ମାନ୍ୟବର, ପ୍ରଧାନମନ୍ତ୍ରୀ ଆଲବାନିଜ୍‌,

ଉଭୟ ଦେଶର ପ୍ରତିନିଧିବୃନ୍ଦ,

 ମୋର ଗଣମାଧ୍ୟମ ବନ୍ଧୁମାନେ,

ନମସ୍କାର!

ସର୍ବପ୍ରଥମେ, ମୁଁ ଭାରତ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ଆଲବାନିଜ୍‌ଙ୍କୁ ହାର୍ଦ୍ଦିକ ସ୍ୱାଗତ କରୁଛି । ଗତ ବର୍ଷ ଉଭୟ ଦେଶ ପ୍ରଧାନମନ୍ତ୍ରୀ ସ୍ତରରେ ବାର୍ଷିକ ସମ୍ମିଳନୀ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଧାନମନ୍ତ୍ରୀ ଆଲବାନିଜ୍‌ଙ୍କ ଏହି ଗସ୍ତ ସହିତ ଏହି ପର୍ଯ୍ୟାୟର ଆରମ୍ଭ ହୋଇଛି । ସେ ହୋଲି ଦିନ ଭାରତରେ ପହଞ୍ଚିଥିଲେ ଏବଂ ଏହା ପରେ ଆମେ କ୍ରିକେଟ୍ ପଡ଼ିଆରେ ଏକାଠି କିଛି ସମୟ ବିତାଇଥିଲୁ । ରଙ୍ଗ, ସଂସ୍କୃତି ଏବଂ କ୍ରିକେଟର ଏହି ଉତ୍ସବ, ଏକ ପ୍ରକାରରେ, ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବନ୍ଧୁତ୍ୱର ଉତ୍ସାହ ଏବଂ ଆବେଗର ଏକ ପ୍ରତୀକ।

ବନ୍ଧୁଗଣ,

ଆଜି, ଆମେ ପାରସ୍ପରିକ ସହଯୋଗର ବିଭିନ୍ନ ଦିଗ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କଲୁ । ଆମର ବିସ୍ତୃତ ରଣନୀତିକ ଭାଗିଦାରୀରେ ସୁରକ୍ଷା ସହଯୋଗ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ଆଜି ଆମେ ଭାରତ-ପ୍ରଶାନ୍ତ ମହାସାଗରରେ ସାମୁଦ୍ରିକ ସୁରକ୍ଷା ଏବଂ ପାରସ୍ପରିକ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ବୃଦ୍ଧି ବିଷୟରେ ବିସ୍ତୃତ ଆଲୋଚନା କରିଥିଲୁ । ପ୍ରତିରକ୍ଷା କ୍ଷେତ୍ରରେ, ଆମେ ଗତ କିଛି ବର୍ଷ ମଧ୍ୟରେ ପରସ୍ପରର ସଶସ୍ତ୍ର ବାହିନୀର ଲଜିଷ୍ଟିକ୍ ସହାୟତା ସହ ଜଡ଼ିତ ଉଲ୍ଲେଖନୀୟ ଚୁକ୍ତିନାମା କରିଛୁ । ଆମର ସୁରକ୍ଷା ଏଜେନ୍ସି ମଧ୍ୟରେ ନିୟମିତ ଏବଂ ଉପଯୋଗୀ ସୂଚନା ଆଦାନପ୍ରଦାନ ମଧ୍ୟ ଅଛି, ଏବଂ ଆମେ ଏହାକୁ ଅଧିକ ମଜବୁତ କରିବା ଉପରେ ଆଲୋଚନା କରିଛୁ । ଆମର ଯୁବ ସୈନିକମାନଙ୍କ ମଧ୍ୟରେ ଯୋଗାଯୋଗ ଏବଂ ବନ୍ଧୁତା ବଢାଇବାକୁ, ଆମେ ଜେନେରାଲ୍ ରାୱତ ଅଫିସର୍ସ ଏକ୍ସଚେଞ୍ଜ୍ ପ୍ରୋଗ୍ରାମ ପ୍ରତିଷ୍ଠା କରିଛୁ, ଯାହା ଏହି ମାସରୁ ଆରମ୍ଭ ହୋଇଛି ।

ବନ୍ଧୁଗଣ,

ବିଶ୍ୱସ୍ତ ଏବଂ ଦୃଢ ବିଶ୍ୱ ଯୋଗାଣ-ଶୃଙ୍ଖଳା ବିକାଶ ପାଇଁ ଆଜି ଆମେ ପାରସ୍ପରିକ ସହଯୋଗ ଉପରେ ଆଲୋଚନା କଲୁ । ଅକ୍ଷୟ ଶକ୍ତି ହେଉଛି ଉଭୟ ଦେଶ ପାଇଁ ପ୍ରାଥମିକତା ଏବଂ ଧ୍ୟାନର ଏକ କ୍ଷେତ୍ର, ଏବଂ ଆମେ ସ୍ୱଚ୍ଛ ହାଇଡ୍ରୋଜେନ ଏବଂ ସୌରଶକ୍ତି ଉପରେ ମିଳିତ ଭାବରେ କାର୍ଯ୍ୟ କରୁଛୁ । ବାଣିଜ୍ୟ ଚୁକ୍ତି –ଇସିଟିଇଏ, ଯାହା ଗତ ବର୍ଷ କାର୍ଯ୍ୟକାରୀ ହୋଇଥିଲା ତାହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ପୁଞ୍ଜି ନିବେଶ ପାଇଁ ଉତ୍ତମ ସୁଯୋଗ ସୁଯୋଗ ସୃଷ୍ଟି କରିଛି । ଆମର ଟିମ୍‍ ମଧ୍ୟ ବ୍ୟାପକ ଆର୍ଥିକ ସହଯୋଗ ଚୁକ୍ତିନାମା ଉପରେ କାର୍ଯ୍ୟ କରୁଛନ୍ତି ।

ବନ୍ଧୁଗଣ,

ଲୋକଙ୍କ ମଧ୍ୟରେ ସମ୍ପର୍କ, ଭାରତ-ଅଷ୍ଟ୍ରେଲିଆ ବନ୍ଧୁତ୍ୱର ଏକ ପ୍ରମୁଖ ସ୍ତମ୍ଭ । ଶିକ୍ଷାଗତ ଯୋଗ୍ୟତାର ପାରସ୍ପରିକ ସ୍ୱୀକୃତି ପାଇଁ ଆମେ ଏକ ବ୍ୟବସ୍ଥା ସ୍ୱାକ୍ଷର କରିଛୁ, ଯାହା ଆମ ଛାତ୍ର ସମାଜ ପାଇଁ ଉପଯୋଗୀ ହେବ । ଆମେ ମଧ୍ୟ ମୋବିଲିଟି ଚୁକ୍ତିରେ ଆଗକୁ ବଢ଼ୁଛୁ । ଏହା ଛାତ୍ର, ଶ୍ରମିକ ଏବଂ ପେସାଦାରମାନଙ୍କ ପାଇଁ ଲାଭଦାୟକ ହେବ । ପ୍ରବାସୀ ଭାରତୀୟ ବର୍ତ୍ତମାନ ଅଷ୍ଟ୍ରେଲିଆର ଦ୍ୱିତୀୟ ବୃହତ୍ତମ ପ୍ରବାସୀ ସମ୍ପ୍ରଦାୟ । ଏହି ଭାରତୀୟ ସମ୍ପ୍ରଦାୟ ଅଷ୍ଟ୍ରେଲିଆର ସମାଜ ତଥା ଅର୍ଥବ୍ୟବସ୍ଥାରେ ଏକ ମହତ୍ୱପୂର୍ଣ୍ଣ ଅବଦାନ ରଖିଛି । ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ ଗତ କିଛି ସପ୍ତାହ ମଧ୍ୟରେ ଅଷ୍ଟ୍ରେଲିଆରେ ମନ୍ଦିର ଉପରେ ନିୟମିତ ଆକ୍ରମଣ ଦେଖିବାକୁ ମିଳୁଛି । ଏହା ସ୍ୱାଭାବିକ ଯେ ଏଭଳି ଖବର ଭାରତର ଲୋକଙ୍କୁ ଚିନ୍ତିତ କରିଛି ଏବଂ ଆମ ମନକୁ ବିଚଳିତ କରୁଛି ।  ମୁଁ ଆମର ଏହି ଭାବନା ଏବଂ ଦୃଷ୍ଟିକୋଣକୁ ପ୍ରଧାନମନ୍ତ୍ରୀ ଆଲବାନିଜ୍‌ଙ୍କ ସହ ସେୟାର କରିଛି ଏବଂ ସେ ମୋତେ ଆଶ୍ୱାସନା ଦେଇଛନ୍ତି ଯେ ଭାରତୀୟ ସମ୍ପ୍ରଦାୟର ସୁରକ୍ଷା ତାଙ୍କ ପାଇଁ ଏକ ବିଶେଷ ପ୍ରାଥମିକତା । ଆମର ଟିମ୍‍ ଏହି ବିଷୟ ଉପରେ ନିୟମିତ ଯୋଗାଯୋଗରେ ରହିବେ ଏବଂ ଯଥାସମ୍ଭବ ସହଯୋଗ କରିବେ ।

ବନ୍ଧୁଗଣ,

ପ୍ରଧାନମନ୍ତ୍ରୀ ଆଲବାନିସ୍ ଓ ମୁଁ ସହମତ ଯେ ବିଶ୍ୱ ଆହ୍ୱାନ ଗୁଡିକର ମୁକାବିଲା ପାଇଁ ଏବଂ ବିଶ୍ୱବ୍ୟାପୀ ସୁସ୍ଥତା ପାଇଁ ଆମର ଦ୍ୱିପାକ୍ଷିକ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ । ମୁଁ ଭାରତର ଜି -୨୦ ଅଧ୍ୟକ୍ଷତାର ପ୍ରାଥମିକତା ବିଷୟରେ ପ୍ରଧାନମନ୍ତ୍ରୀ ଆଲବାନିଜ୍‌ଙ୍କୁ ବୁଝାଇଥିଲି ଏବଂ ଅଷ୍ଟ୍ରେଲିଆର ନିରନ୍ତର ସମର୍ଥନ ପାଇଁ ମୁଁ କୃତଜ୍ଞତା ଜଣାଇଥିଲି । ଭାରତ ଏବଂ ଅଷ୍ଟ୍ରେଲିଆ ଉଭୟ କ୍ୱାଡର ସଦସ୍ୟ ଅଟନ୍ତି ଏବଂ ଆଜି ଆମେ ଏହି ମଞ୍ଚରେ ଆମ ମଧ୍ୟରେ ସହଯୋଗ ବିଷୟରେ ମଧ୍ୟ ଆଲୋଚନା କରିଛୁ । ଚଳିତ ବର୍ଷ ମେ ମାସରେ ହେବାକୁ ଥିବା କ୍ୱାଡ ନେତୃତ୍ୱ ସମ୍ମିଳନୀରେ ମୋତେ ନିମନ୍ତ୍ରଣ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ଆଲବାନିଜ୍‌ଙ୍କୁ ଧନ୍ୟବାଦ ଦେଉଛି । ଏହା ପରେ, ସେପ୍ଟେମ୍ବରରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ, ମୋତେ ପୁନର୍ବାର ପ୍ରଧାନମନ୍ତ୍ରୀ ଆଲବାନିଜ୍‌ଙ୍କୁ ସ୍ୱାଗତ କରିବାର ସୁଯୋଗ ମିଳିବ ଏବଂ ମୁଁ ଏଥିରେ ବହୁତ ଖୁସି ହେବି । ପୁଣିଥରେ ଭାରତରେ ପ୍ରଧାନମନ୍ତ୍ରୀ ଆଲବାନିଜ୍‌ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଉଛି । ମୁଁ ନିଶ୍ଚିତ ଯେ ତାଙ୍କ ଗସ୍ତ ଆମ ସମ୍ପର୍କକୁ ନୂତନ ଗତି ଏବଂ ଦିଶା ଦେବ ।

ଧନ୍ୟବାଦ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'We'll provide AI skill training to 1 crore youth': PM Modi's big announcement on Independence Day 2026

Media Coverage

'We'll provide AI skill training to 1 crore youth': PM Modi's big announcement on Independence Day 2026
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 15, 2026
August 15, 2026

Azadi Ka Amrit Mahotsav Continues: PM Modi’s Independence Day Vision Unites Growth, Youth Power & National Pride