ମୋ ବନ୍ଧୁ, ଆବେ ସାନ୍‌

Published By : Admin | July 8, 2022 | 19:27 IST

ଶିଞ୍ଜୋ ଆବେ କେବଳ ଜାପାନର ଜଣେ ମହାନ ବ୍ୟକ୍ତି ନଥିଲେ, ବରଂ ସେ ଥିଲେ ଜଣେ ବିଶାଳ ବ୍ୟକ୍ତିତ୍ୱଧାରୀ ମହାନ ବିଶ୍ଵ ନେତା । ସେ ଥିଲେ ଭାରତ-ଜାପାନ ବନ୍ଧୁତାର ମୁଖ୍ୟ ନାୟକ । ଦୁଃଖର ବିଷୟ ଆଜି ସେ ଆମ ଗହଣରେ ନାହାନ୍ତି । ଜାପାନ ସମେତ ସାରା ବିଶ୍ଵ ଅକାଳରେ ଜଣେ ଦୂରଦୃଷ୍ଟିସମ୍ପନ୍ନ ମହାନ ନେତାଙ୍କୁ ହରାଇଛି, ଆଉ ମୁଁ ମୋ ପ୍ରିୟ ବନ୍ଧୁଙ୍କୁ ସବୁଦିନ ପାଇଁ ହରାଇ ଦେଇଛି… ।

ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଜାପାନ ଗସ୍ତରେ ଯାଇଥିବା ସମୟରେ, ପ୍ରଥମ ଥର ପାଇଁ ମୁଁ ତାଙ୍କୁ ୨୦୦୭ରେ ଭେଟିଥିଲି । ପ୍ରଥମ ବୈଠକରୁ ଆମର ବନ୍ଧୁତା କାର୍ଯ୍ୟାଳୟର ପରିସୀମା ବାହାରେ ଏବଂ ସରକାରୀ ପ୍ରୋଟୋକଲର ବନ୍ଧନ ଠାରୁ ମୁକ୍ତ ଥିଲା ।

ତାଙ୍କ ସହ ବିତାଇଥିବା ପ୍ରତ୍ୟେକ ସ୍ମରଣୀୟ ମୁହୂର୍ତ୍ତ ମୋର ମନେ ରହିଛି । କ୍ୟୋଟୋରେ ‘ତୋଜି ଟେମ୍ପଲ’ ଗସ୍ତ ହେଉ, ଅଥବା ଶିଙ୍କାସେନରେ ଆମେ ଉଭୟ ମିଶି ବୁଲେଟ ଟ୍ରେନରେ ଯାତ୍ରା କରିବା, ପୁଣି ଅହମ୍ମଦାବାଦର ସାବରମତୀ ଆଶ୍ରମକୁ ଗସ୍ତ, କାଶୀରେ ଗଙ୍ଗା ଆଳତୀର ଆଧ୍ୟାତ୍ମିକ ପରିବେଶ କିମ୍ବା ପୁଣି ଟୋକିଓରେ ‘ଚା’ ପାନ ସହ ଲମ୍ବା ବୈଠକ’, ବାସ୍ତବରେ ତାଙ୍କ ସହ ମୋର ସ୍ମରଣୀୟ ସାକ୍ଷାତର ତାଲିକା ଖୁବ୍‌ ସୁଦୀର୍ଘ ।

 

 

ମାଉଣ୍ଟ ଫୁଜିର ପାଦଦେଶରେ ଅବସ୍ଥିତ ସୁରମ୍ୟ ୟାମାନାଶୀ ପ୍ରିଫେକ୍ଚରରେ ତାଙ୍କ ଘରକୁ ଯିବା ଲାଗି ଏକାକୀ ମୋତେ ହିଁ ସୁଯୋଗ ମିଳିଥିଲା । ମୁଁ ଏହି ସମ୍ମାନକୁ ସବୁବେଳେ ନିଜ ହୃଦୟରେ ସାଇତି ରଖିବି ।

ଶିଞ୍ଜୋ ଆବେଙ୍କ ସହିତ ମୋର ସମ୍ପର୍କ କେବଳ ଔପଚାରିକ ନଥିଲା । ଏପରିକି ୨୦୦୭ରୁ ୨୦୧୨ ମଧ୍ୟରେ ଏବଂ ନିକଟରେ ୨୦୨୦ରେ ଯେତେବେଳେ ସେ ପ୍ରଧାନମନ୍ତ୍ରୀ ନଥିଲେ, ସେତେବେଳେ ମଧ୍ୟ ଆମର ବ୍ୟକ୍ତିଗତ ସମ୍ପର୍କ ସବୁଦିନ ଭଳି ମଜବୁତ ହୋଇ ରହିଥିଲା ।

ଆବେ ସାନଙ୍କ ସହିତ ପ୍ରତ୍ୟେକ ସାକ୍ଷାତ ବାସ୍ତବରେ ଅତ୍ୟନ୍ତ ଜ୍ଞାନବର୍ଦ୍ଧକ ଏବଂ ପ୍ରେରଣାଦାୟୀ ଥିଲା । ତାଙ୍କ ପାଖରେ ନୂଆ ନୂଆ ଜ୍ଞାନର ଭଣ୍ଡାର ଥିଲା । ପ୍ରଶାସନ, ଅର୍ଥବ୍ୟବସ୍ଥା, ସଂସ୍କୃତି, ବିଦେଶ ନୀତି ଏବଂ ଅନ୍ୟ ସବୁ ବିଷୟରେ ତାଙ୍କର ଗଭୀର ଜ୍ଞାନ ରହିଥିଲା ।

ତାଙ୍କର ପରାମର୍ଶ ମୋତେ ଗୁଜରାଟର ଆର୍ଥିକ ବିକାଶକୁ ନେଇ ନୂତନ ଭାବେ ଚିନ୍ତା କରିବା ନିମନ୍ତେ ଅନୁପ୍ରାଣିତ କରିଥିଲା । ଜାପାନ ସହ ଗୁଜରାଟର ସୁଦୃଢ଼ ସହଭାଗିତା ସ୍ଥାପନରେ ତାଙ୍କର ନିରନ୍ତର ସମର୍ଥନ ଉଲ୍ଲେଖନୀୟ ଥିଲା।

