“ଆମମାନଙ୍କର ସମସ୍ତଙ୍କ ଭିନ୍ନ ଭିନ୍ନ ଭୂମିକା, ଭିନ୍ନ ଭିନ୍ନ ଦାୟିତ୍ୱ, ଭିନ୍ନ ଭିନ୍ନ କାର୍ଯ୍ୟଶୈଳୀ ରହିଛି, କିନ୍ତୁ ଆମ ଆସ୍ଥା, ପ୍ରେରଣା ଓ ଶକ୍ତିର ଉତ୍ସ ସମାନ- ତାହା ହେଉଛି ଆମର ସମ୍ବିଧାନ ।”
“ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ – ସବକା ପ୍ରୟାସ ହେଉଛି ସମ୍ବିଧାନର ଭାବନାକୁ ପରିପ୍ରକାଶ କରିବାର ସବୁଠାରୁ ବଡ଼ ପ୍ରୟାସ । ସରକାର ସମ୍ବିଧାନ ପ୍ରତି ନିଜକୁ ଉତ୍ସର୍ଗ କରିଛନ୍ତି, ବିକାଶରେ କୌଣସି ବାଛବିଚାର କରିନାହାନ୍ତି ।”
“ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ୟାରିସ୍‍ ରାଜିନାମାର ଲକ୍ଷ୍ୟକୁ ହାସଲ କରିବା ପଥରେ ଭାରତ ହେଉଛି ଏକମାତ୍ର ରାଷ୍ଟ୍ର । ତଥାପି, ପର୍ଯ୍ୟାବରଣ ନାମରେ, ଭାରତରେ ବିଭିନ୍ନ ପ୍ରକାର ଚାପ ପ୍ରୟୋଗ କରାଯାଉଛି । ଏହା ହେଉଛି ଉପନିବେଶବାଦୀ ମାନସିକତାର ପରିଣାମ ।”
“ କ୍ଷମତାର ପୃଥକୀକରଣର ସୁଦୃଢ଼ ଭିତ୍ତିଭୂମି ଉପରେ, ଆମେ ସାମୂହିକ ଦାୟିତ୍ୱବୋଧର ପଥକୁ ପରିଷ୍କାର କରିବାକୁ ପଡ଼ିବ, ଏଥିପାଇଁ ରୋଡ଼ମ୍ୟାପ୍‍ ସୃଷ୍ଟି କରିବାକୁହେବ, ଲକ୍ଷ୍ୟ ସ୍ଥିର କରିବାକୁ ହେବ ଏବଂ ଦେଶକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାକୁ ହେବ ।”

ନମସ୍କାର!

ମୁଖ୍ୟ ବିଚାରପତି ଏନ୍‌. ଭି. ରମନା, ବିଚାରପତି ୟୁ. ୟୁ. ଲଳିତ ଜୀ, ଆଇନ୍ ମନ୍ତ୍ରୀ କିରଣ ରିଜିଜୁ ଜୀ, ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ ଜୀ, ଆଟର୍ଣ୍ଣି ଜେନେରାଲ୍ ଶ୍ରୀ କେ. କେ. ବେଣୁଗୋପାଳ ଜୀ, ସୁପ୍ରିମ୍‌କୋର୍ଟ ବାର ଆସୋସିଏସନ୍‌ର ଅଧ୍ୟକ୍ଷ ଶ୍ରୀ ବିକାଶ ସିଂହ ଜୀ, ଏବଂ ଦେଶର ନ୍ୟାୟ ବ୍ୟବସ୍ଥା ସହିତ ଯୋଡି ହୋଇ ରହିଥିବା ସମସ୍ତ ଦେବୀ ଏବଂ ସଜ୍ଜନ ବୃନ୍ଦ!

ଆଜି ସକାଳେ ବିଧାୟିକା ଏବଂ କାର୍ଯ୍ୟପାଳିକାର ସହଯୋଗୀମାନଙ୍କ ସହିତ ଥିଲି । ଏବଂ ଏବେ ନ୍ୟାୟପାଳିକା ସହିତ ଯୋଡି ହୋଇ ରହିଥିବା ଆପଣ ସମସ୍ତ ବିଦ୍ୱାନମାନଙ୍କ ସହିତ ରହିଛି । ଆମ ସମସ୍ତଙ୍କର ଭିନ୍ନ ଭିନ୍ନ ଭୂମିକା, ଭିନ୍ନ୍ ଭିନ୍ନ ଦାୟିତ୍ୱବୋଧ, ଏବଂ କାମ କରିବାର ଉପାୟ ମଧ୍ୟ ଅଲଗା ହୋଇପାରେ, କିନ୍ତୁ ଆମମାନଙ୍କର ଆସ୍ଥା, ପ୍ରେରଣା ଏବଂ ଶକ୍ତିର ଉତ୍ସ ହେଉଛି ଗୋଟିଏ – ତାହା ହେଉଛି ଆମର ସମ୍ବିଧାନ! ମୁଁ ବହୁତ ଖୁସି ଯେ, ଆମର ଏହି ସାମୂହିକ ଭାବନା ସମ୍ବିଧାନ ଦିବସ ଅବସରରେ ଏହି ଭଳି ଆୟୋଜନ ରୂପରେ ବ୍ୟକ୍ତ ହେଉଛି, ଆମର ସାମ୍ବିଧାନିକ ସଙ୍କଳ୍ପକୁ ଦୃଢ଼ କରୁଛି । ଏହି କାର୍ଯ୍ୟ ସହିତ ଯୋଡି ହୋଇ ରହିଥିବା ପ୍ରତ୍ୟେକ ବ୍ୟକ୍ତି ଅଭିନନ୍ଦନର ଅଧିକାରୀ ଅଟନ୍ତି ।

