କିର୍ଗିଜ ସାଧାରଣତନ୍ତ୍ରର ରାଷ୍ଟ୍ରପତି ମାନ୍ୟବର ମି.ଜୀନବେକୋବ
ସମ୍ମାନନୀୟ ନିବେଶ ପ୍ରସାରଣ ଏଜେନ୍ସି ନିର୍ଦ୍ଦେଶକ ମି. ଆଦିଲବେକ ଅଲୁ ସୁମକାରବେକ
ଫିକ୍କି ସଭାପତି ଶ୍ରୀ ସନ୍ଦୀପ ସୋମାନୀ
ଭାରତ ଓ କିର୍ଗିଜସ୍ତାନର ବ୍ୟବସାୟ, ଶିଳ୍ପ, ଶିକ୍ଷା ଏବଂ ଗବେଷଣା କ୍ଷେତ୍ରର ବିଶିଷ୍ଟ ଅଂଶଗ୍ରହଣକାରୀ ।
ଭାରତ ଓ କିର୍ଗିଜସ୍ତାନର ବ୍ୟବସାୟିକ ସମୁଦାୟ ମଧ୍ୟରେ ଏହି ବ୍ୟବସାୟିକ ଫୋରମର ଆୟୋଜନ ଅତ୍ୟନ୍ତ ଆନନ୍ଦର ବିଷୟ । ଏହା ମଧ୍ୟ ମହତ୍ୱପୂର୍ଣ୍ଣ ଯେ ମୋର ବିଶକେକ ଯାତ୍ରା ଦ୍ୱିପାକ୍ଷିକ ଚରଣର ଆରମ୍ଭ ଏହି ବ୍ୟବସାୟିକ ଫୋରମରୁ ହେଉଛି । ଏହା ଆମର ଭାଗିଦାରୀ ଭିତ୍ତିକ ପ୍ରାଥମିକତାର ସୂଚକ । ଭାରତ ଓ କିର୍ଗିଜସ୍ତାନ ମଧ୍ୟରେ ପ୍ରାଚୀନ କାଳରୁ ନିବିଡ ସାଂସ୍କୃତିକ ଏବଂ ଆର୍ଥିକ ସମ୍ବନ୍ଧ ରହିଛି । ଏହି ଐତିହାସିକ ଭାଗିଦାରିତାକୁ ଆଧୁନିକ ସମୟର ଅନୁରୂପ ବୃଦ୍ଧି କରିବାର ଅପାର ସମ୍ଭାବନା ରହିଛି । ରାଷ୍ଟ୍ରପତି ଜୀନବେକୋବ ବିଭିନ୍ନ କ୍ଷେତ୍ରରେ ଭାରତ-କିର୍ଗିଜ ସମ୍ବନ୍ଧର ବିସ୍ତାର କରିବାକୁ ଚାହିଁବେ । ଏବଂ ବିଶେଷ କରି ବ୍ୟବସାୟିକ ଓ ନିବେଶ କ୍ଷେତ୍ରରେ ଏହାକୁ ଅଧିକ ମଜଭୁତ କରିବାକୁ ଚାହିଁବେ । ରାଷ୍ଟ୍ରପତି ଏହି ଫୋରମକୁ ନିଜର ମାର୍ଗଦର୍ଶନ ପ୍ରଦାନ କରିଛନ୍ତି ଏବଂ ବ୍ୟକ୍ତିଗତ ଭାବେ ଏଥିରେ ଭାଗ ନେଇଛନ୍ତି । ଏଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି ।
ବନ୍ଧୁଗଣ,
ବିଶ୍ୱର ଅର୍ଥବ୍ୟବସ୍ଥାରେ ଦ୍ରୂତଗତିରେ ପରିବର୍ତ୍ତନ ଆସୁଛି । ଏପରି ସ୍ଥଳେ ଭାରତ ପରି ବଡ ଅର୍ଥବ୍ୟବସ୍ଥାର ଆର୍ଥିକ ବୃଦ୍ଧି ଏବଂ ବୈଷୟିକ ବିକାଶ ବିଶ୍ୱରେ ସ୍ଥାୟୀତ୍ୱ ଏବଂ ଆଶାର ପ୍ରମୁଖ କାରକ । ଭାରତ ଏକ ବିଶାଳ ବଜାର । ଆମ ଦେଶର ଯୁବ ପ୍ରତିଭା ଏବଂ ଉତ୍ସାହୀ ଉନ୍ମେଷକ 5 ଟ୍ରିଲିଅନ ଡଲାର ଅର୍ଥ ବ୍ୟବସ୍ଥା ପରିଣତ ହେବାରେ ଆମ ଲକ୍ଷ୍ୟ ହାସଲ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ।
