ସେୟାର
 
Comments
The presidency of G-20 has come as a big opportunity for us. We have to make full use of this opportunity and focus on global good: PM
The theme we have for G20 is 'One Earth, One Family, One Future'. It shows our commitment to 'Vasudhaiva Kutumbakam': PM Modi
After the space sector was opened for the private sector, dreams of the youth are coming true. They are saying - Sky is not the limit: PM Modi
In the last 8 years, the export of musical instruments from India has increased three and a half times. Talking about Electrical Musical Instruments, their export has increased 60 times: PM
Lifestyle of the Naga community in Nagaland, their art-culture and music attracts everyone. It is an important part of the glorious heritage of our country: PM Modi

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍‌’ରେ ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ । ଏହା ହେଉଛି ୯୫ତମ ଅଧ୍ୟାୟ । ଆମେ ଦୃତ ଗତିରେ ‘ମନ୍ କି ବାତ୍‌’ର ଶତକ ଦିଗକୁ ଅଗ୍ରସର ହେଉଛୁ । ଏହି କାର୍ଯ୍ୟକ୍ରମ ମୋ ପାଇଁ ୧୩୦ କୋଟି ଦେଶବାସୀଙ୍କ ସହିତ ଯୋଡ଼ି ହେବାର ଆଉ ଏକ ମାଧ୍ୟମ । ପ୍ରତ୍ୟେକ ଅଧ୍ୟାୟ ପୂର୍ବରୁ ଗାଁରୁ, ସହରରୁ ଆସିଥିବା ବହୁସଂଖ୍ୟକ ଚିଠିଗୁଡ଼ିକୁ ପଢ଼ିବା, ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିମାନଙ୍କ ଅଡିଓ ମେସେଜ ଶୁଣିବା, ମୋ ପାଇଁ ଏହା ଏକ ଆଧ୍ୟାତ୍ମିକ ଅନୁଭୂତି ଭଳି ହୋଇଥାଏ ।

ବନ୍ଧୁଗଣ, ଆଜିର କାର୍ଯ୍ୟକ୍ରମକୁ ମୁଁ ଗୋଟିଏ ନିଆରା ଉପହାର ବିଷୟରେ ଆଲୋଚନା ସହ ଆରମ୍ଭ କରିବାକୁ ଚାହୁଁଛି । ତେଲେଙ୍ଗାନାର ରାଜନ୍ନା ସିର୍ସିଲ୍ଲା ଜିଲ୍ଲାରେ ଜଣେ ବୁଣାକାର ଭାଇ ଅଛନ୍ତି - ୟେଲ୍‌ଧି ହରିପ୍ରସାଦ ଗାରୁ । ସେ ଜି-୨୦ର ଏହି ଲୋଗୋ ନିଜ ହାତରେ ବୁଣି ମୋ ପାଖକୁ ପଠାଇଛନ୍ତି । ଏହି ଅନୁପମ ଉପହାର ଦେଖି ମୁଁ ଆଶ୍ଚର୍ଯ୍ୟଚକିତ ହୋଇ ରହିଗଲି । ହରିପ୍ରସାଦଜୀ ନିଜ କଳାରେ ଏତେ ସିଦ୍ଧହସ୍ତ ଯେ, ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରନ୍ତି । ହରିପ୍ରସାଦଜୀ ହାତ ବୁଣା ଏହି ଜି-୨୦ର ଲୋଗୋ ସହିତ ମୋତେ ଗୋଟିଏ ଚିଠି ମଧ୍ୟ ପଠାଇଛନ୍ତି । ସେଥିରେ ସେ ଲେଖିଛନ୍ତି ଯେ, ଆସନ୍ତା ବର୍ଷ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରିବା ଭାରତ ପାଇଁ ବଡ଼ ଗୌରବର କଥା । ଦେଶର ଏହି ଉପଲବ୍ଧିର ଖୁସିରେ ସେ ଜି-୨୦ର ଏହି ଲୋଗୋ ନିଜ ହାତରେ ତିଆରି କରିଛନ୍ତି । ବୟନର ଏହି ନିଖୁଣ କଳା ସେ ତାଙ୍କ ପିତାଙ୍କଠାରୁ ଉତରାଧିକାର ସୂତ୍ରରେ ପାଇଛନ୍ତି ଏବଂ ଏବେ ସେ ଏଥିରେ ସମ୍ପୂର୍ଣ୍ଣ ଭାବେ ନିମଗ୍ନ ରହିଛନ୍ତି ।

ବନ୍ଧୁଗଣ, ମାତ୍ର କିଛି ଦିନ ପୂର୍ବରୁ ହିଁ ମୋତେ ଜି-୨୦ ଲୋଗୋ ଏବଂ ଭାରତର ଏହି ପ୍ରେସିଡେନ୍ସି ୱେବ୍‌ସାଇଟ୍‌ର ଶୁଭାରମ୍ଭ କରିବାର ସୁଯୋଗ ମିଳିଥିଲା । ଗୋଟିଏ ସର୍ବସାଧାରଣ ପ୍ରତିଯୋଗିତା ମାଧ୍ୟମରେ ଏହି ଲୋଗୋଟି ବଛାଯାଇଥିଲା । ମୋତେ ଯେତେବେଳେ ହରିପ୍ରସାଦ ଗାରୁଙ୍କ ଦ୍ୱାରା ପ୍ରେରିତ ଏହି ଉପହାରଟି ମିଳିଲା, ସେତେବେଳେ ମୋ ମନକୁ ଆଉ ଗୋଟିଏ କଥା ଆସିଲା । ତେଲେଙ୍ଗାନାର କୌଣସି ଜିଲ୍ଲାରେ ବସିଥିବା ବ୍ୟକ୍ତିଟିଏ ମଧ୍ୟ ନିଜକୁ ଯେମିତି ଜି-୨୦ ସମ୍ମିଳନୀ ସହ ସଂଶ୍ଳିଷ୍ଟ ବୋଲି ମନେକରୁଛି । ଏହା ଦେଖି ମୋତେ ବହୁତ ଭଲ ଲାଗିଲା । ଆଜି ହରିପ୍ରସାଦ ଗାରୁଙ୍କ ଭଳି ଅନେକ ଲୋକେ ମୋତେ ଚିଠିରେ ଲେଖିଛନ୍ତି ଯେ, ଦେଶକୁ ଏତେବଡ଼ ସମ୍ମିଳନୀର ଆୟୋଜନ କରିବାର ସୁଯୋଗ ମିଳିଥିବାରୁ ସେମାନଙ୍କ ଛାତି ଗର୍ବରେ ଫୁଲିଉଠୁଛି । ମୁଁ ଆପଣମାନଙ୍କ ସହିତ ପୁଣେର ବାସିନ୍ଦା ସୁବ୍‌ବା ରାଓ ଚିଲ୍ଲାରା ଏବଂ କୋଲକାତାର ତୁଷାର ଜଗମୋହନ ମହାଶୟଙ୍କ ପଠାଇଥିବା ବାର୍ତ୍ତା ସମ୍ପର୍କରେ ମଧ୍ୟ ଆଲୋଚନା କରିବି । ଏମାନେ ଜି-୨୦ କୁ ନେଇ ଭାରତର ପ୍ରୋ-ଆକ୍ଟିଭ ପ୍ରଚେଷ୍ଟାକୁ ମଧ୍ୟ ବହୁତ ପ୍ରଶଂସା କରିଛନ୍ତି ।

ବନ୍ଧୁଗଣ, ଜି-୨୦ରେ ସମଗ୍ର ବିଶ୍ୱ ଜନସଂଖ୍ୟାର ଦୁଇ-ତୃତୀୟାଂଶ, ବିଶ୍ୱ ବାଣିଜ୍ୟରେ ତିନି-ଚତୁର୍ଥାଂଶ ଏବଂ ବିଶ୍ୱର ଜି.ଡି.ପି. ରେ ୮୫ ପ୍ରତିଶତ ଭାଗିଦାରୀ ରହିଛି । ଆପଣ କଳ୍ପନା କରିପାରୁଥିବେ ଯେ, ଭାରତ ଆଜିଠୁ ୩ ଦିନ ପରେ ଅର୍ଥାତ୍ ଡିସେମ୍ବର ୧ ତାରିଖରୁ ଏତେ ବିରାଟ ଗୋଷ୍ଠୀର, ଏତେ ସମର୍ଥ ଗୋଷ୍ଠୀର ସଭାପତିତ୍ୱ କରିବାକୁ ଯାଉଛି । ଭାରତ ପାଇଁ, ପ୍ରତ୍ୟେକ ଭାରତବାସୀ ପାଇଁ ଏହା କେତେ ବଡ଼ ସୁଯୋଗଟିଏ ଆଣିଛି! ଏହାର ଗୁରୁତ୍ୱ ଏଥିପାଇଁ ଆହୁରି ବଢ଼ିଯାଉଛି, କାରଣ ଭାରତକୁ ଏହି ଦାୟିତ୍ୱ ସ୍ୱାଧୀନତାର ଅମୃତକାଳରେ ମିଳିଛି ।

