ଦେଶରେ ଭିତ୍ତିଭୂମି ବିକାଶର ବର୍ତ୍ତମାନର ଗତି ଏବଂ ବ୍ୟାପକତା ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା ସହ ଠିକ୍ ମେଳ ଖାଉଛି
"ସେଦିନ ଦୂର ନୁହେଁ ଯେତେବେଳେ ବନ୍ଦେ ଭାରତ ଦେଶର ପ୍ରତ୍ୟେକ ପ୍ରାନ୍ତକୁ ସଂଯୋଗ କରିବ"
"ଜି - ୨୦ ସଫଳତା ଭାରତର ଗଣତନ୍ତ୍ର, ଜନସଂଖ୍ୟା ଏବଂ ବିବିଧତାର ଶକ୍ତି ପ୍ରଦର୍ଶନ କରିଛି"
"ଭାରତ ଏହାର ବର୍ତ୍ତମାନ ଏବଂ ଭବିଷ୍ୟତର ଆବଶ୍ୟକତା ଗୁଡିକ ଉପରେ ଏକା ସହିତ କାର୍ଯ୍ୟ କରୁଛି"
ଆଗାମୀ ଦିନରେ ଅମୃତ ଭାରତ ଷ୍ଟେସନ ନୂଆ ଭାରତର ପରିଚୟ ପାଲଟିବ
ଏବେ ରେଳ ଷ୍ଟେସନର ଜନ୍ମଦିନ ପାଳନର ପରମ୍ପରାକୁ ଆହୁରି ବ୍ୟାପକ କରାଯିବ ଏବଂ ଏଥିରେ ଅଧିକରୁ ଅଧିକ ଲୋକ ସାମିଲ ହେବେ
ରେଳବାଇର ପ୍ରତ୍ୟେକ କର୍ମଚାରୀଙ୍କୁ ସହଜ ଯାତ୍ରା ପ୍ରତି ନିରନ୍ତର ସମ୍ବେଦନଶୀଳ ରହିବାକୁ ପଡିବ ଏବଂ ଯାତ୍ରୀ ମାନଙ୍କୁ ଏକ ଭଲ ଅନୁଭୂତି ପ୍ରଦାନ କରିବାକୁ ପଡିବ
ଭାରତୀୟ ରେଳବାଇ ଏବଂ ସମାଜରେ ପ୍ରତ୍ୟେକ ସ୍ତରରେ ଘଟୁଥିବା ପରିବର୍ତ୍ତନ ଏକ ବିକଶିତ ଭାରତ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ମୋର ବିଶ୍ୱାସ ରହିଛି

ନମସ୍କାର!

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ବିଭିନ୍ନ ରାଜ୍ୟଗୁଡ଼ିକର ରାଜ୍ୟପାଳ ଶ୍ରୀ, ଭିନ୍ନ- ଭିନ୍ନ ରାଜ୍ୟଗୁଡ଼ିକରେ ଉପସ୍ଥିତ ରହିଥିବା ମୁଖ୍ୟମନ୍ତ୍ରୀ ସାଥୀ, କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ମୋର ସଦସ୍ୟ, ରାଜ୍ୟଗୁଡ଼ିକର ମନ୍ତ୍ରୀ, ସାଂସଦଗଣ, ବିଧାୟକଗଣ, ଅନ୍ୟ ପ୍ରତିନିଧିଗଣ, ଆଉ ମୋର ପରିବାରଜନ,

