ଜାତୀୟ ମହାକାଶ ଦିବସ ଭାରତର ଯୁବପିଢ଼ିଙ୍କ ପାଇଁ ଉତ୍ସାହ ଏବଂ ପ୍ରେରଣାର ଏକ ଅବସର ପାଲଟିଛି, ଯାହାକି ଦେଶ ପାଇଁ ଗର୍ବର ବିଷୟ; ମୁଁ ଏହି ଅବସରରେ ମହାକାଶ କ୍ଷେତ୍ର ସହିତ ଜଡିତ ସମସ୍ତ ବୈଜ୍ଞାନିକ ଏବଂ ଯୁବ ନାଗରିକଙ୍କୁ ମୋର ଶୁଭକାମନା ଜଣାଉଛି: ପ୍ରଧାନମନ୍ତ୍ରୀ
ମହାକାଶ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିବା ଏବେ ଭାରତ ଏବଂ ଏହାର ବୈଜ୍ଞାନିକମାନଙ୍କର ଏକ ସ୍ବାଭାବିକ ଗୁଣ ପାଲଟିଛି: ପ୍ରଧାନମନ୍ତ୍ରୀ
ଭାରତ ଅର୍ଦ୍ଧ-କ୍ରାୟୋଜେନିକ ଇଞ୍ଜିନ ଏବଂ ଇଲେକ୍ଟ୍ରିକ ପ୍ରପଲସନ ଭଳି ପ୍ରଯୁକ୍ତିବିଦ୍ୟାରେ ଦ୍ରୁତ ଗତିରେ ଅଗ୍ରଗତି କରୁଛି ଏବଂ ବହୁତ ଶୀଘ୍ର, ଆମର ବୈଜ୍ଞାନିକମାନଙ୍କ ଉତ୍ସର୍ଗୀକୃତ ପ୍ରୟାସ ସହିତ, ଭାରତ ଗଗନଯାନ ମିଶନ ଆରମ୍ଭ କରିବ ଏବଂ ଆଗାମୀ ବର୍ଷଗୁଡ଼ିକରେ ନିଜର ମହାକାଶ ଷ୍ଟେସନ ନିର୍ମାଣ କରିବ: ପ୍ରଧାନମନ୍ତ୍ରୀ
ମହାକାଶ ପ୍ରଯୁକ୍ତିବିଦ୍ୟା ଭାରତରେ ଶାସନର ଏକ ଅଂଶ ହେବାରେ ଲାଗିଛି - ତାହା ଫସଲ ବୀମା ଯୋଜନାରେ ଉପଗ୍ରହ-ଆଧାରିତ ମୂଲ୍ୟାଙ୍କନ ହେଉ କିମ୍ବା ମତ୍ସ୍ୟଜୀବୀଙ୍କ ପାଇଁ ଉପଗ୍ରହ-ଆଧାରିତ ସୂଚନା ଏବଂ ସୁରକ୍ଷା, ବିପର୍ଯ୍ୟୟ ପରିଚାଳନା ପ୍ରୟାସ ଅଥବା ପ୍ରଧାନମନ୍ତ୍ରୀ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନରେ ଭୂସ୍ଥାନିକ ତଥ୍ୟର ବ୍ୟବହାର ହେଉ: ପ୍ରଧାନମନ୍ତ୍ରୀ
ସେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀ ଏବଂ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

ମୋର ସମସ୍ତ କ୍ୟାବିନେଟ୍ ସହକର୍ମୀ, ଇସ୍ରୋ ତଥା ମହାକାଶ କ୍ଷେତ୍ରର ବୈଜ୍ଞାନିକ ବୃନ୍ଦ, ଇଞ୍ଜିନିୟର ଏବଂ ମୋର ପ୍ରିୟ ଦେଶବାସୀ!

