ମହାମହିମ ରାଜା ଅବଦୁଲ୍ଲା,
ଯୁବରାଜ,
ଉଭୟ ଦେଶର ପ୍ରତିନିଧି,
ବ୍ୟବସାୟିକ ନେତୃବୃନ୍ଦ,

ନମସ୍କାର

ବନ୍ଧୁଗଣ,


ବିଶ୍ୱର ଅନେକ ଦେଶର ସୀମା ଏକାଠି ମିଳିଥାଏ, ଅନେକ ଦେଶର ବଜାର ମଧ୍ୟ ଏକାଠି ମିଳେ। କିନ୍ତୁ, ଭାରତ ଓ ଜୋର୍ଡାନ ମଧ୍ୟରେ ସମ୍ପର୍କ ଏପରି, ଯେଉଁଠାରେ ଐତିହାସିକ ବିଶ୍ୱାସ ଓ ଭବିଷ୍ୟତର ଆର୍ଥିକ ସୁଯୋଗ ଏକାଠି ମିଳିତ ହୁଏ।

ଗତକାଲି ମହାମହିମଙ୍କ ସହିତ ମୋର ଆଲୋଚନାର ସାରାଂଶ ମଧ୍ୟ ଏହା ଥିଲା। ଆମେ ଭୂଗୋଳକୁ କିପରି ସୁଯୋଗରେ ଏବଂ ସୁଯୋଗକୁ କିପରି ବିକାଶରେ ପରିଣତ କରାଯାଇପାରିବା ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲୁ।
 

ମହାମହିମ,

ଆପଣଙ୍କ ନେତୃତ୍ୱରେ ଜୋର୍ଡାନ ଏମିତି ଏକ ସେତୁ ରୂପେ ଉଭା ହୋଇଛି, ଯାହା ବିଭିନ୍ନ ଅଞ୍ଚଳ ମଧ୍ୟରେ ସହଯୋଗ ଓ ସମନ୍ୱୟ ବୃଦ୍ଧି କରିବାରେ ବହୁତ ସାହାଯ୍ୟ କରୁଛି। ଗତକାଲି, ଆମ ବୈଠକ ସମୟରେ, ଆପଣ ଉଲ୍ଲେଖ କରିଥିଲେ ଯେ, ଭାରତୀୟ କମ୍ପାନୀଗୁଡ଼ିକ ଜୋର୍ଡାନର ମାର୍ଗ ମାଧ୍ୟମରେ ଆମେରିକା, କାନାଡା ଓ ଅନ୍ୟାନ୍ୟ ଦେଶର ବଜାରରେ କିପରି ପ୍ରବେଶ କରିପାରିବେ। ଏଠାରେ ଉପସ୍ଥିତ ଥିବା ଭାରତୀୟ କମ୍ପାନୀଗୁଡ଼ିକୁ ଏହି ସୁଯୋଗଗୁଡ଼ିକର ପୂର୍ଣ୍ଣ ଲାଭ ଉଠାଇବାକୁ ମୁଁ ଅନୁରୋଧ କରୁଛି।

ବନ୍ଧୁଗଣ,
ଆଜି, ଭାରତ ଜୋର୍ଡାନର ତୃତୀୟ ସବୁଠାରୁ ବୃହତ ବାଣିଜ୍ୟିକ ସହଭାଗୀ। ମୁଁ ଜାଣେ ଯେ ବ୍ୟବସାୟ ଜଗତରେ ସଂଖ୍ୟା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଆମେ ଏଠାରେ କେବଳ ସଂଖ୍ୟା ଗଣନା କରିବାକୁ ଆସିନାହୁଁ; ବରଂ ଆମେ ଏଠାରେ ଦୀର୍ଘକାଳୀନ ସମ୍ପର୍କ ଗଢିବାକୁ ଆସିଛୁ।

ଏକ ସମୟ ଥିଲା, ଯେତେବେଳେ ଗୁଜରାଟରୁ ପେଟ୍ରା ମାର୍ଗରେ ଇଉରୋପ ପର୍ଯ୍ୟନ୍ତ ବାଣିଜ୍ୟ ହେଉଥିଲା। ଆମର ଭବିଷ୍ୟତର ସମୃଦ୍ଧି ପାଇଁ, ଆମକୁ ସେହି ସଂଯୋଗଗୁଡ଼ିକୁ ପୁନର୍ଜୀବିତ କରିବାକୁ ପଡିବ। ଏହାକୁ ସାକାର କରିବାରେ ଆପଣମାନେ ସମସ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

