ବିଭିନ୍ନ ସରକାରୀ ବିଭାଗ ଏବଂ ସଂସ୍ଥାରେ ନବ ନିଯୁକ୍ତଙ୍କୁ ୭୦,୦୦୦ ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ
“ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇବା ପାଇଁ ଆଜିଠାରୁ ଭଲ ସମୟ କିଛି ହୋଇପାରିବ ନାହିଁ”
“ତୁମର ଏକ ଛୋଟ ପ୍ରୟାସ କାହାର ଜୀବନରେ ଏକ ବଡ଼ ପରିବର୍ତ୍ତନ ସୃଷ୍ଟି କରିପାରେ”
“ଆଜି ଭାରତ ସେହି ଦେଶମାନଙ୍କ ମଧ୍ୟରେ ଅଛି ଯେଉଁମାନଙ୍କର ବ୍ୟାଙ୍କିଙ୍ଗ କ୍ଷେତ୍ର ସବୁଠାରୁ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ”
“କ୍ଷତି ଏବଂ ଏନପିଏ ପାଇଁ ଜଣାଶୁଣା ବ୍ୟାଙ୍କଗୁଡିକ ଆଜି ସେମାନଙ୍କର ରେକର୍ଡ ଲାଭ ପାଇଁ ଆଲୋଚନାରେ ରହିଛନ୍ତି”
“ବ୍ୟାଙ୍କିଙ୍ଗ କ୍ଷେତ୍ରର ଲୋକମାନେ ମୋତେ କିମ୍ବା ମୋର ଲକ୍ଷ୍ୟକୁ କେବେ ନିରାଶ କରି ନାହାଁନ୍ତି”
“ସାମୂହିକ ଉଦ୍ୟମ ଦ୍ୱାରା ଭାରତରୁ ଦାରିଦ୍ର୍ୟ‌ ସମ୍ପୂର୍ଣ୍ଣ ରୂପେ ଦୂର ହୋଇପାରିବ, ଦେଶର ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କର ଏଥିରେ ଏକ ବଡ଼ ଭୂମିକା ରହିଛି”

ନମସ୍କାର ।

ଆଜି ଯେଉଁ ଯୁବ ସାଥୀମାନଙ୍କୁ ନିଯୁକ୍ତି ପତ୍ର ମିଳୁଛି, ସେମାନଙ୍କ ପାଇଁ ମଧ୍ୟ ଏହା ହେଉଛି ଏକ ସ୍ମରଣୀୟ ଦିବସ, କିନ୍ତୁ ଏହା ସହିତ ଦେଶ ପାଇଁ ମଧ୍ୟ ଏହା ହେଉଛି ଏକ ଐତିହାସିକ ଦିବସ । 1947ରେ ଆଜିକାର ଦିନରେ, ଅର୍ଥାତ 22 ଜୁଲାଇରେ ତିରଙ୍ଗାକୁ ସମ୍ବିଧାନ ସଭା ଦ୍ୱାରା ବର୍ତମାନ ସ୍ୱରୂପରେ ସ୍ୱୀକାର କରାଯାଇଥିଲା । ଏହି ଗୁରୁତ୍ୱପୂର୍ଣ୍ଣ ଦିନ, ଆପଣ ସମସ୍ତଙ୍କୁ ସରକାରୀ ସେବା ପାଇଁ ଯୋଗଦାନ ପତ୍ର ମିଳିବା, ଏହା ହେଉଛି ନିଜକୁ ନିଜ ମଧ୍ୟ ଏକ ବହୁତ ବଡ଼ ପ୍ରେରଣା । ସରକାରୀ ସେବାରେ ରହି ଆପଣମାନଙ୍କୁ ସଦା ସର୍ବଦା ତିରଙ୍ଗାର ମାନ- ମର୍ଯ୍ୟାଦା- ସମ୍ମାନ ବୃଦ୍ଧି କରିବା ପାଇଁ କାର୍ଯ୍ୟ କରିବାର ଅଛି, ଦେଶର ନାମକୁ ଗୌରବାନ୍ୱିତ କରି ଦେଖାଇବାର ଅଛି । ସ୍ୱାଧୀନତାର ଅମୃତ ମହୋତ୍ସବରେ, ଯେତେବେଳେ ଦେଶ ବିକଶିତ ହେବାର ଲକ୍ଷ୍ୟକୁ ନେଇ କାର୍ଯ୍ୟ କରୁଛି, ଆପଣମାନଙ୍କର ସରକାରୀ ସେବାରେ ଯୋଗଦାନ କରିବା, ଏହା ହେଉଛି ଏକ ବହୁତ ବଡ଼ ସୁଯୋଗ । ଏହା ହେଉଛି ଆପଣମାନଙ୍କର ପରିଶ୍ରମର ପରିଣାମ । ମୁଁ ନିଯୁକ୍ତି ପତ୍ର ପାଇଥିବା ସମସ୍ତ ଯୁବକମାନଙ୍କୁ ଆଉ ଆପଣମାନଙ୍କର ପରିବାର ଲୋକଙ୍କୁ ମଧ୍ୟ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି, ବହୁତ- ବହୁତ ଶୁଭକାମନା ଜଣାଉଛି ।

