Ram belongs to everyone; Ram is within everyone: PM Modi in Ayodhya
There were efforts to eradicate Bhagwaan Ram’s existence, but He still lives in our hearts, he is the basis of our culture: PM
A grand Ram Temple will become a symbol of our heritage, our unwavering faith: PM Modi

ସୀୟାବର ରାମଚନ୍ଦ୍ରଙ୍କ କି ଜୟ !

ଜୟ ସୀୟାରାମ 

ଜୟ ସୀୟାରାମ 

ଆଜି ଏହି ଜୟଘୋଷ କେବଳ ସୀତାରାମଙ୍କ ନଗରୀରେ ଶୁଣାଯାଉନାହିଁ । ଏହା ସମଗ୍ର ବିଶ୍ୱରେ ପ୍ରତିଧ୍ୱନିତ ହେଉଛି । ସବୁ ଦେଶବାସୀଙ୍କ ତରଫରୁ ବିଶ୍ୱବ୍ୟାପୀ ପ୍ରସାରିତ ହେଉଥିବା ଏହି କାର୍ଯ୍ୟକ୍ରମ ଅବସରରେ କୋଟି କୋଟି ଭାରତ ଭକ୍ତ ଓ ରାମଭକ୍ତଙ୍କୁ ଆଜିର ଏହି ପବିତ୍ର ଅବସରରେ ଅଶେଷ ଅଭିନନ୍ଦନ।

ମଞ୍ଚ ଉପରେ ବିରାଜମାନ ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ ପଟେଲ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୂଜ୍ୟ ନୃତ୍ୟ ଗୋପାଳଦାସ ମହାରାଜ ଏବଂ ଆମ ସମସ୍ତଙ୍କର ଶ୍ରଦ୍ଧେୟ ଶ୍ରୀ ମୋହନ ଭାଗବତ ଜୀ । ଏହା ମୋର ସୌଭାଗ୍ୟ ଯେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ମୋତେ ଏଠାକୁ ଆମନ୍ତ୍ରଣ କରିଛି । ଏହି ଐତିହାସିକ କ୍ଷଣର ସାକ୍ଷୀ ରହିବା ପାଇଁ ମୋତେ ସୁଯୋଗ ଦିଆଯାଇଛି । ଏଥିପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପ୍ରତି ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରୁଛି ।

ରାମ କାଜୁ କିହ୍ନେ ବିନୁ ମୋହି କହାଁ ବିଶ୍ରାମ (ରାମଙ୍କ କାର୍ଯ୍ୟ ବିନା ମୋତେ ବିଶ୍ରାମ କାହିଁ)

ଭାରତ ଆଜି ଭଗବାନ ଭାସ୍କରଙ୍କ ସାନ୍ନିଧ୍ୟରେ ସରଯୂ ନଦୀକୂଳରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ରଚନା କରାଯାଉଛି। କନ୍ୟାକୁମାରୀଠାରୁ କ୍ଷୀରଭବାନୀ ପର୍ଯ୍ୟନ୍ତ, କୋଟେଶ୍ୱରରୁ କାମାକ୍ଷା ଯାଏଁ, ଜଗନ୍ନାଥଙ୍କଠାରୁ କେଦାରନାଥ ପର୍ଯ୍ୟନ୍ତ, ସୋମନାଥରୁ କାଶୀ ବିଶ୍ୱନାଥ ଯାଏଁ, ସମ୍ମେଦ ଶିଖରରୁ ଶ୍ରବଣବେଲଗୋଲା ପର୍ଯ୍ୟନ୍ତ, ବୋଦ୍ଧଗୟାରୁ ସାରନାଥ ଯାଏଁ, ଅମୃତସରରୁ ପାଟନା ସାହିବ ପର୍ଯ୍ୟନ୍ତ, ଆଣ୍ଡାମାନରୁ ଅଜମେର ଯାଏଁ, ଲାକ୍ଷାଦ୍ୱୀପରୁ ଲେହ ପର୍ଯ୍ୟନ୍ତ ଆଜି ସାରା ଭାରତ ରାମମୟ ହୋଇଯାଇଛି । ସାରା ଦେଶ ରୋମାଞ୍ଚିତ ହୋଇଯାଇଛି, ପ୍ରତ୍ୟେକ ମନ ଦୀପମୟ ହୋଇଉଠିଛି। ଆଜି ସାରା ଭାରତ ଭାବପ୍ରବଣ ହୋଇପଡ଼ିଛି। ଶହ ଶହ ବର୍ଷର ପ୍ରତୀକ୍ଷାର ଆଜି ପରିସମାପ୍ତି ଘଟିଛି । କୋଟି କୋଟି ଲୋକ ବିଶ୍ୱାସ କରିପାରୁନାହାନ୍ତି ଯେ ନିଜ ଜୀବନ କାଳରେ ସେମାନେ ଏ ପବିତ୍ର ଦିନଟିକୁ ଦେଖିବାର ସୁଯୋଗ ପାଇପାରିବେ।

ବନ୍ଧୁଗଣ, ବର୍ଷ ବର୍ଷ ଧରି ତାଟି ଓ ପାଲ ତଳେ ରହି ଆସିଥିବା ଆମ ରାମଲଲାଙ୍କ ପାଇଁ ଏବେ ଏକ ଭବ୍ୟ ମନ୍ଦିର ତିଆରି ହେବ ।  ଭାଙ୍ଗିଯିବା ଏବଂ ପୁଣି ଉଠି ଛିଡ଼ା ହେବା ଏମିତି ବର୍ଷ ବର୍ଷ ଧରି ଚାଲିଥିବା ଏ ବ୍ୟତିକ୍ରମରୁ ରାମ ଜନ୍ମଭୂମି ଆଜି ମୁକ୍ତ ହୋଇଯାଇଛି । ମୋ ସହିତ ପୁଣି ଆଉ ଥରେ କୁହନ୍ତୁ ‘ଜୟ ସୀୟାରାମ, ଜୟ ସୀୟାରାମ’ ।