ମାନନୀୟ,

ସ୍ୱାଧୀନତା ପାଇଁ ବଂଚିଥିବା ଏବଂ ମୃତ୍ୟୁବରଣ କରିଥିବା ଲୋକମାନେ ଯେଉଁ ସ୍ୱପ୍ନ ଦେଖିଥିଲେ, ସେହି ସ୍ୱପ୍ନର ଆଲୋକରେ, ଏବଂ ହଜାର ବର୍ଷର ଭାରତର ମହାନ ପରମ୍ପରାକୁ ଏକାଠି କରି ଆମର ସମ୍ବିଧାନ ପ୍ରଣୟନକାରୀମାନେ ଆମକୁ ସମ୍ବିଧାନ ଦେଇଛନ୍ତି । ଶହ ଶହ ବର୍ଷର ଦାସତ୍ୱ ଭାରତକୁ ଅନେକ ସମସ୍ୟା ଭିତରକୁ ଠେଲି ଦେଇଥିଲା ।  ପୁରା କାଳରେ ଯେଉଁ ଭାରତକୁ ସୁନାର ଚଢ଼େଇ ବୋଲି କୁହାଯାଉଥିଲା, ସେହି ଭାରତ, ଦାରିଦ୍ର‌୍ୟ, କ୍ଷୁଧା ଏବଂ ରୋଗ ସହିତ ଲଢ଼ୁଥିଲା । ଏହି ପୃଷ୍ଠଭୂମିରେ ଦେଶକୁ ଆଗକୁ ବଢ଼େଇ ନେବାରେ ସମ୍ବିଧାନ ସଦାସର୍ବଦା ଆମର ସାହାଯ୍ୟ କରିଆସୁଛି । କିନ୍ତୁ ଆଜି ବିଶ୍ୱର ଅନ୍ୟ ଦେଶମାନଙ୍କ ତୁଳନାରେ ଯଦି ଦେଖାଯାଏ, ତେବେ ଯେଉଁ ଦେଶଗୁଡିକ ଭାରତ ସ୍ୱାଧୀନ ହେବା ସମୟ ପାଖାପାଖି ସ୍ୱାଧୀନ ହୋଇଥିଲେ, ସେମାନେ ବର୍ତମାନ ଆମଠାରୁ ବହୁତ ଆଗକୁ ଚାଲି ଯାଇଛନ୍ତି । ଅର୍ଥାତ୍ ଏବେ ବହୁତ କିଛି କରିବାକୁ ବାକି ଅଛି, ଆମ ସମସ୍ତଙ୍କୁ ଏକାଠି ହୋଇ ଲକ୍ଷ୍ୟସ୍ଥଳରେ ପହଂଚିବାର ଅଛି । ଆମେ ସମସ୍ତେ ଜାଣିଛେ ଯେ, ଆମ ସମ୍ବିଧାନରେ ଅନ୍ତର୍ଭୁକ୍ତିକରଣ ଉପରେ ବହୁତ ଗୁରୁତ୍ୱ ଦିଆଯାଇଛି । କିନ୍ତୁ ଏହା ମଧ୍ୟ ସତ୍ୟ ଯେ, ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଦେଶର ବହୁତ ଲୋକ ବହିଷ୍କରଣକୁ ଭୋଗିବା ପାଇଁ ବାଧ୍ୟ ହେଉଛନ୍ତି । ସେହି କୋଟି କୋଟି ଲୋକ, ଯାହା ଘରେ ଶୌଚାଳୟଟିଏ ମଧ୍ୟ ନ ଥିଲା, ସେହି କୋଟି କୋଟି ଲୋକ, ଯେଉଁମାନେ ବିଦ୍ୟୁତ୍ ଶକ୍ତି ଅଭାବରୁ ଅନ୍ଧାରରେ କାଳାତିପାତ କରୁଥିଲେ, ସେହି କୋଟି କୋଟି ଲୋକ, ଯେଉଁମାନଙ୍କର ଜୀବନ ନିଜ ପରିବାର ପାଇଁ କିଛି ଜଳର ଯୋଗାଡ କରିବା ନିମନ୍ତେ ସଂଘର୍ଷମୟ ହୋଇଯାଇଥିଲା, ସେମାନଙ୍କ କଷ୍ଟ, ସେମାନଙ୍କ ଯନ୍ତ୍ରଣାକୁ ବୁଝିପାରି, ସେମାନଙ୍କ ଜୀବନକୁ ସହଜ ସରଳ କରିବା ନିମନ୍ତେ ନିଜକୁ ନିୟୋଜିତ କରିଦେବା ସମ୍ବିଧାନର ପ୍ରକୃତ ସମ୍ମାନ ବୋଲି ମୁଁ ମାନିଥାଏ । ଏବଂ ଏଥିପାଇଁ ଆଜି ମୁଁ ସନ୍ତୁଷ୍ଟ ଯେ, ଦେଶର ସମ୍ବିଧାନର ଏହି ମୂଳ ଭାବନା ଅନୁସାରେ, ବହିଷ୍କରଣକୁ ଅନ୍ତର୍ଭୁକ୍ତିକରଣରେ ବଦଳାଇବାର ଭଗୀରଥ ଅଭିଯାନ ଦ୍ରୁତ ଗତିରେ ଚାଲିଛି । ଏବଂ ଏହାର ସବୁଠାରୁ ବଡ ଲାଭ କ’ଣ ହୋଇଛି, ତାହାକୁ ମଧ୍ୟ ବୁଝିବାକୁ ପଡିବ । ଯେଉଁ ୨ କୋଟିରୁ ଅଧିକ ଗରିବ ଲୋକମାନଙ୍କୁ ଆଜି ନିଜର ପକ୍କା ଘର ମିଳିଛି, ଯେଉଁ ୮ କୋଟିରୁ ଅଧିକ ଗରିବ ପରିବାରଙ୍କୁ ଉଜ୍ଜ୍ୱଳା ଯୋଜନା ଅନୁସାରେ ମାଗଣା ଗ୍ୟାସ୍ ସଂଯୋଗ ମିଳିଛି, ଯେଉଁ ୫୦ କୋଟିରୁ ଅଧିକ ଗରିବ ଲୋକଙ୍କୁ ବଡ ବଡ ଡାକ୍ତରଖାନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁନିଶ୍ଚିତ କରାଯାଇଛି, ଯେଉଁ କୋଟି କୋଟି ଗରିବ ଲୋକଙ୍କୁ ପ୍ରଥମ ଥର ବୀମା ଏବଂ ପେନ୍‌ସନ୍ ଭଳି ମୌଳିକ ସୁବିଧା ସବୁ ମିଳିଛି, ସେହି ଗରିବ ଲୋକମାନଙ୍କର ବହୁତ ବଡ ବଡ ଚିନ୍ତା କମ୍ ହୋଇଯାଇଛି, ଏହି ଯୋଜନା ଗୁଡିକ ସେମାନଙ୍କ ନିମନ୍ତେ ବଡ ସମ୍ବଳ ହୋଇ ପାରିଛି । ଏହି କରୋନା ସମୟରେ ବିଗତ କିଛି ମାସ ହେଲା ୮୦ କୋଟିରୁ ଅଧିକ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ପ୍ରଦାନ କରିବା ନିମନ୍ତେ ସୁନିଶ୍ଚିତ କରାଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ସରକାର ୨ ଲକ୍ଷ ୬୦ ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରି ଗରିବ ଲୋକମାନଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଦେଉଛନ୍ତି । ଏଇ ମାତ୍ର ଗତ କାଲି ହିଁ ଆମେ ଏହି ଯୋଜନାକୁ ଆସନ୍ତା ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଦେଇଛୁ । ଆମ ରାଷ୍ଟ୍ରର ନୀତି ନିର୍ଦ୍ଦେଶକ ସିଦ୍ଧାନ୍ତ (ଡାଇରେକ୍ଟିଭ୍ ପ୍ରିନ୍ସପଲ୍‌) କହିଥାଏ ଯେ, - “ନାଗରିକମାନେ, ପୁରୁଷ ଏବଂ ମହିଳା ସମାନ ଭାବରେ, ଜୀବନଧାରଣ ପାଇଁ ପର୍ଯ୍ୟାପ୍ତ ଅଧିକାର ପାଇବେ” ତାହା ଏହି ଭାବନାର ପତିଫଳନ ହୋଇଥାଏ । ଆପଣ ସମସ୍ତେ ଏହା ମଧ୍ୟ ମାନିବେ ଯେ, ଯେତେବେଳେ ଦେଶର ସାଧାରଣ ଲୋକମାନେ, ଦେଶର ଗରିବ ବ୍ୟକ୍ତିବିଶେଷ, ବିକାଶର ମୁଖ୍ୟଧାରାରେ ଯୋଡି ହୋଇଥାନ୍ତି, ଯେତେବେଳେ ସେମାନଙ୍କୁ ସମାନତା ଏବଂ ସମାନ ସୁଯୋଗ ମିଳିଥାଏ, ସେତେବେଳେ ସେମାନଙ୍କର ଦୁନିଆ ସମ୍ପୂର୍ଣ୍ଣ ରୂପରେ ବଦଳି ଯାଇଥାଏ । ଯେତେବେଳେ, ଷ୍ଟ୍ରିଟ୍ ଭେଣ୍ଡର ବା ରାସ୍ତା କଡ଼ର ବେପାରୀ, ଠେଲାବାଲା, ରେଲ୍ ୱେରେ କାମ କରୁଥିବା ସାଧାରଣ କୁଲି ମଧ୍ୟ ବ୍ୟାଙ୍କ କ୍ରେଡିଟ୍ ବ୍ୟବସ୍ଥା ସହିତ ଯୋଡି ହୋଇଯାଇଥାନ୍ତି, ତେବେ ସେମାନଙ୍କୁ ରାଷ୍ଟ୍ର ନିର୍ମାଣରେ ଭାଗିଦାରୀତାର ଅନୁଭବ ହୋଇଥାଏ ।  ଯେତେବେଳେ ଦିବ୍ୟାଙ୍ଗମାନଙ୍କୁ ଆଖିରେ ରଖି ସର୍ବସାଧାରଣ ସ୍ଥାନ, ସର୍ବସାଧାରଣ ପରିବହନ ଏବଂ ଅନ୍ୟାନ୍ୟ ସୁବିଧା ଗୁଡିକର ନିର୍ମାଣ ହୋଇଥାଏ, ଯେତେବେଳେ ସେମାନଙ୍କୁ ସ୍ୱାଧୀନତାର ୭୦ ବର୍ଷ ପରେ ପ୍ରଥମ ଥର ପାଇଁ ସାଧାରଣ ସାଙ୍କେତିକ ମିଳିଥାଏ, ସେତେବେଳ ସେମାନଙ୍କ ମନ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି ହୋଇଥାଏ । ଯେତେବେଳେ ତୃତୀୟ ଲିଙ୍ଗଙ୍କୁ ଆଇନ୍‌ଗତ ସଂରକ୍ଷଣ ମିଳିଥାଏ, ତୃତୀୟ ଲିଙ୍ଗମାନଙ୍କ ପାଇଁ ପଦ୍ମ ପୁରସ୍କାର ମିଳିଥାଏ, ସେମାନଙ୍କର ସମାଜ ଉପରେ, ସମ୍ବିଧାନ ଉପରେ ଆସ୍ଥା ଆହୁରି ମଜଭୁତ ହୋଇଥାଏ । ଯେତେବେଳେ ତିନି ତଲାକ୍ ଭଳି କୁପ୍ରଥା ବିରୁଦ୍ଧରେ ଶକ୍ତ ନିୟମ ତିଆରି ହୋଇଥାଏ, ସେତେବେଳେ ସେହି ବୋହୂ ଝିଅ ମାନଙ୍କର ସମ୍ବିଧାନ ଉପରେ ଭରସା ଆହୁରି ଦୃଢ଼ ହୋଇଥାଏ, ଯେଉଁମାନେ ସବୁ ଦିଗରୁ ଆଶାଶୂନ୍ୟ ହୋଇ ସାରିଥିଲେ ।

