ଭାରତ ଆତ୍ମବିଶ୍ୱାସ ଏବଂ ଆତ୍ମନିର୍ଭରଶୀଳତାର ସହିତ କରୋନାର ମୁକାବିଲା କରିଛି : ପ୍ରଧାନମନ୍ତ୍ରୀ
ଏଭଳି ସ୍ତରର ଟୀକାକରଣ ଅଭିଯାନ ବିଶ୍ୱ କେବେ ଦେଖିନାହିଁ
ସାରା ବିଶ୍ୱ ଭାରତର କରୋନା ମୁକାବିଲାକୁ ପ୍ରଶଂସା କରୁଛି
ଅଗ୍ରଣୀ କରୋନା ଯୋଦ୍ଧାଙ୍କ ପ୍ରତି ଜଣାଇଲେ ଶ୍ରଦ୍ଧାଞ୍ଜଳି

ମୋ ପ୍ରିୟ ଦେଶବାସୀ,

ନମସ୍କାର!

ସମଗ୍ର ଦେଶ ଆଜିର ଦିନକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛି । ମାସ ମାସ ଧରି ଦେଶର ପ୍ରତ୍ୟେକ ଘରର ପିଲା-ବୟସ୍କ-ଯୁବା ସମସ୍ତଙ୍କ ମୁହଁରେ ଗୋଟିଏ ହିଁ ପ୍ରଶ୍ନ ଥିଲା – କରୋନାର ଟିକା କେବେ ବାହାରିବ? ତ ଏବେ କରୋନାର ଟିକା ଆସିଯାଇଛି, ଖୁବ୍ କମ୍ ସମୟ ମଧ୍ୟରେ ଆସି ପହଞ୍ଚିଛି । ଆଉ କିଛି ସମୟ ପରେ ଭାରତରେ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ମୁଁ ଏଥିପାଇଁ ସମଗ୍ର ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି । ଆଜି ସେହି ବୈଜ୍ଞାନିକ, ବିଶେଷକରି ଟିକା ଗବେଷଣା କ୍ଷେତ୍ର ସହ ସମ୍ପୃକ୍ତ ବହୁ ବ୍ୟକ୍ତିବିଶେଷ, ଯେଉଁମାନେ ଗତ କିଛିମାସ ଧରି କରୋନା ବିରୁଦ୍ଧରେ ଟିକା ପ୍ରସ୍ତୁତିରେ ରାତିଦିନ ଲାଗିଥିଲେ, ସେମାନେ ପ୍ରଶଂସାର ହକ୍‌ଦାର୍ । ନା ସେମାନେ ପର୍ବପର୍ବାଣି ଦେଖିଛନ୍ତି, ନାଁ ଦିନ ଦେଖିଛନ୍ତି, ନାଁ ରାତି ଦେଖିଛନ୍ତି । ସାଧାରଣତଃ ଗୋଟିଏ ଟିକା ତିଆରି କରିବା ପାଇଁ ବର୍ଷ ବର୍ଷ ସମୟ ଲାଗିଥାଏ । କିନ୍ତୁ ଏତେ କମ୍ ସମୟ ମଧ୍ୟରେ ଗୋଟିଏ ନୁହେଁ, ଦୁଇ-ଦୁଇଟି ଭାରତରେ ପ୍ରସ୍ତୁତ ଟିକା ବିକଶିତ ହୋଇପାରିଛି । କେବଳ ଏତିକି ନୁହେଁ ଅନ୍ୟ କେତେକ ଟିକା ପ୍ରସ୍ତୁତି ପାଇଁ ମଧ୍ୟ ଦୃତ ଗତିରେ କାର୍ଯ୍ୟ ଚାଲିଛି । ଏହା ହେଉଛି ଭାରତର ସାମର୍ଥ୍ୟ, ଭାରତର ବୈଜ୍ଞାନିକ ଦକ୍ଷତା, ଭାରତର ପ୍ରତିଭାର ଜ୍ୱଳନ୍ତ ଉଦାହରଣ । ଏହିଭଳିସବୁ ଉପଲବ୍‌ଧି ପାଇଁ ରାଷ୍ଟ୍ରକବି ରାମଧାରୀ ସିଂହ ଦିନ୍‌କର କହିଥିଲେ – ମାନବ ଯବ୍ ଜୋର୍ ଲଗାତା ହେ, ପଥର ପାନି ବନ୍ ଯାତା ହେ !! ଅର୍ଥାତ୍ ମଣିଷ ଯେତେବେଳେ ନିଜର ଶକ୍ତି ପ୍ରୟୋଗ କରେ, ସେତେବେଳେ ପଥର ବି ପାଣି ପାଲଟିଯାଏ ।

ଭାଇ ଓ ଭଉଣୀମାନେ,

ଭାରତର ଟିକାକରଣ ଅଭିଯାନ ଅତ୍ୟନ୍ତ ମାନବୀୟ ଓ ଅନେକ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ଉପରେ ପର୍ଯ୍ୟବେଶିତ । ଯାହାକୁ ସବୁଠାରୁ ଅଧିକ ଆବଶ୍ୟକତା ରହିଛି, ସେମାନଙ୍କୁ ହିଁ ସର୍ବପ୍ରଥମେ କରୋନା ଟିକା ଦିଆଯିବ । ଯେଉଁମାନଙ୍କୁକରୋନା ସଂକ୍ରମଣର ସବୁଠାରୁ ଅଧିକ ଆଶଙ୍କା ରହିଛି ସେମାନଙ୍କୁ ପ୍ରଥମେ ଟିକା ଲାଗିବ । ଆମର ଯେଉଁ ଡାକ୍ତର ଅଛନ୍ତି, ନର୍ସ ଅଛନ୍ତି, ଡାକ୍ତରଖାନାର ସଫେଇ କର୍ମଚାରୀ ଅଛନ୍ତି, ସ୍ୱାସ୍ଥ୍ୟକର୍ମୀ ଅଛନ୍ତି ସେମାନେ ହିଁସର୍ବପ୍ରଥମେ କରୋନା ଟିକାର ହକ୍‌ଦାର୍ । ସେମାନେ ସରକାରୀ ଡାକ୍ତରଖାନାର ହୁଅନ୍ତୁ ବା ଘରୋଇ ଡାକ୍ତରଖାନାର, ସମସ୍ତଙ୍କୁ ପ୍ରାଥମିକତା ଭିତିରେ ଏହି ଟିକା ପ୍ରଦାନ କରାଯିବ । ଏହାପରେ ସେମାନଙ୍କୁ ଟିକାପ୍ରଦାନ କରାଯିବ, ଯେଉଁମାନଙ୍କ ଉପରେ ଅତ୍ୟାବଶ୍ୟକ ସେବା ତଥା ଦେଶର ସୁରକ୍ଷା ବା ଆଇନ୍ ବ୍ୟବସ୍ଥା ନ୍ୟସ୍ତ ରହିଛି । ଯେପରିକି ଆମର ସୁରକ୍ଷା ବାହିନୀ, ପୋଲିସ୍ କର୍ମଚାରୀ, ଅଗ୍ନିଶମ ସେବା କର୍ମଚାରୀ, ସଫେଇ କର୍ମଚାରୀ, ସେମାନଙ୍କୁ ପ୍ରାଥମିକତା ଭିତିରେ ଏହି ଟିକା ପ୍ରଦାନ କରାଯିବ । ଏବଂ ମୁଁ ଆଗରୁ ଯେମିତି କହିଛି – ଏମାନଙ୍କ ସଂଖ୍ୟା ପ୍ରାୟ 3 କୋଟି । ଏହି ସମସ୍ତଙ୍କର ଟିକାକରଣ ବାବଦ ଖର୍ଚ୍ଚ ଭାରତ ସରକାର ବହନ କରିବେ।

