ମହାମହିମ, ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ଜୀ, ଭାରତର ଶହିଦ ସୈନିକଙ୍କ ପରିବାର,

ବାଂଲାଦେଶର ମାନନୀୟ ବିଦେଶ ମନ୍ତ୍ରୀ,

ଏବଂ ମାନନୀୟ ମୁକ୍ତି ସଂଗ୍ରାମ ମନ୍ତ୍ରୀ

ମୋ କ୍ୟାବିନେଟର ସଦସ୍ୟଗଣ–ବିଦେଶ ମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ୱରାଜ,

ସଭାରେ ଉପସ୍ଥିତ ଅତି-ବିଶିଷ୍ଟ ଗଣ୍ୟମାନ୍ୟ ସଦସ୍ୟବୃନ୍ଦ

ବିଶିଷ୍ଟ ଅତିଥିଗଣ ଏବଂ ମୋର ସମସ୍ତ ବନ୍ଧୁଗଣ,

ଆଜି ହେଉଛି ଏକ ବିଶେଷ ଦିନ । ଆଜି ହେଉଛି ଭାରତ ତଥା ବାଂଲାଦେଶର ଶହିଦଙ୍କ ବଳିଦାନକୁ ସ୍ମରଣ କରିବାର ଦିନ । ବାଂଲାଦେଶର ସ୍ୱାଧୀନତା ପାଇଁ ଜୀବନ ଦେଇଥିବା ଯୋଦ୍ଧାମାନଙ୍କୁ ମନେ ପକାଇବାର ଦିନ ଅଟେ । ବାଂଲାଦେଶ ସ୍ୱାଭିମାନର ରକ୍ଷା ପାଇଁ ଲଢିଥିବା ଭାରତୀୟ ସୈନିକଙ୍କର ଅଦମ୍ୟ ଉତ୍ସାହକୁ ମନେ ପକାଇବାର ଦିନ ଅଟେ । କିନ୍ତୁ ଏହି ଅବସରରେ ବାଂଲାଦେଶ ଉପରେ କରାଯାଇଥିବା ସେହି କ୍ରୁର ପ୍ରହାରକୁ ମଧ୍ୟ ମନେ ପକାଇବାର ଅଛି ଯାହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଛଡାଇ ନେଇଥିଲା । କିନ୍ତୁ ଏହା ସହିତ ଇତିହାସର ଯେଉଁ କ୍ରୁର ପ୍ରହାର ବାଂଲାଦେଶ ଉପରେ ବିତିଲା, ତା ପଛରେ ଥିବା ବିକୃତ ମାନସିକତାକୁ ମଧ୍ୟ ଅସ୍ୱୀକାର କରି ହେବ ନାହିଁ । ଆଜିର ଏହି ଅବସର ଭାରତ ଏବଂ ବାଂଲାଦେଶର 140 କୋଟିରୁ ଅଧିକ ନାଗରିକଙ୍କ ମଧ୍ୟରେ ଥିବା ଅତୁଟ ବିଶ୍ୱାସର ଦୃଢତାକୁ ଚିହ୍ନିବାର ଅଛି । ଆମେ ଆମ ସମାଜକୁ କିପରି ଏକ ସଶକ୍ତ ଓ ସମୃଦ୍ଧ ଭବିଷ୍ୟତ ଦେଇ ପାରିବା ସେ ବିଷୟରେ ବିଚାର କରିବାର ମଧ୍ୟ ଏହା ହେଉଛି ଉଚିତ ସମୟ ।