ମହାନୁଭବ,

ସମସ୍ତଙ୍କ ସାଥୀରେ – ସମସ୍ତଙ୍କର ବିକାଶ, ସମସ୍ତଙ୍କର ବିଶ୍ୱାସ – ସମସ୍ତଙ୍କର ପ୍ରୟାସ, ଏହା ସମ୍ବିଧାନର ଭାବନାର ସବୁଠାରୁ ସଶକ୍ତ ପ୍ରକଟିକରଣ ଅଟେ । ସମ୍ବିଧାନ ନିମନ୍ତେ ସମର୍ପିତ ସରକାର, ବିକାଶରେ ଭେଦଭାବ କରେନାହିଁ, ଏବଂ ଏହା ଆମେ କରି ଦେଖାଇଛୁ । ଆଜି ଗରିବରୁ ଅତି ଗରିବ ଲୋକମାନଙ୍କୁ ଉତମ ଗୁଣବତା ସମ୍ପନ୍ନ ଭିତିଭୂମି ବ୍ୟବହାର କରିବାର ସୁଯୋଗ ମିଳୁଛି, ଯାହା ପୂର୍ବରୁ କିଛି ଧନୀ ବର୍ଗର ଲୋକମାନଙ୍କ ଭିତରେ ସୀମିତ ଥିଲା । ଆଜି ଲଦାଖ, ଆଣ୍ଡାମାନ ଏବଂ ନିକୋବର, ଉତର ପୂର୍ବାଂଚଳର ବିକାଶ ଉପରେ ଦେଶ ସେତିକି ଗୁରୁତ୍ୱ ଦେଇଥାଏ, ଯେତିକି ଦିଲ୍ଲୀ ଏବଂ ମୁମ୍ବାଇ ଭଳି ମେଟ୍ରୋ ସହର ଉପରେ ଗୁରୁତ୍ୱ ଦିଆ ଯାଇଥାଏ । କିନ୍ତୁ ଏହି ସବୁ ମଧ୍ୟରେ, ମୁଁ ଗୋଟିଏ କଥା ଉପରେ ଆପଣଙ୍କର ଧ୍ୟାନ ଆକର୍ଷିତ କରିବାକୁ ଚାହୁଁଛି । ଆପଣ ମଧ୍ୟ ଏହା ନିଶ୍ଚିତ ରୂପେ ଅନୁଭବ କରିଥିବେ ଯେ, ଯେତେବେଳେ ସରକାର କୌଣସି ଏକ ବର୍ଗ ନିମନ୍ତେ, କୌଣସି ଏକ ଛୋଟ ଅଂଚଳ ନିମନ୍ତେ କିଛି କରିଥାନ୍ତି, ସେତେବେଳେ ବଡ ଉଦାରବାଦୀ ବୋଲାଇଥାନ୍ତି, ତାଙ୍କର ବହୁତ ପ୍ରଶଂସା ହୋଇଥାଏ, ଯେ ଦେଖ ସେମାନଙ୍କ ପାଇଁ କିଛି କରାଗଲା । କିନ୍ତୁ ମୁଁ ଏହା ଚିନ୍ତା କରି ଆଶ୍ଚର୍ଯ୍ୟ ହେଉଛି ଯେ, କେବେ କେବେ ଆମେ ଦେଖିଥାଉ କୌଣସି ସରକାର ଯଦି ଗୋଟିଏ ରାଜ୍ୟ ପାଇଁ କିଛି କରିଥାନ୍ତି, ଯାହା ରାଜ୍ୟର ହିତ ପାଇଁ ହୋଇଥାଏ, ତେବେ ବହୁତ ପ୍ରଶଂସା ପାଇଥାନ୍ତି । କିନ୍ତୁ ଯେତେବେଳେ ସରକାର ସମସ୍ତଙ୍କ ପାଇଁ କିଛି କରିଥାନ୍ତି, ସମସ୍ତ ନାଗରିକଙ୍କ ପାଇଁ କରିଥାନ୍ତି, ସମସ୍ତ ରାଜ୍ୟ ପାଇଁ କରିଥାନ୍ତି, ତେବେ ତାହାକୁ ଏତେ ମହତ୍ୱ ଦିଆ ଯାଇନଥାଏ, ତାହା ସମ୍ପର୍କରେ ଆଲୋଚନା ମଧ୍ୟ ହୋଇ ନଥାଏ ।

