India to become global hub for Artificial Intelligence: PM
National Programme on AI will be used for solving the problems of society: PM

ଭାରତ ଓ ବିଦେଶରୁ ଆସିଥିବା ମାନ୍ୟଗଣ୍ୟ ସମ୍ମାନିତ ଅତିଥିଗଣ, ନମସ୍ତେ!

ଆପଣମାନଙ୍କୁ ଆରଏଆଇଏସଇ–ଉତ୍ତରଦାୟୀ ଏଆଇ ସାମାଜିକ ସଶକ୍ତିକରଣ ସମ୍ମିଳନୀକୁ ସ୍ୱାଗତ କରୁଛି । କୃତ୍ରିମ ବୁଦ୍ଧିମତା (ଏଆଇ) ସମ୍ପର୍କରେ ଆଲୋଚନା ଉଦ୍ଦେଶ୍ୟରେ ଆୟୋଜିତ ଏହି ଉଦ୍ୟମ ବେଶ ପ୍ରଶଂସନୀୟ । ମାନବ ସଶକ୍ତିକରଣ ଓ ପ୍ରଯୁକ୍ତି ସହ ଜଡିତ ବିଭିନ୍ନ ଦିଗ ଉପରେ ଆପଣମାନେ ଆଲୋକପାତ କରିଛନ୍ତି । ପ୍ରଯୁକ୍ତି କର୍ମସ୍ଥଳୀରେ ଆମୂଳଚୁଳ ପରିବର୍ତ୍ତନ ଆଣିପାରିଛି । ଏହାଦ୍ୱାରା ସଂଯୋଗୀକରଣ ବଢିଛି । ପ୍ରମୁଖ ସମସ୍ୟାଗୁଡିକୁ ସମାଧାନ କରିବାରେ ପ୍ରଯୁକ୍ତି ଆମକୁ ଲଗାତର ସାହାଯ୍ୟ କରିଆସୁଛି । ସାମାଜିକ ଉତ୍ତରଦାୟିତ୍ୱ ସହ କୃତ୍ରିମ ବୁଦ୍ଧିମତା (ଏଆଇ)ର ମିଶ୍ରଣ ଓ ମାନବୀୟ ସ୍ପର୍ଶ ଦ୍ୱାରା ଏଆଇ ସମୃଦ୍ଧ ହେବା ନେଇ ମୁଁ ନିଶ୍ଚିତ ।

ବନ୍ଧୁଗଣ,

କୃତ୍ରିମ ବୁଦ୍ଧିମତା ମାନବୀୟ ବୌଦ୍ଧିକ ଶକ୍ତିର ଉପହାର । ଚିନ୍ତା କରିବାର ଶକ୍ତି ଯୋଗୁଁ ମାନବ ବିଭିନ୍ନ ପ୍ରକାର ଉପକରଣ ଓ ପ୍ରଯୁକ୍ତି ବିକାଶ କରିପାରିଛି । ବର୍ତ୍ତମାନ ଏହି ଉପକରଣ ଓ ପ୍ରଯୁକ୍ତିଗୁଡିକ ଜାଣିବା ତଥା ଚିନ୍ତା କରିବାର ଶକ୍ତି ମଧ୍ୟ ହାସଲ କରି ସାରିଲେଣି ! ଏଥି ମଧ୍ୟରୁ ବେଶୀ ଚର୍ଚ୍ଚିତ ହୋଇଛି ଏଆଇ । ମାନବ ଓ ଏଆଇ ଏକାଠି ହୋଇ କାମ କଲେ ପୃଥିବୀ ବେଶ ଲାଭବାନ ହେବ ।

ବନ୍ଧୁଗଣ,

ଇତିହାସର ପ୍ରତିଟି ପଦକ୍ଷେପରେ ଜ୍ଞାନ ଓ ଶିକ୍ଷାରେ ଭାରତ ବିଶ୍ୱରେ ନେତୃତ୍ୱ ଦେଇଆସିଛି । ଆଜିର ସୂଚନା ପ୍ରଯୁକ୍ତି ଯୁଗରେ ଭାରତର ଆଖିଦୃଶିଆ ଅବଦାନ ରହିଛି । ପ୍ରଯୁକ୍ତି କ୍ଷେତ୍ରରେ କିଛି ଭାରତୀୟ ପ୍ରଯୁକ୍ତିବିତ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ବିଶ୍ୱ ସୂଚନା ପ୍ରଯୁକ୍ତି ଶିଳ୍ପ ଜଗତରେ ଭାରତ ନିଜକୁ ଶକ୍ତିକେନ୍ଦ୍ର ଭାବେ ଗଢି ତୋଳିଛି । ଆମେ ପ୍ରଯୁକ୍ତି କ୍ଷେତ୍ରରେ ଆଗେଇ ଚାଲିବା ଓ ବିଶ୍ୱକୁ ଆନନ୍ଦ ପ୍ରଦାନ କରିବା ।

