“ଭାରତକୁ ବିକଶିତ କରିବା ପାଇଁ ଏହାର ସ୍ୱାସ୍ଥ୍ୟ ସେବାର ମଧ୍ୟ ସମାନ ଭାବେ ବିକାଶ କରିବା ଗୁରୁତ୍ୱପୂର୍ଣ୍ଣ”
“ବିଗତ ଆଠ ବର୍ଷ ମଧ୍ୟରେ ଦେଶର ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରେ ସାମଗ୍ରିକ ସ୍ୱାସ୍ଥ୍ୟସେବା ସ୍ଥାନିତ ହୋଇଛି”
“ବିଗତ ୮ ବର୍ଷ ମଧ୍ୟରେ ଦେଶରେ ୨୦୦ ରୁ ଅଧିକ ନୂତନ ମେଡିକାଲ କଲେଜ ର୍ନିମାଣ କରାଯାଇଛି”
“ଏକ ପ୍ରଗତିଶୀଳ ସମାଜ ଭାବରେ, ମାନସିକ ସ୍ୱାସ୍ଥ୍ୟ ବିଷୟରେ ଆମର ଚିନ୍ତାଧାରାରେ ପରିବର୍ତ୍ତନ ଏବଂ ମୁକ୍ତ ମନୋଭାବ ଆଣିବା ମଧ୍ୟ ଆମର ଦାୟିତ୍ୱ”
“ମେଡ୍ ଇନ୍ ଇଣ୍ଡିଆ ୫ଜି ସେବା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସୁଦୂର ପରିବର୍ତ୍ତନ ଆଣିବ”

ପଞ୍ଜାବର ରାଜ୍ୟପାଳ ଶ୍ରୀ ବନୱାରୀ ଲାଲ ପୁରୋହିତଜୀ, ମୁଖ୍ୟମନ୍ତ୍ରୀ ଶ୍ରୀମାନ ଭଗବନ୍ତ ମାନ୍‌ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସାଥୀ ଡକ୍ଟର ଜିତେନ୍ଦ୍ର ସିଂହଜୀ, ସଂସଦରେ ମୋର ସାଥୀ ଭାଇ ମନୀଷ ତିୱାରୀଜୀ, ସମସ୍ତ ଡାକ୍ତର, ଗବେଷକ, ପାରାମେଡ଼ିକ୍‌, ଅନ୍ୟ କର୍ମଚାରୀ ଏବଂ ପଞ୍ଜାବର କୋଣ ଅନୁକୋଣରୁ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀଗଣ!

ସ୍ୱାଧୀନତାର ଅମୃତକାଳରେ ଦେଶ ନୂତନ ସଂକଳ୍ପକୁ ପ୍ରାପ୍ତ କରିବା ଦିଗରେ ଆଗକୁ ଅଗ୍ରସର ହୋଇ ଚାଲିଛି । ଆଜିର ଏହି କାର୍ଯ୍ୟକ୍ରମ ଦେଶବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଣ ନିମନ୍ତେ ହେଉଥିବା ପ୍ରୟାସର ଏକ ପ୍ରତିବିମ୍ବ । ହୋମି ଭାଭା କ୍ୟାନସର ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର ଦ୍ୱାରା ପଞ୍ଜାବ, ହରିଆଣା ସହିତ ହିମାଚଳ ପ୍ରଦେଶର ଲୋକମାନଙ୍କୁ ଏହାର ସୁଫଳ ପ୍ରାପ୍ତ ହେବ । ମୁଁ ଆଜି ଏହି ଭୂମକୁ ଆଉ ଗୋଟିଏ କାରଣରୁ କୃତଜ୍ଞତା ଜ୍ଞାପନ କରିବାକୁ ଚାହେଁ । ପଞ୍ଜାବର ସ୍ୱାଧୀନତା ସଂଗ୍ରାମୀ, କ୍ରାନ୍ତିବୀର, ରାଷ୍ଟ୍ରଭକ୍ତି ପରମ୍ପରା ସହିତ ଓତଃପ୍ରୋତ ଭାବେ ଜଡ଼ିତ ଏବଂ ସେମାନେ ନିଜର ଏହି ଭାବନାରେ ଏହି ଭୂମିକୁ ପବିତ୍ର କରିଛନ୍ତି । ନିଜର ଏହି ପରମ୍ପରା ଦ୍ୱାରା ପଞ୍ଜାବରେ ହର୍‌ ଘର୍‌ ତିରଙ୍ଗା ଅଭିଯାନ ସମୟରେ ତାହା ସମୃଦ୍ଧ ହୋଇଛି । ଆଜି ମୁଁ ପଞ୍ଜାବର ଜନସାଧାରଣଙ୍କୁ, ବିଶେଷ କରି ଏଠାକାର ଯୁବଗୋଷ୍ଠୀଙ୍କୁ, ହର୍‌ ଘର ତିରଙ୍ଗା ଅଭିଯାନକୁ ସଫଳ କରିଥିବାରୁ ହୃଦୟର ସହିତ ବହୁତ ବହୁତ ଧନ୍ୟବାଦ ଜ୍ଞାପନ କରୁଛି ।