ସାଥୀଗଣ,

ସ୍ୱାଧୀନତାର ଅମୃତ କାଳରେ ସମସ୍ତ ଦେଶବାସୀ ଆଗାମୀ 25 ବର୍ଷରେ ଭାରତକୁ ବିକଶିତ ଭାରତ ଭାବେ ଗଢ଼ି ତୋଳିବା ପାଇଁ ସଂକଳ୍ପ ନେଇଛନ୍ତି । ଆପଣ ସମସ୍ତଙ୍କ ସହିତ ହିଁ ଭାରତ ପାଇଁ ମଧ୍ୟ ଏଇ ଆଗାମୀ 25 ବର୍ଷ, ଯେଭଳି ଆପଣଙ୍କ ଜୀବନରେ ଆଗାମୀ 25 ବର୍ଷ ହେଉଛି ଗୁରୁତ୍ୱପୂର୍ଣ୍ଣ, ସେମିତି ହିଁ ଭାରତ ପାଇଁ ମଧ୍ୟ ଆଗାମୀ 25 ବର୍ଷ ହେଉଛି ବହୁତ ହିଁ ଗୁରୁତ୍ୱପୂର୍ଣ୍ଣ । ଆଜି ବିଶ୍ୱରେ ଭାରତ ପ୍ରତି ଯେଉଁ ବିଶ୍ୱାସ ସୃଷ୍ଟି ହୋଇଛି, ଭାରତ ପ୍ରତି ଯେଉଁ ଆକର୍ଷଣ ସୃଷ୍ଟି ହୋଇଛି, ଆଜି ଭାରତର ଯେଉଁ ଗୁରୁତ୍ୱ ସୃଷ୍ଟି ହୋଇଛି, ଆମ ସମସ୍ତଙ୍କୁ ମିଳିମିଶି ଏହାର ସମ୍ପୂର୍ଣ୍ଣ ଲାଭ ଉଠାଇବାକୁ ହେବ । ଆପଣମାନେ ଦେଖିଥିବେ ଯେ ଭାରତ କେବଳ 9 ବର୍ଷରେ ବିଶ୍ୱର 10 ନମ୍ବର ଅର୍ଥବ୍ୟବସ୍ଥାରୁ 5 ନମ୍ବରର ଅର୍ଥବ୍ୟବସ୍ଥା ହୋଇ ଯାଇଛି । ଆଜି ପ୍ରତ୍ୟେକ ବିଶେଷଜ୍ଞ ଏହା କହୁଛନ୍ତି ଯେ କିଛି ବର୍ଷ ମଧ୍ୟରେ ଭାରତ, ବିଶ୍ୱର ଶ୍ରେଷ୍ଠ-3 ଅର୍ଥନୀତି ମଧ୍ୟରେ ଆସିଯିବ, ଶ୍ରେଷ୍ଠ-3 ଅର୍ଥନୀତିକୁ ଆସିଯିବା ଏହା ହେଉଛି ଭାରତ ପାଇଁ ଏକ ଅସାମାନ୍ୟ ସିଦ୍ଧି ହେବାକୁ ଯାଉଛି । ଅର୍ଥାତ ପ୍ରତ୍ୟେକ କ୍ଷେତ୍ରରେ ରୋଜଗାରର ସୁଯୋଗ ମଧ୍ୟ ବଢ଼ିବାକୁ ଯାଉଛି ଆଉ ସାଧାରଣ ନାଗରିକଙ୍କର ଆୟ ମଧ୍ୟ ବୃଦ୍ଧି ହେବାକୁ ଯାଉଛି । ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କ ପାଇଁ ମଧ୍ୟ ଏହାଠାରୁ ବଳି ବଡ଼ ଅବସର ଆଉ କିଛି ହୋଇ ନ ପାରେ । ଆପଣଙ୍କର ନିଷ୍ପତି, ଆପଣଙ୍କର ନିର୍ଣ୍ଣୟ, ଦେଶ ହିତରେ, ଦେଶର ବିକାଶକୁ ଗତି ଦେଉଥିବା ଭଳି ହୋଇଥିବ ନିଶ୍ଚିତ, ଏହା ହେଉଛି ମୋର ବିଶ୍ୱାସ କିନ୍ତୁ ଏହି ସୁଯୋଗ, ଏହି ଆହ୍ୱାନ, ଏହି ଅବସର ସବୁକିଛି ଆପଣମାନଙ୍କ ସମ୍ମୁଖରେ ରହିଛି । ଆପଣମାନଙ୍କୁ ଏହି ଅମୃତକାଳରେ ଦେଶସେବାର ବହୁତ ବଡ଼, ପ୍ରକୃତରେ ବଡ଼ ଅଦ୍ଭୁତପୂର୍ବ ସୁଯୋଗ ମିଳିଛି । ଦେଶର ଲୋକମାନଙ୍କର ଜୀବନ ସହଜ ହେଉ, ସେମାନଙ୍କ ଜୀବନରୁ କଷ୍ଟ ସମାପ୍ତ ହୋଇଯାଉ, ଏହା ଆପଣମାନଙ୍କର ପ୍ରାଥମିକତା ହେବା ଉଚିତ । ଆପଣ ଯେଉଁ ମଧ୍ୟ ବିଭାଗରେ ନିଯୁକ୍ତି ହୋଇଛନ୍ତି, ଯେଉଁ ମଧ୍ୟ ସହର କିମ୍ବା ଗାଁରେ ରହିବେ, ସବୁବେଳେ ଏହି କଥାକୁ ଧ୍ୟାନରେ ରଖିବେ ଯେ ଆପଣମାନଙ୍କର କାର୍ଯ୍ୟ ଦ୍ୱାରା ଜନ ସାଧାରଣଙ୍କ କଷ୍ଟ କମ୍ ହେଉ, ଅସୁବିଧା ଦୂର ହେଉ, ସହଜରେ ସହାବସ୍ଥାନ ବୃଦ୍ଧି ହେଉ ଆଉ ଏହା ସହିତ 25 ବର୍ଷ ଭିତରେ ହିଁ ଦେଶକୁ ବିକଶିତ ଭାରତ କରିବାର ସ୍ୱପ୍ନକୁ ମଧ୍ୟ ଅନୁକୂଳ ହେଉ । ଅନେକ ଥର ଆପଣମାନଙ୍କର ଗୋଟିଏ ଛୋଟିଆ ପ୍ରୟାସ, କାହା ପାଇଁ ତାହାର କେତେ ମାସ ଧରି ରହିଥିବା ଅପେକ୍ଷାର ଅନ୍ତ ଘଟାଇ ପାରିବ, ତାଙ୍କର କୌଣସି ଅସୁବିଧା ହୋଇ ରହି ଯାଇଥିବା କାର୍ଯ୍ୟ ହୋଇ ଯାଇପାରେ । ଆଉ ଆପଣମାନେ ମୋର ଗୋଟିଏ କଥାକୁ ନିଶ୍ଚିତ ରୂପେ ମନେ ରଖିବେ । ଜନତା ଜନାର୍ଦ୍ଦନ ଈଶ୍ୱରଙ୍କର ହିଁ ସ୍ୱରୂପ ହୋଇ ଥାଆନ୍ତି । ଜନତାଙ୍କ ଠାରୁ ମିଳୁଥିବା ଆଶୀର୍ବାଦ, ଗରିବଙ୍କ ଠାରୁ ମିଳିଥିବା ଆଶୀର୍ବାଦ, ଭଗବାନଙ୍କ ଠାରୁ ମିଳୁଥିବା ଆଶୀର୍ବାଦ ସହିତ ହିଁ ସମାନ ହୋଇଥାଏ । ଏଥିପାଇଁ ଆପଣ ଅନ୍ୟମାନଙ୍କୁ ସାହାଯ୍ୟ କରିବାର ଭାବନା ନେଇ, ଅନ୍ୟମାନଙ୍କୁ ସେବା କରିବାର ଭାବନା ନେଇ କାର୍ଯ୍ୟ କରିବେ, ସେତେବେଳେ ଆପଣମାନଙ୍କର ଖ୍ୟାତି ମଧ୍ୟ ବଢ଼ିବ ଆଉ ଜୀବନର ଯେଉଁ ସବୁଠାରୁ ବଡ଼ ପୁଞ୍ଜି ହୋଇଥାଏ ସନ୍ତୋଷ, ସେଇ ଆତ୍ମସନ୍ତୋଷ ସେହିଠାରୁ ହିଁ ମିଳି ପାରିବ ।

