ଆମେ ଭାରତ, ଅଷ୍ଟ୍ରେଲିଆ, ଜାପାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ନେତାମାନେ ପ୍ରଥମ ଥର ପାଇଁ “କ୍ଵାଡ଼”ରେ ବ୍ୟକ୍ତିଗତ ଭାବେ ସମ୍ମିଳିତ ହୋଇଛୁ। ଏହି ଐତିହାସିକ ଅବସରରେ, ଏକ ସ୍ୱାଧୀନ ଓ ମୁକ୍ତ ତଥା ସମାବେଶୀ ଓ ଦୀର୍ଘସ୍ଥାୟୀ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସୁରକ୍ଷା ପ୍ରତି ଆମେ ଆମ ପ୍ରତିବଦ୍ଧତାକୁ ଦୋହରାଉଛୁ। ଏହି କ୍ଷେତ୍ର ଆମ ଆପୋସ ସୁରକ୍ଷା ଏବଂ ସମୃଦ୍ଧିର ଆଧାର। ଏହାର ସୁରକ୍ଷା ପାଇଁ ଆମ ସହଭାଗିତା ପ୍ରତି ଆମେ ପୁନଃପ୍ରତିବଦ୍ଧତା ବ୍ୟକ୍ତ କରୁଛୁ। ଆମର ବିଗତ ବୈଠକକୁ ମାତ୍ର ଛଅ ମାସ ବିତିଛି। ମାର୍ଚ୍ଚ ପରଠାରୁ, କୋଭିଡ-୧୯ ମହାମାରୀ ବିଶ୍ୱବ୍ୟାପୀ ଯନ୍ତ୍ରଣା ବୃଦ୍ଧି କରିଛି; ଜଳବାୟୁ ପରିବର୍ତ୍ତନ ସଙ୍କଟ ଘନେଇଛି; ଏବଂ କ୍ଷେତ୍ରୀୟ ସୁରକ୍ଷା ପରିସ୍ଥିତି ଆହୁରି ଜଟିଳ ହୋଇଛି। ଆମର ପ୍ରତ୍ୟେକ ରାଷ୍ଟ୍ର ଏବଂ ମିଳିତ ଭାବେ ସବୁ ରାଷ୍ଟ୍ର ପାଇଁ ଏହା ଏକ ପରୀକ୍ଷାର ସମୟ। ତେବେ ଆମର ପାରସ୍ପରିକ ସହଯୋଗ ସୁଦୃଢ଼ ରହିଛି।

ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ଆମେ ହାସଲ କରିବାକୁ ଚାହୁଁଥିବା ଲକ୍ଷ୍ୟ ପାଇଁ ଆମ ସଂକଳ୍ପ ଦିଗରେ ଆମର ଏବଂ ବିଶ୍ୱର ଧ୍ୟାନ କେନ୍ଦ୍ରିତ କରିବା ଲାଗି କ୍ଵାଡ୍ ଶିଖର ସମ୍ମିଳନୀ ଏକ ସୁଯୋଗ ଆଣିଛି। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ଅନ୍ୟ କ୍ଷେତ୍ରରେ ସୁରକ୍ଷା ଓ ସମୃଦ୍ଧିକୁ ସୁଦୃଢ଼ କରିବା ଲାଗି ଅନ୍ତର୍ଜାତୀୟ ଆଇନ ଦ୍ୱାରା ପରିଚାଳିତ ତଥା କୌଣସି ପ୍ରକାରର ଚାପରୁ ମୁକ୍ତ ଏକ ସ୍ୱାଧୀନ, ମୁକ୍ତ ଏବଂ ନିୟମ ଆଧାରିତ ବ୍ୟବସ୍ଥାର ପ୍ରୋତ୍ସାହନ ଲାଗି ଆମେ ମିଳିତ ଭାବେ ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ। ଆଇନ ସମର୍ଥିତ ନିୟମ, ନୌପରିବହନ ଏବଂ ବିମାନଉଡ଼ାଣ କ୍ଷେତ୍ରରେ ସ୍ୱାଧୀନତା, ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ, ଗଣତାନ୍ତ୍ରିକ ମୂଲ୍ୟବୋଧ, ରାଷ୍ଟ୍ରଗୁଡ଼ିକର କ୍ଷେତ୍ରୀୟ ଅଖଣ୍ଡତାକୁ ଆମେ ଦୃଢ଼ ଭାବେ ସମର୍ଥନ କରୁଛୁ। ଆମେ ପରସ୍ପର ସହ ମିଳିତ ଭାବେ ଏବଂ ଅନ୍ୟ ଭାଗିଦାରମାନଙ୍କ ସହିତ କାମ କରିବା ଲାଗି ପ୍ରତିବଦ୍ଧ। ଆସିଆନ ରାଷ୍ଟ୍ରସମୂହର ଏକତା, କେନ୍ଦ୍ରୀୟତା ଏବଂ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର ପ୍ରତି ଆସିଆନର ଦୃଷ୍ଟିକୋଣ ପାଇଁ ଆମେ ଆମର ଦୃଢ଼ ସମର୍ଥନକୁ ପୁଣିଥରେ ଦୋହରାଉଛୁ। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର କେନ୍ଦ୍ରସ୍ଥଳୀରେ ଥିବା ଆସିଆନ ଏବଂ ଏହାର ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହିତ ବାସ୍ତବ ଏବଂ ସମାବେଶୀ ମାର୍ଗରେ କାର୍ଯ୍ୟ କରିବା ଲାଗି ଆମେ ଆମର ପ୍ରତିବଦ୍ଧତାକୁ ବ୍ୟକ୍ତ କରୁଛୁ। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସହଯୋଗ ପାଇଁ ସେପ୍ଟେମ୍ବର ୨୦୨୧ ଇୟୁ ରଣନୀତିକୁ ମଧ୍ୟ ଆମେ ସ୍ୱାଗତ କରୁଛୁ।

ଆମର ପ୍ରଥମ ବୈଠକ ପରଠାରୁ, କୋଭିଡ-୧୯ ମହାମାରୀ, ଜଳବାୟୁ ପରିବର୍ତ୍ତନ ସଙ୍କଟ ଏବଂ ଗୁରୁତ୍ୱପୂର୍ଣ୍ଣ ଓ ଉଦୀୟମାନ ପ୍ରଯୁକ୍ତି ଭଳି ବିଶ୍ୱର ସବୁଠୁ ବଡ଼ ସମସ୍ୟା ଗୁଡ଼ିକୁ ସମାଧାନ କରିବା କ୍ଷେତ୍ରରେ ଆମେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛୁ।

