“ବର୍ତ୍ତମାନ ସମୟର ଆବଶ୍ୟକତା ହେଉଛି ଅଧିକ ସଂଖ୍ୟକ ଯୁବପିଢ଼ି ବିଜ୍ଞାନ ପ୍ରତି ଆଗ୍ରହୀ ହୁଅନ୍ତୁ। ଏଥିପାଇଁ ଆମେ ସମସ୍ତେ ଇତିହାସର ବିଜ୍ଞାନ ଏବଂ ବିଜ୍ଞାନର ଇତିହାସ ବିଷୟରେ ଭଲ ଭାବେ ଅବଗତ ହେବାର ଆବଶ୍ୟକତା ରହିଛି ।” ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରବାସୀ ଏବଂ ନିବାସୀ ଭାରତୀୟ ଗବେଷକ ଓ ଶିକ୍ଷାବିତମାନଙ୍କୁ ନେଇ ଆୟୋଜିତ ଏକ ବୈଶ୍ୱିକ ଭର୍ଚୁଆଲ ସମ୍ମିଳନୀ –ବୈଶ୍ୱିକ ଭାରତୀୟ ବୈଜ୍ଞାନିକ (ବୈଭବ)କୁ ଉଦଘାଟନ କରି ଏହା କହିଛନ୍ତି ।

“ବିଜ୍ଞାନ ଏବଂ ନବୋନ୍ମେଷ କ୍ଷେତ୍ରରେ ଭାରତ ଓ ବିଶ୍ୱର ଉପଲବ୍ଧିକୁ ବୈଭବ ସମ୍ମିଳନୀ–2020 ପାଳନ କରୁଛି । ମୁଁ ଏହାକୁ ଏକ ବାସ୍ତବ ସଙ୍ଗମ ବୋଲି କହିବି, ଏହା ସମ୍ମିଳନୀ ମାଧ୍ୟମରେ ଆମେ ଆମ ଭାରତ ଓ ପୃଥିବୀର ସଶକ୍ତିକରଣ ନିମନ୍ତେ ଏକ ଦୀର୍ଘସ୍ଥାୟୀ ସହଯୋଗ ସ୍ଥାପନ କରିବାକୁ ସମବେତ ହୋଇଛୁ”, ସେ କହିଥିଲେ ।

ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ସାମାଜିକ–ଆର୍ଥିକ ପରିବର୍ତ୍ତନ ଆଣିବା ଲାଗି ପ୍ରୟାସରେ ବିଜ୍ଞାନକୁ କେନ୍ଦ୍ରରେ ରଖି ଭାରତ ସରକାର ବିଜ୍ଞାନ ଗବେଷଣା ଓ ନବୋନ୍ମେଷକୁ ପ୍ରୋତ୍ସାହନ ଦେବା ଲାଗି ସଂଖ୍ୟାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଟୀକା ବିକାଶ ଏବଂ ଟୀକାକରଣ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଦିଗରେ ଭାରତର ବ୍ୟାପକ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ସେ କହିଥିଲେ, ଟୀକା ଉତ୍ପାଦନ କ୍ଷେତ୍ରରେ ଏକ ଦୀର୍ଘ ପରିବର୍ତ୍ତନ ଆସିଥିଲା । 2014ରେ ଆମେ ଚାରିଟି ନୂଆ ଟୀକା ଆମର ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ କରିଥିଲୁ । ଏଥିରେ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ରୋଟା ଟୀକା ସାମିଲ ରହିଛି ।

ବିଶ୍ୱ ଲକ୍ଷ୍ୟ ଠାରୁ ପାଞ୍ଚ ବର୍ଷ ଆଗୁଆ 2025 ସୁଦ୍ଧା ଭାରତରୁ ଯକ୍ଷ୍ମା ମୂଳୋତ୍ପାଟନ ପାଇଁ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ରଖାଯାଇଛି ବୋଲି ସେ ଉଲ୍ଲେଖ କରିଥିଲେ ।

ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଶିକ୍ଷା ନୀତି 2020 ବିଷୟରେ ଉଲ୍ଲେଖ କରିଥିଲେ । ତିନି ଦଶନ୍ଧି ପରେ ଆସିଥିବା ଏହି ଶିକ୍ଷା ନୀତି ଦେଶବ୍ୟାପୀ ବ୍ୟାପକ ବିଚାରବିମର୍ଶ ଓ ପରାମର୍ଶ ଗ୍ରହଣ କରାଯିବା ପରେ ଅଣାଯାଇଛି । ଏହି ଶିକ୍ଷା ନୀତି ବିଜ୍ଞାନ ପ୍ରତି ଅନୁସନ୍ଧିତ୍ସା ଜାଗ୍ରତ କରିବ ଏବଂ ବିଜ୍ଞାନ ଗବେଷଣାକୁ ଅଧିକ ପ୍ରୋତ୍ସାହିତ କରିବ । ଯୁବ ପ୍ରତିଭାଙ୍କ ବିକାଶ ପାଇଁ ଏହା ଏକ ମୁକ୍ତ ଏବଂ ବିସ୍ତୃତ ପରିବେଶ ଯୋଗାଇ ଦେବ ବୋଲି ସେ କହିଥିଲେ ।

