ପ୍ରଥମ ଶୃଙ୍ଖଳାର ୧୧ ଖଣ୍ଡ ଉନ୍ମୋଚନ କରିଛନ୍ତି
"ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ସମ୍ପୂର୍ଣ୍ଣ ପୁସ୍ତକର ଉନ୍ମୋଚନ ନିଜ ଭିତରେ ନିଜେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ "
"ମହାମନା ଆଧୁନିକ ଚିନ୍ତାଧାରା ଓ ସନାତନ ସଂସ୍କୃତିର ସଂଗମ ଥିଲେ"
"ମାଲବ୍ୟଜୀଙ୍କ ଚିନ୍ତାଧାରାର ବାସ୍ନା ଆମ ସରକାରଙ୍କ କାର୍ଯ୍ୟରେ ଅନୁଭୂତ ହୋଇପାରେ"
ମହାମନାଙ୍କୁ ଭାରତ ରତ୍ନ ପ୍ରଦାନ କରିବା ଆମ ସରକାରଙ୍କ ସୌଭାଗ୍ୟ
"ମାଲବ୍ୟଜୀଙ୍କ ପ୍ରୟାସ ଦେଶର ନୂତନ ଜାତୀୟ ଶିକ୍ଷା ନୀତିରେ ମଧ୍ୟ ପ୍ରତିଫଳିତ ହୋଇଛି"
"ସୁଶାସନର ଅର୍ଥ ହେଉଛି କ୍ଷମତା - କେନ୍ଦ୍ରିତ ହେବା ପରିବର୍ତ୍ତେ ସେବା - କେନ୍ଦ୍ରିତ ହେବା"
ଭାରତ ଜାତୀୟ ଓ ଅନ୍ତର୍ଜାତୀୟ ଗୁରୁତ୍ୱ ସମ୍ପନ୍ନ ଅନେକ ଅନୁଷ୍ଠାନର ସ୍ରଷ୍ଟା ପାଲଟିଛି

ମହାମନା ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ୧୬୨ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ 'ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ସଂଗୃହୀତ କୃତି' ର ପ୍ରଥମ ଶୃଙ୍ଖଳାର ୧୧ଟି ଖଣ୍ଡକୁ ଉନ୍ମୋଚନ କରିଛନ୍ତି । ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କୁ ମଧ୍ୟ ଶ୍ରୀ ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟର ପ୍ରତିଷ୍ଠାତା ପଣ୍ଡିତ ମଦନ ମୋହନ ମାଲବ୍ୟ ଆଧୁନିକ ଭାରତର ନିର୍ମାତା ମାନଙ୍କ ମଧ୍ୟରେ ଏକ ଅଗ୍ରଣୀ ସ୍ଥାନ ଅଧିକାର କରିଛନ୍ତି । ସେ ଜଣେ ଉଚ୍ଚକୋଟୀର ବିଦ୍ୱାନ ଏବଂ ସ୍ୱାଧୀନତା ସଂଗ୍ରାମୀ ଭାବରେ ବେଶ୍ ସ୍ମରଣୀୟ , ଯିଏ ଲୋକ ମାନଙ୍କ ମଧ୍ୟରେ  ଜାତୀୟ ଚେତନା ସୃଷ୍ଟି କରିବା ପାଇଁ କଠୋର ପରିଶ୍ରମ ମଧ୍ୟ କରିଥିଲେ ।

ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ । ଆଜି ଅଟଳ ଜୟନ୍ତୀ ଏବଂ ମହାମନା ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ଜୟନ୍ତୀ ହୋଇ ଥିବାରୁ ଆଜିର ଏହି ଅବସର ଭାରତ ଓ ଭାରତୀୟତାରେ ବିଶ୍ୱାସ କରୁଥିବା ଲୋକ ମାନଙ୍କ ପାଇଁ ପ୍ରେରଣାର ପର୍ବ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ମହାମନା ପଣ୍ଡିତ ମଦନ ମୋହନ ମାଲବ୍ୟ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ଦେଶ୍ୟରେ ନତମସ୍ତକ ହୋଇଥିଲେ । ସେ ଅଟଳ ଜୟନ୍ତୀ ଅବସରରେ ସୁଶାସନ ଦିବସ ପାଳନ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ ଭାରତର ପ୍ରତ୍ୟେକ ନାଗରିକଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଥିଲେ ।

 