ସାଥୀଗଣ,

ଆଜିକାର ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କିଙ୍ଗ କ୍ଷେତ୍ରର ବହୁତ ଲୋକଙ୍କୁ ନିଯୁକ୍ତି ପତ୍ର ମିଳିଛି । ଅର୍ଥ ବ୍ୟବସ୍ଥାର ବିସ୍ତାରରେ ଆମର ବ୍ୟାଙ୍କିଙ୍ଗ କ୍ଷେତ୍ରର ବହୁତ ବଡ଼ ଭୂମିକା ରହିଥାଏ । ଆଜି ଭାରତ ହେଉଛି ସେହି ଦେଶମାନଙ୍କ ମଧ୍ୟରୁ ଅନ୍ୟତମ, ଯେଉଁଠାର ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ସବୁଠାରୁ ସୁଦୃଢ଼ ବୋଲି ଧରିି ନିଆଯାଏ । କିନ୍ତୁ 9 ବର୍ଷ ପୂର୍ବରୁ ଏଭଳି ପରିସ୍ଥିତି ନ ଥିଲା । ଯେତେବେଳେ କ୍ଷମତାର ସ୍ୱାର୍ଥ ରାଷ୍ଟ୍ରହିତ ଉପରେ ଭାରୀ ପଡ଼ି ଯାଇଥାଏ, ସେତେବେଳେ କିଭଳି କ୍ଷତିଗ୍ରସ୍ତ ହୋଇଥାଏ, ବିନାଶ ହୋଇଥାଏ, ତାହାର ଅନେକ ଉଦାହରଣ ଦେଶରେ ରହିଛି, ଏଇ ଆମର ବ୍ୟାଙ୍କିଙ୍ଗ କ୍ଷେତ୍ର, ପୂର୍ବ ସରକାରଙ୍କ କାର୍ଯ୍ୟକାଳ ସମୟରେ ଏହି ନଷ୍ଟଭ୍ରଷ୍ଟ ବା କ୍ଷୟକ୍ଷତିକୁ ଦେଖିଛି, ଅଙ୍ଗେ ନିଭେଇଛି, ଅନୁଭବ କରିଛି । ଆପଣମାନେ ଜାଣନ୍ତି ଆଜିକାଲି ତ, ହେଉଛି ଡିଜିଟାଲ ଯୁଗ, ମୋବାଇଲ ଫୋନ ମାଧ୍ୟମରେ ବ୍ୟାଙ୍କିଙ୍ଗ ସେବା ଉପଭୋଗ କରୁଛନ୍ତି, ଫୋନ ବ୍ୟାଙ୍କିଙ୍ଗ କରୁଛନ୍ତି, କିନ୍ତୁ ଆଜିଠାରୁ 9 ବର୍ଷ ପୂର୍ବେ ଯେଉଁ ସରକାର ଥିଲେ, ନା ସେହି ସମୟରେ ଏହି ଫୋନ ବ୍ୟାଙ୍କିଙ୍ଗର କଳ୍ପନା ହିଁ ବହୁତ ଭିନ୍ନ ରହିଥିଲା, ପରମ୍ପରା ହିଁ ଭିନ୍ନ ରହିଥିଲା, ଉପାୟ ମଧ୍ୟ ଭିନ୍ନ ଥିଲା, ଉଦ୍ଦେଶ୍ୟ ମଧ୍ୟ ଭିନ୍ନ ଥିଲା । ସେହି ସମୟରେ ସେହି ସରକାରରେ ଏହି ଫୋନ ବ୍ୟାଙ୍କିଙ୍ଗ ମୋର, ଆପଣମାନଙ୍କ ଭଳି ସାଧାରଣ ନାଗରିକଙ୍କ ପାଇଁ ନ ଥିଲା, ଦେଶର 140 କୋଟି ଦେଶବାସୀଙ୍କ ପାଇଁ ନ ଥିଲା । ସେହି ସମୟରେ ଏକ ବିଶେଷ ପରିବାରର ନିକଟ ସମ୍ପର୍କୀୟ କିଛି ଶକ୍ତିଶାଳୀ ନେତା ବ୍ୟାଙ୍କକୁ ଫୋନ କରି ନିଜର ପସନ୍ଦର ଲୋକଙ୍କ ପାଇଁ ହଜାର ହଜାର କୋଟି କୋଟି ଟଙ୍କାର ଋଣ ମଂଜୁର କରାଇ ନେଉଥିଲେ । ଏହି ଋଣ କେବେ ପରିଶୋଧ କରା ଯାଉ ନ ଥିଲା ଆଉ କାଗଜ ପତ୍ରରେ ସମସ୍ତ କାର୍ଯ୍ୟ ଶେଷ ହୋଇ ଯାଉଥିଲା । ଗୋଟିଏ ଋଣ ପରିଶୋଧ କରିବା ପାଇଁ ପୁଣି ବ୍ୟାଙ୍କକୁ ଫୋନ କରି ଆଉ ଗୋଟିଏ ଋଣ, ଦ୍ୱିତୀୟ ଋଣ ପରିଶୋଧ ପାଇଁ, ପୁଣି ଥରେ ତୃତୀୟ ଋଣ କରାଇ ଦେବା । ଏହି ଫୋନ ବ୍ୟାଙ୍କିଙ୍ଗ ଘୋଟାଲା, ପୂର୍ବ ସରକାରଙ୍କ, ବିଗତ ସରକାରଙ୍କର ସବୁଠାରୁ ବଡ଼ ଘୋଟାଲା ମଧ୍ୟରୁ ହେଉଛି ଗୋଟିଏ । ପୂର୍ବ ସରକାରଙ୍କର ଏହି ଘୋଟାଲା ଯୋଗୁଁ ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ଅଂଟା ଭାଙ୍ଗି ଯାଇଥିଲା। 2014 ମସିହାରେ ଆପଣ ସମସ୍ତେ ଆମକୁ ସରକାରକୁ ଆଣି ଦେଶବାସୀଙ୍କ ସେବା କରିବାର ସୁଯୋଗ ଦେଲେ । 2014ରେ ସରକାରକୁ ଆସିବା ପରେ ଆମେ ଏହି ସ୍ଥିତିରେ ବ୍ୟାଙ୍କିଙ୍ଗ କ୍ଷେତ୍ର ଆଉ ଦେଶକୁ ସମସ୍ୟାରୁ ବାହାରକୁ ବାହାର କଲୁ । ଗୋଟିଏ ପରେ ଗୋଟିଏ ପଦକ୍ଷେପ ଉଠାଇ କାମ ଆରମ୍ଭ କଲୁ । ଆମେ ସରକାରୀ ବ୍ୟାଙ୍କର ପରିଚାଳନାକୁ ସଶକ୍ତ କଲୁ, ପେଶାଦାରିତା ଉପରେ ଗୁରୁତ୍ୱ ଦେଲୁ । ଆମେ ଦେଶରେ ଛୋଟ- ଛୋଟ ବ୍ୟାଙ୍କକୁ ଯୋଡ଼ି ବୃହତ ବ୍ୟାଙ୍କ ପ୍ରତିଷ୍ଠା କଲୁ । ଆମେ ସୁନିଶ୍ଚିତ କଲୁ ଯେ ବ୍ୟାଙ୍କରେ ସାଧାରଣ ନାଗରିକଙ୍କର 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଶି କେବେ ବୁଡ଼ି ନ ଯାଉ । କାରଣ ବ୍ୟାଙ୍କ ପ୍ରତି ସାଧାରଣ ନାଗରିକଙ୍କର ବିଶ୍ୱାସକୁ ଦୃଢ଼ କରିବାର ବହୁତ ଆବଶ୍ୟକ ହୋଇ ପଡ଼ିଥିଲା । କାରଣ ଅନେକ କର୍ପୋରେଟ ବ୍ୟାଙ୍କ ବୁଡ଼ିବାରେ ଲାଗିଥିଲା । ସାଧାରଣ ମଣିଷର ପରିଶ୍ରମର ଧନ ବୁଡ଼ି ଯାଉଥିଲା ଆଉ ଏଥିପାଇଁ ଆମେ ତାହାର ସୀମାକୁ ଏକ ଲକ୍ଷରୁ 5 ଲକ୍ଷ କରି ଦେଲୁ । ଫଳରେ 99 ପ୍ରତିଶତ ନାଗରିକମାନଙ୍କୁ ସେମାନଙ୍କର ପରିଶ୍ରମର ଅର୍ଥ ଫେରସ୍ତ ମିଳିଯାଉ । ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉଠାଇଲେ ଦେବାଳିଆ ସଂହିତା ଭଳି ଆଇନ ପ୍ରସ୍ତୁତ କଲେ ଫଳରେ ଯଦି କୌଣସି କମ୍ପାନୀ କୌଣସି ନା କୌଣସି କାରଣରୁ ବନ୍ଦ ହୋଇ ଯାଏ, ତେବେ ବ୍ୟାଙ୍କ ଗୁଡ଼ିକର ଅତି କମ୍ କ୍ଷତି ହେଉ । ଏହା ସହିତ ଆମେ ଖରାପ କାର୍ଯ୍ୟ କରୁଥିବା ଲୋକଙ୍କ ଉପରେ ମଧ୍ୟ ଅଙ୍କୁଶ ଲଗାଇଲୁ, ବ୍ୟାଙ୍କକୁ ଲୁଟୁଥିବା ଲୋକଙ୍କ ସମ୍ପତି ଜବତ କରିଦେଲୁ । ଆଜି ଏହାର ପରିଣାମ ଆପଣମାନଙ୍କ ସମ୍ମୁଖରେ ଅଛି । ଯେଉଁ ସରକାରୀ ବ୍ୟାଙ୍କର ଚର୍ଚ୍ଚା ହଜାର- ହଜାର କୋଟି ଟଙ୍କା କ୍ଷତି ପାଇଁ ହେଉଥିଲା, ଏନପିଏ ପାଇଁ ହେଉଥିଲା, ଆଜି ସେହି ବ୍ୟାଙ୍କର ଚର୍ଚ୍ଚା ରେକର୍ଡ ପରିମାଣରେ ଲାଭ ପାଇଁ ହେଉଛି।

