ସେୟାର
 
Comments
ପ୍ରଥମ ଲହରର ଶୀର୍ଷ ସ୍ଥିତିକୁ ଦେଶ ପାର କରିସାରିଛି ଏବଂ ଏବେ ସଂକ୍ରମଣ ହାର ପୂର୍ବାପେକ୍ଷା ଅଧିକ ଅବସ୍ଥାରେ ପହଞ୍ଚିଛି: ପ୍ରଧାନମନ୍ତ୍ରୀ
କୋଭିଡ଼ ୧୯ ପରିସ୍ଥିତିର ମୁକାବିଲା କରିବାରେ ଆମ ପାଖରେ ଉତ୍ତମ ଅନୁଭୂତି, ସାଧନ ରହିଛି, ପ୍ରତିଷେଧକ ଟିକା ମଧ୍ୟ ଏବେ ଉପଲବ୍ଧ: ପ୍ରଧାନମନ୍ତ୍ରୀ
‘ଟେଷ୍ଟ, ଟ୍ରାକ୍‍ ଏବଂ ଟ୍ରିଟ୍‍’, କୋଭିଡ଼ର ଉପଯୁକ୍ତ ଲକ୍ଷଣ ଏବଂ କୋଭିଡ଼ ପରିଚାଳନା ଉପରେ ଆମକୁ ଧ୍ୟାନ କେନ୍ଦ୍ରୀତ କରିବାକୁ ପଡ଼ିବ: ପ୍ରଧାନମନ୍ତ୍ରୀ
କୋଭିଡ଼ କ୍ଳାନ୍ତି ଯୋଗୁ ଆମେ ପ୍ରୟାସରେ ସାମାନ୍ୟତମ ଢିଲା ହେବା ଉଚିତ ନୁହେଁ: ପ୍ରଧାନମନ୍ତ୍ରୀ
ଅଧିକତର କୋଭିଡ଼ ସଂକ୍ରମିତ ଜିଲ୍ଲାମାନଙ୍କରେ ୪୫ରୁ ଉର୍ଦ୍ଧ୍ୱ ବୟସର ନାଗରିକଙ୍କୁ ଟିକାଦାନ ବ୍ୟବସ୍ଥାକୁ ଆମକୁ ୧୦୦ ପ୍ରତିଶତ ହାସଲ କରିବାକୁ ହେବ: ପ୍ରଧାନମନ୍ତ୍ରୀ
ଜ୍ୟୋତିବା ଫୁଲେ ଏବଂ ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ (ଏପ୍ରିଲ ୧୧- ୧୪)ଅବଧିକୁ ଟିକାକରଣ ଉତ୍ସବ ଭାବେ ମନାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ଆପଣମାନେ ସମସ୍ତେ ବର୍ତ୍ତମାନର ପରିସ୍ଥିତିର ଗମ୍ଭୀରତାକୁ ଆକଳନ କରି ଅନେକ ଗୁରୁତ୍ବପୂର୍ଣ୍ଣ ବିନ୍ଦୁ ଉପସ୍ଥାପନ କରିଛନ୍ତି। ଅନେକଗୁଡ଼ିଏ ଜରୁରି ପରାମର୍ଶ ମଧ୍ୟ ଦେଇଛନ୍ତି। ମୃତ୍ୟୁହାର ଅଧିକ ଏବଂ କରୋନା ଦ୍ରୁତ ଗତିରେ ବ୍ୟାପୁଥିବା ରାଜ୍ୟଗୁଡ଼ିକ ସହ ବିଶେଷ ଭାବେ ଆଲୋଚନା ହେବା ସ୍ବଭାବିକ। କିନ୍ତୁ ବାକି ରାଜ୍ୟଗୁଡ଼ିକ ନିକଟରେ ଯଥେଷ୍ଟ ଭଲ ପରାମର୍ଶ ଥାଇପାରେ। ମୁଁ ଅନୁରୋଧ କରିବି ଯେ ଏପରି କୌଣସି ସକାରାତ୍ମକ ପରାମର୍ଶ ଯଦି ଅନ୍ୟ କାହା ପାଖରେ ରହିଛି ତା’ହେଲେ ମୋତେ ଦିଅନ୍ତୁ। ଯାହାଫଳରେ କିଛି ନା କିଛି ରଣନୀତି ପ୍ରସ୍ତୁତ କରାଯାଇପାରିବ।

ବର୍ତ୍ତମାନ ଭାରତ ସରକାର ଓ ସ୍ବାସ୍ଥ୍ୟ ସଚିବଙ୍କ ପକ୍ଷରୁ ଯେଉଁ ତଥ୍ୟ ଉପସ୍ଥାପନା କରାଗଲା ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ପରିସ୍ଥିତି ପୁଣିଥରେ ଆହ୍ବାନପୂର୍ଣ୍ଣ ହୋଇଛି। କିଛି ରାଜ୍ୟରେ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି। ଏଭଳି ସ୍ଥିତିରେ ପ୍ରଶାସନିକ ବ୍ୟବସ୍ଥାରେ ସୁଧାର ଆଣିବା ଅତ୍ୟନ୍ତ ଆବଶ୍ୟକ। ମୁଁ ଏହା ବୁଝିପାରୁଛି ଯେ ବର୍ଷେ ବ୍ୟାପୀ ଏହି ମୁକାବିଲା କାରଣରୁ ବ୍ୟବସ୍ଥାରେ ମଧ୍ୟ ଥକାପଣ ଆସିପାରେ, ଢିଲାପଣ ଦେଖାଦେଇପାରେ। କିନ୍ତୁ ଏହି ଦୁଇ-ତିନି ସପ୍ତାହ ଯଦି ଆମେ ଆହୁରି ଟାଇଟ୍ କରି ଦେବା, ପ୍ରଶାସନକୁ ଆହୁରି ମଜବୁତ କରିଦେବା ସେଥିପ୍ରତି ଆମେ ଅଧିକ ଜୋର ଦେବା ଉଚିତ୍।

ବନ୍ଧୁଗଣ,

ଆଜିର ସମୀକ୍ଷାରେ କିଛି କଥା ଆମ ସମ୍ମୁଖରେ ସ୍ପଷ୍ଟ ହୋଇଛି ଏବଂ ସେଥିପ୍ରତି ଆମକୁ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ପ୍ରଥମ- ଦେଶ ପ୍ରଥମ ଲହରୀ ସମୟର ସଂକ୍ରମଣ ହାରକୁ ଟପିସାରିଛି, ଏବଂ ଏଥର ଏହି ବୃଦ୍ଧି ହାର ପୂର୍ବାପେକ୍ଷା ଅଧିକ ଦ୍ରୁତ ରହିଛି ।

ଦ୍ୱିତୀୟତଃ ମହାରାଷ୍ଟ୍ର, ଛତିଶଗଡ଼, ପଞ୍ଜାବ, ମଧ୍ୟପ୍ରଦେଶ ଓ ଗୁଜରାଟ ସମେତ ଅନେକ ରାଜ୍ୟ ପ୍ରଥମ ଲହରୀ ସମୟର ବର୍ଦ୍ଧିତ ସଂକ୍ରମଣକୁ ଟପି ସାରିଛନ୍ତି । ଆହୁରି କେତେକ ରାଜ୍ୟ ମଧ୍ୟ ଏ ଦିଗରେ ଦ୍ରୁତ ଗତିରେ ବଢ଼ୁଛନ୍ତି। ମୁଁ ଭାବୁଛି ଯେ ଆମ ସମସ୍ତଙ୍କ ଲାଗି ଏହା ଚିନ୍ତାର ବିଷୟ, ଗମ୍ଭୀରତାର ବିଷୟ। ଏବଂ ତୃତୀୟତଃ ଏଥର ଲୋକମାନେ ପୂର୍ବାପେକ୍ଷା ଅଧିକ ଢିଲା ହୋଇଯାଇଛନ୍ତି। ଅଧିକାଂଶ ରାଜ୍ୟରେ ପ୍ରଶାସନ ମଧ୍ୟ ମାନ୍ଦା ଥିବା ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ କରୋନା ସଂକ୍ରମଣରେ ଏହି ଅଚାନକ ବୃଦ୍ଧି ଅଧିକ କଷ୍ଟ ସୃଷ୍ଟି କରୁଛି। କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ପୁଣି ଥରେ ଯୁଦ୍ଧକାଳୀନ ଭିତ୍ତିରେ କାମ କରିବାକୁ ହେବ ।

ବନ୍ଧୁଗଣ,

ଏ ସମସ୍ତ ଆହ୍ୱାନ ସତ୍ତ୍ୱେ, ଆପ ପାଖରେ ପୂର୍ବାପେକ୍ଷା ଉନ୍ନତ ଅଭିଜ୍ଞତା ରହିଛି, ପୂର୍ବାପେକ୍ଷା ଉନ୍ନତ ସମ୍ବଳ ରହିଛି ଏବଂ ଏବେ ଆମ ପାଖରେ ଟିକା ମଧ୍ୟ ଅଛି। ଜନଭାଗିଦାରୀ ସହିତ ଆମର ପରିଶ୍ରମୀ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ, ସ୍ୱାସ୍ଥସେବା କର୍ମଚାରୀମାନେ ସ୍ଥିତିକୁ ଭଲ ଭାବେ ସମ୍ଭାଳିବାରେ ସହାୟତା କରିଛନ୍ତି ଏବଂ ଆଜି ମଧ୍ୟ କରୁଛନ୍ତି। ଆପଣମାନଙ୍କ ଠାରୁ ପୂର୍ବ ଅଭିଜ୍ଞତାର ପ୍ରଭାବୀ ଢଙ୍ଗରେ ଉପଯୋଗ ଆଶା କରାଯାଉଛି । 

