ମହାମହିମ,

ମୋର ବନ୍ଧୁ,

ଚାନ୍‌ସେଲର ଫ୍ରେଡରିକ୍‌ ମର୍ଜ, ଉଭୟ ଦେଶର ପ୍ରତିନିଧି ଓ ଗଣମାଧ୍ୟମ ସହକର୍ମୀଗଣ,

 

ନମସ୍କାର! ଗୁଟେନ୍ ଟ୍ୟାଗ୍!

 

ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ଆଜି ଭାରତରେ ଚାନସେଲର ମର୍ଜଙ୍କୁ ସ୍ୱାଗତ କରିବା ମୋ ପାଇଁ ଏକ ବିଶେଷ ଆନନ୍ଦର ମୁହୂର୍ତ୍ତ। ଏହା ଏକ ସୁଖଦ ସଂଯୋଗ ଯେ, ସ୍ୱାମୀ ବିବେକାନନ୍ଦ ଭାରତ ଏବଂ ଜର୍ମାନୀ ମଧ୍ୟରେ ଦର୍ଶନ, ଜ୍ଞାନ ଏବଂ ଆତ୍ମଚେତନାର ଏକ ସେତୁ ନିର୍ମାଣ କରିଥିଲେ। ଆଜି ଚାନସେଲର ମର୍ଜଙ୍କ ଗସ୍ତ ସେହି ସେତୁକୁ ନୂତନ ଶକ୍ତି, ନୂତନ ଆତ୍ମବିଶ୍ୱାସ ଏବଂ ନୂତନ ପରିସୀମା ପ୍ରଦାନ କରୁଛି। ଏହା କେବଳ ଭାରତ ନୁହେଁ ବରଂ ଏସିଆକୁ ଚାନ୍‌ସେଲର ଭାବରେ ତାଙ୍କର ପ୍ରଥମ ଗସ୍ତ। ଭାରତ ସହିତ ନିବିଡ଼ ସମ୍ପର୍କକୁ ସେ କେତେ ମାତ୍ରାରେ ଗୁରୁତ୍ୱ ଦିଅନ୍ତି ଏହା ତା’ର ଏକ ବଳିଷ୍ଠ ପ୍ରମାଣ। ମୁଁ ତାଙ୍କର ବ୍ୟକ୍ତିଗତ ଧ୍ୟାନ ଓ ପ୍ରତିବଦ୍ଧତା ପାଇଁ ତାଙ୍କୁ ଧନ୍ୟବାଦ ଜଣାଉଛି। ଭାରତ ଜର୍ମାନୀ ସହିତ ବନ୍ଧୁତା ଏବଂ ସହଭାଗୀତାକୁ ଆହୁରି ମଜଭୁତ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ। ଗୁଜୁରାଟରେ, ଆମେ କହୁଛୁ, "ଆଭକାରୋ ମିଠୋ ଆପଜେ ରେ," ଅର୍ଥାତ୍, "ସ୍ନେହ ଓ ଆତ୍ମୀୟତା ସହିତ ସ୍ୱାଗତ।" ଏହି ଭାବନା ​​ସହିତ, ଆମେ ଭାରତରେ ଚାନସେଲର ମର୍ଜଙ୍କୁ ସହୃଦୟତାର ସହିତ ସ୍ୱାଗତ କରୁଛୁ।

 

