‘‘ସମାଜର ଅନ୍ତିମ ସୋପାନରେ ବ୍ୟାଙ୍କ ସେବା ପହଞ୍ଚାଇବା ଲାଗି ଆମେ ସର୍ବାଧିକ ପ୍ରାଥମିକତା ଦେଇ ଆସିଛୁ’’
‘‘ଡିଜିଟାଲ ସହଭାଗିତା ସହିତ ଆର୍ଥିକ ସହଭାଗିତା ମିଶିଲେ ସମ୍ଭାବନାର ଏକ ନୂଆ ଦୁନିଆ ଉନ୍ମୁକ୍ତ ହୋଇଥାଏ’’
‘‘ଆଜି ଭାରତରେ ପ୍ରତି ୧ ଲକ୍ଷ ନାଗରିକଙ୍କ ପିଛା ବ୍ୟାଙ୍କ ଶାଖାଗୁଡ଼ିକର ସଂଖ୍ୟା ଜର୍ମାନୀ, ଚୀନ ଓ ଦକ୍ଷିଣ ଆଫ୍ରିକା ଭଳି ଦେଶ ଠାରୁ ଅଧିକ’’
‘‘ଭାରତର ଡିଜିଟାଲ ବ୍ୟାଙ୍କିଙ୍ଗ ଭିତ୍ତିଭୂମିକୁ ପ୍ରଶଂସା କରିଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି’’
‘‘ଏପରିକି ଡିଜିଟାଲକରଣ ମାଧ୍ୟମରେ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା କ୍ଷେତ୍ରରେ ଭାରତ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଥିବା କହି ପ୍ରଶଂସା କରିଛି ବିଶ୍ବ ବ୍ୟାଙ୍କ’’
‘‘ଆଜିର ବ୍ୟାଙ୍କିଙ୍ଗ ଆର୍ଥିକ କାରବାର ଠାରୁ ଊର୍ଦ୍ଧ୍ବକୁ ଯାଇ ‘ଉତ୍ତମ ପ୍ରଶାସନ’ ଏବଂ ‘ଉନ୍ନତ ସେବା ବିତରଣ’ର ଏକ ମାଧ୍ୟମ ପାଲଟିଛି’’
‘‘ଦେଶରେ ଜନଧନ ଆକାଉଣ୍ଟ ଆର୍ଥିକ ଅନ୍ତର୍ଭୂକ୍ତିକରଣର ମୂଳଦୁଆ ପ୍ରତିଷ୍ଠା କରିଥିଲା ବେଳେ ଫିନଟେକ ଆର୍ଥିକ ବିପ୍ଳବ ପାଇଁ ଆଧାର ସାଜିବାକୁ ଯାଉଛି’’
‘‘ଆଜି ସାରା ଦେଶ ଜନ ଧନ ବ୍ୟାଙ୍କ ଆକାଉଣ୍ଟର ଶକ୍ତିକୁ ଅନୁଭବ କରିପାରୁଛି’’
‘‘କୌଣସି ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସୁଦୃଢ଼ ହୋଇଥିଲେ ସେହି ଦେଶର ଅର୍ଥବ୍ୟବସ୍ଥା ପ୍ରଗତିଶୀଳ ହୋଇଥାଏ’’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଦେଶର ୭୫ଟି ଜିଲ୍ଲାରେ ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ୍‌ (ଡିବିୟୁ)କୁ ରାଷ୍ଟ୍ରକୁ ସମର୍ପିତ କରିଛନ୍ତି ।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ (ଡିବିୟୁ) ଦେଶରେ ଆର୍ଥିକ ଅନ୍ତର୍ଭୂକ୍ତିକରଣକୁ ଆହୁରି ବଢ଼ାଇବା ସହିତ ନାଗରିକମାନଙ୍କର ବ୍ୟାଙ୍କ ଅନୁଭୂତିକୁ ବିସ୍ତାରିତ କରିବ। ‘‘ସାଧାରଣ ନାଗରିକଙ୍କ ଜୀବନଧାରଣକୁ ସହଜ କରିବା ଦିଗରେ ଡିବିୟୁ ଏକ ବୃହତ ପଦକ୍ଷେପ’’, ସେ କହିଥିଲେ। ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଏଭଳି ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଜରିଆରେ ସରକାର ସର୍ବନିମ୍ନ ଭିତ୍ତିଭୂମି ମାଧ୍ୟମରେ ସର୍ବାଧିକ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି । କୌଣସି କାଗଜପତ୍ର କାମ ବିନା ସମ୍ପୂର୍ଣ୍ଣ ଡିଜିଟାଲ ମାଧ୍ୟମରେ ଏସବୁ କାର୍ଯ୍ୟ କରାଯିବ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏକ ମଜବୁତ ଏବଂ ନିରାପଦ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହିତ ଏହା ବ୍ୟାଙ୍କିଙ୍ଗ ପଦ୍ଧତିକୁ ସରଳ କରିବ। ଛୋଟ ସହର ଏବଂ ଗାଁରେ ରହୁଥିବା ଲୋକମାନେ ଟଙ୍କା ପଠାଇବା ଠାରୁ ଆରମ୍ଭ କରି ଋଣ ସୁବିଧା ପାଇପାରିବେ। ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ ଭାରତରେ ସାଧାରଣ ଲୋକଙ୍କ ଜୀବନକୁ ସହଜ କରିବା ଲାଗି ହେଉଥିବା ପ୍ରୟାସ ଦିଗରେ ଆଉ ଏକ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାରଙ୍କ ଲକ୍ଷ୍ୟ ହେଉଛି ସାଧାରଣ ନାଗରିକମାନଙ୍କୁ ସଶକ୍ତ ଓ କ୍ଷମତାସମ୍ପନ୍ନ କରିବା। ସମାଜର ଅନ୍ତିମ ବ୍ୟକ୍ତିର କଲ୍ୟାଣକୁ ଦୃଷ୍ଟିରେ ରଖି ଦେଶରେ ନୀତି ପ୍ରଣୟନ କରାଯାଉଛି ଏବଂ ସମ୍ପୂର୍ଣ୍ଣ ସରକାରୀ ବ୍ୟବସ୍ଥା ସେମାନଙ୍କର କଲ୍ୟାଣ ପାଇଁ କାର୍ଯ୍ୟ କରୁଛି । ସରକାର ସମାନ୍ତରାଳ ଭାବେ କାର୍ଯ୍ୟ କରୁଥିବା ଦୁଇଟି କ୍ଷେତ୍ର ସମ୍ପର୍କରେ ସେ ସୂଚନା ଦେଇଥିଲେ। ପ୍ରଥମତଃ ସଂସ୍କାର, ସୁଦୃଢ଼ ବ୍ୟବସ୍ଥା ଏବଂ ବ୍ୟାଙ୍କିଙ୍ଗ ପ୍ରଣାଳୀକୁ ପାରଦର୍ଶୀ କରିବା ଦିଗରେ ପଦକ୍ଷେପ ନିଆଯାଉଛି । ଦ୍ବିତୀୟତଃ ଆର୍ଥିକ ଅନ୍ତର୍ଭୂକ୍ତିକରଣ ପାଇଁ ପ୍ରୟାସ କରାଯାଉଛି ।