ଭାରତରେ ମହାକାଶ କ୍ଷେତ୍ରରେ ଅଣାଯାଇଥିବା ସଂସ୍କାର ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯାହାକି ଉଦ୍ୟୋଗ ଓ ଶିକ୍ଷାଜଗତ ପାଇଁ ସୁଯୋଗ ସୃଷ୍ଟି କରିବ ।

ଲେଜର ଇଣ୍ଟରଫେରୋମିଟର ଗ୍ରାଭିଟେସନାଲ–ୱେଭ ଅବଜରଭେଟୋରୀ, ସିଇଆରଏନ ଏବଂ ଇଣ୍ଟରନେସନାଲ ଥର୍ମୋନ୍ୟୁକ୍ଲିୟର ଏକ୍ସପେରିମେଣ୍ଟାଲ ରିଆକ୍ଟର (ଆଇଟିଇଆର)ରେ ଭାରତର ସହଭାଗିତା ବିଷୟରେ ଉଲ୍ଲେଖ କରି ସେ ବିଶ୍ୱସ୍ତରରେ ବିଜ୍ଞାନ ଗବେଷଣା ଓ ବିକାଶ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ ।

ସୁପରକମ୍ପ୍ୟୁଟିଂ ଏବଂ ସାଇବର ଫିଜିକାଲ ସିଷ୍ଟମ କ୍ଷେତ୍ରରେ ଭାରତର ବୃହତ ମିଶନ ବିଷୟରେ ମଧ୍ୟ ସେ ସୂଚନା ଦେଇଥିଲେ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ରୋବୋଟିକ୍ସ, ସେନ୍ସର୍ସ ଏବଂ ବିଗଡାଟା ଆନାଲିସିସ କ୍ଷେତ୍ରରେ ମୌଳିକ ଗବେଷଣା ଓ ପ୍ରୟୋଗ ବିଷୟରେ ଆଲୋଚନା କରି ସେ କହିଥିଲେ ଯେ ଏହା ଭାରତରେ ଷ୍ଟାର୍ଟଅପ ଏବଂ ଉତ୍ପାଦନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବ ।

ଭାରତରେ ବର୍ତ୍ତମାନସୁଦ୍ଧା 25ଟି ଅଭିନବ ପ୍ରଯୁକ୍ତି କେନ୍ଦ୍ର ଶୁଭାରମ୍ଭ ହୋଇସାରିଥିବା ସେ ଉଲ୍ଲେଖ କରିବା ସହିତ ଏଗୁଡ଼ିକ କିପରି ଷ୍ଟାର୍ଟଅପ ଇକୋସିଷ୍ଟମକୁ ବଢ଼ାଇବ ସେ ବିଷୟରେ ମଧ୍ୟ କହିଥିଲେ।

