ମହାମହିମଗଣ,

ମହାନୁଭବ,

ଭାଇ ଓ ଭଉଣୀମାନେ

 

୧୪୦ କୋଟି ଭାରତୀୟଙ୍କ ତରଫରୁ ଆପଣ ସମସ୍ତଙ୍କୁ ମୋର ଶୁଭେଚ୍ଛା !

ପ୍ରଥମେ ମୁଁ ଆପଣ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବି।

ଜଳବାୟୁ ନ୍ୟାୟ, ଜଳବାୟୁ ପରିବର୍ତ୍ତନର ମୁକାବିଲା ଲାଗି ପାଣ୍ଠି ଯୋଗାଣ ଏବଂ ଗ୍ରୀନ୍ କ୍ରେଡିଟ୍ ଉପରେ ମୋ ଦ୍ୱାରା ଉଠାଯାଇଥିବା ପ୍ରସଙ୍ଗଗୁଡ଼ିକୁ ଆପଣମାନେ କ୍ରମାଗତ ଭାବରେ ସମର୍ଥନ କରିଛନ୍ତି ।

ଆମ ସମସ୍ତଙ୍କ ପ୍ରୟାସରେ ଆତ୍ମବିଶ୍ୱାସ ବଢିଛି ଯେ ବିଶ୍ୱକଲ୍ୟାଣ ପାଇଁ ସମସ୍ତଙ୍କ ହିତ ରକ୍ଷା କରିବା ଜରୁରୀ, ସମସ୍ତଙ୍କ ଭାଗିଦାରୀ ଜରୁରୀ।

 

ବନ୍ଧୁଗଣ,

ଆଜି ଭାରତ ପରିବେଶ ଓ ଅର୍ଥବ୍ୟବସ୍ଥାର ସର୍ବୋତ୍ତମ ସନ୍ତୁଳନର ଉଦାହରଣ ସୃଷ୍ଟି କରିଛି।

ବିଶ୍ୱର ମୋଟ ଜନସଂଖ୍ୟାର ୧୭% ଭାରତରେ ଥିଲେ ମଧ୍ୟ ବିଶ୍ୱର ଅଙ୍ଗାରକାମ୍ଳ ନିର୍ଗମନରେ ଆମର ଯୋଗଦାନ ୪% ରୁ କମ୍ ।

ଏନଡିସି ଲକ୍ଷ୍ୟ ପୂରଣ କରିବା ମାର୍ଗରେ ରହିଥିବା ବିଶ୍ୱର ଅଳ୍ପ କିଛି ଅର୍ଥବ୍ୟବସ୍ଥା ମଧ୍ୟରୁ ଭାରତ ଅନ୍ୟତମ।

ଆମେ ଏଗାର ବର୍ଷ ପୂର୍ବରୁ ଏମିସନ୍ସ ଇଣ୍ଟେନସିଟୀ ବା ନିର୍ଗମନ ତୀବ୍ରତା ଲକ୍ଷ୍ୟ ହାସଲ କରିସାରିଛୁ ।

ନିର୍ଦ୍ଧାରିତ ସମୟର ୯ ବର୍ଷ ପୂର୍ବରୁ ଆମେ ଅଣ-ଜୀବାଶ୍ମ ଇନ୍ଧନ ଲକ୍ଷ୍ୟ ହାସଲ କରିସାରିଛୁ ।

ଆଉ ଭାରତ ଏତିକିରେ ଅଟକି ନାହିଁ ।

୨୦୩୦ ସୁଦ୍ଧା ନିର୍ଗମନ ତୀବ୍ରତାକୁ ୪୫ ପ୍ରତିଶତ ହ୍ରାସ କରିବା ଆମର ଲକ୍ଷ୍ୟ।

ଆମେ ଅଣ-ଜୀବାଶ୍ମ ଇନ୍ଧନର ଅଂଶକୁ ୫୦ ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛୁ ।

ଆହୁରି, ଆମେ ମଧ୍ୟ ୨୦୭୦ ସୁଦ୍ଧା ନେଟ୍ ଜିରୋ ବା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେବା ଜାରି ରଖିବୁ।