ଅତୀତର ପାରମ୍ପରିକ ପଦ୍ଧତି ବିଷୟରେ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବରୁ ଲୋକମାନଙ୍କୁ ବ୍ୟାଙ୍କ ନିକଟକୁ ଯିବାକୁ ପଡ଼ୁଥିଲା, କିନ୍ତୁ ଏବେ ଏହି ଦୃଷ୍ଟିକୋଣ ବଦଳିଛି ଏବଂ ଲୋକମାନଙ୍କ ନିକଟରେ ବ୍ୟାଙ୍କ ପହଞ୍ଚି ପାରୁଛି । ‘‘ଅନ୍ତିମ ସୋପାନରେ ଥିବା ଲୋକଙ୍କ ପାଖରେ ବ୍ୟାଙ୍କ ସେବା ପହଞ୍ଚାଇବା ସୁନିଶ୍ଚିତ କରିବା ଲାଗି ଆମେ ପ୍ରାଥମିକତା ଦେଉଛୁ,’’ ସେ କହିଥିଲେ । ଗତ କିଛି ବର୍ଷ ମଧ୍ୟରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆସିଛି । ପୂର୍ବରୁ ଗରିବ ଲୋକଙ୍କୁ ବ୍ୟାଙ୍କ ନିକଟକୁ ଯିବାକୁ ପଡ଼ୁଥିଲା, ଏବେ କିନ୍ତୁ ଗରିବ ଲୋକଙ୍କ ଘର ପାଖରେ ବ୍ୟାଙ୍କ ପହଞ୍ଚି ପାରିଛି । ଏହା ବ୍ୟାଙ୍କ ଏବଂ ଗରିବ ଲୋକଙ୍କ ମଧ୍ୟରେ ରହିଥିବା ଦୂରତାକୁ ସମାପ୍ତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ, ଆମେ କେବଳ ଭୌତିକ ଦୂରତା ସମାପ୍ତ କରି ନାହୁଁ, ବରଂ ଆହୁରି ଗୁରୁତ୍ବପୂର୍ଣ୍ଣ, ମାନସିକ ଦୂରତା ମଧ୍ୟ ହଟେଇ ଦେଇଛୁ । ଦୂରବର୍ତ୍ତୀ, ଉପାନ୍ତ କ୍ଷେତ୍ରରେ ବ୍ୟାଙ୍କ ସେବା ପହଞ୍ଚାଇବା ଲାଗି ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି । ପ୍ରଧାନମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଥିଲେ ଯେ ଆଜି, ଦେଶର ୯୯ ପ୍ରତିଶତରୁ ଅଧିକ ଗ୍ରାମରେ ବ୍ୟାଙ୍କ ଶାଖା, ବ୍ୟାଙ୍କିଙ୍ଗ ଆଉଟଲେଟ୍‌ କିମ୍ବା ‘ଏକ ବ୍ୟାଙ୍କିଙ୍ଗ ମିତ୍ର’ ସୁବିଧା ୫ କିଲୋମିଟରରୁ କମ ପରିଧି ମଧ୍ୟରେ ରହିଛି । ସାଧାରଣ ନାଗରିକମାନଙ୍କର ବ୍ୟାଙ୍କ ଆବଶ୍ୟକତାକୁ ପୂରଣ କରିବା ଲାଗି ଇଣ୍ଡିଆ ପୋଷ୍ଟ ବ୍ୟାଙ୍କ ଜରିଆରେ ବ୍ୟାପକ ପୋଷ୍ଟ ଅଫିସ ନେଟୱାର୍କକୁ ଉପଯୋଗ କରାଯାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ଆଜି ଭାରତରେ ପ୍ରତି ଏକ ଲକ୍ଷ ପ୍ରାପ୍ତବୟସ୍କ ନାଗରିକଙ୍କ ପିଛା ବ୍ୟାଙ୍କ ଶାଖାର ସଂଖ୍ୟା ଜର୍ମାନୀ, ଚୀନ ଓ ଦକ୍ଷିଣ ଆଫ୍ରିକା ଭଳି ଦେଶ ଠାରୁ ଅଧିକ ରହିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରାରମ୍ଭରେ କେତେକ ବର୍ଗ ଭ୍ରାନ୍ତଧାରଣା ସୃଷ୍ଟି କରିବା ସର୍ତ୍ତ୍ବେ, ଆଜି ସାରା ଦେଶର ଜନ ଧନ ବ୍ୟାଙ୍କ ଆକାଉଣ୍ଟର ଶକ୍ତି ଓ ସାମର୍ଥ୍ୟକୁ ଅନୁଭବ କରିପାରୁଛି । ସେ ଏହି ଅବସରରେ ସୂଚନା ଦେଇ କହିଥିଲେ ଯେ ଏହି ବ୍ୟାଙ୍କ ଆକାଉଣ୍ଟଗୁଡ଼ିକ ଜରିଆରେ ବଞ୍ଚିତ ନାଗିରକମାନଙ୍କୁ ଅତି କମ ଟଙ୍କାର ପ୍ରିମିୟମରେ ବୀମା ଯୋଗାଇ ଦେବାରେ ସରକାର ସକ୍ଷମ ହୋଇପାରୁଛନ୍ତି । ବିନା ବନ୍ଧକରେ ଗରିବଙ୍କୁ ଋଣ ଯୋଗାଇ ଦେବା ଏବଂ ବିଭିନ୍ନ ସରକାରୀ ଯୋଜନାର ନିର୍ଦ୍ଦିଷ୍ଟ ହିତାଧିକାରୀଙ୍କୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର କରିବାରେ ଏସବୁ ବ୍ୟାଙ୍କ ଆକାଉଣ୍ଟ ସହାୟକ ହୋଇଥିବା ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ଏସବୁ ଆକାଉଣ୍ଟଗୁଡ଼ିକ ମାଧ୍ୟମରେ ଘର, ଶୌଚାଳୟ ନିର୍ମାଣ ପାଇଁ ସହାୟତା, ଗ୍ୟାସ ସବସିଡି, ଚାଷୀଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଯୋଜନାର ଲାଭ ବାଧାମୁକ୍ତ ଭାବେ ଲକ୍ଷିତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାରେ ସୁଫଳ ମିଳିପାରିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର ଡିଜିଟାଲ ବ୍ୟାଙ୍କିଙ୍ଗ ଭିତ୍ତିଭୂମିକୁ ବିଶ୍ବସ୍ତରରେ ମାନ୍ୟତା ମିଳିଛି । ଭାରତର ଡିଜିଟାଲ ବ୍ୟାଙ୍କିଙ୍ଗ ଭିତ୍ତିଭୂମିକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପ୍ରଶଂସା କରିଛି । ଏହାର ଶ୍ରେୟ ଦେଶର ଗରିବ, ଚାଷୀ ଓ ଶ୍ରମିକମାନେ ପାଇବା ଲାଗି ହକଦାର, ଯେଉଁମାନେ ନୂଆ ପ୍ରଯୁକ୍ତିକୁ ଗ୍ରହଣ କରିଛନ୍ତି ଏବଂ ଏହାକୁ ସେମାନଙ୍କ ଜୀବନର ଏକ ଅଂଶବିଶେଷରେ ପରିଣତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ୟୁପିଆଇ ଭାରତ ପାଇଁ ନୂଆ ସମ୍ଭାବନା ଉନ୍ମୁକ୍ତ କରିଛି । ଡିଜିଟାଲ ସହଭାଗିତା ସହିତ ଆର୍ଥିକ ସହଭାଗିତା ମିଶିଲେ ସମ୍ଭାବନାର ଏକ ନୂଆ ଦୁନିଆ ଉନ୍ମୁକ୍ତ ହୋଇଥାଏ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହାର ସବୁଠୁ ବଡ଼ ଉଦାହରଣ ୟୁପିଆଇ ଆକାରରେ ଆମ ଆଗରେ ରହିଛି । ୟୁପିଆଇ ବିଶ୍ବସ୍ତରରେ ଏପରି ପ୍ରଥମ ପ୍ରଯୁକ୍ତି ହୋଇଥିବାରୁ ଭାରତ ଏହାକୁ ନେଇ ଗର୍ବିତ । ସେ ସୂଚନା ଦେଇଥିଲେ ଯେ, ବର୍ତ୍ତମାନ ଦେଶଷର ୭୦ କୋଟି ସ୍ବଦେଶୀ ରୂପେ କାର୍ଡ ପ୍ରଚଳନ ହେଉଛି । ଏକଦା ଏହି କ୍ଷେତ୍ରରେ କେବଳ ବିଦେଶୀ କମ୍ପାନୀମାନଙ୍କ ପ୍ରଭାବ ରହିଥିଲା ଏବଂ ଏକ ନିର୍ଦ୍ଦିଷ୍ଟ ବର୍ଗ ଏହାକୁ ବ୍ୟବହାର କରିପାରୁଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଯୁକ୍ତି ଏବଂ ଅର୍ଥବ୍ୟବସ୍ଥାର ଏହି ମିଶ୍ରଣ ଗରିବମାନଙ୍କ ସମ୍ମାନ ଓ ସୁବିଧା ବୃଦ୍ଧି କରିବା ସହିତ ମଧ୍ୟବିତ୍ତଙ୍କୁ ସଶକ୍ତ କରୁଛି । ଅନ୍ୟପକ୍ଷରେ ଏହା ଦେଶରେ ରହିଥିବା ଡିଜିଟାଲ ବ୍ୟବଧାନକୁ ଦୂର କରୁଛି । ଦୁର୍ନୀତି ଦୂର କରିବା କ୍ଷେତ୍ରରେ ଡିବିଟିର ଭୂମିକାକୁ ପ୍ରଶଂସା କରି ଶ୍ରୀ ମୋଦୀ କହିଥିଲେ ଯେ ଡିବିଟି ଜରିଆରେ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ ୨୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ହସ୍ତାନ୍ତର କରାଯାଇପାରିଛି । ସେ ସୂଚନା ଦେଇଥିଲେ ଯେ, ଆସନ୍ତାକାଲି ସେ ଚାଷୀଙ୍କୁ କିସାନ ସମ୍ମାନ ନିଧିର ପରବର୍ତ୍ତୀ କିସ୍ତି ଡିବିଟି ମାଧ୍ୟମରେ ଜାରି କରିବେ । ଆଜି ସାରା ଦୁନିଆ ଡିବିଟି ଏବଂ ଭାରତର ଡିଜିଟାଲ ଶକ୍ତିକୁ ପ୍ରଶଂସା କରୁଛି । ଆଜି ଏହାକୁ ଏକ ବିଶ୍ବସ୍ତରୀୟ ମଡେଲ ଭାବେ ଦେଖାଯାଉଛି । ଡିଜିଟାଲକରଣ ମାଧ୍ୟମରେ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଭାରତ ଅନ୍ୟମାନଙ୍କର ନେତୃତ୍ବ ନେଉଥିବା କହି ବିଶ୍ବ ବ୍ୟାଙ୍କ ଭାରତକୁ ପ୍ରଶଂସା କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଭାରତର ନୀତି ଏବଂ ପ୍ରୟାସରେ ଫିନଟେକକୁ କେନ୍ଦ୍ରରେ ରଖାଯାଇଛି ଏବଂ ଭବିଷ୍ୟତ ଗଠନ ଦିଗରେ ଏହା ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛି । ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟଗୁଡ଼ିକ ଫିନଟେକର ଏହି ସାମର୍ଥ୍ୟକୁ ଆହୁରି ବଢ଼ାଇବେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ଦେଶରେ ଜନଧନ ଆକାଉଣ୍ଟ ଆର୍ଥିକ ଅନ୍ତର୍ଭୂକ୍ତିକରଣର ମୂଳଦୁଆ ପ୍ରତିଷ୍ଠା କରିଥିଲା ବେଳେ ଫିନଟେକ ଆର୍ଥିକ ବିପ୍ଳବ ପାଇଁ ଆଧାର ସାଜିବାକୁ ଯାଉଛି ।

