ରାଜସ୍ଥାନର ଚାରିଟି ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ
ଭାରତ ବୈଶ୍ୱିକ ମହାମାରୀ କାଳରେ ଏହାର ଶକ୍ତି, ଆତ୍ମନିର୍ଭରଶୀଳତା ବୃଦ୍ଧି କରିବାକୁ ନେଇଛି ସଂକଳ୍ପ
“ଦେଶର ସ୍ୱାସ୍ଥ୍ୟକ୍ଷେତ୍ର ପରିବର୍ତ୍ତନ କରିବାରେ ଆମେ ଜାତୀୟ ସ୍ୱାସ୍ଥ୍ୟନୀତି ଏବଂ ଜାତୀୟସ୍ତରରେ କରୁଛୁ ଉଦ୍ୟମ”
“ଗତ ଛଅ-ସାତବର୍ଷ ମଧ୍ୟରେ ୧୭୦ଟି ଅଧିକ ନୂତନ ମେଡିକାଲ କଲେଜ ସ୍ଥାପିତ ହୋଇଥିବା ବେଳେ, ଆଉ ଶହେଟିର ଅଧିକ ପାଇଁ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି”
“୨୦୧୪ରେ ଦେଶରେ ମେଡିକାଲ ସ୍ନାତ୍ତକ ଓ ସ୍ନାତକୋତ୍ତର ସଂଖ୍ୟା ପ୍ରାୟ ୮୨ହଜାର ଥିବାବେଳେ ଆଜି ଏହା ୧, ୪୦, ୦୦୦କୁ ବୃଦ୍ଧି ପାଇଛି ।
“ରାଜସ୍ଥାନର ବିକାଶ ହେଲେ ଭାରତର ବିକାଶ ହେବ ତ୍ୱରାନ୍ୱିତ”

ନମସ୍କାର,

ରାଜସ୍ଥାନର ମାଟିର ସୁପୁତ୍ର ଆଉ ଭାରତର ସବୁଠାରୁ ବଡ଼ ପଂଚାୟତ ଲୋକସଭାର ରକ୍ଷାକର୍ତା, ଆମର ଆଦରଣୀୟ ବାଚସ୍ପତି ଶ୍ରୀମାନ ଓମ ବିରଲା ମହୋଦୟ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଶ୍ରୀମାନ ଅଶୋକ ଗହଲୋଟ ମହାଶୟ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମନସୁଖ ମଣ୍ଡଭ୍ୟ ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ଅନ୍ୟ ସମସ୍ତ ସହଯୋଗୀ ଶ୍ରୀମାନ ଗଜେନ୍ଦ୍ର ସିଂହ ଶେଖାୱତ ମହାଶୟ, ଭୂପେନ୍ଦ୍ର ଯାଦବ ମହାଶୟ, ଅର୍ଜୁନ ରାମ ମେଘୱାଲ ମହାଶୟ, କୈଳାଶ ଚୌଧୂରୀ ମହାଶୟ, ଡକ୍ଟର ଭାରତୀ ପାୱାର ମହାଶୟ, ଭଗବନ୍ତ ଖୁବା ମହାଶୟ, ରାଜସ୍ଥାନର ପୂବତର୍ନ ମୁଖ୍ୟମନ୍ତ୍ରୀ ଭଉଣୀ ବସୁନ୍ଧରା ରାଜେ ମହାଶୟା, ବିରୋଧୀ ଦଳ ନେତା ଶ୍ରୀମାନ ଗୁଲାବ ଚନ୍ଦ କଟାରିୟା ମହାଶୟ, ରାଜସ୍ଥାନ ସରକାରଙ୍କ ଅନ୍ୟ ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକଗଣ, କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବ, ଆଉ ରାଜସ୍ଥାନର ମୋର ପ୍ରିୟ ଭାଇ ଓ ଭଉଣୀମାନେ,

100 ବର୍ଷର ସବୁଠାରୁ ବଡ଼ ମହାମାରୀ ଦୁନିଆର ସ୍ୱାସ୍ଥ୍ୟ କ୍ଷେତ୍ର ସମ୍ମୁଖରେ ଅନେକ ଗୁଡ଼ିଏ ଆହ୍ୱାନ ଠିଆ କରି ଦେଲା, ଆଉ ଏହି ମହାମାରୀ ଆମକୁ ବହୁତ କିଛି ଶିକ୍ଷା ମଧ୍ୟ ଦେଇଛି ଆଉ ବହୁତ କିଛି ଶିକ୍ଷା ଦେଉଛି ମଧ୍ୟ। ପ୍ରତ୍ୟେକ ଦେଶ ନିଜ ନିଜ ଉପାୟରେ ଏହି ସଙ୍କଟ ସହିତ ମୁକାବିଲା କରିବାରେ ଲାଗି ପଡ଼ିଛନ୍ତି। ଭାରତ ଏହି ବିପର୍ଯ୍ୟୟରେ ଆତ୍ମନିର୍ଭରତାର, ନିଜ ସାମର୍ଥ୍ୟରେ ବୃଦ୍ଧି କରିବାର ସଂକଳ୍ପ ନେଇଛି। ରାଜସ୍ଥାନରେ 4ଟି ନୂତନ ମେଡିକାଲ କଲେଜର ପ୍ରାରମ୍ଭ ଆଉ ଜୟପୁରରେ ଇନ୍ସଟିଚ୍ୟୁଟ ଅଫ୍ ପେଟ୍ରୋକେମିକାଲ ଟେକ୍ନୋଲୋଜିର ଉଦଘାଟନ, ହେଉଛି ଏହି ଦିଗରେ ଏକ ପ୍ରମୁଖ ପଦକ୍ଷେପ । ମୁଁ ରାଜସ୍ଥାନର ସମସ୍ତ ନାଗରିକଙ୍କୁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି । ଆଉ ଆଜି ମୋତେ ରାଜସ୍ଥାନର ଏକ ବିଶେଷ କାର୍ଯ୍ୟକ୍ରମରେ ଭର୍ଚୁଆଲ ସାକ୍ଷାତ କରିବାର ସୁଯୋଗ ମିଳିଛି । ତେବେ ମୁଁ ରାଜସ୍ଥାନର ସେହି ପୁଅ-ଝିଅମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇବାକୁ ଚାହୁଁଛି । ଯେଉଁମାନେ ଅଲିମ୍ପିକ୍ସରେ ହିନ୍ଦୁସ୍ତାନର ପତାକାକୁ ପ୍ରତିଷ୍ଠା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି। ଏମିତିରେ ମୁଁ ମୋର ରାଜସ୍ଥାନର ପୁଅ- ଝିଅମାନଙ୍କୁ ଆଉ ଥରେ ମଧ୍ୟ ଶୁଭେଚ୍ଛା ଜଣାଇବାକୁ ଚାହୁଁଛି । ଆଜି ଯେତେବେଳେ ଏହି କାର୍ଯ୍ୟକ୍ରମ ହେଉଛି, ସେତେବେଳେ ଜୟପୁର ସମେତ ଦେଶର 10 ସିପେଟ କେନ୍ଦ୍ରରେ ପ୍ଲାଷ୍ଟିକ ଏବଂ ତାହା ସହିତ ଜଡ଼ିତ ଆବର୍ଜନା ପରିଚାଳନା ନିୟମକୁ ନେଇ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଚାଲୁଅଛି । ଏହି ଶୁଭାରମ୍ଭ ପାଇଁ ମଧ୍ୟ ମୁଁ ଦେଶର ସମସ୍ତ ଗଣ୍ୟମାନ୍ୟ ନାଗରିକଙ୍କୁ ବହୁତ-ବହୁତ ଶୁଭେଚ୍ଛା ଜ୍ଞାପନ କରୁଛି ।