ପ୍ରଧାନମନ୍ତ୍ରୀ ଯୁବ ପିଢ଼ି ଏବଂ ଗବେଷକ ମାନଙ୍କ ପାଇଁ ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ସଂଗୃହୀତ କୃତିର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ ସଂଗୃହୀତ କାର୍ଯ୍ୟ ଗୁଡ଼ିକ ବିଏଚ୍‌ୟୁ (ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ) ସମ୍ବନ୍ଧୀୟ ଅନେକ ପ୍ରସଙ୍ଗ, କଂଗ୍ରେସ ନେତୃତ୍ୱଙ୍କ ସହ ମହାମନାଙ୍କ ଆଲୋଚନା ଏବଂ  ବ୍ରିଟିଶ ନେତୃତ୍ୱ ପ୍ରତି ତାଙ୍କର ଆଭିମୁଖ୍ୟ ଉପରେ ଆଲୋକପାତ କରିବ । ମହାମନାଙ୍କ ଡାଏରୀ ସହ ଜଡ଼ିତ ଏହି ପୁସ୍ତକ ସମାଜ, ରାଷ୍ଟ୍ର ଏବଂ ଆଧ୍ୟାତ୍ମିକତାର ଦିଗରେ ଦେଶବାସୀଙ୍କୁ ମାର୍ଗଦର୍ଶନ କରି ପାରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ସଂଗୃହୀତ କାର୍ଯ୍ୟ ପଛରେ ଟିମ୍‌ର କଠିନ ପରିଶ୍ରମକୁ ସ୍ୱୀକାର କରିଥିଲେ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ମହାମନା ମାଲବ୍ୟ ମିଶନ ଏବଂ  ଶ୍ରୀ ରାମ ବାହାଦୁର ରାୟଙ୍କୁ ଅଭିନନ୍ଦନ ଜଣାଇଥିଲେ ।

"ମହାମନାଙ୍କ ଭଳି ବ୍ୟକ୍ତିତ୍ୱ ଶତାବ୍ଦୀରେ ଥରେ ଜନ୍ମ ଗ୍ରହଣ କରନ୍ତି ଏବଂ ଏହାର ପ୍ରଭାବ ଅନେକ ଭବିଷ୍ୟତ ପିଢ଼ିରେ ଦେଖିବାକୁ ମିଳିଥାଏ", ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ,  ଯେ ଜ୍ଞାନ ଏବଂ ସାମର୍ଥ୍ୟ ଦୃଷ୍ଟିରୁ ସେ ତାଙ୍କ ସମୟର ଶ୍ରେଷ୍ଠ ବିଦ୍ୱାନ ମାନଙ୍କ ସମକକ୍ଷ ଥିଲେ । ମହାମନା ଆଧୁନିକ ଚିନ୍ତାଧାରା ଓ ସନାତନ ସଂସ୍କୃତିର ସଂଗମ ଥିଲେ ବୋଲି ସେ ମତବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଧୀନତା ସଂଗ୍ରାମରେ ସମାନ ଅବଦାନ ଦେବା ସହିତ ଦେଶର ଆଧ୍ୟାତ୍ମିକ ଆତ୍ମାକୁ ପୁନରୁଦ୍ଧାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ତାଙ୍କର ଗୋଟିଏ ନଜର ବର୍ତ୍ତମାନର ଆହ୍ୱାନ ଉପରେ ଥିଲା ଏବଂ  ଦ୍ୱିତୀୟଟି ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ଦେଇ ଭବିଷ୍ୟତର ବିକାଶ ଉପରେ ଥିଲା । ମହାମନା ସବୁଠାରୁ ବଡ଼ ଶକ୍ତି ସହ ଦେଶ ପାଇଁ ଲଢ଼ିଥିଲେ ଏବଂ  ଅତ୍ୟନ୍ତ କଠିନ ପରିବେଶରେ ମଧ୍ୟ ସମ୍ଭାବନାର ନୂତନ ବୀଜ ବପନ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ । ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ଆଜି ଉନ୍ମୋଚିତ ହୋଇ ଥିବା ସମ୍ପୂର୍ଣ୍ଣ ପୁସ୍ତକର ୧୧ ଖଣ୍ଡ ମାଧ୍ୟମରେ ମହାମନାଙ୍କ ଏଭଳି ଅନେକ ଅବଦାନ ପ୍ରାମାଣିକ ଭାବେ ପ୍ରକାଶ ପାଇବ ।