ସରକାରୀ ଯୋଜନା ଗୁଡିକରୁ କିପରି ସମସ୍ତ ଶ୍ରେଣୀର ଲୋକମାନଙ୍କୁ, ସମସ୍ତ ରାଜ୍ୟର ସମାନ ରୂପରେ ମଙ୍ଗଳ ହୋଇଥାଏ, ତାହା ଉପରେ ଏତେ ଧ୍ୟାନ ଦିଆଯାଇ ନଥାଏ । ଗତ ସାତ ବର୍ଷ ମଧ୍ୟରେ ଆମେମାନେ କୌଣସି ଭେଦଭାବ ନକରି, ପକ୍ଷପାତ ନକରି, ବିକାଶକୁ ସମସ୍ତ ବ୍ୟକ୍ତି, ସମସ୍ତ ଶ୍ରେଣୀ, ଏବଂ ଦେଶର କୋଣ ଅନୁକୋଣରେ ପହଂଚାଇବା ନିମନ୍ତେ ପ୍ରୟାସ କରୁଛୁ । ଏହି ବର୍ଷ ୧୫ ଅଗଷ୍ଟରେ ମୁଁ ଗରିବ କଲ୍ୟାଣ ସହିତ ସମ୍ବନ୍ଧିତ ଯୋଜନା ଗୁଡିକର ପରିପୂର୍ଣ୍ଣତାର କଥା କହିଥିଲି ଏବଂ ଏଥିପାଇଁ ଆମେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଦିଗରେ (ମିଶନ ମୋଡ୍‌)ରେ ଲାଗି ପଡିଛୁ । ସର୍ବଜନ ହିତାୟ, ସର୍ବଜନ ସୁଖାୟ, ଏହି ମନ୍ତ୍ରକୁ ନେଇ କାର୍ଯ୍ୟ କରିବା ଆମର ପ୍ରୟାସ ରହିଛି । ଆଜି ଏହି କାରଣରୁ ଦେଶର ଚିତ୍ର ବଦଳିଛି ଯାହାକୁ ଆମେମାନେ ଅଳ୍ପ କିଛି ଦିନ ତଳେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟରେ ମଧ୍ୟ ଦେଖାଇଛୁ । ଏହି ରିପୋର୍ଟର ଅନେକ ତଥ୍ୟ ଏହି କଥାକୁ ସିଦ୍ଧ କରିଥାଏ ଯେ, ଯେତେବେଳେ ଭଲ ମନରେ କାର୍ଯ୍ୟ କରାଯାଏ, ସଠିକ୍ ମାର୍ଗରେ ଏହାକୁ ଆଗକୁ ନିଆଯାଏ, ଏବଂ ସମସ୍ତ ଶକ୍ତିକୁ ଏକାଠି କରି ଲକ୍ଷ୍ୟ ପ୍ରାପ୍ତି କରିବା ନିମନ୍ତେ ଚେଷ୍ଟା କରାଯାଇଥାଏ, ସେତେବେଳେ ଭଲ ପରିଣାମ ନିଶ୍ଚିତ ରୂପରେ ମିଳିଥାଏ । ଯଦି ଲିଙ୍ଗଭିତିକ ସମାନତାର କଥା କୁହାଯାଏ, ତେବେ ଏବେ ପୁରୁଷମାନଙ୍କ ତୁଳନାରେ ଝିଅମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗର୍ଭବତୀ ମହିଳାମାନଙ୍କୁ ଡାକ୍ତରଖାନାରେ ପ୍ରସବ ନିମନ୍ତେ ଅଧିକରୁ ଅଧିକ ଅବସର ଉପଲବ୍ଧ ହେବାରେ ଲାଗିଛି । ଏହି କାରଣରୁ ମାତୃ ମୃତ୍ୟୁହାର, ଶିଶୁ ମୃତ୍ୟୁହାର କମ୍ ହେବାରେ ଲାଗିଛି । ଆହୁରି ମଧ୍ୟ ବହୁତ ପ୍ରକାରର ସୂଚକ ଏମିତି ଅଛି, ଯେଉଁଥିରେ ଏକ ଦେଶର ରୂପ ବହୁତ ଭଲ ବୋଲି ଜଣା ପଡ଼ିଥାଏ । ଏହିସବୁ ସୂଚକରେ ସମସ୍ତ ପ୍ରତିଶତ ପଏଂଟ୍‌ର ବୃଦ୍ଧି କେବଳ ଏକ ସଂଖ୍ୟା ନୁହେଁ । ଏହି କୋଟି କୋଟି ଭାରତୀୟମାନଙ୍କୁ ମିଳୁଥିବା ଅନେକ ସୁବିଧା ସେମାନଙ୍କ ଅଧିକାରର ପ୍ରମାଣ ଅଟେ । ଏହା ବହୁତ ଆବଶ୍ୟକ ଯେ, ଜନକଲ୍ୟାଣ ସହିତ ଯୋଡି ହୋଇଥିବା ଯୋଜନାଗୁଡିକର ସମ୍ପୂର୍ଣ୍ଣ ଲାଭ ଲୋକମାନଙ୍କୁ ମିଳୁ, ଭିତିଭୂମି ସମ୍ବନ୍ଧୀୟ ପ୍ରକଳ୍ପ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ହେଉ । କୌଣସି ବି କାରଣରୁ ହେଉଥିବା ଅନାବଶ୍ୟକ ବିଳମ୍ବ, ନାଗରିକମାନଙ୍କୁ ସେମାନଙ୍କ ଅଧିକାର ପାଇବାରୁ ବଂଚିତ ରଖିଥାଏ । ମୁଁ ଗୁଜରାଟର ବାସିନ୍ଦା ହୋଇଥିବାରୁ, ସେଥିପାଇଁ ସର୍ଦ୍ଦାର ସରୋବର ବନ୍ଧର ଉଦାହରଣ ଦେବାକୁ ଚାହୁଁଛି । ସର୍ଦ୍ଦାର ପଟେଲ୍ ମାତା ନର୍ମଦା ଉପରେ ଏହି ପ୍ରକାରର ଡ୍ୟାମ୍ / ବନ୍ଧର ସ୍ୱପ୍ନ ଦେଖିଥିଲେ । ପଣ୍ଡିତ ନେହରୁ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । କିନ୍ତୁ ଏହି ପ୍ରକଳ୍ପ ଦଶନ୍ଧି ଦଶନ୍ଧି ଧରି ଅପପ୍ରଚାର ମଧ୍ୟରେ ଫଶି ରହିଥିଲା । ପର୍ଯ୍ୟାବରଣ ନାମରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଏହା ଫଶି ରହି ଯାଇଥିଲା । ନ୍ୟାୟାଳୟ ମଧ୍ୟ ଏହା ଉପରେ ନିଷ୍ପତି ନେବାକୁ ଦ୍ୱନ୍ଦ୍ୱ ଭିତରେ ରହିଥିଲେ । ବିଶ୍ୱ ବ୍ୟାଙ୍କ ମଧ୍ୟ ଏଥିପାଇଁ ଅର୍ଥ ଦେବାକୁ ମନା କରି ଦେଇଥିଲେ । କିନ୍ତୁ ଏହି ନର୍ମଦା ଜଳ ଯୋଗୁଁ କଚ୍ଛରେ ଯେଉଁ ବିକାଶର କାର୍ଯ୍ୟ ହେଲା, ତାହା ଆଜି ଭାରତରେ ଦ୍ରୁତ ଗତିରେ ବଢ଼ୁଥିବା ଜିଲ୍ଲାମାନଙ୍କ ମଧ୍ୟରେ କଚ୍ଛ ଜିଲ୍ଲାକୁ ସ୍ଥାନ ଦେଇଛି । କଚ୍ଛ ଗୋଟିଏ ପ୍ରକାରର ମରୁଭୂମି ଭଳି ବିବେଚିତ ହେଉଥିବା ସ୍ଥାନ, ଯେଉଁଠାରୁ ଲୋକମାନେ ପଳାୟନ କରିଥାନ୍ତି ବୋଲି ବେଶ୍ ଜଣାଶୁଣା, ଏହା ଆଜି କୃଷି – ରପ୍ତାନି ନିମନ୍ତେ ନିଜସ୍ୱ ପରିଚୟ ସୃଷ୍ଟି କରିବାରେ ଲାଗିଛି । ଏହାଠାରୁ ବଡ ସବୁଜ ପୁରସ୍କାର ଆଉ କ’ଣ ହୋଇ ପାରିବ?

