India is the land of 'Buddha', not 'Yuddha' (war): PM Modi at #UNGA
Terrorism is the biggest threat to humanity, world needs to unite and have a consensus on fighting it: PM at #UNGA
India is committed to free itself from single-use plastic: PM Modi at #UNGA

ନମସ୍କାର,

ମାନନୀୟ ଅଧ୍ୟକ୍ଷ ମହୋଦୟ,

ଜାତିସଙ୍ଘର 74ତମ ସାଧାରଣ ଅଧିବେଶନକୁ 130 କୋଟି ଭାରତୀୟଙ୍କ ତରଫରୁ ସମ୍ବୋଧିତ କରିବା ମୋ ପାଇଁ ଗୌରବର ଅବସର । ଏହି ଅବସର ଏଥିପାଇଁ ମଧ୍ୟ ବିଶେଷ, କାରଣ ଚଳିତ ବର୍ଷ ସମଗ୍ର ବିଶ୍ୱ ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ପାଳନ କରୁଛି । ତାଙ୍କ ସତ୍ୟ ଓ ଅହିଂସାର ସନ୍ଦେଶ, ବିଶ୍ୱର ଶାନ୍ତି, ପ୍ରଗତି ଓ ବିକାଶ ପାଇଁ ଆଜି ବି ପ୍ରାସଙ୍ଗିକ ।

ଅଧ୍ୟକ୍ଷ ମହୋଦୟ,

ଚଳିତ ବର୍ଷ ବିଶ୍ୱର ସବୁଠାରୁ ବଡ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବିଶ୍ୱର ସବୁଠାରୁ ବଡ ଲୋକତନ୍ତ୍ରରେ, ବିଶ୍ୱରେ ସବୁଠାରୁ ଅଧିକ ଜନସାଧାରଣ ଭୋଟ ଦେଇ ମୋତେ ଓ ମୋ ସରକାରକୁ ପୂର୍ବ ତୁଳନାରେ ଅଧିକ ମଜଭୁତ ଜନାଦେଶ ପ୍ରଦାନ କରିଛନ୍ତି । ଏବଂ ଏହି ଜନାଦେଶ କାରଣରୁ ହିଁ ଆଜି ପୁଣିଥରେ ମୁଁ ଏଠାରେ ଅଛି । ମାତ୍ର ଏହି ଜନାଦେଶରୁ ମିଳିଥିବା ସନ୍ଦେଶ ଏହାଠାରୁ ମଧ୍ୟ ଅଧିକ ବଡ, ଅଧିକ ବ୍ୟାପକ, ଅଧିକ ପ୍ରେରଣାଦାୟୀ ।