ଏହାପରେ, ପ୍ରଧାନମନ୍ତ୍ରୀ ଭାବେ ଭାରତ ଏବଂ ଜାପାନ ମଧ୍ୟରେ ରଣନୈତିକ ସହଭାଗିତାକୁ ସୁଦୃଢ଼ କରିବା ଲାଗି ତାଙ୍କ ସହ କାର୍ଯ୍ୟ କରିବା ପାଇଁ ମୋତେ ସୌଭାଗ୍ୟ ମିଳିଥିଲା । ଏହି ସମୟରେ ଦୁଇ ଦେଶର ସମ୍ପର୍କରେ ଅଭୂତପୂର୍ବ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ପୂର୍ବରୁ ଦୁଇ ଦେଶ ମଧ୍ୟରେ ଆପୋସ ସମ୍ପର୍କ କେବଳ ଦ୍ୱିପାକ୍ଷିକ ଆର୍ଥିକ ସହଭାଗିତା ମଧ୍ୟରେ ସୀମିତ ଥିଲା । ମାତ୍ର ଆବେ ସାନ ଏହାକୁ ବ୍ୟାପକ ବିସ୍ତାର ଦେବାକୁ ଆଗେଇ ଆସିଥିଲେ । ଫଳରେ ଦୁଇ ଦେଶ ମଧ୍ୟରେ ରାଷ୍ଟ୍ରୀୟ ହିତ ସହ ଜଡ଼ିତ ପ୍ରସଙ୍ଗରେ ତାଳମେଳ ବଢ଼ିବା ସହିତ ସମ୍ପୂର୍ଣ୍ଣ କ୍ଷେତ୍ରୀୟ ସୁରକ୍ଷାକୁ ନୂଆ ବଳ ମିଳିଲା । ଭାରତ ଏବଂ ଜାପାନ ମଧ୍ୟରେ ଆପୋସ ସମ୍ପର୍କ ସୁଦୃଢ଼ ହେବା କେବଳ ଦୁଇ ଦେଶର ଲୋକମାନଙ୍କ ପାଇଁ ନୁହେଁ ବରଂ ସାରା ବିଶ୍ଵର ହିତ ପାଇଁ ଉଦ୍ଦିଷ୍ଟ । ତାଙ୍କ ଦେଶ ପାଇଁ ଏକ କଷ୍ଟକର କାର୍ଯ୍ୟ ହୋଇଥିଲେ ମଧ୍ୟ ସେ ଭାରତ ସହିତ ବେସାମରିକ ପରମାଣୁ ରାଜିନାମାକୁ ନେଇ ଦୃଢ଼ ସଂକଳ୍ପିତ ଥିଲେ । ଭାରତରେ ହାଇସ୍ପିଡ ରେଳ ଚଳାଚଳ ପାଇଁ ହୋଇଥିବା ରାଜିନାମାରେ ମଧ୍ୟ ସେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ । ନ୍ୟୁ ଇଣ୍ଡିଆ ଦ୍ରୁତ ଗତିରେ ବିକାଶ ପଥରେ ଅଗ୍ରସର ହେଉଥିବା ସମୟରେ ଜାପାନ ପ୍ରତ୍ୟେକ ପଦକ୍ଷେପରେ ଭାରତ ସହ ସାଥୀ ହୋଇ କିଭଳି ଆଗକୁ ବଢ଼ିପାରିବ ତାହା ସେ ସୁନିଶ୍ଚିତ କରିଥିଲେ ।

ଭାରତ-ଜାପାନ ସମ୍ପର୍କକୁ ମଜବୁତ କରିବା ଲାଗି ସେ ଐତିହାସିକ ଯୋଗଦାନ ଦେଇଥିଲେ, ଏଥିପାଇଁ ୨୦୨୧ରେ ତାଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ସାରା ବିଶ୍ଵରେ ସଂଘଟିତ ହେଉଥିବା ଜଟିଳ ଏବଂ ବହୁମୁଖି ପରିବର୍ତ୍ତନ ପ୍ରତି ଆବେ ସାନଙ୍କର ଗଭୀର ଧାରଣା ରହିଥିଲା । ତାଙ୍କ ଭିତରେ ଏକ ଅଦ୍ଭୂତ ଦୂରଦୃଷ୍ଟି ରହିଥିଲା, କେବଳ ଏହି କାରଣରୁ ସେ ରାଜନୈତିକ, ସାମାଜିକ, ଆର୍ଥିକ ଏବଂ ଅନ୍ତର୍ଜାତୀୟ ସମ୍ପର୍କ ଉପରେ ବିଶ୍ଵ ଘଟଣାକ୍ରମର ପ୍ରଭାବ ସମ୍ପର୍କରେ ପୂର୍ବାନୁମାନ କରିପାରୁଥିଲେ । କେଉଁ ବିକଳ୍ପ ଚୟନ କରିବାକୁ ହେବ ସେ ସମ୍ପର୍କରେ ବୁଝାମଣା ହେଉ, ସ୍ପଷ୍ଟ ଓ ସାହସିକ ନିଷ୍ପତ୍ତି ନେବା, ରାଜିନାମା ହେଉ କିମ୍ବା ପୁଣି ନିଜ ଲୋକ ଏବଂ ସାରା ବିଶ୍ଵକୁ ସାଥୀରେ ନେଇ ଚାଲିବାର ବିଷୟରେ, ତାଙ୍କର ବୁଦ୍ଧିମତା ଅନ୍ୟମାନଙ୍କୁ ପ୍ରଭାବିତ କରୁଥିଲା । ତାଙ୍କର ଦୂରଦୃଷ୍ଟିପୂର୍ଣ୍ଣ ନୀତି – ଆବେନୋମିକ୍ସ- ଜାପାନର ଅର୍ଥବ୍ୟବସ୍ଥାକୁ ପୁଣିଥରେ ସୁଦୃଢ଼ କରିଥିଲା ଏବଂ ଜାପାନର ଲୋକମାନଙ୍କ ମଧ୍ୟରେ ନବୋନ୍ମେଷ ଏବଂ ଉଦ୍ୟମିତା ଭାବନାକୁ ନୂଆ ଉତ୍ସାହ ଦେଇଥିଲା ।

