ନମସ୍କାର!

ଅହଲନ୍ ଓ ସହଲନ୍‌!!!

ଏହି ଯୁବ ଉତ୍ସାହ, ତୁମର ଶକ୍ତି, ଏଠାକାର ସମ୍ପୂର୍ଣ୍ଣ ପରିବେଶକୁ ଚଳଚଞ୍ଚଳ କରିଦେଇଛି । ମୁଁ ସେହି ସମସ୍ତ ଭାଇ-ଭଉଣୀମାନଙ୍କୁ ମଧ୍ୟ ପ୍ରଣାମ କରୁଛି ଯେଉଁମାନେ ସ୍ଥାନର ଅଭାବ ଯୋଗୁଁ ଏହି ହଲରେ ନାହାନ୍ତି ଏବଂ ନିକଟବର୍ତ୍ତୀ ହଲ୍‌ରେ ସ୍କ୍ରିନରେ ଏହି କାର୍ଯ୍ୟକ୍ରମକୁ ଲାଇଭ ଦେଖୁଛନ୍ତି । ଏବେ ଆପଣ କଳ୍ପନା କରିପାରିବେ, ଯଦି ଏତେ ଦୂର ଆସିଲେ ଏବଂ ଭିତରକୁ ଆସିପାରିଲେ ନାହିଁ, ତେବେ ସେମାନଙ୍କ ମନରେ କ’ଣ ଚାଲିଥିବ ।

ବନ୍ଧୁଗଣ,

ମୁଁ ମୋ ସମ୍ମୁଖରେ ଏକ ଛୋଟ ଭାରତ ଦେଖୁଛି, ମୁଁ ଭାବୁଛି ଏଠାରେ ବହୁତ ମଲୟାଲୀ ମଧ୍ୟ ଅଛନ୍ତି ।

ସୁଖମ ଆଣୋ ?

କେବଳ ମଲୟାଲମ ନୁହେଁ, ଏଠାରେ ତାମିଲ, ତେଲୁଗୁ, କନ୍ନଡ ଏବଂ ଗୁଜରାଟୀ କହୁଥିବା ଅନେକ ଲୋକ ମଧ୍ୟ ଅଛନ୍ତି ।

ନଲମା?

ବାଗୁନ୍ନାରା?

ଚେନ୍ନା-ଗିଦ୍ଦିରା?

କେମ ଛୋ?

ବନ୍ଧୁଗଣ,

ଆଜି ଆମେ ଏକ ପରିବାର ଭାବରେ ଏକତ୍ର ହୋଇଛୁ । ଆଜି ଆମେ ଆମ ଦେଶ, ଆମ ଟିମ ଇଣ୍ଡିଆକୁ ପାଳନ କରୁଛୁ ।

ବନ୍ଧୁଗଣ,

ଭାରତରେ ଆମର ବିବିଧତା, ହେଉଛି ଆମର ସଂସ୍କୃତିର ମୂଳଦୁଆ । ପ୍ରତ୍ୟେକ ଦିନ ଏକ ନୂତନ ରଙ୍ଗ ଆଣିଦିଏ । ପ୍ରତ୍ୟେକ ଋତୁ ଏକ ନୂଆ ଉତ୍ସବ ଆଣିଥାଏ । ପ୍ରତ୍ୟେକ ପରମ୍ପରା ଏକ ନୂତନ ଚିନ୍ତାଧାରା ଆଣିଥାଏ ।

 

ଏବଂ ସେଥିପାଇଁ ଆମେ ଭାରତୀୟମାନେ ଯେଉଁଠାରେ ଯାଉ, ଯେଉଁଠାରେ ରହୁ, ବିବିଧତାକୁ ସମ୍ମାନ କରୁ । ଆମେ ସେଠାକାର ସଂସ୍କୃତି ଏବଂ ଆଇନ-କାନୁନ ସହିତ ଖାପଖୁଆଇ ଯାଉଥାଉ । ଓମାନରେ ମଧ୍ୟ ଆଜି ସମାନ ଘଟଣା ଘଟୁଥିବାର ମୋ ଆଖି ଆଗରେ ମୁଁ ଦେଖୁଛି ।

ଭାରତର ଏହି ପ୍ରବାସୀ ସମାଜ ସହବାସ ଏବଂ ସହଯୋଗର ଏକ ଜୀବନ୍ତ ଉଦାହରଣ ହୋଇ ରହିଛି ।

ବନ୍ଧୁଗଣ,

ଭାରତର ଏହି ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ନିକଟରେ ଆଉ ଏକ ଉଲ୍ଲେଖନୀୟ ସମ୍ମାନ ମିଳିଛି । ଆପଣମାନେ ଜାଣିଥିବେ ଯେ, ୟୁନେସ୍କୋ ଦୀପାବଳିକୁ ମାନବତାର ଅମୂଲ୍ୟ ସାଂସ୍କୃତିକ ଐତିହ୍ୟରେ ଅର୍ନ୍ତଭୁକ୍ତ କରିଛି ।

ଏବେ ଦୀପାବଳିର ଦୀପ କେବଳ ଆମ ଘରକୁ ନୁହେଁ, ବରଂ ସମଗ୍ର ବିଶ୍ୱକୁ ଆଲୋକିତ କରିବ । ସମଗ୍ର ବିଶ୍ୱରେ ରହୁଥିବା ପ୍ରତ୍ୟେକ ଭାରତୀୟ ପାଇଁ ଏହା ଗର୍ବର ବିଷୟ । ଦୀପାବଳିର ଏହି ବିଶ୍ୱସ୍ତରୀୟ ସ୍ୱୀକୃତି ଆଶା, ସଦ୍ଭାବ ଏବଂ ମାନବତାର ବାର୍ତ୍ତା ପ୍ରସାର କରୁଥିବା ଆଲୋକର ସ୍ୱୀକୃତି ।