କୋଭିଡ-୧୯ ମୁକାବିଲା ଏବଂ ସହାୟତା ନିମନ୍ତେ ଆମର ନୂତନ ଭାଗିଦାରୀ କ୍ଵାଡ ପାଇଁ ଏକ ଐତିହାସିକ ନୂତନ କେନ୍ଦ୍ରବିନ୍ଦୁ ପାଲଟିଛି। ଆମେ କ୍ଵାଡ୍ ଟିକା ବିଶେଷଜ୍ଞ ଦଳ ଗଠନ କରିଛୁ। ଏଥିରେ ଆମ ସରକାରମାନଙ୍କର ଶୀର୍ଷ ବିଶେଷଜ୍ଞମାନେ ସାମିଲ ରହିଛନ୍ତି। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ କୋଭିଡ-୧୯ ମୁକାବିଲାକୁ ସମର୍ଥନ କରିବା ଲାଗି ଉନ୍ନତ ଯୋଜନା ପ୍ରସ୍ତୁତ କରିବା ଏବଂ ପାରସ୍ପରିକ ସମ୍ପର୍କକୁ ସୁଦୃଢ଼ କରିବାର ଦାୟିତ୍ୱ ଏହି ଦଳକୁ ଦିଆଯାଇଛି। ଏହା କରିବା ସହିତ, ଆମେ ମହାମାରୀର ସ୍ଥିତି ଆକଳନର ତଥ୍ୟ ପରସ୍ପରକୁ ପ୍ରଦାନ କରିଛୁ। ଏହାର ମୁକାବିଲା ପାଇଁ ଆମର ପ୍ରୟାସରେ ସମନ୍ୱୟ ଆଣିଛୁ। କ୍ଷେତ୍ରୀୟ ସ୍ତରରେ କୋଭିଡ-୧୯ର ମୁକାବିଲା ପାଇଁ ସହଭାଗୀ କୂଟନୈତିକ ନୀତି ଲାଗୁ କରିଛୁ। କୋଭାକ୍ସ ସମେତ ବିଭିନ୍ନ ବହୁପକ୍ଷୀୟ ପ୍ରୟାସରେ ନିବିଡ଼ ସହଭାଗିତା ଜରିଆରେ ନିରାପଦ, ପ୍ରଭାବୀ, ଗୁଣବତ୍ତା-ସୁନିଶ୍ଚିତ ଟିକା ଉତ୍ପାଦନ ଏବଂ ସମାନତାପୂର୍ଣ୍ଣ ବିତରଣ ଲାଗି ଆମର ସମ୍ମିଳିତ ପ୍ରୟାସରେ ସକ୍ରିୟ ସୁଧାର ଆଣିପାରିଛୁ।

କୋଭାକ୍ସ ମାଧ୍ୟମରେ ଟିକା ଡୋଜ୍ ପାଇଁ ପାଣ୍ଠି ଯୋଗାଣ ଅତିରିକ୍ତ, ନିରାପଦ ଏବଂ ପ୍ରଭାବୀ କୋଭିଡ-୧୯ ଟିକାର ୧.୨ ବିଲିୟନ ଡୋଜ୍ ଦାନ କରିବା ଲାଗି ଅଷ୍ଟ୍ରେଲିଆ, ଭାରତ, ଜାପାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସଂକଳ୍ପ ନେଇଛନ୍ତି। ବର୍ତ୍ତମାନସୁଦ୍ଧା, ଏହି ପ୍ରତିଶ୍ରୁତିର ଅଂଶବିଶେଷ ସ୍ୱରୂପ ଆମେ ପାଖାପାଖି ୭୯ ମିଲିୟନ ନିରାପଦ, ପ୍ରଭାବୀ ଏବଂ ଉନ୍ନତ ମାନର ଭ୍ୟାକ୍ସିନ ଡୋଜ୍ ଯୋଗାଇ ଦେଇଛୁ। 

କ୍ଵାଡ୍ ଭ୍ୟାକ୍ସିନ ସହଭାଗିତା ମାଧ୍ୟମରେ ପାଣ୍ଠି ଯୋଗାଣ ଫଳରେ ବାୟୋଲୋଜିକାଲ ଇ ଲିମିଟେଡର ଉତ୍ପାଦନ କ୍ଷମତା ବୃଦ୍ଧି ପାଇଛି। ଚଳିତ ବର୍ଷ ଶେଷ ଭାଗରେ ଭାରତରେ ଅତିରିକ୍ତ ଟିକା ଉତ୍ପାଦନ ହୋଇପାରିବ। ଆମର ମାର୍ଚ୍ଚ ଘୋଷଣା ଅନୁରୂପ ତଥା ବିଶ୍ୱସ୍ତରୀୟ ଯୋଗାଣ ନିଅଣ୍ଟ ଜାରି ରହିବାକୁ ବିବେଚନା କରି, ଏହି ପରିବର୍ଦ୍ଧିତ ଉତ୍ପାଦନକୁ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ବିଶ୍ୱକୁ ଆମେ ସୁନିଶ୍ଚିତ ଭାବେ ରପ୍ତାନି କରିବୁ। ଏହାଛଡ଼ା ଆମେ ନିମ୍ନ ଏବଂ ମଧ୍ୟମ ଆୟ ବିଶିଷ୍ଟ ରାଷ୍ଟ୍ରଗୁଡ଼ିକ ପାଇଁ ନିରାପଦ, ପ୍ରଭାବୀ ଏବଂ ଗୁଣବତ୍ତା-ସୁନିଶ୍ଚିତ କୋଭିଡ-୧୯ ଟିକା କିଣିବା ଲାଗି କୋଭାକ୍ସ ସୁବିଧା ଭଳି ଗୁରୁତ୍ୱପୂର୍ଣ୍ଣ ବହୁପକ୍ଷୀୟ ପ୍ରୟାସ ସହିତ ସମନ୍ୱୟ ସ୍ଥାପନ କରିବୁ। ଟିକା ଉତ୍ପାଦନ ପାଇଁ ମୁକ୍ତ ଏବଂ ନିରାପଦ ଯୋଗାଣ ଶୃଙ୍ଖଳର ଗୁରୁତ୍ୱକୁ ଆମେ ବିବେଚନା କରୁଛୁ।

