ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓସଲୋରେ ନରୱେର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଜୋନାସ୍ ଗାହର ଷ୍ଟୋରେଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଭାରତ-ନରୱେ ମଧ୍ୟରେ ଘନିଷ୍ଠ ସମ୍ପର୍କର ପ୍ରତୀକ ସ୍ୱରୂପ ଆଜି ସକାଳେ ଓସଲୋ ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଷ୍ଟୋରେ ସ୍ୱୟଂ ଭବ୍ୟ ସ୍ୱାଗତ କରିଥିଲେ।

ଉଭୟ ନେତା ଭାରତ-ନରୱେ ସମ୍ପର୍କର ସମସ୍ତ କ୍ଷେତ୍ର ଉପରେ ସମୀକ୍ଷା କରିଥିଲେ। ଏଥିରେ ବାଣିଜ୍ୟ ଓ ନିବେଶ, ଭାରତ-ଇଏଫଟିଏ (EFTA) ବାଣିଜ୍ୟ ଓ ଅର୍ଥନୈତିକ ସହଭାଗୀତା ଚୁକ୍ତିନାମା (TEPA)ର ବିକାଶ, ଜଳବାୟୁ କାର୍ଯ୍ୟାନୁଷ୍ଠାନ ଓ ଶକ୍ତି ପରିବର୍ତ୍ତନ, ନୀଳ ଅର୍ଥନୀତି ଓ ମହାସାଗର ଶାସନ, ଗବେଷଣା ଓ ଉଚ୍ଚଶିକ୍ଷା, ଆର୍କଟିକ ଓ ଧ୍ରୁବୀୟ ସହଯୋଗ, ମହାକାଶ ଏବଂ ପ୍ରତିଭା ଗତିଶୀଳତା ଆଦି ଅନ୍ତର୍ଭୁକ୍ତ ଥିଲା। ସେମାନେ ସ୍ଥିରତା ଏବଂ ସବୁଜ ଅଭିବୃଦ୍ଧି ପ୍ରତି ସେମାନଙ୍କର ସହଭାଗୀ ପ୍ରତିବଦ୍ଧତାକୁ ଗୁରୁତ୍ୱ ଦେଇ ଏକ ସବୁଜ ରଣନୈତିକ ସହଭାଗୀତାକୁ ଉନ୍ନୀତ କରିବାକୁ ସହମତ ହୋଇଥିଲେ।

ଉଭୟ ନେତା ସହମତ ହୋଇଥିଲେ ଯେ, ଅର୍ଥନୈତିକ ଏବଂ ବାଣିଜ୍ୟିକ ସହଭାଗୀତାକୁ ବୃଦ୍ଧି କରିବା ପାଇଁ ବିପୁଳ ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ଭାରତରେ ନରୱେର ଉଦ୍ୟୋଗଗୁଡ଼ିକ ଦ୍ୱାରା ଅଧିକ ନିବେଶକୁ ସ୍ୱାଗତ କରିଥିଲେ। ଦୁଇ ନେତା ୨୦୩୦ ମସିହା ସୁଦ୍ଧା ଭାରତ ଓ ନରୱେ ମଧ୍ୟରେ ବର୍ତ୍ତମାନର ବାଣିଜ୍ୟ ମୂଲ୍ୟକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ଉପରେ ଜୋର ଦେଇଥିଲେ ଏବଂ TEPA ଅନ୍ତର୍ଗତ ୧୦୦ ବିଲିୟନ ଆମେରିକୀୟ ଡଲାର ନିବେଶ ପ୍ରତିଶ୍ରୁତି ଓ ଭାରତରେ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ନିମନ୍ତେ ବିଭିନ୍ନ କ୍ଷେତ୍ରରେ ଗତିଶୀଳ ସମ୍ପର୍କ ସ୍ଥାପନ ପାଇଁ ବ୍ୟବସାୟିକ ପ୍ରତିନିଧିମାନଙ୍କୁ ଉତ୍ସାହିତ କରିଥିଲେ।

