ଜାପାନରେ ‘ଜେନ୍‍’ ଯାହା ଭାରତରେ ‘ଧ୍ୟାନ’ ତାହା: ପ୍ରଧାନମନ୍ତ୍ରୀ
ମାନସିକ ଶାନ୍ତି ତଥା ବାହ୍ୟ ପ୍ରଗତି ଏବଂ ବିକାଶ ହେଉଛି ଦୁଇ ଦେଶର ସଂସ୍କୃତିର ପରିଚୟ: ପ୍ରଧାନମନ୍ତ୍ରୀ
କେନ୍ଦ୍ର ସରକାରଙ୍କ ଅନେକ ବିଭାଗ, ପ୍ରତିଷ୍ଠାନ ଏବଂ ଯୋଜନାରେ କାଇଜେନର ବ୍ୟବହାର କରାଯାଉଛି: ପ୍ରଧାନମନ୍ତ୍ରୀ
ଗୁଜରାଟରେ ଏକ ମିନି ଜାପାନ ସୃଷ୍ଟି କରିବାର ପରିକଳ୍ପନାକୁ ସବିଶେଷ ବ୍ୟାଖ୍ୟା କଲେ ପ୍ରଧାନମନ୍ତ୍ରୀ
ଅଟୋମୋବାଇଲ୍‍, ବ୍ୟାଙ୍କିଙ୍ଗ୍‍ ଠାରୁ ନେଇ ନିର୍ମାଣ ଓ ଫାର୍ମା ପର୍ଯ୍ୟନ୍ତ ୧୩୫ରୁ ଅଧିକ କମ୍ପାନୀ ଗୁଜରାଟକୁ ସେମାନଙ୍କର ମୂଳ ଆଧାର ବନାଇଛନ୍ତି: ପ୍ରଧାନମନ୍ତ୍ରୀ
ଆମର ପାରସ୍ପରିକ ଆସ୍ଥା ଶତାବ୍ଦୀ ଶତାବ୍ଦୀ ଧରି ପୁରୁଣା ଏବଂ ଏକ ସମାନ ଭବିଷ୍ୟତର ଚିନ୍ତାଧାରାରେ ଆମେ ପରିଚାଳିତ: ପ୍ରଧାନମନ୍ତ୍ରୀ
ପିଏମଓରେ ଆମେ ଜାପାନ ପ୍ଲସ୍‍ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛୁ: ପ୍ରଧାନମନ୍ତ୍ରୀ
କରୋନା ମହାମାରୀ କାଳରେ ଭାରତ- ଜାପାନ ବନ୍ଧୁତା ବୈଶ୍ୱିକ ସ୍ଥିରତା ଓ ସମୃଦ୍ଧି ସକାଶେ ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି: ପ୍ରଧାନମନ୍ତ୍ରୀ
ଟୋକିଓ ଅଲମ୍ପିକ୍‍ ପାଇଁ ଜାପାନ ଓ ଜାପାନର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନମସ୍କାର!
କୋନ୍ନିଚିବା ।(ହେଲୋ)
କେମ ଛୋ (କେମିତି ଅଛନ୍ତି)
ଜେନ୍ ଗାର୍ଡେନ୍ ଏବଂ କାଇଜେନ୍ ଏକାଡେମୀର ଲୋକାର୍ପଣର ଏହି ମୁହୁର୍ତ ଭାରତ ଜାପାନ ସମ୍ପର୍କର ସାବଲୀଳତା ଏବଂ ଆଧୁନିକତାର ପ୍ରତୀକ । ମୁଁ ବିଶ୍ୱାସ କରେ ଯେ ଜାପାନି ଜେନ୍ ଗାର୍ଡନ୍ ଏବଂ କାଇଜେନ ଏକାଡେମୀର ସ୍ଥାପନା ଭାରତ ଏବଂ ଜାପାନର ସମ୍ପର୍କକୁ ଅଧିକ ମଜବୁତ କରିବ, ଆମ ନାଗରିକଙ୍କୁ ଆହୁରି ଅଧିକ ନିକଟତର କରିବ । ମୁଁ ହ୍ୟୋଗୋ ପ୍ରି-ଫେକ୍‌ଚରର ନେତାମାନଙ୍କର, ମୋର ଘନିଷ୍ଠ ବନ୍ଧୁ ଗଭର୍ଣ୍ଣର ଶ୍ରୀ ଇଦୋ ତୋଶୀଜୋଙ୍କୁ ଏହି ସମୟରେ ବିଶେଷ ଭାବରେ ଅଭିନନ୍ଦନ କରୁଛି । ଗଭର୍ଣ୍ଣର ଇଦୋ ନିଜେ ୨୦୧୭ରେ ଅହମ୍ମଦାବାଦ ଆସିଥିଲେ । ଅହମ୍ମଦାବାଦରେ ଜେନ ଗାର୍ଡନ ଏବଂ କାଇଜେନ୍ ଏକାଡେମୀର ସ୍ଥାପନାରେ ତାଙ୍କର ଏବଂ ହ୍ୟୋଗୀ ଅନ୍ତର୍ଜାତୀୟ ସଂଗଠନର ବହୁମୁଲ୍ୟ ଯୋଗଦାନ ରହିଛି । ମୁଁ ଗୁଜରାଟର ଭାରତ-ଜାପାନ୍ ମୈତ୍ରୀ ସଂଘର ବନ୍ଧୁମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି । ସେମାନେ ଭାରତ-ଜାପାନ୍ ସମ୍ପର୍କକୁ ସୁଦୃଢ କରିବା ପାଇଁ ନିରନ୍ତର ଭାବେ ଉଲ୍ଲେଖନୀୟ କାର୍ଯ୍ୟ କରିଆସିଛନ୍ତି । ଜାପାନ୍ ସୂଚନା ଓ ଶିକ୍ଷା କେନ୍ଦ୍ର ଏହାର ଏକ ଉଦାହରଣ ।
ବନ୍ଧୁଗଣ,
ଭାରତ ଓ ଜାପାନ ବାହ୍ୟ ପ୍ରଗତି ଓ ଉନ୍ନତି ପାଇଁ ଯେତିକି ସମର୍ପିତ ରହି ଆସିଛନ୍ତି, ଆଭ୍ୟନ୍ତରିଣ ଶାନ୍ତି ଓ ପ୍ରଗତିକୁ ମଧ୍ୟ ସେତିକି ମହତ୍ୱ ଦେଇଛନ୍ତି । ଜାପାନୀ ଜେନ୍ ଗାର୍ଡେନ ଶାନ୍ତିର ଏହି ଅନ୍ୱେଷଣର, ଏହି ସରଳତାର ଏକ ସୁନ୍ଦର ଅଭିବ୍ୟକ୍ତି । ଭାରତର ଲୋକମାନେ ଯୁଗ ଯୁଗ ଧରି ଯୋଗ ଓ ଆଧ୍ୟାତ୍ମିକତା ମାଧ୍ୟମରେ ଯେଉଁ ଶାନ୍ତି, ସହଜତା ଓ ସରଳତା ଶିଖିଛନ୍ତି, ବୁଝିଛନ୍ତି, ତାହାର ଏକ ଝଲକ ସେମାନଙ୍କୁ ଏଠାରେ ଦେଖିବାକୁ ମିଳିବ । ଆଉ ଏମିତି ବି, ଜାପାନରେ ଯାହାକୁ ଜେନ୍ କୁହାଯାଏ ଭାରତରେ ତାକୁ ହିଁ ଧ୍ୟାନ କୁହାଯାଏ । ବୁଦ୍ଧ ଏହି ଧ୍ୟାନ, ଏହି ବୁଦ୍ଧତ୍ୱ ସଂସାରକୁ ଦେଇଥିଲେ । ଏବଂ କାଇଜେନର ପରିକଳ୍ପନା କଥା ବିଚାର କଲେ ଜଣାଯାଏ ଯେ ଏହା ବର୍ତମାନ ଆମ ଲକ୍ଷ୍ୟର ଦୃଢତାର ନିରନ୍ତର ଆଗକୁ ବଢିବା ପାଇଁ ଆମ ଇଚ୍ଛାଶକ୍ତିର ଜୀବନ୍ତ ଉଦାହରଣ ଅଟେ ।
ଆପଣମାନଙ୍କ ମଧ୍ୟରୁ ଅନେକ ଜାଣନ୍ତି ଯେ କାଇଜେନର ଆକ୍ଷରିକ ଅର୍ଥ ହେଉଛି ଉନ୍ନତି, କିନ୍ତୁ ଏହାର ଅନ୍ତର୍ନିହିତ ଅର୍ଥ ଆହୁରି ମଧ୍ୟ ଅଧିକ ବ୍ୟାପକ । ଏହା କେବଳ ଉନ୍ନତି ନୁହେଁ, ନିରନ୍ତର ଉନ୍ନତି ଉପରେ ଗୁରୁ୍‌ତ୍ୱ ଦେଇଥାଏ ।
ବନ୍ଧୁଗଣ,
ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ହେଲି, ତାର ଅଳ୍ପ ସମୟ ପରେ କାଇଜେନକୁ ନେଇ ଗୁଜରାଟରେ ପ୍ରଥମଥର ପାଇଁ ଗୁରୁତର ପ୍ରୟାସ ଆରମ୍ଭ ହୋଇଥିଲା । ଆମେ କାଇଜେନର ବିଧିବଦ୍ଧ ଅଧ୍ୟୟନ କରାଇଥିଲୁ, ତାହାକୁ ଲାଗୁ କରାଇଥିଲୁ ଏବଂ ୨୦୦୪ ମସିହାରେ ପ୍ରଥମ ଥର ପାଇଁ ପ୍ରଶାସନିକ ତାଲିମ ସମୟରେ କାଇଜେନ୍ ଉପରେ ବେଶ ଗୁରୁତ୍ୱ ଦିଆଯାଇଥିଲା । ପୁଣି ତା ପରବର୍ଷ ୨୦୦୫ ମସିହାରେ ଗୁଜରାଟର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ମନ୍ଥନ ଶିବିର ଅନୁଷ୍ଠିତ ହୋଇଥିଲା, ସେଠାରେ ଆମେ ସମସ୍ତଙ୍କୁ କାଇଜେନ୍‌ର ପ୍ରଶିକ୍ଷଣ ପ୍ରଦାନ କରିଥିଲୁ । ପୁନଶ୍ଚ ଆମେ ଏହାକୁ ଗୁଜରାଟର ଶିକ୍ଷା ବ୍ୟବସ୍ଥା ପର୍ଯ୍ୟନ୍ତ ନେଇ ଯାଇଥିଲୁ, ଅନେକ ସରକାରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ମଧ୍ୟ ପହଂଚାଇଥିଲୁ । ଯେଉଁ ନିରନ୍ତର ଉନ୍ନତି କଥା ମୁଁ ଏଠାରେ କହୁଥିଲି, ତାହା ମଧ୍ୟ କ୍ରମାଗତ ଭାବେ ଜାରି ରହିଲା । ଆମେ ସରକାରୀ କାର୍ଯ୍ୟାଳୟରୁ ଗଦା ଗଦା ଅନାବଶ୍ୟକ ସାମଗ୍ରୀ ବାହାର କଲୁ, ପ୍ରକ୍ରିୟାରେ ସଂସ୍କାର ଆଣିଲୁ, ଏବଂ ସେଗୁଡିକୁ ଆହୁରି ସହଜ କଲୁ ।
ଏହିପରି ସ୍ୱାସ୍ଥ୍ୟ ବିଭାଗରେ ମଧ୍ୟ କାଇଜେନର ପ୍ରେରଣାରେ ଖୁବ ବଡ ବଡ ସଂସ୍କାର ଅଣାଯାଇଥିଲା । ହଜାର ହଜାର ଡାକ୍ତର, ନର୍ସ, ଡାକ୍ତରଖାନା କର୍ମଚାରୀଙ୍କୁ ଏହି କାଇଜେନ୍‌ର ମଡେଲ ବିଷୟରେ ତାଲିମ ଦିଆଗଲା । ଆମେ ଭିନ୍ନ ଭିନ୍ନ ବିଭାଗରେ ବାସ୍ତବ କର୍ମଶାଳା ଉପରେ କାର୍ଯ୍ୟ କଲୁ, ପ୍ରକ୍ରିୟା ଉପରେ କାମ କଲୁ, ଲୋକଙ୍କୁ ନିୟୋଜିତ କଲୁ, ସେମାନଙ୍କୁ ଏହା ସହିତ ସାମିଲ କଲୁ । ଶାସନ ଉପରେ ଏସବୁର ଖୁବ ସକରାତ୍ମକ ପ୍ରଭାବ ପଡିଥିଲା ।
ବନ୍ଧୁଗଣ,
ଆମେ ସମସ୍ତେ ଜାଣୁ ଯେ ପ୍ରଗତିରେ ଶାସନର ଭୂମିକା ବେଶ ଗୁରୁତ୍ୱପୂଣ୍ଣ୍‌ର୍ ଅଟେ । ବ୍ୟକ୍ତିର ବିକାଶର କଥା ହେଉ ବା ସଂସ୍ଥାର, ସମାଜ ବା ଦେଶର ବିକାଶ ହେଉ ଏସବୁରେ ଶାସନ ବହୁତ ବଡ  ଗୁରୁତ୍ୱପୂର୍ଣ୍ଣ ଉପାଦାନ ଅଟେ । ଏବଂ ଏଥିପାଇଁ, ମୁଁ ଯେତେବେଳେ ଗୁଜରାଟରୁ ଦିଲ୍ଲୀକୁ ଆସିଲି, ସେତେବେଳେ କାଇଜେନରୁ ମିଳିଥିବା ଅନୁଭବଗୁଡିକୁ ମଧ୍ୟ ନିଜ ସହିତ ଆଣିଥିଲି । ମୁଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ କେନ୍ଦ୍ର ସରକାରଙ୍କ ଅନ୍ୟ ବିଭାଗଗୁଡିକରେ ମଧ୍ୟ ଏହାର ପ୍ରାରମ୍ଭ କରିଥିଲି । ଏହି କାରଣରୁ ଅନେକଗୁଡିଏ ପ୍ରକ୍ରିୟା ଆହୁରି ସହଜ ହୋଇଯାଇଥିଲା, ଅଫିସଗୁଡିକରେ ଅନେକ ସ୍ଥାନକୁ ଆମେ ବ୍ୟବହାର ଉପଯୋଗୀ କରିଥିଲୁ । ଆଜି ମଧ୍ୟ କେନ୍ଦ୍ର ସରକାରଙ୍କ ବହୁ ନୂଆ ବିଭାଗ, ସଂସ୍ଥା ଓ ଯୋଜନାରେ କାଇଜେନକୁ ଆପଣାଯାଉଛି । 
ବନ୍ଧୁଗଣ,
ଏହି କାର୍ଯ୍ୟକ୍ରମ ସହ ଜଡିତ ହୋଇଥିବା ଆମର ଜାପାନୀ ଅତିଥିଭାବେ ଜାଣିଛନ୍ତି ଯେ ବ୍ୟକ୍ତିଗତ ଭାବରେ ଜାପାନ ସହ ମୋର କେତେ ଘନିଷ୍ଠତା ରହିଛି । ଜାପାନବାସୀଙ୍କ ସ୍ନେହ, ଜାପାନବାସୀଙ୍କ କାର୍ଯ୍ୟଶୈଳୀ, ସେମାନଙ୍କ କୌଶଳ, ସେମାନଙ୍କ ଅନୁଶାସନ ସର୍ବଦା ପ୍ରଭାବିତ କରିଆସିଛି । ଏବଂ ଏଥିପାଇଁ ମୁଁ ଯେତେବେଳେ ବି କହିଛି – ମୁଁ ଗୁଜରାଟରେ ଛୋଟ ଜାପାନ ସୃଷ୍ଟି କରିବାକୁ ଚାହେଁ, ତା ପଛରେ ଯେଉଁ ପ୍ରମୁଖ ଭାବନା ରହିଛି ତାହା ହେଉଛି, ଯେତେବେଳେ ମଧ୍ୟ ଜାପାନବାସୀ ଗୁଜରାଟ ଆସିବେ, ସେତେବେଳେ ସେମାନଙ୍କୁ ସେହିଭଳି ଉଷ୍ମତା ଅନୁଭବ କରନ୍ତୁ, ସେମାନଙ୍କୁ ସେହିଭଳି ଆତ୍ମୀୟତା ମିଳୁ । ମୋର ମନେ ଅଛି ଭାଇବ୍ରାଂଟ ଗୁଜରାଟ ସମ୍ମିଳନୀର ପ୍ରାରମ୍ଭରୁ ହିଁ ଜାପାନ ଏକ ଅଂଶୀଦାର ଦେଶ ଭାବେ ସେଥିରେ ସାମିଲ ହୋଇଥିଲା । ଆଜି ମଧ୍ୟ ଭାଇବ୍ରାଂଟ ଗୁଜରାଟ ସମ୍ମିଳନୀରେ ଯେତେ ବି ବଡ ବଡ ପ୍ରତିନିଧିମଣ୍ଡଳୀ ସାମିଲ ହୁଅନ୍ତି, ସେଥିମଧ୍ୟରୁ ଯେମିତି ହେଲେ ଗୋଟିଏ ଜାପାନରୁ ହିଁ ହୋଇଥିବ । ଏବଂ ଜାପାନ ଗୁଜରାଟ ମାଟିରେ ଏଠାକାର ଲୋକଙ୍କ ସାମର୍ଥ୍ୟ ଉପରେ ଯେଉଁ ବିଶ୍ୱାସ ଭରିଦେଇଛି, ତାହା ଦେଖି ଆମ ସମସ୍ତଙ୍କୁ ଆତ୍ମସନ୍ତୋଷ ମିଳିଥାଏ ।
ବନ୍ଧୁଗଣ,
ଜାପାନର ଅନେକଗୁଡିଏ କମ୍ପାନୀ ଆଜି ଗୁଜରାଟରେ କାର୍ଯ୍ୟ କରୁଛନ୍ତି । ମତେ କୁହାଯାଇଛି ଯେ ଏମାନଙ୍କ ସଂଖ୍ୟା ପ୍ରାୟ ୧୩୫ରୁ ବି ଅଧିକ । ଅଟୋମୋବାଇଲଠାରୁ ବ୍ୟାଙ୍କିଙ୍ଗ ପର୍ଯ୍ୟନ୍ତ, ନିର୍ମାଣଠାରୁ ଫାର୍ମା ପର୍ଯ୍ୟନ୍ତ ସବୁ କ୍ଷେତ୍ରର ଜାପାନୀ କମ୍ପାନୀ ଗୁଜରାଟରେ ନିଜର ମୂଳଦୁଆ ପ୍ରତିଷ୍ଠା କରିଛନ୍ତି । ସୁଜୁକି ମୋଟର୍ସ ହେଉ, ହୋଣ୍ଡା ମୋଟର ସାଇକେଲ ହେଉ, ମିତସୁବିସି ହେଉ, ଟୋୟୋଟା