ସାଥୀଗଣ,

ଭାରତର ସୁଦୃଢ଼ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଏବଂ ବ୍ୟାଙ୍କର ପ୍ରତ୍ୟେକ କର୍ମଚାରୀ, ସେମାନଙ୍କର କାର୍ଯ୍ୟ ବିଗତ 9 ବର୍ଷରେ ସରକାରଙ୍କ ଦୃଷ୍ଟିଭଙ୍ଗୀ ଅନୁକୂଳ ରହିଛି ସେମାନେ ଯାହା କାର୍ଯ୍ୟ କରିଛନ୍ତି, ତାହା ଆମ ସମସ୍ତଙ୍କ ପାଇଁ ହେଉଛି ଗର୍ବର ବିଷୟ । ବ୍ୟାଙ୍କରେ କାର୍ଯ୍ୟ କରୁଥିବା ମୋର ସମସ୍ତ କର୍ମଚାରୀ ଭାଇ-ଭଉଣୀମାନେ ଏତେ ପରିଶ୍ରମ କରିଛନ୍ତି, ଏତେ ଅଧିକ ପରିଶ୍ରମ କଲେ, ସଙ୍କଟଜନକ ପରିସ୍ଥିତିରୁ ବ୍ୟାଙ୍କକୁ ବାହାରକୁ ବାହାର କଲେ, ଦେଶର ଅର୍ଥତନ୍ତ୍ରର ବିକାଶରେ ଅଗ୍ରସର ହେବାର ଭୂମିକା ତୁଲାଇଲେ ଆଉ ଏହି ବ୍ୟାଙ୍କ କର୍ମଚାରୀମାନେ, ବ୍ୟାଙ୍କର ଲୋକମାନେ କେବେ ମଧ୍ୟ ମୋତେ ଆଉ ମୋର ଦୃଷ୍ଟିଭଙ୍ଗୀକୁ ନକରାତ୍ମକ ଦୃଷ୍ଟିରେ ଦେଖି ନାହାଁନ୍ତି, ମୋତେ ନିରାଶ କରି ନାହାଁନ୍ତି । ମୋର ସ୍ମରଣ ଅଛି, ଯେତେବେଳେ ଜନ-ଧନ ଯୋଜନା ଆରମ୍ଭ ହେଲା, ସେତେବେଳେ ଯେଉଁ ପୁରୁଣା ଚିନ୍ତାଧାରାର ଲୋକ ଥିଲେ ସେମାନେ ମୋତେ ପ୍ରଶ୍ନ ପଚାରୁଥିଲେ, ଗରିବଙ୍କ ପାଖରେ ତ’ ଅର୍ଥ ନାହିଁ, ସେମାନେ ବ୍ୟାଙ୍କ ଖାତା ଖୋଲି କ’ଣ କରିବେ? ବ୍ୟାଙ୍କ ଉପରେ ବୋଝ ବୃଦ୍ଧି ପାଇବ, ବ୍ୟାଙ୍କର କର୍ମଚାରୀ କିଭଳି କାମ କରିବେ । ଭିନ୍ନ- ଭିନ୍ନ ପ୍ରକାରର ନିରାଶାଜନକ ବାତାବରଣ ସୃଷ୍ଟି କରାଯାଇଥିଲା । କିନ୍ତୁ ମୋର ବ୍ୟାଙ୍କରେ କାର୍ଯ୍ୟ କରୁଥିବା ବନ୍ଧୁମାନେ ଗରିବମାନଙ୍କର ଜନ-ଧନ ଖାତା ଖୋଲୁ, ଏଥିପାଇଁ ଦିନ- ରାତି ଏକାଠି କରିଦେଲେ, ସାହି- ବସ୍ତିକୁ ଗଲେ, ନୂଆଁଣିଆ କଚ୍ଚା ଘରେ ରହୁଥିବା ଝୋପଡ଼ିକୁ ଯାଉଥିଲେ, ବ୍ୟାଙ୍କର କର୍ମଚାରୀ, ଲୋକମାନଙ୍କର ବ୍ୟାଙ୍କରେ ଖାତା ଖୋଲାଉଥିଲେ । ଯଦି ଆଜି ଦେଶରେ ପ୍ରାୟ 50 କୋଟି ଜନ- ଧନ ବ୍ୟାଙ୍କ ଖାତା ଖୋଲିଛି, ତେବେ ଏହା ପଛରେ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ଆମର କର୍ମଚାରୀମାନଙ୍କର ପରିଶ୍ରମ ରହିଛି, ସେମାନଙ୍କର ସେବାଭାବ ରହିଛି । ଏହା ହେଉଛି ବ୍ୟାଙ୍କ କର୍ମଚାରୀଙ୍କ ପରିଶ୍ରମ ଯେଉଁଥିପାଇଁ ସରକାର, କରୋନା କାଳରେ କୋଟି- କୋଟି ମହିଳାମାନଙ୍କର ବ୍ୟାଙ୍କ ଖାତାକୁ ସିଧାସଳଖ ଅର୍ଥ ହସ୍ତାନ୍ତର କରି ପାରିଲେ ।