ବନ୍ଧୁଗଣ,

ଭାରତରେ ଆମେ ଅନୁଭବ କରିଛୁ ଯେ, ପ୍ରଯୁକ୍ତି ଦ୍ୱାରା ପାରଦର୍ଶିତା ବଢିଛି ଓ ସେବା ପ୍ରଦାନ ସହଜ ହୋଇଛି । ଆମ ଦେଶରେ ବିଶ୍ୱର ସବୁଠାରୁ ବଡ ବ୍ୟକ୍ତିଗତ ପରିଚୟପତ୍ର ବ୍ୟବସ୍ଥା– ଆଧାର ରହିଛି । ସେହିପରି ଆମ ଦେଶରେ ନିଆରା ଡିଜିଟାଲ ଦେୟ ପ୍ରଦାନ ବ୍ୟବସ୍ଥା– ୟୁପିଆଇ ରହିଛି । ଏହାଦ୍ୱାରା ଡିଜିଟାଲ ସେବା ବ୍ୟବହାର କରାଯାଇ ପାରୁଛି । ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ସିଧାସଳଖ ନଗଦ ସ୍ଥାନାନ୍ତରଣ ଭଳି ଆର୍ଥିକ ସେବା ପ୍ରଦାନ କରାଯାଇପାରୁଛି । ମହାମାରୀ ପରିସ୍ଥିତି ବେଳେ କିପରି ଭାରତର ଡିଜିଟାଲ ପ୍ରସ୍ତୁତି ସାହାଯ୍ୟ କଲା ତାହା ଆମେ ଦେଖିପାରିଲୁ । ତ୍ୱରିତ ଓ ଦକ୍ଷତାର ସହ ଲୋକଙ୍କ ପାଖରେ ପହଂଚି ସାହାଯ୍ୟ କଲୁ । ଭାରତ ଏହାର ଅପ୍ଟିକାଲ ଫାଇବର ନେଟୱର୍କ ବୃଦ୍ଧି କରିଚାଲିଛି । ପ୍ରତି ଗାଁକୁ ହାଇସ୍ପିଡ ଇଣ୍ଟରନେଟ ଯୋଗାଇବା ଏହାର ଲକ୍ଷ୍ୟ ।

ବନ୍ଧୁଗଣ,

ଆମେ ଭାରତକୁ ଏଆଇ ଗ୍ଲୋବାଲ ହବରେ ପରିଣତ କରିବାକୁ ଚାହୁଁ । ବହୁ ଭାରତୀୟ ଏ ଦିଗରେ କାମ କରୁଛନ୍ତି । ଆଗାମୀ ଦିନରେ ଆହୁରି ଅନେକେ ଏଥିରେ ଭାଗ ନେବେ ବୋଲି ମୋର ଆଶା । ଆମ ଆଭିମୁଖ୍ୟ ଦଳଗତ ଉଦ୍ୟମ, ବିଶ୍ୱାସ, ସହଯୋଗ, ଉତ୍ତରଦାୟିତ୍ୱ ଓ ଅର୍ନ୍ତଭୁକ୍ତି ଭଳି ସିଦ୍ଧାନ୍ତ ଦ୍ୱାରା ପ୍ରଭାବିତ ।