 

ମହାମନାଙ୍କୁ ଭାରତ ରତ୍ନ ପ୍ରଦାନ କରିବା ଆମ ସରକାରଙ୍କ ସୌଭାଗ୍ୟ ବୋଲି ସେ କହିଛନ୍ତି । ମହାମନାଙ୍କ ଭଳି ତାଙ୍କୁ ମଧ୍ୟ କାଶୀର ଲୋକମାନଙ୍କ ସେବା କରିବାର ସୁଯୋଗ ମିଳିଛି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି । କାଶୀରୁ ନିର୍ବାଚନ ଲଢ଼ିବା ପାଇଁ ଆସିଥିବା ବେଳେ ମାଲବ୍ୟଙ୍କ ପରିବାର ସଦସ୍ୟମାନେ ତାଙ୍କ ନାମ ପ୍ରସ୍ତାବ ଦେଇଥିଲେ ବୋଲି ସେ ସ୍ମରଣ କରିଥିଲେ । ସେ କହିଥିଲେ ଯେ ମହାମନାଙ୍କ କାଶୀ ଉପରେ ଅସୀମ ବିଶ୍ୱାସ ଥିଲା ଏବଂ ଏହି ସହର ବିକାଶର ନୂତନ ଉଚ୍ଚତାକୁ ସ୍ପର୍ଶ କରୁଛି ଏବଂ ଆଜି ଏହାର ଐତିହ୍ୟର ଗୌରବକୁ ପୁନଃଜୀବିତ କରୁଛି ।

ପ୍ର୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ ଅମୃତ କାଳରେ ଭାରତ ଦାସତ୍ୱର ମାନସିକତାକୁ ପଛରେ ଛାଡି ଆଗକୁ ଗତି କରୁଛି । ଶ୍ରୀ ମୋଦୀ କହିଥିଲେ ଯେ , "ଆମ ସରକାରଙ୍କ କାର୍ଯ୍ୟରେ ମଧ୍ୟ ଆପଣ ମାଲବ୍ୟଜୀଙ୍କ ଚିନ୍ତାଧାରାର ବାସ୍ନା କେଉଁଠି ନା କେଉଁଠି ଅନୁଭବ କରିବେ । ମାଲବ୍ୟ ଜୀ ଆମକୁ ଏପରି ଏକ ରାଷ୍ଟ୍ରର ସ୍ୱପ୍ନ ଦେଇଛନ୍ତି, ଯେଉଁଥିରେ ତା'ର ପ୍ରାଚୀନ ଆତ୍ମା ତା'ର ଆଧୁନିକ ଶରୀରରେ ସୁରକ୍ଷିତ ଓ ନିରାପଦ ରହିବ । ଭାରତୀୟ ମୂଲ୍ୟବୋଧ ସହିତ ଜଡ଼ିତ ଶିକ୍ଷା ପାଇଁ ମାଲବ୍ୟଜୀଙ୍କ ସମର୍ଥନ ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଗଠନ, ଭାରତୀୟ ଭାଷା ପ୍ରତି ତାଙ୍କର ସମର୍ଥନକୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ତାଙ୍କ ପ୍ରୟାସ ଯୋଗୁଁ ନାଗରୀ ଲିପିର ବ୍ୟବହାର ହେଲା ଏବଂ ଭାରତୀୟ ଭାଷାକୁ ସମ୍ମାନ ମିଳିଲା । ଆଜି ମାଲବ୍ୟଜୀଙ୍କ ଏହି ପ୍ରୟାସ ଦେଶର ନୂତନ ଜାତୀୟ ଶିକ୍ଷା ନୀତିରେ ମଧ୍ୟ ପ୍ରତିଫଳିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