ବନ୍ଧୁଗଣ
ଏହା ସ୍ପଷ୍ଟ ଯେ ସମ୍ପ୍ରତି ଆମର ଦ୍ୱିପାକ୍ଷିକ ବ୍ୟବସାୟ ଓ ଆର୍ଥିକ ଭାଗିଦାରିତା ସମ୍ଭାବନାଠାରୁ ଅନେକ କମ । ଏଥିପାଇଁ ବ୍ୟବସାୟିକ ଫୋରମର ଏହି ପଦକ୍ଷେପ ଉପଯୁକ୍ତ ସମୟରେ କରାଯାଉଛି । ମୋ ବିଚାରରେ ବ୍ୟବସାୟ ଏବଂ ନିବେଶକୁ ବୃଦ୍ଧି କରିବା ପାଇଁ 3 ଉତପ୍ରେରକ ରହିଛନ୍ତି-ଉପଯୁକ୍ତ ପରିବେଶ, ଯୋଗାଯୋଗ ଏବଂ ବ୍ୟବସାୟରୁ ବ୍ୟବସାୟ ଅର୍ଥାତ B2B ଆଦାନ ପ୍ରଦାନ । ମୁଁ କହିବାକୁ ଚାହିଁବି କି ଉପଯୁକ୍ତ ପରିବେଶ ସୃଷ୍ଟି କରିବା ପାଇଁ ଆମେ ଦ୍ଵେତ କର ପରିହାର ରାଜିନାମାକୁ ଅନ୍ତିମ ରୂପ ପ୍ରଦାନ କରିଛୁ । ଏଥିସହିତ ଦ୍ୱିପାକ୍ଷିକ ନିବେଶ ଚୁକ୍ତିକୁ ନେଇ ଆମେ ସକ୍ରିୟ ଭାବେ ଆଲୋଚନା କରୁଛୁ । ଏହାଦ୍ୱାରା ନିବେଶ ପାଇଁ ମଜଭୁତ ଆଧାର ମିଳିବ । ଆମେ ଦ୍ୱିପାକ୍ଷିକ ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ପଞ୍ଚବାର୍ଷିକ ରୋଡମ୍ୟାପ ପ୍ରସ୍ତୁତ କରିଛୁ । କିର୍ଗିଜ ସାଧାରଣତନ୍ତ୍ର, ୟୁରୋସିଅନ ଅର୍ଥନୈତିକ ୟୁନିଅନର ସଦସ୍ୟ । ଆମେ ୟୁରୋସିଅନ ଅର୍ଥନୈତିକ ୟୁନିଅନ ସହିତ ବ୍ୟବସାୟକୁ ବୃଦ୍ଧି କରାଇବା ପାଇଁ ଉନ୍ନତ ବାଣିଜ୍ୟିକ ରାଜିନାମା ଉପରେ ବି କାମ କରୁଛୁ ।
ବ୍ୟବସାୟକୁ ସୁଗମ କରିବାରେ ଉନ୍ନତ ଯୋଗାଯୋଗ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଚାବାହାର ବନ୍ଦର ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କର ଏକ ନୂତନ ଜରିଆ ଭାବେ ଉଭା ହୋଇଛି । ଭାରତ ଓ ମଧ୍ୟ ଏସିଆ ମଧ୍ୟରେ ସଂଯୋଗ ବ୍ୟବସ୍ଥାର ଉନ୍ନତ ବିକଳ୍ପ ନିର୍ମାଣ କରିବାରେ ଆମକୁ ଅଧିକ ଧ୍ୟାନ ଦେବାକୁ ହେବ ।