ବନ୍ଧୁଗଣ, ଜି-୨୦ର ସଭାପତିତ୍ୱ ଆମ ପାଇଁ ଗୋଟିଏ ବଡ଼ ସୁଯୋଗ ରୂପେ ଆସିଛି । ଆମକୁ ଏହି ସୁଯୋଗର ସମ୍ପୂର୍ଣ୍ଣ ଉପଯୋଗ କରି ଗ୍ଲୋବାଲ୍ ଗୁଡ୍‌, ବିଶ୍ୱକଲ୍ୟାଣ ଉପରେ ଦୃଷ୍ଟି କେନ୍ଦ୍ରିତ କରିବାକୁ ପଡ଼ିବ । ଶାନ୍ତି ହେଉ କି ଏକତା, ପରିବେଶକୁ ନେଇ ସମ୍ବେଦନଶୀଳତା କଥା ହେଉ କିମ୍ବା ସଷ୍ଟେନେବୁଲ ଡେଭଲପ୍‌ମେଂଟ ବା ପୋଷଣୀୟ ବିକାଶ କଥା ହେଉ, ଏ ସବୁର ସମାଧାନ ଭାରତ ପାଖରେ ରହିଛି । ଆମେ ୱାନ୍ ଆର୍ଥ, ୱାନ୍ ଫ୍ୟାମିଲି, ୱାନ୍ ଫ୍ୟୁଚର୍‌ର ଯେଉଁ ଥିମ୍ ଦେଇଛୁ, ତାହା ଦ୍ୱାରା ବସୁଧୈବ କୁଟୁମ୍ବକମ୍ ପ୍ରତି ଆମର ଅଙ୍ଗୀକାରବଦ୍ଧତାର ପରିପ୍ରକାଶ ହେଉଛି । ଆମେ ସର୍ବଦା କହିଆସିଛୁ –

ଓଁ ସର୍ବେଷାଂ ସ୍ୱସ୍ତିର୍ଭବତୁ ।

ସର୍ବେଷାଂ ଶାନ୍ତିର୍ଭବତୁ ।

ସର୍ବେଷାଂ ପୂର୍ଣ୍ଣଂଭବତୁ ।

ସର୍ବେଷାଂ ମଙ୍ଗଳଂଭବତୁ ।

ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ । ।

ଅର୍ଥାତ, ସମସ୍ତଙ୍କ କଲ୍ୟାଣ ହେଉ, ସମସ୍ତଙ୍କୁ ଶାନ୍ତି ଲାଭ ହେଉ, ସମସ୍ତଙ୍କୁ ପୂର୍ଣ୍ଣତା ମିଳୁ ଏବଂ ସମସ୍ତଙ୍କର ମଙ୍ଗଳ ହେଉ । ଆଗାମୀ ଦିନରେ ଦେଶର ବିଭିନ୍ନ ଭାଗରେ ଜି-୨୦ ସମ୍ପର୍କୀୟ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି ସମୟରେ ବିଶ୍ୱର ଅନେକ ଭାଗରୁ ଲୋକଙ୍କୁ ଆପଣଙ୍କ ରାଜ୍ୟକୁ ଆସିବାର ସୁଯୋଗ ମିଳିବ । ଆପଣ ଏଠାକାର ସଂସ୍କୃତିର ବିବିଧ ଓ ବିଶିଷ୍ଟ ରଙ୍ଗକୁ ବିଶ୍ୱବାସୀଙ୍କ ସମ୍ମୁଖରେ ଉପସ୍ଥାପିତ କରିବେ ବୋଲି ମୋର ଭରସା । ଆପଣଙ୍କୁ ଏ କଥା ମଧ୍ୟ ମନେ ରଖିବାକୁ ହେବ ଯେ, ଏବେ ସେ ଜଣେ ଡେଲିଗେଟ୍ ଭାବେ ଆସିଥାଇପାରନ୍ତି, କିନ୍ତୁ ସେ ଆମ ପାଇଁ ଭବିଷ୍ୟତର ଜଣେ ପର୍ଯ୍ୟଟକ ମଧ୍ୟ । ଆପଣ ସମସ୍ତଙ୍କୁ ମୋର ଆଉ ଗୋଟିଏ ଅନୁରୋଧ - ବିଶେଷକରି ଯୁବବନ୍ଧୁମାନଙ୍କୁ - ଯେ, ହରିପ୍ରସାଦ ଗାରୁଙ୍କ ଭଳି ଆପଣମାନେ ମଧ୍ୟ ଜି-୨୦ ସହିତ କୌଣସି ନା କୌଣସି ରୂପରେ ନିଶ୍ଚୟ ଜଡ଼ିତ ହୁଅନ୍ତୁ । ଜାମା ଉପରେ ଜି-୨୦ର ଭାରତୀୟ ଲୋଗୋ, ବହୁତ ସୁନ୍ଦର ଓ ଷ୍ଟାଇଲ୍‌ରେ ଛପାଯାଇପାରେ । ମୁଁ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟମାନଙ୍କୁ ମଧ୍ୟ ଅନୁରୋଧ କରିବି ଯେ, ସେମାନେ ନିଜ ନିଜ ଅନୁଷ୍ଠାନରେ ଜି-୨୦ ସମ୍ପର୍କୀୟ ଆଲୋଚନା ଚକ୍ର, ପ୍ରତିଯୋଗିତା ଆଦିର ଆୟୋଜନ ପାଇଁ ସୁଯୋଗ ସୃଷ୍ଟି କରନ୍ତୁ । ଆପଣ ଜି୨୦.ଇନ୍ ୱେବ୍‌ସାଇଟ୍ କୁ ଗଲେ ନିଜ ରୁଚି ଅନୁସାରେ ସେଠାରେ ଆପଣଙ୍କୁ ଅନେକ କିଛି ମିଳିଯିବ ।

ମୋର ପ୍ରିୟ ଦେଶବାସୀଗଣ, ନଭେମ୍ବର ୧୮ ତାରିଖ ଦିନ ଦେଶ ମହାକାଶ କ୍ଷେତ୍ରରେ ଏକ ନୂତନ ଇତିହାସ ସୃଷ୍ଟି ହେବା କଥା ଦେଖିଲା । ସେ ଦିନ ଭାରତ ନିଜର ପ୍ରଥମ ଏଭଳି ରକେଟ୍ ମହାକାଶକୁ ପ୍ରେରିତ କଲା, ଯାହାକୁ ଭାରତର ଘରୋଇ କ୍ଷେତ୍ର ପ୍ରସ୍ତୁତ କରିଥିଲା । ଏହି ରକେଟ୍‌ର ନାମ ହେଉଛି – ବିକ୍ରମ-ଏସ୍ । ଶ୍ରୀହରିକୋଟାରୁ ସ୍ୱଦେଶୀ ସ୍ପେସ୍ ଷ୍ଟାର୍ଟ-ଅପ୍ ର ଏହି ପ୍ରଥମ ରକେଟ୍‌ର ଐତିହାସିକ ଉଡ଼ାଣ ସହ, ପ୍ରତ୍ୟେକ ଭାରତୀୟର ମସ୍ତକ ଗର୍ବରେ ଉଚ୍ଚ ହୋଇଗଲା ।