ବନ୍ଧୁଗଣ,

ଚାନସେଲର ମର୍ଜଙ୍କ ଏହି ଗସ୍ତ ଏକ ବିଶେଷ ସମୟରେ ହେଉଛି। ଗତ ବର୍ଷ, ଆମେ ଆମର ରଣନୈତିକ ସହଭାଗୀତାର ୨୫ ବର୍ଷ ପାଳନ କରିଥିଲୁ, ଏବଂ ଚଳିତ ବର୍ଷ, ଆମେ କୂଟନୈତିକ ସମ୍ପର୍କର ୭୫ ବର୍ଷ ମଧ୍ୟ ପାଳନ କରୁଛୁ। ଏହି ମାଇଲଖୁଣ୍ଟଗୁଡ଼ିକ କେବଳ ସମୟର ସାଧନା ନୁହେଁ; ଏଗୁଡ଼ିକ ଆମର ସମାନ ମହତ୍ତ୍ୱାକାଂକ୍ଷା, ପାରସ୍ପରିକ ଭରସା ଏବଂ ନିରନ୍ତର ସୁଦୃଢ଼ ​​ହେଉଥିବା ସହଯୋଗର ପ୍ରତୀକ। ଭାରତ ଓ ଜର୍ମାନୀ ଭଳି ଦେଶର ଅର୍ଥନୀତି ମଧ୍ୟରେ ନିବିଡ ସହଯୋଗ ସମଗ୍ର ମାନବଜାତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବାଣିଜ୍ୟ ଓ ନିବେଶ ସମ୍ପର୍କ ବୃଦ୍ଧି ପାଇବା ଆମର ରଣନୈତିକ ସହଭାଗୀତାକୁ ନୂତନ ପ୍ରେରଣା ଦେଇଛି। ଆମର ଦ୍ୱିପାକ୍ଷିକ ବାଣିଜ୍ୟ ଏପର୍ଯ୍ୟନ୍ତ ଶୀର୍ଷ ସ୍ତରରେ ପହଞ୍ଚିଛି ଏବଂ ୫୦ ବିଲିୟନ ଡଲାରର ସୀମାକୁ ଅତିକ୍ରମ କରିଛି। ଦୁଇ ହଜାରରୁ ଅଧିକ ଜର୍ମାନ କମ୍ପାନୀର ଦୀର୍ଘ ସମୟ ଧରି ଭାରତରେ ଉପସ୍ଥିତି ରହିଛି। ଏହା ଭାରତ ପ୍ରତି ତାଙ୍କର ଅତୁଟ ବିଶ୍ୱାସ ଓ ଏଠାରେ ଥିବା ଅକଳ୍ପନୀୟ ସମ୍ଭାବନାକୁ ପ୍ରତିଫଳିତ କରେ। ଆଜି ସକାଳେ ଭାରତ-ଜର୍ମାନୀ ସିଇଓ ଫୋରମରେ ଏହାର ସ୍ପଷ୍ଟ ଝଲକ ଦେଖିବାକୁ ମିଳିଥିଲା।

 

ବନ୍ଧୁଗଣ,

ଭାରତ ଓ ଜର୍ମାନୀ ମଧ୍ୟରେ ପ୍ରଯୁକ୍ତି ସହଯୋଗ ପ୍ରତିବର୍ଷ ଅଧିକ ସୁଦୃଢ଼ ହୋଇଆସୁଛି, ଏବଂ ଆଜି ଏହାର ପ୍ରଭାବ ତ୍ରୂଣମୂଳସ୍ତରରେ ସ୍ପଷ୍ଟ ଭାବେ ଦେଖାଯାଉଛି। ନବୀକରଣଯୋଗ୍ୟ ଉର୍ଜା କ୍ଷେତ୍ରରେ ଭାରତ ଓ ଜର୍ମାନୀର ପ୍ରାଥମିକତାଗୁଡ଼ିକ ସମାନ। ଏହି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ପାଇଁ, ଆମେ ଏକ ଭାରତ-ଜର୍ମାନୀ ଉତ୍କର୍ଷ କେନ୍ଦ୍ର (India–Germany Centre of Excellence) ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛୁ। ଏହା ଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ପାଇଁ ଏକ ସାଧାରଣ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ। ଆମେ ଜଳବାୟୁ, ଶକ୍ତି, ସହରାଞ୍ଚଳ ବିକାଶ ଏବଂ ସହରାଞ୍ଚଳ ଗତିଶୀଳତା ଭଳି କ୍ଷେତ୍ରରେ ମିଳିତ ଭାବରେ ନୂତନ ପ୍ରକଳ୍ପଗୁଡ଼ିକୁ ଆଗକୁ ବଢ଼ାଉଛୁ। ସବୁଜ ହାଇଡ୍ରୋଜେନ କ୍ଷେତ୍ରରେ ଉଭୟ ଦେଶର କମ୍ପାନୀଗୁଡ଼ିକୁ ସାମିଲ କରି ଏକ ନୂତନ ମେଗା ପ୍ରକଳ୍ପ ଶକ୍ତି ଭବିଷ୍ୟତ ପାଇଁ ଏକ ଗେମ୍-ଚେଞ୍ଜର ସାବ୍ୟସ୍ତ ହେବ। ଭାରତ ଓ ଜର୍ମାନୀ ସୁରକ୍ଷିତ, ବିଶ୍ୱସ୍ତ ଏବଂ ସ୍ଥିର ଯୋଗାଣ ଶୃଙ୍ଖଳ ଗଠନ ପାଇଁ ଏକାଠି କାମ କରୁଛନ୍ତି। ଏହି ସମସ୍ତ ବିଷୟ ଉପରେ ଆଜି ସ୍ୱାକ୍ଷରିତ ହେଉଥିବା ବୁଝାମଣାପତ୍ର ଆମର ସହଯୋଗକୁ ନୂତନ ଶକ୍ତି ଓ ପ୍ରେରଣା ପ୍ରଦାନ କରିବ।