ବନ୍ଧୁଗଣ,

ଆଜି ଆମେ ଏଠାରେ ଭାରତ-ଓମାନ “ମୈତ୍ରୀ ପର୍ବ” ମଧ୍ୟ ପାଳନ କରୁଛୁ ।

ମୈତ୍ରୀର ଅର୍ଥ ହେଉଛି:

ଏମ୍ ରୁ ସାମୁଦ୍ରିକ ଐତିହ୍ୟ

ଏ ରୁ ଆକାଂକ୍ଷା

ଆଇ ରୁ ଅଭିନବତା

 

ଟି ରୁ ବିଶ୍ୱାସ ଏବଂ ଟେକ୍ନୋଲୋଜି

ଆର୍ ରୁ ସମ୍ମାନ

ଆଇ ରୁ ଅନ୍ତର୍ଭୁକ୍ତ ଅଭିବୃଦ୍ଧି

ଏହି “ମୈତ୍ରୀ ପର୍ବ” ଆମ ଦୁଇ ଦେଶ ମଧ୍ୟରେ ବନ୍ଧୁତା, ଆମର ସହଭାଗୀ ଇତିହାସ ଏବଂ ସମୃଦ୍ଧ ଭବିଷ୍ୟତର ଏକ ଉତ୍ସବ । ଭାରତ ଏବଂ ଓମାନ ମଧ୍ୟରେ ଶତାବ୍ଦୀ ଧରି ଏକ ଆତ୍ମୀୟ ଏବଂ ସ୍ପନ୍ଦନଶୀଳ ସମ୍ପର୍କ ରହିଆସିଛି ।

ଭାରତ ମହାସାଗର ମୌସୁମୀ ପବନ ଦୁଇ ଦେଶ ମଧ୍ୟରେ ବାଣିଜ୍ୟକୁ ଗତିଶୀଳ କରାଇଛି । ଆମର ପୂର୍ବପୁରୁଷମାନେ ଲୋଥାଲ, ମାଣ୍ଡଭି ଏବଂ ତାମରାଲିପ୍ତି ବନ୍ଦରରୁ କାଠ ଡଙ୍ଗା ନେଇ ମସ୍କଟ, ସୁର ଏବଂ ସଲାଲାହକୁ ଯାତ୍ରା କରୁଥିଲେ ।

ଆହୁରିମଧ୍ୟ ବନ୍ଧୁଗଣ,

ଆମ ଦୂତାବାସ ମାଣ୍ଡଭି ଏବଂ ମସ୍କଟ ମଧ୍ୟରେ ଏହି ଐତିହାସିକ ସଂଯୋଗକୁ ଏକ ପୁସ୍ତକରେ ସଂକଳନ କରିଥିବାରୁ ମୁଁ ଖୁସି । ମୁଁ ଚାହେଁ ଯେ ଏଠାରେ ରହୁଥିବା ପ୍ରତ୍ୟେକ ବନ୍ଧୁ ଏବଂ ଯୁବକ ଏହାକୁ ପଢ଼ନ୍ତୁ ଏବଂ ସେମାନଙ୍କର ଓମାନି ବନ୍ଧୁମାନଙ୍କୁ ଉପହାର ଦିଅନ୍ତୁ ।

ଏବେ ଆପଣମାନେ ଭାବିବେ ଯେ ସ୍କୁଲରେ ମଧ୍ୟ ଶିକ୍ଷକ ହୋମୱାର୍କ ଦେଉଛନ୍ତି, ଏବଂ ଏଠାରେ ମୋଦି ଜୀ ମଧ୍ୟ ହୋମୱାର୍କ ଦେଇଛନ୍ତି ।

ବନ୍ଧୁଗଣ,

ଏହି ପୁସ୍ତକ ଦର୍ଶାଉଛି ଯେ, ଭାରତ ଏବଂ ଓମାନ କେବଳ ଭୌଗଳିକ ଭାବରେ ନୁହେଁ ବରଂ ଅନେକ ପିଢ଼ି ଦ୍ୱାରା ଜୋଡି ହୋଇଛନ୍ତି । ଏବଂ ଆପଣ ସମସ୍ତେ ଶହ ଶହ ବର୍ଷ ଧରି ଏହି ସମ୍ପର୍କର ସବୁଠାରୁ ବଡ ରକ୍ଷକ ।

ବନ୍ଧୁଗଣ,

ଭାରତ କୋ ଜାନିଏ କ୍ୱିଜରେ ଓମାନର ଅଂଶଗ୍ରହଣ ବିଷୟରେ ମଧ୍ୟ ମୁଁ ଜାଣିବାକୁ ପାଇଲି । ଓମାନରୁ ୧୦ ହଜାରରୁ ଅଧିକ ଲୋକ ଏହି କ୍ୱିଜ ରେ ଅଂଶଗ୍ରହଣ କରିଥିଲେ । ବିଶ୍ୱସ୍ତରରେ ଓମାନ ଚତୁର୍ଥ ସ୍ଥାନରେ ରହିଛି ।