ବନ୍ଧୁଗଣ,

ଏହି ଟିକାକରଣ ଅଭିଯାନର ପକ୍‌କା ପ୍ରସ୍ତୁତି ପାଇଁ ରାଜ୍ୟ ସରକାରମାନଙ୍କ ସହଯୋଗରେ ଦେଶର କୋଣ ଅନୁକୋଣରେ ପୂର୍ବାଭ୍ୟାସ କରାଯାଇଛି, ଡ୍ରାଏ ରନ୍ କରାଯାଇଛି । ସ୍ୱତନ୍ତ୍ରଭାବେ ପ୍ରସ୍ତୁତ କରାଯାଇଥିବା କୋ-ୱିନ୍ ଡିଜିଟାଲ୍ ମଂଚରେ ଟିକାକରଣ ପାଇଁ ପଂଜିକରଣଠାରୁ ଆରମ୍ଭ କରି ଲକ୍ଷ୍ୟାନୁସରଣ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ରହିଛି । ଆପଣଙ୍କୁ ପ୍ରଥମ ଟିକା ଲଗାଯିବା ପରେ ଦ୍ୱିତୀୟ ଡୋଜ୍ କେବେ ଲାଗିବ ଫୋନ୍ ଦ୍ୱାରା ମଧ୍ୟ ତା’ର ସୂଚନା ଦିଆଯିବ ।ଏବଂ ମୁଁସମସ୍ତ ଦେଶବାସୀଙ୍କୁ ଏହି କଥାପୁଣିଥରେ ମନେ ପକାଇଦେବାକୁ ଚାହୁଁଛି ଯେ କେରାନା ଟିକାର ଦୁଇଟିଯାକ ଡୋଜ୍ ନେବା ଅତ୍ୟନ୍ତ ଜରୁରୀ । ଗୋଟିଏ ଡୋଜ୍ ନେଇଗଲେ, ଏବଂ ପୁଣି ଭୁଲିଗଲେ, ସେଭଳି ଭୁଲ୍ କରନ୍ତୁ ନାହିଁ । ଏବଂ ବିଶେଷଜ୍ଞମାନେ ଯେମିତି କହୁଛନ୍ତି, ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ପ୍ରାୟ ଏକ ମାସର ବ୍ୟବଧାନ ମଧ୍ୟ ରଖାଯିବ । ଆପଣଙ୍କୁ ଏକଥା ମଧ୍ୟ ମନେ ରଖିବାକୁ ହେବ ଯେ ଦ୍ୱିତୀୟ ଡୋଜ୍ ନେବାର ଦୁଇ ସପ୍ତାହ ପରେ ହିଁ ଆପଣଙ୍କ ଶରୀରରେ କରୋନା ବିରୁଦ୍ଧରେ ଲଢେଇ ପାଇଁ ଆବଶ୍ୟକ ଶକ୍ତି ବିକଶିତ ହୋଇପାରିବ । ଏଣୁ ଟିକା ନେଉ ନେଉ ଆପଣମାନେ ଅସାବଧାନ ହେବା ଆରମ୍ଭ କରିଦେବେ, ମାସ୍କ କାଢି ରଖିଦେବେ, ଦୁଇ ଗଜର ଦୂରତା ଭୁଲିଯିବେ, ଏସବୁ ବିଲକୁଲ୍ କରିବେନି । ମୁଁ ପ୍ରାର୍ଥନା କରୁଛି ଜମା କରିବେନି । ଏବଂ ମୁଁ ଆପଣମାନଙ୍କୁ ଆଉ ଗୋଟିଏ କଥା ଆଗ୍ରହର ସହ କହିବାକୁ ଚାହୁଁଛି । ଆପଣମାନେ ଯେପରି ଧୈର୍ଯ୍ୟର ସହକରୋନାର ମୁକାବିଲା କଲେ, ସେହିଭଳି ଧୈର୍ଯ୍ୟ ହିଁ ବର୍ତମାନ ଟିକାକରଣ ସମୟରେ ମଧ୍ୟ ଦେଖାଇବାକୁ ପଡିବ ।

