ଏହି ପାଇପ ଲାଇନ ଦ୍ୱାରା ଉଭୟ କେରଳ ଓ କର୍ଣ୍ଣାଟକର ଲୋକେ ଉପକୃତ ହେବେ: ପ୍ରଧାନମନ୍ତ୍ରୀ
ବ୍ଲୁ ଇକନମି ଆତ୍ମନିର୍ଭର ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ହେବାକୁ ଯାଉଛି: ପ୍ରଧାନମନ୍ତ୍ରୀ

ନମସ୍କାର!

କେରଳର ରାଜ୍ୟପାଳ, ଆରିଫ ମହମ୍ମଦ ଖାନ ଜୀ, କର୍ଣ୍ଣାଟକ ରାଜ୍ୟପାଳ ଭଜୁଭାଇ ବାଲା ଜୀ, କେରଳ ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାୟୀ ବିଜୟନ ଜୀ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଶ୍ରୀ ବି.ଏସ. ୟେଦିୟୁରପ୍ପା ଜୀ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୀ, ଭି. ମୁରଲୀଧର ଜୀ, ସାଂସଦଗଣ, ବିଧାୟକଗଣ, ଭାଇ ଓ ଭଉଣୀମାନେ ।

ରାଷ୍ଟ୍ରକୁ 450 କିଲୋମିଟର ବିଶିଷ୍ଟ କୋଚି-ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ ପାଇପଲାଇନ ଉତ୍ସର୍ଗ କରିବା ଏକ ସମ୍ମାନର କଥା । ଭାରତ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦିନ, ବିଶେଷକରି କେରଳ ଓ କର୍ଣ୍ଣାଟକ ଲୋକଙ୍କ ପାଇଁ । ଏକ ପ୍ରାକୃତିକ ଗ୍ୟାସ ପାଇପଲାଇନ ଦ୍ୱାରା ଏହି ଦୁଇ ରାଜ୍ୟ ପରସ୍ପର ସହ ଯୋଡ଼ି ହୋଇପାରିବେ । ତେଣୁ ଏହି ରାଜ୍ୟଦ୍ୱୟର ଲୋକମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ସ୍ୱଚ୍ଛ ଶକ୍ତି ଭିତ୍ତିଭୂମି ପ୍ରଦାନ ପାଇଁ ପଦକ୍ଷେପ ନେଇଥିବା ସମସ୍ତ ଅଂଶୀଦାରଙ୍କୁ ମଧ୍ୟ ଅଭିନନ୍ଦନ । ଏହି ଦୁଇ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ଉପରେ ଏହି ପାଇପଲାଇନ ସକାରାତ୍ମକ ପ୍ରଭାବ ପକାଇବ ।

ବନ୍ଧୁଗଣ,

ବିକାଶକୁ ପ୍ରାଥମିକତା ଦେବା ପାଇଁ ସମସ୍ତେ ମିଶି କାମ କଲେ କୌଣସି ଲକ୍ଷ୍ୟ ଅସମ୍ଭବ ନୁହେଁ । କୋଚି-ମାଙ୍ଗାଲୁରୁ ପାଇପଲାଇନ ପ୍ରକଳ୍ପ ଏହାର ଏକ ବଡ଼ ଉଦାହରଣ ସାଜିଛି । ଏହି ପ୍ରକଳ୍ପ ସହ ଜଡ଼ିତ ଲୋକମାନେ ଭଲ ଭାବେ ଜାଣିଛନ୍ତି ଯେ ଇଂଜିନିୟରିଂ ଦୃଷ୍ଟିରୁ ଏହି ପ୍ରକଳ୍ପକୁ ଶେଷ କରିବା କେତେ ମୁସ୍କିଲ ବ୍ୟାପାର ଥିଲା । ପ୍ରକଳ୍ପ କାମରେ ଅନ୍ୟ ଅସୁବିଧା ବି ଆସିଥିଲା । କିନ୍ତୁ ଆମର ଶ୍ରମିକ, ଆମର ଇଂଜିନିୟର, ଆମର ଚାଷୀ ଏବଂ ରାଜ୍ୟ ସରକାରମାନଙ୍କ ସହଯୋଗ ଦ୍ୱାରା ଏହି ପାଇପଲାଇନ କାମ ସମ୍ପନ୍ନ ହୋଇଛି । କହିବାକୁ ଗଲେ ଏହା କେବଳ ଏକ ପାଇପଲାଇନ, କିନ୍ତୁ ଦୁଇ ରାଜ୍ୟର ବିକାଶକୁ ଗତିଶୀଳ କରାଇବା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । କ’ଣ ପାଇଁ ଦେଶ ଆଜି ଗ୍ୟାସ ଭିତ୍ତିକ ଅର୍ଥନୀତି ଉପରେ ଅଧିକ ଗୁରୁତ୍ୱ ଦେଉଛି? କାହିଁକି, ଗୋଟିଏ ରାଷ୍ଟ୍ର ଗୋଟିଏ ଗ୍ୟାସ ଗ୍ରୀଡ ଉପରେ ଏତେ ଦ୍ରୁତ ବେଗରେ କାମ କରାଯାଉଛି? କାହିଁକି ଆତ୍ମନିର୍ଭର ଭରତ ପାଇଁ ଗ୍ୟାସଭିତ୍ତିକ ଅର୍ଥନୀତିର ଦ୍ରୁତ ସମ୍ପ୍ରସାରଣ ବହୁତ ଜରୁରି? ତାହା କେବଳ ଏହି ଗୋଟିଏ ପାଇପଲାଇନର ଫାଇଦାରୁ ବୁଝାପଡ଼ିଯିବ ।

