ମେକ ଇନ ଇଣ୍ଡିଆ ,ଫର ଇଣ୍ଡିଆ ,ଫର ଦି ୱାର୍ଲ୍ଡ : ପ୍ରଧାନମନ୍ତ୍ରୀ ମୋଦୀ
ଆମର ପ୍ରୟାସ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ପ୍ରତିରକ୍ଷା ଉତ୍ପାଦନରେ ଏମଏସଏମଇର ସଂଖ୍ୟା 15,000 ପର୍ଯ୍ୟନ୍ତ ବଢ଼ାଇବା : ପ୍ରଧାନମନ୍ତ୍ରୀ ମୋଦୀ
ଭାରତରେ ପ୍ରତିରକ୍ଷା ନିର୍ମାଣର ଅପାର ସମ୍ଭାବନା ରହିଛି ; ଏଠାରେ ଚାହିଦା ,ଲୋକତନ୍ତ୍ର ଏବଂ ନିର୍ଣ୍ଣୟ ରହିଛି : ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲକ୍ଷ୍ନୌ, ଉତ୍ତରପ୍ରଦେଶରେ ଡିଫେନ୍ସଏକ୍ସପୋର 11ତମ ସଂସ୍କରଣକୁ ଉଦ୍ଘାଟନ କରିଛନ୍ତି । ଏହି ଦ୍ୱିବାର୍ଷିକ ସାମରିକ ପ୍ରଦର୍ଶନୀରେ ବିଶ୍ୱସ୍ତରୀୟ ପ୍ରତିରକ୍ଷା କେନ୍ଦ୍ର ଭାବରେ ଭାରତର ସମ୍ଭାବନା ପ୍ରଦର୍ଶିତ କରାଯାଉଛି । ଡିଫେନ୍ସଏକ୍ସପୋ 2020 ଭାରତର ସବୁଠାରୁ ବଡ଼ ପ୍ରତିରକ୍ଷା ପ୍ରଦର୍ଶନ ମଞ୍ଚ ହେବା ସହିତ ବିଶ୍ୱର ପ୍ରମୁଖ ଡିଫେନ୍ସଏକ୍ସପୋ ପାଲଟିଛି । ଚଳିତ ଏକ୍ସପୋରେ ବିଶ୍ୱର ଏକ ହଜାରରୁ ଅଧିକ ପ୍ରତିରକ୍ଷା ନିର୍ମାତା ଓ 150 କମ୍ପାନୀ ଭାଗ ନେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ, ସେ ଭାରତର ପ୍ରଧାନମନ୍ତ୍ରୀ ଓ ଉତ୍ତର ପ୍ରଦେଶର ସାଂସଦ ଭାବେ ସମସ୍ତଙ୍କୁ ଡିଫେନ୍ସଏକ୍ସପୋର 11ତମ ସଂସ୍କରଣକୁ ସ୍ୱାଗତ କରି ଦୁଇଗୁଣ ଖୁସି ଅନୁଭବ କରୁଛନ୍ତି । ଏହା ଭାରତର ଲୋକ ତଥା ଯୁବ ପିଢ଼ିଙ୍କ ପାଇଁ ବହୁତ ବଡ଼ ସୁଯୋଗ ଆଣି ଦେଇଛି । ମେକ୍ ଇନ ଇଣ୍ଡିଆ ଦ୍ୱାରା କେବଳ ଭାରତର ସୁରକ୍ଷା ବଢ଼ିବ ନାହିଁ ବରଂ ପ୍ରତିରକ୍ଷା କ୍ଷେତ୍ରରେ ନୂଆ ରୋଜଗାର ସୁଯୋଗ ସୃଷ୍ଟି ହେବ । ଏହାଦ୍ୱାରା ଭବିଷ୍ୟତରେ ପ୍ରତିରକ୍ଷା ରପ୍ତାନୀ ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଭାରତ କେବଳ ବଜାର ନୁହେଁ ବରଂ ସାରା ବିଶ୍ୱ ପାଇଁ ବିଶାଳ ସୁଯୋଗ