ବନ୍ଧୁଗଣ,

ଆମର ସ୍ୱାଧୀନତା ଆନ୍ଦୋଳନ ସମୟରେ ଅନେକ ପିଢି ନିଜର ସର୍ବସ୍ୱ ସମର୍ପିତ କରିଦେଇଥିଲେ । ଗୋଲାମିର କାଳଖଣ୍ଡରେ ଏମିତି କୌଣସି ସମୟ ନ ଥିଲା ଯେତେବେଳେ ସ୍ୱାଧୀନତା ପାଇଁ ଆନ୍ଦୋଳନ ହୋଇନଥିଲା । ଦେଶରେ ଏମିତି କୌଣସି ଭୂଭାଗ ନଥିଲା ଯେଉଁଠି ସ୍ୱାଧୀନତା ପାଇଁ ଲୋକେ ବଳିଦାନ ଦେଇନଥିଲେ । ଅଗଷ୍ଟ 15 ଏହି ତପ ଓ ତିତିକ୍ଷାର ପ୍ରତୀକ ଅଟେ । ସ୍ୱାଧୀନତାର ଉତ୍କଣ୍ଠା ଓ ଭାବନାର ଏହା ନିଦର୍ଶନ । ଠିକ୍‌ ସେହିପରି ରାମ ମନ୍ଦିର ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ କେତେ ଯେ ପିଢି ଅଖଣ୍ଡ, ଅବିରତ, ଏକନିଷ୍ଠ ପ୍ରୟାସ କରିଛନ୍ତି ତାହାର ଠିକଣା ନାହିଁ । ଆଜିର ଏହି ଦିନ ସେହି ତପ, ତ୍ୟାଗ ଏବଂ ସଂକଳ୍ପର ପ୍ରତୀକ ସାଜିଛି । ରାମ ମନ୍ଦିର ପାଇଁ ହୋଇଥିବା ଆନ୍ଦୋଳନରେ ଉଭୟ ଅର୍ପଣ ଓ ତର୍ପଣ, ସଂଘର୍ଷ ଓ ସଂକଳ୍ପ ଥିଲା । ଯେଉଁମାନଙ୍କର ତ୍ୟାଗ, ବଳିଦାନ ଓ ସଂଘର୍ଷରେ ଆଜି ଏ ସ୍ୱପ୍ନ ସାକାର ହେବାକୁ ଯାଉଛି ସେମାନଙ୍କର ତପସ୍ୟା ରାମ ମନ୍ଦିରର ସ୍ତମ୍ଭ ଭଳି ଯୋଡି ହୋଇଛି । ମୁଁ ଏ ସମସ୍ତଙ୍କୁ ଆଜି ନମସ୍କାର କରିବା ସହ ସେମାନଙ୍କର ବନ୍ଦନା କରୁଛି । ସଂପୂର୍ଣ୍ଣ ପୃଥିବୀ ଓ ଏହାର ସାମଗ୍ରୀକ ଶକ୍ତି, ରାମ ଜନ୍ମଭୂମିର ପବିତ୍ର ଆନେ୍ଦାଳନ ସହିତ ଜଡିତ ବ୍ୟକ୍ତିବିଶେଷ ଯିଏ ଯେଉଁଠି ଅଛନ୍ତି ଏବଂ ଏହି ଆୟୋଜନକୁ ଦେଖୁଛନ୍ତି ସେମାନେ ସମସ୍ତେ ଭାବବିହ୍ୱର ହୋଇ ଆମ ସମସ୍ତଙ୍କୁ ଆଶୀର୍ବାଦ ଦେଉଛନ୍ତି ।

ବନ୍ଧୁଗଣ,

ରାମ ଆମ ମନରେ ଆସ୍ଥାନ ଜମାଇଛନ୍ତି ଏବଂ ଆମ ଭିତରେ ମିଶିଯାଇଛନ୍ତି । କୌଣସି କାମ କରିବାକୁ ଅଛି ତ, ପ୍ରେରଣା ପାଇଁ ଆମେ ଭଗବାନ ରାମଙ୍କ ଆଡକୁ ଚାହୁଁଛୁ । ଆପଣ ଭଗବାନ ରାମଙ୍କ ଅଭୂତ ଶକ୍ତି ଦେଖନ୍ତୁ । ତାଙ୍କ ଆସ୍ଥାନକୁ ନଷ୍ଟ କରିଦିଆଗଲା । ଅସ୍ଥିତ୍ୱ ଲୋପ କରିବାକୁ ମଧ୍ୟ ବହୁ ପ୍ରୟାସ ହେଲା; କିନ୍ତୁ ରାମ ଆଜି ମଧ୍ୟ ଆମ ମନରେ ରହିଛନ୍ତି । ଆମ ସଂସ୍କୃତିର ଆଧାର ପାଲଟିଛନ୍ତି । ଶ୍ରୀରାମ ଭାରତର ମର୍ଯ୍ୟାଦା ଓ ମର୍ଯ୍ୟାଦା ପୁରୁଷୋତ୍ତମ ଅଟନ୍ତି ।

ଏହି ପରିପ୍ରେକ୍ଷୀରେ ଅଯୋଧ୍ୟାରେ ରାମ ଜନ୍ମଭୂମି ଉପରେ ଶ୍ରୀରାମଙ୍କର ଭବ୍ୟ, ଦିବ୍ୟ ମନ୍ଦିର ପାଇଁ ଭୂମିପୂଜା ଅନୁଷ୍ଠିତ ହୋଇଛି । ଏଠାକୁ ଆସିବା ପୂର୍ବରୁ ମୁଁ ହନୁମାନଗଢ଼ିର ଦର୍ଶନ କରିଥିଲି। ରାମଙ୍କର ସବୁ କାମ ହନୁମାନ ହିଁ କରନ୍ତି । ରାମଙ୍କ ଆଦର୍ଶକୁ କଳିଯୁଗରେ ରକ୍ଷା କରିବାର ଦାୟିତ୍ୱ ମଧ୍ୟ ହନୁମାନ କରୁଛନ୍ତି । ହନୁମାନ ଜୀଙ୍କ ଆଶୀର୍ବାଦ ଦ୍ୱାରା ଶ୍ରୀରାମ ଭୂମିପୂଜନ ଆରମ୍ଭ ହୋଇଛି ।