ସେ ଆମ ପାଇଁ ଯେଉଁ ପରମ୍ପରା ଛାଡ଼ି ଯାଇଛନ୍ତି, ସେଥିପାଇଁ ସାରା ବିଶ୍ଵ ତାଙ୍କ ନିକଟରେ ଋଣୀ ହୋଇ ରହିବ । ସେ ସାରା ବିଶ୍ଵରେ ବଦଳୁଥିବା ପରିସ୍ଥିତିକୁ କେବଳ ଠିକ୍‌ ସମୟରେ ଚିହ୍ନିପାରିନଥିଲେ ବରଂ ନିଜେ ନେତୃତ୍ୱ ନେଇ ଏହାର ସମାଧାନ ମଧ୍ୟ ପ୍ରଦାନ କରିଥିଲେ । ୨୦୦୭ରେ ଭାରତୀୟ ସଂସଦରେ ଦେଇଥିବା ନିଜ ଉଦବୋଧନରେ ସେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଅଭ୍ୟୁଦୟ ପାଇଁ ଆଧାରଶୀଳା ରଖିଥିଲେ । ଚଳିତ ଶତାବ୍ଦୀରେ ରାଜନୈତିକ, ରଣନୈତିକ ଏବଂ ଆର୍ଥିକ ଦୃଷ୍ଟିରୁ ଏହି କ୍ଷେତ୍ର କିଭଳି ଭାବେ ସାରା ବିଶ୍ଵକୁ ଏକ ନୂଆ ଆକାର ଦେଇପାରିବ ସେ ସମ୍ପର୍କରେ ମଧ୍ୟ ସେ ପରିକଳ୍ପନା କରିଥିଲେ ।

ଏଥିସହିତ ଏହାର ରୂପରେଖ ପ୍ରସ୍ତୁତ କରିବାରେ ମଧ୍ୟ ସେ ଆଗରେ ରହିଥିଲେ । ସେ ଏଥିରେ ସ୍ଥାୟିତ୍ୱ ଏବଂ ସୁରକ୍ଷା ସହିତ ଶାନ୍ତ ଓ ସମୃଦ୍ଧ ଭବିଷ୍ୟତ ପାଇଁ ଏପରି ଏକ ଦୃଷ୍ଟିକୋଣ ଆପଣାଇଥିଲେ, ଯାହା ଉପରେ ତାଙ୍କର ଅତୁଟ ବିଶ୍ୱାସ  ରହିଥିଲା । ଏହା ଏପରି ମୂଲ୍ୟବୋଧ ଉପରେ ଆଧାରିତ ଥିଲା, ଯେଉଁଥିରେ ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାକୁ ସର୍ବୋପରି ରଖାଯାଇଥିଲା। ଏଥିରେ ଅନ୍ତର୍ଜାତୀୟ ଆଇନ-ନିୟମ ଏବଂ ସମାନତା ସ୍ତରରେ ଶାନ୍ତିପୂର୍ଣ୍ଣ ବିଶ୍ଵସ୍ତରୀୟ ସମ୍ପର୍କ ଉପରେ ମଧ୍ୟ ଗୁରୁତ୍ବାରୋପ କରାଯାଇଥିଲା । ଆର୍ଥିକ ଗତିବିଧିକୁ ପ୍ରୋତ୍ସାହନ ଠାରୁ ଆରମ୍ଭ କରି ପ୍ରତ୍ୟେକଙ୍କ ପାଇଁ ସମୃଦ୍ଧିର ଦ୍ୱାର ଖୋଲିବା ନିମନ୍ତେ ଏଥିରେ ଆବଶ୍ୟକ ସୁଯୋଗ ରହିଥିଲା ।

କ୍ବାଡ ହେଉ କିମ୍ବା ଆସିଆନ ନେତୃତ୍ବାଧୀନ ମଞ୍ଚ, ଇଣ୍ଡୋ ପେସିଫିକ ଓସନ୍ସ ଇନିସିଏଟି ହେଉ କିମ୍ବା ପୁଣି ଏସିଆ-ଆଫ୍ରିକା ଗ୍ରୋଥ କରିଡର ଅଥବା ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ମେଣ୍ଟ, ତାଙ୍କର ଯୋଗଦାନ ଏସବୁ ସଂଗଠନକୁ ଲାଭ ଦେଇଥିଲା । ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସେ ଘରୋଇ ସମସ୍ୟା ଏବଂ ସାରା ବିଶ୍ଵର ସନ୍ଦେହକୁ ପଛରେ ପକାଇ, ଶାନ୍ତିପୂର୍ଣ୍ଣ ଢଙ୍ଗରେ ପ୍ରତିରକ୍ଷା, ଯୋଗାଯୋଗ, ଭିତ୍ତିଭୂମି ଏବଂ ଦୀର୍ଘସ୍ଥାୟିତ୍ୱ ସମେତ ଜାପାନର ରଣନୈତିକ ସମ୍ପର୍କରେ ଆମୂଳଚୁଳ ପରିବର୍ତ୍ତନ ଆଣିବା ଦିଗରେ କାର୍ଯ୍ୟ କରିଥିଲେ । ତାଙ୍କର ଏହି ପ୍ରୟାସ କାରଣରୁ ଆଜି ସମ୍ପୂର୍ଣ୍ଣ କ୍ଷେତ୍ର ଅଧିକ ଆଶାବାଦୀ ହୋଇପାରିଛି ଏବଂ ବିଶ୍ଵ ନିଜ ଭବିଷ୍ୟତକୁ ନେଇ ଅଧିକ ଆଶ୍ଵସ୍ତ ହୋଇପାରିଛି ।