ପ୍ରଥମତଃ- ଏହି ପାଇପଲାଇନ ଦୁଇ ରାଜ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବ । ଦ୍ୱିତୀୟତଃ- ଏହି ପାଇପଲାଇନ ଦୁଇ ରାଜ୍ୟର ଗରିବ, ମଧ୍ୟବିତ୍ତ ଏବଂ ଉଦ୍ୟୋଗପତିଙ୍କ ଖର୍ଚ୍ଚ କମାଇବ । ତୃତୀୟତଃ- ଏହି ପାଇପଲାଇନ ଅନେକ ସହରରେ ସିଟି ଗ୍ୟାସ ବିତରଣ ବ୍ୟବସ୍ଥା ତାହାର ଏକ ମାଧ୍ୟମ ସାଜିବ । ଚତୁର୍ଥରେ ଏହି ପାଇପଲାଇନ ଅନେକ ସହରରେ ସିଏନଜି ଆଧାରିତ ପରିବହନ ବ୍ୟବସ୍ଥାକୁ ବିକାଶ କରିବାର ଆଧାର ସାଜିବ । ପଞ୍ଚମରେ ଏହି ପାଇପଲାଇନ ମାଙ୍ଗାଲୁରୁ ରାସାୟନିକ ଓ ସାର ପ୍ଲାଣ୍ଟକୁ ଶକ୍ତି ପ୍ରଦାନ କରିବ । ସେମାନଙ୍କୁ ସ୍ୱଚ୍ଛ ଇନ୍ଧନ ଯୋଗାଇବ । ସପ୍ତମରେ ଏହି ପାଇପଲାଇନ କେବଳ ଦୁଇ ରାଜ୍ୟରେ ପ୍ରଦୂଷଣ ହ୍ରାସ କ୍ଷେତ୍ରରେ ବଡ଼ ଭୂମିକା ଗ୍ରହଣ କରିବ । ଅଷ୍ଟମରେ ପ୍ରଦୂଷଣ ହ୍ରାସର ସିଧା ପ୍ରଭାବ ପରିବେଶ ଉପରେ ପଡ଼ିବ । ଅଙ୍ଗାରକାମ୍ଳ ନିର୍ଗମନ ମାତ୍ରା ହ୍ରାସ ପାଇବ । ଲକ୍ଷ ଲକ୍ଷ ଗଛ ଲଗାଇବା ଦ୍ୱାରା ଯେଉଁ ଅଙ୍ଗାରକ ମାତ୍ରା କମିଥାନ୍ତା, ତାହା ଏହି ପାଇପଲାଇନ ଦ୍ୱାରା ସମ୍ଭବ ହୋଇପାରିବ ।

 

ବନ୍ଧୁଗଣ,

ନବମ ଲାଭ ହେଉଛି ପରିବେଶ ସୁରକ୍ଷିତ ରହିବା ଦ୍ୱାରା ଲୋକମାନଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ରୋଗ ବାବଦରେ ଲୋକଙ୍କ ଖର୍ଚ୍ଚ ହ୍ରାସ ପାଇବ । ଦଶମ ଲାଭଟି ହେଉଛି ଯେତେବେଳେ ପ୍ରଦୂଷଣ ହ୍ରାସ ପାଇବ, ବାୟୁର ମାନ ସ୍ୱଚ୍ଛ ହେବ, ସହରରେ ଗ୍ୟାସ ଆଧାରିତ ବ୍ୟବସ୍ଥା ଉପଲବ୍ଧ ହେବା ଦ୍ୱାରା ଅଧିକରୁ ଅଧିକ ପର୍ଯ୍ୟଟକଙ୍କର ଆଗମନ ହେବ । ପର୍ଯ୍ୟଟନ କ୍ଷେତ୍ର ଲାଭବାନ ହେବ ଏବଂ ବନ୍ଧୁଗଣ, ଏହି ପାଇପଲାଇନର ଆଉ ଦୁଇଟି ଫାଇଦା ବି ରହିଛି, ଯାହା ଉପରେ ଚର୍ଚ୍ଚା ହେବା ଅତି ଜରୁରି । ଏହି ପାଇପଲାଇନର ନିର୍ମାଣ ବେଳେ ୧୨ ଲକ୍ଷ କାର୍ଯ୍ୟଦିବସର ରୋଜଗାର ସୃଷ୍ଟି ହୋଇପାରିଛି । ପାଇପଲାଇନ ଆରମ୍ଭ ହେବା ପରେ ମଧ୍ୟ ରୋଜଗାର ଏବଂ ସ୍ୱରୋଜଗାରର ଏକ ନୂଆ ପରିସଂସ୍ଥା କେରଳ ଏବଂ କର୍ଣ୍ଣାଟକରେ ବହୁତ ଦ୍ରୁତ ଗତିରେ ବିକଶିତ ହେବ । ସାର ଉଦ୍ୟୋଗ ହେଉ, ପେଟ୍ରୋରସାୟନ ଉଦ୍ୟୋଗ ହେଉ, ବିଜୁଳି ଉଦ୍ୟୋଗ ହେଉ, ପ୍ରତ୍ୟେକ ଉଦ୍ୟୋଗ ଏହାଦ୍ୱାରା ଲାଭବାନ ହେବ ଏବଂ ରୋଜଗାର ସୁଯୋଗ ସୃଷ୍ଟି ହେବ ।