 

ଜାତୀୟ ମହାକାଶ ଦିବସରେ ଆପଣ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା। ଏହି ବର୍ଷ, ମହାକାଶ ଦିବସର ବିଷୟବସ୍ତୁ ହେଉଛି 'ଆର୍ଯ୍ୟଭଟ୍ଟରୁ ଗଗନଯାନ: ପ୍ରାଚୀନ ଜ୍ଞାନରୁ ଅନନ୍ତ ସମ୍ଭାବନା'। ଏହା ଅତୀତର ଆତ୍ମବିଶ୍ୱାସ ଏବଂ ଭବିଷ୍ୟତର ସଂକଳ୍ପକୁ ପ୍ରତିଫଳିତ କରେ। ଆଜି, ଆମେ ଦେଖୁଛୁ ଯେ କିପରି ଏତେ କମ୍ ସମୟ ମଧ୍ୟରେ ଜାତୀୟ ମହାକାଶ ଦିବସ ଆମ ଯୁବପିଢ଼ିଙ୍କ ପାଇଁ ଉତ୍ସାହ ଏବଂ ପ୍ରେରଣାର ଏକ ଅବସର ପାଲଟିଛି। ଏହା ପ୍ରକୃତରେ ଦେଶ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ମୁଁ ମହାକାଶ କ୍ଷେତ୍ର ସହିତ ଜଡ଼ିତ ସମସ୍ତଙ୍କୁ, ଆମର ବୈଜ୍ଞାନିକମାନଙ୍କୁ ଏବଂ ସମସ୍ତ ଯୁବପିଢ଼ିଙ୍କୁ ଜାତୀୟ ମହାକାଶ ଦିବସରେ ମୋର ହୃଦୟର ସହିତ ଅଭିନନ୍ଦନ ଜଣାଉଛି। ନିକଟରେ, ଭାରତ 'ଆନ୍ତର୍ଜାତିକ ମହାକାଶ ବିଜ୍ଞାନ ଏବଂ ଜ୍ୟୋତିର୍ବିଜ୍ଞାନ ଅଲମ୍ପିଆଡ୍' ଆୟୋଜନ କରିଥିଲା। ଏହି ପ୍ରତିଯୋଗିତାରେ ବିଶ୍ୱର ୬୦ରୁ ଅଧିକ ଦେଶରୁ ପ୍ରାୟ ୩୦୦ ଯୁବ ଅଂଶଗ୍ରହଣକାରୀ ଅଂଶଗ୍ରହଣ କରିଥିଲେ। ଆମର ଭାରତୀୟ ଯୁବକମାନେ ମଧ୍ୟ ପଦକ ଜିତିଥିଲେ। ଏହି ଅଲିମ୍ପିଆଡ୍ ମହାକାଶ କ୍ଷେତ୍ରରେ ଭାରତର ଉଦୀୟମାନ ନେତୃତ୍ୱର ପ୍ରତୀକ ହୋଇଛି।

 

ବନ୍ଧୁଗଣ,

 

ମୁଁ ଆନନ୍ଦିତ ଯେ ଆମ ଯୁବପିଢ଼ିଙ୍କ ମଧ୍ୟରେ ମହାକାଶ ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିବା ପାଇଁ, ଇସ୍ରୋ ମଧ୍ୟ ଇଣ୍ଡିଆନ୍ ସ୍ପେସ୍ ହାକାଥନ୍ ଏବଂ ରୋବୋଟିକ୍ସ ଚ୍ୟାଲେଞ୍ଜ ଭଳି ଅଭିନବ ପଦକ୍ଷେପ ଆରମ୍ଭ କରିଛି। ମୁଁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ର ଏବଂ ବିଜେତାମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି।

 

ବନ୍ଧୁଗଣ,

 