ବନ୍ଧୁଗଣ, ବିକ୍ରମ୍ –ଏସ୍ ରକେଟ୍‌ର ଅନେକ ବିଶେଷତ୍ୱ ରହିଛି । ଅନ୍ୟ ରକେଟ୍ ତୁଳନାରେ ଏହା ହାଲୁକା ଓ ଶସ୍ତା ମଧ୍ୟ । ଏହାର ଡେଭଲପମେଣ୍ଟ କଷ୍ଟ୍ ମହାକାଶ ଅଭିଯାନ ସହିତ ଜଡ଼ିତ ଅନ୍ୟ ଦେଶମାନଙ୍କ ତୁଳନାରେ ଯଥେଷ୍ଟ କମ । କମ ଖର୍ଚ୍ଚରେ ବିଶ୍ୱସ୍ତରୀୟ ଷ୍ଟାଣ୍ଡାର୍ଡ଼ ସ୍ପେସ୍ ଟେକ୍ନୋଲଜିରେ ଭାରତର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିଛି । ଏହି ରକେଟ୍ ତିଆରିରେ ଆଉ ଏକ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇଛି । ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ, ଏହି ରକେଟ୍‌ର କିଛି ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ଥ୍ରୀ-ଡି PRIN ଦ୍ୱାରା ତିଆରି କରାଯାଇଛି । ବାସ୍ତବରେ, ବିକ୍ରମ-ଏସ୍ ର ଲଂଚ୍ ମିଶନ୍‌ର ପ୍ରାରମ୍ଭ ବୋଲି ଯେଉଁ ନାମକରଣ କରାଯାଇଛି, ତାହା ସମ୍ପୂର୍ଣ୍ଣ ଭାବେ ଉପଯୁକ୍ତ । ଏହା ଭାରତରେ ଘରୋଇ ମହାକାଶ କ୍ଷେତ୍ର ପାଇଁ ଏକ ନୂତନ ଯୁଗର ଉଦୟର ପ୍ରତୀକ । ଏହା ଦେଶରେ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଏକ ନୂଆ ଯୁଗର ଅୟମାରମ୍ଭ । ଆପଣ କଳ୍ପନା କରିପାରୁଥିବେ, ଯେଉଁ ପିଲାମାନେ ଦିନେ କାଗଜରେ ଉଡ଼ାଜାହାଜ ତିଆରି କରି ଉଡ଼ାଉଥିଲେ, ଏବେ ସେମାନଙ୍କୁ ଭାରତରେ ହିଁ ଉଡ଼ାଜାହାଜ ତିଆରି କରିବାର ସୁଯୋଗ ମିଳୁଛି । ଆପଣ କଳ୍ପନା କରିପାରୁଥିବେ, ଯେଉଁ ପିଲାମାନେ ଦିନେ ଆକାଶରେ ଜହ୍ନ-ତାରା ଦେଖି ସେଗୁଡ଼ିକର ଚିତ୍ର ଆଙ୍କୁଥିଲେ, ଏବେ ଭାରତରେ ହିଁ ସେମାନଙ୍କୁ ରକେଟ୍ ତିଆରି କରିବାର ସୁଯୋଗ ମିଳିଲାଣି । ମହାକାଶ କୁ ଘରୋଇ କ୍ଷେତ୍ର ପାଇଁ ଉନ୍ମୁକ୍ତ କରିଦେବା ପରେ ଯୁବବର୍ଗଙ୍କ ଏହି ସ୍ୱପ୍ନଗୁଡ଼ିକ ସାକାର ହେବାରେ ଲାଗିଛି । ରକେଟ୍ ତିଆରି କରୁଥିବା ଏହି ଯୁବବର୍ଗ ସତେ ଯେମିତି କହୁଛନ୍ତି – ସ୍କାଏ ଇଜ୍ ନଟ୍ ଦି ଲିମିଟ୍ ।

ବନ୍ଧୁଗଣ, ଭାରତ ମହାକାଶ କ୍ଷେତ୍ରରେ ନିଜ ସଫଳତା ଏହାର ପଡ଼ୋଶୀ ଦେଶମାନଙ୍କ ସହ ମଧ୍ୟ ବାଣ୍ଟିଚାଲିଛି । ଗତକାଲି ହିଁ ଭାରତ ଗୋଟିଏ ଉପଗ୍ରହ ପ୍ରେରଣ କରିଛି, ଯାହାକୁ ଭାରତ ଓ ଭୁଟାନ ମିଶିକରି ତିଆରି କରିଛନ୍ତି । ଏହି ଉପଗ୍ରହ ଖୁବ ଉନ୍ନତ ରିଜଲ୍ୟୁସନ୍‌ର ଫଟୋ ପଠାଇବ, ଯାହାଦ୍ୱାରା ଭୁଟାନକୁ ନିଜର ପ୍ରାକୃତିକ ସମ୍ବଳ ପରିଚାଳନାରେ ସାହାଯ୍ୟ ମିଳିବ । ଏହି ଉପଗ୍ରହ ପ୍ରେରଣ ଭାରତ ଓ ଭୁଟାନ ମଧ୍ୟରେ ରହିଥିବା ଦୃଢ଼ ସମ୍ପର୍କର ପ୍ରତିବିମ୍ବ ।

ବନ୍ଧୁଗଣ, ଆପଣମାନେ ଲକ୍ଷ୍ୟ କରିଥିବେ ଯେ, ‘ମନ୍ କି ବାତ’ର ବିଗତ କିଛି ଅଧ୍ୟାୟଗୁଡ଼ିକରେ ଆମେ ମହାକାଶ, ଜ୍ଞାନକୌଶଳ, ଇନ୍ନୋଭେସନ୍ ବା ନବସୃଜନ ଉପରେ ସବିଶେଷ ଆଲୋଚନା କରିଛୁ । ଏହାର ଦୁଇଟି ବିଶେଷ କାରଣ ରହିଛି । ପ୍ରଥମଟି ହେଲା ଯେ ଆମ ଯୁବବର୍ଗ ଏହି କ୍ଷେତ୍ରରେ ଖୁବ ଭଲ କାମ କରୁଛନ୍ତି । ସେମାନେ ବଡ଼ କଥା ଚିନ୍ତା କରୁଛନ୍ତି ଏବଂ ବଡ଼ ବଡ଼ ଉପଲବ୍ଧି ହାସଲ କରୁଛନ୍ତି । ଏବେ ସେମାନେ ଆଉ ଛୋଟ ଛୋଟ ଉପଲବ୍ଧିଗୁଡ଼ିକରେ ସନ୍ତୁଷ୍ଟ ହେଉନାହାନ୍ତି । ଦ୍ୱିତୀୟ କଥା ହେଲା, ଇନ୍ନୋଭେସନ୍ ଓ ଭାଲ୍ୟୁ କ୍ରିଏସନ୍‌ର ଏହି ରୋମାଂଚକର ଯାତ୍ରାରେ ସେମାନେ ନିଜର ଅନ୍ୟ ଯୁବବନ୍ଧୁ ଏବଂ ଷ୍ଟାର୍ଟ-ଅପ୍ ମାନଙ୍କୁ ମଧ୍ୟ ଉତ୍ସାହିତ କରୁଛନ୍ତି । 

ବନ୍ଧୁଗଣ, ଆମେ ଯେତେବେଳେ ପ୍ରଯୁକ୍ତି ସହିତ ସଂପୃକ୍ତ ନବସୃଜନ କଥା କହୁଛୁ, ସେତେବେଳେ ଡ୍ରୋନ୍‌କୁ କିପରି ଭୁଲିପାରିବା ? ଡ୍ରୋନ୍ କ୍ଷେତ୍ରରେ ମଧ୍ୟ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । କିଛିଦିନ ପୂର୍ବେ ଆମେ ଦେଖିଲୁ ଯେ ହିମାଚଳ ପ୍ରଦେଶର କିନ୍ନୌରରେ କିପରି ଡ୍ରୋନ୍ ଜରିଆରେ ସେଓ ପରିବହନ କରାଗଲା । କିନ୍ନୌର ହିମାଚଳର ଦୂର-ସୁଦୂରବର୍ତୀ ଜିଲା ଏବଂ ସେଠାରେ ଏହି ଋତୁରେ ପ୍ରବଳ ବରଫପାତ ହୋଇଥାଏ । ଏତେ ବରଫପାତ ମଧ୍ୟରେ ସପ୍ତାହ ସପ୍ତାହ ଧରି ରାଜ୍ୟର ଅନ୍ୟ ଅଂଚଳ ସହିତ କିନ୍ନୌରର ଯୋଗାଯୋଗ ସଂପର୍କ ବଡ଼ କଷ୍ଟସାଧ୍ୟ ହୋଇଯାଏ । ଏପରି ସ୍ଥଳେ ସେଠାରୁ ସେଓ ପରିବହନ ମଧ୍ୟ ସେତିକି କଠିନ ହୋଇଥାଏ । ଏବେ ଡ୍ରୋନ୍ ପ୍ରଯୁକ୍ତିରେ ହିମାଚଳର ସ୍ୱାଦିଷ୍ଟ କିନ୍ନୌରୀ ସେଓ ଲୋକଙ୍କ ନିକଟରେ ଆହୁରି ଶୀଘ୍ର ପହଂଚିବାରେ ଲାଗିବ । ଏହାଦ୍ୱାରା ଆମର ଚାଷୀ ଭାଇଭଉଣୀମାନଙ୍କର ଖର୍ଚ କମ୍ ହେବ- ସେଓ ଠିକ୍ ସମୟରେ ମଣ୍ଡିରେ ପହଂଚିବ, ସେଓ ଖରାପ ହେବା କମିଯିବ ।