ସାଥୀଗଣ,

କିଛି ଲୋକ ପୂର୍ବରୁ ମଧ୍ୟ ଭୁଲ ଅଭିଯୋଗ ଆଣୁଥିଲେ, ଆଉ କହୁଥିଲେ ଯେ ଆମର ବ୍ୟାଙ୍କିଙ୍ଗ କ୍ଷେତ୍ରରେ, ଅସଂଗଠିତ କ୍ଷେତ୍ରରେ ଲୋକଙ୍କୁ ସହାୟତା କରିବା ପାଇଁ କୌଣସି ବ୍ୟବସ୍ଥା ହିଁ ନାହିଁ । ପୂର୍ବର ସରକାରମାନଙ୍କରେ କ’ଣ ହୋଇଥିଲା ତାହା ଆପଣମାନେ ଭଲ ଭାବେ ଜାଣନ୍ତି । କିନ୍ତୁ 2014 ପରେ ସ୍ଥିତି ଏଭଳି ନାହିଁ । ଯେତେବେଳେ ସରକାର ମୁଦ୍ରା ଯୋଜନା ମାଧ୍ୟମରେ ଯୁବକମାନଙ୍କୁ ବିନା ଗ୍ୟାରେଂଟିରେ ଋଣ ଦେବାକୁ ନିଷ୍ପତି ନେଲେ, ସେତେବେଳେ ବ୍ୟାଙ୍କର ଲୋକମାନେ ଏହି ଯୋଜନାକୁ ଆଗକୁ ବଢ଼ାଇଲେ । ଯେତେବେଳେ ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଋଣ ଆବଂଟନକୁ ଦୁଇ ଗୁଣ କରିଦେଲେ, ସେତେବେଳେ ଏହି ବ୍ୟାଙ୍କର କର୍ମଚାରୀମାନେ ହିଁ ଥିଲେ, ଯେଉଁମାନେ ଅଧିକରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀକୁ ଆର୍ଥିକ ସହାୟତା ପହଂଚାଇଲେ । ଯେତେବେଳେ ସରକାର କୋଭିଡ଼ ସମୟରେ ଏମଏସଏମଇ କ୍ଷେତ୍ରକୁ ସହାୟତା କରିବାର ନିଷ୍ପତି ନେଲେ, ସେତେବେଳେ ଏହି ବ୍ୟାଙ୍କ କର୍ମଚାରୀମାନେ ହିଁ ଥିଲେ, ଯେଉଁମାନେ ଅଧିକରୁ ଅଧିକ ଋଣ ଦେଇ ଏମଏସଏମଇ କ୍ଷେତ୍ରକୁ ବଂଚାଇ ରଖିବାରେ ସହାୟତା କଲେ ଆଉ ଦେଢ଼ କୋଟିରୁ ଅଧିକ ଉଦ୍ୟୋଗୀମାନଙ୍କୁ ଯେଉଁମାନଙ୍କର ରୋଜଗାର ଚାଲିଯିବାର ସମ୍ଭାବନା ଥିଲା, ସେହି ଛୋଟ- ଛୋଟ ଉଦ୍ୟୋଗୀମାନଙ୍କୁ ବଂଚାଇ ରଖିବା ସହିତ ଦେଢ଼ କୋଟିରୁ ଅଧିକ ଲୋକଙ୍କ ରୋଜଗାରକୁ ମଧ୍ୟ ବଂଚାଇ ରଖିଲେ । ଯେତେବେଳେ ସରକାର କୃଷକମାନଙ୍କର ବ୍ୟାଙ୍କ ଖାତାକୁ ସିଧାସଳଖ ଅର୍ଥ ପଠାଇବା ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କଲେ, ସେତେବେଳେ ଏହି ବ୍ୟାଙ୍କ କର୍ମଚାରୀମାନେ ହିଁ ଥିଲେ, ଯେଉଁମାନେ ଏହି ଯୋଜନାକୁ ପ୍ରଯୁକ୍ତି ବିଦ୍ୟାର ସହାୟତାରେ ସଫଳ କରିବାରେ କୌଣସି ଅଭାବ ରଖି ନ ଥିଲେ । ଯେତେବେଳେ ସରକାର ରାସ୍ତାକଡ଼ ଉଠା ଦୋକାନୀ ଓ ଯେଉଁମାନେ ଫୁଟପାଥରେ ଠେଲା ଲଗାଇ ବସି ବ୍ୟବସାୟ କରୁଛନ୍ତି, ଛୋଟ ମୋଟ ଠେଲାଗାଡ଼ିରେ ଜିନିଷ ବିକୁଥିଲେ, ସେମାନଙ୍କ ପାଇଁ ଏକ ସ୍ୱନିଧି ଯୋଜନା ଆରମ୍ଭ କଲେ, ସେତେବେଳେ ଆମର ବ୍ୟାଙ୍କ କର୍ମଚାରୀମାନେ ହିଁ, ତାଙ୍କ ନିଜର ଗରିବ ଭାଇ- ଭଉଣୀମାନେ ଯେଉଁମାନେ ଏତେ ପରିଶ୍ରମ କରୁଛନ୍ତି ଆଉ କିଛି ବ୍ୟାଙ୍କ ଶାଖା ଏଭଳି ଲୋକମାନଙ୍କୁ ଖୋଜି ଖୋଜି, ପାଖକୁ ଡାକି, ସେମାନଙ୍କ ହାତ ଧରି ଏହି ରାସ୍ତା କଡ଼ ଉଠା ଦୋକାନୀମାନଙ୍କୁ ଋଣ ଦେବାର କାର୍ଯ୍ୟ କରିଛନ୍ତି । ଆଜି ଆମର ବ୍ୟାଙ୍କ କର୍ମଚାରୀମାନଙ୍କ ପରିଶ୍ରମ ଯୋଗୁଁ ହିଁ ପ୍ରାୟ 50 ଲକ୍ଷରୁ ଅଧିକ ରାସ୍ତା କଡ଼ ଉଠା ଦୋକାନୀ ଓ ଠେଲା ଲଗାଇ ବିକ୍ରି କରୁଥିବା ଲୋକମାନଙ୍କୁ, ସେମାନଙ୍କୁ ବ୍ୟାଙ୍କ ଠାରୁ ସାହାଯ୍ୟ ମିଳି ପାରିଛି । ମୁଁ ପ୍ରତ୍ୟେକ ବ୍ୟାଙ୍କ କର୍ମଚାରୀମାନଙ୍କୁ ପ୍ରଶଂସା କରୁଛି, ସେମାନଙ୍କୁ ଅଭିନନ୍ଦନ ଜଣାଉଛି, ଆଉ ଆପଣମାନେ ମଧ୍ୟ ଏବେ ଯେତେବେଳେ ବ୍ୟାଙ୍କିଙ୍ଗ କ୍ଷେତ୍ର ସହିତ ଯୋଡ଼ି ହେବାକୁ ଯାଉଛନ୍ତି, ସେତେବେଳେ ଏକ ନୂତନ ଉର୍ଜ୍ଜା ଯୋଡ଼ି ହେବ, ନୂତନ ବିଶ୍ୱାସ ଯୋଡ଼ି ହେବ, ସମାଜ ପାଇଁ କିଛି କରିବା ଲାଗି ଏକ ନୂତନ ଭାବନା ସୃଷ୍ଟି ହେବ । ପୁରୁଣା ଲୋକ ଯେଉଁମାନେ ପରିଶ୍ରମ କରୁଛନ୍ତି, ସେମାନଙ୍କ ସହିତ ଆପଣମାନଙ୍କର ପରିଶ୍ରମ ମିଶିଯିବ । ଆଉ ମୋର ଦୃଢ଼ ବିଶ୍ୱାସ ଯେ ଆମେ ବ୍ୟାଙ୍କିଙ୍ଗ କ୍ଷେତ୍ର ମାଧ୍ୟମରେ ଗରିବରୁ ଅତି ଗରିବ ଶ୍ରେଣୀକୁ ସୁଦୃଢ଼ କରିବା ପାଇଁ ଚାହୁଁଛୁ । ସେଥିରେ ଆପଣମାନଙ୍କର ଆଜିର ଏହି ନିଯୁକ୍ତି ପତ୍ର ସହିତ ହିଁ ସଂକଳ୍ପ ପତ୍ର ନେଇକରି ଯିବେ ।