କ୍ଷେତ୍ରୀୟ ଏବଂ ବିଶ୍ୱସ୍ତରରେ ମହାମାରୀର କଷ୍ଟକର ସମୟ ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ଆମେ ଅନେକ ଉପଲବ୍ଧି ହାସଲ କରିପାରିଛୁ। ଆମର କ୍ଵାଡ୍ ନିବେଶ ଜରିଆରେ ଉତ୍ପାଦନ ସମେତ, ବାୟୋଲୋଜିକାଲ ଇ-ଲିମିଟେଡର ଉତ୍ପାଦନକୁ କ୍ଵାଡ୍ ନେତାମାନେ ସ୍ୱାଗତ କରିଛନ୍ତି। ଏହା ଜରିଆରେ ୨୦୨୨ ଶେଷ ସୁଦ୍ଧା ଅତିକମରେ ଏକ ବିଲିୟନ ନିରାପଦ ଓ ପ୍ରଭାବୀ କୋଭିଡ-୧୯ ଟିକା ଉତ୍ପାଦନ ଲାଗି ଲକ୍ଷ୍ୟ ରଖାଯାଇଛି। ଆଜି, ଏହି ଯୋଗାଣ କ୍ଷେତ୍ରରେ ଏକ ପ୍ରାରମ୍ଭିକ ପଦକ୍ଷେପ ଘୋଷଣା କରି ଆମେ ଗର୍ବିତ, ଯାହା ମହାମାରୀର ଅନ୍ତ ପାଇଁ ତୁରନ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ବିଶ୍ୱକୁ ବିଶେଷ ସହାୟକ ହେବ। ଅକ୍ଟୋବର ୨୦୨୧ ପ୍ରାରମ୍ଭରୁ, ଭାରତ ନିରାପଦ ଏବଂ ପ୍ରଭାବୀ କୋଭିଡ଼-୧୯ ଟିକା ଯୋଗାଣ ଆରମ୍ଭ କରିବା ଲାଗି ଘୋଷଣା କରିଛି। କୋଭାକ୍ସକୁ ମଧ୍ୟ ଏହି ଟିକା ଯୋଗାଇ ଦିଆଯିବ। ଭାରତର ଏହି ନିଷ୍ପତ୍ତିକୁ କ୍ଵାଡ୍ ସ୍ୱାଗତ କରୁଛି। ଜାପାନ୍ ୩.୩ ବିଲିୟନ ଡଲାର କୋଭିଡ-୧୯ ସଙ୍କଟ ମୁକାବିଲା ଜରୁରିକାଳୀନ ୠଣ ଯୋଗାଇ ଦେବା ମାଧ୍ୟମରେ ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଟିକା କ୍ରୟ କରିବା ଲାଗି ସହାୟତା ଜାରି ରଖିବ। ଦକ୍ଷିଣପୂର୍ବ ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ଟିକା କ୍ରୟ କରିବା ନିମନ୍ତେ ଅଷ୍ଟ୍ରେଲିଆ ୨୧୨ ନିୟୁତ ଡଲାର ଅନୁଦାନ ସହାୟତା ଯୋଗାଇ ଦେବ। ଏହା ବ୍ୟତୀତ, ଏସବୁ କ୍ଷେତ୍ରର ଅନ୍ତିମ ସୋପାନରେ ଥିବା ଲୋକମାନଙ୍କୁ ଟିକା ଯୋଗାଇ ଦେବା ଲାଗି କ୍ଵାଡର ପ୍ରୟାସ ସହିତ ସମନ୍ୱୟ ସ୍ଥାପନ କରି ୨୧୯ ମିଲିୟନ ଡଲାର ସହାୟତା ଯୋଗାଇ ଦେବ।

କ୍ଲିନିକାଲ ପରୀକ୍ଷଣ ଏବଂ ଜେନୋମିକ ନିରୀକ୍ଷଣ କ୍ଷେତ୍ରରେ ଆମେ ଆମର ବିଜ୍ଞାନ ଓ ପ୍ରଯୁକ୍ତି (ଏସ ଆଣ୍ଡି ଟି) ସହଯୋଗକୁ ସୁଦୃଢ଼ କରିବୁ ଯାହାଫଳରେ ଆମେ ମହାମାରୀର ବିନାଶ ଏବଂ ଉନ୍ନତ ସ୍ୱାସ୍ଥ୍ୟ ସୁରକ୍ଷା ନିର୍ମାଣ କରିବା ଲାଗି ଆମର ପ୍ରୟାସକୁ ତ୍ୱରାନ୍ୱିତ କରିପାରିବୁ। ସାରା ବିଶ୍ୱକୁ ଟିକା ଯୋଗାଣ, ବର୍ତ୍ତମାନ ଜୀବନ ରକ୍ଷା ଏବଂ ଉନ୍ନତ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣରେ ସହାୟତା ପାଇଁ ସହଭାଗୀ ବିଶ୍ୱ ଲକ୍ଷ୍ୟ ଅନୁରୂପ ସମନ୍ୱିତ ପଦକ୍ଷେପ ଗ୍ରହଣ କରିବା ଲାଗି ଆମେ ପ୍ରତିବଦ୍ଧ। ଏଥିପାଇଁ ଆମେ ବିଶ୍ୱ ସ୍ୱାସ୍ଥ୍ୟ ସୁରକ୍ଷା ପାଣ୍ଠି ଯୋଗାଣ ଏବଂ ରାଜନୈତିକ ନେତୃତ୍ୱକୁ ସୁଦୃଢ଼ କରିବୁ। 2022ରେ ଆମ ରାଷ୍ଟ୍ରଗୁଡ଼ିକ ଏକ ମିଳିତ ମହାମାରୀ ପ୍ରସ୍ତୁତି ଟେବୁଲଟପ କିମ୍ବା ଅଭ୍ୟାସ ଆୟୋଜନ କରିବେ।