ଭାଇ  ଭଉଣୀମାନେ,

ବର୍ଷ 2014 ପରେ ରାଜସ୍ଥାନରେ 23 ନୂତନ ମେଡିକାଲ କଲେଜ କରିବା ପାଇଁ କେନ୍ଦ୍ର ସରକାର ସ୍ୱୀକୃତି ପ୍ରଦାନ କରିଥିଲେ। ଏଥିମଧ୍ୟରୁ 7ଟି ମେଡିକାଲ କଲେଜ କାର୍ଯ୍ୟ ଆରମ୍ଭ କରି ସାରିଲାଣି। ଆଉ ଆଜି ବାଂସୱାଡା, ସିରୋହୀ, ହନୁମାନଗଡ଼ ଆଉ ଦୌସାରେ ନୂତନ ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ମୁଁ ଏହି ଅଂଚଳର ଲୋକମାନଙ୍କୁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି । ମୁଁ ଦେଖିଛି ଏଠାକାର ଯେଉଁ ଜନ-ପ୍ରତିନିଧିମାନେ ଅଛନ୍ତି, ଆମର ମାନନୀୟ ସାଂସଦ ଅଛନ୍ତି, ସେମାନଙ୍କ ସହିତ ଯେତେବେଳେ ମଧ୍ୟ ସାକ୍ଷାତ ହେଉଥିଲା, ତେବେ ସେମାନେ ଜଣାଉଥିଲେ ଯେ ମେଡିକାଲ କଲେଜ ନିର୍ମାଣ ହେବାଦ୍ୱାରା କେତେ ଲାଭଦାୟକ ହେବ। ସେ ହୁଏତ ସାଂସଦ, ମୋର ମିତ୍ର ଭାଇ କନକମଲ କଟାରା ମହାଶୟ ହୁଅନ୍ତୁ, ଆମର ବରିଷ୍ଠ ଏମପି ଭଉଣୀ, ଜସକୌର ମୀନା ମହାଶୟା ହୁଅନ୍ତୁ, ମୋର ବହୁତ ପୁରୁଣା ସାଥୀ ଭାଇ ନିହାଲଚନ୍ଦ ଚୌହାନ ମହାଶୟ ହୁଅନ୍ତୁ କିମ୍ବା ଆମର ଅଧା ଗୁଜୁରାଟୀ ଅଧା ରାଜସ୍ଥାନୀ ଏଭଳି ଭାଇ ଦେବଜୀ ପଟେଲ ହୁଅନ୍ତୁ, ଆପଣମାନେ ସମସ୍ତେ ରାଜସ୍ଥାନରେ ମେଡିକାଲ ଭିତିଭୂମିକୁ ନେଇ ଖୁବ ଅଧିକ ସଚେତନ ରହି ଆସିଛନ୍ତି। ମୋର ବିଶ୍ୱାସ ଯେ, ଏହିସବୁ ନୂତନ ମେଡିକାଲ କଲେଜ ଗୁଡ଼ିକର ନିର୍ମାଣ ରାଜ୍ୟ ସରକାରଙ୍କ ସହଯୋଗ ଦ୍ୱାରା ସଠିକ୍ ସମୟରେ ସମ୍ପୂର୍ଣ୍ଣ ହୋଇ ପାରିବ।

ସାଥୀଗଣ,

ଆମେ ସମସ୍ତେ ଦେଖିଛୁ ଯେ କିଛି ଦଶକ ପୂର୍ବେ ଦେଶର ମେଡିକାଲ ବ୍ୟବସ୍ଥାର ଅବସ୍ଥା କିପରି ଥିଲା। 2001ରେ, ଆଜିଠାରୁ 20 ବର୍ଷ ପୂର୍ବେ ଯେତେବେଳେ ଗୁଜରାଟ ମୋତେ ମୁଖ୍ୟମନ୍ତ୍ରୀ ଭାବେ ସେବା କରିବାର ସୁଯୋଗ ଦେଇଥିଲା, ସେତେବେଳେ ସେଠାରେ ସ୍ୱାସ୍ଥ୍ୟ ସେବାର ସ୍ଥିତି ମଧ୍ୟ ଆହ୍ୱାନରେ ଭରି ରହିଥିଲା। ସେ ହୁଏତ ମେଡିକାଲ ଭିତିଭୂମି ହେଉ, ମେଡିକାଲ ଶିକ୍ଷା ହେଉ, କିମ୍ବା ଚିକିତ୍ସାର ସୁବିଧା ହେଉ, ପ୍ରତ୍ୟେକ ସ୍ତରରେ ଦ୍ରୁତ ଗତିରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଥିଲା। ଆମେ ଆହ୍ୱାନଗୁଡ଼ିକୁ ସ୍ୱୀକାର କଲୁ ଆଉ ମିଳିମିଶି ସ୍ଥିତି ସବୁକୁ ପରିବର୍ତନ କରିବାର ଚେଷ୍ଟା କଲୁ। ଗୁଜୁରାଟରେ ସେତେବେଳେ ମୁଖ୍ୟମନ୍ତ୍ରୀ ଅମୃତମ ଯୋଜନା ମାଧ୍ୟମରେ ଗରିବ ପରିବାରଙ୍କୁ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ସୁବିଧା ଆରମ୍ଭ କରାଯାଇଥିଲା । ଗର୍ଭବତୀ ମହିଳାମାନଙ୍କୁ ହାସ୍ପାତାଳରେ ମାଗଣାରେ ପ୍ରସବ ପାଇଁ ଚିରଞ୍ଜିବୀ ଯୋଜନା ମାଧ୍ୟମରେ ପ୍ରୋତ୍ସାହିତ କରାଗଲା, ଯାହାଦ୍ୱାରା ମାଆ ମାନଙ୍କର ଏବଂ ପିଲାମାନଙ୍କର ଜୀବନ ବଂଚାଇବାରେ ବହୁ ଅଧିକ ସଫଳତା ମିଳିଲା। ମେଡିକାଲ ଶିକ୍ଷା ସମ୍ବନ୍ଧରେ ମଧ୍ୟ ବିଗତ 2 ଦଶକର ଅକ୍ଳାନ୍ତ ପ୍ରୟାସ ଫଳରେ ଗୁଜୁରାଟରେ ମେଡିକାଲ ସିଟ୍ ସଂଖ୍ୟାରେ ପ୍ରାୟ 6 ଗୁଣ ବୃଦ୍ଧି ପରିଲକ୍ଷିତ ହୋଇ ପାରିଛି ।

