ସ୍ୱାଧୀନତାର ୭୫ ବର୍ଷ ପୂରଣ ହେବା ଅବସରରେ ଦେଶବାସୀଙ୍କୁ ଅନେକ ଅନେକ ଶୁଭକାମନା । ଅନେକ ଅନେକ ଶୁଭେଚ୍ଛା । କେବଳ ଭାରତର ପ୍ରତ୍ୟେକ କୋଣରେ ନୁହେଁ, ବରଂ ବିଶ୍ୱର ପ୍ରତ୍ୟେକ କୋଣ ଅନୁକୋଣରେ ଆଜି କୌଣସି ନା କୌଣସି ପ୍ରକାରରେ ଭାରତୀୟମାନଙ୍କ ଦ୍ୱାରା କିମ୍ବା ଭାରତକୁ ଅପାର ସ୍ନେହ କରୁଥିବା ଲୋକମାନଙ୍କ ଦ୍ୱାରା ସମ୍ମାନର ସହିତ ଆମ ତ୍ରିରଙ୍ଗା ଉତ୍ତୋଳନ କରାଯାଇଛି । ମୁଁ ସାରା ବିଶ୍ୱରେ ଥିବା ଭାରତପ୍ରେମୀମାନଙ୍କୁ, ଭାରତୀୟମାନଙ୍କର ସ୍ୱାଧୀନତାର ଏହି ଅମୃତ ମହୋତ୍ସବରେ ଅନେକ ଅନେକ ଶୁଭକାମନା ଜଣାଉଛି ।

ଆଜିର ଏ ଦିନ ଐତିହାସିକ । ଏକ ପୁଣ୍ୟମୟ ପର୍ଯ୍ୟାୟ, ଏକ ନୂତନ ମାର୍ଗ, ଏକ ନୂତନ ସଂକଳ୍ପ ଏବଂ ନୂତନ ସାମର୍ଥ୍ୟ ସହିତ ଆଗକୁ ପାଦ ବଢ଼ାଇବା ଲାଗି ଏହା ଏକ ଶୁଭ ଅବସର । ପରାଧୀନତାର ସମ୍ପୂର୍ଣ୍ଣ କାଳଖଣ୍ଡ ସଂଘର୍ଷରେ, ସ୍ୱାଧୀନତା ପାଇଁ ଲଢ଼େଇରେ ବିତିଛି । ପରାଧୀନତା ବିରୋଧରେ ଦେଶବାସୀଙ୍କୁ ଶହ ଶହ ବର୍ଷ ଲଢ଼େଇ କରିବାକୁ ପଡ଼ିଥିଲା । ଭାରତର କୌଣସି ଗୋଟିଏ କୋଣ, ପରାଧୀନତାର କୌଣସି ଗୋଟିଏ ମୁହୂର୍ତ୍ତ ଏ ସଂଘର୍ଷରୁ ବାଦ୍‌ ପଡ଼ିନଥିଲା। ଦେଶର ସ୍ୱାଧୀନତା ସଂଗ୍ରାମୀମାନେ ଏଥିପାଇଁ ନିଜ ଜୀବନକୁ ସମର୍ପି ଦେଇଥିଲେ, ଅନେକ ଯାତନା ଭୋଗିଥିଲେ, ଅନେକ ଆହୂତି ଦେଇଥିଲେ ।  ଆଜି ଆମ ସମସ୍ତ ଦେଶବାସୀଙ୍କ ପାଇଁ ଏପରି ବଳିଦାନ ଦେଇଥିବା ସବୁ ମହାପୁରୁଷ, ସବୁ ତ୍ୟାଗୀ ଏବଂ ସବୁ ବଳିଦାନୀମାନଙ୍କୁ ପ୍ରଣାମ କରିବାର ଅବସର ଆସିଛି । ସେମାନଙ୍କ ଋଣକୁ ସ୍ୱୀକାର କରିବା ଏବଂ ସେମାନଙ୍କୁ ସ୍ମରଣ କରିବାର ସମୟ ଆସିଛି ।  ଏହା ମଧ୍ୟ ସେମାନଙ୍କ ସ୍ୱପ୍ନକୁ ଯଥାଶୀଘ୍ର ପୂରଣ କରିବାର ଏକ ଅବସର । ଆମେ ସବୁ ଦେଶବାସୀ ପୂଜ୍ୟ ବାପୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ବାବା ସାହେବ ଆମ୍ବେଦକର, ବୀର ସାଭରକରଙ୍କ ପ୍ରତି କୃତଜ୍ଞ, ଯେଉଁମାନେ କର୍ତ୍ତବ୍ୟ ପଥରେ ନିଜ ଜୀବନକୁ ସମର୍ପି ଦେଇଥିଲେ । କର୍ତ୍ତବ୍ୟ ପଥ ହିଁ ସେମାନଙ୍କର ଜୀବନ ପଥ ଥିଲା । ମଙ୍ଗଲ ପାଣ୍ଡେ, ତାତ୍ୟା ଟୋପେ, ଭଗତ ସିଂ, ସୁଖଦେବ, ରାଜଗୁରୁ, ଚନ୍ଦ୍ରଶେଖର ଆଜାଦ, ଅଶଫାକ ଉଲ୍ଲା ଖାଁ, ରାମପ୍ରସାଦ ବିସମିଲ ଏବଂ ଏପରି ଅଗଣିତ କ୍ରାନ୍ତି ବୀରମାନେ ବ୍ରିଟିଶ ଶାସନର ମୂଳଦୁଆକୁ ଦୋହଲାଇ ଦେଇଥିଲେ । ଦେଶ ଏମାନଙ୍କ ପ୍ରତି କୃତଜ୍ଞ । ରାଣୀ ଲକ୍ଷ୍ମୀବାଇ, ଝଲକାରୀ ବାଇ, ଦୁର୍ଗା ଭାଭୀ, ରାଣୀ ଗାଇଦିନ୍ଲୁ, ରାଣୀ ଚେନ୍ନମ୍ମା, ବେଗମ ହଜରତ ମହଲ, ଭେଲୁ ନାଚ୍ଚିୟାର ପ୍ରମୁଖ ବୀରାଙ୍ଗନାମାନେ ଭାରତର ନାରୀ ଶକ୍ତିର ସାମର୍ଥ୍ୟ ଦେଖାଇ ଦେଇଥିଲେ । ସେମାନଙ୍କ ପ୍ରତି ମଧ୍ୟ ଆଜି ରାଷ୍ଟ୍ର କୃତଜ୍ଞତା ବ୍ୟକ୍ତ କରୁଛି ।

ଭାରତର ନାରୀ ଶକ୍ତି କିଭଳି ସଂକଳ୍ପ ନେଇପାରନ୍ତି, ଭାରତର ନାରୀମାନେ କିଭଳି ତ୍ୟାଗ ଏବଂ ବଳିଦାନର ପରାକାଷ୍ଠା ପ୍ରଦର୍ଶନ କରିପାରନ୍ତି, ତାହା ଏମାନଙ୍କ ଭଳି ଅଗଣିତ ବୀରାଙ୍ଗନାମାନେ ପ୍ରମାଣିତ କରିଛନ୍ତି । ସେମାନଙ୍କ ସ୍ମୃତିଚାରଣ କରି ଆଜି ପ୍ରତ୍ୟେକ ଭାରତବାସୀ ଗର୍ବ ଅନୁଭବ କରୁଛନ୍ତି । ସ୍ୱାଧୀନତା ସଂଗ୍ରାମରେ ଲଢ଼େଇ କରିଥିବା ଏବଂ ସ୍ୱାଧୀନତା ପରେ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଦେଇଥିବା ଡକ୍ଟର ରାଜେନ୍ଦ୍ର ପ୍ରସାଦ, ନେହରୁ ଜୀ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଶ୍ୟାମା ପ୍ରସାଦ ମୁଖାର୍ଜୀ, ଲାଲ ବାହାଦୂର ଶାସ୍ତ୍ରୀ, ଦୀନଦୟାଲ ଉପାଧ୍ୟାୟ, ଜୟପ୍ରକାଶ ନାରାୟଣ, ରାମ ମନୋହର ଲୋହିୟା, ଆଚାର୍ଯ୍ୟ ବିନୋବା ଭାବେ, ନାନାଜୀ ଦେଶମୁଖ, ସୁବ୍ରମଣ୍ୟମ ଭାରତୀଙ୍କ ଭଳି ଅଗଣିତ ମହାପୁରୁଷମାନଙ୍କୁ ଆଜି ପ୍ରଣାମ କରିବାର ଅବସର ।

ଆଜି ଆମେ ଯେତେବେଳେ ସ୍ୱାଧୀନତା ସଂଗ୍ରାମ ବିଷୟରେ ଆଲୋଚନା କରୁଛୁ, ସେତେବେଳେ ଆମ ଜଙ୍ଗଲରେ ଜୀବନ ବିତାଉଥିବା ଜନଜାତି ସମାଜର ଗୌରବକୁ ମଧ୍ୟ ଆମେ ଭୁଲି ପାରିବା ନାହିଁ । ଭଗବାନ ବିର୍ସା ମୁଣ୍ଡା, ସିଦ୍ଧୁ କାହ୍ନୁ, ଅଲ୍ଲୁରୀ ସୀତାରାମ ରାଜୁ, ଗୋବିନ୍ଦ ଗୁରୁଙ୍କ ଭଳି ଅଗଣିତ ବୀରମାନେ ସ୍ୱାଧୀନତା ଆନ୍ଦୋଳନର ସ୍ୱର ସାଜି ଦୂର-ସୁଦୂର ଜଙ୍ଗଲରେ ମଧ୍ୟ… ମୋ ଆଦିବାସୀ ଭାଇଭଉଣୀ, ମୋ ମା’ମାନଙ୍କୁ, ମୋ ଦେଶର ଯୁବକମାନଙ୍କୁ ମାତୃଭୂମି ପାଇଁ ଜୀବନ ସମର୍ପି ଦେବା ଲାଗି ପ୍ରେରଣା ଦେଇଥିଲେ । ସ୍ୱାଧୀନତା ସଂଗ୍ରାମର ଅନେକ ରୂପ ରହିଥିଲା, ଏହା ଦେଶ ପାଇଁ ସୌଭାଗ୍ୟର ବିଷୟ । ଏମିତି ଗୋଟିଏ ରୂପରେ ନାରାୟଣ ଗୁରୁ, ସ୍ୱାମୀ ବିବେକାନନ୍ଦ, ମହର୍ଷି ଅରବିନ୍ଦ, ଗୁରୁଦେବ ରବିନ୍ଦ୍ର ନାଥ ଟାଗୋରଙ୍କ ଭଳି ମହାପୁରୁଷମାନେ ଭାରତର ପ୍ରତ୍ୟେକ କୋଣରେ, ପ୍ରତ୍ୟେକ ଗାଁରେ ଭାରତର ଚେତନା ଜାଗ୍ରତ କରି ଚାଲିଥିଲେ । ଭାରତକୁ ଚେତନାମୟ କରି ଚାଲିଥିଲେ ।

ଗତ ଗୋଟିଏ ବର୍ଷ ଧରି ଆମେ ଦେଖି ଆସୁଛୁ ସାରା ଦେଶ ଅମୃତ ମହୋତ୍ସବ ପାଳନ କରୁଛି । ୨୦୨୧ରେ ଦାଣ୍ଡି ଯାତ୍ରାରୁ ଏହା ଆରମ୍ଭ ହୋଇଥିଲା । ସ୍ମୃତି ଦିବସ ପାଳନ କରିବା ପରେ ଆଜି ଭାରତର ପ୍ରତ୍ୟେକ ଜିଲ୍ଲାରେ, ପ୍ରତ୍ୟେକ କୋଣରେ ଦେଶବାସୀ ସ୍ୱାଧୀନତାର ଅମୃତ ମହୋତ୍ସବକୁ ବ୍ୟାପକ ଭାବେ ପାଳନ କରୁଛନ୍ତି । ଦେଶର ଇତିହାସରେ ବୋଧହୁଏ ପ୍ରଥମ ଥର ପାଇଁ ଏତେ ବିଶାଳ, ବ୍ୟାପକ, ଦୀର୍ଘ ତଥା ଲମ୍ବା ଲକ୍ଷ୍ୟ ନେଇ ଉତ୍ସବ ପାଳନ କରାଯାଉଛି । ପ୍ରଥମ ଥର ପାଇଁ ଏପରି ଘଟଣା ଘଟିଛି । ଭାରତର ପ୍ରତ୍ୟେକ କୋଣରେ ଦେଶବାସୀ ସେସବୁ ମହାପୁରୁଷମାନଙ୍କୁ ସ୍ମରଣ କରିବାକୁ ପ୍ରୟାସ କରୁଛନ୍ତି ଯେଉଁମାନଙ୍କୁ କୌଣସି ନା କୌଣସି କାରଣରୁ ଇତିହାସରେ ସ୍ଥାନ ଦିଆଯାଇନାହିଁ ଏବଂ ସେମାନେ ଦୃଷ୍ଟି ଆଢ଼ୁଆଳରେ ରହି ଯାଇଛନ୍ତି । ଆଜି ଦେଶ ଖୋଜି ଖୋଜି ପ୍ରତ୍ୟେକ କୋଣରେ ଥିବା ଏପରି ବୀର, ମହାପୁରୁଷ, ତ୍ୟାଗୀ, ବଳିଦାନୀ, ସତ୍ୟବୀରଙ୍କୁ ସ୍ମରଣ କରିଛି, ପ୍ରଣାମ କରିଛି । ଅମୃତ ମହୋତ୍ସବ କାଳରେ ଏ ସବୁ ମହାପୁରୁଷମାନଙ୍କୁ ସ୍ମରଣ କରିବାର ଅବସର ମିଳିଲା । ଗତକାଲି, ୧୪ ଅଗଷ୍ଟରେ ସାରା ଭାରତରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରାଯାଇଥିଲା । ଦେଶବାସୀ ସେହି କୋଟି କୋଟି ଜନତାଙ୍କୁ ସ୍ମରଣ କରିଥିଲେ ଯେଉଁମାନେ ତ୍ରିରଙ୍ଗାର ସମ୍ମାନ ପାଇଁ ଅନେକ ଦୁଃଖ ଯନ୍ତ୍ରଣା ସହିଥିଲେ । ସେମାନଙ୍କ ଦୁଃଖଦ ସ୍ମୃତିକୁ ସ୍ମରଣ କରି ଦେଶବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବିଭାଜନ ସମୟରେ ମାତୃଭୂମି ପ୍ରତି ଭଲ ପାଇବା କାରଣରୁ ଏ ଲୋକମାନେ ଏତେ କଷ୍ଟ ସହି ସୁଦ୍ଧା ଧୈର୍ଯ୍ୟ ହରାଇନଥିଲେ । ଭାରତ ପ୍ରତି ଭଲ ପାଇବା କାରଣରୁ ସେମାନେ ନୂଆ ଜୀବନ ପ୍ରାରମ୍ଭ କରିବା ଲାଗି ଯେଉଁ ସଂକଳ୍ପ ନେଲେ ତାହା ପ୍ରେରଣାଦାୟୀ । ସେମାନଙ୍କର ଦୃଢ଼ସଂକଳ୍ପକୁ ପ୍ରଣାମ ।

ଆଜି ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛୁ, ଗତ ୭୫ ବର୍ଷ ମଧ୍ୟରେ ଦେଶ ପାଇଁ ଜିଉଁଥିବା, ମରୁଥିବା, ଦେଶର ସୁରକ୍ଷାରେ ଥିବା ଲୋକମାନେ, ଦେଶର ସଂକଳ୍ପକୁ ପୂରଣ କରୁଥିବା ଲୋକମାନଙ୍କ ଯୋଗଦାନକୁ ମନେ ପକାଇବା ଲାଗି ଆଜି ଅବସର ଉପନୀତ ହୋଇଛି । ସେ ସେନାର ଯବାନ ହୁଅନ୍ତୁ, ପୁଲିସ କର୍ମୀ ହୁଅନ୍ତୁ, ଶାସନରେ ବସିଥିବା ପ୍ରଶାସକ, ଜନପ୍ରତିନିଧି, ସ୍ଥାନୀୟ ପ୍ରଶାସନିକ ସଂସ୍ଥାର ଶାସକ-ପ୍ରଶାସକ, ରାଜ୍ୟ ଶାସକ-ପ୍ରଶାସକ, କେନ୍ଦ୍ର ଶାସକ-ପ୍ରଶାସକ ହୁଅନ୍ତୁ; ଏ ୭୫ ବର୍ଷ ମଧ୍ୟରେ ଏ ସମସ୍ତଙ୍କ ଯୋଗଦାନକୁ ମଧ୍ୟ ଆଜି ସ୍ମରଣ କରିବାର ଅବସର ଆସିଛି । ଦେଶର କୋଟି କୋଟି ନାଗରିକ, ଯେଉଁମାନେ ଗତ ୭୫ ବର୍ଷ ମଧ୍ୟରେ ଅନେକ ପ୍ରକାର କଷ୍ଟ ସହିଛନ୍ତି, ସେମାନଙ୍କ ଦ୍ୱାରା ଯାହା ହୋଇପାରିଛି ସେତିକି ଯୋଗଦାନ ଦେଇଛନ୍ତି ଆଜି ଆମେ ସେ ସମସ୍ତଙ୍କ ଯୋଗଦାନକୁ ସ୍ୱୀକାର କରୁଛୁ ।

ମୋ ପ୍ରିୟ ଦେଶବାସୀ,

୭୫ ବର୍ଷର ଏହି ଯାତ୍ରା ଆମ ପାଇଁ ଅନେକ ଉତ୍ଥାନ ପତନ ନେଇ ଆସିଛି । ସୁଖ-ଦୁଃଖର ଛାଇ ଘେରି ରହିଥିଲା ଏବଂ ଏହା ଭିତରେ ଆମ ଦେଶବାସୀ ଅନେକ ଉପଲବ୍ଧି ହାସଲ କରିଛନ୍ତି, ଶ୍ରମ କରିଛନ୍ତି, କିନ୍ତୁ ହାର୍‌ ମାନି ନାହାନ୍ତି । ସଂକଳ୍ପକୁ ଦୁର୍ବଳ ହେବାକୁ ଦେଇ ନାହାନ୍ତି । ମୁଁ ଏଠାରେ କହିବାକୁ ଚାହୁଁଛି ଯେ, ସତ୍ୟତା ହେଉଛି ଶହ ଶହ ବର୍ଷର ପରାଧୀନତା, ଭାରତର ମନ, ମାନବିକ ଭାବନାକୁ ଗଭୀର ଭାବେ କ୍ଷତିଗ୍ରସ୍ତ କରିଥିଲା, ଗମ୍ଭୀର ଆଘାତ ଦେଇଥିଲା । କିନ୍ତୁ ଏହା ଭିତରେ ଏକ ଜିଦ୍‌, ଉତ୍ସାହ, ଦୃଢ଼ସଂକଳ୍ପ, ଆଗକୁ ବଢ଼ିବାର ପ୍ରେରଣା ରହିଥିଲା । ଏହି କାରଣରୁ ଅଭାବ ମଧ୍ୟରେ, ଉପହାସ ମଧ୍ୟରେ ଏବଂ ସ୍ୱାଧୀନତା ସଂଗ୍ରାମର ଅନ୍ତିମ ପର୍ଯ୍ୟାୟରେ ଦେଶକୁ ଭୟଭୀତ କରାଇବାର ପ୍ରୟାସ ମଧ୍ୟରେ, ନିରାଶ, ହତାଶ କରିବା ଲାଗି ଉଦ୍ୟମ କରାଯାଇଥିଲା । କୁହାଗଲା ଯଦି ସ୍ୱାଧୀନତା ଆସିବ ତା’ହେଲେ ଦେଶ ବିଭାଜନ ହୋଇଯିବ, ଖଣ୍ଡ ଖଣ୍ଡ ହୋଇଯିବ । ଲୋକମାନେ ପରସ୍ପର ବିରୋଧରେ ଲଢ଼ି ମରିଯିବେ । କିଛି ବଞ୍ଚି ରହିବ ନାହିଁ । ଭାରତ ଅନ୍ଧକାର ଯୁଗକୁ ଚାଲିଯିବ । ଏମିତି କେତେ କ’ଣ ଆଶଙ୍କା ବ୍ୟକ୍ତ କରାଯାଇଥିଲା । କିନ୍ତୁ ସେମାନେ ଜାଣିନଥିଲେ ଯେ ଏହା ହେଉଛି ହିନ୍ଦୁସ୍ତାନର ମାଟି । ଏ ମାଟିର ଯେଉଁ ସାମର୍ଥ୍ୟ ରହିଛି ତାହା ଶାସକମାନଙ୍କ ସାମର୍ଥ୍ୟ ଉପରେ ମଧ୍ୟ ପ୍ରଭାବ ବିସ୍ତାର କରି ରହିଥାଏ । ଶହ ଶହ ବର୍ଷ ଧରି ଏହି ସାମର୍ଥ୍ୟ ଭାରତ ମାଟିରେ ବଞ୍ଚି ରହିଛି । ଏହାର ପରିଣାମ ସ୍ୱରୂପ ଆମେ ଅନ୍ନସଙ୍କଟ, ଯୁଦ୍ଧଗ୍ରସ୍ତତା ଭଳି ଅନେକ କଷ୍ଟ ସହି ସୁଦ୍ଧା ଆଜି ପ୍ରଗତି ହାସଲ କରିପାରିଛୁ ।