ଜରୁରିକାଳୀନ ଭିତ୍ତିରେ ଜଳବାୟୁ ସଂକଟର ସମାଧାନ କରିବା ଉଚିତ୍, ଏହାର ମୁକାବିଲା ପାଇଁ ଆମେ ହାତ ମିଳାଇଛୁ। ପ୍ୟାରିସ୍ ସହମତି ଅନୁଯାୟୀ, ତାପମାତ୍ରା ସୀମାକୁ ବଜାୟ ରଖିବା ପାଇଁ କ୍ଵାଡ ଦେଶଗୁଡ଼ିକ ମିଳିତ ଭାବରେ କାର୍ଯ୍ୟ କରିବେ ଏବଂ ଏହାକୁ ପ୍ରାକ୍-ଶିଳ୍ପ ସ୍ତରରୁ ୧.୫ ଡିଗ୍ରୀ ସେଲସିୟସ ମଧ୍ୟରେ ସୀମିତ ରଖିବା ପାଇଁ ଉଦ୍ୟମ କରିବେ। ଏଥିପାଇଁ, ସିଓପି ୨୬ ଦ୍ୱାରା ମହତ୍ୱାକାଂକ୍ଷୀ ଏନଡିସିରେ ସଂଶୋଧନ ଆଣିବା କିମ୍ବା ଏହାକୁ ପ୍ରସାରିତ କରିବା ଲାଗି କ୍ଵାଡ ଦେଶଗୁଡ଼ିକ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ଏପରି କରିଥିବା ଦେଶଗୁଡ଼ିକୁ ସ୍ୱାଗତ କରିଛନ୍ତି। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ପ୍ରମୁଖ ଅଂଶୀଦାରମାନଙ୍କ ନିକଟରେ ପହଞ୍ଚିବା ସମେତ ବିଶ୍ୱ ମହତ୍ୱାକାଂକ୍ଷା ବଢ଼ାଇବା ଲାଗି ସେମାନଙ୍କ କୂଟନୈତିକ ସ୍ତରରେ ସମନ୍ୱୟ ସ୍ଥାପନ ଲାଗି କ୍ଵାଡ୍ ଦେଶଗୁଡ଼ିକ ପଦକ୍ଷେପ ଗ୍ରହଣ କରିବେ। ତିନୋଟି ବିଷୟବସ୍ତୁ କ୍ଷେତ୍ରରେ ଆମର କାର୍ଯ୍ୟ ସଂଗଠିତ ହୋଇଛି : ଜଳବାୟୁ ପରିବର୍ତ୍ତନ, ସ୍ୱଚ୍ଛ-ଇନ୍ଧନ ଉଦ୍ଭାବନ ଓ ନିୟୋଜନ ଏବଂ ଜଳବାୟୁ ଅନୁକୂଳନ, ସ୍ଥାୟିତ୍ୱ ଓ ପ୍ରସ୍ତୁତି। ୨୦୨୦ରେ ପରିବର୍ଦ୍ଧିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରତି ଆଗ୍ରହ, ୨୦୫୦ ସୁଦ୍ଧା ବିଶ୍ୱସ୍ତରରେ ନିଟ-ଶୂନ୍ୟ ନିର୍ଗମନ ଲକ୍ଷ୍ୟ ହାସଲ ଦିଗରେ ଯୋଗଦାନ ଏବଂ ଜାତୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ। ଆମେ ଜାତୀୟସ୍ତର ପାଇଁ ଉପଯୁକ୍ତ କ୍ଷେତ୍ରୀୟ ଡିକାର୍ବୋନାଇଜେସନ ପଦକ୍ଷେପ ଗ୍ରହଣ କରୁଛୁ। ଏଥିରେ ଜାହାଜ ଚଳାଚଳ ଏବଂ ବନ୍ଦର ପରିଚାଳନାକୁ ଡିକାର୍ବୋନାଇଜ୍ କରିବାର ଲକ୍ଷ୍ୟ ଏବଂ ସ୍ୱଚ୍ଛ-ହାଇଡ୍ରୋଜେନ ପ୍ରଯୁକ୍ତିର ନିୟୋଜନ ଆଦି ସାମିଲ ରହିଛି। ଆମେ ଉତ୍ତରଦାୟୀ ଏବଂ ଦୀର୍ଘସ୍ଥାୟୀ ସ୍ୱଚ୍ଛ-ଇନ୍ଧନ ଯୋଗାଣ ଶୃଙ୍ଖଳ ପ୍ରତିଷ୍ଠା କରିବା କ୍ଷେତ୍ରରେ ସହଯୋଗ କରିବୁ। ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ଏବଂ ଜଳବାୟୁ ସୂଚନା ବ୍ୟବସ୍ଥା ପାଇଁ ମିଳିତ ମେଣ୍ଟକୁ ସୁଦୃଢ଼ କରିବୁ। ସିଓପି ୨୬ ଏବଂ ଜି ୨୦ର ସଫଳ ପରିଣାମ ପାଇଁ କ୍ଵାଡ ଦେଶଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବେ। ଏହା ବର୍ତ୍ତମାନ ପରିସ୍ଥିତିରେ ଆବଶ୍ୟକ ଜଳବାୟୁ ମହତ୍ୱାକାଂକ୍ଷା ଏବଂ ନବୋନ୍ମେଷର ସ୍ତରକୁ ସୁଦୃଢ଼ କରିବ। ଆମେ ଜରୁରି ଏବଂ ଉଦୀୟମାନ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗ ସ୍ଥାପନ କରିଛୁ। ଏହି ପ୍ରଯୁକ୍ତି ଯେପରି ଆମର ସହଭାଗୀ ମୂଲ୍ୟବୋଧ ଏବଂ ସାର୍ବଜନୀନ ମାନବାଧିକାର ପାଇଁ ସମ୍ମାନ ଆଧାରରେ ପ୍ରସ୍ତୁତି, ବିକଶିତ, ପରିଚାଳିତ ଏବଂ ବ୍ୟବହୃତ ହେବ ତାହା ସୁନିଶ୍ଚିତ କରିବା ଆମର ଲକ୍ଷ୍ୟ। ଉଦ୍ୟୋଗ ସହିତ ସହଭାଗିତା ସ୍ଥାପନ କରି, ଆମେ ନିରାପଦ, ମୁକ୍ତ ଏବଂ ପାରଦର୍ଶୀ ଫାଇଭ୍ ଜି ଏବଂ ଫାଇଭ୍ ଜି ନେଟୱର୍କ ଠାରୁ ଅତ୍ୟାଧୁନିକ ପ୍ରଯୁକ୍ତି ନିୟୋଜନ ଦିଗରେ ଆମେ ଅଗ୍ରସର ହେଉଛୁ। ନବୋନ୍ମେଷ ବୃଦ୍ଧି କରିବା ଏବଂ ଓପନ-ଆରଏଏନ ଭଳି ଭରସାଯୋଗ୍ୟ ଭେଣ୍ଡର ଓ ଆଭିମୁଖ୍ୟ ର ପ୍ରୋତ୍ସାହନ ଲାଗି ଆମେ ବିଭିନ୍ନ ସ୍ତରର ସହଯୋଗୀଙ୍କ ସହିତ କାମ କରୁଛୁ। ଫାଇଭ ଜି ବିବିଧକରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସରକାରମାନଙ୍କ ଭୂମିକାକୁ ସ୍ୱୀକାର କରି, ସରକାରୀ-ଘରୋଇ ସହଯୋଗକୁ ସୁବିଧା ଯୋଗାଇବା ପାଇଁ ମିଳିତ ଭାବେ ଆମେ କାର୍ଯ୍ୟ କରିବୁ ଏବଂ ୨୦୨୨ରେ ମୁକ୍ତ, ମାନକ ଆଧାରିତ ପ୍ରଯୁକ୍ତିର ବ୍ୟାପକତା ଏବଂ ସାଇବର ସୁରକ୍ଷାକୁ ପ୍ରଦର୍ଶିତ କରିବୁ। ବୈଷୟିକ ମାନକ ବିକାଶ କ୍ଷେତ୍ରରେ, ଆମେ ଏକ ମୁକ୍ତ, ସମାବେଶୀ, ଘରୋଇ କ୍ଷେତ୍ର ପରିଚାଳିତ, ବହୁ-ଅଂଶୀଦାର ବିଶିଷ୍ଟ ଏବଂ ସହମତି ଆଧାରିତ ଆଭିମୁଖ୍ୟର ପ୍ରୋତ୍ସାହନ ଲାଗି କ୍ଷେତ୍ର-ନିର୍ଦ୍ଧାରିତ ଯୋଗାଯୋଗ ଗୋଷ୍ଠୀ ମାନ ପ୍ରତିଷ୍ଠା କରିବୁ। ଅନ୍ତର୍ଜାତୀୟ ଦୂରସଞ୍ଚାର ସଂଘ ଭଳି ବହୁପକ୍ଷୀୟ ମାନକ ସଂଗଠନରେ ଆମେ ସମନ୍ୱୟ ଏବଂ ସହଯୋଗ ଜାରି ରଖିବୁ। ଆମେ ସେମିକଣ୍ଡକ୍ଟର ସମେତ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତି ଏବଂ ଉପକରଣର ଯୋଗାଣ ଶୃଙ୍ଖଳକୁ ନିରୀକ୍ଷଣ କରୁଛୁ। ପାରଦର୍ଶୀ ଏବଂ ବଜାର-ଅନୁକୂଳ ପଦକ୍ଷେପ ଏବଂ ନୀତି ପ୍ରତି ସରକାରୀ ସମର୍ଥନର ଗୁରୁତ୍ୱକୁ ବିବେଚନା କରି ଆମେ ଦୀର୍ଘସ୍ଥାୟୀ, ବିବିଧ ଏବଂ ନିରାପଦ ଯୋଗାଣ ଶୃଙ୍ଖଳ ପ୍ରତି ଆମର ସକାରାତ୍ମକ ପ୍ରତିବଦ୍ଧତାକୁ ସୁଦୃଢ଼ କରୁଛୁ। ବାୟୋଟେକ୍ନୋଲୋଜି ଠାରୁ ଆରମ୍ଭ କରି ଭବିଷ୍ୟତର ଜରୁରୀ ଏବଂ ଉଦୀୟମାନ ପ୍ରଯୁକ୍ତି ଧାରାକୁ ଆମେ ଅନୁଧ୍ୟାନ କରୁଛୁ ଏବଂ ସହଯୋଗ ପାଇଁ ଏ ସଂକ୍ରାନ୍ତ ସୁଯୋଗ ଚିହ୍ନଟ କରୁଛୁ। ଆଜି ଆମେ ପ୍ରଯୁକ୍ତି ଡିଜାଇନ, ବିକାଶ, ପରିଚାଳନା ଏବଂ ବ୍ୟବହାର ଉପରେ କ୍ଵାଡ୍ ନୀତିର ଉନ୍ମୋଚନ କରୁଛୁ। ଏହା କେବଳ ଗୋଟିଏ କ୍ଷେତ୍ର ନୁହେଁ ବରଂ ସାରା ବିଶ୍ୱକୁ ଉତ୍ତରଦାୟୀ, ମୁକ୍ତ, ଉଚ୍ଚ-ମାନର ନବୋନ୍ମେଷ ଦିଗରେ ମାର୍ଗଦର୍ଶନ କରିବ ବୋଲି ଆମେ ଆଶା କରୁଛୁ।