ବନ୍ଧୁଗଣ,

ଇତିହାସରେ ଏଭଳି ଧରଣର ଏବଂ ଏତେ ବୃହତ ଆକାରର ଟିକାକରଣ ଅଭିଯାନ ଆଗରୁ କେବେ ହୋଇନାହିଁ । ଏହି ଅଭିଯାନ କେତେ ବିଶାଳ ତାହା ଆପଣ କେବଳ ପ୍ରଥମ ପର୍ଯ୍ୟାୟରୁ ହିଁ ଅନୁମାନ କରିପାରିବେ । ବିଶ୍ୱରେ 100ରୁ ବି ଅଧିକ ଏଭଳି ଦେଶ ରହିଛି ଯାହାର ଜନସଂଖ୍ୟା 3 କୋଟିରୁ କମ୍ । ଏବଂ ଭାରତ ଟିକାକରଣର ପ୍ରଥମ ପର୍ଯ୍ୟାୟରେ ହିଁ 3 କୋଟି ଲୋକଙ୍କୁ ଟିକାପ୍ରଦାନ କରିବାକୁ ଯାଉଛି । ଦ୍ୱିତୀୟ ପର୍ଯ୍ୟାୟରେ ଆମକୁ ଏହାକୁ 30 କୋଟି ପର୍ଯ୍ୟନ୍ତ ସଂଖ୍ୟାରେ ପହଂଚାଇବାକୁ ପଡିବ । ଯେଉଁମାନେ ବୟସ୍କ, ଯେଉଁମାନେ ଗୁରୁତର ରୋଗରେ ପିଡୀତ, ସେମାନଙ୍କୁ ପରବର୍ତୀ ପର୍ଯ୍ୟାୟରେ ଟିକା ଲଗାଯିବ । ଆପଣ ଅନୁମାନ କରିପାରିବେ, ୩୦ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ କେବଳ 3ଟି ଦେଶ ଅଛି - ସ୍ୱୟଂ ଭାରତ, ଚୀନ୍ ଓ ଆମେରିକା । ଏବଂ ଏପରି କୌଣସି ଦେଶ ନାହିଁ ଯାହାର ଜନସଂଖ୍ୟା ଏମାନଙ୍କଠାରୁ ଅଧିକ । ଏଥିପାଇଁ ଭାରତର ଟିକାକରଣ ଅଭିଯାନ ଏତେ ବିଶାଳ ।ଏବଂ ଏଥିପାଇଁ ଏହି ଅଭିଯାନ ଭାରତର ସାମର୍ଥ୍ୟ ପ୍ରଦର୍ଶନ କରୁଛି । ଏବଂ ମୁଁ ଦେଶବାସୀଙ୍କୁ ଆଉ ଗୋଟିଏ କଥା କହିବାକୁ ଚାହୁଁଛି । ଆମର ବୈଜ୍ଞାନିକ, ଆମର ବିଶେଷଜ୍ଞମାନେ ଯେତେବେଳେ ଭାରତରେ ପ୍ରସ୍ତୁତ ଦୁଇଟିଯାକ ପ୍ରତିଷେଧକର ସୁରକ୍ଷା ଓ ପ୍ରଭାବ ସମ୍ପର୍କରେ ଆଶ୍ୱସ୍ତ ହେଲେ, ସେତେବେଳେ ହିଁ ଏହାର ଜରୁରିକାଳୀନ ପ୍ରୟୋଗ ପାଇଁ ଅନୁମତି ପ୍ରଦାନ କଲେ । ଏଣୁ ଦେଶବାସୀଙ୍କୁ ଯେକୌଣସି ମତେ ଅପପ୍ରଚାର ଓ ଗୁଜବରୁ ଦୂରେଇ ରହିବାକୁ ପଡିବ ।

ବନ୍ଧୁଗଣ,

ଭାରତର ପ୍ରତିଷେଧକ, ବୈଜ୍ଞାନିକ, ଆମର ଡାକ୍ତରୀ ବ୍ୟବସ୍ଥା, ଭାରତର ବିଭିନ୍ନ ପ୍ରକ୍ରିୟା ଉପରେ ସମଗ୍ର ବିଶ୍ୱରେ ପ୍ରଗାଢ ବିଶ୍ୱସନିୟତା ରହିଛି । ଏବଂ ଏହା ଆଗରୁ ମଧ୍ୟ ରହିଛି । ଆମେମାନେ ଏହି ବିଶ୍ୱାସକୁ ନିଜର ଟ୍ରାକ୍ ରେକର୍ଡରେ ସାମିଲ୍ କରିଛୁ ।

ମୋର ପ୍ରିୟ ଦେଶବାସୀ,

`ପ୍ରତ୍ୟେକ ହିନ୍ଦୁସ୍ଥାନୀଏହି କଥା ଉପରେ ଗର୍ବ କରିବ ଯେ ବିଶ୍ୱର ପାଖାପାଖି 60 ପ୍ରତିଶତ ପିଲାଙ୍କୁ ଯେଉଁସବୁ ଜୀବନ ରକ୍ଷାକାରୀ ଟିକା ପ୍ରଦାନ କରାଯାଉଛି, ସେସବୁ ଭାରତରେ ହିଁ ପ୍ରସ୍ତୁତ କରାଯାଇଥାଏ, ଭାରତର କଠୋର ବୈଜ୍ଞାନିକ ନିରୀକ୍ଷଣ ପ୍ରକ୍ରିୟାଗୁଡିକ ଦେଇ ସେସବୁ ପ୍ରସ୍ତୁତ ହୋଇଥାଏ । ଭାରତର ବୈଜ୍ଞାନିକ ସମୁଦାୟ ଏବଂ ପ୍ରତିଷେଧକ ସହ ସମ୍ପୃକ୍ତ ଆମର ସ୍ୱାତନ୍ତ୍ର‌୍ୟ ଉପରେ ସାରା ବିଶ୍ୱର ଏହି ଯେଉଁ ବିଶ୍ୱାସ ରହିଛି ତାହା ଭାରତରେ ବିକଶିତ କରୋନା ଟିକା ଦ୍ୱାରା ଆହୁରି ମଜବୁତ୍ ହେବାକୁ ଯାଉଛି । ଏହାର ଆଉ କିଛି ବିଶେଷ ପ୍ରସଙ୍ଗ ରହିଛି ଯାହା ଆଜି ମୁଁ ଦେଶବାସୀଙ୍କୁ ନିଶ୍ଚିତଭାବେ ଜଣାଇବାକୁ ଚାହୁଁଛି । ଏହି ଭାରତୀୟ ଟିକା, ବିଦେଶୀ ଟିକା ତୁଳନାରେ ବହୁତ୍ ଶସ୍ତା ଅଟେ ଓ ଏହାର ବ୍ୟବହାର ମଧ୍ୟ ସେତିକି ସହଜ । ବିଦେଶର କେତେକ ଏଭଳି ଟିକା ମଧ୍ୟ ରହିଛି ଯାହାର ଗୋଟିଏ ଡୋଜ୍‌ର ମୂଲ୍ୟ 5ହଜାର ଟଙ୍କା ପର୍ଯ୍ୟନ୍ତ ଏବଂ ଯାହାକୁ ମାଇନସ୍ ୭୦ ଡିଗ୍ରୀ ତାପମାତ୍ରାରେ ଫ୍ରିଜ୍‌ରେ ରଖିବାକୁ ପଡିଥାଏ । ସେହିସ୍ଥାନରେ ଭାରତର ଟିକା ଏଭଳି ପ୍ରଯୁକ୍ତି ବିଦ୍ୟା ଦ୍ୱାରା ନିର୍ମିତ, ଯାହା ଭାରତରେ ବର୍ଷ ବର୍ଷ ଧରି ପରୀକ୍ଷା ନିରୀକ୍ଷା ଦ୍ୱାରା ପ୍ରମାଣିତ । ଏହି ଟିକା ଭଣ୍ଡାରଣଠାରୁ ନେଇ ପରିବହନ ପର୍ଯ୍ୟନ୍ତ ଭାରତୀୟ ସ୍ଥିତି ଓ ପରିସ୍ଥିତି ଅନୁକୂଳ । ଏହି ଟିକା ଏବେ ଭାରତକୁ କରୋନା ବିରୁଦ୍ଧ ଲଢେଇରେ ନିର୍ଣ୍ଣାୟକ ବିଜୟ ଆଣିଦେବ ।