ବନ୍ଧୁଗଣ,

ଆପଣମାନେ ସମସ୍ତେ ଜାଣନ୍ତି ଯେ, ଭାରତ ଦ୍ରୁତଗତିରେ ବିଶ୍ୱର ତୃତୀୟ ସର୍ବବୃହତ୍ ଅର୍ଥନୀତି ହେବା ଦିଗରେ ଅଗ୍ରସର ହେଉଛି। ଭାରତର ଅଭିବୃଦ୍ଧି ହାର ଆଠ ପ୍ରତିଶତରୁ ଅଧିକ ରହିଛି। ଏହି ଅଭିବୃଦ୍ଧି ସଂଖ୍ୟାଗୁଡ଼ିକ ଉତ୍ପାଦନଶୀଳତାକୁ କେନ୍ଦ୍ର କରିଥିବା ଶାସନ ବ୍ୟବସ୍ଥା ଏବଂ ନବୋନ୍ମେଷକୁ ଆଧାର କରିଥିବା ନୀତିଗୁଡିକର ଫଳାଫଳ।

ଆଜି, ଜୋର୍ଡାନର ପ୍ରତ୍ୟେକ ବ୍ୟବସାୟୀ ଓ ପ୍ରତ୍ୟେକ ନିବେଶକଙ୍କ ପାଇଁ ଭାରତରେ ସୁଯୋଗର ନୂତନ ଦ୍ୱାର ଖୋଲିଯାଉଛି। ଆପଣ ଭାରତର ଦ୍ରୁତ ବିକାଶ ଯାତ୍ରାରେ ସହଯୋଗୀ ହୋଇପାରିବେ ଏବଂ ଆପଣଙ୍କ ନିବେଶ ଉପରେ ଉତ୍କୃଷ୍ଟ ଲାଭ ମଧ୍ୟ ପାଇପାରିବେ।
 

ବନ୍ଧୁଗଣ,

ଆଜି ବିଶ୍ୱକୁ ନୂତନ ଅଭିବୃଦ୍ଧି ଇଞ୍ଜିନର ଆବଶ୍ୟକତା ରହିଛି। ବିଶ୍ୱକୁ ଏକ ବିଶ୍ୱସ୍ତ ଯୋଗାଣ ଶୃଙ୍ଖଳର ଆବଶ୍ୟକତା ରହିଛି। ଭାରତ ଏବଂ ଜୋର୍ଡାନ ମିଳିତ ଭାବରେ ବିଶ୍ୱର ଆବଶ୍ୟକତା ପୂରଣ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ।

ମୁଁ ନିଶ୍ଚିତ ଭାବରେ ଆପଣଙ୍କ ସହିତ ପାରସ୍ପରିକ ସହଯୋଗର କିଛି ପ୍ରମୁଖ କ୍ଷେତ୍ର ବିଷୟରେ ଆଲୋଚନା କରିବାକୁ ଇଚ୍ଛା କରୁଛି। ଯେଉଁ କ୍ଷେତ୍ରଗୁଡ଼ିକରେ ଦୃଷ୍ଟିକୋଣ, କାର୍ଯ୍ୟକ୍ଷମତା ଏବଂ ବେଗ ଏ ତିନୋଟିଯାକ ଉପସ୍ଥିତ ।