ବନ୍ଧୁଗଣ,

ଏହି ପାଇପଲାଇନର ଆଉ ଏକ ବଡ଼ ଲାଭ ପୂରା ଦେଶକୁ ମିଳିବ । ଯେତେବେଳେ ଏହି ପାଇପଲାଇନ ପୂରା କ୍ଷମତା ସହ କାମ କରିବା ଆରମ୍ଭ କରିଦେବ, ସେତେବେଳେ ଦେଶର ହଜାର ହଜାର କୋଟିର ବିଦେଶୀ ମୁଦ୍ରା ଖର୍ଚ୍ଚ କମ ହୋଇଯିବ । ଭାରତ ସିଓପି-୨୧ ଲକ୍ଷ୍ୟକୁ ନେଇ ଯେଉଁ ଗୁରୁତ୍ୱର ସହ କାମ କରୁଛି, ଏହି ପ୍ରୟାସ ସେଥିରେ ବି ସହାୟକ ହୋଇପାରିବ ।

ବନ୍ଧୁଗଣ,

ବିଶ୍ୱଯାକର ବିଶେଷଜ୍ଞଙ୍କ କହିବାନୁଯାୟୀ ଏକବିଂଶ ଶତାବ୍ଦୀରେ ଯେଉଁ ଦେଶ ନିଜର କନେକ୍ଟିଭିଟି ଉପରେ ଏବଂ ସ୍ୱଚ୍ଛ ଇନ୍ଧନ ଉପରେ ସର୍ବାଧିକ ଗୁରୁତ୍ୱ ଦେବ, ଦ୍ରୁତ ଗତିରେ କାମ କରିବ, ସେ ଦେଶ ନୂଆ ଉଚ୍ଚତାରେ ପହଞ୍ଚିବ । ଆଜି ଆପଣମାନେ ଯେଉଁ ଦିଗରୁ ଦେଖନ୍ତୁ ନା କାହିଁକି, ରାଜପଥ ସଂଯୋଗ, ରେଳ ସଂଯୋଗ, ମେଟ୍ରୋ ସଂଯୋଗ, ବିମାନ ସଂଯୋଗ, ଜଳପଥ ସଂଯୋଗ, ଡିଜିଟାଲ ସଂଯୋଗ, ଅଥବା ଗ୍ୟାସ ସଂଯୋଗ, ଭାରତରେ ଯେଉଁମାତ୍ରାରେ କାମ ଏବେ କରାଯାଉଛି, ସବୁକ୍ଷେତ୍ରରେ ପୂର୍ବରୁ ଏକସଙ୍ଗେ ତାହା ହୋଇପାରି ନ ଥିଲା । ଭାରତୀୟ ଦୃଷ୍ଟିରୁ ଏହା ଆମ ସମସ୍ତଙ୍କର ସୌଭାଗ୍ୟ ଯେ ଏହା ହେଉଥିବା ବେଳେ ଆମେ ନିଜ ଆଖିରେ ତାହାକୁ ଦେଖିପାରୁଛେ । ବିକାଶର ଏହି ନୂଆ ଆନେ୍ଦାଳନର ଆମେ ସମସ୍ତେ ଅଂଶବିଶେଷ ।

ଭାଇ ଓ ଭଉଣୀମାନେ,

ବିଗତ ଶତାବ୍ଦୀରେ ଭାରତ ଯେଉଁପ୍ରକାର ଗତିରେ ଚାଲୁଥିଲା, ତାହାର ଅନେକ କାରଣ ରହିଥିଲା । ମୁଁ ତାହାକୁ ବିସ୍ତାର ଭାବେ ବର୍ଣ୍ଣନା କରିବାକୁ ଚାହୁଁନାହିଁ । କିନ୍ତୁ ଏହା ନିଶ୍ଚିତ ଯେ ଆଜିର ଯୁବ ଭାରତ, ବିଶ୍ୱରେ ଛାଇଯିବା ପାଇଁ ଅଧୀର ଭାରତ, ଏବେ ଧୀର ଗତିରେ ଚାଲିପାରିବ ନାହିଁ । ତେଣୁ କିଛି ବର୍ଷ ମଧ୍ୟରେ ଦେଶ ବେଗ (ସ୍ପିଡ) ବଢ଼ାଇବା ସହ ଆକାର (ସ୍କେଲ) ଓ ସୁଯୋଗ (ସ୍କୋପ)କୁ ମଧ୍ୟ ବଢ଼ାଇବାରେ ସମର୍ଥ ହୋଇଛି ।

 