ହେଉ, ହିଟାଚି ହେଉ, ଏଭଳି ଅନେକ କମ୍ପାନି ଗୁଜରାଟରେ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି । ଏବଂ ଏହା ଗୋଟିଏ ଭଲ କଥା ଯେ ଗୁଜରାଟର ଯୁବକମାନଙ୍କ ଦକ୍ଷତା ବିକାଶରେ ଏହି କମ୍ପାନୀଗୁଡିକ ବହୁ ମାତ୍ରାରେ ସହାୟକ ହେଉଛନ୍ତି । ଗୁଜରାଟରେ ତିନିଟି ଜାପାନ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଫର ମାନୁଫାକଚରିଂ ପ୍ରତିବର୍ଷ ଶହ ଶହ ଯୁବକଙ୍କୁ ଦକ୍ଷତା ତାଲିମ ପ୍ରଦାନ କରୁଛି । ଗୁଜରାଟର ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ଆଇଟିଆଇ ସହ ଅନେକ କମ୍ପାନି ଅନୁବନ୍ଧିତ ହୋଇଛନ୍ତି ।

ବନ୍ଧୁଗଣ,
ଜାପାନ ଏବଂ ଗୁଜରାଟର ସମ୍ପର୍କକୁ ନେଇ କହିବାକୁ ଏତେ କଥା ରହିଛି ଯେ ସେଥିପାଇଁ ସମୟ ମଧ୍ୟ କମ୍ ପଡିଯିବ । ଏହି ସମ୍ପର୍କ ଆତ୍ମୀୟତା, ସ୍ନେହ ଏବଂ ପରସ୍ପରର ଭାବନାକୁ, ପରସ୍ପରର ଆବଶ୍ୟକତାଗୁଡିକୁ ବୁଝିବା ଦ୍ୱାରା ଆହୁରି ସୁଦୃଢ ହୋଇଛି । ଗୁଜରାଟ ସର୍ବଦା ଜାପାନକୁ ବିଶେଷରୂପେ ଗୁରୁତ୍ୱ ଦେଇଆସିଛି । ଏବେ ଜେଟ୍ରୋ ଯେଉଁଭଳି ଏହି ଅହମଦାବାଦ ବ୍ୟବସାୟ ସହାୟତା କେନ୍ଦ୍ର ଖୋଲିଛି, ସେଥିରେ ଏକସଙ୍ଗରେ ୫ଟି କମ୍ପାନୀକୁ ପ୍ଲଗ ଆଣ୍ଡ ପ୍ଲେ କାର୍ଯ୍ୟସ୍ଥଳୀ ସୁବିଧା ଯୋଗାଇଦେବାର ବ୍ୟବସ୍ଥା ରହିଛି । ଜାପାନର ଅନେକ କମ୍ପାନୀ ଏହାର ଲାଭ ଉଠାଇଛନ୍ତି । ମୁଁ ଯେତେବେଳେ ବି ପୁରୁଣା ଦିନଗୁଡିକ ବିଷୟରେ ଚିନ୍ତା କରୁଛି, ସେତେବେଳେ ଅନୁଭବ କରୁଛି ଯେ ଗୁଜରାଟବାସୀ ମଧ୍ୟ କିଭଳି ଛୋଟ ଛୋଟ କଥା ଉପରେ ମଧ୍ୟ ଟିକିନିଖି ଧ୍ୟାନ ଦେଇଛନ୍ତି । ମୋର ମନେ ଅଛି, ମୁଖ୍ୟମନ୍ତ୍ରୀ ଭାବେ ମୁଁ ଥରେ ଜାପାନ ପ୍ରତିନିଧିମଣ୍ଡଳୀ ସହ କଥାବାର୍ତା କରୁଥିବା ସମୟରେ ଅନୌପଚାରିକ ଭାବେ ଗୋଟିଏ ବିଷୟ ଉଠିଥିଲା । ଏହି ବିଷୟଟି ଖୁବ୍ ରୋଚକ ଥିଲା । ଜାପାନବାସୀଙ୍କୁ ଗଲ୍ଫ ଖେଳିବା ବହୁତ ପସନ୍ଦ କିନ୍ତୁ ଗୁଜରାଟରେ ଗଲ୍ଫ କୋର୍ସର ସେତେଟା ପ୍ରଚଳନ ନଥିଲା । ଏହି ବୈଠକ ପରେ ବିଶେଷ ଭାବେ ପ୍ରୟାସ କରାଗଲା ଯେ ଗୁଜରାଟରେ ଯେପରି ଗଲ୍ଫ କୋର୍ସର ମଧ୍ୟ ବିସ୍ତାର ହେଉ । ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ଆଜି ଗୁଜରାଟରେ ଅନେକ ଗଲ୍ଫ କୋର୍ସ ରହିଛି । ଏଭଳି ଅନେକ ରେସ୍ତୋରାଁ ମଧ୍ୟ ରହିଛି, ଜାପାନୀ ଖାଦ୍ୟ ପ୍ରସ୍ତୁତି ଯେଉଁମାନଙ୍କର ବିଶେଷତା । ଅର୍ଥାତ୍‌, ଗୁଜରାଟରେ ରହିବାବେଳେ ଜାପାନବାସୀଙ୍କ ମନରେ ନିଜ ଘରେ ରହିବାର ଭାବନା ସୃଷ୍ଟି ହେଉ ସେହିଭଳି ଏକ ପ୍ରୟାସ ରହିଆସିଛି । ଆମେ ଏହି ବିଷୟ ଉପରେ ଅନେକ କାମ କରିଛୁ ଯେ ଗୁଜରାଟରେ ଜାପାନୀ ଭାଷା କହୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉ । ଆଜି ଗୁଜରାଟର ପେଶାଦାର ଦୁନିଆରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ସହଜରେ ଜାପାନୀ ଭାଷା କହିପାରନ୍ତି । ମତେ କୁହାଯାଇଛି ଯେ ରାଜ୍ୟର ଏକ ବିଶ୍ୱବିଦ୍ୟାଳୟ, ଜାପାନୀ ଭାଷା ପ୍ରଶିକ୍ଷଣ ଦେବା ପାଇଁ ଏକ ପାଠ୍ୟକ୍ରମ ମଧ୍ୟ ଆରମ୍ଭ କରିବାକୁ ଯାଉଛି । ଏହା ଏକ ଉତମ ପ୍ରାରମ୍ଭ ହେବ । 
ମୁଁ ତ ଚାହିଁବି ଯେ ଗୁଜରାଟରେ ଜାପାନର ବିଦ୍ୟାଳୟ ବ୍ୟବସ୍ଥାର ଏକ ମଡେଲ ମଧ୍ୟ ତିଆରି ହେଉ ।
ଆଧୁନିକତା ଓ ନୈତିକ ମୂଲ୍ୟବୋଧକୁ ଗୁରୁତ୍ୱ ଦିଆଯାଉଥିବା ଜାପାନର ବିଦ୍ୟାଳୟ ବ୍ୟବସ୍ଥାର ମୁଁ ଜଣେ ଖୁବ ବଡ ପ୍ରଶଂସକ । ମତେ ଜାପାନର ତାଇମେଇ ସ୍କୁଲକୁ ଯିବାର ଅବସର ମିଳିଥିଲା ଏବଂ ସେଠାରେ ବିତାଇଥିବା ସମସ୍ତ ମୁହୁର୍ତ ମୋ ପାଇଁ ସ୍ମରଣୀୟ । ମୁଁ ଏକଥା କହିପାରିବି ଯେ ସେହି ସ୍କୁଲର ପିଲାମାନଙ୍କ ସହ କଥାବାର୍ତା, ମୋ ପାଇଁ ଆଜି ମଧ୍ୟ ଏକ ଅମୂଲ୍ୟ ମୂହୁର୍ତ ହୋଇ ରହିଛି ।

ବନ୍ଧୁଗଣ,
ଆମ ନିକଟରେ ବହୁ ପ୍ରାଚୀନ ସାଂସ୍କୃତିକ ସମ୍ପର୍କର ସୁଦୃଢ ବିଶ୍ୱାସ ଏବଂ ଭବିଷ୍ୟତ ପାଇଁ ସମାନ ଲକ୍ଷ୍ୟ ମଧ୍ୟ ରହିଛି । ଏହି ଆଧାରରେ ଗତ କିଛିବର୍ଷ ଧରି ଉଭୟ ଦେଶ ନିଜର ସ୍ୱତନ୍ତ୍ର ରଣନୈତିକ ଏବଂ ବିଶ୍ୱ ଭାଗିଦାରୀକୁ ନିରନ୍ତର ଭାବେ ସୁଦୃଢ କରିଚାଲିଛୁ । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୁଁ ଜାପାନ-ପ୍ଲସର ଏକ ବିଶେଷ ବ୍ୟବସ୍ଥା ମଧ୍ୟ କରିଛି । ଜାପାନର ପୂର୍ବ ପ୍ରଧାନମନ୍ତ୍ରୀ ଏବଂ ମୋର ବନ୍ଧୁ ଶ୍ରୀମାନ ସିଞ୍ଜୋ ଆବେ ଯେତେବେଳେ ଗୁଜରାଟ ଆସିଥିଲେ, ସେତେବେଳେ ଭାରତ-ଜାପାନ ସମ୍ପର୍କକୁ ନୂଆ ଗତି ମିଳିଥିଲା । ବୁଲେଟ ଟ୍ରେନ୍ ପ୍ରକଳ୍ପର କାମ ଆରମ୍ଭ ହେବାକୁ ନେଇ ସେ ବେଶ ଉତ୍ସାହିତ ଥିଲେ । ଆଜି ମଧ୍ୟ ତାଙ୍କ ସହ ଯେତେବେଳେ କଥାବାର୍ତା ହୁଏ, ସେତେବେଳେ ସେ ନିଜର ଗୁଜରାଟ ଗସ୍ତକୁ ଯେମିତି ହେଲେ ବି ମନେ ପକାନ୍ତି । ଜାପାନର ବର୍ତମାନର ପ୍ରଧାନମନ୍ତ୍ରୀ ଶ୍ରୀମାନ ୟୋସିହିଦେ ସୁଗା ମଧ୍ୟ ଜଣେ ପରିପକ୍ୱ ବ୍ୟକ୍ତିତ୍ୱ । ପ୍ରଧାନମନ୍ତ୍ରୀ ସୁଗା ଏବଂ ମୋର ଏହି ବିଶ୍ୱାସ ଯେ କୋଭିଡ ମହାମାରୀର ଏହି ସମୟରେ ଭାରତ ଓ ଜାପାନର ମୈତ୍ରୀ, ଆମର ଭାଗିଦାରୀ, ବୈଶ୍ୱିକ ସ୍ଥିରତା ଏବଂ ସମୃଦ୍ଧି ନିମନ୍ତେ ଆହୁରି ଅଧିକ ପ୍ରାସଙ୍ଗିକ ହୋଇଉଠିଛି । ଆଜି ଆମ ସମ୍ମୁଖରେ ଯେତେବେଳେ ଅନେକ ବୈଶ୍ୱିକ ଆହ୍ୱାନ ବିଦ୍ୟମାନ, ସେତେବେଳେ ଆମର ଏହି ମୈତ୍ରୀ, ଆମର ଏହି ସମ୍ପର୍କ ଦିନକୁ ଦିନ ଆହୁରି ସୁଦୃଢ ହେଉ, ଏହା ହିଁ ସମୟର ଆହ୍ୱାନ ଅଟେ । ଏବଂ କାଇଜେନ୍ ଏକାଡେମୀ ଭଳି ପ୍ରୟାସ ନିଶ୍ଚିତ ରୂପରେ ଏହାର ଅତି ସୁନ୍ଦର ପ୍ରତିଫଳନ ଅଟେ । 
ମୁଁ ଚାହିଁବି ଯେ କାଇଜେନ୍ ଏକାଡେମୀ ଜାପାନର କାର୍ଯ୍ୟ-ସଂସ୍କୃତିକୁ ଭାରତରେ ପ୍ରଚାର ପ୍ରସାର କରୁ, ଏବଂ ଜାପାନ ଓ ଭାରତ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି କରୁ । ଏହି ଦିଗରେ ପୂର୍ବରୁ ଯେଉଁ ପ୍ରୟାସ ଜାରି ରହିଛି, ଆମକୁ ସେସବୁକୁ ମଧ୍ୟ ନୂଆ ଗତି ପ୍ରଦାନ କରିବାକୁ ପଡିବ । ଠିକ୍ ଯେପରି ଗୁଜରାଟ ବିଶ୍ୱବିଦ୍ୟାଳୟ ଏବଂ ଓସାକାର ଓତେମୋନ୍ ଗାଇକୁନ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତ-ଜାପାନ୍ ଛାତ୍ର ଆଦାନ ପ୍ରଦାନ କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମ ଦୀର୍ଘ ୫ ଦଶନ୍ଧି ଧରି ଆମର ସମ୍ପର୍କକୁ ସୁଦୃଢ କରିଆସୁଛି । ଏହାକୁ ଆହୁରି ଅଧିକ ପରିବ୍ୟାପ୍ତ କରାଯାଇପାରିବ । ଦୁଇ ଦେଶର ଅନ୍ୟାନ୍ୟ ସଂସ୍ଥାଗୁଡିକ ମଧ୍ୟରେ ବି ଏହିଭଳି