ଏବେ ଆପଣ କଳ୍ପନା କରନ୍ତୁ ଗତବର୍ଷ ଏହି ଦିନଗୁଡ଼ିକରେ ଆମର ସ୍ଥିତି କ’ଣ ଥିଲା। ଆମ ପାଖରେ ପରୀକ୍ଷାଗାର ନଥିଲା। ଏପରିକି ମାସ୍କ କେଉଁଠୁ ଆସିବ ମଧ୍ୟ ଚିନ୍ତାର ବିଷୟ ଥିଲା, ପିପିଇ କିଟ୍ ନଥିଲା। ଏବଂ ସେ ସମୟରେ ଆମ ପାଇଁ ବଞ୍ଚିବାର ଏକମାତ୍ର ସାଧନ ବାକି ରହିଥିଲା ତାହା ହେଉଛି ଲକଡାଉନ, ଯାହାଫଳରେ ଆମେ ବ୍ୟବସ୍ଥାକୁ ଅତ୍ୟନ୍ତ ଦ୍ରୁତ ଗତିରେ ବିକଶିତ କରିପାରିବୁ । ଆମର ଏହି ରଣନୀତି କାମରେ ଲାଗିଲା। ଆମେ ବ୍ୟବସ୍ଥା ତିଆରି କରିପାରିଲୁ, ଭିତ୍ତିଭୂମି ନିର୍ମାଣ କଲୁ, ଆମର ସାମର୍ଥ୍ୟ ବଢ଼ାଇଲୁ। ବିଶ୍ୱର ଯେଉଁ ସ୍ଥାନରୁ ଆଣିବାର ଥିଲା ଆଣିଲୁ, କରିପାରିଲୁ ଏବଂ ଏଥିପାଇଁ ଆମେ ଲକଡାଉନ ସମୟକୁ ଉପଯୋଗ କଲୁ। 

କିନ୍ତୁ ଆଜି ଯେପରି ସ୍ଥିତି ଅଛି, ଆଜି ଆମ ପାଖରେ ସମ୍ବଳ ଅଛି । ତେଣୁ ଏହା ଆମ ପ୍ରଶାସନ ପାଇଁ ଏକ ପରୀକ୍ଷା ଭଳି। ଆମେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଉପରେ ଜୋର ଦେବା ଉଚିତ୍। ଛୋଟ ଛୋଟ କଣ୍ଟେନମେଣ୍ଟ ଜୋନରେ ସବୁଠୁ ଅଧିକ ହେବା ଉଚିତ୍। ଯେଉଁଠି ରାତ୍ରୀକାଳିନ କର୍ଫ୍ୟୁର ପ୍ରୟୋଗ କରାଯାଉଛି ସେଠି ମୋର ଅନୁରୋଧ ଯେ ଏଥିପାଇଁ କରୋନା କର୍ଫ୍ୟୁ... ଏହି ଶବ୍ଦର ପ୍ରୟୋଗ ସବୁବେଳେ କରାଯିବା ଉଚିତ୍। ଯାହାଫଳରେ କରୋନା ପ୍ରତି ଲୋକମାନଙ୍କର ସଚେତନତା ବୃଦ୍ଧି ପାଇବ ।

କିଛି ଲୋକ ଏହି ବୌଦ୍ଧିକ ବିତର୍କ କରୁଛନ୍ତି କରୋନା କ’ଣ କେବଳ ରାତିରେ ହିଁ ଆସିଥାଏ। ବାସ୍ତବତା ହେଉଛି ସାରା ବିଶ୍ୱ ଏହି ରାତ୍ରି କର୍ଫ୍ୟୁକୁ ଗ୍ରହଣ କରିଛି। କାରଣ ପ୍ରତ୍ୟେକ ବ୍ୟକ୍ତି କର୍ଫ୍ୟୁର ସମୟ ଆସିଲେ ଭାବିଥାଏ ଯେ ହଁ ମୁଁ କରୋନା କାଳରେ ବଞ୍ଚିଛି । ତା’ଛଡ଼ା ଅବଶିଷ୍ଟ ଜୀବନର ବ୍ୟବସ୍ଥା ପ୍ରତି ମଧ୍ୟ ଏହାର ସର୍ବନିମ୍ନ ପ୍ରଭାବ ପଡ଼ିଥାଏ ।

ହଁ ଭଲ ହେବ ଯେ ଆମେ କରୋନା କର୍ଫ୍ୟୁ ରାତି 9ଟାରୁ ଆରମ୍ଭ କରିବା କିମ୍ବା ରାତି 10ଟାରୁ ଆରମ୍ଭ କରିବା ଏବଂ ଏହାକୁ ସକାଳ 5-6ଟା ପର୍ଯ୍ୟନ୍ତ ଜାରି ରଖିବା । ଯାହାଫଳରେ ଏହାର ପ୍ରଭାବ ବାକି ବ୍ୟବସ୍ଥା ଉପରେ ସେତେଟା ପଡ଼ିବ ନାହିଁ । ସେଥିପାଇଁ ଏହାକୁ କରୋନା କର୍ଫ୍ୟୁ ନାମ ଦେବା ଉଚିତ୍ ଏବଂ କରୋନା କର୍ଫ୍ୟୁ ଏକପ୍ରକାରରେ ଲୋକମାନଙ୍କୁ ସଚେତନ ଓ ସତର୍କ କରିବା ଲାଗି କାମରେ ଆସୁଛି । ତେଣୁ ଆମକୁ ସେଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। କିନ୍ତୁ ମୁଁ ପୂର୍ବରୁ କହିଛି, ଏବେ ଆମ ପାଖରେ ଏତେ ବ୍ୟବସ୍ଥା ହୋଇସାରିଛି ଯେ, ଆମକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ, ସେଥିପ୍ରତି ଜୋର ଦେବାକୁ ହେବ, ଆପଣମାନଙ୍କୁ ଏହାର ଭଲ ପରିଣାମ ମିଳିବ। ତେବେ ସେଥିରେ ସରକାରଙ୍କୁ ସାମାନ୍ୟ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ, ପ୍ରଶାସନକୁ କଡ଼ା ଆଭିମୁଖ୍ୟ ଆପଣାଇବାକୁ ପଡ଼ିଥାଏ, ସବୁ କଥାକୁ ସୂକ୍ଷ୍ମ ଭାବେ ଅନୁଶୀଳନ କରିବାକୁ ହୋଇଥାଏ। କିନ୍ତୁ ଏହି ପରିଶ୍ରମ ଫଳପ୍ରଦ ହେବ, ମୋ ଉପରେ ବିଶ୍ୱାସ ରଖନ୍ତୁ ।

ଦ୍ୱିତୀୟ କଥା, ଆମେ ଗତ ଥର କୋଭିଡ ତଥ୍ୟକୁ ଦଶ ଲକ୍ଷ ସକ୍ରିୟ ସଂକ୍ରମିତଙ୍କ ଠାରୁ ଆରମ୍ଭ କରି ଦେଢ଼ ଲକ୍ଷ ତଳକୁ ଖସାଇ ଦେଇଥିଲୁ। ଏହା ଯେଉଁ ରଣନୀତି ଉପରେ ଚାଲି ସମ୍ଭବ ହୋଇଥିଲା, ତାହା ଆଜି ମଧ୍ୟ ସଠିକ୍ ରହିଛି । ଏହି କାରଣରୁ ଦେଖନ୍ତୁ, ସେ ସମୟରେ ଆମେ ସଫଳତା ପାଇଥିଲୁ। ସେତେବେଳେ ସମ୍ବଳ କମ୍ ଥିଲା। ଆଜି ଅଧିକ ସମ୍ବଳ ଓ ଅଧିକ ଅଭିଜ୍ଞତା ରହିଛି । ସେଥିପାଇଁ ଆମେ ଏହି ସଂକ୍ରମଣ ବୃଦ୍ଧିକୁ ଦ୍ରୁତ ଗତିରେ ହ୍ରାସ କରିପାରିବୁ ।

ଆମର ଅଭିଜ୍ଞତା କହୁଛି ‘ପରୀକ୍ଷଣ, ଚିହ୍ନଟ, ଚିକିତ୍ସା, କୋଭିଡ ଉପଯୁକ୍ତ ବ୍ୟବହାର ଓ କୋଭିଡ ମ୍ୟାନେଜମେଣ୍ଟ’ ଏଥିପ୍ରତି ଆମକୁ ବଳ ଦେବାକୁ ହେବ । ଆହୁରି ଆପଣ ଦେଖନ୍ତୁ, ଏବେ ଏକ ବିଷୟ ଏପରି ଆସିଛି- ମୁଁ ଆପଣମାନେ ସମସ୍ତେ ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରୁଛି ଆପଣମାନେ ନିଜ ରାଜ୍ୟରେ ଏକ ଅଧ୍ୟୟନ କରିପାରିବେ। ଯାହାଫଳରେ ଏକ ପ୍ରଶ୍ନର ଉତ୍ତର ଆମ ମାନଙ୍କୁ ମିଳିପାରିବ। କ’ଣ ସେହି ପ୍ରଶ୍ନ? ମୁଁ ଏହାକୁ ପ୍ରଶ୍ନ ବୋଲି କହୁଛି। ସାଧାରଣତଃ ଏବେ ଦେଖିବାକୁ ମିଳୁଛି କରୋନା ହେଉଥିବା ଅଧିକାଂଶ ଲୋକଙ୍କୁ ଅଳ୍ପ ଅଳ୍ପ ଲକ୍ଷଣ ଦେଖାଦେଉଛି। ଏହାପରେ ସେମାନେ ତୁରନ୍ତ ପଦକ୍ଷେପ ନେଉଛନ୍ତି। ଦ୍ୱିତୀୟତଃ ବର୍ତ୍ତମାନ ଏମିତି ଅନେକ ରୋଗୀ ଅଛନ୍ତି ଯେଉଁମାନଙ୍କ ଠାରେ କୌଣସି ଲକ୍ଷଣ ନାହିଁ, ଏହି କାରଣରୁ ସେମାନଙ୍କୁ ଲାଗୁଛି ଯେ ଏମିତି ସାମାନ୍ୟ ଥଣ୍ଡା ହୋଇଯାଇଛି, ଯାହାକି ସାଧାରଣ କଥା।