ବନ୍ଧୁଗଣ,

ଭାରତର ନୂଆ ପିଢ଼ିର ଏକ ଭଲ ଗୁଣ ହେଉଛି ସେମାନେ ତଥ୍ୟ ଆଧାରରେ ଜିନିଷକୁ ପରଖିଥାନ୍ତି । ଏବଂ ତାହାର ସଫଳତା ଓ ବିଫଳତାକୁ ତୁଳନାତ୍ମକ ଭାବେ ମଧ୍ୟ ବିଶ୍ଳେଷଣ କରିଥାନ୍ତି । ଏବଂ ପ୍ରତ୍ୟେକ ବିଷୟକୁ ତର୍କ ଆଧାରରେ ସ୍ୱୀକାର କରିଥାନ୍ତି । ଭାରତରେ ଗ୍ୟାସ ଭିତ୍ତିକ ଅର୍ଥନୀତିକୁ ନେଇ ଏବେ ଯେଉଁ କାମ ହେଉଛି, ସେଥିରେ ମଧ୍ୟ ଅନେକ ତର୍କ ଓ ତଥ୍ୟ ବହୁତ ମହତ୍ତ୍ୱପୂର୍ଣ୍ଣ ।

ବନ୍ଧୁଗଣ,

ଆମ ଦେଶରେ ପ୍ରଥମ ଅନ୍ତଃରାଜ୍ୟ ପ୍ରାକୃତିକ ଗ୍ୟାସ ପାଇପଲାଇନ ୧୯୮୭ରେ କାର୍ଯ୍ୟକ୍ଷମ ହୋଇଥିଲା । ଏହାପରେ ୨୦୧୪ ପର୍ଯ୍ୟନ୍ତ ଅର୍ଥାତ ୨୭ ବର୍ଷରେ ଭାରତରେ ୧୫ ହଜାର କିଲୋମିଟର ପ୍ରାକୃତିକ ଗ୍ୟାସ ପାଇପଲାଇନ ନିର୍ମାଣ ହୋଇଥିଲା । ଆଜି ଦେଶବ୍ୟାପୀ ପୂର୍ବ-ପଶ୍ଚିମ-ଉତ୍ତର-ଦକ୍ଷିଣ, ୧୬ ହଜାର କିଲୋମିଟରରୁ ଅଧିକ ନୂଆ ଗ୍ୟାସ ପାଇପଲାଇନ ଉପରେ କାମ ଜାରି ରହିଛି । ଏହି କାମ ଆଗାମୀ ୪-୬ ବର୍ଷରେ ସମ୍ପୂର୍ଣ୍ଣ ହୋଇଯିବ । ଆପଣମାନେ କଳ୍ପନା କରିପାରିବେ, ଯେଉଁ ପରିମାଣର କାମ ୨୭ ବର୍ଷରେ ହୋଇଥିଲା, ଆମେ ତାହାଠାରୁ ଅଧିକ କାମ, ତାହାର ଅଧା ସମୟ ମଧ୍ୟରେ କରିବା ପାଇଁ ଲକ୍ଷ୍ୟ ନେଇ ଚାଲୁଛୁ ।

ବନ୍ଧୁଗଣ,

ଏହିଭଳି ଭାବେ ଆଉ ଏକ ଉଦାହରଣ ହେଉଛି ସିଏନଜି ଷ୍ଟେସନର । ଆମ ଦେଶରେ ପ୍ରଥମ ସିଏନଜି ଷ୍ଟେସନ ପାଖାପାଖି ୧୯୯୨ରେ ଆରମ୍ଭ ହୋଇଥିଲା । ୨୦୧୪ ପର୍ଯ୍ୟନ୍ତ ୨୨ ବର୍ଷରେ ଆମ ଦେଶରେ ସିଏନଜି ଷ୍ଟେସନ ସଂଖ୍ୟା ୯୦୦ରୁ ଅଧିକ ନ ଥିଲା । ଯେବେ କି ବିଗତ ୬ ବର୍ଷରେ ପ୍ରାୟ ୧,୫୦୦ ନୂଆ ସିଏନଜି ଷ୍ଟେସନ ଆରମ୍ଭ ହୋଇଛି । ଏବେ ସରକାର ଏହି ଲକ୍ଷ୍ୟ ଉପରେ କାମ କରୁଛନ୍ତି ଯେ ଦେଶବ୍ୟାପୀ ସିଏନଜି ଷ୍ଟେସନ ସଂଖ୍ୟାକୁ ୧୦ ହଜାର ପର୍ଯ୍ୟନ୍ତ ପହଞ୍ଚିଯିବ । ଏବେ ଯେଉଁ ଏହି ପାଇପଲାଇନ କାର୍ଯ୍ୟକ୍ଷମ ହୋଇଛି, ତାହା ମଧ୍ୟ କେରଳ ଓ କର୍ଣ୍ଣାଟକରେ ସେମାନଙ୍କ ସହରଗୁଡ଼ିକରେ ୭୦୦ ସିଏନଜି ଷ୍ଟେସନ ଖୋଲିବାରେ ସହାୟକ ହେବ ।

