ନମସ୍କାର!

ବୋଂ ଜୁ!

ମନେ ହେଉଛି ଆପଣମାନେ ସମସ୍ତେ ଛୁଟି ମୁଡ୍‌ରେ ଅଛନ୍ତି ।

ବନ୍ଧୁଗଣ,

ପ୍ୟାରିସ୍ ହେଉଛି ଆଲୋକର ସହର, ରଙ୍ଗର ସହର; ଏହା କଳା, ଉନ୍ନତ ଚିନ୍ତାଧାରା ଏବଂ ନବସୃଜନ ପାଇଁ ପ୍ରେରଣାର ସ୍ଥାନ । ଏହି ସହରକୁ ଆପଣମାନେ ସମସ୍ତେ ଭାରତର ବିଭିନ୍ନ ରାଜ୍ୟରୁ ଆସି ଆହୁରି ସୁନ୍ଦର କରିଦେଇଛନ୍ତି । ଆପଣମାନେ ଏହାକୁ ନୂଆ ରଙ୍ଗରେ ରଙ୍ଗୀନ କରିଦେଇଛନ୍ତି ।

ଏଠାରେ ତାମିଲନାଡୁ, ପଞ୍ଜାବ, ଗୁଜରାଟ, ମହାରାଷ୍ଟ୍ର ଏବଂ ବଙ୍ଗଳାର ଲୋକ ଅଛନ୍ତି; ଭାରତର ପ୍ରତ୍ୟେକ କୋଣରୁ ପ୍ରତିନିଧିମାନେ ଏଠାରେ ଦୃଶ୍ୟମାନ ହେଉଛନ୍ତି ।

ବନ୍ଧୁଗଣ,

ଜୁନ୍ ୧୪ ତାରିଖରେ ଯେତେବେଳେ ମୁଁ ନିସ୍ ପହଞ୍ଚିଲି, ପ୍ରଥମ ଥର ପାଇଁ ‘ଇଣ୍ଡିଆ ଇନୋଭେଟ୍ସ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି । ଆଜି, ଯେତେବେଳେ ମୁଁ ଫ୍ରାନ୍ସରୁ ଫେରିବାକୁ ପ୍ରସ୍ତୁତ ହେଉଛି, ସେତେବେଳେ ଏପରି ଅନୁଭବ ହେଉଛି ଯେପରି ମୁଁ ଏକ ‘ଇଣ୍ଡିଆ କନେକ୍ଟସ୍‌’ କାର୍ଯ୍ୟକ୍ରମରେ ପହଞ୍ଚିଛି ।

ଫ୍ରାନ୍ସରେ ରହୁଥିବା ଆପଣମାନେ ଭାରତୀୟ ସମ୍ପ୍ରଦାୟ – ୨୧ଶଦାବ୍ଦୀର ଭାରତ-ଫ୍ରାନ୍ସ ସମ୍ପର୍କରେ ଯେପରି ସଂଯୋଗ ସ୍ଥାପନ କରିଛନ୍ତି, ତାହା ଆମର ରଣନୈତିକ ସହଭାଗୀତା ପାଇଁ ଏକ ପ୍ରମୁଖ ଶକ୍ତିରେ ପରିଣତ ହୋଇଛିି । ମୁଁ ଆପଣମାନଙ୍କ ପାଇଁ ୧୪୦ କୋଟି ଭାରତୀୟଙ୍କ ଶୁଭେଚ୍ଛା ଆଣିଛି । ଏହି ଭବ୍ୟ ଏବଂ ସ୍ନେହପୂର୍ଣ୍ଣ ସ୍ୱାଗତ ପାଇଁ ମୁଁ ଆପଣମାନଙ୍କ ସମସ୍ତଙ୍କ ପ୍ରତି ମୋର ହୃଦୟରୁ କୃତଜ୍ଞତା ପ୍ରକାଶ କରୁଛି ।

ବନ୍ଧୁଗଣ,

ମୁଁ ଫ୍ରାନ୍ସରେ ଏପରି ସମୟରେ ପହଞ୍ଚିଛି ଯେତେବେଳେ ମୋ ସରକାର ୧୨ ବର୍ଷ ପୂରଣ କରିଛି । ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ୧୨ ବର୍ଷ ଧରି ନିରନ୍ତର ଦେଶ ସେବା କରିବା ମୋ ଜୀବନର ଏକ ମହାନ ସୌଭାଗ୍ୟ । ଏହା ଭାରତର ଗଣତନ୍ତ୍ରର ଶକ୍ତି ଯାହା ଜଣେ ଚା ବିକ୍ରେତାଙ୍କୁ ଏହି ପଦବୀରେ ପହଞ୍ଚାଇଛି ।

ବନ୍ଧୁଗଣ,

ଗତ ୧୨ ବର୍ଷ ୧୪୦ କୋଟି ଭାରତୀୟଙ୍କ ଅବିଶ୍ୱସନୀୟ ସମ୍ଭାବନାର ପ୍ରମାଣ ଦେଇଛି । ଏହି ସମୟ ମଧ୍ୟରେ, ଭାରତର ଜିଡିପି ଦ୍ୱିଗୁଣିତ ହୋଇଛି । ବିମାନବନ୍ଦର ସଂଖ୍ୟା ଦ୍ୱିଗୁଣିତ ହୋଇଛି, ଏବଂ ବିଶ୍ୱବିଦ୍ୟାଳୟ ସଂଖ୍ୟା ମଧ୍ୟ ଦ୍ୱିଗୁଣିତ ହୋଇଛି । ରାଜପଥ ନିର୍ମାଣର ଗତି ତିନିଗୁଣ ବୃଦ୍ଧି ପାଇଛି ଏବଂ ମେଟ୍ରୋ ନେଟୱାର୍କ ଚାରିଗୁଣ ବିସ୍ତାରିତ ହୋଇଛି ।