ବନ୍ଧୁଗଣ,

କରୋନା ବିରୁଦ୍ଧରେ ଆମର ଲଢେଇ ଆତ୍ମବିଶ୍ୱାସ ଓ ଆତ୍ମନିର୍ଭରଶୀଳତାର ଲଢେଇ ହୋଇରହିଆସିଛି। ଏହି କଠିନ ଯୁଦ୍ଧ ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ଆମେ ଆମର ଆତ୍ମବିଶ୍ୱାସକୁ ଦୁର୍ବଳ ହେବାକୁ ଦେବୁନାହିଁ, ଏହି ପ୍ରତିଜ୍ଞା ପ୍ରତ୍ୟେକ ଭାରତୀୟଙ୍କ ନିକଟରେ ଦେଖିବାକୁ ମିଳିଛି । ବିପଦ ଯେତେ ବଡ ହେଉ ନାଁ କାହିଁକି, ଦେଶବାସୀ କେବେ ମଧ୍ୟ ଆତ୍ମବିଶ୍ୱାସ ହରାଇ ନାହାନ୍ତି । ଯେତେବେଳେ ଭାରତରେ କରୋନା ପହଂଚିଥିଲା ସେତେବେଳେ ଦେଶରେ କରୋନା ପରୀକ୍ଷା ପାଇଁ କେବଳ ଗୋଟିଏ ମାତ୍ର ପରୀକ୍ଷାଗାର ଥିଲା । ଆମେ ନିଜର ସାମର୍ଥ୍ୟ ଉପରେ ବିଶ୍ୱାସ ରଖିଥିଲୁ ଏବଂ ଆଜି ଆମ ନିକଟରେ 2300ରୁ ଅଧିକ ପରୀକ୍ଷାଗାରର ନେଟୱର୍କ ରହିଛି । ପ୍ରାରମ୍ଭରେ ତ ଆମେ ମାସ୍କ, ପିପିଇ କିଟ୍‌, ଟେଷ୍ଟିଂ କିଟ୍‌, ଭେଂଟିଲେଟର ଭଳି ଜରୁରୀ ଉପକରଣ ପାଇଁ ମଧ୍ୟ ବିଦେଶ ଉପରେ ନିର୍ଭର କରୁଥିଲୁ । ଆଜି ଏହିସବୁ ଉପକରଣର ନିର୍ମାଣରେ ଆମେ ଆତ୍ମନିର୍ଭରଶୀଳ ହୋଇଯାଇଛୁ ଏବଂ ଏସବୁର ନିର୍ମାଣ ମଧ୍ୟ କରିଚାଲିଛୁ । ଆତ୍ମବିଶ୍ୱାସ ଏବଂ ଆତ୍ମନିର୍ଭରଶୀଳତାର ଏହି ଶକ୍ତିକୁ ଟିକାକରଣର ଏହି ସମୟରେ ମଧ୍ୟ ଆମକୁ ସଶକ୍ତ କରିବାକୁ ପଡିବ ।

ବନ୍ଧୁଗଣ,

ମହାନ୍ ତେଲୁଗୁ କବି ଶ୍ରୀ ଗୁରାଜାଡା ଅପ୍ପାରାଓ କହିଥିଲେ – ସୌନ୍ତ ଲାଭଂ କୌନ୍ତ ମାନୁକୁ, ପୌରଗୁବାଡିକି ତୋଡୁ ପଡବୀୟ ଦେଶମଂଟେ ମଟ୍ଟି କାଦୋୟି, ଦେଶମଂଟେ ମନୁଷୁଲୋୟ । ଅର୍ଥାତ୍ ଆମେ ଅନ୍ୟର କାମରେ ଆସିବୁ ଏହି ନିଃସ୍ୱାର୍ଥଭାବ ଆମମାନଙ୍କ ମଧ୍ୟରେ ରହିବା ଉଚିତ୍ । ରାଷ୍ଟ୍ର କେବଳ ମାଟୀ, ପାଣି, ଗୋଡି, ପଥରରେ ତିଆରି ହୁଏନାହିଁ, ବରଂ ରାଷ୍ଟ୍ରର ଅର୍ଥ ହେଉଛି ଆମରି ଲୋକ । କରୋନା ବିରୋଧି ଲଢେଇକୁ ସମଗ୍ର ଦେଶ ଏହି ଭାବନା ଆଧାରରେ ଲଢିଛି । ଆଜି ଯେତେବେଳେ ଆମେ ଗତବର୍ଷକୁ ମନେ ପକାଉଛୁ, ତାହେଲେ, ଗୋଟିଏ ବ୍ୟକ୍ତି ରୂପରେ, ଗୋଟିଏ ପରିବାର ରୂପରେ, ଗୋଟିଏ ରାଷ୍ଟ୍ର ରୂପରେ ଆମେମାନେ ବହୁତ କିଛି ଶିକ୍ଷାଲାଭ କରିଛୁ, ବହୁତ କିଛି ଦେଖିଛୁ, ଜାଣିଛୁ, ବୁଝିଛୁ ।

ଆଜି ଭାରତ ଯେତେବେଳେ ଏହାର ଟିକାକରଣ ଅଭିଯାନ ଆରମ୍ଭ କରିବାକୁ ଯାଉଛି ସେତେବେଳେ ମୁଁ ସେହିସବୁ ଦିନକୁ ମଧ୍ୟ ସ୍ମରଣ କରୁଛି । କରୋନା ସଙ୍କଟର ସେହି କାଳଖଣ୍ଡ ଯେତେବେଳେ ପ୍ରତ୍ୟେକ ବ୍ୟକ୍ତି ଚାହୁଁଥିଲେ କିଛି କରିବା ପାଇଁ, କିନ୍ତୁ ସେଥିପାଇଁ ରାସ୍ତା ଖୋଜି ପାଉନଥିଲେ । ସାଧାରଣତଃ, ରୋଗବ୍ୟାଧି ସମୟରେ ପୁରା ପରିବାର ଅସୁସ୍ଥ ବ୍ୟକ୍ତିର ଦେଖାଶୁଣା ପାଇଁ ଏକଜୁଟ୍ ହୋଇଯାଏ । କିନ୍ତୁ ଏ ରୋଗତ ରୋଗୀକୁ ବି ଏକା କରିଦେଲା । ଅନେକ ଯାଗାରେ ଛୋଟ ଛୋଟ ଅସୁସ୍ଥ ଶିଶୁମାନଙ୍କୁ ମାଆଙ୍କଠାରୁ ଦୂରରେ ରହିବାକୁ ପଡିଲା । ମାଆ ବ୍ୟସ୍ତ ବିବ୍ରତ ରହୁଥିଲା, ମାଆ ଲୁହ ଗଡାଉଥିଲା କିନ୍ତୁ ଇଛା କରି ମଧ୍ୟ କିଛି କରିପାରୁ ନଥିଲା । ଛୁଆମାନଙ୍କୁ ନିଜର କୋଳକୁ ନେଇପାରୁନଥିଲା । କେଉଁଠି ବୟସ୍କ ପିତା, ଡାକ୍ତରଖାନାରେ ଏକା, ନିଜର ରୋଗ ବିରୁଦ୍ଧରେ ସଂଘର୍ଷ କରିବା ପାଇଁ ବାଧ୍ୟ ହେଉଥିଲା । ପିଲାମାନେ ଚାହୁଁଥିଲେ ମଧ୍ୟ ତାଙ୍କ ପାଖକୁ ଯାଇପାରୁନଥିଲେ । ଯେଉଁମାନେ ଆମକୁ ଛାଡି ଚାଲିଗଲେ, ପରମ୍ପରା ଅନୁଯାୟୀ ସେମାନଙ୍କୁ ବିଦାୟ ମଧ୍ୟ ମିଳିପାରିଲା ନାହିଁ ଯାହାର ସେମାନେ ହକଦାର୍ ଥିଲେ । ଆମେ ସେହି ସମୟ ବିଷୟରେ ଯେତେ ଭାବୁଛେ, ମନ ଶିହରି ଉଠୁଛି, ଉଦାସ ହୋଇଯାଉଛି ।

