1.ଡେନମାର୍କ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ମହାମହିମ ମିସ ମେଟ୍ଟ ଫ୍ରେଡରିକସନ ଏବଂ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତ ଏବଂ ଡେନମାର୍କ ମଧ୍ୟରେ 28 ସେପ୍ଟେମ୍ବର 2020ରେ ଆୟୋଜିତ ଏକ ଭର୍ଚ୍ଚୁଆଲ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିଛନ୍ତି।

2.ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରଧାନମନ୍ତ୍ରୀ ଫ୍ରେଡରିକସନ ଏକ ସୌହର୍ଦ୍ଦ୍ୟପୂର୍ଣ୍ଣ ଏବଂ ବନ୍ଧୁତାପୂର୍ଣ୍ଣ ବାତାବରଣ ମଧ୍ୟରେ ପରସ୍ପର ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ସେମାନଙ୍କ ଆଲୋଚନାରେ ଦ୍ୱିପାକ୍ଷିକ ସମ୍ପର୍କ, କୋଭିଡ-19 ମହାମାରୀ ଏବଂ ଜଳବାୟୁ ପରିବର୍ତ୍ତନ ଓ ସବୁଜ ପରିବର୍ତ୍ତନ ଭଳି ଉଭୟ ପକ୍ଷର ସ୍ୱାର୍ଥ ଜଡ଼ିତ ବିଭିନ୍ନ ବିଶ୍ୱସ୍ତରୀୟ ସମ୍ପର୍କ ସ୍ଥାନ ପାଇଥିଲା। ଆଲୋଚନା ପରେ ସ୍ଥାୟୀ ଅର୍ଥବ୍ୟବସ୍ଥା ଓ ସମାଜକୁ ଆଗେଇ ନେବା ପାଇଁ ଉଭୟ ପକ୍ଷ ଏକ ସାଧାରଣ ବୁଝାମଣାରେ ଉପନୀତ ହୋଇଥିଲେ।
3.ଐତିହାସିକ ସମ୍ପର୍କ, ସାଧାରଣ ଗଣତାନ୍ତ୍ରିକ ପରମ୍ପରା ଉପରେ ଆଧାରିତ ଦ୍ୱିପାକ୍ଷିକ ସମ୍ପର୍କ ଲଗାତାର ଭାବେ ବିକଶିତ ହେବା ନେଇ ସେମାନେ ସନ୍ତୋଷ ପ୍ରକାଶ କରିଥିଲେ ଏବଂ କ୍ଷେତ୍ରୀୟ ଓ ଅନ୍ତର୍ଜାତୀୟ ଶାନ୍ତି ଓ ସ୍ଥିରତା ନିମନ୍ତେ ଆଗ୍ରହ ବ୍ୟକ୍ତ କରିଥିଲେ।
4.ବିଶ୍ୱସ୍ତ ସହଯୋଗୀ ହେବା ଲାଗି ଆଗ୍ରହ ପ୍ରକାଶ କରି ଦୁଇ ପ୍ରଧାନମନ୍ତ୍ରୀ ଭାରତ-ଡେନମାର୍କ ସମ୍ପର୍କକୁ ସବୁଜ ରଣନୈତିକ ସହଭାଗିତା ଆଡ଼କୁ ଉନ୍ନୀତ କରିବା ନିମନ୍ତେ ରାଜି ହୋଇଥିଲେ। ଏହି ଭାଗିଦାରୀ ଭାରତ ଓ ଡେନମାର୍କ ମଧ୍ୟରେ ଏକ ଯୁଗ୍ମ ଆୟୋଗ (2009 ଫେବୃଆରୀ 6ରେ ସ୍ୱାକ୍ଷରିତ) ପ୍ରତିଷ୍ଠା କରିବା ଲାଗି ରାଜିନାମା କରିବ ଏବଂ ଏହାକୁ ସୁଦୃଢ଼ କରିବ ଯାହାକି ରାଜନୈତିକ, ଆର୍ଥିକ ଓ ବାଣିଜ୍ୟିକ, ବିଜ୍ଞାନ ଓ ପ୍ରଯୁକ୍ତି, ପରିବେଶ, ଶକ୍ତି, ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ସହଯୋଗ ପାଇଁ ଉଦ୍ଦିଷ୍ଟ। ଏତଦବ୍ୟତୀତ ଏହା ଅକ୍ଷୟ ଶକ୍ତି, ସହରାଞ୍ଚଳ ବିକାଶ, ପରିବେଶ, କୃଷି ଓ ପଶୁପାଳନ, ଖାଦ୍ୟ ପ୍ରକ୍ରିୟାକରଣ, ବିଜ୍ଞାନ, ପ୍ରଯୁକ୍ତି ଓ ନବୋନ୍ମେଷ, ଜାହାଜ ଚଳାଚଳ, ଶ୍ରମ ପରିବହନ ଓ ଡିଜିଟାଲକରଣ କ୍ଷେତ୍ରରେ ବର୍ତ୍ତମାନର ଯୁଗ୍ମ କାର୍ଯ୍ୟ ଗୋଷ୍ଠୀ ଉପରେ ଏହା ନିର୍ମିତ ଏବଂ ନିର୍ଭରଶୀଳ।
5.ରାଜନୈତିକ ସହଯୋଗକୁ ଆଗେଇ ନେବା, ଆର୍ଥିକ ସମ୍ପର୍କ ଓ ସବୁଜ ଅଭିବୃଦ୍ଧିକୁ ସମ୍ପ୍ରସାରିତ କରିବା, ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ବୈଶ୍ୱିକ ଆହ୍ୱାନ ଓ ସମ୍ଭାବନାର ମୁକାବିଲା କରିବା କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା; ପ୍ୟାରିସ ଚୁକ୍ତିର ସଫଳ କାର୍ଯ୍ୟକାରିତା ଓ ମିଳିତ ଜାତିସଂଘ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଦିଗରେ ସବୁଜ ରଣନୈତିକ ଭାଗିଦାରୀ ହେଉଛି ଏକ ଆପୋସ ଲାଭର ବ୍ୟବସ୍ଥା।
6.ଦୁଇ ପ୍ରଧାନମନ୍ତ୍ରୀ ସବୁଜ ରଣନୈତିକ ଭାଗିଦାରୀ ପ୍ରତିଷ୍ଠା କରିବାର ଗୁରୁତ୍ୱକୁ ସ୍ୱୀକାର କରିଥିଲେ, ଯାହା ଅଧୀନରେ ଭାରତ ଓ ଡେନମାର୍କ ସମ୍ପୃକ୍ତ ମନ୍ତ୍ରଣାଳୟ, ସଂସ୍ଥା ଓ ଅଂଶୀଦାରମାନଙ୍କ ଜରିଆରେ ସହଯୋଗ ଜାରି ରଖିବେ।
 
ଶକ୍ତି ଓ ଜଳବାୟୁ ପରିବର୍ତ୍ତନ
 
7. ବୈଶ୍ୱିକ ଆହ୍ୱାନ ମୁକାବିଲା କରିବା ଏବଂ ସବୁଜ ଶକ୍ତି ପରିବର୍ତ୍ତନ ଓ ଜଳବାୟୁ ପରିବର୍ତ୍ତନର ସମାଧାନ କ୍ଷେତ୍ରରେ ନିବିଡ଼ ସହଯୋଗ ପାଇଁ ଦୁଇ ପ୍ରଧାନମନ୍ତ୍ରୀ ସହମତ ହୋଇଛନ୍ତି। ତଟବର୍ତ୍ତୀ ପବନ ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ରଣନୈତିକ ସହଯୋଗ; ପବନ ଶକ୍ତି, ଶକ୍ତି ମଡେଲିଂ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ସାମର୍ଥ୍ୟ ବିକାଶ, ଜ୍ଞାନ ବିତରଣ ଏବଂ ପ୍ରଯୁକ୍ତି ହସ୍ତାନ୍ତର ଉପରେ ଭାରତ-ଡେନମାର୍କ ଶକ୍ତି ସହଭାଗିତାକୁ ଉଭୟ ଦୋହରାଇଛନ୍ତ। ଏହି କ୍ଷେତ୍ରରେ ଦେଖାଦେଇଥିବା କେତେକ ସାଧାରଣ ବୈଶ୍ୱିକ ଆହ୍ୱାନର ମୁକାବିଲା କରିବା, ବୈଶ୍ୱିକ ଶକ୍ତି ପରିବର୍ତ୍ତନ କ୍ଷେତ୍ରରେ ଅଗ୍ରଗତି, ସବୁଜ ଅଭିବୃଦ୍ଧି ଓ ସ୍ଥାୟୀ ବିକାଶ ନିମନ୍ତେ ଉଭୟ ପକ୍ଷ ରାଜି ହୋଇଛନ୍ତି। ଶକ୍ତି ସହଭାଗିତାକୁ ଆଗାମୀ ବର୍ଷଗୁଡ଼ିକରେ ଆହୁରି ଆଗେଇ ନେବା ନିମନ୍ତେ ଦୁଇ ପକ୍ଷ ସହମତ ହୋଇଛନ୍ତି।