ମୁଁ ଆହୁରି କିଛି ତଥ୍ୟ ଶେୟାର କରିବାକୁ ଚାହେଁ ଯାହା ଆପଣମାନଙ୍କୁ ଭାରତ କେଉଁ ଗତି ଏବଂ ସ୍କେଲରେ କାର୍ଯ୍ୟ କରୁଛି ତାହାର ଏକ ଧାରଣା ଦେବ । ଗତ ୧୨ ବର୍ଷ ମଧ୍ୟରେ, ଭାରତର ପ୍ରତିରକ୍ଷା ରପ୍ତାନି ୩୫ ଗୁଣ ବୃଦ୍ଧି ପାଇଛି ।

ଅନ୍ୟ ଏକ ତଥ୍ୟ ହେଉଛି, ଭାରତରେ ମୋବାଇଲ ନିର୍ମାଣ ୟୁନିଟ୍ ସଂଖ୍ୟା ୧୦୦ ଗୁଣ ବୃଦ୍ଧି ପାଇଛି – ୧୦୦ ଗୁଣ । ଭାରତ ଏବେ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ ଫୋନ ନିର୍ମାତା । ଏହି ଗତି ଏବଂ ପ୍ରଗତି ଯୋଗୁଁ ଭାରତ ଆଜି ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ପ୍ରମୁଖ ଅର୍ଥନୀତି।

ବନ୍ଧୁଗଣ,

ଆଜି, ଭାରତର କାହାଣୀ କେବଳ ଆର୍ଥିକ ପ୍ରଗତିରେ ସୀମିତ ନୁହେଁ । ଏହା ସାମାଜିକ ପରିବର୍ତ୍ତନର ମଧ୍ୟ କାହାଣୀ ।

ଗତ ୧୨ ବର୍ଷ ମଧ୍ୟରେ, ଦେଶାର ୨୫ କୋଟି ଲୋକ ଦାରିଦ୍ର‌୍ୟରୁ ମୁକ୍ତ ହୋଇଛନ୍ତି – ଏହା ପ୍ରଗତିକୁ ପ୍ରତିନିଧିତ୍ୱ କରୁଛି ଯାହା ସମାଜର ଶେଷ ସୋପାନରେ ଥିବା ବ୍ୟକ୍ତି ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିପାରୁଛି । ଏହି ୧୨ ବର୍ଷ ମଧ୍ୟରେ ଆମେ ଅସହାୟଙ୍କ ପାଇଁ ଫ୍ରାନ୍ସର ମୋଟ ଘର ସଂଖ୍ୟା ଅପେକ୍ଷା ଅଧିକ ସ୍ଥାୟୀ ଘର ନିର୍ମାଣ କରିଛୁ ।

ବର୍ତ୍ତମାନ, ପ୍ରତ୍ୟେକ ପରିବାର ପାଖରେ, ଯେତେ ଗରିବ ହେଉନା କାହିଁକି, ଏକ ବ୍ୟାଙ୍କ ଆକାଉଣ୍ଟ ଅଛି । ଆର୍ଥିକ ଅନ୍ତର୍ଭୁକ୍ତିକରଣ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ସାମାଜିକ ପରିବର୍ତ୍ତନ ପାଇଁ ଏକ ଆନ୍ଦୋଳନରେ ପରିଣତ ହୋଇଛି ।

ବନ୍ଧୁଗଣ,

ଏହି ୧୨ ବର୍ଷର ସଫଳତା ମଧ୍ୟରେ, ଗୋଟିଏ ଉପଲବ୍ଧି ଏପରି ଅଛି ଯାହାକୁ ପରିସଂଖ୍ୟାନ କିମ୍ବା ସଂଖ୍ୟା ଦ୍ୱାରା ମାପି ହେବ ନାହିଁ, ତାହା ହେଉଛି ୧୪୦ କୋଟି ଭାରତୀୟଙ୍କ ଆତ୍ମବିଶ୍ୱାସ ।

ଆଜିର ଭାରତ ଏବଂ ଏହାର ଯୁବପିଢ଼ି ବଡ଼ ସ୍ୱପ୍ନ ଦେଖୁଛନ୍ତି । ଭାରତର କୃଷକମାନେ ନୂତନ ସମ୍ଭାବନା ସହିତ ଆଗକୁ ବଢ଼ୁଛନ୍ତି । ଭାରତୀୟ ମହିଳାମାନେ ନୂତନ ନେତୃତ୍ୱ ପରିଦର୍ଶନ କରୁଛନ୍ତି। ତେଣୁ, ଏହା କେବଳ ୧୨ ବର୍ଷର ସଫଳତା ନୁହେଁ; ଏହା ଏପରି ଏକ ଯୁଗ ଯାହା ଭାରତର ଆକାଂକ୍ଷାକୁ ନୂତନ ଉଚ୍ଚତାରେ ପହଞ୍ଚାଇଛି ।

ବନ୍ଧୁଗଣ,

ଏକ ସମୟ ଥିଲା ଯେତେବେଳେ ଦୁର୍ଗମ ଗ୍ରାମଗୁଡିକୁ ଆଧୁନିକ ସୁବିଧା ଯୋଗାଇବା ପ୍ରକୃତରେ ଏକ କଷ୍ଟକର କାର୍ଯ୍ୟ ଥିଲା । ଆଜି ସେହି ଗ୍ରାମଗୁଡିକରେ ବିଦ୍ୟୁତ, ଇଣ୍ଟରନେଟ୍ ସୁବିଧା ଏବଂ ଡିଜିଟାଲ ସେବାର ଏକ ସମ୍ପୂର୍ଣ୍ଣ ବିଶ୍ୱ ଉପଲବ୍ଧ । ବ୍ୟାଙ୍କିଙ୍ଗ୍ ସେବାଗୁଡିକ ଏବେ ଗୋଟିଏ କ୍ଲିକରେ ଯେକୌଣସି ସମୟରେ ତଥା ଯେକୌଣସି ସ୍ଥାନରେ ଉପଲବ୍ଧ ।