ଅଧ୍ୟକ୍ଷ ମହୋଦୟ,

ଯେତେବେଳେ ଏକ ବିକାଶଶୀଳ ଦେଶ ବିଶ୍ୱର ସବୁଠାରୁ ବଡ ସ୍ୱଚ୍ଛତା ଅଭିଯାନ ସଫଳତା ପୂର୍ବକ ସମ୍ପନ୍ନ କରିଥାଏ, ମାତ୍ର 5 ବର୍ଷ ମଧ୍ୟରେ 11 କୋଟିରୁ ଅଧିକ ଶୌଚାଳୟର ନିର୍ମାଣ କରି ନିଜର ଦେଶବାସୀଙ୍କୁ ପ୍ରଦାନ କରିଥାଏ, ସେତେବେଳେ ଏହା ସହିତ ନିର୍ମାଣ ହୋଇଥିବା ବ୍ୟବସ୍ଥା ସମଗ୍ର ବିଶ୍ୱକୁ ଏକ ପ୍ରେରଣାର ସନ୍ଦେଶ ପ୍ରଦାନ କରିଥାଏ । ଯେତେବେଳେ ଏକ ବିକାଶଶୀଳ ଦେଶ ବିଶ୍ୱର ସବୁଠାରୁ ବଡ ସ୍ୱାସ୍ଥ୍ୟ ବୀମା ଯୋଜନା ସଫଳତାପୂର୍ବକ ଚଲାଇଥାଏ, 50 କୋଟି ଲୋକଙ୍କୁ ପ୍ରତିବର୍ଷ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ପ୍ରଦାନ କରେ, ତେବେ ଏହା ସହିତ ନିର୍ମାଣ ହେଉଥିବା ସମ୍ବେଦନଶୀଳ ବ୍ୟବସ୍ଥା, ସମଗ୍ର ବିଶ୍ୱକୁ ଏକ ନୂତନ ମାର୍ଗ ଦେଖାଇଥାଏ । ଯେତେବେଳେ ଏକ ବିକାଶଶୀଳ ଦେଶ ବିଶ୍ୱର ସବୁଠାରୁ ବଡ ଆର୍ଥିକ ଅନ୍ତର୍ଭୁକ୍ତିର କାର୍ଯ୍ୟକ୍ରମ ସଫଳତାର ସହିତ ଚଲାଏ, ମାତ୍ର 5 ବର୍ଷ ମଧ୍ୟରେ 37 କୋଟିରୁ ଅଧିକ ଗରିବ ଲୋକଙ୍କ ବ୍ୟାଙ୍କ ଖାତା ଖୋଲେ, ସେତେବେଳେ ଏଥିସହିତ ନିର୍ମାଣ ହୋଇଥିବା ବ୍ୟବସ୍ଥା, ସମଗ୍ର ବିଶ୍ୱରେ ଗରିବ ଲୋକମାନଙ୍କ ଭିତରେ ଏକ ବିଶ୍ୱାସ ସୃଷ୍ଟି କରିଥାଏ ।

ଯେତେବେଳେ ଏକ ବିକାଶଶୀଳ ଦେଶ ଏହାର ନାଗରିକମାନଙ୍କ ପାଇଁ ବିଶ୍ୱରେ ସବୁଠାରୁ ବଡ ଡିଜିଟାଲ ଚିହ୍ନଟ କାର୍ଯ୍ୟକ୍ରମ ଚଲାଏ, ସମସ୍ତଙ୍କୁ ବାୟୋମେଟ୍ରିକ ପରିଚୟ ଦେଇଥାଏ, ନାର୍ଯ୍ୟ ଅଧିକାର ସୁନିଶ୍ଚିତ କରିଥାଏ, ଭ୍ରଷ୍ଟାଚାରକୁ ରୋକି ପାଖାପାଖି 20 ବିଲିଅନ ଡଲାରରୁ ଅଧିକ ରାଜସ୍ଵ ବଂଚାଇଥାଏ, ସେତେବେଳେ ଏହାସହିତ ନିର୍ମାଣ ହୋଇଥିବା ଆଧୁନିକ ବ୍ୟବସ୍ଥା, ସମଗ୍ର ବିଶ୍ୱପାଇଁ ଏକ ନୂତନ ଆଶା ନେଇକରି ଆସିଥାଏ ।

ଅଧ୍ୟକ୍ଷ ମହୋଦୟ,

ମୁଁ ଏଠାକୁ ଆସିଲାବେଳେ ଜାତିସଂଘ ଅଟ୍ଟାଳିକାର ପ୍ରାଚୀର ଉପରେ ଲେଖାଥିବାର ପଢ଼ିଲି- No More Single Use Plastic । ସଭାକୁ ଏହା କହି ମୁଁ ଆନନ୍ଦିତ ଯେ ଆଜି ଯେତେବେଳେ ମୁଁ ଆପଣମାନଙ୍କୁ ସମ୍ବୋଧିତ କରୁଛି, ଏହି ସମୟରେ ସମଗ୍ର ଭାରତବର୍ଷରେ ଏକକ ପ୍ଲାଷ୍ଟିକର ବ୍ୟବହାରରୁ ମୁକ୍ତି ପାଇବା  ପାଇଁ ବଡ ଧରଣର ଅଭିଯାନ ଚାଲୁଛି ।

