ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶରେ କୋଭିଡ୍‌-19 ମହାମାରୀ ସଂକ୍ରାନ୍ତ ସର୍ବଶେଷ ସ୍ଥିତିର ସମୀକ୍ଷା କରିଛନ୍ତି । ଏହି ଅବସରରେ କୋଭିଡ୍‌ ଟିକା ପ୍ରସ୍ତୁତିର ସଦ୍ୟତମ ସ୍ଥିତି, ଏହାର ଯୋଗାଣ ଏବଂ ପରିଚାଳନା ସଂପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ବିଭିନ୍ନ ବିଷୟ ପଚାରି ବୁଝିଛନ୍ତି । ଏହି ସମୀକ୍ଷା ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା, ବରିଷ୍ଠ ବୈଜ୍ଞାନିକଗଣ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀଗଣ ଏବଂ ଭାରତ ସରକାରଙ୍କ ବିଭିନ୍ନ ବିଭାଗର ତୁଙ୍ଗ ଅଧିକାରୀମାନେ ଯୋଗ ଦେଇଥିଲେ ।

ଏହି ବୈଠକରେ ଦେଶରେ କରୋନା ସଂକ୍ରମଣର ଦୈନିକ ନିରନ୍ତର ହ୍ରାସ ହାର ଓ ସ୍ଥିତି ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ  କରାଯାଇଥିଲା ।

କରୋନାର ମୁକାବିଲା ପାଇଁ ଭାରତରେ ଯେଉଁ ଟିକା ପ୍ରସ୍ତୁତି କାର୍ଯ୍ୟ ଚାଲିଛି ସେଥିମଧ୍ୟରୁ 3ଟି ଅତି ଆଗୁଆ ସ୍ଥିତିରେ ରହିଛି । ସେଥିମଧ୍ୟରୁ 2ଟି ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଓ ଗୋଟିଏ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ପହଞ୍ଚିଛି । ଭାରତୀୟ  ବୈଜ୍ଞାନିକ ଓ ଗବେଷକଦଳ ପଡୋଶୀ ଆଫଗାନିସ୍ଥାନ, ଭୁଟାନ, ବାଂଲାଦେଶ, ମାଳଦ୍ୱୀପ, ମରିସସ୍‌, ନେପାଳ ଓ ଶ୍ରୀଲଙ୍କା ଆଦି ଦେଶରେ କରୋନା ବିରୋଧୀ ଔଷଧ ପ୍ରସ୍ତୁତି ତଥା ସେମାନଙ୍କର ଗବେଷଣା ଦକ୍ଷତାକୁ ସମୃଦ୍ଧ କରିବା ପାଇଁ ସାହାଯ୍ୟ ସହଯୋଗ କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱ ସମୁଦାୟକୁ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସାହାଯ୍ୟ ସହଯୋଗ କରିବାର ଆବଶ୍ୟକତା ରହିଛି । ଲୋକଙ୍କୁ କରୋନା ପ୍ରତିରୋଧୀ ଟିକା, ଔଷଧପତ୍ର ଏବଂ ଟିକା ଯୋଗାଣ ବ୍ୟବସ୍ଥା ପାଇଁ ଆବଶ୍ୟକ ଆଇଟି ପ୍ଲାଟଫର୍ମ ସୁବିଧା ଯୋଗାଇ ଦେବା ନିମନ୍ତେ ଆମେ ଆମର କାର୍ଯ୍ୟକୁ କେବଳ ପଡୋଶୀ ଦେଶ ଭିତରେ ସୀମିତ ନ ରଖି ବିଶ୍ୱମୁଖୀ କରିବାର ଆବଶ୍ୟକତା ରହିଛି । ଏ କ୍ଷେତ୍ରରେ ଆମର ବୈଜ୍ଞାନିକ, ଗବେଷକ ଓ ବିଶେଷଜ୍ଞମାନେ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ର ସରକାର ଇତିମଧ୍ୟରେ ଟିକା ଉତ୍ପାଦନ, ବଣ୍ଟନ ଓ ପରିଚାଳନା ପାଇଁ ଜାତୀୟ ସ୍ତରରେ ଏକ ବିଶେଷଜ୍ଞ ଗୋଷ୍ଠୀ ଗଠନ କରିଛନ୍ତି । ଏହା ସଂକ୍ଷେପରେ ନେଗ୍‌ଭ୍ୟାକ୍‌ ନାମରେ ପରିଚିତ । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ସଂପୃକ୍ତ ସମସ୍ତ ପକ୍ଷଙ୍କ ପରାମର୍ଶକ୍ରମେ ଏହି ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ଗଠିତ ହୋଇଛି । ଏହି ବିଶେଷଜ୍ଞ ଗୋଷ୍ଠୀ ବା ନେଗ୍‌ଭ୍ୟାକ ଦ୍ୱାରା ଟିକାର ଭଣ୍ଡାରଣ, ଆବଣ୍ଟନ ଏବଂ ପରିଚାଳନା ନିମନ୍ତେ ଏକ ସବିଶେଷ ଯୋଜନା ପ୍ରସ୍ତୁତ ହୋଇଛି । ଆଜିର ସମୀକ୍ଷା ବୈଠକରେ ଏହି ଯୋଜନାର ରୂପରେଖ ଉପସ୍ଥାପିତ ହୋଇଥିଲା । ସେହିଭଳି ପ୍ରଥମେ କେଉଁ ବର୍ଗର ଲୋକଙ୍କୁ ଟିକା ଦିଆଯିବ ଏବଂ ଏହାର ଯୋଗାଣରେ କିଏ ଅଗ୍ରାଧିକାର ପାଇବେ ସେଥିପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଉଛି । ଏଥିପାଇଁ ଏକ ବିଶେଷଜ୍ଞ ଗୋଷ୍ଠୀ  ଏ ବିଷୟରେ ରାଜ୍ୟମାନଙ୍କ ସହ ଆଲୋଚନା ଜାରି ରଖିଛନ୍ତି ।