ଆଜି, ମୋବାଇଲ ଫୋନ୍ ଭାରତର ନାଗରିକମାନଙ୍କୁ ବିଭିନ୍ନ ସୁବିଧା ସହିତ ଯୋଡୁଛି । ଆମର ଚାଷୀ, ମତ୍ସ୍ୟଜୀବୀ, ଦୁଗ୍ଧ ଚାଷୀ, ମହିଳା ଏବଂ ଛାତ୍ର ସମସ୍ତେ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସଶକ୍ତ ହେଉଛନ୍ତି ଏବଂ ନିଜ ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛନ୍ତି ।

ବନ୍ଧୁଗଣ,

ଆପଣମାନେ ୧୨୫ କୋଟିରୁ ଅଧିକ ଆଧାର ପରିଚୟପତ୍ର ବିଷୟରେ ଶୁଣିଥିବେ । ଆଜି, ଭାରତ କେବଳ ପରିଚୟପତ୍ରକୁ ଡିଜିଟାଲାଇଜ୍ କରୁନାହିଁ; ପ୍ରାୟ ୯୦ କୋଟି ଭାରତୀୟଙ୍କ ପାଇଁ ଅନନ୍ୟ ଡିଜିଟାଲ ସ୍ୱାସ୍ଥ୍ୟ ପରିଚୟପତ୍ର ସୃଷ୍ଟି କରିଛି । ଏହା ଦ୍ୱାରା ଚିକିତ୍ସା ରେକର୍ଡଗୁଡିକୁ ସୁରକ୍ଷିତ ଏବଂ ସୁଲଭ ହୋଇପାରିଛି । ଯାହା ସ୍ୱାସ୍ଥ୍ୟସେବା ପ୍ରଦାନକୁ ସହଜ ଏବଂ ଅଧିକ ଦକ୍ଷ କରିଛି ।

ବନ୍ଧୁଗଣ,

ଏହି ସଫଳତାର ସବୁଠାରୁ ଉଲ୍ଲେଖନୀୟ ଦିଗ ହେଉଛି ଯେ, କିଛି ବର୍ଷ ପୂର୍ବେ, ସେଗୁଡିକ ମଧ୍ୟରୁ ଅଧିକାଂଶ କଳ୍ପନାର ପରି ମନେ ହେଉଥିଲା । କିଏ କଳ୍ପନା କରିପାରିଥିଲା ଯେ, ପ୍ରତ୍ୟେକ ଗାଁରେ ହାଇ-ସ୍ପିଡ୍ ଇଣ୍ଟରନେଟ ପହଞ୍ଚିବ ? କିଏ ଭାବିଥିଲା ଯେ, କ୍ୟୁଆର୍ କୋଡ ସବୁଠାରୁ ଦୂରବର୍ତ୍ତୀ ଗାଁରେ ମଧ୍ୟ ଦୈନନ୍ଦିନ ଜୀବନର ଏକ ଅଂଶ ହୋଇଯିବ ? ଏକ ଗାଁର ଜଣେ ମହିଳା ଡ୍ରୋନ ବ୍ୟବହାର କରି ଚାଷ କାର୍ଯ୍ୟରେ ସହାୟତା କରିବାର ଧାରଣା ମଧ୍ୟ ଅସମ୍ଭବ ମନେ ହେଉଥିଲା ।

କିନ୍ତୁ ଆଜି, କୋଟି କୋଟି ଭାରତୀୟଙ୍କ ପାଇଁ ଏସବୁ ଜୀବନର ଏକ ସାଧାରଣ ଅଂଶ ହୋଇଛି । ଆହୁରିମଧ୍ୟ ବନ୍ଧୁଗଣ, ଆପଣ ଜାଣି ଗର୍ବ କରିବେ ଯେ ଏହା ହେଉଛି ନୂତନ ଭାରତର ପ୍ରମୁଖ ପରିଚୟ ।

ଯାହା ପୂର୍ବରୁ ସ୍ୱପ୍ନ ଥିଲା ତାହା ଏବେ ବାସ୍ତବତା । ଯାହା ପୂର୍ବରୁ ଅସମ୍ଭବ ମନେ ହେଉଥିଲା ତାହା ଆଜି ସମ୍ଭବ ହୋଇଛି, ଏବଂ ଏହାକୁ କରିବା ପଛରେ ସବୁଠାରୁ ବଡ଼ ଶକ୍ତି କ’ଣ ? ଏସବୁ କିପରି ସମ୍ଭବ ହୋଇଛି ? ଏହା ମୋଦି ଯୋଗୁଁ ନୁହେଁ, ବରଂ ସେହି ଶକ୍ତି ଯୋଗୁଁ – ଭାରତର ଗଣତନ୍ତ୍ର, ଭାରତର ଗଣତନ୍ତ୍ର । ଏହି ଗଣତନ୍ତ୍ରରେ, ସମସ୍ତଙ୍କର ସମର୍ଥନ ଅଛି, ସମସ୍ତଙ୍କର ବିକାଶ ଅଛି ।

ବନ୍ଧୁଗଣ,

୫୦ କିମ୍ବା ୧୦୦ ବର୍ଷ ପରେ, ଯେତେବେଳେ ଭାରତର ଏହି ସମୟର ସମୀକ୍ଷା କରାଯିବ, ସେତେବେଳେ ଏହା ଜଣାପଡିବ ଯେ ଭାରତର ଆକାଂକ୍ଷା ଏହି ସମୟକୁ ଆଗେଇ ନେଇଛି । ଏହା ଭାରତର ଆକାଂକ୍ଷାର ଏକ ନୂତନ ଯୁଗ ।

ଲୋକମାନେ କେବଳ ବିଦ୍ୟୁତ ଚାହାନ୍ତି ନାହିଁ, ଯେଉଁଠାରେ ବିଦ୍ୟୁତ ପହଞ୍ଚିଛି, ସେମାନେ ସ୍ମାର୍ଟ ଜୀବନ ଚାହାନ୍ତି । ଯେଉଁଠାରେ ଟ୍ରେନ୍ ପହଞ୍ଚିଛି, ସେଠାରେ ଲୋକମାନେ ହାଇ-ସ୍ପିଡ ସଂଯୋଗ ଚାହାନ୍ତି ।