କିନ୍ତୁ ମୁଁ ତାଳି ମାରିବି ନାହିଁ । କାରଣ ଓମାନ ପ୍ରଥମ ସ୍ଥାନରେ ରହିବା ଉଚିତ । ମୁଁ ଚାହେଁ ଓମାନର ଭାଗିଦାରୀ ଆହୁରି ବୃଦ୍ଧି ପାଉ । ଅଧିକରୁ ଅଧିକ ସଂଖ୍ୟାରେ ଲୋକ ଏଥିରେ ଭାଗ ନିଅନ୍ତୁ । ଭାରତୀୟ ପିଲାମାନେ ଏଥିରେ ନିଶ୍ଚିତ ଭାବରେ ଭାଗ ନିଅନ୍ତୁ । ଆପଣମାନେ ଓମାନର ନିଜର ବନ୍ଧୁମାନଙ୍କୁ ଏହି କ୍ୱିଜରେ ଭାଗ ନେବା ପାଇଁ ପ୍ରେରିତ କର ।

ବନ୍ଧୁଗଣ,

ଭାରତ ଏବଂ ଓମାନ ମଧ୍ୟରେ ଯେଉଁ ସମ୍ପର୍କ ବାଣିଜ୍ୟରୁ ଆରମ୍ଭ ହୋଇଥିଲା, ଆଜି ଶିକ୍ଷା ତାହାକୁ ସଶକ୍ତ କରୁଛି । ମୁଁ ଜାଣିବାକୁ ପାଇଲି ଯେ, ଏଠାକାର ଭାରତୀୟ ବିଦ୍ୟାଳୟରେ ପ୍ରାୟ ୪୬ ହଜାର ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ସେମାନଙ୍କ ମଧ୍ୟରେ ଓମାନରେ ରହୁଥିବା ଅନ୍ୟ ସମ୍ପ୍ରଦାୟର ହଜାର ହଜାର ପିଲା ସାମିଲ ଅଛନ୍ତି ।

ଓମାନରେ ଭାରତୀୟ ଶିକ୍ଷାର ୫୦ ବର୍ଷ ପୂରଣ ହେବାକୁ ଯାଉଛି । ଏହା ଆମ ଦୁଇ ଦେଶ ମଧ୍ୟରେ ସମ୍ପର୍କର ମାଇଲଖୁଣ୍ଟ ।

 

ବନ୍ଧୁଗଣ,

ଭାରତୀୟ ସ୍କୁଲର ଏହି ସଫଳତା ସୁଲତା କାବୁସଙ୍କ ଉଦ୍ୟମ ବିନା ସମ୍ଭବ ହୋଇନଥାନ୍ତା । ସେ ମସ୍କଟରେ ଥିବା ଭାରତୀୟ ବିଦ୍ୟାଳୟ ସମେତ ଅନେକ ଭାରତୀୟ ବିଦ୍ୟାଳୟ ପାଇଁ ଜମି ଯୋଗାଇବା ସହିତ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦେଇଥିଲେ ।

ଏହି ପରିମ୍ପରାକୁ ସୁଲତା ହୈଥମ ଆଗକୁ ବଢ଼ାଇଥିଲେ ।

ସେ ଯେପରି ଭାବରେ ଏଠାରେ ଭାରତୀୟମାନଙ୍କୁ ସହଯୋଗ କରନ୍ତି ଏବଂ ସୁରକ୍ଷା ଦେଉଛନ୍ତି, ସେଥିପାଇଁ ମୁଁ ସେମାନଙ୍କ ପ୍ରତି ବିଶେଷ କୃତଜ୍ଞତା ପ୍ରକାଶ କରୁଛି ।

ବନ୍ଧୁଗଣ,

ଆପଣମାନେ ସମସ୍ତେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ସମ୍ପର୍କରେ ଜାଣିଥିବେ । ଓମାନରୁ ବହୁ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତି । ଏହି ଚର୍ଚ୍ଚା ଆପଣମାନଙ୍କ ପାଇଁ ଉପଯୋଗୀ ହେଉଥିବା ବୋଲି ମୋର ବିଶ୍ୱାସ । ଅଭିଭାବକ ହୁଅନ୍ତୁ କିମ୍ବା ଛାତ୍ରଛାତ୍ରୀ, ଆମର ଆଲୋଚନା ସମସ୍ତଙ୍କୁ ଚାପମୁକ୍ତ ଭାବରେ ପରୀକ୍ଷା ଦେବାରେ ସାହାଯ୍ୟ କରେ ।

ବନ୍ଧୁଗଣ,

ଓମାନରେ ରହୁଥିବା ଭାରତୀୟ ପ୍ରାୟ ଭାରତକୁ ଆସିଥାନ୍ତି । ଆପଣମାନେ ଭାରତର ସମସ୍ତ ଘଟଣା ବିଷୟରେ ଅବଗତ ରହିଥାନ୍ତି । ଆପଣମାନେ ଦେଖୁଛନ୍ତି ଯେ, ଆଜି ଆମ ଭାରତ କିପରି ପ୍ରଗତିର ନୂଆ ଗତି ସହିତ ଆଗକୁ ବଢ଼ୁଛି । ଭାରତର ଗତି ଆମର ଉଦ୍ଦେଶ୍ୟ ଏବଂ ଆମର ପ୍ରଦର୍ଶନରେ ଦେଖାଯାଉଛି ।