ବନ୍ଧୁଗଣ, ଆଜି ଆମର ଦେଶବାସୀ ନିଜନିଜର ନବସୃଜନ ଦ୍ୱାରା ସେହି ଜିନିଷଗୁଡ଼ିକୁ ମଧ୍ୟ ସମ୍ଭବ କରୁଛନ୍ତି, ଆଗରୁ ଯାହାର କଳ୍ପନା ମଧ୍ୟ କରାଯାଇପାରୁ ନଥିଲା । ଏହାକୁ ଦେଖି କାହାକୁ ବା ଖୁସି ନ ଲାଗିବ? ବିଗତ କିଛି ବର୍ଷ ମଧ୍ୟରେ ଆମ ଦେଶ ଉପଲବ୍ଧିର ଏକ ଦୀର୍ଘ ଯାତ୍ରା କରିଛି । ମୋର ସଂପୂର୍ଣ୍ଣ ବିଶ୍ୱାସ ଯେ ଆମେ ଭାରତୀୟ ଓ ବିଶେଷ କରି ଆମର ଯୁବପିଢ଼ି ଏବେ ଅଟକିଯିବେ ନାହିଁ ।

ପ୍ରିୟ ଦେଶବାସୀଗଣ, ମୁଁ ଆପଣମାନଙ୍କ ପାଇଁ ଗୋଟିଏ ଛୋଟ କ୍ଲିପ୍ ଶୁଣାଇବାକୁ ଯାଉଛି...

୰୰ ଗୀତ ୰୰

ଆପଣମାନେ ଏହି ଗୀତକୁ କେବେ ନା କେବେ ନିଶ୍ଚୟ ଶୁଣିଥିବେ । ଅନ୍ତତଃ ଏହା ତ ବାପୁଙ୍କ ପସନ୍ଦର ଗୀତ; କିନ୍ତୁ ଯଦି ମୁଁ ଏହା କହିବି ଯେ ଏହାର ସୁରକାର ଗାୟକ ଗ୍ରୀସ୍‌ର, ତେବେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ! ଆଉ ଏ କଥା ଆପଣଙ୍କୁ ଗର୍ବିତ ମଧ୍ୟ କରିବ । ଏହି ଗୀତକୁ ଗାଇଥିବା ଗ୍ରୀସ୍‌ର ଗାୟକ ହେଉଛନ୍ତି ‘କନ୍‌ଷ୍ଟାଂଟିନସ୍ କଲାଇଜୀ’ । ସେ ଏହାକୁ ଗାନ୍ଧିଜୀଙ୍କର ୧୫୦ତମ ଜନ୍ମଜୟନ୍ତୀ ସମାରୋହ ଅବସରରେ ଗାଇଥିଲେ । କିନ୍ତୁ ଆଜି ମୁଁ ତାଙ୍କ ବିଷୟରେ ଅନ୍ୟ କୌଣସି କାରଣରୁ ଆଲୋଚନା କରୁଛି । ତାଙ୍କ ମନରେ ଭାରତ ଓ ଭାରତୀୟ ସଂଗୀତକୁ ନେଇ ଅଦ୍ଭୁତ ପ୍ରକାରର ଆବେଗ ରହିଛି । ଭାରତ ସହିତ ତାଙ୍କର ଏତେ ଆସକ୍ତି ରହିଛି ଯେ ଗତ ୪୨ ବର୍ଷ ଭିତରେ ସେ ପ୍ରାୟ ପ୍ରତିବର୍ଷ ଭାରତ ଆସିଛନ୍ତି । ସେ ଭାରତୀୟ ସଂଗୀତର ମୂଳ, ଭିନ୍ନ ଭିନ୍ନ ଭାରତୀୟ ସାଂଗୀତିକ ବ୍ୟବସ୍ଥା, ବିବିଧ ପ୍ରକାରର ରାଗ, ତାଳ ଓ ଲୟ ସହିତ ବିଭିନ୍ନ ଘରାନା ସମ୍ପର୍କରେ ମଧ୍ୟ ଅଧ୍ୟୟନ କରିଛନ୍ତି । ସେ ଭାରତୀୟ ସଂଗୀତର ଅନେକ ମହାନ ବ୍ୟକ୍ତିଙ୍କର ଅବଦାନ ସମ୍ପର୍କରେ ଅଧ୍ୟୟନ କରିଛନ୍ତି, ଭାରତର ଶାସ୍ତ୍ରୀୟ ନୃତ୍ୟର ଭିନ୍ନ ଭିନ୍ନ ଦିଗକୁ ନେଇ ମଧ୍ୟ ସେ ଅତି ନିକଟରୁ ପରଖିଛନ୍ତି । ଭାରତ ସହିତ ସଂପୃକ୍ତ ନିଜର ଏହି ସମଗ୍ର ଅନୁଭବକୁ ଏବେ ସେ ଏକ ପୁସ୍ତକରେ ବହୁତ ସୁନ୍ଦର ଭାବେ ଉଲ୍ଲେଖ କରିଛନ୍ତି । ଇଣ୍ଡିଆନ ମ୍ୟୁଜିକ୍ ନାମକ ତାଙ୍କର ଏହି ପୁସ୍ତକରେ ପ୍ରାୟ ୭୬୦ଟି ଫଟୋ ରହିଛି । ସେଥିରୁ ଅଧିକାଂଶ ଫଟୋ ସେ ନିଜେ ଉଠାଇଛନ୍ତି । ଅନ୍ୟ ଦେଶରେ ଭାରତୀୟ ସଂସ୍କୃତିକୁ ନେଇ ଏପରି ଉତ୍ସାହ ଓ ଆକର୍ଷଣ ସତରେ ଖୁବ୍ ଆନନ୍ଦଦାୟକ ।

ବନ୍ଧୁଗଣ, କିଛି ସପ୍ତାହ ତଳେ ଆଉ ଏକ ଖବର ଆସିଥିଲା ଯାହା ଆମକୁ ଗର୍ବିତ କରିଦେବ । ଆପଣଙ୍କୁ ଜାଣି ଖୁସି ଲାଗିବ ଯେ ଗତ ୮ ବର୍ଷ ମଧ୍ୟରେ ଭାରତରୁ ସାଂଗୀତିକ ବାଦ୍ୟଯନ୍ତ୍ରର ରପ୍ତାନି ସାଢ଼େ ତିନି ଗୁଣ ବଢ଼ିଯାଇଛି । ଇଲେକ୍‌ଟ୍ରିକାଲ୍ ବାଦ୍ୟଯନ୍ତ୍ର କଥା କହିବା ତ, ଏସବୁର ରପ୍ତାନି ୬୦ ଗୁଣ ବଢ଼ିଛି । ଏଥିରୁ ଜଣାପଡ଼ୁଛି ଯେ ଭାରତୀୟ ସଂସ୍କୃତି ଓ ସଂଗୀତର ଆକର୍ଷଣ ସମଗ୍ର ପୃଥିବୀରେ ବଢ଼ୁଛି । ଆମେରିକା, ଜର୍ମାନୀ, ଫ୍ରାନ୍ସ, ଜାପାନ ଓ ବ୍ରିଟେନ ଭଳି ବିକଶିତ ଦେଶ ହେଉଛନ୍ତି ଭାରତୀୟ ବାଦ୍ୟଯନ୍ତ୍ରଗୁଡ଼ିକର ସବୁଠୁ ବଡ଼ କ୍ରେତା । ଆମ ସଭିଙ୍କ ପାଇଁ ସୌଭାଗ୍ୟର କଥା ହେଉଛି ଆମ ଦେଶରେ ସଂଗୀତ, ନୃତ୍ୟ ଓ କଳାର ଏଭଳି ଏକ ସମୃଦ୍ଧ ଐତିହ୍ୟ ରହିଛି ।