ବନ୍ଧୁଗଣ,

ଭାରତ ନିଜର ଜି-୨୦ ଅଧ୍ୟକ୍ଷତା ଅଧୀନରେ ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତର ଭାବନା ନେଇ ଜଳବାୟୁ ବିଷୟବସ୍ତୁ ଉପରେ ନିରନ୍ତର ଗୁରୁତ୍ୱ ଦେଇଛି।

ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଆମେ ମିଳିତ ଭାବେ ସବୁଜ ବିକାଶ ଚୁକ୍ତିରେ ସହମତ ହୋଇଛୁ ।

ଆମେ ଦୀର୍ଘସ୍ଥାୟୀ ବିକାଶ ପାଇଁ ଜୀବନଶୈଳୀର ନୀତି ନିର୍ଦ୍ଧାରଣ କରୁଛୁ ।

ବିଶ୍ୱସ୍ତରରେ ଅକ୍ଷୟ ଶକ୍ତିକୁ ତିନିଗୁଣା କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ।

ଭାରତ ବିକଳ୍ପ ଇନ୍ଧନ ପାଇଁ ହାଇଡ୍ରୋଜେନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ସହ ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ମଧ୍ୟ ଆରମ୍ଭ କରିଥିଲା ।

ମିଳିତ ଭାବେ ଆମେ ଏହି ସିଦ୍ଧାନ୍ତରେ ପହଞ୍ଚିଛୁ ଯେ ଜଳବାୟୁ ଆର୍ଥିକ ପ୍ରତିଶ୍ରୁତିକୁ ବିଲିୟନରୁ ଅନେକ ଟ୍ରିଲିୟନକୁ ବୃଦ୍ଧି କରିବାର ଆବଶ୍ୟକତା ରହିଛି ।

 

ବନ୍ଧୁଗଣ,

 

ଗ୍ଲାସଗୋରେ ଭାରତ 'ଦ୍ୱୀପ ରାଷ୍ଟ୍ର' ପାଇଁ ସହନଶୀଳ ଭିତ୍ତିଭୂମି ପ୍ରୟାସ ଆରମ୍ଭ କରିଛି।

ଭାରତ ୧୩ଟି ଦେଶରେ ଦ୍ରୁତ ଗତିରେ ଏହା ସହ ଜଡ଼ିତ ପ୍ରକଳ୍ପକୁ ଆଗେଇ ନେଉଛି।

ଗ୍ଲାସଗୋରେ ହିଁ ମୁଁ ମିଶନ ଲାଇଫ୍‌ - ପରିବେଶ ପାଇଁ ଜୀବନଶୈଳୀର ଦୃଷ୍ଟିକୋଣ ଆପଣଙ୍କ ଆଗରେ ରଖିଥିଲି ।

ଇଣ୍ଟରନେସନାଲ ଏନର୍ଜି ଏଜେନ୍ସିର ଅଧ୍ୟୟନରେ କୁହାଯାଇଛି ଯେ ଏହି ପଦ୍ଧତି ଦ୍ୱାରା ଆମେ ୨୦୩୦ ସୁଦ୍ଧା ବାର୍ଷିକ ୨ ବିଲିୟନ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିପାରିବା ।

ଆଜି ମୁଁ ଏହି ମଞ୍ଚରୁ ଆଉ ଏକ ପୃଥିବୀ ଅନୁକୂଳ, ସକ୍ରିୟ ଏବଂ ସକାରାତ୍ମକ ପ୍ରୟାସ ନିମନ୍ତେ ଆହ୍ୱାନ କରୁଛି।

ଏହା ହେଉଛି ଗ୍ରୀନ୍ କ୍ରେଡିଟ୍ ପଦକ୍ଷେପ।

କାର୍ବନ କ୍ରେଡିଟ୍ର ବାଣିଜ୍ୟିକ ମାନସିକତା ଠାରୁ ଆଗକୁ ବଢ଼ିବା ଏବଂ ଜନସାଧାରଣଙ୍କ ଭାଗିଦାରୀରେ ଗୋଟିଏ କାର୍ବନ ସିଙ୍କ ସୃଷ୍ଟି କରିବା ପାଇଁ ଏହା ଏକ ଅଭିଯାନ ।