ଭାଗିଦାରୀ ଆରମ୍ଭ କରାଯାଇପାରିବ । ମୋର ବିଶ୍ୱାସ ଅଛି ଯେ, ଆମର ଏହି ପ୍ରୟାସ ଏହିଭଳି ନିରନ୍ତର ଭାବେ ଆଗକୁ ବଢୁ, ଏବଂ ଭାରତ-ଜାପାନ ଏକାଠି ହୋଇ ବିକାଶର ନୂତନ ଶିଖର ହାସଲ କରନ୍ତୁ । ମୁଁ ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ, ଜାପାନକୁ, ଜାପାନର ଲୋକମାନଙ୍କୁ ଟୋକିଓ ଅଲିମ୍ପିକ୍ସର ଆୟୋଜନ ପାଇଁ ମଧ୍ୟ ଅନେକ ଅନେକ ଶୁଭକାମନା ଜଣାଉଛି ।
ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Bihar’s famous food products make a mark at BRICS Summit

Media Coverage

Bihar’s famous food products make a mark at BRICS Summit
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on the Parkash Purab of Sri Guru Granth Sahib Ji
September 12, 2026

The Prime Minister, Shri Narendra Modi, extended greetings on the occasion of the Parkash Purab of Sri Guru Granth Sahib Ji.

The Prime Minister said that for centuries, Sri Guru Granth Sahib Ji has shown humanity the way of selfless service, human dignity and togetherness.

Shri Modi expressed hope that the sacred occasion would inspire everyone to deepen these values in society and build a more compassionate and harmonious world.

The Prime Minister wrote on X;

“Greetings on the Parkash Purab of Sri Guru Granth Sahib Ji.

For centuries, it has shown humanity the way of selfless service, human dignity and togetherness.

May this sacred occasion inspire us to deepen these values in our society and build a more compassionate and harmonious world.”