ବେଳେ ବେଳେ ଏହା ଦୃଷ୍ଟିକୁ ଆସିନଥାଏ। ଯାହାଫଳରେ ଲୋକମାନେ ପରିବାର ଭିତରେ ସାଧାରଣ ଭାବେ ଜୀବନ ନିର୍ବାହ କରିଥାନ୍ତି। ଫଳସ୍ୱରୂପ ସାରା ପରିବାର ସଂକ୍ରମିତ ହୋଇଯାଏ। ଏହାଫଳରେ କରୋନା ସଂକ୍ରମଣ ବ୍ୟାପକ ହୋଇଯାଇଥାଏ। ଆଜି ଯେଉଁ ପରିବାରର ସମସ୍ତ ସଦସ୍ୟ ସଂକ୍ରମିତ ହୋଇଯାଉଛନ୍ତି, ତା’ର ମୂଳ କାରଣ ହେଉଛି ଆରମ୍ଭରୁ ଲକ୍ଷରବିହୀନ ଥିବା ଲୋକମାନେ ଅବହେଳା କରି ଦେଇଥାନ୍ତି। ଏହାର ଉପାୟ କ’ଣ-ଏହାର ଉପାୟ ହେଉଛି ଆଗୁଆ ସତର୍କ ହୋଇ ପରୀକ୍ଷା କରାଇ ନେବା। ଆମେ ଯେତେ ଅଧିକ ନମୁନା ପରୀକ୍ଷା କରିବା ଲକ୍ଷଣବିହୀନ ଲୋକମାନେ ଚିହ୍ନଟ ହୋଇପାରିବେ ଏବଂ ପରିବାରରେ ହୋମ କ୍ୱାରେଣ୍ଟିନ ଆଦି ଠିକ୍ ଭାବେ କରିପାରିବେ। ସେ ପରିବାର ସହିତ ଯେପରି ସାଧାରଣ ଜୀବନ ବଞ୍ଚିଥାନ୍ତି ସେପରି କରିବେ ନାହିଁ। ତେଣୁ ସାରା ପରିବାର ଯେପରି ଭାବେ ଆଜି କରୋନାରେ ସଂକ୍ରମିତ ହୋଇଯାଉଛି, ସେଥିରୁ ଆମେ ରକ୍ଷା ପାଇପାରିବା ।

ସେଥିପାଇଁ ଆମେ ଏବେ ଟିକା ବିଷୟରେ ଯେତିକି ଆଲୋଚନା କରୁଛୁ ତା’ଠାରୁ ଅଧିକ ଆଲୋଚନା ଆମେ ନମୁନା ପରୀକ୍ଷାକୁ ନେଇ କରିବା ଉଚିତ୍। ଆମକୁ ନମୁନା ପରୀକ୍ଷା ଉପରେ ଅଧିକ ଜୋର ଦେବାର ଆବଶ୍ୟକତା ରହିଛି। ଆମକୁ ନିଜ ଆଡ଼ୁ ପରୀକ୍ଷା କରାଇ ନେବାର ଆବଶ୍ୟକତା ରହିଛି। ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବା ପରେ ପରୀକ୍ଷା କରାଇବାକୁ ଯିବା ଏବଂ ସେତେବେଳକୁ ଅନେକ ଲୋକଙ୍କୁ ସଂକ୍ରମିତ କରିଦେବାର ଏହି ପୁରୁଣା ଅଭ୍ୟାସ ଆମକୁ ଛାଡ଼ିବାକୁ ପଡ଼ିବ । ମୁଁ ଭାବୁଛି ଆମକୁ ସାମାନ୍ୟ ବଦଳିବାକୁ ହେବ ।

ଆମ ପାଖରେ ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଗୁରୁତ୍ୱପୂର୍ଣ୍ଣ ଉପାୟ ରହିଛି ଯେ ଆମେ ମାନବୀୟ ବାହକଙ୍କୁ ଅଟକାଇବା। ମୁଁ ପୂର୍ବରୁ କହିଥିଲି ଯେ କରୋନା ଏପରି ଏକ ଜିନିଷ ଯାହାକୁ ଆପଣ ଯେପର୍ଯ୍ୟନ୍ତ ଆପଣ ଆଣିବେ ନାହିଁ ତାହା ଘରକୁ ଆସିବ ନାହିଁ। ସେଥିପାଇଁ ଯେଉଁ ମାନବ ସମ୍ବଳ ଅଛି ତା’କୁ ଆମ ସମସ୍ତଙ୍କୁ ଜାଗୃତ କରିବାକୁ ହେବ। ସେଥିରେ ନିୟମ ପାଳନ କରିବାକୁ ହେବ, ଏହା ଅତ୍ୟନ୍ତ ଆବଶ୍ୟକ। ନିଶ୍ଚିତ ଭାବେ ପରୀକ୍ଷଣ ଓ ଚିହ୍ନଟର ବହୁତ ବଡ଼ ଭୂମିକା ଏଥିରେ ରହିଛି। ଆମେ ପରୀକ୍ଷାକୁ ହାଲକା ଭାବେ ନେବା ଅନୁଚିତ୍।

ଆମକୁ ପ୍ରତ୍ୟେକ ରାଜ୍ୟରେ ଅଧିକ ମାତ୍ରାରେ ନମୁନା ପରୀକ୍ଷା ବଢ଼ାଇବାକୁ ହେବ, ସଂକ୍ରମଣ ହାରକୁ 5 ପ୍ରତିଶତ ଠାରୁ ତଳକୁ ଆଣିବାକୁ ପଡ଼ିବ ଆପଣମାନଙ୍କର ମନେ ଥିବ ଆରମ୍ଭରୁ ଯେତେବେଳେ କରୋନାର ଖବର ଆସିଥିଲା ଏମିତି କିଛି ଚର୍ଚ୍ଚା ହୋଇଥିଲା ଯେ ଏହି ରାଜ୍ୟ ଅତି ଅପାରଗ ସେଥିପାଇଁ ସେଠାରେ କରୋନା ସଂକ୍ରମର ବଢ଼ିଚାଲିଛି । କିନ୍ତୁ ଅମୁକ ରାଜ୍ୟ ଅତି ଭଲ ପ୍ରଦର୍ଶନ କରୁଛି । ରାଜ୍ୟଗୁଡ଼ିକୁ ସମାଲୋଚନା କରିବା ଅତି ସହଜ କଥା । ପ୍ରଥମ ବୈଠକରେ ମୁଁ କହିଥିଲି ଯେ ସଂଖ୍ୟା ବଢ଼ିବାକୁ ନେଇ ଆପଣ ଆଦୌ ଚିନ୍ତା କରନ୍ତୁ ନାହିଁ । ଏହି କାରଣରୁ ଆପଣଙ୍କର ପ୍ରଦର୍ଶନ ଭଲ ରହିଛି ସେ ଚିନ୍ତା ମଧ୍ୟ କରନ୍ତୁ ନାହିଁ । ଆପଣ ପରୀକ୍ଷା ଉପରେ ଜୋର ଦିଅନ୍ତୁ । ମୁଁ ଆଜି ମଧ୍ୟ ସେହି କଥା କହୁଛି। ସଂଖ୍ୟା ଅଧିକ ଅଛି ମାନେ ଆପଣ ଭୁଲ କରୁଛନ୍ତି, ଏହା ଭାବିବା ଅନାବଶ୍ୟକ। ଆପଣ ଅଧିକ ପରୀକ୍ଷା କରାଉଥିବାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେଣୁ ସଂକ୍ରମଣରୁ ବାହାରକୁ ଆସିବା ଲାଗି ଏହା ହିଁ ଏକମାତ୍ର ମାର୍ଗ। ଯେଉଁମାନେ ସମାଲୋଚନା କରୁଛନ୍ତି, ସେମାନେ ଅଳ୍ପ ଦିନ ଏପରି କରିବେ।

କିନ୍ତୁ ପରୀକ୍ଷା ହେଉଛି ଏକମାତ୍ର ରାସ୍ତା। ପରୀକ୍ଷା କାରଣରୁ ତଥ୍ୟ ବଢ଼ିଯାଇଛି, ସଂକ୍ରମିତ ଚିହ୍ନଟ ହେବା ଦରକାର। ମାତ୍ର ଏହି କାରଣରୁ ଗୋଟିଏ ରାଜ୍ୟ ଭଲ ଓ ଅନ୍ୟ ରାଜ୍ୟ ଖରାପ ଏପରି ମୂଲ୍ୟାଙ୍କନ ପଦ୍ଧତି ଠିକ୍ ନୁହେଁ। ସେଥିପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଏହି ଚାପରୁ ବାହାରକୁ ଆସନ୍ତୁ, ପରୀକ୍ଷା ଉପରେ ଜୋର ଦିଅନ୍ତୁ। ସଂକ୍ରମିତଙ୍କ ସଂଖ୍ୟା ଅଧିକ ହେଉ ପଛେ, ହେବାକୁ ଦିଅନ୍ତୁ । ଦେଖନ୍ତୁ, ଆମେ ତ’ ଏହି ଉପାୟ କରିପାରିବା ।

70 ପ୍ରତିଶତ ଆରଟି-ପିସିଆର ଟେଷ୍ଟ କରିବା ଆମର ଲକ୍ଷ୍ୟ। କିଛି ସ୍ଥାନରୁ ମୋ ପାଖକୁ ଖବର ଆସିଛି, ଅବଶ୍ୟ ମୁଁ ଯାଞ୍ଚ କରିନାହିଁ। ତେବେ ନମୁନା ପରୀକ୍ଷା କରୁଥିବା କିଛି ଲୋକ ପାଟି ଆଗରୁ ନମୁନା ସଂଗ୍ରହ କରିନେଉଛନ୍ତି। ପାଟିର ଅତି ଭିତରୁ ନମୁନା ସଂଗ୍ରହ ନକରି ବାସ୍ତବ ଫଳାଫଳ ପାଇବା କଷ୍ଟକର। ପାଟିର ଅତି ପାଖରୁ ନମୁନା ନେଇ ଗଲେ ଫଳାଫଳ ନେଗେଟିଭ୍ ଆସିବା ସ୍ୱଭାବିକ। ତେଣୁ ପାଟିର ସମ୍ପୂର୍ଣ୍ଣ ଭିତରୁ ନମୁନା ସଂଗ୍ରହ କରାଯିବା ଉଚିତ୍। ଯେଉଁସବୁ ରାଜ୍ୟରୁ ଏପରି ହେଉଛି ସେଗୁଡ଼ିକୁ ବନ୍ଦ କରିବା ଲାଗି ଚେଷ୍ଟା କରନ୍ତୁ। ଏଥିଯୋଗୁ ପଜିଟିଭ ହାର ବୃଦ୍ଧି ପାଉ ପଛେ ଚିନ୍ତା କରନ୍ତୁ ନାହିଁ। ପଜିଟିଭ ଲୋକମାନେ ଚିହ୍ନଟ ହେଲେ ଚିକିତ୍ସା ଆରମ୍ଭ ହେବ। କିନ୍ତୁ ଯଦି ହେବ ନାହିଁ ତା’ହେଲେ ଘରେ ସଂକ୍ରମଣ ବ୍ୟାପି ଚାଲି। ସାରା ପରିବାରକୁ, ପଡ଼ାକୁ, ସମ୍ପର୍କୟଙ୍କୁ, ସମସ୍ତଙ୍କୁ ସଂକ୍ରମଣ ବ୍ୟାପିଯିବ।

ଆମେ ଗତ ବୈଠକରେ ମଧ୍ୟ ଏ ସମ୍ପର୍କରେ ଆଲୋଚନା କରିଥିଲୁ ଯେ ଆରଟି-ପିସିଆର ଟେଷ୍ଟ ବଢ଼ାଇବାର ଆବଶ୍ୟକତା ରହିଛି। ଆଜି ମୁଁ ପୁଣିଥରେ କହୁଛି ନମୁନା ସଠିକ ଭାବେ ସଂଗ୍ରହ କରାଯିବା ଉଚିତ୍। ଆପଣ ଦେଖୁଥିବେ କିଛି ପରୀକ୍ଷାଗାରରୁ ସମସ୍ତଙ୍କୁ ନେଗେଟିଭ ପ୍ରମାଣପତ୍ର ଦିଆଯାଉଛି ଏବଂ ଆହୁରି କିଛି ପରୀକ୍ଷାଗାରରୁ ସମସ୍ତଙ୍କୁ ପଜିଟିଭ୍ ପ୍ରମାଣ କରି ଦିଆଯାଉଛି। ଏହା ଭଲ ଚିତ୍ର ନୁହେଁ। କୌଣସି ଠାରେ କିଛି ତ୍ରୁଟି ରହିଲେ ପ୍ରଶାସନ ମାଧ୍ୟମରେ ଆମକୁ ନିୟନ୍ତ୍ରଣ କରିବାକୁ ପଡ଼ିବ। କିଛି ରାଜ୍ୟକୁ ଏଥିପାଇଁ ଭିତ୍ତିଭୂମି ବଢ଼ାଇବାର ଆବଶ୍ୟକତା ରହିଛି, କିନ୍ତୁ ଏହାକୁ ଯେତେ ଅଧିକ କରିବା ସେତିକି ସହାୟକ ହେବ।

ପରୀକ୍ଷାରେ ଶିଫ୍ଟ ବଢ଼ାଇବାର ଆବଶ୍ୟକତା ରହିଛି ତା’ହେଲେ ମୁଁ ଭାବୁଛି ଏହାକୁ ମଧ୍ୟ କରାଯିବା ଉଚିତ୍। ଏଥିସହିତ ଯେପରି ମୁଁ ଆରମ୍ଭରୁ କହିଛି, କଣ୍ଟେନମେଣ୍ଟ ଜୋନରେ ମଧ୍ୟ ପରୀକ୍ଷା ଉପରେ ଜୋର ଦେବାର ଆବଶ୍ୟକତା ରହିଛି । ଆପଣ ଯେଉଁ କଣ୍ଟେନମେଣ୍ଟ ଜୋନ୍ ଚିହ୍ନଟ କରିଛନ୍ତି, ସେଠାରେ ଜଣେ ହେଲେ ବ୍ୟକ୍ତି ବିନା ପରୀକ୍ଷାରେ ରହିବା ଅନୁଚିତ୍। ଆପଣମାନେ ଦେଖନ୍ତୁ, ଆପଣଙ୍କୁ ତୁରନ୍ତ ପରିଣାମ ମିଳିବା ଆରମ୍ଭ ହୋଇଯିବ ।

ବନ୍ଧୁଗଣ,

ଯେପର୍ଯ୍ୟନ୍ତ ଚିହ୍ନଟର ପ୍ରଶ୍ନ ଉଠୁଛି, ପ୍ରଶାସନିକ ସ୍ତରରେ ପ୍ରତ୍ୟେକ ସଂକ୍ରମଣର ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଠାବ କରିବା, ପରୀକ୍ଷା କରିବା ଓ ସଙ୍ଗରୋଧ କରିବା କାର୍ଯ୍ୟ ଦ୍ରୁତ ଗତିରେ କରାଯିବା ଉଚିତ୍ । 72 ଘଣ୍ଟା ମଧ୍ୟରେ ଅତିକମରେ ସଂସ୍ପର୍ଶରେ ଆସିଥିବା 30 ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରିବାର ଲକ୍ଷ୍ୟ ଆମର କମିବା ଅନୁଚିତ୍ । ଜଣେ ବ୍ୟକ୍ତି ଯଦି ଚିହ୍ନଟ ହୁଅନ୍ତି ତା’ହେଲେ ତାଙ୍କ ସଂସ୍ପର୍ଶରେ ଆସିଥିବା 30 ଜଣ ଲୋକଙ୍କୁ ଆମେ ଚିହ୍ନଟ କରିବା ଉଚିତ୍ । କଣ୍ଟେନମେଣ୍ଟ ଜୋନର ସୀମା ସ୍ପଷ୍‌ଯ ହେବା ଉଚିତ । ଏଥିରେ ହେଳା କରାଯିବା ଅନୁଚିତ୍ । ସବୁ ଗଳିକନ୍ଦି, ଅଞ୍ଚଳରେ ଏହି ରଣନୀତିକୁ କାର୍ଯ୍ୟକାରୀ କରିବା ଉଚିତ୍। ଯଦି ଗୋଟିଏ ଛଅ ମହଲା ଅଟ୍ଟାଳିକାରେ ଦୁଇଟି ଲେଖାଏଁ ଫ୍ଲାଟ୍ ଅଛି ତା’ହେଲେ ସେଠାରେ ମଧ୍ୟ ସମସ୍ତଙ୍କର ନମୁନା ପରୀକ୍ଷା କରାଯିବା ଉଚିତ୍। ପାଖରେ ଥିବା କୋଠାକୁ ମଧ୍ୟ ବାଦ୍ ଦେବା ଅନୁଚିତ୍। ଅନ୍ୟଥା ଆମେ ସମସ୍ୟାରେ ପଡ଼ିବ। ସରଳ ମାର୍ଗ, କମ ପରିଶ୍ରମ କରିବାକୁ ହେବ, ଏହା ଭାବି ପଦକ୍ଷେପ ନେବା ଅନୁଚିତ୍ ।

ଆପଣମାନେ ସମସ୍ତେ ଏ ଦିଗରେ ସକ୍ରିୟ ଅଛନ୍ତି, କେବଳ ଆମର ସତର୍କତାରେ କୌଣସି ହ୍ରାସ ହେବା ଅନୁଚିତ୍‌, ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଏହି ଅନୁରୋଧ କରୁଛି । ଆମକୁ ଏହା ସୁନିଶ୍ଚିତ କରିବାକୁ ହେବ ଯେ କୋଭିଡ ଥକାପଣ କାରଣରୁ ତୃଣମୂଳସ୍ତର ପର୍ଯ୍ୟନ୍ତ କରାଯାଉଥିବା ପ୍ରୟାସ ବାଧିତ ହେବା ଅନୁଚିତ୍। କେତେକ ରାଜ୍ୟରେ କଣ୍ଟାକ୍ଟ ଟ୍ରେସିଂକୁ ପର୍ଯ୍ୟାୟକ୍ରମେ ଯାଞ୍ଚ କରିବା ଲାଗି ମଧ୍ୟ ଦଳ ଗଠନ କରାଯାଇଛି। ଏହାର ଭଲ ପରିଣାମ ମିଳୁଛି ।