ଆଜିର ଡିଫେନ୍ସଏକ୍ସପୋ ଭାରତର ବିଶାଳତା, ତାର ବ୍ୟାପକତା, ବିବିଧତା ଓ ବିଶ୍ୱରେ ଭାରତର ବିସ୍ତୃତ ଭାଗିଦାରୀକୁ ସିଦ୍ଧ କରୁଛି । ସୁରକ୍ଷା ଓ ପ୍ରତିରକ୍ଷା କ୍ଷେତ୍ରରେ ମଜବୁତ ଭୂମିକା ସହ ଭାରତ ଆଗକୁ ବଢ଼ିବା ଏହାର ପ୍ରମାଣ । ଏହି ଏକ୍ସପୋ କେବଳ ପ୍ରତିରକ୍ଷା କ୍ଷେତ୍ର ସହ ଜଡ଼ିତ ଉଦ୍ୟୋଗ ପ୍ରତି ନୁହେଁ ବରଂ ଭାରତ ପ୍ରତି ବିଶ୍ୱର ବିଶ୍ୱାସକୁ ପ୍ରତିବିମ୍ବିତ କରୁଛି । ଯେଉଁମାନେ ପ୍ରତିରକ୍ଷା ଓ ଅର୍ଥ ବ୍ୟବସ୍ଥା ସମ୍ପର୍କରେ ଜାଣନ୍ତି ସେମାନେ ନିଶ୍ଚିତ ଭାବେ ଏହା ଜାଣିଥିବେ ଭାରତ କେବଳ ବଜାର ନୁହେଁ, ବରଂ ସାରା ବିଶ୍ୱ ପାଇଁ ବିଶାଳ ସୁଯୋଗ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରତିରକ୍ଷା କ୍ଷେତ୍ରରେ ଡିଜିଟାଲ ରୂପାନ୍ତରଣ ଆଗାମୀ ଦିନର ଆହ୍ୱାନକୁ ପ୍ରତିବିମ୍ବିତ କରୁଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଡିଫେନ୍ସଏକ୍ସପୋର ଉପପ୍ରସଙ୍ଗ ପ୍ରତିରକ୍ଷା କ୍ଷେତ୍ରରେ ଡିଜିଟାଲ ରୂପାନ୍ତରଣ ଆଗାମୀ ଦିନର ଆଶଙ୍କା ଓ ଆହ୍ୱାନକୁ ଦର୍ଶାଉଛି । ଜୀବନ ପ୍ରଯୁକ୍ତି ପରିଚାଳିତ ହେବାରେ ଲାଗିଥିବାରୁ ପ୍ରତିରକ୍ଷା ସହିତ ଜଡ଼ିତ ପ୍ରସଙ୍ଗ ଓ ଆହ୍ୱାନ ଗମ୍ଭୀର ହେବାରେ ଲାଗିଛି । ଏହା ବର୍ତ୍ତମାନ ପାଇଁ ନୁହେଁ, ଭବିଷ୍ୟତ ପାଇଁ ମଧ୍ୟ ମହତ୍ୱପୂର୍ଣ୍ଣ । ବିଶ୍ୱସ୍ତରରେ ପ୍ରତିରକ୍ଷା ବଳ ନୂଆ ପ୍ରଯୁକ୍ତି ବିକଶିତ କରୁଛି, ଭାରତ ମଧ୍ୟ ବିଶ୍ୱ ସହିତ ତାଳ ଦେଇ ଆଗେଇ ଚାଲିଛି । ଅନେକ ପ୍ରତିକୃତି (ପ୍ରୋଟୋଟାଇପ) ପ୍ରସ୍ତୁତ ହେଉଛି । ଆଗାମୀ ପାଞ୍ଚବର୍ଷ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଅତିକମରେ 25ଟି ଉତ୍ପାଦ ବିକଶିତ କରିବା ଆମର ଉଦ୍ଦେଶ୍ୟ ।

ଅଟଳ ବିହାରୀ ବାଜପେୟୀଙ୍କ ସ୍ୱପ୍ନ ବାସ୍ତବତାରେ ପରିଣତ ହେଲା

ପ୍ରଧାନମନ୍ତ୍ରୀ କହିଥିଲେ ଲକ୍ଷ୍ନୌରେ ଆୟୋଜିତ ଏକ୍ସପୋ ଅନ୍ୟ କାରଣ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଦେଶରେ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ ପାଇଁ ସ୍ୱପ୍ନ ଦେଖିଥିଲେ ଓ ଏଥିପାଇଁ ଅନେକ ପଦକ୍ଷେପ ନେଇଥିଲେ ।

ତାଙ୍କ ସ୍ୱପ୍ନକୁ ଅନୁସରଣ କରି ଆମେ ଅନେକ ପ୍ରତିରକ୍ଷା ସାମଗ୍ରୀର ନିର୍ମାଣ ତ୍ୱରାନ୍ୱିତ କରିଛୁ । ଆମେ 2014ରେ 217 ପ୍ରତିରକ୍ଷା ଲାଇସେନ୍ସ ଜାରି କରିଥିଲୁ । ବିଗତ ପାଞ୍ଚ ବର୍ଷରେ ଏହି ସଂଖ୍ୟା 460ରେ ପହଁଚିଛି । ଭାରତ ଏବେ ଆର୍ଟିଲେରି ଗନ, ବିମାନ ବାହକ ଠାରୁ ଆରମ୍ଭ କରି ଯୁଦ୍ଧପୋତ ବୁଡାଜାହାଜ ନିର୍ମାଣ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବିଶ୍ୱ ପ୍ରତିରକ୍ଷା ରପ୍ତାନୀରେ ଭାରତରେ ଭାଗିଦାରୀ ବଢୁଛି । ଗତ ଦୁଇ ବର୍ଷରେ ଭାରତ ପ୍ରାୟ 17 ହଜାର କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ଉତ୍ପାଦ ରପ୍ତାନୀ କରିଛି । ପ୍ରତିରକ୍ଷା ରପ୍ତାନୀକୁ ବୃଦ୍ଧି କରି 5 ବିଲିୟନ ଡଲାଇ ପର୍ଯ୍ୟନ୍ତ ନେବା ଆମର ଲକ୍ଷ୍ୟ ରହିଛି ।