ପ୍ରଥମତଃ, ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ଏବଂ ଆଇଟି। ଏହି କ୍ଷେତ୍ରରେ ଭାରତର ଅଭିଜ୍ଞତା ଜୋର୍ଡାନ ପାଇଁ ବହୁତ ଉପଯୋଗୀ ହୋଇପାରିବ। ଭାରତ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟାକୁ ସମାବେଶୀ ଏବଂ କାର୍ଯ୍ୟଦକ୍ଷତାର ଏକ ମଡେଲ୍ ଭାବେ ଗଢିଛି। ଆମର ୟୁପିଆଇ, ଆଧାର ଏବଂ ଡିଜିଲକର ଭଳି ଢାଞ୍ଚା ବିଶ୍ୱସ୍ତରୀୟ ମାନଦଣ୍ଡ ହୋଇପାରୁଛି। ମହାମହିମ ଏବଂ ମୁଁ ଜୋର୍ଡାନର ସିଷ୍ଟମ ସହିତ ଏହି ଢାଞ୍ଚାଗୁଡ଼ିକୁ ସମନ୍ୱିତ କରିବା ବିଷୟରେ ଆଲୋଚନା କରିଛୁ। ଆମେ ଉଭୟ ଦେଶ ଫିନଟେକ୍, ହେଲ୍ଥଟେକ୍ ଏବଂ ଏଗ୍ରିଟେକ୍ ସମେତ ବିଭିନ୍ନ କ୍ଷେତ୍ରରେ ଆମର ଷ୍ଟାର୍ଟଅପ୍‌ଗୁଡ଼ିକୁ ସିଧାସଳଖ ସଂଯୋଗ କରିପାରିବୁ। ଆମେ ଏକ ସେୟାର ଇକୋସିଷ୍ଟମ୍ ସୃଷ୍ଟି କରିପାରିବା ଯେଉଁଠାରେ ଆମେ ଚିନ୍ତାଧାରାକୁ ପୁଞ୍ଜି ସହିତ ଏବଂ ନବସୃଜନକୁ ବିସ୍ତାର (ସ୍କେଲ) ସହିତ ସଂଯୋଗ କରିପାରିବା।

ବନ୍ଧୁଗଣ,
ଫାର୍ମା ଏବଂ ଚିକିତ୍ସା ଉପକରଣ କ୍ଷେତ୍ରରେ ମଧ୍ୟ ଅନେକ ସମ୍ଭାବନା ରହିଛି। ଆଜି ସ୍ୱାସ୍ଥ୍ୟସେବା କେବଳ ଏକ କ୍ଷେତ୍ର ନୁହେଁ, ବରଂ ଏକ ରଣନୈତିକ ପ୍ରାଥମିକତା।

ଯଦି ଭାରତୀୟ କମ୍ପାନୀଗୁଡ଼ିକ ଜୋର୍ଡାନରେ ଔଷଧ ଏବଂ ଚିକିତ୍ସା ଉପକରଣ ଉତ୍ପାଦନ କରନ୍ତି, ତେବେ ଏହା ନିଶ୍ଚିତ ଭାବରେ ଜୋର୍ଡାନର ଲୋକମାନଙ୍କୁ ଲାଭ ପ୍ରଦାନ କରିବ। ଜୋର୍ଡାନ ପଶ୍ଚିମ ଏସିଆ ଏବଂ ଆଫ୍ରିକା ପାଇଁ ଏକ ନିର୍ଭରଯୋଗ୍ୟ କେନ୍ଦ୍ର ମଧ୍ୟ ହୋଇପାରିବ। ଏହା ଜେନେରିକ୍ସ ହେଉ, ଟିକା ହେଉ, ଆୟୁର୍ବେଦ ହେଉ, କିମ୍ବା ସୁସ୍ଥତା ହେଉ, ଭାରତ ଆଣେ ବିଶ୍ୱାସ, ଏବଂ ଜୋର୍ଡାନ ଆଣେ ପହଞ୍ଚ।

ବନ୍ଧୁଗଣ,
ପରବର୍ତ୍ତୀ କ୍ଷେତ୍ର ହେଉଛି କୃଷି। ଶୁଷ୍କ ଜଳବାୟୁରେ କୃଷି କରିବାର ଅଭିଜ୍ଞତା ଭାରତ ପାଖରେ ବ୍ୟାପକ ଭାବରେ ପରିପୂର୍ଣ୍ଣ। ଏହି ଅଭିଜ୍ଞତା ଜୋର୍ଡାନରେ ପ୍ରକୃତ ପରିବର୍ତ୍ତନ ଆଣିପାରିବ। ଆମେ ସଠିକ୍ କୃଷି ଏବଂ ସୂକ୍ଷ୍ମ ଜଳସେଚନ ଭଳି ସମାଧାନ ଉପରେ କାମ କରିପାରିବା। ଆମେ ଶୀତଳ ଶୃଙ୍ଖଳ, ଖାଦ୍ୟ ପାର୍କ ଏବଂ ସଂରକ୍ଷଣ ସୁବିଧା ନିର୍ମାଣ ପାଇଁ ମଧ୍ୟ ଏକାଠି କାମ କରିପାରିବା। ଯେପରି ଆମେ ସାର କ୍ଷେତ୍ରରେ ମିଳିତ ଉଦ୍ୟମ କରୁଛୁ, ସେହିପରି ଆମେ ଅନ୍ୟ କ୍ଷେତ୍ରରେ ମଧ୍ୟ ଆଗକୁ ବଢ଼ିପାରିବା।
 

ବନ୍ଧୁଗଣ,
ଭିତ୍ତିଭୂମି ଏବଂ ନିର୍ମାଣ କ୍ଷେତ୍ର ଦ୍ରୁତ ବିକାଶ ପାଇଁ ଅତ୍ୟନ୍ତ ଆବଶ୍ୟକ। ଏହି କ୍ଷେତ୍ରଗୁଡ଼ିକରେ ଆମର ସହଯୋଗ ଆମକୁ ଗତି ଏବଂ ପରିମାଣ ଉଭୟ ପ୍ରଦାନ କରିବ।

ମହାମହିମ ଜୋର୍ଡାନରେ ରେଳପଥ ଏବଂ ପରବର୍ତ୍ତୀ ପିଢ଼ିର ଭିତ୍ତିଭୂମି ନିର୍ମାଣ ପାଇଁ ତାଙ୍କର ଦୃଷ୍ଟିକୋଣକୁ ସେୟାର କରିଛନ୍ତି। ମୁଁ ତାଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ, ଆମର କମ୍ପାନୀଗୁଡ଼ିକ ତାଙ୍କ ଦୃଷ୍ଟିକୋଣକୁ ସାକାର କରିବାକୁ ସକ୍ଷମ ଏବଂ ଆଗ୍ରହୀ।

ଗତକାଲି ଆମର ସାକ୍ଷାତ ସମୟରେ, ମହାମହିମ ସିରିଆରେ ଭିତ୍ତିଭୂମି ପୁନଃନିର୍ମାଣ ଆବଶ୍ୟକତା ବିଷୟରେ ମଧ୍ୟ କହିଥିଲେ। ଭାରତୀୟ ଏବଂ ଜୋର୍ଡାନ କମ୍ପାନୀଗୁଡ଼ିକ ଏହି ଆବଶ୍ୟକତା ପୂରଣ କରିବା ପାଇଁ ଏକାଠି କାମ କରିପାରିବେ।

ବନ୍ଧୁଗଣ,
ଆଜିର ବିଶ୍ୱ ସବୁଜ ଅଭିବୃଦ୍ଧି ବିନା ଅଗ୍ରଗତି କରିପାରିବ ନାହିଁ। ସ୍ୱଚ୍ଛ ଶକ୍ତି ଆଉ କେବଳ ଏକ ବିକଳ୍ପ ନୁହେଁ, ବରଂ ଏକ ଆବଶ୍ୟକତା। ଭାରତ ସୌର, ପବନ, ସବୁଜ ହାଇଡ୍ରୋଜେନ ଏବଂ ଶକ୍ତି ସଂରକ୍ଷଣରେ ଏକ ପ୍ରମୁଖ ନିବେଶକ। ଜୋର୍ଡାନରେ ମଧ୍ୟ ପ୍ରଚୁର ସମ୍ଭାବନା ଅଛି, ଯାହାକୁ ଆମେ ଏକାଠି ହୋଇ ଉନ୍ମୁକ୍ତ କରିପାରିବା।

ଏହିପରି ଅଟୋମୋବାଇଲ୍‌ ଏବଂ ମୋବିଲିଟି କ୍ଷେତ୍ର ମଧ୍ୟ ଅଛି। ଭାରତ ଆଜି ସୁଲଭ ଇଭି, ଦୁଇଚକିଆ ଯାନ ଏବଂ ସିଏନ୍‌ଜି ମୋବିଲିଟି ସମାଧାନରେ ବିଶ୍ୱର ଶୀର୍ଷ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ଏହି କ୍ଷେତ୍ରରେ ମଧ୍ୟ ଆମେ ସର୍ବାଧିକ ସହଯୋଗରେ କାମ କରିବା ଆବଶ୍ୟକ।