ଆମ ସମସ୍ତଙ୍କର ଏହି ଅଭିଜ୍ଞତା ରହିଛି ଯେ କଣ୍ଟେନମେଣ୍ଟ ଜୋନରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏସଓପି ପାଳନ କରାଯାଉଛି । ଅତ୍ୟନ୍ତ ଅନୁଭୂତିସମ୍ପନ୍ନ ଲୋକମାନଙ୍କ ଦ୍ୱାରା ଏହି ଏସଓପିକୁ ପ୍ରସ୍ତୁତ କରାଯାଇଛି ଏବଂ ଏହାକୁ ମଝିରେ ମଝିରେ ଅପଡେଟ୍ କରାଯାଉଛି । ଏହାର ପ୍ରଭାବୀ ଢଙ୍ଗରେ ପାଳନ କରାଯାଉଛି, ସେଥିରେ ଆମକୁ ଭଲ ସଫଳତା ମିଳିପାରୁଛି । ତେଣୁ ମୁଁ ପରାମର୍ଶ ଦେଉଛି ଯେ ଏଥିପ୍ରତି ଆହୁରି ଅଧିକ ଧ୍ୟାନ ଦିଆଯିବା ଆବଶ୍ୟକ ।

ବନ୍ଧୁଗଣ,

ଆମେ ଆଲୋଚନା ସମୟରେ ମୃତ୍ୟୁ ହାର ଉପରେ ଚିନ୍ତା ବ୍ୟକ୍ତ କଲୁ। ଏହା ଅତି କମ୍ ରହିବା ଉଚିତ୍‌, ଏଥିପ୍ରତି ମଧ୍ୟ ଆମକୁ ଅଧିକ ଜୋର ଦେବାକୁ ହେବ। ଏହାର ମୂଳ କାରଣ ହେଉଛି ରୁଟିନ୍ ଲାଇଫ ବଞ୍ଚୁଥିବା ଲୋକମାନେ ଏହାକୁ ସାଧାରଣ ରୋଗ ବୋଲି ଧରି ନେଇଥାନ୍ତି, ସାରା ପରିବାରକୁ ଖେଳାଇ ଦେଇଥାନ୍ତି। ଏହାପରେ ସ୍ଥିତି ବିଗିଡ଼ି ଯିବା ପରେ ଡାକ୍ତରଖାନା ପର୍ଯ୍ୟନ୍ତ ଯାଇଥାନ୍ତି, ଏହାପରେ ପରୀକ୍ଷା କରାଯାଇଥାଏ। ହେଲେ ସେତେବେଳକୁ ସବୁକିଛି ହାତଛଡ଼ା ହୋଇଯାଇଥାଏ। ଆମ ପାଖରେ ପ୍ରତ୍ୟେକ ଡାକ୍ତରଖାନାରେ ମୃତ୍ୟୁ ଆକଳନ ସୂଚନା ରହିବା ଉଚିତ୍। କେଉଁ ସ୍ତରରେ ରୋଗ ବିଷୟରେ ଜଣାପଡ଼ିଛି, କେବେ ଭର୍ତ୍ତି କରାଯାଇଥିଲା, ରୋଗୀର ଅନ୍ୟ କେଉଁ ରୋଗସବୁ ରହିଥିଲା, ମୃତ୍ୟୁ ପଛରେ ଅନ୍ୟ କ’ଣ କାରଣ ରହିଛି, ଏସବୁ ତଥ୍ୟ ଯେତେ ବିସ୍ତୃତ ହେବ, ଆମେ ସେତିକି ଜୀବନ ରକ୍ଷା କରିବାରେ ସଫଳ ହୋଇପାରିବା।

ବନ୍ଧୁଗଣ,

ଆପଣମାନେ ଏହା ଜାଣିଥିବେ ଯେ ଦିଲ୍ଲୀ ଏମ୍ସରେ ପ୍ରତି ମଙ୍ଗଳବାର ଓ ଶୁକ୍ରବାର ଏ ବିଷୟରେ ୱେବିନାର ଆୟୋଜନ କରାଯାଉଛି ଏବଂ ସାରା ଦେଶରୁ ଡାକ୍ତରମାନେ ଏଥିରେ ଅଂଶଗ୍ରହଣ କରୁଛନ୍ତି, ଏପରି ଲଗାତାର ହେବା ଉଚିତ୍। ସବୁ ରାଜ୍ୟର ଡାକ୍ତରଖାନାଗୁଡ଼ିକ ଏହା ସହିତ ଯୋଡ଼ି ହୁଅନ୍ତୁ, ଯେଉଁ ଜାତୀୟ ଚିକିତ୍ସା ପରିଚାଳନା ନିୟମ ଚାଲିଛି, ତାହାର ସୂଚନା ସମସ୍ତଙ୍କ ପାଖରେ ରହୁ ଏହା ମଧ୍ୟ ଅତ୍ୟନ୍ତ ଜରୁରି। ତା’ଛଡ଼ା ଏହା ଏକ ଲଗାତାର ଯୋଗାଯୋଗ ବ୍ୟବସ୍ଥା। ଯେଉଁମାନେ ଚିକିତ୍ସା କ୍ଷେତ୍ରରେ ରହିଛନ୍ତି, ସେମାନଙ୍କୁ ସେମାନଙ୍କ ଭାଷାରେ ଲୋକମାନେ ବୁଝାନ୍ତୁ, ଏହାର ବ୍ୟବସ୍ଥା ହେଉ, ଏହାର ଲାଭ ନିଆଯାଉ। ସେହିପରି ଆମ୍ବୁଲାନ୍ସ, ଭେଣ୍ଟିଲେଟର ଓ ଅକ୍ସିଜେନ ସୁବିଧାର ମଧ୍ୟ ଲଗାତାର ସମୀକ୍ଷା କରାଯିବା ଆବଶ୍ୟକ। ବର୍ତ୍ତମାନ ସୁଦ୍ଧା ଆମେ ପୂର୍ବ ବର୍ଷର ସର୍ବାଧିକ ସଂକ୍ରମଣ ଥିବା ସ୍ତର ଭଳି ଅକ୍ସିଜେନ ଉପଯୋଗ କରିନାହୁଁ। ସେଥିପାଇଁ ପୁଣିଥରେ ବିଶ୍ଳେଷଣ କରିବା, ରିପୋର୍ଟକୁ ସାମାନ୍ୟ ଅନୁଧ୍ୟାନ କରି ନେବା ଠିକ୍ ହେବ।

ବନ୍ଧୁଗଣ, 

ଗୋଟିଏ ଦିନରେ ଆମେ 40 ଲକ୍ଷ ଟିକାକରଣ ଲକ୍ଷ୍ୟ ପାର କରିସାରିଛୁ। ଟିକାକରଣ ଉପରେ ଅନେକଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ବିନ୍ଦୁ ଉପରେ ଆଲୋଚନା ପାଇଁ ଆମ ପାଖରେ ସୁଯୋଗ ରହିଛି। ଦେଖନ୍ତୁ, ଟିକାକରଣରେ ମଧ୍ୟ ଆପଣମାନଙ୍କର ଅଧିକାରୀମାନଙ୍କୁ ନିୟୋଜିତ କରନ୍ତୁ। ସାରା ବିଶ୍ବରେ ଟିକାକରଣ ପାଇଁ ଯେଉଁସବୁ ସୁବିଧା ଉପଲବ୍ଧ ରହିଛି, ସେମାନେ ମଧ୍ୟ ଟିକାକରଣ ପାଇଁ ଯେଉଁ ନିୟମ ନିର୍ଦ୍ଧାରଣ କରିଛନ୍ତି, ଭାରତ ସେମାନଙ୍କ ଠାରୁ ଭିନ୍ନ ନୁହେଁ। ଆପଣମାନେ ଟିକିଏ ଅନୁଧ୍ୟାନ କରନ୍ତୁ, ଆପଣମାନେ ଶିକ୍ଷିତ ଲୋକ, ଆପଣଙ୍କ ପାଖରେ ଯେଉଁ ତଥ୍ୟ ଅଛି ତା’କୁ ଦେଖନ୍ତୁ।

ନୂଆ ଟିକା ବିକାଶ ପାଇଁ ଯଥାସମ୍ଭବ ପ୍ରୟାସ କରାଯାଉଛି, ସର୍ବାଧିକ ଟିକା ଉତ୍ପାଦନ କ୍ଷମତା ବଢ଼ାଇବା ନିମନ୍ତେ ପଦକ୍ଷେପ ନିଆଯାଉଛି। ଟିକା ବିକଶିତ ହେବା ଠାରୁ ଆରମ୍ଭ କରି ଷ୍ଟକ ଏବଂ ନଷ୍ଟ ହେବା ଭଳି ଜରୁରି ବିନ୍ଦୁ ଉପରେ ମଧ୍ୟ ଆଲୋଚନା ହୋଇଛି। ଏକଥା ସତ, ଆପଣମାନେ ମଧ୍ୟ ଏହା ଜାଣନ୍ତି ଯେ କେତେ ପରିମାଣରେ ଟିକା ପ୍ରସ୍ତୁତ ହୋଇପାରିବ। ଏମିତି ନୁହେଁ ରାତାରାତି ବଡ଼ ବଡ଼ କାରଖାନା ଛିଡ଼ା ହୋଇଯିବ। ଆମ ପାଖରେ ଯାହା ଉପଲବ୍ଧ ରହିଛି ଆମକୁ ସେଥିପ୍ରତି ପ୍ରାଥମିକତା ଦେବାକୁ ପଡ଼ିବ। ଗୋଟିଏ ରାଜ୍ୟରେ ସବୁ ମାଲ ରଖି ଦେଲେ ଆମକୁ ପରିଣାମ ମିଳିଯିବ ଏପରି ଚିନ୍ତାଧାରା ଠିକ ନୁହେଁ। ଆମକୁ ସାରା ଦେଶର ଧ୍ୟାନ ରଖି ତା’କୁ ପରିଚାଳନା କରିବାକୁ ପଡ଼ିବ। କୋଭିଡ ପରିଚାଳନାର ବହୁତ ବଡ଼ ଭାଗ, ଟିକା ନଷ୍ଟ ହେବାରୁ ରୋକିବା ମଧ୍ୟ।