ବନ୍ଧୁଗଣ,

ଭାରତ ନିକଟରେ ଜାତୀୟ ଶିକ୍ଷା ନୀତି 2020 ଆପଣାଇଛି । ଏଥିରେ ପ୍ରଯୁକ୍ତିଭିତ୍ତିକ ଶିକ୍ଷା ଓ ଦକ୍ଷତା ବିକାଶକୁ ପ୍ରାଥମିକତା ଦିଆଯାଇଛି । ବିଭିନ୍ନ ଆଂଚଳିକ ଭାଷା ଓ ଲିପିରେ ଇ–ପାଠ୍ୟକ୍ରମ ବିକଶିତ କରାଯିବ । ଏ ସମସ୍ତ ଉଦ୍ୟମ ଏଆଇ ମଂଚର ନ୍ୟାସନାଲ ଲାଙ୍ଗୁଏଜ ପ୍ରୋସେସିଂ (ଏନଏଲପି) ଦ୍ୱାରା ଲାଭାନ୍ୱିତ ହେବ । ଚଳିତ ବର୍ଷ ଏପ୍ରିଲରେ ଆମେ ଯୁବ କାର୍ଯ୍ୟକ୍ରମ ପାଇଁ ଉତ୍ତରଦାୟୀ ଏଆଇ ଆରମ୍ଭ କରିଛୁ । ଏହି କାର୍ଯ୍ୟକ୍ରମ ଅଧୀନରେ 11 ହଜାରରୁ ଅଧିକ ସ୍କୁଲ ଛାତ୍ରଛାତ୍ରୀ ମୌଳିକ ଶିକ୍ଷା ଲାଭ କରି ପାରିଛନ୍ତି । ସେମାନେ ଏବେ ଏଆଇ ପ୍ରୋଜେକ୍ଟ ନିର୍ମାଣ କରୁଛନ୍ତି ।

ବନ୍ଧୁଗଣ,

ଜାତୀୟ ବୈଷୟିକ ଶିକ୍ଷା ମଂଚ (ଏନଇଟିଏଫ) ଗଠନ କରାଯାଇଛି । ଡିଜିଟାଲ ଭିତ୍ତିଭୂମି, ଡିଜିଟାଲ ବିଷୟବସ୍ତୁ ଓ ଦକ୍ଷତା ବିକାଶ ପାଇଁ ଏହା ଇ–ଏଜୁକେଶନ ୟୁନିଟ ଗଠନ କରିବ । ନବାଚାର ଓ ଉଦ୍ୟୋଗୀ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ପାଇଁ ଆମେ ଅଟଳ ଇନୋଭେସନ ମିଶନ ଆରମ୍ଭ କରିଛୁ । ଏସବୁ ପଦକ୍ଷେପ ମାଧ୍ୟମରେ ଲୋକଙ୍କ ଉପକାର ପାଇଁ ନୂତନ ପ୍ରଯୁକ୍ତି ସହ ତାଳ ଦେବା ଆମର ଲକ୍ଷ୍ୟ । 

ବନ୍ଧୁଗଣ,

କୃତ୍ରିମ ବୁଦ୍ଧିମତା ଉପରେ ଜାତୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଉଲ୍ଲେଖ କରିବାକୁ ଚାହୁଁଛି । ସମାଜର ସମସ୍ୟା ସମାଧାନ ପାଇଁ ଏଆଇର ଉପଯୁକ୍ତ ବ୍ୟବହାର ପାଇଁ ଏହାକୁ ଉତ୍ସର୍ଗ କରାଯିବ । ସମସ୍ତ ଅଂଶୀଦାରଙ୍କ ସହାୟତାରେ ଏହାର କାର୍ଯ୍ୟାନ୍ୱୟନ ହେବ । ଏ ସମ୍ପର୍କରେ ବିଚାର ବିମର୍ଷ ପାଇଁ ଆରଏଆଇଏସଇ ଏକ ମଂଚ ହେବ । ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ ପାଇଁ ମୁଁ ଆପଣମାନଙ୍କୁ ଆମନ୍ତ୍ରଣ ଜଣାଉଛି ।

ବନ୍ଧୁଗଣ,

ଉପସ୍ଥିତ ଶ୍ରୋତାଙ୍କ ନିକଟରେ କିଛି ପ୍ରଶ୍ନ ଉତଥାପିତ କରିବାକୁ ଚାହୁଁଛି । ନିଜର ସମ୍ପତି ଓ ସମ୍ବଳର ସର୍ବୋତମ ପ୍ରବନ୍ଧନ ପାଇଁ ଆମେ ଏଆଇ ବ୍ୟବହାର କରିପାରିବା କି ? କିଛି ସ୍ଥାନରେ ସମ୍ବଳ ବ୍ୟବହାର ହୋଇ ପାରୁନାହିଁ । କେତେକ ସ୍ଥାନରେ ସମ୍ବଳର ଅଭାବ ରହିଛି । ଆମେ ସେଗୁଡିକର ସର୍ବୋତମ ବ୍ୟବହାର ପାଇଁ ଗତିଶୀଳ ସ୍ଥାନାନ୍ତରଣ କରିପାରିବା କି ? ନିଜ ନାଗରିକମାନଙ୍କୁ ସେମାନଙ୍କ ଘରେ ଆମେ ସକ୍ରିୟ ଓ ତ୍ୱରିତ ସେବା ଯୋଗାଇ ପାରିବା କି ?