ବ୍ଲକ ଚେନ୍‌ ପ୍ରଯୁକ୍ତି ଉପରେ ଆଧାରିତ ଡିଜିଟାଲ ମୁଦ୍ରା ଜାରି କରିବା ଲାଗି ସରକାରଙ୍କ ଘୋଷଣା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ଆଗାମୀ ଦିନରେ ଡିଜିଟାଲ ମୁଦ୍ରା ହେଉ, କିମ୍ବା ଆଜିର ଦିନରେ ଡିଜିଟାଲ କାରବାର, ଅର୍ଥବ୍ୟବସ୍ଥା ବ୍ୟତୀତ, ଏହା ସହ ଅନେକଗୁଡ଼ିଏ ଦିଗ ଯୋଡ଼ି ହୋଇ ରହିଛି ।’’ ଏସବୁ ମଧ୍ୟରେ ସଞ୍ଚୟ, ଭୌତିକ ମୁଦ୍ରାର ବାଧା ଦୂରୀକରଣ ଏବଂ ପରିବେଶଗତ ଲାଭ ଭଳି ପ୍ରମୁଖ ସୁବିଧାର ତାଲିକା ସେ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନୋଟ ଛାପିବା ଲାଗି କାଗଜ ଓ କାଳି ବିଦେଶରୁ ଆମଦାନୀ କରାଯାଉଛି । ଡିଜିଟାଲ ଅର୍ଥବ୍ୟବସ୍ଥାକୁ ଗ୍ରହଣ କରିବା ଦ୍ବାରା ଆମେ ଆତ୍ମନିର୍ଭରଶୀଳ ଭାରତ ଦିଗରେ ଯୋଗଦାନ ଦେବା ସହିତ କାଗଜ ଖର୍ଚ୍ଚ କାରଣରୁ ପରିବେଶ ଉପରେ ପଡ଼ୁଥିବା ପ୍ରଭାବକୁ କମାଇବାରେ ସଫଳ ହେଉଛୁ ।