ଯେଉଁଠାରେ ରାଜପଥ ନିର୍ମାଣ ହୋଇଛି, ସେଠାରେ ଲୋକମାନେ ବିଶ୍ୱସ୍ତରୀୟ ଏକ୍ସପ୍ରେସ୍‌ୱେ ଚାହାଁନ୍ତି । ଯେଉଁଠାରେ ଇଣ୍ଟରନେଟ୍ ପହଞ୍ଚିଛି, ଲୋକମାନେ ଏଆଇ ଏବଂ ଡିଜିଟାଲ ନବାଚାରରେ ନେତୃତ୍ୱ ଚାହାଁନ୍ତି ।

ଅର୍ଥାତ୍‌, ଆଜି ଭାରତର ଲୋକମାନେ ନିଜ ଜୀବନକୁ ପରର୍ତ୍ତୀ ସ୍ତରକୁ ନେଇଯିବାକୁ ଚାହାଁନ୍ତି, ଏବଂ ଭାରତକୁ ପରବର୍ତ୍ତୀ ସ୍ତରକୁ ନେଇଯିବା ହେଉଛି ସେମାନଙ୍କର ଉଦ୍ଦେଶ୍ୟ, ସଂକଳ୍ପ ଏବଂ ସ୍ୱପ୍ନ ।

ଆହୁରିମଧ୍ୟ ବନ୍ଧୁଗଣ,

ଏହି ଆକାଂକ୍ଷା ଆଜି ଭାରତର ବିକାଶ ଯାତ୍ରାର ସବୁଠାରୁ ବଡ଼ ଶକ୍ତି । ମୁଁ ଆପଣଙ୍କୁ ଭାରତର ମହାକାଶ ଯାତ୍ରାର ଏକ ଉଦାହରଣ ଦେବି ।

ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନା ଅବତରଣ କରିଥିଲା । ବିଶ୍ୱ ଏହାକୁ ଏକ ବିରାଟ ସଫଳତା ବୋଲି ବିବେଚନା କରୁଥିଲା । କିନ୍ତୁ ଭାରତ ଏହାକୁ ନିଜର ଗନ୍ତବ୍ୟସ୍ଥଳ ଭାବରେ ବିଚାର କରିବା ବନ୍ଦ କରିନାହିଁ । ଆଜି ଦେଶ ଗଗନଯାନ ପାଇଁ ପ୍ରସ୍ତୁତି କରୁଛି । ଭାରତ ମହାକାଶରେ ନିଜର ସ୍ପେଶ୍ ଷ୍ଟେସନ ନିର୍ମାଣ କରିବା ଦିଗରେ ଆଗକୁ ବଢ଼ୁଛି ।

ଆମର ମହାକାଶ ଷ୍ଟାର୍ଟଅପ୍ କଠିନ ପରିଶ୍ରମ କରୁଛନ୍ତି ଏବଂ ବିଶ୍ୱ ମହାକାଶ ଅର୍ଥନୀତିରେ ନିଜର ସ୍ଥାନ ସୃଷ୍ଟି କରିବା ପାଇଁ ଆଗକୁ ବଢ଼ୁଛନ୍ତି ।

ବନ୍ଧୁଗଣ,

ଭାରତର ସମାନ ଆକାଂକ୍ଷା ସବୁଜ ଶକ୍ତି କ୍ଷେତ୍ରରେ ମଧ୍ୟ ଦୃଶ୍ୟମାନ ହେଉଛି । ସୌରଶକ୍ତିରେ 

ଭାରତର ସଫଳତା ସାରା ବିଶ୍ୱରେ ନିରନ୍ତର ଆଲୋଚନା ହେଉଛି । କିନ୍ତୁ ଭାରତ ପରବର୍ତ୍ତୀ ଲମ୍ଫ ପାଇଁ ପ୍ରସ୍ତୁତ ହେଉଛି ।

ସବୁଜ ହାଇଡ୍ରୋଜେନ୍‌ରେ ବଡ଼ ନିବେଶ ହେଉଛି । ଉନ୍ନତ ପରମାଣୁ ଶକ୍ତି ଉପରେ କାର୍ଯ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଆପଣ ଭାରତର ଫାଷ୍ଟ ବ୍ରିଡର୍ ପରମାଣୁ ରିଆକ୍ଟର ସମ୍ବନ୍ଧୀୟ ଅଗ୍ରଗତି ବିଷୟରେ ମଧ୍ୟ ଶୁଣିଥିବେ । ଏଗୁଡିକ ଭାରତର ପରମାଣୁ ଶକ୍ତି ଲ୍ୟାଣ୍ଡସ୍କେପ୍ । ଆମର ବୈଜ୍ଞାନିକମାନେ ଏପରି ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ଏକ ମହାନ ସଫଳତା ହାସଲ କରିଛନ୍ତି ।

ବନ୍ଧୁଗଣ,

ଆଜିର ଭାରତ ଭବିଷ୍ୟତର ଏକ ସମ୍ପୂର୍ଣ୍ଣ ଇକୋସିଷ୍ଟମ୍ ନିର୍ମାଣ କରୁଛି । ଭାରତ ପ୍ରତ୍ୟେକ କ୍ଷେତ୍ରରେ ଏକକାଳୀନ ନିବେଶ କରୁଛି, ଯାହା ଆଗମୀ ଦଶନ୍ଧିଗୁଡିକର ଦିଗ ନିର୍ଣ୍ଣୟ କରିବ ।