ବନ୍ଧୁଗଣ,

ଆଉ ଏକ ମଜାଦାର ସଂଖ୍ୟା ହେଉଛି ପିଏନଜି ସଂଯୋଗର, ରୋଷେଇ ପାଇଁ ପାଇପ ଦ୍ୱାରା ଯେଉଁ ଗ୍ୟାସ ପହଞ୍ଚାଯାଉଛି, ତାହାର । ୨୦୧୪ ପର୍ଯ୍ୟନ୍ତ ଆମ ଦେଶରେ କେବଳ ୨୫ ଲକ୍ଷ ପିଏନଜି ସଂଯୋଗ ଥିଲା । ଆଜି ଦେଶରେ ୭୨ ଲକ୍ଷରୁ ଅଧିକ ଘରର ରୋଷେଇରେ ପାଇପ ଦ୍ୱାରା ଗ୍ୟାସ ପହଞ୍ଚୁଛି । କୋଚି-ମାଙ୍ଗାଲୁରୁ ପାଇପଲାଇନରୁ ଆଉ ୨୧ ଲକ୍ଷ ନୂଆ ଲୋକ ପିଏନଜି ସୁବିଧାର ଲାଭ ପାଇବେ । ଭାଇ ଓ ଭଉଣୀମାନେ, ଲମ୍ବା ସମୟ ପର୍ଯ୍ୟନ୍ତ ଭାରତରେ ଏଲପିଜି କଭରେଜ ସ୍ଥିତି କ’ଣ ଥିଲା, ତାହା ଆମେ ସମସ୍ତେ ଜାଣୁ । ୨୦୧୪ ପର୍ଯ୍ୟନ୍ତ ଯେଉଁଠି ୧୪ କୋଟି ଏଲପିଜି ସଂଯୋଗ ଦେଶସାରା ଥିଲା, ତାହା ଗତ ୬ ବର୍ଷ ମଧ୍ୟରେ ସେହି ସଂଖ୍ୟାର ସଂଯୋଗ ଦିଆଯାଇଛି । ଉଜ୍ଜ୍ୱଳା ଯୋଜନା ଭଳି ସ୍କିମ ଦ୍ୱାରା ଦେଶର ୮ କୋଟିରୁ ଅଧିକ ଗରିବ ପରିବାରଙ୍କ ଘରକୁ ରନ୍ଧନ ଗ୍ୟାସ ପହଞ୍ଚୁଛି । ଏଥିସହ ଏହାଦ୍ୱାରା ଏଲପିଜି ସହ ଜଡ଼ିତ ଭିତ୍ତିଭୂମି ମଧ୍ୟ ଦେଶବ୍ୟାପୀ ମଜଭୁତ ହୋଇପାରିଛି । ବନ୍ଧୁଗଣ, ଏହା ଏକ ବଡ଼ କାରଣ ହୋଇଛି ଯେ କରୋନା କାଳରେ ଦେଶରେ ରନ୍ଧନ ଗ୍ୟାସର ଅଭାବ ଆଦୌ ପରିଲକ୍ଷିତ ହୋଇନାହିଁ । ଏଭଳି ସଂକଟ ସମୟରେ ଆମେ ଗରିବ ପରିବାରକୁ ପାଖାପାଖି ୧୨ କୋଟି ମାଗଣା ସିଲିଣ୍ଡର ଉପଲବ୍ଧ କରାଇଥିଲୁ ।

ବନ୍ଧୁଗଣ,

ସରକାର ଏତେ ଦ୍ରୁତ ଗତିରେ କାମ କରୁଥିବାରୁ ଏହାର ଅନ୍ୟ ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ତାହାର ଚର୍ଚ୍ଚା ସେହି ଅନୁସାରେ ହୋଇପାରୁ ନାହିଁ । ମନେପକାନ୍ତୁ, ଏଠାରେ ଆମର କିରାସିନି ପାଇଁ କେତେ ଲମ୍ବା ଧାଡ଼ିରେ ଲୋକମାନଙ୍କୁ ଛିଡ଼ା ହେବାକୁ ପଡୁଥିଲା । ରାଜ୍ୟ ସରକାରମାନେ ଭାରତ ସରକାରଙ୍କୁ ଚିଠି ଲେଖୁଥିଲେ, କିରାସିନି କୋଟା ବଢ଼ାଇବା ପାଇଁ । କିରାସିନି ଯୋଗାଣ ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସବୁବେଳେ ବିବାଦ ଲାଗିରହୁଥିଲା । ଆଜି ଯେବେ ରୋଷେଇ ପାଇଁ ଗ୍ୟାସ ସହଜରେ ମିଳିଯାଉଛି, ରୋଷେଇ ପର୍ଯ୍ୟନ୍ତ ସହଜରେ ପହଞ୍ଚି ଯାଉଛି, କିରାସିନି ବ୍ୟବହାର କମିବାକୁ ଲାଗିଛି । ଆଜି ଦେଶର ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିଜକୁ କିରାସିନିମୁକ୍ତ ଘୋଷଣା କରିସାରିଛନ୍ତି ।

 