8. ଜଳବାୟୁ ପରିବର୍ତ୍ତନ ବିରୋଧରେ ବୈଶ୍ୱିକ ମୁକାବିଲା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ନିମନ୍ତେ ଭାରତ ଓ ଡେନମାର୍କ ରାଜି ହୋଇଥିଲେ। ଉଭୟ ଦେଶ ଜଳବାୟୁ ଏବଂ ଶକ୍ତି କ୍ଷେତ୍ରରେ ଅତ୍ୟନ୍ତ ଉଚ୍ଚାଭିଳାଷୀ ଜାତୀୟ ଲକ୍ଷ୍ୟ ସ୍ଥାପନ କରିଛନ୍ତି ଯାହାକି ମହତ୍ୱାକାଂକ୍ଷୀ ପ୍ୟାରିସ ଚୁକ୍ତିର କାର୍ଯ୍ୟକାରିତା କ୍ଷେତ୍ରରେ ଯୋଗଦାନ ଦେଇପାରିବ। ଉଭୟ ମିଶି, ଦୁଇ ଦେଶ ସାରା ବିଶ୍ୱକୁ ଦେଖାଇ ଦେବେ ଯେ ମହତ୍ୱାକାଂକ୍ଷୀ ଜଳବାୟୁ ଓ ଦୀର୍ଘସ୍ଥାୟୀ ଶକ୍ତି ଲକ୍ଷ୍ୟ ହାସଲ କରିବା ସମ୍ଭବ।
9. ଜଳବାୟୁ ପରିବର୍ତ୍ତନ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ବିଭିନ୍ନ ସ୍ତରରେ ନିୟମିତ ଆଲୋଚନା ଓ ବାର୍ତ୍ତାଳାପ ଜାରି ରଖିବା ନିମନ୍ତେ ଦୁଇ ଦେଶ ରାଜି ହୋଇଥିଲେ।
ପରିବେଶ/ଜଳ ଓ ଚକ୍ରିୟ ଅର୍ଥବ୍ୟବସ୍ଥା
10. ପରିବେଶ/ଜଳ ଓ ଚକ୍ରିୟ ଅର୍ଥବ୍ୟବସ୍ଥା କ୍ଷେତ୍ରରେ ବର୍ତ୍ତମାନର ସରକାରୀ ସହଯୋଗକୁ ଆହୁରି ସମ୍ପ୍ରସାରିତ ଓ ସୁଦୃଢ଼ କରିବା କ୍ଷେତ୍ରରେ ଦୁଇ ପ୍ରଧାନମନ୍ତ୍ରୀ ରାଜି ହୋଇଛନ୍ତି। ଜଳ ଦକ୍ଷତା ଓ ଅଣ-ରାଜସ୍ୱ ଜଳ (ଜଳ ଅପଚୟ) କ୍ଷେତ୍ରରେ ସହଯୋଗ ପାଇଁ ମଧ୍ୟ ସେମାନେ ରାଜି ହୋଇଛନ୍ତି ଏବଂ ଏହି କ୍ଷେତ୍ରରେ ପ୍ରାରମ୍ଭିକ ପର୍ଯ୍ୟାୟରେ ତିନି ବର୍ଷ ପାଇଁ (2021-23) ପର୍ଯ୍ୟନ୍ତ ଏକ କାର୍ଯ୍ୟ ଯୋଜନା ବିକଶିତ କରିବା ଲାଗି ଭାରତର ଜଳ ଶକ୍ତି ମନ୍ତ୍ରଣାଳୟ ଏବଂ ଡାନିଶ ଏନଭାଇରନମେଣ୍ଟାଲ ପ୍ରୋଟେକ୍ସନ ଏଜେନ୍ସି ଓ ଡାନିଶ ପରିବେଶ ଓ ଖାଦ୍ୟ ମନ୍ତ୍ରଣାଳୟକୁ ଦାୟିତ୍ୱ ଦିଆଯାଇଛି।
11. ଭାରତ-ଡାନିଶ ଜଳ ପ୍ରଯୁକ୍ତି ମେଣ୍ଟ ଜରିଆରେ ଜଳଯୋଗାଣ, ଜଳ ବିତରଣ, ବର୍ଜ୍ୟ ଜଳ ପରିଚାଳନା, ସ୍ୱେରେଜ୍ ସିଷ୍ଟମ, ବର୍ଜ୍ୟଜଳ ବିଶୋଧନ କରି ପୁନଃବ୍ୟବହାର, ଜଳ ପରିଚାଳନା ଏବଂ ଜଳ କ୍ଷେତ୍ରରେ ଶକ୍ତି ଅନୁକୂଳନ ଆଦି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସହଯୋଗ ବଢ଼ାଇବା ଲାଗି ଦୁଇ ପ୍ରଧାନମନ୍ତ୍ରୀ ସେମାନଙ୍କର ମିଳିତ ଇଚ୍ଛା ବ୍ୟକ୍ତ କରିଛନ୍ତି।