ମହାମହିମ,

ତଥା ସାଥୀଗଣ କେତେଗୁଡିଏ କାରଣରୁ ଆଜିର ଦିନ ହେଉଛି ଐତିହାସିକ । ବାଂଲାଦେଶର ସ୍ୱାଧୀନତା ସଂଗ୍ରାମରେ ଶହିଦ ହୋଇଥିବା ସମସ୍ତ ଭାରତୀୟ ସୈନିକଙ୍କ ପରିବାର ପାଇଁ ମଧ୍ୟ ଏହା କେବେ ବି ନ ଭୁଲିବାର କ୍ଷଣ ଅଟେ । ଆଜି ବାଂଲାଦେଶ ସେହି 1661 ଭାରତୀୟ ସୈନିକମାନଙ୍କୁ ସମ୍ମାନିତ କରୁଛି, ଯେଉଁମାନେ 1971ରେ ବାଂଲାଦେଶର ସ୍ୱାଧୀନତା ସଂଗ୍ରାମ ପାଇଁ ପ୍ରାଣକୁ ଆହୁତି ଦେଇଥିଲେ । ମୁଁ ଭାରତର ଶହେ ପଚିଶ କୋଟି ଲୋକଙ୍କ ପକ୍ଷରୁ, ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନାଜୀଙ୍କର; ସେଠାକାର ସରକାର ଏବଂ ବାଂଲାଦେଶର ଲୋକଙ୍କର; ଏହି ଭାବନାତ୍ମକ ଦୃଷ୍ଟଭଙ୍ଗି ପାଇଁ କୃତଜ୍ଞତା ଜ୍ଞାପନ କରୁଛି । ଭାରତର ବୀର ସୈନିକ ତଥା ଆମ ଗୌରବଶାଳୀ ସେନା କେବଳ ବାଂଲାଦେଶ ସହିତ ହୋଇଥିବା ଅନ୍ୟାୟ ଏବଂ ନରସଂହାର ବିରୁଦ୍ଧରେ ଲଢୁ ନ ଥିଲେ । ଏହି ବୀର, ଭାରତୀୟ ସଂସ୍କୃତିରେ ନିହିତ ମାନବୀୟ ମୂଲ୍ୟବୋଧ ପାଇଁ ମଧ୍ୟ ଲଢୁଥିଲେ । ଏହା ମୋର ପରମ ସୌଭାଗ୍ୟ ଯେ ଏହି ସମୟରେ 7 ଭାରତୀୟ ଶହିଦଙ୍କ ପରିବାର ଏଠାରେ ଉପସ୍ଥିତ ଅଛନ୍ତି । ସଂପୂର୍ଣ୍ଣ ଭାରତ ଆପଣଙ୍କ ବ୍ୟଥା, ଆପଣଙ୍କ କଷ୍ଟ ଏବଂ ଆପଣଙ୍କ ପୀଡାରେ ସହଭାଗୀ ଅଟନ୍ତି । ଆପଣଙ୍କ ତ୍ୟାଗ ଏବଂ ତପସ୍ୟା ହେଉଛି ଅତୁଳନୀୟ । ଭାରତୀୟ ସୈନିକଙ୍କ ବଳିଦାନ ପାଇଁ ମୁଁ ଏବଂ ସଂପୂର୍ଣ୍ଣ ଦେଶ ସମସ୍ତ ଶହିଦଙ୍କୁ କୋଟି କୋଟି ପ୍ରଣାମ କରୁଛୁ ।

ସାଥୀଗଣ,

ବାଂଲାଦେଶର ଜନ୍ମ ଯେଉଁଠାରେ ଏକ ନୂତନ ଆଶାର ଉଦୟ ହୋଇଥିଲା । ସେଠାରେ 1971ର ଇତିହାସ ଆମକୁ କେତେ ଅତ୍ୟନ୍ତ କଷ୍ଟଦାୟକ କ୍ଷଣର ମଧ୍ୟ ସ୍ମରଣ କରାଇଥାଏ । 1971 ଅପ୍ରେଲ ସେହି ମାସ ଥିଲା ଯେବେ ବାଂଲାଦେଶରେ ନରସଂହାର ଚରମ ସୀମାରେ ଥିଲା । ବାଂଲାଦେଶରେ ଗୋଟିଏ ପିଢିକୁ ସଂପୂର୍ଣ୍ଣ ଶେଷ କରିବା ପାଇଁ ସଂହାର କରାଯାଉଥିଲା । ପ୍ରତ୍ୟେକ ବ୍ୟକ୍ତି ଯିଏ ବାଂଲାଦେଶର ଗୌରବ ସହିତ ଯୋଡି ହୋଇଥିଲା, ପ୍ରତ୍ୟେକ ବ୍ୟକ୍ତି ଯିଏ ଆଗାମୀ ପିଢିକୁ ବାଂଲାଦେଶର ଅତୀତ ସହିତ ଅବଗତ କରିପାରି ଥାଆନ୍ତା, ତାଙ୍କୁ ରାସ୍ତାରୁ ହଟାଇ ଦିଆଗଲା । ଏହି ନରସଂହାରର ଉଦ୍ଦେଶ୍ୟ କେବଳ ନିର୍ଦ୍ଦୋଷଙ୍କ ହତ୍ୟା କରିବା ନୁହେଁ, ବରଂ ବାଂଲାଦେଶର ସଂପୂର୍ଣ୍ଣ ବିଚାରଧାରାକୁ ମୂଳୋତ୍ପାଟନ କରିବା ଥିଲା । କିନ୍ତୁ ପରିଶେଷରେ ଅତ୍ୟାଚାର ବିଜୟୀ ହେଲା ନାହିଁ । ମାନବିକ ମୂଲ୍ୟବୋଧର ଜୟ ହେଲା । କୋଟି କୋଟି ବାଂଲାଦେଶୀଙ୍କ ଇଚ୍ଛା ଶକ୍ତିର ଜୟ ହେଲା ।