 

ବନ୍ଧୁଗଣ,

ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ବୃଦ୍ଧି ପାଉଥିବା ସହଯୋଗ ଆମର ପାରସ୍ପରିକ ବିଶ୍ୱାସ ଏବଂ ସମାନ ଚିନ୍ତାଧାରାର ପ୍ରମାଣ। ପ୍ରତିରକ୍ଷା ବ୍ୟାପାର ସହିତ ସଂପୃକ୍ତ ପ୍ରକ୍ରିୟାଗୁଡ଼ିକୁ ସରଳ କରିବା ପାଇଁ ମୁଁ ଚାନସେଲର ମର୍ଜଙ୍କୁ ସହୃଦୟତାର ସହିତ କୃତଜ୍ଞତା ଜ୍ଞାପନ କରୁଛି। ଆମେ ପ୍ରତିରକ୍ଷା ଶିଳ୍ପଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି କରିବା ପାଇଁ ଏକ ରୋଡମ୍ୟାପ୍ ଉପରେ ମଧ୍ୟ କାମ କରିବୁ, ଯାହା ସହ-ବିକାଶ ଏବଂ ସହ-ଉତ୍ପାଦନ ପାଇଁ ନୂତନ ସୁଯୋଗ ଉନ୍ମୁକ୍ତ କରିବ।

 