ସାଥୀଗଣ,

କିଛି ଦିନ ପୂର୍ବରୁ ଲାଲକିଲ୍ଲାଠାରେ ଆମେ ସଭିଏଁ ନିଜ ଦେଶକୁ ବିକଶିତ ଭାରତରେ ପରିଣତ କରିବା ନିମନ୍ତେ ସଂକଳ୍ପ ନେଇଛେ । ଭାରତକୁ ବିକଶିତ କରିବା ନିମନ୍ତେ ଏହାର ସ୍ୱାସ୍ଥ୍ୟସେବାକୁ ମଧ୍ୟ ବିକଶିତ କରିବା ଅତ୍ୟନ୍ତ ଜରୁରି । ଯେତେବେଳେ ଭାରତର ଲୋକମାନଙ୍କୁ ଚିକିତ୍ସା ନିମନ୍ତେ ଆଧୁନିକ ହସ୍ପିଟାଲ ସୁବିଧା ମିଳିପାରିବ, ଆଧୁନିକ ନିଦାନ ପଦ୍ଧତି ଉପଲବ୍ଧ ହେବ, ସେତେବେଳେ ସେମାନେ ଆହୁରି ଶୀଘ୍ର ସୁସ୍ଥ ହୋଇପାରିବ । ସେମାନଙ୍କ ଶକ୍ତିକୁ ଲୋକମାନେ ଉଚିତ ମାର୍ଗରେ ପରିଚାଳିତ କରିପାରିବେ, ଅଧିକ ଉତ୍ପାଦନକ୍ଷମ ହୋଇପାରିବେ । ଆଜି ହୋମି ଭାଭା କ୍ୟାନସର ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର ପକ୍ଷରୁ ମଧ୍ୟ ଦେଶକୁ ଏକ ଅତ୍ୟାଧୁନିକ ହସ୍ପିଟାଲ ଉପଲବ୍ଧ ହୋଇପାରିଛି । ଏହି ଆଧୁନିକ ସୁବିଧାର ନିର୍ମାଣରେ କେନ୍ଦ୍ର ସରକାରଙ୍କର ଟାଟା ମେମୋରିଆଲ୍‌ ସେଣ୍ଟର ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ଏହି କେନ୍ଦ୍ର, ଦେଶ-ବିଦେଶରେ ନିଜର ସେବା ଉପଲବ୍ଧ କରି, କ୍ୟାନସରରେ ପୀଡ଼ିତ ରୋଗୀମାନଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୋଇପାରୁଛନ୍ତି । ଦେଶରେ କ୍ୟାନସରର ଅତ୍ୟାଧୁନିକ ସୁବିଧାର ନିର୍ମାଣ ଦିଗରେ ଭାରତ ସରକାର ଅଗ୍ରଣୀ ଭୂମିକା ନିର୍ବାହ କରିଆସୁଛି । ମୋତେ ସୂଚୀତ କରାଯାଇଛି ଯେ ଏବେ ଟାଟା ମେମୋରିଆଲ୍‌ ସେଣ୍ଟର ନିକଟରେ ପ୍ରତି ବର୍ଷ ଦେଢ଼ ଲକ୍ଷ ନୂଆ ରୋଗୀଙ୍କ ଚିକିତ୍ସା ନିମନ୍ତେ ସୁବିଧା ପ୍ରସ୍ତୁତ କରାଯାଇସାରିଛି । ଏହିସବୁ ସାଧନ କ୍ୟାନସର ରୋଗୀମାନଙ୍କୁ ଯଥେଷ୍ଟ ମାତ୍ରାରେ ଆଶ୍ୱସ୍ତ କରିବ ଓ ସହାୟକ ହେବ । ମୋର ସ୍ମରଣ ଅଛି, ଏଠାରେ ଚଣ୍ଡୀଗଡ଼ରେ ହିମାଚଳର ଦୂର ଦୂରାନ୍ତ କ୍ଷେତ୍ରରେ କ୍ୟାନସର ସହିତ ଅନ୍ୟାନ୍ୟ ଦୁରାରୋଗର ଚିକିତ୍ସା ନିମନ୍ତେ ପିଜିଆଇକୁ ହିଁ ଆସୁଥିଲେ । ସେଥିପାଇଁ ପିଜିଆଇରେ ରୋଗୀମାନଙ୍କର ଅସମ୍ଭବ ଭିଡ଼ ହେଉଥିଲା ଏବଂ ରୋଗୀମାନଙ୍କ ସହିତ ସେମାନଙ୍କ ପରିଜନମାନଙ୍କୁ ବେଶ୍‌ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ଏବେ ତ ହିମାଚଳ ପ୍ରଦେଶର ବିଳାସପୁରରେ ଏମ୍ସ ନିର୍ମିତ ହୋଇସାରିଛି ଏବଂ ସେଠାରେ କ୍ୟାନସର ରୋଗର ଚିକିତ୍ସା ନିମନ୍ତେ ସକଳ ପ୍ରକାର ସୁବିଧା ଉପଲବ୍ଧ ହୋଇପାରୁଛି । ବିଳାସପୁର ସେମାନଙ୍କ ପାଇଁ ନିକଟତର ହେବ ଏବଂ ଯେଉଁମାନଙ୍କ ପାଇଁ ତାହା ପାଖ ହେବ ସେମାନେ ସେଠାକୁ ଯାଇପାରିବେ ।