ପ୍ରତିରକ୍ଷା କ୍ଷେତ୍ରରେ ଗବେଷଣା ଓ ବିକାଶ, ରାଷ୍ଟ୍ରନୀତିର ପ୍ରମୁଖ ଅଂଶ

ଗତ 5-6 ବର୍ଷ ହେଲା ଆମ ସରକାର ଗବେଷଣା ଓ ବିକାଶକୁ ରାଷ୍ଟ୍ର ନୀତିର ଏକ ପ୍ରମୁଖ ଅଂଶରେ ପରିଣତ କରିଛି । ପ୍ରତିରକ୍ଷା ଓ ବିକାଶ ତଥା ନିର୍ମାଣ ପାଇଁ ଦେଶରେ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ ହେଉଛି । ଅନ୍ୟ ଦେଶ ସହିତ ସମ୍ମିଳିତ ଉଦ୍ୟମ ପାଇଁ ଚେଷ୍ଟା କରାଯାଉଛି । ନିର୍ଦ୍ଧାରିତ ଦୃଷ୍ଟିଭଙ୍ଗୀ ସହିତ ସମସ୍ତ ସାଇଲୋ ସମାପ୍ତ କରିବାକୁ ପ୍ରୟାସ କରାଯାଉଛି । ଏହାଦ୍ୱାରା ନିବେଶ ଓ ନବୋନ୍ମେଷ ପାଇଁ ପ୍ରସ୍ତୁତ ରହିବାର ପରିବେଶ ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ବ୍ୟବହାରକାରୀ ଓ ଉତ୍ପାଦକଙ୍କ ମଧ୍ୟରେ ଭାଗିଦାରୀ

ବ୍ୟବହାରକାରୀ ଓ ଉତ୍ପାଦକଙ୍କ ମଧ୍ୟରେ ଭାଗିଦାରୀ ମାଧ୍ୟମରେ ରାଷ୍ଟ୍ରୀୟ ସୁରକ୍ଷା ଆହୁରି ମଜବୁତ ହୋଇପାରିବ । ପ୍ରତିରକ୍ଷା ନିର୍ମାଣ କେବଳ ସରକାରୀ ସଂସ୍ଥାଗୁଡ଼ିକ ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ, ବରଂ ଏଥିରେ ଘରୋଇ କ୍ଷେତ୍ରର ସମାନ ସହଯୋଗ ଓ ଭାଗିଦାରୀ ରହିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ନୂଆ ଭାରତର ନୂଆ ଲକ୍ଷ୍ୟ

ପ୍ରତିରକ୍ଷା ନିର୍ମାଣ ପାଇଁ ଭାରତରେ ଦୁଇଟି ବୃହତ କରିଡର ନିର୍ମାଣ କରାଯାଉଛି । ଗୋଟିଏ ତାମିଲନାଡୁରେ ଓ ଅନ୍ୟଟି ଉତ୍ତର ପ୍ରଦେଶରେ । ଉତ୍ତରପ୍ରଦେଶର ପ୍ରତିରକ୍ଷା କରିଡରରେ ଲକ୍ଷ୍ନୌ ବ୍ୟତୀତ ଆଲିଗଡ଼, ଆଗ୍ରା, ଝାନ୍ସି, ଚିତ୍ରକୂଟ ଓ କାନପୁରରେ ନୋଡ୍ସ ସ୍ଥାପିତ ହେବ । ଭାରତରେ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣକୁ ତ୍ୱରାନ୍ୱିତ କରିବା ପାଇଁ ନୂଆ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଆଗାମୀ ପାଞ୍ଚ ବର୍ଷରେ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଏମଏସଏମଇ ସଂଖ୍ୟା 15 ହଜାରରୁ ଅଧିକ କରିବା ଆମର ଲକ୍ଷ୍ୟ । ଆଇ-ଡିଇଏକ୍ସ ବିଚାର ବିକାଶ ପାଇଁ 2 ଶହ ନୂଆ ଷ୍ଟାର୍ଟ ଅପ୍ ଆରମ୍ଭ କରିବାର ଲକ୍ଷ୍ୟ ରହିଛି । ଏହି ପ୍ରୟାସ ଦ୍ୱାରା ଅତିକମରେ 50 ନୂଆ ପ୍ରଯୁକ୍ତି ଓ ଉତ୍ପାଦ ବିକଶିତ ହୋଇପାରିବ । ଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ ପାଇଁ ଏକ ମିଳିତ ମଞ୍ଚ ପ୍ରସ୍ତୁତ କରି ପ୍ରତିରକ୍ଷା କ୍ଷେତ୍ରରେ ପ୍ରଯୁକ୍ତି ବିକାଶ ଓ ଉତ୍ପାଦନ ଉଭୟର ଲାଭ ଉଠାନ୍ତୁ ବୋଲି ମୋର ପରାମର୍ଶ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Conferred With Uzbekistan's Highest Honour For Foreign Leaders

Media Coverage

PM Modi Conferred With Uzbekistan's Highest Honour For Foreign Leaders
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour