ଲଜିଷ୍ଟିକ ସେବାର ଦକ୍ଷତା ବୃଦ୍ଧି ପାଇଁ ଗଠିତ ହେବ ଏକୀକୃତ ଲଜିଷ୍ଟିକ୍ ଇଣ୍ଟରଫେସ ଫ୍ଲାଟଫର୍ମ; ମାନକୀକରଣ, ମନିଟରିଂ ବ୍ୟବସ୍ଥା ଏବଂ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ
ଲଜିଷ୍ଟିକର ମୂଲ୍ୟ ହ୍ରାସ ସହିତ ଏ କ୍ଷେତ୍ରରେ ବୈଶ୍ୱିକ ମାନଦଣ୍ଡ ହାସଲ ଏବଂ ଭାରତର ଆନ୍ତର୍ଜାତିକ ରାଙ୍କିଙ୍ଗରେ ଉନ୍ନତି ଆଣିବା ନୂଆ ନୀତିର ଲକ୍ଷ୍ୟ; ଏହା ମାଧ୍ୟମରେ ବିଶ୍ୱ ବାଣିଜ୍ୟରେ ଭାରତର ଅଂଶ ବଢାଇବାକୁ ଉଦ୍ୟମ
​​​​​​​ଉନ୍ନତ ଲଜିଷ୍ଟିକଜନିତ ଦକ୍ଷତା ବୃଦ୍ଧି ଦ୍ୱାରା ଏମ୍‌ଏସ୍‌ଏମ୍‌ଇ ଓ ଚାଷୀମାନେ ଉପକୃତ ହେବେ

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଏଠାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଦେଶର ଜାତୀୟ ଲଜିଷ୍ଟିକ୍ ନୀତିକୁ ଅନୁମୋଦନ ପ୍ରଦାନ କରାଯାଇଛି । ଲଜିଷ୍ଟିକ୍ ବା ସମ୍ଭାରତନ୍ତ୍ର ଏବଂ ଏହାର ପରିବେଶକୁ ଆନ୍ତଃ ବିଷୟକ, ବିଭିନ୍ନ କ୍ଷେତ୍ର ଭିତ୍ତିକ, ପୂର୍ଣ୍ଣାଙ୍ଗ ଏବଂ ସୁସଂହତ କରିବା ଏହି ନୀତିର ଲକ୍ଷ୍ୟ । ସାମଗ୍ରୀ ଓ ରସଦ ଯୋଗାଣ କ୍ଷେତ୍ରରେ ଲଜିଷ୍ଟିକ୍ ବ୍ୟବସ୍ଥାର ଗୁରୁତ୍ୱ ଅଧିକ । ଏହା ଯୁଗ ଉପଯୋଗୀ, ସୁଂସହତ ଏବଂ ପୂର୍ଣ୍ଣାଙ୍ଗ ନ ହେଲେ ବିକାଶ ପ୍ରକ୍ରିୟା ଆଗେଇ ପାରିବ ନାହିଁ । ସେ ଦୃଷ୍ଟିରୁ ନୂଆ ଲଜିଷ୍ଟିକ୍ ନୀତିର ପ୍ରଣୟନ ଓ ପ୍ରବର୍ତ୍ତନର ଆବଶ୍ୟକତା ରହିଛି ।

ଏହି ନୀତିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜାତୀୟ ଗତିଶକ୍ତି ମାଷ୍ଟର ପ୍ଲାନକୁ ପ୍ରଶଂସା କରାଯାଇ ତଦନୁସାରେ ବିଧିବ୍ୟବସ୍ଥା ପ୍ରସ୍ତୁତ ହୋଇଛି । ପ୍ରଧାନମନ୍ତ୍ରୀ ଜାତୀୟ ଗତିଶକ୍ତି ମାଷ୍ଟର ପ୍ଲାନରେ ସମନ୍ୱିତ ଭିତ୍ତିଭୂମି ବିକାଶ ଗୁରୁତ୍ୱ ପାଇଛି । ଅତଏବ ତାହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଥିବା ନୂଆ ଜାତୀୟ ଲଜିଷ୍ଟିକ ନୀତିରେ ଲଜିଷ୍ଟିକ୍ ସେବାରେ ଦକ୍ଷତା ବୃଦ୍ଧି, ମାନବ ସମ୍ବଳର ଉପଯୁକ୍ତ ବିକାଶ, ଉଚ୍ଚ ଶିକ୍ଷା କ୍ଷେତ୍ରରେ ଲଜିଷ୍ଟିକ୍ସକୁ ଅନ୍ତର୍ଭୁକ୍ତ କରିବା ଏବଂ ଉପଯୁକ୍ତ ଟେକ୍‌ନୋଲୋଜିର ପ୍ରୟୋଗ ଆଦିକୁ ଗୁରୁତ୍ୱ ପ୍ରଦାନ କରାଯାଇଛି ।

ଏହି ନୀତିର ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ହେଲା-

୧) ଭାରତରେ ଲଜିଷ୍ଟିକର ମୂଲ୍ୟ ହ୍ରାସ କରି ୨୦୩୦ ସୁଦ୍ଧା ବିଶ୍ୱସ୍ତରୀୟ ମାନକ ପ୍ରସ୍ତୁତ କରିବା ,

୨) ଲଜିଷ୍ଟିକ୍ ପରର୍ଫମାନ୍ସ ଇଣ୍ଡେକ୍ସ ର‌୍ୟାଙ୍କିଙ୍ଗରେ ଉନ୍ନତି ଆଣି ୨୦୩୦ ସୁଦ୍ଧା ଏ କ୍ଷେତ୍ରରେ ବିଶ୍ୱର ଶ୍ରେଷ୍ଠ ୨୫ ରାଷ୍ଟ୍ର ମଧ୍ୟରେ ରହିବା ଏବଂ

୩) ଲଜିଷ୍ଟିକ ପରିତନ୍ତ୍ର ନିର୍ମାଣ ପାଇଁ ଏକ ଡାଟା ପରିଚାଳିତ ନିଷ୍ପତ୍ତି ଗ୍ରହଣ ବ୍ୟବସ୍ଥା ତିଆରି କରିବା ।

ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ, ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ସହ ଏକାଧିକ ବାର ବିଚାର ଆଲୋଚନା ପରେ ଏହି ନୂଆ ଜାତୀୟ ଲଜିଷ୍ଟିକ୍ ନୀତି ପ୍ରସ୍ତୁତ ହୋଇଛି । ଏଥିରେ ଉଦ୍ୟୋଗ ଜଗତକୁ ସାମିଲ କରାଯାଇ ନୂଆ ନୀତିକୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଲଜିଷ୍ଟିକ୍ ନୀତିରେ ପରିଣତ କରିବାକୁ ବ୍ୟବସ୍ଥା କରାଯାଇଛି ।