ପ୍ରଧାନମନ୍ତ୍ରୀ ବିଶେଷ ଭାବେ କହିଥିଲେ ଯେ, ‘‘ଆଜିର ବ୍ୟାଙ୍କିଙ୍ଗ ଆର୍ଥିକ କାରବାର ଠାରୁ ଊର୍ଦ୍ଧ୍ବକୁ ଯାଇ ‘ଉତ୍ତମ ପ୍ରଶାସନ’ ଏବଂ ‘ଉନ୍ନତ ସେବା ବିତରଣ’ର ଏକ ମାଧ୍ୟମ ପାଲଟିଛି ।’’ ଆଜି, ଏହି ବ୍ୟବସ୍ଥା ଘରୋଇ କ୍ଷେତ୍ର ଏବଂ ଲଘୁ ଉଦ୍ୟୋଗଗୁଡ଼ିକ ପାଇଁ ଅପାର ସମ୍ଭାବନା ଉଜାଗର କରିଛି । ସେ ଆହୁରି କହିଥିଲେ ଯେ ଭାରତରେ ହୁଏତ’ ଏମିତି କ୍ଷେତ୍ର ନଥିବ ଯେଉଁଠି ପ୍ରଯୁକ୍ତି ମାଧ୍ୟମରେ ଉତ୍ପାଦ ଏବଂ ସେବା ବିତରଣ ଏକ ନୂଆ ଷ୍ଟାର୍ଟଅପ୍‌ ଇକୋସିଷ୍ଟମକୁ ସୃଷ୍ଟି କରୁନଥିବ । ଡିଜିଟାଲ ଅର୍ଥବ୍ୟବସ୍ଥା ଆଜି ଆମ ଦେଶର ଅର୍ଥବ୍ୟବସ୍ଥା, ଆମ ଷ୍ଟାର୍ଟଅପ ଦୁନିଆ, ମେକ ଇନ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ପାଇଁ ଏକ ବଡ଼ ଆଧାର ପାଲଟିଛି । ଆଜି ଜିଇଏମ ବ୍ୟବସ୍ଥା ଜରିଆରେ ଆମର କ୍ଷୁଦ୍ର ଉଦ୍ୟୋଗ, ଆମର ଏମଏସଏମଇଗୁଡ଼ିକ ସରକାରୀ ଟେଣ୍ଡରରେ ଅଂଶଗ୍ରହଣ କରିପାରୁଛନ୍ତି । ସେମାନଙ୍କୁ ନୂଆ ବ୍ୟବସାୟ ସୁଯୋଗ ମିଳୁଛି । ବର୍ତ୍ତମାନ ସୁଦ୍ଧା ଜିଇଏମ ଜରିଆରେ ୨.୫ ଲକ୍ଷ କୋଟି ଟଙ୍କାର ଅର୍ଡର ଦିଆଯାଇସାରିଛି । ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ୍ ଜରିଆରେ ଏ ଦିଗରେ ଆହୁରି ନୂଆ ସମ୍ଭାବନା ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