ବନ୍ଧୁଗଣ,

ଆମ ସରକାର ଶକ୍ତି ଯୋଜନା ପାଇଁ ଏକ ସମନ୍ୱିତ ପ୍ରୟୋଗ ଉପରେ ବିଶ୍ୱାସ କରିଥାନ୍ତି । ଆମର ଶକ୍ତି ଏଜେଣ୍ଡା ହେଉଛି ସର୍ବ-ସମ୍ମିଳିତ । ୨୦୧୪ ପରେ ଆମେ ତେଲ ଓ ଗ୍ୟାସ କ୍ଷେତ୍ରରେ ବିଭିନ୍ନ ସୁଧାର ଆସିପାରିଛି । ଏହି ସୁଧାର ଅନ୍ୱେଷଣ ଓ ଉତ୍ପାଦନ, ପ୍ରାକୃତିକ ଗ୍ୟାସ, ବିପଣନ ଓ ବିତରଣକୁ ନେଇ ହୋଇଛି । ଆମେ ‘ଗୋଟିଏ ରାଷ୍ଟ୍ର ଗୋଟିଏ ଗ୍ୟାସ ଗ୍ରିଡ’ ହାସଲ କରିବାର ଯୋଜନା ପ୍ରସ୍ତୁତ କରୁଛୁ । ଆମେ ଗ୍ୟାସ ଆଧାରିତ ଅର୍ଥବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ କରିବାକୁ ଚାହୁଁଛୁ । ପ୍ରାକୃତିକ ଗ୍ୟାସର ଉପଯୋଗର ଅନେକ ପରିବେଶଗତ ଲାଭ ରହିଛି । ସରକାର ଭାରତର ଶକ୍ତି ଭାଗରେ ପ୍ରାକୃତିକ ଗ୍ୟାସର ଅଂଶକୁ ୬%ରୁ ବଢ଼ାଇ ୧୫% କରିବା ପାଇଁ ନୀତିଗତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ଦଶକରେ ତେଲ ଓ ଗ୍ୟାସ କ୍ଷେତ୍ରରେ କୋଟି କୋଟି ଟଙ୍କା ନିବେଶ କରାଯିବ । ଗେଲର ଏହି କୋଚି-ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ ପାଇପଲାଇନର ସମର୍ପଣ ଗୋଟିଏ ରାଷ୍ଟ୍ର ଗୋଟିଏ ଗ୍ୟାସ ଗ୍ରୀଡ ଅଭିମୁଖେ ବଢ଼ିବା ଆମ ଯାତ୍ରାର ଅଂଶବିଶେଷ । ଉତ୍ତମ ଭବିଷ୍ୟତ ପାଇଁ ସ୍ୱଚ୍ଛ ଶକ୍ତି ମହତ୍ତ୍ୱପୂର୍ଣ୍ଣ । ଏହି ପାଇପଲାଇନ ସ୍ୱଚ୍ଛ ଶକ୍ତି ପହଞ୍ଚକୁ ଉନ୍ନତ କରିବା ପାଇଁ ସହାୟକ ହୋଇପାରିବ । ଆମ ସରକାର ଅନ୍ୟ କ୍ଷେତ୍ରରେ ମଧ୍ୟ ଅନେକ ପ୍ରୟାସ କରୁଛି । ଉଦାହରଣ ସ୍ୱରୂପ ସ୍ୱଚ୍ଛ ଭାରତ ଆନେ୍ଦାଳନ, ଏଲଇଡି ବଲବ ଅଥବା ଇଲେକ୍ଟ୍ରିକ ମୋବିଲିଟି ବଢ଼ାଇବା ଦିଗକୁ ନିଆଯାଇପାରେ ।

ବନ୍ଧୁଗଣ,

ଦେଶର ଭବିଷ୍ୟତର ଆବଶ୍ୟକତା, ଭବିଷ୍ୟତର ଶକ୍ତି ଆବଶ୍ୟକ ପାଇଁ ଆଜି ହିଁ ପ୍ରସ୍ତୁତି କରିବା ଲାଗି ଉଦ୍ୟମ କରାଯାଉଛି । ତେଣୁ ଗୋଟିଏ ପଟେ ଦେଶରେ ପ୍ରାକୃତିକ ଗ୍ୟାସ ଉପରେ ଫୋକସ କରାଯାଉଥିବା ବେଳେ ଅନ୍ୟପଟେ ଦେଶ ନିଜ ଶକ୍ତି ସମ୍ବଳକୁ ମଧ୍ୟ ବିବିଧ କରିବାରେ ଲାଗିଛି । ନିକଟରେ ଗୁଜରାଟରେ ବିଶ୍ୱର ସବୁଠୁ ବଡ଼ ଅକ୍ଷୟ ଶକ୍ତି ପ୍ଲାଣ୍ଟ କାମ ଆରମ୍ଭ ହୋଇଛି । ଏହିଭଳି ଭାବେ ଦେଶରେ ଆଜି ଜୈବ ଇନ୍ଧନ ଉପରେ ବହୁତ ବଡ଼ ସ୍ତରରେ କାମ ଜାରି ରହିଛି । ଆଖୁ ହେଉ ଅଥବା ଅନ୍ୟ କୃଷିଜାତ ଉତ୍ପାଦ ହେଉ, ଏଗୁଡ଼ିକରେ ଇଥାନଲ ଉତ୍ପାଦନ ଉପରେ ଗୁରୁତ୍ୱର ସହ କାମ କରାଯାଉଛି । ଆଗାମୀ ୧୦ ବର୍ଷରେ ପେଟ୍ରୋଲରେ ହେବାକୁ ଥିବା ଇଥାନଲ ବ୍ଲେଣ୍ଡିଙ୍ଗକୁ ୨୦% ପର୍ଯ୍ୟନ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସେତିକି ନୁହେଁ, ଇଲେକ୍ଟ୍ରିକ ମୋବିଲିଟି ସହ ଜଡ଼ିତ କ୍ଷେତ୍ରକୁ, ଏଥିସହ ଜଡ଼ିତ ଭିତ୍ତିଭୂମିକୁ ମଧ୍ୟ ବହୁତ ଅଧିକ ପ୍ରୋତ୍ସାହନ ଦିଆଯାଉଛି । ପ୍ରତ୍ୟେକ ଦେଶବାସୀକୁ ଯେମିତି ପର୍ଯ୍ୟାପ୍ତ, ଶସ୍ତା, ପ୍ରଦୂଷଣମୁକ୍ତ ଇନ୍ଧନ ମିଳିବ, ବିଜୁଳି ମିଳିବ, ସେଥିପାଇଁ ଆମ ସରକାର ପୂରା ପ୍ରତିବଦ୍ଧତା ହୋଇ କାମ କରୁଛି ।