ସାଥୀଗଣ,

ବାଂଲାଦେଶର ଜନ୍ମଗାଥା ହେଉଛି ଅସୀମ ବଳିଦାନର ଗାଥା । ଆଉ ଏହି ସବୁ ବଳିଦାନର କାହାଣୀରେ ଗୋଟିଏ ସୂତ୍ର, ଗୋଟିଏ ବିଚାର ହେଉଛି ସାଧାରଣ । ଆଉ ତାହା ହେଉଛି ରାଷ୍ଟ୍ର ତଥା ମାନବିକ ମୂଲ୍ୟବୋଧ ପ୍ରତି ଅଗାଧ ପ୍ରେମ । ମୁକ୍ତି ଯୋଦ୍ଧାଙ୍କ ବଳିଦାନ ରାଷ୍ଟ୍ର ପ୍ରେମ ଦ୍ୱାରା ପ୍ରେରିତ ହୋଇଥିଲା । ମୁକ୍ତି ଯୋଦ୍ଧା କେବଳ ମାତ୍ର ଏକ ମାନବ ଶରୀର ଆଉ ଆତ୍ମା ନ ଥିଲା, ବରଂ ଏକ ଅଦମ୍ୟ ତଥା ଅବିନାସୀ ଚିନ୍ତାଧାରା ଥିଲା । ମୁଁ ଖୁସି ଯେ ମୁକ୍ତି ଯୋଦ୍ଧାମାନଙ୍କ ପାଇଁ ଭାରତ ପକ୍ଷରୁ ମଧ୍ୟ କିଛି ପ୍ରୟାସ କରାଯାଇଥାଏ । ମୁକ୍ତି ଯୋଦ୍ଧା ଛାତ୍ରବୃତ୍ତି(ଭତ୍ତା) ଯୋଜନା ଅନୁସାରେ ମୁକ୍ତି ଯୋଦ୍ଧାମାନଙ୍କ ପରିବାର 10 ହଜାରରୁ ଅଧିକ ପିଲାଙ୍କୁ ପାଠ ପଢିବା ପାଇଁ ଛାତ୍ରବୃତ୍ତି ଦିଆଯାଉଛି । ସେମାନଙ୍କ ପରିବାରର କଲ୍ୟାଣ ପାଇଁ ଆଜି ଏହି ଅବସରରେ ମୁଁ ଆଉ ତିନୋଟି ଘୋଷଣା କରୁଛି । ଆଗାମୀ ପାଂଚ ବର୍ଷରେ ମୁକ୍ତି ଯୋଦ୍ଧା ଛାତ୍ରବୃତ୍ତି ଯୋଜନାର ସୁବିଧା ଆଉ ଅଧିକ ଦଶ ହଜାର ପିଲାଙ୍କ ପାଖରେ ପହଁଚାଯିବ । ମୁକ୍ତି ଯୋଦ୍ଧାମାନଙ୍କୁ 5ବର୍ଷ ପାଇଁ ବହୁମୁଖୀ ପ୍ରବେଶ ଭିସା ସୁବିଧା ଦିଆଯିବ ଆଉ ଭାରତରେ ମାଗଣା ଚିକିତ୍ସା ପାଇଁ ପ୍ରତିବର୍ଷ 100 ମୁକ୍ତିଯୋଦ୍ଧାମାନଙ୍କୁ ଏକ ସ୍ୱତନ୍ତ୍ର ମେଡିକାଲ ଯୋଜନା ଅନୁସାରେ ସହାୟତା ଦିଆଯିବ । ମୁକ୍ତିଯୋଦ୍ଧାମାନଙ୍କ ସହିତ ବାଂଲାଦେଶ ପାଇଁ ଭାରତୀୟ ସୈନ୍ୟଙ୍କ ପକ୍ଷରୁ କରାଯାଇଥିବା ସଂଘର୍ଷ ଆଉ ବଳିଦାନକୁ କେହି ଭୁଲି ପାରିବେ ନାହିଁ । ଏପରି କରିବା ପାଇଁ ତାଙ୍କର ଏକମାତ୍ର ପ୍ରେରଣା ଥିଲା, ବାଂଲାଦେଶର ଜନତାଙ୍କ ପ୍ରତି ପ୍ରେମ, ଆଉ ବାଂଲାଦେଶର ଲୋକଙ୍କ ସ୍ୱପ୍ନ ପ୍ରତି ସମ୍ମାନ । ଆଉ ଏହା ମଧ୍ୟ ମନେ ରଖିବାକୁ ପଡିବ କି ଯୁଦ୍ଧର ବର୍ବରତାରେ ମଧ୍ୟ ଭାରତୀୟ ସେନା ନିଜ କର୍ତ୍ତବ୍ୟରୁ ପଛଘୁଂଚା ଦେଇ ନ ଥିଲେ ଆଉ ଯୁଦ୍ଧର ନିୟମ ପାଳନ କରି ସାରା ବିଶ୍ୱ ସାମ୍ନାରେ ଏକ ଉଦାହରଣ ସୃଷ୍ଟି କଲେ । ଭାରତୀୟ ସେନାର ଏହି ଚରିତ୍ର ଥିଲା କି 90 ହଜାର, ସେହି କଏଦୀ ସୈନିକମାନଙ୍କୁ (ଯୁଦ୍ଧ ବନ୍ଦୀ)ଙ୍କୁ ସୁରକ୍ଷିତ ଭାବେ ଯିବାକୁ ଦେଲେ । 1971ରେ ଭାରତ ପକ୍ଷରୁ ଏହି ମାନବବାଦର ପ୍ରଦର୍ଶନ ବିଗତ ଶତାବ୍ଦୀର ସବୁଠାରୁ ବଡ଼ ଘଟଣାମାନଙ୍କ ମଧ୍ୟରୁ ହେଉଛି ଗୋଟିଏ । ବନ୍ଧୁଗଣ, ଭାରତ ଏବଂ ବାଂଲାଦେଶ, ନା କେବଳ ହେଉଛନ୍ତି କ୍ରୁରତାକୁ ପରାସ୍ତ କରିଥିବା ଦେଶ, ବରଂ କ୍ରୁରତାର ମୌଳିକ ଚିନ୍ତାଧାରାକୁ ଖଣ୍ଡନ କରିଲାବାଲା ଦେଶ ଅଟନ୍ତି ।