ସାଥୀଗଣ,

ମୁଖ୍ୟମନ୍ତ୍ରୀ ଭାବେ ମୁଁ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେଉଁ ସବୁ ଅଭାବ ଅନୁଭବ କରିଥିଲି, ବିଗତ 6-7 ବର୍ଷଧରି ସେଗୁଡ଼ିକୁ ଦୂର କରିବାର ନିରନ୍ତର ଚେଷ୍ଟା କରାଯାଉଛି। ଆଉ ଆମ ସମସ୍ତଙ୍କୁ ଏହା ଜଣା ଅଛି ଯେ ଆମ ସମ୍ବିଧାନ ଅନ୍ତର୍ଗତ ଯେଉଁ ସଂଘୀୟ ବ୍ୟବସ୍ଥା ରହିଛି ସେଥିରେ ସ୍ୱାସ୍ଥ୍ୟ ଏହା ହେଉଛି ରାଜ୍ୟର ବିଷୟ, ହେଉଛି ରାଜ୍ୟର ଦାୟିତ୍ୱ। କିନ୍ତୁ ମୁଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲି ଦୀର୍ଘ ସମୟ ପର୍ଯ୍ୟନ୍ତ । ତେବେ କ’ଣ ସବୁ କଷ୍ଟ ରହିଛି ସେ ବିଷୟରେ ମୋତେ ଭଲ ଭାବେ ଜଣାଥିଲା। ତେବେ ମୁଁ ଭାରତ ସରକାରକୁ ଆସି ତାହା ହୁଏତ ରାଜ୍ୟ ସରକାରଙ୍କ ଦାୟିତ୍ୱ ହେଉ, ତେବେ ମଧ୍ୟ ସେଥିରେ ବହୁତଗୁଡ଼ିଏ କାର୍ଯ୍ୟ କରିବାକୁ ଅଛି ଭାରତ ସରକାରଙ୍କୁ ଆଉ ସେହି ଦିଗରେ ଆମେ ଆମର ପ୍ରୟାସ ଆରମ୍ଭ କଲୁ। ଆମର ଏଠାରେ ଏକ ବଡ଼ ସମସ୍ୟା ଏହା ରହିଥିଲା ଯେ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ବହୁ ଅଧିକ ଖଣ୍ଡରେ ବିଭାଜିତି ହୋଇ ରହିଥିଲା। ଭିନ୍ନ- ଭିନ୍ନ ରାଜ୍ୟଗୁଡ଼ିକର ମେଡିକାଲ ବ୍ୟବସ୍ଥାରେ ରାଷ୍ଟ୍ରୀୟ ସ୍ତରରେ ସଂଯୋଗ ଏବଂ ସମନ୍ୱିତ ଅଭିବ୍ୟକ୍ତିର ଅଭାବ ଥିଲା । ଭାରତ ଭଳି ଦେଶରେ ଯେଉଁଠାରେ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ସବୁ ରାଜ୍ୟର ରାଜଧାନୀ କିମ୍ବା କିଛି ମେଟ୍ରୋ ସହର ମଧ୍ୟରେ ହିଁ ସୀମିତ ରହିଥିଲା, ଯେଉଁଠାରେ ଗରିବ ପରିବାର ରୋଜଗାର ପାଇଁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଥିଲେ, ସେଠାରେ ରାଜ୍ୟଗୁଡ଼ିକର ସୀମା ମଧ୍ୟରେ ସୀମିତ ସ୍ୱାସ୍ଥ୍ୟ ଯୋଜନାଗୁଡ଼ିକ ଦ୍ୱାରା ବହୁ ଅଧିକ ଲାଭ ହୋଇ ପାରୁ ନ ଥିଲା । ଏହିଭଳି ଭାବେ ପ୍ରାଥମିକ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ବଡ଼ ବଡ଼ ହାସ୍ପାତାଳରେ ମଧ୍ୟ ଏକ ବହୁତ ବଡ଼ ବ୍ୟବଧାନ ଦୃଷ୍ଟିଗୋଚର ହେଉଥିଲା। ଆମର ପାରମ୍ପରିକ ଚିକିତ୍ସା ପଦ୍ଧତି ଏବଂ ଆଧୁନିକ ଚିକିତ୍ସା ପଦ୍ଧତି ମଧ୍ୟରେ ମଧ୍ୟ ସମନ୍ୱୟର ଅଭାବ ରହିଥିଲା । ପ୍ରଶାସନର ଏହି ଅଭାବକୁ ଦୂର କରାଯିବା ବହୁତ ଜରୁରୀ ଥିଲା । ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରକୁ ପରିବର୍ତନ କରିବା ପାଇଁ ଆମେ ଗୋଟିଏ ରାଷ୍ଟ୍ରୀୟ ଅଭିବ୍ୟକ୍ତି ନେଇ, ଏକ ନୂତନ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ନୀତି ଉପରେ କାର୍ଯ୍ୟ କଲୁ। ସ୍ୱଚ୍ଛ ଭାରତ ଅଭିଯାନରୁ ନେଇ ଆୟୁଷ୍ମାନ ଭାରତ ଏବଂ ଏବେ ଆୟୁଷ୍ମାନ ଭାରତରୁ ଡିଜିଟାଲ ମିଶନ ପର୍ଯ୍ୟନ୍ତ, ଏଭଳି ଅନେକ ପ୍ରୟାସ ହେଉଛି ଏହାର ଅଂଶବିଶେଷ। ଆୟୁଷ୍ମାନ ଭାରତ ଯୋଜନା ଦ୍ୱାରା ହିଁ ଏ ପର୍ଯ୍ୟନ୍ତ ରାଜସ୍ଥାନର ପ୍ରାୟ ସାଢ଼େ  ଲକ୍ଷ ଲୋକଙ୍କର ମାଗଣା ଚିକିତ୍ସା ହୋଇ ସାରିଛି। ଗାଁ-ଗହଳିରେ ସ୍ୱାସ୍ଥ୍ୟ ସୁବିଧାଗୁଡ଼ିକୁ ସୁଦୃଢ଼ କରୁଥିବା ପ୍ରାୟ ଅଢ଼େଇ ହଜାର ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ଆଜି ରାଜସ୍ଥାନରେ କାର୍ଯ୍ୟ କରିବାକୁ ଆରମ୍ଭ କରି ଦେଇଛନ୍ତି। ସରକାରଙ୍କର ଗୁରୁତ୍ୱ ମଧ୍ୟ ରହିଛି ପ୍ରତିଷେଧକ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ। ଆମେ ନୂତନ ଭାବେ ଆୟୂଷ ମନ୍ତ୍ରଣାଳୟ ମଧ୍ୟ ଗଠନ କରିଛୁ, ଆୟୂର୍ବେଦ ଏବଂ ଯୋଗକୁ ମଧ୍ୟ ନିରନ୍ତର ପ୍ରୋତ୍ସାହନ ଦେଉଛୁ।