ପ୍ରଧାନମନ୍ତ୍ରୀ କହିଥିଲେ, ଯେ କୌଣସି ଦେଶକୁ ଶକ୍ତିଶାଳୀ କରିବାରେ ଏହାର ଅନୁଷ୍ଠାନର ମଧ୍ୟ ସମାନ ଗୁରୁତ୍ୱ ରହିଛି । ମାଲବ୍ୟ ଜୀ ତାଙ୍କ ଜୀବନରେ ଏଭଳି ଅନେକ ଅନୁଷ୍ଠାନ ସୃଷ୍ଟି କରିଥିଲେ ଯେଉଁଠାରେ ଜାତୀୟ ବ୍ୟକ୍ତିତ୍ୱ ସୃଷ୍ଟି ହୋଇଥିଲେ । ପ୍ରଧାନମନ୍ତ୍ରୀ ବିଏଚୟୁ ବ୍ୟତୀତ ହରିଦ୍ୱାରର ଋଷିକୁଳ ବ୍ରହ୍ମାଶ୍ରମ, ଭାରତୀ ଭବନ ପୁସ୍ତକାଳୟ, ପ୍ରୟାଗରାଜ, ସନାତନ ଧର୍ମ ମହାବିଦ୍ୟାଳୟ ବିଷୟରେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ସମବାୟ ମନ୍ତ୍ରଣାଳୟ, ଆୟୁଷ ମନ୍ତ୍ରଣାଳୟ, ଡବ୍ଲ୍ୟୁଏଚଓ ଗ୍ଲୋବାଲ ସେଣ୍ଟର ଫର ଟ୍ରାଡିସନାଲ ମେଡିସିନ, ଇନଷ୍ଟିଚ୍ୟୁଟ୍ ଅଫ୍ ମିଲେଟ୍ ରିସର୍ଚ୍ଚ, ବୈଶ୍ୱିକ ଜୈବଇନ୍ଧନ ମେଂଟ,  ଅନ୍ତର୍ଜାତୀୟ ସୌର ମେଣ୍ଟ, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମେଣ୍ଟ, ଦକ୍ଷିଣ ବିଶ୍ୱ ପାଇଁ ଦକ୍ଷିଣ, ଭାରତ ମଧ୍ୟ  ପୂର୍ବ ୟୁରୋପ ଅର୍ଥନୈତିକ କରିଡର, ସାମୁଦ୍ରିକ କ୍ଷେତ୍ରରେ ଇନ୍ - ସ୍ପେସ୍ ଏବଂ ସାଗର ଭଳି ଅନେକ ଅନୁଷ୍ଠାନ ପ୍ରତିଷ୍ଠା ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ଭାରତ ଆଜି ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନର ସ୍ରଷ୍ଟା ପାଲଟିଛି । ଏହି ଅନୁଷ୍ଠାନ ଗୁଡ଼ିକ କେବଳ ଏକବିଂଶ ଶତାବ୍ଦୀର ଭାରତକୁ ନୁହେଁ ବରଂ ଏକବିଂଶ ଶତାବ୍ଦୀର ବିଶ୍ୱକୁ ଏକ ନୂତନ ଦିଗ ଦେବା ପାଇଁ କାର୍ଯ୍ୟ କରିବ ।