ଆଜିର ବୈଠକରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ବିଶାଳତା ଏବଂ ଭୌଗୋଳିକ ବିବିଧତା ଦୃଷ୍ଟିରୁ ସବୁ ଅଞ୍ଚଳରେ ଯେପରି ଶୀଘ୍ର ଟିକା ପହଞ୍ଚେ ସେଥିପାଇଁ ସୁନିଶ୍ଚିତ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି । ଏହା ନିଶ୍ଚିତ କରିବା ପାଇଁ ସେ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେ ଆହୁରି କହିଥିଲେ ଯେ ଟିକା ପ୍ରସ୍ତୁତି, ଟିକା ସଂଗ୍ରହ, ଯୋଗାଣ ଏବଂ ଏହାର ପରିଚାଳନା ଆଦି ସମସ୍ତ ବିଷୟ ତ୍ରୁଟିଶୂନ୍ୟ ହୋଇ ଲୋକଙ୍କ ପାଖରେ ଶୀଘ୍ର ପହଞ୍ଚିବା ଆବଶ୍ୟକତା ରହିଛି । ଏଥିରେ କୌଣସି ତ୍ରୁଟି ବା ଅବହେଳା ଗ୍ରହଣୀୟ ନୁହେଁ । ସେଥିପାଇଁ ସେ କୋଲ୍‌ଡ ଷ୍ଟୋରେଜ ଚେନ୍‌, ବଣ୍ଟନ ନେଟୱାର୍କ, ତଦାରଖ ବ୍ୟବସ୍ଥା,  ଅଗ୍ରୀମ ଆକଳନ ତଥା ଭାଏଲ୍‌ ଏବଂ ସିରିଞ୍ଜି ଆଦି ସହାୟକ ଉପକରଣ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ ଦେଶରେ ନିର୍ବାଚନର ସଫଳ ପରିଚାଳନା ଏବଂ ବିପର୍ଯ୍ୟୟ ମୁକାବିଲା ପାଇଁ ଯେଉଁ ଢଙ୍ଗରେ ପ୍ରସ୍ତୁତି ଓ କାର୍ଯ୍ୟ ଚାଲୁଛି କୋଭିଡ୍‌ ଟିକା ପ୍ରଦାନ କ୍ଷେତ୍ରରେ ଅନୁରୂପ କାର୍ଯ୍ୟ କରାଯିବା ଉଚିତ । ସେଥିପାଇଁ ନିର୍ବାଚନ ଓ ବିପର୍ଯ୍ୟୟ ପରିଚାଳନା ଅଭିଜ୍ଞତାକୁ ଏ କ୍ଷେତ୍ରରେ ବିନିଯୋଗ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଲୋକଙ୍କ ପାଖରେ ଯେପରି ସୁବିଧାରେ, ସହଜରେ ଓ ଶୀଘ୍ର ଟିକା ପହଞ୍ଚେ ଏବଂ ସମସ୍ତେ ଯେପରି ଏହାର ସୁଯୋଗ ନେଇପାରନ୍ତି ତାହା ସୁନିଶ୍ଚିତ ହେବା ଉଚିତ । ଏଥିରେ ସବୁ ରାଜ୍ୟ, କେନ୍ଦ୍ର ଶାସିତି ଅଞ୍ଚଳ, ଜିଲାସ୍ତରୀୟ କାର୍ଯ୍ୟକର୍ତ୍ତା, ନାଗରିକ ସମାଜ ଓ ସଂଗଠନ, ସ୍ୱେଚ୍ଛସେବୀ, ନାଗରିକ ଏବଂ ସମସ୍ତ ଆବଶ୍ୟକ କ୍ଷେତ୍ରର ବିଶେଷଜ୍ଞଙ୍କୁ ସାମିଲ କରିବାକୁ ସେ ଗୁରୁତ୍ୱ ଆରୋପ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ସମଗ୍ର ପ୍ରକ୍ରିୟାର ଏକ ଶକ୍ତିଶାଳୀ ଆଇଟି ମେରୁଦଣ୍ଡ ରହିବାର ଆବଶ୍ୟକତା ରହିଛି । ଏଥିପାଇଁ ବ୍ୟବସ୍ଥା ଏପରି ତିଆରି କରାଯିବା ଉଚିତ; ଯାହାର ଏକ ଚିରନ୍ତନ ମୂଲ୍ୟ ଆମ ସ୍ୱାସ୍ଥ୍ୟସେବା ପାଇଁ ରହିବ ।