B2B ଆଦାନ ପ୍ରଦାନରେ ବୃଦ୍ଧି କରିବା ପାଇଁ ଆମେ ଅନେକ ପଦକ୍ଷେପ ଗ୍ରହଣ କରିଛୁ । ଚଳିତ ବର୍ଷ ବିଶକେକରେ “ନମସ୍କାର ୟୁରୋସିଆ” ଟ୍ରେଡ ଶୋ’ର ଆୟୋଜନ କରାଯିବ । ଭାରତ ଓ କିର୍ଗିଜ ସାଧାରଣତନ୍ତ୍ରର ବିଭିନ୍ନ ଉତ୍ପାଦ ବ୍ୟବସାୟରେ ପରସ୍ପରର ପୁରକ । ଆମକୁ ଏହି ସମସ୍ତ ଅବସରର ଫାଇଦା ଉଠାଇବା ଆବଶ୍ୟକ । କିର୍ଗିଜ ଅର୍ଗାନିକ ଉତ୍ପାଦମାନଙ୍କର ବଜାରରେ ଅନେକ ଚାହିଦା ରହିଛି । ଏଠାକାର ବନଜାତ ଦ୍ରବ୍ୟ, ଅଖରୋଟ ଏବଂ ଡାୟରୀ ଉତ୍ପାଦ ଇକୋଲୋଜିକାଲ ଭାବେ ଶୁଦ୍ଧତା ଏବଂ ପ୍ରାକୃତିକ-ପ୍ରକ୍ରିୟାକରଣ ପାଇଁ ବିଖ୍ୟାତ । ସେହିପରି ଭାରତର ବ୍ୟବସାୟୀ ଏବଂ ନିବେଶକମାନଙ୍କ ପାଇଁ ଔଷଧ, ବସ୍ତ୍ର,ରେଳବାଇ, ଜଳଜ ଶକ୍ତି, ଖଣି ଏବଂ ଖଣିଜ ତଥା ପର୍ଯ୍ୟଟନ କ୍ଷେତ୍ରରେ କିର୍ଗିଜ ସାଧାରଣତନ୍ତ୍ରରେ ଅଧିକ ଅବସର ମହଜୁଦ ରହିଛି ।
ବନ୍ଧୁଗଣ,
ମୁଁ କାମନା କରୁଛି ଯେ ଆପଣଙ୍କ ସମସ୍ତ ଆଲୋଚନା ସାର୍ଥକ ହେଉ । ମୁଁ କିର୍ଗିଜ ବ୍ୟବସାୟିକ ଜଗତର ନେତାମାନଙ୍କୁ ଭାରତୀୟ ଉଦ୍ୟମୀମାନଙ୍କ ସହିତ କାମ କରିବା ପାଇଁ ପ୍ରୋତ୍ସାହିତ କରିଥାଏ ।
ଆପଣମାନଙ୍କୁ ସମସ୍ତଙ୍କୁ ଭାରତରେ ସେହିପରି ସ୍ୱାଗତ । ଏବଂ ଭାରତର ଲୋକମାନଙ୍କୁ ବିମାନବନ୍ଦରରେ ଓହ୍ଲାଇବା ମାତ୍ରେ ଶୁଣାଯାଉଥିବ ଯେ ଆମେ ଅତି ନିକଟତାର ସହ ପରସ୍ପର ସହିତ ଜଡିତ । ମଣିଷ ଶୁଣିବାକୁ ଲାଗିଥାଏ ଯେ ଆମେ ଦୁନିଆର ପୁରୁଣା ଜିନିଷ ସହିତ ଜଡିତ । ଏପରି ନିଜର ଭାବ ରହିଛି । ଯଦି ଭାଷା ଉପରେ କିଛି ଧ୍ୟାନ ଦେବା ତେବେ ଅନେକ ଶବ୍ଦ ସମାନ ମିଳିବ । ଆପଣଙ୍କୁ ଏତେ ନିକଟତା ମିଳିବ ତ ଆପଣାପଣର ଭାବ ଅତି ସହଜ । ଏହାର ଲାଭ ଦୁଇ ପକ୍ଷ ଉଠାନ୍ତୁ ଏବଂ ଦୁଇ ଦେଶର ବିକାଶରେ ଉଦ୍ୟୋଗ ଜଗତ ଓ ବ୍ୟବସାୟ ଜଗତର ମିତ୍ରମାନଙ୍କର ଯୋଗଦାନ ବଢ଼ୁ । ଏହି ଆଶା ସହିତ ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା ।
ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ ।


