ମହାମହିମ ରାଷ୍ଟ୍ରପତି,

ଉଭୟ ଦେଶର ପ୍ରତିନିଧିଗଣ,

ମିଡିଆ ବନ୍ଧୁମାନେ,

ନମସ୍କାର !

ସର୍ବପ୍ରଥମେ, ସମସ୍ତ ଭାରତୀୟଙ୍କ ପକ୍ଷରୁ, ମୁଁ ସ୍ୱାଧୀନତାର ୬୦ ବର୍ଷର ଐତିହାସିକ ବାର୍ଷିକୀ ପାଳନ ଅବସରରେ ରାଷ୍ଟ୍ରପତି ଏବଂ ମାଳଦ୍ୱୀପର ଜନସାଧାରଣଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା ଜଣାଉଛି ।

ଏହି ଐତିହାସିକ ଅବସରରେ ମୋତେ ସମ୍ମାନିତ ଅତିଥି ଭାବରେ ନିମନ୍ତ୍ରଣ କରିଥିବାରୁ ମୁଁ ରାଷ୍ଟ୍ରପତିଙ୍କୁ ଆନ୍ତରିକତାର ସହିତ କୃତଜ୍ଞତା ଜ୍ଞାପନ କରୁଛି ।

ଏହି ବର୍ଷ ଭାରତ ଏବଂ ମାଳଦ୍ୱୀପ ଉଭୟେ କୂଟନୈତିକ ସମ୍ପର୍କର ୬୦ ବର୍ଷ ପାଳନ କରୁଛନ୍ତି । ଆମର ସମ୍ପର୍କର ମୂଳ ଇତିହାସଠାରୁ ମଧ୍ୟ ପୁରୁଣା ଏବଂ ସମୁଦ୍ର ପରି ଗଭୀର । ଆଜି ପ୍ରକାଶିତ ଡାକଟିକଟ, ଯେଉଁଥିରେ ଦୁଇ ଦେଶର ପାରମ୍ପରିକ ନୌକା ରହିଛି, ତାହା ଦର୍ଶାଉଛି ଯେ ଆମେ କେବଳ ପଡ଼ୋଶୀ ନୁହେଁ, ବରଂ ସହଯାତ୍ରୀ ।

 

ବନ୍ଧୁଗଣ,

ଭାରତ ମାଳଦ୍ୱୀପର ସବୁଠାରୁ ନିକଟତମ ପଡ଼ୋଶୀ । ଭାରତର "Neighbourhood First" ନୀତି ଏବଂ ‘ମହାସାଗର ଭିଜନ’ ଉଭୟରେ ମାଳଦ୍ୱୀପର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଭାରତ ମାଳଦ୍ୱୀପର ସବୁଠାରୁ ବିଶ୍ୱସନୀୟ ବନ୍ଧୁ ହୋଇଥିବାରୁ ମଧ୍ୟ ଗର୍ବିତ । ବିପର୍ଯ୍ୟୟ ହେଉ କିମ୍ବା ମହାମାରୀ, ଭାରତ ସର୍ବଦା ‘First Responder' ଭାବରେ ଠିଆ ହୋଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ହେଉ କିମ୍ବା କୋଭିଡ୍ ପରେ ଅର୍ଥନୀତି ପରିଚାଳନା କରିବା ହେଉ, ଭାରତ ସର୍ବଦା ଏକତ୍ର କାମ କରିଆସିଛି ।

ଆମ ପାଇଁ, ସର୍ବଦା ବନ୍ଧୁତା ପ୍ରଥମେ ।

ବନ୍ଧୁଗଣ,

ଗତ ବର୍ଷ ଅକ୍ଟୋବରରେ, ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ସମୟରେ, ଆମେ ଏକ ବ୍ୟାପକ ଅର୍ଥନୈତିକ ଏବଂ ସାମୁଦ୍ରିକ ସୁରକ୍ଷା ସହଭାଗୀର ଦୃଷ୍ଟିକୋଣ ବାଣ୍ଟିଥିଲୁ । ଏବେ ଏହା ବାସ୍ତବତାରେ ପରିଣତ ହେଉଛି । ଏହାର ଫଳସ୍ୱରୂପ, ଆମର ସମ୍ପର୍କ ନୂତନ ଶିଖର ଛୁଇଁଛି । ଅନେକ ପ୍ରକଳ୍ପର ଉଦଘାଟନ ସମ୍ଭବ ହୋଇପାରିଛି ।