ସ୍ମାର୍ଟ ସିଟି ସମେତ ଦୀର୍ଘସ୍ଥାୟୀ ସହରାଞ୍ଚଳ ବିକାଶ
12. ସ୍ଥାୟୀ ସହରାଞ୍ଚଳ ବିକାଶ ଉପରେ 26 ଜୁନ, 2020ରେ ଭାରତ-ଡେନମାର୍କ ଜେଡବ୍ଲୁଜି ଆୟୋଜନ ସମ୍ପର୍କରେ ଉଭୟ ପକ୍ଷ ଉଲ୍ଲେଖ କରିଥିଲେ। ଗୋଆରେ ଥିବା ଅର୍ବାନ ଲଭିଂ ଲ୍ୟାବ ଜରିଆରେ ସ୍ମାର୍ଟ ସିଟିଗୁଡ଼ିକ ସମେତ ଚିରସ୍ଥାୟୀ ସହରାଞ୍ଚଳ ବିକାଶ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ଲାଗି ସେମାନେ ରାଜି ହୋଇଛନ୍ତି।
13. ଉଦୟପୁର ଓ ଆରହସ ଏବଂ ତୁମକୁରୁ ଓ ଆଲବର୍ଗ ମଧ୍ୟରେ ବର୍ତ୍ତମାନ ଜାରି ରହିଥିବା ସହରରୁ ସହର ସହଯୋଗକୁ ସୁଦୃଢ଼ କରିବା ଲାଗି ଉଭୟ ପକ୍ଷ ରାଜି ହୋଇଛନ୍ତି।
14. ସେମାନେ ଉଲ୍ଲେଖ କରିଥିଲେ ଯେ ଡାନିଶ କମ୍ପାନୀଗୁଡ଼ିକ ଭାରତରେ ଭିତ୍ତିଭୂମି ପ୍ରକଳ୍ପର ଡିଜାଇନ କରୁଛନ୍ତି ଏବଂ ସ୍ଥାୟୀ ସହରାଞ୍ଚଳ ବିକାଶର ସମସ୍ତ କ୍ଷେତ୍ରରେ ଡାନିଶ ପକ୍ଷଙ୍କ ଅଧିକ ସମ୍ପୃକ୍ତିକୁ ସ୍ୱାଗତ କରିଛନ୍ତି।
ବ୍ୟବସାୟ, ବାଣିଜ୍ୟ ଓ ଜାହାଜ ଚଳାଚଳ
15. ସବୁଜ ଓ ଜଳବାୟୁ-ଅନୁକୂଳ ପ୍ରଯୁକ୍ତି ଉପରେ ବିଶେଷ ଗୁରୁତ୍ୱାରୋପ କରି ଦୁଇ ଦେଶର ସରକାର, ସଂସ୍ଥାନ ଏବଂ ବ୍ୟବସାୟିକ ସଂସ୍ଥା ମଧ୍ୟରେ ସହଭାଗିତା ବିକଶିତ କରିବାର ବିଚାରକୁ ଦୁଇ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଛନ୍ତି। ସବୁଜ ଶକ୍ତି କ୍ଷେତ୍ରରେ ସରକାରୀ ଏବଂ ଘରୋଇ ନିବେଶକୁ ସମର୍ଥନ ଯୋଗାଇ ଦେବା ସକାଶେ ଏକ ନିୟାମକ ବ୍ୟବସ୍ଥା ସର୍ତ୍ତାବଳୀ ସ୍ଥାପନ କରିବା ଉପରେ ସେମାନେ ଗୁରୁତ୍ୱ ଦେଇଛନ୍ତି।
16. ଉଭୟ ନେତା ସାମୁଦ୍ରିକ ବ୍ୟାପାରରେ ରହିଥିବା ନିବିଡ଼ ସହଯୋଗକୁ ପ୍ରଶଂସା କରିଛନ୍ତି। ଜାହାଜ ନିର୍ମାଣ ଓ ଡିଜାଇନ, ସାମୁଦ୍ରିକ ସେବା ଓ ସବୁଜ ଜାହାଜ ଚଳାଚଳ ସହିତ ବନ୍ଦର ବିକାଶ କ୍ଷେତ୍ରରେ ସହଯୋଗ ବଢ଼ାଇବାର ସମ୍ଭାବନା ବିଷୟରେ ଉଲ୍ଲେଖ କରିଛନ୍ତି।
17. ଦୁଇ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ ସେମାନେ ଏସଏମଇଗୁଡ଼ିକ ପାଇଁ ବ୍ୟବସାୟିକ ପ୍ରତିନିଧିଙ୍କ ବିନିମୟ, ବଜାର ସୁବିଧାକୁ ପ୍ରୋତ୍ସାହିତ କରିବେ ଏବଂ ଇଜ ଅଫ ଡୁଇଂ ବିଜନେସକୁ ପ୍ରୋତ୍ସାହିତ କରିବେ।