ବନ୍ଧୁଗଣ,

ଶ୍ରୀରାମଙ୍କ ମନ୍ଦିର ଆମ ସଂସ୍କୃତିର ଆଧୁନିକ ପ୍ରତୀକ ହେବ । ଆମର ଶାଶ୍ୱତ ଓ ଆସ୍ଥାର ପ୍ରତୀକ ପାଲଟିବ । ଏହା ଆମ ରାଷ୍ଟ୍ରୀୟ ଭାବନାର ପ୍ରତୀକ ହେବ ଏବଂ ଏହି ମନ୍ଦିର କୋଟି କୋଟି ଲୋକଙ୍କ ସାମୁହିକ ସଂକଳ୍ପ, ଶକ୍ତିର ବି ପ୍ରତୀକ ପାଲଟିବ । ଏ ମନ୍ଦିର ଆଗାମୀ ପିଢିକୁ ଆସ୍ଥା, ଶ୍ରଦ୍ଧା ଏବଂ ସଂକଳ୍ପର ପ୍ରେରଣା ଦେବ । ଏହି ମନ୍ଦିର ନିର୍ମାଣ ହେବା ପରେ ଅଯୋଧ୍ୟାର କେବଳ ସୌନ୍ଦର୍ଯ୍ୟ ବଢିବ ନାହିଁ, ଏହି କ୍ଷେତ୍ରର ସମଗ୍ର ଅର୍ଥତନ୍ତ୍ର ମଧ୍ୟ ବଦଳିଯିବ । ଏଠାରେ ପ୍ରତ୍ୟେକ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବ ଏବଂ ସମସ୍ତ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ । ଚିନ୍ତା କରନ୍ତୁ, ସାରା ଦୁନିଆରୁ ଲୋକେ ଏଠାକୁ ଆସିବେ । ପୂରା ଦୁନିଆ ପ୍ରଭୁ ରାମ ଓ ମାତା ଜାନକୀଙ୍କ ଦର୍ଶନ କରିବେ । ଏ ସ୍ଥାନର କେତେ ପରିବର୍ତ୍ତନ ହେବ ସେ କଥା ଭାବନ୍ତୁ ।

ବନ୍ଧୁଗଣ,

ରାମ ମନ୍ଦିର ନିର୍ମାଣର ଏହି ପ୍ରକ୍ରିୟା ରାଷ୍ଟ୍ରକୁ ଯୋଡିବାରେ ଏକ ଉପକ୍ରମ । ଏହା ବିଶ୍ୱାସକୁ ବିଦ୍ୟମାନ ସହିତ ଯୋଡିବାର ଏହା ଏକ ମହୋତ୍ସବ । ଲୋକକୁ ଆସ୍ଥା ସହ ଯୋଡିବାରେ ଏକ ପ୍ରୟାସ । ଏହା ମଧ୍ୟ ବର୍ତ୍ତମାନକୁ ଅତୀତ ସହ ଯୋଡିବ ଏବଂ ସ୍ୱଂକୁ ସଂସ୍କାରରେ ଯୋଡିବାର ଏକ ଉଦ୍ୟମ । ଆଜିର ଏହି ଐତିହାସିକ କ୍ଷଣ ଯୁଗ ଯୁଗ ଧରି ଦିଗଦିଗନ୍ତ ପର୍ଯ୍ୟନ୍ତ ଭାରତର କୀର୍ତିବାନା ଉଡାଇବ । ଆଜିର ଏହି ଦିନ କୋଟି କୋଟି ରାମଭକ୍ତଙ୍କ ସଂକଳ୍ପର ସତ୍ୟତାର ପ୍ରମାଣ ।

ଆଜିର ଏହି ଦିନ ସତ୍ୟ, ଅହିଂସା, ଆସ୍ଥା ଏବଂ ବଳିଦାନ ପ୍ରତି ନ୍ୟାୟପ୍ରିୟ ଭାରତ ପାଇଁ ଏକ ଅନୁପମ ଉପହାର ଅଟେ । କରୋନା ଦ୍ୱାରା ସୃଷ୍ଟ ପରିସ୍ଥିତି ଯୋଗୁଁ ଏହି ଭୂମିପୂଜନ କାର୍ଯ୍ୟକ୍ରମ ଅନେକ କଟକଣା ଓ ମର୍ଯ୍ୟାଦା ମଧ୍ୟରେ ହେଉଛି । ଶ୍ରୀରାମଙ୍କ କାମରେ ଏବେ ମର୍ଯ୍ୟାଦାର ଏଭଳି ଉଦାହରଣ ପ୍ରସ୍ତୁତ କରାଯିବା ଉଚିତ । ଦେଶ ଏହିଭଳି ଉଦାହରଣ ପ୍ରସ୍ତୁତ କରିଛି । ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟ ଯେତେବେଳେ ନିଜର ଐତିହାସିକ ରାୟ ଶୁଣାଇଥିଲେ ସେତେବେଳେ ଆମେ ଏହି ମର୍ଯ୍ୟାଦାକୁ ଅନୁଭବ କରିଥିଲୁ । ଆମେ ଦେଖିଥିଲୁ ଯେ ସମସ୍ତ ଦେଶବାସୀ କିପରି ଶାନ୍ତିର ସହିତ ସମସ୍ତଙ୍କ ଭାବନାକୁ ଧ୍ୟାନ ଦେଇ ଯଥୋଚିତ ବ୍ୟବହାର ପ୍ରଦର୍ଶନ କରିଥିଲେ । ଆଜି ମଧ୍ୟ ଆମେ ସର୍ବତ୍ର ସେହି ମର୍ଯ୍ୟାଦା ଦେଖୁଛୁ ।