ବନ୍ଧୁଗଣ,
ଭାରତ ଏବଂ ଜୋର୍ଡାନ ଉଭୟ ସେମାନଙ୍କର ସଂସ୍କୃତି ଏବଂ ଐତିହ୍ୟ ଉପରେ ବହୁତ ଗର୍ବ କରନ୍ତି। ଉଭୟ ଦେଶରେ ଐତିହ୍ୟ ଏବଂ ସାଂସ୍କୃତିକ ପର୍ଯ୍ୟଟନର ମଧ୍ୟ ବିପୁଳ ସୁଯୋଗ ରହିଛି। ମୁଁ ବିଶ୍ୱାସ କରେ ଯେ, ଉଭୟ ଦେଶର ନିବେଶକମାନେ ଏହି ଦିଗରେ ଆଗକୁ ବଢ଼ିବା ଉଚିତ।

ଭାରତ ବହୁତ ସଂଖ୍ୟାରେ ଚଳଚ୍ଚିତ୍ର ନିର୍ମାଣ କରେ। ଏହି ଚଳଚ୍ଚିତ୍ରଗୁଡ଼ିକ ଜୋର୍ଡାନରେ ସୁଟିଂ ହେବା ଏବଂ ମିଳିତ ଚଳଚ୍ଚିତ୍ର ମହୋତ୍ସବ ଆୟୋଜନ କରିବା ପାଇଁ ଆମେ ଆବଶ୍ୟକୀୟ ପ୍ରୋତ୍ସାହନ ଯୋଗାଇ ପାରିବା। ଆମେ ଭାରତରେ ହେବାକୁ ଥିବା ପରବର୍ତ୍ତୀ ଓ୍ବେଭ୍‌ସ୍‌ (WAVES) ସମ୍ମିଳନୀରେ ଜୋର୍ଡାନରୁ ଏକ ବଡ଼ ପ୍ରତିନିଧିମଣ୍ଡଳୀ ଆଶା କରୁଛୁ।
 

ବନ୍ଧୁଗଣ,
ଭୂଗୋଳ ହେଉଛି ଜୋର୍ଡାନର ଶକ୍ତି, ଏବଂ ଭାରତରେ ଦକ୍ଷତା ଓ ପରିମାଣ ଉଭୟ ଉପଲବ୍ଧ। ଯେତେବେଳେ ଏହି ଶକ୍ତିଗୁଡ଼ିକ ଏକାଠି ହେବ, ଏହା ଉଭୟ ଦେଶର ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ପ୍ରଦାନ କରିବ।

ଉଭୟ ଦେଶର ସରକାରଙ୍କ ଦୃଷ୍ଟିକୋଣ ସ୍ପଷ୍ଟ। ଏବେ, ବ୍ୟବସାୟ ଜଗତର ଆପଣମାନଙ୍କୁ ଆପଣଙ୍କର କଳ୍ପନା, ନବସୃଜନ ଏବଂ ଉଦ୍ୟୋଗିତା ମାଧ୍ୟମରେ ଏହାକୁ ବାସ୍ତବତାରେ ପରିଣତ କରିବାକୁ ପଡିବ।

ଶେଷରେ, ମୁଁ ଆପଣଙ୍କୁ ପୁଣି ଥରେ ଏହା କହିବି।
ଆସ...
ଆସ ଏକାଠି ନିବେଶ କରିବା
ଏକତ୍ର ନୂତନତ୍ୱ ଆଣିବା
ଏବଂ ଏକାଠି ବିକାଶ କରିବା

ମହାମହିମ,
ମୁଁ ପୁଣିଥରେ ଆପଣଙ୍କୁ, ଜୋର୍ଡାନ ସରକାରଙ୍କୁ ଏବଂ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି।

'ଶୁକ୍ରାନ'।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharmaceutical sector records transformative growth over 12 years, strengthening affordable healthcare and self-reliance

Media Coverage

India’s pharmaceutical sector records transformative growth over 12 years, strengthening affordable healthcare and self-reliance
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 19, 2026
June 19, 2026

Appreciation for India’s Domestic Growth and Rising Global Influence under PM Modi’s Leadership