ଭାଇ  ଭଉଣୀମାନେ,

ଆଉ ଏକ ବଡ଼ ସମସ୍ୟା ମେଡିକାଲ ଭିତିଭୂମି ନିର୍ମାଣରେ ମନ୍ଥର ଗତି ପାଇଁ ମଧ୍ୟ ସୃଷ୍ଟି ହେଉଛି। ସେ ହୁଏତ ଏମ୍ସ ହେଉ, ମେଡିକାଲ କଲେଜ ହେଉ କିମ୍ବା ଏମ୍ସ ଭଳି ସୁପର ସ୍ପେସିଆଲିଟି ହାସ୍ପାତାଳ ହେଉ, ଏମାନଙ୍କର ନେଟୱର୍କ ଦେଶର କୋଣ-ଅନୁକୋଣ ପର୍ଯ୍ୟନ୍ତ ଦ୍ରୁତ ଗତିରେ ସଂପ୍ରସାରିତ ହେବା ବହୁତ ଆବଶ୍ୟକ। ଆଜି ଆମେ ସନ୍ତୋଷର ସହିତ ଏହା କହୁଛୁ ଯେ, 6 ଏମ୍ସରୁ ଆଗକୁ ଯାଇ ଆଜି ଭାରତ 22ରୁ ଅଧିକ ଏମ୍ସର ସଶକ୍ତ ନେଟୱର୍କ ଆଡକୁ ଅଗ୍ରସର ହେଉଛି। ଏହି 6-7 ବର୍ଷରେ 170ରୁ ଅଧିକ ନୂଆ ମେଡିକାଲ କଲେଜ ନିର୍ମାଣ ହୋଇସରିଛି ଏବଂ 100ରୁ ଅଧିକ ନୂଆ ମେଡିକାଲ କଲେଜ ନିର୍ମାଣର କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଛି । ବର୍ଷ 2014 ରେ ଦେଶରେ ମେଡିକାଲର ସ୍ନାତକ ଏବଂ ସ୍ନାତକୋତର ମୋଟ ସିଟ ସଂଖ୍ୟା 82 ହଜାର ପାଖାପାଖି ଥିଲା । ଆଜି ଏହାର ସଂଖ୍ୟା ବୃଦ୍ଧି ପାଇ ଏକ ଲକ୍ଷ 40 ହଜାର ସିଟ୍ ପର୍ଯ୍ୟନ୍ତ ପହଂଚିବାକୁ ଯାଉଛି। ଅର୍ଥାତ ଆଜି ଅଧିକ ଯୁବକମାନଙ୍କୁ ଡାକ୍ତର ହେବା ପାଇଁ ସୁଯୋଗ ମିଳୁଛି, ଆଜି ପୂର୍ବ ଅପେକ୍ଷା କେତେ ଅଧିକ ଡାକ୍ତର ହେଉଛନ୍ତି। ଡାକ୍ତରୀ ଶିକ୍ଷାରେ ଏହି ଦ୍ରୁତ ପ୍ରଗତିର ଲାଭ ରାଜସ୍ଥାନକୁ ମଧ୍ୟ ମିଳିଛି । ରାଜସ୍ଥାନରେ ଏଇ କିଛି ଦିନ ମଧ୍ୟରେ ଡାକ୍ତରୀ ସିଟରେ ଦୁଇଗୁଣରୁ ଅଧିକ ବୃଦ୍ଧି ହୋଇଛି । ୟୁଜି ସିଟ 2 ହଜାରରୁ ବୃଦ୍ଧି ପାଇ 4 ହଜାରରୁ ଅଧିକ ହୋଇଛି । ରାଜସ୍ଥାନରେ ପିଜି ସିଟ୍ ହଜାରେରୁ ମଧ୍ୟ କମ୍ ଥିଲା। ଆଜି ପିଜି ସିଟ ମଧ୍ୟ 2100 ପର୍ଯ୍ୟନ୍ତ ପହଂଚିଛି।

ଭାଇ  ଭଉଣୀମାନେ,

ଆଜି ଦେଶରେ ପ୍ରୟାସ ଦ୍ୱାରା ହିଁ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ମେଡିକାଲ କଲେଜ ଅବା ପୁଣି ସ୍ନାତକୋତର ଡାକ୍ତରୀ ଶିକ୍ଷା ଦେବା ଭଳି ଅତିକମରେ ଗୋଟିଏ ସଂସ୍ଥାନ ନିଶ୍ଚିତ ଥାଏ। ଏଥିପାଇଁ ଡାକ୍ତରୀ ଶିକ୍ଷା ସହିତ ଜଡିତ ପ୍ରଶାସନଠାରୁ ନେଇ ଅନ୍ୟାନ୍ୟ ନୀତି, ଆଇନ, ସଂସ୍ଥାନ ଗୁଡିକରେ ବିଗତ ବର୍ଷମାନଙ୍କ ମଧ୍ୟରେ ବଡ଼ ସଂସ୍କାର କରାଯାଇଛି। ଆମେ ଦେଖିଛୁ ଯେ ପୂର୍ବରୁ ଯେଉଁ ମେଡିକାଲ କାଉନସିଲ ଅଫ ଇଣ୍ଡିଆ (ଭାରତୀୟ ଡାକ୍ତରୀ ପରିଷଦ) ଏମସିଆଇ ଥିଲା କିଭଳି ତାହାର ନିଷ୍ପତି ଉପରେ ପ୍ରଶ୍ନ ଉଠୁ ଥିଲା, ବିଭିନ୍ନ ପ୍ରକାର ଅଭିଯୋଗ ହେଉଥିଲା, ସଂସଦରେ ମଧ୍ୟ ଘଂଟା ଘଂଟା ଧରି ବିତର୍କ ହେଉଥିଲା। ପାରଦର୍ଶିତା ବିଷୟକୁ ନେଇ ପ୍ରଶ୍ନ ଉଠୁଥିଲା । ଏହାର ବହୁତ ବଡ଼ ପ୍ରଭାବ ଦେଶର ଡାକ୍ତରୀ ଶିକ୍ଷାର ଗୁଣବତା ଏବଂ ସ୍ୱାସ୍ଥ୍ୟ ସେବା ପ୍ରଦାନ ଉପରେ ପଡୁଥିଲା। ବର୍ଷ ବର୍ଷ ଧରି ସରକାର ଚିନ୍ତା କରୁଥିଲେ କିଛି କରିବା ଉଚିତ, ପରିବର୍ତନ କରିବା ଆବଶ୍ୟକ, କିଛି ନିର୍ଣ୍ଣୟ ନେବା ଦରକାର, କିନ୍ତୁ କରାଯାଇ ପରୁ ନ ଥିଲା । ମୋତେ ମଧ୍ୟ ଏହି କାର୍ଯ୍ୟ କରିବାକୁ ବହୁତ କଷ୍ଟ କରିବାକୁ ପଡିଲା। ସଂସଦରେ ଅନେକ, ଗତ ସରକାର ସମୟରେ କରିବାକୁ ଚାହୁଁଥିଲୁ। କରିପାରିଲୁ ନାହିଁ। ଏତେ ଗୋଷ୍ଠୀ ଏତେ ବଡ଼ ପ୍ରତିବନ୍ଧକ ସୃଷ୍ଟି କରୁଥିଲେ । ବହୁତ ଅସୁବିଧା ମଧ୍ୟରେ ଶେଷରେ ହେଲା।  ଆମକୁ ମଧ୍ୟ ଏହାକୁ ଠିକ୍ କରିବାକୁ ବହୁତ ପରିଶ୍ରମ କରିବାକୁ ପଡିଲା। ଏବେ ଏହି ବ୍ୟବସ୍ଥାଗୁଡିକର ଦାୟିତ୍ୱ ଜାତୀୟ ମେଡିକାଲ କମିଶନ ପାଖରେ ଅଛି। ଏହାର ବହୁତ ଉନ୍ନତ ପ୍ରଭାବ, ଦେଶର ସ୍ୱାସ୍ଥ୍ୟ ସେବା ମାନବ ସମ୍ବଳ ଏବଂ ସ୍ୱାସ୍ଥ୍ୟ ସେବା ଉପରେ ଏହାର ପ୍ରଭାବ ଦେଖିବା ଆରମ୍ଭ ହୋଇ ଯାଇଛି।