କିଛି ଦିନ ପୂର୍ବରୁ, ଆପଣ ଦେଖିଥିଲେ ଯେ, ଇଣ୍ଡିଆ ଇନୋଭେଟ୍ସ ନିସ୍‌ରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ବିଶ୍ୱକୁ ଭାରତର ଗଭୀର ପ୍ରଯୁକ୍ତି ସମ୍ଭାବନା ପ୍ରଦର୍ଶନ କରିବାର ଆଉ ଏକ ମାଧ୍ୟମ ଥିଲା । ଏଥିରେ ଭାରତର ୧୨୦ ଡିପ୍‌-ଟେକ୍ ଷ୍ଟାର୍ଟଅପ୍ ଯୋଗ ଦେଇଥିଲେ । ଭାରତ ଇନୋଭେଟ୍ସରେ ପ୍ରାୟ ଏକ ହଜାର ଚାରି ଶହ ବି୨ବି ବୈଠକ ଅନୁଷ୍ଠିତ ହୋଇଛି । ଅନେକ ଷ୍ଟାର୍ଟଅପ୍ ପାଇଁ ନିବେଶ ପ୍ରତିଶ୍ରୁତି ଗତିଶୀଳ ହୋଇଛି, କମର୍ସିଆଲ ଅର୍ଡର ପାଇଁ ରାସ୍ତା ଖୋଲିଛି। ଫ୍ରାନ୍ସ ଏବଂ ୟୁରୋପୀୟ ବିଶ୍ୱବିଦ୍ୟାଳୟ ତଥା ଇନ୍‌କ୍ୟୁବେଟର୍ ସହିତ ସମ୍ପର୍କ ବୃଦ୍ଧି ପାଉଛି ।

ଛାତ୍ର ଆଦାନପ୍ରଦାନ, ମିଳିତ ଗବେଷଣା ଏବଂ ନବାଚାର ସମର୍ଥନର ନୂତନ ମାର୍ଗ ସୃଷ୍ଟି ହୋଇଛି । ତେଣୁ, ଭାରତ ଇନୋଭେଟ୍ସ କେବଳ ଏକ ଶିଖର ସମ୍ମିଳନୀ ନୁହେଁ, ଏହା ନବାଚାର କୂଟନୀତିର ଏକ ନୂତନ ମଡେଲ୍ ।

ଆଜି, ପ୍ୟାରିସ୍‌ରେ ଭିଭାଟେକ୍ ଇଭେଣ୍ଟ୍ ମାଧ୍ୟମରେ, ଆମେ ଏହି ଯାତ୍ରାକୁ ଆହୁରି ଆଗକୁ ନେଇଛୁ। ନିସ୍‌ରେ ଆମେ ପୁଞ୍ଜି ସହିତ ଚିନ୍ତାଧାରାକୁ ଯୋଡିଥିଲୁ, ଏବଂ ପ୍ୟାରିସ୍‌ରେ ଆମେ ଭାରତୀୟ ନବାଚାରକୁ ବିଶ୍ୱ ସ୍ତରରେ ଯୋଡିଲୁ । ଆଜି ବିଶ୍ୱ ଦେଖୁଛି ଯେ ଭାରତ କେବଳ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେଉନାହିଁ ବରଂ ଭାରତ ଭବିଷ୍ୟତକୁ ଗଢ଼ି ତୋଳିଛି ।

ବନ୍ଧୁଗଣ,

ଏକ ସମୟ ଥିଲା ଯେତେବେଳେ ଦେଶଗୁଡିକ ମଧ୍ୟରେ ସମ୍ପର୍କ କେବଳ ବାଣିଜ୍ୟ ଦ୍ୱାରା ନିୟନ୍ତ୍ରଣ କରାଯାଉଥିଲା । ଆଜି ବ୍ୟବସାୟ ସହିତ, ବିଶ୍ୱାସ ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି।

ପ୍ରତ୍ୟେକ ଦେଶ ନିର୍ଭରଯୋଗ୍ୟ ଯୋଗାଣ ଶୃଙ୍ଖଳ ଚାହେଁ । ପ୍ରତ୍ୟେକ ଦେଶ ସ୍ଥିର ସହଭାଗିତା ଚାହେଁ । ପ୍ରତ୍ୟେକ ଦେଶ ଏପରି ଅଂଶୀଦାର ଖୋଜୁଛି ଯାହା ଉପରେ ଦୀର୍ଘ ସମୟ ପାଇଁ ବିଶ୍ୱାସ କରାଯାଇପାରିବ ଏବଂ ଏପରି ସମୟରେ, ଭାରତ ବିଶ୍ୱରେ ଏକ ବିଶ୍ୱସ୍ତ ଅଂଶୀଦାର ଭାବରେ ଉଭା ହେଉଛି ।

ଏଭିଆନରେ ଜି୭ ବୈଠକ ସମୟରେ, ମୁଁ ବିଶ୍ୱାସ-ଭିତ୍ତିକ ସହଭାଗୀତା ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଥିଲି । ଗ୍ଲୋବାଲ୍ ସାଉଥର ଦେଶଗୁଡିକ ସହିତ ସମାନ ଅଂଶୀଦାର ଭାବରେ ଆଗକୁ ବଢ଼ିବା ପାଇଁ ଆହ୍ୱାନ ଦିଆଯାଇଥିଲା । ଜି୭ ଶିଖର ସମ୍ମିଳନୀରେ ଭାରତର ବାର୍ତ୍ତା ଥିଲା ଯେ ବିଶ୍ୱ ଶାସନ କେବଳ ସେତେବେଳେ ପ୍ରଭାବଶାଳୀ ହେବ ଯେତେବେଳେ ଏହା ସମାବେଶୀ ହେବ । ବିଶ୍ୱ ଅଭିବୃଦ୍ଧି କେବଳ ସେତେବେଳେ ସ୍ଥାୟୀ ହେବ ଯେତେବେଳେ ଏହା ଅଂଶୀଦାର ହେବ ଏବଂ ବିଶ୍ୱ ପ୍ରଯୁକ୍ତିବିଦ୍ୟା କେବଳ ସେତେବେଳେ ମାନବତା ପାଇଁ ଉପଯୋଗୀ ହେବ ଯେତେବେଳେ ଏହା ବିଶ୍ୱାସଯୋଗ୍ୟ ହେବ ।