ମାନନୀୟ,

ଭାରତ ନିମନ୍ତେ, ଏବଂ ବିଶ୍ୱର ଅନେକ ଦେଶମାନଙ୍କ ନିମନ୍ତେ, ଆମର ଅନେକ ପିଢ଼ିମାନଙ୍କ ନିମନ୍ତେ, ଉପନିବେଶବାଦର ଜଞ୍ଜିରରେ ବନ୍ଧା ହୋଇ ବଂଚି ରହିବା ଏକ ବିବଶତା ଥିଲା । ଭାରତର ସ୍ୱାଧୀନତା ସମୟରେ, ସମଗ୍ର ବିଶ୍ୱରେ ଏକ ଉପନିବେଶ ପରବର୍ତୀ ସମୟ ଆରମ୍ଭ ହୋଇଥିଲା, ଅନେକ ଦେଶ ଏହି ସମୟରେ ସ୍ୱାଧୀନ ହୋଇଥିଲେ । ଆନି ସମଗ୍ର ବିଶ୍ୱରେ କୌଣସି ଦେଶ ଏମିତି ନାହିଁ ଯେଉଁଠାରେ ଅନ୍ୟ ଦେଶ ସେମାନଙ୍କର ଉପନିବେଶ ସ୍ଥାପନ କରିଛନ୍ତି । କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଆମର ଉପନିବେଶବାଦୀ ମାନସିକତା, ଉପନିବେଶବାଦୀ ଚିନ୍ତାଧାରା ଶେଷ ହୋଇ ଯାଇଛି । ଆମେ ଦେଖୁଛୁ ଯେ, ଏହି ମାନସିକତା ଅନେକ ବିକୃତିକୁ ଜନ୍ମ ଦେବାରେ ଲାଗିଛି । ଏହାର ସବୁଠାରୁ ସ୍ପଷ୍ଟ ଉଦାହରଣ ଆମକୁ ବିକାଶଶୀଳ ଦେଶମାନଙ୍କର ବିକାଶ ଯାତ୍ରା ସମୟରେ ଆସୁଥିବା ବାଧା ଗୁଡିକ ମଧ୍ୟରେ ଦେଖିବାକୁ ମିଳିଥାଏ । ଯେଉଁ ସମ୍ବଳ, ଯେଉଁ ରାସ୍ତାରେ ଚାଲି ଚାଲି, ବିକଶିତ ବିଶ୍ୱ ଆଜି ଏହି ସ୍ଥାନରେ ପହଂଚି ପାରିଛି, ଆଚି ସେହି ସମ୍ବଳ, ସେହି ରାସ୍ୱା, ବିକାଶଶୀଳ ଦେଶଗୁଡିକ ନିମନ୍ତେ ବନ୍ଦ କରିବା ପାଇଁ ପ୍ରୟାସ କରାଯାଉଛି । ବିଗତ ଦଶନ୍ଧିଗୁଡିକରେ ଏଥିପାଇଁ ଭିନ୍ନ ଭିନ୍ନ ପ୍ରକାରର ଶବ୍ଦାବଳୀର ଜାଲ ସୃଷ୍ଟି କରାଯାଇଛି । କିନ୍ତୁ ଉଦ୍ଦେଶ୍ୟ ଗୋଟିଏ ରହିଛି– ବିକାଶଶୀଳ ଦେଶଗୁଡିକର ପ୍ରଗତିକୁ ଅଟକାଇବା । ଆଜିକାଲି ଆମେ ଦେଖୁଛେ ଯେ, ପର୍ଯ୍ୟାବରଣ ବିଷୟକୁ ମଧ୍ୟ ଏହି କାମ ପାଇଁ ଅପହରଣ କରିବା ନିମନ୍ତେ ଚେଷ୍ଟା ଚାଲୁ ରହିଛି । କିଛି ସପ୍ତାହ ତଳେ ଆମେ ସିଓପି – ୨୬ ସମ୍ମିଳନୀରେ ଏହାର ଜୀବନ୍ତ ଉଦାହରଣ ଦେଖିଛୁ । ଯଦି ଶୁଦ୍ଧ ବର୍ଦ୍ଧିତ ନିର୍ଗମନ (ଆବସଲ୍ୟୁଟ୍ କ୍ୟୁମୁଲେଟିଭ୍ ଇମିଶନ୍ସ)ର କଥା ହେବା, ତେବେ, ବିକଶିତ ଦେଶ ଗୁଡିକ ଏକାଠି ହୋଇ ୧୮୫୦ରୁ ଆଜି ପର୍ଯ୍ୟନ୍ତ, ଭାରତରୁ ୧୫ ଗୁଣ ଅଧିକ ନିର୍ଗମନ କରିଛନ୍ତି । ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ର ସଂଘ ଭାରତ ତୁଳନାରେ ୨୦ ଗୁଣ ଅଧିକ ନିର୍ଗମନ କରିଛନ୍ତି । ତଥାପି ଆଜି ମଧ୍ୟ ଆମେ ଗର୍ବ କରୁ ଯେ, ଯେଉଁ ଭାରତର ସଭ୍ୟତା ଏବଂ ସଂସ୍କୃତିରେ ମଧ୍ୟ ପ୍ରକୃତି ସହିତ ବଂଚିବାର ପ୍ରବୃତି ଜଡ଼ିତ ରହିଛି, ଯେଉଁଠାରେ ପଥର ଉପରେ, ଗଛରେ, ଏବଂ ପ୍ରକୃତିର କୋଣ ଅନୁକୋଣରେ, ଯେଉଁଠାରେ ପଥରରେ ଭଗବାନ ଦେଖା ଦେଇଥାନ୍ତି, ତାଙ୍କର ସ୍ୱରୂପ ଦେଖା ଯାଇଥାଏ, ଯେଉଁଠାରେ ପୃଥିବୀକୁ ମାଆ ରୂପରେ ପୂଜା କରାଯାଇଥାଏ, ସେହି ଭାରତର ପର୍ଯ୍ୟାବରଣର ସଂରକ୍ଷଣର ଉପଦେଶ ସେଠାରେ ଶୁଣିବାକୁ ମିଳୁଛି । ଏବଂ ଆମ ପାଇଁ ଏହି ମୂଲ୍ୟ କେବଳ ପୁସ୍ତକ ନୁହେଁ, ପୁସ୍ତକର କଥା ନୁହେଁ । ଆଜି ଭାରତରେ ସିଂହ, ବାଘ, ଡଲଫିନ୍‌ମାନଙ୍କ ସଂଖ୍ୟା ଏବଂ ଅନେକ ପ୍ରକାରର ଜୈବ ବିବିଧତାର