ବନ୍ଧୁଗଣ,

ଏହି ମନ୍ଦିର ସହିତ କେବଳ ନୂଆ ଇତିହାସ ରଚନା କରାଯାଇନାହିଁ; ବରଂ ଇତିହାସ ଏଠାରେ ନିଜର ପୁନରାବୃତ୍ତି କରୁଛି । ପ୍ରଭୁ ଶ୍ରୀରାମ ଯେପରି ବାନର, ମହ୍ଲାର, ଗୁଣ୍ଡୁଚି ମୂଷାଙ୍କଠାରୁ ଆରମ୍ଭ କରି ବିଭିନ୍ନ ବନବାସୀ ବନ୍ଧୁମାନଙ୍କୁ ଧରି ବିଜୟର ମାଧ୍ୟମ ତିଆରି କରିଥିଲେ; ସେହିପରି ଛୋଟ ଛୋଟ ଗ୍ରାମବାସୀ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ଗୋବର୍ଦ୍ଧନ ପର୍ବତ ଉଠାଇବା କାର୍ଯ୍ୟରେ ବଡ଼ ଭୂମିକା ନିର୍ବାହ କରିଥିଲେ । ଛତ୍ରପତି ଶିବାଜୀ ଯେପରି ସ୍ବରାଜ୍ୟ ସ୍ଥାପନ ପାଇଁ ଅନ୍ୟମାନଙ୍କ ସହଯୋଗରେ ନିମିତ୍ତ ମାତ୍ର ବନି ଗରିବ ଓ ଅନୁନ୍ନତଙ୍କ ସହାୟତାରେ ବିଦେଶୀଙ୍କ ଆକ୍ରମଣକୁ ପରାହତ କରିଥିଲେ; ମହାରାଜା ସୁହେଲ ଦେବ ମଧ୍ୟ ସେହି ଉପାୟରେ ଦଳିତ, ଆଦିବାସୀ, ସମାଜର ସବୁ ବର୍ଗଙ୍କୁ ସାଙ୍ଗରେ ନେଇ ବିଜୟଲାଭ କରିଥିଲେ । ସ୍ୱାଧୀନତା ସଂଗ୍ରାମରେ ଦେଶବାସୀ ଗାନ୍ଧୀଜୀଙ୍କୁ ଯେପରି ସହଯୋଗ ଦେଇଥିଲେ ସେହିଭଳି ଆଜି ସାରା ଦେଶର ଲୋକଙ୍କ ସହଯୋଗରେ ରାମ ମନ୍ଦିର ନିର୍ମାଣର ଏହି ପୁଣ୍ୟ କାର୍ଯ୍ୟ ଆରମ୍ଭ ହୋଇଛି ।

ପଥର ଉପରେ ଶ୍ରୀରାମଙ୍କ ନାମ ଲେଖାଯାଇ ଯେପରି ରାମସେତୁ ନିର୍ମାଣ କରାଯାଇଥିଲା ସେହିଭଳି ପ୍ରତ୍ୟେକ ଘରୁ, ଗାଁ ଗାଁରୁ ଶ୍ରଦ୍ଧା ପୂର୍ବକ ପୂଜିତ ପ୍ରସ୍ତର ଏଠାରେ ଶକ୍ତିର ସ୍ରୋତ ପାଲଟି ଯାଇଛି । ସମଗ୍ର ଦେଶର ବିଭିନ୍ନ ଧାମ ଓ ମନ୍ଦିରରୁ ଅଣାଯାଇଥିବା ମାଟି ଏବଂ ବିଭିନ୍ନ ନଦୀର ଜଳ, ଏଠାକାର ଲୋକ, ଏଠାକାର ସଂସ୍କୃତି ଏବଂ ଏଠାକାର ଭାବନା ଆଜି ଏଠି ଉର୍ଜ୍ଜାରେ ପରିଣତ ହୋଇଛି । ବାସ୍ତବରେ ଏହା ନା ଭୂତ ନା ଭବିଷ୍ୟତ । ଭାରତର ଆସ୍ଥା, ଭାରତବାସୀଙ୍କ ସାମୁହିକତାର ଏକ ଅମୋଘ ଶକ୍ତି; ପୁରା ଦୁନିଆ ପାଇଁ ଅଧ୍ୟୟନ ଓ ବିଚାରର ବିଷୟ ପାଲଟିଛି ।

ବନ୍ଧୁଗଣ,

 ଶ୍ରୀରାମଚନ୍ଦ୍ରଙ୍କ ତେଜ ସୂର୍ଯ୍ୟଙ୍କ ସମାନ । ତାଙ୍କ କ୍ଷମା ପୃଥ୍ୱୀ ତୁଲ୍ୟ । ବୁଦ୍ଧିରେ ସେ ବୃହସ୍ପତିଙ୍କ ସଦୃଶ ଏବଂ ଯଶରେ ଇନ୍ଦ୍ର ସମ ପରିଗଣିତ ହୁଅନ୍ତି । ଶ୍ରୀରାମଙ୍କ ଚରିତ୍ର ସବୁଠୁ ଅଧିକ ଯେଉଁ କେନ୍ଦ୍ରବିନ୍ଦୁ ଉପରେ ଘୂର୍ଣ୍ଣାୟମାନ ତାହାହେଲା ସତ୍ୟରେ ଅଟଳ ରହିବା । ଏଥିପାଇଁ ହିଁ ଶ୍ରୀରାମ ସ୍ୱୟଂ ସଂପୂର୍ଣ୍ଣ ଅଟନ୍ତି । ଏଥିପାଇଁ ସେ ହଜାର ହଜାର ବର୍ଷ ଧରି ଭାରତ ନିମନ୍ତେ ଆଲୋକ ସ୍ତମ୍ଭ ସଦୃଶ ରହିଛନ୍ତି । ଶ୍ରୀରାମ ସାମାଜିକ ନ୍ୟାୟ ଓ ସମତାକୁ ନିଜ ଶାସନର ଆଧାରଶିଳା କରିଥିଲେ । ସେ ଗୁରୁ ବଶିଷ୍ଠଙ୍କ ଠାରୁ ଜ୍ଞାନ, କେଉଟଙ୍କଠାରୁ ପ୍ରେମ, ଶବରୀଙ୍କଠାରୁ ମାତୃତ୍ୱ, ହନୁମାନ ଏବଂ ବନବାସୀ ବନ୍ଧୁଙ୍କଠାରୁ ସହଯୋଗ ଏବଂ ପ୍ରଜାଙ୍କଠାରୁ ବିଶ୍ୱାସ ଲାଭ କରିଥିଲେ ।