ବନ୍ଧୁଗଣ,

ଭାରତ ଏବଂ ବିଶ୍ୱ ମଧ୍ୟରେ ବାଣିଜ୍ୟ ସମ୍ପର୍କରେ ନୂତନ ଶକ୍ତି ଦୃଶ୍ୟମାନ ହେଉଛି । ଫ୍ରାନ୍ସ ସହିତ ଭାରତର ବାଣିଜ୍ୟ ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଉଛି । ଗତ କିଛି ବର୍ଷ ମଧ୍ୟରେ, ଭାରତ ବିଶ୍ୱର ଅନେକ ଦେଶ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତି କରିଛି । ୟୁରୋପୀୟ ସଂଘ ହେଉ, ଯୁକ୍ତରାଜ୍ୟ ହେଉ, ଭାରତ ବିଶ୍ୱର ପ୍ରତ୍ୟେକ ଦେଶ ଏବଂ ଅଞ୍ଚଳ ସହିତ ଚୁକ୍ତିନାମା କରୁଛି ।

ଭାରତ ଏବଂ ଯୁକ୍ତରାଜ୍ୟ ମଧ୍ୟରେ ବାଣିଜ୍ୟ ଚୁକ୍ତିନାମା ମଧ୍ୟ ଆସନ୍ତା ମାସରୁ କାର୍ଯ୍ୟକାରୀ ହେବ । ଏହି ଚୁକ୍ତିନାମା ଭାରତର କୃଷକ, ଶ୍ରମିକ ଏବଂ ଉଦ୍ଭାବକମାନଙ୍କୁ ଅନେକ ନୂତନ ସୁଯୋଗ ପ୍ରଦାନ କରିବ ।

ବନ୍ଧୁଗଣ,

ଆଜି ବିଶ୍ୱ ଅନିଶ୍ଚିତତା ଏବଂ ବିଭ୍ରାଟର ସମୟ ଦେଇ ଗତି କରୁଛି । ଏପରି ସମୟରେ, ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସହଭାଗୀତା ବିଶ୍ୱାସ, ସ୍ଥିରତା ଏବଂ ସହଯୋଗର ଏକ ଦୃଢ଼ ସ୍ତମ୍ଭ ହୋଇଛି ।

ଚଳିତ ବର୍ଷ, ଆମେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସମ୍ପର୍କକୁ ସ୍ୱତନ୍ତ୍ର ବିଶ୍ୱ ରଣନୈତିକ ସହଭାଗୀର ମାନ୍ୟତା ଦେଇଛୁ । ନିସ୍‌ରେ ମୋର ବନ୍ଧୁ ରାଷ୍ଟ୍ରପତି ମାକ୍ରୋନ୍ ଏବଂ ମୁଁ ବିଶ୍ୱ ମଙ୍ଗଳ ପାଇଁ ଆମର ସମ୍ପର୍କକୁ କିପରି ମଜବୁତ କରିପାରିବୁ ସେ ବିଷୟରେ ଆଲୋଚନା କରିଥିଲୁ । ପ୍ରତିରକ୍ଷା ଠାରୁ ମହାକାଶ ଏବଂ ପରମାଣୁ, ଏଆଇ ତଥା ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଠାରୁ ହାଇ-ସ୍ପିଡ୍ ରେଳବାଇ ପର୍ଯ୍ୟନ୍ତ, ଆମେ ପ୍ରତ୍ୟେକ କ୍ଷେତ୍ରରେ ଏକାଠି ଆଗକୁ ବଢ଼ିବୁ ।

ବନ୍ଧୁଗଣ,

ସୌରଶକ୍ତି କ୍ଷେତ୍ରରେ କିମ୍ବା ଏଆଇ କ୍ଷେତ୍ରରେ ସହଯୋଗ ହେଉ, ଭାରତ ଏବଂ ଫ୍ରାନ୍ସ ମିଳିତ ଭାବରେ ସମଗ୍ର ମାନବଜାତିର ହିତ ପାଇଁ ସମାଧାନ ବିକାଶ କରୁଛନ୍ତି । ଗତ ବର୍ଷ ପ୍ୟାରିସରେ ଏବଂ ଚଳିତ ବର୍ଷ ଦିଲ୍ଲୀରେ, ଆମେ ଏଆଇ ଶିଖର ସମ୍ମିଳନୀ ସହ-ଅଧ୍ୟକ୍ଷତା କରିଥିଲୁ ।

ଏବେ ଆମେ ମିଳିତ ଭାବରେ ଆସନ୍ତା ବର୍ଷ “ତୃଷ୍ଣା” ସାଟେଲାଇଟ୍ ଲଞ୍ଚ କରିବାକୁ ଯାଉଛୁ । ଏହି “ତୃଷ୍ଣା” ସାଟେଲାଇଟ୍ ବିଶ୍ୱରେ ଖାଦ୍ୟ ଏବଂ ଜଳ ସୁରକ୍ଷା ସୁନିଶ୍ଚିତ କରିବାରେ ଯୋଗଦାନ ଦେବ ।

ଆହୁରିମଧ୍ୟ ବନ୍ଧୁଗଣ,

ଏହି ସମସ୍ତ ଗଭର୍ଣ୍ଣମେ-ଟୁ-ଗଭର୍ଣ୍ଣମେଣ୍ଟ ପଦକ୍ଷେପରେ ଆପଣମାନଙ୍କ ସମସ୍ତଙ୍କ ଯୋଗଦାନ ବହୁତ ଗୁରୁତ୍ୱପୂର୍ଣ୍ଣ । ଆପଣମାନେ ହିଁ ଭାରତ ଏବଂ ୟୁରୋପ ମଧ୍ୟରେ ସବୁଠାରୁ ଦୃଢ଼ ସେତୁ । ଆପଣମାନେ ଉଭୟ ସମାଜକୁ ବୁଝନ୍ତି । ଉଭୟ ବଜାରକୁ ବୁଝନ୍ତି । ଆଗାମୀ ସମୟରେ, ପ୍ରତିଭା, ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ପର୍ଯ୍ୟଟନ ଏବଂ ନିବେଶ ପାଇଁ ନୂତନ ସୁଯୋଗକୁ ଆଗକୁ ବଢ଼ାଇବାରେ ଆପଣଙ୍କର ଭୂମିକା ନିରନ୍ତର ବୃଦ୍ଧି ପାଇବାକୁ ଯାଉଛି ।