ସାଥୀଗଣ, 

ଦୀର୍ଘ ସମୟ ଧରି ଦେଶରେ ଏହି ଆକାଂକ୍ଷା ରହିଆସିଥିଲା ଯେ ଆମ ଦେଶରେ ସ୍ୱାସ୍ଥ୍ୟସେବାର ଏଭଳି ଏକ ବ୍ୟବସ୍ଥା ହେଉ ଯାହା ଦରିଦ୍ରଠାରୁ ଦରିଦ୍ରତମ ଲୋକମାନଙ୍କ ପାଇଁ ଚିନ୍ତା କରୁଥିବ । ଏଭଳି ଏକ ସ୍ୱାସ୍ଥ୍ୟ ବ୍ୟବସ୍ଥା ହେବ ଯାହା ଗରିବ ଲୋକମାନଙ୍କ ସ୍ୱାସ୍ଥ୍ୟରକ୍ଷା ନିମନ୍ତେ ଚିନ୍ତା କରିବ, ଗରିବ ଲୋକମାନଙ୍କୁ ରୋଗରୁ ରକ୍ଷା କରିପାରିବ, ଯଦି ସେମାନେ ବେମାର ହେବେ ତେବେ ସେମାନଙ୍କୁ ଉତ୍ତମ ଓ ସୁଲଭ ଚିକିତ୍ସାସେବା ଉପଲବ୍ଧ କରାଇବେ । ଉତ୍ତମ ସ୍ୱାସ୍ଥ୍ୟସେବାର ଅର୍ଥ ହେଲା କେବଳ ଚାରି କାନ୍ଥ ନିର୍ମାଣ କରିବା ନୁହେଁ । କୌଣସି ବି ଦେଶର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ସେତିକିବେଳେ ମଜଭୁତ ବୋଲି ବିବେଚନା କରାଯାଇଥାଏ ଯେତେବେଳେ ସେମାନେ ସମସ୍ତ ପ୍ରକାର ସମସ୍ୟାର ସମାଧାନ ସୂତ୍ର ପ୍ରଦାନ କରୁଥିବେ, ପ୍ରତି ପଦକ୍ଷେପରେ ଲୋକମାନଙ୍କ ସହିତ ଠିଆ ହେଉଥିବେ । ସେଥିପାଇଁ ଗତ ଆଠବର୍ଷ ଭିତରେ ଦେଶରେ ସାମଗ୍ରିକ ସ୍ୱାସ୍ଥ୍ୟସେବାକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରାଯାଇଆସୁଛି । ଭାରତରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେତେ କାମ ବିଗତ ୭–୮ ବର୍ଷ ମଧ୍ୟରେ ହୋଇଛି, ତାହା ବିଗତ ୭୦ ବର୍ଷ ଭିତରେ କେବେ ହୋଇନଥିଲା । ଆଜି ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଦରିଦ୍ରରୁ ଦରିଦ୍ରତମ ଲୋକମାନଙ୍କୁ ଚିକିତ୍ସା ସୁବିଧା ଲାଗି ଦେଶରେ ଗୋଟିଏ ନୁହେଁ କି ଦୁଇଟି ନୁହେଁ, ଛଅ ଛଅଟି ମୋର୍ଚ୍ଚରେ ଏକାସଙ୍ଗେ କାର୍ଯ୍ୟ କରି ଦେଶର ସ୍ୱାସ୍ଥ୍ୟ ସୁବିଧାକୁ ସଜାଡ଼ିବାରେ ନିୟୋଜିତ ଅଛି, ଏହାକୁ ମଜଭୁତ କରାଯାଉଛି । ସେଥିରୁ ପ୍ରଥମ ମୋର୍ଚ୍ଚାଟି ହେଲା, ପ୍ରିଭେଣ୍ଟିଭ୍‌ ସ୍ୱାସ୍ଥ୍ୟସେବାକୁ ବୃଦ୍ଧି କରିବ । ଦ୍ୱିତୀୟ ମୋର୍ଚ୍ଚାଟି ହେଲା ଗାଁ ଗାଁରେ ଛୋଟ ଛୋଟ ଓ ଆଧୁନିକ ହସ୍ପିଟାଲ ଖୋଲିବା । ତୃତୀୟ ମୋର୍ଚ୍ଚାଟି ହେଲା, ସହରମାନଙ୍କରେ ମେଡ଼ିକାଲ କଲେଜ ଏବଂ ମେଡ଼ିକାଲ ରିସର୍ଚ୍ଚ ସୁବିଧା ଥିବା ବଡ଼ ବଡ଼ ସଂସ୍ଥାନମାନ ଖୋଲିବା । ଚତୁର୍ଥ ମୋର୍ଚ୍ଚାଟି ହେଲା, ଦେଶରେ ଡାକ୍ତର ଓ ପାରାମେଡିକ୍‌ ଷ୍ଟାଫ୍‌ମାନଙ୍କ ସଂଖ୍ୟା ବୃଦ୍ଧି କରିବା । ପଞ୍ଚମ ମୋର୍ଚ୍ଚାଟି ହେଲା, ରୋଗୀମାନଙ୍କୁ ଶସ୍ତାରେ ଔଷଧ ଓ ଶସ୍ତାରେ ଉପକରଣ ଉପଲବ୍ଧ କରାଇବା । ଷଷ୍ଠ ମୋର୍ଚ୍ଚାଟି ହେଲା, ପ୍ରଯୁକ୍ତିର ଉପଯୋଗ କରି ରୋଗୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ହ୍ରାସ କରିବା । ଏହି ଛଅଗୋଟି ପଦକ୍ଷେପ ଉପରେ କେନ୍ଦ୍ର ସାକାର ଆଜି ରେକର୍ଡ ପରିମାଣର ପୁଂଜି ନିବେଶ କରୁଛନ୍ତି, ହଜାର ହଜାର କୋଟି ଟଙ୍କା ବିନିଯୋଗ କରିଆସୁଛନ୍ତି ।