ମୁଁ ଆଶା କରୁଛି ଆପଣମାନେ ସମସ୍ତେ ନିଶ୍ଚୟ ଏଥିରେ ଯୋଗ ଦେବେ ।

ସାଥୀମାନେ,

ଗତ ଶତାବ୍ଦୀର ଭୁଲକୁ ସୁଧାରିବା ପାଇଁ ଆମ ପାଖରେ ଅଧିକ ସମୟ ନାହିଁ।

ମାନବ ଜାତିର ଏକ କ୍ଷୁଦ୍ର ଅଂଶ ପ୍ରକୃତିକୁ ଅବିଚାରିତ ଭାବେ ଶୋଷଣ କରିଥିଲା।

କିନ୍ତୁ ସମଗ୍ର ମାନବଜାତି, ବିଶେଷକରି ଗ୍ଲୋବାଲ ସାଉଥର ବାସିନ୍ଦାଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିଥିଲା।

କେବଳ ମୋର ମଙ୍ଗଳ ହେଉ, ଏହି ଚିନ୍ତାଧାରା ଦୁନିଆକୁ ଏକ ଅନ୍ଧାର ଦିଗକୁ ନେଇଯିବ ।

ଏହି କକ୍ଷରେ ବସିଥିବା ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ରାଷ୍ଟ୍ରମୁଖ୍ୟ ଏକ ବଡ଼ ଦାୟିତ୍ୱ ନେଇ ଏଠାକୁ ଆସିଛନ୍ତି।

ଆମ ସମସ୍ତଙ୍କୁ ନିଜର ଦାୟିତ୍ୱ ନିର୍ବାହ କରିବାକୁ ପଡ଼ିବ।

ବିଶ୍ୱ ଆଜି ଆମ ଉପରେ ନଜର ରଖିଛି, ଏହି ପୃଥିବୀର ଭବିଷ୍ୟତ ଆମ ଉପରେ ନଜର ରଖିଛି ।

ଆମକୁ ସଫଳ ହେବାକୁ ପଡ଼ିବ।

ଆମକୁ ନିର୍ଣ୍ଣାୟକ ହେବାକୁ ପଡିବ:

ଆମକୁ ଶପଥ ନେବାକୁ ପଡ଼ିବ ଯେ ପ୍ରତ୍ୟେକ ଦେଶ ନିଜ ପାଇଁ ଧାର୍ଯ୍ୟ କରିଥିବା ଜଳବାୟୁ ଲକ୍ଷ୍ୟ, ପ୍ରତିଶ୍ରୁତି ପୂରଣ କରିବେ।

ଆମକୁ ଏକତା ଆଧାରରେ କାମ କରିବାକୁ ପଡିବ:

ଆମକୁ ଶପଥ ନେବାକୁ ପଡ଼ିବ ଯେ ଆମେ ଏକାଠି କାମ କରିବୁ, ପରସ୍ପରକୁ ସହଯୋଗ କରିବୁ, ପରସ୍ପରକୁ ସମର୍ଥନ କରିବୁ।

ବିଶ୍ୱ କାର୍ବନ ବଜେଟରେ ଆମର ସମସ୍ତ ବିକାଶଶୀଳ ଦେଶକୁ ଉଚିତ ଅଂଶଧନ ଦେବାକୁ ପଡିବ ।

ଆମକୁ ଅଧିକ ସନ୍ତୁଳିତ ହେବାକୁ ପଡ଼ିବ:

ଅନୁକୂଳତା, ପ୍ରଶମନ, ଜଳବାୟୁ ଅର୍ଥ, ପ୍ରଯୁକ୍ତି ବିଦ୍ୟା, କ୍ଷତି ଏବଂ କ୍ଷୟକ୍ଷତି ଉପରେ ସନ୍ତୁଳନ ରଖି ଆଗକୁ ବଢ଼ିବା ପାଇଁ ଆମକୁ ଶପଥ ନେବାକୁ ହେବ।