କିନ୍ତୁ ବନ୍ଧୁଗଣ,

ସଙ୍କଟର ସେହି ସମୟରେ, ନିରାଶାର ସେହି ବାତାବରଣରେ ଏହି ଆଶାର ମଧ୍ୟ ସଂଚାର ହୋଇଥିଲା । ଆମମାନଙ୍କୁ ବଂଚାଇବା ପାଇଁ ନିଜ ଜୀବନକୁ ମଧ୍ୟ ସଙ୍କଟରେ ପକାଇ ଚାଲିଥିଲେ । ଆମର ଡାକ୍ତର, ଆମର ନର୍ସ, ସ୍ୱାସ୍ଥ୍ୟ କର୍ମଚାରୀ, ଆମ୍ବୁଲାନ୍ସ ଡ୍ରାଇଭର, ଆଶାକର୍ମୀ, ସଫେଇ କର୍ମଚାରୀ, ପୁଲିସ୍ ସାଥି ଏବଂ ଅନ୍ୟାନ୍ୟ ଅଗ୍ରଣୀ ଯୋଦ୍ଧା । ସେମାନେ ମାନବତା ପ୍ରତି ନିଜ ନିଜର ଦାୟିତ୍ୱକୁ ପ୍ରାଥମିକତା ଦେଇ ଚାଲିଥିଲେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ସେତେବେଳେ ନିଜର ପିଲା, ନିଜ ପରିବାରରୁ ଦୂରରେ ରହିଲେ, ଦିନ ଦିନ ଦରି ଘରକୁ ଫେରିନଥିଲେ । ଏଭଳି ଶହ ଶହ ସାଥି ମଧ୍ୟ ଅଛନ୍ତି ଯେଉଁମାନେ ଆଉ କେବେବି ଘରକୁ ଫେରିପାରିଲେ ନାହିଁ, ଗୋଟିଏ ଗୋଟିଏ ଜୀବନ ବଞ୍ଚାଇବାଇବା ପାଇଁ ସେମାନେ ନିଜର ଜୀବନକୁ ଆହୁତି ଦେଇଦେଲେ । ଏଥିପାଇଁ ଆଜି କରୋନାର ପ୍ରଥମ ଟିକା ସ୍ୱାସ୍ଥ୍ୟସେବା ସହିତ ସଂଶ୍ଳିଷ୍ଟ ଲୋକମାନଙ୍କୁ ପ୍ରଦାନ କରି ସମାଜ ଏକପ୍ରକାର ଏହାର ଋଣ ପରିଶୋଧ କରୁଛି । ଏହି ଟିକା ସବୁ ସାଥିଙ୍କ ପ୍ରତି କୃତଜ୍ଞ ରାଷ୍ଟ୍ରର ଶ୍ରଦ୍ଧାଞ୍ଜଳି ମଧ୍ୟ ଅଟେ ।

ଭାଇ ଓ ଭଉଣୀମାନେ,

ମାନବ ଇତିହାସରେ ଅନେକ ବିପଦ ଆସିଛି, ଅନେକ ମହାମାରୀ ଆସିଛି, ଭୟଙ୍କର ଯୁଦ୍ଧ ମଧ୍ୟ ହୋଇଛି, କିନ୍ତୁ କରୋନା ଭଳି ଆହ୍ୱାନର କେହିବି କଳ୍ପନା କରିନଥିଲେ । ଏହା ଏଭଳି ଏକ ମହାମାରୀ ଥିଲା ଯାହାର ଅନୁଭବ, ନାଁ ବିଜ୍ଞାନକୁ ଥିଲା, ନାଁ ସମାଜକୁ । ବିଶ୍ୱତମାମ୍ ଦେଶରୁ ଯେଉଁସବୁ ଛବି ଆମର ହସ୍ତଗତ ହେଉଥିଲା, ଯେଉଁ ଖବର ମିଳୁଥିଲା ସେସବୁ ସମଗ୍ର ବିଶ୍ୱ ସହିତ ପ୍ରତ୍ୟେକ ଭାରତୀୟକୁ ବିଚଳିତ କରିଦେଇଥିଲା । ଏଭଳି ପରିସ୍ଥିତିରେ ବିଶ୍ୱର ବଡ ବଡ ବିଶେଷଜ୍ଞ ଭାରତକୁ ନେଇ ଅନେକ ଆଶଙ୍କା ପ୍ରକାଶ କରୁଥିଲେ ।

କିନ୍ତୁ ବନ୍ଧୁଗଣ,

ଭାରତର ଯେଉଁ ବିଶାଳ ଜନସଂଖ୍ୟାକୁ ଆମର ଦୁର୍ବଳତା ବୋଲି କୁହାଯାଉଥିଲା, ତାହାକୁ ହିଁ ଆମେ ନିଜର ଶକ୍ତି ଭାବେ ପ୍ରସ୍ତୁତ କରିଦେଲୁ । ଭାରତ ସମ୍ବେଦନଶୀଳତା ଓ ସହଭାଗୀତାକୁ ଏହି ସଂଗ୍ରାମର ଆଧାର କରିନେଲା । ଭାରତ 24 ଘଂଟା ସତର୍କ ରହିବା ସହିତ ପ୍ରତ୍ୟେକ ଘଟଣାକ୍ରମ ଉପରେ ନଜର ରଖି ଉଚିତ୍ ସମୟରେ ଉଚିତ୍ ନିର୍ଣ୍ଣୟ ନେଇଥିଲା । 30 ଜାନୁଆରୀ ଦିନ ଭାରତରେ କରୋନାର ପ୍ରଥମ ମାମଲା ଚିହ୍ନଟ ହୋଇଥିଲା । କିନ୍ତୁ ଏହାର ଦୁଇ ସପ୍ତାହ ପୂର୍ବରୁ ମଧ୍ୟ ଭାରତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିସାରିଥିଲା । ଗତବର୍ଷ ଆଜିର ଦିନ ଥିଲା ଯେଉଁଦିନ ଆମେ ବିଧିବଦ୍ଧ ଭାବେ ନିରୀକ୍ଷଣ କାର୍ଯ୍ୟ ଆରମ୍ଭ କରିଦେଇଥିଲୁ । 17 ଜାନୁଆରୀ, 2020 ସେହି ତାରିଖ ଥିଲା ଯେଉଁଦିନ ଭାରତ ଏହାର ପ୍ରଥମ ମାର୍ଗଦର୍ଶିକା ଜାରି କରିଦେଇଥିଲା । ଭାରତ ବିଶ୍ୱର ସେହିସବୁ ପ୍ରଥମ ଦେଶମଧ୍ୟରୁ ଅନ୍ୟତମ ଯିଏ ବିମାନବନ୍ଦରଗୁଡିକରେ ଯାତ୍ରୀମାନଙ୍କର ଯାନ୍ଆରମ୍ଭ କରିଦେଇଥିଲା ।

