ଆଜି ନୂଆଦିଲ୍ଲୀ ଠାରେ ମାଳଦୀପ ବିଦେଶ ମନ୍ତ୍ରୀ ମିଃ ଅବଦୁଲ୍ଲା ଶାହିଦ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଷଷ୍ଠ ଭାରତ-ମାଳଦୀପ ଯୁଗ୍ମ କମିଶନ ବୈଠକ ଲାଗି ମିଃ ଅବଦୁଲ୍ଲା ଶାହିଦ ସରକାରୀ ଗସ୍ତରେ ଭାରତ ଆସିଛନ୍ତି ।

ଏହି ସାକ୍ଷାତ ଅବସରରେ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିଙ୍କ ନେତୃତ୍ୱରେ 1 ବର୍ଷ ମଧ୍ୟରେ ମାଳଦୀପ ସରକାରଙ୍କ ଉପଲବ୍ଧିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ ଯେ ଷଷ୍ଠ ଯୁଗ୍ମ କମିଶନ ବୈଠକରେ ଆଲୋଚନା ଫଳରେ ଦୁଇ ଦେଶ ମଧ୍ୟରେ ଆପୋସ ହିତ ନିହିତ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ସମୀକ୍ଷା କରିବା ତଥା ଏହାକୁ ଆହୁରି ସୁଦୃଢ଼ ଓ ନିବିଡ଼ କରିବା ଲାଗି ଅଧିକ ମହତ୍ୱକାଂକ୍ଷୀ ପଦକ୍ଷେପ ଗ୍ରହଣ କରିବା ପାଇଁ ଉଭୟ ପକ୍ଷଙ୍କୁ ସହାୟତା ମିଳିପାରିବ । ଏକ ଦୃଢ଼, ଗଣତାନ୍ତ୍ରିକ, ସମୃଦ୍ଧ ଏବଂ ଶାନ୍ତିପୂର୍ଣ୍ଣ ମାଳଦୀପ ପାଇଁ ମାଳଦୀପ ସରକାରଙ୍କ ସହ ଭାଗିଦାରୀ ଲାଗି ଭାରତର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ।

ଭାରତ-ମାଳଦୀପ ସମ୍ପର୍କକୁ ଆଗେଇ ନେବା ଲାଗି ପ୍ରଧାନମନ୍ତ୍ରୀଙ୍କର ସଂକଳ୍ପ ଓ ଦୃଢ଼ ନେତୃତ୍ୱ ପାଇଁ ବିଦେଶ ମନ୍ତ୍ରୀ ଶାହିଦ ତାଙ୍କୁ ପ୍ରଶଂସା କରିଥିଲେ । ମାଳଦୀପରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ ସହଯୋଗ କାର୍ଯ୍ୟକ୍ରମ ନିମନ୍ତେ ଭାରତର ସହାୟତା ଲାଗି ସେ ଗଭୀର କୃତଜ୍ଞତା ବ୍ୟକ୍ତ କରିଥିଲେ । ସେ ‘ଭାରତ ପ୍ରଥମ’ ନୀତି ପ୍ରତି ମାଳଦୀପ ନେତୃତ୍ୱର ପ୍ରତିବଦ୍ଧତା ବ୍ୟକ୍ତ କରିବା ସହ ଭାରତ ସହ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।