ମହାକାଶ କ୍ଷେତ୍ରରେ, ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ହାସଲ କରିବା ଏବେ ଭାରତ ଏବଂ ଆମର ବୈଜ୍ଞାନିକମାନଙ୍କ ଏକ ପ୍ରକୃତିରେ ପରିଣତ ହୋଇଛି। ମାତ୍ର ଦୁଇ ବର୍ଷ ପୂର୍ବେ, ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ଇତିହାସର ପ୍ରଥମ ଦେଶ ହୋଇଥିଲା। ଆମେ ମହାକାଶରେ ଡକିଂ ଏବଂ ଅନଡକିଂ କରିବାର କ୍ଷମତା ସହିତ ବିଶ୍ୱର ଚତୁର୍ଥ ଦେଶ ମଧ୍ୟ ହୋଇଛୁ। ମାତ୍ର ତିନି ଦିନ ପୂର୍ବରୁ, ମୁଁ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ଭେଟିବାର ସୁଯୋଗ ପାଇଥିଲି। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ତ୍ରିରଙ୍ଗା ଉଡ଼ାଇ ସେ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛନ୍ତି।    ଯେତେବେଳେ ସେ ମୋତେ ସେହି ତ୍ରିରଙ୍ଗା ଦେଖାଇଲେ, ସେହି ମୁହୂର୍ତ୍ତ ଏବଂ ସେହି ଅଭିଜ୍ଞତାକୁ ଶବ୍ଦରେ ବର୍ଣ୍ଣନା କରିବା ଅସମ୍ଭବ। ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁଙ୍କ ସହିତ ମୋର ଆଲୋଚନା ବେଳେ, ମୁଁ ନୂତନ ଭାରତର ଯୁବକମାନଙ୍କର ଅସୀମ ସାହସ ଏବଂ ଅସୀମ ସ୍ୱପ୍ନ ଦେଖିଥିଲି। ଏହି ସ୍ୱପ୍ନଗୁଡ଼ିକୁ ଆଗକୁ ନେବା ପାଇଁ, ଆମେ ଭାରତ ପାଇଁ ଏକ ମହାକାଶଚାରୀ ପୁଲ୍ ମଧ୍ୟ ପ୍ରସ୍ତୁତ କରୁଛୁ। ଏହି ମହାକାଶ ଦିବସରେ, ମୁଁ ମୋର ଯୁବ ବନ୍ଧୁମାନଙ୍କୁ ଏହି ମହାକାଶଚାରୀ ପୁଲ୍‌ରେ ଯୋଗ ଦେବାକୁ ଏବଂ ଭାରତର ସ୍ୱପ୍ନକୁ ଡେଣା ଦେବାକୁ ନିମନ୍ତ୍ରଣ କରୁଛି।

 

ବନ୍ଧୁଗଣ,

ଆଜି ଭାରତ ସେମି-କ୍ରାୟୋଜେନିକ ଇଞ୍ଜିନ୍ ଏବଂ ଇଲେକ୍ଟ୍ରୋନିକ ପ୍ରପଲସନ୍‍  ଭଳି  ପ୍ରଯୁକ୍ତିବିଦ୍ୟା ଦ୍ୱାରା ସହ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଖୁବଶୀଘ୍ର, ଆମର ସମସ୍ତ ବୈଜ୍ଞାନିକଙ୍କ କଠିନ ପରିଶ୍ରମ ଦ୍ୱାରା, ଭାରତ ଗଗନଯାନ ପ୍ରକ୍ଷେପଣ କରିବ, ଏବଂ ଆଗାମୀ ବର୍ଷଗୁଡ଼ିକରେ, ଭାରତ ନିଜର ମହାକାଶ ଷ୍ଟେସନ ମଧ୍ୟ ନିର୍ମାଣ କରିବ। ଆମେ ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହରେ ପହଞ୍ଚି ସାରିଛୁ। ଏବେ ଆମକୁ ମହାକାଶର ସେହି କ୍ଷେତ୍ରଗୁଡ଼ିକରେ ଗଭୀର ଭାବରେ ଅନୁସନ୍ଧାନ କରିବାକୁ ପଡ଼ିବ, ଯେଉଁଠାରେ ମାନବତାର ଭବିଷ୍ୟତ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ରହସ୍ୟ ଲୁଚି ରହିଛି। ଗ୍ୟାଲାକ୍ସି ବାହାରେ ଆମର ଦିଗନ୍ତ ରହିଛି!