ସାଥୀଗଣ,

ଦଶକ ପୁରୁଣା ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଆଜିର ଆବଶ୍ୟକତା ଗୁଡିକ ଅନୁସାରେ ପରିବର୍ତନର ଆବଶ୍ୟକତା ରହିଛି। ଡାକ୍ତରୀ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନରେ ଯେଉଁ ବ୍ୟବଧାନ ଥିଲା, ତାହାକୁ କ୍ରମାଗତ ହ୍ରାସ କରାଯାଉଥିଲା। ବଡ ହାସ୍ପାତାଳ, ସେ ସରକାରୀ ହେଉ ଅବା ଘରୋଇ, ଅନେକ ସଂସାଧନ ଗୁଡିକର ନୂଆ ଡ଼ାକ୍ତର, ନୂତନ ପାରାମେଡିକ୍ସ ପ୍ରସ୍ତୁତ କରିବାରେ ଅଧିକରୁ ଅଧିକ ଉପଯୋଗ ହେଉ, ଏହା ଉପରେ ସରକାର ବହୁତ ଗୁରୁତ୍ୱ ଦେଉଛନ୍ତି। ତିନି- ଚାରି ଦିନ ପୂର୍ବରୁ ଆରମ୍ଭ ହୋଇଥିବା ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ, ଦେଶର କୋଣ ଅନୁକୋଣ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା ପହଂଚାଇବାରେ ବହୁତ ସାହାଯ୍ୟ କରିବ। ଭଲ ହସ୍ପାତାଳ, ପରୀକ୍ଷାଗାର, ଫାର୍ମାସୀ, ଡାକ୍ତରଙ୍କ ସହିତ ଯୋଗାଯୋଗ, ସବୁକିଛି ଗୋଟିଏ କ୍ଲିକରେ ହେବ। ଏହାଦ୍ୱାରା ରୋଗୀଙ୍କୁ ନିଜର ସ୍ୱାସ୍ଥ୍ୟ ରେକର୍ଡ ସାଇତି ରଖିବାର ଏକ ସୁବିଧା ମଳିଯିବ।

ଭାଇ  ଭଉଣୀମାନେ,

ସ୍ୱାସ୍ଥ୍ୟ ସେବା ସହିତ ଜଡିତ ଦକ୍ଷ ମାନବ ସମ୍ବଳର ସିଧାସଳଖ ପ୍ରଭାବ, ପ୍ରଭାବୀ ସ୍ୱାସ୍ଥ୍ୟ ସେବା ଉପରେ ପଡିଥାଏ। ଆମେ ଏହାକୁ ଏହି କରୋନା ସମୟରେ ଆହୁରି ଅଧିକ ଅନୁଭବ କରିଛେ। କେନ୍ଦ୍ର ସରକାରଙ୍କର ସମସ୍ତଙ୍କୁ ଟିକାମାଗଣା ଟିକା ଅଭିଯାନର ସଫଳତା ହେଉଛି ଏହାର ପ୍ରତିଫଳନ। ଆଜି ଭାରତରେ 88 କୋଟିରୁ ଅଧିକ ଡୋଜ୍ କରୋନା ଟିକା ଦିଆଯାଇ ସାରିଛି। ରାଜସ୍ଥାନରେ ମଧ୍ୟ 5 କୋଟିରୁ ଅଧିକ ଡୋଜ ଟିକା ଦିଆଯାଇ ସାରିଛି। ହଜାର ହଜାର କେନ୍ଦ୍ରରେ ଆମର ଡାକ୍ତର, ନର୍ସ, ମେଡିକାଲ କର୍ମଚାରୀ କ୍ରମାଗତ ଟିକାକରଣ କାର୍ଯ୍ୟରେ ସାମିଲ ହୋଇଛନ୍ତି। ମେଡିକାଲ କ୍ଷେତ୍ରରେ ଦେଶର ଏହି ସାମର୍ଥ୍ୟକୁ ଆମକୁ ଆହୁରି ବଢାଇବାର ଅଛି । ଗାଁ ଏବଂ ଗରିବ ପରିବାରରୁ ଆସୁଥିବା ଯୁବକମାନଙ୍କ ପାଇଁ କେବଳ ଇଂରାଜୀ ଭାଷାରେ ମେଡିକାଲ ଏବଂ ବୈଷୟିକ ଶିକ୍ଷା ଆଉ ଏକ ପ୍ରତିବନ୍ଧକ ହୋଇ ରହିଥିଲା। ଏବେ ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି ଅଧୀନରେ ହିନ୍ଦୀ ଏବଂ ଅନ୍ୟାନ୍ୟ ଭାରତୀୟ ଭାଷାରେ ମେଡିକାଲ ଶିକ୍ଷାର ମଧ୍ୟ ପଥ ପାଲଟି ଯାଇଛି। ରାଜସ୍ଥାନର ଗାଁର, ଗରିବ ପରିବାରର ମାଆମାନେ ନିଜ ସନ୍ତାନମାନଙ୍କ ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି, ତାହା ଏବେ ଆହୁରି ସହଜରେ ପୂରଣ ହୋଇଯିବ। ଗରିବର ପୁଅ ମଧ୍ୟ, ଗରିବର ଝିଅ ମଧ୍ୟ ଯେଉଁମାନଙ୍କୁ ଇଂରାଜୀ ସ୍କୁଲରେ ପାଠ ପଢିବାକୁ ସୁଯୋଗ ମିଳି ନାହିଁ। ସେମାନେ ମଧ୍ୟ ଏବେ ଡାକ୍ତର ହୋଇ ମାନବତାର ସେବା କରିବେ। ଏହା ଆବଶ୍ୟକ ହୋଇ ପଡିଛି ଯେ ମେଡିକାଲ ଶିକ୍ଷା ସହିତ ଜଡିତ ସୁଯୋଗ ସମାଜର ପ୍ରତ୍ୟେକ ଭାଗ, ପ୍ରତ୍ୟେକ ବର୍ଗଙ୍କୁ ସମାନ ଭାବେ ମିଳିବ। ମେଡିକାଲ ଶିକ୍ଷାରେ ଓବିସି ଏବଂ ଆର୍ଥିକ ଭାବେ ଦୁର୍ବଳ ସାଧାରଣ ବର୍ଗର ଯୁବକମାନଙ୍କୁ ସଂରକ୍ଷଣ ଦେବା ପଛରେ ମଧ୍ୟ ଏହି ଭାବନା ଅଛି।