ଉଭୟ ମହାମନା ଏବଂ ଅଟଳଜୀଙ୍କୁ ପ୍ରଭାବିତ କରୁଥିବା ବିଚାରଧାରା ମଧ୍ୟରେ ସମାନତା ଆଣି ପ୍ରଧାନମନ୍ତ୍ରୀ ମହାମନାଙ୍କ ପାଇଁ ଅଟଳଜୀଙ୍କ କଥାକୁ ମନେ ପକାଇ କହିଥିଲେ, "ଯେତେବେଳେ ଜଣେ ବ୍ୟକ୍ତି ସରକାରଙ୍କ ବିନା ସହାୟତାରେ କିଛି କରିବାକୁ ବାହାରିଥାଏ, ମହାମନାଙ୍କ ବ୍ୟକ୍ତିତ୍ୱ ଏବଂ ତାଙ୍କ କାର୍ଯ୍ୟ ଜଣେ ଆଲୋକ ପରି ତାଙ୍କ ପଥକୁ ଆଲୋକିତ କରିବ" । ସୁଶାସନକୁ ଗୁରୁତ୍ୱ ଦେଇ ମାଲବ୍ୟଜୀ, ଅଟଳଜୀ ଏବଂ ପ୍ରତ୍ୟେକ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ସାକାର କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି ବୋଲି ସେ ଦୋହରାଇ ଥିଲେ । "ସୁଶାସନର ଅର୍ଥ କ୍ଷମତା - କେନ୍ଦ୍ରିତ ହେବା ପରିବର୍ତ୍ତେ ସେବା - କେନ୍ଦ୍ରିତ ହେବା", ବୋଲି ଶ୍ରୀ ମୋଦୀ କହିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ,  "ସୁଶାସନ ସେତେବେଳେ ହୋଇଥାଏ ଯେତେବେଳେ ସ୍ପଷ୍ଟ ଉଦ୍ଦେଶ୍ୟ ଏବଂ ସମ୍ବେଦନଶୀଳତା ସହିତ ନୀତି ପ୍ରସ୍ତୁତ କରାଯାଏ ଏବଂ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତି ବିନା କୌଣସି ଭେଦଭାବରେ ତାଙ୍କର ସମ୍ପୂର୍ଣ୍ଣ ଅଧିକାର ପାଇଥାନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସୁଶାସନ ନୀତି ଆଜି ବର୍ତ୍ତମାନର ସରକାରଙ୍କ ପରିଚୟ ପାଲଟିଛି ଯେଉଁଠାରେ ଏହାର ନାଗରିକ ମାନଙ୍କୁ ମୌଳିକ ସୁବିଧା ପାଇଁ ଦୌଡ଼ିବାର ଆବଶ୍ୟକତା ନାହିଁ । ବରଂ ହିତାଧିକାରୀ ମାନଙ୍କ ଦ୍ୱାରଦ୍ୱାରରେ ପହଂଚି ଅନ୍ତିମ ବ୍ୟକ୍ତିକୁ ସେବା ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଶ୍ରୀ ମୋଦୀ ଚଳିତ ବିକଶିତ ଭାରତ ସଂକଳ୍ପ ଯାତ୍ରା ବିଷୟରେ ମଧ୍ୟ ସ୍ପର୍ଶ କରିଥିଲେ , ଯାହା ସମସ୍ତ ସରକାରୀ ଯୋଜନାର ସଂତୃପ୍ତି ହାସଲ କରିବାକୁ ଲକ୍ଷ୍ୟ ରଖିଛି । 'ମୋଦି କି ଗ୍ୟାରେଣ୍ଟି' ଗାଡ଼ିର ପ୍ରଭାବ ଉପରେ ଆଲୋକପାତ କରି ୪୦ ଦିନ ମଧ୍ୟରେ ଯେଉଁମାନେ ପୂର୍ବରୁ ପଛରେ ପଡ଼ି ଯାଇଥିଲେ ସେମାନଙ୍କୁ କୋଟି କୋଟି ନୂଆ ଆୟୁଷ୍ମାନ କାର୍ଡ ପ୍ରଦାନ କରାଯିବା ବିଷୟରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ।

 

ସୁଶାସନରେ ସଚ୍ଚୋଟତା ଏବଂ ସ୍ୱଚ୍ଛତାର ଭୂମିକା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କଲ୍ୟାଣକାରୀ ଯୋଜନା ଗୁଡିକରେ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବା ସତ୍ତ୍ୱେ ଦୁର୍ନୀତିମୁକ୍ତ ଶାସନ ବିଷୟରେ ବିସ୍ତୃତ ଭାବରେ କହିଥିଲେ । ଗରିବ ଲୋକ ମାନଙ୍କ ପାଇଁ ମାଗଣା ରାସନ ବାବଦରେ ୪ ଲକ୍ଷ କୋଟି ଟଙ୍କା, ଗରିବ ଲୋକଙ୍କ ପାଇଁ ପକ୍କା ଘର ନିମନ୍ତେ ୪ ଲକ୍ଷ କୋଟି ଟଙ୍କା ଏବଂ ପ୍ରତ୍ୟେକ ଘରେ ପାଇପ୍ ପାଣି ପାଇଁ ୩ ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ସେ ଉଲ୍ଲେଖ କରିଥିଲେ । ଜଣେ ସଚ୍ଚୋଟ ଟିକସଦାତାଙ୍କ ପ୍ରତ୍ୟେକ ପଇସା ଯଦି ଲୋକମାନଙ୍କ ସ୍ୱାର୍ଥରେ ଓ ରାଷ୍ଟ୍ର ସ୍ୱାର୍ଥରେ ଖର୍ଚ୍ଚ କରାଯାଏ, ତେବେ ଏହା ହେଉଛି ସୁଶାସନ । ସୁଶାସନ ଫଳରେ ୧୩.୫ କୋଟି ଲୋକ ଦାରିଦ୍ର‌୍ୟରୁ ମୁକୁଳି ପାରିଛନ୍ତି ବୋଲି ସେ କହିଛନ୍ତି ।