ସାଥୀଗଣ,

ଆମର ଏଠାରେ ସଦାବେଳେ କୁହାଯାଇଥାଏ ଯେ ରୋଗରୁ ବର୍ତ୍ତିବା ହିଁ ସବୁଠାରୁ ଉତ୍ତମ ଚିକିତ୍ସା । ଏହି ଚିନ୍ତାଧାରାର ସହିତ ଦେଶରେ ପ୍ରିଭେଣ୍ଟିଭ୍‌ ସ୍ୱାସ୍ଥ୍ୟସେବା ଉପରେ ଏତେ ମାତ୍ରାର ଗୁରୁତ୍ୱ ଆରୋପ କରାଯାଉଛି । ଏବେ କିଛି ଦିନ ପୂର୍ବେ ଗୋଟିଏ ରିପୋର୍ଟ ଆସିଛି ଯେଉଁଥିରେ କୁହାଯାଇଛି ଯେ ଜଳ ଜୀବନ ମିଶନ କାରଣରୁ ପାଣିରୁ ସୃଷ୍ଟି ହେଉଥିବା ବେମାରୀରେ ବହୁତ କମିଯାଇଛି । ଅର୍ଥାତ୍‌, ଯେତେବେଳେ ଆମେ ଲୋକମାନଙ୍କ ଜୀବନ ରକ୍ଷା ଦିଗରେ କାର୍ଯ୍ୟ କରୁଛୁ, ସେତେବେଳେ ରୋଗ ମାତ୍ରା ତ ଅବଶ୍ୟ କମିବ । ଏହିଭଳି ଚିନ୍ତାଧାରା ଉପରେ ପୂର୍ବବର୍ତ୍ତୀ ସରକାରମାନେ କାର୍ଯ୍ୟ କରୁନଥିଲେ । କିନ୍ତୁ ଆଜି ଆମ ସରକାର ଏହିସବୁ ଅଭିଯାନ ଆରମ୍ଭ କରି ଜନ ସଚେତନତାରେ ଅଭିଯାନ ଚଳାଇ ଲୋକମାନଙ୍କୁ ସଚେତନ ମଧ୍ୟ କରୁଛନ୍ତି ଏବଂ ରୋଗ ସଂକ୍ରମଣରୁ ମଧ୍ୟ ଲୋକମାନଙ୍କୁ ରକ୍ଷା କରୁଛନ୍ତି । ଯୋଗ ଏବଂ ଆୟୂଷକୁ ନେଇ ଆଜି ଦେଶରେ ଅଭୂତପୂର୍ବ ସଚେତନତା ସୃଷ୍ଟି ହୋଇଛି । ବିଶ୍ୱରେ ଯୋଗ ଲାଗି ଆକର୍ଷଣ ବୃଦ୍ଧି ପାଇବରେ ଲାଗିଛି । ଫିଟ୍‌ ଇଣ୍ଡିଆ ଅଭିଯାନ ଦେଶରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଲୋକପ୍ରିୟ ହେବାରେ ଲାଗିଛି । ସ୍ୱଚ୍ଛ ଭାରତ ଅଭିଯାନ ଦ୍ୱାରା ଅନେକ ବେମାରୀକୁ ରୋକାଯିବାରେ ସଫଳତା ପ୍ରାପ୍ତ ହୋଇଛି । ପୋଷଣ ଅଭିଯାନ ଏବଂ ଜଳ ଜୀବନ ମିଶନ ଦ୍ୱାରା କୁପୋଷଣକୁ ନିୟନ୍ତ୍ରଣ କରିବାରେ ଆମକୁ ସଫଳତା ମିଳିତ । ଆମର ମାତା ଓ ଭଉଣୀମାନଙ୍କୁ ଏଲପିଜି ସଂଯୋଗ ସୁବିଧା ପ୍ରଦାନ କରି ଆମେ ସେମାନଙ୍କୁ ଧୂଆଁରୁ ସୃଷ୍ଟି ହେଉଥିବା ବେମାରୀ, କ୍ୟାନସର ଭଳି ସଂକଟରୁ ମଧ୍ୟ ରକ୍ଷା କରିପାରିଛୁ ।

ସାଥୀଗଣ,

ଆମ ଗାଁମାନଙ୍କରେ ଯେତେ ଯେତେ ଉତ୍ତମ ହସ୍ପିଟାଲ ହେବ, ରୋଗ ନିରୂପଣର ଯେତେ ସୁବିଧା ରହିବ, ସେତେ ଶୀଘ୍ର ରୋଗଗୁଡ଼ିକୁ ଚିହ୍ନଟ କରିବାରେ ଆମମାନଙ୍କୁ ସହାୟତା ପ୍ରାପ୍ତ ହେବ । ଆମ ସରକାର, ଏହି ଦ୍ୱିତୀୟ ପଦକ୍ଷେପ ଉପରେ ସାରା ଦେଶରେ ବେଶ୍‌ କ୍ଷିପ୍ର ବେଗରେ କାର୍ଯ୍ୟ କରୁଛନ୍ତି । ଆମ ସରକାର ଗାଁ ଗାଁକୁ ଆଧୁନିକ ସ୍ୱାସ୍ଥ୍ୟ ସୁବିଧାମାନଙ୍କ ସହିତ ସଂଯୋଗ ନିମନ୍ତେ ଦେଢ଼ ଲକ୍ଷ କୋଟିରୁ ଅଧିକ ସ୍ୱାସ୍ଥ୍ୟ ଏବଂ ନିରାମୟ କେନ୍ଦ୍ର ପ୍ରତିଷ୍ଠା କରୁଛନ୍ତି । ମୁଁ ଖୁସି ଯେ ସେଥି ମଧ୍ୟରୁ ପ୍ରାୟ ଏକଲକ୍ଷ ପଚିଶ ହଜାର ସ୍ୱାସ୍ଥ୍ୟ ଏବଂ ନିରାମୟ କେନ୍ଦ୍ର ଏବେ କାର୍ଯ୍ୟ କରିବା ଆରମ୍ଭ କରିସାରିଛି । ଏଠାରେ ପଞ୍ଜାବରେ ମଧ୍ୟ ହାରାହାରି ୩ ହଜାର ସ୍ୱାସ୍ଥ୍ୟ ଓ ନିରାମୟ କେନ୍ଦ୍ର ସେବା କେନ୍ଦ୍ର ଲୋକମାନଙ୍କୁ ସେବା ଯୋଗାଇ ଆସୁଛନ୍ତି । ଦେଶବ୍ୟାପୀ ଏହି ସ୍ୱାସ୍ଥ୍ୟ ଓ ନିରାମୟ କେନ୍ଦ୍ରରେ ଏପର୍ଯ୍ୟନ୍ତ ପାଖାପାଖି ୨୨ କୋଟି ଲୋକ କ୍ୟାନସର ସହିତ ଯୋଡ଼ି ହୋଇଥିବା ସ୍କ୍ରିନିଂ ସୁବିଧା ପାଇପାରିଛନ୍ତି ଯାହା ମଧ୍ୟରୁ ପାଖାପାଖି ୬୦ ଲକ୍ଷ ସ୍କ୍ରିନିଂ କେବଳ ମୋର ପଞ୍ଜାବରେ ହିଁ ହୋଇସାରିଛି । ଏଥିରୁ ଯେତେଯେତେ ସାଥୀମାନଙ୍କ ଠାରେ କ୍ୟାନସର ଚିହ୍ନଟ ପ୍ରାରମ୍ଭିକ ପର୍ଯ୍ୟାୟରେ ହୋଇପାରିଛି, ସେମାନଙ୍କୁ ଗମ୍ଭୀର ବିପଦରୁ ବଞ୍ଚାଯିବା ସମ୍ଭବପର ହୋଇପାରିଛି ।