ମାନକରେ କ୍ରମାଗତ ଭାବେ ସକାରାତ୍ମକ ପରିବର୍ତନ ହେବାରେ ଲାଗିଛି । ଭାରତରେ ଜଙ୍ଗଲର କ୍ଷେତ୍ର ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ଖରାପ ଜମିର ମାନରେ ବି ପରିବର୍ତନ ହେବାରେ ଲାଗିଛି । ଗାଡିମାନଙ୍କର ଇନ୍ଧନର ମାନକ ଆମେ ନିଜ ଇଚ୍ଛାରେ ବଢ଼େଇଛୁ । ସମସ୍ତ ପ୍ରକାରର ନବୀକରଣୀୟ ଶକ୍ତି କ୍ଷେତ୍ରରେ ଆମେ ବିଶ୍ୱରେ ଏକ ଅଗ୍ରଣୀ ଦେଶ ମଧ୍ୟରୁ ଅନ୍ୟତମ । ଏବଂ ପ୍ୟାରିସ୍ ଚୁକ୍ତିକୁ ନିର୍ଦ୍ଧାରିତ ଲକ୍ଷ୍ୟ ପୂର୍ବରୁ ହାସଲ କରିବା ନିମନ୍ତେ ଯଦି କୌଣସି ଦେଶ ଅଗ୍ରସର, ତେବେ ତାହା ହେଉଛି ହିନ୍ଦୁସ୍ତାନ । ଜି ୨୦ ଦେଶ ସଂଘ ସମୂହରେ ସବୁଠାରୁ ଭଲ କାମ କରୁଥିବା ଦେଶ ହେଉଛି ହିନ୍ଦୁସ୍ତାନ ଏବଂ ତଥାପି ମଧ୍ୟ ଏହି ଭାରି ଉପରେ ପର୍ଯ୍ୟାବରଣ ନାମରେ ଭିନ୍ନ ଭିନ୍ନ ଚାପ ପକା ଯାଇଥାଏ । ଏହା ସବୁ ଉପନିବେଶବାଦୀ ମାନସିକତାର ପରିଣାମ ଅଟେ । କିନ୍ତୁ ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ, ଆମ ଦେଶରେ ଏଭଳି ମାନସିକତା ରହୁଥିବାରୁ ଦେଶର ବିକାଶରେ ପ୍ରତିବନ୍ଧକ ସୃଷ୍ଟି ହୋଇ ଯାଉଛି । କେତେବେଳେ ବାକ୍ ସ୍ୱାଧୀନତାର ଅଧିକାର ନାମରେ, କେବେ ପୁଣି ଅନ୍ୟ କୌଣସି ଜିନିଷର ସାହାରା ନେଇ । ଆମ ଦେଶର ପରିସ୍ଥିତି, ଆମ ଯୁବକ ମାନଙ୍କର ଆକାଂକ୍ଷା, ସ୍ୱପ୍ନକୁ ନ ଜାଣି, ଅନେକ ଥର ଅନ୍ୟ ଦେଶର ମାନକଗୁଡ଼ିକ ସହିତ ଭାରତକୁ ତଉଲିବାକୁ ଚେଷ୍ଟା ହୋଇ ଆସୁଛି ଏବଂ ଏହାକୁ ଆଳ କରି ବିକାଶର ରାସ୍ତାକୁ ବନ୍ଦ କରିବାକୁ ଚେଷ୍ଟା କରାଯାଉଛି । ଏହାର କ୍ଷତି, ଯାହା ହୋଇଥାଏ, ତାହା ସେହିଭଳି ଲୋକମାନଙ୍କୁ ଦେବାକୁ ପଡି ନଥାଏ । ଏହାର କ୍ଷତି ଭୋଗିବାକୁ ପଡିଥାଏ ସେହି ମାଆକୁ, ଯାହାର ଛୁଆ ବିଦ୍ୟୁତ୍ ପ୍ଲାଂଟ୍ ସ୍ଥାପିତ ହୋଇ ନପାରିବାରୁ ପଢ଼ିପାରେ ନାହିଁ । ତାହାର କ୍ଷତି ଭରଣା କରିବାକୁ ପଡିଥାଏ ସେହି ପିତାଙ୍କୁ, ଯେଉଁ ପିତା, ଅଟକି ରହିଥିବା ସଡ଼କ ପ୍ରକଳ୍ପ କାରଣରୁ ନିଜ ସନ୍ତାନକୁ ଡାକ୍ତରଖାନାରେ ନେଇ ପହଂଚାଇ ପାରେ ନାହିଁ । ଏହାର କ୍ଷତି ଭୋଗିବାକୁ ପଡିଥାଏ ସେହି ମଧ୍ୟବିତ ପରିବାରକୁ ଯାହା ପାଇଁ ଆଧୁନିକ ଜୀବନର ସୁବିଧା ପର୍ଯ୍ୟାବରଣ ନାମରେ ତାହାର ଆମଦାନୀକୁ ବାହାରେ ପହଂଚାଇ ଦେଇଥାଏ । ଏହି ଉପନିବେଶବାଦୀ ଚିନ୍ତାଧାରା ଯୋଗିଁ ଭାରତ ଭଳି ଦେଶରେ, ବିକାଶ ନିମନ୍ତେ ପ୍ରୟାସ କରୁଥିବା ଦେଶରେ, କୋଟି କୋଟି ଆଶା ଧୁଳିସାତ୍ ହୋଇଥାଏ, ଆକାଂକ୍ଷା ଭାଙ୍ଗି ଯାଇଥାଏ । ସ୍ୱାଧୀନତା ଆନ୍ଦୋଳନରେ ଯେଉଁ ସଙ୍କଳ୍ପ ଶକ୍ତି ସୃଷ୍ଟି ହୋଇଥିଲା, ତାହାକୁ ଆହୁରି ମଜଭୁତ କରିବା କ୍ଷେତ୍ରରେ ଏହି ଉପନିବେଶବାଦୀ ଚିନ୍ତାଧାରା ବହୁତ ବଡ ବାଧା ହୋଇଥାଏ । ଆମକୁ ଏହାକୁ ଦୂର କରିବାକୁ ହେବ । ଏବଂ ଏଥି ପାଇଁ, ଆମର ସବୁଠାରୁ ବଡ ଶକ୍ତି, ଆମର ସବୁଠାରୁ ବଡ ପ୍ରେରଣାର ଉତ୍ସ ହେଉଛି ଆମର ସମ୍ବିଧାନ ।