ଦେଶରେ ଆଧୁନିକ ଯୋଗାଯୋଗର ବିସ୍ତାରର ଏହା ହେଉଛି ଅଦ୍ଭୂତପୂର୍ବ ଅବସର । ଭିତିଭୂମି ବିକାଶର ଏହି ଗତି ଏବଂ ମାତ୍ରା 140 କୋଟି ଭାରତୀୟଙ୍କର ଆକାଂକ୍ଷା ସହିତ ସମ୍ପୁର୍ଣ୍ଣ ମେଳ ଖାଉଛି । ଆଉ ଏହା ତ’ ଆଜିକାର ଭାରତ ଚାହୁଁଛି । ଏହା ତ’ ନୂତନ ଭାରତର ଯୁବକ, ଉଦ୍ୟମୀ, ମହିଳା, ପେଶାଦାର, ବ୍ୟବସାୟୀଗଣ, ଚାକିରୀ-ପେଶା ସହିତ ଜଡ଼ିତ ଲୋକମାନଙ୍କର ହେଉଛି ଆକାଂକ୍ଷା । ଆଜି ଏକା ସହିତ 9 ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ ହେବା ମଧ୍ୟ ହେଉଛି ଏହାର ଉଦାହରଣ । ଆଜି ଏକା ସହିତ ରାଜସ୍ଥାନ, ଗୁଜରାଟ, ବିହାର, ଝାଡ଼ଖଣ୍ଡ, ପଶ୍ଚିମ ବଙ୍ଗ, ଓଡ଼ିଶା, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, କର୍ଣ୍ଣାଟକ ଏବଂ କେରଳର ଲୋକମାନଙ୍କୁ ବନ୍ଦେଭାରତ ଏକ୍ସପ୍ରେସର ସୁବିଧା ମିଳିଛି । ଆଜି ଯେଉଁସବୁ ଟ୍ରେନଗୁଡ଼ିକର ଶୁଭାରମ୍ଭ କରାଯାଇଛି, ସେଗୁଡ଼ିକ ପୂର୍ବର ତୁଳନାରେ ହେଉଛି ଅଧିକ ଆଧୁନିକ ଏବଂ ଆରାମଦାୟକ । ଏହି ବନ୍ଦେଭାରତ ଟ୍ରେନ ନୂତନ ଭାରତର ନୂତନ ଉଦ୍ଦୀପନା, ନୂତନ ଉତ୍ସାହ ଏବଂ ନୂତନ ଉମଙ୍ଗର ହେଉଛି ପ୍ରତୀକ । ମୋତେ କେବଳ ଏହି କଥାର ମଧ୍ୟ ଖୁସି ଅନୁଭବ ହେଉଛି ଯେ ବନ୍ଦେଭାରତର କ୍ରେଜ କ୍ରମାଗତ ଭାବେ ବଢ଼ୁଛି । ଏହାଦ୍ୱାରା ଏପର୍ଯ୍ୟନ୍ତ ଏକ କୋଟି 11 ଲକ୍ଷରୁ ଅଧିକ ଯାତ୍ରୀ ଯାତ୍ରା କରି ସାରିଛନ୍ତି, ଆଉ ଏହି ସଂଖ୍ୟା ଦିନ ପ୍ରତିଦିନ ବଢ଼ି ଚାଲିଛି ।

ସାଥୀଗଣ,

ଦେଶର ଭିନ୍ନ- ଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ଲୋକମାନଙ୍କୁ ଏପର୍ଯ୍ୟନ୍ତ 25 ବନ୍ଦେ ଭାରତ ଟ୍ରେନର ସୁବିଧା ମିଳୁଥିଲା । ଏବେ ସେଥିରେ ଆଉ 9 ଟି ବନ୍ଦେଭାରତ ଏକ୍ସପ୍ରେସ ଯୋଡ଼ି ହୋଇଯିବ । ସେହିଦିନ ଆଉ ଦୂରରେ ନାହିଁ, ଯେତେବେଳେ ବନ୍ଦେଭାରତ ଦେଶର ପ୍ରତ୍ୟେକ ଅଂଚଳକୁ ଯୋଗାଯୋଗ କରୁଥିବ । ମୁଁ ଖୁସି ଯେ ବନ୍ଦେଭାରତ ଏକ୍ସପ୍ରେସ ନିଜର ଉଦ୍ଦେଶ୍ୟକୁ ସୂଚାରୁ ରୂପେ ସମ୍ପୂର୍ଣ୍ଣ କରୁଛି । ଏହି ଟ୍ରେନ ସେହି ଲୋକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ଯାଇଛି ଯେଉଁମାନେ ଯାତ୍ରାର ସମୟକୁ କମ୍ ରୁ ଅତି କମ୍ ରଖିବାକୁ ଚାହୁଁଛନ୍ତି । ଏହି ଟ୍ରେନ ସେହି ଲୋକମାନଙ୍କର ବହୁତ ବଡ଼ ଆବଶ୍ୟକତା ହୋଇ ଯାଇଛି, ଯେଉଁମାନେ ଅନ୍ୟ ସହରରେ କିଛି ଘଣ୍ଟାର କାମକୁ ଶେଷ କରି ସେହି ଦିନ ଫେରି ଆସିବାକୁ ଚାହାଁନ୍ତି । ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନଗୁଡ଼ିକ ପର୍ଯ୍ୟଟନ ଏବଂ ଆର୍ଥିକ କାର୍ଯ୍ୟକଳାପ ଗୁଡ଼ିକରେ ମଧ୍ୟ ଗତି ଆଣି ଆସିଛି । ଯେଉଁ ସ୍ଥାନ ପର୍ଯ୍ୟନ୍ତ ବନ୍ଦେଭାରତ ଏକ୍ସପ୍ରେସର ସୁବିଧା ପହଞ୍ଚୁୁଛି, ସେଠାରେ ପର୍ଯ୍ୟଟକମାନଙ୍କର ସଂଖ୍ୟା ବୃଦ୍ଧି ଘଟୁଛି । ପର୍ଯ୍ୟଟକମାନଙ୍କର ସଂଖ୍ୟା ବୃଦ୍ଧି ଘଟିବାର ଅର୍ଥ ହେଉଛି ସେଠାରେ ବ୍ୟବସାୟୀମାନଙ୍କର, ଦୋକାନୀମାନଙ୍କର ଆୟରେ ମଧ୍ୟ ବୃଦ୍ଧି ଘଟୁଛି । ଏହାଦ୍ୱାରା ସେଠାରେ ରୋଜଗାରର ନୂତନ ସୁଯୋଗ ମଧ୍ୟ ପ୍ରସ୍ତୁତ ହେଉଛି ।