ଭବିଷ୍ୟତ ଦିଗରେ ପଦକ୍ଷେପ ସ୍ୱରୂପ, ଆମେ ଏସବୁ ଜରୁରି କ୍ଷେତ୍ରରେ କେବଳ ଆମ ସହଯୋଗକୁ ଅଧିକ ନିବିଡ଼ କରିବୁ ନାହିଁ ବରଂ ନୂଆ ନୂଆ କ୍ଷେତ୍ରରେ ମଧ୍ୟ ଏହାକୁ ବିସ୍ତାରିତ କରିବୁ। ଆମ ପ୍ରତ୍ୟେକଙ୍କର କ୍ଷେତ୍ରୀୟ ଭିତ୍ତିଭୂମି ପ୍ରୟାସକୁ ସୁଦୃଢ଼ କରି, ପୃଥକ ଏବଂ ମିଳିତ ଭାବେ, ଆମେ ଏକ ନୂଆ କ୍ଵାଡ୍ ଭିତ୍ତିଭୂମି ଭାଗିଦାରୀର ଶୁଭାରମ୍ଭ କରୁଛୁ। କ୍ଵାଡ୍ ସଂଗଠନରେ, ଆମର ପ୍ରୟାସରେ ସମନ୍ୱୟ ଆଣିବା, କ୍ଷେତ୍ରୀୟ ଭିତ୍ତିଭୂମି ଆବଶ୍ୟକତାକୁ ଅନୁଧ୍ୟାନ କରିବା ଏବଂ ଆଞ୍ଚଳିକ ଆବଶ୍ୟକତା ଓ ସୁଯୋଗ ଉପରେ ସମନ୍ୱୟ ସ୍ଥାପନ ଲାଗି ଆମେ ନିୟମିତ ଭାବେ ବୈଠକ ଆୟୋଜନ କରିବୁ। ବୈଷୟିକ ସହାୟତା ଯୋଗାଇ ଦେବା, ମୂଲ୍ୟବାନ ଉପକରଣ ସହିତ କ୍ଷେତ୍ରୀୟ ସହଯୋଗୀମାନଙ୍କୁ ସଶକ୍ତ କରିବା ଏବଂ ଦୀର୍ଘସ୍ଥାୟୀ ଭିତ୍ତିଭୂମି ବିକାଶକୁ ପ୍ରୋତ୍ସାହନ ଲାଗି ଆମେ ପାରସ୍ପରିକ ସହଯୋଗ ଜାରି ରଖିବୁ। ଆମେ ଜି-୭ ଭିତ୍ତିଭୂମି ପ୍ରୟାସକୁ ସମର୍ଥନ କରିବୁ ଏବଂ ଇୟୁ ସମେତ ସମଭାବାପନ୍ନ ସହଯୋଗୀଙ୍କ ସହିତ ସହଯୋଗ ଜାରି ରଖିବୁ। ଜି-୨୦ ଗୁଣବତ୍ତା ଭିତ୍ତିଭୂମି ନିବେଶ ନୀତିକୁ ଆମେ ପୁନଃସୁନିଶ୍ଚିତ କରୁଛୁ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଉଚ୍ଚ-ମାନର ଭିତ୍ତିଭୂମି ଯୋଗାଇ ଦେବା ଲାଗି ଆମର ପ୍ରୟାସକୁ ଆହୁରି ତ୍ୱରାନ୍ୱିତ କରିବୁ। ବ୍ଲୁ ଡଟ୍ ନେଟୱର୍କ ସହିତ ଆମର ସମ୍ପର୍କକୁ ଆମେ ଜାରି ରଖିବା ନିମନ୍ତେ ଆମର ଆଗ୍ରହକୁ ଆମେ ପୁଣିଥରେ ସୁନିଶ୍ଚିତ କରୁଛୁ। ମୁକ୍ତ, ସ୍ୱଚ୍ଛ ଏବଂ ପାରଦର୍ଶୀ ଋଣ ପ୍ରଦାନ ବ୍ୟବସ୍ଥାକୁ ସମର୍ଥନର କରିବାର ଆବଶ୍ୟକତା ଉପରେ ଆମେ ଗୁରୁତ୍ୱାରୋପ କରୁଛୁ। ଏହା ବୃହତ ଋଣପ୍ରଦାନକାରୀ ରାଷ୍ଟ୍ରଗୁଡ଼ିକ ପାଇଁ ଅନ୍ତର୍ଜାତୀୟ ନିୟମ ଏବଂ ମାନକ ଆଧାରିତ ହେବା ଉଚିତ୍। ଏଥିରେ ଋଣ ସ୍ଥାୟିତ୍ୱ ଏବଂ ଉତ୍ତରଦାୟିତ୍ୱ ସାମିଲ ରହିବା ଆବଶ୍ୟକ। ଏ ସମସ୍ତ ନିୟମବଳୀ ଏବଂ ମାନକଗୁଡ଼ିକୁ ପାଳନ କରିବା ଲାଗି ଆମେ ସମସ୍ତ ଋଣଦାତାମାନଙ୍କୁ ଆହ୍ୱାନ କରୁଛୁ।