ସାଥୀଗଣ,     

ବଙ୍ଗବନ୍ଧୁଙ୍କ ବିନା ବାଂଲାଦେଶ ବିଷୟରେ ଚର୍ଚ୍ଚା ଅସଂପୂର୍ଣ୍ଣ ଅଟେ । ଦୁଇ ଜଣଙ୍କର ଅସ୍ତିତ୍ୱ ଗୋଟିଏ ଅନ୍ୟ ସହିତ ଯୋଡି ହୋଇ ରହିଛି । ଦୁଇଟି ଯାକ ପରସ୍ପରର ଚିନ୍ତାଧାରାର ପରିପୂରକ । ବଙ୍ଗବନ୍ଧୁ ବାଂଲାଦେଶର ସ୍ୱାଧୀନତାର ପ୍ରମୁଖ ସୂତ୍ରଧର ଥିଲେ । ସେ ନିଜ ସମୟଠାରୁ କେତେ ଆଗକୁ ଚିନ୍ତା କରୁଥିଲେ । ତାଙ୍କର ପ୍ରତ୍ୟେକ ଡାକରା ଜନତାଙ୍କର ରଣହୁଙ୍କାର ଥିଲା । ଏକ ଆଧୁନିକ, ଉଦାରବାଦୀ, ପ୍ରଗତିଶୀଳ ବାଂଲାଦେଶ ପାଇଁ ତାଙ୍କର ଦୂରଦୃଷ୍ଟି ଆଜି ମଧ୍ୟ ବାଂଲାଦେଶର ଉନ୍ନତିର ମାର୍ଗକୁ ପ୍ରଶସ୍ତ କରୁଛି । 1971 ପରେ ଏହା ବଙ୍ଗବନ୍ଧୁ ଶେଖ ମୁଜିବୁର ରହେମାନଙ୍କ ହିଁ ନେତୃତ୍ୱ ଥିଲା ଯିଏ ବାଂଲାଦେଶକୁ ଅଶାନ୍ତି ଏବଂ ଅସ୍ଥିରତାର ସମୟରୁ ମୁକ୍ତ କରିଥିଲା । ସମାଜରେ ଲାଗିରହିଥିବା ଦ୍ୱେଷ ତଥା ଆକ୍ରୋଶକୁ ଦୂରକରି, ମହାନ ବଙ୍ଗବନ୍ଧୁ ବାଂଲାଦେଶକୁ ଶାନ୍ତି ତଥା ବିକାଶର ମାର୍ଗ ଦେଖାଇଲେ । ସୁନାର ବଙ୍ଗଳାର ସ୍ୱପ୍ନକୁ ସତ କରିବାର ବାଟ ଦେଖାଇଲେ । ଭାରତର ସେହି ସମୟର ଯୁବ ପିଢି ତ ତାଙ୍କ ଦ୍ୱାରା ବିଶେଷ ରୂପରେ ପ୍ରଭାବିତ ହୋଇଥିଲେ । ଆଉ ଏହା ମୋର ସୌଭାଗ୍ୟ ଥିଲା ଯେ ମୁଁ ନିଜେ ସେହି ବିଚାରଯୁକ୍ତ ଜ୍ଞାନରୁ ଲାଭ ଉଠାଇ ପାରିଲି । ଆଜି ବଙ୍ଗବନ୍ଧୁଙ୍କୁ ନା କେବଳ ଦକ୍ଷିଣ ଏସିଆରେ ନୁହେଁ ବରଂ ସଂପୂର୍ଣ୍ଣ ବିଶ୍ୱରେ ଶାନ୍ତି ଏବଂ ସହଅସ୍ତିତ୍ୱର ସ୍ଥାପନା କରିବାର ନେତା ଭାବେ ସ୍ମରଣ କରାଯାଏ । ତାଙ୍କର କନ୍ୟା, ମହାମହିମ ଶେଖ ହସିନା ଆଜି ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ଏଠାରେ ଅଛନ୍ତି । ଏହି ଅବସରରେ ମୁଁ ତାଙ୍କର ସାହସକୁ ମଧ୍ୟ ପ୍ରଶଂସା କରିବାକୁ ଚାହୁଁଛି । ଯେଉଁ କଠିନ ପରିସ୍ଥିତିରୁ ସେ ନିଜକୁ ମୁକୁଳାଇଲେ, ନିଜ ଦେଶକୁ ମୁକୁଳାଇଲେ, ସେହି ସାହସ ପ୍ରତ୍ୟେକଙ୍କ ପାଖରେ ନ ଥାଏ । କିନ୍ତୁ ସେ ଚଟ୍ଟାଣ ଭଳି ଆଜି ମଧ୍ୟ ଦଣ୍ଡାୟମାନ, ଆଉ ନିଜ ଦେଶକୁ ବିକାଶ ପଥରେ ଆଗେଇନେବା ପାଇଁ କାମ କରିଚାଲିଛନ୍ତି ।