ଉଭୟ ନେତା ସେମାନଙ୍କ ଦଳଗୁଡ଼ିକୁ ନୀଳ ଅର୍ଥନୀତି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ସାମୁଦ୍ରିକ ପରିବେଶ ସୁରକ୍ଷା, ଜାହାଜ ନିର୍ମାଣ, ସବୁଜ ପରିବହନ, ସୁଡ଼ଙ୍ଗ ଏବଂ ଭିତ୍ତିଭୂମି, ମହାକାଶ, କୃତ୍ରିମ ବୁଦ୍ଧିମତା (AI), ରୋବୋଟିକ୍ସ, ସାଇବର ସୁରକ୍ଷା, ନାବିକ ପ୍ରଶିକ୍ଷଣ, ମତ୍ସ୍ୟପାଳନ ଓ ଜଳକୃଷି ଆଦି ଅନ୍ତର୍ଭୁକ୍ତ। ସେମାନେ UNCLOS ନୀତିଗୁଡ଼ିକୁ ଦୋହରାଇବା ସହିତ ନରୱେର ‘ଇଣ୍ଡୋ-ପାସିଫିକ୍ ଓସନ୍ସ ଇନିସିଏଟିଭ୍’ରେ ଯୋଗଦାନକୁ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ ୨୦୨୬ରେ ଫ୍ରାନ୍ସରେ ଅନୁଷ୍ଠିତ ହେବାକୁ ଥିବା ‘ଭାରତ ଇନୋଭେଟ୍ସ ୨୦୨୬’ରେ ଅଂଶଗ୍ରହଣ କରିବାକୁ ନରୱେକୁ ଆମନ୍ତ୍ରଣ କରିଥିଲେ। ସେ ଦୁଇ ଦେଶ ମଧ୍ୟରେ ଏକ ଷ୍ଟାର୍ଟ-ଅପ୍ ଇନୋଭେସନ୍ ହବ୍ ଏବଂ ଗ୍ରୀନ୍ ଇନୋଭେସନ୍ ହାକାଥନ୍ ସ୍ଥାପନ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ।

ପରିବେଶ ଓ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଯୋଗକୁ ଗୁରୁତ୍ୱାରୋପ କରି, ଉଭୟ ନେତା କାର୍ବନ କ୍ୟାପଚର, ବ୍ୟବହାର ଏବଂ ସଂରକ୍ଷଣ (CCUS), ଅଫଶୋର ୱିଣ୍ଡ ଏବଂ ଭାରତରେ ସ୍ୱଚ୍ଛ ଶକ୍ତି ପ୍ରକଳ୍ପରେ ନରୱେ ଦ୍ୱାରା ବୃହତ ନିବେଶ ଭଳି ନିଚ୍‌ ପ୍ରଯୁକ୍ତିବିଦ୍ୟାରେ ଅଧିକ ସହଯୋଗ ପାଇଁ ଆହ୍ୱାନ କରିଥିଲେ।

ଉଭୟ ନେତା ଆର୍କଟିକ୍‌ରେ ପରିବେଶ ସଚେତନ ପଦକ୍ଷେପକୁ ଅନୁସରଣ କରି ଧ୍ରୁବୀୟ ଗବେଷଣା ଓ ଲଜିଷ୍ଟିକ୍ସ ସହଯୋଗ ବୃଦ୍ଧି ପାଇଁ ସମ୍ମତ ହୋଇଥିଲେ। ସେମାନେ ନବୀକରଣୀୟ ଶକ୍ତି, ମହାସାଗର, ଜଳବାୟୁ, ସ୍ୱାସ୍ଥ୍ୟ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଓ ଆଇଟି ସମେତ ଗବେଷଣା ଏବଂ ନବସୃଜନରେ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଉଚ୍ଚଶିକ୍ଷା କ୍ଷେତ୍ରରେ, ସେମାନେ ମିଳିତ ଡିଗ୍ରୀ କାର୍ଯ୍ୟକ୍ରମ, ଯୋଗ୍ୟତାର ପାରସ୍ପରିକ ସ୍ୱୀକୃତି ଓ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ଗତିଶୀଳତା ବୃଦ୍ଧି ପାଇଁ ମଧ୍ୟ ସେମାନେ ଆଲୋଚନା କରିଥିଲେ।