ଆଜି, ସାଇବର କ୍ଷେତ୍ରରେ ଆମେ ନୂତନ ସହଯୋଗ ଆରମ୍ଭ କରିଛୁ ଏବଂ ସାଇବର ବିପଦ ମୁକାବିଲା, ଦୀର୍ଘସ୍ଥାୟିତ୍ୱକୁ ପ୍ରୋତ୍ସାହନ ଏବଂ ଆମର ଜରୁରି ଭିତ୍ତିଭୂମିକୁ ସୁରକ୍ଷିତ ରଖିବା ଲାଗି ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଆମେ ସଂକଳ୍ପ ନେଉଛୁ। ମହାକାଶ କ୍ଷେତ୍ରରେ ଆମେ ନୂତନ ସହଯୋଗ ଅବସର ଚିହ୍ନଟ କରିବୁ ଏବଂ ଜଳବାୟୁ ପରିବର୍ତ୍ତନର ନିରୀକ୍ଷଣ, ବିପର୍ଯ୍ୟୟ ପ୍ରଶମନ ଓ ପ୍ରସ୍ତୁତି, ମହାସାଗର ଓ ସାମୁଦ୍ରିକ ସମ୍ବଳର ନିରନ୍ତର ଉପଯୋଗ ଏବଂ ସହଭାଗୀ କ୍ଷେତ୍ରରେ ଆହ୍ୱାନର ମୁକାବିଲା ଭଳି ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟ ପାଇଁ ପରସ୍ପର ସହ ଉପଗ୍ରହ ତଥ୍ୟ ଆଦାନପ୍ରଦାନ କରିବୁ। ବାହ୍ୟ ମହାକାଶର ଦୀର୍ଘସ୍ଥାୟୀ ଉପଯୋଗ ସୁନିଶ୍ଚିତ କରିବା ପାଇଁ ଆମେ ନିୟମାବଳୀ, ସର୍ତ୍ତାବଳୀ, ମାର୍ଗଦର୍ଶିକା ଏବଂ ନୀତି ଉପରେ ବିଚାରବିମର୍ଶ କରିବୁ।

ଆମେ କ୍ଵାଡ୍ ଫେଲୋଶିପର ଉଦଘାଟନ କରିଛୁ। ଏଥିସହିତ ଶିକ୍ଷା ଏବଂ ନାଗରିକ ସହଯୋଗ କ୍ଷେତ୍ରରେ ନୂତନ ଅଧ୍ୟାୟ ଆରମ୍ଭ କରି ଆମେ ଗର୍ବିତ। ଶ୍ମିଟ୍ ଫ୍ୟୁଚର୍ସ ଦ୍ୱାରା ପରିଚାଳିତ ଏକ ପରୋପକାରୀ ପ୍ରୟାସ ଏବଂ ଆକ୍ସେଞ୍ଚର, ବ୍ଲାକଷ୍ଟୋନ, ବୋଇଂ, ଗୁଗଲ, ମାଷ୍ଟରକାର୍ଡ ଏବଂ ୱେଷ୍ଟର୍ଣ୍ଣ ଡିଜିଟାଲର ଉଦାର ସମର୍ଥନ ସହିତ ଏହି ପାଇଲଟ ଫେଲୋଶିପ କାର୍ଯ୍ୟକ୍ରମ ଆମ ଚାରି ଦେଶରେ ଅଗ୍ରଣୀ, ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଏବଂ ଗଣିତ ସ୍ନାତକ ଛାତ୍ରଛାତ୍ରୀଙ୍କୁ ୧୦୦ଟି ସ୍ନାତକ ଫେଲୋଶିପ ପ୍ରଦାନ କରିବ। କ୍ଵାଡ୍ ଫେଲୋଶିପ ଜରିଆରେ, ଆମ ସହଭାଗୀ ଭବିଷ୍ୟତ ଗଠନ ପାଇଁ ନବୋନ୍ମେଷ ନିମନ୍ତେ ଆମ ଏସଟିଇଏମ ପ୍ରତିଭାର ପରବର୍ତ୍ତୀ ପିଢ଼ି କ୍ଵାଡ ଏବଂ ଅନ୍ୟ ସମଭାବାପନ୍ନ ସହଯୋଗୀଙ୍କ ନେତୃତ୍ୱ ନେବା ଲାଗି ପ୍ରସ୍ତୁତ ହୋଇପାରିବେ। 