ସାଥୀଗଣ,

ଯେତେବେଳେ ସଠିକ୍ ଲକ୍ଷ୍ୟ ପାଇଁ ନିଷ୍ପତି ନିଆ ଯାଇଥାଏ, ସଠିକ୍ ନୀତି ପ୍ରସ୍ତୁତ କରାଯାଇଥାଏ, ସେତେବେଳେ ତାହାର ମଧ୍ୟ ଅଦ୍ଭୁତ ପରିଣାମ ମିଳିଥାଏ । ଏହାର ଏକ ପ୍ରମାଣ ଏବେ କିଛି ଦିନ ପୂର୍ବେ ଦେଶ ଦେଖିଛି । ନୀତି ଆୟୋଗର ରିପୋର୍ଟ ଆସିଛି ଯେ କେବଳ ଗତ 5 ବର୍ଷ ମଧ୍ୟରେ ହିଁ ଭାରତରେ ସାଢ଼େ 13 କୋଟି ଭାରତୀୟ, ଦାରିଦ୍ର‌୍ୟ ସୀମାରେଖା ଉପରକୁ ଆସିଛନ୍ତି । ଭାରତର ଏହି ସଫଳତାରେ, ସରକାରୀ କର୍ମଚାରୀମାନଙ୍କର ପରିଶ୍ରମ ମଧ୍ୟ ରହିଛି । ଗରିବମାନଙ୍କୁ ପକ୍କା ଘର ଦେବାର ଯୋଜନା ହେଉ, ଗରିବମାନଙ୍କର ଶୌଚାଳୟ ନିର୍ମାଣ କରିବାର ଯୋଜନା ହେଉ, ଗରିବମାନଙ୍କର ଘରେ ବିଜୁଳି ସଂଯୋଗ ଦେବାର ଯୋଜନା ହେଉ, ଏଭଳି ଅନେକ ଯୋଜନାକୁ ଆମର ସରକାରୀ କର୍ମଚାରୀମାନେ ହିଁ ଗାଁ- ଗାଁ ଘର- ଘର ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ପାଖକୁ ନେଇକରି ଯାଇଛନ୍ତି । ଯେତେବେଳେ ଏହି ଯୋଜନା ଗରିବମାନଙ୍କ ପାଖରେ ପହଂଚିଥାଏ, ସେତେବେଳେ ଗରିବମାନଙ୍କର ମନୋବଳ ମଧ୍ୟ ବହୁତ ବୃଦ୍ଧି ପାଇଥାଏ, ବିଶ୍ୱାସ ସୃଷ୍ଟି ହୋଇଥାଏ। ଏହି ସଫଳତା ହେଉଛି ଏହି କଥାର ପ୍ରତୀକ ଯେ ଆମେ ମିଳିମିଶି ଭାରତରୁ ଦାରିଦ୍ର‌୍ୟ ଦୂର କରିବାର ପ୍ରୟାସ ବୃଦ୍ଧି କରିଛେ । ତେଣୁ ଭାରତରୁ ଦାରିଦ୍ର‌୍ୟ ସମ୍ପୂର୍ଣ୍ଣ ରୂପେ ଦୂର ହୋଇ ପାରିବ । ଆଉ ଏଥିରେ ନିଶ୍ଚିତ ଭାବେ ଦେଶର ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କର ବହୁତ ବଡ଼ ଭୂମିକା ରହିଛି । ଗରିବ କଲ୍ୟାଣର ଯାହା ମଧ୍ୟ ଯୋଜନାମାନ ଅଛି, ଆପଣମାନେ ନିଜେ ମଧ୍ୟ ଏଥିପ୍ରତି ସଚେତନ ରହିବେ ଆଉ ଜନତାଙ୍କୁ ମଧ୍ୟ ଏହା ସହିତ ଯୋଡ଼ିବାର ଅଛି ।