ବନ୍ଧୁଗଣ,

ଆଜି ଆମ ଅଂଚଳକୁ, ଦୁନିଆର ଏହି ପ୍ରାଚୀନ ଭୂ-ଭାଗକୁ ମୁଖ୍ୟତଃ ତିନୋଟି ବିଚାରଧାରା ପରିଭାଷିତ କରିଥାଏ । ଏହି ବିଚାରଧାରା ଆମ ସମାଜ ତଥା ସରକାରୀ ବ୍ୟବସ୍ଥାର ଦର୍ପଣ ସଦୃଶ । ଏଥିରେ ଏକ ଚିନ୍ତାଧାରା ଅଛି ଯାହା ଆର୍ଥିକ ବିକାଶ ଉପରେ କେନ୍ଦ୍ରୀତ ହୋଇଛି; ଦେଶକୁ ସମୃଦ୍ଧ ତଥା ଶକ୍ତିଶାଳୀ କରିବା ପାଇଁ କେନ୍ଦ୍ରୀଭୂତ ହୋଇଛି; ସମାଜର ସବୁବର୍ଗକୁ ସାଙ୍ଗରେ ନେଇ ଚାଲିବା ଉପରେ ଆଧାରିତ । ଏହି ଚିନ୍ତାଧାରାର ଏକ ପ୍ରତ୍ୟକ୍ଷ ଉଦାହରଣ ହେଉଛି ବାଂଲାଦେଶର ପ୍ରଗତି । 1971ରେ ବାଂଲାଦେଶର ନାଗରିକମାନଙ୍କର ହାରାହାରି ଆୟୁ(ଜୀବନ ପ୍ରତ୍ୟାଶା) ଭାରତ ଠାରୁ ମଧ୍ୟ କମ୍ ଥିଲା । ଆଜି ବାଂଲାଦେଶର ନାଗରିକମାନଙ୍କର ହାରାହାରି ଆୟୁ ଭାରତ ଠାରୁ ମଧ୍ୟ ଅଧିକ । ବିଗତ 45 ବର୍ଷରେ ବାଂଲାଦେଶର ଜିଡିପି 31 ଗୁଣ ବଢିଛି । ପ୍ରତ୍ୟେକ ବ୍ୟକ୍ତିଙ୍କ ଆୟରେ 31 ଗୁଣ ବୃଦ୍ଧି ହୋଇଛି । ଶିଶୁ ମୃତ୍ୟୁ ହାର 222ରୁ ହ୍ରାସ ପାଇ ଏବେ 38ରେ ରହିଛି । ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଡାକ୍ତରଙ୍କ ସଂଖ୍ୟାରେ ତିନି ଗୁଣ ବୃଦ୍ଧି ପାଇଛି । ସ୍ୱାଧୀନତା ପରଠାରୁ ଏ ପର୍ଯ୍ୟନ୍ତ ବାଂଲାଦେଶର ରପ୍ତାନୀ 125 ଗୁଣ ବଢିଯାଇଛି । ପରିବର୍ତ୍ତନର ଏହି କିଛି ମାନଦଣ୍ଡ ନିଜକୁ ନିଜେ ବହୁତ କିଛି କହୁଛି । ଏକ ଦୂରଦୃଷ୍ଟି ସହ ଆଗକୁ ବଢି ପ୍ରଧାନମନ୍ତ୍ରୀ ଶେଖ ହସିନା ବାଂଲାଦେଶର ଆର୍ଥିକ ପ୍ରଗତିର ନୂତନ ସୀମା ଅତିକ୍ରମ କରୁଛନ୍ତି ।