ଆଗାମୀ 5 ବର୍ଷ ମଧ୍ୟରେ ଆମେ ଜଳ ସଂରକ୍ଷଣକୁ ପ୍ରୋତ୍ସାହନ ପ୍ରଦାନ କରିବା ସହିତ 15 କୋଟି ଘରକୁ ଜଳ ଯୋଗାଣ କରିବାକୁ ଯାଉଛୁ । ଆଗାମୀ 5 ବର୍ଷରେ ଆମେ ଉପାନ୍ତ ଗ୍ରାମରେ ଦେଢ଼ ଲକ୍ଷ କିଲୋମିଟରରୁ ଅଧିକ ନୂତନ ସଡକ ନିର୍ମାଣ କରିବାକୁ ଯାଉଛୁ ।

2022ରେ ଭାରତ ଯେତେବେଳେ ସ୍ୱାଧୀନତାର 75 ବର୍ଷ ପାଳନ କରିବ, ସେତେବେଳ ସୁଦ୍ଧା ଆମେ ଗରିବ ଲୋକଙ୍କ ପାଇଁ ଆହୁରି 2 କୋଟି ଗୃହ ନିର୍ମାଣ କରିବୁ । 2030 ସୁଦ୍ଧା ବିଶ୍ୱ ଯକ୍ଷ୍ମାରୁ ମୁକ୍ତି ପାଇଁ  ସମୟ ଧାର୍ଯ୍ୟ କରିଛି, ମାତ୍ର 2025 ସୁଦ୍ଧା ଭାରତକୁ ଯକ୍ଷ୍ମାରୁ ମୁକ୍ତ କରିବା ପାଇଁ ଆମେ କାମ କରୁଛୁ । ପ୍ରଶ୍ନ ଉଠୁଛି ଆମେ ଏସବୁ କିପରି କରିପାରୁଛୁ, ନୂତନ ଭାରତରେ ପରିବର୍ତ୍ତନ ଏତେ ଦ୍ରୁତ ଗତିରେ କିପରି ଭାବେ ଆସୁଛି?

ଅଧ୍ୟକ୍ଷ ମହୋଦୟ,

ଭାରତ ହେଉଛି ହଜାରେ ବର୍ଷ ପୁରୁଣା ଏକ ମହାନ ସଂସ୍କୃତି, ଯାହାର କି ନିଜର ଜୀବନ୍ତ ପରମ୍ପରା ରହିଛି, ଯାହାକି ବୌଦ୍ଧିକ ସ୍ୱପ୍ନକୁ ଏହା ସହିତ ଏକାଠି କରି ରଖିଛି । ଆମ ସଂସ୍କାର, ଆମ ସଂସ୍କୃତି, ଜୀବ ମଧ୍ୟରେ ଶିବଙ୍କୁ ଦେଖିଥାଏ । ଏଥିପାଇଁ ଆମର ପ୍ରାଣତତ୍ତ୍ଵ ହେଉଛି ଜନ-ଭାଗିଦାରୀ ଦ୍ୱାରା ଜନ-କଲ୍ୟାଣ ଏବଂ ଜନକଲ୍ୟାଣ ମଧ୍ୟ କେବଳ ଭାରତ ପାଇଁ ନୁହେଁ ବିଶ୍ୱ-କଲ୍ୟାଣ ପାଇଁ ।

ଆଉ ସେଥିପାଇଁ ତ ଆମର ପ୍ରେରଣା ହେଉଛି-

 

ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ।

ଆହୁରି ଏହା କେବଳ ଭାରତର ସୀମା ମଧ୍ୟରେ ସୀମିତ ନାହିଁ । ଆମର ପରିଶ୍ରମରେ ସମବେଦନା ନାହିଁ କି ଦେଖାଣିଆ ଭାବନା ନାହିଁ । ଏହା କେବଳ ଆଉ କେବଳ କର୍ତ୍ତବ୍ୟ ଭାବନା ଦ୍ୱାରା ଅନୁପ୍ରାଣିତ । ଆମ ପ୍ରୟାସର କେନ୍ଦ୍ରରେ 130 କୋଟି ଭାରତୀୟଙ୍କୁ ରଖାଯାଇଛି । ମାତ୍ର ଏହି ପ୍ରୟାସ ଯେଉଁ ସ୍ୱପ୍ନ ପାଇଁ ହେଉଛି ତାହା ସାରା ବିଶ୍ୱ ପାଇଁ, ସବୁ ଦେଶ ପାଇଁ, ସବୁ ସମାଜ ପାଇଁ । ପ୍ରୟାସ ଆମର, ପରିଣାମ ସମସ୍ତଙ୍କ ପାଇଁ, ସମଗ୍ର ସଂସାର ପାଇଁ । ମୋର ଏହି ବିଶ୍ୱାସ ଦିନକୁ ଦିନ ଦୃଢ଼ ହେଇଯାଉଛି, ଯେତେବେଳେ ମୁଁ ସେହି ଦେଶମାନଙ୍କ ବିଷୟରେ ଭାବେ, ଯେଉଁମାନେ ବିକାଶର ଯାତ୍ରାରେ ଭାରତ ପରି ନିଜ-ନିଜ ସ୍ତରରେ ପ୍ରୟାସ କରୁଛନ୍ତି ।

ଯେତେବେଳେ ମୁଁ ସେହି ଦେଶମାନଙ୍କର ସୁଖ-ଦୁଃଖ ଶୁଣେ, ସେମାନଙ୍କ ସ୍ୱପ୍ନ ସହିତ ପରିଚିତ ହୁଏ, ସେତେବେଳେ ମୋର ସଂକଳ୍ପ ଆହୁରି ମଧ୍ୟ ଦୃଢ଼ ହୋଇଯାଏ ଯେ, ମୁଁ ଆମ ଦେଶର ବିକାଶ ଯେପରି ଆହୁରି ଦ୍ରୁତ ଗତିରେ କରିବି, ଯାହାଫଳରେ କି ଭାରତର ଅଭିଜ୍ଞତା ସେହି ଦେଶମାନଙ୍କର କାମରେ ମଧ୍ୟ ଆସିପାରିବ ।

ଅଧ୍ୟକ୍ଷ ମହୋଦୟ,

ଆଜିଠାରୁ 3 ହଜାର ବର୍ଷ ପୂର୍ବେ ଭାରତର ମହାନ କବି କଣିୟନ ପୁଙ୍ଗୁନ୍ଦ୍ରନାର ବିଶ୍ୱର ପ୍ରାଚୀନତମ ଭାଷା ତାମିଲରେ କହିଥିଲେ-

“ୟାଦୁମ ଉରେ, ୟାବରୁମ କେଡିର” ।

ଅର୍ଥାତ

“ଆମେ ସବୁ ସ୍ଥାନ ପାଇଁ ନିଜର ଭାବ ରଖୁ ଏବଂ ସବୁ ଲୋକ ଆମ ନିଜର” ।

ଦେଶର ସୀମା ବାହାରେ ଆପଣାପଣର ଏହି ଭାବନା, ଭାରତ ଭୂମିର ବିଶେଷତ୍ୱ । ଭାରତ ବିଗତ ପାଞ୍ଚ ବର୍ଷରେ, ବର୍ଷ ବର୍ଷ ଧରି ଚାଲିଆସିଥିବା ବିଶ୍ୱ ବନ୍ଧୁତ୍ୱ ଓ ବିଶ୍ୱ କଲ୍ୟାଣର ଏହି ମହାନ ପରମ୍ପରାକୁ ମଜଭୁତ କରିବାର କାମ କରିଛି, ଯାହାକି ଜାତିସଂଘ ପ୍ରତିଷ୍ଠାର ମଧ୍ୟ ଧ୍ୟେୟ ରହିଛି । ଭାରତ ଯେଉଁ ବିଷୟକୁ ଉଠାଉଛି, ଯେଉଁ ବୈଶ୍ୱିକ ମଞ୍ଚ ନିର୍ମାଣ ପାଇଁ ଭାରତ ଆଗକୁ ଆସୁଛି, ଏହାର ଆଧାର ହେଉଛି ବୈଶ୍ୱିକ ଆହ୍ୱାନ, ବୈଶ୍ୱିକ ପ୍ରସଙ୍ଗ ଏବଂ ଗମ୍ଭୀର ସମସ୍ୟାର ସମାଧାନ ପାଇଁ ସାମୂହିକ ପ୍ରୟାସ ।