ବନ୍ଧୁଗଣ,

କରୋନା ବିରୋଧି ସଂଗ୍ରାମରେ ଭାରତ ଯେଉଁ ଇଛାଶକ୍ତି ପ୍ରଦର୍ଶନ କରିଛି, ଯେଭଳି ସାହସ ଦେଖାଇଛି, ଯେଉଁ ସାମୁହିକ ଶକ୍ତିର ପରିଚୟ ପ୍ରଦାନ କରିଛି, ସେସବୁ ଆଗାମୀ ବହୁ ପିଢୀକୁ ପ୍ରେରଣା ଯୋଗାଇବ । ମନେପକାନ୍ତୁ, ଜନତା କର୍ଫ୍ୟୁ, କରୋନା ବିରୁଦ୍ଧରେ ଆମ ସମାଜର ସଂଯମ ଓ ଅନୁଶାସନର ମଧ୍ୟ ପରୀକ୍ଷା ଥିଲା, ଯେଉଁଥିରେ ପ୍ରତ୍ୟେକ ଦେଶବାସୀ ସଫଳ ହୋଇଛନ୍ତି । ଜନତା କର୍ଫ୍ୟୁ ଦେଶକୁ ମନସ୍ତାତ୍ୱିକ ରୂପରେ ଲକ୍‌ଡାଉନ୍ ପାଇଁ ପ୍ରସ୍ତୁତ କରାଇଲା । ଆମେମାନେ ତାଳି-ଥାଳି ଆଉ ଦୀପ ଜଳାଇ ଦେଶର ଆତ୍ମବିଶ୍ୱାସକୁ ଉଚ୍ଚ ରଖିପାରିଥିଲୁ ।

ବନ୍ଧୁଗଣ,

କରୋନା ଭଳି ଅଜ୍ଞାତ ଶତ୍ରୁ, ଯାହାର କ୍ରିୟା-ପ୍ରତିକ୍ରିୟାକୁ ବଡ ବଡ ସାମର୍ଥ୍ୟବାନ୍ ଦେଶ କଳନା କରିପାରୁନଥିଲେ, ତାହାର ସଂକ୍ରମଣକୁ ରୋକିବା ପାଇଁ ସବୁଠାରୁ ପ୍ରଭାବଶାଳୀ ମାର୍ଗ ଏହା ଥିଲା ଯେ ଯିଏ ଯେଉଁଠି ଅଛନ୍ତି, ସେଇଠି ରୁହନ୍ତୁ । ଏଥିପାଇଁ ଦେଶରେ ଲକ୍‌ଡାଉନ୍‌ର ନିଷ୍ପତି ମଧ୍ୟ ନିଆଗଲା । ଏହି ନିଷ୍ପତି ସହଜ ନଥିଲା । ଏତେବଡ ଜନସଂଖ୍ୟାକୁ ଘର ଭିତରେ ରଖିବା ଅସମ୍ଭବ, ଏକଥା ଆମେ ହୃଦୟଙ୍ଗମ କରିଥିଲୁ । ଏବଂ ଏଠିତ ଦେଶରେ ସବୁକିଛି ବନ୍ଦ ହେବାକୁ ଯାଉଥିଲା, ଲକ୍‌ଡାଉନ୍ ହେବାକୁ ଯାଉଥିଲା । ଏହାର ଲୋକମାନଙ୍କ ଜୀବନ ଜୀବିକା ଉପରେ କ’ଣ ପ୍ରଭାବ ପଡିବ, ଅର୍ଥ ବ୍ୟବସ୍ଥା ଉପରେ କ’ଣ ପ୍ରଭାବ ପଡିବ ସେ ସମ୍ପର୍କରେ ଆକଳନ ମଧ୍ୟ ଆମ ପାଖରେ ଥିଲା । କିନ୍ତୁ ଏହି ଦେଶରେ “ଜୀବନ ଅଛିତ, ଦୁନିଆ ଅଛି”ର ମନ୍ତ୍ରରେ ଅଗ୍ରସର ହୋଇ ପ୍ରତ୍ୟେକ ଭାରତୀୟର ଜୀବନ ବଂଚାଇବାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଗଲା । ଏବଂ ଆମେ ସମସ୍ତେ ଏହା ଦେଖିଲୁ ଯେ କିଭଳି ଖୁବ ଶୀଘ୍ର ସମଗ୍ର ଦେଶ, ସମ୍ପୁର୍ଣ୍ଣ ସମାଜ ଏହି ଭାବନା ସହିତ ଏକଜୁଟ୍ ହୋଇଗଲା । ଅନେକଥର ଛୋଟ ଛୋଟ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ସୂଚନା ଦେବାପାଇଁ ମୁଁ ମଧ୍ୟ ବହୁତଥର ଦେଶବାସୀଙ୍କ ସହିତ ସିଧାସଳଖ କଥାବାର୍ତା ହୋଇଛି । ଗୋଟିଏ ପଟରେ ଯେଉଁଠି ଗରିବମାନଙ୍କ ପାଇଁ ଭୋଜନର ବ୍ୟବସ୍ଥା କରାଗଲା, ଅନ୍ୟପକ୍ଷରେ ଦୁଗ୍ଧ, ପନିପରିବା, ସଉଦାପତ୍ର, ଗ୍ୟାସ୍‌, ଔଷଧପତ୍ର, ଏଭଳି ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ମଧ୍ୟ ସୁନିଶ୍ଚିତ କରାଗଲା । ଦେଶରେ ବ୍ୟବସ୍ଥା ସୂଚାରୁରୂପେ ଚାଲୁ, ଏଥିପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ୨୪ଘଂଟିଆ ନିୟନ୍ତ୍ରଣ କକ୍ଷ ଆରମ୍ଭ କଲା, ଯେଉଁଠି ହଜାର ହଜାର କଲ୍‌ର ଉତର ଦିଆଗଲା, ଜନସାଧାରଣଙ୍କୁ ସମାଧାନ ମଧ୍ୟ ଦିଆଗଲା ।