ଚଳିତ ବର୍ଷ ମେ ମାସରେ ମୁଁ ଜାପାନ ଗସ୍ତ କରିଥିଲି, ଏହି ସମୟରେ ଆବେ ସାନଙ୍କୁ ଭେଟିବା ପାଇଁ ମୋତେ ସୁଯୋଗ ମିଳିଥିଲା । ସେତେବେଳେ ସେ ଜାପାନ-ଭାରତ ସଂଘର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଥିଲେ । ନିଜ କାମକୁ ନେଇ ସେତେବେଳେ ମଧ୍ୟ ସେ ଉତ୍ସାହିତ ଥିଲେ । ତାଙ୍କର ଉଜ୍ଜ୍ବଳ ବ୍ୟକ୍ତିତ୍ୱ ପ୍ରତ୍ୟେକଙ୍କୁ ପ୍ରଭାବିତ କରୁଥିଲା । ତାଙ୍କର ବାକ୍‌ପଟୁତା ଅତି ଚମତ୍କାର ଥିଲା । ଭାରତ-ଜାପାନ ବନ୍ଧୁତାକୁ ଅଧିକ ମଜବୁତ କରିବା ଲାଗି ତାଙ୍କ ପାଖରେ ଅନେକ ଉପାୟ ରହିଥିଲା । ସେଦିନ ତାଙ୍କୁ ଭେଟି ଫେରିବା ପରେ, ତାହା ଆମର ଶେଷ ସାକ୍ଷାତ ହେବ ବୋଲି ମୁଁ କେବେ ବି ଭାବିନଥିଲି ।

ତାଙ୍କର ଆତ୍ମୀୟତା, ବୁଦ୍ଧିମତା, ସହୃଦୟତା, ବ୍ୟକ୍ତିତ୍ୱର ଗମ୍ଭୀରତା, ବନ୍ଧୁତା ଓ ମାର୍ଗଦର୍ଶନ ସବୁଦିନ ମୋ ପାଇଁ ସ୍ମରଣୀୟ ହୋଇ ରହିବ ଏବଂ ସେ ସବୁଦିନ ମୋର ମନେ ରହିବେ ।

ତାଙ୍କ ବିୟୋଗରେ ଆମେ ସମସ୍ତ ଭାରତବାସୀ ଗଭୀର ଭାବେ ମର୍ମାହତ, ଯେମିତି ଆମ ନିଜ ଲୋକ କେହି ଆରପାରିକୁ ଚାଲି ଯାଇଛନ୍ତି । ଖୋଲା ହୃଦୟରେ ସେ ଆମମାନଙ୍କୁ ସ୍ୱାଗତ କରିଥିଲେ । ଜୀବନର ଶେଷ ପର୍ଯ୍ୟନ୍ତ ସେ ନିଜ ଲକ୍ଷ୍ୟରେ ଦୃଢ଼ ରହିଥିଲେ – ଅନେକ ଲୋକଙ୍କୁ ଅନୁପ୍ରାଣିତ କରିଚାଲିଥିଲେ । ଦୁଃଖର ବିଷୟ, ସେ ଆଜି ଆମ ଗହଣରେ ନାହାନ୍ତି ସତ, କିନ୍ତୁ ତାଙ୍କର ଆଦର୍ଶ ସବୁଦିନ ଆମକୁ ଅନୁପ୍ରାଣିତ କରୁଥିବ ।

ମୁଁ ଭାରତବାସୀଙ୍କ ତରଫରୁ ଏବଂ ନିଜ ତରଫରୁ ଜାପାନର ଲୋକମାନଙ୍କୁ, ବିଶେଷ କରି ଶ୍ରୀମତୀ ଅକୀ ଆବେ ଏବଂ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ବ୍ୟକ୍ତ କରୁଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
₹10,000-crore scheme puts container manufacturing at the centre of India’s maritime push

Media Coverage

₹10,000-crore scheme puts container manufacturing at the centre of India’s maritime push
NM on the go

Nm on the go

Always be the first to hear from the PM. Get the App Now!
...
ଭାରତର ଏକତା ଏବଂ ପ୍ରଗତି ପାଇଁ ଉତ୍ସର୍ଗୀକୃତ ଜୀବନ
July 06, 2026

ରାଷ୍ଟ୍ରବାଦ ଓ ନିଃସ୍ୱାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ୱ ରହିଛି । ଆମେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନ କରୁଛେ । ତାଙ୍କ ଜୀବନ ସାହସ ଏବଂ ମା’ ଭାରତୀ ପ୍ରତି ଅତୁଟ ସମର୍ପଣର ଏକ ଚିରସ୍ଥାୟୀ ଉଦାହରଣ ହୋଇ ରହିଛି । ଆଧୁନିକ ଭାରତରେ ଏପରି ନେତା ବିରଳ ଯାହାଙ୍କ ଠାରେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଭଳି ବୁଦ୍ଧିମତ୍ତା, ଜନସେବା ଏବଂ ନୈତିକ ଦୃଢ଼ତାର ଏତେ ଗଭୀର ସଂଗମ ଦେଖିବାକୁ ମିଳୁଥିବ।

ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଏପରି ଏକ ପରିସ୍ଥିତିରେ ଜନ୍ମଗ୍ରହଣ କରିଥିଲେ ଯେଉଁଠି ସେ ଚାହିଁଥିଲେ ସୁରକ୍ଷିତ ଏବଂ ଆରାମଦାୟକ ଜୀବନଯାପନ ଅତିବାହିତ କରିପାରିଥାନ୍ତେ । ତାଙ୍କ ପିତା ସାର୍‌ ଆଶୁତୋଷ ମୁଖାର୍ଜୀ ତତ୍କାଳୀନ ସମୟର ଜଣେ ଅଗ୍ରଣୀ ଶିକ୍ଷାବିତ୍‌ ଏବଂ ବୁଦ୍ଧିଜୀବୀ ଥିଲେ। ଭାଗ୍ୟ ତାଙ୍କ ଆଗରେ ବିଶେଷାଧିକାରର ମାର୍ଗ ରଖିଥିଲେ ମଧ୍ୟ ତାଙ୍କର ଅନ୍ତରାତ୍ମା ତାଙ୍କୁ ବଳିଦାନ ଏବଂ ରାଷ୍ଟ୍ର ସେବା ଦିଗରେ ଆଗେଇ ନେଇଥିଲା । ଉପନିବେଶବାଦ, ସାମ୍ପ୍ରଦାୟିକତା, ମାନବୀୟ ଆହ୍ୱାନ ହେଉ କିମ୍ବା ଅନ୍ୟ କୌଣସି ସମସ୍ୟା ନିଜ ସମୟର ଅସ୍ଥିରତାକୁ ଦେଖି ସେ କେବଳ ଜଣେ ମୂକ ଦର୍ଶକ ସାଜିପାରିବେ ନାହିଁ ବୋଲି ତାଙ୍କ ମନରେ ବିଶ୍ୱାସ ଦୃଢ଼ ହୋଇଥିଲା। ଏହି ଯାତ୍ରା ସମୟରେ ତାଙ୍କୁ ଗୁରୁତର ବ୍ୟକ୍ତିଗତ ଦୁଃଖର ସାମ୍ନା କରିବାକୁ ପଡ଼ିଥିଲା। ପ୍ରଥମେ ତାଙ୍କର ନବଜାତ ଶିଶୁ ଏବଂ ପରେ ତାଙ୍କ ପତ୍ନୀ ପ୍ରାଣ ହରାଇଥିଲେ। କିନ୍ତୁ ଏହି ସବୁ ବ୍ୟକ୍ତିଗତ ଧକ୍କା ତାଙ୍କର ସଂକଳ୍ପକୁ ଆହୁରି ଗଭୀର କରିଥିଲା ଏବଂ ସେବା ପ୍ରତି ତାଙ୍କର ଅତୁଟ ପ୍ରତିବଦ୍ଧତାକୁ ଅଧିକ ମଜବୁତ କରିଥିଲା ।

ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସାର୍ବଜନୀନ ଜୀବନକୁ ପରିଭାଷିତ କରିଥିବା ଏକମାତ୍ର ଆଦର୍ଶ ଥିଲା ଭାରତର ଅଖଣ୍ଡତା । ବିଭାଜନର ଅସ୍ଥିରତାପୂର୍ଣ୍ଣ ସମୟରେ ସେ ଦୃଢ଼ତାର ସହ ଛିଡ଼ା ହୋଇଥିଲେ, ଯାହାଫଳରେ ପଶ୍ଚିମବଙ୍ଗ ଭାରତର ଅଭିନ୍ନ ଅଙ୍ଗ ହୋଇରହିବା ସୁନିଶ୍ଚିତ ହୋଇଥିଲା । କିଛି ବର୍ଷ ପରେ ଏହି ଦୃଢ଼ ବିଶ୍ୱାସ ତାଙ୍କୁ ଜାମ୍ମୁ-କାଶ୍ମୀର ଆଡ଼କୁ ଆଗେଇ ନେଇଥିଲା। ଜେଲରେ ବନ୍ଦୀ ହେବା ସତ୍ତ୍ୱେ ତାଙ୍କର ଦୃଢ଼ ସଂକଳ୍ପ ଅତୁଟ ରହିଥିଲା ଏବଂ ନିସଂଗତା ତାଙ୍କର ମନୋବଳକୁ ଭାଙ୍ଗି ପାରିନଥିଲା। କାରାବାସରେ ହିଁ ତାଙ୍କର ଜୀବନ ଦୀପ ଅକସ୍ମାତ୍‌ ଲିଭି ଯାଇଥିଲା। ଶେଷ ସମୟରେ ଡକ୍ଟର ମୁଖାର୍ଜୀ ସେହି ଅଗଣିତ ଲୋକଙ୍କ ଠାରୁ ଦୂରରେ ଥିଲେ ଯେଉଁମାନଙ୍କ ଲକ୍ଷ୍ୟକୁ ସେ ଆପଣାଇ ନେଇଥିଲେ । ଇତିହାସରେ ଏପରି ମୁହୂର୍ତ୍ତ ଆସିଥାଏ ଯେତେବେଳେ କୌଣସି ବ୍ୟକ୍ତିଙ୍କର ଅନ୍ତିମ ବଳିଦାନ ରାଜନୀତି ଠାରୁ ଊର୍ଦ୍ଧ୍ୱକୁ ଯାଇ ରାଷ୍ଟ୍ରୀୟ ସ୍ମୃତିର ଏକ ଅଂଶବିଶେଷ ପାଲଟିଯାଏ। ଡକ୍ଟର ମୁଖାର୍ଜୀଙ୍କ ଅନ୍ତିମ ଯାତ୍ରା ମଧ୍ୟ ଏପରି ଏକ ମୁହୂର୍ତ୍ତ। ଆଚାର୍ଯ୍ୟ ବିନୋବା ଭାବେ କହିଥିଲେ, ‘‘ଡକ୍ଟର ମୁଖାର୍ଜୀ ସେହି ଲକ୍ଷ୍ୟ ପାଇଁ ନିଜର ବଳିଦାନ ଦେଇଥିଲେ ଯେଉଁଥିରେ ତାଙ୍କର ବିଶ୍ୱାସ ରହିଥିଲା। ଅନେକ ବର୍ଷ ପରେ ୨୦୧୯ରେ ଅନୁଚ୍ଛେଦ ୩୭୦ ଓ ୩୫ (ଏ) ଉଚ୍ଛେଦ ତାଙ୍କ ବଳିଦାନ ପାଇଁ ସବୁଠୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଥିଲା।