କୌଣସି ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସୁଦୃଢ଼ ହୋଇଥିଲେ ସେହି ଦେଶର ଅର୍ଥବ୍ୟବସ୍ଥା ପ୍ରଗତିଶୀଳ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ସେ ସୂଚନା ଦେଇଥିଲେ ଯେ ୨୦୧୪ ପୂର୍ବର ଫୋନ ବ୍ୟାଙ୍କିଙ୍ଗ ପ୍ରଣାଳୀ ଠାରୁ ଊର୍ଦ୍ଧ୍ବକୁ ଯାଇ ଗତ ଆଠ ବର୍ଷ ମଧ୍ୟରେ ଭାରତୀୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଡିଜିଟାଲ ବ୍ୟାଙ୍କିଙ୍ଗ ପ୍ରଣାଳୀରେ ରୂପାନ୍ତରିତ ହୋଇଛି । ଏହାର ଫଳସ୍ବରୂପ ଭାରତୀୟ ଅର୍ଥବ୍ୟବସ୍ଥା ଏକ ନିରନ୍ତରତା ଦିଗରେ ଅଗ୍ରସର ହେଉଛି । ପୁରୁଣା ଦିନ କଥା ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ ପୂର୍ବରୁ, ବ୍ୟାଙ୍କଗୁଡ଼ିକ ସେମାନଙ୍କ ପରିଚାଳନାକୁ ନେଇ ଫୋନ କଲ ପାଉଥିଲେ । ସେ ଆହୁରି କହିଥିଲେ ଯେ ଫୋନ ବ୍ୟାଙ୍କିଙ୍ଗ ରାଜନୀତି ବ୍ୟାଙ୍କଗୁଡ଼ିକୁ ଅସୁରକ୍ଷିତ କରି ଦେଇଥିଲା। ଏଥିପଯୋଗୁ ଦେଶର ଅର୍ଥବ୍ୟବସ୍ଥା ମଧ୍ୟ ଅସୁରକ୍ଷିତ ହୋଇଯାଇଥିଲା ଏବଂ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ପାଇଁ ମାର୍ଗ ପ୍ରଶସ୍ତ ହୋଇଥିଲା।