ସାଥୀଗଣ,

ତା’ ସହିତ ଅନ୍ୟ ଏକ ଚିନ୍ତାଧାରା ହେଉଛି: ସମସ୍ତଙ୍କ ସହିତ; ସମସ୍ତଙ୍କର ବିକାଶ । ମୋର ଏହା ସ୍ପଷ୍ଟ ମତ ଯେ ମୋ ଦେଶ ସହିତ ଭାରତର ପ୍ରତ୍ୟେକ ପଡୋଶୀ ଦେଶ ପ୍ରଗତିର ରାସ୍ତାରେ ଅଗ୍ରସର ହୁଅନ୍ତୁ; ଏକୁଟିଆ ଭାରତର ବିକାଶ ହେଉଛି ଅସଂପୂର୍ଣ୍ଣ; ଆଉ ଏକା ଆମର ସମୃଦ୍ଧି ନିଜକୁ ନିଜେ ସଂପୂର୍ଣ୍ଣ ହୋଇ ପାରିବ ନାହିଁ । ଆମେ ଏହି କଥା ସହିତ ମଧ୍ୟ ପରିଚିତ ହୋଇଛୁ କି ସମସ୍ତଙ୍କ ସହିତ; ସମସ୍ତଙ୍କର ବିକାଶ କେବଳ ଶାନ୍ତିର ଆଧାରଶିଳା ଦ୍ୱାରା ସମ୍ଭବ ହୋଇଥାଏ । ଏଥିପାଇଁ ପ୍ରତ୍ୟେକ ଦେଶ ପ୍ରତି ଆମେ ସବୁବେଳେ ବନ୍ଧୁତାର ହାତ ବଢାଇଛୁ । ପ୍ରତ୍ୟେକ ଦେଶକୁ ନିଜ ସମୃଦ୍ଧିର ସହଭାଗୀ କରିବା ପାଇଁ ଆମନ୍ତ୍ରିତ କରିଛୁ । ସ୍ୱାର୍ଥପର ନ ହୋଇ ଆମେ ସଂପୂର୍ଣ୍ଣ କ୍ଷେତ୍ରର ଭଲ ଚାହିଁଛୁ । ଏହି ଚିନ୍ତାଧାରାର ସଫଳତାର ପ୍ରତ୍ୟକ୍ଷ ଉଦାହରଣ ହେଉଛି ଭାରତ-ବାଂଲାଦେଶ ସମ୍ବନ୍ଧର ସଶକ୍ତ ରେଖାଚିତ୍ର ବା ଗ୍ରାଫ୍ । ଆଉ ଏଥିରୁ ଉତ୍ପନ୍ନ ଦୁଇ ସମାଜ ପାଇଁ ଆର୍ଥିକ ସୁବିଧା, ପ୍ରତ୍ୟେକ କ୍ଷେତ୍ରରେ: ଆର୍ଥିକ ହେଉ, ରାଜନୈତିକ, ଭିତ୍ତିଭୂମି ନିର୍ମାଣ, ଆର୍ଥିକ ସଂଯୋଗ, ଶକ୍ତି ନିରାପତ୍ତା, ଅଥବା ସୁରକ୍ଷା ହେଉ ଅବା ପୁଣି କେତେ ଦଶକରୁ ପଡି ରହିଥିବା ସ୍ଥଳ ସୀମା ତଥା ସାମୁଦ୍ରିକ ସୀମା ବିବାଦ ସମାଧାନର ପ୍ରସଙ୍ଗ ହେଉ, ପ୍ରତ୍ୟେକ କ୍ଷେତ୍ରରେ ଆମର ସହଯୋଗ, ପରସ୍ପର ଶାନ୍ତି, ସାଧାରଣ ବିକାଶ, ନିଜ ବିଶ୍ୱାସ ତଥା କ୍ଷେତ୍ରୀୟ ବିକାଶ ଚିନ୍ତାଧାରାର ସଫଳତାର ହେଉଛି ମୂର୍ତ୍ତିମନ୍ତ ପ୍ରମାଣ ।