18. ଭାରତ ଓ ଡେନମାର୍କ ବୌଦ୍ଧିକ ସମ୍ପତ୍ତି ଅଧିକାର କ୍ଷେତ୍ରରେ ବର୍ଦ୍ଧିତ ସହଯୋଗକୁ ସୁନିଶ୍ଚିତ କରିଥିଲେ ଯାହାକି ଉଦ୍ଭାବନ, ସୃଜନଶୀଳତା ଓ ପ୍ରଯୁକ୍ତି ବିକାଶକୁ ପ୍ରୋତ୍ସାହନ ଦେବା ଲାଗି ସେମାନଙ୍କର ଜାତୀୟ ବୌଦ୍ଧିକ ସମ୍ପତ୍ତି ବ୍ୟବସ୍ଥାକୁ ଆଧୁନିକ ଓ ସୁଦୃଢ଼ କରିବାରେ ସହାୟକ ହୋଇପାରିବ।
ବିଜ୍ଞାନ, ପ୍ରଯୁକ୍ତି, ନବୋନ୍ମେଷ ଓ ଡିଜିଟାଇଜେସନ
19. ପ୍ରଯୁକ୍ତି ବିକାଶକୁ ଆଗେଇ ନେବା ଏବଂ ନୂଆ ସମାଧାନର କାର୍ଯ୍ୟକାରିତା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇଥିବାରୁ ଦୃଢ଼ ସରକାରୀ-ଘରୋଇ ଭାଗିଦାରୀ ମାଧ୍ୟମରେ ବିଜ୍ଞାନ, ପ୍ରଯୁକ୍ତି ଏବଂ ନବୋନ୍ମେଷ (ଏସଟିଆଇ) କ୍ଷେତ୍ରରେ ନିବେଶକୁ ପ୍ରୋତ୍ସାହନ ଓ ସୁବିଧା ଦେବା ଉପରେ ଭାରତ ଓ ଡେନମାର୍କ ଜୋର ଦେଇଥିଲେ। ଭାରତ ଓ ଡେନମାର୍କରେ ଥିବା କର୍ତ୍ତୃପକ୍ଷ, କ୍ଷୁଦ୍ର ଓ ବୃହତ କମ୍ପାନୀ ଏବଂ ଗବେଷଣା ପ୍ରତିଷ୍ଠାନ ତଥା ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ସମ୍ପର୍କ ବୃଦ୍ଧି ଓ ସୁଦୃଢ଼ କରିବା ଜରିଆରେ ଏସଟିଆଇ କ୍ଷେତ୍ରରେ ସହଯୋଗ ସବୁଜ ରଣନୈତିକ ଭାଗିଦାରୀ ନିମନ୍ତେ ସହାୟକ ହେବ। ଶକ୍ତି, ଜଳ, ଜୈବିକ ଉତ୍ସ ଏବଂ ଆଇସିଟି କ୍ଷେତ୍ରରେ ପ୍ରକଳ୍ପ ନିମନ୍ତେ ମିଳିତ ଆହ୍ୱାନ ସହିତ ବର୍ତ୍ତମାନର ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଆଗେଇ ନେବାକୁ ଦୁଇ ପକ୍ଷ ରାଜି ହୋଇଛନ୍ତି।
20. ଡିଜିଟାଇଜେସନ ଓ ଡିଜିଟାଲ ସମାଧାନ ଏବଂ ସବୁଜ ପରିବର୍ତ୍ତନ ଲାଗି ବ୍ୟବସାୟିକ ମଡେଲ କ୍ଷେତ୍ରରେ ସେମାନଙ୍କର ଆପୋସ ହିତକୁ ଉଭୟ ନେତା ଦୋହରାଇଥିଲେ ଏବଂ ସବୁଜ ସ୍ଥାୟୀ ବିକାଶକୁ ସମର୍ଥନ ଯୋଗାଇ ଦେବା ନିମନ୍ତେ ଡିଜିଟାଲ ପ୍ରଯୁକ୍ତି କ୍ଷେତ୍ରରେ ବିକାଶ, ନବୋନ୍ମେଷ ଓ ପ୍ରଦର୍ଶନକୁ ବଢ଼ାଇବାରେ ସହଭାଗିତା ନିମନ୍ତେ ରାଜି ହୋଇଛନ୍ତି।
ଖାଦ୍ୟ ଓ କୃଷି