ସେ କହିଥିଲେ, କୃଷକମାନଙ୍କ ସହାୟତା ଲାଗି ଭାରତ ଶୀର୍ଷଶ୍ରେଣୀର ଗବେଷଣା ଚାହୁଁଛି । ଡାଲି ଓ ଖାଦ୍ୟ ଶସ୍ୟ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ଯୋଗଦାନ ନିମନ୍ତେ ସେ ଭାରତୀୟ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଭାରତର ପ୍ରଗତି ସହିତ ବିଶ୍ୱର ପ୍ରଗତି ହୋଇଥାଏ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବୈଭବ ମଞ୍ଚ ଯୋଡ଼ିହେବା ଏବଂ ଯୋଗଦାନ କରିବା ଲାଗି ଏକ ମହାନ ସୁଯୋଗ; ଭାରତ ସମୃଦ୍ଧି ହାସଲ କଲେ ବିଶ୍ୱ ମଧ୍ୟ ଆଗେଇବ । ବୈଭବକୁ ମହାନ ଚିନ୍ତକମାନଙ୍କର ଏକ ସମାବେଶ ଭାବେ ଅଭିହିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରି ପ୍ରୟାସ ଗବେଷଣା ନିମନ୍ତେ ଏକ ଆଦର୍ଶ ପରିବେଶ ସୃଷ୍ଟି କରିବ । ଏହା ପରମ୍ପରା ସହିତ ଆଧୁନିକତାକୁ ଯୋଡ଼ି ସମୃଦ୍ଧି ଆଣିବ । ଏପରି ବିନିମୟ ନିଶ୍ଚିତ ଭାବେ ଉପଯୋଗୀ ହେବ ଏବଂ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସହଭାଗିତା ଦିଗରେ ସହାୟକ ହେବ। ବୈଜ୍ଞାନିକ ଓ ଗବେଷକମାନଙ୍କ ପାଇଁ ଏସବୁ ପ୍ରୟାସ ଏକ ଆଦର୍ଶ ଗବେଷଣା ପରିବେଶ ସୃଷ୍ଟି କରିବ ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ପ୍ରବାସୀ ଭାରତୀୟମାନେ ବିଶ୍ୱସ୍ତରରେ ଭାରତ ପାଇଁ ଉତ୍କୃଷ୍ଟ ରାଷ୍ଟ୍ରଦୂତ । ପରବର୍ତ୍ତୀ ପିଢ଼ି ନିମନ୍ତେ ଏକ ନିରାପଦ ଓ ସମୃଦ୍ଧ ଭବିଷ୍ୟତ ନିର୍ମାଣର ସ୍ୱପ୍ନକୁ ବାସ୍ତବ ରୂପ ଦେବା ଦିଗରେ ଏହି ସମ୍ମିଳନୀ ଆଗେଇ ଯିବା ଉଚିତ ବୋଲି ସେ ମତବ୍ୟକ୍ତ କରିଥଲେ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ଆମ କୃଷକମାନଙ୍କର ସହାୟତା ନିମନ୍ତେ ଭାରତରେ ଶୀର୍ଷସ୍ତରୀୟ ବିଜ୍ଞାନ ଗବେଷଣାର ଆବଶ୍ୟକତା ରହିଛି । ଏହି ସମ୍ମିଳନୀ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏକ ଉପଯୋଗୀ ସହଭାଗିତା ସ୍ଥାପନ କରିବ । ପ୍ରବାସୀ ଭାରତୀୟମାନଙ୍କର ପ୍ରୟାସ ଏକ ଆଦର୍ଶ ଗବେଷଣା ଇକୋସିଷ୍ଟମ ବିକଶିତ କରିବାରେ ସହାୟକ ହେବ ।

ବୈଭବ ସମ୍ମିଳନୀରେ 55ଟି ରାଷ୍ଟ୍ରରୁ 3000ରୁ ଅଧିକ ପ୍ରବାସୀ ଭାରତୀୟ ଶିକ୍ଷାବିତ ଓ ବୈଜ୍ଞାନିକ ଏବଂ 10 ହଜାର ଭାରତ ନିବାସୀ ଶିକ୍ଷାବିତ ଓ ଗବେଷକମାନେ ଅଂଶଗ୍ରହଣ କରିଛନ୍ତି । ଭାରତ ସରକାରଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତାଙ୍କ ନେତୃତ୍ୱରେ 200ରୁ ଅଧିକ ଭାରତୀୟ ଶିକ୍ଷାନୁଷ୍ଠାନ ଏବଂ ଏସଆଣ୍ଡଟି ବିଭାଗ ପକ୍ଷରୁ ଏହା ଆୟୋଜନ କରାଯାଉଛି । ମୋଟ 213ଟି ଅଧିବେଶନ ବିଶିଷ୍ଟ ଏହି କାର୍ଯ୍ୟକ୍ରମରେ 18ଟି ମୁଖ୍ୟ ବିଷୟବସ୍ତୁ ଏବଂ 80ଟି ଉପ–ବିଷୟବସ୍ତୁ ଉପରେ 40ଟି ଦେଶରୁ ଶିକ୍ଷା ଓ ଗବେଷଣା କ୍ଷେତ୍ରର 700ରୁ ଅଧିକ ଆଲୋଚକ ଏବଂ 629 ଭାରତୀୟ ଆଲୋଚକମାନେ ସେମାନଙ୍କ ବିଚାର ଉପସ୍ଥାପନ କରିବେ ।

ଏହି ଆଲୋଚନାଚକ୍ର ଅକ୍ଟୋବର 3 ଠାରୁ ଅକ୍ଟୋବର 25, 2020 ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ 28 ଅକ୍ଟୋବରରେ ଫଳାଫଳ ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ସମ୍ମିଳନୀ 31 ଅକ୍ଟୋବର 2020ରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀରେ ଶେଷ ହେବ । ଦୀର୍ଘ ଏକମାସ ଧରି ୱେବିନାର ଓ ଭିଡିଓ କନଫରେନ୍ସ ଜରିଆରେ ପ୍ରବାସୀ ଭାରତୀୟ ବିଶେଷଜ୍ଞ ଏବଂ ସେମାନଙ୍କ ଭାରତୀୟ ପ୍ରତିପକ୍ଷମାନଙ୍କ ମଧ୍ୟରେ ବହୁସ୍ତରୀୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