ମାନନୀୟ,

ସରକାର ଏବଂ ନ୍ୟାୟପାଳିକା, ଏହି ଦୁଇଟିର ଜନ୍ମ ସମ୍ବିଧାନର କୋଳରୁ ହୋଇଛି । ଏଥିପାଇଁ ଏହି ଦୁଇ ଜଣ ଯମଜ ସନ୍ତାନ ଅଟନ୍ତି । ସମ୍ବିଧାନ କାରଣରୁ ଏହି ଦୁଇଟି ଅସ୍ତିତ୍ୱ ପାଇଛନ୍ତି । ଏଥିପାଇଁ ବ୍ୟାପକ ଦୃଷ୍ଟିକୋଣରୁ ଯଦି ଦେଖାଯାଏ ତେବେ ଭିନ୍ନ ଭିନ୍ନ ହେବା ସତ୍ୱେ ଏହି ଦୁଇଟି ଜଣେ ଜଣକର ପରିପୂରକ ହୋଇଥାନ୍ତି ।

ଆମର ଏଠାରେ ଶାସ୍ତ୍ରରେ ମଧ୍ୟ କୁହାଯାଇଛି –

ଐକ୍ୟମ୍ ବଳମ୍ ସମାଜସ୍ୟ, ତତ୍ ଅଭାବେ ଚ ଦୁର୍ବଳଃ ।

ତସ୍ମାତ୍ ଐକ୍ୟମ୍ ପ୍ରଶଂସିତ, ଦୃଢ଼ଂ ରାଷ୍ଟ୍ର ହିତୈଷିଣୀଃ । ।

ଅର୍ଥାତ୍ କୌଣସି ସମାଜର, ଦେଶର ଶକ୍ତି ତାହାର ଏକତା ଏବଂ ଏକଜୁଟ ହୋଇ ଚେଷ୍ଟା କରିବା ହୋଇଥାଏ । ଏଥିପାଇଁ, ଯେଉଁମାନେ ସଶକ୍ତ ରାଷ୍ଟ୍ରର ଶୁଭେଚ୍ଛୁ ହୋଇଥାନ୍ତି, ସେମାନେ ଏକତାର ପ୍ରଶଂସା କରିଥାନ୍ତି, ତାହା ଉପରେ ଜୋର ଦେଇଥାନ୍ତି । ରାଷ୍ଟ୍ରର ହିତକୁ ସର୍ବାଗ୍ରେ ରଖି ଏହି ଏକତା ଦେଶର ସମସ୍ତ ସଂସ୍ଥାର ପ୍ରୟାସରେ ଦେଖାଯିବା ଆବଶ୍ୟକ । ଆଜି ଯେତେବେଳେ ଦେଶ ଅମୃତ କାଳରେ ନିଜ ପାଇଁ ଅସାଧାରଣ ଲକ୍ଷ୍ୟ ସ୍ଥିର କରୁଛି, ଅନେକ ଦଶନ୍ଧି ଧରି ଲାଗି ରହିଥିବା ସମସ୍ୟା ଗୁଡିକର ସମାଧାନ ଖୋଜି ନୂତନ ଭବିଷ୍ୟତ ପାଇଁ ସଙ୍କଳ୍ପ ନେଉଛି, ତେବେ ଏହି ସଫଳତା ସମସ୍ତଙ୍କ ସହିତ ପୂରଣ ହେବ । ଏଥିପାଇଁ, ଦେଶ ଆଗାମୀ ୨୫ ବର୍ଷ ପରେ ଯେତେବେଳେ ଦେଶ ସ୍ୱାଧୀନତାର ଶହେ ବର୍ଷ ପାଳନ କରିବ ଏବଂ ଏଥିପାଇଁ ‘ସମସ୍ତଙ୍କ ପ୍ରୟାସ’ ଏହି ଦେଶ ଆହ୍ୱାନ କରୁଛି । ନିଶ୍ଚିତ ରୂପେ ଏହି ଆହ୍ୱାନରେ ଏକ ବଡ ଭୂମିକା ନ୍ୟାୟପାଳିକାର ରହିଛି ।

ମହୋଦୟ,

ଆମର ଚର୍ଚ୍ଚା ଭିତରେ ଗୋଟିଏ କଥା ଯାହା ଭୁଲି ହେଉ ନହିଁ, କ୍ରମାଗତ ଭାବେ ଶୁଣିବାକୁ ମିଳୁଛି, ବାରମ୍ବାର ତାହାକୁ କୁହାଯାଉଛି, ତାହା ହେଉଛି – ‘କ୍ଷମତାର ବିଭାଜନ, କ୍ଷମତାର ବିଭାଜନ’ର କଥା, ନ୍ୟାୟପାଳିକା ହେଉ, କାର୍ଯ୍ୟପାଳିକା ହେଉ କିମ୍ବା ବିଧାୟିକା, ଏହି ସମସ୍ତେ ନିଜ ନିଜ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ହୋଇଥାନ୍ତି । ଏହା ସହିତ ମଧ୍ୟ, ସ୍ୱାଧୀନତାର ଅମୃତ କାଳରେ, ଭାରତର ସ୍ୱାଧୀନତାର ୧୦୦ ବର୍ଷ ପୂରଣ ହେବା ପର୍ଯ୍ୟନ୍ତ, ଏହି ଅମୃତ କାଳରେ, ସମ୍ବିଧାନର ଭାବନାର ଅନୁରୂପ ସାମୂହିକ ସମାଧାନ ଦେଖାଇବାର ଆବଶ୍ୟକତା ଅଛି । ଆଜି ଦେଶର ସାଧାରଣ ଲୋକ ପାଖରେ ଯାହା ବି କିଛି ଅଛି, ସେ ତାହାଠାରୁ ବହୁତ ଅଧିକ ପାଇବା ପାଇଁ ହକଦାର ଅଟେ । ଯେତେବେଳେ ଆମେ ଦେଶ ସ୍ୱାଧୀନତାର ଶତ ବର୍ଷ ପାଳନ କରିବା, ସେହି ସମୟରେ ଭାରତ କିପରି ହେବ, ସେଥିପାଇଁ ଆମକୁ ଆଜି କାର୍ଯ୍ୟ କରିବାକୁ ପଡିବ । ଏଥିପାଇଁ, ଦେଶକୁ ତା’ର ଆକାଂକ୍ଷାଗୁଡିକୁ ପୂରଣ କରିବାର ସାମୂହିକ ଦାୟିତ୍ୱବୋଧତା ସହିତ ଚାଲିବା ଜରୁରୀ । କ୍ଷମତାର ବିଭାଜନର ମଜଭୁତ ଅଧିଷ୍ଠାନ ଉପରେ ଆମକୁ ସାମୂହିକ ଦାୟିତ୍ୱବୋଧର ମାର୍ଗ ନିର୍ଦ୍ଧାରିତ କରିବାକୁ ହେବ, ରୋଡ୍‌ମ୍ୟାପ୍ ମଧ୍ୟ ପ୍ରସ୍ତୁତ କରିବାର ଅଛି, ଲକ୍ଷ୍ୟ ସ୍ଥିର କରିବାର ଅଛି ଏବଂ ଲକ୍ଷ୍ୟସ୍ଥଳୀରେ ଦେଶକୁ ନେଇ ପହଂଚାଇବାର ଅଛି ।