ସମ୍ବେଦନଶୀଳତା ଏବଂ ସୁଶାସନର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ୧୧୦ଟି ଏମିତି ଜିଲ୍ଲାକୁ ବଦଳାଇ ଦେଇଛି, ଯେଉଁମାନେ ପଛୁଆବର୍ଗର ଅନ୍ଧାରରେ ଥିଲେ । ଏବେ ଆକାଂକ୍ଷୀ ବ୍ଲକ୍ ଗୁଡ଼ିକ ଉପରେ ମଧ୍ୟ ସମାନ ଧ୍ୟାନ ଦିଆଯାଉଛି ବୋଲି ସେ କହିଛନ୍ତି ।

ସୀମାନ୍ତ ଅଂଚଳର ବିକାଶକୁ ପ୍ରାଥମିକତା ଦେଉଥିବା ଭାଇବ୍ରାଣ୍ଟ ଭିଲେଜ ସ୍କିମ୍ (ସ୍ଫୁର୍ତ୍ତିଶୀଳ ଗ୍ରାମ ଯୋଜନା) ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, "ଯେତେବେଳେ ଚିନ୍ତାଧାରା ଏବଂ ଆଭିମୁଖ୍ୟ ବଦଳିଯାଏ, ଫଳାଫଳ ମଧ୍ୟ ବଦଳିଯାଏ" । ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ରିଲିଫ କାର୍ଯ୍ୟ ପ୍ରଦାନ ଦିଗରେ ସରକାରଙ୍କ ଦୃଢ଼ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ କୋଭିଡ୍ ମହାମାରୀ ଏବଂ ୟୁକ୍ରେନ ଯୁଦ୍ଧ ସମୟରେ ରିଲିଫ ପଦକ୍ଷେପର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, "ଶାସନରେ ପରିବର୍ତ୍ତନ ବର୍ତ୍ତମାନ ସମାଜର ଚିନ୍ତାଧାରାକୁ ମଧ୍ୟ ବଦଳାଇ ଦେଉଛି" । ଏହି ବିଶ୍ୱାସ ଦେଶର ଆତ୍ମବିଶ୍ୱାସରେ ପ୍ରତିଫଳିତ ହେଉଛି ଏବଂ ଆଜାଦିର ଅମୃତ କାଳରେ ଏକ ବିକଶିତ ଭାରତ ଗଠନ ପାଇଁ ଶକ୍ତି ପାଲଟିଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ମହାମନା ଓ ଅଟଳଜୀଙ୍କ ଚିନ୍ତାଧାରାକୁ ସ୍ପର୍ଶ ପଥର / ପରଶ ମଣି ଭାବେ ବିଚାର କରି ଆଜାଦୀର ଅମୃତ କାଳରେ ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଦେଶର ପ୍ରତ୍ୟେକ ନାଗରିକ ସଂକଳ୍ପ ସହ ସଫଳତା ପଥରେ ଯୋଗଦାନ ଦେବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ।

ଏହି ଅବସରରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର, ଆଇନ୍ ଏବଂ ନ୍ୟାୟ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ,  ମହାମନା ମାଲବ୍ୟ ମିଶନର ସଚିବ, ଶ୍ରୀ ପ୍ରଭୁନାରାୟଣ ଶ୍ରୀବାସ୍ତବ ଏବଂ ପଣ୍ଡିତ ମଦନ ମୋହନ ମାଲବ୍ୟ ସମ୍ପୂର୍ଣ୍ଣ ବଙ୍ଗମାୟର ମୁଖ୍ୟ ସମ୍ପାଦକ ଶ୍ରୀ ରାମବାହାଦୁର ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଅମୃତ କାଳରେ ଦେଶ ସେବାରେ ଉଲ୍ଲେଖନୀୟ ଅବଦାନ ରଖିଥିବା ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଉପଯୁକ୍ତ ମାନ୍ୟତା ପ୍ରଦାନ କରିବା ହେଉଛି ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ । 'ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ସଂଗୃହୀତ କୃତି' ଏ ଦିଗରେ ଏକ ପ୍ରୟାସ ।

 