ବନ୍ଧୁଗଣ,

ଭବିଷ୍ୟତ ଯୁବପିଢିଙ୍କ ପାଇଁ । ପ୍ରତ୍ୟେକ ଯୁବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ପ୍ରତି ଶିଶୁର ନିଆରା ପ୍ରତିଭା, ଦକ୍ଷତା ଓ କୁଶଳତା ରହିଛି । ବେଳେବେଳେ ଠିକ ଲୋକ ଭୁଲ ସ୍ଥାନରେ ପହଁଚି ଯାଇଥାନ୍ତି । ଆମେ ଏହାକୁ ବଦଳାଇ ପାରିବା । ବଡ ହେବା ସମୟରେ ପିଲାଟି ନିଜକୁ କିପରି ଦେଖୁଛି ? ଅଭିଭାବକ, ଶିକ୍ଷକ ଓ ବନ୍ଧୁମାନେ ଦାୟିତ୍ୱସମ୍ପନ୍ନ ଭାବେ ପିଲାଙ୍କୁ ନିରୀକ୍ଷଣ କରିପାରିବେ କି ? ପିଲାବେଳୁ କୈଶୋରାବସ୍ଥା ଆରମ୍ଭ ପର୍ଯ୍ୟନ୍ତ ନିରୀକ୍ଷଣ କରନ୍ତୁ । ସେମାନଙ୍କ ରେକର୍ଡ ରଖାଯାଉ । ପିଲାଟିକୁ ନିଜ ପ୍ରାକୃତିକ ଆହ୍ୱାନ ଖୋଜି ପାଇବାରେ ଏହା ଅନେକାଂଶରେ ସାହାଯ୍ୟ କରିବ । ପ୍ରତ୍ୟେକ ଯୁବକ/ଯୁବତୀଙ୍କ ପାଇଁ ଏହି ନୀରିକ୍ଷଣ ବେଶ ପ୍ରଭାବଶାଳୀ ମାର୍ଗଦର୍ଶକ ଶକ୍ତି ସାଜିବ । ପ୍ରତ୍ୟେକ ଶିଶୁର କୌଶଳ ସମ୍ପର୍କରେ ବିଶ୍ଳେଷଣାତ୍ମକ ରିପୋର୍ଟ ପ୍ରସ୍ତୁତ ପାଇଁ ଆମେ କୌଣସି ବ୍ୟବସ୍ଥା କରିପାରିବା କି ? ଏହା ବହୁ ପିଲାଙ୍କ ପାଇଁ ସୁଯୋଗର ଦ୍ୱାର ଉନ୍ମୁକ୍ତ କରିପାରିବ । ଏଭଳି ମାନବ ସମ୍ବଳ ରେଖାଙ୍କନର ଦୀର୍ଘସ୍ଥାୟୀ ଲାଭ ସରକାର ଓ ବ୍ୟବସାୟ ଜଗତ ଉଠାଇ ପାରିବ ।

ବନ୍ଧୁଗଣ,

କୃଷି ଓ ସ୍ୱାସ୍ଥ୍ୟ ସେବା ସଶକ୍ତିକରଣରେ ଏଆଇର ବେଶ ବଡ ଭୂମିକା ରହିଥିବା ଦେଖିପାରୁଛି । ଆଗାମୀ ପିଢିର ସହରୀ ଭିତ୍ତିଭୂମି ସୃଷ୍ଟି ଓ ଟ୍ରାଫିକ ଜାମ ଭଳି ସହରୀ ସମସ୍ୟା କମାଇବାରେ ଏଆଇର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସିୱେଜ ପ୍ରଣାଳୀ ଓ ବିଦ୍ୟୁତ ଗ୍ରିଡ ବ୍ୟବସ୍ଥା ଉନ୍ନତ ହୋଇପାରିବ । ଆମ ବିପର୍ଯ୍ୟୟ ପ୍ରବନ୍ଧନ ବ୍ୟବସ୍ଥାକୁ ଏହା ଦୃଢୀଭୂତ କରିପାରିବ । ପରିବେଶ ପରିବର୍ତ୍ତନ ଜନିତ ସମସ୍ୟା ମଧ୍ୟ ଏହା ସମାଧାନ କରିପାରିବ ।