ସାଥୀଗଣ,

ସ୍ୱାଧୀନତାର ଏହି ଅମୃତକାଳରେ ମୁଁ ଉଚ୍ଚ ସ୍ତରର କୌଶଳ, ନା କେବଳ ଭାରତର ଶକ୍ତି ବୃଦ୍ଧି କରିବ ବରଂ ଆତ୍ମନିର୍ଭର ଭାରତର ସଂକଳ୍ପକୁ ସିଦ୍ଧି କରିବାରେ ମଧ୍ୟ ବଡ଼ ଭୂମିକା ତୁଳାଇବ। ସବୁଠାରୁ ଦ୍ରୁତ ଗତିରେ ବିକଶିତ ହେଉଥିବା ଉଦ୍ୟୋଗ ମଧ୍ୟରୁ ଗୋଟିଏ, ପେଟ୍ରୋ- କେମିକାଲ ଉଦ୍ୟୋଗ ପାଇଁ, ଦକ୍ଷ ମାନବ ସମ୍ବଳ ହେଉଛି ଆଜିର ଆବଶ୍ୟକତା। ରାଜସ୍ଥାନର ନୂତନ ଇନଷ୍ଟିଚ୍ୟୁଟ ଅଫ ପେଟ୍ରୋକେମିକାଲ ଟେକ୍ନୋଲୋଜି ଏହି କ୍ଷେତ୍ରରେ ପ୍ରତି ବର୍ଷ ଶହ ଶହ ଯୁବକମାନଙ୍କୁ ନୂତନ ସମ୍ଭାବନା ସହିତ ଯୋଡିବ। ପେଟ୍ରୋକେମିକାଲ୍ସର ଉପଯୋଗ ଆଜିକାଲି କୃଷି, ସ୍ୱାସ୍ଥ୍ୟ ସେବା ଏବଂ ଅଟୋମୋବାଇଲ ଉଦ୍ୟୋଗଠାରୁ ନେଇ ଜୀବନର ଅନେକ ଭାଗରେ ବୃଦ୍ଧି ପାଉଛି। ଏଥିପାଇଁ  ଦକ୍ଷ ଯୁବକମାନଙ୍କ ପାଇଁ ଆଗାମୀ ବର୍ଷମାନଙ୍କରେ ରୋଜଗାରର ଅନେକ ସୁଯୋଗ ସୃଷ୍ଟି କରିବାକୁ ଯାଉଛି।

ସାଥୀଗଣ,

ଆଜି ଯେତେବେଳେ ଆମେ, ଏହି ପେଟ୍ରୋକେମିକାଲ ସଂସ୍ଥାନର ଉଦଘାଟନ କରୁଛେ, ତେବେ ମୋତେ 13-14 ବର୍ଷ ପୂର୍ବର ସେହି ଦିନ କଥା ମଧ୍ୟ ମନେ ପଡୁଛି, ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଗୁଜରାଟରେ ଆମେ ପେଟ୍ରୋଲିୟମ ବିଶ୍ୱବିଦ୍ୟାଳୟର ଚିନ୍ତାଧାରା ନେଇ କାର୍ଯ୍ୟ ଆରମ୍ଭ କରିଥିଲୁ। ସେତେବେଳେ କିଛି ଲୋକ ଏହି ଚିନ୍ତାଧାରାକୁ ହସରେ ଉଡାଇ ଦେଉଥିଲେ ଯେ ବାସ୍ତବରେ ଏହି ବିଶ୍ୱବିଦ୍ୟାଳୟର କ’ଣ ଆବଶ୍ୟକତା ରହିଛି,  ଏହା କ’ଣ କରିପାରିବ, ଏଠାରେ ପଢିବା ପାଇଁ ଛାତ୍ରଛାତ୍ରୀ କେଉଁଠାରୁ ଆସିବେ? କିନ୍ତୁ ଆମେ ଏହି ଚିନ୍ତାଧାରାକୁ ପରିତ୍ୟାଗ କରି ଦେଇ ନ ଥିଲୁ । ରାଜଧାନୀ ଗାନ୍ଧୀନଗରରେ ଜମି ଖୋଜାଗଲା ଆଉ ପୁଣି ପଣ୍ଡିତ ଦୀନ ଦୟାଲ ପେଟ୍ରୋଲିୟମ ବିଶ୍ୱବିଦ୍ୟାଳୟ- ପିଡିପିୟୁର ଶୁଭାରମ୍ଭ ହେଲା । ବହୁତ କମ ସମୟରେ ପିଡିପିୟୁ ଦେଖାଇଦେଇଛି ଯେ ତା’ର କ’ଣ ସମାର୍ଥ୍ୟ ରହିଛି । ସାରା ଦେଶର ବିଦ୍ୟାର୍ଥୀମାନଙ୍କର ପାଠ ପଢିବା ପାଇଁ ଲାଇନ ଲାଗିଗଲା। ଏବେ ଏହି ବିଶ୍ୱବିଦ୍ୟାଳୟର ଦୃଷ୍ଟିଭଙ୍ଗୀ ଏବଂ ସଂପ୍ରସାରଣ ହୋଇ ସାରିଛି । ଏବେ ଏହା ପଣ୍ଡିତ ଦୀନ ଦୟାଲ ଏନର୍ଜୀ (ଶକ୍ତି) ବିଶ୍ୱବିଦ୍ୟାଳୟ- ପିଡିଇୟୁ ଭାବେ ପରିଚିତ। ଏହିଭଳି ସଂସ୍ଥାନ ଏବେ ଭାରତର ଯୁବକମାନଙ୍କୁ ସ୍ୱଚ୍ଛ ଶକ୍ତି ପାଇଁ ସୃଜନାତ୍ମକ ସମାଧାନ ଲାଗି ଆବିଷ୍କାରର ପଥ ଦେଖାଉଛି, ସେମାନଙ୍କର ଦକ୍ଷତା ବୃଦ୍ଧି କରୁଛି।