ବନ୍ଧୁଗଣ,

ଟିକାକରଣକୁ ନେଇ ରାଜ୍ୟ ସରକାରଙ୍କ ପରାମର୍ଶ, ଉପଦେଶ ଓ ସହମତି କାରଣରୁ ଦେଶବ୍ୟାପୀ ରଣନୀତି ପ୍ରସ୍ତୁତ ହୋଇଛି। ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ କରିବି ଯେ ଅଧିକ ଫୋକସ ଯେଉଁ ସବୁ ଜିଲ୍ଲା ଉପରେ ରହିଛି, ସେଠାରେ 45 ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କର ଶତ-ପ୍ରତିଶତ ଟିକାକରଣ ପାଇଁ ଲଗାତାର ପ୍ରୟାସ କରନ୍ତୁ। ଥରେ ଏହି ଲକ୍ଷ୍ୟ ହାସଲ କରି ଦେଖନ୍ତୁ। ମୁଁ ଏକ ପରାମର୍ଶ ଦେଉଛି। କାରଣ ବାତାବରଣ ବଦଳାଇବା ପାଇଁ ଏକଥାଗୁଡ଼ିକ ବେଶ୍ କାମରେ ଆସିଥାଏ। 11 ଏପ୍ରିଲ ଦିନ ଜ୍ୟୋତିବା ଫୁଲେଙ୍କ ଜୟନ୍ତୀ ଓ 14 ଏପ୍ରିଲରେ ବାବାସାହେବଙ୍କ ଜୟନ୍ତୀ। ଆମେ 11 ଏପ୍ରିଲରୁ 14 ଏପ୍ରିଲ ପର୍ଯ୍ୟନ୍ତ ଆମ ରାଜ୍ୟରେ ‘ଟିକା ଉତ୍ସବ’ ପାଳନ କରିପାରିବା। ‘ଟିକା ଉତ୍ସବ’ ପାଇଁ ଏକ ସମ୍ପୂର୍ଣ୍ଣ ବାତାବରଣ ତିଆରି କରିବା।

ଏକ ବିଶେଷ ଅଭିଯାନ ଆରମ୍ଭ କରି ଆମେ ଅଧିକରୁ ଅଧିକ ଯୋଗ୍ୟ ଲୋକଙ୍କୁ ଟିକା ଦେବା, ନଷ୍ଟ ହେବାକୁ ଯେତେ କମ କରିପାରିବା। ଏହି ଚାରି ଦିନ ‘ଟିକା ଉତ୍ସବ’ରେ ଟିକା ନଷ୍ଟକୁ ସମ୍ପୂର୍ଣ୍ଣ ରୋକି ପାରିଲେ ଆମର ଟିକାକରଣ କ୍ଷମତା ବୃଦ୍ଧି ପାଇବ। ଆମର ଟିକାକରଣ କ୍ଷମତାର ସର୍ବାଧିକ ଉପଯୋ ଆମେ କରିବା। ଯଦି ଏଥିପାଇଁ ଆମକୁ ଟିକାକରଣ କେନ୍ଦ୍ର ସଂଖ୍ୟା ବଢ଼ାଇବାକୁ ହେବ ତାହା ମଧ୍ୟ ଆମେ ବଢ଼ାଇବା। କିନ୍ତୁ ଥରେ ଦେଖିବା 11ରୁ 14 ଏପ୍ରିଲ, ଆମେ କିପରି ଭାବେ ସବୁକଥାକୁ ଆଗେଇ ନେବା ସେଥିପାଇଁ ପ୍ରୟାସ କରିବା। ଏହା ଆମକୁ ଏକ ସଫଳତାର ସନ୍ତୋଷ ଦେବ। ଏହା ବାତାବରଣ ବଦଳାଇବାରେ ଖୁବ କାମରେ ଆସିବ। ଆହୁରି ଭାରତ ସରକାରଙ୍କୁ ମଧ୍ୟ ମୁଁ କହିଛି ଯେ ଯେତେ ଅଧିକ ମାତ୍ରାରେ ଆମେ ଟିକା ଯୋଗାଣ କରିପାରିବୁ, ସେଥିପାଇଁ ଆମେ ପ୍ରୟାସ କରିବୁ। ଆମେ ଏଥିପାଇଁ ଉଦ୍ୟମ କରୁଛୁ। ଏହି ‘ଟିକା ଉତ୍ସବ’ରେ ଯେତେ ଅଧିକ ଲୋକଙ୍କୁ ଟିକା ଦେଇପାରିବା ସେଥିପାଇଁ ଆମର ପ୍ରୟାସ ହେବା ଉଚିତ୍, ତାହା ପୁଣି ଯୋଗ୍ୟ ବର୍ଗଙ୍କୁ।

ମୁଁ ଦେଶର ଯୁବକମାନଙ୍କୁ ଅନୁରୋଧ କରିବି ଯେ ଆପଣ ନିଜ ଆଖପାଖର 45 ବର୍ଷର ଊର୍ଦ୍ଧ୍ବ ବୟସ୍କ ଲୋକମାନଙ୍କୁ ଟିକା ଦେବାରେ ସହାୟତା କରନ୍ତୁ। ଯୁବକମାନଙ୍କୁ ମୁଁ ବିଶେଷ ଭାବେ ଅନୁରୋଧ କରିବି ଯେ ସେମାନେ ସୁସ୍ଥ, ସାମର୍ଥ୍ୟବାନ ଓ ଅନେକ କିଛି କରିପାରିବେ। ମୋ ଦେଶର ଯୁବକମାନେ ଯଦି କରୋନାର ଏସଓପି, ପ୍ରୋଟୋକଲ ପାଳନ କରିବେ, ମାସ୍କ ପିନ୍ଧିବେ, ସାମାଜିକ ଦୂରତା ରକ୍ଷା କରିବେ ଏବଂ କରୋନା ବିରୋଧୀ ଲଢ଼େଇରେ ନେତୃତ୍ବ ନେବେ ତା’ହେଲେ କରୋନାର କୌଣସି ଶକ୍ତି ସେମାନଙ୍କ ନିକଟରେ ପହଞ୍ଚି ପାରିବ ନାହିଁ।

ପ୍ରଥମେ ଯୁବକମାନେ ଏହି ସତର୍କତା ଅବଲମ୍ବନ କରିବା ଉପରେ ଆମେ ଜୋର ଦେବା। ଯୁବକମାନଙ୍କୁ ଆମେ ଯେତିକି ଟିକା ପାଇଁ ବାଧ୍ୟ କରିବାକୁ ଚାହୁଁଛୁ ତାଙ୍କୁ ସେତିକି ପ୍ରୋଟୋକଲ ପାଇଁ ଅନୁପ୍ରାଣିତ କରିବୁ। ଯଦି ଆମର ଯୁବକମାନେ ଏହାର ଦାୟିତ୍ବ ମୁଣ୍ଡାଇବେ, ନିଜେ ପ୍ରୋଟୋକଲ ପାଳନ କରିବେ ଅନ୍ୟମାନଙ୍କ ଦ୍ବାରା କରାଇବେ, ପୁଣିଥରେ ଦେଶରେ ସେହି ସ୍ଥିତି ଦେଖାଦେବ। ଯାହାଫଳରେ ଆମେ ସଂକ୍ରମଣର ଶୀର୍ଷରେ ଥାଇ ମଧ୍ୟ ସର୍ବନିମ୍ନ ସ୍ତରକୁ ଆସିପାରିଥିଲୁ। ଏହି ବିଶ୍ବାସକୁ ନେଇ ଆମେ ଆଗକୁ ବଢ଼ିପାରିବା।

ସରକାର ଏକ ଡିଜିଟାଲ ବ୍ୟବସ୍ଥା କରିଛନ୍ତି ଯାହାଫଳରେ ଲୋକମାନଙ୍କୁ ଟିକାକରଣରେ ସହାୟତା ମିଳୁଛି। ଅତି ଭଲ ଅନୁଭବ ସବୁ ଲୋକମାନେ ଲେଖୁଛନ୍ତି ମଧ୍ୟ ଯେ ମୋର ଅତି ଭଲ ଅନୁଭବ ହେଉଛି। କିନ୍ତୁ ଏହି ଡିଜିଟାଲ ବ୍ୟବସ୍ଥା ସହ ଯୋଡ଼ି ହେବାରେ ଯେଉଁ ସମସ୍ୟା ଦେଖାଦେଉଛି, ଯେଉଁ ଗରିବ ଲୋକମାନେ ଅଛନ୍ତି ଯାହାଙ୍କ ପାଇଁ ପ୍ରଯୁକ୍ତି ଅବୁଝା ରହୁଛି; ସେମାନଙ୍କୁ ସହାୟତା କରିବା ଲାଗି ଆଗେଇ ଆସିବାକୁ ମୁଁ ଯୁବକମାନଙ୍କୁ ଅନୁରୋଧ କରିବି। ଆମର ଏନସିସି, ଏନଏସଏସ, ଆମ ରାଜ୍ୟ ସରକାରଙ୍କ ବ୍ୟବସ୍ଥା ସେମାନଙ୍କୁ ମଧ୍ୟ ଆମେ କାମରେ ଲଗାଇବା ଯାହାଫଳରେ ଲୋକମାନଙ୍କୁ ସହାୟତା ମିଳିପାରିବ। ଆମକୁ ଏ ସମ୍ପର୍କରେ ଚିନ୍ତା କରିବାକୁ ପଡ଼ିବ।