ବନ୍ଧୁଗଣ,

ପୃଥିବୀରେ ଅନେକ ପ୍ରକାର ଭାଷା ରହିଛି । ଭାରତରେ ଅନେକ ଭାଷା ଓ ଲିପି ରହିଛି । ଏହି ବିବିଧତା ହିଁ ଆମ ସମାଜକୁ ଉନ୍ନତ କରିଛି । ଏଆଇ ବ୍ୟବହାର କରି ଭାଷାର ପ୍ରତିବନ୍ଧକ ଦୂରେଇବାକୁ ପ୍ରଫେସର ରାଜ ରେଡ୍ଡି ପରାମର୍ଶ ଦେଇଛନ୍ତି । ଏଆଇ ମାଧ୍ୟମରେ ଦିବ୍ୟାଙ୍ଗ ଭାଇ ଓ ଭଉଣୀମାନଙ୍କର ସରଳ ଓ ସଫଳତାର ସହ ସଶକ୍ତିକରଣ ସମ୍ପର୍କରେ ଆସନ୍ତୁ ଚିନ୍ତା କରିବା ।

ବନ୍ଧୁଗଣ,

ଜ୍ଞାନ ବାଣ୍ଟିବାରେ ଆମେ ଏଆଇ କାହିଁକି ବ୍ୟବହାର କରିପାରିବା ନାହିଁ ? ଜ୍ଞାନ, ସୂଚନା ଓ କୌଶଳକୁ ସହଜଲଭ୍ୟ କରି ସଶକ୍ତିକରଣ ହାସଲ କରା ଯାଇପାରିବ ।

ବନ୍ଧୁଗଣ,

ଏଆଇର କିପରି ବ୍ୟବହାର ହେଉଛି ତାହା ସୁନିଶ୍ଚିତ କରିବା ଆମ ସମସ୍ତଙ୍କ ଦାୟିତ୍ୱ । ଏହି ବିଶ୍ୱାସ ସ୍ଥାପନ ପାଇଁ ଆଲଗୋରିଦିମ ସ୍ୱଚ୍ଛତାର ପ୍ରମୁଖ ଭୂମିକା ରହିଛି । ଉତ୍ତରଦାୟିତ୍ୱ ମଧ୍ୟ ସମ ଗୁରୁତ୍ୱପୂର୍ଣ୍ଣ । ବେସରକାରୀ ହିତଧାରକଙ୍କ ଦ୍ୱାରା ଏଆଇ ଆୟୁଧ କବଳରୁ ବିଶ୍ୱକୁ ରକ୍ଷା କରିବାକୁ ପଡିବ ।

ବନ୍ଧୁଗଣ,

ଆମେ ଯେତେବେଳେ ଏଆଇ ସମ୍ପର୍କରେ ଆଲୋଚନା କରୁଛେ, ସେତେବେଳେ ଆମ ମନରେ ମାନବୀୟ ସୃଜନଶୀଳତା ଓ ମାନବୀୟ ଭାବନା ସମ୍ପର୍କରେ କୌଣସି ଦ୍ୱନ୍ଦ୍ୱ ରହିବା ଉଚିତ ନୁହେଁ ।  ଏସବୁ ଆମର ସବୁଠାରୁ ବଡ ଶକ୍ତି । ଏହି ନିଆରା ଗୁଣ ଯୋଗୁଁ ହିଁ ଆମେ ମେସିନ ତୁଳନାରେ ଆଗୁଆ । ଆମର ବୁଦ୍ଧିମତା ଓ ସହାନୁଭୂତି ବିନା ସବୁଠାରୁ ସ୍ମାର୍ଟ ଏଆଇ ମାନବଜାତିର ସମସ୍ୟା ସମାଧାନ କରିପାରିବ ନାହିଁ । ମେସିନ ଉପରେ ବୌଦ୍ଧିକ ନିୟନ୍ତ୍ରଣ କିପରି ରଖିବା ତାହା ଆମକୁ ଭାବିବାକୁ ହେବ । ଏଆଇ ଠାରୁ ମାନବୀୟ ବୁଦ୍ଧିମତା କେଇ ପାଦ ଆଗରେ ବୋଲି ଆମକୁ ସୁନିଶ୍ଚିତ କରିବାକୁ ହେବ । ମାନବୀୟ ଦକ୍ଷତା ବୃଦ୍ଧିରେ କିପରି ଏଆଇ ସାହାଯ୍ୟ କରିବ ତାହା ଆମକୁ ଭାବିବାକୁ ହେବ । ମୁଁ ପୁଣି ଥରେ କହିବାକୁ ଚାହୁଁଛି– ଏଆଇ ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ଥିବା ନିଆରା ଦକ୍ଷତାକୁ ଲୋକଲୋଚନକୁ ଆଣିପାରିବ । ପ୍ରଭାବଶାଳୀ ଢଙ୍ଗରେ ସମାଜକୁ ଅବଦାନ ଦେବାରେ ସେମାନଙ୍କୁ ସଶକ୍ତ କରିବ ।   