ସାଥୀଗଣ,

ବାଡମେରରେ ରାଜସ୍ଥାନ ବିଶୋଧନ ପ୍ରକଳ୍ପ ଉପରେ ମଧ୍ୟ ଦ୍ରୁତ ଗତିରେ କାର୍ଯ୍ୟ ଜାରି ରହିଛି। ଏହି ପ୍ରକଳ୍ପ ପାଇଁ 70 ହଜାର କୋଟିରୁ ଅଧିକ ଟଙ୍କାର ନିବେଶ କରାଯାଉଛି। ଇନଷ୍ଟିଚ୍ୟୁଟ ଅଫ୍ ପେଟ୍ରୋକେମିକାଲ ଟେକ୍ନୋଲୋଜିରୁ ପାଠ ପଢି ବାହାରୁଥିବା ପେଶାଦାରମାନଙ୍କ ପାଇଁ ବହୁତ ଗୁଡିଏ ନୂତନ ସୁଯୋଗ ସୃଷ୍ଟି କରିବ। ରାଜସ୍ଥାନରେ ଯେଉଁ ସହରୀ ଗ୍ୟାସ ବିତରଣର କାର୍ଯ୍ୟ ହେଉଛି, ସେଥିରେ ମଧ୍ୟ ଯୁବକମାନଙ୍କ ପାଇଁ ବହୁତ ସମ୍ଭାବନା ରହିଛି । 2014 ପର୍ଯ୍ୟନ୍ତ ରାଜସ୍ଥାନରେ କେବଳ ଗୋଟିଏ ସହରରେ ହିଁ ସିଟି ଗ୍ୟାସ ବିତରଣକୁ ମଂଜୁରୀ ମିଳିଥିଲା। ଆଜି ରାଜସ୍ଥାନର 17 ଜିଲ୍ଲାରେ ସହରୀ ଗ୍ୟାସ ବିତରଣ ନେଟୱାର୍କ ପାଇଁ କାର୍ଯ୍ୟକୁ ଅନୁମୋଦନ କରାଯାଇଛି। ଆଗାମୀ ବର୍ଷମାନଙ୍କରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ପାଇପ୍ ଯୋଗେ ଗ୍ୟାସ ପହଂଚାଇବାର ନେଟୱାର୍କ ରହିବ।

 ଭାଇ  ଭଉଣୀମାନେ,

ରାଜସ୍ଥାନର ଏକ ବଡ଼ ଅଂଶ ହେଉଛି ମରୁଭୂମୀ, ସୀମାବର୍ତୀ ମଧ୍ୟ। କଠିନ ଭୌଗୋଳିକ ପରିସ୍ଥିତି କାରଣରୁ ଆମର ମାଆ- ଭଉଣୀ ବହୁତ ଆହ୍ୱାନର ସାମ୍ନା କରିଚାଲିଛନ୍ତି। ଅନେକ ବର୍ଷ ଧରି ରାଜସ୍ଥାନର ଦୂର ଦୂରାନ୍ତ ଅଂଚଳକୁ ଯାତାୟାତ କରିଛି। ମୁଁ ଦେଖିଛି ଶୌଚାଳୟ, ବିଜୁଳି ଏବଂ ଗ୍ୟାସ ସଂଯୋଗର ଅଭାବ ଯୋଗୁଁ ମାଆ- ଭଉଣୀମାନଙ୍କୁ କେତେ କଷ୍ଟ ସ୍ୱୀକାର କରିବାକୁ ପଡୁଥିଲା। ଆଜି ଗରିବରୁ ଗରିବଙ୍କ ଘରେ ଶୌଚାଳୟ, ବିଜୁଳି ଏବଂ ଗ୍ୟାସ ସଂଯୋଗ ପହଂଚିବା ଯୋଗୁଁ ଜୀବନ ବହୁତ ସହଜ ହୋଇ ଯାଇଛି। ପିଇବା ପାଣି, ରାଜସ୍ଥାନରେ ଏକ ପ୍ରକାରରେ ବିଗତ ଦିନମାନଙ୍କରେ ମାଆ- ଭଉଣୀମାନଙ୍କର ଧୈର୍ଯ୍ୟର ପରୀକ୍ଷା ନେଇଥାଏ। ଆଜି ଜଳ ଜୀବନ ମିଶନ ଅଧୀନରେ ରାଜସ୍ଥାନର 21 ଲକ୍ଷରୁ ଅଧିକ ପରିବାରକୁ ପାଇପ ଯୋଗେ ପିଇବା ପାଣି ପହଂଚାଇବା ଆରମ୍ଭ ହୋଇଛି । ହର ଘର ଜଳ ଅଭିଯାନ, ରାଜସ୍ଥାନର ମାଆ- ଭଉଣୀ- ଝିଅଙ୍କ ପାଦରେ ବର୍ଷ ବର୍ଷ ଧରି ଯେଉଁ ଫୋଟକା ପଡୁଥିଲା, ତାହା ଉପରେ ମଲମ ଲଗାଇବା ଭଳି ସଚ୍ଚୋଟତାର ସହ ପ୍ରୟାସ ହୋଇଛି।

ସାଥୀଗଣ,

ରାଜସ୍ଥାନର ବିକାଶ, ଭାରତର ବିକାଶକୁ ମଧ୍ୟ ଗତି ଦେଇଥାଏ। ଯେତେବେଳେ ରାଜସ୍ଥାନର ଲୋକ, ଗରିବ, ମଧ୍ୟବିତ୍ତ ଲୋକଙ୍କ ଜୀବନ ଶୈଳୀ ସହଜ ହୋଇଥାଏ, ସେମାନଙ୍କର ଜୀବନ ଯାପନ ସହଜ ହୁଏ, ସେତେବେଳେ ମୁଁ ମଧ୍ୟ ସନ୍ତୋଷ ଅନୁଭବ କରିଥାଏ । ବିଗତ 6-7 ବର୍ଷ ମଧ୍ୟରେ କେନ୍ଦ୍ରର ଆବାସ ଯୋଜନାଗୁଡିକ ମାଧ୍ୟମରେ ରାଜସ୍ଥାନରେ ଗରିବ ଲୋକଙ୍କ ପାଇଁ 13  ଲକ୍ଷରୁ ଅଧିକ ପକ୍କା ଘର ନିର୍ମାଣ କରାଯାଇଛି । ପିଏମ୍ କିସାନ ସାମ୍ମାନ ନିଧି ଅଧୀନରେ ରାଜସ୍ଥାନର 74 ଲକ୍ଷରୁ ଅଧିକ କୃଷକ ପରିବାରର ବ୍ୟାଙ୍କଖାତାକୁ ପ୍ରାୟ 11 ହଜାର କୋଟି ଟଙ୍କା ସିଧାସଳଖ କୃଷକଙ୍କ ଖାତାକୁ ହସ୍ଥାନ୍ତରିତ ହୋଇଛି। ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନା ଅଧୀନରେ ରାଜ୍ୟର ଚାଷୀଙ୍କୁ 15 ହଜାର କୋଟିରୁ ଅଧିକ ଟଙ୍କାର ଦାବି ଅର୍ଥ ମଧ୍ୟ ଦିଆଯାଇଛି।