ସାଥୀଗଣ,

ଥରେ ଯେତେବେଳେ ଏହି ରୋଗ ଚିହ୍ନଟ ହୋଇଯିବ ସେତେବେଳେ ଏଭଳି ହସ୍ପିଟାଲର ଆବଶ୍ୟକତା ପଡ଼ିଥାଏ, ଯେଉଁଠାରେ ଗମ୍ଭୀର ରୋଗର ଉପଯୁକ୍ତ ଚିକିତ୍ସା ହୋଇପାରିଥାଏ । ଏଭଳି ଭାବନାର ସହିତ କେନ୍ଦ୍ର ସରକାର ଦେଶର ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ଗୋଟିଏ ମେଡ଼ିକାଲ କଲେଜ ସ୍ଥାପନା କରିବାର ଲକ୍ଷ୍ୟ ଦିଗରେ କାର୍ଯ୍ୟ କରୁଛନ୍ତି । ଆୟୁଷ୍ମାନ୍ ଭାରତ ସ୍ୱାସ୍ଥ୍ୟ ସଂସାଧନ ମିଶନ ଅଧୀନରେ ଜିଲ୍ଲା ସ୍ତରରେ ଆଧୁନିକ ସ୍ୱାସ୍ଥ୍ୟ ସୁବିଧା ନିର୍ମାଣ ପାଇଁ ୬୪ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଏକ ସମୟରେ ଦେଶରେ କେବଳ ୭ଟି ଏମ୍ସ ଥିଲା । ଆଜି ଏହାର ସଂଖ୍ୟା ବୃଦ୍ଧି ପାଇ ୨୧ରେ ପହଂଚି ସାରିଛି । ଏଠାରେ ପଞ୍ଜାବରେ ଭଟିଣ୍ଡାରେ ମଧ୍ୟ ଏକ ଏମ୍ସ ଉତ୍ତମ ସେବା ଯୋଗାଉଛି । ଯଦି ମୁଁ କ୍ୟାନସର ହସ୍ପିଟାଲ କଥା କହିବି ସେତେ ଦେଶର ପ୍ରତ୍ୟେକ କୋଣରେ କ୍ୟାନସର ସହିତ ଜଡ଼ିତ ଚିକିତ୍ସାର ଆଧୁନିକ ବ୍ୟବସ୍ଥା କରାଯାଉଛି । ପଞ୍ଜାବରେ ଏହାର ଏତେ ବଡ଼ କେନ୍ଦ୍ର ସ୍ଥାପନ ହୋଇଛି । ହରିଆଣାର ଝଜ୍ଜରରେ ମଧ୍ୟ ନ୍ୟାନସାଲ କ୍ୟାନସର ଇନଷ୍ଟିଚ୍ୟୁଟ୍ ସ୍ଥାପନ କରାଯାଇଛି । ପୂର୍ବ ଭାରତ ଉପରେ ଯଦି ଆମେ ଦୃଷ୍ଟିପାଦ କରିବା ତେବେ ବାରାଣସୀ ଏବେ କ୍ୟାନସର ଚିକିତ୍ସାର ଏକ ହବରେ ପରିଣତ ହୋଇଛି । କୋଲକାତାରେ ନ୍ୟାସନାଲ୍ କ୍ୟାନସର ଇନଷ୍ଟିଚ୍ୟୁଟର ଦ୍ୱିତୀୟ କ୍ୟାମ୍ପସ୍ ମଧ୍ୟ କାର୍ଯ୍ୟ କରିବା ଆରମ୍ଭ କରିଛି । କିଛି ଦିନ ପୂର୍ବରୁ ଆସାମର ଦିବ୍ରୁଗଡ଼ରେ ମୋତେ ଏକା ସାଙ୍ଗରେ ୭ଟି ନୂତନ କ୍ୟାନସର ହସ୍ପିଟାଲକୁ ଲୋକାର୍ପଣ କରିବାର ଅବସର ମିଳିଥିଲା । ଆମ ସରକାର ଦେଶସାରା କ୍ୟାନସର ସହିତ ଜଡ଼ିତ ପାଖାପାଖି ୪୦ଟି ବିଶେଷ ସଂସ୍ଥାନକୁ ସ୍ୱୀକୃତି ପ୍ରଦାନ କରିଛନ୍ତି ଯାହା ମଧ୍ୟରୁ ଏବେ ଅନେକ ହସ୍ପିଟାଲ ସେବା ପ୍ରଦାନ କରିବା ଆରମ୍ଭ କରସାରିଛି ।