ବନ୍ଧୁଗଣ,

ଆରଏଆଇଏସଇ 2020ରେ ଆମେ ବିଶ୍ୱର ଅଗ୍ରଣୀ ହିତଧାରକମାନଙ୍କ ପାଇଁ ବିଶ୍ୱସ୍ତରୀୟ ମଂଚ ସୃଷ୍ଟି କରିଛୁ । ଆସନ୍ତୁ ଆମେମାନେ ଚିନ୍ତାଧାରା ଆଦାନପ୍ରଦାନ କରିବା କୃତ୍ରିମ ବୁଦ୍ଧିମତା ଆପଣାଇବାକୁ ଏକ ସଂଯୁକ୍ତ ରୋଡ ମ୍ୟାପ ପ୍ରସ୍ତୁତ କରିବା । ସମସ୍ତେ ଏକାଠି ହୋଇ କାମ କରିବା ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଆଗେଇ ଆସିଥିବାରୁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି । ଏହି ବିଶ୍ୱସ୍ତରୀୟ ସମ୍ମିଳନୀର ସଫଳତା କାମନା କରୁଛି । ଆଗାମୀ ଚାରି ଦିନରେ ହେବାକୁ ଥିବା ଆଲୋଚନା ଉତ୍ତରଦାୟୀ ଏଆଇ ପାଇଁ ଏକ କାର୍ଯ୍ୟକ୍ଷମ ରୋଡ ମ୍ୟାପ ପ୍ରସ୍ତୁତିରେ ସାହାଯ୍ୟ କରିବା ନେଇ ମୁଁ ଆଶାବାଦୀ । ଏହି ରୋଡମ୍ୟାପ ସାରା ବିଶ୍ୱର ଲୋକଙ୍କ ଜୀବନ ଓ ଜୀବିକାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବାରେ ଏହା ସାହାଯ୍ୟ କରିବ । ଆପଣମାନଙ୍କୁ ମୋର ଶୁଭେଚ୍ଛା ।

ଧନ୍ୟବାଦ, ଅଶେଷ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Made in India’ phones go global: Smartphone exports jump 165 times to Rs 2.59 lakh crore

Media Coverage

‘Made in India’ phones go global: Smartphone exports jump 165 times to Rs 2.59 lakh crore
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Dilip Mahadu Gavit on winning Gold in Men’s 100m T47 at Commonwealth Games 2026
July 30, 2026

The Prime Minister, Shri Narendra Modi, has congratulated Dilip Mahadu Gavit on winning the Gold medal in the Men’s 100m T47 event at the Commonwealth Games 2026.

The Prime Minister noted that Dilip Mahadu Gavit set a new Commonwealth Games record and achieved his season best with a remarkable timing.

Shri Modi said that his speed, determination and dedication have made the nation proud and wished him the very best for his future endeavours.

In a post, Shri Modi said;

“A phenomenal performance by Dilip Mahadu Gavit!

Congratulations to him on winning the Gold Medal in the Men’s 100m T47 event with a remarkable timing, setting a new Games Record and achieving his Season Best. His speed, determination and dedication have made our nation proud. Best wishes for his future endeavours!

#CWG2026”