ଏପରିକି ଏକ ଗୁଣ୍ଡୁଚି ମୂଷାର ମହତ୍ୱକୁ ମଧ୍ୟ ସେ ହସି ହସି ସ୍ୱୀକାର କରିଛନ୍ତି । ତାଙ୍କର ବିଶାଳ ବ୍ୟକ୍ତିତ୍ୱ, ବୀରତ୍ୱ, ଉଦାରତା, ସତ୍ୟନିଷ୍ଠା, ନିର୍ଭୀକତା, ଧୈର୍ଯ୍ୟ, ଦୃଢ଼ତା ଓ ଦାର୍ଶନିକ ଦୃଷ୍ଟି ଆମକୁ ଯୁଗ ଯୁଗ ଧରି ପ୍ରେରଣା ଦେବ । ରାମ ସବୁ ପ୍ରଜାଙ୍କୁ ସମାନଭାବେ ଶ୍ରଦ୍ଧା କରନ୍ତି; କିନ୍ତୁ ଗରିବ ଏବଂ ଦୀନଦୁଃଖୀଙ୍କ ପ୍ରତି ତାଙ୍କର ବିଶେଷ କୃପା ଥାଏ । ସେଥିପାଇଁ ତ ମାତା ସୀତା ରାମଙ୍କୁ କହନ୍ତି ‘ଦୀନ ଦୟାଲ ବିରିଦୁ ସମ୍ଭାରି’ ଅର୍ଥାତ୍‌ ରାମ ହିଁ  ଦୀନ ଓ ଦୁଃଖୀଙ୍କ ବନ୍ଧୁ ।

ବନ୍ଧୁଗଣ,

ଜୀବନରେ ଏମିତି କିଛି ମୁହୂର୍ତ୍ତ ନାହିଁ ଯେଉଁଠି ରାମଙ୍କର ପ୍ରେରଣା ନାହିଁ । ଭାରତରେ ଏଭଳି କୌଣସି ଭାବନା ନାହିଁ ଯେଉଁଠି ପ୍ରଭୁ ରାମଙ୍କର ଝଲକ ଅନୁଭୂତ ହୁଏ ନାହିଁ । ଭାରତର ଆସ୍ଥା ଓ ଆଦର୍ଶରେ ରାମ ଅଛନ୍ତି । ଭାରତର ଦିବ୍ୟତା, ଦର୍ଶନରେ ମଧ୍ୟ ସେ ବିଦ୍ୟମାନ । ହଜାର ହଜାର ବର୍ଷ ପୂର୍ବେ ବାଲ୍ମିକୀଙ୍କ ରାମାୟଣରେ ଯେଉଁ ରାମ ପ୍ରାଚୀନ ଭାରତର ପଥପ୍ରଦର୍ଶକ ଥିଲେ, ଯେଉଁ ରାମ ମଧ୍ୟଯୁଗରେ ତୁଳସୀ, କବିର ଏବଂ ନାନକଙ୍କ ଜରିଆରେ ଭାରତକୁ ଶକ୍ତି ଦେଉଥିଲେ ସେହି ରାମ ମୁକ୍ତିସଂଗ୍ରାମ ସମୟରେ ବାପୁଙ୍କ ଭଜନରେ ଅହିଂସା ଏବଂ ସତ୍ୟାଗ୍ରହର ଶକ୍ତି ରୂପରେ ଉପସ୍ଥିତ ଥିଲେ । ତୁଳସୀଙ୍କ ରାମ ସଗୁଣ ରାମ ହୋଇଥିବାବେଳେ ନାନକ ଏବଂ କବିରଙ୍କ ରାମ ନିର୍ଗୁଣ ରାମ ଅଟନ୍ତି । ଭଗବାନ ବୁଦ୍ଧ ମଧ୍ୟ ରାମଙ୍କ ସହ ସଂଯୁକ୍ତ । ବହୁ ପ୍ରାଚୀନ କାଳରୁ ଅଯୋଧ୍ୟା ନଗରୀ ମଧ୍ୟ ଜୈନଧର୍ମର ଆସ୍ଥା କେନ୍ଦ୍ର ରହିଆସିଛି । ରାମଙ୍କର ଏହି ସର୍ବବ୍ୟାପକତା ଭାରତର ବିବିଧତାରେ ଏକତାର ଜୀବନ ଚରିତ୍ର ସାଜିଛି । ତାମିଲରେ କମ୍ବ ରାମାୟଣ, ତେଲଗୁରେ ରଘୁନାଥ ଓ ରଙ୍ଗନାଥ ରାମାୟଣ ରହିଛି। କନ୍ନଡରେ କୁମୁଦେନ୍ଦୁ ରାମାୟଣ ରହିଛି । ଆପଣ କାଶ୍ମୀର ଗଲେ ଆପଣଙ୍କୁ ରାମାବତାର ଚରିତ ମିଳିବ । ମଲୟାଲମରେ ରାମ ଚରିତମ୍‌ ଉପଲବ୍ଧ । ବଙ୍ଗଳାରେ କୃତ୍ତିବାସ ରାମାୟଣ ଏବଂ ଗୁରୁ ଗୋବିନ୍ଦ ସିଂହ ନିଜେ ଗୋବିନ୍ଦ ରାମାୟଣ ଲେଖି ଯାଇଛନ୍ତି । ବିଭିନ୍ନ ରାଜ୍ୟରେ ବିଭିନ୍ନ ପ୍ରକାର ରାମାୟଣ ଉପଲବ୍ଧ । ରାମ ଭିନ୍ନ ଭିନ୍ନ ରୂପରେ ପ୍ରଦର୍ଶିତ; କିନ୍ତୁ ରାମ ସବୁ ଜାଗାରେ ଅଛନ୍ତି ଏବଂ ସେ ସମସ୍ତଙ୍କର । ସେଥିପାଇଁ ରାମ ଭାରତର ବିବିଧତାରେ ଏକତାର ସୂତ୍ର ଅଟନ୍ତି ।