ବର୍ତ୍ତମାନର ସରକାର କିଭଳି ବ୍ୟବସ୍ଥାଗତ ପରିବର୍ତ୍ତନ ଆଣିଛନ୍ତି ସେ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପାରଦର୍ଶିତା ଉପରେ ମୁଖ୍ୟତଃ ଗୁରୁତ୍ବାରୋପ କରାଯାଇଛି । ସେ ଆହୁରି କହିଥିଲେ ଯେ, ଏନପିଏ ଚିହ୍ନଟରେ ପାରଦର୍ଶିତା ଆଣିବା ପରେ, ଲକ୍ଷାଧିକ କୋଟି ଟଙ୍କା ବ୍ୟାଙ୍କିଙ୍ଗ ବ୍ୟବସ୍ଥା ମଧ୍ୟକୁ ଅଣାଯାଇଛି । ଆମେ ବ୍ୟାଙ୍କଗୁଡ଼ିକର ପୁନଃପୁଞ୍ଜିକରଣ କରିବା ସହିତ ଅଭ୍ୟାସଗତ ଠକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ । ଦୁର୍ନୀତି ନିବାରଣ ଆଇନ ମାଧ୍ୟମରେ ସଂସ୍କାର ଆଣିଛୁ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଆଇବିସି ସହାୟତାରେ ଏନପିଏ ସଂକ୍ରାନ୍ତ ପ୍ରସଙ୍ଗ ସମାଧାନ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି । ଅନ୍ୟପକ୍ଷରେ ପ୍ରଯୁକ୍ତିର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଏବଂ ଋଣ ବିଶ୍ଳେଷଣ କରିବା ଲାଗି ପଦକ୍ଷେପ ନିଆଯାଇଛି । ଏକ ପାରଦର୍ଶୀ ଏବଂ ବିଜ୍ଞାନସମ୍ମତ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ନୀତିଗତ ପକ୍ଷାଘାତର ଶିକାର ହୋଇଥିବା ବ୍ୟାଙ୍କଗୁଡ଼ିକର ସମ୍ମିଶ୍ରଣ ଭଳି ନିଷ୍ପତ୍ତି ଦେଶ ସାହସର ସହିତ ଗ୍ରହଣ କରିଛି । ଏସବୁ ନିଷ୍ପତ୍ତିର ସୁଫଳ ଏବେ ମିଳିପାରୁଛି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ନୂଆ ସ୍ବୟଂ ପରିଚାଳିତ ବ୍ୟବସ୍ଥା ବର୍ତ୍ତମାନ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ମଧ୍ୟରେ ସୃଷ୍ଟି କରାଯାଉଛି । ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ ଏବଂ ଫିନଟେକର ଅଭିନବ ଉପଯୋଗ ମାଧ୍ୟମରେ ଏହା କରାଯାଉଛି । ଗ୍ରାହକଙ୍କ ପାଇଁ ଅଧିକ କ୍ଷମତା ଏଥିରେ ରହିଛି, ବ୍ୟାଙ୍କଗୁଡ଼ିକ ପାଇଁ ସମାନ ସୁବିଧା ଓ ପାରଦର୍ଶିତା ଏହି ବ୍ୟବସ୍ଥାରେ ରହିଛି ବୋଲି ସେ କହିଥିଲେ । ଏହି ଆନ୍ଦୋଳନକୁ ଆଗେଇ ନେବା ପାଇଁ ପ୍ରଧାନମନ୍ତ୍ରୀ ସବୁ ଅଂଶୀଦାରମାନଙ୍କୁ ଆହ୍ବାନ କରିଥିଲେ ।