ଦକ୍ଷିଣ ଏସିଆରେ, ଆଫଗାନିସ୍ତାନ ପ୍ରତି ଆମର କୂଟନୈତିକ, ଅର୍ଥନୈତିକ ଏବଂ ମାନବିକ ଅଧିକାର ନୀତିକୁ ଆମେ ଅତି ନିକଟରୁ ସମନ୍ୱିତ କରିବୁ ଏବଂ ୟୁଏନଏସସିଆର ୨୫୯୩ ଅନୁଯାୟୀ, ଆଗାମୀ ମାସ ଗୁଡ଼ିକରେ ଆତଙ୍କବାଦ ନିରୋଧୀ ତଥା ମାନବିକ ସହଯୋଗକୁ ଆହୁରି ଗଭୀର କରିବୁ। ଆମେ ଏହା ପୁଣି ଥରେ ଦୋହରାଉଛୁ ଯେ, ଆଫଗାନିସ୍ତାନର ଭୂଖଣ୍ଡ କୌଣସି ରାଷ୍ଟ୍ରକୁ ଭୟଭୀତ କିମ୍ବା ଆକ୍ରମଣ କରିବା ଅଥବା ଆତଙ୍କବାଦୀଙ୍କୁ ଆଶ୍ରୟ କିମ୍ବା ପ୍ରଶିକ୍ଷଣ ଦେବା, ଅଥବା ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଣ କିମ୍ବା ଯୋଜନା ପ୍ରସ୍ତୁତ କରିବା ଲାଗି ବ୍ୟବହାର ହେବା ଅନୁଚିତ୍। ଏହାସହିତ ଆମେ ଆଫଗାନିସ୍ତାନରେ ଆତଙ୍କବାଦର ମୁକାବିଲା କରିବାର ଗୁରୁତ୍ୱକୁ ଦୋହରାଉଛୁ। ଆମେ ଆତଙ୍କବାଦୀଙ୍କ ପ୍ରତିନିଧିତ୍ୱ ବ୍ୟବହାରକୁ ନିନ୍ଦା କରୁଛୁ ଏବଂ ଆତଙ୍କବାଦୀ ଗୋଷ୍ଠୀକୁ ସୀମାପାର ଆକ୍ରମଣ ସମେତ ଆତଙ୍କବାଦୀ ଆକ୍ରମଣର ଆରମ୍ଭ କିମ୍ବା ଯୋଜନା କରିବାରେ ବ୍ୟବହୃତ ହୋଇପାରିବା ଭଳି କୌଣସି ସାମଗ୍ରୀ ସହାୟତା, ଆର୍ଥିକ କିମ୍ବା ସାମରିକ ସହାୟତାକୁ ଅସ୍ୱୀକାର କରିବା ଉପରେ ଗୁରୁତ୍ୱାରୋପ କରୁଛୁ । ଆଫଗାନିସ୍ତାନ ନାଗରିକମାନଙ୍କ ପ୍ରତି ଆମେ ମିଳିତ ଭାବେ ଆମର ସମର୍ଥନ ବ୍ୟକ୍ତ କରୁଛୁ। ଆଫଗାନିସ୍ତାନ ଛାଡ଼ିବାକୁ ଚାହୁଁଥିବା ଯେକୌଣସି ବ୍ୟକ୍ତିଙ୍କୁ ନିରାପଦ ଭାବେ ଦେଶ ଛାଡ଼ିବା ନିମନ୍ତେ ସୁଯୋଗ ଦେବା ଏବଂ ମହିଳା, ଶିଶୁ ଓ ସଂଖ୍ୟାଲଘୁଙ୍କ ସମେତ ସମସ୍ତ ଆଫଗାନବାସୀ ମାନଙ୍କ ମାନବୀୟ ଅଧିକାରକୁ ସମ୍ମାନ ଦେବା ଲାଗି ତାଲିବାନକୁ ଆହ୍ୱାନ କରୁଛୁ।