ବନ୍ଧୁଗଣ,

ଦୁନିଆର ଅନେକ ଦେଶ ରାମଙ୍କ ନାମ ବନ୍ଦନା କରନ୍ତି । ସେଠାକାର ନାଗରିକ ନିଜକୁ ନିଜେ ଶ୍ରୀରାମଙ୍କ ସହ ଯୋଡି ହୋଇଯାଆନ୍ତି ଏବଂ ତାଙ୍କୁ ଭକ୍ତି କରନ୍ତି । ବିଶ୍ୱର ସର୍ବାଧିକ ମୁସଲମାନ ଜନସଂଖ୍ୟା ବିଶିଷ୍ଟ ଦେଶ ଇଣ୍ଡୋନେସିଆରେ ମଧ୍ୟ ରାମ ବେଶ୍‌ ଲୋକପ୍ରିୟ । ଆମ ଦେଶ ଭଳି ସେଠାରେ ‘କାକାବିନ୍‌’ ରାମାୟଣ, ସ୍ୱର୍ଣ୍ଣଦ୍ୱୀପ ରାମାୟଣ, ଯୋଗେଶ୍ୱର ରାମାୟଣ ଭଳି ଅନେକ ଅଭିନବ ରାମାୟଣ ରହିଛି । ରାମ ଆଜି ମଧ୍ୟ ସେଠାରେ ପୂଜନୀୟ । କାମ୍ବୋଡ଼ିଆରେ ‘ରମକେର’ ରାମାୟଣ, ଲାଓରେ ‘ଫ୍ରା ଲାକ୍‌ ଫ୍ରା ଲାମ’  ରାମାୟଣ, ମାଲେସିଆରେ ‘ହିକାୟତ ସେରି ରାମତୋ’, ଥାଇଲାଣ୍ଡରେ ‘ରାମାକେନ୍‌’ ଆଦି ରାମାୟଣ ଲୋକପ୍ରିୟ । ଇରାନ ଏବଂ ଚୀନରେ ମଧ୍ୟ ରାମକଥା ଓ ବିବରଣୀ ଆପଣଙ୍କୁ ମିଳିବ ।

ଶ୍ରୀଲଙ୍କାରେ ରାମାୟଣ କଥା ଜାନକୀ ହରଣ ନାମରେ ପରିଚିତ । ନେପାଳରେ ରାମଙ୍କ ସହିତ ଲୋକଙ୍କର ଆତ୍ମିକ ସଂପର୍କ ରହିଛି । କାରଣ ଏ ଦେଶ ମାତା ଜାନକୀଙ୍କ ଜନ୍ମମାଟି । ଏହିଭଳି ଦୁନିଆରେ ବିଭିନ୍ନ ସ୍ଥାନରେ ବିଭିନ୍ନ ଦେଶରେ ବିଭିନ୍ନ ଆସ୍ଥା, ବିଶ୍ୱାସ ଓ ଶ୍ରଦ୍ଧାର ସହ ରାମ ନାନା ରୂପେ ଉପାସ୍ୟ ଓ ପୂଜିତ । ଏବେ ମଧ୍ୟ ଭାରତ ବାହାରେ ଅନେକ ଦେଶ ରହିଛି ଯାହାଙ୍କ ଭାଷାରେ ରାମକଥା ପ୍ରଚଳିତ । ମୋର ବିଶ୍ୱାସ ଆଜି ଏସବୁ ଦେଶରେ ମଧ୍ୟ କୋଟି କୋଟି ଲୋକ ରାମମନ୍ଦିର ନିର୍ମାଣ କାମ ଆରମ୍ଭ ହେବାର ଖବର ପାଇ ବେଶ୍‌ ସୁଖଦ ଅନୁଭୂତି ଲାଭ କରୁଥିବେ । କାରଣ ରାମ ତ ସମସ୍ତଙ୍କର ଏବଂ ସବୁଥିରେ ସେ ଅଛନ୍ତି ।

ବନ୍ଧୁଗଣ,

ମୋର ବିଶ୍ୱାସ ଶ୍ରୀରାମଙ୍କ ନାମ ଭଳି ଅଯୋଧ୍ୟାରେ ତିଆରି ହେବାକୁ ଯାଉଥିବା ଏହି ଭବ୍ୟ ରାମମନ୍ଦିର ଭାରତୀୟ ସଂସ୍କୃତିକୁ ସମୃଦ୍ଧ ଓ ଗୌରବମୟ କରିବ । ମୋର ଏହା ମଧ୍ୟ ବିଶ୍ୱାସ ଏହି ରାମମନ୍ଦିର ଅନନ୍ତକାଳ ପର୍ଯ୍ୟନ୍ତ ସମଗ୍ର ମାନବ ଜାତିକୁ ପ୍ରେରଣା ଦେବ । ଏଥିପାଇଁ ଆମକୁ ଭଗବାନ ଶ୍ରୀରାମଙ୍କ ବାଣୀ, ରାମନ୍ଦିରର ବାର୍ତ୍ତା, ହଜାର ହଜାର ବର୍ଷର ପରମ୍ପରାର ବାର୍ତ୍ତା ସମଗ୍ର ଦୁନିଆରେ ନିରନ୍ତର ପହଞ୍ଚାଇବା କାର୍ଯ୍ୟ ସୁନିଶ୍ଚିତ କରିବାକୁ ପଡିବ । ଆମର ଜ୍ଞାନ, ଆମର ଜୀବନ ଦୃଷ୍ଟି ଦ୍ୱାରା ସମଗ୍ର ବିଶ୍ୱ ପରିଚିତ । ଏହା ଆମ ବର୍ତ୍ତମାନ ଏବଂ ଭବିଷ୍ୟତ ପିଢିର ଦାୟିତ୍ୱ । ଏହାକୁ ବୁଝି ବିଚାରି ଆଜି ଦେଶରେ ଭଗବାନ ରାମଙ୍କ ପାଦ ଯେଉଁଠି ପଡିଛି ସେଠାରେ ରାମ ସର୍କିଟର ନିର୍ମାଣ କାର୍ଯ୍ୟ ଚାଲିଛି ।

ଅଯୋଧ୍ୟା ତ ଭଗବାନ ରାମଙ୍କ ନିଜ ନଗରୀ । ଅଯୋଧ୍ୟାର ମହିମା ବିଷୟରେ ନିଜେ ପ୍ରଭୁ ଶ୍ରୀରାମ କହିଛନ୍ତି–

 ‘ଜନ୍ମଭୂମି ମମ ପୁରୀ ସୁହା ବନି’ ॥

ଅର୍ଥାତ୍‌ ମୋ ଜନ୍ମଭୂମି ଅଯୋଧ୍ୟା ଅଲୌକିକ ଶୋଭାର ନଗରୀ ଅଟେ। ମୁଁ ଖୁସି ଯେ ଶ୍ରୀରାମଙ୍କ ଜନ୍ମସ୍ଥାନର ଗୌରବ ବୃଦ୍ଧି ପାଇଁ ଅନେକ ଐତିହାସିକ କାର୍ଯ୍ୟ ହାତକୁ ନିଆଯାଇଛି ।

ବନ୍ଧୁଗଣ,

ଶାସ୍ତ୍ର ଓ ଧର୍ମ ପୁସ୍ତକରେ ଉଲ୍ଲେଖ ରହିଛି ଯେ ‘ନ ରାମ ସଦୃଶ୍ୟ ରାଜା, ପ୍ରତିଭ୍ୟାମ୍‌ ନୀତିବାନ ଅଭୂତ’ । ଅର୍ଥାତ୍‌ ରାମଙ୍କ ଭଳି ଗୁଣୀ ରାଜା ସମଗ୍ର ବିଶ୍ୱରେ ନାହାନ୍ତି । ପ୍ରଭୁ ରାମଙ୍କ ବାଣୀ ଥିଲା-“ନହିଁ ଦରିଦ୍ର କୋଉ ଦୁଖୀ ନ ଦୀନା”।। କେହି ଦୁଃଖୀ ଓ ଦରିଦ୍ର ରହିବେ ନାହିଁ । ଶ୍ରୀରାମଙ୍କ ସାମାଜିକ ବାର୍ତ୍ତା ଥିଲା– “ପ୍ରହୃଷ୍ଟ ନର ନାରୀକଃ ସମାଜ ଉତ୍ସବ ଶୋଭିତଃ”॥ ଉଭୟ ନାରୀ ପୁରୁଷ ସମାନ ଭାବରେ ସୁଖରେ ରହିବେ । ତାଙ୍କ ବାର୍ତ୍ତା ଥିଲା-“କଶ୍ଚିତଦ ବୃଦ୍ଧାନ ଚ ବାଲାଂ ଚ, ବେଦୟାନ ମୁଖ୍ୟାନ ରାଘବ। ତ୍ରିଭିଃ ଏତୈଃ ବୁଭୁଷସେ”। ଚାଷୀ ଓ ଗାଈ ଜଗୁଆଳ  ଉଭୟ ଖୁସିରେ ଜୀବନ କଟାଇବେ । ବୃଦ୍ଧ, ଶିଶୁ ଓ ଚିକିତ୍ସକ ଏମାନଙ୍କୁ ସୁରକ୍ଷିତ ରଖିବାକୁ ସେ ନିର୍ଦ୍ଦେଶାବଳୀ ଜାରି କରିଥିଲେ ।  ଶ୍ରୀରାମଙ୍କ ଆହ୍ବାନ ଥିଲା– “ଜୌଉଁସଭୀତଆବାସରନାଇ। ରଖିହଁଉତାହିପ୍ରାନକୀନାଇ”॥ ଯିଏ ଶରଣାର୍ଥୀ ତାକୁ ସୁରକ୍ଷିତ ରଖିବା ସମସ୍ତଙ୍କ କାର୍ଯ୍ୟ ବୋଲି ସେ କହିଥିଲେ । ‘ଜନନୀ ଜନ୍ମଭୂମି ଶ୍ଚ ସ୍ବର୍ଗାଦପି ଗରିୟସୀ’-ମାତୃଭୂମି ସ୍ବର୍ଗଠାରୁ ମଧ୍ୟ ମହାନ। ଏହା ଥିଲା ପ୍ରଭୁ ଶ୍ରୀରାମଙ୍କ ବାର୍ତ୍ତା । ଆହୁରି ଭାଇ ଓ ଭଉଣୀମାନେ, ପ୍ରଭୁ ଶ୍ରୀରାମଙ୍କ ନୀତି ଥିଲା ‘ଭୟବିନୁ ହୋଇ ନ ପ୍ରୀତି’; ॥ ସେଥିପାଇଁ ଆମ ଦେଶ ଯେତିକି ଶକ୍ତିଶାଳୀ ହେବ, ସେତିକି ପ୍ରିତୀ ଓ ଶାନ୍ତି ବଜାୟ ରହିବ।

ପ୍ରଭୁ ରାମଙ୍କ ପ୍ରଦର୍ଶିତ ଏହି ନୀତିରେ ଭାରତ ଚାଲିଛି । ଜାତିର ପିତା ମହାତ୍ମା ଗାନ୍ଧୀ ରାମରାଜ୍ୟର ପରିକଳ୍ପନା କରିଥିଲେ । ସେଥିରେ ରାମଙ୍କ ପ୍ରଦର୍ଶିତ ନୀତି ଓ ସୂତ୍ର ସ୍ଥାନ ପାଇଥିଲା । ପ୍ରଭୁ ଶ୍ରୀରାମଙ୍କ ଜୀବନ ଏବଂ ଆଚରଣ ଗାନ୍ଧିଜୀଙ୍କୁ ରାମରାଜ୍ୟର ପରିକଳ୍ପନା ପାଇଁ ଅନୁପ୍ରାଣିତ କରିଥିଲା ।