ଇତିମଧ୍ୟରେ କୋଭିଡ୍‌-19 ଭୂତାଣୁର ଦୁଇଟି ସର୍ବଭାରତୀୟ ଜେନୋମ୍‌ ପରୀକ୍ଷା ଆଇସିଏମ୍‌ଆର ଏବଂ ବାୟୋଟେକ୍‌ନୋଲଜି ବିଭାଗ ପକ୍ଷରୁ କରାଯାଇଛି । ଏହି ପରୀକ୍ଷାରୁ ମିଳିଥିବା ତଥ୍ୟ ଅନୁସାରେ କୋଭିଡ୍‌-19 ଭୂତାଣୁ ଗୁଣସୂତ୍ର (ଜେନେଟିକ) ଦୃଷ୍ଟିରୁ ସ୍ଥିର ଏବଂ ଏହି ଭୂତାଣୁରେ କୌଣସି ବଡ଼ଧରଣର ବିଘଟନ ବା ମ୍ୟୁଟେସନ ନାହିଁ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ କରୋନା ଭୂତାଣୁ ସଂକ୍ରମଣ ହାର ହ୍ରାସ ପାଇଥିବାରୁ ଏଥିରେ ସନ୍ତୁଷ୍ଟ ହୋଇ ଚୁପ୍‌ଚାପ ବସିଯିବାର ଅବକାଶ ନାହିଁ । ଏହି ମହାମାରୀକୁ ସଂପୂର୍ଣ୍ଣ କାବୁ କରିବାକୁ ଉଦ୍ୟମ ଅବ୍ୟାହତ ରଖିବାକୁ ପଡିବ ଏବଂ ଏଥିପାଇଁ ସବୁସ୍ତରରେ ନିରନ୍ତର ଲଢେଇର ଆବଶ୍ୟତା ରହିଛି । ସାମାଜିକ ଦୂରତ୍ୱ ରକ୍ଷା, କରୋନା ସଂକ୍ରାନ୍ତ ଉପଯୁକ୍ତ ସତର୍କତା ପାଳନ, ମାସ୍କ ପିନ୍ଧିବା, ନିୟମିତ ହାତ ଧୋଇବା ଏବଂ ବିଶୋଧନ ଉପରେ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀ କହିଥିଲେ । ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଏହିସବୁ ନୀତିନିୟମ ନିଷ୍ଠାପରଭାବେ ପାଳନ କରିବା ସହ ଏ କ୍ଷେତ୍ରରେ ଆତ୍ମସଂଯମ ରକ୍ଷା ପାଇଁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Over 52,000 Indians return safely from Gulf amid Iran war: MEA

Media Coverage

Over 52,000 Indians return safely from Gulf amid Iran war: MEA
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 10, 2026
March 10, 2026

Citizens Appreciate India’s Digital Leap and Green Triumphs Under the Leadership of PM Modi