ବନ୍ଧୁଗଣ,

ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସମ୍ପର୍କ ସହଭାଗୀ ଇତିହାସ, ମୂଲ୍ୟବୋଧ ଏବଂ ବିଶ୍ୱାସ ଦ୍ୱ୍‌ାରା ପରିଚାଳିତ ହୋଇଛି । ବିଶ୍ୱଯୁଦ୍ଧ ସମୟରେ ଫରାସୀ ମାଟିରେ ପ୍ରାଣବଳି ଦେଇଥିବା ଭାରତୀୟ ସୈନିକଙ୍କ ସ୍ମୃତି ଏବେ ବି ଆମକୁ ଏକତ୍ରିତ କରିଥାଏ ।

ମୋତେ ପ୍ରଥମ ନ୍ୟୁଭ ଚାପେଲରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ସୁଯୋଗ ମିଳିଥିଲା, ଗତ ବର୍ଷ ମୋତେ ରାଷ୍ଟ୍ରପତି ମାକରନ୍‌ଙ୍କ ସହିତ ମାର୍‌ସିଲିର ଯୁଦ୍ଧ ସ୍ମାରକୀ ପରିଦର୍ଶନ କରିବାର ସୁଯୋଗ ମଧ୍ୟ ମିଳିଥିଲା । ଏହା ଆମର ସହଭାଗୀ ଐତିହ୍ୟ ।

ଫ୍ରାନ୍ସ ଭାରତୀୟମାନଙ୍କ ଅବଦାନକୁ ଆଦର କରେ ଏବଂ ପ୍ରଶଂସା କରେ । ଭାରତୀୟ ବଂଶୋଦ୍ଭବ ନୁର ଇନାୟତ ଖାନ ହୁଅନ୍ତୁ, ଯିଏ ଫରାସୀ ପ୍ରତିରୋଧ ପାଇଁ ନିଜ ଜୀବନ ବଳିଦାନ ଦେଇଥିଲେ, କିମ୍ବା ମହାରାଜା ରଣଜିତ ସିଂହଙ୍କ ସହିତ କାମ କରିଥିବା ଜେନେରାଲ ଜିନ୍‌-ଫ୍ରାଙ୍କୋଇସ୍ ଆଲାର ହୁଅନ୍ତୁ, ସେମାନେ ସମସ୍ତେ ଭାରତ ଏବଂ ଫ୍ରାନ୍ସର ସହଭାଗୀ ଐତିହ୍ୟର ପ୍ରତୀକ ।

ଭାରତୀୟ ରାଜ୍ୟ ପୁଡୁଚେରୀରେ ମଧ୍ୟ ଫରାସୀ ଐତିହ୍ୟର ଝଲକ ଦେଖିବାକୁ ମିଳେ । ସେଠାକାର ସ୍ଥାପତ୍ୟ, କଳା, ସଂସ୍କୃତି ତଥା ଖାଦ୍ୟପେୟ ଆମ ସମ୍ପର୍କର ସୁଗନ୍ଧ ବିକଶିତ କରିଥାଏ ।

ବନ୍ଧୁଗଣ ବର୍ତ୍ତମାନ,

ଫ୍ରାନ୍ସ ସମେତ ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ପ୍ରସ୍ତୁତି ଚାଲିଛି । ଏହି ଅବସରରେ, ମୁଁ ଫ୍ରାନ୍ସରେ ଯୋଗକୁ ପ୍ରୋତ୍ସାହିତ କରିଥିବା ଶ୍ରୀ ମହେଶ ଘଟ୍ରାଡିଆଲ୍ ଜୀଙ୍କୁ ସମ୍ମାନଜନକ ଶ୍ରଦ୍ଧାଞ୍ଜଳି ଜଣାଉଛି । ମୁଁ ପଦ୍ମ ପୁରସ୍କାରପ୍ରାପ୍ତ ଚାର୍ଲୋଟ ଶୋପାନ ଜୀଙ୍କୁ ମଧ୍ୟ ପ୍ରଣାମ କରୁଛି, ଯିଏ ଶହେ ବର୍ଷ ବୟସରେ ମଧ୍ୟ ଯୋଗ ମାଧ୍ୟମରେ ଫ୍ରାନ୍ସକୁ ଭାରତର ଐତିହ୍ୟ ସହିତ ଯୋଡିଛନ୍ତି । ତାଙ୍କ ଜୀବନ ଏହା ପ୍ରମାଣିତ କରେ ଯେ, ଯୋଗ ଜୀବନରେ ବର୍ଷ ଯୋଡେ ନାହିଁ, ବରଂ ଏହା ବର୍ଷରେ ଜୀବନ ଯୋଡେ ।

ବନ୍ଧୁଗଣ,

ମୁଁ ଫ୍ରେଡ୍ ନେଗ୍ରି ଜୀଙ୍କୁ ମଧ୍ୟ ସମ୍ମାନ ଏବଂ ଶ୍ରଦ୍ଧାର ସହିତ ମନେ ପକାଏ । ଭାରତୀୟ ଐତିହ୍ୟକୁ ସଂରକ୍ଷଣ କରିବାରେ ତାଙ୍କର ଅବଦାନ ଅତୁଳନୀୟ ।

ବନ୍ଧୁଗଣ,

ଭାରତ ଏବଂ ଫ୍ରାନ୍ସକୁ ଯୋଡୁଥିବା ଆଉ ଏକ ଜିନିଷ ଅଛି, ଏବଂ ତାହା ହେଉଛି ଫୁଟବଲ । ବର୍ତ୍ତମାନ ଏଠାରେ ଫୁଟବଲ ଫିବର ଜୋରଦାର ଚାଲିଛି । ଫ୍ରାନ୍ସରେ ଏହାର ଚାହିଦା ସବୁଠି ଦେଖାଯାଉଛି । ଭାରତରେ ମଧ୍ୟ, ଫୁଟବଲର ଚାହିଦା ବୃଦ୍ଧି ପାଉଛି ।