ଡକ୍ଟର ମୁଖାର୍ଜୀଙ୍କ ପାଇଁ ଭାରତ ଏବଂ ଭାରତୀୟ ମୂଲ୍ୟବୋଧ ସର୍ବୋପରି ଥିଲା। ସେ ଏପରି ପ୍ରତିଷ୍ଠାନ ଗଢ଼ିଥିଲେ ଏବଂ ଏଭଳି ପ୍ରଣାଳୀ ବିକଶିତ କରିଥିଲେ, ଯାହା ତତ୍କାଳୀନ ସମୟର ପାରମ୍ପରିକ ଚିନ୍ତାଧାରାର ବିପରୀତ ଥିଲା । ସେ କଲିକତା ବିଶ୍ୱବିଦ୍ୟାଳୟର ସବୁଠୁ କମ୍‌ ବୟସ୍କ କୁଳପତି ହୋଇଥିଲେ। ନିଜର ଅଭିନବ ଶୈଳୀରେ ସେ ଏପରି ସକାରାତ୍ମକ ପରିବର୍ତ୍ତନ ଆଣିଥିଲେ ଯାହା ଦେଶଭକ୍ତିପୂର୍ଣ୍ଣ ଏବଂ ଭବିଷ୍ୟତ ଆଧାରିତ ଥିଲା। ଶିକ୍ଷାବିତ୍‌ ମାନଙ୍କର ଏକ ସମ୍ମିଳନୀରେ ଉଦବୋଧନ ଦେଇ ଡକ୍ଟର ମୁଖାର୍ଜୀ ଗୋଟିଏ ଭଲ କଥା କହିଥିଲେ: ‘‘ଶିକ୍ଷାନୁଷ୍ଠାନକୁ କେବଳ କିଛି କିରାଣୀ ଏବଂ କମ୍‌ ବେତନ ପାଉଥିବା କର୍ମଚାରୀଙ୍କ ପ୍ରସ୍ତୁତି କାରଖାନା ରୂପେ ଦେଖିବା ଭୁଲ। ଆମକୁ ଏପରି ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବାକୁ ହେବ ଯେଉଁମାନେ ଆମର ସ୍ୱୟଂଶାସିତ ଅନୁଷ୍ଠାନ-ଯଥା ନଗର ନିଗମ, ପ୍ରାନ୍ତୀୟ ଏବଂ କେନ୍ଦ୍ରୀୟ ବିଧାନସଭାର ନେତୃତ୍ୱ ନେଇପାରିବେ। ଏଥିସହିତ ଆର୍ଥିକ, ବାଣିଜ୍ୟିକ ଏବଂ ଔଦ୍ୟୋଗିକ ଭଳି ଜୀବନର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ ପରିଚାଳନା କରିପାରିବେ ।’’

ତାଙ୍କ ନେତୃତ୍ୱରେ, କଲିକତା ବିଶ୍ୱବିଦ୍ୟାଳୟ ପାଠାଗାର ଭିତ୍ତିଭୂମିର ଉନ୍ନତି, ବିଜ୍ଞାନ ଗବେଷଣା ବୃଦ୍ଧି, କଳାକୃତି ଅଧ୍ୟୟନକୁ ପ୍ରୋତ୍ସାହନ ଏବଂ କୃଷିରେ ପାଠ୍ୟକ୍ରମ ପ୍ରଚଳନ କରିବା ଭଳି ଅଭିନବ ପଦକ୍ଷେପ ଗ୍ରହଣ କରିଥିଲା। ସେ କ୍ରୀଡା, ଶିକ୍ଷକ ତାଲିମ ଏବଂ ଛାତ୍ର କଲ୍ୟାଣ ଭଳି କ୍ଷେତ୍ରଗୁଡ଼ିକ ପ୍ରତି ଧ୍ୟାନ ଦେଇଥିଲେ। ଛାତ୍ରଛାତ୍ରୀ ଏବଂ ପୂର୍ବତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗର୍ବର ଭାବନା ସୃଷ୍ଟି କରିବା ପାଇଁ, ସେ ୨୪ ଜାନୁଆରୀକୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଭାବରେ ପାଳନ କରିବାର ଏକ ପରମ୍ପରା ଆରମ୍ଭ କରିଥିଲେ। ବିଶ୍ୱବିଦ୍ୟାଳୟ ପାଇଁ ଏକ ଗୀତ ରଚନା କରିବା ଲାଗି ସେ ଅନ୍ୟ କେହି ନୁହେଁ ସ୍ୱୟଂ ଗୁରୁଦେବ ଟାଗୋରଙ୍କୁ ଅନୁରୋଧ କରିଥିଲେ ।

ଏପରି ମନୋଭାବର ଆଉ ଏକ ଉଦାହରଣ ତାଙ୍କ ଜୀବନର ଶେଷ ଭାଗରେ ଦେଖିବାକୁ ମିଳିଥିଲା। ଏହି ସମୟରେ ସେ ଭାରତୀୟ ଜନସଂଘ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ। ତତ୍କାଳୀନ ସମୟରେ କଂଗ୍ରେସ ଦଳ ସର୍ବବ୍ୟାପୀ ଥିଲା । ଆମର ସାଂସ୍କୃତିକ ମୂଳଦୁଆ ସହ ଜଡିତ ରହି ଭାରତର ପ୍ରଗତି ପାଇଁ ଏକ ବିକଳ୍ପ ସ୍ୱର ଉତ୍ତୋଳନ କରିବାର ଆବଶ୍ୟକତା ରହିଛି ବୋଲି ସେ ଅନୁଭବ କରିଥିଲେ । ଦଳର ପ୍ରତୀକ ସ୍ୱରୂପ ଦୀୟା ବା ମାଟି ଦୀପକୁ ଗ୍ରହଣ କରିବା ଉପଯୁକ୍ତ ନିଷ୍ପତ୍ତି ଥିଲା। ଦୀପ ସାମାନ୍ୟ ହୋଇପାରେ କିନ୍ତୁ ଏହା ନିଜ ଠାରୁ ବହୁ ଦୂରରେ ଥିବା ଅନ୍ଧକାରକୁ ଦୂର କରିବାର ସାମର୍ଥ୍ୟ ରଖିଥାଏ। ଜନସଂଘ ଠିକ୍‌ ଏହିପରି ଭାବରେ କାର୍ଯ୍ୟ କରିଥିଲା ।