ଏକ ସମନ୍ୱିତ ପ୍ରୟାସ ମାଧ୍ୟମରେ ଏହି ନୂଆନୀତିକୁ କାର୍ଯ୍ୟକାରୀ କରାଯିବ । ନୂଆନୀତିରେ ବର୍ତ୍ତମାନର ଆନୁଷ୍ଠାନିକ ବ୍ୟବସ୍ଥାକୁ ଅନୁର୍ଭୁକ୍ତ କରାଯାଇଛି । ଏହାର ଅର୍ଥ ପିଏମ୍ ଗତିଶକ୍ତି ଯୋଜନାର କାର୍ଯ୍ୟକାରିତା ପାଇଁ ଗଠିତ କ୍ଷମତା ସମ୍ପନ୍ନ ସଚିବ ସ୍ତରୀୟ ଗୋଷ୍ଠୀ ନୂଆ ନୀତିରେ ତାହାର ଦାୟିତ୍ୱ ଓ କାର୍ଯ୍ୟ କରିବାର ସୁଯୋଗ ପାଇବ । ଏହି ଗୋଷ୍ଠୀ ଏକ ସେବା ବିକାଶ (ଉନ୍ନୟନ) ଗୋଷ୍ଠୀ ଗଠନ କରିବ । ଏହା ନେଟୱାର୍କ ପ୍ଲାନିଂ ଗ୍ରୁପ ଢାଞ୍ଚାରେ ଗଠିତ ହେବ ଏବଂ ନୀତିର ପ୍ରକ୍ରିୟା, ନିୟାମକ ବ୍ୟବସ୍ଥା, ଡିଜିଟାଲ ଉନ୍ନୟନ ଓ ତଦାରଖ କାର୍ଯ୍ୟ ଦେଖିବ । ଯେଉଁ ସବୁ କ୍ଷେତ୍ର ଓ ବିଭାଗ ଜାତୀୟ ଗତିଶକ୍ତି ଯୋଜନାରେ ଅନ୍ତର୍ଭୁକ୍ତ ହୋଇନାହିଁ ,  ସେସବୁକୁ ଲଜିଷ୍ଟିକ୍ କ୍ଷେତ୍ରରେ ଅନ୍ତର୍ଭୁକ୍ତ କରିବା କାମ ଏହି ନୂଆ ଗୋଷ୍ଠୀ କରିବ ।

ଏହି ନୂଆନୀତି କାର୍ଯ୍ୟକାରୀ ହେବା ଦ୍ୱାରା ଦେଶରେ ଲଜିଷ୍ଟିକ ଖର୍ଚ୍ଚ ହ୍ରାସ ପାଇବ । ସ୍ୱତନ୍ତ୍ର ଯୋଜନା ଦ୍ୱାରା ଦେଶରେ ପଣ୍ୟାଗାରଗୁଡିକର ବିକାଶ ସହିତ ନୂଆ ନୂଆ ପଣ୍ୟାଗାର ସ୍ଥାପନ କରାଯିବ । ଲଜିଷ୍ଟିକ୍‌ର ମାନ ନିର୍ଦ୍ଧାରଣ ଓ ଏହାର ବିକାଶ, ଡିଜିଟାଇଜେସନ, ଅଟୋମେସନ୍‌, ଉତ୍ତମ ଯୋଗାଣ ଶୃଙ୍ଖଳା ସୃଷ୍ଟି ତଥା ଟ୍ରାକ୍ ଓ ଟ୍ରେସ ବ୍ୟବସ୍ଥାକୁ ସୁସଂହତ କରିବା, ବିବାଦର ତ୍ୱରିତ ସମାଧାନ, ମାନବ ସମ୍ବଳର ବିକାଶ, ଦକ୍ଷତା ନିର୍ମାଣ, ବିଭିନ୍ନ ବିଭାଗ ଓ ସମ୍ପୃକ୍ତ ପକ୍ଷଙ୍କ ସହିତ ଉତ୍ତମ ସମନ୍ୱୟ ରକ୍ଷା ଉପରେ ନୂଆନୀତିରେ ଗୁରୁତ୍ୱ ଦିଆଯାଇଛି ।