 

ବନ୍ଧୁଗଣ,

ସୀମାହୀନ ଆକାଶ ଆମକୁ ସର୍ବଦା ମନେ ପକାଇ ଦିଏ ଯେ କୌଣସି ମାଇଲଖୁଣ୍ଟ କେବେ ଶେଷ ଗନ୍ତବ୍ୟସ୍ଥଳ ନୁହେଁ। ଠିକ୍‍ ସେହିପରି ମୁଁ ବିଶ୍ୱାସ କରେ ଯେ ମହାକାଶ ପାଇଁ ନୀତି ସ୍ତରରେ ମଧ୍ୟ କେବେବି ଏକ ଅନ୍ତିମ ବା  ପୂର୍ଣ୍ଣଛେଦ ରହିବା ଉଚିତ୍ ନୁହେଁ। ସେଥିପାଇଁ ମୁଁ ଲାଲକିଲ୍ଲାର ପ୍ରାଚୀରରୁ କହିଥିଲି ଯେ ଆମର ପଥ 'ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତର' ଆଧାରରିତ। ଗତ ଏଗାର ବର୍ଷ ମଧ୍ୟରେ, ଭାରତ ମହାକାଶ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ବଡ଼ ସଂସ୍କାର ଆଣିଛି। ଗୋଟିଏ ସମୟ ଥିଲା ଯେତେବେଳେ ମହାକାଶ ଭଳି ଭବିଷ୍ୟତବାଦୀ କ୍ଷେତ୍ରଗୁଡ଼ିକ ଆମ ଦେଶରେ ଅଗଣିତ ପ୍ରତିବନ୍ଧକରେ ବାନ୍ଧି ହୋଇ ରହିଥିଲା। ଆମେ ସେହି ଶୃଙ୍ଖଳଗୁଡ଼ିକୁ ଭାଙ୍ଗିଛୁ। ଆମେ ଘରୋଇ କ୍ଷେତ୍ରକୁ ମହାକାଶ ପ୍ରଯୁକ୍ତିବିଦ୍ୟାରେ ଅଂଶଗ୍ରହଣ କରିବାକୁ ଅନୁମତି ଦେଇଛୁ। ଫଳସ୍ୱରୂପ ଆଜି, ୩୫୦ରୁ ଅଧିକ ଷ୍ଟାର୍ଟ-ଅପ୍ ମହାକାଶ ପ୍ରଯୁକ୍ତିବିଦ୍ୟାରେ ନବସୃଜନ ଏବଂ ତ୍ୱରାନ୍ୱୟର ଇଞ୍ଜିନ୍ ଭାବରେ ଉଭା ହୋଇଛନ୍ତି। ସେମାନଙ୍କର ଦୃଢ଼ ଉପସ୍ଥିତି ଏହି କାର୍ଯ୍ୟକ୍ରମରେ ମଧ୍ୟ ଦେଖାଯାଇପାରିବ। ଖୁବ୍ ଶୀଘ୍ର, ଆମର ଘରୋଇ କ୍ଷେତ୍ର ଦ୍ୱାରା ନିର୍ମିତ ପ୍ରଥମ ପିଏସ୍‍ଏଲ୍‍ଭି ରକେଟ୍ ଉତ୍ କ୍ଷେପଣ କରାଯିବ। ମୁଁ ମଧ୍ୟ ଖୁସି ଯେ ଭାରତର ପ୍ରଥମ ଘରୋଇ ଯୋଗାଯୋଗ ଉପଗ୍ରହ ବିକଶିତ ହେଉଛି। ସରକାରୀ-ଘରୋଇ ସହଭାଗୀତା ମାଧ୍ୟମରେ, ଏକ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହପୁଞ୍ଜ ମଧ୍ୟ ଉତ୍ କ୍ଷେପଣ ପାଇଁ ପ୍ରସ୍ତୁତି ଚାଲିଛି। ଏଥିରୁ ଆପଣ କଳ୍ପନା କରିପାରିବେ ଯେ ମହାକାଶ କ୍ଷେତ୍ରରେ ଭାରତର ଯୁବପିଢ଼ି ପାଇଁ କେତେ ବିପୁଳ ସୁଯୋଗ ସୃଷ୍ଟି ହେଉଛି।