ସାଥୀଗଣ,

ହସ୍ପିଟାଲମାନ ପ୍ରତିଷ୍ଠା କରାଯିବା ଯେତିକି ଜରୁରି, ସେତିକି ଜରୁରି ସେଠାରେ ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତରମାନଙ୍କୁ ନିଯୁକ୍ତି, ପାରାମେଡ଼ିକମାନଙ୍କ ଉପଲବ୍ଧତା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ମଧ୍ୟ ଆଜି ଦେଶରେ ମିଶନ ମୋଡରେ କାର୍ଯ୍ୟ ଆରମ୍ଭ କରାଯାଇଛି । ୨୦୧୪ ମସିହା ପୂର୍ବରୁ ଦେଶରେ ୪୦୦ରୁ ମଧ୍ୟ କମ୍ ମେଡ଼ିକାଲ କଲେଜ ଥିଲା । ଅର୍ଥାତ୍, ସ୍ୱାଧୀନତା ପ୍ରାପ୍ତିର ୭୦ ବର୍ଷ ଭିତରେ ୪୦୦ରୁ ସୁଦ୍ଧା କମ୍ ମେଡ଼ିକାଲ କଲେଜ । ସେପରି ସ୍ଥଳେ ବିଗତ ୮ ବର୍ଷ ଭିତରେ ୨୦୦ରୁ ଅଧିକ ନୂତନ ମେଡ଼ିକାଲ କଲେଜ ଦେଶରେ ପ୍ରତିଷ୍ଠା କରାଯାଇଛି । ମେଡିକାଲ୍ କଲେଜର ବିବସ୍ତାର ଉଦ୍ଦେଶ୍ୟ ହେଲା ଏହା ଯେ ମେଡ଼ିକାଲ ସିଟ୍ ସଂଖ୍ୟା ବୃଦ୍ଧି କରିବା । ମେଡ଼ିକାଲ ଶିକ୍ଷାଲାଭ କରୁଥିବା ଛାତ୍ରଙ୍କ ନିମନ୍ତେ ଅବସର ବୃଦ୍ଧି କରିବା ଏବଂ ଦେଶର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ପ୍ରଦାନ କରି ସ୍ୱାସ୍ଥ୍ୟ ପ୍ରଫେସନାଲମାନଙ୍କ ସଂଖ୍ୟା ବୃଦ୍ଧି କରିବା । ଅର୍ଥାତ୍, ସ୍ୱାସ୍ଥ୍ୟ କ୍ଷେତ୍ରରେ ରୋଜଗାରକୁ ମଧ୍ୟ ଅନେକ ଅବସର ମିଳିବା ଏଥିରୁ ସ୍ପଷ୍ଟ ହେଉଛି । ଆମ ସରକାର ୫ ଲକ୍ଷର ଅଧିକ ଆୟୁଷ ଡାକ୍ତରଙ୍କୁ ମଧ୍ୟ ଏଲୋପାଥିକ୍ ଡାକ୍ତରଙ୍କ ସହିତ ସମାନ ମାନ୍ୟତା ପ୍ରଦାନ କରିଛି । ଏହା ଫଳରେ ଭାରତରେ ଡାକ୍ତର ଏବଂ ରୋଗୀଙ୍କ ମଧ୍ୟରେ ଅନୁପାତରେ ମଧ୍ୟ ସୁଧାର ଆସିପାରିଛି । 

ସାଥୀଗଣ,

ଏଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ଖୁବ୍ ସାଧାରଣ ପରିବାରରୁ ଆସିଛନ୍ତି । ଆମ ସମସ୍ତଙ୍କ ଅନୁଭବ ରହିଛି ଯେ ଗରିବ ଲୋକଙ୍କ ଘରେ ଯେତେବେଳେ କାହାର ଦେହ ଖରାପ ହୁଏ ସେତେବେଳେ ଘର-ଜମିବାଡ଼ି ବିକିବା ପର୍ଯ୍ୟନ୍ତ ପରିସ୍ଥିତି ସୃଷ୍ଟି ହୋଇଥାଏ । ସେଥିପାଇଁ ଆମ ସରକାର ରୋଗୀମାନଙ୍କୁ ଶସ୍ତା ମୂଲ୍ୟରେ, ସୁଲଭ ଭାବେ ଚିକିତ୍ସା ସେବା ଉପଲବ୍ଧ କରାଯିବା ଉପରେ ସେତିକି ଗୁରୁତ୍ୱ ଆରୋପ କରୁଛନ୍ତି । ଆୟୁଷ୍ମାନ୍ ଭାରତ କାର୍ଯ୍ୟକ୍ରମ ଜରିଆରେ ଗରିବ ଲୋକମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ପ୍ରଦାନ କରାଯାଉଛି । ଏହା ଅଧୀନରେ ଏପର୍ଯ୍ୟନ୍ତ ସାଢ଼େ ୩ କୋଟି ରୋଗୀ ନିଜର ଚିକିତ୍ସା କରାଇ ପାରିଛନ୍ତି ଏବଂ ଏଥିପାଇଁ ସେମାନଙ୍କ ପକେଟରୁ ଗୋଟିଏ ହେଲେ ଟଙ୍କା ବ୍ୟୟ କରିବାକୁ ପଡ଼ିନାହିଁ । ସେଥିରେ ଢ଼େର୍ ସଂଖ୍ୟକ କ୍ୟାନସର ରୋଗୀ ମଧ୍ୟ ଅଛନ୍ତି । ଆୟୁଷ୍ମାନ ଭାରତ କାରଣରୁ ଗରିବ ଲୋକମାନଙ୍କୁ ୪୦ ହଜାର କୋଟି ଟଙ୍କାର ବ୍ୟବସ୍ଥା ଯଦି କରାଯାଇନଥାନ୍ତା ତେବେ ତାହା ସେମାନଙ୍କ ପକେଟରୁ ହିଁ ଯାଇଥାନ୍ତା । ସେହି ୪୦ ହଜାର କୋଟି ଟଙ୍କା ଆପଣମାନଙ୍କ ପରିବାରରେ ବଂଚିପାରିଛି । କେବଳ ସେତିକି ନୁହେଁ, ପଞ୍ଜାବ ସହିତ ଦେଶବ୍ୟାପୀ ଯେଉଁସବୁ ଜନଔଷଧି କେନ୍ଦ୍ରର ନେଟୱାର୍କ ରହିଛି, ଯେଉଁ ଅମୃତ ଷ୍ଟୋର ରହିଛି, ସେଠାରେ କ୍ୟାନସର ରୋଗପାଇଁ ଔଷଧ ଖୁବ୍ କମ୍ ମୂଲ୍ୟରେ ଉପଲବ୍ଧ ହେଉଛି । କ୍ୟାନସର ଚିକିତ୍ସା ପାଇଁ ୫୦୦ରୁ ଅଧିକ କିଷମର ଔଷଧ ଯାହା ପୂର୍ବରୁ ଖୁବ୍ ମହଙ୍ଗା ଥିଲା, ସେସବୁର ମୂଲ୍ୟ ହାରାହାରି ୯୦ ପ୍ରତିଶତ ହ୍ରାସ ପାଇଛି । ଅର୍ଥାତ୍, ଯେଉଁ ଔଷଧ ୧୦୦ ଟଙ୍କାରେ ପୂର୍ବରୁ ମିଳୁଥିଲା ତାହା ଏବେ ଜନ ଔଷଧି କେନ୍ଦ୍ରରେ ୧୦ ଟଙ୍କାରେ ହିଁ ଉପଲବ୍ଧ କରାଯାଉଛି । ଏହା ଦ୍ୱାରା ମଧ୍ୟ ରୋଗୀମାନଙ୍କୁ ପ୍ରତି ବର୍ଷ ପାଖାପାଖି ୧ ହଜାର କୋଟି ଟଙ୍କା ସଞ୍ଚୟ କରାଯାଇପାରୁଛି । ଦେଶବ୍ୟାପ ପାଖାପାଖି ୯ ହଜାର ଜନଔଷଧି କେନ୍ଦ୍ରରେ ଏଭଳି ଶସ୍ତା ଔଷଧ, ଗରିବ ଏବଂ ମଧ୍ୟମ ବର୍ଗର ଲୋକମାନଙ୍କ ଦୁଶ୍ଚିନ୍ତାକୁ ହ୍ରାସ କରିବାରେ ସହାୟକ ହୋଇପାରିଛି ।