ନୂଆନୀତିରେ ତତ୍କାଳ କେତେକ ପଦକ୍ଷେପ କାର୍ଯ୍ୟକାରୀ କରିବାର  ବ୍ୟବସ୍ଥା ରହିଛି । ଏହା ଫଳରେ ଏବେ କ୍ଷେତ୍ର ବା ସ୍ଥଳ ବିଶେଷରେ ଯେଉଁ ସବୁ ଅସୁବିଧା ଲଜିଷ୍ଟିକ୍ସ ବାବଦରେ ରହିଛି ତାହାର ଆଶୁ ସମାଧାନ ହୋଇପାରିବ । ନୂଆନୀତିର ସୁଫଳ ଯେପରି ତୁରନ୍ତ ମିଳିପାରିବ  ସେଥିପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ତୁରନ୍ତ ଗ୍ରହଣ କରାଯିବ । ସେଥିମଧ୍ୟରେ ରହିଛି ଏକ ଏକୀକୃତ ଲଜିଷ୍ଟିକ୍ସ ଇଣ୍ଟରଫେସ୍  ପ୍ଲାଟଫର୍ମ ଗଠନ, ପଣ୍ୟାଗାର ଗୁଡିକ ନିମନ୍ତେ ଏକ ଇ-ଲ୍ୟାଣ୍ଡବୁକ୍ ପ୍ରସ୍ତୁତି, ଆଇ-ଗଟ୍ ପ୍ଲାଟଫର୍ମରେ ପିଏମ୍ ଗତିଶକ୍ତି ଓ ଲଜିଷ୍ଟିକ୍ସ ସମ୍ପର୍କରେ ତାଲିମ ପାଠ୍ୟକ୍ରମ ପ୍ରବର୍ତ୍ତନ । ଏସବୁକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ ।

ଏହି ନୂଆନୀତିରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସାମିଲ କରାଯାଇଛି । ଜାତୀୟ ଲଜିଷ୍ଟିକ୍ ନୀତି ଅନୁସାରେ ଇତି ମଧ୍ୟରେ ୧୪ଟି ରାଜ୍ୟ ସେମାନଙ୍କର ଲଜିଷ୍ଟିକ୍ ନୀତି ପ୍ରସ୍ତୁତ କରିସାରିଛନ୍ତି । ଅନ୍ୟ ୧୩ଟି ରାଜ୍ୟର ନୀତି ଏବେ ଚିଠା ସ୍ତରରେ ରହିଛି । କେନ୍ଦ୍ରରେ ପିଏମ ଗତିଶକ୍ତି ଏହି ବ୍ୟବସ୍ଥାରେ ଆନୁଷ୍ଠାନିକଭାବେ ମୁଖ୍ୟ ଦାୟିତ୍ୱରେ ରହିବ । ରାଜ୍ୟମାନଙ୍କର ନୂଆ ନୀତିର କାର୍ଯ୍ୟକାରିତାକୁ ତଦାରଖ କରିବା ଦାୟିତ୍ୱ ଏହା ଉପରେ ନ୍ୟସ୍ତ । ଏହା ଦ୍ୱାରା ସମଗ୍ର ଦେଶରେ ସମ୍ପୃକ୍ତ ପକ୍ଷଙ୍କ ମଧ୍ୟରେ ସୁମନ୍ୱୟ ରହିବ ଏବଂ ଲଜିଷ୍ଟିକ୍ ନୀତିରେ କାର୍ଯ୍ୟକାରିତା ସୁଗମ ହୋଇପାରିବ ।

ଗତିଶକ୍ତି ଯୋଜନାର ଲାଭ ଏମ୍‌ଏସ୍‌ଏମ୍‌ଇ ଓ ଚାଷୀମାନେ ଯେପରି ଅଧିକ ପାଇପାରିବେ ସେଥିପାଇଁ ନୂଆ ଲଜିଷ୍ଟିକ ନୀତିରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ଆହୁରି ମଧ୍ୟ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ଓ ନୂଆ କରି ଅଧିକ ବଜାର ଚାହିଦା ସୃଷ୍ଟି କରୁଥିବା ସାମଗ୍ରୀକୁ ଖାଉଟିଙ୍କ ପାଖରେ ଆବଶ୍ୟକ ପରିମାଣରେ ପହଞ୍ଚାଇବାକୁ ନୂଆ ଯୋଜନାର ବ୍ୟବସ୍ଥା ରହିଛି । ଯୋଗାଣ ଶୃଙ୍ଖଳାକୁ ସ୍ୱଚ୍ଛ, ଦକ୍ଷ, ତ୍ୱରିତ  ଓ ପାରଦର୍ଶୀ କରିବାକୁ ନୂଆନୀତିରେ ଗୁରୁତ୍ୱ ଦିଆଯାଇଛି । ଏହା ଫଳରେ ଭଣ୍ଡାରଣ ବ୍ୟବସ୍ଥାରେ ଉନ୍ନତି ଘଟିବ ଏବଂ ସାମଗ୍ରୀର ଅଭାବ ବା ଅପଚୟ ହେବ ନାହିଁ । ସର୍ବୋପରି ନୂଆ ବ୍ୟବସ୍ଥାରେ ସାମଗ୍ରୀର ମୂଲ୍ୟ ସୁଲଭ ହେବ । କୃୃତ୍ରିମ ଅଭାବର ଅବସାନ ଘଟିବା ଫଳରେ ଖାଉଟି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।