ପାଖାପାଖି ୪,୦୦୦ ପୃଷ୍ଠା ବିଶିଷ୍ଟ ଏହି ଦ୍ୱିଭାଷୀ (ଇଂରାଜୀ ଓ ହିନ୍ଦୀ) ପୁସ୍ତକଟି ଦେଶର କୋଣ ଅନୁକୋଣରୁ ସଂଗୃହୀତ ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ଲେଖା ଓ ଭାଷଣର ଏକ ସଂକଳନ । ଏହି ଖଣ୍ଡ ଗୁଡ଼ିକରେ ତାଙ୍କର ଅପ୍ରକାଶିତ ଚିଠି, ପ୍ରବନ୍ଧ ଏବଂ ଭାଷଣ, ସ୍ମାରକପତ୍ର ସମେତ ୧୯୦୭ ମସିହାରେ ତାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ହିନ୍ଦୀ ସାପ୍ତାହିକ 'ଅଭ୍ୟୁଦୟ' ର ସମ୍ପାଦକୀୟ ବିଷୟବସ୍ତୁ ; ସମୟ ସମୟରେ ତାଙ୍କ ଦ୍ୱାରା ଲିଖିତ ପ୍ରବନ୍ଧ, ପାମ୍ପଲେଟ୍ ଏବଂ ପୁସ୍ତିକା ; ୧୯୦୩ ରୁ ୧୯୧୦ ମଧ୍ୟରେ ଆଗ୍ରା ଏବଂ ଅୱଧ ପ୍ରଦେଶର ବିଧାନ ପରିଷଦରେ ଦିଆଯାଇଥିବା ସମସ୍ତ ଭାଷଣ ; ରୟାଲ କମିଶନଙ୍କ ନିକଟରେ ଦିଆଯାଇଥିବା ବୟାନ ; ୧୯୧୦ ରୁ ୧୯୨୦ ମଧ୍ୟରେ ଇମ୍ପେରିଆଲ ବିଧାନ ପରିଷଦରେ ବିଲ୍ ଉପସ୍ଥାପନ ସମୟରେ ଦିଆଯାଇଥିବା ଭାଷଣ ; ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପୂର୍ବରୁ ଏବଂ ପରେ ଲେଖାଯାଇଥିବା ଚିଠି, ପ୍ରବନ୍ଧ ଏବଂ ଭାଷଣ ; ଏବଂ ୧୯୨୩ ରୁ ୧୯୨୫ ମଧ୍ୟରେ ତାଙ୍କ ଦ୍ୱାରା ଲିଖିତ ଏକ ଡାଏରୀ ଇତ୍ୟାଦି ଅନ୍ତର୍ଭୁକ୍ତ ।

ମହାମନା ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ଆଦର୍ଶ ଓ ମୂଲ୍ୟବୋଧର ପ୍ରଚାର ପ୍ରସାର ପାଇଁ ସମର୍ପିତ ଅନୁଷ୍ଠାନ ମହାମନା ମାଲବ୍ୟ ମିଶନ ଦ୍ୱାରା ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ଲିଖିତ ଏବଂ କଥିତ ଦସ୍ତାବିଜ ଉପରେ ଗବେଷଣା ଏବଂ ସଂକଳନ କାର୍ଯ୍ୟ କରାଯାଇଥିଲା । ବିଶିଷ୍ଟ ସାମ୍ବାଦିକ ଶ୍ରୀ ରାମ ବାହାଦୁର ରାୟଙ୍କ ନେତୃତ୍ୱରେ ମିଶନର ଏକ ଉତ୍ସର୍ଗୀକୃତ ଟିମ୍ ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ମୂଳ ସାହିତ୍ୟରେ ଭାଷା ଓ ପାଠରେ ପରିବର୍ତ୍ତନ ନକରି କାର୍ଯ୍ୟ କରିଛନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା ପ୍ରକାଶନ ବିଭାଗ ଏହି ପୁସ୍ତକ ଗୁଡ଼ିକୁ ପ୍ରକାଶ କରିଛି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi inspects indigenous defence systems at Surat facility, briefed about desi light tank Zorawar

Media Coverage

PM Modi inspects indigenous defence systems at Surat facility, briefed about desi light tank Zorawar
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates people of Assam on commendable environmental feat
June 05, 2026

Prime Minister Shri Narendra Modi today extended his heartiest congratulations to the people of Assam, especially the state’s Nari Shakti, for achieving a commendable feat in environmental conservation. The Prime Minister remarked that the state's Nari Shakti has taken a lead in this significant effort, which is aimed at building a sustainable planet.

The Prime Minister posted on X:

"Commendable feat. Congratulations to the people of Assam, especially the state’s Nari Shakti for taking the lead in this effort aimed at building a sustainable planet"