ବନ୍ଧୁଗଣ,

କରୋନା ବିରୁଦ୍ଧରେ ଏହି ସଂଗ୍ରାମରେ ଆମେମାନେ ପ୍ରତିଟି ପାଦରେ ଦୁନିଆ ଆଗରେ ଉଦାହରଣ ପ୍ରସ୍ତୁତ କରିଛୁ । ଏଭଳି ସମୟରେ ଯେତେବେଳେ କିଛି ଦେଶ ନିଜର ନାଗରିକମାନଙ୍କୁ ଚୀନ୍‌ରେ ବଢିଚାଲିଥିବା କରୋନା ଭିତରେ ଛାଡିଦେଇଥିଲା, ସେତେବେଳେ ଭାରତ, ଚୀନ୍‌ରେ ଫସି ରହିଥିବା ପ୍ରତ୍ୟେକ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିଥିଲା । ଏବଂ କେବଳ ଭାରତର ନୁହେଁ, ଆମେମାନେ ଅନ୍ୟାନ୍ୟ ଦେଶର ନାଗରିକଙ୍କୁ ମଧ୍ୟ ସେଠାରୁ ବାହାର କରି ଆଣିଥିଲୁ । କରୋନା ସମୟରେ ବନ୍ଦେ ଭାରତ ମିଶନ୍ ଅଧିନରେ 45 ଲକ୍ଷରୁ ଅଧିକ ଭାରତୀୟଙ୍କୁ ବିଦେଶରୁ ଭାରତ ଅଣାଯାଇଥିଲା । ମୋର ମନେଅଛି, ଗୋଟିଏ ଦେଶରେ ଯେତେବେଳେ ଭାରତୀୟମାନଙ୍କୁ ପରୀକ୍ଷା କରାଇବା ପାଇଁ ମେସିନ୍‌ର ଅଭାବ ଥିଲା ସେତେବେଳେ ଭାରତ ସମ୍ପୁର୍ଣ୍ଣ ପରୀକ୍ଷାଗାରକୁ ସେଠାକୁ ପଠାଇଥିଲା, ଯାହାଫଳରେ ସେଠାରୁ ଭାରତକୁ ଫେରୁଥିବା ଲୋକମାନଙ୍କର ପରୀକ୍ଷଣରେ କୌଣସି ଅସୁବିଧା ନହୁଏ ।

 

ବନ୍ଧୁଗଣ,

ଭାରତ ଏହି ମହାମାରୀର ଯେଉଁଭଳି ଭାବରେ ମୁକାବିଲା କରିଛି, ଆଜି ସମଗ୍ର ବିଶ୍ୱ ତାକୁ ଶକ୍ତ ଉଦାହରଣ ଭାବେ ସ୍ୱୀକାର କରିଛି । କେନ୍ଦ୍ର ଓ ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ, ପ୍ରତ୍ୟେକ ସରକାରୀ ସଂସ୍ଥା, ସାମାଜିକ ଅନୁଷ୍ଠାନ କିଭଳି ଏକଜୁଟ୍ ହୋଇ କାମ କରିପାରନ୍ତି ତାହାର ଉଦାହରଣ ମଧ୍ୟ ଭାରତ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିଥିଲା । ଇସ୍ରୋ, ଡିଆର୍‌ଡିଓ, ସେନାଠାରୁ ଆରମ୍ଭ କରି କୃଷକ ଓ ଶ୍ରମିକ ପର୍ଯ୍ୟନ୍ତ ସମସ୍ତେ କିଭଳି ଗୋଟିଏ ସଙ୍କଳ୍ପ ସହିତ କାମ କରିପାରନ୍ତି, ଭାରତ ତାହା ଦେଖାଇ ଦେଇଛି । ‘ଦୁଇ ଗଜର ଦୁରତା ଏବଂ ମାସ୍କ ଅଟେ ଜରୁରୀ’ ଏହା ଉପରେ ଗୁରୁତ୍ୱ ପ୍ରଦାନ କରିବାରେ ମଧ୍ୟ ଭାରତ ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ଅନ୍ୟତମ।

ଭାଇ ଓ ଭଉଣୀମାନେ,

ଏହିସବୁ ପ୍ରୟାସରୁ ଆଜି ଏହି ପରିଣାମ ମିଳିଛି ଯେ ଏବେ ଭାରତରେ କରୋନାଜନିତ ମୃତ୍ୟୁସଂଖ୍ୟା କମ୍ ରହିବା ସହିତ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି । ଦେଶରେ ଏମିତି ଅନେକ ଜିଲ୍ଲା ରହିଛି ଯେଉଁଠାରେ ଆମକୁ କରୋନା ପାଇଁ ଗୋଟିଏ ମଧ୍ୟ ବ୍ୟକ୍ତିଙ୍କୁ ହରାଇବାକୁ ପଡିନି । ଏହିସବୁ ଜିଲ୍ଲାରେ ପ୍ରତ୍ୟେକ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇ ଘରେ ପହଂଚିଛନ୍ତି । ଆହୁରି ମଧ୍ୟ ଏଭଳି ବହୁତ୍ ଜିଲ୍ଲା ରହିଛି, ଯେଉଁଠି ଗତ ଦୁଇ ସପ୍ତାହ ମଧ୍ୟରେ କରୋନା ସଂକ୍ରମଣର ଗୋଟିଏ ମଧ୍ୟ ମାମଲା ସାମ୍‌ନାକୁ ଆସିନାହିଁ । ଏପରିକି ଲକ୍‌ଡାଉନ୍ ଦ୍ୱାରା ପ୍ରଭାବିତ ଅର୍ଥ ବ୍ୟବସ୍ଥାର ପୁନରୁଦ୍ଧାର କ୍ଷେତ୍ରରେ ମଧ୍ୟ ଭାରତ ସମଗ୍ର ବିଶ୍ୱରେ ଆଗକୁ ବଢିବା ଆରମ୍ଭ କରିଛି । ଭାରତ ଏବେ ମୁଷ୍ଟିମେୟ ଦେଶଙ୍କ ମଧ୍ୟରେ ରହିଛି ଯାହା ସଙ୍କଟ ସତ୍ୱେ ଦୁନିଆର ୧୫୦ରୁ ଅଧିକ ଦେଶକୁ ଜରୁରୀ ଔଷଧପତ୍ର ଓ ଡାକ୍ତରୀ ସହାୟତା ପହଂଚାଇଛି । ପାରାସିଟାମଲ୍ ହେଉ, ହାଇଡ୍ରୋକ୍ସି-କ୍ଲୋରୋକୋଇନ୍ ହେଉ, ପରୀକ୍ଷା ସମ୍ବନ୍ଧୀତ ଉପକରଣ ହେଉ, ଭାରତ ଅନ୍ୟ ଦେଶର ଲୋକମାନଙ୍କ ଜୀବନ ବଂଚାଇବା ପାଇଁ ଯଥାସମ୍ଭବ ପ୍ରୟାସ କରିଛି । ଆଜି ଯେତେବେଳେ ଆମେ ନିଜର ଟିକା ପ୍ରସ୍ତୁତ କରିସାରିଛୁ, ସେତେବେଳେ ମଧ୍ୟ ଭାରତ ଆଡକୁ ସମଗ୍ର ବିଶ୍ୱ ଆଶା ଓ ଭରସାର ଦୃଷ୍ଟିରେ ଦେଖୁଛି । ଆମର ଟିକାକରଣ ଅଭିଯାନ ଯେପରି ଯେପରି ଆଗକୁ ବଢିବ, ସାରା ବିଶ୍ୱକୁ ଆମ ଅନୁଭବର ସୁଫଳ ମିଳିବା ଆରମ୍ଭ ହେବ । ଭାରତର ଟିକା, ଆମର ଉତ୍ପାଦନ କ୍ଷମତା, ସମଗ୍ର ମାନବତାର ସ୍ୱାର୍ଥ ପାଇଁ କାମରେ ଆସୁ, ଏହା ଆମର ପ୍ରତିଶୃତିବଦ୍ଧତା ।