21. କୃଷି କ୍ଷେତ୍ରରେ ସହଯୋଗ ପାଇଁ ଅପାର ସମ୍ଭାବନା ରହିଛି, ଏହାକୁ ଧ୍ୟାନରେ ରଖି ଦୁଇ ପ୍ରଧାନମନ୍ତ୍ରୀ ଖାଦ୍ୟ ପ୍ରକ୍ରିୟାକରଣ ଓ ଖାଦ୍ୟ ସୁରକ୍ଷା ସହିତ ପଶୁପାଳନ ଓ ଡାଏରିଂ କ୍ଷେତ୍ରରେ ଉଭୟ ଦେଶର କର୍ତ୍ତୃପକ୍ଷ, ବ୍ୟବସାୟ ଓ ଗବେଷଣା ସଂସ୍ଥାନ ମଧ୍ୟରେ ଗଭୀର ଓ ନିବିଡ଼ ସହଯୋଗକୁ ପ୍ରୋତ୍ସାହିତ କରିବା ଲାଗି ରାଜି ହୋଇଛନ୍ତି।
ସ୍ୱାସ୍ଥ୍ୟ ଏବଂ ଜୀବନ ବିଜ୍ଞାନ
22. ସ୍ୱାସ୍ଥ୍ୟ କ୍ଷେତ୍ରରେ ସମ୍ପର୍କ ଓ ସହଯୋଗକୁ ସୁଦୃଢ଼ କରିବା ଲାଗି ଉଭୟ ପକ୍ଷଙ୍କ ଆପୋସ ଆଗ୍ରହ ଏବଂ ଏହି କ୍ଷେତ୍ରରେ ରହିଥିବା ସମ୍ଭାବନା ଉପରେ ଦୁଇ ନେତା ଜୋର ଦେଇଛନ୍ତି। ସ୍ୱାସ୍ଥ୍ୟ ନୀତି ପ୍ରସଙ୍ଗ, ମହାମାରୀ ଓ ଟିକାକରଣ ସମେତ, ବିଶେଷ କରି କୋଭିଡ-19 ଏବଂ ଭବିଷ୍ୟତର ମହାମାରୀ ମୁକାବିଲା କ୍ଷେତ୍ରରେ ସହଯୋଗକୁ ଆହୁରି ଆଗେଇ ନେବା ଏବଂ ଶ୍ରେଷ୍ଠ ପ୍ରଚଳନକୁ ପରସ୍ପର ସହ ବାଣ୍ଟିବା ନିମନ୍ତେ ସେମାନେ ସହମତ ହୋଇଛନ୍ତି। ଗବେଷଣା ସହଯୋଗ ସମେତ ଜୀବନ ବିଜ୍ଞାନ କ୍ଷେତ୍ରରେ ଅଧିକ ଅନୁକୂଳ ପରିବେଶ ସୃଷ୍ଟି କରି ବ୍ୟବସାୟଗୁଡ଼ିକ ପାଇଁ ବାଣିଜ୍ୟିକ ବାତାବରଣକୁ ସମ୍ପ୍ରସାରିତ କରିବା ଲାଗି ସେମାନେ ରାଜି ହୋଇଛନ୍ତି।
ବାଣିଜ୍ୟିକ ସହଯୋଗ, ଜନସମ୍ପର୍କ ଏବଂ ଶ୍ରମିକ ପରିବହନ
23. ଦୁଇ ନେତା ସ୍ୱୀକାର କରିଥିଲେ ଯେ ଭାରତ ଓ ଡେନମାର୍କ ମଧ୍ୟରେ ରହିଥିବା ସମ୍ପର୍କ ଦୀର୍ଘଦିନର ଜନସମ୍ପର୍କ କାରଣରୁ ସମୃଦ୍ଧ ହୋଇଛି ଏବଂ ସାଂସ୍କୃତିକ ସହଯୋଗ ଜରିଆରେ ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ରହିଥିବା ସଚେତନତା ଓ ଆପୋସ ବୁଝାମଣାକୁ ଆହୁରି ପ୍ରୋତ୍ସାହିତ କରିବା ନିମନ୍ତେ ସେମାନେ ରାଜି ହୋଇଛନ୍ତି।
24. ଉଭୟ ପକ୍ଷ ଶ୍ରମିକମାନଙ୍କ ପରିବହନ କ୍ଷେତ୍ରରେ ରହିଥିବା ସମ୍ଭାବନାକୁ ପରୀକ୍ଷଣ କରିବା ନିମନ୍ତେ ରାଜି ହୋଇଛନ୍ତି। ଏଥିସହିତ ଜନ ସମ୍ପର୍କକୁ ଆହୁରି ବଢ଼ାଇବା ଓ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଲାଗି ଦୁଇ ଦେଶ ମଧ୍ୟରେ ଯାତାୟାତକୁ ସହଜ କରିବା ଲାଗି ବିଚାର କରାଯିବ।
ବହୁପକ୍ଷୀୟ ସହଯୋଗ