 

ବନ୍ଧୁଗଣ,

ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଲାର ପ୍ରାଚୀରରୁ, ମୁଁ ଏପରି ଅନେକ କ୍ଷେତ୍ର ବିଷୟରେ କହିଥିଲି ଯେଉଁଠାରେ ଭାରତକୁ ଆତ୍ମନିର୍ଭରଶୀଳ ହେବା ଅତ୍ୟନ୍ତ ଜରୁରୀ। ମୁଁ ପ୍ରତ୍ୟେକ କ୍ଷେତ୍ରକୁ ନିଜସ୍ୱ ଲକ୍ଷ୍ୟ ସ୍ଥିର କରିବାକୁ କହିଥିଲି। ଆଜି, ମହାକାଶ ଦିବସରେ, ମୁଁ ଆମର ମହାକାଶ ଷ୍ଟାର୍ଟ-ଅପ୍‍ଗୁଡ଼ିକ ଆଗରେ ପ୍ରଶ୍ନଟିଏ ରଖିବାକୁ ଚାହେଁ ଯେ  ଆମେ କ’ଣ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ମହାକାଶ କ୍ଷେତ୍ରରେ ପାଞ୍ଚଟି ୟୁନିକର୍ଣ୍ଣ ସୃଷ୍ଟି କରିବା ନାହିଁ? ବର୍ତ୍ତମାନ, ଆମେ ପ୍ରତିବର୍ଷ ଭାରତ ମାଟିରୁ ପ୍ରାୟ ପାଞ୍ଚରୁ ଛଅଟି ପ୍ରମୁଖ ପ୍ରକ୍ଷେପଣ ଦେଖୁଛୁ। ମୁଁ ଚାହେଁ ଯେ ଘରୋଇ କ୍ଷେତ୍ର ନେତୃତ୍ୱ ନେଉ ଯାହାଦ୍ୱାରା ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଆମେ ପ୍ରତିବର୍ଷ ପଚାଶ ରକେଟ୍ ପ୍ରକ୍ଷେପଣ କରିବା ଏକ ମାଇଲଖୁଣ୍ଟରେ ପହଞ୍ଚିପାରିବୁ। ପ୍ରତି ସପ୍ତାହରେ ଗୋଟିଏ! ଏଥିପାଇଁ, ଦେଶ ଚାହୁଁଥିବା ସମସ୍ତ ପ୍ରକାର ଆବଶ୍ୟକ ସଂସ୍କାର ଆଣିବା ଲାଗି ଇଚ୍ଛା ଓ ଉଦ୍ଦେଶ୍ୟ ସରକାର ରଖିଛନ୍ତି।  ମୁଁ ଆପଣଙ୍କୁ ଆଶ୍ୱାସନା ଦେଉଛି, ସରକାର ପ୍ରତ୍ୟେକ ପଦକ୍ଷେପରେ ଆପଣଙ୍କ ସହିତ ଠିଆ ହେବେ।

 