ଭାଇ ଓ ଭଉଣୀମାନେ,

ଦେଶର ସନ୍ତୁଳିତ ଏବଂ ଦ୍ରୁତ ବିକାଶ ନେଇ ଆମର ଚିନ୍ତା ଉପକୂଳ ଅଞ୍ଚଳର ବିକାଶକୁ ନେଇ ମଧ୍ୟ ସ୍ପଷ୍ଟ ଦେଖିବାକୁ ମିଳୁଛି । କେରଳ ହେଉ, କର୍ଣ୍ଣାଟକ ହେଉ, ଦକ୍ଷିଣ ଭାରତର ପ୍ରତ୍ୟେକ ରାଜ୍ୟରେ ଯେଉଁ ସ୍ଥାନ ସମୁଦ୍ର ସହ ଲାଗି ରହିଛି, ସେଠାରେ ନୀଳ ଅର୍ଥନୀତିର ବିକାଶ ପାଇଁ ଏକ ବ୍ୟାପକ ଯୋଜନା ଉପରେ କାମ କରାଯାଉଛି । ନୀଳ ଅର୍ଥନୀତି (ବ୍ଲୁ ଇକୋନୋମି) ଆତ୍ମନିର୍ଭର ଭାରତର ଏକ ବହୁତ ବଡ଼ ସ୍ରୋତ ହେବାକୁ ଯାଉଛି । ଆମ ବନ୍ଦର ହେଉ, ଉପକୂଳ ସଡ଼କ ହେଉ, ଏଗୁଡ଼ିକୁ ଅନ୍ୟ ମାଧ୍ୟମ ସହ ସଂଯୋଗ କରାଯାଉଛି । ମଲ୍ଟି ମୋଡାଲ କନେକ୍ଟିଭିଟି ଉପରେ ଆମର ବିଶେଷ ଫୋକସ ରହିଛି । ଆମର ତଟବର୍ତ୍ତୀ ଅଞ୍ଚଳ, ଜୀବନ ଧାରଣ ମାନରେ ଉନ୍ନତି ଆଣିବା ପାଇଁ ମଧ୍ୟ ଏକ ମଡେଲ ହେବାକୁ ଯାଉଛି । ବ୍ୟବସାୟ ପାଇଁ ଅନୁକୂଳ ପରିବେଶ ଯେମିତି ଆହୁରି ସମୃଦ୍ଧ ହେବ, ସେ ଲକ୍ଷ୍ୟ ନେଇ କାମ କରାଯାଉଛି ।