ଭାରତର ପ୍ରଥମ ଶିଳ୍ପ ଏବଂ ଯୋଗାଣ ମନ୍ତ୍ରୀ ଭାବରେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ କାର୍ଯ୍ୟକାଳ ଜଣେ ରାଜନେତା ଭାବେ ତାଙ୍କ ବ୍ୟକ୍ତିତ୍ୱକୁ ପରିପ୍ରକାଶ କରିଥିଲା। ବିକାଶକୁ ନେଇ ତାଙ୍କର ଧାରଣା ଅତ୍ୟନ୍ତ ବ୍ୟାପକ ଏବଂ ମାନବୀୟ ଥିଲା। ନୂଆ କରି ସ୍ୱାଧୀନ ହୋଇଥିବା ଗୋଟିଏ ରାଷ୍ଟ୍ରର ମର୍ଯ୍ୟାଦା, ସୁଯୋଗ ଏବଂ ଆତ୍ମବିଶ୍ୱାସ ଫେରାଇ ଆଣିବା ଲାଗି ସେ ଶିଳ୍ପକୁ ଏକ ମାଧ୍ୟମ ରୂପେ ଦେଖୁଥିଲେ । ସେ ସମ୍ପତ୍ତି ସୃଷ୍ଟି ଏବଂ ମୂଲ୍ୟ ବୃଦ୍ଧିକୁ ସମ୍ମାନ କରୁଥିଲେ। ଦାମୋଦର ଭ୍ୟାଲି କର୍ପୋରେସନ, ସିନ୍ଦ୍ରି ସାର କାରଖାନା ଏବଂ ଏକ ଦୃଢ଼ ଶିଳ୍ପ ନୀତି ଭଳି ଅଗ୍ରଣୀ ପଦକ୍ଷେପ ମାଧ୍ୟମରେ ଡକ୍ଟର ମୁଖାର୍ଜୀ ଆଧୁନିକ ଶିଳ୍ପ ସମ୍ପନ୍ନ ଭାରତର ମୂଳଦୁଆ ଗଢ଼ିଥିଲେ । ଅନୁରୂପ ଭାବେ ସେ ଭାରତର ପାରମ୍ପରିକ ଶକ୍ତିକୁ ମଧ୍ୟ କେବେ ଅବହେଳା କରିନଥିଲେ । ହସ୍ତତନ୍ତ, କୁଟୀର ଶିଳ୍ପ, କାରିଗର ଏବଂ ବୟନ ଶ୍ରମିକଙ୍କ କଲ୍ୟାଣ ପାଇଁ ସେ ଉଲ୍ଲେଖନୀୟ କାର୍ଯ୍ୟ କରିଯାଇଛନ୍ତି ।

ଏଠାରେ, ମୁଁ ଏକ ବ୍ୟକ୍ତିଗତ ଅଭିଜ୍ଞତା ବାଣ୍ଟିବାକୁ ଚାହେଁ । ଡକ୍ଟର ମୁଖାର୍ଜୀ ଯେଉଁ ସିନ୍ଦ୍ରି ପ୍ଲାଣ୍ଟକୁ ଆତ୍ମନିର୍ଭରଶୀଳତାର ସ୍ପଷ୍ଟ ଦୃଷ୍ଟିକୋଣ ସହିତ ପ୍ରତିଷ୍ଠା କରିବା ପାଇଁ କାମ କରିଥିଲେ ସେହି ଶିଳ୍ପାନୁଷ୍ଠାନକୁ ଅନେକ ଦଶନ୍ଧି ଧରି ଦେଶ ଚଳାଉଥିବା ଲୋକମାନେ ଅଣଦେଖା କରିଥିଲେ। ଆମ ସରକାରଙ୍କୁ ଏହାର ପୁନରୁଦ୍ଧାରରେ ଯୋଗଦାନ ଦେବାର ସୁଯୋଗ ମିଳିଥିବାରୁ ମୁଁ ଗୌରବାନ୍ୱିତ ମନେ କରୁଛି । ଏପରି କାର୍ଯ୍ୟକ୍ରମରେ ସେଠାରେ ଉପସ୍ଥିତ ରହିବା ପ୍ରକୃତରେ ସବୁଠାରୁ ସ୍ୱତନ୍ତ୍ର ମୁହୂର୍ତ୍ତ ମଧ୍ୟରୁ ଅନ୍ୟତମ ଥିଲା।

ଭାରତର ସଭ୍ୟତାଗତ ପରମ୍ପରାରେ ଆଲୋଚନା ଓ ବିତର୍କକୁ ଦୀର୍ଘ ଦିନ ଧରି ସମ୍ମାନ ଦିଆଯାଇ ଆସୁଛି । ଡକ୍ଟର ମୁଖାର୍ଜୀ ଏହି ଗଣତାନ୍ତ୍ରିକ ଭାବନାକୁ ମୂର୍ତ୍ତିମନ୍ତ କରିଥିଲେ। ସେ ପଣ୍ଡିତ ନେହରୁଙ୍କ ମନ୍ତ୍ରିମଣ୍ଡଳରେ ଯୋଗ ଦେଇଥିଲେ। କାରଣ ପ୍ରାରମ୍ଭିକ ବର୍ଷଗୁଡ଼ିକରେ ରାଷ୍ଟ୍ର ନିର୍ମାଣର କାର୍ଯ୍ୟ ରାଜନୈତିକ ମତଭେଦ ଠାରୁ ଊର୍ଦ୍ଧ୍ୱରେ ଥିଲା ବୋଲି ସେ ଚିନ୍ତା କରୁଥିଲେ। ସେ ଆନ୍ତରିକତା ଏବଂ ଗଠନମୂଳକ ମନୋଭାବ ସହିତ ସେବା କରିଥିଲେ। କିନ୍ତୁ ରାଷ୍ଟ୍ରୀୟ ଗୁରୁତ୍ୱ ବହନ କରୁଥିବା ପ୍ରଶ୍ନଗୁଡ଼ିକ ପାଇଁ ଏକ ଭିନ୍ନ ପଥର ଆବଶ୍ୟକତା ରହିଛି ବୋଲି ଯେତେବେଳେ ସେ ଅନୁଭବ କଲେ ସେତେବେଳେ ମର୍ଯ୍ୟାଦାର ସହିତ ନିଜ ପଦ ତ୍ୟାଗ କରିଥିଲେ । ଏହାପରେ ରାଷ୍ଟ୍ର ଆବଶ୍ୟକ କରୁଥିବା ରାଜନୈତିକ କାର୍ଯ୍ୟରେ ନିଜକୁ ପୂର୍ଣ୍ଣପ୍ରାଣରେ ଉତ୍ସର୍ଗ କଲେ ।