ମୋର ପରିବାରଜନ,

ଭାରତରେ ଆଜି ଯେଉଁ ଉତ୍ସାହ ଏବଂ ଆତ୍ମବିଶ୍ୱାସର ବାତାବରଣ ସୃଷ୍ଟି ହୋଇଛି, ସେପରି ବିଗତ କେତେ ଦଶକରେ ସୃଷ୍ଟି ହୋଇ ପାରି ନଥିଲା । ଆଜି ପ୍ରତ୍ୟେକ ଭାରତବାସୀ ନିଜର ନୂତନ ଭାରତର ଉପଲବ୍ଧି ଦ୍ୱାରା ଗୌରବାନ୍ୱିତ ହେଉଛନ୍ତି । ଚନ୍ଦ୍ରଯାନ-3ର ସଫଳତା ସାଧାରଣ ମଣିଷଙ୍କର ଆଶାକୁ ଆକାଶରେ ନେଇ ପହଞ୍ଚାଇ ଦେଇଛି । ଆଦିତ୍ୟ L-1ର ଶୁଭାରମ୍ଭ ବା ଯାତ୍ରା ଆମକୁ ସାହସ ପ୍ରଦାନ କରିଛି ଯେ ଯଦି ନିଜର ଦୃଢ଼ ଇଚ୍ଛାଶକ୍ତି ରହିଥିବ, ତେବେ କଠିନରୁ କଠିନ ଲକ୍ଷ୍ୟକୁ ମଧ୍ୟ ହାସଲ କରା ଯାଇପାରେ । G-20 ସମ୍ମେଳନର ସଫଳତା ଏହି ବିଶ୍ୱାସ ପ୍ରଦାନ କରିଛି ଯେ ଭାରତ ପାଖରେ ଗଣତନ୍ତ୍ର, ଜନସଂଖ୍ୟା ଏବଂ ବିବିଧତାର କେତେ ଅଦ୍ଭୂତ ଶକ୍ତି ରହିଛି । ଆଜି ଭାରତର କୁଟନୈତିକ କୌଶଳର ଚର୍ଚ୍ଚା ସାରା ବିଶ୍ୱରେ ହେଉଛି । ଆମର ନାରୀ- କୈନ୍ଦ୍ରିକ ବିକାଶର ଦୃଷ୍ଟିଭଙ୍ଗୀକୁ ସମଗ୍ର ବିଶ୍ୱ ପ୍ରଶଂସା କରୁଛି । ନିଜର ଏହି ଦୃଷ୍ଟିଭଙ୍ଗୀକୁ ନେଇ ଆଗକୁ ବଢ଼ି ସରକାର ସଂସଦରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଉପସ୍ଥାପନ କରିଛନ୍ତି । ନାରୀ ଶକ୍ତି ବନ୍ଦନ ଅଧିନିୟମ ଆସିବା ପରେ ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନଙ୍କର ଯୋଗଦାନ ଆଉ ସେମାନଙ୍କର ବୃଦ୍ଧି ପାଉଥିବା ଭୂମିକାକୁ ନେଇ ଚର୍ଚ୍ଚା ହେଉଛି । ଆଜି ଅଧିକାଂଶ ରେଳ ଷ୍ଟେସନଗୁଡ଼ିକର ସଂଚାଳନ ମଧ୍ୟ ସମ୍ପୂର୍ଣ୍ଣ ଭାବେ ମହିଳା କର୍ମଚାରୀମାନଙ୍କ ଦ୍ୱାରା କରାଯାଉଛି । ମୁଁ ଏଭଳି ପ୍ରୟାସ ଗୁଡ଼ିକ ପାଇଁ ରେଳବାଇର ପ୍ରଶଂସା କରୁଛି, ଦେଶର ସମସ୍ତ ମହିଳାମାନଙ୍କୁ ନାରୀ ଶକ୍ତି ବନ୍ଦନ ଅଧିନିୟମ ପାଇଁ ପୁଣି ଥରେ ଶୁଭେଚ୍ଛା ଜଣାଉଛି ।