ବନ୍ଧୁଗଣ, ମହାମନୀଷୀ କବି ଭର୍ତୃହରିଙ୍କୁ ଆମେ ସମସ୍ତେ ତାଙ୍କ ଦ୍ୱାରା ରଚିତ ‘ନୀତି ଶତକ’ ପାଇଁ ଜାଣୁ । ଗୋଟିଏ ଶ୍ଳୋକରେ ସେ କହନ୍ତି ଯେ କଳା, ସଂଗୀତ ଓ ସାହିତ୍ୟ ସହିତ ଆମର ସଂପୃକ୍ତି ମାନବତାର ଅସଲ ପରିଚୟ । ବାସ୍ତବରେ, ଆମର ସଂସ୍କୃତି ଏହାକୁ ମାନବତ୍ୱରୁ ମଧ୍ୟ ଊର୍ଦ୍ଧ୍ୱକୁ ଦେବତ୍ୱ ପର୍ଯ୍ୟନ୍ତ ନେଇଯାଏ । ବେଦ ମଧ୍ୟରେ ସାମବେଦକୁ ତ ଆମର ବିବିଧ ସଂଗୀତର ସ୍ରୋତ ବୋଲି କୁହାଯାଇଛି । ମାଆ ସରସ୍ୱତୀଙ୍କ ବୀଣା ହେଉ, ଭଗବାନ ଶ୍ରୀକୃଷ୍ଣଙ୍କ ବଂଶୀ ହେଉ, ବା ଭୋଳାନାଥଙ୍କ ଡମ୍ବରୁ ହେଉ, ଆମର ଦେବଦେବୀ ମଧ୍ୟ ସଂଗୀତରୁ ଅଲଗା ହୋଇ ରହିନାହାନ୍ତି । ଆମେ ଭାରତୀୟମାନେ ସବୁ କଥାରେ ସଂଗୀତକୁ ଖୋଜି ହିଁ ଥାଉ । ତାହା ନଦୀର କଳକଳ ନାଦ ହେଉ, ବର୍ଷାବିନ୍ଦୁର ଶବ୍ଦ ହେଉ, ପକ୍ଷୀର କଳରବ ହେଉ ବା ପବନର ସ୍ୱରଗୁଞ୍ଜନ, ଆମ ସଭ୍ୟତାରେ ଚାରିଆଡ଼େ ସଂଗୀତର ଉପସ୍ଥିତି । ଏହି ସଂଗୀତ କେବଳ ଶରୀରକୁ ଶାନ୍ତି ପ୍ରଦାନ କରେ ନାହିଁ, ବରଂ ମନକୁ ମଧ୍ୟ ଆନନ୍ଦିତ କରିଥାଏ । ସଂଗୀତ ଆମ ସମାଜକୁ ମଧ୍ୟ ଯୋଡ଼ିଥାଏ । ଯଦି ଭାଙ୍ଗଡ଼ା ଓ ଲାୱଣିରେ ଉତ୍ସାହ ଓ ଆନନ୍ଦର ଭାବ ରହିଛି, ତ ରବୀନ୍ଦ୍ର ସଂଗୀତ ଆମର ଆତ୍ମାକୁ ଆହ୍ଲାଦିତ କରିଥାଏ । ସମଗ୍ର ଦେଶର ଆଦିବାସୀମାନଙ୍କର ଅଲଗା ଅଲଗା ପ୍ରକାରର ସଂଗୀତ ପରମ୍ପରା ରହିଛି । ଏହା ଆମକୁ ପରସ୍ପର ସହିତ ମିଳିମିଶି ଏବଂ ପ୍ରକୃତି ସହିତ ରହିବା ପାଇଁ ପ୍ରେରଣା ଦେଇଥାଏ ।

ବନ୍ଧୁଗଣ, ଆମର ବିଭିନ୍ନ ପ୍ରକାରର ସଂଗୀତ କେବଳ ଆମ ସଂସ୍କୃତିକୁ ସମୃଦ୍ଧ କରି ନାହିଁ, ବରଂ ପୃଥିବୀର ବିଭିନ୍ନ ସଂଗୀତ ଉପରେ ମଧ୍ୟ ଏହାର ଅଲିଭା ସ୍ୱାକ୍ଷର ଛାଡ଼ିଯାଇଛି । ଭାରତୀୟ ସଂଗୀତର ଖ୍ୟାତି ବିଶ୍ୱର କୋଣଅନୁକୋଣରେ ବ୍ୟାପିସାରିଛି। ମୁଁ ଆପଣମାନଙ୍କୁ ଆଉ ଗୋଟିଏ ଅଡିଓ କ୍ଲିପ୍ ଶୁଣାଉଛି ।

୰୰ ଗୀତ ୰୰

ଆପଣ ଭାବୁଥିବେ ଯେ ଘର ପାଖ କୌଣସି ମନ୍ଦିରରେ ଭଜନକୀର୍ତନ ଚାଲୁଛି । କିନ୍ତୁ ଏହି ସ୍ୱର ମଧ୍ୟ ଆପଣଙ୍କ ନିକଟକୁ ଭାରତଠାରୁ ହଜାର ହଜାର ମାଇଲ୍ ଦୂରରେ ଅବସ୍ଥିତ ଦକ୍ଷିଣ ଆମେରିକୀୟ ଦେଶ ଗୁୟେନାରୁ ଆସିଛି । ଊନବିଂଶ ଓ ବିଂଶ ଶତାବ୍ଦୀରେ ବହୁ ସଂଖ୍ୟାରେ ଆମ ଏଠାକାର ଲୋକ ଗୁୟେନା ଚାଲିଯାଇଥିଲେ । ସେମାନେ ଏଠାରୁ ଭାରତର ଅନେକ ପରମ୍ପରାକୁ ମଧ୍ୟ ସାଙ୍ଗରେ ନେଇଯାଇଥିଲେ । ଉଦାହରଣ ସ୍ୱରୂପ, ଆମେ ଭାରତରେ ଯେପରି ହୋଲି ପାଳନ କରୁ, ଗୁୟେନାରେ ମଧ୍ୟ ହୋଲିର ରଙ୍ଗରେ ଲୋକେ ରଞ୍ଜିନ ହୁଅନ୍ତି । ଯେଉଁଠି ହୋଲିର ରଙ୍ଗ ଥାଏ, ସେଇଠି ଫଗୱା, ଅର୍ଥାତ ଫଗୁଆ ସଂଗୀତ ମଧ୍ୟ ଥାଏ । ଗୁୟେନାର ଫଗ୍‌ୱାରେ ଭଗବାନ ରାମ ଓ ଭଗବାନ କୃଷ୍ଣଙ୍କ ସହିତ ସଂପୃକ୍ତ ବିବାହ ଗୀତ ଗାଇବା ସେଠାକାର ଏକ ସ୍ୱତନ୍ତ୍ର ପରମ୍ପରା । ଏହି ଗୀତକୁ ଚୌତାଲ୍ କୁହାଯାଏ । ଏଗୁଡ଼ିକୁ ସେହିପ୍ରକାରର ଧୂନ୍ ଓ ଉଚ୍ଚ ସ୍ୱରରେ ଗାନ କରାଯାଏ, ଯେପରି ଆମର ଏଠାରେ ହୋଇଥାଏ । କେବଳ ସେତିକି ନୁହେଁ, ଗୁୟେନାରେ ଚୌତାଲ୍ ପ୍ରତିଯୋଗିତା ମଧ୍ୟ ହୋଇଥାଏ । ଏହିଭଳି ଅନେକ ଭାରତୀୟ, ବିଶେଷତଃ ପୂର୍ବ ଉତର ପ୍ରଦେଶ ଓ ବିହାରର ଲୋକେ ଫିଜି ମଧ୍ୟ ଯାଇଥିଲେ । ସେମାନେ ପାରମ୍ପରିକ ଭଜନ-କୀର୍ତ୍ତନ ଗାଉଥିଲେ, ଯେଉଁଥିରେ ମୁଖ୍ୟତଃ ରାମଚରିତ ମାନସର ଦୋହା ଥାଏ । ସେମାନେ ଫିଜିରେ ମଧ୍ୟରେ ଭଜନକୀର୍ତ୍ତନ ସହିତ ସଂପୃକ୍ତ ଅନେକ ମଣ୍ଡଳୀ ଗଠନ କଲେ । ଫିଜିରେ ରାମାୟଣ ମଣ୍ଡଳୀ ନାମରେ ଆଜି ମଧ୍ୟ ଦୁଇ ହଜାରରୁ ଅଧିକ ଭଜନ-କୀର୍ତ୍ତନ ମଣ୍ଡଳୀ ରହିଛି । ଏସବୁକୁ ଆଜି ପ୍ରତ୍ୟେକ ଗାଁଗହଳିରେ ଦେଖାଯାଇପାରିବ । ମୁଁ ତ ଏଠାରେ କେବଳ ଅଳ୍ପ କିଛିର ଉଦାହରଣ ଦେଇଛି । ଯଦି ଆପଣ ସମଗ୍ର ପୃଥିବୀରେ ଦେଖିବେ, ତେବେ ଭାରତୀୟ ସଂଗୀତକୁ ଭଲ ପାଉଥିବା ଲୋକଙ୍କର ଏହି ତାଲିକା ବହୁତ ଲମ୍ବା ।