ଭାଇ ଓ ଭଉଣୀଗଣ,

ସରକାରଙ୍କର ସାମଗ୍ରିକ ସ୍ୱାସ୍ଥ୍ୟସେବା ଅଭିଯାନରେ ନୂତନ ଗତି ସଂଯୋଗ କରାଯାଇଛି, ଆଧୁନିକ ପ୍ରଯୁକ୍ତି ଦ୍ୱାରା ଏହା ସମ୍ଭବପର ହୋଇପାରିଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତିକୁ ମଧ୍ୟ ପ୍ରଥମ ଥର ପାଇଁ ଏତେ ବଡ଼ ମାତ୍ରାରେ ସମାବେଶ କରାଯାଇପାରିଛି । ଆୟୁଷ୍ମାନ ଭାରତ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଏହା ସୁନିଶ୍ଚିତ କରିଛି ଯେ ପ୍ରତି ରୋଗୀକୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସୁବିଧା ଯେଭଳି ଉପଲବ୍ଧ ହୋଇପାରିବ, ଉଚିତ ସମୟରେ ମିଳିପାରିବ ଏବଂ ରୋଗୀ ଯେତେ କମ୍ ସମସ୍ୟାର ସମ୍ମୁଖୀନ ହେବ । ଟେଲିମେଡିସିନ୍, ଟେଲିକନସଲ୍ଟାଣ୍ଟର ସୁବିଧା କାରଣରୁ ଆଜି ଦୂର ଦୂରାନ୍ତରୁ, ଗାଁମାନଙ୍କରୁ ମଧ୍ୟ ସହରୀ ଡାକ୍ତରମାନଙ୍କ ଠାରୁ ରୋଗୀମାନେ ପ୍ରାରମ୍ଭିକ ପରାମର୍ଶ ପାଇପାରୁଛନ୍ତି । ସଞ୍ଜୀବନୀ ଆପ୍ ଦ୍ୱାରା ଏପର୍ଯ୍ୟନ୍ତ କୋଟି କୋଟି ଲୋକ ଏହି ସୁବିଧା ଲାଭ କରିସାରିଛନ୍ତି । ଏବେ ତ ଦେଶରେ ମେଡ଼୍ ଇନ୍ ଇଣ୍ଡିଆ ୫ଜି ସେବାର ଶୁଭାରମ୍ଭ ହେବାକୁ ଯାଉଛି । ଏହାଦ୍ୱାରା ରିମୋଟ୍ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବ । ସେତେବେଳେ ଗାଆଁର ଗରିବ ପରିବାରର ରୋଗୀମାନଙ୍କୁ ବଡ଼ ବଡ଼ ହସ୍ପିଟାଲକୁ ଆଉ ବାରମ୍ବାର ଯିବା ମାତ୍ର ହ୍ରାସ ପାଇବ ।