ଆତ୍ମବିଶ୍ୱାସରେ ଭରି ରହିଥିବା ଏହି ବାତାବରଣ ମଧ୍ୟରେ, ଅମୃତକାଳର ଭାରତ, ନିଜର ବର୍ତ୍ତମାନ ଏବଂ ଭବିଷ୍ୟତର ଆବଶ୍ୟକତା ଗୁଡ଼ିକ ଉପରେ ଏକା ସାଙ୍ଗରେ କାର୍ଯ୍ୟ କରୁଛି। ଭିତ୍ତିଭୂମିର ଯୋଜନାରୁ ନେଇ କାର୍ଯ୍ୟକାରିତା ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଅଂଶୀଦାରମାନଙ୍କ ମଧ୍ୟରେ ଉପଯୁକ୍ତ ତାଳମେଳ ରହୁ, ଏଥିପାଇଁ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି । ଦେଶରେ ପରିବହନ ଜନିତ ଖର୍ଚ୍ଚ କମ ହେଉ, ଆମର ରପ୍ତାନୀ ଜନିତ ଖର୍ଚ୍ଚ କମରୁ ଅତି କମ୍ ହେଉ, ଏଥିପାଇଁ ନୂତନ ଲଜିଷ୍ଟିକ ନୀତି ଲାଗୁ କରାଯାଇଛି । ଦେଶରେ ପରିବହନର ଏକ ମାଧ୍ୟମ, ଅନ୍ୟକୁ ସହାୟତା କରୁ, ଏଥିପାଇଁ ବହୁ- ମଡେଲ ଯୋଗାଯୋଗ ଉପରେ ଗୁରୁତ୍ୱ ଦିଆଯାଉଛି । ଏହି ସମସ୍ତ ପ୍ରୟାସ ଗୁଡ଼ିକର ବଡ଼ ଲକ୍ଷ୍ୟ ହେଉଛି ଏହା ଯେ, ଭାରତର ନାଗରିକମାନଙ୍କ ପାଇଁ ଯାତ୍ର ସୁଗମତା ବଢ଼ୁ, ତାଙ୍କର ମୂଲ୍ୟବାନ ସମୟ ସଞ୍ଚୟ ହେଉ । ଏହି ବନ୍ଦେଭାରତ ଟ୍ରେନ ହେଉଛି ଏହି ଭାବନାର ଏକ ପ୍ରତିବିମ୍ବ ।

ସାଥୀଗଣ,

ଭାରତୀୟ ରେଳବାଇ, ହେଉଛି ଦେଶର ଗରିବ ଏବଂ ମଧ୍ୟମ ବର୍ଗର ସବୁଠାରୁ ବିଶ୍ୱସ୍ତ ସହଯାତ୍ରୀ । ଆମର ଏଠାରେ ଗୋଟିଏ ଦିନରେ ଟ୍ରେନରେ ଯେତିକି ଲୋକ ଯାତ୍ରା କରନ୍ତି, ସେତିକି ତ’ କେତେକ ଦେଶର ଜନସଂଖ୍ୟା ମଧ୍ୟ ହୋଇ ନ ଥିବ । ଏହା ଦୁର୍ଭାଗ୍ୟପୂର୍ଣ୍ଣ ରହିଥିଲା ଯେ ପୂର୍ବରୁ ଭାରତୀୟ ରେଳବାଇକୁ ଆଧୁନିକ କରିବା ଉପରେ ସେତେ ଧ୍ୟାନ ଦିଆ ଗଲା ନାହିଁ । କିନ୍ତୁ ଏବେ ଆମ ସରକାର, ଭାରତୀୟ ରେଳବାଇର କାୟାକଳ୍ପରେ ଲାଗି ପଡ଼ିଛନ୍ତି । ସରକାର ରେଳ ବଜେଟରେ ଅଦ୍ଭୂତପୂର୍ବ ବୃଦ୍ଧି କରିଛନ୍ତି। 2014ରେ ରେଳବାଇର ଯେତିକି ବଜେଟ ଥିଲା, ଚଳିତ ବର୍ଷ ସେଥିରେ 8ଗୁଣ ଅଧିକ ବଜେଟ ଦିଆଯାଇଛି । ରେଳ ଲାଇନଗୁଡ଼ିର ଦୋହରୀକରଣ ହେଉ, ବିଜୁଳୀକରଣ ହେଉ, ନୂତନ ଟ୍ରେନଗୁଡ଼ିକର ଚଳାଚଳ ହେଉ, ନୂତନ ରେଳ ପଥ ନିର୍ମାଣ ହେଉ, ଏହି ସବୁ ଉପରେ ଦ୍ରୁତ ଗତିରେ କାର୍ଯ୍ୟ ହେଉଛି ।

ସାଥୀଗଣ,

ଭାରତୀୟ ରେଳରେ ଯାତ୍ରୀମାନଙ୍କ ପାଇଁ ଯଦି ଟ୍ରେନ, ଚଳନ୍ତା ଗତିଶୀଳ ଘର ହୋଇଥାଏ ତେବେ ଆମର ରେଲୱେ ଷ୍ଟେସନ ମଧ୍ୟ ସେମାନଙ୍କର ଅସ୍ଥାୟୀ ଘର ଭଳି ହୋଇଥାଏ । ଆପଣ ଆଉ ଆମେ ଜାଣିଛନ୍ତି ଯେ ଆମର ଏଠାରେ ହଜାର- ହଜାର ଏଭଳି ରେଳ ଷ୍ଟେସନ ରହିଛି ଯାହା ପରାଧୀନତାର ସମୟର, ଯେଉଁଗୁଡ଼ିକରେ ସ୍ୱାଧୀନତାର 75 ବର୍ଷ ପରେ ମଧ୍ୟ ବହୁତ ପରିବର୍ତ୍ତନ ଆସି ନ ଥିଲା । ବିକଶିତ ହେଉଥିବା ଭାରତକୁ ଏବେ ନିଜର ରେଳ ଷ୍ଟେସନଗୁଡ଼ିକୁ ମଧ୍ୟ ଆଧୁନିକ କରିବାକୁ ହିଁ ହେବ । ଏହି ଚିନ୍ତାଧାରା ସହିତ ପ୍ରଥମ ଥର ପାଇଁ ଭାରତରେ ରେଳ ଷ୍ଟେସନ ଗୁଡ଼ିକର ବିକାଶ ଏବଂ ଆଧୁନିକୀକରଣର ଅଭିଯାନ ଆରମ୍ଭ କରାଯାଇଛି । ଆଜି ଦେଶରେ ରେଳ ଯାତ୍ରୀମାନଙ୍କର ସୁବିଧା ପାଇଁ ରେକର୍ଡ ସଂଖ୍ୟାରେ ପାଦଚଲା ଓଭର ବ୍ରିଜ, ଲିଫ୍ଟସ ଏବଂ ଏସକାଲେଟର୍ସର ନିର୍ମାଣ ହେଉଛି । କିଛି ଦିନ ପୂର୍ବରୁ ହିଁ ଦେଶର ୫୦୦ରୁ ଅଧିକ ବଡ଼ ଷ୍ଟେସନଗୁଡ଼ିକର ବିକାଶର କାର୍ଯ୍ୟ ଆରମ୍ଭ କରାଯାଇଛି । ଅମୃତକାଳରେ ନିର୍ମାଣ କରାଯାଇଥିବା ଏହି ନୂତନ ଷ୍ଟେସନ ଅମୃତ ଭାରତ ଷ୍ଟେସନ ଭାବେ ପରିଚିତ ହେବେ । ଏହି ଷ୍ଟେସନଗୁଡ଼ିକ ଆଗାମୀ ଦିନମାନଙ୍କରେ, ନୂତନ ଭାରତର ପରିଚୟ ଭାବେ ଉଭା ହେବେ ।

ମୋର ପରିବାରଜନ,

ରେଳ ଷ୍ଟେସନ କେଉଁଠାରେ ମଧ୍ୟ ହେଉ, ତାହାର ଏକ ପ୍ରତିଷ୍ଠା ଦିବସ ନିଶ୍ଚିତ ହେବା ଆବଶ୍ୟକ, ଜନ୍ମଦିନ ଆବଶ୍ୟକ ହୋଇଥାଏ । ମୁଁ ଏହି କଥାକୁ ନେଇ ଖୁସି ଯେ, ଏବେ ରେଳବାଇ, ରେଳ ଷ୍ଟେସନର ଜନ୍ମୋତ୍ସବ ଅର୍ଥାତ ସ୍ଥାପନା ଦିବସ ପାଳନ କରିବା ଆରମ୍ଭ କରିଛି । ନିକଟରେ ତାମିଲନାଡୁରେ କୋଏମ୍ବାଟୁର, ମୁମ୍ବଇର ଛତ୍ରପତି ଶିବାଜୀ ଟର୍ମିନସ, ପୁଣେ ସମେତ ଅନେକ ଷ୍ଟେସନରେ ସ୍ଥାପନା ଦିବସ ପାଳନ କରାଯାଇଛି । କୋଏମ୍ବାଟୁର ରେଳ ଷ୍ଟେସନ ଯାତ୍ରୀମାନଙ୍କୁ ସେବା ଯୋଗାଇବାର 150 ବର୍ଷ ପୂରଣ କରିଛି । ଏହି ଉପଲବ୍ଧି ପାଇଁ ସେଠାକାର ଲୋକଙ୍କୁ ଗର୍ବ ହେବା ହେଉଛି ସ୍ୱଭାବିକ କଥା। ଏବେ ରେଳ ଷ୍ଟେସନ ଗୁଡିକର ଜନ୍ମଦିବସ ପାଳନ କରିବାର ଏହି ପରମ୍ପରାକୁ ଆହୁରି ବିସ୍ତାର କରାଯିବ, ଏହା ସହିତ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରାଯିବ ।    

ମୋର ପରିବାରଜନ,

ଅମୃତକାଳରେ ଦେଶ, ଏକ ଭାରତ- ଶ୍ରେଷ୍ଠ ଭାରତର ଦୃଷ୍ଟିଭଙ୍ଗୀର ସଂକଳ୍ପ ନେଇ ସିଦ୍ଧିର ମାଧ୍ୟମ କରିଛି । 2047 ସୁଦ୍ଧା ଦେଶ ଯେତେବେଳେ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବ । 2047 ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରତ୍ୟେକ ରାଜ୍ୟର, ପ୍ରତ୍ୟେକ ରାଜ୍ୟର ଲୋକଙ୍କର ବିକାଶ ମଧ୍ୟ ହେଉଛି ସେତିକି ଜରୁରୀ । ପୂର୍ବ ସରକାର ଗୁଡିକରେ ଯେତେବେଳେ କ୍ୟାବିନେଟ ଗଠନ ହେଉଥିଲା, ସେତେବେଳେ ଏହି କଥାକୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚା ହେଉଥିଲା ଯେ ରେଳ ମନ୍ତ୍ରଣାଳୟ କାହାକୁ ମିଳିବ । ଧରି ନିଆ ଯାଉଥିଲା ଯେ ରେଳ ମନ୍ତ୍ରୀ ଯେଉଁ ରାଜ୍ୟରୁ ହେବେ, ସେହି ରାଜ୍ୟରେ ଅଧିକ ଟ୍ରେନ ଚାଲିବ । ଆଉ ସେଥିରେ ମଧ୍ୟ ଏହା ହେଉଥିଲା ଯେ ନୂତନ ଟ୍ରେନଗୁଡିକ ସଂପର୍କରେ ଘୋଷଣାମାନ ତ’ କରାଯାଉଥିଲା କିନ୍ତୁ ବହୁତ କମ୍ ଟ୍ରେନ ଧରଣା ଉପରକୁ ଆସୁଥିଲା । ଏହି ସ୍ୱାର୍ଥ ସମ୍ବଳିତ ଚିନ୍ତାଧାରା କେବଳ ରେଳବାଇକୁ ନୁହେଁ, ଦେଶକୁ ବହୁତ ବଡ଼ କ୍ଷତି ପହଞ୍ଚାଇଛି । ଦେଶର ଲୋକମାନଙ୍କର କ୍ଷତି କରିଛି । ଏବେ ଦେଶ କୌଣସି ରାଜ୍ୟକୁ ପଛରେ ରଖିବାର ବିପଦ ଉଠାଇବାକୁ ଚାହୁଁନାହିଁ । ଆମକୁ ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶର ଦୃଷ୍ଟିଭଙ୍ଗୀ ସହିତ ଆଗକୁ ବଢିଚାଲିବାକୁ ହେବ ।

ମୋର ପରିବାରଜନ,

ଆଜି ମୁଁ ଭାରତୀୟ ରେଳବାଇର ନିଜସ୍ୱ ପରିଶ୍ରମୀ କର୍ମଚାରୀମାନଙ୍କୁ ମଧ୍ୟ ଗୋଟିଏ କଥା କହିବି । ଯେତେବେଳେ କେହି ଅନ୍ୟ କୌଣସି ଦୂର ସହର ଅବା ଦୂର ସ୍ଥାନରୁ ଯାତ୍ରା ଶେଷ କରି ଆସୁଛନ୍ତି, ସେତେବେଳେ ସର୍ବ ପ୍ରଥମେ ଏହା ପଚରାଯାଏ କି ଯାତ୍ରା କିପରି ଥିଲା । ସେହି ବ୍ୟକ୍ତି କେବଳ ନିଜର ଯାତ୍ରାର ଅନୁଭବ କହି ନ ଥାନ୍ତି, ସେ ଘରୁ ବାହାରି ଯିବାଠାରୁ ଆରମ୍ଭ କରି ଲକ୍ଷ୍ୟ ସ୍ଥଳରେ ପହଞ୍ôଚଞ୍ଚିବାର ସମସ୍ତ କଥା କହିଥାନ୍ତି । ସେ କହିଥାନ୍ତି ରେଳ ଷ୍ଟେସନ କେତେ ବଦଳି ଯାଇଛି, ସେ କହିଥାନ୍ତି ଟ୍ରେନ ଗୁଡିକର      ପରିଚାଳନା କେତେ ବ୍ୟବସ୍ଥିତ ହୋଇ ଯାଇଛି । ତାଙ୍କର ଅନୁଭବରେ ଟିଟିର ବ୍ୟବହାର, ତାଙ୍କ ହାତରେ କାଗଜ ବଦଳରେ ଟ୍ୟାବଲେଟ, ସୁରକ୍ଷାର ବ୍ୟବସ୍ଥା, ଖାଦ୍ୟର ଗୁଣବତ୍ତା, ସମସ୍ତ ପ୍ରକାରର କଥା ହୋଇଥାଏ । ଏଥି ପାଇଁ ଆପଣମାନଙ୍କୁ, ରେଳବାଇର ପ୍ରତ୍ୟେକ କର୍ମଚାରୀ, ଯାତ୍ରା ସୁଗମତା ପାଇଁ, ଯାତ୍ରୀମାନଙ୍କୁ ଭଲ ଅନୁଭବ ଦେବା ପାଇଁ, କ୍ରମାଗତ ଭାବେ ସମ୍ବେଦନଶୀଳ ରହିବାକୁ ହୋଇଥାଏ । ଆଉ ଆଜିକାଲି ଯେତେବେଳେ ଏହି କଥା ଶୁଣିବାକୁ ମିଳିଥାଏ ଏତେ ଭଲ ହେଲା, ଏତେ ଭଲ ହେଲା, ଏତେ ଭଲ ହେଲା ସେତେବେଳେ ମନକୁ ବହୁତ ଖୁସି ମିଳିଥାଏ । ଆଉ ଏଥିପାଇଁ, ମୁଁ ଏଭଳି ଯେଉଁ ପ୍ରତିବଦ୍ଧ କର୍ମଚାରୀ ଅଛନ୍ତି, ସେମାନଙ୍କୁ ମଧ୍ୟ ଆନ୍ତରିକତାର ସହ ଶୁଭେଚ୍ଛା ଜଣାଉଛି ।       