ଅଧ୍ୟକ୍ଷ ମହୋଦୟ,

ଯଦି ଇତିହାସ ଏବଂ ମୁଣ୍ଡପିଛା ନିର୍ଗମନକୁ ଆଖିଆଗରେ ରଖିବା, ତେବେ ବିଶ୍ୱ ତାପନରେ ଭାରତର ଯୋଗଦାନ ବହୁତ କମ ରହିଛି । ମାତ୍ର ଏହାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରୁଥିବା ଦେଶମାନଙ୍କ ମଧ୍ୟରେ ଭାରତ ଅଗ୍ରଣୀ । ଗୋଟିଏପଟେ ଆମେ ଭାରତରେ 450 ଗିଗାୱାଟ ଅକ୍ଷୟ ଶକ୍ତି ଲକ୍ଷ୍ୟ ହାସଲ ଦିଗରେ କାମ କରୁଛୁ, ଅନ୍ୟପଟେ ଆମେ ଆନ୍ତର୍ଜାତିକ ସୌର ମେଣ୍ଟ ସ୍ଥାପନ କରିବା ଭଳି ପଦକ୍ଷେପ ମଧ୍ୟ ଗ୍ରହଣ କରିଛୁ ।

ବିଶ୍ୱ ତାପନର ପ୍ରଭାବରୁ ପ୍ରାକୃତିକ ବିପର୍ଯ୍ୟୟର ସଂଖ୍ୟା ଏବଂ ତୀବ୍ରତା ତ ବୃଦ୍ଧି ପାଉଛି, ଏହାର କ୍ଷେତ୍ର ଏବଂ ଅନେକ ନୂଆ-ନୂଆ ସ୍ୱରୂପ ମଧ୍ୟ ସାମନାକୁ ଆସୁଛି । ଏହି ସ୍ଥିତିକୁ ଲକ୍ଷ୍ୟ କରି ଭାରତ “ବିପର୍ଯୟ ନିରୋଧୀ ଭିତ୍ତିଭୂମି ମେଣ୍ଟ” [Coalition For Disaster Resilient Infrastructure (CDRI)] ନିର୍ମାଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି । ଏହାଦ୍ୱାରା ଏପରି ଭିତ୍ତିଭୂମି ନିର୍ମାଣ କରିବା ପାଇଁ ସହାୟତା ମିଳିବ ଯାହା ଉପରେ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ କମରୁ କମ ରହିବ ।

ଅଧ୍ୟକ୍ଷ ମହୋଦୟ,

ଜାତିସଙ୍ଘ ଶାନ୍ତିରକ୍ଷା ମିଶନରେ ସବୁଠାରୁ ଅଧିକ ବଳିଦାନ ଯଦି କେଉଁ ଦେଶ ଦେଇଛି, ସେ ଦେଶ ହେଉଛି ଭାରତ । ଆମେ ହେଉଛୁ ସେହି ଦେଶବାସୀ ଯାହା ବିଶ୍ୱକୁ ଯୁଦ୍ଧ ନୁହେଁ ବୁଦ୍ଧ ଦେଇଛି, ଶାନ୍ତିର ବାର୍ତ୍ତା ଦେଇଛି । ଏଥିପାଇଁ ଆମ ସ୍ୱରରେ ଆତଙ୍କ ବିରୋଧରେ ବିଶ୍ୱକୁ ସତର୍କ କରିବାର ଗମ୍ଭୀରତା ମଧ୍ୟ ରହିଛି ଓ ଆକ୍ରୋଶ ମଧ୍ୟ ରହିଛି । ଆମେ ମାନୁଛୁ କି ଏହା କୌଣସି ଗୋଟିଏ ଦେଶର ନୁହେଁ, ବରଂ ସମଗ୍ର ବିଶ୍ୱର ଓ ମାନବତାର ସବୁଠାରୁ ବଡ ଆହ୍ୱାନ ମଧ୍ୟରୁ ଗୋଟିଏ । ଆତଙ୍କ ନାମରେ ବାଣ୍ଟି ହୋଇଯାଇଥିବା ବିଶ୍ୱ, ସେହି ସିଦ୍ଧାନ୍ତକୁ ବାଧା ଦେଉଛି, ଯାହାର ଆଧାରରେ ଜାତିସଙ୍ଘର ଜନ୍ମ ନେଇଛି । ମାନବତାର ରକ୍ଷା ପାଇଁ, ଆତଙ୍କ ବିରୋଧରେ ସମଗ୍ର ବିଶ୍ୱ ଏକମତ ହେବା, ଏକଜୁଟ ହେବା ଅନିର୍ବାର୍ଯ୍ୟ ବୋଲି ମୁଁ ମନେକରେ ।