ସାଥୀଗଣ,

କିନ୍ତୁ ଦୁଃଖର କଥା ଯେ ଏହି ଦୁଇ ବିଚାରଧାରା ଗୁଡିକର ବିପରୀତରେ ମଧ୍ୟ ଦକ୍ଷିଣ ଏସିଆରେ ଏକ ମାନସିକତା ଅଛି । ଏପରି ବିଚାର ଯାହା ଆତଙ୍କବାଦକୁ  ପ୍ରେରଣା ତଥା ତାହାକୁ ପରିପାଳନ କରୁଛି । ଏପରି ଚିନ୍ତାଧାରା ଯାହାର ମୂଲ୍ୟ ବ୍ୟବସ୍ଥା, ମାନବତା ଉପରେ ନୁହେଁ ବରଂ ହିଂସା, ଅତିବାଦ ତଥା ଆତଙ୍କ ଉପରେ ଆଧାରିତ ହୋଇଛି । ଯାହାର ମୂଳ ଉଦ୍ଦେଶ୍ୟ ହେଉଛି ଧ୍ୱଂସ ଦ୍ୱାରା ଆତଙ୍କବାଦକୁ ପ୍ରସାରିତ କରିବା ।

ଏକ ଏପରି ଚିନ୍ତାଧାରା ଯାହା ନୀତି ନିର୍ଦ୍ଧାରକମାନଙ୍କୁ:

  • ମାନବବାଦଠାରୁ ଆତଙ୍କବାଦ ବଡ଼ ବୋଲି ଜଣାପଡିଥାଏ ।
  • ବିକାଶ ଠାରୁ ବିନାଶ ବଡ଼ ବୋଲି ଜଣାପଡିଥାଏ ।
  • ସୃଜନ ଠାରୁ ସଂହାର ବଡ଼ ବୋଲି ଜଣାପଡିଥାଏ ।
  • ବିଶ୍ୱାସ ଠାରୁ ବିଶ୍ୱାସଘାତ ବଡ଼ ବୋଲି ଜଣାପଡିଥାଏ ।

ଏହି ଚିନ୍ତାଧାରା ଆମ ସମାଜରେ ଶାନ୍ତି ତଥା ସନ୍ତୁଳନ, ଆଉ ତାଙ୍କର ମାନସିକ ତଥା ଆର୍ଥିକ ସ୍ଥିତି ପାଇଁ ହେଉଛି ସବୁଠାରୁ ବଡ଼ ଆହ୍ୱାନ । ଏହି ବିଚାରଧାରା ସଂପୂର୍ଣ୍ଣ କ୍ଷେତ୍ର ତଥା ବିଶ୍ୱର ଶାନ୍ତିର ଅବରୋଧକ । ଗୋଟିଏ ପଟେ ଯେଉଁଠି ଭାରତ ଓ ବାଂଲାଦେଶ ବିକାଶର ଭାବନା ପ୍ରବାହରେ ସହଭାଗୀ ଥିବା ବେଳେ,  ଅନ୍ୟ ପଟେ ଆମେ ତୃତୀୟ, ନକରାତ୍ମକ ବିଚାରଧାରାର ମଧ୍ୟ ଶିକାର ହେଉଛୁ ।