ପ୍ରଧାନମନ୍ତ୍ରୀ ଶେଷରେ ନିବେଦନ କରି କହିଥିଲେ ଯେ ଗାଁର ଛୋଟ ବ୍ୟବସାୟ ମାଲିକମାନେ ସମ୍ପୂର୍ଣ୍ଣ ଭାବେ ଡିଜିଟାଲ କାରବାର ଆଡ଼କୁ ଅଗ୍ରସର ହେବା ଉଚିତ୍‌ । ଦେଶର ଲାଭ ପାଇଁ ୧୦୦ ବ୍ୟବସାୟୀଙ୍କ ସହିତ ସମ୍ପୂର୍ଣ୍ଣ ଡିଜିଟାଲ ଭାବେ ଯୋଡ଼ି ହେବା ଲାଗି ସେ ବ୍ୟାଙ୍କମାନଙ୍କୁ ନିବେଦନ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପ୍ରୟାସ ଆମର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଓ ଅର୍ଥବ୍ୟବସ୍ଥାକୁ ଏକ ନୂଆ ସ୍ତରକୁ ନେଇଯିବ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ରଖିବ । ଏହାଦ୍ବାରା ବିଶ୍ବ ଅର୍ଥବ୍ୟବସ୍ଥାର ନେତୃତ୍ବ ନେବା ଲାଗି ଭାରତର କ୍ଷମତା ବୃଦ୍ଧି ପାଇବ ବୋଲି ଶ୍ରୀ ମୋଦୀ କହିଥିଲେ ।

କେନ୍ଦ୍ର ଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରଣମ, ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ । ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ରାଷ୍ଟ୍ର ମନ୍ତ୍ରୀ, ସାଂସଦ, ବ୍ୟାଙ୍କ ନେତୃବର୍ଗ, ବିଶେଷଜ୍ଞ ଓ ହିତାଧିକାରୀମାନେ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ପୃଷ୍ଠଭୂମି

ଆର୍ଥିକ ଅନ୍ତର୍ଭୂକ୍ତିକରଣକୁ ସୁଦୃଢ଼ କରିବା ଦିଗରେ ଆଉ ଏକ ପଦକ୍ଷେପ ସ୍ବରୂପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟକୁ ରାଷ୍ଟ୍ରକୁ ଉତ୍ସର୍ଗ କରିଛନ୍ତି ।

୨୦୨୨-୨୩ କେନ୍ଦ୍ର ବଜେଟ୍ ଅଭିଭାଷଣର ଅଂଶବିଶେଷ ଭାବେ, ଅର୍ଥମନ୍ତ୍ରୀ ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ୭୫ଟି ଜିଲ୍ଲାରେ ୭୫ଟି ଡିବିୟୁ ପ୍ରତିଷ୍ଠା କରିବା ଲାଗି ଘୋଷଣା କରିଥିଲେ । ଦେଶର ପ୍ରତ୍ୟେକ କୋଣଅନୁକୋଣରେ ଡିଜିଟାଲ ବ୍ୟାଙ୍କିଙ୍ଗର ଲାଭ ପହଞ୍ଚାଇବାର ଲକ୍ଷ୍ୟ ନେଇ ଡିବିୟୁଗୁଡ଼ିକୁ ପ୍ରତିଷ୍ଠା କରାଯାଉଛି । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ଡିବିୟୁ ଖୋଲା ଯାଇଛି । ୧୧ଟି ସରକାରୀ ବ୍ୟାଙ୍କ, ୧୨ଟି ଘରୋଇ ବ୍ୟାଙ୍କ ଏବଂ ଗୋଟିଏ କ୍ଷୁଦ୍ର ଆର୍ଥିକ ବ୍ୟାଙ୍କ ଏହି ପ୍ରୟାସରେ ସହଭାଗୀ ହୋଇଛନ୍ତି ।