ଉଭୟ ନେତା ବହୁପାକ୍ଷିକ ମଞ୍ଚରେ ସହଯୋଗ ବିଷୟରେ ମଧ୍ୟ ଆଲୋଚନା କରିଥିଲେ ଏବଂ ପାରସ୍ପରିକ ସ୍ୱାର୍ଥର ପ୍ରମୁଖ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ। ନରୱେ ପ୍ରଧାନମନ୍ତ୍ରୀ ଏକ ସଂସ୍କାରିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ନରୱେର ସମର୍ଥନକୁ ପୁନର୍ବାର ଦୋହରାଇଥିଲେ।

ଉଭୟ ନେତା ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାରର ଆତଙ୍କବାଦକୁ କଠୋର ଭାବରେ ନିନ୍ଦା କରିଥିଲେ ଏବଂ ଏହି ବିପଦର ମୁକାବିଲା ପାଇଁ ସମନ୍ୱିତ ବିଶ୍ୱସ୍ତରୀୟ ପଦକ୍ଷେପର ଆହ୍ୱାନ କରିଥିଲେ।

ସେମାନେ ପ୍ରତିରକ୍ଷା ସହଯୋଗ ଓ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ସହଯୋଗର ସମ୍ଭାବନା ଉପରେ ଆଲୋକପାତ କରିଥିଲେ, ଡିଜିଟାଲ୍ ପବ୍ଲିକ୍ ଗୁଡ୍ସ କ୍ଷେତ୍ରରେ ତୃତୀୟ ଦେଶ ସହ ସହଯୋଗର ସମ୍ଭାବନା ଅନୁସନ୍ଧାନ କରିବାକୁ ସହମତ ହୋଇଥିଲେ ଏବଂ ଡିଜିଟାଲ୍ ପରିବର୍ତ୍ତନକୁ ଆଗେଇ ନେବା ପାଇଁ ‘ଡିଜିଟାଲାଇଜେସନ୍’ ଉପରେ ଏକ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ (ଜଏଣ୍ଟ ୱର୍କିଙ୍ଗ ଗ୍ରୁପ୍) ଗଠନ କରିବାକୁ ସମ୍ପୃକ୍ତ ମନ୍ତ୍ରଣାଳୟଗୁଡ଼ିକୁ ଦାୟିତ୍ୱ ଦେଇଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ, ପ୍ରଧାନମନ୍ତ୍ରୀ ଷ୍ଟୋରେ ଏବଂ ନରୱେର ଜନସାଧାରଣଙ୍କୁ ସେମାନଙ୍କର ଭବ୍ୟ ଆତିଥ୍ୟ ପାଇଁ ଧନ୍ୟବାଦ ଜଣାଇଥିଲେ। ସେ ପ୍ରଧାନମନ୍ତ୍ରୀ ଷ୍ଟୋରେଙ୍କୁ ଭାରତ ଗସ୍ତ କରିବାକୁ ଆମନ୍ତ୍ରଣ କରିଥିଲେ। ଉଭୟ ନେତା ଉଚ୍ଚସ୍ତରୀୟ ସମ୍ପର୍କର ଆଦାନପ୍ରଦାନ ବଜାୟ ରଖିବାକୁ ସହମତ ହୋଇଥିଲେ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Give mothers, sisters their due rights’: PM Modi pushes for women's reservation from the ramparts of Red Fort

Media Coverage

‘Give mothers, sisters their due rights’: PM Modi pushes for women's reservation from the ramparts of Red Fort
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 16, 2026
August 16, 2026

Aatmanirbhar Ambitions Meet Global Alliances: The Modi Doctrine in Action