ବିଶ୍ୱ ଯୋଗାଣ ଶୃଙ୍ଖଳାରେ ନିବିଡଭାବେ ସମନ୍ୱିତ ହେବା ପାଇଁ ନୂଆ ନୀତିରେ ଗୁରୁତ୍ୱ ଦିଆଯାଇଛି । ଏହାଫଳରେ ବିଶ୍ୱ ବାଣିଜ୍ୟ କାରବାରରେ ଭାରତର ଅଂଶ ବଢିବ ଏବଂ ଏହା ଦ୍ୱାରା ଭାରତର ଅର୍ଥନୀତିକ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ।

ଲଜିଷ୍ଟିକ ମୂଲ୍ୟ ହ୍ରାସ କରି ବୈଶ୍ୱିକ ମାନଦଣ୍ଡ ହାସଲ କରିବା ନୂଆ ନୀତିର ଲକ୍ଷ୍ୟ । ଏହା ସମ୍ଭବ ହେଲେ ଦେଶର ଲଜିଷ୍ଟିକ୍ସ ପରଫରମାନ୍ସ ଇଣ୍ଡେକ୍ସ  ର‌୍ୟାଙ୍କିଙ୍ଗ୍ ଓ ବୈଶ୍ୱିକ ସ୍ଥିତିରେ ଉନ୍ନତି ଘଟିବ । ଭାରତର ଲଜିଷ୍ଟିକ୍ସ କ୍ଷେତ୍ରର ଉନ୍ନୟନ, ଲଜିଷ୍ଟିକ୍ ଦକ୍ଷତା ବୃଦ୍ଧି, ଲଜିଷ୍ଟିକସ ମୂଲ୍ୟହ୍ରାସ ଓ ବୈଶ୍ୱିକ ପ୍ରଦର୍ଶନ ବୃଦ୍ଧି ଉପରେ ନୂଆ  ନୀତି ଗୁରୁତ୍ୱ ଦେଇଛି ।

ସର୍ବୋପରି ଏହା ମାଧ୍ୟମରେ ଏବେ ସମନ୍ୱିତ, ତ୍ୱରାନ୍ୱିତ, ସମାବେଶୀ ଅଭିବୃଦ୍ଧି ହାସଲର ଲକ୍ଷ୍ୟ ରଖାଯାଇଛି । ଏଥିରେ ଟେକ୍‌ନୋଲୋଜିର ପ୍ରୟୋଗ, ଏକ ସୁଲଭ ମୂଲ୍ୟର ଦକ୍ଷ, ସ୍ଥିତିସ୍ଥାପକ ଓ ସହଣୀୟ ଲଜିଷ୍ଟିକ୍‌  ପରିତନ୍ତ୍ର ପ୍ରସ୍ତୁତି ପାଇଁ ଗୁରୁତ୍ୱ ପ୍ରଦାନ କରାଯାଇଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ISRO Successfully Tests CE20 Cryogenic Engine At Uprated 220 KN Thrust For C32 Stage Of Upcoming LVM3 Mission

Media Coverage

ISRO Successfully Tests CE20 Cryogenic Engine At Uprated 220 KN Thrust For C32 Stage Of Upcoming LVM3 Mission
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 11, 2026
September 11, 2026

Seva Pakhwada to Superpower Status: Why Citizens Are Hailing PM Modi’s Relentless Push