ସହରରେ ଏକ ବହୁତ ବଡ଼ ବର୍ଗ ଅଛନ୍ତି ଯେଉଁମାନେ ଗରିବ, ବୟସ୍କ, ବସ୍ତି ଅଞ୍ଚଳରେ ରହୁଛନ୍ତି, ସେମାନଙ୍କ ନିକଟରେ ଏକଥା ପହଞ୍ଚାଇବା। ସେମାନଙ୍କୁ ଆମେ ଟିକା ଦେବା ଲାଗି ନେଇଯିବା। ଆମର ସ୍ବେଚ୍ଛାସେବୀ, ନାଗରିକ ସମାଜ, ଯୁବକ, ଆମ ସରକାର ଏ ଦିଗରେ ପଦକ୍ଷେପ ନେବା ଆବଶ୍ୟକ। ସେମାନଙ୍କୁ ପ୍ରାଥମିକତା ଆଧାରରେ ଟିକା ଲଗାଇବା ପାଇଁ ଆମେ ପ୍ରୟାସ କରିବା ଉଚିତ। ଆମକୁ ଏହି ପୁଣ୍ୟ କାମ ପାଇଁ ସନ୍ତୋଷ ମିଳିବ। ଆମମାନଙ୍କୁ ସେମାନଙ୍କ ଚିନ୍ତା ନିଶ୍ଚିତ ଭାବେ କରିବାକୁ ପଡ଼ିବ। ଟିକାକରଣ ସହିତ ଆମକୁ ଏଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ହେବ ଯେ ଟିକା ଲଗାଇବା ପରେ ବେପରୁଆମୀ ଯେପରି ବୃଦ୍ଧି ନପାଏ। ସବୁଠୁ ବଡ଼ ସଙ୍କଟ ହେଉଛି, ଭାଇ ଏବେ ମୋର କିଛି ହେବ ନାହିଁ। ପ୍ରଥମ ଦିନରୁ ମୁଁ କହିଆସୁଛି ଯେ ଦବାଇ ଭି କଡ଼ାଇ ଭି (ଟିକା ସହିତ ସତର୍କତା)।

ଆମମାନଙ୍କୁ ଏକଥା ବାରମ୍ବାର କହିବାକୁ ହେବ ଯେ ଟିକା ଲଗାଇବା ପରେ ମଧ୍ୟ ମାସ୍କ ଓ ଅନ୍ୟ ପ୍ରୋଟୋକଲ ରହିଛି ଯାହାର ପାଳନ ଆହୁରି ବାଧ୍ୟତାମୂଳକ ହୋଇଯାଇଛି। ବ୍ୟକ୍ତିଗତ ସ୍ତରରେ ଲୋକମାନଙ୍କ ମଧ୍ୟରେ ମାସ୍କ ଓ ସତର୍କତାକୁ ନେଇ ବେଶ୍ ବେପରୁଆମି ଦେଖିବାକୁ ମିଳିଛି, ଏଥିପାଇଁ ପୁଣିଥରେ ସଚେତନତା ଜରୁରି। ସଚେତନତାର ଏହି ଅଭିଯାନରେ ଆମକୁ ପୁଣିଥରେ ସମାଜର ପ୍ରଭାବଶାଳୀ ବ୍ୟକ୍ତି, ସାମାଜିକ ସଂଗଠନ, ସେଲିବ୍ରିଟି, ଜନମତ ସୃଷ୍ଟିକାରୀଙ୍କୁ ଆମ ସହିତ ଯୋଡ଼ିବାକୁ ହେବ। ଏଥିପାଇଁ ମୁଁ ଅନୁରୋଧ କରୁଛି ଯେ ରାଜ୍ୟପାଳଙ୍କ ନାମରେ ଆମର ଏଠି ଯେଉଁ ସଂସ୍ଥା ରହିଛି ତା’ର ମଧ୍ୟ ଭରପୂର ଉପଯୋଗ କରାଯିବା ଉଚିତ୍।

ରାଜ୍ୟପାଳ ମହୋଦୟଙ୍କ ନେତୃତ୍ବରେ, ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ସର୍ବଦଳୀୟ ବୈଠକ ରାଜ୍ୟଗୁଡ଼ିକ ପ୍ରଥମେ ଆୟୋଜନ କରିବା ଉଚିତ୍। ରାଜ୍ୟଗୁଡ଼ିକ ସର୍ବଦଳୀୟ ବୈଠକ ଆୟୋଜନ କରନ୍ତୁ ଏବଂ ଏଥିରେ କାର୍ଯ୍ୟଖସଡ଼ା ବିନ୍ଦୁ ନିର୍ଦ୍ଧାରଣ କରନ୍ତୁ। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଯେତେ ଜଣ ନିର୍ବାଚିତ ପ୍ରତିନିଧି ଅଛନ୍ତି ସେମାନଙ୍କୁ ନେଇ ଭର୍ଚୁଆଲ ୱେବିନାର ଆୟୋଜନ କରାଯାଉ। ପ୍ରଥମେ ସହରାଞ୍ଚଳ ପ୍ରଶାସନ, ଏହାପରେ ଗ୍ରାମାଞ୍ଚଳ ପ୍ରଶାସନକୁ ନେଇ ଏହା କରାଯାଉ। ଯେଉଁମାନେ ନିର୍ବାଚିତ ହୋଇ ଆସିଛନ୍ତି ସେମାନେ ସମସ୍ତେ ସାମିଲ ହୁଅନ୍ତୁ। ଯେଉଁମାନେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି, ଯେଉଁମାନେ ଗୃହର ନେତା ଅଛନ୍ତି, ସମସ୍ତେ ସମ୍ବୋଧନ କରନ୍ତୁ। ଯାହାଫଳରେ ଏକ ସକାରାତ୍ମକ ବାର୍ତ୍ତା ଚାରି ଆଡ଼କୁ ଯିବ। ଏଥିରେ ରାଜନୀତି କରିବାର ନାହିଁ। ସମସ୍ତଙ୍କୁ ମିଳିମିଶି ପଦକ୍ଷେପ ନେବାକୁ ହେବ। ମୁଁ ଭାବୁଛି ଏଥିପାଇଁ ପ୍ରୟାସ କରାଯିବା ଉଚିତ୍।

ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଧିକ କାମ ରହିଥାଏ। ତେଣୁ ରାଜ୍ୟପାଳଙ୍କ ନେତୃତ୍ବରେ ଗୋଟିଏ ଦୁଇଟି ବଡ଼ ଶିଖର ସମ୍ମିଳନୀ ହେଉ। ୱେବିନାର ମଧ୍ୟ ଆୟୋଜନ କରାଯାଉ। ସହରରେ ସ୍ଥାନୀୟ ଧାର୍ମିକ ନେତାମାନଙ୍କୁ ନିମନ୍ତ୍ରଣ କରି ସମ୍ମିଳନୀ ଆୟୋଜନ କରାଯାଉ ଏବଂ ଅନ୍ୟ ଲୋକମାନଙ୍କୁ ଭର୍ଚୁଆଲ ମାଧ୍ୟମରେ ଯୋଡ଼ାଯାଉ। ସେଲିବ୍ରିଟି, ଲେଖକ, କଳାକାର, ଖେଳାଳୀ ସେମାନଙ୍କୁ ଥର ଥର କରି ଏଥିରେ ସାମିଲ କରାଯାଉ।

ମୁଁ ଭାବୁଛି ରାଜ୍ୟପାଳଙ୍କ ମାଧ୍ୟମରେ ଏପରି ଲଗାତାର ଭିନ୍ନ ଭିନ୍ନ ସମାଜର ଲୋକମାନଙ୍କୁ ନେଇ ଆନ୍ଦୋଳନ କରାଯାଉ। ଆପଣମାନେ ଏସବୁ ପ୍ରୋଟୋକଲ ପାଳନ କରନ୍ତୁ। ପରୀକ୍ଷା ଉପରେ ଜୋର ଦିଅନ୍ତୁ। କିନ୍ତୁ ଆମର ଏଠି ଦେଖିବାକୁ ମିଳୁଛି ଯେ ଆମେ ପରୀକ୍ଷାକୁ ସମ୍ପୂର୍ଣ୍ଣ ଭୁଲି ଯାଇ ଟିକା ଉପରେ ନିର୍ଭରଶୀଳ ହୋଇପଡ଼ିଛୁ। ଟିକା ଯେତେବେଳେ ଉତ୍ପାଦନ କରାଯିବ ସେତେବେଳେ ଆସିବ। ଆମେ ବିନା ଟିକାରେ ଲଢ଼େଇ ଜିତିଛୁ। ଟିକା ଆସିବ କି ନାହିଁ ତାହା ମଧ୍ୟ ଭରସା ନଥିଲା। ସେତେବେଳେ ଆମେ ଯୁଦ୍ଧ ଜିତିଥିଲୁ। ଆଜି ଆମେମାନେ ଏପରି ଭୟଭୀତ ହେବା ଅନାବଶ୍ୟକ। ଲୋକମାନଙ୍କୁ ଭୟଭୀତ ହେବାକୁ ଦେବା ନାହିଁ।