25. ନିୟମ ଆଧାରିତ ବହୁପକ୍ଷୀୟ ବ୍ୟବସ୍ଥାକୁ ସମର୍ଥନ ଓ ପ୍ରୋତ୍ସାହନ ପାଇଁ ମିଳିତ ପ୍ରୟାସ ଓ ପଦକ୍ଷେପ ନିମନ୍ତେ ଦୁଇ ପ୍ରଧାନମନ୍ତ୍ରୀ ରାଜି ହୋଇଛନ୍ତି। ଏଥିରେ ସାମିଲ ରହିଛି ଶକ୍ତି ଓ ଜଳବାୟୁ କ୍ଷେତ୍ରରେ ରହିଥିବା ବୈଶ୍ୱିକ ଆହ୍ୱାନ ମୁକାବିଲା ନିମନ୍ତେ ଜରୁରିକାଳୀନ ପଦକ୍ଷେପ ନେବା ସକାଶେ ବହୁପକ୍ଷୀୟ ମଞ୍ଚରେ ସହଯୋଗ ଏବଂ ଅନ୍ତର୍ଜାତୀ ଶକ୍ତି ଏଜେନ୍ସି, ଅନ୍ତର୍ଜାତୀୟ ଅକ୍ଷୟ ଶକ୍ତି ସଂସ୍ଥା ଏବଂ ଅନ୍ତର୍ଜାତୀୟ ସୌର ମେଣ୍ଟ ପ୍ରତି ରହିଥିବା ସାଧାରଣ ପ୍ରତିବଦ୍ଧତାକୁ ବ୍ୟକ୍ତ କରିବା।
26. ବୈଶ୍ୱିକ ଅଭିବୃଦ୍ଧି ଓ ସ୍ଥାୟୀ ବିକାଶକୁ ପ୍ରୋତ୍ସାହନ ଦେବା ନିମନ୍ତେ ଡବ୍ଲୁଟିଓକୁ କେନ୍ଦ୍ରରେ ରଖି ଏହା ଅଧୀନରେ ଏକ ମୁକ୍ତ, ସମାବେଶୀ ଏବଂ ନିୟମ ଆଧାରିତ ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥାର ପ୍ରୋତ୍ସାହନ କ୍ଷେତ୍ରରେ ସହଯୋଗକୁ ଉଭୟ ପକ୍ଷ ସମର୍ଥନ କରିଛନ୍ତି।
27. ଡବ୍ଲୁଟିଓରେ ସଂସ୍କାର ନିମନ୍ତେ ବର୍ତ୍ତମାନର ଆଲୋଚନା ପ୍ରତି ଉଭୟ ପକ୍ଷ ସେମାନଙ୍କ ସମର୍ଥନ ବ୍ୟକ୍ତ କରିଛନ୍ତି। ସହଯୋଗକୁ ସୁଦୃଢ଼ କରିବା ଏବଂ ଡବ୍ଲୁଟିଓର ବିସ୍ତୃତ ସଂସ୍କାରରେ ଯୋଗଦାନ ଦେବା ନିମନ୍ତେ ଉଭୟ ପକ୍ଷ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଉଭୟ ପକ୍ଷ ରାଜି ହୋଇଛନ୍ତି ଯେ ସଂସ୍କାର ସମାବେଶୀ ହେବା ଉଚିତ ଏବଂ ଏହାକୁ ପାରଦର୍ଶୀ ଢଙ୍ଗରେ ଲାଗୁ କରାଯିବା ଉଚିତ ଏବଂ ଡବ୍ଲୁଟିଓର ଦୁଇ ସ୍ତରୀୟ ବିବାଦ ସମାଧାନ ବ୍ୟବସ୍ଥାର ଅଂଶବିଶେଷ ଭାବେ ଏକ ସମ୍ପୂର୍ଣ୍ଣ କ୍ଷମତାପ୍ରାପ୍ତ ଆବେଦନ କର୍ତ୍ତୃପକ୍ଷର ପୁନଃପ୍ରତିଷ୍ଠା ଉପରେ ସର୍ବାଧିକ ପ୍ରାଥମିକତା ଦିଆଯିବା ଉଚିତ।
28. ଭାରତ-ୟୁରୋପୀୟ ସଂଘ ମଧ୍ୟରେ ରହିଥିବା ସମ୍ପର୍କକୁ ଆହୁରି ସୁଦୃଢ଼ ଓ ନିବିଡ଼ କରିବା ଲାଗି ୟୁରୋପୀୟ ସଂଘ ଓ ଭାରତ ମଧ୍ୟରେ ଏକ ମହତ୍ୱାକାଂକ୍ଷୀ, ନ୍ୟାୟସଙ୍ଗତ ଏବଂ ପାରସ୍ପରିକ ଲାଭଦାୟକ ବାଣିଜ୍ୟ ଏବଂ ନିବେଶ ଚୁକ୍ତି ଦିଗରେ କାର୍ଯ୍ୟ କରିବା ଲାଗି ଉଭୟ ପକ୍ଷ ସେମାନଙ୍କର ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି।