କିଛି ଦିନ ପୂର୍ବରୁ ଅର୍ଥନୈତିକ ଅଭିବୃଦ୍ଧିର ଆକଳନ ଆସିଛି, ଏବଂ ଆପଣମାନେ ଜାଣିଥିବେ ଯେ, ଭାରତର ଅଭିବୃଦ୍ଧି ହାର ୮ ପ୍ରତିଶତରୁ ଅଧିକ ରହିଛି । ଅର୍ଥାତ ଭାରତ, ଲଗାତର ଭାବରେ ବିଶ୍ୱର ଦୃତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥାନ ବଜାୟ ରଖିଛି । ଏହା ଏପରି ଏକ ସମୟରେ ହୋଇଛି, ଯେତେବେଳେ ସମଗ୍ର ବିଶ୍ୱ ଆହ୍ୱାନରେ ଘେରି ରହିଛି । ବିଶ୍ୱର ପ୍ରମୁଖ ଅର୍ଥନୀତି ଅଳ୍ପ କିଛି ପ୍ରତିଶତ ଅଭିବୃଦ୍ଧି ହାସଲ କରିବାକୁ ସଂଘର୍ଷ କରୁଛନ୍ତି । କିନ୍ତୁ ଭାରତ ଲଗାତର ଉଚ୍ଚ ଅଭିବୃଦ୍ଧି ପଥରେ ଆଗେଇ ଚାଲିଛି । ଏଥିରୁ ଏହା ପ୍ରମାଣିତ ହେଉଛି ଯେ, ଭାରତର ସାମର୍ଥ୍ୟ ଆଜି କ’ଣ ରହିଛି ।

ବନ୍ଧୁଗଣ,

ଭାରତ ଆଜି ପ୍ରତ୍ୟେକ କ୍ଷେତ୍ର ଏବଂ ପ୍ରତ୍ୟେକ ବର୍ଗରେ ଅଭୂତପୂର୍ବ ଗତିରେ ପ୍ରଗତି କରୁଛି । ମୁଁ ଆଜି ଆପଣମାନଙ୍କୁ ଗତ ୧୧ ବର୍ଷର ପରିସଂଖ୍ୟାନ ଦେଉଛି । ଆପଣମାନେ ମଧ୍ୟ ସେଗୁଡିକୁ ଶୁଣି ଗର୍ବ ଅନୁଭବ କରିବେ ।

ଏଠାକୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଏକତ୍ରିତ ହୋଇଛନ୍ତି, ତେଣୁ ପ୍ରଥମରୁ ଶିକ୍ଷା ଏବଂ ଦକ୍ଷତା କ୍ଷେତ୍ରରୁ ଆରମ୍ଭ କରିବି । ଗତ ୧୧ ବର୍ଷରେ ଭାରତରେ ହଜାର ହଜାର ସଂଖ୍ୟାରେ ନୂଆ କଲେଜ ପ୍ରତିଷ୍ଠା କରାଯାଇଛି ।

 

ଆଇଆଇଟିର ସଂଖ୍ୟା ୧୬ରୁ ବୃଦ୍ଧି ପାଇ ୨୩ ହୋଇଛି । ୧୧ ବର୍ଷ ପୂର୍ବରୁ ଭାରତରେ ୧୩ଟି ଆଇଆଇଏମ୍ ଥିଲା, ଆଜି ୨୧ ହୋଇଛି । ସେହିପରି ୨୦୧୪ ପୂର୍ବରୁ ମାତ୍ର ୭ଟି ଏମ୍ସ ଥିବାବେଳେ ଆଜି ଭାରତରେ ୨୨ଟି ଏମ୍ସ ରହିଛି ।

ମେଡିକାଲ କଲେଜ ୪୦୦ରୁ ମଧ୍ୟ କମ୍ ଥିଲା । ଆଜି ଭାରତରେ ପ୍ରାୟ ୮୦୦ରୁ ଅଧିକ ମେଡିକାଲ କଲେଜ ରହିଛି ।

ବନ୍ଧୁଗଣ,

ଆଜି ଆମେ ବିକଶିତ ଭାରତ ପାଇଁ ଆମର ଶିକ୍ଷା ଏବଂ ଦକ୍ଷତା ଇକୋସିଷ୍ଟମକୁ ପ୍ରସ୍ତୁତ କରୁଛୁ । ନୂଆ ଶିକ୍ଷା ନୀତି ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ଏହି ନୀତିର ମଡେଲ ଭାବରେ ୧୪ ହଜାରରୁ ଅଧିକ ପିଏମ୍ ଶ୍ରୀ ସ୍କୁଲ ମଧ୍ୟ ଖୋଲାଯାଇଛି ।

ବନ୍ଧୁଗଣ,

ଯେତେବେଳେ ସ୍କୁଲ ସଂଖ୍ୟା ବୃଦ୍ଧି ପାଏ, କଲେଜ ବୃଦ୍ଧି ପାଏ, ୟୁନିଭରସିଟି ବୃଦ୍ଧି ପାଏ, ସେତେବେ କେବଳ କୋଠା ନିର୍ମାଣ ହୁଏ ନାହିଁ, ବରଂ ଦେଶର ଭବିଷ୍ୟତ ମଜବୁତ ହୋଇଥାଏ ।

ବନ୍ଧୁଗଣ,

ଭାରତର ବିକାଶର ଗତି ଏବଂ ମାନ ଶିକ୍ଷା ସମେତ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳୁଛି । ଗତ ୧୧ ବର୍ଷରେ ଆମର ସୌର ଶକ୍ତି ସ୍ଥାପିତ କ୍ଷମତା ୩୦ ଗୁଣ ବୃଦ୍ଧି ପାଇଛି ଏବଂ ସୌର ମଡ୍ୟୁଲ ଉତ୍ପାଦନ ୧୦ ଗୁଣ ବୃଦ୍ଧି ପାଇଛି, ଅର୍ଥାତ ଭାରତ ଆଜି ସବୁଜ ଅଭିବୃଦ୍ଧି ଆଡକୁ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ।

ଆଜି ଭାରତରେ ବିଶ୍ୱର ସବୁଠାରୁ ବଡ ଫିନଟେକ ଇକୋସିଷ୍ଟମ୍ ରହିଛି । ବିଶ୍ୱର ଦ୍ୱିତୀୟ ସର୍ବବୃହତ ଇସ୍ପାତ ଉତ୍ପାଦକ ଏବଂ ଦ୍ୱିତୀୟ ସର୍ବବୃହତ ମୋବାଇଲ ନିର୍ମାତାରେ ପରିଣତ ହୋଇଛି ।

ବନ୍ଧୁଗଣ,

ଆଜି ଯିଏ ଭାରତ ଆସୁଛି ଆମର ଆଧୁନିକ ଭିତ୍ତିଭୂମିକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଗତ ୧୧ ବର୍ଷରେ ଆମେ ଭିତ୍ତିଭୂମିରେ ୫ ଗୁଣା ଅଧିକ ନିବେଶ କରିଥିବାରୁ ଏହା ସମ୍ଭବ ହୋଇପାରିଛି ।

ବିମାନ ବନ୍ଦର ସଂଖ୍ୟା ଦ୍ୱିଗୁଣିତ ହୋଇଛି । ବିଗତ ଦିନମାନଙ୍କ ତୁଳନାରେ ଆଜି ପ୍ରତ୍ୟେକ ଦିନ ଦ୍ୱିଗୁଣା ଗତିରେ ରାଜପଥ ନିର୍ମାଣ ହେଉଛି, ଦ୍ରୁତ ଗତିରେ ରେଳ ଧାରଣା ବିଛା ଯାଉଛି, ରେଳର ବୈଦ୍ୟୁତିକରଣ କରାଯାଉଛି ।

 

ବନ୍ଧୁଗଣ,

ଏହି ସଂଖ୍ୟାଗୁଡିକ କେବଳ ସଫଳତା ନୁହେଁ । ଏଗୁଡିକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ଏକ ସୋପାନ । ଏକବିଂଶ ଶତାବ୍ଦୀର ଭାରତ ବଡ ନିଷ୍ପତ୍ତି ନେଇଥାଏ । ଶୀଘ୍ର ନିଷ୍ପତ୍ତି ନେଇଥାଏ, ବଡ ଲକ୍ଷ୍ୟ ନେଇ ଆଗକୁ ବଢ଼ନ୍ତି ଏବଂ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଫଳାଫଳ ହାସଲ କରିବା ପରେ ହିଁ ବିଶ୍ରାମ ନିଅନ୍ତି ।

ବନ୍ଧୁଗଣ,

ମୁଁ ଆପଣମାନଙ୍କୁ ଗର୍ବର ଆଉ ଏକ ବିଷୟ କହୁଛି । ଆଜି ଭାରତ, ବିଶ୍ୱର ସବୁଠାରୁ ବଡ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ନିର୍ମାଣ କରୁଛି ।

ଭାରତର ୟୁପିଆଇ ଅର୍ଥାତ ୟୁନାଇଟେଡ ପେମେଣ୍ଟସ୍ ଇଣ୍ଟରଫେସ୍‌, ବିଶ୍ୱର ସର୍ବବୃହତ ରିଅଲ୍ ଟାଇମ୍ ଡିଜିଟାଲ ପେମେଣ୍ଟ ସିଷ୍ଟମ । ଏହି ପେମେଣ୍ଟ ସିଷ୍ଟମର ସ୍କେଲ କ’ଣ ରହିଛି, ତାହା ବୁଝାଇବା ପାଇଁ ମୁଁ ଏକ ଛୋଟ ଉଦାହରଣ ଦେଉଛି ।

ମୁଁ ଏଠାକୁ ଆସିବାର ପ୍ରାୟ ୩୦ ମିନିଟ ହୋଇଛି । ଏହି ୩୦ ମିନିଟରେ ୟୁପିଆଇରେ ୧୪ ମିଲିୟନ ରିୟଲ ଟାଇମ ଡିଜିଟାଲ ପେମେଣ୍ଟ ହୋଇଛି । ଏହି ଟ୍ରାଞ୍ଜାକ୍ସନର ମୋଟ୍ ମୂଲ୍ୟ ୨୦ ବିଲିୟନ ଟଙ୍କାରୁ ଅଧିକ ହେବ । ଭାରତରେ ବଡ ବଡ ଶୋରୁମରୁ ଆରମ୍ଭ କରି ଛୋଟ ଭେଣ୍ଡର ପର୍ଯ୍ୟନ୍ତ ସମସ୍ତେ ଏହି ପେମେଣ୍ଟ ସିଷ୍ଟମ ସହିତ ଜଡିତ ଅଛନ୍ତି ।

ବନ୍ଧୁଗଣ,

ଏଠାରେ ଏତେ ସଂଖ୍ୟାରେ ଛାତ୍ରଛାତ୍ରୀ ଅଛନ୍ତି । ମୁଁ ଆପଣମାନଙ୍କୁ ଆଉ ଏକ ମଜାଦାର ଉଦାହରଣ କହିବି । ଭାରତ ଡିଜିଲକର ପରି ଆଧୁନିକ ବ୍ୟବସ୍ଥା ପ୍ରସ୍ତୁତ କରିଛି । ଯେତେବେଳେ ଭାରତରେ ବୋର୍ଡ ପରୀକ୍ଷା ହୁଏ, ମାର୍କସିଟ ସିଧାସଳଖ ପିଲାମାନଙ୍କର ଡିଜିଲକର ଆକାଉଣ୍ଟରେ ଜମା ହୋଇଥାଏ । ଜନ୍ମରୁ ଆରମ୍ଭ କରି ବୃଦ୍ଧାବସ୍ଥା ପର୍ଯ୍ୟନ୍ତ, ଯେଉଁ ଡକ୍ୟୁମେଣ୍ଟ ସରକାର ପ୍ରସ୍ତୁତ କରିଥାନ୍ତି, ତାହା ଡିଜିଲକରରେ ରଖା ଯାଇପାରିବ । ଏପରି ବହୁତ ଡିଜିଟାଲ ସିଷ୍ଟମ ଆଜି ଭାରତରେ ସହଜ ଜୀବନ ଯାପନ ସୁନିଶ୍ଚିତ କରୁଛି ।

ବନ୍ଧୁଗଣ,

ଭାରତର ଚନ୍ଦ୍ରଯାନର ଚମତ୍କାରିତା ମଧ୍ୟ ଆପଣମାନେ ଦେଖିଛନ୍ତି । ସମଗ୍ର ବିଶ୍ୱରେ ଭାରତ ପ୍ରଥମ ଦେଶ, ଯିଏ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିପାରିଛି । କେବଳ ସେତିକି ନୁହେଁ, ଆମେ ଏକକାଳୀନ ୧୦୪ ସାଟେଲାଇଟ୍ ପ୍ରକ୍ଷେପଣ କରିବାରେ ମଧ୍ୟ ରେକର୍ଡ କରିଛୁ ।

ଏବେ ଭାରତ ନିଜର ପ୍ରଥମ ମାନବ ମହାକାଶ ଅଭିଯାନ, ଗଗନଯାନ ଉତ୍‌କ୍ଷେପଣ କରିବାକୁ ଯାଉଛି । ଏବଂ ସେହି ସମୟ ମଧ୍ୟ ଖୁବ୍ ଶୀଘ୍ର ଆସିବ ଯେତେବେଳେ, ଭାରତର ନିଜସ୍ୱ ମହାକାଶ ଷ୍ଟେସନ ମଧ୍ୟ ରହିବ ।

ବନ୍ଧୁଗଣ,

ଭାରତର ମହାକାଶ କାର୍ଯ୍ୟକ୍ରମ କେବଳ ନିଜ ମଧ୍ୟରେ ସୀମିତ ରହିନାହିଁ, ଆମେ ଓମାନର ମହାକାଶ ଆକାଂକ୍ଷାକୁ ମଧ୍ୟ ସମର୍ଥନ କରୁଛୁ । ୬-୭ ବର୍ଷ ପୂର୍ବରୁ ଆମେ ମହାକାଶ ସହଯୋଗ ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲୁ । ମୁଁ ଖୁସିର ସହିତ ଘୋଷଣା କରୁଛି ଯେ, ଇସ୍ରୋ ଭାରତ-ଓମାନ ସ୍ପେସ୍ ପୋର୍ଟାଲ ବିକଶିତ କରିଛି । ଓମାନର ଯୁବପିଢ଼ି ମଧ୍ୟ ଏହି ସ୍ପେସ୍ ସହଭାଗିତାରୁ ଉପକୃତ ହୋଇପାରିବେ ।

 

ମୁଁ ଏଠାରେ ବସିଥିବା ଛାତ୍ରଛାତ୍ରମାନଙ୍କୁ ଆଉ ଏକ ସୂଚନା ଦେବି । ଇସ୍ରୋ “ୟୁବିକା” ନାମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପରିଚାଳନା କରୁଛି । ଏଥିରେ ଭାରତର ହଜାର ହଜାର ଛାତ୍ରଛାତ୍ରୀ ମହାକାଶ ବିଜ୍ଞାନ ସହିତ ଜଡିତ ଅଛନ୍ତି । ଏହି କାର୍ଯ୍ୟକ୍ରମରେ ଓମାନର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସୁଯୋଗ ମିଳିବ ।

ଓମାନର କିଛି ଛାତ୍ରଛାତ୍ରୀ, ବେଙ୍ଗାଲୁରରେ ଇସ୍ରୋ ସେଣ୍ଟର ଦେଖିବାକୁ ଆସନ୍ତୁ । ଏହା ଓମାନର ଯୁବପିଢ଼ିମାନଙ୍କର ମହାକାଶ ଆକାଂକ୍ଷାକୁ ନୂତନ ଉଚ୍ଚତା ଦେବା ପାଇଁ ଏକ ମହାନ ଆରମ୍ଭ ହୋଇପାରେ ।

ବନ୍ଧୁଗଣ,

ଆଜି ଭାରତ, ନିଜର ସମସ୍ୟାଗୁଡିକର ସମାଧାନ ଖୋଜୁଛି ଏବଂ ଏହି ସମାଧାନଗୁଡିକ ବିଶ୍ୱର କୋଟି କୋଟି ଲୋକମାନଙ୍କର ଜୀବନ କିପରି ଉନ୍ନତ କରାଯାଇପାରିବ ତାହା ଉପରେ ମଧ୍ୟ କାମ କରୁଛି ।

ସଫ୍ଟୱେର ବିକାଶରୁ ଆରମ୍ଭ କରି ପେରୋଲ ମ୍ୟାନେଜମେଣ୍ଟ ପର୍ଯ୍ୟନ୍ତ, ଡାଟା ଆନାଲିସିସ୍‌ରୁ ଆରମ୍ଭ କରି ଗ୍ରାହକ ସହାୟତା ପର୍ଯ୍ୟନ୍ତ ଅନେକ ବିଶ୍ୱସ୍ତରୀୟ ବ୍ରାଣ୍ଡ ଭାରତୀୟ ପ୍ରତିଭା ବଳରେ ଆଗକୁ ବଢ଼ୁଛନ୍ତି ।

ଅନେକ ଦଶନ୍ଧି ଧରି ଭାରତ ଆଇଟି ଏବଂ ଆଇଟି-ସକ୍ଷମ ସେବାର ଏକ ବିଶ୍ୱ ପାୱାର ହାଉସ ହୋଇଆସିଛି । ଏବେ ଆମେ ଆଇଟିର ଶକ୍ତି ସହିତ ଉତ୍ପାଦନକୁ ମିଶ୍ରଣ କରୁଛୁ । ଏବଂ ଏହା ପଛରେ ରହିଥିବା ବସୁଧୈବ କୁଟୁମ୍ବକମ ଭାବନା ଦ୍ୱାରା ଅନୁପ୍ରାଣିତ । ଅର୍ଥାତ ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ ।

ବନ୍ଧୁଗଣ,

ଟୀକା ହେଉ କିମ୍ବା ଜେନେରିକ ଔଷଧ, ବିଶ୍ୱ ଆମକୁ ଫାର୍ମାସି ଅଫ୍ ଦି ୱାର୍ଲ୍ଡ କହୁଛି । ଅର୍ଥାତ୍ ଭାରତର ସୁଲଭ ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସମାଧାନ ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରୁଛି ।

କୋଭିଡ ସମୟରେ ଭାରତ ପ୍ରାୟ ୩୦ କୋଟି ଟୀକା ବିଶ୍ୱକୁ ପ୍ରଦାନ କରିଥିଲା । ମୁଁ ଖୁସି ଯେ, ପ୍ରାୟ ୧୦୦,୦୦୦ ଭାରତ ନିର୍ମିତ କୋଭିଡ ଟୀକା ଓମାନର ଲୋକମାନଙ୍କୁ ଲାଭାନ୍ୱିତ କରିପାରିଛି ।

ଆହୁରିମଧ୍ୟ ବନ୍ଧୁଗଣ,

ମନେ ପକାନ୍ତୁ, ଏହି କାମ ଭାରତ ସେତେବେଳେ କରିଥିଲା, ଯେତେବେଳେ ସମସ୍ତେ କେବଳ ନିଜ ବିଷୟରେ ହିଁ ଚିନ୍ତା କରୁଥିଲେ । ସେତେବେଳେ ଆମେ ଦୁନିଆ ବିଷୟରେ ଚିନ୍ତା କରୁଥିଲୁ । ଭାରତ ନିଜର ୧୪୦ କୋଟି ଲୋକଙ୍କୁ ମଧ୍ୟ ରେକର୍ଡ ସମୟରେ ଟୀକା ପ୍ରଦାନ କରିଥିଲା ଏବଂ ବିଶ୍ୱର ଆବଶ୍ୟକତା ମଧ୍ୟ ପୂରଣ କରିଥିଲା ।

 

ଏହା ଭାରତର ମଡେଲ, ଏପରି ମଡେଲ, ଯାହା ବିଶ୍ୱକୁ ଏକାଦଶ ଶତାବ୍ଦୀର ଏକ ନୂଆ ସମ୍ଭାବନା ପ୍ରଦାନ କରୁଛି । ସେଥିପାଇଁ ଆଜି ଯେତେବେଳେ ମେଡ୍ ଇନ୍ ଇଣ୍ଡିଆ ଚିପ୍ସ ତିଆରି ହେଉଛି, ଏଆଇ, କ୍ୱାଣ୍ଟମ କମ୍ପ୍ୟୁଟିଂ ଏବଂ ଗ୍ରୀନ୍ ହାଇଡ୍ରୋଜେନକୁ ନେଇ ମିଶନ୍ ମୋଡ୍‌ରେ କାମ କରାଯାଉଛି, ସେତେବେଳେ ବିଶ୍ୱର ଅନ୍ୟ ଦେଶରେ ମଧ୍ୟ ଆଶା ସୃଷ୍ଟି ହୁଏ ଯେ, ଭାରତର ସଫଳତାରୁ ସେମାନଙ୍କୁ ମଧ୍ୟ ସହଯୋଗ ମିଳିବ ।

ବନ୍ଧୁଗଣ,

ଆପଣମାନେ ଏଠାରେ ଓମାନରେ ପାଠ ପଢ଼ୁଛନ୍ତି । ଆଗାମୀ ସମୟରେ ଆପଣମାନେ ଓମାନ ଏବଂ ଭାରତର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବେ । ଆପଣମାନେ ବିଶ୍ୱକୁ ନେତୃତ୍ୱ ଦେବାକୁ ଥିବା ପିଢ଼ି ।