ଆତଙ୍କବାଦ ପ୍ରତିଟି ପାଦରେ ସମସ୍ୟା ସୃଷ୍ଟି କରିଥିଲା, ନିର୍ଦ୍ଦୋଷ ନାଗରିକମାନଙ୍କୁ ମୃତ୍ୟୁମୁଖକୁ ଟାଣି ନେଲା । ଛାୟା ଯୁଦ୍ଧ କରାଗଲା, ପ୍ରାକୃତିକ ବିପର୍ଯ୍ୟୟ ମାଡ଼ି ଆସିଲା, ସଫଳତା, ବିଫଳତା, ଆଶାନିରାଶା କେଜାଣି କେତେ ଅନେକ ପର୍ଯ୍ୟାୟ ଆସିଲା । କିନ୍ତୁ ଏସବୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଭାରତକୁ ଆଗକୁ ବଢ଼ିଚାଲିଛି । ଭାରତର ବିବିଧତା ଅନ୍ୟମାନଙ୍କୁ ଭାରତ ପାଇଁ ଏକ ବୋଝ ଭଳି ଲାଗୁଛି । ଭାରତର ସେହି ବିବିଧତା ହିଁ ଭାରତର ଅମୂଲ୍ୟ ଶକ୍ତି । ଶକ୍ତିର ଏକ ଅତୁଟ ପ୍ରମାଣ ।  ଦୁନିଆ ଜାଣିନଥିଲା ଯେ ଭାରତ ନିକଟରେ ଏକ ଅନ୍ତର୍ନିହିତ ସାମର୍ଥ୍ୟ ରହିଛି, ଏକ ସଂସ୍କାର ସରିତା ରହିଛି, ମନମସ୍ତିଷ୍କର ଏକ ବିଚାର ବନ୍ଧନ ରହିଛି । ତାହା ହେଉଛି ଭାରତର ଗଣତନ୍ତ୍ର । ଭାରତକୁ ଗଣତନ୍ତ୍ରର ଜନନୀ, ମଦର ଅଫ୍‌ ଡେମୋକ୍ରେସୀ କୁହାଯାଏ । ଯେଉଁମାନଙ୍କ ମଧ୍ୟରେ ଗଣତନ୍ତ୍ର ରହିଛି, ସେମାନେ ଯେତେବେଳେ ସଂକଳ୍ପ ନେଇ ଆଗେଇ ଚାଲନ୍ତି, ସେହି ସାମର୍ଥ୍ୟ ବିଶ୍ୱର ବଡ଼ ବଡ଼ ସାମ୍ରାଜ୍ୟ ପାଇଁ ମଧ୍ୟ ସଂକଟ କାଳ ନେଇ ଆସିଥାଏ । ମଦର ଅଫ ଡେମୋକ୍ରେସୀ, ଗଣତନ୍ତ୍ରର ଜନନୀ, ଆମ ଭାରତ ଏହା ପ୍ରମାଣିତ କରିଛି ଯେ ଆମ ପାଖରେ ଏକ ଅଭିନବ ସାମର୍ଥ୍ୟ ରହିଛି ।

ମୋ ପ୍ରିୟ ଦେଶବାସୀ,

ହିମାଳୟର କନ୍ଦର ହେଉ ଅବା ଦେଶର ପ୍ରତ୍ୟେକ କୋଣରେ ମହାତ୍ମା ଗାନ୍ଧୀଙ୍କ ଯେଉଁ ସ୍ୱପ୍ନ ଥିଲା, ଅନ୍ତିମ ସୋପାନରେ ଛିଡ଼ା ହୋଇଥିବା ଲୋକଙ୍କ ବିଷୟରେ ଚିନ୍ତା କରିବା ଲାଗି ମହାତ୍ମା ଗାନ୍ଧୀ ଯେଉଁ ଆକାଂକ୍ଷା ପୋଷଣ କରିଥିଲେ, ଶେଷ ଧାଡ଼ିରେ ଛିଡ଼ା ହୋଇଥିବା ଲୋକକୁ ସାମର୍ଥ୍ୟବାନ କରିବା ଲାଗି ମୁଁ ମୋ ନିଜକୁ ସମର୍ପି ଦେଇଛି । ସେହି ୮ ବର୍ଷର ପରିଣାମ ଏବଂ ସ୍ୱାଧୀନତାର ଏତେ ଦଶନ୍ଧିର ଅଭିଜ୍ଞତା ଆଜି ୭୫ ବର୍ଷ ପରେ ଆମେ ଯେତେବେଳେ ଅମୃତ କାଳରେ ପ୍ରବେଶ କରୁଛୁ ତାହା ଦେଶର ବିକାଶ ପାଇଁ ଅଧିକ ଉପଯୋଗୀ ହୋଇପଡ଼ିଛି । ଅମୃତ କାଳର ପ୍ରଥମ ପ୍ରଭାତରେ ମୁଁ ଦେଶବାସୀଙ୍କ ମଧ୍ୟରେ ଏକ ଅଦ୍ଭୂତ ସାମର୍ଥ୍ୟ ଦେଖିପାରୁଛି ଏବଂ ଏହାକୁ ନେଇ ମୁଁ ଗର୍ବରେ ଭରି ଯାଉଛି ।

ପ୍ରିୟ ଦେଶବାସୀ,

ମୁଁ ଆଜି ଦେଶର ସବୁଠୁ ବଡ଼ ସୌଭାଗ୍ୟକୁ ଦେଖିପାରୁଛି । ଭାରତର ଜନମନ ଆକାଂକ୍ଷିତ ଜନମନ ଅଟେ । ଆକାଂକ୍ଷୀ ସମାଜ କୌଣସି ଦେଶ ପାଇଁ ବହୁତ ବଡ଼ ସମ୍ପତ୍ତି । ମୁଁ ଗର୍ବିତ ଯେ ଆଜି ହିନ୍ଦୁସ୍ତାନର ପ୍ରତ୍ୟେକ କୋଣରେ, ସମାଜର ପ୍ରତ୍ୟେକ ବର୍ଗରେ, ପ୍ରତ୍ୟେକ ଅଞ୍ଚଳରେ, ଆକାଂକ୍ଷା ଶୀର୍ଷ ସ୍ଥାନରେ ରହିଛି । ଦେଶର ପ୍ରତ୍ୟେକ ନାଗରିକ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି, ପରିବର୍ତ୍ତନକୁ ଦେଖିବା ଲାଗି ଚାହୁଁଛନ୍ତି । କିନ୍ତୁ ଅପେକ୍ଷା କରିବା ଲାଗି ସେମାନେ ପ୍ରସ୍ତୁତ ନୁହନ୍ତି, ନିଜ ଆଖି ସାମ୍ନାରେ ପରିବର୍ତ୍ତନକୁ ସେମାନେ ଦେଖିବାକୁ ଚାହୁଁଛନ୍ତି, ଦେଶ ପ୍ରତି ରହିଥିବା କର୍ତ୍ତବ୍ୟ ସହ ଯୋଡ଼ି ହେବା ଲାଗି ଚାହୁଁଛନ୍ତି । ସେମାନେ ଗତି ଚାହୁଁଛନ୍ତି, ପ୍ରଗତି ଚାହୁଁଛନ୍ତି । ୭୫ ବର୍ଷ ଧରି ଦେଖିଥିବା ସ୍ୱପ୍ନକୁ ନିଜ ଆଖି ଆଗରେ ସମ୍ପୂର୍ଣ୍ଣ କରିବା ଲାଗି ସେମାନେ ଲାଳାୟିତ, ଉତ୍ସାହିତ ଏବଂ ବ୍ୟଗ୍ର ଅଛନ୍ତି ।

କିଛି ଲୋକଙ୍କୁ ଏଥିପାଇଁ ସଂକଟ ଆସିପାରେ । କାହିଁକି ନା ଯେତେବେଳେ ଆକାଂକ୍ଷୀ ସମାଜ ମୁଣ୍ଡ ଟେକିଥାଏ ସରକାରଙ୍କୁ ଖଡ୍‌ଗ ଧାରରେ ଚାଲିବାକୁ ହୋଇଥାଏ । ସରକାରଙ୍କୁ ମଧ୍ୟ ସମୟ ସହ ଦୌଡ଼ିବାକୁ ପଡ଼ିଥାଏ ଏବଂ ମୋର ବିଶ୍ୱାସ ରହିଛି ଯେ କେନ୍ଦ୍ର ସରକାର ହୁଅନ୍ତୁ, ରାଜ୍ୟ ସରକାର ହୁଅନ୍ତୁ, ସ୍ଥାନୀୟ ପ୍ରଶାସନ ହେଉ, ଯେକୌଣସି ପ୍ରକାରର ଶାସନ ବ୍ୟବସ୍ଥା ହେଉ ନା କାହିଁକି, ସମସ୍ତଙ୍କୁ ଏ ଆକାଂକ୍ଷୀ ସମାଜର ଆବଶ୍ୟକତା ପୂରଣ କରିବାକୁ ପଡ଼ିବ, ସେମାନଙ୍କ ଆକାଂକ୍ଷା ପୂରଣ ପାଇଁ ଆମେ ଅଧିକ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିପାରିବା ନାହିଁ । ଆମର ଏହି ଆକାଂକ୍ଷୀ ସମାଜକୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ିଛି । କିନ୍ତୁ ଏବେ ନିଜର ଆଗାମୀ ପିଢ଼ିକୁ ମଧ୍ୟ ଅପେକ୍ଷାରେ ରହିବା ଲାଗି ବାଧ୍ୟ କରିବା ଲାଗି ସେମାନେ ପ୍ରସ୍ତୁତ ନୁହନ୍ତି । ସେଥିପାଇଁ ଅମୃତ କାଳର ପ୍ରଥମ ପ୍ରଭାତ ଆମ ପାଇଁ ସେହି ଆକାଂକ୍ଷୀ ସମାଜର ଆକାଂକ୍ଷାକୁ ପୂରଣ କରିବା ଲାଗି ବହୁତ ବଡ଼ ସୁବର୍ଣ୍ଣ ଅବସର ନେଇ ଆସିଛି ।

ମୋ ପ୍ରିୟ ଦେଶବାସୀ,

ବିଗତ ଦିନରେ ଆମେ ସମସ୍ତେ ଆଉ ଏକ ଶକ୍ତିକୁ ଦେଖିଛୁ, ଅନୁଭବ କରିଛୁ; ତାହା ହେଉଛି ଭାରତର ସାମୂହିକ ଚେତନାର ପୁନର୍ଜାଗରଣ । ଏକ ସାମୂହିକ ଚେତନାର ପୁନର୍ଜାଗରଣ ଫଳରେ ସ୍ୱାଧୀନତାର ଏତେ ସଂଘର୍ଷ ପରେ ଯେଉଁ ଅମୃତ ବାହାରିଥିଲା, ତାହା ଏବେ ସଜେଇ ହେଉଛି, ସଂକଳିତ ହେଉଛି । ସଂକଳ୍ପରେ ପରିବର୍ତ୍ତିତ ହେଉଛି, ପୁରୁଷାର୍ଥର ପରାକାଷ୍ଠା ଯୋଡ଼ି ହେଉଛି ଏବଂ ସିଦ୍ଧିର ମାର୍ଗ ଦେଖାଯାଉଛି । ମୁଁ ଭାବୁଛି ଏହି ଚେତନା, ଚେତନାର ଜାଗରଣ, ଏହି ପୁନର୍ଜାଗରଣ, ଏହା ହିଁ ଆମର ସବୁଠୁ ବଡ଼ ସମ୍ପତ୍ତି । ଆଉ ଏହି ପୁନର୍ଜାଗରଣ ଦେଶରେ ଏକ ଅଦ୍ଭୂତ ଉତ୍ସାହ ସୃଷ୍ଟି କରିଛି । ଦେଖନ୍ତୁ, ୧୦ ଅଗଷ୍ଟ ପର୍ଯ୍ୟନ୍ତ କେହି ହୁଏତ’ ଏ ଶକ୍ତିକୁ ଅନୁଭବ କରି ପାରିନଥିଲେ । କିନ୍ତୁ କିଛି ଗତ ତିନି ଦିନ ମଧ୍ୟରେ ଯେପରି ଭାବେ ତ୍ରିରଙ୍ଗା ପତାକା ଧରି ସାରା ଦେଶ ତିରଙ୍ଗା ଯାତ୍ରାରେ ବାହାରିଲା ତାହା ଦେଖିବା ଅଭୂତପୂର୍ବ । ବଡ଼ ବଡ଼ ସାମାଜିକ ବିଜ୍ଞାନ ବିଶେଷଜ୍ଞମାନେ ମଧ୍ୟ ମୋ ଦେଶବାସୀଙ୍କ ଭିତରେ, ଦେଶ ଭିତରେ ଏତେ ବଡ଼ ସାମର୍ଥ୍ୟ ରହିଛି, ତାହାର କଳ୍ପନା କରି ପାରିନଥିଲେ । ତ୍ରିରଙ୍ଗା ପତାକା ସେହି ଶକ୍ତିକୁ ଦେଖାଇ ଦେଇଛି । ଏହା ପୁନର୍ଚେତନା, ପୁନର୍ଜାଗରଣର ସମୟ । ଲୋକମାନେ ଏହାକୁ ବୁଝି ପାରୁନାହାନ୍ତି ।

ସାରା ଦେଶର ଜନତା, ହିନ୍ଦୁସ୍ତାନର ପ୍ରତ୍ୟେକ କୋଣ ଯେତେବେଳେ ଜନତା କର୍ଫ୍ୟୁ ପାଇଁ ଏକଜୁଟ୍‌ ହୋଇଯାଇଥାଏ, ସେତେବେଳେ ଏହି ଚେତନା ଅନୁଭୂତ ହୋଇଥାଏ । ଦେଶ ଯେତେବେଳେ ତାଳି, ଥାଳି ବଜାଇ କରୋନା ଯୋଦ୍ଧାଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଛିଡ଼ା ହୋଇଯାଇଥାଏ ସେତେବେଳେ ଏ ଚେତନାର ଅନୁଭବ ହୋଇଥାଏ । ଦୀପ ଜଳାଇ କରୋନା ଯୋଦ୍ଧାଙ୍କୁ ଶୁଭକାମନା ଜଣାଇବା ଲାଗି ଦେଶ ଯେତେବେଳେ ଆଗେଇ ଆସେ, ସେତେବେଳେ ଏହି ଚେତନାର ଅନୁଭୂତି ହୋଇଥାଏ । କରୋନା କାଳରେ ଟିକା ନେବା କି ନନେବା, ଟିକା କାମ କରିବ କି ନାହିଁ ସେହି ଚିନ୍ତାକୁ ନେଇ ସାରା ଦୁନିଆ ଦ୍ୱନ୍ଦ୍ୱ ଭିତରେ ରହିଥିଲା । ଏପରି ଏକ ସମୟରେ ମୋ ଦେଶର ଗାଁରେ ଗରିବମାନେ ମଧ୍ୟ ଦୁଇଶହ କୋଟି ଡୋଜ୍‌ ଟିକା ନେଇ ସାରା ବିଶ୍ୱକୁ ଚମକାଇ ଦେବାର କାମ କରି ଦେଖାଇଥିଲେ । ଏହି ଚେତନା, ସାମର୍ଥ୍ୟ, ଆଜି ଦେଶକୁ ନୂତନ ଶକ୍ତି ଦେଉଛି ।

ମୋ ପ୍ରିୟ ଭାଇ-ଭଉଣୀମାନେ

ଏହାକୁ ଏକ ମହତ୍ୱପୂର୍ଣ୍ଣ ସାମର୍ଥ୍ୟ ଭାବେ ମୁଁ ଦେଖିପାରୁଛି । ଆକାଂକ୍ଷୀ ସମାଜ, ପୁନର୍ଜାଗରଣ ଏସବୁ ଆଜି ସ୍ୱାଧୀନତାର ଅନେକ ଦଶନ୍ଧି ପରେ ଭାରତର ସାମର୍ଥ୍ୟକୁ ବଦଳାଇ ଦେଇଛି । ସାରା ବିଶ୍ୱ ଆଜି ଏକ ଭିନ୍ନ ଦୃଷ୍ଟିକୋଣରେ ଭାରତକୁ ଦେଖୁଛି । ସାରା ବିଶ୍ୱ ଆଜି ଗର୍ବର ସହିତ ଭାରତ ଆଡ଼କୁ ଚାହିଁ, ଅନେକ କିଛି ଭାରତ ଠାରୁ ଚାହୁଁଛି । ସାରା ଦୁନିଆ ଭାରତ ମାଟିରେ ସମସ୍ୟାର ସମାଧାନ ଖୋଜୁଛି । ବିଶ୍ୱରେ ଏହି ପରିବର୍ତ୍ତନ, ବିଶ୍ୱର ଚିନ୍ତାଧାରା ବଦଳିବା ୭୫ ବର୍ଷର ଆମ ଅଭିଜ୍ଞତା ଯାତ୍ରା କାରଣରୁ ହୋଇପାରିଛି ।

ଆମେ ଯେଉଁ ଭଳି ସଂକଳ୍ପକୁ ନେଇ ଆଗକୁ ବଢ଼ୁଛୁ ତାହାକୁ ସାରା ଦୁନିଆ ଦେଖୁଛି । ଆଉ ଶେଷରେ ସାରା ବିଶ୍ୱ ଅନେକ ଆଶା ନେଇ ଆମ ଆଡ଼କୁ ଚାହିଁଛି । ଆଶା ପୂରଣ କରିବାର ସାମର୍ଥ୍ୟ କେଉଁଠି ଅଛି ତାହା ବିଶ୍ୱ ଦେଖିପାରୁଛି । ମୁଁ ଏହାକୁ ନାରୀ ଶକ୍ତି ରୂପରେ ଦେଖୁଛି । ଏହାକୁ ମୁଁ ତିନୋଟି ସାମର୍ଥ୍ୟ ରୂପରେ ଦେଖୁଛି । ଏହି ତ୍ରିଶକ୍ତି ହେଉଛି ଆକାଂକ୍ଷାର, ପୁନର୍ଜାଗରଣର ଏବଂ ବିଶ୍ୱର ଆଶା ପୂରଣ କରିବାର । ଏ ସାମର୍ଥ୍ୟ ଭାରତ ନିକଟରେ ରହିଛି । ଆଜି ସେହି ବିଶ୍ୱାସ ଜାଗିଛି । ବିଶ୍ୱର ଆକାଂକ୍ଷା ପୂରଣ କରିବାରେ ମୋ ଦେଶବାସୀଙ୍କର ବହୁତ ବଡ଼ ଭୂମିକା ରହିଛି । ୧୩୦ କୋଟି ଦେଶବାସୀ ଅନେକ ଦଶନ୍ଧିର ଅଭିଜ୍ଞତା ପରେ ସ୍ଥିର ସରକାରର ମହତ୍ୱ କ’ଣ ହୋଇପାରେ, ରାଜନୈତିକ ସ୍ଥିରତାର ଅର୍ଥ କ’ଣ, ରାଜନୈତିକ ସ୍ଥିରତା କିଭଳି ଶକ୍ତି ଆଣିଥାଏ ତାହା ଦେଖି ପାରିଛନ୍ତି ।

ନୀତିରେ କିଭଳି ସାମର୍ଥ୍ୟ ରହିଥାଏ, ସେହି ନୀତି ଉପରେ ବିଶ୍ୱ କିଭଳି ଭରସା କରିଥାଏ ତାହା ଭାରତ ଦେଖାଇଛି ଏବଂ ବିଶ୍ୱ ମଧ୍ୟ ଏହାକୁ ବୁଝିପାରୁଛି । ରାଜନୈତିକ ସ୍ଥିରତା ଥିଲେ, ନୀତିରେ ଗତିଶୀଳତା ରହିଥିଲେ, ଦ୍ରୁତ ନିର୍ଣ୍ଣୟ ନେଲେ, ସର୍ବବ୍ୟାପକତା ରହିଲେ, ସର୍ବସମାବେଶିତା ରହିଲେ ସମସ୍ତେ ବିକାଶ ପ୍ରକ୍ରିୟାରେ ଭାଗୀଦାର ହୋଇଥାଆନ୍ତି । ସବକା ସାଥ, ସବକା ବିକାଶ ମନ୍ତ୍ର ନେଇ ଆମେ ଆଗକୁ ବଢ଼ିଥିଲୁ, କିନ୍ତୁ ଦେଖୁ ଦେଖୁ ଦେଶବାସୀ ସେଥିରେ ସବକା ବିଶ୍ୱାସ ଏବଂ ସବକା ପ୍ରୟାସର ରଙ୍ଗ ଭରି ଦେଇଥିଲେ । ସେଥିପାଇଁ ଆମେ ଆମର ସାମୂହିକ ଶକ୍ତି, ସାମଗ୍ରିକ ସାମର୍ଥ୍ୟକୁ ଦେଖିପାରିଲୁ । ସ୍ୱାଧୀନତାର ଅମୃତ ମହୋତ୍ସବ ଯେପରି ଭାବେ ପାଳନ କରାଗଲା, ଯେପରି ଭାବେ ଆଜି ପ୍ରତ୍ୟେକ ଜିଲ୍ଲାରେ ୭୫ ଅମୃତ ସରୋବର ନିର୍ମାଣର ଅଭିଯାନ ଜାରି ରହିଛି । ପ୍ରତି ଗାଁରେ ଲୋକମାନେ ଏହା ସହ ଯୋଡ଼ି ହେଉଛନ୍ତି । ସେମାନେ ଯେପରି ଭାବେ ସେବା କାର୍ଯ୍ୟ କରୁଛନ୍ତି ତାହା ଅତ୍ୟନ୍ତ ପ୍ରେରଣାଦାୟକ । ଲୋକମାନେ ନିଜ ପ୍ରୟାସରେ ନିଜ ଗାଁରେ ଜଳ ସଂରକ୍ଷଣ ପାଇଁ ବଡ଼ ଅଭିଯାନକୁ ଆଗେଇ ନେଉଛନ୍ତି । ଭାଇ ଓ ଭଉଣୀମାନେ, ସେଥିପାଇଁ ସ୍ୱଚ୍ଛତା ଅଭିଯାନ ହେଉ, ଗରିବ କଲ୍ୟାଣ ପାଇଁ କାମ ହେଉ, ଦେଶ ଆଜି ସମ୍ପୂର୍ଣ୍ଣ ଶକ୍ତି, ସାମର୍ଥ୍ୟର ସହ ଏକଜୁଟ ହୋଇ ଆଗେଇ ବଢ଼ୁଛି ।

କିନ୍ତୁ ଭାଇ ଓ ଭଉଣୀମାନେ ଆମେ ଯଦି କେବଳ ସ୍ୱାଧୀନତାର ଅମୃତକାଳରେ ଆମ ୭୫ ବର୍ଷର ଯାତ୍ରାକୁ ନେଇ ଗୌରବଗାନ କରୁଥିବା, ପ୍ରଶଂସାରେ ନିଜର ପିଠି ଥାପୁଡ଼ାଉଥିବା, ଆମର ସ୍ୱପ୍ନ ଅନେକ ଦୂରକୁ ଚାଲିଯିବ । ସେଥିପାଇଁ ୭୫ ବର୍ଷର କାଳଖଣ୍ଡ କେତେ ଚମତ୍କାର ଥିଲା, କେତେ ସଙ୍କଟ ଏ ସମୟରେ ଆସିଥିଲା, କେତେ ସ୍ୱପ୍ନ ଆମର ଅଧୁରା ରହିଯାଇଛି, ସେ ବିଷୟରେ ଚିନ୍ତା ନକରି ଆମେ ଅମୃତ କାଳରେ ପ୍ରବେଶ କରୁଛୁ । ଏହି ଅମୃତ କାଳ, ଅର୍ଥାତ୍‌ ୨୫ ବର୍ଷ ଆମ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଲାଲ କିଲାର ପ୍ରାଚୀରରୁ ମୁଁ ଯେତେବେଳେ ୧୩୦ କୋଟି ଦେଶବାସୀଙ୍କ ସାମର୍ଥ୍ୟକୁ ସ୍ମରଣ କରୁଛି, ସେମାନଙ୍କ ସ୍ୱପ୍ନକୁ ଦେଖିପାରୁଛି, ସେମାନଙ୍କ ସଂକଳ୍ପକୁ ଅନୁଭବ କରିପାରୁଛି, ସେତେବେଳେ ମୋତେ ଲାଗୁଛି ଯେ ଆଗାମୀ ୨୫ ବର୍ଷ ପାଇଁ ଆମକୁ ପଞ୍ଚ ପ୍ରଣ ବା ପାଞ୍ଚଟି ଶପଥ ନେବାକୁ ପଡ଼ିବ । ଆମର ସଂକଳ୍ପକୁ ଏଥିପ୍ରତି କେନ୍ଦ୍ରିତ କରିବାକୁ ହେବ । ନିଜ ସାମର୍ଥ୍ୟକୁ କେନ୍ଦ୍ରିତ କରିବାକୁ ହେବ । ଏହି ପାଞ୍ଚଟି ଶପଥ ସହିତ ୨୦୪୭ରେ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ବେଳକୁ ସ୍ୱାଧୀନତା ସଂଗ୍ରାମୀମାନଙ୍କର ସବୁ ସ୍ୱପ୍ନ ପୂରଣ କରିବାର ଉତ୍ତରଦାୟିତ୍ୱ ଆମକୁ ଗ୍ରହଣ କରିବାକୁ ପଡ଼ିବ ।

ଯେତେବେଳେ ମୁଁ ପାଞ୍ଚଟି ଶପଥ କଥା କହୁଛି, ଏଥିମଧ୍ୟରେ ପ୍ରଥମ ଶପଥଟି ହେଉଛି ଦେଶ ବଡ଼ ସଂକଳ୍ପ ନେଇ ଆଗକୁ ବଢ଼ିବ । ବହୁତ ବଡ଼ ସଂକଳ୍ପକୁ ନେଇ ଦେଶକୁ ଆଗେଇ ଯିବାକୁ ହେବ । ସେହି ବଡ଼ ସଂକଳ୍ପ ହେଉଛି ବିକଶିତ ଭାରତ, ଏହା ଠାରୁ କିଛି କମ୍‌ ହେବା ଉଚିତ୍‌ ନୁହେଁ । ବଡ଼ ସଂକଳ୍ପ – ଦ୍ୱିତୀୟ ଶପଥ ହେଉଛି, ଆମ ଭିତରେ, ଆମ ମନର କୌଣସି କୋଣରେ, ଅଭ୍ୟାସରେ ଯଦି ପରାଧୀନତାର ସାମାନ୍ୟ ଭାବନା ରହିଛି ତା’ହେଲେ ଆମକୁ ସେହି ଭାବନାକୁ ସମାପ୍ତ କରିବାକୁ ହେବ ।  ଶହ ଶହ ବର୍ଷର ପରାଧୀନତା ଆମକୁ ଶତପ୍ରତିଶତ ବାନ୍ଧି ରଖିଥିଲା । ଏବେ ବି ସେହି ଭାବନା ଆମ ମନକୁ ବାନ୍ଧି ରଖିଛି, ମାନସିକତାରେ ବିକୃତି ସୃଷ୍ଟି କରୁଛି । ଆମକୁ ଗୋଲାମୀର ଛୋଟ ଛୋଟ ଜିନିଷ ଦେଖାଗଲେ, ଆମ ଭିତରେ ବି କୌଣସି ସ୍ଥାନରେ ଦେଖାଦେଲେ, ଆମ ଆଖପାଖରେ ଦେଖାଦେଲେ, ସେଥିରୁ ଆମକୁ ମୁକ୍ତି ପାଇବାକୁ ହେବ । ଏହା ହେବ ଆମର ଦ୍ୱିତୀୟ ଶପଥ । ତୃତୀୟ ଶପଥ ହେଉଛି ଆମ ପରମ୍ପରାକୁ ନେଇ ଆମେ ଗର୍ବ କରିବା ଉଚିତ୍‌ । ଆମର ଏହି ପରମ୍ପରା ହିଁ ଦିନେ ଭାରତକୁ ଏକ ସ୍ୱର୍ଣ୍ଣିମ କାଳ ପ୍ରଦାନ କରିଥିଲା । ଏହି ପରମ୍ପରା ନିକଟରେ ସମୟାନୁକୂଳ ପରିବର୍ତ୍ତନ ହେବାର ଅଭ୍ୟାସ ରହିଛି । ଏହି ପରମ୍ପରା, ପ୍ରାଚୀନତାକୁ ବାଦ୍‌ ଦେଇ ନୂତନତ୍ୱକୁ ଗ୍ରହଣ କରିଥାଏ । ତେଣୁ ଏହି ପରମ୍ପରାକୁ ନେଇ ଆମେ ଗର୍ବ କରିବା ଉଚିତ୍‌ । ଚତୁର୍ଥ ଶପଥ ମଧ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ତାହା ହେଲା ଏକତା ଏବଂ ଏକଜୁଟତା । ୧୩୦ କୋଟି ଦେଶବାସୀଙ୍କ ମଧ୍ୟରେ ଏକତା ରହିବା ଉଚିତ୍‌ । କେହି ନିଜର କେହି ପର, ଏକତାର ଶକ୍ତି, ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ସ୍ୱପ୍ନ ଆମ ପାଇଁ ଚତୁର୍ଥ ଶପଥ । ପଞ୍ଚମ ଶପଥ ହେଉଛି ନାଗରିକମାନଙ୍କର କର୍ତ୍ତବ୍ୟ । ନାଗରିକଙ୍କ କର୍ତ୍ତବ୍ୟରୁ ପ୍ରଧାନମନ୍ତ୍ରୀ ମଧ୍ୟ ବର୍ତ୍ତି ପାରିବେ ନାହିଁ, ମୁଖ୍ୟମନ୍ତ୍ରୀ ମଧ୍ୟ ଏହି କର୍ତ୍ତବ୍ୟରୁ ବାହାରେ ନୁହନ୍ତି, କାରଣ ସେମାନେ ମଧ୍ୟ ନାଗରିକ । ନାଗରିକମାନଙ୍କର କର୍ତ୍ତବ୍ୟ । ଆଗାମୀ ୨୫ ବର୍ଷର ସ୍ୱପ୍ନକୁ ପୂରଣ କରିବା ଲାଗି ଏହା ହିଁ ବହୁତ ବଡ଼ ଶପଥ ଶକ୍ତି  ।

ମୋର ପ୍ରିୟ ଦେଶବାସୀ

ସ୍ୱପ୍ନ ଓ ସଂକଳ୍ପ ବଡ଼ ହେଲେ ପୁରୁଷାର୍ଥ ମଧ୍ୟ ବହୁତ ବଡ଼ ହୋଇଥାଏ । ଏଥିରେ ବହୁତ ଅଧିକ ମାତ୍ରାରେ ଶକ୍ତି ଯୋଡ଼ି ହୋଇଯାଏ । ୪୦-୪୨ ଦଶକର କଥା ଭାବନ୍ତୁ, ଯେତେବେଳେ ଦେଶ ସ୍ୱାଧୀନ ହୋଇଥିଲା । କିଏ ହାତରେ ଝାଡ଼ୁ ଥିଲା, କିଏ କଲମ, କିଏ ସତ୍ୟାଗ୍ରହର ମାର୍ଗ ବାଛିଥିଲା ତ’ ଆଉ କିଏ ସଂଘର୍ଷର, ପୁଣି କିଏ କାଳକ୍ରାନ୍ତିର ବୀରତ୍ୱ ମାର୍ଗକୁ ବାଛିଥିଲା । ସଂକଳ୍ପ ବଡ଼ ଥିଲା, ସଂକଳ୍ପ ଥିଲା ସ୍ୱାଧୀନତା ହାସଲର, ସେଥିପାଇଁ ସମସ୍ତେ ଏକଜୁଟ ହେଲେ ସ୍ୱାଧୀନତା ପ୍ରାପ୍ତ କଲେ । ଯଦି ଛୋଟ ସଂକଳ୍ପ ଥାଆନ୍ତା, ସୀମିତ ଥାଆନ୍ତା ତା’ହେଲେ ବୋଧହୁଏ ଆଜି ବି ଆମର ସଂଘର୍ଷ ଜାରି ରହିଥାନ୍ତା । କିନ୍ତୁ ବଡ଼ ସଂକଳ୍ପ ଥିବାରୁ ଆମେ ଏହାକୁ ହାସଲ କଲୁ ।

ମୋର ପ୍ରିୟ ଦେଶବାସୀ,

ଆଜି ଯେତେବେଳେ ଆମେ ଅମୃତ କାଳର ଏ ପ୍ରଥମ ପ୍ରଭାତରେ ପଦାର୍ପଣ କରୁଛୁ, ଆସନ୍ତୁ ସମସ୍ତେ ସଂକଳ୍ପ ନେବା ଯେ ଆଗାମୀ ୨୫ ବର୍ଷ ମଧ୍ୟରେ ଆମେ ନିଶ୍ଚିତ ଭାବେ ଏକ ବିକଶିତ ଭାରତ ନିର୍ମାଣ କରିବା । ଆଜି ମୋ ଆଖି ସାମ୍ନାରେ ଥିବା ୨୦-୨୨-୨୫ ବର୍ଷର ଯୁବକମାନେ, ମୋ ଦେଶର ଯୁବକମାନେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ବେଳକୁ ୫୦-୫୫ ବର୍ଷ ବୟସର ବ୍ୟକ୍ତି ହୋଇସାରିଥିବେ । ଅର୍ଥାତ୍‌ ଆପଣମାନଙ୍କ ଜୀବନର ଏହି ସ୍ୱର୍ଣ୍ଣିମ କାଳ, ଆପଣମାନଙ୍କ ବୟସର ଏ ୨୫-୩୦ ବର୍ଷ ଆପଣ ଭାରତର ସ୍ୱପ୍ନକୁ ପୂରଣ କରିବା ଦିଗରେ ନିୟୋଜିତ ରହିବେ ।  ଆପଣମାନେ ସଂକଳ୍ପ ନେଇ ମୋ ସହିତ ଆଗେଇ ଆସନ୍ତୁ । ବନ୍ଧୁଗଣ, ତ୍ରିରଙ୍ଗା ପତାକାର ଶପଥ ନେଇ ଆଗେଇ ଆସନ୍ତୁ, ଆମେ ସମସ୍ତେ ସମ୍ପୂର୍ଣ୍ଣ ଶକ୍ତି ବିନିଯୋଗ କରି ଲାଗି ପଡ଼ିବା । ମୋ ଦେଶକୁ ବିକଶିତ ଦେଶ କରିବାର ମହାସଂକଳ୍ପ ନେଇ ଆଗେଇ ଚାଲିବା । ବିକଶିତ ରାଷ୍ଟ୍ର ନିର୍ମାଣ କରିବା, ବିକାଶର ପ୍ରତ୍ୟେକ ମାପଦଣ୍ଡରେ ଆମେ ମାନବକୈନ୍ଦ୍ରିକ ବିକାଶ ପାଇଁ ବ୍ୟବସ୍ଥା କରିବା, ଆମ କେନ୍ଦ୍ରରେ ରହିବେ ମାନବ, ମାନବର ଆଶାଆକାଂକ୍ଷା ଆମ କେନ୍ଦ୍ରରେ ରହିବ । ଆମେ ଜାଣିଛୁ, ଭାରତ ଯେତେବେଳେ ବଡ଼ ସଂକଳ୍ପ ନେଇଥାଏ ତାହାକୁ ପୂରଣ କରି ରହିଥାଏ ।

ମୁଁ ଯେତେବେଳେ ସ୍ୱଚ୍ଛତା ପାଇଁ ଆହ୍ୱାନ  କରିଥିଲି ମୋର ପ୍ରଥମ ଭାଷଣାରେ, ସାରା ଦେଶ ସେଥିରେ ଆଗେଇ ଚାଲିଥିଲା । ସ୍ୱଚ୍ଛତା ଆହୁରି ଆଗକୁ ବଢ଼ିଲା ଏବଂ ଅସ୍ୱଚ୍ଛତା ପ୍ରତି ଏକ ଘୃଣାଭାବ ସୃଷ୍ଟି ହେଲା । ଏହା ହିଁ ଆମ ଦେଶର ସାମର୍ଥ୍ୟ । ଦେଶ ଏହାକୁ କରି ଦେଖାଇଛି ଏବଂ କରୁଛି ମଧ୍ୟ । ଆଗକୁ ମଧ୍ୟ କରିଚାଲିବ । ମୋ ଦେଶ ଏହି ଶକ୍ତି ବଳରେ ୨୦୦ କୋଟି ଡୋଜ୍‌ ଟିକାକରଣ ସମ୍ପୂର୍ଣ୍ଣ କରିପାରିଛି । ସାରା ବିଶ୍ୱ ଯେତେବେଳେ ଦ୍ୱନ୍ଦ୍ୱରେ ପଡ଼ିଥଲା ମୋ ଦେଶ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହି ଉପଲବ୍ଧି ହାସଲ କଲା । ସବୁ ପୁରୁଣା ରେକର୍ଡ ଭାଙ୍ଗି ଦେଲା । ମୋ ଦେଶ ଏହା ହିଁ କରିପାରିବ । ଆମେ ଭାବି ନେଇଥିଲୁ ଯେ, ଆମଦାନୀ ତେଲରେ ହିଁ ଦେଶକୁ ଚଳାଇବୁ, ନିଜ ଦେଶରେ ତେଲ କିପରି ଉତ୍ପାଦନ କରିବୁ, ୧୦ ପ୍ରତିଶତ ଇଥାନଲ ମିଶ୍ରଣ କିଭଳି କରିବୁ ତାହା ଏକ ବଡ଼ ସ୍ୱପ୍ନ ଭଳି ଲାଗୁଥିଲା । ପୁରୁଣା ଇତିହାସ କହୁଥିଲା, ଏମିତି କରିବା ସମ୍ଭବ ନୁହେଁ । କିନ୍ତୁ ଠିକ୍‌ ସମୟ ପୂର୍ବରୁ ୧୦ ପ୍ରତିଶତ ଇଥାନଲ ମିଶ୍ରଣ କରି ଦେଶ ଏହି ସ୍ୱପ୍ନକୁ ପୂରଣ କରିପାରିଲା ।

ଭାଇ ଓ ଭଉଣୀମାନେ,

ଅଢ଼େଇ କୋଟି ଲୋକମାନଙ୍କୁ ଏତେ କମ ସମୟ ମଧ୍ୟରେ ବିଦ୍ୟୁତ ସଂଯୋଗ ଦେବା, ଛୋଟ କାମ ନଥିଲା । ଦେଶ କିନ୍ତୁ ଏହା କରି ଦେଖାଇଲା । ଲକ୍ଷାଧିକ ପରିବାରର ଘରକୁ ‘ନଳ ଯୋଗେ ଜଳ’ ପହଞ୍ଚାଇବାର କାମ ଆଜି ଦେଶ ଦ୍ରୁତ ଗତିରେ କରୁଛି । ଖୋଲାରେ ଶୌଚରୁ ମୁକ୍ତି, ଭାରତରେ ଆଜି ସମ୍ଭବ ହୋଇପାରିଛି ।

ମୋର ପ୍ରିୟ ଦେଶବାସୀ

ଆମର ଅଭିଜ୍ଞତା କହୁଛି ଥରେ ଆମେ ସମସ୍ତେ ସଂକଳ୍ପ ନେଇ ଆଗକୁ ବଢ଼ିଲେ, ଆମେ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିପାରିବା । ଅକ୍ଷୟ ଶକ୍ତିର ଲକ୍ଷ୍ୟ ହେଉ, ଦେଶରେ ନୂଆ ମେଡ଼ିକାଲ କଲେଜ ତିଆରିର ଲକ୍ଷ୍ୟ ହେଉ, ଡାକ୍ତରମାନଙ୍କୁ ପ୍ରସ୍ତୁତ କରିବା ହେଉ, ପ୍ରତ୍ୟେକ କ୍ଷେତ୍ରରେ ପୂର୍ବାପେକ୍ଷା ଅଧିକ ପ୍ରଗତି ହାସଲ କରାଯାଇପାରିଛି । ସେଥିପାଇଁ ଆସନ୍ତା ୨୫ ବର୍ଷ ସମୟ ଲାଗି ବଡ଼ ସଂକଳ୍ପ ନେଇ ଆଗକୁ ବଢ଼ିବା ନିମନ୍ତେ ଆମେ ସମସ୍ତେ ଶପଥ ଦେବା ଆବଶ୍ୟକ ।

ଦ୍ୱିତୀୟ କଥା ହେଉଛି, ମୁଁ ସେହି ସଂକଳ୍ପ ଶକ୍ତି କଥା କହୁଛି ଯାହା ଆମକୁ ପରାଧୀନ ମାନସିକତା ଠାରୁ ମୁକ୍ତି ଦେବ । ଦେଶବାସୀ ଭାଇ ଓ ଭଉଣୀମାନେ ଥରେ ଚିନ୍ତା କରନ୍ତୁ, କେତେ ଦିନ ପର୍ଯ୍ୟନ୍ତ ଦୁନିଆ ଆମକୁ ସାର୍ଟିଫିକେଟ ବାଣ୍ଟି ଚାଲିବ? କେତେ ଦିନ ଧରି ଆମେ ଦୁନିଆ ଠାରୁ ପ୍ରମାଣପତ୍ର ନେଇ ଆଗକୁ ବଢ଼ିବା? ଆମେ କ’ଣ ନିଜ ପାଇଁ ମାପଦଣ୍ଡ ପ୍ରସ୍ତୁତ କରିବା ନାହିଁ ? ୧୩୦ କୋଟି ଲୋକଙ୍କ ଦେଶ କ’ଣ ନିଜ ମାପଦଣ୍ଡକୁ ଅତିକ୍ରମ କରିବା ଲାଗି ଆଗକୁ ବଢ଼ି ପାରିବ ନାହିଁ ? କୌଣସି ପରିସ୍ଥିତିରେ ସୁଦ୍ଧା ଆମେ ଅନ୍ୟମାନଙ୍କ ଭଳି ଦେଖାଯିବା ନିମନ୍ତେ ଚେଷ୍ଟା କରିବା ଉଚିତ୍‌ ନୁହେଁ । ଆମେ ଯେମିତି ସେମିତି ରହିବା, କିନ୍ତୁ ବିପୁଳ ସାମର୍ଥ୍ୟ ସହିତ ଠିଆ ହେବା, ଆମ ମନୋଭାବ ଏପରି ହେବା ଉଚିତ୍‌ । ଆମକୁ ପରାଧୀନତା ଠାରୁ ମୁକୁଳିବାକୁ ହେବ । ଆମ ମନ ଭିତରେ, ଗଭୀର କୋଣରେ ମଧ୍ୟ ପରାଧୀନତାର ଭାବନା ରହିବା ଉଚିତ୍‌ ନୁହେଁ ସାଥୀଗଣ । ଜାତୀୟ ଶିକ୍ଷା ନୀତିକୁ ନେଇ ମୋର ଅନେକ ଆଶା ରହିଛି । କାରଣ ବ୍ୟାପକ ବିଚାରବିମର୍ଶ, କୋଟି କୋଟି ଲୋକଙ୍କ ବିଚାରରେ ସଂକଳିତ, ଭାରତର ମୂଳଦୁଆ ସହ ଜଡ଼ିତ ବିଷୟକୁ ନେଇ, ଆମ ମାଟିର ରସ ଏହି ଶିକ୍ଷା ନୀତିରେ ରହିଛି । ଆମେ ଯେଉଁ କୌଶଳ ଉପରେ ଗୁରୁତ୍ୱ ଦେଇଛୁ, ତାହା ଏପରି ଏକ ସାମର୍ଥ୍ୟ, ଯାହା ଆମକୁ ପରାଧୀନତାରୁ ମୁକ୍ତି ପାଇଁ ଶକ୍ତି ଯୋଗାଇବ ।

ଆମେ ଦେଖିଛୁ ବେଳେ ବେଳେ ଆମ ପ୍ରତିଭା ଭାଷାର ବନ୍ଧନରେ ବାନ୍ଧି ହୋଇଯାଏ, ଏହା ହିଁ ପରାଧୀନ ମାନସିକତାର ପରିଣାମ । ଆମ ଦେଶର ପ୍ରତ୍ୟେକ ଭାଷାକୁ ନେଇ ଆମେ ଗର୍ବ କରିବା ଉଚିତ୍‌ । ସେ ଭାଷା ଆମକୁ ଆସୁ କି ନଆସୁ, କିନ୍ତୁ ମୋ ଦେଶର ଭାଷା, ମୋ ପୂର୍ବଜମାନେ ଦୁନିଆକୁ ଦେଇ ଯାଇଥିବା ଭାଷାକୁ ନେଇ ଆମ ମନରେ ଗର୍ବ ରହିବା ଉଚିତ୍‌ ।

ମୋର ବନ୍ଧୁଗଣ,

ଆଜି ଡିଜିଟାଲ ଇଣ୍ଡିଆର ରୂପ ଆମେ ଦେଖି ପାରୁଛୁ । ଷ୍ଟାର୍ଟଅପ୍ ଦେଖୁଛୁ । ଏହାକୁ ଆଗକୁ ବଢ଼ାଉଥିବା ଲୋକମାନେ କିଏ? ଏମାନେ ହେଉଛନ୍ତି ସେହି ପ୍ରତିଭା, ଯେଉଁମାନେ ଟିୟର-୨, ଟିୟର-୩ ସହର କିମ୍ବା କୌଣସି ଗାଁର ଗରିବ ପରିବାରରେ ରହିଥାନ୍ତି । ଆମର ନବଯୁବକମାନେ ନୂଆ ନୂଆ ଅନୁସନ୍ଧାନକୁ ନେଇ ବିଶ୍ୱ ସମ୍ମୁଖକୁ ଆସୁଛନ୍ତି । ପରାଧୀନତାର ମାନସିକତା ଆମକୁ ପରିତ୍ୟାଗ କରିବାକୁ ହେବ । ନିଜ ସାମର୍ଥ୍ୟ ଉପରେ ଭରସା କରିବାକୁ ହେବ ।

ଆଉ ଗୋଟିଏ କଥା ଯାହାକୁ ମୁଁ କହିବାକୁ ଯାଉଛି, ତାହା ହେଉଛି ତୃତୀୟ ସଂକଳ୍ପ । ଆମ ଐତିହ୍ୟ, ଆମ ପରମ୍ପରାକୁ ନେଇ ଆମେ ଗର୍ବ କରିବା । ଆମ ସମସ୍ତଙ୍କୁ ଏହି ଶପଥ ନେବାକୁ ହେବ । ଆମେ ନିଜ ମାଟି ସହ ଯୋଡ଼ି ହୋଇପାରିଲେ ଅଧିକ ଉଚ୍ଚକୁ ଉଡ଼ିପାରିବା, ଉଚ୍ଚ ଶିଖରକୁ ଛୁଇଁ ପାରିଲେ ଆମେ ସାରା ବିଶ୍ୱ ପାଇଁ ସମାଧାନ ଖୋଜିପାରିବା । ଆମେ ଦେଖିଛୁ ଯେ ଆମେ ନିଜ ପରମ୍ପରାକୁ ନେଇ ଗର୍ବ କଲେ ସାରା ବିଶ୍ୱ ପାଇଁ ତାହା ଅନୁକରଣୀୟ ହୋଇଥାଏ। ଆଜି ସାରା ଦୁନିଆରେ ସାମଗ୍ରିକ ସ୍ୱାସ୍ଥ୍ୟସେବାକୁ ନେଇ ଚର୍ଚ୍ଚା ହେଉଛି, କିନ୍ତୁ ସାମଗ୍ରିକ ସ୍ୱାସ୍ଥ୍ୟସେବାକୁ ନେଇ ଚର୍ଚ୍ଚା ହେଲେ ଭାରତର ଯୋଗ, ଆୟୁର୍ବେଦ ଏବଂ ସାମଗ୍ରିକ ଜୀବନଶୈଳୀ କଥା ଉଠିଥାଏ । ଆମର ଏହି ଐତିହ୍ୟକୁ ଆମେ ଆଜି ଦୁନିଆକୁ ଦେଇଛୁ । ସମସ୍ତେ ଆମ ଶକ୍ତିକୁ ଦେଖୁଛନ୍ତି । ଆମେ ସେହି ଲୋକ, ଆମେ ପ୍ରକୃତି ସହ ବଞ୍ଚିବା ଶିଖିଛୁ । ପ୍ରକୃତିକୁ ଭଲ ପାଇବା ଜାଣିଛୁ । ଆଜି ସାରା ବିଶ୍ୱ ପରିବେଶ ସମସ୍ୟା ସହ ସଂଘର୍ଷ କରୁଛି । ଆମ ପାଖରେ ସେହି ପରମ୍ପରା ରହିଛି, ବିଶ୍ୱ ଉତ୍ତାପନ ବା ଗ୍ଲୋବାଲ ୱାର୍ମିଂ ସମସ୍ୟାର ସମାଧାନ ରାସ୍ତା ଆମ ପାଖରେ ଅଛି । ଏସବୁ ଆମକୁ ପାରମ୍ପରିକ ରୂପରେ ଆମ ପୂର୍ବଜମାନଙ୍କ ଠାରୁ ମିଳିଛି ।

ଆମେ ଯେତେବେଳେ ଲାଇଫଷ୍ଟାଇଲ କଥା ଆଲୋଚନା କରିଥାଉ, ପରିବେଶ ଅନୁକୂଳ ଜୀବନଶୈଳୀ ବା ଇନଭାଇରନମେଣ୍ଟ ଫ୍ରେଣ୍ଡଲି ଲାଇଫଷ୍ଟାଇଲ୍‌ କଥା କହିଥାଉ, ତା’କୁ ଦୁନିଆ ଗ୍ରହଣ କରିଥାଏ । ଆମେ ଯେଉଁ ଲାଇଫ ମିଶନ କଥା କହିଛୁ, ସାରା ଦୁନିଆ ସେଥିପ୍ରତି ଧ୍ୟାନ ଦେଇଛି । ଆମ ପାଖରେ ସାମର୍ଥ୍ୟ ରହିଛି ।  ବଡ଼ ଧାନ, ମୋଟା ଧାନ, ମିଲେଟ୍‌, ଆମ ଦେଶରେ ତ’ ସବୁ ଘରେ ଏ ଜିନିଷ ମିଳିବ । ଏହା ହିଁ ଆମର ପରମ୍ପରା, ଆମ ଐତିହ୍ୟ । ଆମର ଛୋଟ ଛୋଟ ଚାଷୀଙ୍କ ପରିଶ୍ରମ । ଛୋଟ ଛୋଟ ଖଣ୍ଡ ଜମିରେ ସୁନାର ଫସଲ ଫଳାଇବା ପ୍ରତି ସେମାନଙ୍କ ଧ୍ୟାନ ଆଜି କୃଷି କ୍ଷେତ୍ରରେ ଭାରତକୁ ଅଗ୍ରଣୀ କରିଛି । ଆଜି ସାରା ଦୁନିଆ ଅନ୍ତର୍ଜାତୀୟ ସ୍ତରରେ ମିଲେଟ୍‌ ବର୍ଷ ପାଳନ କରିବା ଦିଗରେ ଆଗକୁ ବଢ଼ୁଛି । ଅର୍ଥାତ୍‌ ଆମ ପରମ୍ପରାକୁ ଆଜି ସାରା ବିଶ୍ୱ ଗ୍ରହଣ କରିଛି, ଏହାକୁ ନେଇ ଆମେ ଗର୍ବ କରିବା ଉଚିତ୍‌ । ଦୁନିଆକୁ ଦେବା ପାଇଁ ଆମ ପାଖରେ ଅନେକ ଜିନିଷ ରହିଛି । ଆମର ପାରିବାରିକ ମୂଲ୍ୟବୋଧ ସେଥିମଧ୍ୟରୁ ଗୋଟିଏ । ସାରା ବିଶ୍ୱରେ ଆଜି ସାମାଜିକ ଅଶାନ୍ତିକୁ ନେଇ ଚର୍ଚ୍ଚା ହେଉଛି । ବ୍ୟକ୍ତିଗତ ଅଶାନ୍ତିକୁ ନେଇ ଚର୍ଚ୍ଚା ହେଉଛି । ଏଭଳି ପରିସ୍ଥିତିରେ ସମସ୍ତଙ୍କ ପାଇଁ ଯୋଗ ଏକ ସମାଧାନର ବିକଳ୍ପ ନେଇ ଆସିଛି । ସାମୁହିକ ଅଶାନ୍ତି କଥା ପଡ଼ିଲେ ଭାରତର ପାରିବାରିକ ବ୍ୟବସ୍ଥା ସମସ୍ତଙ୍କର ଧ୍ୟାନ ଆକର୍ଷଣ କରୁଛି । ଯୌଥ ପରିବାରର ଏକ ପୁଞ୍ଜି ଶହ ଶହ ବର୍ଷ ଧରି ଆମ ମା’-ଭଉଣୀମାନଙ୍କର ତ୍ୟାଗ ଓ ବଳିଦାନ କାରଣରୁ ସମ୍ଭବ ହୋଇପାରିଛି । ସେମାନଙ୍କ ପାଇଁ ପରିବାର ନାମକ ବ୍ୟବସ୍ଥା ବିକଶିତ ହୋଇଛି, ଏହା ହିଁ ଆମର ପରମ୍ପରା । ଏ ପରମ୍ପରାକୁ ନେଇ ଆମେ ଗର୍ବ କରିବା ଉଚିତ୍‌ । ଆମେ ଏମିତି ଲୋକ ଯିଏ ଜୀବ ମଧ୍ୟରେ ଶିବଙ୍କୁ ଦର୍ଶନ କରିଥାନ୍ତି । ଆମେ ସେହି ଲୋକ ଯିଏ ନରଙ୍କ ମଧ୍ୟରେ ନାରାୟଣଙ୍କୁ ଦେଖିଥାନ୍ତି । ଆମେ ନାରୀକୁ ନାରାୟଣୀ କହିଥାଉ । ବୃକ୍ଷରେ ଆମକୁ ପରମାତ୍ମା ଦେଖାଇ ଦିଅନ୍ତି । ନଦୀ ଆମ ପାଇଁ ମା’ । ପ୍ରତ୍ୟେକ ପଥରରେ ଆମକୁ ଶଙ୍କରଙ୍କ ଦର୍ଶନ ହୁଏ । ଏହା ହିଁ ଆମର ସାମର୍ଥ୍ୟ, ପ୍ରତ୍ୟେକ ନଦୀରେ ଆମେ ମା’ଙ୍କ ସ୍ୱରୂପକୁ ଦେଖିଥାଉ । ପରିବେଶର ଏତେ ବ୍ୟାପକତା, ବିଶାଳତା, ଏହା ହିଁ ଆମର ଗୌରବ, ଯେତେବେଳେ ବିଶ୍ୱ ସମ୍ମୁଖରେ ଆମେ ନିଜକୁ ନେଇ ଗର୍ବ କରିବା, ସାରା ଦୁନିଆ ଆମକୁ ନେଇ ଗର୍ବିତ ହେବ ।

ଭାଇ ଓ ଭଉଣୀମାନେ,

ଆମେମାନେ ହିଁ ଦୁନିଆକୁ ବସୁଧୈବ କୁଟୁମ୍ବକମ ମନ୍ତ୍ର ଶିଖାଇଛୁ । ଆମେ ଦୁନିଆକୁ କହିଥାଉ ଯେ, ‘ଏକଂ ସତ୍‌ ବିପ୍ରା ବହୁଧା ବଦନ୍ତି’ । ହେଲେ ଆଜି ଦୁନିଆରେ ‘holier than thou’ ସଂକଟ ଦେଖାଦେଇଛି । ‘ତୋ ଠାରୁ ବଡ଼ ମୁଁ’, ଏହା ହିଁ ଅଶାନ୍ତିର କାରଣ ପାଲଟିଛି । କିନ୍ତୁ ଆମ ପାଖରେ ‘ଏକଂ ସତ୍‌ ବିପ୍ରା ବହୁଧା ବଦନ୍ତି’ ଜ୍ଞାନ ପ୍ରଦାନ କରୁଥିବା ପରମ୍ପରା ରହିଛି । ଯାହା କହିଥାଏ ଯେ, ସତ୍ୟ ଗୋଟିଏ କିନ୍ତୁ ଜ୍ଞାନୀ ଲୋକମାନେ ତାହାକୁ ଭିନ୍ନ ଭିନ୍ନ ଢଙ୍ଗରେ କହିଥାନ୍ତି । ଏହା ହିଁ ଆମର ଗୌରବ । ଆମେ କହିଥାଉ, ‘ୟତ୍‌ ପିଣ୍ଡେ ତତ୍‌ ବ୍ରହ୍ମାଣ୍ଡେ’, କେତେ ବଡ଼ ଏ ଚିନ୍ତାଧାରା ! ବ୍ରହ୍ମାଣ୍ଡରେ ଯାହା ଅଛି ତାହା ପ୍ରତ୍ୟେକ ଜୀବ ମାତ୍ରକେ ରହିଛି । ଆମେ ଏକଥା ହିଁ ସାରା ବିଶ୍ୱକୁ କହିଥାଉ । ଆମେ ସାରା ବିଶ୍ୱର କଲ୍ୟାଣ ବିଷୟରେ ଚିନ୍ତା କରିଥାଉ । ଆମେ ଜଗତକଲ୍ୟାଣ ମାଧ୍ୟମରେ ଜନକଲ୍ୟାଣ ପଥର ଯାତ୍ରୀ । ଜନକଲ୍ୟାଣ ମାଧ୍ୟମରେ ଜଗତ କଲ୍ୟାଣ ମାର୍ଗରେ ଯିବା ଲାଗି ଆମେ ସର୍ବଦା ପ୍ରୟାସରତ । ସାରା ଦୁନିଆର ମଙ୍ଗଳ ଚିନ୍ତା କଲାବେଳେ, ଆମେ – ‘ସର୍ବେ ଭବନ୍ତୁ ସୁଖିନଃ । ସର୍ବେ ସନ୍ତୁ ନିରାମୟାଃ’ କହିଥାଉ । ସମସ୍ତଙ୍କ ସୁଖ ଓ ସମସ୍ତଙ୍କ ଆରୋଗ୍ୟ କାମନା କରିବା ଆମର ପରମ୍ପରା । ସେଥିପାଇଁ ଆମେ ସମ୍ମାନର ସହିତ ଏହି ପରମ୍ପରାକୁ ନେଇ ଗର୍ବ କରିବା ଉଚିତ୍‌ । ଏହି ପ୍ରଣ ଶକ୍ତି, ସଂକଳ୍ପ ଶକ୍ତି ଆମକୁ ଆସନ୍ତା ୨୫ ବର୍ଷ ମଧ୍ୟରେ ନିଜ ସ୍ୱପ୍ନ ପୂରଣ କରିବାରେ ସହାୟକ ହେବ ।

ମୋର ପ୍ରିୟ ଦେଶବାସୀ,

ଆଉ ଏକ ମହତ୍ୱପୂର୍ଣ୍ଣ ବିଷୟ ହେଉଛି ଏକତା, ଏକଜୁଟତା । ଏତେ ବଡ଼ ଦେଶର ବିବିଧତାକୁ ନେଇ ଆମେ ଉତ୍ସବ ପାଳନ କରିବା ଉଚିତ୍‌ । ଅନେକ ପନ୍ଥ, ପରମ୍ପରା ଆମର ଗର୍ବ ଓ ଗୌରବ । କେହି ଛୋଟ, କେହି ବଡ଼ ନୁହନ୍ତି, ସମସ୍ତେ ସମାନ । କେହି ମୋର ନୁହେଁ, କେହି ପର ନୁହେଁ, ସମସ୍ତେ ଆପଣାର । ଏକତା ପାଇଁ ଏହି ଭାବନା ଅତ୍ୟନ୍ତ ଜରୁରି । ପୁଅ-ଝିଅ ସମାନ ହେଲେ ଘରେ ହିଁ ଏକତାର ମୂଳଦୁଆ ପଡ଼ିଥାଏ । ଯଦି ପୁଅ-ଝିଅ ଏକ ସମାନ ହେବେ ନାହିଁ ତା’ହେଲେ ଏକତାର ମନ୍ତ୍ରରେ ବାନ୍ଧି ହୋଇପାରିବେ ନାହିଁ । ଲିଙ୍ଗଗତ ସମାନତା ଆମ ଏକତାର ପ୍ରଥମ ସର୍ତ୍ତ । ଏକତା କଥା କହିଲେ, ଆମ ପାଖରେ ଗୋଟିଏ ମାପଦଣ୍ଡ ରହିବା ଉଚିତ୍‌ । ସେହି ମାପଦଣ୍ଡ ହେଉଛି ଇଣ୍ଡିଆ ଫର୍ଷ୍ଟ । ମୁଁ ଯାହା ବି ଚିନ୍ତା କରୁଛି, ଯାହା ବି କହୁଛି ତାହା ଇଣ୍ଡିଆ ଫର୍ଷ୍ଟ ଅନୁକୂଳ ହେବା ଉଚିତ୍‌ । ଏକତାର ମାର୍ଗ ଏହା ଦ୍ୱାରା ପ୍ରଶସ୍ତ ହେବ । ଆମକୁ ଏକତାରେ ବାନ୍ଧୁଥିବା ମନ୍ତ୍ରକୁ ଆମେ ଧରି ରଖିବା ଉଚିତ୍‌ । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ଆମେ ସମାଜରୁ ଉଚ୍ଚନୀଚ, ମୋର ତୋର ଭେଦଭାବକୁ ଦୂରେଇବାରେ ସକ୍ଷମ ହୋଇପାରିବୁ । ଆମେ ଶ୍ରମେବ ଜୟତେ କଥା କହିଥାଉ, ତେଣୁ ଶ୍ରମିକମାନଙ୍କୁ ସମ୍ମାନ ଜଣାଇବା ଆମର ସ୍ୱଭାବ ହେବା ଉଚିତ୍‌ ।

କିନ୍ତୁ ଭାଇ ଓ ଭଉଣୀମାନେ,

ମୁଁ ଲାଲକିଲାରୁ ମୋ ମନରେ ଥିବା ଏକ ପୀଡ଼ା ବିଷୟରେ କହିବାକୁ ଚାହୁଁଛି, ଏ ଯନ୍ତ୍ରଣା ବିଷୟରେ ନକହିଲେ ମୁଁ ରହି ପାରିବି ନାହିଁ । ମୋ ମନରେ ଥିବା ଯନ୍ତ୍ରଣା ମୁଁ କାହା ଆଗରେ କହିବି । ଦେଶବାସୀଙ୍କ ଆଗରେ କହିବି ନାହିଁ ତ’ କାହାକୁ କହିବି । ଏ କଥାଟି ହେଉଛି କୌଣସି ନା କୌଣସି କାରଣରୁ ଆମ ଭିତରେ ଏକ ବିକୃତି ସୃଷ୍ଟି ହୋଇଛି । ଆମ କଥାବାର୍ତ୍ତାରେ, ଆମ ବ୍ୟବହାରରେ, ଆମ ଶବ୍ଦରେ, ଆମେ ନାରୀଙ୍କୁ ଅପମାନିତ କରୁଛୁ । ଆମେ କ’ଣ ସ୍ୱଭାବରେ, ସଂସ୍କାରରେ, ଦୈନନ୍ଦିନ ଜୀବନରେ ନାରୀଙ୍କୁ ଅପମାନିତ କରୁଥିବା ପ୍ରତ୍ୟେକ କଥାରୁ ମୁକ୍ତିର ସଂକଳ୍ପ ନେଇପାରିବା ନାହିଁ । ନାରୀଙ୍କ ଗୌରବ ଦେଶର ସ୍ୱପ୍ନକୁ ପୂରଣ କରିବା ଲାଗି ବହୁତ ବଡ଼ ପୁଞ୍ଜି ହେବାକୁ ଯାଉଛି । ଏ ସାମର୍ଥ୍ୟ ମୁଁ ଦେଖିପାରୁଛି । ସେଥିପାଇଁ ଏ କଥାକୁ ନେଇ ଆଗ୍ରହୀ ଅଛି ।

ମୋର ପ୍ରିୟ ଭାଇ ଓ ଭଉଣୀମାନେ

ମୁଁ ପଞ୍ଚମ ପ୍ରଣ ବା ସଂକଳ୍ପ ଶକ୍ତି କଥା କହୁଛି । ସେହି ପଞ୍ଚମ ପ୍ରଣଶକ୍ତି ହେଉଛି – ନାଗରିକମାନଙ୍କ କର୍ତ୍ତବ୍ୟ । ବିଶ୍ୱରେ ଯେଉଁସବୁ ଦେଶ ବିକଶିତ ହୋଇଛନ୍ତି, କିଛି ଉପଲବ୍ଧି ହାସଲ କରିଛନ୍ତି ସେମାନେ କେବଳ ନାଗରିକଙ୍କ ଅନୁଶାସିତ ଜୀବନ ଏବଂ କର୍ତ୍ତବ୍ୟ ପ୍ରତି ସମର୍ପଣ କାରଣରୁ ସଫଳ ହୋଇପାରିଛନ୍ତି । ବ୍ୟକ୍ତିଗତ ଜୀବନରେ ଯେଉଁମାନେ କିଛି ସଫଳତା ପାଇଛନ୍ତି, ସେମାନଙ୍କ କ୍ଷେତ୍ରରେ ମଧ୍ୟ ଏହି ଦୁଇଟି ଗୁଣ ଦେଖିବାକୁ ମିଳିଛି । ବ୍ୟକ୍ତିଗତ ଜୀବନ ହେଉ, ସମାଜ ହେଉ, ପରିବାର, ରାଷ୍ଟ୍ର ହେଉ ସବୁ କ୍ଷେତ୍ରରେ ସଫଳତା ପାଇଁ ଏହା ହିଁ ମୌଳିକ ମାର୍ଗ, ଏହା ହିଁ ମୂଳ ସଂକଳ୍ପଶକ୍ତି । ସେଥିପାଇଁ ଆମକୁ କର୍ତ୍ତବ୍ୟ ମାର୍ଗ ଉପରେ ବଳ ଦେବାକୁ ହେବ  । ୨୪ ଘଣ୍ଟା ବିଦ୍ୟୁତ ଶକ୍ତି ଯୋଗାଇ ଦେବା ପାଇଁ ଚେଷ୍ଟା କରିବା ପ୍ରଶାସନର କାର୍ଯ୍ୟ । କିନ୍ତୁ କେତେ ଅଧିକ ବିଦ୍ୟୁତ ଶକ୍ତି ସଞ୍ଚୟ କରି ହେବ ତାହା ସାଧାରଣ ନାଗରିକଙ୍କ କର୍ତ୍ତବ୍ୟ । ପ୍ରତ୍ୟେକ ଚାଷ ଜମିକୁ ପାଣି ପହଞ୍ଚାଇବା ସରକାରଙ୍କ ଦାୟିତ୍ୱ, ସରକାର ଏଥିପାଇଁ ପ୍ରୟାସ କରିବା ଉଚିତ୍‌ । କିନ୍ତୁ ‘ପ୍ରତି ବୁନ୍ଦାରେ ଅଧିକ ଅମଳ’, ଜଳ ସଂରକ୍ଷଣର ଏହି ସ୍ୱର ପ୍ରତିଟି କ୍ଷେତରୁ ଆସିବା ଉଚିତ୍‌ । ରାସାୟନିକ ମୁକ୍ତ ଚାଷ, ଜୈବିକ କୃଷି, ପ୍ରାକୃତିକ କୃଷି ଆମର କର୍ତ୍ତବ୍ୟ ।

ବନ୍ଧୁଗଣ, ପୁଲିସ ହୁଅନ୍ତୁ, ନାଗରିକ ହୁଅନ୍ତୁ, ଶାସକ କିମ୍ବା ପ୍ରଶାସକ ହୁଅନ୍ତୁ, ନାଗରିକ କର୍ତ୍ତବ୍ୟ ଠାରୁ କେହି ମୁକ୍ତ ନୁହନ୍ତି । ସମସ୍ତେ ଯଦି ନିଜ ନାଗରିକ କର୍ତ୍ତବ୍ୟ ପାଳନ କରିବେ, ତା’ହେଲେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ଆମେ ନିର୍ଦ୍ଧାରିତ ସମୟ ପୂର୍ବରୁ ସିଦ୍ଧି ପ୍ରାପ୍ତ କରିପାରିବା ।

ମୋର ପ୍ରିୟ ଦେଶବାସୀ,

ଆଜି ମହର୍ଷି ଅରବିନ୍ଦଙ୍କ ଜୟନ୍ତୀ । ମୁଁ ସେହି ମହାପୁରୁଷଙ୍କ ପାଦପଦ୍ମରେ ପ୍ରଣାମ କରୁଛି । କିନ୍ତୁ ଆମେ ସେହି ମହାପୁରୁଷଙ୍କୁ ସ୍ମରଣ କରିବା ଉଚିତ୍‌ ଯିଏ କହିଥିଲେ ସ୍ୱଦେଶୀରୁ ସ୍ୱରୂପ, ସ୍ୱରାଜରୁ ସୁରାଜ୍ୟ । ଏହା ଥିଲା ତାଙ୍କର ମନ୍ତ୍ର । ଏବେ ଆମକୁ ଭାବିବାକୁ ହେବ ଯେ ଆଉ କେତେ ଦିନ ପର୍ଯ୍ୟନ୍ତ ଆମେ ବିଶ୍ୱର ଲୋକମାନଙ୍କ ଉପରେ ନିର୍ଭରଶୀଳ ରହିବା । ଆମ ଦେଶ ପାଇଁ ଖାଦ୍ୟାନ୍ନ ଦରକାର ହେଲେ, ଆମେ ବାହାରୁ ଆମଦାନୀ କରିପାରିବା କି? ଆମେ ହିଁ ଆମର ପେଟ ଭରିବା, ଦେଶ ଯେତେବେଳେ ଏ ସଂକଳ୍ପ ନେଲା, ଏହାକୁ ସତ କରି ଦେଶ ଦେଖାଇ ଦେଲା । ଥରେ ଆମେ ସଂକଳ୍ପ ନେଲେ ତାହାକୁ ପୂରଣ କରିଥାଉ । ତେଣୁ ଆତ୍ମନିର୍ଭର ଭାରତ ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ସରକାର, ସମାଜର ସବୁ ବର୍ଗର ଦାୟିତ୍ୱ ହେବା ଉଚିତ୍‌ । ଏହି ଆତ୍ମନିର୍ଭର ଭାରତ ସରକାରୀ ଏଜେଣ୍ଡା, ସରକାରୀ କାର୍ଯ୍ୟକ୍ରମ ନୁହେଁ । ଏହା ସମାଜର ଜନ ଆନ୍ଦୋଳନ ଆମେ ଏହାକୁ ଆଗେଇ ନେବା ଉଚିତ୍‌ ।

ମୋର ବନ୍ଧୁଗଣ,

ଆଜି ଆମେ ଏକ ନୂଆ କଥା ଶୁଣିଲୁ । ସ୍ୱାଧୀନତାର ୭୫ ବର୍ଷ ପରେ ଯେଉଁ ଶବ୍ଦ ଶୁଣିବା ଲାଗି ଆମ କାନ ଅପେକ୍ଷା କରି ରହିଥିଲା ଆଜି ୭୬ତମ ସ୍ୱାଧୀନତା ଦିବସରେ ସେହି ଶବ୍ଦ ଆମେ ଶୁଣିଛୁ । ୭୫ ବର୍ଷ ପରେ ଲାଲ କିଲାରେ ତିରଙ୍ଗାକୁ ଯେଉଁ ତୋପ ସଲାମୀ ଦିଆଗଲା ସେହି କାମ ପ୍ରଥମ ଥର ପାଇଁ ମେଡ ଇନ୍‌ ଇଣ୍ଡିଆ, ଭାରତ ନିର୍ମିତ ତୋପ ମାଧ୍ୟମରେ କରାଯାଇଛି । ଏ କଥା, ଏ ଶବ୍ଦ ସବୁ ଭାରତବାସୀଙ୍କୁ ପ୍ରେରଣା ଦେବ, ଶକ୍ତି ଦେବ । ପ୍ରିୟ ଭାଇ ଓ ଭଉଣୀମାନେ, ସେଥିପାଇଁ ମୁଁ ଆଜି ମୋ ଦେଶର ସେନାବାହିନୀ ଯବାନମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବାକୁ ଚାହୁଁଛି ।  ମୋ ଦେଶର ସେନା ଯବାନମାନେ, ସେନା ନାୟକମାନେ, ସଂଗଠିତ ଭାବେ ମୋର ଆତ୍ମନିର୍ଭର ଭାରତ ସଂକଳ୍ପକୁ ପୂରଣ କରିବା ଲାଗି ନିଜ କାନ୍ଧରେ ଦାୟିତ୍ୱ ଉଠାଇଛନ୍ତି । ମୁଁ ସେମାନଙ୍କୁ ଯେତେ ସମ୍ମାନ ଜଣାଇଲେ ସୁଦ୍ଧା କମ ହେବ । ସେମାନଙ୍କୁ ମୁଁ ଆଜି ପ୍ରଣାମ କରୁଛି । କାରଣ ସେନାର ଯବାନମାନେ ମୃତ୍ୟୁକୁ ହାତ ମୁଠାରେ ନେଇ ଚାଲିଥାନ୍ତି । ମୃତ୍ୟୁ ଏବଂ ଜୀବନ ମଧ୍ୟରେ କୌଣସି ବ୍ୟବଧାନ ନଥାଏ, ଏ ଦୁଇଟି ମଝିରେ ସେନାବାହିନୀ ସାହସର ସହ ଛିଡ଼ା ହୋଇଥାଏ । ମୋ ସେନାବାହିନୀର ଯବାନମାନେ ନିର୍ଦ୍ଧାରଣ କଲେ ଯେ ସେମାନେ ବ୍ୟବହାର କରୁଥିବା ୩୦୦ ସାମଗ୍ରୀ ବିଦେଶରୁ ମଗାଇବେ ନାହିଁ, ଏହାର ସେମାନେ ଏକ ତାଲିକା ପ୍ରସ୍ତୁତ କଲେ । ଆମ ଦେଶର ଏ ସଂକଳ୍ପ ଛୋଟ ନୁହେଁ ।

ଏହି ସଂକଳ୍ପ ମଧ୍ୟରେ ମୁଁ ‘ଆତ୍ମନିର୍ଭର’ ଭାରତର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେହି ବୀଜକୁ ଦେଖିପାରୁଛି ଯାହା ଏହି ଆତ୍ମନିର୍ଭରଶୀଳତାର ସ୍ୱପ୍ନକୁ ବାସ୍ତବତାର ବଟବୃକ୍ଷରେ ପରିବର୍ତ୍ତିତ କରିବାକୁ ଯାଉଛି । ପ୍ରଣାମ ! ପ୍ରଣାମ ! ମୋ ସେନା ଅଧିକାରୀମାନଙ୍କୁ ପ୍ରଣାମ ! ମୋ ଦେଶର ଛୋଟ ୫-୭ ବର୍ଷର ପିଲାମାନଙ୍କୁ ମଧ୍ୟ ଅଭିବାଦନ ଜଣାଇବାକୁ ଚାହୁଁଛି । ଦେଶରେ ଯେତେବେଳେ ସ୍ୱଦେଶୀ ଚେତନା ଜାଗ୍ରତ ହେଲା, ମୁଁ ଶୁଣିଛି ଯେ ଶତାଧିକ ପରିବାରର ପିଲାମାନେ, ୫ ବର୍ଷ, ୭ ବର୍ଷର ପିଲାମାନେ ବିଦେଶୀ ଖେଳନାରେ ଖେଳିବେ ନାହିଁ ବୋଲି କହିଦେଲେ । ୫ ବର୍ଷର ପିଲା ଘରେ ବିଦେଶୀ ଖେଳନାରେ ନଖେଳିବାର ସଂକଳ୍ପ ନେଲେ ସେମାନଙ୍କର ରକ୍ତରେ ଆତ୍ମନିର୍ଭର ଭାରତର ରଙ୍ଗ ଦୌଡ଼ୁଥିବା ପ୍ରମାଣିତ ହୋଇଥାଏ । ଆପଣମାନେ ଦେଖନ୍ତୁ, ପିଏଲଆଇ ଯୋଜନା, ୧ ଲକ୍ଷ କୋଟି କୋଟି ଟଙ୍କାର ବ୍ୟବସ୍ଥା ଆଜି ଭାରତକୁ ବିଶ୍ୱ ପାଇଁ ଏକ ବ୍ୟବସାୟ ଅନୁକୂଳ ଲକ୍ଷ୍ୟସ୍ଥଳୀରେ ପରିଣତ କରିଛି । ବିଦେଶରୁ ଲୋକମାନେ ଭାରତରେ ନିଜ ଭାଗ୍ୟ ପରୀକ୍ଷା ପାଇଁ ଆସୁଛନ୍ତି । ନୂଆ ନୂଆ ଜ୍ଞାନକୌଶଳ ନେଇ ଆସୁଛନ୍ତି । ରୋଜଗାରର ନୂତନ ଅବସର ସୃଷ୍ଟି ହେଉଛି । ଭାରତ ଉତ୍ପାଦନ ବା ମେନୁଫେକ୍ଚରିଂର କେନ୍ଦ୍ରସ୍ଥଳୀ ହେବାକୁ ଯାଉଛି । ଆତ୍ମନିର୍ଭର ଭାରତର ମୂଳଦୁଆ ସୁଦୃଢ଼ ହେଉଛି । ଆଜି ବିଦ୍ୟୁତ ସାମଗ୍ରୀ ଉତ୍ପାଦନ ହେଉ, ମୋବାଇଲ ଫୋନ ମେନୁଫେକ୍ଚରିଂ ହେଉ, ସବୁ କ୍ଷେତ୍ରରେ ଆଜି ଦେଶ ପ୍ରଗତି ହାସଲ କରୁଛି । ଆମ ବ୍ରହ୍ମୋସ ବିଦେଶକୁ ଗଲେ ସବୁ ଭାରତବାସୀଙ୍କ ଛାତି କୁଣ୍ଢେମୋଟ ହୋଇଯାଉଛି । ଆମ ମେଟ୍ରୋ କୋଚ, ଆମର ବନ୍ଦେ ଭାରତ ଟ୍ରେନ ବିଶ୍ୱ ପାଇଁ ଆକର୍ଷଣ ପାଲଟୁଛି ।

ମୋର ପ୍ରିୟ ଦେଶବାସୀ,

ଇନ୍ଧନ କ୍ଷେତ୍ରରେ ଆମକୁ ଆତ୍ମନିର୍ଭର ହେବାକୁ ପଡ଼ିବ । କେତେ ଦିନ ପର୍ଯ୍ୟନ୍ତ ଆମେ ଇନ୍ଧନ କ୍ଷେତ୍ରରେ ଅନ୍ୟ ଉପରେ ନିର୍ଭର କରି ରହିବା । ସୌର ଶକ୍ତି ହେଉ, ବାୟୁ ଶକ୍ତି, ଅକ୍ଷୟ ଶକ୍ତି କ୍ଷେତ୍ରରେ ଯେଉଁସବୁ ମାର୍ଗ ରହିଛି, ମିଶନ ହାଇଡ୍ରୋଜେନ ହେଉ, ଜୈବ ଇନ୍ଧନ ହେଉ, ବିଦ୍ୟୁତ ଚାଳିତ ବାହନ ଚଳାଇବା ହେଉ, ଆମକୁ ଆତ୍ମନିର୍ଭର ହେବାକୁ ପଡ଼ିବ ସବୁ କ୍ଷେତ୍ରରେ । ଆତ୍ମନିର୍ଭରଶୀଳ ହୋଇ ଏସବୁ ବ୍ୟବସ୍ଥାରେ ଆମେ ଆଗକୁ ବଢ଼ିପାରିବା ।

ମୋର ପ୍ରିୟ ଦେଶବାସୀ,

ଆଜି ପ୍ରାକୃତିକ କୃଷି ଆତ୍ମନିର୍ଭରଶୀଳତାର ଏକ ମାର୍ଗ । ରାସାୟନିକ ସାରରୁ ଯେତେ ଅଧିକ ମୁକ୍ତି ମିଳିବ ସେତିକି ମଙ୍ଗଳ । ଆଜି ଦେଶରେ ନାନୋ ଫର୍ଟିଲାଇଜର କାରଖାନା ଏକ ନୂଆ ଆଶା ନେଇ ପ୍ରତିଷ୍ଠା ହେଉଛି । କିନ୍ତୁ ପ୍ରାକୃତିକ କୃଷି, ରାସାୟନିକ ମୁକ୍ତ କୃଷି ଆତ୍ମନିର୍ଭରତାକୁ ବଳ ଦେଇପାରିବ । ଆଜି ଦେଶରେ ରୋଜଗାର କ୍ଷେତ୍ରରେ ଗ୍ରୀନ ଜବ୍‌ ପାଇଁ ନୂଆ ନୂଆ କ୍ଷେତ୍ର ଖୁବ୍‌ ଦ୍ରୁତ ଗତିରେ ଆଗକୁ ଆସୁଛି । ଭାରତ ନୀତି ମାଧ୍ୟମରେ ‘ସ୍ପେସ୍‌’କୁ ଖୋଲି ଦେଇଛି । ଡ୍ରୋନ କ୍ଷେତ୍ରରେ ସରକାର ବିଶ୍ୱର ସବୁଠୁ ପ୍ରଗତିଶୀଳ ନୀତି ନେଇ ଆସିଛନ୍ତି । ଆମ ଦେଶର ଯୁବବର୍ଗଙ୍କ ପାଇଁ ନୂଆ ଦ୍ୱାର ଖୋଲିଛି ।

ମୋର ପ୍ରିୟ ଦେଶବାସୀ,

ମୁଁ ଘରୋଇ କ୍ଷେତ୍ରକୁ ମଧ୍ୟ ଆହ୍ୱାନ କରୁଛି, ଆସନ୍ତୁ… ଆମେ ସାରା ବିଶ୍ୱରେ ନିଜ ପ୍ରଭାବ ବିସ୍ତାର କରିବା । ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସାକାର କରିବା, ବିଶ୍ୱର ଆବଶ୍ୟକତାକୁ ପୂରଣ କରିବା । ଏଥିରେ ଭାରତ ପଛରେ ପଡ଼ିବା ଉଚିତ୍‌ ନୁହେଁ । ଆମର ଲଘୁ ଉଦ୍ୟୋଗ, ସୂକ୍ଷ୍ମ ଉଦ୍ୟୋଗ, କୁଟୀର ଶିଳ୍ପ, ‘ଜିରୋ ଡିଫେକ୍ଟ ଜିରୋ ଇଫେକ୍ଟ’ ଉତ୍ପାଦ ପ୍ରସ୍ତୁତ କରି ସାରା ଦୁନିଆରେ ଆମକୁ ପହଞ୍ଚାଇବାକୁ ପଡ଼ିବ । ସ୍ୱଦେଶୀକୁ ନେଇ ଆମେ ଗର୍ବ କରିବା ।

ମୋର ପ୍ରିୟ ଦେଶବାସୀ,

ଆମେ ବାରମ୍ବାର ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ସ୍ମରଣ କରିଥାଉ । ତାଙ୍କର ଜୟ ଯବାନ-ଜୟ କିଷାନ ମନ୍ତ୍ର ଆଜି ଦେଶ ପାଇଁ ପ୍ରେରଣା । ଏହାପରେ ଅଟଳ ବିହାରୀ ବାଜପେୟୀ ଜୀ ଜୟ ବିଜ୍ଞାନ ବୋଲି କହି ଏଥିରେ ଏକ ଅଧ୍ୟାୟ ଯୋଡ଼ି ଦେଇଥିଲେ । ସାରା ଦେଶ ଏହା ଉପରେ ପ୍ରାଥମିକତା ଦେଲା । କିନ୍ତୁ ଏବେ ଅମୃତକାଳ ପାଇଁ ଆଉ ଏକ ବାଧ୍ୟତା ଆସିଛି ତାହା ହେଉଛି ‘ଜୟ ଅନୁସନ୍ଧାନ’।  ଜୟ ଯବାନ-ଜୟ କିଷାନ-ଜୟ ବିଜ୍ଞାନ-ଜୟ ଅନୁସନ୍ଧାନ-ଇନୋଭେସନ । ମୋ ଦେଶର ଯୁବ ପିଢ଼ିଙ୍କ ଉପରେ ମୋର ଭରସା ରହିଛି । ଇନୋଭେସନର ଶକ୍ତି ଦେଖନ୍ତୁ, ଆଜି ଆମର ୟୁପିଆଇ-ଭୀମ, ଆମର ଡିଜିଟାଲ ପେମେଣ୍ଟ, ଫିନଟେକ୍‌ ଦୁନିଆରେ ଆମ ସ୍ଥାନକୁ ଦେଖନ୍ତୁ । ଆଜି ସାରା ବିଶ୍ୱରେ ୪୦ ପ୍ରତିଶତ ରିୟଲ ଟାଇମ ଡିଜିଟାଲ ଆର୍ଥିକ କାରବାର ମୋ ଦେଶରେ ହେଉଛି, ସାରା ଭାରତ ଏହାକୁ ପ୍ରମାଣିତ କରି ଦେଖାଇଛି ।

ମୋର ପ୍ରିୟ ଦେଶବାସୀ,

ଏବେ ଆମେ ଫାଇଭ୍‌ -ଜି ସମୟରେ ପାଦ ଥାପିବାକୁ ଯାଉଛୁ । ଅଧିକ ବିଳମ୍ବ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ, ଆମେ ପାଦ ମିଶାଇବାକୁ ଯାଉଛୁ । ଆମେ ପ୍ରତି ଗାଁରେ ଅପ୍ଟିକାଲ ଫାଇବର ପହଞ୍ଚାଇବାକୁ ଯାଉଛୁ । ଡିଜିଟାଲ ଇଣ୍ଡିଆର ସ୍ୱପ୍ନ ଗାଁ ଦେଇ ଅତିକ୍ରମ କରିବ, ମୋ ପାଖରେ ଏ ସୂଚନା ରହିଛି । ଏହା ମୋ ପାଇଁ ଖୁସିର ବିଷୟ ଯେ, ଭାରତର ୪ ଲକ୍ଷ ଜନସେବା କେନ୍ଦ୍ର ଗାଁରେ ବିକଶିତ ହୋଇଛି । ଗାଁର ପୁଅ ଝିଅମାନେ ଜନ ସେବା କେନ୍ଦ୍ର ଚଲାଉଛନ୍ତି । ଗାଁରେ ଚାରି ଲକ୍ଷ ଡିଜିଟାଲ ଉଦ୍ୟମୀ ପ୍ରସ୍ତୁତ ହେବା ଦେଶ ପାଇଁ ଗର୍ବର ବିଷୟ । ଗାଁ ଲୋକମାନେ ନିଜ ଗାଁର ଲୋକମାନଙ୍କ ଠାରୁ ଡିଜିଟାଲ ସେବା ନେବାରେ ଅଭ୍ୟସ୍ତ ହୋଇଯିବା, ଏହା ହିଁ ଟେକ୍ନୋଲୋଜି ହବ୍‌ ହେବା ଲାଗି ଭାରତର ଶକ୍ତି ।

ମୋର ପ୍ରିୟ ଦେଶବାସୀ,

ଡିଜିଟାଲ ଇଣ୍ଡିଆ ଆନ୍ଦୋଳନ, ସେମିକଣ୍ଡକ୍ଟର ନିର୍ମାଣ ଦିଗରେ ଅଗ୍ରସର ହେବା, ଫାଇଭ-ଜି ଦିଗରେ ଅଗ୍ରସର ହେବା, ଅପ୍ଟିକାଲ ଫାଇବର ନେଟୱର୍କ ବିଛାଇବା, ଏସବୁ କେବଳ ଆଧୁନିକତାର ପରିଚୟ ନୁହେଁ । ଏହା ଭିତରେ ତିନୋଟି ବଡ଼ ଶକ୍ତି ରହିଛି । ଶିକ୍ଷାରେ ଆମୂଳଚୁଳ କ୍ରାନ୍ତି – ଏହା ଡିଜିଟାଲ ମାଧ୍ୟମରେ ଆସିବାକୁ ଯାଉଛି । ଡିଜିଟାଲ ମାଧ୍ୟମରେ ହିଁ ସ୍ୱାସ୍ଥ୍ୟସେବାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି । ଡିଜିଟାଲ ମାଧ୍ୟମରେ କୃଷି ଜୀବନରେ ମଧ୍ୟ ବଡ଼ ପରିବର୍ତ୍ତନ ଆସିବ । ଏକ ନୂଆ ବିଶ୍ୱ ପ୍ରସ୍ତୁତ ହେଉଛି । ଭାରତ ଏହି ବିଶ୍ୱକୁ ଆଗେଇ ନେବ । ମୁଁ ସ୍ପଷ୍ଟ ଭାବେ ଦେଖିପାରୁଛି ବନ୍ଧୁଗଣ, ଏ ଦଶନ୍ଧି, ମାନବ ଜାତି ପାଇଁ ଟେକେଡ୍‌ ବା ଟେକ୍ନୋଲୋଜି ଦଶନ୍ଧି ହେବାକୁ ଯାଉଛି । ଏହି ଟେକେଡ୍‌ ଭାରତ ପାଇଁ, କାରଣ ଭାରତର ମନ ଟେକ୍ନୋଲୋଜି ସହ ଯୋଡ଼ି ହୋଇ ରହିଛି । ଆଇଟି ଦୁନିଆରେ ଭାରତ ନିଜର ଏକ ବିଶେଷ ପ୍ରଭାବ ବିସ୍ତାର କରିପାରିଛି । ଏହି ଟେକେଡରେ ନିଜର ସାମର୍ଥ୍ୟ ପ୍ରମାଣିତ କରିବାର ସୁଯୋଗ ଭାରତ ପାଖରେ ରହିଛି ।

ଆମର ଅଟଳ ଇନୋଭେସନ ମିଶନ, ଆମର ଇନକ୍ୟୁବେସନ ସେଣ୍ଟର, ଆମର ଷ୍ଟାର୍ଟଅପ ଏକ ନୂଆ, ସମ୍ପୂର୍ଣ୍ଣ କ୍ଷେତ୍ର ବିକଶିତ କରୁଛନ୍ତି । ଯୁବପିଢ଼ିଙ୍କ ପାଇଁ ନୂଆ ଏକ ସୁଯୋଗ ସୃଷ୍ଟି ହେଉଛି । ମହାକାଶ ମିଶନ କଥା ହେଉ, ଆମର ଗଭୀର ସାଗର ମିଶନ ହେଉ, ସମୁଦ୍ରର ଗଭୀରତାକୁ ଯିବା ହେଉ କିମ୍ବା ଆକାଶ ଛୁଇଁବା ହେଉ, ଏ ନୂଆ କ୍ଷେତ୍ର, ଯାହାକୁ ନେଇ ଆମେ ଆଗକୁ ବଢ଼ୁଅଛୁ ।

ମୋର ପ୍ରିୟ ଦେଶବାସୀ,

ଆମେ ଏକଥାକୁ ମଧ୍ୟ ଭୁଲିବା ନାହିଁ ଯେ, ଶହ ଶହ ବର୍ଷ ଧରି ଦେଶରେ ଅନେକ ଉଦାହରଣଯୋଗ୍ୟ ନମୁନା ନିର୍ମାଣ ହୋଇଛି । ଏପରି କାମରେ ଉଚ୍ଚତା ସହିତ ମୂଳଦୁଆର ଦୃଢ଼ତା ଉପରେ ଗୁରୁତ୍ୱ ଦିଆଯାଇଛି । ଭାରତର ଆର୍ଥିକ ବିକାଶ ସମ୍ଭାବନାରେ ମୂଳଦୁଆ ସୁଦୃଢ଼ ହେବାର ଆବଶ୍ୟକତା ଯୋଡ଼ି ହୋଇ ରହିଛି । ସେଥିପାଇଁ ଆମର ଛୋଟ ଛୋଟ ଚାଷୀମାନଙ୍କର ସାମର୍ଥ୍ୟ, ଛୋଟ ଛୋଟ ଉଦ୍ୟୋଗୀଙ୍କ ସାମର୍ଥ୍ୟ, ଆମର ଲଘୁ ଉଦ୍ୟୋଗ, କୁଟୀର ଉଦ୍ୟୋଗ, ସୂକ୍ଷ୍ମ ଉଦ୍ୟୋଗ, ଉଠାଦୋକାନୀ, ଅନ୍ୟମାନଙ୍କ ଘରେ କାମ କରୁଥିବା ଲୋକ, ଅଟୋ ରିକ୍ସା ଚଳାଉଥିବା ଲୋକ, ବସ ସେବାରେ ନିୟୋଜିତ ଲୋକ, ଏମାନଙ୍କୁ ନେଇ ସମାଜର ଏକ ବଡ଼ ବର୍ଗ ସାମର୍ଥ୍ୟବାନ ହେଲେ ଭାରତର ସାମର୍ଥ୍ୟ ବୃଦ୍ଧି ପାଇଥାଏ । ଆର୍ଥିକ ବିକାଶର ଏହି ମୂଳଦୁଆକୁ ସୁଦୃଢ଼ କରିବା ଲାଗି ଆମେ ସର୍ବାଧିକ ବଳ ଦେଉଛୁ । ଏ ଦିଗରେ ଆମେ ପ୍ରୟାସ କରୁଛୁ ।

ମୋର ପ୍ରିୟ ଦେଶବାସୀ,

ଆମ ପାଖରେ ୭୫ ବର୍ଷର ଅନୁଭବ ରହିଛି, ଆମେ ୭୫ ବର୍ଷ ମଧ୍ୟରେ ଅନେକ ସିଦ୍ଧି ହାସଲ କରିଛୁ । ଆମେ ୭୫ ବର୍ଷର ଅନୁଭୂତିରେ ନୂଆ ସ୍ୱପ୍ନ ସାଇତିଛୁ, ନୂଆ ସଂକଳ୍ପ ମଧ୍ୟ ନେଇଛୁ । କିନ୍ତୁ ଅମୃତ କାଳ ପାଇଁ ଆମର ମାନବ ସମ୍ବଳକୁ ସର୍ବାଧିକ ଉପଯୋଗ କିଭଳି କରାଯିବ? ଆମ ପ୍ରାକୃତିକ ସମ୍ପଦର ସର୍ବୋତ୍ତମ ବିନିଯୋଗ କିଭଳି ହୋଇପାରିବ? ଏ ଲକ୍ଷ୍ୟକୁ ନେଇ ଆମେ ଆଗକୁ ବଢ଼ିବା ଉଚିତ୍‌ । ମୁଁ ବିଗତ କିଛି ବର୍ଷର ଅଭିଜ୍ଞତାରୁ କହିବାକୁ ଚାହୁଁଛି । ଆଜି ନ୍ୟାୟାଳୟରେ ଦେଖନ୍ତୁ, ଓକିଲ ଭାବେ କାମ କରୁଥିବା ଆମର ନାରୀଶକ୍ତିମାନେ କିଭଳି ସାମର୍ଥ୍ୟର ପରିଚୟ ଦେଉଛନ୍ତି । ଆପଣ ଗ୍ରାମୀଣ କ୍ଷେତ୍ରରେ ଜନ ପ୍ରତିନିଧିମାନଙ୍କୁ ଦେଖନ୍ତୁ । ଆମର ନାରୀ ଶକ୍ତି କିଭଳି ସମର୍ପିତ ମନୋଭାବ ନେଇ ନିଜ ଗାଁର ସମସ୍ୟା ସମାଧାନ କରିବାକୁ ଚାହୁଁଛନ୍ତି । ଆଜି ଜ୍ଞାନର କ୍ଷେତ୍ରକୁ ଦେଖନ୍ତୁ, ବିଜ୍ଞାନର କ୍ଷେତ୍ରକୁ ଦେଖନ୍ତୁ, ଆମ ନାରୀ ଶକ୍ତି ସବୁ କ୍ଷେତ୍ରରେ ଅଗ୍ରଣୀ ଥିବା ଦେଖାଯାଉଛି ।

ପୁଲିସ ବାହିନୀକୁ ଦେଖନ୍ତୁ, ଆମ ନାରୀ ଶକ୍ତି ଲୋକମାନଙ୍କୁ ସୁରକ୍ଷା ଦେବାର ଦାୟିତ୍ୱ କାନ୍ଧରେ ଉଠାଇଛନ୍ତି । ଜୀବନର ପ୍ରତ୍ୟେକ କ୍ଷେତ୍ରରେ, ଖେଳ-କୁଦର ପଡ଼ିଆ ହେଉ କିମ୍ବା ଯୁଦ୍ଧ ଭୂମି ହେଉ, ଭାରତର ନାରୀ ଶକ୍ତି ଏକ ନୂଆ ସାମର୍ଥ୍ୟ, ନୂଆ ବିଶ୍ୱାସକୁ ନେଇ ଆଗକୁ ବଢ଼ୁଅଛି । ଭାରତର ଏହି ୭୫ ବର୍ଷର ଯାତ୍ରାରେ ନାରୀ ଶକ୍ତି ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି । ଏହା ଠାରୁ ଅନେକ ଗୁଣ ଅଧିକ ଯୋଗଦାନ ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ନାରୀ ଶକ୍ତିଙ୍କ ଠାରୁ ଦେଶକୁ ମିଳିବ ବୋଲି ମୁଁ ଆଶାବାଦୀ ରହିଛି । ମୋ ଦେଶର ମା’ ଭଉଣୀ, ଝିଅମାନଙ୍କ ଭିତରେ ଏ ବିଶ୍ୱାସ ମୁଁ ଦେଖିପାରୁଛି । ଏସବୁ ହିସାବ-ନିକାସ ଠାରୁ ଊର୍ଦ୍ଧ୍ବରେ । ଏସବୁ ଆପଣମାନଙ୍କର ମାପଦଣ୍ଡ ଠାରୁ ଅତିରିକ୍ତ । ଆମେ ଏହା ଉପରେ ଯେତିକି ଧ୍ୟାନ ଦେବା, ଝିଅମାନଙ୍କୁ ଆମେ ଯେତେ ଅଧିକ ଅବସର ଦେବା, ଆମ ଝିଅମାନଙ୍କ ପାଇଁ ଯେତେ ସୁବିଧା ଏକତ୍ରିତ କରିବା, ଆପଣମାନେ ଦେଖିବେ ଏହାର ପ୍ରତି ବଦଳରେ ଝିଅମାନେ ତା’ଠାରୁ ଅଧିକ ଗୌରବ ଆଣିବେ । ସେମାନେ ଦେଶକୁ ନୂତନ ଉଚ୍ଚତାକୁ ନେଇଯିବେ । ଏ ଅମୃତ କାଳର ସ୍ୱପ୍ନ ପୂରଣ କରିବାକୁ ହେଲେ ଅନେକ ପରିଶ୍ରମ କରିବାକୁ ପଡ଼ିବ, ଏଥିରେ ଯଦି ଆମ ନାରୀ ଶକ୍ତିଙ୍କ ଶ୍ରମ ଏଥିରେ ଯୋଡ଼ି ହୋଇଯାଏ ତା’ହେଲେ ଆମ ଉପରେ ଅଧିକ ପରିଶ୍ରମ ପଡ଼ିବ ନାହିଁ । ସମୟସୀମା ମଧ୍ୟ ହ୍ରାସ ପାଇବ । ଆମ ସ୍ୱପ୍ନ ଆହୁରି ଅଧିକ ତେଜସ୍ୱୀ ହେବ । ଅଧିକ ଉଜ୍ଜ୍ୱଳ ହେବ ।

ତେଣୁ ଆସନ୍ତୁ ବନ୍ଧୁଗଣ,

ଆମେ ଦାୟିତ୍ୱ ନେଇ ଆଗକୁ ବଢ଼ିବା । ଆଜି ମୁଁ ଭାରତର ସମ୍ବିଧାନ ନିର୍ମାତାମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇବାକୁ ଚାହୁଁଛି । ସେମାନେ ଆମକୁ ସଂଘୀୟ ଢାଞ୍ଚା ଦେଇଯାଇଛନ୍ତି । ଏହାର ଭାବନାକୁ ବଜାୟ ରଖି, ସେହି ଭାବନା ପ୍ରତି ସମ୍ମାନ ଜଣାଇ, କାନ୍ଧରେ କାନ୍ଧ ମିଶାଇ ଆମେ ଅମୃତ କାଳରେ ଆଗେଇ ଯିବା । ଆମ ସ୍ୱପ୍ନ ନିଶ୍ଚିତ ଭାବେ ସାକାର ହେବ । କାର୍ଯ୍ୟକ୍ରମ ଭିନ୍ନ ହୋଇପାରେ, କିନ୍ତୁ ରାଷ୍ଟ୍ର ପାଇଁ ସ୍ୱପ୍ନ ଓ ସଂକଳ୍ପ ଭିନ୍ନ ହୋଇପାରିବ ନାହିଁ ।

ଆସନ୍ତୁ ଆମେ ଏମିତି ଏକ ଯୁଗରେ ଆଗକୁ ବଢ଼ିବା ଯେଉଁଠି ସମଗ୍ର ଭାରତର ବିକାଶ ପାଇଁ ପ୍ରୟାସ ରହିଥିବ । ମୋର ମନେ ଅଛି, ମୁଁ ସେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି । କେନ୍ଦ୍ରରେ ଆମ ବିଚାରଧାରାର ସରକାର ନଥିଲା । କିନ୍ତୁ ମୋ ଗୁଜରାଟ ସବୁ ସ୍ଥାନରେ ଗୋଟିଏ ମନ୍ତ୍ର ନେଇ ଆଗକୁ ବଢ଼ୁଥିଲା – ଭାରତର ବିକାଶ ପାଇଁ ଗୁଜରାଟର ବିକାଶ । ଆମେ ଯେଉଁଠି ଥାଉ ପଛେ ଆମ ମନ ମସ୍ତିଷ୍କରେ ଭାରତର ବିକାଶ ରହିବା ଉଚିତ୍‌ । ଦେଶରେ ଏମିତି ଅନେକ ରାଜ୍ୟ ଅଛନ୍ତି, ଯେଉଁମାନେ ଦେଶକୁ ଆଗେଇ ନେବାରେ ବହୁତ ବଡ଼ ଭୂମିକା ନିର୍ବାହ କରିଛନ୍ତି । ପ୍ରଗତିର ନେତୃତ୍ୱ ନେଇଛନ୍ତି, ଅନେକ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ଏସବୁ ରାଜ୍ୟ ଆମ ସଂଘୀୟ ବ୍ୟବସ୍ଥାକୁ ବଳ ଯୋଗାଇଥାନ୍ତି । କିନ୍ତୁ ବର୍ତ୍ତମାନ ସମୟର ଆବଶ୍ୟକତା ହେଉଛି ସହଯୋଗୀ ସଂଘବାଦ ସହିତ ସହଯୋଗୀ ପ୍ରତିଯୋଗିତାପୂର୍ଣ୍ଣ ସଂଘୀୟ ବ୍ୟବସ୍ଥା । ବିକାଶ କ୍ଷେତ୍ରରେ ଆମକୁ ପ୍ରତିଯୋଗିତା କରିବାକୁ ହେବ ।

ପ୍ରତ୍ୟେକ ରାଜ୍ୟ ଭାବିବା ଉଚିତ ଯେ ଅମୁକ ରାଜ୍ୟ ଆଗକୁ ବଢ଼ିଗଲା । ମୁଁ ଏତେ ଅଧିକ ପରିଶ୍ରମ କଲେ ମୁଁ ବି ଆଗକୁ ବଢ଼ିଯିବି । ସେ ରାଜ୍ୟ ୧୦ଟି ଭଲ କାମ କରିଛି, ମୁଁ ୧୫ଟି ଭଲ କାମ କରି ଦେଖାଇବି । ସେ ରାଜ୍ୟ ତିନି ବର୍ଷରେ ଲକ୍ଷ୍ୟ ପୂରଣ କଲା, ମୁଁ ଦୁଇ ବର୍ଷରେ ଏହାକୁ ପୂରଣ କରି ଦେଖାଇବି । ଆମ ରାଜ୍ୟମାନଙ୍କ ମଧ୍ୟରେ, ଆମ ସରକାରଙ୍କ ସବୁ ୟୁନିଟ୍‌ ମଧ୍ୟରେ ପ୍ରତିଯୋଗିତାର ବାତାବରଣ ସୃଷ୍ଟି ହେବା ଉଚିତ୍‌ । ଏହା ଆମକୁ ବିକାଶର ନୂତନ ଉଚ୍ଚତାକୁ ନେଇଯିବ ।

ମୋର ପ୍ରିୟ ଦେଶବାସୀ,

ଏ ୨୫ ବର୍ଷର ଅମୃତକାଳ ବିଷୟରେ ଯେତେବେଳେ ଆମେ ଆଲୋଚନା କରୁଛୁ, ସେତେବେଳେ ମୁଁ ଜାଣିଛି ଯେ ଆମ ଆଗରେ ଅନେକ ସମସ୍ୟା, ସୀମା, ବିପଦ ଏମିତି ଅନେକ କିଛି ରହିଛି । ଆମେ ଏହାକୁ କମ୍‌ କରି ଆକଳନ କରୁନାହୁଁ । ମାର୍ଗ ସନ୍ଧାନ କରୁଛୁ, ଲଗାତାର ପ୍ରୟାସ କରୁଛୁ । କିନ୍ତୁ ଦୁଇଟି ବିଷୟ ଉପରେ ମୁଁ ଆଲୋଚନା କରିବାକୁ ଚାହୁଁଛି । ଅନେକ ବିଷୟରେ ଆଲୋଚନା ହୋଇପାରେ । କିନ୍ତୁ ମୁଁ ବର୍ତ୍ତମାନର ସମୟ ସୀମାକୁ ନେଇ ଦୁଇଟି ବିଷୟରେ ଆଲୋଚନା କରିବାକୁ ଚାହୁଁଛି । ମୁଁ ଭାବୁଛି ଯେ ଆମର ଏସବୁ ଆହ୍ୱାନ, ବିକୃତି, ବେମାରି କାରଣରୁ ୨୫ ବର୍ଷର ଏହି ଅମୃତ କାଳରେ ଯଦି ଆମେ ଠିକ୍‌ ସମୟରେ ସଚେତନ ହେବା ନାହିଁ ତା’ହେଲେ ସମସ୍ୟାର ସମାଧାନ ହୋଇପାରିବ ନାହିଁ । ବରଂ ଏହା ବିକଟାଳ ରୂପ ନେବ । ସେଥିପାଇଁ ମୁଁ ସବୁ ବିଷୟ ଉପରେ ଆଲୋଚନା ନକରି ଦୁଇଟି ଜରୁରି ବିଷୟ ଉପରେ ଆଲୋଚନା କରିବାକୁ ଚାହୁଁଛି । ଗୋଟିଏ ହେଲା ଦୁର୍ନୀତି ଏବଂ ଅନ୍ୟଟି ପରିବାରବାଦ, ପ୍ରିୟାପ୍ରୀତି ତୋଷଣ । ଭାରତ ଭଳି ଗଣତନ୍ତ୍ରରେ ଲୋକମାନେ ଦାରିଦ୍ର୍ୟ ସହ ସଂଘର୍ଷ କରୁଛନ୍ତି । ଗୋଟିଏ ପଟେ ଏମିତି ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ରହିବା ପାଇଁ ଘର ନାହିଁ । ଅନ୍ୟପଟେ ଏପରି ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ଚୋରି ମାଲ ରଖିବା ପାଇଁ ଜାଗା ନାହିଁ । ଏଭଳି ସ୍ଥିତି ଭଲ ନୁହେଁ ବନ୍ଧୁଗଣ । ସେଥିପାଇଁ ଆମକୁ ଦୁର୍ନୀତି ବିରୋଧରେ ସମ୍ପୂର୍ଣ୍ଣ ଶକ୍ତି ନେଇ ଲଢ଼ିବାକୁ ହେବ । ବିଗତ ଆଠ ବର୍ଷ ମଧ୍ୟରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଦ୍ୱାରା ୨ ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି । ମୋବାଇଲ, ଆଧାର ଭଳି ଆଧୁନିକ ବ୍ୟବସ୍ଥା କାରଣରୁ ଏହା ସମ୍ଭବ ହୋଇପାରିଛି । ନଚେତ୍‌ ଏତିକି ପରିମାଣର ଅର୍ଥ ଭୁଲ ଲୋକଙ୍କ ହାତକୁ ଯାଇଥାନ୍ତା । ସଞ୍ଚିତ ହୋଇଥିବା ଏ ଅର୍ଥ ଏବେ ଦେଶର ବିକାଶରେ ବିନିଯୋଗ ହୋଇଛି । ପୂର୍ବ ସରକାରଙ୍କ ଅମଳରେ ଯେଉଁ ଲୋକମାନେ ବ୍ୟାଙ୍କର ଟଙ୍କା ଲୁଟି ନେଇ ଚାଲିଗଲେ, ସେମାନଙ୍କ ସମ୍ପତ୍ତି ଜବତ କରି ଆମେ ଫେରାଇ ଆଣିବାର ପ୍ରୟାସ କରୁଛୁ । ଅନେକ ଲୋକଙ୍କୁ ଜେଲରେ ବନ୍ଦୀ ଜୀବନ ବିତାଇବାକୁ ବାଧ୍ୟ କରିଛୁ । ଯେଉଁମାନେ ଦେଶକୁ ଲୁଟି ଫେରାର ହୋଇଯାଇଛନ୍ତି ସେମାନେ ଯେମିତି ଦେଶକୁ ଫେରିବା ଲାଗି ବାଧ୍ୟ ହେବେ ସେଥିପାଇଁ ଆମେ ଚେଷ୍ଟା କରୁଛୁ ।

ଭାଇ ଓ ଭଉଣୀମାନେ, ମୁଁ ସ୍ପଷ୍ଟ ଭାବେ ଦେଖିପାରୁଛି ଯେ, ଦୁର୍ନୀତି ବିରୋଧରେ ଆମେ ଏକ ନିର୍ଣ୍ଣାୟକ କାଳଖଣ୍ଡ ଦେଇ ଗତି କରୁଛୁ । ବଡ଼ ବଡ଼ ଲୋକ ମଧ୍ୟ ବର୍ତ୍ତି ପାରିବେ ନାହିଁ ।  ଏଭଳି ମନୋଭାବ ନେଇ ଦୁର୍ନୀତି ବିରୋଧରେ ଭାରତ ଏକ ନିର୍ଣ୍ଣାୟକ କାଳଖଣ୍ଡରେ ପାଦ ଥାପୁଛି । ମୁଁ ଲାଲକିଲ୍ଲାର ପ୍ରାଚୀରରୁ ବଡ଼ ଉତ୍ତରଦାୟିତ୍ୱର ସହ କହୁଛି । ଭାଇ ଓ ଭଉଣୀମାନେ, ଦୁର୍ନୀତି ଉଇ ଭଳି ଦେଶକୁ ଭିତରେ ଭିତରେ ଫମ୍ପା କରି ଚାଲିଛି । ମୁଁ ଏହା ବିରୋଧରେ ଲଢ଼େଇ ଜାରି ରଖିବି, ଲଢ଼େଇକୁ ଆହୁରି ତୀବ୍ର କରିବି, ଏହାକୁ ନିର୍ଣ୍ଣାୟକ ମୋଡ଼କୁ ନେଇଯିବାକୁ ହେବ । ଏ ଲଢ଼େଇରେ ମୋର ୧୩୦ କୋଟି ଦେଶବାସୀ, ଆପଣମାନେ ମୋତେ ଆଶୀର୍ବାଦ ଦିଅନ୍ତୁ । ମୋ ସହ ଯୋଡ଼ି ହୁଅନ୍ତୁ । ମୁଁ ଆଜି ଆପଣମାନଙ୍କୁ ମାଗିବାକୁ ଆସଛି, ଆପଣମାନଙ୍କ ସହଯୋଗ ମିଳିଲେ ମୁଁ ଏ ଲଢ଼େଇ ଲଢ଼ି ପାରିବି । ଦୁର୍ନୀତି ସାଧାରଣ ଲୋକଙ୍କ ଜୀବନକୁ ବରବାଦ୍‌ କରି ଦେଇଛି, ଦେଶ ଏ ଲଢ଼େଇରେ ଜିତିବା ଜରୁରି । ମୋର ଏହି ସାଧାରଣ ଲୋକମାନେ ଜୀବନରେ ଯେମିତି ପୁଣିଥରେ ସମ୍ମାନର ସହିତ ବଞ୍ଚି ପାରିବେ ସେଥିପାଇଁ ମୁଁ ମାର୍ଗ ପ୍ରଶସ୍ତ କରିବାକୁ ଚାହୁଁଛି । ସେଥିପାଇଁ ମୋର ପ୍ରିୟ ଦେଶବାସୀ, ଆଜି ଦେଶରେ ଦୁର୍ନୀତି ବିରୋଧରେ ଘୃଣା ତ’ ସୃଷ୍ଟି ହୋଇଛି, ଲୋକମାନେ ଏହାକୁ ବ୍ୟକ୍ତ କରୁଛନ୍ତି କିନ୍ତୁ ବେଳେ ବେଳେ ଦୁର୍ନୀତିଗ୍ରସ୍ତଙ୍କ ପ୍ରତି ଉଦାରତା ପୋଷଣ କରାଯାଉଥିବା ଦେଖିବାକୁ ମିଳୁଛି । କୌଣସି ଦେଶ ପାଇଁ ଏହା ମଙ୍ଗଳକର ନୁହେଁ ।