ଆମେ ଏହା ମଧ୍ୟ ବିବେଚନା କରୁ ଯେ, ଆମର ସହଭାଗୀ ଭବିଷ୍ୟତ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଲିଖିତ ହେବ । ଆମେ କ୍ଵାଡକୁ କ୍ଷେତ୍ରୀୟ ଶାନ୍ତି, ସ୍ଥିରତା, ନିରାପତ୍ତା ଏବଂ ସମୃଦ୍ଧିର ଏକ ଶକ୍ତିରେ ପରିଣତ କରିବା ଲାଗି ନିଶ୍ଚିତ ଭାବେ ଦ୍ୱିଗୁଣିତ ପ୍ରୟାସ କରିବୁ। ଏଥିପାଇଁ, ପୂର୍ବ ଏବଂ ଦକ୍ଷିଣ ଚୀନ ସାଗର ସମେତ ସାମୁଦ୍ରିକ ନିୟମାବଳୀ-ଆଧାରିତ ବ୍ୟବସ୍ଥା ପ୍ରତି ସୃଷ୍ଟି ହେଉଥିବା ଆହ୍ୱାନର ମୁକାବିଲା ଲାଗି, ‘ସମୁଦ୍ରର ନିୟମ ଉପରେ ମିଳିତ ଜାତିସଂଘର ସମ୍ମିଳନୀ (ୟୁଏନସିଏଲଓଏସ)ରେ ବିଶେଷ କରି ପ୍ରତିଫଳିତ ହୋଇଥିବା ଅନ୍ତର୍ଜାତୀୟ ଆଇନର ସୂଚାରୁ ରୂପେ ଅନୁପାଳନ ଆମେ ଜାରି ରଖିବୁ। ବିଶେଷ କରି ପ୍ରଶାନ୍ତ ମହାସାଗରରେ ରହିଥିବା କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ରଗୁଡ଼ିକର ଆର୍ଥିକ ଏବଂ ପରିବେଶଗତ ସ୍ଥାୟିତ୍ୱ ବଜାୟ ରଖିବା ଲାଗି ଆମେ ଆମର ସମର୍ଥନକୁ ଦୋହରାଉଛୁ। କୋଭିଡ-୧୯ ଜନିତ ସ୍ୱାସ୍ଥ୍ୟ ଓ ଆର୍ଥିକ ପ୍ରଭାବର ମୁକାବିଲା ଏବଂ ଉଚ୍ଚମାନର, ଦୀର୍ଘସ୍ଥାୟୀ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଆମେ ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ରଗୁଡ଼ିକୁ ଆମର ସହାୟତା ଜାରି ରଖିବୁ। ଏଥିସହିତ ପ୍ରଶାନ୍ତ ମହାସାଗର କ୍ଷେତ୍ର ପାଇଁ ଗମ୍ଭୀର ସମସ୍ୟା ସୃଷ୍ଟି କରିଥିବା ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସ ଓ ପ୍ରଶମନ ନିମନ୍ତେ ସହଭାଗୀ ପ୍ରୟାସ କରିବୁ । ମିଳିତ ଜାତିସଂଘ ସୁରକ୍ଷା ପରିଷଦ ସଂକଳ୍ପ ଅନୁରୂପ ଉତ୍ତର କୋରିଆର ସମ୍ପୂର୍ଣ୍ଣ ପରମାଣୁ ନିରସ୍ତ୍ରୀକରଣ ପ୍ରତି ଆମେ ଆମର ପ୍ରତିବଦ୍ଧତା ପୁଣିଥରେ ଦୋହରାଉଛୁ ଏବଂ ଜାପାନୀ ଅପହୃତମାନଙ୍କ ପ୍ରସଙ୍ଗର ତୁରନ୍ତ ସମାଧାନର ଆବଶ୍ୟକତା ରହିଥିବା ଆମେ ଦାବି କରୁଛୁ। ମିଳିତ ଜାତିସଂଘ ପ୍ରତି ରହିଥିବା ଉତ୍ତରଦାୟିତ୍ୱ ପାଳନ କରିବା ଏବଂ ଉତ୍ତେଜନା ସୃଷ୍ଟି ଠାରୁ ଦୂରେଇ ରହିବା ଲାଗି ଆମେ ଉତ୍ତର କୋରିଆକୁ ନିବେଦନ କରୁଛୁ। ପ୍ରାସଙ୍ଗିକ ଆଲୋଚନା ପାଇଁ ଆମେ ଉତ୍ତର କୋରିଆକୁ ଆହ୍ୱାନ କରୁଛୁ। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଗଣତାନ୍ତ୍ରିକ ସ୍ଥାୟିତ୍ୱ ପ୍ରତିଷ୍ଠା କରିବା ଲାଗି ଆମେ ପ୍ରତିବଦ୍ଧ। ମ୍ୟାଁମାରରେ ହିଂସା ସମାପ୍ତ କରିବା, ବିଦେଶୀଙ୍କ ସମେତ ସମସ୍ତ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରିବା, ଫଳପ୍ରଦ ଆଲୋଚନା ଆରମ୍ଭ କରିବା ଏବଂ ଯଥାଶୀଘ୍ର ଗଣତନ୍ତ୍ରର ପୁନଃପ୍ରତିଷ୍ଠା କରିବା ଲାଗି ଆମେ ବାରମ୍ବାର ଆହ୍ୱାନ କରୁଛୁ। ଆସିଆନ ପଞ୍ଚସୂତ୍ରୀ ଅନୁଯାୟୀ ସହମତ ନିୟମ ଜରୁରିକାଳୀନ ଭିତ୍ତିରେ କାର୍ଯ୍ୟକାରୀ କରିବା ଲାଗି ଆମେ ପୁଣିଥରେ ଆହ୍ୱାନ କରୁଛୁ। ମିଳିତ ଜାତିସଂଘ ସମେତ ବହୁପକ୍ଷୀୟ ମଞ୍ଚରେ ଆମର ସହଯୋଗକୁ ଆମେ ନିବିଡ଼ କରିବୁ, ଯେଉଁଠି ଆମର ସହଭାଗୀ ପ୍ରାଥମିକତା ବହୁପକ୍ଷୀୟ ବ୍ୟବସ୍ଥାର ଦୀର୍ଘସ୍ଥାୟୀତ୍ୱ ବୃଦ୍ଧି କରିବ। ବ୍ୟକ୍ତିଗତ ଏବଂ ମିଳିତ ଭାବେ, ଆମେ ଆମ ସମୟର ଆହ୍ୱାନକୁ ମୁକାବିଲା କରିବୁ, ଏହା ସୁନିଶ୍ଚିତ କରିବୁ ଯେ କ୍ଷେତ୍ର ଯେପରି ଭାବେ ସମାବେଶୀ, ମୁକ୍ତ ଏବଂ ସାର୍ବଜନୀନ ନିୟମାବଳୀ ଏବଂ ସର୍ତ୍ତାବଳୀ ଦ୍ୱାରା ପରିଚାଳିତ ହେବ। 

ଆମେ ସହଯୋଗର ଧାରା ଜାରି ରଖିବୁ; ଆମର ନେତା ଏବଂ ବିଦେଶ ମନ୍ତ୍ରୀମାନେ ବାର୍ଷିକ ଆଧାରରେ ପରସ୍ପରକୁ ଭେଟିବେ ଏବଂ ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ନିୟମିତ ବୈଠକ ଜାରି ରହିବ। ଏକ ସୁଦୃଢ଼ କ୍ଷେତ୍ର ନିର୍ମାଣ ପାଇଁ ଆବଶ୍ୟକ ସହଯୋଗ ହାସଲ କରିବା ନିମନ୍ତେ ଆମର କାର୍ଯ୍ୟକାରୀ ଗୋଷ୍ଠୀଗୁଡ଼ିକ ନିରନ୍ତର ଭାବେ କାର୍ଯ୍ୟ ଜାରି ରଖିବେ। 

ଆମ ସମସ୍ତଙ୍କ ପାଇଁ ଏକ ପରୀକ୍ଷା ସମୟରେ, ଏକ ମୁକ୍ତ ଏବଂ ଖୋଲା ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ସାକାର ରୂପ ଦେବା ଲାଗି ଆମେ ଦୃଢ଼ ସଂକଳ୍ପବଦ୍ଧ। ଏହି ସହଭାଗିତା ପାଇଁ ଆମର ସଂକଳ୍ପ ମହତ୍ୱାକାଂକ୍ଷୀ ଏବଂ ସୁଦୂରପ୍ରସାରୀ। ନିରନ୍ତର ସହଯୋଗର ସଂକଳ୍ପ ସହିତ ଆମେ ଏହି ମୁହୂର୍ତ୍ତରେ ଏକତ୍ରିତ ହୋଇଛୁ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

Media Coverage

"AI Summit Turning Point For How World Will Use AI": PM Modi In Mann Ki Baat
NM on the go

Nm on the go

Always be the first to hear from the PM. Get the App Now!
...
PM Modi lauds milestone of 30 lakh households adopting rooftop solar under PM Surya Ghar scheme
February 23, 2026

The Prime Minister, Shri Narendra Modi today hailed the achievement of empowering 30 lakh households across the nation with rooftop solar power, describing it as a commendable milestone in India’s clean energy journey.

The Prime Minister complimented all beneficiaries who have embraced rooftop solar, noting that the initiative is boosting savings, sustainability and self-reliance among citizens.

Shri Modi further emphasised that the scheme forms an integral part of the Government’s efforts to build an energy-secure, green and future-ready India.

Responding to a post by Union Minister, Shri Pralhad Joshi, the Prime Minister posted;

“A commendable milestone in India’s clean energy journey!

Compliments to all those who have benefitted from this scheme and embraced rooftop solar power thereby boosting savings, sustainability and self-reliance.

This scheme is a part of our efforts to build an energy-secure, green and future-ready India.

#30LakhsPMSuryaGhar”