ଡିବିୟୁଗୁଡ଼ିକ ଇଟା କାନ୍ଥର କେନ୍ଦ୍ର ଭାବେ କାର୍ଯ୍ୟ କରିବ ଯେଉଁଠି ଲୋକମାନଙ୍କୁ ସେଭିଂସ ଆକାଉଣ୍ଟ ଖୋଲିବା, ବାଲାନ୍ସ ଯାଞ୍ଚ କରିବା, ପାସବୁକ ପ୍ରିଣ୍ଟ କରିବା, ଟଙ୍କା ପଠାଇବା, ଫିକ୍ସଡ୍‌ ଡିପୋଜିଟରେ ନିବେଶ କରିବା ଋଣ ଆବେଦନ କରିବା, ଜାରି ହୋଇଥିବା ଚେକ୍‌ ପାଇଁ ଅର୍ଥପଇଠ ବନ୍ଦ କରିବାର ସୂଚନା ଦେବା, କ୍ରେଡିଟ/ଡେବିଟ୍‌ କାର୍ଡ ପାଇଁ ଆବେଦନ କରିବା, ଆକାଉଣ୍ଟ ଷ୍ଟେଟମେଣ୍ଟ ଦେଖିବା, ଟିକସ ପଇଠ କରିବା, ବିଲ ପେ’ କରିବା, ନାମାଙ୍କନ କରିବା ଆଦି ସୁବିଧା ମିଳିପାରିବ।

ଡିବିୟୁଗୁଡ଼ିକ ବର୍ଷ ସାରା କମ ଖର୍ଚ୍ଚରେ, ସହଜ ଏବଂ ସୁବିଧାଜନକ ଡିଜିଟାଲ ଅନୁଭୂତି ଜରିଆରେ ଗ୍ରାହକମାନଙ୍କୁ ବିଭିନ୍ନ ବ୍ୟାଙ୍କିଙ୍ଗ ଉତ୍ପାଦ ଓ ସେବା ଯୋଗାଇ ଦେବେ । ଏଗୁଡ଼ିକ ଡିଜିଟାଲ ଆର୍ଥିକ ସାକ୍ଷରତା ପ୍ରସାର କରିବାରେ ସହାୟକ ହେବେ । ସାଇବର ସୁରକ୍ଷା ଏବଂ ନିରାପତ୍ତା ଉପରେ ଗ୍ରାହକମାନଙ୍କୁ ବିଶେଷ ଭାବେ ସଚେତନ କରାଯିବ । ବାସ୍ତବ ସମୟରେ ସହାୟତା ଯୋଗାଇ ଦେବା ଲାଗି ଏଠାରେ ଯଥେଷ୍ଟ ଡିଜିଟାଲ ବ୍ୟବସ୍ଥା ରହିବ । ଡିବିୟୁଗୁଡ଼ିକ ସିଧାସଳଖ କିମ୍ବା ବ୍ୟବସାୟିକ ପ୍ରତିନିଧିମାନଙ୍କ ଜରିଆରେ ଗ୍ରାହକମାନଙ୍କ ବ୍ୟବସାୟ ଓ ସେବା ଜନିତ ଅଭିଯୋଗର ସମାଧାନ ଯୋଗାଇ ଦେବେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
FIIs pour over $1 billion into Indian stocks, biggest weekly buying since June 2025

Media Coverage

FIIs pour over $1 billion into Indian stocks, biggest weekly buying since June 2025
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over loss of lives due to boat capsizing in South 24 Parganas district of West Bengal
July 13, 2026
Prime Minister announces ex-gratia

The Prime Minister, Shri Narendra Modi has expressed deep grief over the loss of lives due to the capsizing of a boat in the South 24 Parganas district of West Bengal.

The Prime Minister conveyed his thoughts to the bereaved families in this hour of grief and prayed for the speedy recovery of the injured.

The Prime Minister announced that an ex-gratia of Rs. 2 lakh from the Prime Minister’s National Relief Fund (PMNRF) would be given to the next of kin of each deceased. The injured would be given Rs. 50,000.

The Prime Minister’s Office posted on X;

“The loss of lives due to the capsizing of a boat in the South 24 Parganas district of West Bengal is deeply painful. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi”