ନୂତନ ପିଢ଼ିର ଦକ୍ଷତା ବିକାଶ ଜାତୀୟ ଆବଶ୍ୟକତା ଏବଂ ଆତ୍ମନିର୍ଭର ଭାରତର ମୂଳଦୁଆ : ପ୍ରଧାନମନ୍ତ୍ରୀ
ଦକ୍ଷତାର ସମ୍ମାନ ଆମ ସଂସ୍କୃତିର ଅଂଶବିଶେଷ : ପ୍ରଧାନମନ୍ତ୍ରୀ
ସମାଜରେ କୁଶଳୀ ଶ୍ରମିକମାନଙ୍କୁ ଉଚିତ୍‌ ସମ୍ମାନ ମିଳୁ : ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
‘ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା’ ଅନ୍ତର୍ଗତ 1.25 କୋଟିରୁ ଅଧିକ ଯୁବକମାନଙ୍କୁ ପ୍ରଶିକ୍ଷଣ ଦିଆଗଲା : ପ୍ରଧାନମନ୍ତ୍ରୀ
ଭାରତ ବିଶ୍ୱକୁ ପ୍ରତିଭାସମ୍ପନ୍ନ ଓ କୁଶଳୀ ଶ୍ରମ-ଶକ୍ତି ସମାଧାନ ଦେଇଥାଏ, ଏହାକୁ ଆମ ଯୁବପିଢ଼ିଙ୍କୁ କୁଶଳୀ କରିବା ଲାଗି ରଣନୀତିର ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ କରିବା ଉଚିତ୍‌: ପ୍ରଧାନମନ୍ତ୍ରୀ
ମହାମାରୀ ବିରୋଧରେ ପ୍ରଭାବଶାଳୀ ଲଢ଼େଇରେ ଭାରତର କୁଶଳୀ ଶ୍ରମ ଶକ୍ତି ସହାୟକ ହୋଇଛି : ପ୍ରଧାନମନ୍ତ୍ରୀ
ଯୁବକମାନଙ୍କର ‘ସ୍କିଲିଂ’, ‘ରିସ୍କିଲି’, ଏବଂ ‘ଅପସ୍କିଲିଂ’ ଅଭିଯାନକୁ ନିରନ୍ତର ଚଳାଇ ରଖିବା ଉଚିତ୍‌ : ପ୍ରଧାନମନ୍ତ୍ରୀ
ଦୁର୍ବଳ ବର୍ଗଙ୍କୁ କୁଶଳୀ କରିବା ଜରିଆରେ ‘ସ୍କିଲ ଇଣ୍ଡିଆ ମିଶନ’ ଡ. ବାବା ସାହେବ ଆମ୍ବେଦକରଙ୍କ ସ୍ୱପ୍ନକୁ ସାକାର କରୁଛି : ପ୍ରଧାନମନ୍ତ୍ରୀ

ନମସ୍କାର!

ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ସମସ୍ତ ଯୁବ ବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା! ଦ୍ୱିତୀୟ ଥର ପାଇଁ ଆମେ କରୋନା ମହାମାରୀ ସମୟରେ ଏହି ଦିବସ ପାଳନ କରୁଛୁ । ଏହି ବୈଶ୍ୱିକ ମହାମାରୀର ଆହ୍ୱାନସବୁ ବିଶ୍ୱ ଯୁବ ଦକ୍ଷତା ଦିବସର ମହତ୍ୱକୁ ଅନେକ ଗୁଣରେ ବଢାଇ ଦେଇଛି । ଆଉ ଏକ ବିଷୟ ଯାହା ମହତ୍ୱପୂର୍ଣ୍ଣ ତାହା ହେଉଛି ଆମେ ଏହି ସମୟରେ ଆମ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛୁ । ଏକବିଂଶ ଶତାଦ୍ଦୀରେ ଜନ୍ମଗ୍ରହଣ କରିଥିବା ଆଜିର ଯୁବକମାନେ ଭାରତର ବିକାଶ ଯାତ୍ରାକୁ ସ୍ୱାଧୀନତାର ୧୦୦ ବର୍ଷ ପର୍ଯ୍ୟନ୍ତ ଆଗେଇ ନେବେ । ଏଥିପାଇଁ ନୂଆ ପିଢୀର ଯୁବକମାନଙ୍କ ଦକ୍ଷତା ବିକାଶ, ଏକ ଜାତୀୟ ଆବଶ୍ୟକତା, ଆତ୍ମନିର୍ଭର ଭାରତର ଏକ ବିଶାଳ ଆଧାର । ଗତ ୬ ବର୍ଷ ମଧ୍ୟରେ ଯେଉଁ ମୂଳଦୁଆ ପ୍ରସ୍ତୁତ ହୋଇଛି, ଯେଉଁ ନୂତନ ପ୍ରତିଷ୍ଠାନ ନିର୍ମିତ ହୋଇଛି, ସେସବୁର ସମ୍ପୁର୍ଣ୍ଣ ଶକ୍ତିକୁ ଏକାଠି କରି ଆମକୁ ନୂତନ ଭାବେ ସ୍କିଲ ଇଣ୍ଡିଆ ମିଶନକୁ ଆଗେଇ ନେବାକୁ ହେବ ।

ବନ୍ଧୁଗଣ,

ଯେତେବେଳେ କୌଣସି ସମାଜ ଦକ୍ଷତାକୁ ଗୁରୁତ୍ୱ ଦେଇଥାଏ ସେତେବେଳେ ସମାଜର ମଧ୍ୟ ଦକ୍ଷତା ବୃଦ୍ଧି ଘଟିଥାଏ, ଉନ୍ନତି ମଧ୍ୟ ହୋଇଥାଏ । ସମଗ୍ର ବିଶ୍ୱ ଏ କଥାକୁ ଭଲ ଭାବେ ମଧ୍ୟ ହୃଦୟଙ୍ଗମ କରିଛି । କିନ୍ତୁ ଭାରତର ଚିନ୍ତାଧାରା ଏହାଠାରୁ ମଧ୍ୟ ଦୁଇପାଦ ଆଗରେ ରହିଛି । ଆମର ପୂର୍ବଜମାନେ ଦକ୍ଷତାକୁ ମହତ୍ୱ ଦେବା ସହିତ ସେମାନେ ଏହାକୁ ଉତ୍ସବ ଭାବେ ପାଳୁଥିଲେ, ଦକ୍ଷତାକୁ ସମାଜର ଉଲ୍ଲାସର ଏକ ଅଂଶ ଭାବେ ପ୍ରସ୍ତୁତ କରିଥିଲେ । ଆପଣମାନେ ଦେଖନ୍ତୁ, ଆମେ ବିଜୟା ଦଶମୀ ଦିନ ଅସ୍ତ୍ର ପୂଜା କରିଥାଉ । ଅକ୍ଷୟ ତୃତୀୟାରେ କୃଷକ ଫସଲର, କୃଷି ଉପକରଣର ପୂଜା କରିଥାଆନ୍ତି । ଭଗବାନ ବିଶ୍ୱକର୍ମାଙ୍କ ପୂଜା ତ ଆମ ଦେଶରେ ପ୍ରତ୍ୟେକ ଦକ୍ଷତା, ପ୍ରତିଟି ଶିଳ୍ପ ସହ ଜଡିତ ବ୍ୟକ୍ତିମାନଙ୍କ ପାଇଁ ବହୁତ ବଡ ପର୍ବ ଭାବେ ରହିଆସିଛି । ଆମର ଏଠି ଶାସ୍ତ୍ରରେ ଏକଥା ନିର୍ଦ୍ଦେଶ ଦିଆଯାଇଛି ଯେ -

ବିବାହଦିଷୁ ୟଜ୍ଞଷୁ, ଗୃହ ଆରାମ ବିଧାୟକେ ।

ସର୍ବ କର୍ମଷୁ ସମ୍ପୁଜ୍ୟୋ, ବିଶ୍ୱକର୍ମା ଇତି ଶୃତମ । ।

ଅର୍ଥାତ୍ ବିବାହ ହେଉ, ଗୃହ ପ୍ରବେଶ ହେଉ, ଅବା ଅନ୍ୟ କୌଣସି ଯଜ୍ଞ କାର୍ଯ୍ୟ, ସାମାଜିକ କାର୍ଯ୍ୟ ହେଉ, ଏଥିରେ ଭଗବାନ ବିଶ୍ୱକର୍ମାଙ୍କ ପୂଜା, ତାଙ୍କର ସମ୍ମାନ ନିହାତି କରାଯିବା ଆବଶ୍ୟକ । ବିଶ୍ୱକର୍ମାଙ୍କ ପୂଜାର ଅର୍ଥ ହେଉଛି ସାମାଜିକ ଜୀବନରେ ଭିନ୍ନ ଭିନ୍ନ ସୃଜନଶୀଳ କାର୍ଯ୍ୟ କରୁଥିବା ଆମର ବିଶ୍ୱକର୍ମାମାନଙ୍କ ସମ୍ମାନ, ଦକ୍ଷତାର ସମ୍ମାନ । କାଠ କାରିଗର, ଧାତୁ କାର୍ଯ୍ୟ କରୁଥିବା ବ୍ୟକ୍ତି, ସଫେଇ କର୍ମୀ, ବଗିଚାର ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବା ମାଳି, ମାଟିର ପାତ୍ର ପ୍ରସ୍ତୁତ କରୁଥିବା କୁମ୍ଭାର, ହାତରେ ବସ୍ତ୍ର ବୟନ କରୁଥିବା ବୁଣାକାର ବନ୍ଧୁ, ଏଭଳି କେତେ ଯେ ଲୋକ ଅଛନ୍ତି ଯେଉଁମାନଙ୍କୁ ଆମ ପରମ୍ପରା ସ୍ୱତନ୍ତ୍ର ସମ୍ମାନ ଦେଇଛି ।

ମହାଭାରତର ଏକ ଶ୍ଳୋକରେ ମଧ୍ୟ କୁହାଯାଇଛି –

ବିଶ୍ୱକର୍ମା ନମସ୍ତେସ୍ତୁ, ବିଶ୍ୱାତ୍ମା ବିଶ୍ୱ ସମ୍ଭବଃ । ।

ଅର୍ଥାତ୍‌, ଯାହାଙ୍କ ଯୋଗୁଁ ବିଶ୍ୱରେ ସବୁକିଛି ସମ୍ଭବ ହୋଇଥାଏ, ସେହି ବିଶ୍ୱକର୍ମାଙ୍କୁ ପ୍ରଣାମ । ବିଶ୍ୱକର୍ମାଙ୍କୁ ଏଥିପାଇଁ ବିଶ୍ୱକର୍ମା କୁହାଯାଇଥାଏ କାରଣ ତାଙ୍କ କାର୍ଯ୍ୟ ବିନା, ଦକ୍ଷତା ବିନା ସମାଜର ଅସ୍ତିତ୍ୱ ଅସମ୍ଭବ ଅଟେ । କିନ୍ତୁ ଦୁର୍ଭାଗ୍ୟବଶତଃ ଦାସତ୍ୱର ଦୀର୍ଘ କାଳଖଣ୍ଡରେ ଦକ୍ଷତା ବିକାଶର ବ୍ୟବସ୍ଥା ଆମ ସାମାଜିକ ବ୍ୟବସ୍ଥାରେ, ଆମର ଶିକ୍ଷା ବ୍ୟବସ୍ଥାରେ ଧିରେ ଧିରେ ଦୁର୍ବଳ ହୋଇ ଚାଲିଲା ।

ବନ୍ଧୁଗଣ,

ଶିକ୍ଷା ଯଦି ଆମକୁ ଏକଥା ଶିଖାଇଥାଏ ଯେ, ଆମକୁ କ’ଣ କରିବାକୁ ହେବ, ତେବେ ଦକ୍ଷତା ଆମକୁ ଏହା ଶିଖାଇଥାଏ ଯେ ବାସ୍ତବିକ ରୂପରେ ସେହି କାର୍ଯ୍ୟ କିପରି ହୋଇପାରିବ! ଦେଶର ‘ସ୍କିଲ ଇଣ୍ଡିଆ ମିଶନ୍‌’ ଏହି ସତ୍ୟତା, ଏହି ଆବଶ୍ୟକତା ସହିତ ପାଦରେ ପାଦ ମିଳାଇବାର ଅଭିଯାନ ଅଟେ । ମୁଁ ଖୁସି ଯେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ମାଧ୍ୟମରେ ଏପର୍ଯ୍ୟନ୍ତ କୋଟିଏ ୨୫ ଲକ୍ଷରୁ ଅଧିକ ଯୁବକଙ୍କୁ ପ୍ରଶିକ୍ଷଣ ଦିଆଯାଇ ସାରିଛି ।

ବନ୍ଧୁଗଣ,

ମୁଁ ଆଉ ଏକ ଘଟଣା ସମ୍ପର୍କରେ ଆପଣମାନଙ୍କୁ ଜଣାଇବାକୁ ଚାହୁଁଛି । ଥରେ ଦକ୍ଷତା ବିକାଶକୁ ନେଇ କାର୍ଯ୍ୟ କରୁଥିବା କିଛି ଅଧିକାରୀ ମୋତେ ଭେଟିଥିଲେ । ମୁଁ ସେମାନଙ୍କୁ କହିଲି ଯେ ଆପଣମାନେ ଏହି ଦିଗରେ ଅନେକ କାର୍ଯ୍ୟ କରୁଛନ୍ତି, ଆପଣମାନେ ଏହିସବୁ ଦକ୍ଷତାଗୁଡିକର ଏକ ତାଲିକା କାହିଁକି ପ୍ରସ୍ତୁତ କରୁନାହାନ୍ତି, ଯେଉଁଗୁଡିକୁ ଆମେ ଆମ ଜୀବନରେ ବ୍ୟବହାର କରିଥାଉ । ଆପଣମାନେ ଆଶ୍ଚର୍ଯ୍ୟ ହେବେ, ଯେତେବେଳେ ସେମାନେ ଏମିତି ଉପର ଠାଉରିଆ ଭାବେ ତାଲିକା ପ୍ରସ୍ତୁତ କଲେ ତ ସେତେବେଳେ ଏଭଳି ୯୦୦ରୁ ଅଧିକ ଦକ୍ଷତା ନଜରକୁ ଆସିଲା, ଯେଉଁଗୁଡିକୁ ଆମର ଆବଶ୍ୟକତା ପଡିଥାଏ । ଆପଣମାନେ ଚିନ୍ତା କରନ୍ତୁ ଯେ କେତେ ବିଶାଳ ଦକ୍ଷତା ବିକାଶର ଏହି କାର୍ଯ୍ୟ । ଆଜି ଏହା ଆବଶ୍ୟକ ଯେ, ଅଧ୍ୟୟନ ଆପଣଙ୍କ ଆୟ ସହ ଅଟକି ଯାଇ ନାହିଁ । ଆଜି ଦୁନିଆରେ ଦକ୍ଷତାର ଏତେ ଚାହିଦା ଯେ, ଯିଏ ଦକ୍ଷ ହୋଇ ପାରିବ ସେ ଆଗକୁ ବଢିପାରିବ । ଏହା ବ୍ୟକ୍ତିମାନଙ୍କ ସହ ଦେଶ ପାଇଁ ମଧ୍ୟ ପ୍ରଯୁଜ୍ୟ । ବିଶ୍ୱ ପାଇଁ ଏକ ସ୍ମାର୍ଟ ଏବଂ ଦକ୍ଷ ମାନବ ଶକ୍ତି ସମାଧାନ ଭାରତ ପ୍ରଦାନ କରିପାରୁ, ଏହା ଆମର ଯୁବପିଢୀର ଦକ୍ଷତା ରଣନୀତିର ମୂଳମନ୍ତ୍ର ହେବା ଉଚିତ୍ । ଏ ଦୃଷ୍ଟିରୁ ବୈଶ୍ୱିକ ଦକ୍ଷତା ବ୍ୟବଧାନର ଯେଉଁ ଆକଳନ କରାଯାଉଛି, ତାହା ପ୍ରଶଂସନୀୟ ପଦକ୍ଷେପ ଅଟେ । ଏଥିପାଇଁ ଆମର ଯୁବପିଢୀ ନିମନ୍ତେ ଦକ୍ଷକରଣ, ପୁନଃ-ଦକ୍ଷକରଣ ଏବଂ ଦକ୍ଷତା ବିକାଶର ଅଭିଯାନ ଅବିରତ ଜାରି ରହିବା ଉଚିତ୍ ।

ବଡ ବଡ ବିଶେଷଜ୍ଞମାନେ ଆଜି ଏକଥା ଆକଳନ କରିବାରେ ଲାଗିଛନ୍ତି ଯେ ଯେଉଁ କ୍ଷୀପ୍ରତାର ସହିତ ବୈଷୟିକ ଜ୍ଞାନକୌଶଳର ପରିବର୍ତନ ଘଟିଚାଲିଛି, ଆଗାମୀ ୩-୪ ବର୍ଷରେ ଏକ ବୃହତ ସଂଖ୍ୟାର ଲୋକଙ୍କୁ ପୁନଃ ଦକ୍ଷତାସମ୍ପନ୍ନ ହେବାର ଆବଶ୍ୟକତା ପଡିବ । ଏଥିପାଇଁ ମଧ୍ୟ ଆମ ସମସ୍ତଙ୍କୁ ଦେଶକୁ ପ୍ରସ୍ତୁତ ରଖିବାକୁ ପଡିବ । ଏବଂ କରୋନା କାଳରେ ହିଁ ଆମେ ସମସ୍ତେ ଦକ୍ଷତା ଏବଂ ଦକ୍ଷ ମାନବ ଶକ୍ତିର ମହତ୍ୱକୁୂ ଖୁବ ନିକଟରେ ଦେଖିଛେ ଏବଂ ଅନୁଭବ ମଧ୍ୟ କରିଛେ । ଦେଶ କରୋନା ବିରୁଦ୍ଧରେ ପ୍ରଭାବଶାଳୀ ସଂଗ୍ରାମ କରିପାରିଛି କାରଣ ଏଥିରେ ଆମର ଦକ୍ଷ ମାନବ ଶକ୍ତିର ବହୁତ ବଡ ଅବଦାନ ରହିଛି ।

ବନ୍ଧୁଗଣ,

 ବାବା ସାହେବ ଆମ୍ବେଦକର, ଯୁବକମାନଙ୍କୁ, ଦୁର୍ବଳ ବର୍ଗଙ୍କୁ ଦକ୍ଷତାସମ୍ପନ୍ନ କରିବା ଉପରେ ଅନେକ ଗୁରୁତ୍ୱ ଦେଇଥିଲେ । ଆଜି ଦକ୍ଷ ଭାରତ ମାଧ୍ୟମରେ ଦେଶ ବାବା ସାହେବଙ୍କର ଏହି ଦୂରଦର୍ଶୀ ସ୍ୱପ୍ନକୁ ସାକାର କରିବା ପାଇଁ ଭରପୂର ପ୍ରୟାସ କରୁଛି । ଉଦାହରଣ ସ୍ୱରୂପ, ଆଦିବାସୀ ସମାଜ ପାଇଁ ଦେଶ ‘ଗୋଇଙ୍ଗ ଅନଲାଇନ୍ ଏଜ୍ ଲିଡର୍ସ’ ବା ଗୋଲ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମ ପାରମ୍ପରିକ ଦକ୍ଷତା କ୍ଷେତ୍ର ଯେପରିକି କଳା ହେଉ, ସଂସ୍କୃତି ହେଉ, ହସ୍ତଶିଳ୍ପ ହେଉ, ବୟନ ଶିଳ୍ପ ହେଉ ଏ ସବୁରେ ଆଦିବାସୀ ଭାଇଭଉଣୀଙ୍କର ଡିଜିଟାଲ ସାକ୍ଷରତା ଏବଂ ଦକ୍ଷତା ବିକାଶରେ ସହାୟତା କରିବ, ସେମାନଙ୍କ ମଧ୍ୟରେ ଉଦ୍ୟମିତାର ବିକାଶ କରିବ । ଏହିଭଳି ବନଧନ ଯୋଜନା ମଧ୍ୟ ଆଜି ଆଦିବାସୀ ସମାଜକୁ ନୂଆ ନୂଆ ସୁଯୋଗ ସହିତ ଯୋଡିବାରେ ଏକ ପ୍ରଭାବୀ ମାଧ୍ୟମ ହେବାରେ ଲାଗିଛି । ଆମକୁ ଭବିଷ୍ୟତରେ ଏହିଭଳି ଅଭିଯାନଗୁଡିକୁ ଆହୁରି ଅଧିକ ବ୍ୟାପକ କରିବାକୁ ପଡିବ, ଦକ୍ଷତା ମାଧ୍ୟମରେ ନିଜକୁ ଏବଂ ଦେଶକୁ ଆତ୍ମନିର୍ଭର କରିବାକୁ ହେବ । ଏହି ଶୁଭେଚ୍ଛା ସହିତ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PMAY-U Nears 1.25 Crore Homes: Top 10 States With The Highest PMAY-U Completion Rates

Media Coverage

PMAY-U Nears 1.25 Crore Homes: Top 10 States With The Highest PMAY-U Completion Rates
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 24, 2026
June 24, 2026

Appreciation for PM Modi’s Vision for Holistic Growth, Furthering Technology as well as Traditions