ବିଶେଷକରି ଫ୍ରାନ୍ସ ଦଳର ପ୍ରଶଂସକ ଭାରତରେ ବହୁତ ଅଧିକ । ଫ୍ରାନ୍ସ ଏହି ବିଶ୍ୱକପର ଯାତ୍ରା ଏକ ଚମତ୍କାର ବିଜୟ ସହିତ ଆରମ୍ଭ କରିଛି । ମୁଁ ଫ୍ରାନ୍ସ ଦଳକୁ ବହୁତ ଶୁଭକାମନା ଜଣାଉଛି ।

ବନ୍ଧୁଗଣ,

ଯିବା ପୂର୍ବରୁ, ମୋ ପାଖର ଆପଣଙ୍କ ସମସ୍ତଙ୍କ ପାଇଁ ଆଉ କିଛି ଭଲ ଖବର ଅଛି । ସେଗୁଡିକ କେବଳ ଆପଣମାନଙ୍କ ପାଇଁ । ଗତ ବର୍ଷ, ମାର୍ସେରେ କନ୍‌ସୁଲେଟ୍ ଖୋଲାଯାଇଥିଲା, ଯାହା ବହୁତ ସୁବିଧା ପ୍ରଦାନ କରୁଛି । କିଛି ସପ୍ତାହ ପୂର୍ବରୁ, ଭାରତୀୟ ନାଗରିକମାନଙ୍କ ପାଇଁ ଫ୍ରାନ୍ସ ବିମାନବନ୍ଦରରେ ଭିସା-ମୁକ୍ତ ପରିବହନ ବ୍ୟବସ୍ଥା ଆରମ୍ଭ ହୋଇଛି ।

ଛାତ୍ର ଏବଂ ବୃତ୍ତିଗତଙ୍କ ଗତିଶୀଳତା ବୃଦ୍ଧି କରିବା ହେଉ, କିମ୍ବା ଶିକ୍ଷାଗତ ଯୋଗ୍ୟତାର ପାରସ୍ପରିକ ସ୍ୱୀକୃତି ଆଣିବା, କିମ୍ବା ଭାରତରେ ଫ୍ରାନ୍ସ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ଖୋଲିବା ହେଉ, ଆମେ ଏହି ସମସ୍ତ ପ୍ରସଙ୍ଗରେ ଏକତ୍ର ଆଗକୁ ବଢ଼ୁଛୁ ।

ବର୍ତ୍ତମାନ ଫ୍ରାନ୍ସରେ ୟୁପିଆଇ ବ୍ୟବହାରର ପରିସର ମଧ୍ୟ ଆହୁରି ବିସ୍ତାରିତ ହେବାକୁ ଯାଉଛି । ଅର୍ଥାତ, ଭାରତ-ଫ୍ରାନ୍ସ ସଂଯୋଗ ମଧ୍ୟ ତୁରନ୍ତ ଏବଂ ପାରସ୍ପରିକ ଦେୟ ମଧ୍ୟ ତୁରନ୍ତ!

ବନ୍ଧୁଗଣ,

ଏହି ସମସ୍ତ ପଦକ୍ଷେପ ସହିତ, ଆମେ ଭାରତ ଏବଂ ଫ୍ରାନ୍ସକୁ ନିକଟତର କରୁଛୁ ଏବଂ ମୁଁ ପୁଣି ଥରେ କହିବି, ଏହି ସହଭାଗୀର ମୂଳଦୁଆ, ଏହି ସମ୍ପର୍କର ପ୍ରକୃତ ଶକ୍ତି ଆପଣମାନେ ସମସ୍ତେ । ଆପଣମାନେ ସମସ୍ତେ ମୋର ଦେଶବାସୀ ।

ଆଜି ଯେତେବେଳେ ଭାରତ ଏକ ବିକଶିତ ଭାରତର ଲକ୍ଷ୍ୟ ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର ହେଉଛି, ମୁଁ ତୁମ ସମସ୍ତଙ୍କୁ ଭାରତ ସହିତ ଅଧିକ ଗଭୀର ଭାବରେ ଯୋଡି ହେବାକୁ ଅନୁରୋଧ କରିବି । ଏହା ଭାରତର ବିକାଶ ଯାତ୍ରାକୁ ନୂତନ ଶକ୍ତି ଦେବ ଏବଂ ଆପଣମାନେ ଆପଣଙ୍କ ପୂର୍ବପୁରୁଷଙ୍କ ଭୂମିର ସେବା କରିବାର ସୁଯୋଗ ମଧ୍ୟ ପାଇବେ ।

ଏହି ଶବ୍ଦ ସହିତ, ମୁଁ ପୁଣିଥରେ ଆପଣମାଙ୍କ ପ୍ରେମ, ଉତ୍ସାହ ତଥା ଭବ୍ୟ ସ୍ୱାଗତ ପାଇଁ ଆପଣମାନଙ୍କ ସମସ୍ତଙ୍କ

ପ୍ରତି କୃତଜ୍ଞତା ପ୍ରକାଶ କରୁଛି ।

ଭାରତ ମାତା କି ଜୟ!

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Stranded in Tehran, 50 Iranian Sikhs return safely to India

Media Coverage

Stranded in Tehran, 50 Iranian Sikhs return safely to India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi pays tributes to Freedom Fighter, Shri Pingali Venkayya on his 150th birth anniversary
August 02, 2026

The Prime Minister, Shri Narendra Modi, paid tributes to freedom fighter, Shri Pingali Venkayya on his 150th birth anniversary.

The Prime Minister remembered Pingali Venkayya for his invaluable role in giving the nation the Tricolour and said that his efforts continue to inspire people to serve the country with dedication and patriotic fervour.

Shri Modi said that the Tiranga fills every Indian heart with immense pride and inspires the nation to work towards nation-building.

The Prime Minister wrote on X;

“Tributes to Pingali Venkayya Ji on his 150th birth anniversary. He is remembered for his invaluable role in giving our nation the Tricolour. May his efforts always inspire people to serve our country with dedication and patriotic fervour.

The Tiranga fills every Indian heart with immense pride and inspires us to work towards nation building.”