ବନ୍ଧୁଗଣ,

ପ୍ରଭୁ ଶ୍ରୀରାମ ନିଜେ କହିଛନ୍ତି ‘ଦେଶକାଳ ଅବସର ଅନୁହାରି ବୋଲେ ବଚନ ବିନିତ ବିଚାରି’; ଅର୍ଥାତ୍‌ ରାମ ସ୍ଥାନ, କାଳ, ପାତ୍ର ବିଚାରକୁ ନେଇ କୁହନ୍ତି, ଚିନ୍ତା କରନ୍ତି ଏବଂ କାର୍ଯ୍ୟ କରନ୍ତି । ସମୟ ସହିତ କିପରି ବଢିବାକୁ ହେବ ଏବଂ ଚଳିବାକୁ ହେବ ସେକଥା ରାମ ଆମକୁ ଶିକ୍ଷା ଦେଇଛନ୍ତି । ସେ ପରିବର୍ତ୍ତନ ଓ ଆଧୁନିକତାର ଅଧିବକ୍ତା । ଭାରତ ପ୍ରଭୁ ଶ୍ରୀରାମଙ୍କ ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଗେଇ ଚାଲିଛି ।

ବନ୍ଧୁଗଣ,

ନିଜର ଦାୟିତ୍ୱ କିପରି ସମ୍ପାଦନ ହେବ ପ୍ରଭୁ ଶ୍ରୀରାମ ଆମକୁ ତାହା ଶିଖାଇଛନ୍ତି । ଆହ୍ୱାନର ମୁକାବିଲା ସହିତ କିପରି ଜ୍ଞାନ ହାସଲ ହେବ ସେ କଥା ମଧ୍ୟ ଆମକୁ ପଢାଇଛନ୍ତି । ରାମମନ୍ଦିର, ପ୍ରେମ, ସମ୍ମାନ ଓ ଭ୍ରାତ୍ରୁତ୍ୱର ଇଟାରେ ତିଆରି ହେବା ଉଚିତ । ସମସ୍ତଙ୍କ ଭାବନା ଓ ବିଚାରକୁ ଆମକୁ ଉଚିତ ସମ୍ମାନ ଦେବାକୁ ପଡିବ । ଏକାଠି ହୋଇ ପରସ୍ପରକୁ ବିଶ୍ୱାସ କରି ମିଳିତଭାବେ ଆମକୁ ଅଗ୍ରସର ହେବାକୁ ହେବ । ଆମକୁ ଏକ ଆତ୍ମବିଶ୍ୱାସୀ, ଆତ୍ମନିର୍ଭରଶୀଳ ଭାରତ ଗଠନ କରିବାକୁ ହେବ ଏବଂ ତଦନୁସାରେ ସଂକଳ୍ପର ସହ କାର୍ଯ୍ୟ କରିବାକୁ ପଡିବ ।

ବନ୍ଧୁଗଣ,

ତାମିଲ ରାମାୟଣରେ ପ୍ରଭୁ ରାମ କହିଛନ୍ତି,

‘ଆମେ ବିଳମ୍ବ କରିବା ଅନାବଶ୍ୟକ, ଆଗକୁ ଯିବାର ଆବଶ୍ୟକତା ରହିଛି’ ।

ଆଜିର ଭାରତ ପାଇଁ ରାମଙ୍କର ମଧ୍ୟ ଏହି ବାର୍ତ୍ତା ଅଭିପ୍ରେତ । ମୁଁ ନିଶ୍ଚିତ, ଆମେ ଆଗକୁ ବଢିବା ଓ ଦେଶ ମଧ୍ୟ ଆଗେଇବ । ଭଗବାନ ଶ୍ରୀରାମଙ୍କ ଏହି ମନ୍ଦିର ଯୁଗ ଯୁଗ ପର୍ଯ୍ୟନ୍ତ ମାନବତାକୁ ପ୍ରେରଣା ଦେଇ ଚାଲିବ, ମାର୍ଗଦର୍ଶନ କରିବ। ତେବେ କରୋନା କାରଣରୁ ଯେପରି ପରିସ୍ଥିତି ଦେଖାଦେଇଛି, ପ୍ରଭୁ ଶ୍ରୀରାମଙ୍କ ମର୍ଯ୍ୟାଦାର ମାର୍ଗ ଆଜି ଆହୁରି ଅଧିକ ପ୍ରାସଙ୍ଗିକ ହୋଇପଡ଼ିଛି।

ଆମକୁ ପରସ୍ପର ମଧ୍ୟରେ ଦୁଇ ଗଜ ଦୂରତ୍ୱ ରକ୍ଷା ସହିତ ମାସ୍କ ପିନ୍ଧିବାକୁ ପଡିବ । ମୋ ଦେଶକୁ ସୁସ୍ଥ ଏବଂ ସୁଖୀ ରଖିବା ପାଇଁ ମୁଁ ପ୍ରଭୁ ଶ୍ରୀରାମଙ୍କୁ ପ୍ରାର୍ଥନା କରୁଛି । ମା’ ସୀତା ଓ ପ୍ରଭୁ ରାମ ଆମ ସମସ୍ତଙ୍କ ଉପରେ ତାଙ୍କ ଆଶୀର୍ବାଦ ବୃଷ୍ଟି କରନ୍ତୁ । ଏଥିସହିତ ମୁଁ ଆଜି ଏହି ଅବସରରେ ଦେଶବାସୀଙ୍କୁ ପୁଣି ଥରେ ଅଭିନନ୍ଦନ ଜଣାଉଛି ।

ଜୟ ସୀତାପତି ପ୍ରଭୁ ରାମଚନ୍ଦ୍ରଙ୍କର… ଜୟ !!!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Railways’ electrification push reduces diesel consumption by 63%

Media Coverage

Railways’ electrification push reduces diesel consumption by 63%
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Indian contingent on winning 19 medals at 22nd Asian U20 Athletics Championships
June 01, 2026

The Prime Minister, Shri Narendra Modi today congratulated the Indian contingent for its outstanding performance at the 22nd Asian U20 Athletics Championships.

The Prime Minister congratulated the Indian contingent on winning 19 medals, including 10 Gold medals, at the Championships.

The Prime Minister said that the achievement reflects the determination and excellence of India’s young athletes.

He expressed hope that these accomplishments would inspire many more young Indians to pursue sports in the years to come.

The Prime Minister wrote on X;

“Congratulations to the Indian contingent at the 22nd Asian U20 Athletics Championships for winning 19 medals, including 10 Golds. This outstanding performance reflects the determination and excellence of India’s young athletes. May these achievements inspire many more young Indians to pursue sports in the years to come.”