ଅଧ୍ୟକ୍ଷ ମହୋଦୟ,

ଆଜି ବିଶ୍ୱର ସ୍ୱରୂପ ବଦଳୁଛି । ଏକବିଂଶ ଶତାବ୍ଦୀରେ ଆଧୁନିକ ପ୍ରଯୁକ୍ତିବିଦ୍ୟା, ସାମାଜିକ ଜୀବନ, ବ୍ୟକ୍ତିଗତ ଜୀବନ, ଅର୍ଥବ୍ୟବସ୍ଥା, ସୁରକ୍ଷା, ଯୋଗାଯୋଗ ଓ ଆନ୍ତର୍ଜାତିକ ସମ୍ବନ୍ଧରେ ସାମୂହିକ ପରିବର୍ତ୍ତନ ଆଣୁଛି । ଏହି ପରିସ୍ଥିତିରେ ଏକ ଇତଃସ୍ତତ ହୋଇଯାଇଥିବା ବିଶ୍ୱ କାହାର ହିତରେ ମଧ୍ୟ ନୁହେଁ । ଆମ ପାଖରେ ନିଜ ନିଜ ସୀମା ମଧ୍ୟରେ ସୀମିତ ରହିଯିବାର ବିକଳ୍ପ ନାହିଁ । ଏହି ନୂତନ ସମୟରେ ଆମକୁ ବହୁପକ୍ଷବାଦ ଏବଂ ଜାତିସଂଘକୁ ନୂତନ ଶକ୍ତି ଓ ନୂତନ ଦିଗ ପ୍ରଦାନ କରିବାକୁ ହେବ ।

ଅଧ୍ୟକ୍ଷ ମହୋଦୟ,

ଦେଢ଼ଶହ ବର୍ଷ ପୂର୍ବେ ଭାରତର ମହାନ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ବିବେକାନନ୍ଦ ଚିକାଗୋରେ ବିଶ୍ୱ ଧର୍ମ ସଭାର ଆୟୋଜନ ସମୟରେ ବିଶ୍ୱକୁ ଏକ ବାର୍ତ୍ତା ପ୍ରଦାନ କରିଥିଲେ ।

ସେହି ବାର୍ତ୍ତା ଥିଲା-

“କଳହ ନୁହେଁ, ଏକତା ଓ ଶାନ୍ତି” ।

ଆଜି ବି ଆନ୍ତର୍ଜାତିକ ସମୁଦାୟକୁ ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ରର ଏହା ହିଁ ବାର୍ତ୍ତା-

ଏକତା ଓ ଶାନ୍ତି ।

ଅନେକ-ଅନେକ ଧନ୍ୟବାଦ !!!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
In Photos: PM Narendra Modi Prays At Kashi Vishwanath, Holds Trishul-Damru

Media Coverage

In Photos: PM Narendra Modi Prays At Kashi Vishwanath, Holds Trishul-Damru
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 30, 2026
April 30, 2026

Investment Magnet India: PLI Triumphs, FTA Deals & Defence Milestones — How PM Modi’s Vision is Reshaping the Nation