ସାଥୀଗଣ,

ମୁଁ ଦେଶର ପ୍ରତ୍ୟେକ କ୍ୟାନସର ପୀଡ଼ିତ ଏବଂ ସେମାନଙ୍କ ପରିବାରଙ୍କୁ ଗୋଟିଏ କଥା ଅବଶ୍ୟ କହିବାକୁ ଚାହିଁବି । ଆପଣଙ୍କ ପୀଡ଼ା ମୁଁ ଉତ୍ତମ ରୂପେ ବୁଝିପାରୁଛି । କିନ୍ତୁ କ୍ୟାନସରକୁ ଡରିବାର ନୁହେଁ, ଏହା ସହ ଲଢ଼ିବାର ଆବଶ୍ୟକତା ରହିଛି । ଏହାର ଚିକିତ୍ସା ସମ୍ଭବପର । ମୁଁ ଏଭଳି ଅନେକ ଲୋକଙ୍କୁ ଜାଣିଛି ଯେଉଁମାନେ କ୍ୟାନସରକୁ ସମ୍ମୁଖରୁ ଲଢ଼ି ବିଜୟୀ ହୋଇଛନ୍ତି ଏବଂ ଆଜି ଖୁବ୍ ଆନନ୍ଦରେ ଜୀବନ ବଞ୍ଚୁଛନ୍ତି । ଏହି ସଂଗ୍ରାମରେ ଆପଣମାନଙ୍କୁ ଯେଉଁ ପ୍ରକାର ସାହାଯ୍ୟ ଆବଶ୍ୟକ, କେନ୍ଦ୍ର ସରକାର ସେହିସବୁ ସୁବିଧା ଆଜି ଉପଲବ୍ଧ କରାଉଛନ୍ତି । ଏହି ହସ୍ପିଟାଲ ସହିତ ସଂଶ୍ଳିଷ୍ଟ ସମସ୍ତ ସାଥୀମାନଙ୍କୁ ମଧ୍ୟ ମୋର ବିଶେଷ ନିବେଦନ ରହିଛି ଯେ କ୍ୟାନସର କାରଣରୁ ଯେଉଁ ମାନସିକ ଅବସାଦର ସ୍ଥିତି ସୃଷ୍ଟି ହୋଇଛି, ତାହା ସହ ଲଢ଼ିବାରେ ରୋଗୀମାନଙ୍କୁ ଆମକୁ ସହାୟତା ପ୍ରଦାନ କରିବାକୁ ହେବ । ସେମାନଙ୍କ ପରିବାରକୁ ମଧ୍ୟ ସହଯୋଗ କରିବା ଆବଶ୍ୟକ । ଏକ ପ୍ରଗତିଶୀଳ ସମାଜ ହିସାବରେ ଏହା ଆମ ସମସ୍ତଙ୍କର ଦାୟିତ୍ୱ ଯେ ମାନସିକ ସ୍ୱାସ୍ଥ୍ୟକୁ ନେଇ ଆମର ଚିନ୍ତାଧାରାରେ ପରିବର୍ତ୍ତନ ଏବଂ ମୁକ୍ତଭାବ ଆଣିବା ଆବଶ୍ୟକ । ସେତେବେଳେ ଯାଇ ଏହି ସମସ୍ୟାର ଉଚିତ ସମାଧାନ ମାର୍ଗ ଉନ୍ମୁକ୍ତ ହୋଇପାରିବ । ସ୍ୱାସ୍ଥ୍ୟ ସେବା ସହିତ ଜଡ଼ିତ ମୋର ସାଥୀମାନଙ୍କୁ ମୁଁ ଏହା କହିବାକୁ ଚାହିବି ଯେ ଆପଣମାନେ ଯେତେବେଳେ କେଉଁ ଗ୍ରାମରେ ଶିବିର ପରିଚାଳନା କରୁଛନ୍ତି ସେତେବେଳେ ସେହି ଗ୍ରାମର ସମସ୍ୟା ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ । ସମସ୍ତଙ୍କର ପ୍ରୟାସରେ କ୍ୟାନସର ବିରୁଦ୍ଧରେ ଦେଶର ସଂଗ୍ରାମ ଅଧିକ ମଜଭୁତ ହେବ । ଏହି ବିଶ୍ୱାସର ସହିତ ପଞ୍ଜାବବାସୀଙ୍କୁ ଏବଂ ଏହାର ଲାଭ ହିମାଚଳ ପ୍ରଦେଶର ଲୋକମାନଙ୍କୁ ମଧ୍ୟ ମିଳିବାର ମୁଁ ଆଶା ପୋଷଣ କରୁଛି । ତେଣୁ ଏହା ସେମାନଙ୍କ ସମସ୍ତଙ୍କ ପାଇଁ ଏକ ବହୁତ ବଡ଼ ଉପହାର ଆପଣମାନଙ୍କ ଚରଣରେ ମୁଁ ସମର୍ପଣ କରିବା ବେଳେ ବେଶ୍ ସନ୍ତୋଷ ଅନୁଭବ କରୁଛି । ଗର୍ବ ଅନୁଭବ କରୁଛି । ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା, ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM SVANidhi: How India’s street vendors are being brought into the formal economy

Media Coverage

PM SVANidhi: How India’s street vendors are being brought into the formal economy
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting the virtues of firm resolve, self-control, and wisdom
June 02, 2026

Prime Minister Shri Narendra Modi today shared a Sanskrit Subhashitam, observing that firm resolve and self-control are the powers that make even the most difficult paths easy. Shri Modi highlighted that today, our youth are continuously engaged in nation-building with this very resolve.

The Prime Minister posted on X:

"दृढ़ निश्चय और आत्म-संयम वह शक्ति है, जो कठिन से कठिन राह को भी आसान बना देती है। आज हमारे युवा साथी इसी संकल्प के साथ राष्ट्र निर्माण में निरंतर जुटे हुए हैं।

निश्चित्य यः प्रक्रमते
नान्तर्वसति कर्मणः।

अबन्ध्यकालो वश्यात्मा
स वै पण्डित उच्यते॥"

A person who begins a task after careful deliberation and with firm resolve, who never leaves it unfinished, who uses time wisely and who maintains complete control over their senses, such a person alone is truly wise.