 

ଭାରତର ସହଯୋଗରେ ନିର୍ମିତ ଚାରି ହଜାର ସାମାଜିକ ଗୃହ ୟୁନିଟ୍ ଏବେ ମାଳଦ୍ୱୀପର ଅନେକ ପରିବାର ପାଇଁ ଏକ ନୂତନ ଅୟମାରମ୍ଭ ହେବ । ଏକ ନୂତନ ଆବାସସ୍ଥଳ ହୋଇପାରିବ । ଗ୍ରେଟର ମେଲ୍ ସଂଯୋଗ ପ୍ରକଳ୍ପ, ଆଡ୍ଡୁ ସଡ଼କ ବିକାଶ ପ୍ରକଳ୍ପ ଏବଂ ପୁନଃବିକଶିତ ହନିମାଧୂ ଅନ୍ତର୍ଜାତୀୟ ବିମାନବନ୍ଦର ସହିତ, ଏହି ସମଗ୍ର ଅଞ୍ଚଳ ଏକ ଗୁରୁତ୍ୱପୂର୍ଣ୍ଣ ପରିବହନ ଏବଂ ଅର୍ଥନୈତିକ କେନ୍ଦ୍ର ଭାବରେ ଉଭା ହେବ ।

 

ଖୁବ୍ ଶୀଘ୍ର, ଫେରି ବ୍ୟବସ୍ଥା ପ୍ରଚଳନ ଯୋଗୁଁ ବିଭିନ୍ନ ଦ୍ୱୀପପୁଞ୍ଜ ମଧ୍ୟରେ ଯାତାୟତ ସୁଗମ ହୋଇପାରିବ । ଏହା ପରେ, ଦ୍ୱୀପପୁଞ୍ଜ ମଧ୍ୟରେ ଦୂରତା ଜିପିଏସ୍‌ ଦ୍ୱାରା ମାପ କରାଯିବ ନାହିଁ, ବରଂ କେବଳ ଫେରି ସମୟ ଦ୍ୱାରା ମାପ କରାଯିବ !

ଆମର ବିକାଶ ସହଭାଗୀତାକୁ ଏକ ନୂତନ ଗତି ଦେବା ପାଇଁ, ଆମେ ମାଳଦ୍ୱୀପକୁ ୫୬୫ ନିୟୁତ ଡଲାର କିମ୍ବା ପ୍ରାୟ ୫୦୦୦ କୋଟି ଟଙ୍କାର "କ୍ରେଡିଟ୍ ଲାଇନ" ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛୁ । ଏହାକୁ ମାଳଦ୍ୱୀପର ଲୋକଙ୍କ ପ୍ରାଥମିକତା ଅନୁଯାୟୀ ଏଠାରେ ଭିତ୍ତିଭୂମି ବିକାଶ ସହିତ ଜଡିତ ପ୍ରକଳ୍ପ ପାଇଁ ବ୍ୟବହାର କରାଯିବ ।

ବନ୍ଧୁଗଣ,

ଆମେ ଆମର ଆର୍ଥିକ ସହଭାଗୀତାକୁ ତ୍ୱରାନ୍ୱିତ କରିବା ପାଇଁ ଅନେକ ପଦକ୍ଷେପ ନେଇଛୁ । ପାରସ୍ପରିକ ନିବେଶକୁ ତ୍ୱରାନ୍ୱିତ କରିବା ପାଇଁ, ଆମେ ଶୀଘ୍ର ଦ୍ୱିପାକ୍ଷିକ ନିବେଶ ଚୁକ୍ତିନାମାକୁ ଚୂଡ଼ାନ୍ତ କରିବା ପାଇଁ କାର୍ଯ୍ୟ କରିବୁ । ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋଚନା ମଧ୍ୟ ଆରମ୍ଭ ହୋଇଛି । ଏବେ ଆମର ଲକ୍ଷ୍ୟ ହେଉଛି – କାଗଜପତ୍ର ରୁ ସମୃଦ୍ଧି ପର୍ଯ୍ୟନ୍ତ !