ଭାଇ ଓ ଭଉଣୀମାନେ,

ସମୁଦ୍ର କୂଳରେ ବସତି ସ୍ଥାପନ କରିଥିବା ଅନେକ ଲୋକଙ୍କ ମଧ୍ୟରେ ଚାଷୀ ରହିଛନ୍ତି । ମତ୍ସ୍ୟଜୀବୀ ବି ରହିଛନ୍ତି । ଏମାନେ ସମସ୍ତେ ସମୁଦ୍ର ସମ୍ପତ୍ତି ଉପରେ କେବଳ ନିର୍ଭରଶୀଳ ନୁହନ୍ତି, ବରଂ ଏହାର ବଡ଼ ସଂରକ୍ଷକ ଭାବେ ମଧ୍ୟ କାମ କରୁଛନ୍ତି । ତେଣୁ ସମଗ୍ର ତଟବର୍ତ୍ତୀ ପରିସଂସ୍ଥାର ସୁରକ୍ଷା ଏବଂ ସମୃଦ୍ଧି ଜରୁରି । ବିଗତ ବର୍ଷଗୁଡ଼ିକରେ ଏଥିପାଇଁ ଅନେକ ସାର୍ଥକ ପଦକ୍ଷେପ ଗ୍ରହଣ କରାଯାଇଛି । ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ରରେ ମାଛଧରା ପାଇଁ ଜରୁରି ସହାୟତା ନିମନ୍ତେ ମତ୍ସ୍ୟ ସମ୍ପଦ ପାଇଁ ପୃଥକ ବିଭାଗ ଗଠନ ହେଉ, ମତ୍ସ୍ୟ ବ୍ୟବସାୟ ସହ ଜଡ଼ିତ ବନ୍ଧୁମାନଙ୍କୁ ମଧ୍ୟ ଶସ୍ତା ଋଣ ପାଇଁ କିଷାନ କ୍ରେଡିଟ କାର୍ଡ ପ୍ରଦାନ ହେଉ, ଏହାଦ୍ୱାରା ସାଧାରଣ ମତ୍ସ୍ୟଜୀବୀ ବନ୍ଧୁମାନଙ୍କୁ ମଧ୍ୟ ଲାଭ ହେଉଛି । କିଛି ମାସ ତଳେ ଦେଶରେ ୨୦ ହଜାର କୋଟି ଟଙ୍କାର ମତ୍ସ୍ୟ ସମ୍ପଦ ଯୋଜନା ଆରମ୍ଭ କରାଯାଇଛି । ଏହାର ସିଧାସଳଖ ଲାଭ କେରଳ ଓ କର୍ଣ୍ଣାଟକର ଲକ୍ଷ ଲକ୍ଷ ମତ୍ସ୍ୟଜୀବୀ ବନ୍ଧୁମାନଙ୍କୁ ମିଳିବାକୁ ଯାଉଛି । ଆଜି ମତ୍ସ୍ୟ ସହ ଜଡ଼ିତ ରପ୍ତାନିରେ ଆମେ ଦ୍ରୁତ ଗତିରେ ଆଗକୁ ବଢୁଛେ । ଭାରତ ଯେମିତି ଏକ ଗୁଣଯୁକ୍ତି ସାମୁଦ୍ରିକ ଖାଦ୍ୟ ରପ୍ତାନି ହବ ହୁଏ, ସେଥିପାଇଁ ପ୍ରତ୍ୟେକ ପଦକ୍ଷେପ ନିଆଯାଉଛି । ବିଶ୍ୱରେ ସମୁଦ୍ର ଶୈବାଳ ଚାହିଦା ବଢ଼ିବାରେ ଲାଗିଛି, ଯାହାର ପୂରଣ ପାଇଁ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ସମୁଦ୍ର ଶୈବାଳ ଚାଷ ପାଇଁ ଚାଷୀମାନଙ୍କୁ ଯେତିକି ପ୍ରୋତ୍ସାହନ ମିଳିବ, ସେତିକି ଦ୍ରୁତ ଗତିରେ ଏହି କ୍ଷେତ୍ର ମଧ୍ୟ ଆଗକୁ ବଢ଼ିବ ।

ଆମ୍ଭେମାନେ ସମସ୍ତେ ଯଦି ମିଳିତ ଭାବେ ସଂକଳ୍ପ ନେଇ କାମ କରିବା, ତେବେ ଆମେ ପ୍ରତ୍ୟେକ ରାଷ୍ଟ୍ରୀୟ ଲକ୍ଷ୍ୟକୁ ଦ୍ରୁତ ଗତିରେ ହାସଲ ପାଇଁ ସମର୍ଥ ହୋଇପାରିବା । କୋଚି-ମାଙ୍ଗାଲୁରୁ ଗ୍ୟାସ ପାଇପଲାଇନ ପାଇଁ କେରଳ ଓ କର୍ଣ୍ଣାଟକର ସମସ୍ତ ନାଗରିକ ଭାଇ-ଭଉଣୀଙ୍କୁ, ଏହି କାମ ସହ ଜଡ଼ିତ ସମସ୍ତ ମହାନୁଭବଙ୍କୁ ପୁଣିଥରେ ଅନେକ ଅନେକ ଅଭିନନ୍ଦନ ଦେଉଛି । ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian economy, banks well positioned to tackle West Asia crisis, trade risks: RBI Governor Malhotra

Media Coverage

Indian economy, banks well positioned to tackle West Asia crisis, trade risks: RBI Governor Malhotra
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights India’s strong conservation efforts on World Elephant Day
August 12, 2026

Prime Minister Shri Narendra Modi today stated that on World Elephant Day, we celebrate the majestic elephant, which has remained an integral part of India’s ecological heritage. He expressed gladness that India is home to over 60% of the world’s wild Asian elephants.

The Prime Minister noted that our nation has 33 Elephant Reserves, which provide habitats for elephants and strengthen our efforts towards their long-term conservation. Shri Modi also expressed pride in all forest personnel, scientists, veterinarians, mahouts, and the local communities who are integral to all such efforts.

In a post on X, the Prime Minister shared:

"On World Elephant Day, we celebrate the majestic elephant which has remained an integral part of India’s ecological heritage. It is gladdening that India is home to over 60% of the world’s wild Asian elephants. Our nation has 33 Elephant Reserves, which provide habitats for elephants and strengthen our efforts towards their long-term conservation. We are also proud of all forest personnel, scientists, veterinarians, mahouts and the local communities who are integral to all such efforts."