ଆମକୁ ଉଚ୍ଚାକାଂକ୍ଷୀ ହେବାକୁ ପଡିବ:

ଆମକୁ ଏକ ଶପଥ ନେବାକୁ ହେବ ଯେ ଇନ୍ଧନ ରୂପାନ୍ତରଣ ଉଚିତ, ସମାବେଶୀ, ସମାନତାପୂର୍ଣ୍ଣ ହେବା ଉଚିତ୍।

ଆମକୁ ଅଭିନବ ହେବାକୁ ପଡିବ:

ନିରନ୍ତର ଅଭିନବ ଜ୍ଞାନକୌଶଳର ବିକାଶ ପାଇଁ ଆମକୁ ଶପଥ ନେବାକୁ ପଡିବ ।

ନିଜ ସ୍ୱାର୍ଥଠାରୁ ଉପରକୁ ଉଠି ଅନ୍ୟ ଦେଶକୁ ଜ୍ଞାନକୌଶଳ ହସ୍ତାନ୍ତର କରନ୍ତୁ। ସ୍ୱଚ୍ଛ ଶକ୍ତି ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରନ୍ତୁ।

ବନ୍ଧୁଗଣ,

ଜଳବାୟୁ ପରିବର୍ତ୍ତନ ପ୍ରକ୍ରିୟା ପାଇଁ ମିଳିତ ଜାତିସଂଘ ଢାଞ୍ଚା ପ୍ରତି ଭାରତ ପ୍ରତିଶ୍ରୁତିବଦ୍ଧ ।

ତେଣୁ ଆଜି ମୁଁ ଏହି ମଞ୍ଚରୁ ୨୦୨୮ରେ ଭାରତରେ କପ୍‌-୩୩ ଶିଖର ସମ୍ମିଳନୀ ଆୟୋଜନ କରିବାକୁ ମଧ୍ୟ ପ୍ରସ୍ତାବ ଦେଉଛି।

 

ମୁଁ ଆଶା କରୁଛି ଯେ ଆଗାମୀ ୧୨ ଦିନ ମଧ୍ୟରେ ଗ୍ଲୋବାଲ୍ ଷ୍ଟକ୍-ଟେକ୍ ର ସମୀକ୍ଷା ଆମକୁ ଏକ ସୁରକ୍ଷିତ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମାର୍ଗ ପ୍ରଦାନ କରିବ ।

କ୍ଷତି ଓ କ୍ଷୟକ୍ଷତି ପାଣ୍ଠିକୁ କାର୍ଯ୍ୟକ୍ଷମ କରିବା ପାଇଁ ଗତକାଲି ନିଆଯାଇଥିବା ନିଷ୍ପତ୍ତି ଆମ ସମସ୍ତଙ୍କ ଆଶାକୁ ବଢ଼ାଇଦେଇଛି।

ମୋର ବିଶ୍ୱାସ ଯେ ୟୁଏଇ ଦ୍ୱାରା ଆୟୋଜନ କରାଯାଇଥିବା ଏହି କପ୍‌ ୨୮ ଶିଖର ସମ୍ମିଳନୀ ସଫଳତାର ନୂତନ ଶିଖର ଛୁଇଁବ ।

ମୋତେ ଏହି ସ୍ୱତନ୍ତ୍ର ସମ୍ମାନ ଦେଇଥିବାରୁ ମୁଁ ମୋ ଭାଇ ମହାମହିମ ଶେଖ୍ ମହମ୍ମଦ ବିନ୍ ଜାଏଦ ଏବଂ ଜାତିସଂଘର ମହାସଚିବ ଗୁଟେରେସ୍‌ଙ୍କୁ ବିଶେଷ ଭାବେ ଧନ୍ୟବାଦ ଜଣାଉଛି।

ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'We'll provide AI skill training to 1 crore youth': PM Modi's big announcement on Independence Day 2026

Media Coverage

'We'll provide AI skill training to 1 crore youth': PM Modi's big announcement on Independence Day 2026
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 15, 2026
August 15, 2026

Azadi Ka Amrit Mahotsav Continues: PM Modi’s Independence Day Vision Unites Growth, Youth Power & National Pride