ସ୍ଥାନୀୟ ମୁଦ୍ରା ସମାଧାନ ବ୍ୟବସ୍ଥା (Local currency settlement system) ଦ୍ୱାରା ରୁପି ଓ ରୁଫିୟାରେ ସିଧାସଳଖ ବ୍ୟବସାୟ ସମ୍ଭବ ହେବ । ମାଳଦ୍ୱୀପରେ UPIକୁ ଯେଉଁ ଗତିରେ ପ୍ରୋତ୍ସାହିତ କରାଯାଉଛି ତାହା ପର୍ଯ୍ୟଟନ ଏବଂ ଖୁଚୁରା ବ୍ୟବସାୟକୁ ପ୍ରୋତ୍ସାହିତ କରିବ ।

 

ବନ୍ଧୁଗଣ,

ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ପାରସ୍ପରିକ ସହଯୋଗ ପାରସ୍ପରିକ ବିଶ୍ୱାସର ପ୍ରତୀକ । ଆଜି ଉଦଘାଟନ ହେଉଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ଭବନ ହେଉଛି ବିଶ୍ୱାସର ଏକ କଂକ୍ରିଟ୍ ଭବନ । ଏହା ଆମର ଦୃଢ଼ ସହଭାଗୀତାର ପ୍ରତିବିମ୍ବ ।

ଆମର ସହଭାଗୀତା ଏବେ ପାଣିପାଗ ବିଜ୍ଞାନକୁ ମଧ୍ୟ ବିସ୍ତାରିତ ହେବ । ପାଗ ଯାହା ହେଉନା କାହିଁକି, ଆମର ବନ୍ଧୁତା ସର୍ବଦା ଉଜ୍ଜ୍ୱଳ ଏବଂ ସ୍ପଷ୍ଟ ରହିବ !

ଭାରତ ମାଳଦ୍ୱୀପର ପ୍ରତିରକ୍ଷା କ୍ଷମତା ବିକାଶ କ୍ଷେତ୍ରରେ ସମର୍ଥନ ଜାରି ରଖିବ। ଭାରତ ମହାସାଗର କ୍ଷେତ୍ରରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ଆମର ପ୍ରାଥମିକ ଲକ୍ଷ୍ୟ । କଲମ୍ବୋ ସୁରକ୍ଷା ସମ୍ମିଳନୀରେ ଏକତ୍ରିତ ଭାବେ ଆମେ ଆଞ୍ଚଳିକ ସାମୁଦ୍ରିକ ସୁରକ୍ଷାକୁ ସୁଦୃଢ଼ କରିବୁ ।

ଜଳବାୟୁ ପରିବର୍ତ୍ତନ ଆମ ଉଭୟଙ୍କ ପାଇଁ ଏକ ବଡ଼ ଆହ୍ୱାନ । ଆମେ ନବୀକରଣୀୟ ଶକ୍ତିକୁ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ନେଇଛୁ । ଭାରତ ଏହି କ୍ଷେତ୍ରରେ ମାଳଦ୍ୱୀପ ସହିତ ଏହାର ଅଭିଜ୍ଞତା ବାଣ୍ଟିବ ।

ମହାମହିମ,

ପୁଣିଥରେ, ଏହି ଐତିହାସିକ ଅବସରରେ, ମୁଁ ଆପଣମାନଙ୍କୁ ଏବଂ ମାଳଦ୍ୱୀପର ନାଗରିକମାନଙ୍କୁ ଅଭିନନ୍ଦନ ଜଣାଉଛି । ଏଥିସହିତ ଆପଣଙ୍କ ଆତିଥ୍ୟ ପାଇଁ ସମସ୍ତଙ୍କୁ ଧନ୍ୟବାଦ ।

ମୁଁ ପୁଣିଥରେ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ମାଳଦ୍ୱୀପର ବିକାଶ ଏବଂ ସମୃଦ୍ଧି ପାଇଁ, ଭାରତ ପ୍ରତ୍ୟେକ ପଦକ୍ଷେପରେ ଆପଣଙ୍କ ସହିତ ରହିବ ।

ବହୁତ ବହୁତ ଧନ୍ୟବାଦ !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Green energy boost as renewables account for 20% generation in July

Media Coverage

Green energy boost as renewables account for 20% generation in July
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour