ମହାମହିମ ପ୍ରଧାନମନ୍ତ୍ରୀ ଉଲ୍ଫ କ୍ରିଷ୍ଟରସନ୍,

ମହାମହିମ ଉର୍ସୁଲା ଭନ୍ ଡେର୍ ଲେଏନ୍,

ମହାମହିମ ରୋୟାଲ୍ ହାଇନେସ୍,

ଭଲଭୋ ଗ୍ରୁପ୍ ର ଅଧ୍ୟକ୍ଷ ଏବଂ ସିଇଓ,

ୟୁରୋପୀୟ ରାଉଣ୍ଡ ଟେବୁଲ୍ ଫର୍ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ,

ଏଠାରେ ଉପସ୍ଥିତ ୟୁରୋପର ପ୍ରତିଷ୍ଠିତ ବ୍ୟବସାୟ ନେତାମାନେ,

ମହିଳା ଓ ଭଦ୍ରବ୍ୟକ୍ତିବୃନ୍ଦ,

 

ନମସ୍କାର!

ସର୍ବପ୍ରଥମେ, ଏହି ଗୋଲଟେବୁଲ ବୈଠକକୁ ମୋତେ ଆମନ୍ତ୍ରଣ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ଉଲ୍ଫ କ୍ରିଷ୍ଟରସନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ଏହି ବୈଠକ ଗୋଥେନବର୍ଗରେ ଆୟୋଜିତ ହେଉଥିବାରୁ ମୁଁ ଖୁସି ଅନୁଭବ କରୁଛି। ଏହି ସହର ଯାହା କେବଳ ନବସୃଜନ ପାଇଁ ଜଣାଶୁଣା ନୁହେଁ ବରଂ ୟୁରୋପର ଉତ୍ପାଦନ ମନୋଭାବର ଏକ ସ୍ପନ୍ଦନଶୀଳ ପ୍ରତୀକ ଭାବରେ ମଧ୍ୟ ପରିଚିତ।

 

ବନ୍ଧୁଗଣ,

ଉଦ୍ୟୋଗ ପାଇଁ ୟୁରୋପୀୟ ଗୋଲଟେବୁଲ ଭଳି ଏକ ପ୍ରତିଷ୍ଠିତ ମଞ୍ଚକୁ ସମ୍ବୋଧିତ କରିବା ମୋ ପାଇଁ ଏକ ଗୌରବର ବିଷୟ।

 

ମୁଁ ପୂର୍ବରୁ ଆପଣମାନଙ୍କ ମଧ୍ୟରୁ କେତେକଙ୍କୁ ଭେଟିଛି, ଆଜି ପ୍ରଥମ ଥର ପାଇଁ ଆପଣମାନଙ୍କ ମଧ୍ୟରୁ ଆଉ କେତେକଙ୍କୁ ସାକ୍ଷାତ କରୁଛି। କିନ୍ତୁ ଗୋଟିଏ କଥା ନିଶ୍ଚିତ - ଆପଣମାନେ ସମସ୍ତେ କୌଣସି ନା କୌଣସି ଭାବରେ ଭାରତ ସହିତ ଜଡିତ।

କେତେଜଣଙ୍କ ଉତ୍ପାଦନ କାର୍ଯ୍ୟଭିତ୍ତି ଭାରତରେ ଅଛି। ଆଉ କେତେକଙ୍କର, ଗବେଷଣା ଏବଂ ବିକାଶ କାର୍ଯ୍ୟକଳାପ ଭାରତରେ ଚାଲିଛି। କେତେକଙ୍କର ଭାରତରେ ପ୍ରତିଭା ଭଣ୍ଡାର ଅଛି ତ ଆଉ କେତେକଙ୍କର ଭାରତ ସହିତ ଯୋଗାଣ ଶୃଙ୍ଖଳ ଯୋଡ଼ି ସଂଯୁକ୍ତ। ଏଥିସହିତ ଆପଣମାନଙ୍କ ମଧ୍ୟରୁ ଅନେକ ଭାରତରେ ବ୍ୟାପକ ନିବେଶ କରୁଛନ୍ତି। ଆଜିର ବୈଠକ ଏହି ସହଭାଗୀତାକୁ ଆହୁରି ମଜଭୁତ କରିବାର ଏକ ସୁଯୋଗ।

 

ବନ୍ଧୁଗଣ,

ଆଜି, ଭାରତ ଏବଂ ୟୁରୋପ ମଧ୍ୟରେ ସମ୍ପର୍କ ଏକ ନୂତନ ମୋଡ଼ରେ ପହଞ୍ଚିଛି। ସରକାରୀ ସ୍ତରରେ, ଆମେ ଏକ ମହତ୍ୱାକାଂକ୍ଷୀ ଏବଂ ରଣନୈତିକ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରିଛୁ।

 

ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଉପରେ ସହମତ ହୋଇସାରିଛି। ଯେପରି ଉର୍ସୁଲା ଭନ୍ ଡେର୍ ଲେଏନ୍ କହିଥିଲେ, ଏହା ପ୍ରକୃତରେ "ସମସ୍ତ ଚୁକ୍ତିର ଜନନୀ"। ଆମର ପ୍ରୟାସ ହେଉଛି ଯଥାଶୀଘ୍ର ସମ୍ଭବ ଏହାର କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା।

 

ସୁରକ୍ଷା ଓ ପ୍ରତିରକ୍ଷା ସହଭାଗୀତା ଏବଂ ମୋବିଲିଟି ଚୁକ୍ତିନାମା ମଧ୍ୟ ଆମର ସହଯୋଗକୁ ଏକ ନୂତନ ଦିଗ ପ୍ରଦାନ କରିଛି। ଭାରତ-ୟୁରୋପୀୟ ସଂଘ ବାଣିଜ୍ୟ ଓ ପ୍ରଯୁକ୍ତି ପରିଷଦ ଆମର ସହଭାଗୀତାକୁ ନୂତନ ସଂସ୍ଥାଗତ ଶକ୍ତି ପ୍ରଦାନ କରିଛି। ଭାରତ ଏବଂ ୟୁରୋପ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ଯୋଗାଣ ଶୃଙ୍ଖଳ ଏବଂ ନବସୃଜନ ଭଳି କ୍ଷେତ୍ରରେ ଏକାଠି କାମ କରୁଛନ୍ତି।

 

ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର ଭଳି ଐତିହାସିକ ପଦକ୍ଷେପଗୁଡ଼ିକ ସଂଯୋଗୀକରଣ ଓ ଅର୍ଥନୈତିକ ସମନ୍ୱୟକୁ ତ୍ୱରାନ୍ୱିତ କରୁଛି। ଆମର ଚିନ୍ତାଧାରା ଏବଂ ପ୍ରାଥମିକତା ସବୁଜ ପରିବର୍ତ୍ତନ ଏବଂ ସ୍ଥାୟୀ ଅଭିବୃଦ୍ଧି ସମ୍ପର୍କରେ ମଧ୍ୟ ସମାନ।

 

ଅନ୍ୟ ଶବ୍ଦରେ କହିବାକୁ ଗଲେ, ଯଦି ଆମେ ବୃହତ ଚିତ୍ରକୁ ଦେଖିବା, ତେବେ ଆମ ମଧ୍ୟରେ ଗଭୀର ରାଜନୈତିକ, ଅର୍ଥନୈତିକ ଏବଂ ରଣନୈତିକ ସମନ୍ୱୟ ରହିଛି। ଭାରତ ଏବଂ ୟୁରୋପ ଏକ ସନ୍ତୁଳିତ, ସୁରକ୍ଷିତ ଏବଂ ସ୍ଥାୟୀ ବିଶ୍ୱ ପାଇଁ ରଣନୈତିକ ଅଂଶୀଦାର।

କିନ୍ତୁ ବନ୍ଧୁଗଣ,

ସରକାରମାନେ କେବଳ ଏକ ଢାଞ୍ଚା, ସଂସ୍ଥାଗତ ସମର୍ଥନ ଓ ନୀତିଗତ ଦିଗନିର୍ଦ୍ଦେଶ ପ୍ରଦାନ କରିପାରିବେ। ଭୂମି ସ୍ତରରେ ପ୍ରକୃତ ପରିବର୍ତ୍ତନ କେବଳ ଆପଣମାନଙ୍କ ପ୍ରୟାସ ଦ୍ୱାରା ହାସଲ କରାଯାଇପାରିବ। ସେଥିପାଇଁ ମୁଁ ଆଜି ଏଠାରେ ଭାରତ ସହିତ ଏକାସାଥିରେ କାମ କରିବା ପାଇଁ ଆପଣମାନଙ୍କୁ ଆମନ୍ତ୍ରଣ କରିବାକୁ ଆସିଛି।

 

ବିଶ୍ୱର ସବୁଠାରୁ ଦ୍ରୁତଗତିରେ ବିକାଶଶୀଳ ପ୍ରମୁଖ ଅର୍ଥନୀତି ଭାବରେ, ଭାରତ ଆଜି ଏକ ନୂତନ ଆତ୍ମବିଶ୍ୱାସ ଭାବନା ସହିତ ଆଗକୁ ବଢ଼ୁଛି। ଭାରତ ହେଉଛି ୧.୪ ବିଲିୟନ ଆକାଂକ୍ଷାର ଏକ ଦେଶ। ଆମର ଯୁବ ଜନସଂଖ୍ୟା, ବିସ୍ତାରିତ ମଧ୍ୟବିତ୍ତ ବର୍ଗ ଓ ଦ୍ରୁତ ଭିତ୍ତିଭୂମି ବିକାଶ ଭାରତର ଅଭିବୃଦ୍ଧିକୁ ନୂତନ ଗତି ପ୍ରଦାନ କରୁଛି।

 

ଗତ ବାର ବର୍ଷ ମଧ୍ୟରେ, ଭାରତ "ସଂସ୍କାର, କାର୍ଯ୍ୟଦକ୍ଷତା ଏବଂ ରୂପାନ୍ତର" ମନ୍ତ୍ର ସହିତ ଅଗ୍ରସର ହୋଇଛି। ସରକାରଙ୍କ ରାଜନୈତିକ ଇଚ୍ଛାଶକ୍ତି ଦ୍ୱାରା ସମର୍ଥିତ, ଏହି ସଂସ୍କାର ଏକ୍ସପ୍ରେସ ପୂର୍ଣ୍ଣ ଗତିରେ ଆଗେଇ ଚାଲିଛି।

 

ସାମଗ୍ରୀ ଏବଂ ସେବା କର (ଜିଏସଟି) ଭାରତକୁ “ଏକ ଦେଶ, ଏକ କର, ଏକ ବଜାର” ଦୃଷ୍ଟିକୋଣ ଆଡ଼କୁ ଆଗକୁ ନେଇଛି। ଇନସଲଭେନ୍ସି ଏବଂ ବ୍ୟାଙ୍କରପ୍ସି କୋଡ୍ ବ୍ୟବସାୟିକ ସଂସ୍କୃତିରେ ଅଧିକ ଉତ୍ତରଦାୟିତ୍ୱ ଆଣିଛି। କର୍ପୋରେଟ୍ ଟିକସ ସଂସ୍କାର ଉତ୍ପାଦନକୁ ଅଧିକ ପ୍ରତିଯୋଗିତାମୂଳକ କରିଛି, ଏଥିସହିତ ଶ୍ରମ କୋଡଗୁଡ଼ିକ ସରଳୀକରଣ କରିଛି ଏବଂ ଅନୁପାଳନକୁ ଅଧିକ ସ୍ୱଚ୍ଛ କରିଛି।

 

ଏଫଡିଆଇ ସଂସ୍କାର ଅନେକ କ୍ଷେତ୍ରକୁ ବିଶ୍ୱ ପୁଞ୍ଜି ପାଇଁ ଉନ୍ମୁକ୍ତ କରିଛି। ଉତ୍ପାଦନ ଲିଙ୍କ୍ଡ୍ ଇନସେଣ୍ଟିଭ୍ (ପିଏଲଆଇ) ଯୋଜନାଗୁଡ଼ିକ ଇଲେକ୍ଟ୍ରୋନିକ୍ସ, ଔଷଧ, ଅଟୋ ଉପାଦାନ, ସୋଲାର ମଡ୍ୟୁଲ୍, ଟେଲିକମ୍ୟୁନିକେସନ୍ ଓ ବୟନଶିଳ୍ପ ଭଳି କ୍ଷେତ୍ରଗୁଡ଼ିକରେ ଦୃଢ଼ ଉତ୍ପାଦନ ଗତି ସୃଷ୍ଟି କରିଛି।

 

ଆମେ ଅନୁପାଳନର ବୋଝ ହ୍ରାସ କରିଛୁ ଏବଂ ହଜାର ହଜାର ପୁରୁଣା ନିୟମାବଳୀକୁ ଉଚ୍ଛେଦ କରିଛୁ। “ଇଜ୍ ଅଫ୍ ଡୁଇଂ ବିଜନେସ୍”କୁ ଶାସନ ବ୍ୟବସ୍ଥାର ଏକ ଅଭିନ୍ନ ଅଂଶ କରାଯାଇଛି। “ଡିଜିଟାଲ୍ ଇଣ୍ଡିଆ” ପଦକ୍ଷେପ ସରକାରୀ ସେବାଗୁଡ଼ିକୁ ଅଧିକ ସ୍ୱଚ୍ଛ, କାର୍ଯ୍ୟକ୍ଷମ ଓ ସହଜଲଭ୍ୟ କରିଛି।

ଆଜି, ଭାରତରେ ବିଶ୍ୱର ତୃତୀୟ ସର୍ବବୃହତ ଷ୍ଟାର୍ଟଅପ୍ ଇକୋସିଷ୍ଟମ ବ୍ୟବସ୍ଥା ରହିଛି। ଆମର ଷ୍ଟାର୍ଟଅପ୍ଗୁଡ଼ିକ କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ଫିନଟେକ୍, ମହାକାଶ, ଡ୍ରୋନ୍, ବାୟୋଟେକ୍, ଜଳବାୟୁ ପ୍ରଯୁକ୍ତିବିଦ୍ୟା ଓ ଗତିଶୀଳତା ଭଳି କ୍ଷେତ୍ରରେ ବିଶ୍ୱସ୍ତରୀୟ ସମାଧାନ ବିକଶିତ କରୁଛନ୍ତି।

 

ଆଜି, ଭାରତ ପାଖରେ ପ୍ରତିଭା, ବିସ୍ତୃତ କ୍ଷମତା, ଚାହିଦା ଓ ସ୍ଥିରତା ଅଛି - ଏବଂ ସବୁଠାରୁ ବଡ଼ କଥା ହେଉଛି, ଭାରତରେ ୧.୪ ବିଲିୟନ ଲୋକଙ୍କ ଦୃଢ଼ ନିଷ୍ପତ୍ତି ଏବଂ ଆକାଂକ୍ଷା ରହିଛି। ସେଥିପାଇଁ ଏବେ ସମୟ ଆସିଛି ଯେ, ଆମେ କେବଳ ଉଦ୍ଦେଶ୍ୟରୁ ନିବେଶ ଦିଗକୁ ଅଗ୍ରସର ହେବା।

 

ଏହି ପରିପ୍ରେକ୍ଷୀରେ, ମୁଁ ଆପଣଙ୍କ ସମ୍ମୁଖରେ ପାଞ୍ଚଟି ପ୍ରସ୍ତାବ ରଖିବାକୁ ଚାହୁଁଛି।

 

ପ୍ରଥମ: ଟେଲିକମ୍ ଏବଂ ଡିଜିଟାଲ୍ ଭିତ୍ତିଭୂମି। ଭୋଡାଫୋନ୍, ଏରିକ୍ସନ୍, ନୋକିଆ ଓ ଅରେଞ୍ଜ ଭଳି କମ୍ପାନୀଗୁଡ଼ିକର ଭାରତରେ ବ୍ୟାପକ ଅଭିଜ୍ଞତା ରହିଛି। ୫ଜି ରୁ ୬ଜି କୁ ପରିବର୍ତ୍ତନ, ଏଆଇ-ସକ୍ଷମ ନେଟୱାର୍କ, ସୁରକ୍ଷିତ ସଂଯୋଗ ଏବଂ ଡିଜିଟାଲ୍ ସମାବେଶ ଦିଗରେ ଭାରତ ଏକ ପ୍ରମୁଖ ଅଂଶୀଦାର ହୋଇପାରିବ। ଆପଣ ସମସ୍ତେ ଭାରତକୁ ଏକ ବିଶ୍ୱସ୍ତରୀୟ ଗବେଷଣା ଏବଂ ବିକାଶ କେନ୍ଦ୍ର କରିବାରେ ଯୋଗଦାନ ଦେଇପାରିବେ।

 

ଦ୍ୱିତୀୟ: ଏଆଇ, ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ ଓ ଡିପ୍-ଟେକ୍ ଉତ୍ପାଦନ। ଏଏସଏମଏଲ୍, ଏନଏକ୍ସପି ସେମିକଣ୍ଡକ୍ଟର, ଏସଏପି, ଏବଂ କ୍ୟାପଜେମିନି ଭଳି ଅଗ୍ରଣୀ କମ୍ପାନୀମାନେ ଆଜି ଏଠାରେ ଉପସ୍ଥିତ ଅଛନ୍ତି। ମୁଁ ଆପଣମାନଙ୍କୁ ଭାରତର ଦ୍ରୁତ ଗତିରେ ବିକଶିତ ହେଉଥିବା ଏଣ୍ଡ-ଟୁ-ଏଣ୍ଡ ପ୍ରଯୁକ୍ତି ଇକୋସିଷ୍ଟମରେ ଅଂଶୀଦାର ହେବାକୁ ଆମନ୍ତ୍ରଣ କରୁଛି।

 

ଭାରତର ଦୃଷ୍ଟିକୋଣ ସ୍ପଷ୍ଟ: ପ୍ରଯୁକ୍ତିବିଦ୍ୟା ନବସୃଜନର ପରବର୍ତ୍ତୀ ଲହର ଭାରତରେ ସହ-ସୃଷ୍ଟି ହେବା ଉଚିତ।

 

ତୃତୀୟ: ସବୁଜ ପରିବର୍ତ୍ତନ ଏବଂ ସ୍ୱଚ୍ଛ ଶକ୍ତି। ଏକ ଅନିଶ୍ଚିତ ବିଶ୍ୱ ପରିବେଶ ମଧ୍ୟରେ, ଭାରତ ଶକ୍ତି ସୁରକ୍ଷାକୁ ସୁଦୃଢ଼ ​​କରିବା ଏବଂ ସ୍ୱଚ୍ଛ ଶକ୍ତି କ୍ଷମତା ବିସ୍ତାର କରିବା ଉପରେ ଗୁରୁତ୍ୱ ଦେଉଛି। ଇଞ୍ଜି, ଟୋଟାଲଏନର୍ଜିଜ୍, ଶେଲ୍ ଓ ଉମିକୋର ଭଳି କମ୍ପାନୀଗୁଡ଼ିକ ସ୍ୱଚ୍ଛ ଶକ୍ତି, ହାଇଡ୍ରୋଜେନ୍, ଶକ୍ତି ସଂରକ୍ଷଣ, ବୈଦ୍ୟୁତିକ ଯାନବାହନ ଏବଂ ଡିକାର୍ବୋନାଇଜେସନ୍ କ୍ଷେତ୍ରରେ ବିଶ୍ୱସ୍ତରୀୟ ନେତୃତ୍ୱ ରଖୁଛନ୍ତି। ଆପଣମାନେ ଭାରତରେ ବ୍ୟାପକ ନିବେଶ କରିପାରିବେ।

 

ଚତୁର୍ଥ: ଭିତ୍ତିଭୂମି, ଗତିଶୀଳତା ଓ ସହରାଞ୍ଚଳ ପରିବର୍ତ୍ତନ। ଭଲଭୋ ଗ୍ରୁପ୍, ମାର୍ସ୍କ, ଏୟାରବସ୍, ସାଆବ୍ ଏବି, ଆର୍ସେଲରମିତ୍ତଲ ଏବଂ ହାଇଡେଲବର୍ଗ - ଏହି ସମସ୍ତ କମ୍ପାନୀଗୁଡ଼ିକର ପାରଦର୍ଶିତା ଭାରତର ପରିବର୍ତ୍ତନ ସହିତ ସିଧାସଳଖ ସଂଯୁକ୍ତ। ସ୍ଥାୟୀ ସିମେଣ୍ଟ, ସବୁଜ ଇସ୍ପାତ, ଗତିଶୀଳତା, ଲଜିଷ୍ଟିକ୍ସ, ଏରୋସ୍ପେସ୍ ଓ ପ୍ରତିରକ୍ଷା ଭଳି କ୍ଷେତ୍ରରେ, ଭାରତ ଓ ୟୁରୋପ ମଧ୍ୟରେ ସହଭାଗୀତା ବିଶ୍ୱସ୍ତରୀୟ ଫଳାଫଳ ପ୍ରଦାନ କରିପାରିବ।

ପଞ୍ଚମ: ସ୍ୱାସ୍ଥ୍ୟସେବା ଓ ଜୀବ ବିଜ୍ଞାନ। ଆଷ୍ଟ୍ରାଜେନେକା, ରୋଚେ, ମର୍କ, ଫିଲିପ୍ସ, ନେସଲେ ଏବଂ ୟୁନିଲିଭର ଭଳି କମ୍ପାନୀଗୁଡ଼ିକ ଭାରତ ସହିତ ଦୀର୍ଘକାଳୀନ ସମ୍ପର୍କ ସ୍ଥାପନ କରିଛନ୍ତି। ଏବେ, ଆମକୁ ଏହି ସହଭାଗୀତାକୁ ପରବର୍ତ୍ତୀ ସ୍ତରକୁ ନେବାକୁ ପଡିବ।

 

ଟୀକା, କର୍କଟ ଚିକିତ୍ସା, ଡିଜିଟାଲ୍ ସ୍ୱାସ୍ଥ୍ୟ, ପୁଷ୍ଟିସାର ଓ ଚିକିତ୍ସା ଉପକରଣ କ୍ଷେତ୍ରରେ ଅପାର ସୁଯୋଗ ରହିଛି। ଆପଣ "ଡିଜାଇନ୍ ଫର୍ ଇଣ୍ଡିଆ, ମେକ୍ ଇନ୍ ଇଣ୍ଡିଆ, ଏବଂ ରପ୍ତାନି ଫ୍ରମ୍ ଇଣ୍ଡିଆ" ମଡେଲ୍ ସହିତ ଆଗକୁ ବଢ଼ିପାରିବେ।

 

ସମୟର ସୀମାବଦ୍ଧତା ଯୋଗୁଁ, ମୁଁ ଏଠାରେ ଉପସ୍ଥିତ ପ୍ରତ୍ୟେକ କମ୍ପାନୀର ନାମ ଉଲ୍ଲେଖ କରିପାରିଲି ନାହିଁ, କିନ୍ତୁ ଭାରତରେ ସୁଯୋଗ ସମସ୍ତଙ୍କ ପାଇଁ ରହିଛି ଏବଂ ମୋର ନିମନ୍ତ୍ରଣ ଆପଣମାନଙ୍କ ପାଇଁ ଅଟେ।

 

ବନ୍ଧୁଗଣ,

ଆପଣଙ୍କ ସମ୍ମୁଖରେ ଏହି ପ୍ରସ୍ତାବଗୁଡ଼ିକ ରଖିବା ପରେ, ମୁଁ ଏକ ଚ୍ୟାଲେଞ୍ଜ ମଧ୍ୟ ଉପସ୍ଥାପନ କରିବାକୁ ଚାହୁଁଛି। ଏଠାରେ ଉପସ୍ଥିତ ପ୍ରତ୍ୟେକ କମ୍ପାନୀ କ’ଣ ଭାରତ ପ୍ରତି ଏକ ନୂତନ ପ୍ରମୁଖ ପ୍ରତିବଦ୍ଧତା ପ୍ରକାଶ କରିପାରିବ? ଆମେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ଆରମ୍ଭ ହେବାକୁ ଥିବା ପ୍ରମୁଖ ପ୍ରକଳ୍ପଗୁଡ଼ିକୁ ଚିହ୍ନଟ କରିପାରିବୁ କି?

 

ଭାରତ ସରକାର ଏହି ସମସ୍ତ ପ୍ରକଳ୍ପଗୁଡ଼ିକର ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବେ। ଆମେ ଏହି ପଦକ୍ଷେପଗୁଡ଼ିକର ନିୟମିତ ସମୀକ୍ଷା ଏବଂ ତଦାରଖ ପାଇଁ ଏକ ସାଂସ୍ଥାଗତିକ ବ୍ୟବସ୍ଥା ମଧ୍ୟ ସ୍ଥାପନ କରିପାରିବା।

 

ବନ୍ଧୁଗଣ,

ଆମେ ପ୍ରତିବର୍ଷ ଥରେ ଏକ ଭାରତ-ୟୁରୋପ ସିଇଓ ଗୋଲଟେବୁଲ ଆୟୋଜନ କରିପାରିବା। ଭାରତ ଓ ୟୁରୋପ ଉଭୟର ଶିଳ୍ପ ସଂସ୍ଥା ଏହି ପ୍ଲାଟଫର୍ମ ସହିତ ଜଡିତ ହୋଇପାରିବ, ଏବଂ କ୍ଷେତ୍ର-ଭିତ୍ତିକ କାର୍ଯ୍ୟକାରୀ ଗୋଷ୍ଠୀ ମଧ୍ୟ ଗଠନ କରାଯାଇପାରିବ।

 

 

ମୁଁ ଏହା ମଧ୍ୟ ପ୍ରସ୍ତାବ ଦେବି ଯେ, ୟୁରୋପିୟ ରାଉଣ୍ଡ ଟେବୁଲ୍ ଫର୍ ଇଣ୍ଡଷ୍ଟ୍ରି ଏକ “ଇଣ୍ଡିଆ ଡେସ୍କ” କିମ୍ବା “ଇଣ୍ଡିଆ ଆକ୍ସନ୍ ଗ୍ରୁପ୍” ସୃଷ୍ଟି କରୁ। ଏହାର କାର୍ଯ୍ୟାଦେଶ ସରଳ ହୋଇପାରିବ; ଭାରତରେ ପୂର୍ବରୁ କାର୍ଯ୍ୟ କରୁଥିବା କମ୍ପାନୀଗୁଡ଼ିକର ପ୍ରସାରକୁ ସମର୍ଥନ କରିବା; ଭାରତରେ ନିବେଶ କରିବାକୁ ଇଚ୍ଛୁକ ନୂତନ କମ୍ପାନୀଗୁଡ଼ିକର ପ୍ରବେଶକୁ ସହଜ କରିବା; ଏବଂ ବ୍ୟବସାୟିକ ଚିନ୍ତାକୁ ସକ୍ରିୟ ଭାବରେ ସମାଧାନ କରିବା।

 

ବନ୍ଧୁଗଣ,

ଭାରତ ଓ ୟୁରୋପ ମଧ୍ୟରେ ସହଭାଗୀତା କେବଳ ଆର୍ଥିକ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସୀମିତ ନୁହେଁ। ଏହା ସମାନ ମୂଲ୍ୟବୋଧ ଉପରେ ଆଧାରିତ ଏକ ସହଭାଗୀତା। ଏହା ଗଣତନ୍ତ୍ର ଏବଂ ବିବିଧତାର ସହଭାଗୀତା। ଏହା ବିଶ୍ୱାସ ଏବଂ ସ୍ୱଚ୍ଛତାର ଏକ ସହଭାଗୀତା। ଏହା ନବସୃଜନ ଏବଂ ଅନ୍ତର୍ଭୁକ୍ତିର ଏକ ସହଭାଗୀତା।

 

ଏପରି ସମୟରେ, ଯେତେବେଳେ ବିଶ୍ୱ ଅନିଶ୍ଚିତତାର ସମ୍ମୁଖୀନ ହେଉଛି, ଯୋଗାଣ ଶୃଙ୍ଖଳ ଚାପ ମଧ୍ୟରେ ଅଛି, ପ୍ରଯୁକ୍ତିବିଦ୍ୟା ପ୍ରତିଯୋଗିତା ତୀବ୍ର ହେଉଛି, ଏବଂ ଶକ୍ତି ସୁରକ୍ଷା ଏବଂ ଜଳବାୟୁ କାର୍ଯ୍ୟ ଉଭୟକୁ ଚ୍ୟାଲେଞ୍ଜ କରାଯାଉଛି, ସେତେବେଳେ ଭାରତ ଓ ୟୁରୋପ ମିଳିତ ଭାବରେ ସ୍ଥିରତା, ସ୍ଥାୟୀତ୍ୱ ଏବଂ ସାମୂହିକ ସମୃଦ୍ଧିର ଶକ୍ତିଶାଳୀ ସ୍ତମ୍ଭ ଭାବରେ ଉଭା ହୋଇପାରିବେ।

 

ଏହି ମନୋଭାବ ସହିତ, ମୁଁ ଆପଣମାନଙ୍କୁ ଭାରତର ବିକାଶ ଯାତ୍ରାରେ ଅଂଶୀଦାର ହେବାକୁ ନିମନ୍ତ୍ରଣ କରୁଛି। ମୋର ପୂର୍ଣ୍ଣ ବିଶ୍ୱାସ ଯେ, ଆଜି ଗୋଥେନବର୍ଗରେ ଆରମ୍ଭ ହେଉଥିବା ଏହି ଆଲୋଚନା ଆଗାମୀ ବର୍ଷଗୁଡ଼ିକରେ ଭାରତ ଓ ୟୁରୋପ ମଧ୍ୟରେ ଶିଳ୍ପ ସହଭାଗୀତାରେ ଏକ ନୂତନ ଅଧ୍ୟାୟ ରଚନା କରିବ।

 

ଏଠାରେ ଏତେ ବିପୁଳ ସଂଖ୍ୟାରେ ଯୋଗଦେଇଥିବାରୁ ଏବଂ ଏହି ସମ୍ମିଳନୀରେ ଆପଣମାନଙ୍କ ସହିତ ମୋର ଭାବନା ବାଣ୍ଟିବାର ସୁଯୋଗ ଦେଇଥିବାରୁ ମୁଁ ଆପଣମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ଆପଣମାନଙ୍କ ପ୍ରତ୍ୟେକଙ୍କ ପ୍ରତି ମୁଁ ହୃଦୟରୁ କୃତଜ୍ଞତା ପ୍ରକାଶ କରୁଛି।

 

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Give mothers, sisters their due rights’: PM Modi pushes for women's reservation from the ramparts of Red Fort

Media Coverage

‘Give mothers, sisters their due rights’: PM Modi pushes for women's reservation from the ramparts of Red Fort
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to former Prime Minister, Shri Atal Bihari Vajpayee at Sadaiv Atal
August 16, 2026

Prime Minister Shri Narendra Modi earlier this morning paid homage to former Prime Minister, Shri Atal Bihari Vajpayee at his memorial, Sadaiv Atal. He emphasized that the former Prime Minister's role in India’s progress remains unparalleled.

In a post on X, the Prime Minister wrote:

"Earlier this morning, paid homage to Atal Ji at Sadaiv Atal. His role in India’s progress is unparalleled!"