ଓମାନରେ ରହୁଥିବା ଭାରତୀୟମାନଙ୍କୁ ଅସୁବିଧା ନହେଉ, ସେଥିପାଇଁ ଏଠାକାର ସରକାର ସମସ୍ତ ପ୍ରକାର ସହଯୋଗ ଦେଉଛନ୍ତି । ଭାରତ ସରକାର ମଧ୍ୟ ଆପଣମାନଙ୍କର ସୁବିଧାର ସମ୍ପୂର୍ଣ୍ଣ ଧ୍ୟାନ ରଖୁଛନ୍ତି । ସମଗ୍ର ଓମାନରେ ୧୧ କାଉନସିଲର ସର୍ଭିସ୍ ସେଣ୍ଟର ଖୋଲାଯାଇଛି ।

ବନ୍ଧୁଗଣ,

ଗତ ଦଶନ୍ଧିରେ ଯେତେ ବିଶ୍ୱସ୍ତରୀୟ ସଙ୍କଟ ଆସିଛି, ସେହି ସମୟରେ ଆମ ସରକାର ଖୁବ୍ ଶୀଘ୍ର ଭାରତୀୟମାନଙ୍କର ସାହାଯ୍ୟ କରିଛି । ବିଶ୍ୱରେ ଯେଉଁଠାରେ ବି ଭାରତୀୟ ରହୁଛନ୍ତି, ଆମ ସରକାର ସବୁ ସମୟରେ ସେମାନଙ୍କ ସାଙ୍ଗରେ ରହିଛି । ସେଥିପାଇଁ ଭାରତୀୟ ସମ୍ପ୍ରଦାୟ କଲ୍ୟାଣ ପାଣ୍ଠି, ମଦଦ ପୋର୍ଟାଲ ଏବଂ ପ୍ରବାସୀ ଭାରତୀୟ ବୀମା ଯୋଜନା ଭଳି ପ୍ରୟାସ କରାଯାଇଛି ।

ବନ୍ଧୁଗଣ,

ଭାରତ ପାଇଁ ସମ୍ପୂର୍ଣ୍ଣ କ୍ଷେତ୍ର ବେଶ୍ ଗୁରୁତ୍ୱପୂର୍ଣ୍ଣ ଏବଂ ଓମାନ ଆମ ପାଇଁ ଅଧିକ ସ୍ୱତନ୍ତ୍ର । ମୁଁ ଖୁସି ଯେ, ଭାରତ-ଓମାନର ସମ୍ପର୍କ ଏବେ ଦକ୍ଷତା ବିକାଶ, ଡିଜିଟାଲ ଶିକ୍ଷା, ଛାତ୍ର ଆଦାନପ୍ରଦାନ ଏବଂ ଉଦ୍ୟୋଗିତାକୁ ବିସ୍ତାରିତ ହେଉଛି ।

ଆପଣମାନଙ୍କ ମଧ୍ୟରୁ ଏପରି ଯୁବ ଉଦ୍ଭାବକମାନେ ବାହାରିବେ ଯେଉଁମାନେ ଭାରତ-ଓମାନ ସମ୍ପର୍କକୁ ନୂଆ ଉଚ୍ଚତାରେ ପହଞ୍ଚାଇବେ । ଏବେ ଏଠାରେ ଭାରତୀୟ ସ୍କୁଲଗୁଡିକ ନିଜର ୫୦ ବର୍ଷ ପୂର୍ତ୍ତୀ ପାଳନ କରିଛନ୍ତି । ଏବେ ଆମକୁ ଆସନ୍ତା ୫୦ ବର୍ଷ ପାଇଁ ଲକ୍ଷ୍ୟ ନେଇ ଆଗକୁ ବଢ଼ିବାକୁ ପଡିବ । ତେଣୁ ମୁଁ ପ୍ରତ୍ୟେକ ଯୁବକଙ୍କୁ କହିବାକୁ ଚାହେଁ:

ବଡ ସ୍ୱପ୍ନ ଦେଖ ।

ଗଭୀର ଭାବରେ ପଢ଼ ।

ସାହସର ସହିତ ଉଦ୍ଭାବନ କର ।

କାରଣ ଆପଣଙ୍କ ଭବିଷ୍ୟତ କେବଳ ଆପଣଙ୍କର ନୁହେଁ, ବରଂ ସମ୍ପୂର୍ଣ୍ଣ ମାନବତାର ଭବିଷ୍ୟତ । ଆପଣମାନଙ୍କୁ ପୁଣି ଥରେ ଉଜ୍ଜ୍ୱଳ ଭବିଷ୍ୟତର ଅନେକ ଶୁଭକାମନା ।

ଅନେକ ଅନେକ ଧନ୍ୟବାଦ!

ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre allows 100% FDI in insurance via auto route

Media Coverage

Centre allows 100% FDI in insurance via auto route
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives due to a fire mishap in Delhi’s Shahdara district
May 03, 2026
PM announces ex-gratia from PMNRF

Prime Minister Shri Narendra Modi has expressed deep grief over the loss of lives due to a fire mishap in Delhi’s Shahdara district.

The Prime Minister extended his condolences to those who have lost their loved ones in this tragic mishap and prayed for the speedy recovery of the injured.

Shri Modi announced that an ex-gratia of Rs. 2 lakh from the Prime Minister's National Relief Fund (PMNRF) would be given to the next of kin of each of those who lost their lives, and the injured would be given Rs. 50,000.

The Prime Minister posted on X:

"The loss of lives due to a fire mishap in Delhi’s Shahdara district is extremely distressing. Condolences to those who have lost their loved ones. Praying for the speedy recovery of the injured.
An ex-gratia of Rs. 2 lakh from PMNRF would be given to the next of kin of each of those who lost their lives. The injured would be given Rs. 50,000: PM"