ବନ୍ଧୁଗଣ,

ଭାରତ ମହାକାଶ ପ୍ରଯୁକ୍ତିବିଦ୍ୟାକୁ କେବଳ ବୈଜ୍ଞାନିକ ଅନୁସନ୍ଧାନର ମାଧ୍ୟମ ଭାବରେ ନୁହେଁ, ବରଂ ସହଜ ଜୀବନଯାପନ ପାଇଁ ଏକ ଉପକରଣ ଭାବରେ ମଧ୍ୟ ଗ୍ରହଣ କରେ। ଆଜି, ମହାକାଶ ପ୍ରଯୁକ୍ତିବିଦ୍ୟା ଭାରତ ଶାସନର ଏକ ଅବିଚ୍ଛେଦ୍ୟ ଅଂଶ ହୋଇପଡୁଛି। ଫସଲ ବୀମା ଯୋଜନାରେ ସାଟେଲାଇଟ୍-ଆଧାରିତ ମୂଲ୍ୟାଙ୍କନ, ସାଟେଲାଇଟ୍ ମାଧ୍ୟମରେ ମତ୍ସ୍ୟଜୀବୀମାନଙ୍କୁ ପ୍ରଦାନ କରାଯାଉଥିବା ସୂଚନା ହେଉ ବା ବିପର୍ଯ୍ୟୟ ପରିଚାଳନା, କିମ୍ବା ପ୍ରଧାନମନ୍ତ୍ରୀ ଗତି ଶକ୍ତି ଜାତୀୟ ମାଷ୍ଟର ଯୋଜନାରେ ଭୂ-ସ୍ଥାନିକ ତଥ୍ୟର ବ୍ୟବହାର ପ୍ରଭୃତି ମହାକାଶରେ ଭାରତର ଉନ୍ନତି ସାଧାରଣ ନାଗରିକଙ୍କ ଜୀବନକୁ ସହଜ କରୁଛି। ଏହି ଦିଗରେ, ଗତକାଲି କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ମହାକାଶ-ପ୍ରଯୁକ୍ତିର ବ୍ୟବହାରକୁ ବୃଦ୍ଧି କରିବା ପାଇଁ 'ଜାତୀୟ ସମ୍ମିଳନୀ ୨.୦’ ମଧ୍ୟ ଆୟୋଜନ କରାଯାଇଥିଲା। ମୁଁ ଭବିଷ୍ୟତରେ ଏପରି ପ୍ରୟାସ ଜାରି ରଖିବାକୁ ଚାହୁଁଛି। ମୁଁ ଆମର ମହାକାଶ ଷ୍ଟାର୍ଟ-ଅପ୍ ଗୁଡ଼ିକୁ ଆମର ନାଗରିକଙ୍କ ସେବା ପାଇଁ ନୂତନ ସମାଧାନ ଏବଂ ନବସୃଜନ ସୃଷ୍ଟି କରିବାକୁ ମଧ୍ୟ ଅନୁରୋଧ କରୁଛି। ମୁଁ ନିଶ୍ଚିତ ଯେ ଆଗାମୀ ସମୟରେ, ମହାକାଶରେ ଭାରତର ଯାତ୍ରା ନୂତନ ଶିଖର ଛୁଇଁବ। ଏହି ଆତ୍ମବିଶ୍ୱାସ ସହିତ, ମୁଁ ପୁଣିଥରେ ଜାତୀୟ ମହାକାଶ ଦିବସ ଅବସରରେ ଆପଣମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି।

 

ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Project Cheetah: How A Species Declared Extinct During Nehru Era Returned To India Under Modi Govt

Media Coverage

Project Cheetah: How A Species Declared Extinct During Nehru Era Returned To India Under Modi Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister visits L&T complex at Hazira, Gujarat
June 05, 2026

Prime Minister Shri Narendra Modi today visited the Larsen & Toubro (L&T) complex at Hazira, Gujarat, where he witnessed pioneering innovations being developed by the company across various sectors.

The Prime Minister highly commended the significant role played by L&T in furthering self-reliance in India's defence sector. Sharing glimpses from the visit, Shri Modi appreciated the engineering achievements and advancements being spearheaded at the facility.

In a series of posts on X, the Prime Minister shared:

"This afternoon, went to the L&T complex at Hazira. Witnessed some of their pioneering innovations across different sectors. The role played by L&T in furthering self-reliance in the defence sector is commendable.
@larsentoubro"

"Here are some more glimpses from the visit to the L&T complex in Hazira, Gujarat."