ସାଥୀଗଣ,

ଭାରତରେ ଦାରିଦ୍ର‌୍ୟ ସଂଖ୍ୟା ହ୍ରାସ ପାଇବାର ଆଉ ଏକ ଦିଗ ମଧ୍ୟ ରହିଛି । ହ୍ରାସ ପାଉଥିବା ଦାରିଦ୍ର‌୍ୟ ସଂଖ୍ୟା ମଧ୍ୟରେ ଦେଶରେ ଏକ ନିଓ- ମଧ୍ୟମବର୍ଗର କ୍ରମାଗତ ବିସ୍ତାର ହୋଇଛି । ଏହାଦ୍ୱାରା ରୋଜଗାରର ନୂତନ ସୁଯୋଗ ମଧ୍ୟ ସୃଷ୍ଟି ହେଉଛି । ଭାରତରେ ବୃଦ୍ଧି ପାଉଥିବା ନିଓ-ମଧ୍ୟମବର୍ଗର ନିଜସ୍ୱ ଚାହିଦା ରହିଛି, ନିଜର ଆକାଂକ୍ଷାମାନ ରହିଛି । ଏହି ଚାହିଦା ପୂରଣ କରିବା ପାଇଁ ଆଜି ଦେଶରେ ବ୍ୟାପକ ସ୍ତରରେ ବିନିର୍ମାଣ ହେଉଛି । ଆଜି ଯେତେବେଳେ ଆମର କାରଖାନାଗୁଡ଼ିକ, ଆମର ଉଦ୍ୟୋଗଗୁଡ଼ିକ ରେକର୍ଡ ଉତ୍ପାଦନ କରୁଛନ୍ତି, ସେତେବେଳେ ଏହାର ଲାଭ ମଧ୍ୟ ସବୁଠାରୁ ଅଧିକ ଆମର ଯୁବକମାନଙ୍କୁ ହୋଇଥାଏ । ଆଜିକାଲି ଆପଣମାନେ ଦେଖନ୍ତୁ, ପ୍ରାୟତଃ କୌଣସି ନୂତନ ରେକର୍ଡ ସମ୍ପର୍କରେ ଚର୍ଚ୍ଚା ହେଉଛି । ଭାରତରୁ ରେକର୍ଡ ସ୍ତରରେ ମୋବାଇଲ ଫୋନ ରପ୍ତାନୀ ହେଉଛି । ଭାରତରେ ଚଳିତ ବର୍ଷର ପ୍ରଥମ 6 ମାସରେ ଯେତିକି କାର ବିକ୍ରି ହୋଇଛି, ତାହା ମଧ୍ୟ ହେଉଛି ଉତ୍ସାହ ବୃଦ୍ଧି କରିବା ଭଳି । ବିଦ୍ୟୁତ ଚାଳିତ ଯାନଗୁଡ଼ିକ ମଧ୍ୟ ଭାରତରେ ରେକର୍ଡ ସ୍ତରରେ ବିକ୍ରି ହେଉଛି । ଏହି ସବୁ ଦେଶରେ ରୋଜଗାର ବୃଦ୍ଧି କରୁଛି, ରୋଜଗାରର ସୁଯୋଗ ବୃଦ୍ଧି ଘଟୁଛି ।

ସାଥୀଗଣ,

ଭାରତର ପ୍ରତିଭା ଉପରେ ଆଜି ସମଗ୍ର ବିଶ୍ୱର ଦୃଷ୍ଟି ରହିଛି । ବିଶ୍ୱରେ ଅନେକ ବିକଶିତ ଅର୍ଥବ୍ୟବସ୍ଥାରେ ଲୋକମାନଙ୍କର ବୟସ ଦ୍ରୁତ ଗତିରେ ବୃଦ୍ଧି ପାଉଛି, ବରିଷ୍ଠ ନାଗରିକଙ୍କ ଦ୍ୱାରା ବିଶ୍ୱର ଅନେକ ଦେଶ ବିପୁଳ ସଂଖ୍ୟାରେ ଭରି ହୋଇ ରହିଛନ୍ତି, ସେଠାରେ ଯୁବ ପିଢୀଙ୍କ ସଂଖ୍ୟା କମିବାରେ ଲାଗିଛି, କାର୍ଯ୍ୟ କରୁଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଏଥିପାଇଁ ଏହି ସମୟ ଭାରତର ଯୁବକମାନଙ୍କ ପାଇଁ ହେଉଛି ବହୁତ ପରିଶ୍ରମ କରିବାର ସମୟ, ଦିଜର ଦକ୍ଷତା, ନିଜର କ୍ଷମତାକୁ ବୃଦ୍ଧି କରିବାର ଅଛି । ଆମେ ଦେଖିଛୁ ଯେ, ଭାରତରେ ଆଇଟି ପ୍ରତିଭାଙ୍କର, ଡାକ୍ତରମାନଙ୍କର, ନର୍ସ ବା ସେବିକାମାନଙ୍କର ଆଉ ଆମର ଉପସାଗରୀୟ ଦେଶମାନଙ୍କରେ ନିର୍ମାଣ ଜଗତରେ କାର୍ଯ୍ୟ କରୁଥିବା ଆମର ବନ୍ଧୁମାନଙ୍କର ବହୁତ ଚାହିଦା ରହିଛି। ଭାରତୀୟ ପ୍ରତିଭା ମାନଙ୍କର ସମ୍ମାନ, ପ୍ରତ୍ୟେକ ଦେଶରେ, ପ୍ରତ୍ୟେକ କ୍ଷେତ୍ରରେ କ୍ରମାଗତ ଭାବେ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏଥିପାଇଁ ବିଗତ 9 ବର୍ଷରେ ସରକାରଙ୍କ ବହୁତ ବଡ଼ ଧ୍ୟାନ ଦକ୍ଷତା ବିକାଶ ଉପରେ ରହିଛି । ପିଏମ୍ କୌଶଳ ବିକାଶ ଯୋଜନା ଅଧୀନରେ ପାଖାପାଖି ଦେଢ କୋଟି ଯୁବକମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ସାରିଛି । ସରକାର, 30ଟି ସ୍କିଲ ଇଣ୍ଡିଆ ଆନ୍ତର୍ଜାତିକ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରିଛନ୍ତି ଫଳରେ ଆମର ଯୁବକମାନେ ବୈଶ୍ୱିକ ସୁବିଧା ସୁଯୋଗ ପାଇଁ ପ୍ରସ୍ତୁତ ହୋଇ ପାରିବେ । ଆଜି ସାରା ଦେଶରେ ନୂତନ ମେଡିକାଲ କଲେଜ, ନୂତନ ଆଇଟିଆଇ, ନୂଆ ଆଇଆଇଟି, ବୈଷୟିକ ପ୍ରତିଷ୍ଠାନମାନ ସ୍ଥାପନ କରିବାର ଅଭିଯାନ ଦ୍ରୁତ ଗତିରେ ଚାଲୁ ରହିଛି । 2014 ସୁଦ୍ଧା ଆମ ଦେଶରେ ପ୍ରାୟ 380 ଟି ମେଡିକାଲ କଲେଜ ହିଁ ଥିଲା । ବିଗତ 9 ବର୍ଷରେ ଏହି ସଂଖ୍ୟା 700ରୁ ଅଧିକ ହୋଇ ସାରିଛି । ସେହିଭଳି ନର୍ସିଂ କଲେଜ ସଂଖ୍ୟା ମଧ୍ୟ ବହୁତ ବୃଦ୍ଧି ପାଇଛି । ବୈଶ୍ୱିକ ଚାହିଦାକୁ ପୂରଣ କରିବା ଭଳି ଦକ୍ଷତା, ଭାରତର ଯୁବକମାନଙ୍କ ପାଇଁ ଲକ୍ଷ ଲକ୍ଷ ନୂତନ ସୁଯୋଗ ସୃଷ୍ଟି କରିବାକୁ ଯାଉଛି ।