ଏହି ସମ୍ମିଳନୀରେ କମ୍ପ୍ୟୁଟେସନାଲ ସାଇନ୍ସେସ, ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ, କ୍ୱାଣ୍ଟମ ଟେକ୍ନୋଲୋଜି, ଫଟୋନିକ୍ସ, ଏରୋସ୍ପେସ ଟେକ୍ନୋଲୋଜି, ମେଡ଼ିକାଲ ସାଇନ୍ସେସ, ବାୟୋଟେକ୍ନୋଲୋଜି, କୃଷି, ମ୍ୟାଟେରିଆଲ ଆଣ୍ଡ ପ୍ରୋସେସିଂ ଟେକ୍ନୋଲୋଜି, ଆଡଭାନ୍ସଡ ମ୍ୟାନୁଫାକ୍ଚରିଂ, ଆର୍ଥ ସାଇନ୍ସେସ, ଶକ୍ତି, ପରିବେଶ ବିଜ୍ଞାନ ଏବଂ ମ୍ୟାନେଜମେଣ୍ଟ ଆଦି ପ୍ରମୁଖ ବିଜ୍ଞାନ ଓ ଟେକ୍ନୋଲୋଜି ବିଷୟରେ ଆଲୋଚନା ହେବ ।

ସାମଗ୍ରିକ ବିକାଶ ପାଇଁ ଦେଖାଦେଉଥିବା ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ବିଶ୍ୱସ୍ତରରେ ଥିବା ଭାରତୀୟ ଗବେଷକମାନଙ୍କ ବିଶେଷଜ୍ଞତା ଓ ଜ୍ଞାନ ସହାୟତାରେ ଏକ ବିସ୍ତୃତ ରୋଡମ୍ୟାପ ପ୍ରସ୍ତୁତ କରିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ । ଏହି ସମ୍ମିଳନୀ ଭାରତ ଏବଂ ବିଦେଶରେ ରହୁଥିବା ଗବେଷକ ଓ ବୈଜ୍ଞାନିକମାନଙ୍କ ମଧ୍ୟରେ ସହଯୋଗ ଓ ସହଭାଗିତା ବୃଦ୍ଧି ନିମନ୍ତେ ସହାୟକ ହେବ । ବୈଶ୍ୱିକ ସମ୍ପର୍କ ଜରିଆରେ ଦେଶରେ ଜ୍ଞାନ ଓ ନବୋନ୍ମେଷ ସକାଶେ ଏକ ଇକୋସିଷ୍ଟମ ବିକଶିତ କରିବା ଏହାର ଲକ୍ଷ୍ୟ ।

ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସହିତ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର କେ. ବିଜୟରାଘବନ ଏବଂ ଆମେରିକା, ଜାପାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଫ୍ରାନ୍ସ, ସିଙ୍ଗାପୁର, କୋରିଆ, ବ୍ରାଜିଲ ଓ ସ୍ୱିଜରଲ୍ୟାଣ୍ଡର 16 ବିଦେଶୀ ଆଲୋଚକମାନେ ଆଲୋଚନା କରିଥିଲେ । ଏ ସମସ୍ତ ଗବେଷକମାନେ ବିଭିନ୍ନ ଦିଗ ଯେପରିକି କମ୍ପ୍ୟୁଟିଂ ଏବଂ କମ୍ୟୁନିକେସନ, ସୋନୋ କେମେଷ୍ଟ୍ରି, ହାଇ ଏନର୍ଜି ଫିଜିକ୍ସ, ମ୍ୟାନୁଫ୍ୟାକଚରିଂ ଟେକ୍ନୋଲୋଜି, ମ୍ୟାନେଜମେଣ୍ଟ, ଜିଓ–ସାଇନ୍ସ, ଜଳବାୟୁ ପରିବର୍ତ୍ତନ, ମାଇକ୍ରୋବାୟୋଲୋଜି, ଆଇଟି ସୁରକ୍ଷା, ନାନୋ–ମ୍ୟାଟେରିଆଲ୍ସ, ସ୍ମାର୍ଟ ଗ୍ରାମ ଏବଂ ଗାଣିତ୍ୟିକ ବିଜ୍ଞାନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony

Media Coverage

Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony
NM on the go

Nm on the go

Always be the first to hear from the PM. Get the App Now!
...
PM Modi calls upon people to celebrate National Handloom Day by showcasing India's rich handloom heritage
August 06, 2026

The Prime Minister, Shri Narendra Modi, has called upon citizens to celebrate National Handloom Day on 7th August by promoting India's rich and diverse handloom traditions.

“Share your videos with your favourite handloom products, including GRWM videos on social media”, Shri Modi said.

Shri Modi posted on X;

Tomorrow, 7th August is National Handloom Day. Let’s make India’s handloom diversity popular.

Share your videos with your favourite handloom products, including GRWM videos on social media.

Don’t forget to use #NationalHandloomDay.