ବନ୍ଧୁଗଣ,

ଭାରତ ଏବଂ ଜର୍ମାନୀର ଐତିହାସିକ ଏବଂ ଗଭୀର ଲୋକ-ମାନବ (people-to-people) ସମ୍ପର୍କ ରହିଛି। ରବୀନ୍ଦ୍ରନାଥ ଟାଗୋରଙ୍କ ରଚନାଗୁଡ଼ିକ ଜର୍ମାନୀର ବୌଦ୍ଧିକ ଜଗତକୁ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରିଥିଲା। ସ୍ୱାମୀ ବିବେକାନନ୍ଦଙ୍କର ବିଚାରଧାରା ଜର୍ମାନୀ ସମେତ ସମଗ୍ର ଇଉରୋପକୁ ପ୍ରେରଣା ଦେଇଥିଲା ଏବଂ ମ୍ୟାଡାମ୍ କାମା ଜର୍ମାନୀରେ ପ୍ରଥମଥର ପାଇଁ ଭାରତର ସ୍ୱାଧୀନତାର ପତାକା ଉତ୍ତୋଳନ କରି, ଆମ ସ୍ୱାଧୀନତାର ଆକାଂକ୍ଷାକୁ ବିଶ୍ୱସ୍ତରୀୟ ମାନ୍ୟତା ଦେଇଥିଲେ। ଆଜି, ଆମେ ଏହି ଐତିହାସିକ ସଂଯୋଗକୁ ଏକ ଆଧୁନିକ ସହଭାଗୀତାରେ ପରିଣତ କରୁଛୁ। ପ୍ରବାସ, ଗତିଶୀଳତା ଏବଂ ଦକ୍ଷତା ବୃଦ୍ଧି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଭାରତର ପ୍ରତିଭାବାନ ଯୁବପିଢ଼ି ଜର୍ମାନୀର ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଉଛନ୍ତି। ବିଶ୍ୱ ଦକ୍ଷତା ସହଭାଗୀତା ଉପରେ ଆଜି ଜାରି ହୋଇଥିବା ମିଳିତ ଆଗ୍ରହ ଘୋଷଣାନାମା ଏହି ବିଶ୍ୱାସର ପ୍ରତୀକ। ଏହା ବିଶେଷ କରି ସ୍ୱାସ୍ଥ୍ୟସେବା ବୃତ୍ତିଗତଙ୍କ ଗତିବିଧିକୁ ସହଜ କରିବ। ଆଜି, ଆମେ କ୍ରୀଡା କ୍ଷେତ୍ରରେ ସହଯୋଗକୁ ଆଗକୁ ବଢ଼ାଇବା ପାଇଁ ମଧ୍ୟ ସୁଦୃଢ ପଦକ୍ଷେପ ନେଇଛୁ। ଏହା ଯୁବପିଢ଼ିଙ୍କୁ ସଂଯୋଗ କରିବା ପାଇଁ ଏକ ପ୍ରଭାବଶାଳୀ ମାଧ୍ୟମ ହେବ। ଉଚ୍ଚଶିକ୍ଷା କ୍ଷେତ୍ରରେ ଆଜି ଘୋଷଣା କରାଯାଇଥିବା ବ୍ୟାପକ ରୋଡମ୍ୟାପ୍ ଏହି କ୍ଷେତ୍ରରେ ଆମର ସହଭାଗୀତାକୁ ଏକ ନୂତନ ଦିଗଦର୍ଶନ ଦେବ। ମୁଁ ଜର୍ମାନ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଭାରତରେ ସେମାନଙ୍କର କ୍ୟାମ୍ପସ ଖୋଲିବା ପାଇଁ ଆମନ୍ତ୍ରଣ କରୁଛି। ଭାରତୀୟ ନାଗରିକଙ୍କ ପାଇଁ ଭିସା-ମୁକ୍ତ ପରିବହନ ଘୋଷଣା କରିଥିବାରୁ ମୁଁ ଚାନସେଲର ମର୍ଜଙ୍କୁ କୃତଜ୍ଞତା ଜଣାଉଛି। ଏହା ଆମ ଦୁଇ ଦେଶର ଲୋକଙ୍କ ମଧ୍ୟରେ ଘନିଷ୍ଠତାକୁ ଆହୁରି ସୁଦୃଢ କରିବ। ମୁଁ ଅତ୍ୟନ୍ତ ଆନନ୍ଦିତ ଯେ, ଜର୍ମାନ ସାମୁଦ୍ରିକ ସଂଗ୍ରହାଳୟକୁ ଗୁଜୁରାଟର ଲୋଥାଲରେ ନିର୍ମିତ ଜାତୀୟ ସାମୁଦ୍ରିକ ଐତିହ୍ୟ ସଂକଳନ ସହିତ ସଂଯୋଗ କରାଯାଉଛି। ଏହା ଉଭୟ ଦେଶର ସାମୁଦ୍ରିକ ଇତିହାସକୁ ସଂଯୋଗ କରୁଥିବା ଏକ ଐତିହାସିକ ପଦକ୍ଷେପ। ପାରମ୍ପରିକ ଔଷଧ କ୍ଷେତ୍ରରେ ଗୁଜୁରାଟ ଆୟୁର୍ବେଦ ବିଶ୍ୱବିଦ୍ୟାଳୟ ଜର୍ମାନୀ ସହିତ ଘନିଷ୍ଠ ସହଯୋଗ କରିଆସିଛି। ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଜି ସ୍ୱାକ୍ଷରିତ ବୁଝାମଣାପତ୍ର ଆମର ସହଯୋଗକୁ ଆହୁରି ମଜଭୁତ କରିବ।

 