ଭାଇ ଓ ଭଉଣୀମାନେ,

ଏହି ଟିକାକରଣ ଅଭିଯାନ ଏବେ ଦୀର୍ଘ ସମୟ ଧରି ଚାଲିବ । ପ୍ରତ୍ୟେକ ବ୍ୟକ୍ତିର ଜୀବନ ବଞ୍ଚାଇବା ପାଇଁ ଯୋଗଦାନ ଦେବା ସକାଶେ ଆମକୁ ସୁଯୋଗ ମିଳିଛି । ଏଥିପାଇଁ ଏହି ଅଭିଯାନ ସହିତ ଜଡିତ ପ୍ରକ୍ରିୟାଗୁଡିକ, ଏହି ପ୍ରକ୍ରିୟାର ଅଂଶ ହେବା ପାଇଁ ମଧ୍ୟ ସମଗ୍ର ଦେଶରେ ସ୍ୱେଚ୍ଛାସେବୀମାନେ ଆଗକୁ ଆସୁଛନ୍ତି । ମୁଁ ସେମାନଙ୍କୁ ସ୍ୱାଗତ କରୁଛି । ଆହୁରି ମଧ୍ୟ ଅଧିକ ସ୍ୱେଚ୍ଛାସେବୀଙ୍କୁ ଏବେ ଏହି ସେବାକାର୍ଯ୍ୟରେ ସାମିଲ ହେବା ପାଇଁ ମୁଁ ନଶ୍ଚୟ ଆଶା କରିବି । ହଁ, ଯେମିତି ମୁଁ ଆଗରୁ କହିଛି, ମାସ୍କ, ଦୁଇ ଗଜର ଦୂରତ୍ୱ ଏବଂ ପରିଷ୍କାର ପରିଛନ୍ନତା, ଏସବୁ ଟିକାକରଣ ସମୟରେ ଏବଂ ଏହା ପରେ ମଧ୍ୟ ଜରୁରି ହୋଇ ରହିବ । ଟିକା ଲାଗିଗଲା ତ ଏହାର ଅର୍ଥ ଏହା ନୁହେଁ ଯେ ଆପଣମାନେ କରୋନାରୁ ସୁରକ୍ଷିତ ରହିବା ପାଇଁ ଅନ୍ୟସବୁ ଉପାୟ ଛାଡିଦେବେ। ଏବେ ଆମକୁ ନୂଆ ଶପଥ ନେବାକୁ ପଡିବ - ଦବାଇ ଭି, କଡାଇ ଭି । ଆପଣମାନେ ସମସ୍ତେ ସୁସ୍ଥ ରୁହନ୍ତୁ ଏହି କାମନା ସହିତ ଏହି ଟିକାକରଣ ଅଭିଯାନ ପାଇଁ ସମଗ୍ର ଦେଶକୁ ଅନେକ ଅନେକ ଶୁଭକାମନା ଦେଉଛି! ଦେଶର ବୈଜ୍ଞାନିକମାନଙ୍କର, ଗବେଷକମାନଙ୍କର, ପରୀକ୍ଷାଗାରରେ ଜଡିତ ପ୍ରତ୍ୟେକ ଲୋକଙ୍କର ଯେଉଁମାନେ ପୁରାବର୍ଷ ତପସ୍ୱୀଙ୍କ ଭଳି ନିଜ ପରୀକ୍ଷାଗାରରେ ପୂରା ଜୀବନ ବିତାଇ ଏହି ପ୍ରତିଷେଧକକୁ ଦେଶ ଏବଂ ମାନବତାକୁ ପ୍ରଦାନ କରିଛନ୍ତି । ମୁଁ ସେମାନଙ୍କୁ ମଧ୍ୟ ବିଶେଷଭାବେ ଅଭିନନ୍ଦନ ଜଣାଉଛି, କୃତଜ୍ଞତା ଜଣାଉଛି । ମୋର ଆପଣମାନଙ୍କୁ ଅନେକ ଅନେକ ଶୁଭକାମନା । ଆପଣମାନେ ଖୁବଶୀଘ୍ର ଏହାର ଲାଭ ଉଠାନ୍ତୁ । ଆପଣ ମଧ୍ୟ ସୁସ୍ଥ ରୁହନ୍ତୁ, ଆପଣଙ୍କ ପରିବାର ମଧ୍ୟ ସୁସ୍ଥ ରହୁ । ସମ୍ପୁର୍ଣ୍ଣ ମାନବଜାତି ଏହି ସଙ୍କଟର ଘଡିରୁ ବାହାରି ଆସୁ ଏବଂ ଆମ ସମସ୍ତଙ୍କୁ ସୁସ୍ଥତା ପ୍ରାପ୍ତି ହେଉ, ଏହି କାମନା ସହିତ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony

Media Coverage

Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony
NM on the go

Nm on the go

Always be the first to hear from the PM. Get the App Now!
...
PM Modi calls upon people to celebrate National Handloom Day by showcasing India's rich handloom heritage
August 06, 2026

The Prime Minister, Shri Narendra Modi, has called upon citizens to celebrate National Handloom Day on 7th August by promoting India's rich and diverse handloom traditions.

“Share your videos with your favourite handloom products, including GRWM videos on social media”, Shri Modi said.

Shri Modi posted on X;

Tomorrow, 7th August is National Handloom Day. Let’s make India’s handloom diversity popular.

Share your videos with your favourite handloom products, including GRWM videos on social media.

Don’t forget to use #NationalHandloomDay.