor, Green Engine, Digital Dynamo: PM Modi’s Blueprint for India’s Economic Renaissance