ସାଥୀଗଣ,

ଆମର ହାର୍ଦ୍ଦିକ ଅଭିଳାଷ ଅଛି କି ଏହି କ୍ଷେତ୍ରର ସବୁ ଦେଶର ନାଗରିକ ସଫଳତା ଏବଂ ସମୃଦ୍ଧି ଦିଗରେ ବଢନ୍ତୁ । ଆଉ ଏଥିପାଇଁ ଆମର ସହଯୋଗର ଦ୍ୱାର ସବୁବେଳେ ଉନ୍ମୁକ୍ତ ରହିଛି । କିନ୍ତୁ ଏଥିପାଇଁ ଆତଙ୍କବାଦ ଏବଂ ଆତଙ୍କବାଦୀ ଚିନ୍ତାଧାରା ତ୍ୟାଗ କରିବା ହେଉଛି ଅନିବାର୍ଯ୍ୟ ।   

ସାଥୀଗଣ,

ଭାରତ-ବାଂଲାଦେଶ ସମ୍ବନ୍ଧ ନା ହେଉଛି ସରକାରଙ୍କର ଦୟାର ପାତ୍ର ନା କ୍ଷମତାର । ଭାରତ ଆଉ ବାଂଲାଦେଶ ଏଥିପାଇଁ ଏକାଠି ଅଛନ୍ତି, କାରଣ ଦୁଇ ଦେଶର 140 କୋଟି ଲୋକ ଏକାଠି ଅଛନ୍ତି । ଆମେ ହେଉଛୁ ଦୁଃଖ-ସୁଖର ସାଥୀ । ମୁଁ ସବୁବେଳେ କୁହେ କି ଯେଉଁ ସ୍ୱପ୍ନ ମୁଁ ଭାରତ ପାଇଁ ଦେଖୁଛି, ସେହି ଶୁଭକାମନା ମଧ୍ୟ ବାଂଲାଦେଶ ପାଇଁ ଅଛି । ଆଉ ଭାରତର ପ୍ରତ୍ୟେକ ପଡୋଶୀ ଦେଶ ପାଇଁ ମଧ୍ୟ ଅଛି । ମୁଁ ବାଂଲାଦେଶର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି । ଏକ ବନ୍ଧୁ ଭାବେ ଭାରତ ଯେତେ ସାହାଯ୍ୟ କରିପାରିବି, ତାହା କରିବି । ଶେଷରେ ମୁଁ, ପୁଣି ଥରେ ମୁକ୍ତି ଯୋଦ୍ଧାମାନଙ୍କୁ, ଭାରତର ବୀର ସୈନିକମାନଙ୍କୁ ପ୍ରଣାମ କରୁଛି । ଆଉ ଏହି କାର୍ଯ୍ୟକ୍ରମର ଆୟୋଜନ ତଥା ଉପସ୍ଥିତି ପାଇଁ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ବିଶେଷ ଭାବେ ଅଭିନନ୍ଦନ ଜଣାଉଛି । ଭାରତ ସବୁବେଳେ ଏକ ଘନିଷ୍ଠ ତଥା ବିଶ୍ୱସନୀୟ ବନ୍ଧୁ ଭାବେ ବାଂଲାଦେଶ ସହିତ ପ୍ରତ୍ୟେକ ସମୟରେ ସବୁପ୍ରକାରର ସହାୟତା ପାଇଁ ପ୍ରସ୍ତୁତ ଅଛି ଏବଂ ରହିବ ।

ଜୟ ହିନ୍ଦ – ଜୟ ବାଂଲା !!!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Merchandise Exports Defy Global Headwinds, Rise 15 Per Cent In April–14 June Period

Media Coverage

India's Merchandise Exports Defy Global Headwinds, Rise 15 Per Cent In April–14 June Period
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the transformative impact of Yoga
June 22, 2026

The Prime Minister, Shri Narendra Modi, said that the remarkable success of the International Day of Yoga is proof that Yoga is not only helping millions of people across the world achieve physical well-being, but is also inspiring them to lead positive lives with confidence.

The Prime Minister shared a Sanskrit Subhashitam-

“चित्तप्रशमनोपायो योग इत्यभिधीयते। प्राणस्पन्दनिरोधो वा द्वेधा योगस्य धारणा॥”

The Subhashitam conveys that yoga is the means of completely calming and quieting the mind. To attain this goal, two principal methods of yoga are prescribed: calming the mind and regulating the flow of the breath.

The Prime Minister wrote on X;

“अंतर्राष्ट्रीय योग दिवस की बड़ी सफलता इस बात का प्रमाण है कि योग न केवल दुनियाभर में करोड़ों लोगों को शारीरिक रूप से स्वस्थ बना रहा है, बल्कि उन्हें आत्मविश्वास के साथ सकारात्मक जीवन जीने के लिए प्रेरित भी कर रहा है।

चित्तप्रशमनोपायो योग इत्यभिधीयते। प्राणस्पन्दनिरोधो वा द्वेधा योगस्य धारणा॥”