29. ଉଭୟ ପକ୍ଷ ରାଜି ହୋଇଥିଲେ ଯେ ଆର୍କଟିକ ପରିଷଦର ବ୍ୟବସ୍ଥା ମଧ୍ୟରେ ଆର୍କଟିକ ସହଯୋଗର ଏକ ବୈଶ୍ୱିକ ଦିଗ ରହିଛି ଏବଂ ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନର ସମାଧାନ ଲାଗି ଏହା ଅତ୍ୟନ୍ତ ଜରୁରି ବୋଲି ଉଭୟ ପକ୍ଷ ରାଜି ହୋଇଛନ୍ତି । ଏହି ଭାବନାକୁ ନେଇ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଆର୍କଟିକ ପରିଷଦ ବ୍ୟବସ୍ଥା ମଧ୍ୟରେ ରହି ସହଯୋଗ ନିମନ୍ତେ ଉଭୟ ପକ୍ଷ ସେମାନଙ୍କର ଆଗ୍ରହ ବ୍ୟକ୍ତ କରିଛନ୍ତି ।
30. ମାନବାଧିକାର, ଗଣତନ୍ତ୍ର ଏବଂ ଆଇନର ନିୟମରେ ରହିଥିବା ଆପୋସ ମୂଲ୍ୟବୋଧକୁ ଦୁଇ ନେତା ଗ୍ରହଣ କରିଥିଲେ ଏବଂ ଗଣତନ୍ତ୍ର ଓ ମାନବାଧିକାରକୁ ଆହୁରି ଆଗେଇ ନେବା ଲାଗି ବହୁପକ୍ଷୀୟ ମଞ୍ଚରେ ସହଯୋଗ ନିମନ୍ତେ ରାଜି ହୋଇଛନ୍ତି।
ଉପସଂହାର
31. ଡେନମାର୍କ ଓ ଭାରତ ମଧ୍ୟରେ ସବୁଜ ରଣନୈତିକ ଭାଗିଦାରୀ ପ୍ରତିଷ୍ଠା ଲାଗି ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଦୁଇ ଦେଶର ବନ୍ଧୁତ୍ୱପୂର୍ଣ୍ଣ ଏବଂ ସହଯୋଗୀ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ବୋଲି ଦୁଇ ନେତା ସେମାନଙ୍କର ବିଶ୍ୱାସ ପ୍ରକାଶ କରିଛନ୍ତି।
32. ଏହିକ୍ଷେତ୍ର ମଧ୍ୟରେ ରହିଥିବା ମହତ୍ୱାକାଂକ୍ଷୀ ଲକ୍ଷ୍ୟ ଏବଂ କାର୍ଯ୍ୟଗୁଡ଼ିକୁ ଚିହ୍ନଟ କରାଯିବ ଏବଂ କାର୍ଯ୍ୟକାରୀ କରାଯିବାକୁ ଥିବା କାର୍ଯ୍ୟଯୋଜନା ତୁରନ୍ତ ପ୍ରସ୍ତୁତ କରାଯାଇ ଯଥାଶୀଘ୍ର ସେଗୁଡ଼ିକୁ ଲାଗୁ କରାଯିବ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Cheese from India makes its mark globally’: PM Modi lauds Indian winners at Mundial do Queijo

Media Coverage

‘Cheese from India makes its mark globally’: PM Modi lauds Indian winners at Mundial do Queijo
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 23, 2026
April 23, 2026

Inclusive Innovation: Empowering Every Citizen in the New India Under the Leadership of PM Modi