ମାନନୀୟ

କରୋନା ସମୟରେ ନ୍ୟାୟ ପ୍ରଦାନ କ୍ଷେତ୍ରରେ ପ୍ରଯୁକ୍ତିର ବ୍ୟବହାରକୁ ନେଇ ନୂତନ ଭରସା ସୃଷ୍ଟି କରାଯାଇଛି । ଡିଚିଟାଲ୍ ଇଣ୍ଡିଆ ଭଳି ବୃହତ୍ ଲକ୍ଷ୍ୟରେ ନ୍ୟାୟପାଳିକାର ସହଭାଗିତା ରହିଛି । ୧୮ ହଜାରରୁ ଅଧିକ କୋର୍ଟର କମ୍ପ୍ୟୁଟରୀକରଣ ହେବା, ୯୮ ପ୍ରତିଶତ କୋର୍ଟ କମ୍ପେକ୍ସକୁ ବ୍ୟାପକ ଅଂଚଳର ନେଟୱର୍କ ସହିତ ଯୋଡ଼ା ଯିବା, ସଠିକ୍ ସମୟରେ ନ୍ୟାୟିକ ତଥ୍ୟକୁ ସରବରାହ ନିମନ୍ତେ ଜାତୀୟ ନ୍ୟାୟିକ ତଥ୍ୟ ଗ୍ରିଡ୍  (ନ୍ୟାସନାଲ୍ ଜୁଡିସିଆଲ୍ ଡାଟା ଗ୍ରିଡ୍‌) କାର୍ଯ୍ୟକ୍ଷମ ହେବା, ଇ – କୋର୍ଟ ପ୍ଲାଟଫର୍ମ (ମଂଚ)କୁ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ପହଂଚାଇବା, ଏହା ଜଣେଇଥାଏ ଯେ, ଆଜି ପ୍ରଯୁକ୍ତି ଆମ ନ୍ୟାୟିକ ବ୍ୟବସ୍ଥାର କେତେ ବଡ ଶକ୍ତି ହୋଇ ପାରିଛି ଏବଂ ଆଗାମୀ ସମୟରେ ଆମେ ଏକ ଉନ୍ନତ ନ୍ୟାୟପାଳିକାକୁ କାମ କରୁଥିବାର ଦେଖିବା । ସମୟ ପରିବର୍ତନଶୀଳ ଅଟେ ।, ଦୁଦିଆ ମଧ୍ୟ ବଦଳି ଥାଏ, କିନ୍ତୁ ଏହି ପରିବର୍ତନ ମାନବିକତା ନିମନ୍ତେ ବିକାଶର ମାଧ୍ୟମ ହୋଇଥାଏ । ଏହା ଏଇଥିପାଇଁ ଯେ ମାନବ ସମାଜ ଏହି ପରିବର୍ତନକୁ ସ୍ୱୀକାର କରିଛି, ଏବଂ ଏହା ସହିତ ମାନବୀୟ ମୂଲ୍ୟବୋଧକୁ ଶାଶ୍ୱତ କରି ରଖିଛି । ନ୍ୟାୟର ଅବଧାରଣା ଏହି ମାନବୀୟ ମୂଲ୍ୟର ସବୁଠାରୁ ସ୍ୱଚ୍ଛ ବିଚାର ଅଟେ । ଏବଂ ସମ୍ବିଧାନ ନ୍ୟାୟର ଏହି ଅବଧାରଣାର ସବୁଠାରୁ ସ୍ୱଚ୍ଛ ବ୍ୟବସ୍ଥା ଅଟେ । ଏହି ବ୍ୟବସ୍ଥାକୁ ଗତିଶୀଳ ଏବଂ ପ୍ରଗତିଶୀଳ କରି ରଖିବା ଦାୟିତ୍ୱ ଆମ ସମସ୍ତଙ୍କ ଉପରେ ରହିଛି । ଆମର ଏହି ଭୂମିକାର ନିର୍ବାହ ଆମେ ସମସ୍ତେ ସମ୍ପୂର୍ଣ୍ଣ ନିଷ୍ଠାର ସହ କରିବା, ଏବଂ ସ୍ୱାଧୀନତାର ଶହେ ବର୍ଷ ପୂର୍ବରୁ ନୂତନ ଭାରତର ସ୍ୱପ୍ନ ପୂରଣ ହେବ । ଆମେମାନେ ଏହି କଥାରୁ ପ୍ରେରିତ ହୋଇଥାଉ ଯେ, ଯେଉଁ କଥା ପାଇଁ ଆମେ ଗର୍ବ କରୁ, ସେହି ମନ୍ତ୍ର ଆମ ପାଇଁ – ସଙ୍ଗଚ୍ଛଧ୍ୱଂ, ସମ୍ବନ୍ଧଂ, ସମ୍ବୋ ମନାଂସି ଜାନତାମ୍ । ଆମର ଲକ୍ଷ୍ୟ ସମାନ ହେଉ, ଆମର ମନ ସମାନ ହେଉ ଏବଂ ଆମେମାନେ ଏକାଠି ହୋଇ ଏହି ଲକ୍ଷ୍ୟକୁ ହାସଲ କରୁ । ଏହି ଭାବନା ସହିତ ମୁଁ ଆଜି ସମ୍ବିଧାନ ଦିବସର ଏହି ପବିତ୍ର ପରିବେଶରେ ଆପଣ ସମସ୍ତଙ୍କୁ, ଦେଶବାସୀଙ୍କୁ ଅନେକ ଅନେକ ଶୁଭ କାମନା ପ୍ରଦାପୂର୍ବକ ମୋର ବକ୍ତବ୍ୟକୁ ସମାପ୍ତ କରୁଛି । ପୁଣି ଥରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ।

ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi's ‘Dhurandhar’ Entry In Vadodara As ‘Aari Aari’ Plays During Arrival

Media Coverage

PM Modi's ‘Dhurandhar’ Entry In Vadodara As ‘Aari Aari’ Plays During Arrival
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the value and transformative power of knowledge
September 09, 2026

The Prime Minister, Shri Narendra Modi, shared a Sanskrit Subhashitam highlighting that wisdom teaches the art of living in harmony with society. He said that knowledge imparts wisdom and prosperity, fills the heart with joy and enhances one’s dignity.

The Prime Minister shared a Sanskrit Subhashitam-

“उपदिशति लोकवृत्तं वितरति वित्तं विनोदयति चित्तम्।

उत्तम्भयति महत्त्वं विद्या हृद्या सुराजसेवेव॥”

The Subhashitam conveys that wisdom teaches the art of living in harmony with society. It grants knowledge and prosperity, fills the heart with joy, and raises one's dignity. Thus, wisdom is as precious as service to righteous governance, beloved by the heart, and a force that uplifts life.

The Prime Minister wrote on X;

“उपदिशति लोकवृत्तं वितरति वित्तं विनोदयति चित्तम्।

उत्तम्भयति महत्त्वं विद्या हृद्या सुराजसेवेव॥”