ଯଦି ଆମେ ପୂର୍ବ ପରି ଏହାର ମୁକାବିଲା କରିବା, ତା’ହେଲେ ଜିତିପାରିବା। ମୁଁ ଯେମିତି କହିଛି- ସାରା ପରିବାର ମହାମାରୀ କବଳିତ ହୋଇଯାଉଛି। ଏହାର ମୂଳ କାରଣ ମୁଁ ଦେଖିପାରୁଛି। ଆପଣମାନେ ନିଜେ ଧ୍ୟାନ ଦିଅନ୍ତୁ। ମୁଁ କାହା ଉପରେ ଏହାର ଦାବି କରୁନାହିଁ। ମୁଁ କେବଳ ଆପଣମାନଙ୍କର ଧ୍ୟାନ ଆକର୍ଷିତ କରିବା ଲାଗି ଚାହୁଁଛି। ଲକ୍ଷଣବିହୀନ ହୋଇଥିବା କାରଣରୁ ଆରମ୍ଭରୁ ଏହା ସାରା ପରିବାର ଲୋକଙ୍କୁ ବ୍ୟାପି ଯାଉଛି। ଏହାପରେ ଅଚାନକ ପରିବାରରେ ଥିବା ଅସୁସ୍ଥ ବ୍ୟକ୍ତି ସମ୍ପୂର୍ଣ୍ଣ ସଙ୍କଟ ମଧ୍ୟକୁ ଚାଲିଯାଉଛି, ଏହାପରେ ସାରା ପରିବାର ପ୍ରତି ସଙ୍କଟ ମାଡ଼ି ଆସୁଛି।

ସେଥିପାଇଁ ମୁଁ ଅନୁରୋଧ କରୁଛି ଯେ ସକ୍ରିୟ ହୋଇ ଆମକୁ ନମୁନା ପରୀକ୍ଷା ଉପରେ ବଳ ଦେବାକୁ ହେବ। ଆମ ପାଖରେ ବ୍ୟବସ୍ଥା ରହିଛି। ହିନ୍ଦୁସ୍ତାନର ପ୍ରତ୍ୟେକ ଜିଲ୍ଲାରେ ପରୀକ୍ଷାଗାର ନିର୍ମିତ ହୋଇସାରିଛି। ଗୋଟିଏ ପରୀକ୍ଷାଗାରରୁ ଆରମ୍ଭ ହୋଇଥିଲା। ଆଜି ପ୍ରତ୍ୟେକ ଜିଲ୍ଲାରେ ପରୀକ୍ଷାଗାର ଅଛି। ଆମେ ଏଥିପ୍ରତି ଯଦି ଗୁରୁତ୍ବ ନଦେବା ତା’ହେଲେ କ’ଣ ହେବ?

ସେଥିପାଇଁ ମୁଁ ଅନୁରୋଧ କରୁଛି, ରାଜନୀତି କରିବା ନକରିବାର ପ୍ରଶ୍ନ ଉଠିଲେ, ମୁଁ ପ୍ରଥମ ଦିନରୁ ଦେଖି ଆସୁଛି ଯେ ଅନେକଗୁଡ଼ିଏ ବୟାନ ଦିଆଯାଉଛି। ମୁଁ ସେଗୁଡ଼ିକର ସମ୍ମୁଖିନ ହୋଇଛି, କିନ୍ତୁ କେବେ ମୁଁ ଖୋଲିନାହିଁ। କାରଣ ମୋର ଚିନ୍ତାଧାରା ହେଉଛି ହିନ୍ଦୁସ୍ତାନର ଲୋକମାନଙ୍କର ସେବା କରିବା ଆମର ପବିତ୍ର ଦାୟିତ୍ବ। ଈଶ୍ବର ଆମକୁ ଏହି କଠିନ ପରିସ୍ଥିତିରେ ସେବା କରିବାର ଦାୟିତ୍ବ ଦେଇଛନ୍ତି। ଆମେ ଏହାକୁ ନିର୍ବାହ ମଧ୍ୟ କରିଛୁ। ଯେଉଁମାନେ ରାଜନୀତି କରିବାକୁ ଚାହୁଁଛନ୍ତି ସେମାନେ କରିଚାଲିଛନ୍ତି। ସେମାନଙ୍କ ପାଇଁ ମୁଁ କିଛି କହିବାକୁ ଚାହୁଁନାହିଁ। କିନ୍ତୁ ଆମର ସମସ୍ତ ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟର ସବୁ ଦଳକୁ ନିମନ୍ତ୍ରଣ କରି, ସବୁ ବର୍ଗର ଲୋକମାନଙ୍କୁ ସାଥୀରେ ନେଇ ନିଜ ରାଜ୍ୟରେ ସ୍ଥିତିକୁ ବଦଳାଇବା ଲାଗି ଆଗକୁ ଆସନ୍ତୁ। ମୋର ସମ୍ପୂର୍ଣ୍ଣ ବିଶ୍ବାସ ଯେ ଏହି ସଙ୍କଟକୁ ଆମେ ଦେଖୁ ଦେଖୁ ଅତିକ୍ରମ କରି ଚାଲିଯିବା।

ପୁଣିଥରେ ମୋର ମନ୍ତ୍ର ହେଉଛି ‘ଦବାଇ ଭି କଡ଼ାଇ ଭି’। ଏ ବିଷୟରେ କୌଣସି ସାଲିସ୍ କରନ୍ତୁ ନାହିଁ। ମୁଁ ଗତଥର ମଧ୍ୟ କହିଥିଲି, ଧରିନିଅନ୍ତୁ ଆପଣ ସର୍ଦ୍ଦି ଔଷଧ ଖାଇଛନ୍ତି, ବାହାରେ ବର୍ଷା ଆସୁଛି, ଆପଣ କହିବେ ମୁଁ ଛତାର ଉପଯୋଗ କରିବି ନାହିଁ। ଏପରି ହୋଇପାରିବ ନାହିଁ। ଆପଣଙ୍କୁ ଯଦି ସର୍ଦ୍ଦି ହୋଇଛି, ଔଷଧ ଖାଇଛନ୍ତି, ତଥାପି ମଧ୍ୟ ବାହାରେ ବର୍ଷା ହେଲେ ଆପଣଙ୍କୁ ଛତା ନେଇ ଯିବାକୁ ହେବ ରେନ୍ କୋଟ୍ ପିନ୍ଧିବାକୁ ପଡ଼ିବ। ସେହିପରି କରୋନା ଏପରି ଏକ ରୋଗ ଯାହାକୁ କେବଳ ପ୍ରୋଟୋକଲ ପାଳନ କରି ନିଜକୁ ସୁରକ୍ଷିତ ରଖାଯାଇପାରିବ।

ଆହୁରି ମୁଁ ଏହା କହିବାକୁ ଚାହିଁବି ଯେ ଆମେ ଗତଥର ଯେପରି କରୋନାକୁ ନିୟନ୍ତ୍ରିତ କରିଥିଲୁ, ଆମେ ଏଥର ମଧ୍ୟ ସେପରି କରିବୁ। ମୋର ସମ୍ପୂର୍ଣ୍ଣ ବିଶ୍ବାସ ରହିଛି ଯେ ମୋର ଆପଣଙ୍କ ଉପରେ ଭରସା ରହିଛି, ଯଦି ଆପଣ ପ୍ରୟାସ କରିବେ, ଚିନ୍ତା କରିବେ ଏବଂ ପରୀକ୍ଷା ଉପରେ ଜୋର ଦେବେ ତା’ହେଲେ ସଫଳତା ମିଳିପାରିବ। ଟିକାକରଣ ଏକ ଦୀର୍ଘ ପ୍ରକ୍ରିୟା। ଏହାକୁ ଲମ୍ବା ସମୟ ପର୍ଯ୍ୟନ୍ତ ଆମକୁ ଚଳାଇବାକୁ ପଡ଼ିବ। ଏଥିପ୍ରତି ଆଜି ଆମକୁ ବଳ ଦେବାକୁ ହେବ। ଆମେ ଯେଉଁ ‘ଟିକା ଉତ୍ସବ’ ଏକ ଉଲ୍ଲେଖନୀୟ ସଫଳତାରେ ପରିଣତ କରିବା ଲାଗି ଯୋଜନା କରିଛୁ, ସେଥିରୁ ଆମେ ଏକ ନୂଆ ସଫଳତା ପାଇବା ବୋଲି ମୁଁ ଆଶା କରୁଛି। ଏକ ନୂତନ ବିଶ୍ବାସ ସୃଷ୍ଟି କରିବା ଲାଗି ଏକ ଛୋଟ ଅବସର ବିଶେଷ ଭାବେ କାମ ଦେଇପାରେ। ମୁଁ ପୁଣିଥରେ ଆପଣଙ୍କ ପରାମର୍ଶକୁ ଅପେକ୍ଷା କରିବି।

ବହୁତ ବହୁତ ଧନ୍ୟବାଦ! 

Modi Govt's #7YearsOfSeva
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
From Journalists to Critics and Kids — How Modi Silently Helped People in Distress

Media Coverage

From Journalists to Critics and Kids — How Modi Silently Helped People in Distress
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 14, 2021
June 14, 2021
ସେୟାର
 
Comments

On the second day of the Outreach Sessions of the G7 Summit, PM Modi took part in two sessions titled ‘Building Back Together—Open Societies and Economies’ and ‘Building Back Greener: Climate and Nature’

Citizens along with PM Narendra Modi appreciates UP CM Yogi Adityanath for his initiative 'Elderline Project, meant to assist and care elderly people in health and legal matters

India is heading in the right direction under the guidance of PM Narendra Modi