ସାଥୀଗଣ,

ଆପଣ ସମସ୍ତେ ଏକ ସକରାତ୍ମକ ବାତାବରଣ ମଧ୍ୟରେ ସରକାରୀ ସେବା କରିବାକୁ ଆସିଛନ୍ତି । ଏବେ ଆପଣମାନଙ୍କ ଉପରେ ମଧ୍ୟ ଦେଶର ଏହି ସକରାତ୍ମକ ଚିନ୍ତାଧାରାକୁ ଆଗକୁ ନେଇ ଯିବାର ଦାୟିତ୍ୱ ଅଛି । ଏବେ ଆପଣ ସମସ୍ତଙ୍କୁ ମଧ୍ୟ ନିଜର ଆକାଂକ୍ଷାକୁ ବିସ୍ତାର କରିବାର ପ୍ରୟାସ କରିବା ଆବଶ୍ୟକ । ନୂତନ ଦାୟିତ୍ୱ ସହିତ ଯୋଡି ହେବା ପରେ ମଧ୍ୟ ଆପଣମାନେ ଶିକ୍ଷା କରିବା ଏବଂ ଆତ୍ମ ବିକାଶର ପ୍ରକ୍ରିୟାକୁ ଜାରି ରଖନ୍ତୁ । ଆପଣମାନଙ୍କର ସହାୟତା କରିବା ପାଇଁ ସରକାର ଅନଲାଇନ ଶିକ୍ଷଣ ମଂଚ ଆଇଜିଓଟି କର୍ମଯୋଗୀ(iGOT Karmayogi) ପ୍ରସ୍ତୁତ କରିଛନ୍ତି। ମୋର ଆପଣ ସମସ୍ତଙ୍କୁ ଅନୁରୋଧ ଯେ, ଏହି ସୁବିଧାର ଅଧିକରୁ ଅଧିକ ଲାଭ ଉଠାଇବାର ପ୍ରୟାସ କରନ୍ତୁ । ପୁଣି ଥରେ, ମୁଁ ଆପଣମାନଙ୍କୁ, ଆପଣମାନଙ୍କ ପରିବାରର ଲୋକଙ୍କୁ ଏହି ନୂତନ ଦାୟିତ୍ୱ ପାଇଁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି । ଆଉ ଏହି ନୂତନ ଦାୟିତ୍ୱ ହେଉଛି ଏକ ପ୍ରାରମ୍ଭ ବିନ୍ଦୁ, ଆପଣମାନେ ମଧ୍ୟ ଜୀବନରେ ଅନେକ ନୂତନ ଶିଖରକୁ ପ୍ରାପ୍ତ କରନ୍ତୁ । ଆପଣମାନଙ୍କ ମାଧ୍ୟମରେ ଯେଉଁଠାରେ ମଧ୍ୟ ଆପଣମାନଙ୍କୁ ସେବା କରିବାର ସୁଯୋଗ ମିଳିବ, ଦେଶର ପ୍ରତ୍ୟେକ ନାଗରିକ ନିଜର ସ୍ୱପ୍ନ ପୂରଣ କରିବା ପାଇଁ ଆପଣମାନଙ୍କ ଦ୍ୱାରା ବହୁତ ଶକ୍ତି ପ୍ରାପ୍ତ କରନ୍ତୁ । ଆପଣ ନିଜର ପ୍ରତ୍ୟେକ ସ୍ୱପ୍ନ ପୂରଣ କରନ୍ତୁ, ସଂକଳ୍ପକୁ ପୂରଣ କରନ୍ତୁ, ଏହି ଦାୟିତ୍ୱକୁ ବହୁତ ଗୁରୁତ୍ୱର ସହିତ ତୁଲାନ୍ତୁ ଏଥିପାଇଁ ମୋ ତରଫରୁ ଆପଣମାନଙ୍କୁ ବହୁତ- ବହୁତ ଶୁଭକାମନା ଜଣାଉଛି ।

 ବହୁତ- ବହୁତ ଧନ୍ୟବାଦ । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
New farm-sector scheme gives thrust to 100 laggard districts

Media Coverage

New farm-sector scheme gives thrust to 100 laggard districts
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tributes to Shri Biju Patnaik Ji on his birth anniversary
March 05, 2026

The Prime Minister, Shri Narendra Modi paid tributes to former Chief Minister of Odisha, Shri Biju Patnaik on his birth anniversary and remembered him for his passion towards furthering the progress of Odisha.

The Prime Minister wrote on X;

“On his birth anniversary today, I pay tributes to Shri Biju Patnaik Ji and remember his passion towards furthering the progress of Odisha.”