ବନ୍ଧୁଗଣ,

ଭାରତ ଏବଂ ଜର୍ମାନୀ ସର୍ବଦା କାନ୍ଧକୁ କାନ୍ଧ ମିଳାଇ ଆଗେଇ ଆସିଛନ୍ତି। ଆମର ବନ୍ଧୁତାର ପ୍ରଭାବ ବିଶ୍ୱ ସ୍ତରରେ ମଧ୍ୟ ସ୍ପଷ୍ଟ ଭାବେ ପ୍ରତିଫଳିତ ହୁଏ। ଘାନା, କାମେରୁନ ଏବଂ ମାଲାୱି ଭଳି ଦେଶରେ ମିଳିତ ପ୍ରକଳ୍ପ ସହିତ ଆମର ତ୍ରିପାକ୍ଷିକ ବିକାଶ ସହଭାଗୀତା ବିଶ୍ୱ ପାଇଁ ଏକ ସଫଳ ମଡେଲ। ଗ୍ଲୋବାଲ୍ ସାଉଥ୍‌ ଦେଶଗୁଡ଼ିକର ଉନ୍ନତି ପାଇଁ ଆମେ ଆମର ମିଳିତ ପ୍ରୟାସ ଜାରି ରଖିବୁ। ଭାରତ-ପ୍ରଶାନ୍ତ ମହାସାଗର ଉଭୟ ଦେଶ ପାଇଁ ଏକ ଉଚ୍ଚ ପ୍ରାଥମିକତାର ବିଷୟ। ଆମେ ଏହି କ୍ଷେତ୍ରରେ ଆମର ସମନ୍ୱୟ ବୃଦ୍ଧି କରିବା ପାଇଁ ଏକ ପରାମର୍ଶ ବ୍ୟବସ୍ଥା ଆରମ୍ଭ କରୁଛୁ। ଆଜି, ଆମେ ୟୁକ୍ରେନ ଓ ଗାଜା ସମେତ ଅନେକ ବିଶ୍ୱ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଛୁ। ଭାରତ ସଦା ସର୍ବଦା ସମସ୍ତ ସମସ୍ୟା ଓ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନରେ ସହମତ ହୋଇଆସିଛି ଏବଂ ଏହି ଦିଗରେ ହେଉଥିବା ସମସ୍ତ ପ୍ରୟାସକୁ ସମର୍ଥନ କରୁଛି। ଆମେ ଏକମତ ଯେ, ଆତଙ୍କବାଦ ସମଗ୍ର ମାନବ ଜାତି ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରେ। ଭାରତ ଓ ଜର୍ମାନୀ ଏକତ୍ରିତ ଏବଂ ଦୃଢ଼ ଭାବରେ ଏହା ବିରୋଧରେ ଲଢ଼ିବା ଜାରି ରଖିବେ। ଭାରତ ଏବଂ ଜର୍ମାନୀ ସହମତ ଯେ, ବିଶ୍ୱ ଆହ୍ଵାନର ମୁକାବିଲା ପାଇଁ ବିଶ୍ୱ ପ୍ରତିଷ୍ଠାନର ସଂସ୍କାର ଅତ୍ୟନ୍ତ ଆବଶ୍ୟକ। ଜାତିସଂଘ ସୁରକ୍ଷା ପରିଷଦକୁ ସଂସ୍କାର କରିବା ଦିଗରେ ଜି-୪ ମାଧ୍ୟମରେ ଆମର ମିଳିତ ପ୍ରୟାସ ଏହି ଚିନ୍ତାଧାରାର ସ୍ପଷ୍ଟ ପ୍ରମାଣ।

 

ମହାମହିମ,

୧୪୦ କୋଟି ଭାରତବାସୀଙ୍କ ପକ୍ଷରୁ, ମୁଁ ପୁଣି ଥରେ ଆପଣଙ୍କୁ ଭାରତରେ ସହୃଦୟତାର ସହିତ ସ୍ୱାଗତ କରୁଛି। ମୋର ପୂର୍ଣ୍ଣ ବିଶ୍ୱାସ ରହିଛି ଯେ, ଆଜିର ଆଲୋଚନା ଭାରତ-ଜର୍ମାନୀ ସହଭାଗୀତାକୁ ନୂତନ ଶକ୍ତି ଏବଂ ସ୍ପଷ୍ଟ ଦିଗଦର୍ଶନ ପ୍ରଦାନ କରିବ। ଆପଣଙ୍କ ଗସ୍ତ, ଆପଣଙ୍କ ବ୍ୟକ୍ତିଗତ ସଂଲଗ୍ନତା ଏବଂ ଭାରତ ପ୍ରତି ଆପଣଙ୍କ ଅନ୍ତରଙ୍ଗ ବନ୍ଧୁତା ପାଇଁ ମୁଁ ଆପଣଙ୍କୁ ଆନ୍ତରିକ ଭାବରେ ଧନ୍ୟବାଦ ଜଣାଉଛି।

 

ଦାକେ ଶୋନ୍‌।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Mahatma Ayyankali on his birth anniversary
August 28, 2026

The Prime Minister, Shri Narendra Modi, has paid homage to Mahatma Ayyankali on his birth anniversary, today. Shri Modi remembered Mahatma Ayyankali as a great pioneer of social justice, who dedicated his life to the empowerment and welfare of the marginalised. The Prime Minister highlighted his efforts to secure educational opportunities for the marginalised, improve the lives of agricultural workers and serve the poor.

The Prime Minister posted on X:

Paying homage to Mahatma Ayyankali on his birth anniversary!

He is remembered as a great pioneer of social justice. His efforts to secure educational opportunities for the marginalised, improve the lives of agricultural workers and serve the poor remain very inspiring. His life gives strength to all those working for social empowerment.