ମୋର ପ୍ରିୟ ଦେଶବାସୀଗଣ, ଆମେମାନେ ସର୍ବଦା ଏଥିପାଇଁ ଗର୍ବ କରିଥାଉ ଯେ ଆମ ଦେଶ ଦୁନିଆର ସମସ୍ତ ପ୍ରାଚୀନ ପରମ୍ପରାର ଆବାସ । ଏଣୁ ଏ କ୍ଷେତ୍ରରେ ଆମର ଦାୟିତ୍ୱ ହେଲା, ଆମେ ଆମର ପରମ୍ପରା ଏବଂ ପାରମ୍ପରିକ ଜ୍ଞାନକୁ ସଂରକ୍ଷିତ ରଖିବା, ତା’ର ସମ୍ବର୍ଦ୍ଧନ କରିବା ତଥା ଯଦି ସମ୍ଭବ ତାକୁ ଆଗକୁ ବଢ଼ାଇବା । ଏହିଭଳି ଏକ ପ୍ରଶଂସନୀୟ କାମ ଆମ ପୂର୍ବୋତର କ୍ଷେତ୍ରର ଏକ ରାଜ୍ୟ ନାଗାଲାଣ୍ଡର କେତେକ ବନ୍ଧୁ କରୁଛନ୍ତି । ସେମାନଙ୍କର ଏହି ପ୍ରଚେଷ୍ଟା ମୋତେ ବହୁତ ଭଲ ଲାଗିଲା । ତେଣୁ ମୁଁ ଭାବିଲି ଏହାକୁ ମୁଁ ‘ମନ୍ କୀ ବାତ୍‌’ର ଶ୍ରୋତାମାନଙ୍କ ସହ ସେୟାର କରିବି ।

ବନ୍ଧୁଗଣ, ନାଗାଲାଣ୍ଡର ସାମାଜିକ ଜୀବନଶୈଳୀ, ସେମାନଙ୍କର କଳାସଂସ୍କୃତି ଓ ସଙ୍ଗୀତ ସମସ୍ତଙ୍କୁ ଆକର୍ଷିତ କରେ । ଏହା ଆମ ଦେଶର ଗୌରବମୟ ସଂସ୍କୃତିର ଅଭିନ୍ନ ଅଙ୍ଗ । ନାଗାଲାଣ୍ଡର ଅଧିବାସୀମାନଙ୍କ ଜୀବନ ତଥା କୌଶଳ ଏକ ସ୍ଥିର ଜୀବନଶୈଳୀ ପାଇଁ ବହୁତ ମହତ୍ୱପୂର୍ଣ୍ଣ । ଏହି ପରମ୍ପରା ତଥା କୌଶଳକୁ ଆଗାମୀ ବଂଶଧରମାନଙ୍କ ପାଇଁ ଜୀବିତ ରଖିବାର ଲକ୍ଷ୍ୟନେଇ ସେଠାକାର ଲୋକମାନେ ଲିଡି-କ୍ରୋ-ୟୁ ନାମକ ଏକ ସଂସ୍ଥା ଗଠନ କରିଛନ୍ତି । ନାଗା ସଂସ୍କୃତିର ଯେଉଁ ସୁନ୍ଦର ପରମ୍ପରାଗୁଡ଼ିକ ଲୁପ୍ତପ୍ରାୟ ହୋଇଯାଉଥିଲା ‘ଲିଡି-କ୍ରୋ-ୟୁ’ ସଂସ୍ଥା ସେଗୁଡ଼ିକୁ ପୁନର୍ଜୀବିତ କରିବା ପାଇଁ ଲାଗିପଡ଼ିଛି । ଉଦାହରଣ ସ୍ୱରୂପ, ନାଗା ଲୋକସଙ୍ଗୀତ ସ୍ୱୟଂ ଏକ ବହୁ ସମୃଦ୍ଧ ବିଭାଗ । ଏହି ସଂସ୍ଥା ନାଗା ସଙ୍ଗୀତର ଆଲବମ୍‌ସ ପ୍ରସ୍ତୁତ କରିବାର କାର୍ଯ୍ୟ ଆରମ୍ଭ କରିଛନ୍ତି । ସେମାନେ ଲୋକସଙ୍ଗୀତ, ଲୋକନୃତ୍ୟ ଆଦି ପାଇଁ କର୍ମଶାଳାମାନ ମଧ୍ୟ ଆୟୋଜିତ କରୁଛନ୍ତି । ଯୁବବର୍ଗକୁ ଏହିସବୁ କଳାଗୁଡ଼ିକର ପ୍ରଶିକ୍ଷଣ ବି ଦିଆଯାଉଛି । ଖାଲି ଏତିକି ନୁହେଁ ନାଗାଲାଣ୍ଡର ପାରମ୍ପରିକ ପୋଷାକ ବନେଇବା, କପଡ଼ା ବୁଣିବା, ସିଲେଇ ଆଦି କାମ କରିବାର ପ୍ରଶିକ୍ଷଣ ମଧ୍ୟ ଯୁବବର୍ଗକୁ ଦିଆଯାଉଛି । ପୂର୍ବୋତର କ୍ଷେତ୍ରରେ ବାଉଁଶରୁ ମଧ୍ୟ ଅନେକ ପ୍ରକାରର ଜିନିଷ ତିଆରି ହେଉଛି । ନୂଆପିଢ଼ିର ଯୁବକମାନଙ୍କୁ ବାଉଁଶର ଜିନିଷଗୁଡ଼ିକ ଉତ୍ପାଦନ କରିବାର କଳା ମଧ୍ୟ ଶିଖାଯାଉଛି । ଏହାଦ୍ୱାରା ଯୁବକମାନେ ନିଜ ସଂସ୍କୃତି ସହିତ ଜଡ଼ିତ ହେବା ସଙ୍ଗେ ସଙ୍ଗେ ସେମାନଙ୍କୁ ରୋଜଗାରର ନୂଆ ନୂଆ ଅବସର ମଧ୍ୟ ମିଳିପାରୁଛି । ନାଗା ଲୋକସଂସ୍କୃତି ବିଷୟରେ ଅଧିକରୁ ଅଧିକ ଲୋକ ଜାଣନ୍ତୁ ସେଥିପାଇଁ ମଧ୍ୟ ଲିଡି-କ୍ରୋ-ୟୁ ର ଲୋକେ ପ୍ରୟାସ କରୁଛନ୍ତି ।

ବନ୍ଧୁଗଣ, ଆପଣଙ୍କ ଅଞ୍ଚଳରେ ମଧ୍ୟ ଏହିଭଳି ସାଂସ୍କୃତିକ ବିଭାଗ ଓ ପରମ୍ପରା ରହିଥିବ। ଆପଣମାନେ ମଧ୍ୟ ନିଜ ନିଜ ଅଞ୍ଚଳରେ ଏହିଭଳି ପ୍ରଚେଷ୍ଟା କରିପାରିବେ । ଆପଣଙ୍କ ଜାଣିବାରେ ଯଦି କୌଣସି ସ୍ଥାନରେ ଏହିଭଳି ନୂତନ ପ୍ରୟାସ ହୋଇଥିବ ତେବେସେ ବିଷୟରେ ଆବଶ୍ୟକ ସୂଚନା ମୋତେ ଅବଶ୍ୟ ପଠାନ୍ତୁ । ମୋର ପ୍ରିୟ ଦେଶବାସୀଗଣ, ଆମର ଏଠାରେ କୁହାଯାଇଛି –