୭୫ ବର୍ଷ ପୂର୍ବେ ପଣ୍ଡିତ ନେହରୁ ପ୍ରଥମ ସଂଶୋଧନ ଆଣିଥିଲେ, ଯାହା ବାକ୍ ସ୍ୱାଧୀନତା ଉପରେ ପ୍ରତ୍ୟକ୍ଷ ଆକ୍ରମଣ ଥିଲା। ଡକ୍ଟର ମୁଖାର୍ଜୀ ଏହାର କଠୋର ସମାଲୋଚକମାନଙ୍କ ମଧ୍ୟରୁ ଜଣେ ଥିଲେ। ସେ କଂଗ୍ରେସ କ’ଣ କରିପାରିବ ତାହା ସମ୍ପୂର୍ଣ୍ଣ ବୁଝିପାରିଥିଲେ। ଆଉ ତାଙ୍କର ଏହି ଭାବନା ଠିକ୍‌ ଥିଲା । ୭୫ ବର୍ଷ ପୂର୍ବେ ପ୍ରଥମ ସଂଶୋଧନ ଆଣିଥିବା ଲୋକମାନେ ହିଁ ୫୦ ବର୍ଷ ପୂର୍ବେ ୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏଥିପାଇଁ ସେମାନେ ୪୨ତମ ସଂଶୋଧନ ଆଇନ ଆଣିଥିଲେ, ଯାହା ପୁଣି ଥରେ ଉଦାର ଗଣତାନ୍ତ୍ରିକ ମୂଲ୍ୟବୋଧର ମୂଳଦୁଆ ଉପରେ ଆଘାତ କରିଥିଲା।

ଡକ୍ଟର ମୁଖାର୍ଜୀଙ୍କ ମାନବୀୟ କାର୍ଯ୍ୟ ମଧ୍ୟ ଅସାଧାରଣ ଥିଲା। ୧୯୪୩ ମସିହାରେ ବଙ୍ଗରେ ସବୁଠାରୁ ଭୟଙ୍କର ଦୁର୍ଭିକ୍ଷ ପଡ଼ିଥିବା ସମୟରେ ସେ ପ୍ରଭାବିତ ଲୋକଙ୍କ ସେବା କରିବାରେ ନିଜକୁ ଉତ୍ସର୍ଗ କରିଥିଲେ । ଲୋକମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଅନେକ କ୍ୟାଣ୍ଟିନ୍ ଏବଂ ରିଲିଫ୍ କେନ୍ଦ୍ର ଖୋଲିବାରେ ତାଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଗୋଟିଏ ପଟେ ନିଜ ଲୋକଙ୍କ ଦୁର୍ଦ୍ଦଶା ଦେଖି ସେ ଗଭୀର ଭାବରେ ମର୍ମାହତ ହୋଇଥିଲେ ଏବଂ ଅନ୍ୟପଟେ, ଉପନିବେଶବାଦୀ ଶାସକଙ୍କ ସମ୍ବେଦନହୀନତା ତାଙ୍କ ମନରେ ଘୃଣା ଉତ୍ପନ୍ନ କରିଥିଲା । ସେ ‘ପଞ୍ଚଶେର ମନ୍ୱନ୍ତର’ ନାମକ ଏକ ପୁସ୍ତକ ମଧ୍ୟ ଲେଖିଥିଲେ, ଯେଉଁଥିରେ ସେ ତାଙ୍କର କ୍ଷୋଭ ପ୍ରକାଶ କରିଥିଲେ। ୧୯୪୨ ମସିହାରେ ମେଦିନୀପୁରରେ ହୋଇଥିବା ଏକ ମହାବାତ୍ୟା ସମୟରେ ସହାୟତା ଯୋଗାଇ ଦେବା ଏବଂ ସ୍ୱାଭାବିକତା ଫେରାଇ ଆଣିବାରେ ସେ ବ୍ୟାପକ ପ୍ରୟାସ କରିଥିଲେ। ତାଙ୍କର ଏହି ପ୍ରୟାସକୁ ସର୍ବତ୍ର ପ୍ରଶଂସା କରାଯାଇଥିଲା।

କୋଲକାତାର ଏକ ମହାବିଦ୍ୟାଳୟରେ ଭାଷଣ ଦେବା ଅବସରରେ ଡକ୍ଟର ମୁଖାର୍ଜୀ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ, ‘‘ତୁମେମାନେ ଯେଉଁ କାର୍ଯ୍ୟ କରୁଛ, ତାକୁ ଗମ୍ଭୀରତାର ସହିତ, ସମ୍ପୂର୍ଣ୍ଣ ଏବଂ ଭଲ ଭାବରେ କର; ଏହାକୁ କେବେବି ଅଧା କିମ୍ବା ଅସମ୍ପୂର୍ଣ୍ଣ ଛାଡ଼ି ଦିଅ ନାହିଁ । ନିଜର ସର୍ବୋତ୍ତମ ପ୍ରୟାସ ନକରିବା ପର୍ଯ୍ୟନ୍ତ ସନ୍ତୁଷ୍ଟ ହୁଅ ନାହିଁ ।’’ ଆମ ଦେଶ ଏକ ବିକଶିତ ଭାରତର ଲକ୍ଷ୍ୟ ଦିଗରେ ଅଗ୍ରସର ହେବା ସହିତ ଡକ୍ଟର ମୁଖାର୍ଜୀଙ୍କୁ ସର୍ବୋତ୍ତମ ଶ୍ରଦ୍ଧାଞ୍ଜଳି ଦେବା ଲାଗି ଆମ ପାଖରେ ଉପଯୁକ୍ତ ସୁଯୋଗ ରହିଛି । ଆସନ୍ତୁ ଆମେ ଏକ ଶକ୍ତିଶାଳୀ, ଅଖଣ୍ଡ, ଆତ୍ମବିଶ୍ୱାସୀ ଏବଂ କରୁଣାପୂର୍ଣ୍ଣ ଭାରତ ଗଠନ କରିବା ଲାଗି ଦୈନନ୍ଦିନ ପ୍ରୟାସ କରିବା । ଏଭଳି ଏକ ଭାରତ ଗଢ଼ିବା ଲାଗି ଡକ୍ଟର ମୁର୍ଖାଜୀଙ୍କର ଦୃଢ଼ ବିଶ୍ୱାସ ରହିଥିଲା। ବର୍ତ୍ତମାନର ଯୁବପିଢ଼ିଙ୍କୁ ମୁଁ ଯେତିକି ଜାଣିଛି ସେମାନେ ଏ ସୁଯୋଗର ଲାଭ ଉଠାଇ ନିଶ୍ଚିତ ଭାବେ ଏହି ସ୍ୱପ୍ନକୁ ସାକାର କରିବେ ବୋଲି ମୋର ବିଶ୍ୱାସ ।