ଆହୁରି ଏମିତି କିଛି ଲୋକମାନେ ଅଛନ୍ତି, ଯେଉଁମାନେ ଲଜ୍ଜାର ସବୁ ସୀମା ପାର୍‌ କରି ଯାଇଛନ୍ତି । ଅଦାଲତରେ ଦଣ୍ଡାଦେଶ ହୋଇସାରିଛି, ଦୁର୍ନୀତିଗ୍ରସ୍ତ ବୋଲି ପ୍ରମାଣିତ ହୋଇସାରିଛନ୍ତି, ଜେଲ ଯିବା ପକ୍କା ହୋଇସାରିଛି, ଜେଲରେ ଅଛନ୍ତି, ଏହା ସତ୍ତ୍ୱେ ଏପରି ଲୋକମାନେ ଦୁର୍ନୀତିଗ୍ରସ୍ତଙ୍କ ମହିମା ମଣ୍ଡନରେ ଲାଗି ରହିଛନ୍ତି । ସେମାନଙ୍କ ମାନସମ୍ମାନ, ପ୍ରତିଷ୍ଠା ବଢ଼ାଇବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ସମାଜରେ ଅସ୍ୱଚ୍ଛତା ପ୍ରତି ଘୃଣା ନରହିଲେ, ସ୍ୱଚ୍ଛତାର ଚେତନା ଜାଗ୍ରତ ହୋଇନଥାଏ । ଯେପର୍ଯ୍ୟନ୍ତ ଦୁର୍ନୀତି ଓ ଦୁର୍ନୀତିଗ୍ରସ୍ତଙ୍କ ପ୍ରତି ଘୃଣା ଭାବନା ସୃଷ୍ଟି ହେବ ନାହିଁ, ସାମାଜିକ ଦୃଷ୍ଟିରୁ ସେମାନଙ୍କୁ ନ୍ୟୁନ ଦୃଷ୍ଟି ଦେଖିବା ଲାଗି ବାଧ୍ୟ କରାନଯିବ, ସେପର୍ଯ୍ୟନ୍ତ ଏଭଳି ମାନସିକତା ସମାଜରୁ ଦୂର ହୋଇପାରିବ ନାହିଁ । ସେଥିପାଇଁ ଦୁର୍ନୀତି ପ୍ରତି ଏବଂ ଦୁର୍ନୀତିଗ୍ରସ୍ତଙ୍କ ପ୍ରତି ଆମ ସମସ୍ତଙ୍କୁ ଅଧିକ ସଚେତନ ହେବାକୁ ପଡ଼ିବ ।

ଆଉ ଏକ ଆଲୋଚନା ମୁଁ କରିବାକୁ ଚାହୁଁଛି ତାହା ହେଲା ପରିବାରବାଦ । ମୁଁ ଯେତେବେଳେ ପରିବାରବାଦ, ପ୍ରିୟାପ୍ରୀତି ତୋଷଣ କଥା କହୁଛି ସେତେବେଳେ ଲୋକମାନେ ଭାବୁଥିବେ ଯେ ମୁଁ କେବଳ ରାଜନୀତି କଥା କହୁଛି । ଆଦୌ ନୁହେଁ, ଦୁର୍ଭାଗ୍ୟର ବିଷୟ ରାଜନୀତି କ୍ଷେତ୍ରର ଏହି କଳୁଷତା ହିନ୍ଦୁସ୍ତାନର ପ୍ରତ୍ୟେକ ସଂସ୍ଥାରେ ନିଜର ପ୍ରଭାବ ବିସ୍ତାର କରି ନେଇଛି । ଏହି କାରଣରୁ ମୋ ଦେଶର ପ୍ରତିଭା କ୍ଷତି ସହୁଛି । ମୋ ଦେଶର ସାମର୍ଥ୍ୟ କ୍ଷତିଗ୍ରସ୍ତ ହେଉଛି । ଯେଉଁମାନଙ୍କ ପାଖରେ ଅପାର ସମ୍ଭାବନା ରହିଛି ସେମାନେ ପରିବାରବାଦ କାକରଣରୁ ବାହାରେ ରହି ଯାଉଛନ୍ତି।  ପରିବାରବାଦ କାରଣରୁ କୌଣସି ଆଶ୍ରା ନପାଇଲେ ଦୁର୍ନୀତି ପାଇଁ ସୁଯୋଗ ସୃଷ୍ଟି ହୋଇଥାଏ । ସୁଯୋଗ ପାଉନଥିବା ଲୋକ କିଣାବିକା କରି ସ୍ଥାନ ପାଇବା ଲାଗି ବାଧ୍ୟ ହୋଇଥାଏ । ଏହି ପରିବାରବାଦ ପ୍ରତି ଆମ ମନରେ ଘୃଣା ସୃଷ୍ଟି ହେଲେ, ଆମେ ସଚେତନ ହେଲେ ଏବଂ ବିଭିନ୍ନ ସଂସ୍ଥାରେ ଏଥିପାଇଁ ସୁଯୋଗ ଦିଆନଗଲେ, ଆମେ ଆମ ଦେଶର ସଂସ୍ଥମାନଙ୍କୁ ସୁରକ୍ଷା ଦେଇପାରିବା । ସଂସ୍ଥାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏହା ଅତି ଆବଶ୍ୟକ । ଅନୁରୂପ ଭାବେ, ରାଜନୀତି କ୍ଷେତ୍ରରେ ମଧ୍ୟ ପରିବାରବାଦ ଦେଶର ସାମର୍ଥ୍ୟ ସହିତ ସବୁଠୁ ବଡ଼ ଅନ୍ୟାୟ କରିଛି । ପରିବାରବାଦୀ ରାଜନୀତି ପରିବାର କଲ୍ୟାଣ ପାଇଁ ହୋଇଥାଏ । ଦେଶର କଲ୍ୟାଣ ସହ ଏମାନଙ୍କର କୌଣସି ସମ୍ପର୍କ ନାହିଁ । ସେଥିପାଇଁ ଲାଲକିଲ୍ଲାର ପ୍ରାଚୀରରୁ, ତ୍ରିରଙ୍ଗାର ମାନସମ୍ମାନ ତଳେ, ଭାରତର ସମ୍ବିଧାନକୁ ସ୍ମରଣ କରି ମୁଁ ଦେଶବାସୀଙ୍କୁ ଖୋଲା ମନରେ କହିବାକୁ ଚାହୁଁଛି, ଆସନ୍ତୁ ହିନ୍ଦୁସ୍ତାନର ରାଜନୀତିକୁ ଶୁଦ୍ଧିକରଣ ପାଇଁ, ହିନ୍ଦୁସ୍ତାନର ସବୁ ସଂସ୍ଥାର ଶୁଦ୍ଧିକରଣ ପାଇଁ ଆମେ ଦେଶକୁ ଏହି ପରିବାରବାଦୀ ମାନସିକତାକୁ ମୁକ୍ତ କରିବା । ଯୋଗ୍ୟତା ଆଧାରରେ ଦେଶକୁ ଆଗେଇ ନେବା । ଏହା ହିଁ ଆବଶ୍ୟକତା । ନଚେତ୍‌ ସମସ୍ତଙ୍କ ମନରେ ଏକ କୁଣ୍ଠା ରହିଯିବ । ମୁଁ ଏହି ପଦବୀ ପାଇଁ ଯୋଗ୍ୟ ଥିଲି । ମୋତେ ସୁଯୋଗ ମିଳିଲା ନାହିଁ, କାରଣ ମୋର କେହି କକା, ମାମୁ, ବାପା, ଜେଜେବାପା, ଜେଜେ ମା’, ଅଜା, ଆଈ କେହି ସେଠାରେ ନଥିଲେ । ଏହି ମାନସିକତା କୌଣସି ଦେଶ ପାଇଁ ଭଲ ନୁହେଁ ।

ଦେଶର ନବଯୁବକମାନେ ! ନିଜ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ, ନିଜ ସ୍ୱପ୍ନ ପୂରଣ କରିବା ଲାଗି ପରିବାରବାଦ ବିରୋଧୀ ଲଢ଼େଇରେ ମୁଁ ଆପଣ ମାନଙ୍କର ସହଯୋଗ ଚାହୁଁଛି । ଏହା ଏକ ସାମ୍ବିଧାନିକ ଉତ୍ତରଦାୟିତ୍ୱ ବୋଲି ମୁଁ ଭାବୁଛି । ମୁଁ ଏହାକୁ ଗଣତନ୍ତ୍ରର ଉତ୍ତରଦାୟିତ୍ୱ ଭାବେ ଗ୍ରହଣ କରୁଛି । ଲାଲକିଲ୍ଲାର ପ୍ରାଚୀରରୁ କୁହାଯାଇଥିବା ଏ କଥାର ଶକ୍ତିକୁ ମୁଁ ସ୍ୱୀକାର କରୁଛି । ସେଥିପାଇଁ ଆପଣମାନଙ୍କ ଠାରୁ ମୁଁ ଏହି ଅବସର ଚାହୁଁଛି । ସମ୍ପ୍ରତି କ୍ରୀଡ଼ା କ୍ଷେତ୍ରରେ ଭାରତ ଅନେକ ଉପଲବ୍ଧି ହାସଲ କରୁଛି । ପୂର୍ବରୁ ଏଭଳି ଦେଖିବାକୁ ମିଳୁନଥିଲା । ଭାରତରେ ପୂର୍ବରୁ ପ୍ରତିଭାର କୌଣସି ଅଭାବ ନଥିଲା । ଭାରତର ଯୁବକ ଯୁବତୀମାନଙ୍କ ନିକଟରେ କ୍ରୀଡ଼ା କ୍ଷେତ୍ରରେ ବିଶ୍ୱସ୍ତରୀୟ ସଫଳତା ହାସଲ କରିବାର ସମ୍ଭାବନା ପୂରି ରହିଥିଲା । କିନ୍ତୁ କ୍ରୀଡ଼ାବିତ୍‌ ଚୟନରେ ପରିବାରବାଦ ଚାନେଲ ଦେଇ ସେମାନଙ୍କୁ ଅତିକ୍ରମ କରିବାକୁ ପଡ଼ୁଥିଲା । ଏହି କାରଣରୁ କେତେକଙ୍କ ଚୟନ ତ’ ସହଜରେ ହୋଇଯାଉଥିଲା, କିନ୍ତୁ ହାର ଜିତ୍‌ ସହ ସେମାନଙ୍କର କୌଣସି ସମ୍ପର୍କ ନଥିଲା । କିନ୍ତୁ କ୍ରୀଡ଼ାବିତ୍‌ ଚୟନରେ ଯେତେବେଳେ ପାରଦର୍ଶିତା ଆସିଲା, ଯୋଗ୍ୟତା ଆଧାରରେ ଖେଳାଳୀମାନଙ୍କୁ ଚୟନ କରାଗଲା, ଖେଳ ପଡ଼ିଆରେ ସେମାନଙ୍କ ସାମର୍ଥ୍ୟକୁ ଉପଯୁକ୍ତ ସମ୍ମାନ ମିଳିଲା, ଦେଖନ୍ତୁ ବିଶ୍ୱ ଖେଳ ଜଗତରେ ଭାରତର ତ୍ରିରଙ୍ଗା ଶିଖରରେ ଉଡ଼ୁଛି । କ୍ରୀଡ଼ା ମଞ୍ଚରେ ଭାରତର ରାଷ୍ଟ୍ରଗାନ ବାଜୁଛି ।

ପରିବାରବାଦ, ପ୍ରିୟାପ୍ରୀତି ତୋଷଣରୁ ଦେଶକୁ ମୁକ୍ତି ମିଳିବା ଗର୍ବର ବିଷୟ । ଏହାର ପରିଣାମ ଏବେ ସାରା ଦେଶରେ ଦେଖିବାକୁ ମିଳୁଛି । ମୋର ପ୍ରିୟ ଦେଶବାସୀ, ଅନେକ ଆହ୍ୱାନ ତ’ ରହିଛି । ଯଦି ଆମ ଆଗରେ କୋଟି କୋଟି ସମସ୍ୟା ରହିଛି, କୋଟି କୋଟି ସମାଧାନ ମଧ୍ୟ ରହିଛି । ୧୩୦ କୋଟି ଦେଶବାସୀଙ୍କ ଉପରେ ମୋର ଭରସା ରହିଛି । ୧୩୦ କୋଟି ଦେଶବାସୀ ନିର୍ଦ୍ଧାରିତ ଲକ୍ଷ୍ୟ ସହିତ, ସଂକଳ୍ପ ପ୍ରତି ସମର୍ପିତ ହୋଇ ଗୋଟିଏ ଲେଖାଏଁ ପାଦ ଆଗକୁ ବଢ଼ାଇବା ଉଚିତ୍‌ । ଫଳରେ ସାରା ଦେଶରେ ୧୩୦ କୋଟି ପାଦ ଆଗକୁ ବଢ଼ିବ । ଏ ସାମର୍ଥ୍ୟକୁ ନେଇ ଆମେ ଆଗକୁ ବଢ଼ିବା । ଏ ଅମୃତ କାଳରେ, ଏହା ହେଉଛି ଅମୃତ କାଳର ପ୍ରଥମ ପ୍ରଭାତ, ପ୍ରଥମ ବେଳା, ଆଗାମୀ ୨୫ ବର୍ଷର ଗୋଟିଏ ମୁହୂର୍ତ୍ତରେ ସୁଦ୍ଧା ଆମେ ଏହାକୁ ଭୁଲିବା ନାହିଁ । ଗୋଟିଏ ଗୋଟିଏ ଦିନ, ସମୟର ପ୍ରତ୍ୟେକ କ୍ଷଣ, ଜୀବନର ପ୍ରତ୍ୟେକ ବିନ୍ଦୁ, ମାତୃଭୂମି ପାଇଁ ବଞ୍ଚିବା । ଏହା ହିଁ ହେବ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି । ଗତ ୭୫ ବର୍ଷ ମଧ୍ୟରେ ଦେଶକୁ ଏ ପର୍ଯ୍ୟନ୍ତ ଆଣିବାରେ ଯେଉଁ ଲୋକମାନେ ଯୋଗଦାନ ଦେଇଛନ୍ତି, ସେମାନଙ୍କର ପୁଣ୍ୟ ସ୍ମରଣ ପ୍ରକୃତରେ ଆମ କାମରେ ଲାଗିପାରିବ ।

ନୂଆ ସମ୍ଭାବନାକୁ ସଜାଇ, ନୂଆ ସଂକଳ୍ପ ନେଇ, ଆଗକୁ ବଢ଼ିବାର ବିଶ୍ୱାସ ସହିତ ଅମୃତ କାଳ ଆରମ୍ଭ କରିବା ଲାଗି ମୁଁ ଦେଶବାସୀଙ୍କୁ ନିବେଦନ କରୁଛି । ସ୍ୱାଧୀନତାର ଅମୃତ ମହୋତ୍ସବ, ଏବେ ଅମୃତ କାଳ ଦିଗରେ ମୋଡ଼ ନେଇ ସାରିଛି । ଆଗକୁ ବଢ଼ି ସାରିଛି । ଏ ଅମୃତ କାଳରେ ସବ୍‌କା ପ୍ରୟାସ (ସମସ୍ତଙ୍କ ପ୍ରୟାସ) ଅତ୍ୟନ୍ତ ଜରୁରି । ସବ୍‌କା ପ୍ରୟାସ ହିଁ ଆମ ପାଇଁ ଉପଯୁକ୍ତ ପରିଣାମ ନେଇ ଆସିବ । ଟିମ୍‌ ଇଣ୍ଡିଆର ଭାବନା ଦେଶକୁ ଆଗେଇ ନେବ । ୧୩୦ କୋଟି ଦେଶବାସୀ ଏକ ଟିମ୍‌ ଇଣ୍ଡିଆ ଭାବେ, ସାଥୀ ହୋଇ ଆଗକୁ ବଢ଼ିଲେ ସବୁ ସ୍ୱପ୍ନ ସାକାର ହୋଇପାରିବ । ଏହି ବିଶ୍ୱାସ ସହିତ ମୋ ସହ କୁହନ୍ତୁ !

ଜୟ ହିନ୍ଦ ।

ଜୟ ହିନ୍ଦ ।

ଜୟ ହିନ୍ଦ ।

ଭାରତ ମାତା କୀ ଜୟ,

ଭାରତ ମାତା କୀ ଜୟ,

ଭାରତ ମାତା କୀ ଜୟ,

ବନ୍ଦେ ମାତରମ,

ବନ୍ଦେ ମାତରମ,

ବନ୍ଦେ ମାତରମ,

ବହୁତ ବହୁତ ଧନ୍ୟବାଦ !

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s jewellery exports rise 2.4% to $9.17 billion; studded gold emerges as bright spot

Media Coverage

India’s jewellery exports rise 2.4% to $9.17 billion; studded gold emerges as bright spot
NM on the go

Nm on the go

Always be the first to hear from the PM. Get the App Now!
...
Prime Minister recalls the courage of those impacted by Partition on Partition Horrors Remembrance Day
August 14, 2026
PM shares Sanskrit Subhashitam highlighting the power of hard work and human endeavor

Prime Minister Shri Narendra Modi today stated that as we mark Partition Horrors Remembrance Day, we recall the courage of all those who were impacted by Partition. He noted that it was a moment in history that tore apart several lives, where families were uprooted, loved ones were lost, and immense suffering was endured.

The Prime Minister highlighted that at the same time, overcoming this, people rebuilt their lives from nothing, turned adversity into achievement, and contributed immensely to our nation’s progress. He observed that their life journeys remind us of the strength of the human spirit. Shri Modi expressed hope that this day may deepen our resolve to preserve harmony and brotherhood in our nation and collectively work towards building a Viksit Bharat.

The Prime Minister offered his heartfelt tributes to all those countrymen who, emerging from that horrific period, made invaluable contributions to the progress of the country. He stated that through their courage and capability, they showed how resolutions are accomplished even in adverse circumstances. Shri Modi called upon everyone to further strengthen the national spirit of goodwill and solidarity.

Sharing a Subhashitam, the Prime Minister emphasized that it is through hard work, enterprise, and dedicated effort that diverse arts, science, technological skills, craftsmanship, and innovations flourish, paving the way for success. He added that therefore, one should not remain dependent on fate; rather, one should move steadily towards one's goals with courage, diligence, and persistent effort, for it is human endeavor that shapes destiny.

In a series of posts on X, the Prime Minister wrote:

"Today we mark #PartitionHorrorsRemembranceDay. We recall the courage of all those who were impacted by Partition. It was a moment in history that tore apart several lives…families were uprooted, loved ones were lost and immense suffering was endured.

At the same time, overcoming this, people rebuilt their lives from nothing, turned adversity into achievement and contributed immensely to our nation’s progress. Their life journeys remind us of the strength of the human spirit.

May this day deepen our resolve to preserve harmony and brotherhood in our nation and collectively work towards building a Viksit Bharat."

"विभाजन विभीषिका स्मृति दिवस पर उन सभी देशवासियों का हृदय से नमन, जिन्होंने उस वीभत्स दौर से निकलकर देश की प्रगति में अमूल्य योगदान दिया। उन्होंने अपने साहस और सामर्थ्य से दिखाया कि कैसे विपरीत परिस्थितियों में भी संकल्पों को सिद्ध किया जाता है। आइए, सद्भावना और एकजुटता की राष्ट्रीय भावना को और सशक्त करें।

उद्यमस्य प्रसादेन दृश्यन्ते विविधाः कलाः।
कातरा एव जल्पन्ति यद् भाव्यं तद् भविष्यति॥”

It is through hard work, enterprise and dedicated effort that diverse arts, science, technological skills, craftsmanship and innovations flourish, paving the way for success. Therefore, one should not remain dependent on fate; rather, one should move steadily towards one's goals with courage, diligence and persistent effort, for it is human endeavor that shapes destiny.