“ବିଦ୍ୟାୟାଧନଂ, ସର୍ବ ଧନ ପ୍ରଧାନମ୍‌” ।

ଅର୍ଥାତ୍ କେହି ଯଦି ବିଦ୍ୟାଦାନ କରୁଛି ତ ସେ ସମାଜର ହିତ ପାଇଁ ସବୁଠାରୁ ବଡ଼ କାମ କରୁଛି । ଶିକ୍ଷା କ୍ଷେତ୍ରରେ ପ୍ରଜ୍ୱଳିତ କରାଯାଇଥିବା ଗୋଟିଏ ଛୋଟ ଦୀପ ମଧ୍ୟ ସମଗ୍ର ସମାଜକୁ ଆଲୋକିତ କରିପାରେ । ମୋ ପାଇଁ ଅତ୍ୟନ୍ତ ଆନନ୍ଦର କଥା ଯେ, ଆଜି ସାରା ଦେଶରେ ଏହିଭଳି ଅନେକ ପ୍ରୟାସ କରାଯାଉଛି । ବାଂସା ହେଉଛି ଉତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଠାରୁ ୭୦-୮୦ କିଲୋମିଟର ଦୂର ହରଦୋଇର ଏକ ଗ୍ରାମ । ଏହି ଗାଁର ଯତୀନ୍ ଲଲିତ ସିଂହଙ୍କ ବିଷୟରେ ମୁଁ ଜାଣିବାକୁ ପାଇଛି ଯେ ସେ ଶିକ୍ଷାର ଆଲୋକ ଜାଳିବା ଦିଗରେ ବ୍ରତୀ ହୋଇଛନ୍ତି । ଯତୀନ୍‌ଜୀ ଦୁଇବର୍ଷ ପୂର୍ବେ ଏଠାରେ ସାମୂହିକ ପାଠାଗାର ଏବଂ ସଂସାଧନ କେନ୍ଦ୍ର ସ୍ଥାପିତ କରିଥିଲେ । ତାଙ୍କ ଏହି କେନ୍ଦ୍ରରେ ହିନ୍ଦୀ ଏବଂ ଇଂରାଜୀ ସାହିତ୍ୟ, କମ୍ପ୍ୟୁଟର, Law ଏବଂ ଅନେକ ପ୍ରତିଯୋଗିତା ପରୀକ୍ଷା ସମ୍ବନ୍ଧୀୟ ପ୍ରାୟ ତିନିହଜାରରୁ ଅଧିକ ପୁସ୍ତକ ଗଚ୍ଛିତ ଅଛି । ଏହି ଲାଇବ୍ରେରୀରେ ଛୋଟ ଛୋଟ ପିଲାମାନଙ୍କର ପସନ୍ଦକୁ ମଧ୍ୟ ଯଥେଷ୍ଟ ଗୁରୁତ୍ୱ ଦିଆଯାଏ । ଏଠାରେ ଉପଲବ୍ଧ Comics ବହି ତଥା ଶିକ୍ଷାପ୍ରଦ ଖେଳନାଗୁଡ଼ିକ ପିଲାମାନଙ୍କୁ ବହୁତ ଆକର୍ଷିତ କରେ । ଛୋଟ ଛୋଟ ପିଲାମାନେ ଖେଳ ମାଧ୍ୟମରେ ବହୁତ କିଛି ଶିଖିବାକୁ ଏଠାକୁ ଆସନ୍ତି । ପାଠପଢ଼ା ଅଫଲାଇନ୍ ହେଉ ବା Online ହେଉ, ସବୁକ୍ଷେତ୍ରରେ ପିଲାମାନଙ୍କୁ ଗାଇଡ୍ କରିବା ପାଇଁ ଏଠାରେ ପ୍ରାୟ ଚାଳିଶଜଣ ସ୍ୱେଚ୍ଛାସେବୀ ଅଛନ୍ତି । ପ୍ରତିଦିନ ପ୍ରାୟ ଅଶୀ ଛାତ୍ରଛାତ୍ରୀ ଏହି ଲାଇବ୍ରେରୀକୁ ପଢ଼ିବାକୁ ଆସନ୍ତି ।

ସାଥିଗଣ, ଝାଡ଼ଖଣ୍ଡର ସଂଜୟ କଶ୍ୟପ ମଧ୍ୟ ଗରିବ ପିଲାମାନଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ଲାଗିପଡ଼ିଛନ୍ତି । ନିଜ ଛାତ୍ର ଜୀବନରେ ସଂଜୟଙ୍କୁ ପୁସ୍ତକର ଅଭାବ ବହୁଭାବରେ ବ୍ୟଥିତ କରିଥିଲା । ତେଣୁ ସେ ମନେମନେ ସଂକଳ୍ପ କରିନେଲେ ଯେ ପୁସ୍ତକର ଅଭାବ ପାଇଁ ସେ ପିଲାମାନଙ୍କ ଜୀବନକୁ ଅନ୍ଧକାରମୟ ହେବାକୁ ଦେବେନି । ତାଙ୍କର ଏହି ମିଶନପାଇଁ ଆଜି ସେ ଝାଡ଼ଖଣ୍ଡର ଅନେକଗୁଡ଼ିଏ ଜିଲ୍ଲାର ପିଲାମାନଙ୍କ ଭିତରେ Library Man ଭାବରେ ପରିଚିତ ହୋଇପାରିଛନ୍ତି । ସଂଜୟ ଜୀ ଯେତେବେଳେ ନିଜ ଚାକିରି ଜୀବନ ଆରମ୍ଭ କଲେ, ସେତେବେଳେ ସେ ତାଙ୍କ ନିଜର ପୈତୃକ ଗ୍ରାମରେ ପ୍ରଥମ Library ସ୍ଥାପିତ କରିଥିଲେ । ଚାକିରିକାଳ ଭିତରେ ତାଙ୍କର ଯେଉଁ ଯେଉଁ ସ୍ଥାନକୁ ବଦଳି ହେଲା, ସେଠାରେ ବି ସେ ଗରିବ ଓ ଆଦିବାସୀ ପିଲାଙ୍କ ପାଠପଢ଼ା ପାଇଁ Library ଖୋଲିବା ଅଭିଯାନରେ ଲାଗିପଡ଼ିଲେ । ଏହିଭଳି ସେ ଝାଡ଼ଖଣ୍ଡର ଅନେକ ଜିଲ୍ଲାରେ ପିଲାମାନଙ୍କ ପାଇଁ Libraryଖୋଲିପାରିଛନ୍ତି । ଖସଭକ୍ସବକ୍ସଚ୍ଚ ଖୋଲିବାର ତାଙ୍କର ଏହି ମିଶନ ଆଜି ଏକ ସାମାଜିକ ଆନ୍ଦୋଳନର ରୂପ ନେଲାଣି । ସଂଜୟ ଜୀ ଅବା ଯତୀନ୍ ଜୀ, ତାଙ୍କର ଏହିଭଳି ପ୍ରୟାସ ପାଇଁ ମୁଁ ସେମାନଙ୍କୁ ଭୂରି ଭୂରି ପ୍ରଶଂସା କରୁଛି ।

ମୋର ପ୍ରିୟ ଦେଶବାସୀଗଣ, ଚିକିତ୍ସାବିଜ୍ଞାନର ଦୁନିଆ ଆଜି Research ଏବଂ Innovation ତଥା ଅତ୍ୟାଧୁନିକ technology ଏବଂ ଉପକରଣ ସାହାଯ୍ୟରେ ଅନେକ ପ୍ରଗତି କରିପାରିଛି । ହେଲେ ଆଜି ବି କେତେକ ରୋଗ ଆମମାନଙ୍କ ପାଇଁ ଏକ ଆହ୍ୱାନ ଭାବରେ ଠିଆହୋଇଛନ୍ତି । ଏଇଭଳି ଗୋଟିଏ ରୋଗ ହେଲା Muscular Dystrophy। ଏହା ମୁଖ୍ୟ ରୂପରେ ଏକ ବଂଶାନୁକ୍ରମିକ ରୋଗ ଏବଂ ଜୀବନର କୌଣସି ବୟସରେ ମଧ୍ୟ ଏହା ହୋଇପାରେ ଏହି ରୋଗରେ ଶରୀରର ମାଂସପେଶୀଗୁଡ଼ିକ ଦୁର୍ବଳ ହୋଇପଡ଼ନ୍ତି । ଏହି ରୋଗୀମାନଙ୍କ ପାଇଁ ଦୈନନ୍ଦିନ ଛୋଟମୋଟ କାମ କରିବା ମଧ୍ୟ ଅସମ୍ଭବ ହୋଇପଡ଼େ । ଏହି ରୋଗୀମାନଙ୍କର ଚିକିତ୍ସା ପାଇଁ ଅତ୍ୟନ୍ତ ସେବାଭାବ ଆବଶ୍ୟକ ହୋଇଥାଏ । ଆମ ଦେଶରେ ହିମାଚଳ ପ୍ରଦେଶର ସୋଲନ୍‌ଠାରେ ଏଭଳି ଏକ Centre ଅଛି ଯାହା ଗଙ୍କଗ୍ଦମଙ୍କକ୍ଷବକ୍ସ Dystrophy ରୋଗୀମାନଙ୍କ ପାଇଁ ଆଶାର ଏକ ନୂତନ କିରଣ ହୋଇପାରିଛି । ଏହି କେନ୍ଦ୍ରର ନାମ ହେଉଛି ‘ମାନବ ମନ୍ଦିର’ । ଏହା Indian Association of Muscular Dystrophy ଦ୍ୱାରା ସଂଚାଳିତ ହେଉଛି । ମାନବ ମନ୍ଦିର ଆଜି ମାନବ ସେବା କ୍ଷେତ୍ରରେ ଏକ ଅଦ୍ଭୁତ ଉଦାହରଣ ଭାବରେ ନିଜର ନାମକୁ ସାର୍ଥକ କରିପାରିଛି । ଏଠାରେ ରୋଗୀମାନଙ୍କ ପାଇଁ OPD ଏବଂ Admission ସୁବିଧା ତିନି ଚାରିବର୍ଷ ହେବ ଆରମ୍ଭ କରାଯାଇଥିଲା । ମାନବ ମନ୍ଦିରରେ ପ୍ରାୟ ପଚାଶ ରୋଗୀଙ୍କ ପାଇଁ ଶଯ୍ୟାର ସୁବିଧା ଅଛି । ଫିଜିଓଥେରାପି, ଇଲେକ୍ଟ୍ରୋଥେରାପି ଏବଂ ହାଇଡ୍ରୋଥେରାପି ସହ ଯୋଗ ଓ ପ୍ରାଣାୟାମ ମାଧ୍ୟମରେ ମଧ୍ୟ ଏଠାରେ ରୋଗର ଉପଚାର କରାଯାଇଥାଏ ।