ମୋର ପରିବାରଜନ,

ଭାରତୀୟ ରେଳବାଇ ସ୍ୱଚ୍ଛତାକୁ ନେଇ ଯେଉଁ ନୂତନ ପ୍ରତିମାନ ପ୍ରତିଷ୍ଠା କରିଛି, ତାକୁ ମଧ୍ୟ ପ୍ରତ୍ୟେକ ଦେଶବାସୀ ଧ୍ୟାନ ଦେଇଛନ୍ତି । ପୁର୍ବ ଅପେକ୍ଷା  ଏବେ ଆମର ଷ୍ଟେସନ, ଆମର ଟ୍ରେନ କେତେ ଅଧିକ ପରିସ୍କାର ପରିଚ୍ଛନ୍ନ ହେବାରେ ଲାଗିଛି । ଆପଣମାନେ ଜାଣିଛନ୍ତି ଗାନ୍ଧୀ ଜୟନ୍ତୀ ବେଶୀ ଦୂର ନୁହେଁ । ସ୍ୱଚ୍ଛତା ପ୍ରତି ଗାନ୍ଧିଜୀଙ୍କର ଯେଉଁ ଆଗ୍ରହ ଥିଲା, ତାହା ମଧ୍ୟ ଆମେ ଜାଣିଛୁ । ସ୍ୱଚ୍ଛତା ପାଇଁ କରାଯାଇଥିବା ପ୍ରତ୍ୟେକ ପ୍ରୟାସ ହେଉଛି ଗାନ୍ଧିଜୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି । ଏହି ଭାବନା ସହିତ ଏବେ କିଛିଦିନ ପରେ, ଅକ୍ଟୋବର ଏକ ତାରିଖ ସକାଳ ୧୦ଟାରେ ସ୍ୱଚ୍ଛତା ଉପରେ ଏକ ବହୁତ ବଡ଼ ଆୟୋଜନ ହେବାକୁ ଯାଉଛି । ଦେଶର କୋଣ- ଅନୁକୋଣରେ ହେଉଛି ଏବଂ ଦେଶବାସୀଙ୍କ ନେତୃତ୍ୱରେ ହେଉଛି । ମୋର ଆପଣମାନଙ୍କୁ ଅନୁରୋଧ, ବହୁତ ବହୁତ ଅନୁରୋଧ ମଧ୍ୟ ଯେ, ଆପଣମାନେ ମଧ୍ୟ ସ୍ୱଚ୍ଛତାର ଏହି ଅଭିଯାନ ସହିତ ନିଶ୍ଚିତ ସାମିଲ ହୁଅନ୍ତୁ । ଏକ ତାରିଖ 10ଟା ସମୟରେ ଆଉ ଏବେ ଠାରୁ ପକ୍କା କରି ନିଅନ୍ତୁ । ଗାନ୍ଧୀ ଜୟନ୍ତୀରେ ପ୍ରତ୍ୟେକ ଦେଶବାସୀ ଖଦୀ ଏବଂ ସ୍ୱଦେଶୀ ଉତ୍ପାଦ କିଣିବାର ମନ୍ତ୍ର ମଧ୍ୟ ଦୋହରାଇବା ଉଚିତ । ଅକ୍ଟୋବର 2 ତାରିଖରେ ହେଉଛି ଗାନ୍ଧୀ ଜୟନ୍ତୀ, ଅକ୍ଟୋବର 31 ତାରିଖରେ ହେଉଛି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ । ଏକ ପ୍ରକାରରେ ସମ୍ପୁର୍ଣ୍ଣ ମାସରେ ଆମେ ଯତ୍ନ ପୂର୍ବକ ଖଦୀ କିଣିବା, ହସ୍ତତନ୍ତ କିଣିବା, ହସ୍ତଶିଳ୍ପ କିଣିବା । ଆମକୁ ଲୋକାଲ ପାଇଁ ଅଧିକରୁ ଅଧିକ ଭୋକାଲ ହେବା ଆବଶ୍ୟକ ।         

ସାଥୀଗଣ,

ମୋର ବିଶ୍ୱାସ ଯେ, ଭାରତୀୟ ରେଳ ଏବଂ ସମାଜର ପ୍ରତ୍ୟେକ ସ୍ତରରେ ହେଉଥିବା ପରିବର୍ତ୍ତନ ବିକଶିତ ଭାରତ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ । ମୁଁ ପୁଣି ଥରେ ନୂତନ ବନ୍ଦେ ଭାରତ ଟ୍ରେନ ଗୁଡିକ ପାଇଁ ଦେଶବାସୀଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି ।

ବହୁତ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India among Asia's fastest-growing green economies with $110 billion revenue in 2025: LSEG

Media Coverage

India among Asia's fastest-growing green economies with $110 billion revenue in 2025: LSEG
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 26, 2026
June 26, 2026

From Buyer to Supplier: PM Modi's India Achieves Record Defence Exports, Tech Investments & Strategic Autonomy