ସାଥୀଗଣ,

ଏକ ସୀମାବର୍ତ୍ତୀ ରାଜ୍ୟ ହୋଇଥିବାରୁ ଯୋଗାଯୋଗ ଏବଂ ସୀମାନ୍ତ କ୍ଷେତ୍ରର ବିକାଶ ପାଇଁ ରାଜସ୍ଥାନ ପ୍ରାଥମିକତା ଲାଭ କରୁଛି। ଜାତୀୟ ରାଜପଥ ନିର୍ମାଣ ହେଉ, ନୂତନ ରେଳ ଲାଇନର କାର୍ଯ୍ୟ ହେଉ, ସହରୀ ଗ୍ୟାସ ବିତରଣ ହେଉ, ଡଜନ ଡଜନ ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ଦେଶର ରେଳପଥକୁ ପରିବର୍ତ୍ତନ କରିବାକୁ ଯାଉଥିବା ଉତ୍ସର୍ଗୀକୃତ ମାଲ ପରିବହନ କରିଡରର ଏକ ବଡ଼ ଅଂଶ ମଧ୍ୟ ରାଜସ୍ଥାନ ଏବଂ ଗୁଜରାଟରେ ହେଉଛି। ଏହାର କାର୍ଯ୍ୟ ମଧ୍ୟ ଅନେକ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରୁଛି।

ଭାଇ  ଭଉଣୀମାନେ,

ରାଜସ୍ଥାନର ସାମର୍ଥ୍ୟ ସମଗ୍ର ଦେଶକୁ ପ୍ରେରଣା ଯୋଗାଇ ଥାଏ । ଆମକୁ ରାଜସ୍ଥାନର ସାମର୍ଥ୍ୟକୁ ମଧ୍ୟ ବୃଦ୍ଧି କରିବାକୁ ପଡିବ ଏବଂ ଦେଶକୁ ନୂତନ ଶିଖରକୁ ନେବାକୁ ପଡିବ। ଏହା ଆମ ସମସ୍ତଙ୍କ ପ୍ରୟାସ ଦ୍ୱାରା ହିଁ ସମ୍ଭବ ହେବ । ସମସ୍ତଙ୍କ ପ୍ରୟାସ, ସ୍ୱାଧୀନତାର ଏହି 75 ବର୍ଷରେ ଆମ ସମସ୍ତଙ୍କର ଏହି ମହାନ ପ୍ରୟାସ, ଏହି ମନ୍ତ୍ର ସହିତ ଆମକୁ ଅଧିକ ଶକ୍ତିର ସହିତ ଆଗକୁ ବଢିବାକୁ ପଡିବ ।  ଭାରତର ସ୍ବାଧୀନତାର ଏହି ଅମୃତବେଳାରେ ରାଜସ୍ଥାନର ବିକାଶର ମଧ୍ୟ ସୁବର୍ଣ୍ଣ ସମୟ ହେଉ, ଏହା ହେଉଛି ଆମର ଶୁଭକାମନା । ଆଉ ଏବେ ଯେତେବେଳେ ମୁଁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ମହାଶୟଙ୍କ କଥା ଶୁଣୁଥିଲି ।  ସେ କାର୍ଯ୍ୟଗୁଡ଼ିକର ଏକ ଲମ୍ବା ତାଲିକା ବିଷୟରେ କହିଲେ । ମୁଁ ରାଜସ୍ଥାନର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ଅନୁଭବ କରି ପାରୁଛି ଯେ, ସେ ମୋତେ ବହୁତ ବିଶ୍ୱାସ କରନ୍ତି । ଆଉ ଗଣତନ୍ତ୍ରରେ ଏହା ହେଉଛି ବଡ଼ ଶକ୍ତି । ତାଙ୍କର ରାଜନୈତିକ ଚିନ୍ତାଧାରା ମଧ୍ୟ ଏବଂ ଦଳ ମଧ୍ୟ ଭିନ୍ନ, ମୋର ରାଜନୈତିକ ଚିନ୍ତାଧାରା ଏବଂ ଦଳ ମଧ୍ୟ ଭିନ୍ନ,  କିନ୍ତୁ ଅଶୋକ ମହାଶୟଙ୍କର ମୋ ଉପରେ ଥିବା ବିଶ୍ୱାସ ଯୋଗୁଁ ଆଜି ସେ ଅନେକ କଥା ହୃଦୟର ସହ ଖୋଲାଖୋଲି ଭାବେ କହିଛନ୍ତି । ଏହି ବନ୍ଧୁତା, ଏହି ବିଶ୍ୱାସ, ଏହି ଭରସା ଗଣତନ୍ତ୍ରର ବହୁତ ବଡ଼ ଶକ୍ତି। ମୁଁ ପୁଣି ଥରେ ରାଜସ୍ଥାନବାସୀଙ୍କୁ ମୋର ହୃଦୟର ସହ ଅଭିନନ୍ଦନ ଜଣାଉଛି । ବହୁତ- ବହୁତ ଶୁଭେଚ୍ଛା

ଧନ୍ୟବାଦ !

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Stranded in Tehran, 50 Iranian Sikhs return safely to India

Media Coverage

Stranded in Tehran, 50 Iranian Sikhs return safely to India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi pays tributes to Freedom Fighter, Shri Pingali Venkayya on his 150th birth anniversary
August 02, 2026

The Prime Minister, Shri Narendra Modi, paid tributes to freedom fighter, Shri Pingali Venkayya on his 150th birth anniversary.

The Prime Minister remembered Pingali Venkayya for his invaluable role in giving the nation the Tricolour and said that his efforts continue to inspire people to serve the country with dedication and patriotic fervour.

Shri Modi said that the Tiranga fills every Indian heart with immense pride and inspires the nation to work towards nation-building.

The Prime Minister wrote on X;

“Tributes to Pingali Venkayya Ji on his 150th birth anniversary. He is remembered for his invaluable role in giving our nation the Tricolour. May his efforts always inspire people to serve our country with dedication and patriotic fervour.

The Tiranga fills every Indian heart with immense pride and inspires us to work towards nation building.”