ସାଥିଗଣ, ସବୁ ପ୍ରକାରର Hitech ସୁବିଧା ସାହାଯ୍ୟରେ ଏହି କେନ୍ଦ୍ରରେ ରୋଗୀମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତନ ଆଣିବାର ପ୍ରୟାସ ମଧ୍ୟ କରାଯାଇଛି । Muscular Dystrophy ସମ୍ପର୍କରେ ସଚେତନତାର ଅଭାବ ମଧ୍ୟ ଆଜି ଏକ ଆହ୍ୱାନ ହୋଇଛି । ତେଣୁ ଏହି କେନ୍ଦ୍ର ଖାଲି ହିମାଚଳ ପ୍ରଦେଶରେ ନୁହେଁ, ସାରା ଦେଶରେ ସଚେତନତା ଶିବିରମାନ ଆୟୋଜନ କରୁଛି । ସବୁଠାରୁ ବିଶେଷ ସାହସ ଦେଲାଭଳି କଥାଟି ହେଲା – ଏହି କେନ୍ଦ୍ରର ପରିଚାଳନା ମୁଖ୍ୟତଃ ଏହି ରୋଗରେ ପୀଡ଼ିତ ହୋଇଥିବା ଲୋକମାନେ ହିଁ କରୁଛନ୍ତି । ଯେମିତି ସାମାଜିକ କାର୍ଯ୍ୟକର୍ତା ଉର୍ମିଲା ବାଲ୍‌ଦିଜୀ ଏବଂ Indian Association of Muscular Dystrophye ଅଧ୍ୟକ୍ଷା ଭଉଣୀ ସଂଜନା ଗୋୟଲ ଜୀ ଏବଂ ଏହି Association ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଶ୍ରୀମାନ୍ ବିପୁଲ୍ ଗୋୟଲ ଜୀ ଏହି ସଂସ୍ଥା ପାଇଁ ବହୁତ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି । ମାନବ ମନ୍ଦିରକୁ Hospital ଏବଂ Research Centre କରି ଗଢ଼ିତୋଳିବାର ପ୍ରଚେଷ୍ଟା ମଧ୍ୟ ଜାରି ଅଛି । ଏହାଦ୍ୱାରା ଏଠାରେ ରୋଗୀମାନଙ୍କ ଆହୁରି ଉନ୍ନତ ମାନର ସେବା ମିଳିପାରିବ । ମୁଁ ଏ ଦିଗରେ ପ୍ରୟାସରତ ସବୁ ଲୋକମାନଙ୍କ ହାର୍ଦ୍ଦିକ ପ୍ରଶଂସା କରୁଛି ଏବଂ Muscular Dystrophy ରୋଗ ସହିତ ଲଢ଼ୁଥିବା ସବୁ ଲୋକମାନଙ୍କର ଆରୋଗ୍ୟ କାମନା କରୁଛି ।

ମୋର ପ୍ରିୟ ଦେଶବାସୀଗଣ, ଆଜି ‘ମନ୍ କି ବାତ୍‌’ରେ ଆମେ ଦେଶବାସୀଙ୍କର ଯେଉଁ ଗଠନମୂଳକ ଏବଂ ସାମାଜିକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କଲୁ, ତାହା ଦେଶର ଶକ୍ତି ଓ ଉତ୍ସାହର ଉଦାହରଣ । ଆଜି ପ୍ରତ୍ୟେକ ଦେଶବାସୀ କୌଣସି ନା କୌଣସି କ୍ଷେତ୍ରରେ ପ୍ରତ୍ୟେକ ସ୍ତରରେ ଦେଶ ପାଇଁ ଅତିରିକ୍ତ କିଛି କାମ କରିବା ପାଇଁ ପ୍ରଚେଷ୍ଟା କରୁଛି । ଆଜିର ଆଲୋଚନାରେ ଆମେ ଦେଖିଲୁ ଯେ, ଜି-୨୦ ଭଳି ଆନ୍ତର୍ଜାତିକ ପ୍ରୟୋଜନରେ ଆମର ଜଣେ ବୁଣାକାର ବନ୍ଧୁ ନିଜର ଦାୟିତ୍ୱ ଭାବି ଏହାକୁ ନିର୍ବାହ କରିବାକୁ ଆଗେଇ ଆସିଲେ । ସେହିଭଳି କେହି ପରିବେଶ ପାଇଁ ଚେଷ୍ଟାରତ, ତ କେହି ପାଣି ପାଇଁ କାମ କରୁଛି । ଅନେକ ଲୋକ ଶିକ୍ଷା, ଚିକିତ୍ସା ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଠାରୁ ଆରମ୍ଭ କରି ସଂସ୍କୃତି ଓ ପରମ୍ପରା ଯାଏଁ ଅସାଧାରଣ କାର୍ଯ୍ୟ କରୁଛନ୍ତି । ତାହା ଏଥିପାଇଁ, କାରଣ ଆଜି ଆମ ପ୍ରତ୍ୟେକ ନାଗରିକ ନିଜ କର୍ତବ୍ୟକୁ ବୁଝୁଛି । ଏଭଳି କର୍ତବ୍ୟ ଭାବ ଯେତେବେଳେ କୌଣସି ଦେଶର ନାଗରିକଙ୍କ ମନରେ ପ୍ରବେଶ କରେ ସେତେବେଳେ ସେ ଦେଶର ଭବିଷ୍ୟତ ଆପେ ଆପେ ସ୍ୱର୍ଣ୍ଣିମ ହୋଇଉଠେ ଏବଂ ଦେଶର ସ୍ୱର୍ଣ୍ଣିମ ଭବିଷ୍ୟତରେ ହିଁ ଆମ ସମସ୍ତଙ୍କ ସ୍ୱର୍ଣ୍ଣିମ ଭବିଷ୍ୟତ ନିହିତ ।

ମୁଁ ପୁଣି ଥରେ ଦେଶବାସୀମାନଙ୍କୁ ସେମାନଙ୍କ ପ୍ରଚେଷ୍ଟା ପାଇଁ ପ୍ରଣାମ କରୁଛି । ଆସନ୍ତା ମାସରେ ଆମେ ପୁଣିଥରେ ଏକାଠି ହେବା ଓ ଏଭଳି ଆହୁରି ଅନେକ ଉତ୍ସାହବର୍ଦ୍ଧକ ବିଷୟଗୁଡ଼ିକ ଉପରେ ନିଶ୍ଚୟ କଥା ହେବା । ନିଜର ମତାମତ ଓ ପରାମର୍ଶ ନିଶ୍ଚୟ ପଠାଇ ଚାଲିଥିବେ । ଆପଣ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ।

Explore More
୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Budget underpins India's strategy from Amrit Kaal to Shatabdi Kaal

Media Coverage

Budget underpins India's strategy from Amrit Kaal to Shatabdi Kaal
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 6, 2023
February 06, 2023
ସେୟାର
 
Comments

PM Modi’s Speech at the India Energy Week 2023 showcases India’s rising Prowess as a Green-energy Hub

Creation of Future-ready Infra Under The Modi Government Giving Impetus to the Multi-sectoral Growth of the Indian Economy